ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩୧ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଦାମୋଦର ପଣ୍ଡାର କୃଷ୍ଣଭକ୍ତି
ଏଥୁ ଅନନ୍ତରେ ଶୁକ ମୁନିଙ୍କ ଆଗରେକରପତ୍ର ଯୋଡ଼ି ତହୁଁ ପରୀକ୍ଷ ପଚାରେ ।ବିଷ୍ଣୁଙ୍କର କୀର୍ତ୍ତି ଏହି ପୁରାଣ ଅଟଇଶୁଶିଲେ ମୋହର ଚିତ୍ତ ତୃପ୍ତି ନ ଭଜଇ ।ତବ ପ୍ରସାଦେ ଥୋକାଏ ଶୁଣିଲଇଁ ମୁହିଁଆଉ କିଛି ହରିବଂଶ ଶୁଣାଅ ଗୋସାଇଁ ।ଭାଗବତ ପୁରାଣକୁ କର୍ଣ୍ଣରେ ଶୁଣିବିମନରେ ମୁଁ ଅନୁବ୍ରତ ଶ୍ରୀକୃଷ୍ଣ ଭଜିବି ।ପ୍ରତିଦିନ ଶିରେ ମୁହିଁ କରିବି ପ୍ରଣାମମନରେ ସୁମରୁଥିବି ଗୋବିନ୍ଦରଙ୍କ ନାମ ।ଯଦ୍ୟପି ପ୍ରସନ୍ନ ହେଲୁ ମୋହଠାରେ ତୁହିତେବେ ମୋ ଭଜନ ସିଦ୍ଧ ହୋଇବ ଗୋସାଇଁ ।ରାଜାଙ୍କର ବଚନକୁ ଶୁଣି ଶୁକମୁନିଶରୀର ପୁଲଳିତ ସେ ହେଲା ତତକ୍ଷଣି ।କୃଷ୍ଣ ପାଦପଦ୍ମେ ଏକଚିତ୍ତେ ଲୟଦେଲେସାଧୁ ପରୀକ୍ଷିତ ରାଜା ବୋଲି ପ୍ରଶଂସିଲେ ।ଶୁଣ ତୁ ରାଜନ ଏବେ ହରିବଂଶ କଥାଶରୀରୁ ଛାଡ଼ିବ ତୋର ଭବଭୟ ବ୍ୟଥା ।ଦାମୋଦର ବୋଲି ଥିଲା ଏକଇ ବ୍ରାହ୍ମଣସର୍ବଦା କରଇ ସେହୁ ଶ୍ରୀକୃଷ୍ଣ ସ୍ମରଣ ।ବେଦ ଅଧ୍ୟୟନ ସେହୁ କରଇ ଅପାରନିଷ୍ଠାଚାରେ ପଣ୍ଡିତ ସେ ଅଟେ ଦ୍ୱିଜବର ।ଅନୁକ୍ଷଣେ କୃଷ୍ଣନାମ ଭଜନ କରଇଦୁଃଖର କଥାକୁ ସୁଖ ପରାଏ ମଣଇ ।ଉପବାସେ ତାହାଙ୍କର ଅତି କ୍ଷୀଣକାୟେକ୍ଷୀଣ ଶରୀର ହେଲେ ହେଁ କୃଷ୍ଣେ ମତି ଥାଏ ।ଏ ପ୍ରକାରେ ବହିଗଲା କେତେହେଁକ ଦିନସେହି ବ୍ରାହ୍ମଣର ନାରୀ ବିଚାର କରିଣ ।ବିଷ୍ଣୁଙ୍କର ସଖା ଏକା ମୋ ସଖା ଅଟନ୍ତିପୂର୍ବରେ ଏମନ୍ତ କଥା ଶୁଣିଅଛି ଶ୍ରୁତି ।କିଞ୍ଚିତ ମାତ୍ରକ ଯେବେ ଦିଅନ୍ତେ ଠାକୁରଏହି ଦୁଃଖ ସମୁଦ୍ରରୁ ହୋଇଯାନ୍ତୁ ପାର ।