ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କର କୁଞ୍ଜବନେ ପ୍ରବେଶ ଓ ମୋହନବଂଶୀ ପ୍ରାପ୍ତି
ବଦୟନ୍ତି ଶୁକମୁନି ଶୁଣ ମହାରାୟେଶ୍ରୀକୃଷଙ୍କ ଲୀଳା ଶୁଣି ପାପ କର କ୍ଷୟେ ।ବିରସ ମନେ ଶ୍ରୀକୃଷ୍ଣ ସେଠାରୁ ଚଳିଲେକୁଞ୍ଜବନ ମଧ୍ୟେ ଯାଇ ପ୍ରବେଶ ହୋଇଲେ ।ମଦନର ଅନୁତାପ ଲାଗିଅଛି ଅଙ୍ଗକେଉଁପରି ଲଭିବି ମୁଁ ରାଧିକାର ସଙ୍ଗ ।କଉଣସି ପରକାରେ ନୋହିଲା ତ କାର୍ଯ୍ୟକି ଉପାୟ କରିବଇଁ ଭାଳି ଦେବରାଜ ।ଚିନ୍ତାଭରେ ଭାଳିଲେକ ବସି ଦେବ ସ୍ୱାମୀଧାତାଙ୍କୁ ସ୍ମରିଲେ ଅନ୍ତର୍ଗତେ ଅନ୍ତର୍ଯ୍ୟାମୀ ।ଏକଲୟରେ ଚିନ୍ତିଲେ ଯହୁଁ ଭଗବାନଟଳମଳ ହୋଇ କମ୍ପେ ବ୍ରହ୍ମାଙ୍କ ଆସନ ।ଧ୍ୟାନରେ ଜାଣି ପାରିଲେ ତାହା ବେଦବରଗୋପରେ ଚିନ୍ତା କରନ୍ତି ପ୍ରଭୁ ଚକ୍ରଧର ।ରଙ୍ଗାଅବତାରେ ପ୍ରଭୁ କାମେ ବଳେ ଶ୍ରଦ୍ଧାଦୂତିକା ବଚନ ଶୁଣି ଲାଗେ କାମବାଧା ।ଅଜ୍ଞାନୀପଣେ ଗୋପିଏ ନ ଜାଣନ୍ତି ତାହାତାହାଙ୍କ ନିମନ୍ତେ ତହିଁ ବିଜେ ଚଉାବାହା ।ଏମନ୍ତ ବିଚାରି ଧାତା ତହୁଁ ବିଜେକଲେମରାଳବାହାନେ ବସି ଗୋପରେ ମିଳିଲେ ।ଯେଣବ ସ୍ଥାନେ ଅଛନ୍ତି ପ୍ରଭୁ ଦାମୋଦରସୁମରି ସୁମରି ବ୍ରହ୍ମା ମିଳିଲେ ଛାମୁର ।ହସ୍ତେ ଦଣ୍ଡ କମଣ୍ଡଳୁ ଆଉ କୁଶବିଡ଼ାଧୋତି ଉତ୍ତରୀ ଆବର ଛତା ସ୍ୱର୍ଣ୍ଣପୀଢ଼ା ।ତୁଳସୀ ରୁଦ୍ରାକ୍ଷମାଳ ବିଭୂଷଣ କଣ୍ଠେପବିତ୍ର ତମ୍ୱା କୁଣ୍ଡଳ ଶୋହେ କର୍ଣ୍ଣପୁଟେ ।ଲମ୍ୱିତ ଜୂଡ଼ା କୈଷେୟ ବସ୍ତ୍ର କଟିତଟେଏମନ୍ତ ସ୍ୱରୂପେ ବିଜେ ପ୍ରଭୁଙ୍କ ନିକଟେ ।ପୃଥୁଳ କଳେବର ଯେ ପାଏ ଅତି ଶୋଭାଜାଜ୍ଜ୍ୱଲ୍ୟମାନେ ଯେସନେ ଦିନକର ପ୍ରଭା ।ଏସନେକ ଦିବ୍ୟରୂପ ଧରି ବେଦବରଧାତିକାରେ ପ୍ରବେଶିଲେ ନିକୁଞ୍ଜ ମଧ୍ୟର ।ମରାଳ ଉପରୁ ଧାତା ଉତୁରିଣ ତହିଁଗୋବିନ୍ଦଙ୍କ ଚରଣରେ ପ୍ରଣମିଲେ ଯାଇ ।ଏକାସନେ ଶ୍ରୀହରିଙ୍କ ପାଶରେ ବସିଲେକି ହେତୁ ସ୍ମରିଲେ ସ୍ୱାମୀ ବୋଲି ପଚାରିଲେ ।ଗୋବିନ୍ଦ ବୋଇଲେ ତୁମ୍ଭେ ସୃଷ୍ଟିର କରତାତୁମ୍ଭଙ୍କୁ ଅଜଣା କିବା ଅଛି କେଉଁ କଥା ।ଯେ ନିମନ୍ତେ ମୋତେ ଜନ୍ମ କରାଇଲ ଆଣିତାହା ସବୁ ମିଥ୍ୟା ହୁଏ ତେବେ କୁଶପାଣି ।ଯହିଁ ପାଇଁକି ଧଇଲି ମାନବ ଶରୀରତାହା ଏବେ ବୃଥା ସବୁ ହୋଇଲା ମୋହର ।ଅକାରଣେ ମର୍ତ୍ତପୁରେ କାହିଁପାଇଁ ଥିବିବୈକୁଣ୍ଠପୁରକୁ ନିଶ୍ଚେ ବିଜୟ କରିବି ।ସମ୍ଭାଳ ସୃଷ୍ଟି ତୋହର ନାହିଁ ମୋର କାର୍ଯ୍ୟଏତେ ବୋଲି ଉଠିଲେକ ପ୍ରଭୁ ଦେବରାଜ ।ବ୍ରହ୍ମାଏ ବୋଲନ୍ତି ଦେବ ତୁମ୍ଭପରି ଲୋକଧଇର୍ଯ୍ୟ ନ ଧରି ଏବେ ଛାଡ଼ିଲ ବିବେକ ।ଅଶେଷ ବ୍ରହ୍ମାଣ୍ଡ ତୁମ୍ଭ ହେତୁ ମୁଁ ସୃଜଇବୃଥାରେ ଏପରି ନାଥ କହୁ କାହିଁ ପାଇଁ ।ଲକ୍ଷ୍ମୀ ସରସ୍ୱତୀ ତବ ଅଟନ୍ତି ଯେ ନାରୀତାହାଙ୍କୁ କି ଗୋପାଳୁଣୀ ହେବ ସ୍ୱାମୀ ସରି ।ଛାର ଗୋପନାରୀ ପାଇଁ ଏଡ଼େକ ଭାବନାଯାହାଙ୍କ ଆଜ୍ଞାରେ ନବସୃଷ୍ଟିର ରଚନା ।ନାରାୟଣ ବୋଇଲେକ ହେ ବିହି ପୁରୁଷପ୍ରଳୟ ଅନ୍ତେ ଭିଆଅ ତୁମ୍ଭେ ଦଶଦିଗ ।ନିହନ୍ତା ବିହନ୍ତା ତୁମ୍ଭେ ଅଟ ମୋକ୍ଷଦାତାତୁମ୍ଭଙ୍କୁ ଲାଗଇ ସବୁ ହାନି ଲାଭ କଥା ।ଗଦାଧର ଆଦି ଆମ୍ଭେ ସକଳ ଅମରତୁମ୍ଭଯୋଗେ ଆତଯାତ ଆହେ କୁଶଧର ।ଭୋ ପିତାମହ ମଦନ ପୀଡ଼ା ଦିଏ ମୋତେଗୋପୀଙ୍କ ସଙ୍ଗ ନୋହିଲା ଆଜ ପରିଯନ୍ତେ ।ତୁମ୍ଭେ ବୋଲିଥିଲ ମୁହିଁ ଭିଆଇଲି ସର୍ବଗୋପୀଙ୍କ ସଙ୍ଗେ ଗୋପରେ କ୍ରୀଡ଼ା ଯେ କରିବ ।ସେ କଥାମାନ ନୋହିଲା ଆହେ କୁଶପାଣିବାହୁଡ଼ି ଅନନ୍ତ ଶଯ୍ୟା କରିବଇଁ ପୁଣି ।ବଇକୁଣ୍ଠେ ବିଳାସିବି ନାନାବିଧ ଭୋଗଏତେ ଦୁଃଖ ସହିବାର କିପାଇଁ ସରାଗ ।ରାମ ଅବତାର ଦୁଃଖ ପାସୋରିବା ପାଇଁମର୍ତ୍ତ୍ୟଭୁବନେ ଜନମ ସିନା ହୋଇଲଇଁ ।ତାହା ଯେବେ ବିପରୀତ ହୋଇଲା ମୋହରକେଉଁପରି ଉଶ୍ୱାସିବି ଏ ଅବନୀ ଭାର ।ଚନ୍ଦ୍ରବଦନୀ ରାଧିକା ଦେଲା ବଡ଼ ଲାଜଅନେକ କଷ୍ଟ ପାଇଲି ନ ହୋଇଲା କାର୍ଯ୍ୟ ।କାମବେଦ ବାଧା ମୁହିଁ ନ ପାରଇ ସହିଦିନୁ ଦିନୁ କ୍ଷୀଣ ଆସି ହୋଇଲାଣି ଦେହି ।ଭୋଦେବ କୁଶକେତୁ ହେ ମୋତେ ତ୍ରାହିକରକାମଜଳଧିରୁ ମୋତେ ବାରେକ ଉଦ୍ଧର ।ବିଧାତା ବୋଇଲେ ତୁମ୍ଭେ ଅଟ ଦେବରାଜାଅନାଦି ପୁରୁଷ ସବୁଠାରେ ପାଅ ପୂଜା ।ଜଳ ସ୍ଥଳ ଅନଳରେ ଅଛ ସର୍ବ ବ୍ୟାପୀଅଶେଷ କୋଟି ଜନ୍ମରେ ତୁମ୍ଭେ ଜୀବରୂପୀ ।ନ ଜାଣିଣ ଗୋପାଙ୍ଗନା ହୋଇଲେ ଅଜ୍ଞାନୀପରପୁରୁଷ ବୋଲିଣ ନ ପାରିଲେ ଚିହ୍ନି ।ଅଭିଶାପେ ଜନମିଲେ ଆସି ଗୋପଭୂଇଁରାସରଙ୍ଗ କରିବେ ସେ ତୁମ୍ଭ ସଙ୍ଗ ପାଇ ।ମର୍ତ୍ତ୍ୟପୁରେ ଅବତୀର୍ଣ୍ଣ ହେଲେ ତୁମ୍ଭଅର୍ଥେପାସୋରିଣ ପକାଇଲେ ତାହା ମୂଢ଼ମତେ ।ତୁମ୍ଭେ ଜନ୍ମ ନୋହିଥିଲେ ନୁହନ୍ତେ ସେ ଜାତଏପରି କଥା ଅଛଇ ଆହେ ଗୋପୀନାଥ ।ଯେ ପର୍ଯ୍ୟନ୍ତ ତୁମ୍ଭ ସଙ୍ଗ ନୋହିଛି ହୋ ହରିଯୁବାବସ୍ଥା ନ ହୋଇଛି ସେ ଯାଏ କାହାରି ।ଏବେ ପାକାସ୍ପରଶ ନ ହେବେ ଗୋପାଳୁଣୀତୁମ୍ଭେ ଅବତାର ଯେଣୁ ହେଲ ଚକ୍ରପାଣି ।ଏବେ ଯେପରି ଗୋପୀଏ ହେବେ ବଶୀଭୂତସେ ଉପାୟ ତୁମ୍ଭଙ୍କୁ ଯେ କହିବା ଅଚ୍ୟୁତ ।ମଦନମୋହନ ବେଣୁ ଯେଉଁଠାରେ ଅଛିତାହା ତୁମ୍ଭେ ଚିନ୍ତାକର ଆହେ ଶିରୀବତ୍ସି ।ଗାନ୍ଧାର ରାଗରେ ଗୀତ ଗାଇ ତ ବାଇଲେଗୋପୀଏ ମୋହିତ ହେବେ ସେ ଶବ୍ଦ ଶୁଣିଲେ ।ଯା ନାମ ଧରି ଡାକିବ ସେ ବିରହବଂଶୀତତକ୍ଷଣେ ସେହି ନାରୀ ପ୍ରବେଶିବ ଆସି ।ତୁମ୍ଭ ବେଣୁ ଶୁଣି ଗୋପୀ ମୋହିତ ହୋଇବେଘର ଦ୍ୱାର ତେଜି ତୁମ୍ଭ ନିକଟେ ମିଳିବେ ।ଜାଣୁ ଜାଣୁ ଆପଣ ତ ହେଉଅଛ ବଣାସାଧିବ ସକଳ କାର୍ଯ୍ୟ ବଂଶୀ ଏବେ ଅଣା ।ଯତନେ ରଖିଛି ତାକୁ ବରୁଣ ନୃପତିଗନ୍ଧ ପୁଷ୍ପ ଦେଇ ହସ୍ତେ ପୂଜା କରେ ନିତି ।ବରୁଣକୁ ସୁମରଣା କର ଚକ୍ରପାଣିମୋହନବଂଶୀ ଘେନିଣ ଆସିବ ଏକ୍ଷଣି ।କୃଷ୍ଣଙ୍କର ଏହା ବୋଲି ଜାଣେ ସେ ନିଶ୍ଚୟେଯତ୍ନେ ସାଇତିଛି ତେଣୁ ବହୁଯୁଗ ଯାଏ ।ବଂଶୀ ମହିମା ବରୁଣ ଶୁଣିଅଛି ଯେଣୁଭକ୍ତି ସହକାରେ ପୂଜା କରଇ ଯେ ତେଣୁ ।ବ୍ରହ୍ମା ବଚନ ଶୁଣିଣ ପ୍ରଭୁ ହେଲେ ତୋଷବରୁଣକୁ ସୁମରଣା କଲେ ଜଗଦୀଶ ।ଜୟ ହେ ବରୁଣ ତବ ପୁଣ୍ୟମୟ ଜଳଅଶେଷ ବାରାନିଧିର ଅଟ ଅଧିପାଳ ।ସର୍ବଦା କାଳେ ତୁମ୍ଭେ ତ ଅଟେ ପୁଣ୍ୟମୟଅଣ୍ଡକୋଷ ଫୁଟାଇଣ ହୋଇଛ ଉଦୟ ।ଭୂଲୋକ ଯେ ଭୂବଲୋକ ସ୍ୱର୍ଲୋକକୁ ଜିଣିଜନଲୋକ ତପଲୋକ ସତ୍ୟ ଯେ ବଖାଣି ।ସୂର୍ଯ୍ୟଲୋକ ଚନ୍ଦ୍ରଲୋକ ଯେ ନକ୍ଷତ୍ର ଲୋକଧର୍ମଲୋକ ଧ୍ରୁବଲୋକ ଏ ଆଦି ଯେତେକ ।ପୁଣ୍ୟଲୋକ ଶୁଭୋଲୋକ ଜାତଲୋକ ମୂଳେଜୀବଲୋକ ତ୍ରଇଲୋକ ମୃତ୍ୟୁଲୋକ ତୁଲେ ।ସିଦ୍ଧଲୋକ ବ୍ରହ୍ମଲୋକ ଏମନ୍ତ ପ୍ରମାଣିଏତେ ଲୋକମାନଙ୍କର ପୂଜ୍ୟ ଯେହୁ ପୁଣି ।ଏହିରୂପେ ପୂଜାପାଅ ଚତୁର୍ଦ୍ଦଶ ପୁରେଅକ୍ଷୁର୍ଣ୍ଣ ହୋଇଣ ତୁମ୍ଭେ ଥାଅ ସବୁଠାରେ ।ଘଡ଼ିକ ମଧ୍ୟେ ଭିଆଇ ପାର ନବସୃଷ୍ଟିତୁମ୍ଭ ସମାନରେ କେହୁ ଜଗତେ ଅଛିଟି ।ତୁମ୍ଭଘେନି ଧର୍ମଭାବ ସଂସାରେ ପୂରିଛିତୁମ୍ଭେ ଯହିଁ ନ ଥାଅ ସେ ଭୂମି ନୁହେଁ କିଛି ।ରେଚକ ପୂରକ ବାୟୁ ଆବର କୁମ୍ଭକଏମାନଙ୍କର ମଧ୍ୟରେ ଅଟ ତ ନାୟକ ।ତୁମ୍ଭେ ଦୟାଳୁ ପୁରୁଷ ତୁମ୍ଭେ ଜ୍ଞାନବାନସମସ୍ତଙ୍କ ହୃଦଭାବ ଅଟ ତ ଆପଣ ।ଷଡ଼ ନିଃଶ୍ୱାସରେ ଭବେ ଲିତା ଯେ ବୋଲାଇବେନିଖଣ୍ଡରେ ଘଡ଼ିଏ ଜଗତରେ ହୋଇ ।ଚାରିଘଡ଼ିରେ ଯେ ପୁଣ ପ୍ରହରେ ନିର୍ମାଣଏପରି ଚାରିପ୍ରହରେ ଦିନେକ ପ୍ରମାଣ ।ରଜନୀ ଚାରି ପ୍ରହର ଗଣନା ଯେ କରିଯଜୁର୍ବେଦକୁ ତହିଁରୁ କାଢ଼ି ବେଦଧାରୀ ।ଷାଠିଏଦଣ୍ଡ ରଜନୀ ଦିବସ ଗଣିତାତହିଁରେ ତୁମ୍ଭେ କେବଳ ଅଟ ତ କରତା ।ସାତବାର ଶତାଇଶ ନକ୍ଷତ୍ରର ମୂଳେତୁମ୍ଭହେତୁ ଯେଝା ଭୋଗ ଭୋଗନ୍ତି ସକଳେ ।ଅମୃତ ଜାତ ହୋଇଲା ତୁମ୍ଭର କୃପାରୁସବୁ ସରଜନା କର ତୁମ୍ଭେ ବୁଦ୍ଧିବଳୁ ।ଚାରିବେଦ ଷଡ଼ଶାସ୍ତ୍ର ପୁରାଣାଦି କରିବେଦାନ୍ତ ଆଦି କରିଣ ଜ୍ୟୋତିଷାଦି ଧରି ।ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଯେତେଭରହର ରସ କାବ୍ୟ ନାଟକ ସହିତେ ।ଧର୍ମଶାସ୍ତ୍ର କାମଶାସ୍ତ୍ର ଯୋଗଶାସ୍ତ୍ର ଆଦିପଞ୍ଚାଶ ଅକ୍ଷର ବାର ମାତ୍ର ଯେ ପ୍ରସିଦ୍ଧି ।