ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୩ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଯଶୋଦା ନିକଟରେ ଗୋପୀମାନଙ୍କର ଗୁହାରି ଓ ଅନ୍ଧ-ଦ୍ୱିଜର ଚକ୍ଷୁ ପ୍ରାପ୍ତି
ଏଥୁଅନ୍ତରେ ପରୀକ୍ଷ ନାମେ ମହୀପତିଶୁକମୁନି ଚରଣରେ କରି ଦିବ୍ୟଭକ୍ତି ।କରଯୋଡ଼ି ପୁଚ୍ଛାକରେ ବିନୟ ଭାବରେକିସ କଥା କଲେ ପ୍ରଭୁ ଏଥୁ ଅନନ୍ତରେ ।ତାହା ମୋତେ ସଂକ୍ଷେପିଣ କୁହ ତପୋଧନତବ ମୁଖୁଁ ଶୁଣି ତୃପ୍ତହେଉ ମୋ ପରାଣ ।ବଦୟନ୍ତି ଶୁକଋଷି ଶୁଣ ପରୀକ୍ଷିତଶ୍ରୀକୃଷ୍ଣଙ୍କ ବାଳଲୀଳା ଅପୂର୍ବ ଚରିତ ।ଦିନେ ଗୋପାଳ ପୁଅଙ୍କୁ ଘେନି ବନମାଳୀଖେଳ ଖେଳନ୍ତି ଦାଣ୍ଡରେ ହୋଇ କୁତୁହଳୀ ।କଅଁଳା ପୁଅ ସମସ୍ତେ ବାଳୁତର ମତିସମସ୍ତେ ଏକ ବୟସ ସର୍ବେ ଏକଜାତି ।ଶ୍ରୀକୃଷ୍ଣଙ୍କ ଆହାଲାଦେ କିଛି ନାହିଁ ଚିନ୍ତାଏକକୁ ଆରେକ ସର୍ବେ ବଳେ ବଳବନ୍ତା ।କିଏ କାହାକୁ ଛାଟେକ ଘେନିଣ ପିଟଇକିଏ କାହାକୁ ବସନ ଧରିଣ ଚିରଇ ।କିଏ ଧୂଳି ପକାଏ କେ କେଶ ଧରି ଝିଙ୍କେକିଏ କାହାର ଗାଲରେ ମାରିଦିଏ ମୁଥେ ।କିଏ ମିଛେ ମିଛେ ଧୁଳିଘର ବସି କରେକିଏ ସେହି ଘରଗୋଟି ଭାଙ୍ଗଇ ଗେଲରେ ।କିଏ ଧୂଳିଭାତ କରି ଧୂଳିର ତିଉଣକିଏ ଡାକଦିଏ ଆସ ଖାଇବ ମୋହନ ।ଏରୂପେ ଖେଳ ଖେଳନ୍ତି ପ୍ରଭୁ ଦଇତ୍ୟାରିଏଣେ ମେଳି ହୋଇକରି ସର୍ବ ଗୋପନାରୀ ।ଯଶୋଦା ପାଶରେ ମିଳି ବୋଲନ୍ତି ଏମନ୍ତତୁମ୍ଭେ ପୁତ୍ରପାଇଁ ଆମ୍ଭେ ହେଲୁ ହନ୍ତସନ୍ତ ।କିଏ ବୋଲଇ ଗୋ ରାଣୀ କି କହିବୁ ତୋତେତୁମ୍ଭ ପୁତ୍ରପରି ଦୃଷ୍ଟ ନାହିଁ ତ୍ରିଜଗତେ ।କାହାକୁ ମାରିଣ ଚିରି-ପକାଏ କା ବାସକାହା ବାଛୁରୀ ଫିଟାଇ ଦୁଧ କରେ ନାଶ ।ପିଢ଼ା କଣାକରି ସବୁ ଖାଏ ଦୁଧ ଦହିକାହାର ଦୁଧ ଆଟିକା ବାଡ଼ିରେ ଭାଙ୍ଗଇ ।କହିଲେ ସେ ଅନୁଚିତ ବାକ୍ୟମାନ ଭାଷେପାଣିଭାଣ୍ଡେ କୁଳୁକୁଞ୍ଚା ପକାଏ ସେ ରୋଷେ ।କାହାର ଭାତହାଣ୍ଡିରେ ମାଟିନେଇ ଭରେକାହାର ଧାନ ଚାଉଳ ବୁଣଇ ଦାଣ୍ଡରେ ।ଏକା ଜଣକୁ ଆମ୍ଭେ ତ ସର୍ବେ କଲୁ ଭୟେତୁମ୍ଭର ଡରେ କିଛି ନ ବୋଲୁ ଆଗୋ ମାୟେ ।କଅଁଳାପୁଅ ହୋଇଣ ଏଡ଼େ ଦୁଷ୍ଟମତିପୁଅଙ୍କ ଭିତରେ ସେ ତ ଖଣ୍ଡେ ବିଛୁଆତି ।ଚାଲିଗଲା ଶଗଡ଼ରେ ପୂରାଏ ସେ ହାତମଛି କୁହନାହୁଁ ଏହା ପଚାରି ବୁଝତ ।ଯେବେ ଆକଟ ତାହାକୁ ନ କରିବ ମାୟେଗୋପନଗ୍ର ଛାଡ଼ିଯିବୁ କହୁଛୁ ସଭିଏଁ ।ଅତିଶୟ ଅନୀତି ତ କଲା ଦିନୁଦିନଏବେ ତୁମ୍ଭ ପୁତ୍ରକୁ ଗୋ ତିଆର ବହନ ।କିଏ ହୋଇବ ଜେଠେଈ କିଏ ସେ ଖୁଡ଼େଈକିଏ ମାଉସୀ ପିଉସୀ ନାନୀ କେ ଅଟଇ ।ଅସଙ୍ଗତ କଥାମାନ କହେ ଥଟ୍ଟାକରିଜାତି ମହତ ସକଳ ସାରିଲା ଆମ୍ଭରି ।