ସେ ବ୍ରାହ୍ମଣୀ ମନମଧ୍ୟେ ଏସନ ଭାଳଇଭୟକରି ବ୍ରାହ୍ମଣକୁ କହି ନ ପାରଇ ।ଏକଦିନେ ସେ ବ୍ରାହ୍ମଣୀ ଯୋଡ଼ି ବେନିକରବୋଇଲାକ ଶୁଣ ନାଥ ମୋହର ଏ ଗିର ।ଏଥିପୂର୍ବେ ଭଗବାନ ଥିଲେ ତୁମ୍ଭ ମିତପୂର୍ବେ ମୁହିଁ ଶୁଣିଅଛି ଏମନ୍ତ ଚରିତ ।ଦ୍ୱାରକାପୁରର ନାଥ ଅଟନ୍ତି ଶ୍ରୀପତିକହିବାକୁ ଅଗୋଚର ତାହାଙ୍କ ସମ୍ପତ୍ତି ।ତାଙ୍କୁ ଭେଟିବାକୁ ତୁମ୍ଭେ ଦ୍ୱାରକାକୁ ଯାଅଆମ୍ଭ ଦରିଦ୍ର ଅବସ୍ଥା ତାଙ୍କ ଆଗେ କହ ।ଆମ୍ଭର ନିକଟ ଅଟେ ଦ୍ୱାରାବତୀ ପୁରସେଠାକୁ ଯିବା ଆମ୍ଭର ଅଟଇ ବେଭାର ।ଘରଣୀର ଏ ବଚନ ଶୁଣି ସେହି ଦ୍ୱିଜମନ ମଧ୍ୟରେ ପାଇଲା ଅତିଶୟ ଲାଜ ।ବୋଇଲା ଆମ୍ଭେ ଯଦ୍ୟପି ଯିବା ଦ୍ୱାରକାକୁକେମନ୍ତ ପ୍ରକାରେ ଯାଇ ଭେଟିବା ତାହାଙ୍କୁ ।ତ୍ରଇଲୋକ୍ୟନାଥ ସେହୁ ଏଡ଼େ ବଡ଼ ଜଣଆମ୍ଭର ବେଶ ଅଟଇ ଅତି ଦୀନହୀନ ।କେମନ୍ତ ପ୍ରକାରେ ତାଙ୍କ ଛାମୁକୁ ଗୋ ଯିବାକି ପଦାର୍ଥ ଦେଇ ତାଙ୍କ ପାଶରେ ଭେଟିବା ।ଏମନ୍ତ ବଚନ ଶୁଣି କହଇ ବ୍ରାହ୍ମଣୀସ୍ୱାମୀ ଆଗେ କରଯୋଡ଼ି ବୋଲଇ ଭୋ ସ୍ୱାମୀ ।ସେ ପ୍ରଭୁ ଅଟନ୍ତି ବ୍ରହ୍ମଜ୍ଞାନେ ଜ୍ଞାନବାନତୁମ୍ଭେ ଯିବା ମାତ୍ରକରେ ଦେବେ ଭଗବାନ ।ହସ୍ତରେ କିଛି ନେବାକୁ ବିଚାର ଯେ କରତୁମ୍ଭର ଦ୍ରବ୍ୟରେ କିସ କାର୍ଯ୍ୟ ତାହାଙ୍କର ।ତଥାପି ଯାହା ମିଳିବ ଆଣିବି ଭିଆଇଏତେକ ବୋଲି ବ୍ରାହ୍ମଣୀ ବେଗେ ଚଳିଯାଇ ।ଅକାଣ୍ଡିଆ ହୋଇଅଛି ତଣ୍ଡୁଳ ପୁଳାଏବ୍ରାହ୍ମଣୀ ମାଗିଆଣିଲା ଘର ପାଞ୍ଚଯାଏ ।ବ୍ରାହ୍ମଣର ଅଗ୍ରତରେ ନେଇ ତାକୁ ଦେଲାତାକୁ ଘେନି ଯିବା ଲାଗି ବ୍ରାହ୍ମଣୀ ବୋଇଲା ।ଅପାର କାଳର ଛିଣ୍ଡା ବସ୍ତ୍ର ଘରେ ଥିଲାତଣ୍ଡୁଳ ବାନ୍ଧିବା ପାଇଁ ତାକୁ ଆଣି ଦେଲା ।