ସ୍ୟମନ୍ତକ ମଣି ରତ୍ନ ଚାମର ଯେ ମାନଉଚ୍ଚୈଃଶ୍ରବା ଅଶ୍ୱ ଐରାବତ ନାମ ପୁଣ ।ପାରିଜାତ ପୁଷ୍ପ ଆଉ ଗନ୍ଧରବଗଣକିନ୍ନରୀ ବିଦ୍ୟାଧରୀ ଯେ କିନ୍ନର ଚାରଣ ।ଧନ୍ୱନ୍ତରୀ ଆଦି ଯେତେ ଅପୂରୁବ ଦ୍ରବ୍ୟତୁମ୍ଭର ଗର୍ଭଭିତରୁ ଉପୁଜିଲେ ସର୍ବ ।ଅନାଦି ପୁରୁଷ ତୁମ୍ଭେ ଅଟ ଆଦିମୂଳଜାତ ଅନ୍ତ ନାଥ ତୁମ୍ଭେ କର ଯେ ସକଳ ।ଅଜୀବର ଜୀବ ତୁମ୍ଭେ ପ୍ରାଣୀଙ୍କର ପ୍ରାଣଏପରି ସର୍ବଜୀବଙ୍କ ନାଥ ତ ଆପଣ ।ବିଧାତା ରୁଦ୍ର କୁବେର ସର୍ବ ତୁମ୍ଭ ତଳେତୁମ୍ଭେ ଦେବଙ୍କୁ ଯେ ରଖ ପ୍ରଳୟ ସଲିଳେ ।ସ୍ୱାମୀ ଅନଙ୍ଗବାଣେ ମୋ ଦହୁଅଛି ଦେହକୃପାକର ମୋହଠାରେ ଆହେ ଦୟାମୟ ।ବିହର ବଂଶୀ ଆଣିଣ ଦିଅ ଦୟାକରିମୋହଠାରେ ବଶଯେହ୍ନେ ହେବେ ଗୋପନାରୀ ।ତୁମ୍ଭଙ୍କୁ ତ ଜଣା ଦେବ କାମ ବାଧା ଯେତେରଙ୍ଗା ଅବତାର ହେଲି ଯହିଁର ନିମନ୍ତେ ।ବିଧାତା କହି ଦେବାରୁ କରିଲି ସ୍ମରଣବିରହ ମୂରଲୀ ଦେଇ କର ପରିତ୍ରାଣ ।ବୃଥାରେ ଏ ମର୍ତ୍ତ୍ୟପୁରେ ରହିବି କିପାଇଁଭୋଦେବ ରତ୍ନାକର ହେ କର ମୋତେ ତ୍ରାହି ।ତୁମ୍ଭେ ଯେବେ ସେ ମୂରଲୀ ଆଣିଦେବ ଆଜମହୀଭାରା ନାଶି କରିବଇଁ ଦେବକାର୍ଯ୍ୟ ।ଏହିମତେ ସ୍ତୁତି କଲେ ଯହୁଁ ଚକ୍ରପାଣିଜଳେ ଥାଇ ଜାଣିଲେ ତା ବରୁଣ ନୃମଣି ।ରତ୍ନପଲ୍ୟଙ୍କ ଉପରେ ବିଜେ କରିଥିଲେଗୋବିନ୍ଦ ସୁମରନ୍ତେଣ ତହିଁ ସେ ଜାଣିଲେ ।ମଗର ବାହନ ଚଢ଼ି ଅଇଲେକ ହାଦେନମସ୍କାର କଲେ ଆସି ବ୍ରହ୍ମା ବିଷ୍ଣୁ ପଦେ ।ଦୁହେଁଯାକ ବସିଛନ୍ତି ଏକାସନ ହୋଇଏକାଳେ ଦର୍ଶନ କଲେ ଜଳପତି ଯାଇ ।ନିଊନଭାବ ବହିଣ ଅଗ୍ରେ ଉଭା ହୋଇବିନୟ ଭାବରେ ଶିରେ ବେନିକର ଦେଇ ।ବ୍ରହ୍ମା ବୋଇଲେ ବରୁଣ ଶୁଣ ଆମ୍ଭ ବାଣୀବଇଁଶୀ ନିମନ୍ତେ ସୁମରିଲେ ଚକ୍ରପାଣି ।ବ୍ରହ୍ମପ୍ରଳୟ ହୋଇଲା ଜାଣ ଯେଉଁକାଳେଯାବତ ସଚରାଚରେ ପ୍ରାଣୀ ନାଶଗଲେ ।ଜନଜନ୍ତୁ ପୃଥିବୀରେ ନ ରହିଲେ କେହିବ୍ରହ୍ମଲୋକ ରୁଦ୍ରଲୋକେ ସବୁ ନଷ୍ଟ ହୋଇ ।ସମସ୍ତ ପ୍ରଳୟ ହେଲା ବ୍ରହ୍ମ ପ୍ରଳୟରେକିନ୍ତୁ ବଂଶୀଗୋଟି ଭାସୁଥିଲା ସେ ଜଳରେ ।ଅବିନାଶୀ ବଂଶୀ ସେହି କେବେ ନୁହେଁ ହତସେ ବଂଶୀର ମହିମା ତ ଅଟେ ଅପ୍ରମିତ ।ଜଳେ ନ ବୁଡ଼େ ଅନଳ ମଧ୍ୟେ ନ ପୋଡ଼ଇଅନିବାରଣ ବଂଶୀ ସେ ଖଡ଼୍ଗେ ନ ଛିଡ଼ଇ ।କଳ୍ପ ପରିଯନ୍ତେ ଥାଏ ଅକ୍ଷୂର୍ଣ୍ଣ ଭାବରେତାହାର ମହିମା କେହି ବର୍ଣ୍ଣିବା ମୁଖରେ ।ସମୟେ ଶୁଖିଲା ଯହୁଁ ସେ ପ୍ରଳୟ ପାଣିଦେଖିଲା ସେ ବଂଶୀଗୋଟି ଭାସୁଥାଏ ପୁଣି ।ଜଳଚରମାନେ ତାକୁ ନେତ୍ରରେ ଦେଖିଲେଅନେକ ଶ୍ରଦ୍ଧାରେ ଆଣି ଛାମୁରେ ମୋ ଦେଲେ ।ଦେବଙ୍କ ବଚନେ ଆମ୍ଭେ ସମୟେ ରଖିଲୁକେତେଦିନ ଅନ୍ତେ ପୁଣି ଆମ୍ଭେ ନାଶଗଲୁ ।ତେବେ ସେହି ବଂଶୀଗୋଟି ନ ହୋଇଲାକ୍ଷୟେଅଖଣ୍ଡ ଭାବରେ ରହିଅଛି ଆଜଯାଏ ।ଏବେ ସେ ବଂଶୀଲୋଡ଼ିଲେ ଯେବେ ହୃଷୀକେଶଗୋବିନ୍ଦ ଆୟୁଧ ଆଣିଦିଅ ତାଙ୍କ ପାଶ ।ବରୁଣ ବୋଇଲେ ତାହା ଭଲେ ମୁହିଁ ଜାଣିତେଣୁ ସଙ୍ଗତରେ ବଂଶୀ ଅଛଇ ତ ଆଣି ।କଶ୍ୟପ ଋଷିଙ୍କଠାରୁ ଥିଲି ବାର୍ତ୍ତାପାଇତିଥି ବାର ଗଣି ବାଟ ରହିଥିଲି ଚାହିଁ ।ମଣିମୟ ଭଣ୍ଡାରରେ ରଖଇ ଯତନେଧୂପ ଦୀପ ନଇବେଦ୍ୟେ ପୂଜେ ପ୍ରତିଦିନେ ।ଭୋ ଦେବ ନାରାୟଣ ହେ ସର୍ବ ଅନ୍ତର୍ଯ୍ୟାମୀଦେବାଧିଦେବଙ୍କ ପରେ ତୁମ୍ଭେ ଅଟ ସ୍ୱାମୀ ।ବ୍ରହ୍ମାର ଦିବସେ ରଙ୍ଗ ଅବତାର ଧରୁବିରହ ବଂଶୀ ବଜାଇ ଗୋପୀ ମନ ହରୁ ।ଏବେ ତୁମ୍ଭ ଆୟୁଧକୁ ନିଅ ଦେବସ୍ୱାମୀବେଣୁ ଦେଇଣ ବରୁଣ ହେଲେ ପରଣାମି ।ଶୁକମୁନି ବୋଇଲେକ ଶୁଣ ନୃପନିଧିହରିବଂଶ ଶୁଣନ୍ତେଣ ଖଣ୍ଡେ ପାପ ବ୍ୟାଧି ।ବ୍ରହ୍ମା ବିଷ୍ଣୁ ବରୁଣ ଏ ହେଲେ ଯେତେ କଥାମଞ୍ଚ ମଣ୍ଡଳର କେହି ନ ଜାଣେ ସେ ବାର୍ତ୍ତା ।ଯା ବିଶ୍ୱକୂଟ ମାୟାରେ ମୁଗ୍ଧ ସର୍ବପ୍ରାଣୀନନ୍ଦ ଯଶୋଦା ପ୍ରଭୃତି ସର୍ବ ଗୋପାଳୁଣୀ ।କୁଞ୍ଜବନରେ ରହିଲେ ଏକା ବନମାଳୀକୁଶବଟୁ ଭୁବନକୁ ବ୍ରହ୍ମା ଗଲେ ଚଳି ।ରତ୍ନାକର କଟକରେ ମିଳିଲେ ବରୁଣକି ଉପାୟ କରିବଇଁ ଭାଳି ନାରାୟଣ ।ଅନଙ୍ଗର ପଞ୍ଚଶର ଅଙ୍ଗେ ଘାରୁଅଛିରାଧିକାରେ ମନଦେଇ ଅଛନ୍ତି ଶ୍ରୀବତ୍ସି ।ହସ୍ତରେ ପ୍ରବେଶ ଆସି ବିରହ ମୂରଲୀଦେଖିଣ ସନ୍ତୋଷ ହେଲେ ଦେବ ବନମାଳୀ ।ସେ ବେଣୁଧରଙ୍କ ପାଦେ ଲୁଳୁମୋର ମାଥଦୀନ ଅଚ୍ୟୁତଦାସକୁ ରଖ ଗୋପୀନାଥ ।
ବଂଶୀସ୍ୱନ ଶୁଣି ରାଧାଙ୍କର ଉଚ୍ଚାଟ ଓ କୃଷ୍ଣଙ୍କ ସହିତ ଭେଟ
ଶୁକବ୍ରହ୍ମା ବୋଇଲେ ହେ ଶୁଣ ପରୀକ୍ଷିତପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ ।ଜଗତେ ଦୁର୍ଲ୍ଲଭ ରାଧା କୃଷ୍ଣଙ୍କ ମିଳନଶୁଣିଲେ ଅଙ୍ଗରୁ ହେବ କଳୁଷ ଦହନ ।ଶ୍ରୀକରେ ସେ ବଂଶୀଗୋଟି ଧରି ଚକ୍ରପାଣିନମସ୍କାର କରି ଶିରେ ଲଗାଇଲେ ଆଣି ।ଅଷ୍ଟରତ୍ନେ ନିର୍ମାଣ ସେ ଅତ୍ୟନ୍ତ ଉତ୍ତମଜ୍ୟୋତିରେ କୋଟିଏ ଦିବାକର ହେବେ ନ୍ୟୂନ ।ଇନ୍ଦ୍ର ବରୁଣ ଭୁବନେ ଯେତେ ଦ୍ରବ୍ୟ ଥିଲାବାଛିଣ ବିଧାତା ଆଣି ବେଣୁରେ ଖଞ୍ଜିଲା ।ବେଣୁର ଶରୀରଯାକ ମର୍କତରେ ଜଡ଼ିଇନ୍ଦ୍ର ନୀଳମେଘେ ଯେହ୍ନେ ଶୋଭଇ ବିଜୁଳି ।ନାରାୟଣଙ୍କ ଅଧର ତାର କ୍ରୀଡ଼ାସ୍ଥାନବିଧାତା ପୂର୍ବରୁ ଯାହା କରିଛି ନିର୍ମାଣ ।ରଙ୍ଗା ଅବତାର ହରି ବୋଇଲେ ତା ଧରିସୁପ୍ରସନ୍ନା ହୋଇବେ ଯେ ସର୍ବ ଗୋପନାରୀ ।ଯୁଗ ପ୍ରଳୟ କାଳରେ ଯେହୁ ନୋହେ ନାଶଚୌରାଅଶୀ ଜୀବଜନ୍ତୁ ଯା ଶୁଣିଣ ବଶ ।ସେ ବେଣୁ ହସ୍ତରେ ଧରି ଦେବ ଚକ୍ରଧରବିକ୍ରମି ବସିଲେ ଯାଇ କଦମ୍ୱ ଡାଳର ।କୁମାର ପୌର୍ଣ୍ଣମୀ ଜହ୍ନ ପଡ଼ିଛି ସମ୍ପୂର୍ଣ୍ଣଦିବସ ପରାୟେ ଦିଶେ ସେ କୁଞ୍ଜ କାନନ ।ଅଦଭୂତେ ଦିବ୍ୟ ରୂପ ଧଇଲେ ଶ୍ରୀହରିସେ ରୂପକୁ ପଟାନ୍ତର ନାହିଁ ତିନିପୁରୀ ।ସର୍ବ ଅଳଙ୍କାର ଅଙ୍ଗେ ହୋଇଲେ ଭୂଷଣତ୍ରିଭଙ୍ଗିମା ରୂପଧରି ଦେବ ଜନାର୍ଦ୍ଦନ ।ଦକ୍ଷିଣ କର୍ଣ୍ଣମୂଳରେ ପଦ୍ମପୁଷ୍ପ ଶୋହେକଦମ୍ୱ ଡାଳେ ଆଉଜି ବସିଲେକ ସ୍ନେହେ ।ମନବଚନ ଚୈତନ୍ୟ ଅନ୍ତର୍ଗତେ କ୍ଷେପିସୁରଙ୍ଗ ଅଧରେ ବେଣୁ ଧୀରେ ଧୀରେ ଚାପି ।ସୁସଞ୍ଚ ଓଷ୍ଟପୁଟରେ ଫୁଙ୍କନ୍ତେ ଶ୍ରୀହରିସୁଲଳିତ ପଞ୍ଚସ୍ୱରେ ରାଗିଣୀ ଉଙ୍କାରି ।ସେ ଅପୂର୍ବ ଶବଦ ଯେ ଶୁଭେ ତିନିପୁରେଧ୍ୱନି ସମ୍ଭାଇଲା ଯାଇ ଜନ୍ତୁଙ୍କ କର୍ଣ୍ଣରେ ।ସ୍ୱର୍ଗକୁ ଆଦି କରିଣ ବ୍ରହ୍ମଲୋକ ଯାଏସର୍ବଭୂତେ ବେଣୁସ୍ୱନ ଯାଇଣ ସମ୍ଭାଏ ।କୋକିଳ ପଞ୍ଚମସ୍ୱରେ ମୂରଲୀ ଶୁଭଇକୋଟିଏ ନାରଦ କିବା ବୀଣା ଯନ୍ତ୍ର ବାଇ ।ଦୁନ୍ଦିଭି ବାଦ୍ୟ ଯେସନେ ଶୁଭେ ସ୍ୱର୍ଗପୁରେସେହିପରି ଶୁଭିଲାକ ଅତି ଉଚ୍ଚାଟରେ ।ନାହିଁ ତାକୁ ପଟାନ୍ତର ଅଶେଷ ମହିମାସାମବେଦ ଗାଆନ୍ତି କି କୋଟି କୋଟି ବ୍ରହ୍ମା ।ହା ହା ହୁ ହୁ ଗନ୍ଧରବ ଓଙ୍କାରିଲେ ଧ୍ୱନିଆନନ୍ଦେ ଶିଂଘା ବାଇଲେ ସଦାନନ୍ଦ ସ୍ୱାମୀ ।ଅପୂର୍ବ ଶପବ ଯହୁଁ ଜଗତେ ପୂରିଲାବିନା ମେଘ ଆଚ୍ଛାଦନେ ମୟୂର ନାଚିଲା ।ସମ୍ପୂର୍ଣ୍ଣରେ ବେଣୁ ଧ୍ୱନି ଶୁଭିଲାକ ଯହୁଁକୀଟପଚଙ୍ଗାଦି ଜୀବେ ମୁଗ୍ଧ ହେଲେ ତହୁଁ ।ପଲ୍ଲବିଣ ଉଠିଲେ ଯେ ଶୁଷ୍କ ତରୁ ଡାଳଫଳ କୁସୁମେ ପୂରିତ ପାଦପ ସକଳ ।ଅବସନ୍ତରେ ବସନ୍ତ ବହେ ଘନ ଘନଉଚ୍ଛନ୍ନ ହୋଇଲା ମୁନିମାନଙ୍କର ମନ ।ଝିଙ୍କ ଶୁକ ପିକ କଲେ କୋଳାହଳ ବାଣୀଶବ୍ଦ ଶୁଣି ମୁହ୍ୟମାନ ସକଳ ପରାଣୀ ।ମୁନିମାଙ୍କର ଭାଙ୍ଗିଗଲା ଯୋଗମୁଦ୍ରାବ୍ୟାଘ୍ର ଭାଲୁ ମେଷଙ୍କର ଏକତ୍ରରେ ନିଦ୍ରା ।ହସ୍ତୀ ସଙ୍ଗତରେ ସିଂହ ଉନମତ୍ତ ହୁଏବକ ସଙ୍ଗତରେ ମୀନ ଖେଳଇ ଉତ୍ସାହେ ।ମାର୍ଜାରୀ ତୁଲରେ କ୍ରୀଡ଼ା କରଇ ଯେ ମୂଷାଶାର୍ଦ୍ଦୁଳ ପଲରେ ପୁଣି ବିହରଇ ଶଶା ।ଜଳକୁ ତେଜିଣ ମୀନ ଉପରରେ ପଡ଼ିଗିରିଶିଖରେ ଫୁଟଇ ପଦ୍ମପୁଷ୍ପ କଢ଼ି ।ପାଷାଣ ବହିଲା ତୋୟ ଆକୃତି ପରାୟେଜୀବଜନ୍ତୁମାନେ ବାଇ ହୋଇଲେ ବିରହେ ।ଯମୁନା ନଦୀରେ ପାଣି ଉଜାଣି ବହିଲାବେଣୁନାଦ ଶୁଣି ଜଳ ସ୍ତମ୍ଭୀଭୂତ ହେଲା ।ନବମାଳତୀ କୁସୁମ ପଲ୍ଲବି ଉଠିଲାସୁଗନ୍ଧ ବାୟୁରେ ଚତୁର୍ଦ୍ଦିଗ ଘୋଟିଗଲା ।ସେ ସ୍ୱାମୀ ରଚି ଅଛନ୍ତି ଚତୁର୍ଦ୍ଦଶପୁରତାଙ୍କର ବେଣୁଧ୍ୱନି କି କିସ ପଟାନ୍ତର ।