ଏତେ କହି ଗୋପୀମାନେ ହୋଇଲକେ ତୁନିରାଗେ ଜର ଜର ହେଲା ଶୁଣି ନନ୍ଦରାଣୀ ।ଛାଟେକ ଧରି ବୋଇଲା ଏତେ ତା ଦିମାକଘରେ ପୂରାଏ ଆଣିଣ ଦାଣ୍ଡ କଳିଯାକ ।କେତେ ବୋଲଣା ଶୁଣାଏ ହୋଇଣ ଛେଉଣ୍ଡାମାଡ଼ମାରି ଆଜି ତାରି ଭାଙ୍ଗିଦେବି ଦଣ୍ଡା ।ମାନିତା ନାରୀଙ୍କୁ ବୋଲେ ଅନୀତି ବଚନଜାଣୁ ଜାଣୁ କ୍ଷୟ କରାଉଛି ଆୟୁମାନ ।ତାର ଯୋଗେ ଏତେ ସିନା ସହୁଅଛି ମୁହିଁଜାଣିଲି ସେ ବିଟାଳିଆ ଅଟଇ କହ୍ନାଇ ।ଏତେ ଭାଳି ଯଶୋଦା ଯେ ରାଗେ ତମ ତମସେ କଥାମାନ ଜାଣିଲେ ଶ୍ରୀପୁରୁଷୋତ୍ତମ ।ଛାର ଗଉଡ଼ୁଣୀମାନେ ମିଛ ସତ କହିମାତାଙ୍କ ହୃଦରେ କ୍ରୋଧ ଅଛନ୍ତି ଜନ୍ମାଇ ।ଏତେ ବୋଲି ଗୋପୀନାଥ କାନ୍ଦ କାନ୍ଦ ହୋଇମାତା ନିକଟେ ମିଳିଲେ ଜଗତଗୋସାଇଁ ।ରାଜୀବନୟନୁ ଅଶ୍ରୁଜଳ ପଡ଼େ ଗଳିମାତା ମାତା ବୋଲିଣ ସେ ଛାଡ଼ିନ୍ତି ବୋବାଳି ।ନୀଳେନ୍ଦୀଦଳ ପରାୟେ କଳେବର ଗୋଟିତ୍ରିପଣ୍ଡ ଧୂଳିରେ ମଣ୍ଡି ଭୂମିପରେ ଲୋଟି ।କାନ ନାକୁ ଝାଳ ଗଳିପଡ଼େ ବକ୍ଷସ୍ଥଳେବେଣୀଗୋଟି ଫିଟିଯାଇ ଲୋଟୁଅଛି ତଳେ ।ହାତରେ ପାଦରେ ପୁଣି ନାହିଁ ସୁନାବଳାଚନ୍ଦ୍ରମା ବଦନ ଗୋଟି ଦିଶୁଅଛି କଳା ।କଣ୍ଠେ ନାହିଁ ବାଘନଖ ଆଉ ସୁନାମାଳିଏମନ୍ତ ବେଶେ ମିଳିଲେ ଦେବ ବନମାଳୀ ।ଚକ୍ଷୁର କଜ୍ଜ୍ୱଳ ଲାଗି ହାତ କଳା ଦିଶେରଡ଼ି ଛାଡ଼ିଣ ମିଳିଲେ ଆଶି ମାତା ପାଶେ ।ଗୋପୀଙ୍କ ବାକ୍ୟେ ଯଶୋଦା ଥିଲେ କୋପକରିପୁତ୍ରକୁ ଦେଖି ଚକିତ ହେଲେ ନନ୍ଦନାରୀ ।ଛାଟ ପକାଇ କୋଳରେ ଧଇଲେକ ତୋଳିଅଞ୍ଚଳେ ଲୁହ ପୋଛିଲେ ବାପଧନ ବୋଲି ।କାହିଁପାଇଁ କାନ୍ଦୁଅଛୁ ଆରେ ଧନମାଳିଅନ୍ଧର ଲଉଡ଼ି ମୋର ନୟନ ପିତୁଳୀ ।କାହିଁପାଇଁ କାନ୍ଦୁ ବାବୁ ଦେଇଣ କୁହାଟିକେଶବସନ ତୋହର ତଳେ ଯାଏ ଲୋଟି ।ତୋ ଆପଦ ଘେନେ ବାପ କହ ତଥ୍ୟକରିକହୁଛି ନିଶ୍ଚେଁ ଘେନିବି ଆଜ ତାର ଶିରୀ ।କୃଷ୍ଣ ବୋଇଲେ ମାତ ଗୋ ଯମୁନାର କୂଳେବତ୍ସା ରଖିଥିଲୁ ଆମ୍ଭେ ଗୋପାଳଙ୍କ ମେଳେ ।ଆମ୍ଭର ଇଚ୍ଛାରେ ଆମ୍ଭେ ଖେଳୁଥିଲୁ ବନେଆମ୍ଭ ସଙ୍ଗରେ ଲାଗିଲେ ଆସି ଗୋପୀମାନେ ।ଆମ୍ଭ ତ କଅଁଳାପୁଅ ଏତ ଯୁବନାରୀଆମ୍ଭ ଏମାନଙ୍କ ସଙ୍ଗେ ହୋଇବୁ କି ସରି ।ପାଞ୍ଚଗୋଟି ଶିଶୁଆମ୍ଭେ ଖେଳୁଥିଲୁ ଏକାତୁମ୍ଭେ ତ ଦେଖୁଅଛ ଏ ଅନେକ ନାୟିକା ।ଏକତ୍ର ହୋଇଣ ସର୍ବେ ମାଇଲେକ ବେଢ଼ିଆମ୍ଭର ହସ୍ତରୁ ନଟୁ ନେଲେକ ଉଛୁଡ଼ି ।ଖଡ଼ୁ ନୋଳି କଣ୍ଠତଟୁ ହାର ବ୍ୟାଘ୍ରନଖଭୂଜର ବାନ୍ଧେଣୀ ନେଲେ ପ୍ରତ୍ୟକ୍ଷରେ ଦେଖ ।ଧୂଳିରେ ଘୋଷରାଇଣ ମାଇଲେ ବହୁତକାହାକୁ କହିବୁ ଆମ୍ଭେ ଅଟୁ ତ ବାଳୁତ ।ମୋର ବଚନରେ ଯେବେ ପ୍ରତେ ହେଉନାହିଁପ୍ରତ୍ୟକ୍ଷେ ଦେଖ ମାତ ଗୋ ଅଣ୍ଟିମାନ ଫେଇ ।ଶୁଣିଣ ଯଶୋଦା ମନେ କଲା ଗୁରୁତାପବୋଇଲା ଗୋପୀ ଅସଲୋ କେଡ଼େ ତୁମ୍ଭଦର୍ପ ।