ଏଣେ ବାନ୍ଧିଲେ ତେଣେ ତ ଗଳିଣ ପଡ଼ଇବହୁତ ପରସ୍ତ କରି ବାନ୍ଧିଲା ଘେରାଇ ।ବାନ୍ଧି ବାନ୍ଧି ତାହାକୁ ସେ ମହାମୋଟ କଲାତେବେ ତହିଁରୁ ଚାଉଳ ଆଉ ନ ଗଳିଲା ।ଶ୍ରୀକୃଷ୍ଣଙ୍କର ଛାମୁକୁ ଦରଶନୀ ନେଇସମୁଦ୍ରର ନିକଟରେ ପ୍ରବେଶିଲେ ଯାଇଁ ।ସମୁଦ୍ର ପାର ହୋଇଣ ଯାଇଁ ତତ୍କ୍ଷଣାନ୍ତିଦ୍ୱାରକାପୁରରେ ଅତିବେଗେ ପ୍ରବେଶନ୍ତି ।ବଡ଼ଦାଣ୍ଡରେ ବ୍ରାହ୍ମଣ ଚଳଇ ସତ୍ୱରସେ ପୁରମଧ୍ୟେ ଦେଖଇ ଉତ୍ତମ ଆଗାର ।ବାସୁଦେବଙ୍କ ନବରେ ଯାଇଁ ପ୍ରବେଶିଲେସବୁଦ୍ୱାର ମାନ ଜିଣି ଭିତରକୁ ଗଲେ ।ଷୋଳ ସହସ୍ର ଅଟନ୍ତି କୃଷ୍ଣଙ୍କର ନାତିଶତଅଷ୍ଟୋତ୍ତର ପୁର ଭିନ୍ନ ଭିନ୍ନ ପ୍ରତି ।ତହିଁ ମଧ୍ୟରେ ଥିବାର ପୁରେକ ଦେଖିଲେବିଜେ କରିଛନ୍ତି ପ୍ରଭୁ ରୁକ୍ମିଣୀର ତୁଲେ ।ପଲ୍ୟଙ୍କ ଉପରେ ହରି ବିଜେ କରିଛନ୍ତିମଇତ୍ର ଆସନ୍ତେ ସେହୁ ଦୁରହୁଁ ଦେଖନ୍ତି ।ପଲ୍ୟଙ୍କ ଉପରୁ ବେଗେ ଓହ୍ଲାଇ ମୁରାରିସେ ବ୍ରାହ୍ମଣ ମଇତ୍ରକୁ କୋଳାଗ୍ରତ କରି ।ହର୍ଷେ ମଇତ୍ରକୁ କୋଳାଗ୍ରତ କଲେ ଯାଇଁଆନନ୍ଦାଶ୍ରୁ ତାହାଙ୍କର ନୟନୁ ବହଇ ।ବ୍ରାହ୍ମଣର ହସ୍ତ ଧରି ତହୁଁ ଘେନିଗଲେପଲ୍ୟଙ୍କ ଉପରେ ନେଇ ତାଙ୍କୁ ବସାଇଲେ ।ମିତ୍ର ବ୍ରାହ୍ମଣର ପାଦ ଧୋଇଣ ଶ୍ରୀପତିସେ ପାଦ ଉଦକ ନେଇ ଶିରରେ ସିଞ୍ଚନ୍ତି ।କର୍ପୂର କସ୍ତୁରୀ ଗନ୍ଧ ଆପଣେ ଆଣିଲେହସ୍ତେ ଘେନିଣ ତାଙ୍କର ଦେହରେ ବୋଳିଲେ ।ଭଣ୍ଡାର ଭିତରୁ ସ୍ୱର୍ଣ୍ଣ ଧୂପକାଠି ଆଣିବ୍ରାହ୍ମଣଙ୍କ ପାଖେ ଥୋଇଦେଲେ କମ୍ବୁପାଣି ।ବନ୍ଦାପନା କରି ତାଙ୍କୁ ଭିତରକୁ ନେଲେଗଡ଼ୁ ଗୋଟିଏ ନେଇଣ ଛାମୁରେ ଥୋଇଲେ ।ଶ୍ରୀକୃଷ୍ଣ ସେ ବ୍ରାହ୍ମଣକୁ ଅର୍ଚ୍ଚନା କରନ୍ତିରୁକ୍ମିଣୀ ବିଞ୍ଚଣି ଧରି ତାହାଙ୍କୁ ବିଞ୍ଚନ୍ତି ।