ଯହୁଁ ବେଣୁଧ୍ୱନି ପ୍ରଭୁ କଲେ ମହାରବେସଚରାଚର ପ୍ରାଣୀଏ ମୁଗ୍ଧ ହେଲେ ସର୍ବେ ।ଗୋପନାରୀ ଛାର ସେତ କେତେକ ମାତରଶୁଣି ଚନ୍ଦ୍ରମୁଖୀ ରାଧା ହୋଇଲା ତତ୍ପର ।ରତ୍ନପଲ୍ୟଙ୍କ ଉପରେ ନିଦ୍ରା ଯାଇଥିଲାବେଣୁର ଶବଦ ଯହିଁ କର୍ଣ୍ଣ ସମ୍ଭାଇଲା ।ଭାଙ୍ଗିଗଲା ତେଡ଼େ ନିଦ୍ରା ବିରହେ ବ୍ୟାକୁଳପଲ୍ୟଙ୍କ ଉପରେ ବସି ଉଠଇ କେବଳ ।ସୁସ୍ୱରେ ପଞ୍ଚମସ୍ୱରେ ଶୁଭେ ବେଣୁନାଦଆତ୍ମା ଅସ୍ଥିର ହୁଅଇ ଶୁଣନ୍ତେ ସେ ଶବ୍ଦ ।ଚିତ୍ତ ଛନ୍ନ ଛନ୍ନ ନେତ୍ରେ ନିଦ୍ରା ନ ମାଡ଼ଇଅଙ୍ଗ ଥରଥର ଲୋମ ଟାଙ୍କୁରି ଉଠଇ ।ରାଧେ ରାଧେ ବୋଲି ବେଣୁ କରଇ ଶବଦସେ ଶବ୍ଦ ଶୁଣିଲାକ୍ଷଣି ଶରୀର ସ୍ତବଧ ।ବାତୁଳ ପରାୟ ହୋଇ ଭ୍ରମେ ପଞ୍ଚମନଶ୍ରମଝାଳ ସର୍ବଙ୍ଗରୁ ହୁଅଇ ପତନ ।ରକତ କୁମୁଦ ପ୍ରାୟେ ବିରାଜଇ ଡୋଳାବେଳୁଁ ବେଳ ବେଣୁନାଦ କରଇ ବାଉଳା ।ଘନ ଘନ ଦୀର୍ଘହୋଇ ମାରେ ଶୁଭ୍ରକେଶୀଶରୀରେ ଅନଙ୍ଗଶର ପ୍ରବେଶିଲା ଆସି ।ଗନ୍ଧ ଚନ୍ଦନ କର୍ପୂର ଲାଗେ ସବୁ ପିତାକ୍ଷଣେ ବସେ କ୍ଷଣେ ଉଠେ ସେ ଗୋପ ବନିତା ।କ୍ଷଣେ ହସେ କ୍ଷଣେ କାନ୍ଦେ କ୍ଷଣେ ତୁନିହୋଇକ୍ଷଣକେ ଚେତନା ଅଙ୍ଗୁ ତାର ହଜିଯାଇ ।ସୁପାତି ଶଯ୍ୟାକୁ ତେଜି ଲୋଟଇ ମହୀରେଚନ୍ଦନ ତେଜିଣ ପଙ୍କ ବୋଳଇ ଶରୀରେ ।ତୁଟିଲା ହାର କଙ୍କଣ ନୁହଇ ସୁବେଶକେଶବାସ ଅସମ୍ଭାଳେ ଲୁଟଇ ନାରୀଶ ।ନୟନ ଯୁଗଳୁଁ ତାର ବହେ ଅଶ୍ରୁଜଳକ୍ରୋଟରାନଳ ଜାଣିଣ ବହେ ଅନ୍ତରାଳ ।ପାନ ଭୋଜନ ବିଷୟେ ନ ରହେ ଆଦରଓଷ୍ଠ କଣ୍ଠ ତାଳୁକା ଯେ ଶୁଖଇ ଅଧର ।କାଳସର୍ପ ବିଷ ଦେହେ ଚଢ଼ଇ ଯେପରିକହୁଁ କହୁଁ ଅସମ୍ଭାଳ ରାଧିକା ସୁନ୍ଦରୀ ।ରସାଣିଲା ସ୍ୱର୍ଣ୍ଣପ୍ରାୟେ ଦିଶେ ଯେଉଁ ଅଙ୍ଗତୁଟିଲା ବଳବପୁ ଯେ ହୋଇଲା ବିଭଙ୍ଗ ।କ୍ଷଣେ କ୍ଷଣେ ବେଣୁଧ୍ୱନି ସମ୍ଭାଏ କର୍ଣ୍ଣରେତାହା ବ୍ୟତିରେକେ ଚିତ୍ତ ନ ବଳେ ଆନରେ ।ଘରଦ୍ୱାର ବିଷପିତା ମଣଇ ଯେ ବାଳିମନ୍ଦିରକୁ ବାହାରିଲା ତହୁଁ ଚନ୍ଦ୍ରାବଳୀ ।ରାଧିକା ପାଶେ ନଣନ୍ଦ ତାର ଶୋଇଥିଲାବିଷ୍ଣୁ ମାୟା କଲେ ନିଦେ ଅଚେତନ ହେଲା ।ରଜନୀ ପନ୍ଦର ଦଣ୍ଡ ହୋଇଛି ଉଗୁଳିଏକାଳେ ବାହାରେ ପୁରମଧ୍ୟୁ ଚନ୍ଦ୍ରାବଳୀ ।ଶୁଖିଛି ଚନ୍ଦ୍ରବଦନ ମନେ ନାହିଁ ସୁଖଧୀରେ ଧୀରେ ଯାଏ ଚିତ୍ତ ହୁଏ ଦକ ଦକ ।ବିରହବଂଶୀ ଶବଦ ଶୁଭେ ଘନ ଘନତହିଁରେ ଲୟ କରିଛି ଦେଇ ପଞ୍ଚମନ ।ଦୁର୍ଗାମାଧବ ସୁମରି ଚଳିଯାଏ ଧୀରେପ୍ରବେଶ ହୋଇଲା ଯାଇ ଦୂତୀ ଉଆସରେ ।ରାଧିକା ବୋଲଇ ଆଗୋ ଶୁଣ କିନା ସହିପୁରମଧ୍ୟୁ ବାହାରିଣ ଆସ ବେଗହୋଇ ।କବାଟ କିଳି ଦୂତିକା ନିଦେ ଶୋଇଥିଲାରାଧିକା ଡାକ ଶୁଣିଣ ବାହାରି ଅଇଲା ।କବାଟ ଫେଡ଼ି ଦୂତିକା ଆସେ ବେଗକରିଆସ ଆସ ବୋଲି କର ଧରିଣ ଚତୁରୀ ।ନିଜ ପଲ୍ୟଙ୍କ ଉପରେ ନେଇ ବସାଇଲାଆଶ୍ୱାସନାବାକ୍ୟ କହି ସନ୍ତୋଷ କରିଲା ।ରାଧିକା ମନରେ ଟିକେ ମାତ୍ର ସୁଖ ନାହିଁଦୂତୀ ଚିନ୍ତାଭର ହେଲା ରାଈ ମୁଖ ଚାହିଁ ।ବୋଲେ ଏତେ ରାତ୍ରେ କିପାଂ ଅଇଲ ମୋପୁରେଗୋପନ ନ କରି ତାହା ପ୍ରକାଶ ସତ୍ୱରେ ।ଏକେ ତ ଅଟ ଯେ ପୁଣି କୁଳ ଭୁଆସୁଣୀସୁଲକ୍ଷଣୀ ସୁକୁମାରୀ ନାରୀ ଶିରୋମଣି ।ଲକ୍ଷ୍ମୀ ଅଂଶରେ ହୋଇଛ ଭବେ ଅବତାରମୁଦିକରି ଥୋଇଲା କି ମଦନ ଭଣ୍ଡାର ।ଅପାଙ୍ଗ ଲୋଚନେ ଦେବୁ ତୁ ଯାହକୁ ଦୁଷ୍ଟିପାଷାଣ ହେଲେ ନ ସହି ଯିବ ନିଶ୍ଚେଁ ଫାଟି ।ସମ୍ପୂର୍ଣ୍ଣ ଷୋଡ଼ଶୀ ତୋର କୁମାରୀ ବୟସଦରବିକଶିତ ପଦ୍ମ ହୋଇଛି ପ୍ରକାଶ ।ନିଜ ଭର୍ତ୍ତାଠାରେ ତୋର ନ ବଳଇ ମତିକାମଭଣ୍ଡାର ଧ୍ୱଂସିନୀ ତୁ ପଦ୍ମିନୀ ଜାତି ।ତାହାର ମହିମା ମାଗୋ କହିବଇଁ କେତେଅନେକ ଯତ୍ନରେ ଧାତା ଗଢ଼ିଅଛି ତୋତେ ।ପ୍ରୟାଗ ଗଙ୍ଗାସାଗରେ ଝାସିଥିବ ଯେହୁତୋ ପରି ନାରୀ ଲଭିବ କି କହିବି ଆଉ ।ଏକାକୀ ଅଇଲୁ ସଙ୍ଗେ କେହି ଜଣେ ନାହିଁଏଥିର କାରଣ ମୋତେ କହ ପ୍ରାଣ ସହି ।ବଡ଼ଲୋକ ବୋହୁ ବଡ଼ଲୋକର ଦୁହିତାଏତେ ରାତ୍ରେ ଆସିବାର ଅଛି କେଉଁ କଥା ।ଶାଶୁ ଶ୍ୱଶୁରଙ୍କର ତ ବଡ଼ାଇ ଆକଟଅନୁକ୍ଷଣେ ଜଗିଥାନ୍ତି ତୋ ଚାଲିବା ବାଟ ।କେମନ୍ତେ ଚାଲି ଅଇଲୁ କହ ଏତେଦୂରପଥମଧ୍ୟେ ତୁମ୍ଭଙ୍କୁ ତ ନ ମାଡ଼ିଲା ଡର ।ଏବେ ମୋର ବୋଲେ ପୁରେ ବାହୁଡ଼ିଣ ଯାଅରତ୍ନପଲ୍ୟଙ୍କ ଉପରେ ନିଶ୍ଚିନ୍ତରେ ଶୁଅ ।ଏହି କଥାଗୋଟି ଯେହ୍ନେ ନ ଜାଣିବେ କେହିପ୍ରଘଟ ହେଲେ ମରିବ ଆଗୋ ଚାନ୍ଦମୁହିଁ ।ରାତି ନ ପାହୁଣୁ ବେଗେ ଘରକୁ ବାହୁଡ଼ଜାଣିଛୁ ତ କଂସରାଜା ଅଟେ କେଡ଼େ ରାଢ଼ ।ଗୋଟି ଗୋଟି କରି କାଲି ଧରାଇଣ ନେବଲୋକଙ୍କ ହାତରେ ନାନ ଶାସ୍ତି ଭିଆଇବ ।ରାଧିକା ବୋଇଲେ ସଖି ନ କହ ତୁ କିଛିପ୍ରତିକାର କର ଯେବେ ମୋରେ କାର୍ଯ୍ୟ ଅଛି ।ଆଗୋ ସଖି ବେଣୁଶବ୍ଦ ବାଜିଲା ମୋ କାନେନାହିଁ ତାକୁ ପଟାନ୍ତର ଚଉଦ ଭୁବନେ ।ତାହା ଶୁଣିଲାବେଳରୁ ବ୍ୟାକୁଳ ମୋ ଦେହୀମୋର ନାମ ଧରି ବାରମ୍ୱାର ସେ ଡାକଇ ।ସେ ଶବ୍ଦ ଶୁଣିଲେ କିଏ ଧଇର୍ଯ୍ୟ ଧରିବପାଷାଣ ହୋଇଲେ ମଧ୍ୟ ତରଳି ସେ ଯିବ ।ତୁମ୍ଭଠାରୁ ମୋର କେହି ନାହିଁ ନା ବିଶ୍ୱାସୀପ୍ରତିକାର କର ମୋତେ ଆଗେ ଶୁଭ୍ରକେଶି ।କିଏ କେଉଁଠାବେ ବସି ବଜାଏ ମୂରଲୀସେ ଶବ୍ଦ ଶୁଣିଲାବେଳୁ ଧୈର୍ଯ୍ୟ ହରାଇଲି ।ଜାତି କୁଳ ମହତ ଗୋ ତେଜିଲି ସଜନିକି କରିବି ବୁଦ୍ଧି ମୋତେ ନ ଦିଶଇ ପୁଣି ।କହୁଁ କହୁଁ ରାଧିକା ଯେ ଭାସେ ଶୋକଜଳେସାଷ୍ଟାଙ୍ଗରେ ଶୁତିଲା ସେ ଦୂତୀ ପାଦତଳେଳ ।ଏହି ସମୟେ ଶୁଭିଲା ପୁଣି ବେଣୁଧ୍ୱନିଚନ୍ଦ୍ରବଦନୀ ବୋଇଲେ ଶୁଣ ସଙ୍ଗାତୁଣୀ ।ଜୀବ ନ ରହିବ ପିଣ୍ଡେ ଆଉ ଗୋ ମୋହରକି ଉପାୟ ଥିଲେ ଭାଷ ବିଳମ୍ୱ ନ କର ।ଯେ ଲୋକ ବେଣୁ ବାଉଛି ତାକୁ ଭେଟା ମୋତେତେବେ ମନ ସ୍ଥିର ହେବ କହିଲଇଁ ତୋତେ ।ମନର କଥା ରାଧିକା ବୋଇଲା ସେକ୍ଷଣିମନେ ମନେ ଦୂତିକା ଯେ କରଇ ଭାଳେଣି ।ସିଆଣୀ ଚତୁରୀ ସେ ତ ଜାଣେ ସବୁବୁଦ୍ଧିଅନ୍ତର୍ଗତେ ଭାଳେ କୃଷ୍ଣକାର୍ଯ୍ୟ ହେଲା ସିଦ୍ଧି ।ଯାହା ମନେ ବିଚାରିଣ ଥିଲେ ଦେବରାୟେବିଧାତା ଆଣିଣ ସେହି କଥା ତ ଭେଟାଏ ।ମୁଁ ତାଙ୍କ ସେବା ନିମନ୍ତେ ହୋଇଅଛଇ ଜାତଏବେ ଜନମ ସଫଳ ହେଲି ମୁଁ କୃତାର୍ଥ ।ଏହିରୂପେ ଅନ୍ତର୍ଗତେ ଅନେକ ଭାଳିଲାକୂଟ କପଟେ ରାଈଙ୍କୁ ତହୁଁ ତିଆରିଲା ।ଭୋ ସଖି ରାଧିକା ତୁହି ହେଲୁ କିପାଁ ବାଇଅସମ୍ଭବ କଥା ମୋତେ କହୁ କାଇଁପାଇଁ ।କେଉଁ ପୁରୁଷରେ ମନ ବଳିଛି ତୋହରତାହା ମୋତେ ଫେଡ଼ିକରି କହ ରାମାବର ।ସ୍ତିରୀଙ୍କର ମନ ଆଉ ପୁରୁଷଙ୍କ ଦଶାଜାଣି ନ ପାରଇ କେହି ମେଘର ବରଷା ।ବୃକ୍ଷଙ୍କର ଫଳ ବୁଦ୍ଧିମନ୍ତର ଯେ ବଳଗଗନରେ ଅବଶେଷ ବାରିଧିର କୂଳ ।ରାଜାଙ୍କର ହୃଦ ଆଉ କବିଙ୍କର ପଦଦେବ ଦାନବେ ମାନବେ ଏ କଥା ଦୁର୍ବୋଧ୍ୟ ।ରାଧିକା ବୋଇଲେ ତାହା ଜାଣିବି କେମନ୍ତଅନୁମାନ ଜାଣୁଅଛି ହେବ ନନ୍ଦସୁତ ।କୁଞ୍ଜବନରେ ମୂରଲୀ ବସି ବଜାଉଛିମୋର ନାମ ଧରି ବେଣୁ ସର୍ବଦା ଡାକୁଛି ।ଦୂତିକା ବୋଲେ ଏ ଅସମ୍ଭବ ତ ଅଟଇକଅଁଳାପୁଅ ସେ ନନ୍ଦକୁମର ମାଧୋଇ ।ସେ କିପାଇଁ କୁଞ୍ଜବନେ ବାଇବ ବଇଁଶୀସ୍ୱପନ ପ୍ରାୟେ ମଣୁ କି ଆରେ ମଦାଳସି ।ସୂର୍ଯ୍ୟକୁ ହସ୍ତ ବଢ଼ାଇ ଲୋଡ଼ି ତୁହି ଧରୁପାଶରେ ପବନ ବନ୍ଦି ମନରେ ବିଚାରୁ ।କୋଇଲି ସୂତାରେ କାହିଁ ଗଜଇ ବନ୍ଧନନିଶୁଣି ବାନ୍ଧି ସ୍ୱର୍ଗକୁ ଯାଇଛି କେ ପୁଣ ।କଦଳୀ ଭେଳାରେ କେହୁ ସମୁଦ୍ର ତରଇକଅଁଳା ପୁଅରଠାରେ ତୋ ମନ ରସଇ ।ସୁନ୍ଦରୀ ସୁଲକ୍ଷଣୀ ତୁ ନାରୀମଧ୍ୟେ ହୀରାବାତୁଳୀ ପରାୟେ କିପାଁ ହେଉଛୁ ଅଧୀରା ।ଏ ଗୋପନଗରେ କେଉଁ ପୁରୁଷ ବା ନାହିଁନନ୍ଦସୁତଠାରେ ଶ୍ରଦ୍ଧା ଏଡ଼େ ତୋ କିପାଇଁ ।ନ କହ ନ କହ ଆରେ ଆଉ ତୁ ଏପରିଲୋକହସା କଥା ଏ ତ ଅଟଇ ସୁନ୍ଦରୀ ।ତୁମ୍ଭେ ତ ଜାମ ଯଶୋଦା ପୂର୍ବର କାହାଣୀଅନେକ ଦୁଃଖେ ତାହାକୁ ପାଳିଅଛି ଆଣି ।ବାଳୁତ ବୟସ ତାର କିସ ଅବା ଜ୍ଞାନବୃଥା କଥାରେ କିପାଇଁ ବଳାଇଲୁ ମନ ।ରାଧିକା ବୋଇଲେ ସଖି ଶୁଣ ସାବଧାନେନନ୍ଦକୁମାର ଶ୍ରୀକୃଷ୍ଣ ବୋଲି ମୁଁ ନ ଜାଣେ ।ଜାଣି ତ ନୁହଇ ଆଗୋ ଦେବଙ୍କର ମାୟାକେଉଁ ଦେବତା କପଟେ ଧରିଅଛି କାୟା ।