କିଲୋ ପାମରି କଅଁଳାପୁଅ ବେଢ଼ିମାରଆବର ଗୁହାରି ସର୍ବେ ଆସି ମୋତେ କର ।ହାଟ ହାଟୁଆଣୀ ତୁମ୍ଭେ ପରତଣ୍ଟି କାଟସିହାଣୀ ଚତୁରୀ ପୁଣି ଥେଣ୍ଟପରେ ଥେଣ୍ଟ ।କଅଁଳାପୁଅକୁ ମୋର ମାଇଲେ କିପାଇଁନାଟ ନଟୁମାନ ପୁଣି ନେଲ ତ ଛଡ଼ାଇ ।ଏଡ଼େ ସାହାସୀ ତୁମ୍ଭେ ଲୋ ବାଟ ବାଉରାଣୀଫାନ୍ଦକରି ବନାଇଣ କହୁଥିଲ ପୁଣି ।ଏତେ ବୋଲି ଯଶୋଦା ଯେ ତରତରେ ଗଲେସୁମେଧା ଅଣ୍ଟିରୁ ଛାଟ ନଟୁକୁ ପାଇଲେ ।ଉମା ନାମରେ କନ୍ୟାର ଫେଇଲେ ଅଞ୍ଚଳତା ପଣନ୍ତେ ଥିଲା ବ୍ୟାଘ୍ରନଖ କଣ୍ଠିମାଳ ।ତିଳୋତ୍ତମା ଚିତ୍ରରେଖା ଅଣ୍ଟି ଉଣ୍ଡାଳିଲେପାଦରେ ନୂପୁର ହସ୍ତ କଙ୍କଣ ପାଇଲେ ।ଦେଖିକରି ଯଶୋଦା ଯେ ଜଳିଉଠେ ରାଗେବୋଇଲା ମିଛ ଲୋ କହୁଥିଲ ମୋର ଆଗେ ।ଏକାନ୍ତ ଦେଖିଣ କିଲୋ କଲ ଏହିପରିପ୍ରତ୍ୟକ୍ଷେ ବିଚାର ଦୋଷ ହୋଇଲା କାହାରି ।କଅଁଳା ପୁଅକୁ ବୃଥା ଦିଅ ଆସି ଦୋଷଆଲୋ ପାମରି ତୁମ୍ଭଙ୍କୁ ବୋଲିବି ମୁଁ କିସ ।ଦେଖି ଗୋପାଳୁଣୀମାନେ ହୋଇଲେ ଦୁଃଖିତବିନୟେ ଧଇଲେ ଯାଇ ଯଶୋଦାର ହସ୍ତ ।ତାଙ୍କର ବିନୟ ଦେଖି ନନ୍ଦରାଣୀ ତୋଷଗୋପାଳୁଣୀମାନେ ଗଲେ ଯେ ଯାହା ଆବାସ ।ଗୋବିନ୍ଦ ବିଜୟ କଲେ ନନ୍ଦର ମନ୍ଦିରେବେନିଭାଇ ବସି ସୁଧା ମଣୋହି କରିଲେ ।ତହୁଁ ପୁଣି ଗୋପପୁଅ ସଙ୍ଗତରେ ଘେନିଖେଳିବାକୁ ବାହାରିଲେ ପ୍ରଭୁ ବେଣୁପାଣି ।ନଗର ଭିତରେ ପଶି ଥୋକେଦୂର ଗଲେମଦନରେଖା ପୁରରେ ଯାଇ ପ୍ରବେଶିଲେ ।ଦେଖିଲେ ତ ତାହାର ଯେ ଘରେ କେହି ନାହିଁନଦୀକୁ ଯାଇଛି ଘରେ କବାଟକୁ ଦେଇ ।ତୁଚ୍ଛାଘର ମଧ୍ୟେ ଯାଇ ପଶିଲେ ମୁରାରିଦେଖିଲେ ନିରୂତା ଦୁଧ ଶିକାରେ ତାହାରି ।ହାତ ନ ପାଇବ ବୋଲି ତଳେ ଥୋଇ ପିଢ଼ାଶିକାଧରି ତା ଉପରେ ହୋଇଲେକ ଛିଡ଼ା ।ବଇଁଶୀ ଅଗରେ ତାର ହାଣ୍ଡି କଣାକରିପେଟ ପୂରାଇଣ ଦୁଧ ପିଅନ୍ତି ଶ୍ରୀହରି ।ଏସନ ସମୟେ ଆସି ମିଳେ ଗୋପନାରୀଦେଖିଣ ହରି ପଳାନ୍ତି ମୁହିଁ ଲୁଚାକରି ।ଗୋବିନ୍ଦର ଏହି କୃତ୍ୟ ଜାଣିଲା ଗୁଆଳୀଚୋର ଚୋର ବୋଲି ଉଚ୍ଚେ ଛାଡ଼ିଲା ବୋବାଳି ।ଚୂଲିପଶା ଖଣ୍ଡିଆରେ ବୋଲି ଗାଳିଦିଏଅଧିକେ ହସନ୍ତି ଶୁଣି ପ୍ରଭୁ ଦେବରାୟେ ।ତହୁଁ କେତେଦୂର ଯାଇ ଖେଳିଲେ ସେ ଖେଳସଙ୍ଗତେ ଅଛନ୍ତି ଗୋପକୁମର ସକଳ ।ଶୁଣ ପରୀକ୍ଷିତ ରାଜା ବଦୟନ୍ତି ମୁନିଅସମ୍ଭବ ଅଟଇ ସେ ଭାଗବତ ବାଣୀ ।ଦଣ୍ଡକେ ପ୍ରଭୁ କରନ୍ତି କେତେ କେତେ କୃତ୍ୟଲେଖନ୍ତେ ନ ସରିବ ସେ ଗୋବିନ୍ଦ ଚରିତ ।ବେଦବ୍ୟାସ ନ ଜାଣନ୍ତି ଏଥିର ଯେ ବିଧିଧର୍ମ ଅର୍ଥ କାମ ମୋକ୍ଷ ହୁଏ ସର୍ବସିଦ୍ଧି ।ଏସନ ଖେଳ ଖେଳନ୍ତି ପ୍ରଭୁ ନାନରଙ୍ଗେଅନ୍ଧ ବ୍ରାହ୍ମଣ କୁମର ମିଳେ ଦୈବଯୋଗେ ।