କୁଶଳ ବାରତାମାନ ତାହାଙ୍କୁ ପୁଚ୍ଛିଲେଭୋ ମଇତ୍ର ଅଇଲଟି କହ ତୁମ୍ଭେ ଭଲେ ।ପାର୍ଶ୍ୱରେ ପରିବାରୀଏ ଉଭା ହୋଇଛନ୍ତିଏକୁ ଆରେକ ପାଖରେ ବଚନ ବୋଲନ୍ତି ।ଏଡ଼େ ବଡ଼ ଦୀନ ହୀନ ହୋଇଣ ବ୍ରାହ୍ମଣମଧ୍ୟ ଭୁବନ ମଧ୍ୟରେ ନାହିଁ ଏକ ଜଣ ।ଦେଖ ଗୋ ବ୍ରାହ୍ମଣ ଯେଉଁ ବସ୍ତ୍ର ପିନ୍ଧିଅଛିମଳିନ ବସନେ ଶଏ ଗଣ୍ଠି ପଡ଼ିଅଛି ।କ୍ଷୁଧାରେ ତାଙ୍କର ପେଟ ଯାଉଅଛି ପଶିଦେଖ ଗୋ ଦେହରେ ଶିରାମାନ ଦିଶୁଅଛି ।ଏ ବ୍ରାହ୍ମଣ ଗୋଟି କେହ୍ନେ ଭେକ ଅଛି ବହିସେବା କରନ୍ତି କେମନ୍ତେ ତ୍ରୈଲୋକ୍ୟ ଗୋସାଇଁ ।ସବୁଙ୍କର କଥାମାନ ଶୁଣୁଛନ୍ତି ହରିମିତ୍ରବରକୁ ସମସ୍ତ ବାରତା ପଚାରି ।ଆମ୍ଭର ପୂର୍ବର କଥା ଶୁଣିଛ କି ତୁମ୍ଭେଚାଟଶାଳୀରେ ତ ପଢ଼ୁଥିଲୁଁ ତୁମ୍ଭେ ଆମ୍ଭେ ।ତୁମ୍ଭର ପଢ଼ିବା କଥା ଅଛଇ ମନରଗୁରୁବାର ପାଠ ତୁମ୍ଭେ ଘେନିଲ ଅପାର ।ପାଠର ବେଭାରମାନ ସକଳ ଜାଣିଲଆମ୍ଭର ପ୍ରାୟେକ ତୁମ୍ଭେ କେବେହେଁ ନୋହିଲ ।ଆହେ ମଇତ୍ର ବିବାହ ହୋଇଛ କି ତୁମ୍ଭେକଥାଟିଏ ଏତେକାଳେ ସ୍ମରୁଅଛୁ ଆମ୍ଭେ ।ଏକଦିନେ ଗୁରୁପତ୍ନୀ ଆମ୍ଭଙ୍କୁ ବୋଇଲେତୁମ୍ଭ ଆମ୍ଭ ଦୁଇଜଣେ ବେଗେ ବରଗିଲେ ।ଗୋଛିଏ ସମିଧ ବାବୁ ଆଣ ଯାଇ ତୁମ୍ଭେଜାଣଟିକି ମଇତ୍ର ହେ ଗଲୁଁ ଆମ୍ଭେ ତୁମ୍ଭେ ।ବନସ୍ତ ମଧ୍ୟରେ ଯାଇ ପ୍ରବେଶ ହୁଅନ୍ତେସେହି ସମୟରେ ବର୍ଷା ହେଲା ଅକସ୍ମାତେ ।ପୁଣି ସେତେବେଳେ ମହାବତାସ ବହଇମେଘ ଗରଜନ ହେଉ ବିଜୁଳି ସ୍ଫୁରଇ ।ଅନ୍ଧକାର ହୁଅନ୍ତେଣ ଦିଗ ନ ଦିଶିଲାସେହି କାଳରେ ରଜନୀ ଆସି ପ୍ରବେଶିଲା ।ଆମ୍ଭେ ଦୁଇ ମଇତ୍ର ହୋ ଧରାଧରି ହୋଇମହା ଅରଣ୍ୟ ମଧ୍ୟରେ ବୁଲିଲେଟି ଯାଇଁ ।ଅନ୍ଧକାର ଯୋଗେ କେବେ ବାଟ ନ ଦିଶିଲାପୁଣି ସେତେବେଳେ ମହାନିଶା ହୋଇଥିଲା ।ଆମ୍ଭର ଗୁରୁ ଅଟନ୍ତି ବଡ଼ ଦୟାଶୀଳଆମ୍ଭଙ୍କୁ ଲୋଡ଼ିଲେ ଯାଇଁ ପ୍ରଭାତ କାଳର ।ଯେତେବେଳେ ଦ୍ୱିଜବର ଆମ୍ଭଙ୍କୁ ଦେଖିଲେସନ୍ତୋଷ ହୋଇଣ ସେହୁ ବଚନ ବୋଇଲେ ।ଆରେ ବାବୁ ତୁମ୍ଭେମାନେ ଏଡ଼େକର୍ମ କଲକାଠଛାର ଆଣିବାକୁ କିପାଁ ତୁମ୍ଭେ ଗଲ ।ଏହା କହି ପ୍ରସନ୍ନରେ ସେହି ଦ୍ୱିଜବରଦେହରେ ହାତ ବୁଲାଇ ଯାଚିଦେଲେ ବର ।ଆଶୀର୍ବାଦ କରୁଅଛୁ ବିଦ୍ୟାପ୍ରାପ୍ତ ହେଉତିନି ଜଗତରେ ତୁମ୍ଭ ଯଶ ରହିଥାଉ ।ଏ କଥା ଗୋଟି ମଇତ୍ର ସୁମର ହେ ତୁମ୍ଭେସେ କଥା ଗୋଟିକ ମନେ ରଖିଅଛୁ ଆମ୍ଭେ ।ତ୍ରି ସନ୍ଧ୍ୟାରେ ଗୁରୁଦେବ ସେବା ଯେ କରନ୍ତିତାଙ୍କ ଆଶୀର୍ବାଦେ ଯଶ ସବୁଠାରେ ପାନ୍ତି ।ଗୁରୁଙ୍କ ଚରଣେ ସେବା ଯେ ଜନ କରଇସେ ଲୋକ ହୃଦରେ ଗୁରୁ ସଦା ଥାନ୍ତି ରହି ।ଏହି କଥା ଗୋଟିକ ଯେ ଶୁଣି ଦ୍ୱିଜବରଶ୍ରୀକୃଷ୍ଣ ମୁଖକୁ ଚାହିଁ ବୋଲନ୍ତି ଉତ୍ତର ।ଆମ୍ଭର ପାଠ ପଢ଼ିବା ଯେଉଁ କଥା ପାଇଁସେହିକଥା ଆମ୍ଭର ତ ସଙ୍ଗେ ସଙ୍ଗେ ଥାଇ ।ପଢ଼ିବା ଶୁଣିବା ସାଧ୍ୟ ଆମ୍ଭେମାନେ କଲୁତୁମ୍ଭର ସଙ୍ଗତେ ବେଦ ପଢ଼ିବାକୁ ଗଲୁ ।ବ୍ରାହ୍ମଣ ବୋଇଲେ ତୁମ୍ଭେ ବେଦେ ଅଟ ଭିନ୍ନଯେଣୁକରି ତୁମ୍ଭେ ସଦା ଅଟ ଜ୍ଞାନବାନ ।ଏ ପ୍ରକାରେ ଦୁଇଜଣ କଥାଭାଷା ହ୍ୱନ୍ତିପୁଣି ହିଁ ଶ୍ରୀକୃଷ୍ଣ ଦ୍ୱିଜବରେ ପଚାରନ୍ତି ।ଭୋ ମଇତ୍ର ତୁମ୍ଭେ ବହୁ କାଳେ ଆସିଅଛଆମ୍ଭପାଇଁ ତୁମ୍ଭେ କି କି ଦ୍ରବ୍ୟ ଆଣିଅଛ ।ତାହା ଶୁଣିଣ ପଣ୍ଡାଏ କଥା ନ କହିଲେଲଜ୍ଜାପାଇ ଦ୍ୱିଜବର ମସ୍ତକ ପୋତିଲେ ।ଅନ୍ତର୍ଯ୍ୟାମୀ ମହାପ୍ରଭୁ ଜାଣନ୍ତି ସବୁ ହିଁମିତ୍ରବରକୁ ପୁଣିହିଁ ପଚାରନ୍ତି ତହିