ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କର ରାଧିକାପୁରେ ପ୍ରବେଶ ଓ କୃଷ୍ଣଙ୍କ ପ୍ରତି ରାଧିକାର ଭର୍ତ୍ସନା
ଏଥୁ ଅନନ୍ତରେ ଶୁକମୁନି ଯେ ବୋଲନ୍ତିସାବଧାନ ହୋଇ ଶୁଣ ପରୀକ୍ଷ ନୃପତି ।ଆଶ୍ୱିନ ମାସ ଯେ ପୁଣ ଶରଦର ଋତୁନିର୍ମଳ ଚନ୍ଦ୍ରର ଜ୍ୟୋତି ଗଣିତ ଯେ ଧାତୁ ।ଦିନକର ଜ୍ୟୋତିରେ ତ ଶୁଖିଲା ଧରଣୀଖରା ବରଷା ଶୀତ ତ ନ ହୁଅଇ ଜାଣି ।କୁମାର ପୂର୍ଣ୍ଣମୀ ଯାତ୍ରା ସାରି ସର୍ବେ ଭଲେଥୋକାଏ ଜାଗର ଜାଳି ଉଜାଗର ହେଲେ ।ଥୋକାଏ ଜୁଆ ଖେଳନ୍ତି ଆନନ୍ଦିତ ମନେକପଟପଶା ଖେଳନ୍ତି ମିଳି ଥୋକେ ଜନେ ।ଏମନ୍ତ ଉତ୍ସବ ଘରେ ଘରେ ସବୁଙ୍କରିପହୁଡ଼ନ୍ତି ପଲ୍ୟଙ୍କରେ ଦେବ ଚକ୍ରଧାରୀ ।କେମନ୍ତେ ଉପାୟ କରି ଯିବେ ଦେବହରିବାରମ୍ୱାର ମଦନରେ ତନୁ ହୁଏ ଘାରି ।ଅନୁବ୍ରତେ କାମଦେବ ଅଙ୍ଗେ ଦିଏ ଖେଦତେଣୁ ଗୋବିନ୍ଦଙ୍କ ମନେ ସର୍ବଦା ବିଷାଦ ।ମାୟାରେ ମୋହିଲେ କହୁଁ ପ୍ରଭୁ ନରହରିଯଶୋଦା ପ୍ରଭୃତି ସର୍ବନେତ୍ରେ ନିଦ୍ରା ଘାରି ।ଉତ୍ତାନଭାବେ ପଲ୍ୟଙ୍କେ ଥିଲେ ସେ ପହୁଡ଼ିନିଦ୍ରା ଭାଜନ୍ତେ ଶ୍ରୀହରି ଦେଲେ ଘୋରରଡ଼ି ।ନିଦ୍ରାରେ ଅଚେଷ୍ଟ ଗୋପପୁରେ ସର୍ବଜନତ୍ରିଭଙ୍ଗି ମୂରତି ପ୍ରଭୁ ହେଲେ ତତକ୍ଷଣ ।ଶିରେ ସୁକୁଞ୍ଚିତ କେଶ ଅପୂର୍ବ ଦିଶଇଲାବଣ୍ୟ ମୂରତି ତିନିଭୁବନ ମୋହଇ ।କୋଟିଏ କନ୍ଦର୍ପ ରୂପ ନୁହେ ତାକୁ ସରିକାମିନୀ ଚିତ୍ତରଞ୍ଜନ ପ୍ରଭୁ ଦଇତ୍ୟାରି ।ସନାତନ ପୁରୁଷ ସେ ବିଶ୍ୱ ଅଧିକାରୀଯେବଣ ରୂପକୁ ଇଚ୍ଛା ସେ ରୂପକୁ ଧରି ।ଯାହାର ବଚନେ ଆତଯାତ ନବସୃଷ୍ଟିଯେ ସ୍ୱାମୀ ଗୋପୀଙ୍କ ପାଇଁ ହ୍ୱନ୍ତି ବହୁକଷ୍ଟୀ ।ପଲ୍ୟଙ୍କ ତେଜିଣ ସ୍ୱାମୀ ଚାଳନ୍ତେ ଧରାରେମନ ରହିଛି କେବଳ ଗୋପୀଙ୍କ ଉପରେ ।ରାତ୍ର ସାତଘଡ଼ିଠାରେ ଉଠି ଯଦୁନାଥଚନ୍ଦ୍ରାବଳୀ ପୁରେ ଯାଇ ମିଳିଲେ ତୁରିତ ।ସୁକୁମାରୀ ସୁଲକ୍ଷଣୀ ଅଟଇ ସେ ବାମାଚନ୍ଦ୍ରସେଣା ଗଉଡ଼ର ଅଟେ ମନୋରମା ।ଷୋଳସସ୍ର ଗୋପୀଙ୍କର ପରେ ମୌଡ଼ମଣିସାକ୍ଷାତେ ପାର୍ବତୀ କିବା ରତି କମଳିନୀ ।ରଙ୍ଗାବତାରେ ବିଷ୍ଣୁଙ୍କ ମନ ନେବାପାଇଁଯତନେ ବିଧାତା ତାହା ଅଛି ଯେ ରଖାଇ ।ଅପୂର୍ବ ମନ୍ଦିରେ ଦେଇ କବାଟ କିଳିଣିପଲ୍ୟଙ୍କ ଉପରେ ଶୋଇଅଛି ଗୋପାଳୁଣୀ ।ଚନ୍ଦ୍ରସେଣା ଭଗିନୀ ଯେ ତିଳୋତ୍ତମା ନାରୀରାଧିକାର ନଣନ୍ଦ ଯେ ଅଟଇ ସୁନ୍ଦରୀ ।ନଣନ୍ଦ ଭାଉଜ ବେନି ଏକସଙ୍ଗ ହୋଇପଲ୍ୟଙ୍କ ଉପରେ ଘୋର ନିଦେ ଛନ୍ତି ଶୋଇ ।ଏସନ ସମୟେ ତହିଁ ମିଳିଲେ ଅଚ୍ୟୁତବାରମ୍ୱାର ଅଙ୍ଗେ ପୀଡ଼ା ଦିଅଇ ମନ୍ମଥ ।ନିବିଡ଼ ପାଷାଣ କାନ୍ଥ ବେନିହାତ ଢଳିଝିଙ୍କର ଛାଏଣି ଘର ପିମ୍ପୁଡ଼ି ନ ଗଳି ।ଦେଖିଣ ମାଧବ ମନେ ପାଇଲେକ ତ୍ରାସଚାରିପାଖ ବୁଲନ୍ତି ଯେ ରାଧିକା ଉଆସ ।ଆଡ଼ ଉହାଡ଼ରେ କାହିଁ ବାଙ୍କ ତିଳେ ନାହିଁବିସ୍ମୟ ହୋଇଲେ ହରି ମନେ ତାହା ଚାହିଁ ।ଲୁହାର କିଳଣି ବଜ୍ରଠାରୁ ଯେ କଠିନତିଳେ ବାଟ ନାହିଁ ତହିଁ ଯିବାକୁ ପବନ ।ବାହାରେ ଉଭା ହୋଇଣ ଭାଳନ୍ତି ଶ୍ରୀହରିଏଡ଼େ ବଜ୍ର କବାଟ ତ ଫିଟିବ କିପରି ।ବେଳକୁବେଳ କନ୍ଦର୍ପ ବାଧା ଯେ ହୁଅଇମନ ଛନ୍ନଛନ୍ନ ତନୁ ଥରଥର ହୋଇ ।ଫିଟିଲା କେଶ ବସନ ହେଲେ ଅସମ୍ଭାଳଅନେକରୂପେ କବାଟ ଝିଙ୍କି ନନ୍ଦବାଳ ।କବାଟର ଲୁହାକଣ୍ଟା ମାନ ତିକ୍ଷ୍ଣ ମୁନାଆଣ୍ଟରେ ପେଲନ୍ତେ ବାଜେ ଗୋବିନ୍ଦ ମୂର୍ଦ୍ଧନା ।ମୂଷଳ ଧାରାରେ ରକ୍ତ ବହିପଡ଼େ ତଳରୁଧିରରେ ଜର ଜର ହୋଇଲା ଅଞ୍ଚଳ ।ଶ୍ରୀକରେ ବସନ ଘେନି ପୋଛନ୍ତେ ମୁରାରିଭୂମିରେ ପଡ଼ଇ ତହୁଁ ଥୋକାଏ ଉବୁରି ।ଧନ୍ୟ ସେହି କାମଦେବ ସବୁ ପାରେ ଜିଣିଜଗନ୍ନାଥଙ୍କୁ ବିଟାଳ କରେ ଯେହ୍ନେ ଆଣି ।ଅଶେଷ କୋଟି ବ୍ରହ୍ମାଣ୍ଡେ ଅଧିକାରୀ ଯେହିକାମଦେବ ପଦ ଅନ୍ୟଠାରେ ପାରେ ଦେଇ ।ସେ ଯଣୁଟି ସଂସାରରେ ଦେହବନ୍ତ ହେଲାନିର୍ଦ୍ଦୟ କାମଦେବତା ତାଙ୍କୁ କଟାଳିଲା ।ରକତ ମାଂସ ଶରୀର ବହିବଟି ଯିଏକାମଦେବ ପାଲେ ନିଶ୍ଚେଁ ପଡ଼ିବଟି ସିଏ ।ଈଶ୍ୱର ପରି ଦେବତା ମାତାକୁ ହରିଲେବ୍ରହ୍ମାଭଳି ଲୋକ ଦୁହିତାରେ ରତ ହେଲେ ।ଚନ୍ଦ୍ର ଦେବତା ଯେ ଗୁରୁପତ୍ନୀ ହରିଅଛିଆବର ସଂସାରେ କେହୁ ପାରେ ତାକୁ ମୂର୍ଚ୍ଛି ।ସର୍ବଲୋକଙ୍କ ଠାକୁର ଯେଉଁ ନରହରିଗୋପୀଙ୍କ ନିମନ୍ତେ ଗୋପୀନାଥ ରୂପ ଧରି ।ରାଧିକା ବିରହେ ସ୍ୱାମୀ ହୁଅନ୍ତି ଉଚ୍ଚାଟଅନେକରୂପେ ଝିଙ୍କନ୍ତେ ନ ଫିଟେ କବାଟ ।ଅଧର କାମୁଡ଼ି ଆଣ୍ଟେ ମାରନ୍ତେଣ ମୁଷ୍ଟିବେନି ଫାଳରେ କବାଟ ମଧ୍ୟୁ ଗଲା ଫାଟି ।ଗମ୍ଭୀରି ମଧ୍ୟେ ପ୍ରବେଶ ସ୍ୱାମୀ ହେଲେ ଯାଇଦେଖିଲେ ରତ୍ନପଲ୍ୟଙ୍କେ ରାଧା ଅଛି ଶୋଇ ।ନଣନ୍ଦ ଭାଉଜ ଶୋଇଛନ୍ତି ଏକସ୍ଥାନେକୋମଳ ଶେଯେ ନିଶ୍ଚିନ୍ତେ ନିଦ୍ରିତ ଦିଜଣେ ।ଉପରେ ଚାନ୍ଦୁଆ ଲାଗିଅଛି ଦୋପୁଚିଆଦେବାଙ୍ଗ ଝୀନବସନ ସୂଚିକମ ନୂଆ ।ମାଣିକ୍ୟର ଦୀପାବଳି ଜଳେ ଚାରିପାଶେମଧ୍ୟାହ୍ନ ଆଦିତ୍ୟ ପ୍ରାୟ ତେଜ ପରକାଶ ।