ଜନ୍ମହେଲା ଦିନୁ ତାର ଆଲୋକିତ କଥାସାମାନ୍ୟ ଲୋକ ସେ ନୁହେଁ ଜାଣଗୋ ସର୍ବଥା ।ଅନ୍ତୁଡ଼ିଶାଳେ ପୂତନା ପ୍ରାଣ କଲା ନାଶତୃଣାବର୍ତ୍ତ ରାକ୍ଷସକୁ କରିଲା ବିନାଶ ।ପାଦ ହଲାଇ ଶକଟାସୁରକୁ ମାଇଲାମାନବ ହୋଇଣ ଏଡ଼େ କର୍ମ କିଏ କଲା ।ଯେଉଁଦିନ ପ୍ରବେଶିଲା ଆସି ନନ୍ଦଘରେଅଚଳାଚଳ ସମ୍ପତ୍ତି ହେଲା ଗୋପପୁରେ ।କହୁଁ କହୁଁ ଧରଇ ସେ ଆନୁ ଆନ ମୂର୍ତ୍ତିଜାଣିଲି ନିଶ୍ଚୟ ସେହି ଅଟଇ ଶ୍ରୀପତି ।ଜଗତରେ ଅତୁଲାଇ ପୁରୁଷ ତ ସେହିତା ରୂପ ଦେଖିଲାଦିନୁ କ୍ଷୀଣ ମୋର ଦେହୀ ।ଶୁଣ ଆଗୋ ସଖି ଏକ ଦିନର ଖବରଗୁପତରେ ମୋର ପୁରେ ବିଜେ ଚକ୍ରଧର ।ଅନେକ ଚାଟୁବଚନ କହିଲେକ ମୋତେଭର୍ତ୍ସନା ବାକ୍ୟ ତାହାଙ୍କୁ କହିଲି ମୁଁ କେତେ ।ମୁହିଁ ନିଲକ୍ଷଣୀ ତାଙ୍କୁ ଚିହ୍ନି ନ ପାରିଲିପ୍ରାପ୍ତ ନିଧିକି ଜାଣିଣ ପାଦେ ଫିଙ୍ଗି ଦେଲି ।ଏହିକ୍ଷଣି ସେ କଥା ତ ହେଲା ବିପରୀତଏବେ ତାର ପ୍ରତିକାର କର ଗୋ ସଙ୍ଗାତ ।ଦୂତିକା ବୋଇଲା ଏ ତ ଉପହାସ କଥାଲାଜ ମାଡ଼ଇ ଶୁଣିଲେ ଏସନ ବାରତା ।ଆତୁର ହୋଇଲୁ ଯେବେ ମଦନ ଆରତେମୁଁ ଏଥକୁ ଉପାୟ ଗୋ କରିବି କେମନ୍ତେ ।କଅଁଳା ପୁଅକୁ ମୁହିଁ ପାରିବି କି ବୋଧିରୋଗକୁ କି ଆକର୍ଷଣ କରଇ ଔଷଧି ।ରାଧିକା କହିଲା ସଖି ନ କହ ଭୁଲାଇଜୀବନ ମୋ ଛାଡ଼ିଯିବ ନନ୍ଦସୁତ ପାଇଁ ।ଛାଡ଼ିଲଇଁ ଲଜ୍ଜା ପଛେ ତେଜିବି ଭରତାଯେ ଯାହା ବୋଲୁ ପଛକେ ନାହିଁ ମୋର ଚିନ୍ତା ।ଏକା ନୟନ ପିତୁଳା ମୋର ନନ୍ଦ ସୁତତାକୁ ଶୀଘ୍ର ଦିଅ ଆଣି କହୁଛି ସଙ୍ଗାତ ।ଯଦ୍ୟପି ଆଣି ନ ଦେବ ତାହାକୁଟି ମୋତେମୁହିଁ ମଲେ ନିଶ୍ଚେଁ ହତ୍ୟା ଲାଗିବଟି ତୋତେ ।ବୋଲୁ ତୁ ବାଳୁତ ଅଟେ ନନ୍ଦର ନନ୍ଦନବାଳୁତ କରଇ କାହିଁ ବଇଁଶୀର ସ୍ୱନ ।ଯେଉଁଦିନ ଜନ୍ମ ହେଲା ନନ୍ଦର ମନ୍ଦିରେପ୍ରତ୍ୟକ୍ଷେ ଦେଖିଲି ମୁହିଁ ଅନ୍ତୁଡ଼ି ଶାଳରେ ।କମଳ ଲୋଚନ ମୋତେ ଅପାଙ୍ଗେ ଚାହଁଇସେହିଦିନୁ ଶ୍ରଦ୍ଧା ମୋର ବଳିଲା ତା ଠାଇଁ ।ଶ୍ରୀକୃଷ୍ଣ ନାମକୁ ସେହିକାଳୁ ଗୁଣୁଅଛିସ୍ୱପନରେ ତାର ରୂପ ପ୍ରତ୍ୟହ ଦେଖୁଛି ।ସେ ପ୍ରଭୁର ନାଭିପଦ୍ମୁ ଜାତ ଚତୁର୍ମୁଖତତକ୍ଷଣେ ଜାଣିଲେ ସେ ଆତ୍ମା ଭେଦଯାକ ।ବ୍ୟାସଦେବଙ୍କ ନନ୍ଦନ ଶୁକ ମହାଯତିମାତାଗର୍ଭେ ଥାଇଁ ବ୍ରହ୍ମବିଦ୍ୟା ସେ ଜାଣନ୍ତି ।ବଶିଷ୍ଠ ଯେ ବିଶ୍ୱାମିତ୍ର ଋଷି ସନାତନସନକ କପିଳ ଭୃଗୁ ଆଦି କେତେ ପୁଣ ।ଏକେ ଏକେ କହିବଇଁ କେତେ ନାମ ଧରିବାଳୁତ କାଳେ କି କୃତ୍ୟ ନାହାନ୍ତି ସେ କରି ।ପାର୍ବତୀଙ୍କର ଗର୍ଭରୁ କାର୍ତ୍ତିକ ଜନ୍ମିଲେତିନିଦିନେ କିପରି ସେ ତାରକା ମାଇଲେ ।ପଉଲସ୍ତି ଜାତ ହେଲେ ବ୍ରହ୍ମାଙ୍କର ତହୁଁକୋଟି ନାଗୁଣୀ ଭାରିଯା ବିଳସିଲେ ସେହୁ ।ପୂର୍ବେ ଥିଲା କୁରୁବଂଶେ ଶମ୍ଭୁ ଏକ ରାଜାସାତଦିନ ପୁତ୍ର ତାର ସହସ୍ରେ ଭାରିଯା ।ସେ ବାଳକ ସେମାନଙ୍କ ସହ ବିଳସିଲାତୁମ୍ଭେ ଭଣ୍ଡୁଅଛ ମୋତେ କହିକରି ପିଲା ।ଉତ୍ତମ ଲୋକର କଥା ଜାଣି ତା ନ ପାରିସାମାନ୍ୟ ପୁରୁଷ ସେତ ନୋହେ ଦେବହରି ।କୀଟଠାରୁ ବ୍ରହ୍ମଲୋକ ଜଳ ସ୍ଥଳ ଯାଏସମସ୍ତରୂପ ଧରନ୍ତି ସେହି ଦେବରାୟେ ।ଅସମ୍ଭବ ସମ୍ପଦ ଏ ଗୋପପୁରେ ଅଛିକଂସାସୁର ଉପଦ୍ରବ ନାହିଁ ଏଥେଁ କିଛି ।ଷୋଳସସ୍ର ନାୟିକା ଯେ ଚଉଷଠି ବାଳୀଏକୁଁ ଏକ ସୁନ୍ଦରୀ ତ ଗୋପର ଗୁଆଳୀ ।ପବିତ୍ର କୁଞ୍ଜବନ ଯେ କାଳନ୍ଦୀର ଜଳମନ୍ଦମନ୍ଦରେ ବହଇ ମଳୟ ଅନିଳ ।ଏହା ଲୋଡ଼ିଲେ କି ସବୁ ଏକତ୍ରେ ମିଳଇଏଥୁ ଜଣାଯାଏ ଏଥେ ବିଜେ ଭାବଗ୍ରାହୀ ।ଏତେକାଳେ ଗୋପର ଯେ ଭାଗ୍ୟ ତ ଦିଶିଲାପରମବ୍ରହ୍ମ ଏଠାରେ ଯେଣୁ ବିଜେକଲା ।ବିଷ୍ଣୁର ମାୟା ଦେବତା ଜାଣି ତ ନ ପାରିଆମ୍ଭେ କାହୁଁ ଜାଣିବୁ ଗୋ ହୋଇ ଛାରନାରୀ ।ଗଉଡ଼ ବାଉଡ଼ ତାହା ଜାଣିବା ବା କାହୁଁନିଶ୍ଚୟେ ଅବତରିଲେ ଏଥେ ମହାବାହୁ ।ପ୍ରତ୍ୟକ୍ଷରେ ପ୍ରତେ ମୋର ହୁଅଇ ମନରେପରଂବ୍ରହ୍ମ ସନାତନ ବିଜେ ଗୋପପୁରେ ।ଭୋ ସଖୀ ଦୂତିକା ମୋତେ ପ୍ରତିକାର କରଶ୍ରୀକୃଷ୍ଣ ଭେଟାଇ ମୋର ଆତ୍ମାକୁ ଉଦ୍ଧାର ।ଦୂତିକା ବୋଇଲା ତୁ ଗୋ ଚତୁରୀ ସିହାଣିସ୍ତିରୀଙ୍କର ହୃଦୟକୁ ଧାତାହିଁ ନ ଜାଣି ।ଗୁଆଳୀ ହୋଇଣ ତୁହି ଜାଣୁ ଏତେ କଥାଏବେ ଜାଣିଲୁ ପ୍ରତ୍ୟକ୍ଷେ ସେ ବିଷ୍ଣୁ ଦେବତା ।ରଙ୍ଗାବତାରେ ଶ୍ରୀକୃଷ୍ଣ ସ୍ୱରୂପକୁ ଧରିଗୋପଯୁବତୀଙ୍କ ସଙ୍ଗେ ରଙ୍ଗରେ ବିହରି ।ପୁଣି ବଇକୁଣ୍ଠେ ଯିବେ ଏହା ଜାଣେ ମୁହିଁଶ୍ରୀକୃଷ୍ଣ ଅନେକ କଷ୍ଟ ପାନ୍ତି ଏଥିପାଇଁ ।ଗୋପନଗରେ ଅଛନ୍ତି ଯେତେକ ଯୁବତୀଜନ୍ମଜନ୍ମାନ୍ତରେ କୃଷ୍ଣ ସମସ୍ତଙ୍କ ପତି ।ତୁମ୍ଭର ନିମନ୍ତେ ମୁହିଁ ଏହିକ୍ଷଣି ଯିବିସମସ୍ତ ବେଦନା ଯାକ କୃଷ୍ଣେ ଜଣାଇବି ।ମୋର ଦୂତୀପଣେ ନିଶ୍ଚେଁ ହେବ କାର୍ଯ୍ୟସିଦ୍ଧିଭେଟାଇବି ଯୋଗେଶ୍ୱର ପୁଂସ ଗୁଣନିଧି ।ଏ ମୋହର ଲେଉଟିଣ ଆସିବାର ଯାଏଘଡ଼ିଏ ପଲ୍ୟଙ୍କେ ରହିଥିବୁ ତୁ ଏଠାଏଁ ।ରାଧିକା ବୋଇଲା ସଖି ବିଳମ୍ୱ ନ କରଯେତେ ଶୀଘ୍ର ପାର କାର୍ଯ୍ୟ ସାଧ ଗୋ ସତ୍ୱର ।ଅନୁକ୍ଷଣେ ପୋଡ଼ଇ ଯେ ମୋର ପଞ୍ଚମନଗୋବିନ୍ଦ ବିନୁ ମୋ ଚିତ୍ତ ନ ବଳଇ ଆନ ।ଶୁଣିଣ ଦୂତିକା ତହୁଁ ମଙ୍ଗଳ ସୁମରିଧାତିକାରେ ଉଠିଲା ସେ ଚତୁରୀ ନାଗରୀ ।ବଂଶାଧ୍ୱନି ଅନୁସରି ଚଳଇ ସେ ବେଗେଯାଇଣ ମିଳିଲା କୁଞ୍ଜକାନନର ଲାଗେ ।ରାତ୍ର ଅବସାନେ ଯାଇ ମିଳିଲା ଦୂତିକାସଙ୍ଗତରେ କେହି ନାହିଁ ଯାଉଅଛି ଏକା ।ପୌର୍ଣ୍ଣମୀ ଜହ୍ନ ପଡ଼ିଛି ଦିବସ ପରାୟେକଦମ୍ୱ ମୂଳରେ କାହ୍ନୁ ବେଣୁ ଧରି ବାଏ ।ଖଣ୍ଡେ ଦୂରୁ ଅନାଇଁଣ ରହିଲାକ ଦୂତୀଦେଖି ପରମ ସାନନ୍ଦ ଅବ୍ୟକ୍ତ ମୂରତି ।ସନ୍ନିଧିରେ ଦୂତୀ ଯାଇ ହୋଇଲା ପ୍ରଣମିବାମପାଖେ ଦୃଷ୍ଟି ପାତି ହେଲେ ଜଗତ୍ସ୍ୱାମୀ ।ଦେଖିଲେ ଦୂତୀ ପଡ଼ିଛି ଚରଣ ତଳରେତହୁଁ ଶ୍ରୀକୃଷ୍ଣ ବୋଲନ୍ତି ସଧୀରେ ସଧୀରେ ।କି ଗୋ ଦୂତିକା ବିଶ୍ୱାସୀ ଅଟୁ ତୁ ଆମ୍ଭରମହାନିଶାରେ ଅଇଲ କେହ୍ନେ ଏତେଦୂର ।ଗଣ୍ଡା ଗୟଳ ଭାଲୁଙ୍କ ବାସସ୍ଥାନ ଏଥେଁଏ ବନ ଭିତରେ ଚରୁଥାଆନ୍ତି ସେ ନିତ୍ୟେ ।ସେମାନ ଦେଖିଣ ମନେ ନ କଲ ଗୋ ଭ୍ରାନ୍ତିକି ନିମନ୍ତେ ଆସିଲା ଗୋ କହ ଏତେ ରାତି ।ଝାଳରେ କର୍ଦ୍ଦମ ପୁଣ ହୋଇଛି ଶରୀରଘନ ଘନ ନିଃଶ୍ୱାସ ତ ବହେ ପରଖର ।ଆମ୍ଭେ ଏଥେ ଅଛୁ ବୋଲି ଜାଣିଲ କେମନ୍ତେଏକାକେ ଆସିଲ କେହି ନାହିଁ ତ ସଙ୍ଗତେ ।ଦୂତିକା ବୋଇଲା ତୁମ୍ଭେ ନାଗରଙ୍କ ଗୁରୁଗରବଗଞ୍ଜନବାନା କି କରି ନ ପାରୁ ।ସର୍ବ ଅନ୍ତର୍ଯ୍ୟାମୀ ନାଥ ଦେବ ପୀତବାସଭବିଷ୍ୟତ ବର୍ତ୍ତମାନ ତୁମ୍ଭଙ୍କୁ ତ ଦୃଶ୍ୟ ।ଆରତଭଞ୍ଜନ ବାନା ବହୁ ସବୁକାଳେରକ୍ଷାକରୁ ପ୍ରାଣୀଙ୍କୁ ତୁ ସଙ୍କଟର ବେଳେ ।ଏ ତୋର ବେଣୁ ଶୁଣିଣ ପାଇ ବଡ଼ ବାଧାବିରହ ଯୋଗରେ ପ୍ରାଣ ଛାଡ଼ୁଅଛି ରାଧା ।ଘର ବର ଆଦିକରି ଛାଡ଼ିଲାଣି ଲଜ୍ଜାତୁମ୍ଭ ସଙ୍ଗ ନ ହୋଇଲେ ହେବ ପ୍ରାଣତ୍ୟଜ୍ୟା ।ମତି ଛନ୍ନ ଛନ୍ନ ତାର ଶରୀର ବ୍ୟାକୁଳନୟନରୁ ନିରନ୍ତରେ ବହେ ଅଶ୍ରୁଜଳ ।ଚନ୍ଦ୍ର କିରଣ ମରଣ ଅନଳ ପରାୟେନିଃଶ୍ୱାସ ତେଜଇ ଖର ଅନିଳର ପ୍ରାୟେ ।ତୁମ୍ଭେ ରକ୍ଷା ନ କରିଲେ ମଲା ଗୋପନାରୀଲୟ ଲଗାଇଛି ସଦା ତୁମ୍ଭର ଉପରି ।ଦୂତିକା ବଚନ ଶୁଣି କହନ୍ତି ଅଚ୍ୟୁତକିସ କିସ ବୋଲୁଅଛ ଜାଣି ନ ପାରେ ତ ।କିଏ ସେ ରାଧିକା ଅଟେ କାହାର ସେ ନାରୀଢମାଳି କଥା କହଛ ମୋ ଆଗେ ଚତୁରୀ ।ତାହାର ସଙ୍ଗରେ ମୋର ଦିନେ ଦେଖାନାହିଁମାଗଣା କଥାରେ ଏତେ ଗୋଳ କାହିଁପାଇଁ ।ବୃଥାରେ ଆସିଲ ତୁମ୍ଭେ ନ ଜାଣିବା ପଣେବାହୁଡ଼ି ଯାଅ ପୁରକୁ ଉଠିଣ ବହନେ ।ଦୂତିକା ବୋଇଲା ତୁମ୍ଭେ ଅଟ ମାୟାଧାରୀଚନ୍ଦ୍ରାବଳୀ ରାଧା ଅଟେ ଚନ୍ଦ୍ରସେଣା ନାରୀ ।ସୁନ୍ଦର ପଣରେ ରତି ଉମା ହାରିଯିବେତୁମ୍ଭଙ୍କୁ ମୁଁ ସେହି କଥା କହିଥିଲି ପୂର୍ବେ ।ନହୁଲୀ ବୟସୀ ରୂପେ ପଟାନ୍ତର ନାହିଁଗୋପପୁରେ ଜନମିଛି ଆସି ତୁମ୍ଭପାଇଁ ।ବିରହ ବଂଶୀ ବାଇଲ ଯେଣୁ କୁଞ୍ଜବନେଚତୁର୍ଦ୍ଦଶ ଭୁବନକୁ ମୋହିଲ ସେ ସ୍ୱନେ ।ପଲ୍ୟଙ୍କ ଉପରେ ରାଈ ନିଦ୍ରା ଯାଇଥିଲାଏ ତୁମ୍ଭ ବେଣୁଧ୍ୱନି ତା କର୍ଣ୍ଣେ ସମ୍ଭାଇଲା ।ଶବଦ ଶୁଣିଣ ମୋହ ହେଲା ବରାଙ୍ଗନାତେତେବେଳରୁ ଶରୀରେ ନାହିଁ ତା ଚେତନା ।ତୁମ୍ଭର ତହିଁକି ମୋତେ ପେଷିଲା ସରାଗେବିଳମ୍ୱ ନ କର କାହ୍ନୁ ଚାଲ ଯିବା ବେଗେ ।ଶ୍ରୀକୃଷ୍ଣ ବୋଲନ୍ତି ଦୂତୀ ଶୁଣ ମୋର ବାଣୀଚତୁରୀଙ୍କ ଶିରୋମଣି ଏକେ ତ ସିହାଣୀ ।ଗଉଡ଼ ବାଉଡ଼ ଆମ୍ଭେ ଜାଣୁ ଅବା କିସଆମ୍ଭର ଆଗରେ ବୃଥା ବାଣୀ ଆସି ଭାଷ ।ତୁମ୍ଭେ ବୋଇଲ ରାଧିକା ଅତି ସୁକୁମାରୀସୁଲକ୍ଷଣୀ ନାୟିକା ସେ ଚତୁରୀ ନାଗରୀ ।ତାହାର ସଙ୍ଗେ ଆମ୍ଭରି କାହୁଁ ହେବ ମେଳବିଳମ୍ୱ ନ କରି ଏଥୁ ବେଗହୋଇ ଚଳ ।ଦୂତିକା ବୋଇଲା ଏହା ନ ବୋଲ ହେ ବାବୁତୁମ୍ଭର କଥାମାନ ତ ଜାଣିଛି ମୁଁ ସବୁ ।ବ୍ରହ୍ମା ରୁଦ୍ର ରୁଦ୍ରଙ୍କୁ ଯା ମାୟା ଅଗୋଚରତାହା କି ଜାଣି ପାରିବି ହୋଇ ନାରୀ ଛାର ।ଯେ ତୋହରମାୟା ଥୋକେ ଜାଣେ ତଥ୍ୟକରିବିକାରଶୂନ୍ୟ ସେ ବ୍ୟକ୍ତି ଅଟେ ଆହେ ହରି ।ମୁଁ ପରା ତୁମ୍ଭ ନିମନ୍ତେ ଅଛି ଜାତହୋଇମୋତେ ଛଳନା ବଚନ କହ କାହିଁପାଇଁ ।ସୃଷ୍ଟି କରତା ବିଧାତା କରେ ତୁମ୍ଭ ପୂଜାଦେବାଧିଦେବଙ୍କ ପରେ ତୁମ୍ଭେ ଅଟ ରାଜା ।ଶ୍ରୀକୃଷ୍ଣ ବୋଇଲେ ଦୂତୀ ସାବଧାନେ ଶୁଣଗତ ହୋଇଲାଣି ଥିଲା ଆମ୍ଭର ଯେ ଗୁଣ ।ପୂର୍ବର କଥାମାନ ଗୋ ଗଲାଣି ଆମ୍ଭରଲୋଡ଼ିଲେ ଆଉ ପାଇବା କାହୁଁ ନାରୀବର ।ଗଉଡ଼ ବାଉଡ଼ ଆମ୍ଭେ ହାଉଡ଼ ବୋଲାଉବିଲ ପଡ଼ିଆରେ ସଦା ଗାଈ ରଖିଥାଉଁ ।ମୂଲିଆ ଘରେ ତ ପୁଣି ଆସି ଜନମିଲୁଯାହା ଗୁଣ ଥିଲା ତାହା ସବୁ ପାସୋରିଲୁ ।ଦୂତିକା ବୋଲେ ତୁ ସୃଷ୍ଟି କରତା ପୁରୁଷଗତ ଆଗତ ବାରତା ସବୁ ତୋତେ ଦୃଶ୍ୟ ।ଠୁଳ ଶୂନ୍ୟ ପୁରୁଷ ତୋ ରୂପ ରେଖ ନାହିଁଅବ୍ୟକତ ପୂର୍ଣ୍ଣାନନ୍ଦ ପୁରୁଷ ତ ତୁହି ।ସନାତନ ଅବ୍ୟୟ ତୁ ସବୁରି ଦେବତାକିପାଇଁ କହୁ ତୁ ମୋର ଆଗେ ଏହି କଥା ।ସର୍ବ ଅନ୍ତର୍ଯ୍ୟମୀ ତୋର ପରଂହଂସ ଦୀକ୍ଷାତୁମ୍ଭେ ନ ରଖିଲେ ଭବେ କେ କରିବ ରକ୍ଷା ।ରୁଦ୍ରପ୍ରଳୟ ଯେକାଳେ ହେଲା ଦେବରାୟେଘୋଟିଗଲା ମହାଜଳ ବ୍ରହ୍ମଲୋକ ଯାଏ ।ମେରୁ ମନ୍ଦର ପ୍ରଭୃତି ସବୁ ଗଲେ ନାଶଅସ୍ତଗିରି ସହିତରେ ବୁଡ଼େ କପିଳାସ ।ଅକ୍ଷୟ ଅଜ୍ରାମରତ ପ୍ରଭୁ ଦେବ କାଶୀପ୍ରଳୟ ମହାଜଳରେ ଯାଉଛନ୍ତି ଭାସି ।ସହସ୍ରେ ମନୁ ପର୍ଯ୍ୟନ୍ତେ ପହିଁରିଲେ ଫୁଟିଆର୍ତ୍ତେ ସୁମରିଲେ ଶିବ ତବ ନାମଗୋଟି ।ବ୍ରହ୍ମବିଦ୍ୟା ପାସୋରିଲେ ପ୍ରଭୁ ଲିଙ୍ଗରାଜାପାର୍ବତୀଙ୍କ ଆଦି କରି କଲେ ପରିତ୍ୟଜ୍ୟା ।ତ୍ରାହି ନାରାୟଣ ବୋଲି ଡାକିଲେ ଉଚ୍ଚରେସେ ଶବ୍ଦ ସମ୍ଭାଏ ଯାଇ ତୁମ୍ଭର କର୍ଣ୍ଣରେ ।ଆସ ଆସ ବୋଲି ଗର୍ଭେ ଦେଲ ନେଇ ଠାବଅଠାଣୋଇ କଳ୍ପ ତହିଁ ରହିଲେକ ଶିବ ।ରୁଦ୍ରପଦ ପରିଯନ୍ତେ ନାହିଁ ତାଙ୍କ ମନେନିଶ୍ଚିନ୍ତେ ରହିଲେ ତବ ଜଠର ସଦନେ ।ଚଉରାଶୀ ଯୋଗଖଣ୍ଡ ଅଷ୍ଟାଙ୍ଗ ଯେ ବିଧିଅଣଅଭ୍ୟାସେ ପାସୋରିଗଲା ଋଦ୍ଧି ସିଦ୍ଧି ।ଇତର ଜନ ପରାୟେ ହୋଇଲେ ଈଶାନଆମ୍ଭେ ଈଶାନ ବୋଲିଣ ନ ଜାଣିଲେ ପୁଣ ।କୀଟୁଁ ବ୍ରହ୍ମ ପରିଯନ୍ତେ ଯେତେ ଜୀବପନ୍ତିଉଦର ମଧ୍ୟରେ ସବୁ ପାସୋରି ପକାନ୍ତି ।ପୁଣିହିଁ ଶିବଙ୍କୁ ଗର୍ଭୁ ବାହାର ତୁ କଲୁପୂର୍ବପରି ତାହାଙ୍କର ଶିବନାମ ଦେଲୁ ।ଏସନ ପ୍ରକାରେ ଅଟେ ତୁମ୍ଭ ମହିମାଟିତୁମ୍ଭେ ବୋଲୁଛ ଏବେ ମୁଁ ବାଳୁତ ପୁଅଟି ।ବାଳ ବୃଦ୍ଧ ତରୁଣ ତୁ ସବୁ ରୂପ ଧରୁଏମନ୍ତ ମହିମା ତୋର କିଏ କହିପାରୁ ।ମତ୍ସ୍ୟ କଚ୍ଛପ ବରାହ ନରସିଂହ ତୁହିମାନବରେ ଅଗୋଚର ତୋ ରୂପ ଅଟଇ ।ଭାରା ନିବାରଣେ ନାନରୂପ ଧରୁ ଦେବଜାଣି ନ ପାରଇ ତୋର ମାୟା ସଦାଶିବ ।ଦୂତୀ ବଚନରେ ତହୁଁ ହସି ଚକ୍ରପାଣିବୋଇଲେ ଦୂତିକା ତୁମ୍ଭେ ବଡ଼ଇ ସିହାଣୀ ।କଥାରେ ଜିଣିବା ପାଇଁ ତୋତେ କେ ଭାଜନନିଶ୍ଚୟ ରାଧାକୁ ମୋର ନ ବଳଇ ମନ ।ମନଗୋଟି ମହାପ୍ରଭୁ ହରତା କରତାମନ ଭାଙ୍ଗିଗଲେ ଆଉ ଅଛି କେଉଁ କଥା ।ଦୂତିକା ବୋଲେ ଶରଣ ପଞ୍ଜର ତୋ ବାନାଆତଙ୍କି ଲୋକର ତୁହି ଅଟୁ ବଜ୍ରସେହ୍ନା ।ରାଧିକା ତୁମ୍ଭର ପ୍ରଭୁ ଅର୍ଦ୍ଧାଙ୍ଗ ଯୁକତେପଚାରେ ମାତ୍ର ସନ୍ଦେହ ନିବାରଣ ଅର୍ଥେ ।ତୁମ୍ଭେ ନ ଗଲେ ଅବଶ୍ୟ ମରିବ କାମିନୀରଙ୍ଗା ଅବତାର ବୃଥା ହେବ ବେଣୁପାଣି ।ଶ୍ରୀକୃଷ୍ଣ ବୋଇଲେ ଚନ୍ଦ୍ରସେଣାକୁ ମୁଁ ଡରେତେଣୁ ଯାଇ ନ ପାରଇ ଜାଣ ତାର ପୁରେ ।ମତୁଆଳ ଗଉଡ଼ ସେ ନାହିଁ ତାର ଜ୍ଞାନନ ପୁଣ ପ୍ରହାର ମୋତେ କରେ ସେ ରାଗେଣ ।କା ଆଗେ କହିବି ଯାଇ ହେବ ବଡ଼ ଲାଜତେଣୁକରି ରାଧାଠାରେ ନାହିଁ ମୋର କାର୍ଯ୍ୟ ।ଦୂତିକା ବୋଇଲା ପ୍ରଭୁ ହିରଣ୍ୟ ଅସୁରତାହାକୁ ମାରିଲ ହୋଇ ନୃସିଂହାବତାର ।ବ୍ରହ୍ମଲୋକ ପରିଯନ୍ତେ ଘୋଟିଗଲା କାୟଦେଖିଣ ଶଙ୍କା କରିଲେ ବିବୁଧ ସମୂହ ।ଚୌରାଶୀ ଯୋଜନ ଉଚ୍ଚ ହିରଣ୍ୟର କାୟତୁମ୍ଭ ନଖକୋଣେ ଲୁଚିଗଲା ଦେବରାୟ ।ନଖେ ବିଦାରଣ କଲ ପ୍ରଭୁ ତାକୁ ହେଳେଗଉଡ଼ ବାଉଡ଼ ଏବେ ବୋଲ କଥାଛଳେ ।ତୁମ୍ଭେ ଯେ ବୋଇଲ ପୁଣି ଲୋକେକରଶଙ୍କାବିଭୀଷଣ ରାକ୍ଷସକୁ କେହ୍ନେ ଦେଲ ଲଙ୍କା ।ସତୀବ୍ରତ ପାଳିଥିଲେ ଯେଉଁ ମନ୍ଦୋଦରୀତାହାକୁ ତ ବିଭୀଷଣେ ଦେଲ ଦଇତ୍ୟାରି ।ଶୁଭାଶୁଭର କରତା ଅଟନ୍ତି ଆପଣଆପଣଙ୍କୁ କେଉଁକଥା ଅଟେ ବା ଅଜାଣ ।ଗୋବିନ୍ଦ ବୋଇଲେ ସଖି ଶୁଭାଶୁଭ ବେନିମେଦିନୀରେ ଆତଯାତ ହେଉଅଛି ପୁଣି ।ପରସ୍ତିରୀ ପରଧନେ କରେ ଯେହୁ ଆଶଯଶ ଶ୍ରୀ ସମ୍ପଦ ତାର ତୁଟଇ ଅବଶ୍ୟ ।ଆବର ବିଶେଷ ସେ ତ ମାନନୀୟା ମୋରଚନ୍ଦ୍ରସେଣାର ଭାରିଯା ମାଈଁ ଯେ ଆମ୍ଭର ।ସେହି ସିନା ନ ଜାଣଇ ଏଥେଁ ଭଲମନ୍ଦମାତା ଯଶୋବନ୍ତୀ ମୋର ଜନକ ଯେ ନନ୍ଦ ।ଜାଣୁ ଜାଣୁ କେଉପରି କରିବି ଅକର୍ମନିଶ୍ଚୟ ବିନାଶ ହେବ ବଂଶର ଯେ ଧର୍ମ ।ଅକର୍ମ କର୍ମ କେତେକ ଦିନ ଅବା ରହେକ୍ରମେ କ୍ରମେ ଦିନୁ ଦିନୁ କରେ କୁଳକ୍ଷୟେ ।ଦୂତିକା ବୋଇଲା ସବୁ ଜାଣେ ତଥ୍ୟକରିସ୍ୱରୂପ କହିଲେ କୋପ କରିବ ମୁରାରି ।ରାମ ଅବତାର ଦୁଃଖ ପାସୋରିବା ଅର୍ଥେଗୋପପୁରେ ଉପୁଜିଲ ସିନା ଗୋପୀନାଥେ ।ଷୋଳ ସହସ୍ର ଚୌଷଠି ଛନ୍ତି ଗୋପନାରୀଏ ସିନା ପୂର୍ବରୁ ସବୁ ତୁମ୍ଭ ମନୋହାରୀ ।ଏମାନଙ୍କ ସଙ୍ଗତରେ କରିବ ହେ ରଙ୍ଗଆଦ୍ୟରୁ ଧାତା ଘଟାଇଅଛି ଏହି ଯୋଗ ।ଏଥକୁ ତୁମ୍ଭେ ମନରେ ନ କର ଯେ ଭୀତିଯାହାକୁ ଯିଏ ଘଟାଇଅଛି ପ୍ରଜାପତି ।ଏମାନେ ଗୋପପୁରରେ ଜାତ ତୁମ୍ଭପାଇଁନିଜ ଭରତା ସଙ୍ଗରେ ଅଙ୍ଗ ସଙ୍ଗ ନାହିଁ ।ସ୍ୱର୍ଗ ଅପସରା ପ୍ରାୟ ସୁନ୍ଦରୀ ଅଟନ୍ତିଉପମା ଦେବାକୁ ତାଙ୍କୁ ନାହିଁ କେହି କ୍ଷିତି ।ଯେତେ ଗୋପାଳ ଅଛନ୍ତି ଏ ଗୋପ ନଗରେନପୁଂସକ ଅଟନ୍ତି ତ ସକଳେ ବେଭାରେ ।କେବଳ ଲୋକ ଆଚାରେ ହୋଇଛନ୍ତି ବାହାତୁହି କି ନ ଜାଣୁ ସେହି କଥା ଚଉବାହା ।ମିଛେ ମିଛେ ବୋଲୁଅଛୁ ପରନାରୀ ବୋଲିବାଟ ଚାହିଁ ବସିଛନ୍ତି ସକଳ ଗୁଆଳୀ ।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ଗୋ ଚତୁରିକଥାଏ କହିବା ତୁମ୍ଭ ଆଗେ ସତ୍ୟକରି ।ଯେତେ ଅପମାନ ମୋତେ ଦେଇଅଛି ରାଈତାହା ତୁମ୍ଭ ଆଗେ ମୁହିଁ କିସ ବର୍ଣ୍ଣବଇଁ ।ଚରଣରେ ଠେଲିଦେଲା ପଡ଼ିଲି ଅଚେତେସେହିଦିନୁ ତାହାଠାରେ କୋପ ମୋର ଚିତ୍ତେ ।ବିଧାତା କହିବାରୁ ଏ ମୂରଲୀ ପାଇଲିନିରାଶ ହୋଇଣ ଏଥେ ବସି ବାଉଥିଲି ।ଏ କୁଞ୍ଜବନ ଅଟଇ ରମଣୀୟ ସ୍ଥାନତେଣୁ ଏଠାରେ ବସିଛି ହୋଇ ତୋଷମନ ।ତୁମ୍ଭେ ଯେଣୁ ବିଶ୍ୱାସୀ ଗୋ ଅଟ ତ ମୋହରତେଣୁ କହିଲଇଁ ମୁହିଁ ସବୁ ସମାଚାର ।ଯାହା ଅପମାନ ଦେଲା ଛାର ଗଉଡ଼ୁଣୀଲୋକେ ଶୁଣିଲେ ହସିବେ ଏହିକଥା ଶୁଣି ।ଏଡ଼େ ଜୋରରେ କରିଛି ସେହୁ ପଦାଘାତଏତେବେଳଯାଏ ରକ୍ତ ବୋହୁଛି ସଙ୍ଗାତ ।ଦୂତିକା ବୋଇଲା ହରି ମୋତେ ତା ନ କହବଜ୍ରଠାରୁ କଠିନ ତ ଅଟେ ଯାର ଦେହ ।କୂର୍ମରୂପ ଧରି ଯେହୁ ବିସ୍ତାରିଲା କାୟଅଶେଷ ବ୍ରହ୍ମାଣ୍ଡ ଯାକୁ ତିଳମନ୍ଦା ପ୍ରାୟ ।ମୟଦାନବ ମାଇଲା ନେଇ ବଜ୍ରଦଣ୍ଡଯା ଦେହରେ ବାଜି ବଜ୍ର ହେଲା ବେନିଖଣ୍ଡ ।ରାଧିକା ନାତରେ ତାର ଦେହୁ ବହେ ରକ୍ତଏ ଲାଞ୍ଛନା କଥା କିପାଁ କହ ହେ ଅଚ୍ୟୁତ ।ସେ ତୁମ୍ଭର ନିଜ ପତ୍ନୀ ତୁମ୍ଭେ ସ୍ୱାମୀ ତାରତୁମ୍ଭଠାରେ ସାନବଡ଼ ଅଛିକି ବିଚାର ।ତୁମ୍ଭର ଶରୀରୁ ତମ ହୋଇଣ ସଂଜାତଏହିପରି ହୃଦୟକୁ କରେ ବ୍ୟାକୁଳିତ ।ଆବର ଗୋଟିଏ କଥା କହୁଛି ତୁମ୍ଭଙ୍କୁହୃଦୟରୁ ତେଜିଦିଅ ସେ ଅଭିମାନକୁ ।ସର୍ବ ଭୋଗୀ ପୁରୁଷ ତ ଜାଣ ସର୍ବ ପୁଣରାଧିକା ଉପରୁ କୋପ ତେଜ ନାରାୟଣ ।ବିଳମ୍ୱ ନ କରି କୃଷ୍ଣ ଚାଲ ଯିବା ଚଳିବାଟ ଚାହିଁ ବସିଥିବେ ତେଣେ ଚନ୍ଦ୍ରାବଳୀ ।ମୁଁ କିସ କହିବି ଧାତା ଏହା ଘଟାଇଲାମାଗିଲା ମାତ୍ରେ ବିରହ ବଂଶୀ ଆଣି ଦେଲା ।ସ୍ୱର୍ଗ ମଞ୍ଚ ପାତଳରେ ଏହା ନ ମିଳଇଶୁଣିଲା ମାତ୍ରକେ ମନ ଉଲୁସି ଉଠଇ ।ରାଧିକା ବୋଲିଣ ସିନା ଅଛି ପ୍ରାଣ ଘେନିଆବର ଗୁଆଳୀ ପ୍ରାଣେ ନ ଥିବେଟି ପୁଣି ।ଏତେ ବୋଲିଣ ଦୂତିକା ସତ୍ୱର ଉଠିଲାଶ୍ରୀକୃଷ୍ଣଙ୍କ ପାଦତଳେ ଯାଇଣ ପଡ଼ିଲା ।ଭୋଦେବ ଗୋପୀନାଥ ହେ ଶୀଘ୍ର ଚାଲିଯିବାରାଧିକା ଜୀବନେ ଅଛି ନାହିଁ କି ଦେଖିବା ।ପୃଥିବୀର ଭାରାଭର ଏବେ କ୍ଷୟ ଯାଉମୋର ଯଶ ରହୁ ଗୋପୀଙ୍କର କାର୍ଯ୍ୟ ହେଉ ।ଅନେକ ରୂପରେ ଯହୁଁ ବୋଧିଲା ଚତୁରୀଶୁଣି ସନ୍ତୋଷ ହୋଇଲେ ଦେବ ମଧୁହାରୀ ।ଦୂତିକାକୁ ବୋଲନ୍ତି ଯେ ପ୍ରଭୁ ଚକ୍ରଧରକୋଇଲି ସୂତାରେ ମତ୍ତଗଜ ବାନ୍ଧିପାର ।ଚତୁରୀଙ୍କ ଶିରୋମଣି କେତେ ଜାଣ କୂଟସ୍ତମ୍ଭନ ମୋହନ ବିଦ୍ୟା ବଶ୍ୟ ଯେ ଉଚ୍ଚାଟ ।ଅବୋଧ ଜନକୁ ତୁମ୍ଭେ ବୋଧିପାର ଭଲେଅସାଧ୍ୟ ସାଧନ ହୋଇପାରେ ତୁମ୍ଭ ବଳେ ।ସୂତା ତାର ନିଶୁଣିରେ ସ୍ୱର୍ଗେ ପାର ଯାଇକରପତ୍ରେ ସମୁଦ୍ରକୁ ପାର ଯେ ଶୁଖାଇ ।ଗଙ୍ଗାବାଲି ଗଣିପାର ତୁମ୍ଭର ଉପାୟେଏକାପାଦେ ଗମିପାର ବ୍ରହ୍ମଲୋକ ଯାଏ ।ସକଳ ବିଦ୍ୟାରେ ପରିପୂର୍ଣ୍ଣ ଗୋ ସିହାଣିତୁମ୍ଭପରି ନାହିଁ ଜଣେ ଜଗତେ ତରୁଣୀ ।ବ୍ରହ୍ମ ବିଦ୍ୟାରୁ ଆରମ୍ଭି କାମବିଦ୍ୟା ଯାଏସମସ୍ତ ସିଦ୍ଧ ହୋଇଛି ତୁମ୍ଭରି ଉପାୟେ ।ତୁମ୍ଭର ବଚନ ଆମ୍ଭେ ଲଘିଂ କି ପାରିବୁଯେ କଥା ବୋଲିବ ତାହା ନିଶ୍ଚୟ କରିବୁ ।ଦୂତିକା ବୋଇଲା ମୁହିଁ ନ ମାଗଇ ଆନରାଧିକାକୁ ପ୍ରାଣଦାନ ଦିଅ ଜନାର୍ଦ୍ଦନ ।ତାହାକୁ ରକ୍ଷା କରିଲେ ହେବ ବଡ଼ କାର୍ଯ୍ୟତା ଶୁଣି ଉଠିଲେ ଧାତିକାରେ ଦେବରାଜ ।ଆସ ଦୂତୀ ବୋଲି କୃଷ୍ଣ କଢ଼ାଇଲେ ପଥଆଗହୁଁ ସେହି କଥାରେ ମନ ଉଲ୍ଲସିତ ।ଯାହା ବାଞ୍ଛୁଥିଲେ ତାହା ପ୍ରବେଶ ହୋଇଲାଲୋଡ଼ୁଥିବା ମଳୁକୁ ଯେ ଖାଦ୍ୟ ବୈଦ୍ୟଦେଲା ।ସର୍ବମଙ୍ଗଳା ସୁମରି ଗଲେ ଧାତିକାରେପ୍ରବେଶ ହୋଇଲେ ଯାଇ ରାଧିକା ପାଶରେ ।ଅପୂର୍ବ ମନ୍ଦିର ମଧ୍ୟେ ଉଜାଗର ହୋଇଏକ ଲୟେ ବସିଅଛି ରାଧା ବାଟ ଚାହିଁ ।ଏହି ସମୟେ ଦୁଆରେ ଡାକି ଦେଲା ଦୂତୀଶୁଣିଲା ମାତ୍ରକେ ରାଈ ବାହାରେ ତଡ଼ତି ।ଅଷ୍ଟ ରତନ ଝରିରେ ସଲିଳ ପୂରାଇଗୋବିନ୍ଦଙ୍କ ପାଦପଦ୍ମେ ପଖାଳିଲା ନେଇ ।ଦୂତିକା ବୋଇଲା ସଖି ଶୁଣ ମୋର ବାଣୀପୁରୁଷ ଉତ୍ତମ ଏହି ଦେବ ଚକ୍ରପାଣି ।ଏହାଙ୍କ ସଙ୍ଗତେ ତୁହି କଟାଅ ସମୟଅଖିଳ ଲୋକଈଶ୍ୱର ଏତ ଦେବରାୟ ।ତୁ ଏହାର ଭାବିନୀ ଗୋ ଏ ତୋହର କାନ୍ତପୂର୍ବରୁ ଘଟାଇଅଛି ଦେବ ଚଉମାଥ ।ଏକାନ୍ତେ ଭେଟାଇ ଦେଲି ତୋତେ ଗୁଣମଣିମୋହର ମନ୍ଦିରକୁ ଗୋ ଯାଉଛି ମିତଣି ।ମନ ଜାଣି କୃଷ୍ଣଙ୍କୁ ତୁ କରିବୁ ତୃପତିପୁରୁଷେ ଅଟନ୍ତି ସଦାକାଳେ ଭୃଙ୍ଗମତି ।ଫୁଟିଲା ଫୁଲରେ ବସି ଘେନୁଥାନ୍ତି ବାସମଳିନ ହୋଇଲେ ଛାଡ଼ିଯାନ୍ତି ତାର ପାଶ ।ନ ପୁଣ ଏହାଙ୍କୁ ସାନ ବୋଲି ମନେ ମଣୁସିହାଣୀ ନାଗରୀ ତୁ ତ ସବୁକଥା ଜାଣୁ ।ଏତେ କହି ଦୂତି ଚଳିଗଲା ନିଜବାସରାଧା ସଙ୍ଗେ ପହୁଡ଼ିଲେ ପ୍ରଭୁ ପୀତବାସ ।ଉଭୟ ମତେ ବଢ଼ିଲା ରତିରସ ଶ୍ରଦ୍ଧାବିବିଧ ବିନୋଦେ କେଳି କଲେ କୃଷ୍ଣ ରାଧା ।ଭୁଜେ ଭୁଜ ଭିଡ଼ି ମୁଖେ ଦିଅନ୍ତି ଚୁମ୍ୱନନଖ ଦନ୍ତ ଘାତେ ଅଙ୍ଗ ହେଲା ଭିନ୍ନ ଭିନ୍ନ ।ରାଜ୍ୟରତି ପ୍ରେମ୍ୟରତି ପ୍ରେମ୍ୟରତିବନ୍ଧହାସ୍ୟରତି ଲାସ୍ୟରତି ଗ୍ରାମ୍ୟରତି ଛନ୍ଦ ।ବତିଶ ଯେ ଆଳିଙ୍ଗନ ଷୋଳଚନ୍ଦ୍ର କଳାଚଉଷଠିବନ୍ଧ ବିଧି ମଦନର ଲୀଳା ।ଦହନ ଶୋଷଣ ଆପ୍ଳାବନ ପଞ୍ଚଶରେବନ୍ଧନ ଭେଦନ ମୁଦ୍ରା ଅନଙ୍ଗ ସମରେ ।ଭୂଜଚାପ ଆଙ୍ଗଭେଦ ଦ୍ୱାଦଶ ଚାହାଣୀଅପାଙ୍ଗୀ ସାୟକ ଚାଟୁ ସରସ ଯେ ବାଣୀ ।ଧରଣ ଧାରଣ ତ୍ରାସ ଜାରଣ ମାରଣଏମନ୍ତ ଯେତେକ ରତିଶାସ୍ତ୍ରର ବିଧାନ ।ସ୍ଥାବର ଜଙ୍ଗମକୀଟ ଆଦି ସର୍ବ ପ୍ରାଣୀଯେଝା ଅନୁରୂପେ ଏହା ଜାଣନ୍ତି ପ୍ରମାଣି ।ଯେବଣ ବିଷ୍ଣୁ ଭିଆଣ କଲେ ସର୍ବ ସୃଷ୍ଟିରାଧା ବିନା ହୋଇଥିଲେ ସେ ମଦନକଷ୍ଟୀ ।ଚନ୍ଦ୍ରାବଳୀ ଯାହା ଶ୍ରଦ୍ଧା କରିଥିଲା ମନେତା ପାଇ ପରମ ତୋଷ ହେଲେ ବେନିଜନେ ।ଆଠଖଣ୍ଡ ପରିଯନ୍ତେ ପଡ଼ିଲା ମୁହାଁସହାରିଲେ ରାଧିକା ଜୟ କଲେ ପୀତବାସ ।କାମବାଣ ଭୟ ରାଧା ଅଙ୍ଗୁଗଲା ଛାଡ଼ିଗାଢ଼େ ଆଲିଙ୍ଗନ କଲେ ଶ୍ରୀକୃଷ୍ଣଙ୍କୁ ଭିଡ଼ି ।ପ୍ରେମରସେ ବୁଡ଼ି ରାଧା ଦିଅନ୍ତେ ଚୁମ୍ୱନରାଧାଙ୍କର ବଶ ହେଲେ ପ୍ରଭୁ ଭଗବାନ ।ଅଧର ବିରସ ବହି ପଡ଼ିଲା କଜ୍ଜ୍ୱଳଗଳାରୁ ଛିଡ଼ିଣ ତଳେ ପଡ଼େ ପୁଷ୍ପମାଳ ।ପାଦରୁ ନୂପୁର ହସ୍ତ କଙ୍କଣ ହସିଲାଦିବସ ଶଶାଙ୍କ ପ୍ରାୟେ ବଦନ ଦିଶିଲା ।ଘନ ଘନ ହୋଇବହେ ନିଃଶ୍ୱାସ ପବନମାସ ଉପବାସୀ ପ୍ରାୟେ ଶୁଭିଲା ବଚନ ।ତାମ୍ୱୁଳ ବୋଳରେ ଆରକତ ଗଣ୍ଡସ୍ଥଳୀନିର୍ମଳ ମେଘରେ ଯେହ୍ନେ ଉଦେ ଆର୍ଦ୍ରାବଳୀ ।ଭାଙ୍ଗିଲା ବନ୍ଧନ ମୁଦ୍ରା ଖସି ବ୍ରହ୍ମବୀର୍ଯ୍ୟସମ୍ପୂର୍ଣ୍ଣ ରତିରେ ଶ୍ରାନ୍ତ ହେଲେ ଦେବରାଜ ।ଚନ୍ଦ୍ରାବଳୀ ଅଙ୍ଗ ରାଗ ଅଙ୍ଗ ଦିଶେ ଶୋଭାନୀଳଘନେ ଉଦେ ହେଲା ଇନ୍ଦ୍ରଧନୁ ଅବା ।ସରିଲା ଶୃଙ୍ଗାର ରସ ମନୁ ଗଲା ଖେଦପରିଶ୍ରମେ ନୟନକୁ ଆକର୍ଷିଲା ନିଦ ।କର୍ପୂର ତାମ୍ୱୁଳ ଭୁଞ୍ଜି ବସନ ସମ୍ଭାଳିପଲ୍ୟଙ୍କେ ଶୁତିଲେ କୃଷ୍ଣ ଘେନି ଚନ୍ଦ୍ରାବଳୀ ।ନିକଟରେ ରାଧାଙ୍କର ନଣନ୍ଦ ଶୋଇଛିଅଚେତ ନିଦ୍ରାରେ ବାମା ନ ଜାଣଇ କିଛି ।ଯଶୋଦାଙ୍କୁ ଆଦିକରି ତେଣେ ଧାଈମାନେକୃଷ୍ଣ ଘେନି ଶୋଇଥିଲେ ନନ୍ଦର ସଦନେ ।ଏକା ପଲ୍ୟଙ୍କରେ ଶୋଇଛନ୍ତି ହଳଧାରୀଚଉପାଶେ ଜଗିଛନ୍ତି ଦାସୀ ପରିବାରୀ ।କେହି ନ ଜାଣନ୍ତି କୃଷ୍ଣ କଲେ ଯେତେ ରୀତିସମସ୍ତଙ୍କୁ ମୋହ କରାଇଲେ ଲକ୍ଷ୍ମୀପତି ।ରାଧିକା କୋଳରେ ହରି ଚନ୍ଦ୍ର ସେଣାପୁରେରତିଶ୍ରମେ ନିଦ୍ରା ଗଲେ ପଲ୍ୟଙ୍କ ଉପରେ ।ବେନି ପାରୁଶରେ ଶୋଇଛନ୍ତି ବେନି ବାଳୀଦୁହିଙ୍କ ମଧ୍ୟରେ ନିଦ୍ରା ଗଲେ ବନମାଳୀ ।ସେ ରାଧା ମାଧବ ପାଦେ ସଦା ମୋର ସେବାଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।ଚନ୍ଦ୍ରସେଣାର ରାଧାଙ୍କ ନିକଟରେ କୃଷ୍ଣଙ୍କୁ ଶୋଇଥିବାର ଦେଖି ମନରେ ପ୍ରଚଣ୍ଡ ଆକ୍ରୋଶ, ଏତଦ୍ଦର୍ଶନରେ କୃଷ୍ଣଙ୍କର ବାଳରୂପ ଧାରଣଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜଶୁକମୁନି ଚରଣରେ କଲେ ଦିବ୍ୟପୂଜା ।ଆନନ୍ଦରେ ଗଦଗଦ ହୋଇ ନୃପବରପୁଣି ପଚାରିଲେ ଶିରେ ଯୋଡ଼ି ବେନିକର ।ରାଧାକୃଷ୍ଣ ମିଳନ ଏ ଦିବ୍ୟ ଜ୍ଞାନବାଣୀକୃତାର୍ଥ ହୋଇଲି ମୁନି ତବମୁଖୁଁ ଶୁଣି ।ଚନ୍ଦ୍ରାବଳୀ ପୁରେ ଶୋଇଥିଲେ ଭଗବାନତହିଁପରେ କିସହେଲା କହ ତପୋଧନ ।ରାଜାର ବଚନ ଶୁଣି ଶୁକ ମହାଯତିବୋଇଲେ କହିବା ଶୁଣ ପଣ୍ଡୁ ପଣନାତି ।କ୍ରମେ ସେ ରଜନୀ ଗୋଟି ଯହୁଁ ଶେଷ ହେଲାତାମ୍ରଚୂଡ଼ କହୁ କହୁ ଧ୍ୱନିରେ ରାବିଲା ।ଦେବତାଙ୍କ ଆଲୟରେ ଶୁଭେ ଶଙ୍ଖଧ୍ୱନିନିଶି ଅବଶେଷେ ହେଲା ପାହିଲା ରଜନୀ ।ବାୟସ କୁମ୍ଭାଟୁଆ ସେ ରାବନ୍ତି ଉଚ୍ଚରେନିତ୍ୟ କର୍ମରେ ଲାଗିଲେ ନଗ୍ର ନାରୀ ନରେ ।ପ୍ରଭାତୁଁ ଦଧି ମନ୍ଥନ କଲେ ଗୋପାଳୁଣୀସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭେ ଖୁଆ ଧ୍ୱନି ।ନବଲକ୍ଷ ମନ୍ଦିର ଯେ ବସେ ଗୋପପୁରେଦଶବିଂଶ ଖୁଆ ତହିଁ ବୁଲେ ସବୁ ଘରେ ।ଗାଈଙ୍କର ହମ୍ୱାରାବ ବାଛୁରୀଙ୍କ ଧାଡ଼ିନର ନାରୀ ଗହଳରେ ଶୁଭେ ମୁଖ ରଡ଼ି ।ଏହିରୂପେ ପାହିଲାକ ଯହୁଁ ସେ ରଜନୀଗଗନରେ ଉଦେ ହେଲେ ପ୍ରଭୁ ଦିନମଣି ।ଦିନକରୁ ଚନ୍ଦ୍ରସେଣା ଗୋଗୋଷ୍ଠରେ ଥିଲାଦୁଧଭାରି ଘେନି ଆସି ଗୃହରେ ମିଳିଲା ।ପ୍ରାଙ୍ଗଣରେ ଉଭାରି ସେ ଭାର ଘେନି ଫୁଟିରାଧା ରାଧା ବୋଲି ଉଚ୍ଚେ ଡାକଇ କୁହାଟି ।ଦଶବିଂଶ ବେଳଯାଏ ଦେଲା ଉଚ୍ଚେ ଡାକକେବେହେଁ ନ ଶୁଣେ ରାଧା ଚନ୍ଦ୍ରସେଣା ଡାକ ।ଡାକି ଡାକି ନିରସ୍ତରେ ହେଲା ଅନ୍ତରାଳଭାରବୁହା ପରିଶ୍ରମେ ବହିଯାଏ ଝାଳ ।ପୁଣି ବିଚାରିଲା ଅବା ଘରେ କେହି ନାହିଁକବାଟ କିଳି ବେପାରେ ରାଧା ଅଛି ଯାଇ ।ଏତେ ବୋଲି ହସ୍ତରେ ସେ ଘେନି କେନ୍ଦୁବାଡ଼ିକବାଟ ପାଖରେ ଉଭା ହୋଇଲା ବାହୁଡ଼ି ।ଧୀର କରିଣ ଖିଡ଼ିକି ବାଟେ ଦେଲା ଚାହିଁଦେଖିଲା ଚନ୍ଦ୍ର ବଦନୀ ଖଟେ ଅଛି ଶୋଇ ।ନିଚେଷ୍ଟେ ନିଦ୍ରା ଯାଇଣଛନ୍ତି ବେନିବାଳୀଦୁହିଙ୍କ ମଧ୍ୟରେ ଶୋଇଛନ୍ତି ବନମାଳୀ ।ଜଗମୋହନ ସ୍ୱରୂପ ଧରି ନାରାୟଣପଲ୍ୟଙ୍କ ଉପରେ କି ଅଛନ୍ତି ଶୟନ ।ନୀଳେନ୍ଦ୍ରୀଦଳ ପରାୟେ ଦିଶେ ଦିବ୍ୟ ବପୁମହାସୁଖେ ନିଦ୍ରା ଯାଇଛନ୍ତି କଂସରିପୁ ।ଦେଖି କରିଣ ଗଉଡ଼ ହେଲା ସ୍ତମ୍ଭୀଭୂତବୋଲଇ ରାଧା ମୋହର କଲା ମନ୍ଦ କୃତ୍ୟ ।ପୁଣି ବିଚାରଇ ଏତେ ଅଜ୍ଞାନ ଯୁବତୀଜାଣୁ ଜାଣୁ ମନ୍ଦକର୍ମେ ବଳାଇଲା ମତି ।ନଣନ୍ଦ ଭାଉଜ ବେନି ହେଲେ ନିଶ୍ଚେଁ ବାଇଏ ଅଲୋକିତ କରମ କାହିଁ ଦେଖାନାହିଁ ।ଏତେ ବିଚାର ଗୋପାଳ ଚାହେଁ ପୁଣି ପୁଣିଶୋଇ ଅଛନ୍ତି ପଲ୍ୟଙ୍କେ ତିନିଗୋଟି ପ୍ରାଣୀ ।ବିଚାରୁ ବିଚାରୁ ବେଳ ହେଲା ତିନିଘଡ଼ିଦେଖିକରି ଚନ୍ଦ୍ରସେଣା ହୁଏ ତଡ଼ ବଡ଼ି ।ରୋମ ଟଙ୍କୁରଇ ଝାଳ ସର୍ବାଙ୍ଗରୁ ବହେକୋପରେ ଗର୍ଜ୍ଜଇ ମହାକାଳ ସର୍ପ ପ୍ରାୟେ ।ନିଶ ଫୁଲାଇଣ ଆଖି କରି ଡିମା ଡିମାବୋଲଇ ଆଲୋ ରାଧିକା ତୋ କଥା ଜାଣିମା ।କହୁଁ କହୁଁ ଚନ୍ଦ୍ରସେଣା କ୍ରୋଧରେ ପ୍ରଜ୍ଜ୍ୱଳିତିନିଙ୍କି ମାରିଣ ଆଜି ଦେବି ବିଷାବଳି ।ଏଡ଼େ ବଡ଼ ଅନୀତି ତ କେହୁ ସହି ପାରିଛାମୁରେ ପଡ଼ିଛୁ ଆଜ ଦୋଚାରୀ ମୋହରି ।ଜାଣୁ ଜାଣୁ ଏ କଥା କି ଛାଡ଼ିଦେବି ସତେଆଖିରେ ଦେଖିଲି କିପାଁ ନ ଯିବି ପରତେ ।ପୁଣିହିଁ ପ୍ରତିଜ୍ଞାମାନ କରେ ବଢ଼ି ବଢ଼ିଓଷ୍ଠେ ଦନ୍ତ ଚାପି କରେ ଧରିଣ ଲଉଡ଼ି ।ଏରୁଣ୍ଡି ମାଡ଼ି ବସିଛି ଅତ୍ୟନ୍ତ ନିର୍ଭରେଆଣ୍ଠୁ ଭାରାରେ କବାଟ ପେଲେ ଅତି ଜୋରେ ।ଅନେକ ପ୍ରତିଜ୍ଞା କରି ଦିଏ ବହୁ ଗାଳିଆଜି ନାସିକା ଛେଦିବି ତୋର ଚନ୍ଦ୍ରାବଳି ।ଛାଡ଼ିଲୁ ତୁ ଜାତି କୁଳ ମହତ ଯେ ଲଜ୍ଜାଚୂନ କଳାଦେଇ ତୋତେ କରିବଇ ତେଜ୍ୟା ।ତୂଳା ପ୍ରମାଣେ ତୋହର କାଟିବି ମାଉଁସଦେଖୁ ଦେଖୁ କଲୁ ତୁହି ଏତେବଡ଼ ଦୋଷ ।ମୁହିଁ ତୋହର ଭରତା ମୋ ପାଶେ ନ ଆସୁଏଡ଼େ ଭରସା ତୋହର ପର ପୁଂସେ ରସୁ ।ଶାଶୁ ଶ୍ୱଶୁର ଦିଅର ସମସ୍ତେ ଦେଖନ୍ତେଏଡ଼େ ବଡ଼ ଭରସା ତୋ ହୋଇଲା କେମନ୍ତେ ।ସ୍ତିରୀ ନିଲକ୍ଷଣୀ ତୋର ଚଞ୍ଚଳ ପ୍ରକୃତିଅଜ୍ଞାନ ବେଳରୁ ପୁଣି ଏଡ଼େକ ଅନୀତି ।ମୁଁ ଅବା ନ ଜାଣି ତୋତେ କରିଲଇଁ ଦୟାତୋହର ହୃଦୟ ମୋତେ କଲୁ ଏଡ଼େମାୟା ।ଆନ ଭାରିଯା କରି ମୁଁ ଘେନିବି ତୋ ପ୍ରାଣଏହା ନ କରଇ ଯେବେ ପିତା ମାତା ରାଣ ।ଭଉଣୀ ଏଡ଼ିକି ମୋର ଅଟଇ ପାପିଷ୍ଠାତୋର ସଙ୍ଗେ ପଡ଼ି ଆଜ ସେହି ହେଲା ନଷ୍ଟା ।ପର ପୁରୁଷ ସଙ୍ଗରେ ପ୍ରୀତି ବଢ଼ାଇଲକୁଳ କୁଟୁମ୍ୱ ବୁଡ଼ାଇ ଆପେ ନାଶ ଗଲ ।ଜାଣୁ ଜାଣୁ ଲାଜ ଭୟ ସଂକୋଚ ତେଜିଲବିଷ ଦଉଡ଼ିରେ ପ୍ରାଣ ହରାଇ ନ ଦେଲ ।ମାତା ପିତା ଦାରା ଯେବେ ହୁଅନ୍ତି ବଇରୀଧର୍ମ ଶାସ୍ତ୍ର ପ୍ରମାଣରେ ୟାଙ୍କୁ ନାଶ କରି ।ଘରେ ପଶିଅଛି ମୋର କେବଣ ପାପିଷ୍ଠନିଶ୍ଚେ କହୁଛି କରିବି ତାର ମୁଣ୍ଡ କାଟ ।ଦେଖିବା କେବଣ ବାପ ରକ୍ଷା କରେ ଆସିହାଡ଼ ରକତ ସହିତେ ମାଂସ ଦେବି ପେଷି ।ପଳାଇଯିବାକୁ ପୁଣି ନାହିଁ କାହିଁ ଦ୍ୱାରଜାଣିବା କିରୂପେ ପୁରୁଁ ହୋଇବ ବାହାର ।ପିତା ମାତାଙ୍କୁ କ୍ରୋଧରେ ଡକାଇ ଆଣିଲାଆଖି ରଙ୍ଗ ରଙ୍ଗ କରି ଏରୂପେ ବୋଇଲା ।ଦେଖ ଦେଖ ଝିଅ ବୋହୂ ଦୁହିଙ୍କର ଗୁଣଶୋଇଛନ୍ତି ଖଟେ ପରପୁରୁଷ ସଙ୍ଗେଣ ।ରକତ ମାଂସ ଦେହେ କି ଏହା ହୋଏ ସହିବେଳ ପ୍ରହରେ ହେଲାଣି ନିଦ ଭାଙ୍ଗୁନାହିଁ ।ପ୍ରତ୍ୟହ କରନ୍ତି ଏହିରୂପେ ଅନାଚାରତୁମ୍ଭେ ତ କେହି ନ ଜାଣ ଏହି ସମାଚାର ।ସନ୍ଧ୍ୟାରେ ମୁଁ ଗୋଷ୍ଠେଯାଏ ସକାଳରେ ଆସେକେବଳ ଭୁଞ୍ଜିବା ପାଇଁ ଘରେ ଦଣ୍ଡେ ପଶେ ।ଯେବଣ ଦିନ ଗୋଷ୍ଠକୁ ଅଳସେ ନ ଯାଇଛନ୍ଦିଣ ବନ୍ଧଣି ଦିଏଁ ମଣ୍ଡପରେ ଶୋଇ ।ତୁମ୍ଭେ ଘରେ ଥାଅ କିପାଁ ନ କର ଆକଟଦେଖୁ ଦେଖୁ ଝିଅ ବୋହୁ ଗଲେ ମନ୍ଦବାଟ ।କୁଳକୁ କଳଙ୍କ କଥା ଶୁଣିବାକୁ ଲଜ୍ଜାନିଶ୍ଚୟ ରାଧାକୁ ମୁହିଁ କରିବଇଁ ତ୍ୟଜ୍ୟା ।ଏତେ ବୋଲି ପୁଣି ତାକୁ ହାଙ୍କି ଦିଏ ଡାକଏ କଥା ଶୁଣି ମିଳିଲେ ଆସି ବହୁଲୋକ ।ଚନ୍ଦ୍ରସେଣା ବସିଅଛି ଏରୁଣ୍ଡି ବନ୍ଧରେଆକର୍ଷଣ କେନ୍ଦୁ ବାଡ଼ି ପିଟଇ ଭୂମିରେ ।ଜଳା କବାଟରେ ତହୁଁ ସର୍ବେ ଅନାଇଲେତିନିଜଣ ଏକତ୍ରରେ ଶୋଇବା ଦେଖିଲେ ।ନଣନ୍ଦ ଭାଉଜ ବେନି ଛନ୍ତି ଦୁଇପାଶମଧ୍ୟରେ ଶୋଇଅଛନ୍ତି ପ୍ରଭୁ ପୀତବାସ ।ନିଶ୍ଚିନ୍ତରେ ପଲ୍ୟଙ୍କରେ ଶୋଇଛନ୍ତି ତିନିଏହା ଦେଖିଲେ ଗୋପାଳ ସବୁ ଗୋପାଳୁଣୀ ।କବାଟ ଭାଙ୍ଗ ବୋଲିଣ ବୋଇଲେ ଗୋପାଳେକେ ବୋଲେ ପେଚା ବସିଲା ଏହାଙ୍କ କପାଳେ ।କେ ବୋଲଇ ମନୁଷ୍ୟ କି ନୋହେ ଚିହ୍ନି ଆସଆଜି ନେଇ ଦେବା ୟାକୁ କଂସରାଜା ପାଶ ।କେ ବୋଲେ ଦାରାବୈରୀକି ରଖି ନ ଯୋଗାଇକେ ବୋଲେ କେହ୍ନେ ପଶିଲାକ ବାଟକୁ ଫେଇ ।ଏମନ୍ତ କହି ସକଳେ ଚାହିଁ ଜଳା କତିନୀଳେନ୍ଦ୍ରି ଦଳ ପରାୟେ ଦିଶେ ପ୍ରଭୁ କାନ୍ତି ।ଜାଜ୍ୱଲମାନ ଶରୀର ଦିଶେ ଅତି ସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ପାତାଳୁ ଯେ ମଞ୍ଚ ।ଦେବାଧିଦେବ ଅଟନ୍ତି ଯେଉଁ ନରହରିକୋଟିଏ ରୂପ ଯାହାକୁ ନୁହେ ସମସରି ।ଜଗମୋହନ ରୂପକୁ ଧରି ପୀତବାସସୁକୁମାର ସୁନ୍ଦର ଯେ ନବୀନ ବୟସ ।ନିର୍ମଳକାଶେ ଯେସନେ ଉଦେ ଚନ୍ଦ୍ରକାନ୍ତିତେସନ ରୂପରେ ପ୍ରଭୁ ଖଟେ ପହୁଡ଼ନ୍ତି ।ଦେଖି ପୁରଜନମାନେ ଚମତ୍କାର ହେଲେକାହିଁର ମନୁଷ୍ୟ ବୋଲି ଚିହ୍ନି ନ ପାରିଲେ ।କେ ବୋଲଇ ଏ ପୁରୁଷ ନୁହଇ ତ ଚିହ୍ନିଏଡ଼େ ବଡ଼ ଭରସା ତ ଭୟ ନାହିଁ ଶୁଣି ।କେ ବୋଲଇ ପରଘରବୁଡ଼ା ଏ ପାମରଏ କଥା କହିବା ଚାଲ କଂସର ଆଗର ।କେ ବୋଲେ କବାଟଭାଙ୍ଗି ମୋ ଛାମୁକୁ ଆଣକିଳା ବାଡ଼ି ପିଟି ତାର ଘେନିବି ପରାଣ ।ଏସନକ ଗୋଳ ଯହୁଁ କଲେ ଗୋପବୃନ୍ଦହୃଦୟ ମଧ୍ୟରେ ତାହା ଜାଣିଲେ ଗୋବିନ୍ଦ ।ରାଧା ପଲ୍ୟଙ୍କ ଉପରେ ଥିଲେ ନିଦ୍ରା ଯାଇସକଳ ବୃତାନ୍ତ ପ୍ରଭୁ ଜାଣିଲେ ଚିଆଇଁ ।ଶୁକ ମୁନି ବୋଇଲେକ ଶୁଣ ଦଣ୍ଡଧାରିବିଷ୍ଣୁର ଏ ରାସଲୀଳା କେହୁ କହିପାରି ।ଭାଜିଗଲା ନିଦ୍ରା ଯହୁଁ ଜାଗିଲେ ମାଧୋଇଅଚେତନେ ଚନ୍ଦ୍ରାବଳୀ ଖଟେ ଅଛି ଶୋଇ ।ନଣନ୍ଦ ଶୋଇଛି ମଧ୍ୟ ନିଶ୍ଚେଷ୍ଟ ଭାବରେଜଣା ନାହିଁ କିଛି କଥା ଶ୍ରୀହରି ମାୟାରେ ।ସମସ୍ତ ଗୋପାଳମାନେ କରୁଛନ୍ତି ଗୋଳଏ କଥା ନୟନେ ଦେଖି ଦେବକୀ ଦୁଲାଳ ।ଜନରଞ୍ଜନ ନିମନ୍ତେ ହରି କଲେ ମାୟାସେହି ପଲ୍ୟଙ୍କେ ଧଇଲେ ବାଳୁତର କାୟା ।ବାହେ ବାନ୍ଧେଣି ତାଳୁରେ ଶୋହେ ଦିବ୍ୟଚୂଳକଣ୍ଠତଟେ ବାଘନଖ ହରିଡ଼ାର ମାଳ ।କଟୀରେ ରତ୍ନ ମୁକୁତା ଭୁଜରେ କଙ୍କଣବେନିପୟରେ ନୂପୁର ବାଜେ ରୁଣୁଝୁଣୁ ।ନାସାରେ ମୁକୁତା ଗୁଣା ତହିଁ ଗଜମୋତିନିର୍ମଳ ଆକାଶେ ଯେହ୍ନେ ଦିଶେ ଚନ୍ଦ୍ରକାନ୍ତି ।ନୀଳେନ୍ଦ୍ରିଦଳ ପରାୟ ଶରୀର ଶୋଭନକୁନ୍ଦିଲା ମର୍କତ ପ୍ରାୟେ ଦିଶଇ ବଦନ ।ଏସନକ ସ୍ୱରୂପରେ ବାଳରୂପଧରିରାଧିକା ଖଟ ଉପରେ ବିଜୟେ ଶ୍ରୀହରି ।କଞ୍ଚି ଘେନି ଚନ୍ଦ୍ରସେଣା କବାଟକୁ ଫେଡ଼ିପଶିଗଲେ ଗଉଡ଼ ଯେ ହୋଇ ଧାଡ଼ି ଧାଡ଼ି ।ଚନ୍ଦ୍ରସେଣା କେନ୍ଦୁବାଡ଼ି ଧରିଅଛି କରେତିନିଙ୍କି ଏକାବେଳେ ପିଟିବ ବିଚାରେ ।ଏକଦୃଷ୍ଟିରେ ସେ ରୂପ ଦ୍ୟନ୍ତେ ସେହି ଚାହିଁଦେଖିଲା ବାଳମୁକୁନ୍ଦ ଜଗତ ଗୋସାଇଁ ।ଭଉଣୀ ଭାରିଯା ଦୁହେଁ ଛନ୍ତି ବେନିଆଡ଼େନିର୍ଭରେ କଳାକାହ୍ନୁ ତା ମଧ୍ୟେ ପହୁଡ଼େ ।ଦେଖିକରି ଚନ୍ଦ୍ରସେଣା ହୋଇଲା ସ୍ତବଧନ ଜାଣିଣ ଏହିକ୍ଷଣି କରୁଥିଲି ଦ୍ୱନ୍ଦ୍ୱ ।ଭାବିଲା ଏ କେଉଁ ମାୟା ଜାଣି ନ ପାରିଲିଉଞ୍ଚାଇଥିଲି ଲଉଡ଼ି ଭଲା ନ ମାଇଲି ।ନ ଜାଣି ବାଳକହତ୍ୟା ପାପ ଅର୍ଜ୍ଜୁଥିଲିଭୂଇଁ କର୍ଣ୍ଣ ଛୁଇଁ ମୁଖେ ହରି ହରି ବୋଲି ।କ୍ରୋଧାନ୍ଧରେ ବାଳହତ୍ୟା କରୁଥିଲି ଆଜକଅଁଳା ପୁଅ ସହନ୍ତା କାହୁଁ ଲୌଡ଼ି ତେଜ ।ଯେବଣ ଲଉଡ଼ି ବାଜି ବୃକ୍ଷେ ହୋନ୍ତି ଚୂନାକାହୁଁ ତା ସହି ପାରନ୍ତା ମୋହର ଅଙ୍ଗନା ।ବାଳହତ୍ୟା ସ୍ତିରୀହତ୍ୟା କରିଥାନ୍ତି ଆଜପରଲୋକେ ନର୍କଗତି ଇହଲୋକେ ଲାଜ ।କରମ ସୁଭାଗ୍ୟ ମୋର ଅଟଇ ତ ଭଲାଦଇବ ମୋତେ ତ ଆସି ସପକ୍ଷ ହୋଇଲା ।ମୁଁ ଅବା କାହାର ମୁଖ ଚାହିନ୍ତି ଲୋକିତେନଗ୍ର ନରନାରୀ କିସ ବୋଲିଥାନ୍ତେ ମୋତେ ।ବୋଲନ୍ତେ ବାତୁଳ ପ୍ରାୟ ହେଲା ଜ୍ଞାନଧ୍ୱଂସବାହାର କରି ଦିଅନ୍ତା ରାଜ୍ୟୁ ମୋତେ କଂସ ।ଯେତେ ଲୋକ ଆସିଥିଲେ ଦେଖିବାର ପାଇଁବାଳକ ମୂରତି ସେହୁ ନୟନରେ ଚାହିଁ ।ଉପହାସ କରି ଚନ୍ଦ୍ରସେଣାକୁ ବୋଇଲେୟାପରି ପାଗଳ ଲୋକ ନାହିଁ ଭୂମଣ୍ଡଳେ ।କେ ବୋଲେ କାଲି ଗଞ୍ଜାଇ ଏହି ଖାଇଥିଲାବାସି ନିଶା ଝୁଙ୍କ ଆଜି ମୁଣ୍ଡକୁ ଉଠିଲା ।କେ ବୋଲେ ଏହାକୁ କଲା ନିଶ୍ଚେ ପିତ୍ତବ୍ୟାଧିକେବଣ ଦଇବ ଦେଲା ୟାକୁ ଏହି ବୁଦ୍ଧି ।କେବୋଲେ ପାଗଳନିଶ୍ଚେଁ ହୋଇଲାଟି ସେହିକେ ବୋଲେ ଭୂତଲାଗିଛି ଗୋଷ୍ଠେଥିଲା ଯାଇ ।ଏହିରୂପେ ଉପହାସ କରିଲେ ଗୋପାଳେମିଛ କଥା ବୋଲିକରି ମଣିଲେ ସକଳେ ।ରାଧିକା କାତର ହୋଇ ଆଖି ମଳି ପୁଣିକୃଷ୍ଣଙ୍କୁ ଚାପୋଡ଼େ ମାରି ବୋଲଇ ତରୁଣୀ ।ଯଶୋଦା ନଗରେ ଯାଇଥିଲି ଆଜି ମୁହିଁଧାଈଗଣ ସହିତରେ ସୁଖେ ନିଦ୍ରା ଯାଇ ।ପରିହାସେ କୃଷ୍ଣଙ୍କୁ ମୁଁ ଆଣିଲି ଚୋରାଇପ୍ରବେଶମାତ୍ରକେ ମାଗେ ଖାଇବାର ପାଇଁ ।ଛେନା ଗୋଟିକା ଲବଣୀ ଦୁଧ ଯେ ଶାକରସମସ୍ତ ଭୁଞ୍ଜାଇ ଆଣି ଶୁଆଏଁ କୋଡ଼ର ।ଗନ୍ଧ ଚନ୍ଦନ କୁଙ୍କୁମ ଶରୀରେ ଘଷିତେଣୁକରି କୃଷ୍ଣ ଅଙ୍ଗ ଶୋଭା ଅତି ଦିଶି ।ଏସନକ ସମାଚାର ଦେଖିଲ ପ୍ରତ୍ୟକ୍ଷମନକୁ ନ ଗଲେ ପ୍ରତେ ଭଉଣୀକୁ ପୁଚ୍ଛ ।କାହିଁକି ବୃଥାରେ ଘରେ କର ଏଡ଼େ ଗୋଳକୃଷ୍ଣଙ୍କୁ ସମର୍ପ ନେଇ ଯଶୋଦାର କୋଳ ।ତହୁଁ ସେହି ଚନ୍ଦ୍ରସେଣା କାଖରେ ବସାଇଯଶୋଦାଙ୍କ ନିକଟରେ ପ୍ରବେଶିଲା ଯାଇ ।ଭଉଣୀକି ଦେଖିକରି କଲା ନମସ୍କାରପୁଣ ପୁଣ ଚରଣରେ ପଡ଼େ ଶତେବାର ।ଯଶୋଦା କଲ୍ୟାଣ କଲେ ସେ ଚନ୍ଦ୍ରସେଣାକୁପରମାୟୁ ବୃଦ୍ଧି ହେଉ ତୋ କାଳକାଳକୁ ।ଚନ୍ଦ୍ରସେଣା ବୋଲେ ତୁମ୍ଭେ ନିଦ୍ରା ଯାଇଥିଲରାଧିକା କୃଷ୍ଣଙ୍କୁ ନେଲା କେହି ନ ଜାଣିଲ ।ଯଶୋଦା ବୋଇଲେ ତୁହୋ ଶୁଣ ମୋର ବାଣୀରମକୃଷ୍ଣ ବେନି ମୋର ନୟନର ମଣି ।ଅନେକ ପୁଣ୍ୟରେ ମୁହିଁ ୟାଙ୍କୁ ପାଇଅଛିଦଣ୍ଡେ ଘଡ଼ିଏ ପ୍ରହରେ ନ ପାରଇ ମୂର୍ଚ୍ଛି ।ଦଣ୍ଡେ ଅନ୍ତର ହୋଇଲେ ଯୁଗର ସମାନଅନ୍ଧର ଲଉଡ଼ି ମୋର ଦରିଦ୍ରର ଧନ ।ତୁ କିସ ନ ଜାଣୁ ବାବୁ କହିବି ବା କେତେବୃଦ୍ଧକାଳେ ଧାତା ଆଣି ୟାଙ୍କୁ ଦେଲା ମୋତେ ।କେତେ କେତେ ଅରିଷ୍ଟରୁ ତରି ନାହିଁ ଅବାତୁ ତ ସବୁ ଜାଣୁ ତୋତେ ବେଶି କି କହିବା ।ରିପୁ ରାଜା ଦେବ ଆଉଦୈତ୍ୟ ଉପଦ୍ରବଦଇବ ବଳରୁ ଏହା ପାର ଯାଇ ସର୍ବ ।ତୁ ମୋର ଭାଇ ଭାଉଜ ଅଟେ ଚନ୍ଦ୍ରାବଳୀଆହାଲ୍ଲାଦ ମୋହଠାରୁ ତୁମ୍ଭର ଉଗୁଳି ।ସେ ଯଦ୍ୟପି ନେଇଥିଲା ଦୁର୍ଲ୍ଲଭ ଏ କଥାତୁହି ନ ଆସୁଣୁ ମୁହିଁ ପାଇଥିଲି ବାର୍ତ୍ତା ।ଏସନକ ବୋଲିଣ ସେ ନନ୍ଦରାଜା ରାଣୀଆପଣାର କୋଳେ ପୁତ୍ର ଧରେ ବେଗେ ଆଣି ।ମୁଖରେ ଚୁମ୍ୱନ ଦେଇ ଆଶ୍ୱାସଇ କାୟେଅଧରେ ସ୍ତନ୍ୟ ପିଆଏ କୋଳେ ଧରି ମାଏ ।କେତେହେଁକ ବେଳ କୃଷ୍ଣ ହୋଇଲେକ ଶାନ୍ତିବେନି ନୟନକୁ ଆସି ଘାରେ ନିଦ୍ରାବତୀ ।ଗନ୍ଧ ଚନ୍ଦନ ଶ୍ରୀଅଙ୍ଗ ଯାକେ ବୋଳିଦେଇପଲ୍ୟଙ୍କ ଉପରେ ମାଏ ଶୁଆଇଲେ ନେଇ ।ନନ୍ଦର ଭୁବନେ ବିଜେ ଦେବ ଦେବ ସ୍ୱାମୀନିଶ୍ଚିନ୍ତରେ ନିଦ୍ରାଗଲେ ପ୍ରଭୁ ଅନ୍ତର୍ଯ୍ୟାମୀ ।ତହିଁ ସନ୍ନିଧିରେ ବଳରାମ ଶୋଇଥିଲେରଜନୀର ଅବଶେଷେ ଉଠିଣ ବସିଲେ ।ଗଜପଲ୍ୟଙ୍କେ ଯେ ମାଏ ଶୁଆଇଲେ ନେଇନନ୍ଦ ବାରସ୍ୱତୀପୁରେ ବିଜେ ଭାବଗ୍ରାହୀ ।ବାଳୁତଙ୍କ ବେଭାରେ ସାରିଲେ ଅବକାଶଧାଈ ମୁଦୁସୁଲୀମାନେ ହୁଅନ୍ତି ହରଷ ।ଛେନା ଯେ ଗୋଗିକା ସର ଅଧାମ ଲବଣୀସମ୍ପୂର୍ଣ୍ଣ ଭୋଜନ ଯେ ସାରିଲେ ହଳପାଣି ।ଭୋଜନର ଉତ୍ତାରେ ଯେ ଆଚମନ ସାରିସମସ୍ତ ନାରୀଏ ଯେ ଅଛନ୍ତି ସେବାକରି ।ଜାଣି ନ ପାରିଲେ ତାହା ଗୋପନରନାରୀଯଶୋଦା ପୁଅ ବୋଲିଣ ଛନ୍ତି ମନେ ଧରି ।କାହାକୁ ଗୋଚର ନୁହେ ପ୍ରଭୁଙ୍କର ମାୟାଛଦ୍ରମେ ଧରି ଅଛନ୍ତି ବାଳୁତର କାୟା ।ପୃଥ୍ୱୀଭାରାଭର ପ୍ରଭୁ ଉଦ୍ଧାରିବା ପାଇଁଦ୍ୱାପରରେ ଅବତାର ନରଦେହ ବହି ।ଦେବକୀ ଗର୍ଭରୁ ଜାତ ବସୁଦେବ ସୁତଉଗ୍ରସେନ ରାଜା ଜାଣେ ଏହି କଥା ମାତ୍ର ।ଯୋଗବଳରେ ଜାଣନ୍ତି ଗାର୍ଗ୍ୟ ମହାମୁନିଆଉ କେହି ନ ଜାଣନ୍ତି ସେହି କଥା ପୁଣି ।ବନ୍ଦିରେ ଥାଇ ଦେବକୀ ପୁତ୍ର ଜାତ କଲେଫୁଲ ପଡ଼ିବା କାଳରେ ଅଚେତ ହୋଇଲେ ।ଯଶୋଦା ଏଣେ ବିଜୁଳି କନ୍ୟା କଲେ ଜାତସେ ମଧ୍ୟ ପ୍ରସବ କରି ହେଲେ ମୋହଗତ ।ଦେବଦୂତ ବଚନରେ ବସୁଦେବ ନେଲାଅର୍ଦ୍ଧନିଃଶ୍ୱାସ ମାତ୍ରକେ ପାଲଟି ଆଣିଲା ।ଯଶୋଦାଙ୍କ ଫୁଲ ତହିଁ ପଡ଼ିଲା ମହୀରେବିଜୁଳି କନ୍ୟକୁ କଂସ ମାଇଲା ଶିଳାରେ ।ଏମନ୍ତ ପ୍ରକାର ଅଟେ ବିଧାତାର କୂଟଜାଣି ନ ପାରନ୍ତି କେହି ସେ ଛନ୍ଦ କପଟ ।ଗୋପନରେ ଅଛନ୍ତି ଯେତେକ ନରନାରୀନୟନେ ଦେଖନ୍ତି ମାତ୍ର ଚିହ୍ନି ଯେ ନ ପାରି ।ଧନ୍ୟ ସେ ଯଶୋଦା ଦେବୀ କେଉଁ ତପ କଲେପରମାନନ୍ଦ ପୁରୁଷ କୋଳରେ ଧଇଲେ ।ଯେଉଁ ପଦ୍ମପାଦ ଲାଗି ହନୁ ଅଜ୍ରାମରଯେବଣ ପାଦଧୂଳିରେ ଶ୍ରୀମନ୍ତ କୁବେର ।ଯେଉଁ ପାଦଧୂଳି ଲାଗି ଲକ୍ଷ୍ମୀ ଜଗଜ୍ଜିତାଯେ ପାଦ ଲାଗି ମୁକତ ଗୋତମ ବନିତା ।ଯେ ପାଦପଦ୍ମରେ ବଳି ପାତାଳକୁ ଗଲାଯେ ପାଦ ଲାଗିଲା ବିହି ଧାତା ବୋଲାଇଲା ।ଯେ ପାଦପଦ୍ମ ସେବିଣ ସୁଗ୍ରୀ ହେଲା ରାଜାଯେଉଁ ପାଦପଦ୍ମ ହେତୁ ହନୁ ଉଗ୍ରତେଜା ।ଯେ ପାଦପଦ୍ମରେ ଲୟ ଲଗାଇ କୁକ୍କୁଟମଥାରେ ବହିଛି ଦେଖ ଅପୂର୍ବ ମୁକୁଟ ।ଯେବଣ ପଦ୍ମପାଦରେ କିଞ୍ଚିତ ପ୍ରକାରଲୁଚିଗଲା ସପ୍ତଦ୍ୱୀପ ସପତ ସାଗର ।ଯେଉଁ ପାଦପଦ୍ମ ମରଦିଲା କାଳୀନାଗଯେ ପାଦପଦ୍ମ ଲାଗିଛି ଦିବି ଭୁବି ସ୍ୱର୍ଗ ।ଯୋଗୀଜନେ ଯେ ପାଦକୁ କରିଛନ୍ତି ଲୟେଯେଉଁ ପଦ୍ମପାଦ କୋଣୁ ଗଙ୍ଗାଝର ବହେ ।ଅଷ୍ଟାଙ୍ଗ ଯୋଗୀ ଯେ ଚୌରାଅଶୀ ଖଣ୍ଡଜ୍ଞାନଯେବଣ ପାଦପଦ୍ମକୁ କ୍ଷରିଛି ଏମାନ ।ଯେବଣ ପାଦପଦ୍ମକୁ ଶିବ ଧରି ଶିରେଗୋହତ୍ୟା ମହାପାତକ ନାଶି ଅକ୍ଳେଶରେ ।ଜପ ତପ ପ୍ରଣବ ଯେ ଧ୍ୟାନ ଧାରଣାଦିଯେବଣ ପାଦପଦ୍ମରୁ ଏମାନ ସମ୍ପାଦି ।ସାଯୁଜ୍ୟ ମୁକତି ନିର୍ବାଣ ମୁକତିଯେବଣ ପଦପଦ୍ମରୁ ସମ୍ଭବି ଅଛନ୍ତି ।କାଳାନ୍ତକ ଯୁଗାନ୍ତକ ଯେ ପ୍ରଳାୟାନ୍ତକଯେବଣ ପାଦପଦ୍ମରୁ ଝରିଛି ଏତେକ ।ଭଗବନ୍ତ ସନାତନ ଆଉ ଯୋଗଧାରୀଏକଦଣ୍ଡୀ ତ୍ରିଦଣ୍ଡୀ ଯେ ନିତ୍ୟ ବ୍ରତାଚାରୀ ।ପରଂହଂସ ଦୀକ୍ଷା ଯାର ନାସ୍ତିକ ଯେ ମୁନିବଡ଼ ବୈଷ୍ଣବ ସାବିତ୍ରୀ ଦୀକ୍ଷାକୁ ଯେ ଘେନି ।ମନ ପବନ ସଂଯମୀ ଯେହୁ ଊର୍ଦ୍ଧ୍ୱରେତାଏମାନେ ଯେଉଁ ପାଦକୁ କରୁଥାନ୍ତି ଚିନ୍ତା ।ସେ ସ୍ୱାମୀ ପରମାନନ୍ଦ ନରଦେହ ବହିଛଦ୍ରମେ ବାଳୁତ ରୂପ ଜଗତ ଗୋସାଇଁ ।ଅନାଥ ଲୋକର ବନ୍ଧୁ କରୁଣାସାଗରଗୋପପୁରେ ବୋଲାଇଲେ ନନ୍ଦର କୁମର ।ଧନ୍ୟ ଯେ ଗୋପନଗର ନର ନାରୀ ଯେତେବିଷ୍ଣୁଙ୍କ ରୂପ ଦେଖିଲେ ସଦା ଚର୍ମନେତ୍ରେ ।କୃଷ୍ଣଙ୍କ ସଙ୍ଗେ କ୍ରୀଡ଼ନ୍ତି ନାନ ରସରଙ୍ଗେଅଣାକାର ପୁରୁଷକୁ ଲଭିଲେ ସୁଯୋଗେ ।ସ୍ତନ ଦୁହିଁଣ ଗୋପୀଏ ମୁଖେ କ୍ଷୀର ଦ୍ୟନ୍ତିଖଟ ଦୋଳିରେ ଶୁଆଇ ଗୀତ ସେ ଗାବନ୍ତି ।ମୁଖ ଦେଖି ଗୋପୀଙ୍କର କୋଟି ଦୁଃଖଯାଏସର୍ବଗୁଣେ ପରିପୂର୍ଣ୍ଣ ପ୍ରଭୁ ଦେବରାୟେ ।ନିରାକାର ନିରଞ୍ଜନ ଦେବ ଠୁଳ ଶୂନ୍ୟଅବ୍ୟକ୍ତ ଅନନ୍ତ ଦେବ ଦେବ ଭଗବାନ ।ସେ ଦେବଙ୍କ ପଦ୍ମପାଦେ ନିତ୍ୟ ମୋର ସେବାଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।ଇତି ଶ୍ରୀ ଦଶମସ୍କନ୍ଧ ପୁରାଣର ବାଣୀରାଧାମାଧବ ସମ୍ୱାଦ ଅପୂର୍ବ କାହାଣୀ ।