ଗୌରବ ନାମରେ ବିପ୍ର ଭିକ୍ଷୁକ ବ୍ରାହ୍ମଣଜନମ କାଳରୁ ଅନ୍ଧ ନାହିଁ ତା ନୟନ ।କେବଳ ଭିକ୍ଷା ମାଗିଣ ବଞ୍ଚେ ପ୍ରତିଦିନଏକେ ଅତି ବୃଦ୍ଧ ପୁଣି ଦୁଜେ ଚକ୍ଷୁହୀନ ।ହସ୍ତକା ନାମେ ବ୍ରାହ୍ମଣୀ ପତ୍ନୀ ଯେ ତାହାରିଚିତ୍ରଧ୍ୱଜ ନାମେ ପୁତ୍ର ତାର ଅବତାରି ।ପୁତ୍ରଙ୍କୁ ଘେନିଣ ଖେଳୁଛନ୍ତି ଦେବରାୟେସନ୍ନିଧ୍ୟେ ମିଳିଲା ଆସି ଅନ୍ଧର ତନୟେ ।ଗୋପାଳ ପୁଏ ବୋଇଲେ କାହାର ଏ ପୁତ୍ରଚିତ୍ରଧ୍ୱଜ ବୋଇଲା ମୁଁ ଗୌରବର ସୁତ ।ପୁତ୍ର ବୋଇଲେ କେହିତ ତୋତେ ଜାଣେନାହିଁବହନ ଆମ୍ଭ ଛାମୁରୁ ଯାଅ ଯା ପଳାଇ ।ଭଲେ ନ ଗଲେ ପାଇବୁ ତହିଁକି ଯେ ଦଣ୍ଡକହୁଁ କହୁଁ ପୁଅମାନେ ରାଗରେ ପ୍ରଚଣ୍ଡ ।ଶୁଣିଣ ସେ ଚିତ୍ରଧ୍ୱଜ ହେଲା ବିକରାଳିବୋଇଲା ଗଉଡ଼େ ମୋତେ କିପାଁ ଦିଅଗାଳି ।ମୁହିଁ ତୁମ୍ଭର କିଛି ତ ନ କଲଇ ଦୋଷବୃଥାରେ ବ୍ରହ୍ମନିନ୍ଦୁକ ହୋଇଲ ଅବଶ୍ୟ ।ପୁଅମାନେ ବୋଇଲେରେ ଶୁଣ ତୁ ଭିକ୍ଷୁକକର୍ମଚଣ୍ଡାଳ ମୂଢ଼ ନ ଚାହିଁ ତୋର ମୁଖ ।ବାପବୁଢ଼ା ଅନ୍ଧ ତୋର ମାଆ ବୁଢ଼ୀ ଟେରୀତୁ ମୂଢ଼ କେଉଁ ଗୁଣରେ ହେବୁ ଆମ୍ଭ ସରି ।ମୁଠି ଭିକ୍ଷା ମାର୍ଗ ଖାଅ ବୁଲି ଘରେ ଘରେଅନ୍ନ ଶାସ୍ତିରେ ମରିବା ତୁ ଏଥି ରହିଲେ ।ଆରେ ନିଲକ୍ଷଣ ତୁହି ଭିକ୍ଷୁଜନ୍ମ ପାଇଆମ୍ଭର ଦୋଷ ବାରୁଛୁ ଆମ୍ଭ ଦେଶେ ଥାଇ ।ଗ୍ରାମୁ ବାହାର କରିଣ ଦେବୁ ଡେଙ୍ଗୁରାଇଏମନ୍ତ ବୋଲିଣ ପୋଏ ଉଠିଲେ ତୁହାଇ ।ଦେଖି ଶୁଣି ଗୌରପୁଅ ହେଲା ବିକରାଳିଦୁଇହସ୍ତେ ଦୁଇମୁଠା ଧଇଲା ସେ ଧୂଳି ।ଅଧର ପୁଷ୍ଟ କରିଣ ଧାଏଁ ଅତି ବେଗେଦେଖି ସର୍ବ ପୋଏ ମିଳି ଘେରି ତାର ଆଗେ ।ସମସ୍ତେ ରୁଣ୍ଡ ହୋଇଣ ତାହାକୁ ଧଇଲେଦାଣ୍ଡଧୂଳି ସାଉଣ୍ଟି ତା ପରେ ପକାଇଲେ ।ନାନରୂପେ ମାଡ଼ ମାରି କରିଲେ କଦର୍ଯ୍ୟାବୋଇଲେ ମୂଢ଼ ତୋ ବାପ ଆଗରେ କହ ଯା ।ଅପମାନ ପାଇ ଦ୍ୱିଜଶିଶୁ ବେଗେ ଗଲାପିତା ଆଗରେ ଯାଇଣ କାନ୍ଦି ସେ କହିଲା ।ଶୁଣିକରି ଅନ୍ଧ କୋପେ ହେଲା କୋପାନଳବୋଲେ ଗୋପଲୋକଙ୍କର ପୂରିଲା ତ କାଳ ।କେବଣ ଭରସାରେ ମୋ ପୁତ୍ରକୁ ମାଇଲେଗଉଡ଼େ କି ରାଜା ହେଲେ ଏହି ରବିତଳେ ।ନନ୍ଦପୁଅର ଅନ୍ୟାୟ ବଢ଼େ ଦିନୁଦିନନ ଜାଣି କୋପ କରିଛି କି ସେ କଂସରାଣ ।ତାହାର ଯେତେ ଅନୀତି କହିଲେ ନ ସରେଦୁଧ ଲବଣୀ ଭକ୍ଷଇ ପଶି ଘରେ ଘରେ ।ଷଣ୍ଢା ଯାମଳା ଅର୍ଜ୍ଜୁନ କରିଲା ବିନାଶବକା ବତ୍ସା ଅକାରଣେ କରିଲା ସେ ଧ୍ୱଂସ ।ସେ ଦିନୁ ଅଧିକେ ତାର ବଢ଼ିଗଲା ମନଗଉଡ଼ ହୋଇ ବ୍ରାହ୍ମଣେ ଦିଏ ଅପମାନ ।ରାଜା ଆଗରେ କହିଣ ଖୁଆଇବି ମାଡ଼ଏକାବେଳେ ଫିଙ୍ଗି ଦେବି ତାର ହାଡ଼ ଗୋଡ଼ ।ତାହାର ମୋହର ଆଜି ହେବ ସମକଚ୍ଛବ୍ରାହ୍ମଣୀକୁ ବୋଇଲା ତୁ ଆସ ମୋର ପଛ ।ତିନିହେଁ କହିବା ଯାଇ ରାଜା ନିକଟରେଉଚ୍ଚ ନୀଚଜାତି କିପାଁ ରହିବ ସଂସାରେ ।ଅତି ଉପଦ୍ରବ କଲା ନନ୍ଦର କୁମରପାପପୁଣ୍ୟ ବିଚାର ତ ନାହିଁ ସେ ମୂର୍ଖର ।ଆଜିଠାରୁ ଜାଣିବା ତା କେଡ଼େ ବଡ଼ପଣଏତେ ବୋଲି ବାହାରିଲା ସେ ଅନ୍ଧ ବ୍ରାହ୍ମଣ ।ପୁତ୍ରର କନ୍ଧରେ ହସ୍ତ ଦେଇଣ ନିର୍ଭରେଯିବାପାଇଁ ଉଦ୍ୟମ ସେ କରଇ ସଧୀରେ ।ଏଥୁ ଅନନ୍ତରେ ତହୁଁ ପ୍ରଭୁ ନରହରିଅନ୍ଧର ପୁରକୁ ବିଜେ କରିଲେ ମୁରାରି ।ସମସ୍ତ ପୋଏ ପଛରେ ଅଛନ୍ତି ଗୋଡ଼ାଇଗୌରବ ଛାମୁରେ କୃଷ୍ଣ ମିଳିଲେକ ଯାଇ ।ଦେଖିକରି ଚିତ୍ରଧ୍ୱଜ ପିତାକୁ କହିଲାପୁଅଙ୍କୁ ଘେନିଣ କୃଷ୍ଣ ମୋ ପାଶେ ଅଇଲା ।ସୁତ ବଚନ ଶୁଣିଣ ଗୌରବ ଯେ ଭାଷିଏଡ଼େ ଭରସା କୃଷ୍ଣର ଆମ୍ଭ ପୁରେ ଆସି ।କେଉଁଠାରେ ହେଲା ମୋତେ ଭେଟାତଥ୍ୟକରିତାର ପାଖେ ମରିବି ମୁଁ ମୋର ମୁଣ୍ଡ କୋଡ଼ି ।ଏକାଳେ ପାଶେ ମିଳନ୍ତେ ଆସି ଚକ୍ରଧରକ୍ରୋଧଭରେ ବାକ୍ୟ ତାଙ୍କୁ କହେ ବିପ୍ରବର ।ଗଉଡ଼ ବାଉଡ଼ ତୁମ୍ଭେ ହାଉଡ଼ ବୋଲାଅତୁମ୍ଭ ବଡ଼ପଣ ଆମ୍ଭ ଆଗରେ ଦେଖାଅ ।ବାଛୁରୀ ଚରାଅ କାଦମ୍ୱରୀ ପାନ କରକ୍ଷୀର ମଧ୍ୟରେ ଲୁଚାଇ ପାଣି ତୁମ୍ଭେ ଭର ।ରାତ୍ର ପ୍ରଭାତୁ ନ ଚାହୁଁ ଆମ୍ଭେ ତୁମ୍ଭ ମୁଖଧ୍ୱଂସିବି ଗୋପ ନଗର ପ୍ରତ୍ୟକ୍ଷରେ ଦେଖ ।ଏତେ ବୋଲିଣ ଅନ୍ଧ ଯେ କୋପଭର ହୋଇଅନେକ ମତେ କୃଷ୍ଣଙ୍କୁ ମର୍ମକଥା କହି ।ଅନ୍ଧର ବଚନ ଶୁଣି ପ୍ରଭୁ ଦେବରାଜଧୀରେ ଉତ୍ତର ଦିଅନ୍ତି ନ କରି ପହିଜ ।ଶୁଣ ଆହୋ ଅନ୍ଧ ତୁମ୍ଭେ ମୋହର ବଚନନ ଜାଣିଣ ମନ୍ଦକଥା କହ ଅକାରଣ ।ଆମ୍ଭେ ବାଳକ ନ ଜାଣି କଲୁ ସିନା କଳିଏଡ଼େ ନିର୍ଦ୍ଦୟ ଭାବରେ ଦିଅ ତୁମ୍ଭେ ଗାଳି ।ପୁତ୍ର କଥା ନ ଜାଣିଣ କର କିପାଁ କୋପମଧ୍ୟସ୍ଥ ପଣରେ ପୁଣି ଲଗାଉଛ ଧାପ ।ତୁମ୍ଭର ନନ୍ଦନ ଦେହେ ପକାଇଲା ଧୂଳିଲେଉଟିଣ ଆମ୍ଭଙ୍କୁ ସେ ଦେଲା ପୁଣି ଗାଳି ।ଦେଖ ଆମ୍ଭର ଶରୀର ହୋଇଲା କର୍ଦ୍ଦମଏସନକ ଆଜ୍ଞା ଯହୁଁ ଦେଲେ ଜନାର୍ଦ୍ଦନ ।ଅକର୍ମ କର୍ମ କରତା ଅଟନ୍ତି ଅଚ୍ୟୁତତତକ୍ଷଣେ ଦେଖାଗଲା ତାର ଦୁଇ ନେତ୍ର ।ସନ୍ତୋଷ ହୋଇଲା ବିପ୍ର ହରି ମୁଖ ଚାହିଁପାପ କ୍ଷୟ ଗଲା ବେନି ନେତ୍ରେ ଦୃଶ୍ୟ ହୋଇ ।ଅବ୍ୟକ୍ତ ବିଷ୍ଣୁରୂପ ସେ ଦେଖିଲା ନୟନେଯେଉଁ ରୂପ ଧ୍ୟାନ କରୁଥାନ୍ତି ଯୋଗୀଜନେ ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜବ୍ରାହ୍ମଣକୁ ଦେଖାଇଲେ ପ୍ରଭୁ ବିଷ୍ଣୁ ତେଜ ।ତ୍ରାହି ତ୍ରାହି ବୋଲି ଦ୍ୱିଜ ସ୍ତୁତି ପାଠ କରେଦେଖି ଆଶ୍ଚର୍ଯ୍ୟ ହୋଇଲେ ଗୋପାଳ କୁମରେ ।ଅଦୃଷ୍ଟ ଅଶ୍ରୁତ ଅଟେ ପ୍ରଭୁଙ୍କ ଚରିତଗୋପ ନରନାରୀ ଶୁଣି ହେଲେ ଆନନ୍ଦିତ ।ଚକ୍ଷୁପାଇ ବିପ୍ର ତହୁଁ ଗଲା ନିଜ ପୁରେଗୋପାଳ ପୋଏ ଚଳିଲେ ଯେ ଯାହାର ଘରେ ।ବଳରାମ ସହିତରେ ଦେବ ଭଗବାନହରଷେ ମିଳିଲେ ଯାଇ ନନ୍ଦ ନିକେତନ ।ଦେଖିକରି ପୁତ୍ର କୋଳେ ଧରି ଯଶୋବନ୍ତୀଅଧାମ ଗୋଟିକା ସର ଆଣିଣ ଖୁଆନ୍ତି ।ଏଥୁ ଅନନ୍ତରେ ହେଲା ଘଡ଼ିଏ ରଜନୀପ୍ରାଙ୍ଗଣେ ବୁଲୁ ଯଶୋଦା ହରିକୋଳେ ଘେନି ।ଅନେକ ଧାଈଗଣେ ଯେ ରହିଛନ୍ତି ପାଖେବିଜୟ ଶ୍ରୀଭଗବାନ ଜନନୀର କାଖେ ।ଆକାଶ ମଣ୍ଡଳେ ଚାହିଁଦେଲେ ଶିରୀପତିଦେଖିଲେ ପୂର୍ବ ଦିଗରେ ଉଦେ ନିଶାପତି ।ମାତାଙ୍କର ମୁଖ ଚାହିଁ ବୋଲନ୍ତି ଗୋବିନ୍ଦବଡ଼ାଇ ଶ୍ରଦ୍ଧା ମୋହର ଦିଅ ମୋତେ ଚାନ୍ଦ ।ଏତେ ବୋଲିଣ ହସ୍ତକୁ ପାତି ଦେବରାୟେଗୋବିନ୍ଦ ବଚନ ଶୁଣି ବୋଲୁଛନ୍ତି ମାଏ ।ଆସ ଆସ ଜହ୍ନମାମୁଁ ବୋଲି ଡାକ ଦ୍ୟନ୍ତିତୁମ୍ଭଙ୍କୁ ହସ୍ତରେ ଘେନି ଖେଳିବ ଶ୍ରୀପତି ।ଆଜ ଆସ ଜହ୍ନମାମୁଁ ବେଗେ ଖସିପଡ଼ତୁମ୍ଭ ସଙ୍ଗରେ କହ୍ନାଇ ଖେଳିବ ସେ ଖେଳ ।ଏହି ସମୟରେ ନନ୍ଦ ଗୋଠରୁ ପ୍ରବେଶିଗୋବିନ୍ଦ ବୋଇଲେ ପିତା ଚନ୍ଦ୍ରମା ଦିଅସି ।ନନ୍ଦରାଜା ବୋଇଲେକ ଶୁଣରେ ଶ୍ରୀବତ୍ସିଏ ଚନ୍ଦ୍ର ବେନି ଯୋଜନ ଦୂରେ ଯାଇ ଅଛି ।ସକଳ ପ୍ରାଣୀଙ୍କର ଯେ ଅଟେ ସୁଖଦାତାଅତ୍ରିଋଷି ପିତା ତାଙ୍କ ଅନୁସୂୟା ମାତା ।ବ୍ରହ୍ମାଙ୍କର ନାତି ସେ ଯେ ଅଜ୍ରାମର ଦେହୀଦେବମାନଙ୍କ ଉପରେ ଶ୍ରେଷ୍ଠ ସେ ବୋଲାଇ ।ମୁଁ ଛାର ମାନବ ତାକୁ କେଉଁ ଗୁଣେ ସରିସେ କିପାଁ ଆସିବେ ମୋର ବୋଲ ମାନିକରି ।ଅସମ୍ଭବ କଥା ତୁ ତ ବୋଲୁ ମୋର ଆଗେଚନ୍ଦ୍ରଛାଡ଼ି ଯା ମାଗିବୁ ଦେବି ତାହା ବେଗେ ।ଗୋବିନ୍ଦ ବୋଇଲେ ମୁଁ କି ମାଗିବଇଁ ଆନଏହିକ୍ଷଣି ପିତା ମୋତେ ଆଣିଦିଅ ଜହ୍ନ ।ୟା ବୋଲି ଅଳି କରନ୍ତି ପ୍ରଭୁ ଗୋପୀନାଥଦିଅ ହେ ଚନ୍ଦ୍ରମା ବୋଲି ପ୍ରସାରନ୍ତି ହସ୍ତ ।କାଖରୁ ଖସିଣ ପ୍ରଭୁ ଭୂମିରେ ଗଡ଼ନ୍ତିରୋଦନ୍ତି ଉଚ୍ଚସ୍ୱରରେ ବୁକୁ କୋଡ଼ିହ୍ୱନ୍ତି ।ନନ୍ଦ ଯଶୋଦା ସହିତେ ଯେତେ ଗୋପନାରୀକାହାର ବଚନ ତୁନି ନୁହନ୍ତି ମୁରାରି ।ଶୋକରେ ସେ ସକ ସକ ହ୍ୱନ୍ତି ବନମାଳୀଗଗନରୁ ଚାନ୍ଦ ଦିଅ କରନ୍ତି ସେ ଅଳି ।ଶୁଣିଣ ରାଧା କୃଷ୍ଣଙ୍କୁ କାଖେ ଧରେ ଆଣିଶ୍ରୀମୁଖ ସମାର୍ଜ୍ଜି କହେ ଆଶ୍ୱାସନା ବାଣୀ ।ନାନ ଚାଟୁ କଥା କହି କରାଇଲା ତୁନିନିଜ ମନ୍ଦିରକୁ ଘେନିଗଲା ଚକ୍ରପାଣି ।ଗନ୍ଧ ଚନ୍ଦନ କର୍ପୂର ଶ୍ରୀଅଙ୍ଗରେ ବୋଳିପଲ୍ୟଙ୍କରେ ବିଜେ କଲେ କୃଷ୍ଣ ଚନ୍ଦ୍ରାବଳୀ ।ନାନା କଉତୁକ କଥା କୁହାକୁହି ହେଲେମୋହନ ମୂରତି ରୂପ ଶ୍ରୀକୃଷ୍ଣ ଧଇଲେ ।ରାଧିକାରେ ବଶୀଭୂତ ପ୍ରଭୁ ବନମାଳୀଲକ୍ଷ୍ମୀନାରାୟଣ କିବା ଏକସଙ୍ଗେ ମିଳି ।ପଲ୍ୟଙ୍କ ଉପରେ ପହୁଡ଼ିଲେ ହୃଷିକେଶୀସୁଖେ ନିଦ୍ରା ଗଲେ ପାଦ ମଞ୍ଚାଳେ ସୁକେଶୀ ।ଅପୂର୍ବ ମନ୍ଦିର ସେ କି ଜାଣି ବାରସ୍ୱତୀମାଣିକ୍ୟରେ ଦୀପାବଳି ଜଳଇ ଚୌକତି ।କାନ୍ଥମାନଙ୍କେ ହୋଇଛି ନାନା କାରୁକମଅପୂର୍ବ ପଲ୍ୟଙ୍କେ ବିଜେ ପୁରୁଷଉତ୍ତମ ।ଦେବାଙ୍ଗ ଝୀନବସନ ତ୍ରୋଣାମାନ ଲମ୍ୱେନାନ ମଣିରତ୍ନ ବିରାଜଇ ଖମ୍ୱେ ଖମ୍ୱେ ।ପାଟପତନୀ ପଡ଼ୁଛି ଶେଯର ଉପରେସୁବାସିତ ଫୁଲମାଳ ଅଛି ସେ ଗୃହରେ ।ଯହିଁରେ ଶ୍ରୀହରି କ୍ରୀଡ଼ା କରନ୍ତି ସତତନିମିଷକେ କଳ୍ପନାରୁ କୋଟି କୋଟି ଜାତ ।ଗୋପୀ ଗୋବିନ୍ଦ କ୍ରୀଡ଼ନ୍ତି ଯେବଣ ମନ୍ଦିରେତାର ରୂପ ମହିମା କେ ଅବା ବର୍ଣ୍ଣିପାରେ ।ପଲ୍ୟଙ୍କେ ଶୋଇଅଛନ୍ତି ପ୍ରଭୁ ଦେବହରିପାଦ ମଞ୍ଚାଳଇ ଧୀରେ ରାଧିକା ସୁନ୍ଦରୀ ।ଅନନ୍ତ ଶଯ୍ୟାରେ ବିଜେ କିବା ଭଗବାନମହାଲକ୍ଷ୍ମୀ ମଞ୍ଚାଳନ୍ତି ବସି କି ଚରଣ ।ତେସନ ପରାୟେ ତହିଁ ପାଏ ଦିବ୍ୟଶୋଭାମନୁଷ୍ୟ ହୋଇଣ ମୁଖେ କିସ କହିବି ବା ।ମଦନ ମୋହନ ବଂଶୀ ସୀମସ୍ଥାନେ ଦେଇନିର୍ଭରେ ଶୋଇ ଅଛନ୍ତି ଜଗତ ଗୋସାଇଁ ।ଚାହୁଁ ଚାହୁଁ ହେଲା ସାତଘଡ଼ି ଯେ ରଜନୀଗୋଷ୍ଠୁ ଚନ୍ଦ୍ରସେଣା ଆସେ ଦୁଧଭାର ଘେନି ।କାନ୍ଧପରୁ ଦୁଧଭାର ଅଗଣାରେ ଥୋଇଉଠ ଉଠ ଚନ୍ଦ୍ରାବଳି ବୋଲିଣ ଡାକଇ ।ଗୋବିନ୍ଦ ଶୋଇଥିଲେ ସେ ରାଧା ଚେଇଁଥିଲାଗୋପାଳ ଡାକନ୍ତେ ରାଧା ଚମକି ପଡ଼ିଲା ।ଶ୍ରୀକୃଷ୍ଣଙ୍କୁ ହଲାଇଣ ବୋଲଇ ସୁନ୍ଦରୀଗୋପାଳ ବାହାରେ ଡାକେ କି କରିବା ହରି ।ଦୁଃସହ ସଙ୍କଟ ଆସି ପଡ଼ିଲାକ ମୋତେଦୁହେଁ ନାଶ ହେବା ନିଶ୍ଚେଁ ତରିବା କେମନ୍ତେ ।ଏମନ୍ତ ଭାଳୁଁ ଗୋପାଳ ଡାକେ ଶୁଣି ପୁଣିନିଶ୍ଚିନ୍ତରେ କେତେ ନିଦ୍ରାଯାଉ ଗୋପାଳୁଣୀ ।ଅନେକ ଦୂରୁଁ ଅଇଲି ମୁଁ ତ ପଥ ବାହିଆଜି ମୋହର ସକାଳୁ ଜଳାହାର ନାହିଁ ।ଏତେ ବୋଲି ଚନ୍ଦ୍ରସେଣା କୋପଭର ହୋଇଉଚ୍ଚସ୍ୱରେ ଡାକଦିଏ ତୁହାଇ ତୁହାଇ ।କେତେ ଭଙ୍ଗ ଡାକ ଡାକି ହୋଇଲାକ ତୁନିସଧୀରେ ବୋଲଇ ତହୁଁ ଚନ୍ଦ୍ରମା ବଦନୀ ।କିପାଁ ଏତେ ଡାକ ଡାକୁ କୁହାଟିଆ ହୋଇଉନ୍ନିଦ୍ର ଥିବାରୁ ନିଦେ ପଡ଼ିଗଲି ଶୋଇ ।ଜ୍ୟେଷ୍ଠ ଭଉଣୀ ଆସିଛି ଆଜି ଆମ୍ଭ ପୁରେବସି କଥାବାର୍ତ୍ତା ହେଲୁ ଆମ୍ଭେ ପରସ୍ପରେ ।ତେଣୁ ରାତି ବେଶୀହେଲା ନିଦ ନାହିଁ ମୋତେକିପାଇଁ ତୁହାଇ ତୁମ୍ଭେ ଡାକ ହେ ଏମନ୍ତେ ।ଏହିକ୍ଷଣି ତୁମ୍ଭ ଡାକ କର୍ଣ୍ଣେ ମୋ ସମ୍ଭାଇନିଦେ ଡାକ ଶୁଣୁଅଛି ହେତୁ ମୋର ନାହିଁ ।ପିତା ଘରକୁ ମୁଁ ଯିବି ଆଜ ଜଣାଇଲିନେଇ ଆସିଛି ନାନୀ ନିମତା ହେବ ବୋଲି ।ଭଉଣୀ ମୋ ଶୋଇଅଛି ଖଟର ଉପରେଭିତରେ ନ ପଶି ଥାଅ ତୁମ୍ଭେ ଯେ ସେଠାରେ ।ସେ ତୁମ୍ଭ ମାନତି ଲୋକ ଅଟେ ଦେଢ଼ଶାଶୁନୋହିଲେ ବାହରେ ଯାଅ ଆଡ଼ହୋଇ ବସୁ ।ଚନ୍ଦ୍ରସେଣା ବୋଲେ ସେ ଗୋ ବାଟ ଚାଲିଫୁଟିପଥଶ୍ରମେ ଶୋଇଛନ୍ତି ନ ବୋଲସି ଉଠି ।ଦୁଇଦିନ କ୍ଷୁଧାର୍ତ୍ତ ଯେ ହୋଇଅଛି ମୁହିଁଏହିଠାରେ ଅନ୍ନପାଣି ଦିଅ ଆଣି ତୁହି ।ଶିକାସହ ଦୁଧଭାର ଘରେ ନେଇ ଥୁଅପୟର ପଖାଳିବି ମୁଁ ନୀର ଆଣିଦିଅ ।ଶୁଣିଣ ରାଧା କବାଟ ଦେଲା ତହୁଁ ଫେଇଶିକାସହ ଦୁଧଭାର ଥୋଏ ଘରେ ନେଇ ।ମୁଖ ପଖାଳି ଗୁହାଳ ପିଣ୍ଡାପରେ ବସିସୁପକ୍ୱ ଅନ୍ନ ବ୍ୟଞ୍ଜନ ପର୍ଷେ ଶୁଭ୍ରକେଶୀ ।ଅଧାମ ଲବଣୀ ଆଉ ଗୋଟିକା ଯେ ସରକେବଣ ପଦାର୍ଥ ନାହିଁ ଚୁନ୍ଦ୍ରସେଣା ଘର ।ଅମୃତ ଆହାରେ ଚନ୍ଦ୍ରସେଣା ମନ ରଞ୍ଜିଆଚମନ ସାରିଣ ଯେ ତାମ୍ବୁଳାଦି ଭୁଞ୍ଜି ।ଚନ୍ଦ୍ରସେଣା ବୋଲେ ଶୋଇଅଛି ମୁଁ ପିଣ୍ଡାରେଦୁଇ ଭଉଣୀ ତୁମ୍ଭେ ଲୋ ଶୁଅ ନିଶ୍ଚିନ୍ତରେ ।ରାଧା ବୋଲେ ଭଉଣୀ ମୋ ରାତ୍ରରେ ନଥିବରାତ୍ର ଏକଘଡ଼ି ଥାଉଁ ମୋତେ ଘେନିଯିବ ।ଗୁଆଳ ବୋଲେ ମୋହର ଘରେ ତୋ ଭଗିନୀଦିନାକେତେ ରହିଥାନ୍ତୁ ଲୋକ ଯିବେ ଘେନି ।ଅପାର କାଳରେ ଆମ୍ଭ ଗୃହେ ଆସିଛନ୍ତିକିପରି ପଠାଇ ଦେବା ତାଙ୍କୁ ରାତାରାତି ।ରାଧିକା ବୋଲଇ ତାଙ୍କ ଘରେ ବିଭାକାର୍ଯ୍ୟକେମନ୍ତେ ସେ ଆମ୍ଭଘରେ ରହିବଟି ଆଜ ।ତକ୍ଷଣେ ସେ ଯାଉଥିଲେ ଘରକୁ ଲେଉଟିବହୁତ କରି ତାହାଙ୍କୁ ରଖାଇ ଅଛିଟି ।କହୁଁ କହୁଁ ଗୁଆଳକୁ ଘୂମ ଯେ ଲାଗିଲାପାଛୁଡ଼ା କାନି ପାରିଣ ତହିଁ ନିଦ୍ରାଗଲା ।ମିଛକଥା କହି ରାଧା ସ୍ୱାମୀଙ୍କୁ ଠକିଲାବାଡ଼ି ସୀମସ୍ଥାନେ ଦେଇ ଗୋପାଳ ଶୋଇଲା ।ରାଧା ମାଧବ ପଲ୍ୟଙ୍କେ ପୁଣି ବିଜେ କଲେହାସ ପରିହାସେ ତହିଁ ରଜନୀ ବଞ୍ଚିଲେ ।ରାତ୍ରା ଘଡ଼ିଏକ ଥାଉଁ ତ୍ରିଦଶର ସାଇଁବାହାରେ ବାହାରେ ଗୋଷ୍ଠେ ବିଜେକଲେ ଯାଇ ।ଦେବଆଳମାନଙ୍କରେ ଶଙ୍ଖଧ୍ୱନି ହେଲାରାତି ଥାଉଁ ଚନ୍ଦ୍ରସେଣା ଗୋଷ୍ଠେ ପୁଣି ଗଲା ।ଅନ୍ୟାନ୍ୟ ଗୋପାଳମାନେ ନିଦ୍ରା ପରିହରିଖୁଣ୍ଟରେ ବାନ୍ଧନ୍ତି ନେଇ ଗାଈ ଯେ ବାଛୁରୀ ।ଅପ୍ରମିତ ବରଡ଼ିଆ ଧେନୁବତ୍ସା ଗାଈଗୋମାତା କୁଟୁମ୍ୱ କେତେ କଳନା ନ ଯାଇ ।କହିଲେ ଯେ ନ ସରଇ ଶବ୍ଦ ଅପ୍ରମାଣଶଙ୍ଖ ପଦ୍ମନିଧି ଯହିଁ ବିଜେ ନାରାୟଣ ।ବିଷ୍ଣୁ ତେଜ ଲାଗି ସର୍ବେ ବଳେ ବଳବନ୍ତଧନ ଧାନ୍ୟ ଲକ୍ଷ୍ମୀ ପୁଣି ଅଛି ଅପ୍ରମିତ ।ବିଷ୍ଣୁତେଜ ଲାଗି ତହିଁ ସର୍ବେ ତେଜମୟେଦେବାସୁରଙ୍କୁ ତାଙ୍କର ତିଳେ ନାହିଁ ଭୟେ ।ଶୁଣ ପରୀକ୍ଷିତ ରାଜା ବଦୟନ୍ତି ଯତିଏ ଅଟେ ଶ୍ରୀଭାଗବତ ପୁଣ୍ୟମୟ କୀର୍ତ୍ତି ।ଇଦଂ ଦଶମସ୍କନ୍ଧର ପବିତ୍ର ଚରିତଶୁଣି ଶୁଣାଇବା ପ୍ରାଣୀ ହୋଇବେ ମୁକତ ।ଜୟ ଜୟ ମାୟାଧର ଅନନ୍ତ ମୂରତିତୋ ମହିଁମା ବର୍ଣ୍ଣିବାକୁ କାହାର ଶକତି ।ଜନ୍ମରୁ ମୂରୁଖ ମୁହିଁ ନାହିଁ ମୋର ଜ୍ଞାନହରିବଂଶ ଲେଖିବାକୁ ମୁଁ ନୁହେଁ ଭାଜନ ।କିଞ୍ଚିତେ ସୁଦୟା ମୋତେ କର ପୀତବାସମୁଁ ଦୀନ ଅଚ୍ୟୁତ ତବ ଦାସର ଯେ ଦାସ ।