ଗନ୍ଧ ଚନ୍ଦନ କସ୍ତୁରୀ ଅଙ୍ଗେ ବୋଳି ହୋଇଅଗୁରୁ ଧୂପରେ ଗୃହ ଚହଟି ଉଠଇ ।ସୁକୋମଳ ମୁଚୁଳାକୁ ଦେଇ ସୀମସ୍ଥାନବେନି ନାରୀ ଶୋଇଛନ୍ତି ଖଟେ ଅଚେତନ ।ରାଧିକା ରୂପ ଦେଖିଣ ପ୍ରଭୁ ଗୋପୀନାଥଧନ୍ୟ ଧନ୍ୟ ନାୟିକା ତୁ ବୋଲନ୍ତି ଅଚ୍ୟୁତ ।ଖସି ପଡ଼ିଛି କି ଶଶୀ ଅବା ଆକାଶରୁନେତ୍ରେ ଦେଖିଲା ତ ନାହିଁ ଏମନ୍ତ ରମ୍ଭୋରୁ ।ସୁଲକ୍ଷଣୀ ନାୟିକା ଏ ଅଟେ ନବଯୁବାଲାବଣ୍ୟ ଗୁଣନିଧି କି ଶୋଇଅଛି ଅବା ।ନବରତ୍ନମାଳା କଣ୍ଠେ ଦିଶେ କି ସୁନ୍ଦରକରୀକୁମ୍ଭ ଜିଣି ଶୋହେ ପୀନ ପୟୋଧର ।କର୍ଣ୍ଣରେ ମୁକୁତା କାପ ଦିଶେ ଜକ ଜକଅନ୍ଧାର ଘରକୁ ସେହି କରଇ ଆଲୋକ ।ସୁସଞ୍ଚ ଚାରୁ ନାସିକା ତିଳପୁଷ୍ପ ଜିଣିମାରାଗ ହିରାରେ ଗଢ଼ା ନାସିକା ବସଣି ।ବିମ୍ୱଅଧର ବଧୂଲି କୁସୁମକୁ ବଳିଅମୀୟ ସୁଧା ତହିଁରୁ ପଡ଼ୁଅଛି ଗଳି ।ଧୀରେ ଧୀରେ ଦଇତ୍ୟାରି କହମନ୍ତି ବଚନବାରେ ଆରେ ବିମ୍ୱାଧରି ଟେକ ତୋ ବଦନ ।ଦରହସିତ ବଦନେ କହ ପଦେ କଥାମୋର ମନରୁ ଛଡ଼ାଇ ଦିଅ କାମବ୍ୟଥା ।କମଳନୟନ ତୁ ରେ ବାରେ ମୋତେ ଚାହାଁବିରହାନଳରେ ପୋଡ଼ି ଯାଉଛି ମୋ କାୟା ।ଭ୍ରୂଲତା ତୋ କାମଧନୁ ଶର ତୀକ୍ଷ୍ଣ ଦୃଷ୍ଟିପକାଅ ମୋ ଦୂରବସ୍ଥା ଯାଉ ଅଙ୍ଗୁ ତୁଟି ।ନିର୍ମଳ ଚନ୍ଦ୍ରମା ତୁଲ୍ୟ ତୋହର ବଦନଦେଖି ତପୀ ଯୋଗୀଙ୍କର ଭୁଲିଯିବ ମନ ।ପାଦରେ ନୁପୂର ତୋର ଦିଶେ କି ସୁନ୍ଦରକଣ୍ଠେ ରତ୍ନ ଆଭରଣ ଗଜମୋତି ହାର ।ଅଙ୍ଗୁଷ୍ଠି ମାନଙ୍କୁ ରତ୍ନମୁଦ୍ରିକା ତୋ ରାଜେରସାଣିଲା ସ୍ୱର୍ଣ୍ଣ ପ୍ରାୟ କାନ୍ତି ତୋ ବିରାଜେ ।ସିନ୍ଦୁରରେ ସୁମଣ୍ଡିତ ଲଲାଟ ତୋହରିସରୁକଟିକୁ ଡମ୍ୱରୁ ମାନିଯିବ ହାରି ।ସୁଲଳିତ ବେନି ଜାନୁ ରମ୍ଭାତରୁ ପରିନାହିଁ ନଥିବ ତୋ ପରି ଜଗତେ ସୁନ୍ଦରୀ ।ଜଗତଜନମୋହିନୀ ତୁ ପଦ୍ମିନୀ ଜାତିକେତେ ନିଦ୍ରା ଯାଇଅଛୁ ଚାହିଁ କିନା ଚେତି ।ମଦନ ଜ୍ୱାଳାରେ ମୁହିଁ ହେଉଅଛି ଘାରିଅମୀୟ ବଚନ ପଦେ ଭାଷରେ ସୁନ୍ଦରୀ ।ଗଙ୍ଗାସାଗରରେ ଯେହୁ ଦେଇଥିବ ଝାସକୋଟିଏ ଜନ୍ମରେ ପୂଜିଥିବ ଯେ ମହେଶ ।ସେ ତୋର ଭର୍ତ୍ତା ହୋଇବ ଆରେ ହେମ ଗୋରିଏରୂପେ ଅନେକ ଚାଟୁବଚନ ଉଚ୍ଚାରି ।ନ ଶୁଣଇ ରାଧିକା ତା ନିଦେ ଅଛି ଶୋଇଶ୍ରୀକୃଷ୍ଣଙ୍କର ବଚନ କର୍ଣ୍ଣେ ନ ପଶଇ ।ଆରତରେ ଦାମୋଦର ପଲ୍ୟଙ୍କେ ବସିଲେଦକ୍ଷିଣ କରରେ ରାଧା ଦେହ ଆଉଁଷିଲେ ।ନିଦ୍ରାତେଜି ଉଠିଲାକ ତହୁଁ ଗୋପନାରୀଦେଖିଲା ପଲ୍ୟଙ୍କେ ବିଜେ ଦେବ ଦଇତ୍ୟାରି ।ରାଧିକା ବୋଇଲେ କାହୁଁ ଅଇଲୁରେ ଚୋରମୋ ପୁରେ ପଶିଲୁ ପାଇ ଭରସା କାହାର ।ନିବିଡ଼ ପାଷାଣ କାନ୍ଥ ବେନି ହାତ ତଳିଲୁହାର କବାଟ ପୁଣି ବିଷମ ଅର୍ଗଳି ।ତାହା ଭାଙ୍ଗି କେମନ୍ତେ ତୁ ଅଇଲୁ ପାମରଜୀବନରେ ଆଶା କିବା ନାହିଁ କିରେ ତୋର ।ଧାତିକାରେ ଏହିଠାରୁ ଯାଅ ତୁହି ଭଲେକଟୁଆଳ ଜାଣିଲେ ତୁ ନାଶଯିବୁ ହେଳେ ।ଶ୍ରୀକୃଷ୍ଣ ବୋଇଲେ ମାଈଁ ଚୋର ନୁହେଁ ମୁହିଁନନ୍ଦ ଯଶୋଦା ପୁଅ ମୋ ନାମ ଯେ କହ୍ନାଇ ।ଏ ତୋର ବିରହେ ସହି ହୋଇଛି ମୁଁ ଦୁଃଖୀକାମସମୁଦ୍ରୁ ଉଦ୍ଧର ଆରେ ଚନ୍ଦ୍ରମୁଖୀ ।ଆବର ଅଧିକ ମୁହିଁ କହିବି କି ତୋତେକାମଦେବ ବାଧା ସଖି ଲାଗିଅଛି ମୋତେ ।ବାରେ ପ୍ରତିକାର କର ଆରେ ପ୍ରାଣସହିତୋ ରୂପ ଲାବଣ୍ୟ ଦେଖି ବିହ୍ୱଳ ହେଲଇଁ ।ରାଧିକା ବୋଲେ ବାଳୁତ ଛେଉଣ୍ଡ ତ ତୁହିଏଡ଼େ କଥା କହୁ ମୁଖେ ଲାଜ ମାଡ଼େ ନାହିଁ ।ବିଡ଼ମ୍ୱନ କଥା ଆସି କହୁ ମୋର ଆଗେଜୀବନରେ ଆଶା ଥିଲେ ପଳାଅରେ ବେଗେ ।ଯେବଣ କଥା ତୁଣ୍ଡରେ ଧରି ନ ଯୋଗାଇତାହା କହୁ କେମନ୍ତେରେ ମୁଁ ପରା ତୋ ମାଈଁ ।କେ ନନ୍ଦ କେଉଁ ଯଶୋଦା କିଏ ସେ ଜାଣଇଁକାଲି ସକାଳେ ତାଙ୍କଠୁ ଜନମିଛୁ ତୁହି ।ବଳାତ୍କାରେ ମୋ ଭୁବନେ ପଶିଲୁ ଝସାଇପୁଣି ବଦନେ ଅକଥାଗୁଡ଼ା ଆସି କହି ।ମିଛରେ ବୋଲୁ ମୁଁ ଅଟେ ଯଶୋଦା କୁମରନିଶ୍ଚେ ମୁଁ ଜାଣିଲି ତୁହି ଚୋରଙ୍କ ସର୍ଦ୍ଦାର ।ରାଧିକା ବଚନ ଶୁଣି ବୋଲନ୍ତି ଅଚ୍ୟୁତନୁହେ ମୁଁ ତସ୍କର ଚୋର ରେ ପ୍ରାଣ ସଙ୍ଗାତ ।ଏ ତୋର ସ୍ୱରୂପ ଦେଖି ହେଲି ମୁହିଁ ବାଇକାମ ସାଗରୁ ଉଦ୍ଧର ଆରେ ଚନ୍ଦ୍ରମୁହିଁ ।ଶ୍ରୀକୃଷ୍ଣ କହନ୍ତି ମୁହିଁ ନ କହଇ ମିଛମୂର୍ତ୍ତିମନ୍ତ ନାରାୟଣ ଜାଣ ତୁ ପ୍ରତ୍ୟକ୍ଷ ।ରଙ୍ଗ ଅବତାର ଆମ୍ଭେ ଭାରାଭର ଅର୍ଥେଗୋପେ ବିଜେକଲୁ ଗୋପୀଗୋପାଳ ନିମନ୍ତେ ।ସହଚରୀ ଦୂତିକା ଯେ କହିଲା ତୋ କଥାତେଣୁ ଏଠାକୁ ଅଇଲି ଜାଣ ଗୋ ସର୍ବଥା ।ଶରୀରରେ କାମବାଧା ଦିଏ ଅବିରତେସୁଦୟା ମୋଠାରେ କର ସଖି ଗୋ କିଞ୍ଚିତେ ।ମଦନ ବିଷରେ ଅଙ୍ଗ ମୋର କମ୍ପମାନରକ୍ଷାକର ପ୍ରାଣବନ୍ଧୁ କହି ସୁବଚନ ।କହୁ କହୁ ବିକାଶିଲେ ସ୍ୱାମୀ ବିଶ୍ୱତେଜଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜ ।କିରୀଟ ମୁକୁଟ ଶିରେ ଶୋହେ ସପ୍ତଫେଣୀବାହେ କଙ୍କଣ ରତନ ବଳା ପାଦେ ବେନି ।କଣ୍ଠେ କଉସ୍ତୁଭ ହୃଦେ ତୁଳସୀର ମାଳକଟୀତଟେ ପୀତାମ୍ୱର ଦିଶେ କି ସୁଢ଼ଳ ।ନୀଳେନ୍ଦ୍ରିଦଳ ପରାୟେ ଶୋହେ ଦିବ୍ୟଜ୍ୟୋତିନିର୍ମଳ ଗଗନେ ଯେହ୍ନେ ରାଜେ ଚନ୍ଦ୍ରକାନ୍ତି ।ରାଧିକା ପଲ୍ୟଙ୍କେ ହରି ବିଜେ କଲେ ଯାଇଁଦେଖି ଚନ୍ଦ୍ର ବଦନୀ ଯେ ମହାଭୟ ପାଇ ।କଦଳୀ ପତ୍ର ପରାୟେ ଅଙ୍ଗ କମ୍ପମାନକି କରିବି କେଣେ ଯିବି ମତି ଛନ୍ନ ଛନ୍ନ ।ଏକେତ ଅବଳା ଭୟଙ୍କର ରୂପ ଦେଖିକ୍ଷଣକେ ଚାହିଁଇ ପୁଣ କ୍ଷଣେ ବୁଜେ ଆଖି ।ଅଦୃଷ୍ଟ ଅସମ୍ଭବ ଯା ଶୁଣିନାହିଁ କର୍ଣ୍ଣେଜଗଦ୍ ବନ୍ଦନ ପୁରୁଷ ଦେଖ ବିଦ୍ୟମାନେ ।ଆରତେ କାତର ରାଈ ହୋଇ ଭୀତମନନଣନ୍ଦକୁ ତୋଳେ ଯାଇ କରକୁ ଧରିଣ ।ନିଶ୍ଚେଷ୍ଟ ସେ ପଲ୍ୟଙ୍କରେ ନିଦେ ଅଛି ଶୋଇବିଷ୍ଣୁ ମାୟା ଘୋଟିଅଛି ଅଙ୍ଗେ ଜ୍ଞାନନାହିଁ ।ଶ୍ରୀକୃଷ୍ଣ ବୋଇଲେ ସଖି ମାଡ଼ିଲାକି ଡରଦନ୍ତେ ତିରଣ ଧରୁଛି ଉଦ୍ଧାରିଣ ଧର ।ଫଳିଲାର ବୃକ୍ଷକୁ ଗୋ ସମସ୍ତଙ୍କ ଆଖିତୋଠାରେ ଅନେକ ଆଶା କରିଅଛି ସଖି ।ଆବର ବିଶେଷେ ମୋର ବାଳୁତ ଯେ ମତିନ ଜାଣଇ ପାପ ପୁଣ୍ୟ ଅଟଇ କେମତି ।ରାଧିକା ବୋଇଲେ ମୁହିଁ ଅବୋଧ ଯୁବତୀନିଜ ଭର୍ତ୍ତା ବିନା ଆନ ପୁଂସେ ନାହିଁ ମତି ।ତୋହରେ ମୋହର ବାବୁ କିଛି କାର୍ଯ୍ୟନାହିଁଅକାରଣେ ଏ ଜଞ୍ଜାଳ କରୁ କାହିଁପାଇଁ ।ନିତାନ୍ତ ବାଳକ ତୁହି ନାହିଁ ତୋର ଜ୍ଞାନକହୁଅଛୁ ଭଣ୍ଡପଣେ ଅବଚନମାନ ।ଯାହାକି ବୋଇଲୁ ତୁହି ନନ୍ଦର କୁମରନୃପତିନନ୍ଦନ ହୋଇ ଏଡ଼େ ଅବିଚାର ।ନଣନ୍ଦ ଯଶୋଦା ମୋର ଅଟଇ ଯୁକତେଲେଖାରେ ମାଈଁ ତୋହର ମୁହିଁ ଶାସ୍ତ୍ରମତେ ।ପାପଭୟ ନାହିଁ ତୋର କହୁ ଏଡ଼େ କଥାଶୁଣିଲେ କିସ ବୋଲିବେ କହ ତୋର ମାତା ।ରଜନୀ ପାହିଲେ ଏହି କଥା ବୁଝିବାନାତୋହଯୋଗେ ଗୋପପୁର ନାଶଯିବା ସିନା ।ରାଜାଧିରାଜେଶ୍ୱର ତ ଅଟେ ଦୁଷ୍ଟ କଂସଅନୀତି କଥା ଶୁଣିଲେ କରିବ ବିନାଶ ।ଗୋପ ନଗରେ ପଡ଼ିବ ନିଶ୍ଚୟ ପ୍ରମାଦତୋର ଯୋଗେ ନାଶଯିବ ସବୁରି ସମ୍ପଦ ।ନୃପତି ଯଦ୍ୟପି ଶୁଣି କରିବଟି ରୋଷତୋ କ୍ରୋଧ ସମ୍ଭାଳିବାକୁ ଅଛି କେ ମନୁଷ୍ୟ ।ନଣନ୍ଦ ଶୋଇଛି ଏଥେ ଭାଙ୍ଗିଯିବ ନିଦବୋଲିବ ରାଧିକା ଅଟେ କେଡ଼େବଡ଼ ମନ୍ଦ ।ଶାଶୁ ଶ୍ୱଶୁରଙ୍କ ଆଗେ କହିବ ସକଳବୃଥାରେ ହାଟ ବଜାରେ ହେବ ପୁଣି ଗୋଳ ।ମହତ ସରିବ ମୋର ଜାତିକୁଳୁଁ ଯିବିକୁଳଟାପବାଦ କାଳ କାଳକୁ ବହିବି ।ଏହା କହିଣ ରାଧିକା ଶୁଏ ମୁହିଁ ମାଡ଼ିଶ୍ରୀକୃଷ୍ଣ କହନ୍ତି ତହୁଁ କରଯୁଗ ଯୋଡ଼ି ।ମଦନ ବାଣରେ ସହି ଗଲି ମୁହିଁ ସରିତୋହବିନା ଏ ବିପଦୁ କେ ନେବ ଉଦ୍ଧରି ।ଭାସିଗଲି କାମଜଳେ ଏଥୁ ପାରିକରନୋହିଲେ ପୁରୁଷହତ୍ୟା ଦୋଷ ହେବ ତୋର ।ଅନେକ ପ୍ରତିଆଶାରେ ଆସିଛି ତୋ ପାଶଜୀବ ଥିବାଯାଏ ସଖି ହେବି ତୋର ଦାସ ।ଚାକର ପରାୟେ ସେବା କରୁଥିବି ନିତିବଚନ ନ ଲଘିଂ ତୋର ହେବି ବଶବର୍ତ୍ତୀ ।ଲକ୍ଷ ଲକ୍ଷ କରି ତୋତେ ଆଣିଦେବି ଧନନୃତ୍ୟରଙ୍ଗ ଆସେ ତୋଷ କରିବି ତୋ ମନ ।ଏତେ ବୋଲିଣ ଚରଣ ଧରନ୍ତେ ସେ ଯାଇକ୍ରୋଧଭରେ ଗୋପାଳୁଣୀ ଦେଲା ଫୋପଡ଼ାଇ ।ଗୋବିନ୍ଦଙ୍କ ବକ୍ଷସ୍ଥଳେ ଲାଗନ୍ତେ ସେ ପାଦଅସମ୍ଭାଳ ହୋଇ ଦୂରେ ପଡ଼ିଲେ ଗୋବିନ୍ଦ ।ମଦନ ଆରତେ ତାହା ନ ଜାଣିଲେ କିଛିପଲ୍ୟଙ୍କେ ବସିଲେ ପୁଣି ଆସି ଶିରୀବତ୍ସି ।ହସି ବଚନ ବୋଲନ୍ତି ପ୍ରଭୁ ପୀତବାସସଖି ତୋ ପାଦ ବାଜିଲେ ହେବ ମୋର କିସ ।ବଜ୍ରହୁଁ ଶତଗୁଣରେ ଆଣ୍ଟ ମୋର ଅଙ୍ଗମେରୁ ମନ୍ଦର ବାଜିଲେ ହୋଇଯିବ ଭଙ୍ଗ ।ସୁନ୍ଦର ସୁକୁମାର ତ ତୁମ୍ଭର ପୟରତାହା ମୋତେ ଲାଗିଲା ଯେ କୁସୁମ ପ୍ରକାର ।କୋମଳ ପାଦରେ ବ୍ୟଥା ହେବରେ ସଙ୍ଗାତକେଉଁ ହେତୁରୁ ନିରାଶ କରୁଅଛୁ ତୁତ ।ପ୍ରାପ୍ତନିଧି କେଉଁପରି ପାଦେ ଦେଉ ଠେଲିରକ୍ଷାକର ରକ୍ଷାକର ଶରଣ ମୁଁ ଗଲି ।ଏତେ ବୋଲି ଜଗନ୍ନାଥ ମଦନ ଆତୁରେପଦ୍ମକର ପକାଇଲେ ରାଧିକା ଉପରେ ।ଚନ୍ଦ୍ରବଦନୀ ବୋଲେ ତୁ ବଡ଼ଇ ନିର୍ଲ୍ଲଜପ୍ରାଣ ଘେନି ଏହିଠାରୁ ପଳାରେ ବେହିଜ ।ଚୋର ହୋଇ ଏଡ଼େ ବଡ଼ ଗର୍ବ ମନେ ବହୁନାସ୍ତି କରିଲେ ଯେ ପୁଣି ତାହିଁ ତାହିଁ କହୁ ।ପରଗୃହେ ପଶି ଏଡ଼େ ଅନୀତି ଆଚରୁଅମହତ ଲୋକ ତୁରେ ଯାଅ ମୋ ପାଶରୁ ।ଗୋପନଗରେ ଏମନ୍ତ କେହି ଜଣେ ନାହିଁବାରମ୍ୱାର କଟାଳୁଛୁ ମୋତେ କିସପାଇଁ ।ଜଳନ୍ଧର ବିଦ୍ୟା ଜାଣି ଧରୁ ନାନରୂପଇହଲୋକେ ନାଶଯିବୁ ଅର୍ଜି ମହାପାପ ।ମୁହିଁ କୁଳବଧୂ ନୋହେ ଅସତୀ ରମଣୀପହରେ ହେଲା କହୁଛୁ ଆସି ଭଣ୍ଡବାଣୀ ।ଆବର ମୋହର ପାଶେ ଶୋଇଛି ନଣନ୍ଦଝିଟୁଆ ଏଡ଼ିକି ତୁହି ଅତିଶୟ ମନ୍ଦ ।ନା ଜାଣୁ କି ପରସ୍ତିରୀ ହରଣେ ଯେ ଦୋଷପରସ୍ତ୍ରୀ ହରଣେ ମଲା ବିଶ୍ରବାର ଶିଷ୍ୟ ।ସମୁଦ୍ର ଭିତରେ ତାର ସୁବର୍ଣ୍ଣ ନଗରୀଛପନଗଣ୍ଡା ଯୁଗକୁ ଆୟୁଷ ତାହାରି ।ପୁତ୍ର ନାତି ପଣନାତି ତାର ଅଗଣିତଗୋତ୍ର ସହିତେ ସମୂଳେ ହେଲା ସେ ନିହତ ।ଇନ୍ଦ୍ର ଦେବତା ହରିଲା ଗୋତମ ଭାରିଯାଦେହଯାକ ସସ୍ରଯୋନି ବହିଲା ବିଡ଼ୋଜା ।ତାରାକୁ ହରିଣ ଚନ୍ଦ୍ର ହେଲେ ମହାପାପୀପକ୍ଷେ କ୍ଷୟ ପକ୍ଷେ ବୃଦ୍ଧି ହୁଅନ୍ତି ଅଦ୍ୟାପି ।ସୁଗ୍ରୀବ ଭାରିଯା ବାଳି ହରିଲାକ ବଳେରାମ କରେ ମରଣ ଯେ ଲଭିଲା ଅକାଳେ ।ତୁ ଯେ ଧର୍ମ ଲଘିଂ ପରସ୍ତ୍ରୀକୁ କଲୁ ଆଶଜଣା ପଡ଼ିଲେ ଏକ୍ଷଣି ହୋଇବୁ ବିନାଶ ।ଏହିକ୍ଷଣି ଚୋରାବୋଲି ଦେବଇଁ ବୋବାଳିଏହା କହି ମହାକ୍ରୋଧେ ବୃଷଭାନୁ ବାଳୀ ।ଚାପୋଡ଼େ ମାଇଲା ନେଇ ନଣନ୍ଦ ଜଘଂରେପିନ୍ଧିଲା ବସନ ଧରି ରାଗରେ ଓଟାରେ ।ବୋଲେ କବାଟ ଭାଙ୍ଗିଣ ଘରେ ପଶେ ଚୋରବିଡ଼ମ୍ୱନ କଥାମାନ କହଇ ଅପାର ।ତୋତେ ଦେଖି ଲୁଚେ ଖଣ୍ଟ ଉହାଡ଼ରେ ଯାଇକରେ ଦୀପାବଳୀ ଘେନି ଦେଖ କିନା ତୁହି ।ବିଶ୍ୱକୂଟ ମାୟାରେ ସେ ନଣନ୍ଦ ଶୋଇଛିଏଥେ କଥା ହେବାର ସେ ନ ଜାଣଇ କିଛି ।ଏରୂପେ ନିରାଶ ବାଣୀ ରାଈଠାରୁ ଶୁଣିମନେ ମନେ ଭାଳେଣି ସେ କଲେ ଚକ୍ରପାଣି ।ମଦନର ପଞ୍ଚଶର ହୃଦରେ ଘାରୁଛିରାଧିକାପୁରୁ ବାହାର ହୋଇଲେ ଶ୍ରୀବତ୍ସି ।ଆତ୍ମା ବଇକୁଲ୍ୟ ତାଙ୍କ ହୁଏ ଅବିରତକ୍ରୋଟରାନଳ ପରାୟେ ଦହେ ପଞ୍ଚଭୂତ ।ବେଳୁଁ ବେଳ କାମ ପଞ୍ଚପରାଣ ଦହିଲାଜଗବନ୍ଧୁ ନାଥଙ୍କୁ ଯଏ ଅତି କଟାଳିଲା ।ପାହିବାକୁ ଅଛଇ ପଞ୍ଚଦଶ ଦଣ୍ଡ ରାତିକୁଞ୍ଜବନେ ପ୍ରବେଶିଲେ ଯାଇ ଯଦୁପତି ।ପବିତ୍ର ପୁଣ୍ୟକ୍ଷେତ୍ର ସେ କାଳିନ୍ଦୀର ତୀରତହିଁରେ ଅଛି କଦମ୍ୱ ନାମେ ତରୁବର ।ଗୋପୀଙ୍କୁ ଘେନିଣ କ୍ରୀଡ଼ା କରିବାର ପାଇଁଆଗରୁ ବିଧାତା ତାହା ଅଛି ଯେ ନିର୍ଭାଇ ।ଗୋମତ ପର୍ବତଠଆରୁ ଚିତ୍ରକୂଟ ଯାଏଦ୍ୱାଦଶ ଯୋଜନ ଭୂମି ଅତି ପୁଣ୍ୟମୟେ ।ଆଙ୍ଗୁଳେକ ଯାଗ କଲେ ଧର୍ମ ତହିଁ ମିଳେଗୋମାତା ସେଠାରେ ପୁଣି ସମୟେକ ଥିଲେ ।ସହସ୍ର ବତ୍ସା ସେଠାରୁ ଛାଡ଼ି ଯାଇଥିଲେଶତମୁଖ ବ୍ରହ୍ମା ପୁଣି ସମୟେ ରହିଲେ ।ସେ କପିଳାର କୁଟୁମ୍ୱ ହେଲେ ବର୍ଦ୍ଧମାନଅକଳିତ ଧେନୁ ବତ୍ସା କେ କରେ ଗଣନ ।ଏମାନଙ୍କ ମଳ ମୂତ୍ର କ୍ଷୀର ଅସ୍ଥି ଚର୍ମପଡ଼ିଣ ସେ ଭୂମିଗୋଟି ଅତି ପୁଣ୍ୟତମ ।ଜନକ ବଶିଷ୍ଠ ଭୃଗୁ ବିଶ୍ୱାମିତ୍ର ଋଷିସନକ ସନାତନ ଯେ ଦକ୍ଷ ପ୍ରଜାପତି ।ସମସ୍ତେ ତପ କରନ୍ତି ନଦୀକୂଳେ ବସିଅଙ୍ଗିରସ ପଉଲସ୍ତ୍ୟ ପ୍ରଚେତା ଅଗସ୍ତି ।ବିଧାତା ଦିକ୍ପାଳ ଦୁଆଦଶ ବିଶ୍ୱଦେବାଧ୍ରୁବ ପ୍ରହାଲାଦ ସେହି ଭୂମି କରି ସେବା ।ବ୍ରହ୍ମାଙ୍କ ଦିବସେ ହରି ଧରି ବାରମୂର୍ତ୍ତିସମସ୍ତ ଅବତାର ସେ ହୋନ୍ତି ପ୍ରତିମୂର୍ତ୍ତି ।ବ୍ରହ୍ମାଙ୍କ ବଚନେ ଭୂମି ହୁଏ କାଳେ ନାଶଅନନ୍ତଙ୍କର ସେ ଭୂମି ସଦା ଅଟେ ବାସ ।ଆପେ ଜଗନ୍ନାଥ ସେହିଠାରେ ଅବତାରକୋଟି ବାରସ୍ୱତୀ ତାକୁ ନୁହେ ପଟାନ୍ତର ।ନନ୍ଦନ ବନ ଭିତରେ ଯେତେ ତରୁ ଥିଲାଆପେ ବିଡ଼ୋଜା ଆଣିଣ ତା ସବୁ ରୋପିଲା ।ସହସ୍ରେ ଯୋଜନ ଲମ୍ୱ ଏ ପ୍ରତି ଓସାରଯହିଁରେ କେଳି କରିବେ ଦେବ ଦାମୋଦର ।ଅନେକ ସୁସ୍ୱାଦୁ ଫଳ ଅଉଷଧି ଆଦିବୃନ୍ଦବନେ ରୋପିଅଛି ଆଣି ଜମ୍ଭଭେଦି ।ନାନା ଜୀବଜନ୍ତୁମାନେ ଭକ୍ଷି ସ୍ୱାଦୁଫଳଅବସନ୍ତରେ ବସନ୍ତ ବହେ ସୁଶୀତଳ ।ସକଳ ବୃକ୍ଷମୂଳରେ ସୁବର୍ଣ୍ଣ ବେଦିକାଦେଖିଲା ଲୋକର ମନ ହୋଇବ ତାଟକା ।କଣ୍ଟାତୃଣ ବିବର୍ଜ୍ଜିତ ଭୂମି ଅତି ଶୋଭାବୃଦ୍ଧ ସେ ଭୂମି ମାଡ଼ିଲେ ହେବେ ନବଯୁବା ।ଫଳମୂଳ ତରୁମାନେ ଅତି ଶୋଭାପାନ୍ତିଧାଡ଼ି ଧାଡ଼ି ପୁଞ୍ଜି ପୁଞ୍ଜି ଲତା ବିରାଜନ୍ତି ।ସୁଶୀତଳ ଗନ୍ଧବହ ବହେ ନିତି ନିତିପ୍ରକଟଇ କୁସୁମର ଆମୋଦ ଚୌକତି ।ଦକ୍ଷିଣେ ଯମୁନାନଦୀ ଅତ୍ୟନ୍ତ ନିର୍ମଳଉତ୍ତରେ ମାଧବୀଲତା ଅତି ପରିମଳ ।ବିଶାଳ କଦମ୍ୱ ତରୁ କୁଞ୍ଜବନ ଲାଗେକାଳିନ୍ଦୀ ନାମରେ ନଦୀ ପଶ୍ଚିମ ଦିଗ୍ଭାଗେ ।ବାସୁକୀ ନାଗରାଜାର ଅଟେ ସାନଭାଇକାଳୀୟ ନାମରେ ନାଗ ଅଛି ତହିଁ ରହି ।ଦୁଇ କୋଶଯାଏ ବିଷ ବର୍ଷେ ନିରନ୍ତରେକୂଳେ ଥିବା ବୃକ୍ଷେ ଜଳିଯାଆନ୍ତି ତେଜରେ ।ଉପରେ ଉଡ଼ନ୍ତେ ପକ୍ଷୀ ପଡ଼ିଯାନ୍ତି ଢଳିକେହି ଲୋକ ସେହି ପଥେ ନ ଯାଅନ୍ତି ବଳି ।କେଡ଼େ ବଡ଼ ପୁଣ୍ୟଜଳ ଅଖ୍ୟାଦ୍ୟ ଅଟଇଭୟେ ଜନ ଜନ୍ତୁ ପାନ ନ କରନ୍ତି କେହି ।ତା ପାଶେ ଅଛି ଭଣ୍ଡୀର ନାମେ ମହାବଟଗୋମତ ପର୍ବତ ତଳେ ତାହାର ଯେ ଘାଟ ।ଅନେକ କାଳର ତରୁ ସିଦ୍ଧ ତାର ଶାଖାବିଷ୍ଣୁ ଲୋକ ପରିଯନ୍ତେ ଲାଗିଛି ତା ଶିଖା ।ଅନାଦି ଗୋମାତା ତହିଁ ଥିଲେ ପୂର୍ବକାଳେସଦାଶିବ ବ୍ରହ୍ମଜ୍ଞାନ ସାଧିଲେ ତା ତଳେ ।କହିଲେ ନ ସରଇ ସେ ବଟର ମହିମାଆପଣେ ଆରୋପିଅଛି ତାକୁ ବେଦବ୍ରହ୍ମା ।ସବୁକାଳେ ଯମୁନା ତା ବହେ ପରିମଳଯାହା ନ ପାଆନ୍ତି ସୁର ସିଦ୍ଧ ମୁନିକୁଳ ।ତହିଁର ନିକଟେ ଅଛି ଦିବ୍ୟ ଗୋପପୁରବାରସ୍ୱତୀପୁର ତାକୁ ନୁହେ ପଟାନ୍ତର ।ଭୂଲୋକ ଯେ ଭୁବଲୋକ ସ୍ୱର୍ଲୋକ ସହିତେତିନିପୁରେ ପୁଣ୍ୟଭୂମି ଅଛି ଯହିଁ ଯେତେ ।ହିମବନ୍ତ ମାଲ୍ୟବାନ କପିଳାସ ଗିରିଗୋପନଗରକୁ କେହି ନୁହନ୍ତିଟି ସରି ।ଅନ୍ୟ ପଟାନ୍ତର ତହିଁ କିସ ଦେବା ତାହାବିଧାତା ବସି ନିର୍ମାଣ କରିଅଛି ଯାହା ।ପରୀକ୍ଷ ଆଗେ କହନ୍ତି ଶୁକ ମହାଯତିଇତି ଶ୍ରୀପୁଣ୍ୟ ପୁରାଣ ହରିବଂଶ କୀର୍ତ୍ତି ।ଶ୍ରବଣେ ଶୁଣିଲେ ହୁଏ ମହାପାପ ଧ୍ୱଂସଅଚ୍ୟୁତ ଦାସର ରାମକୃଷ୍ଣ ପଦେ ଆଶ ।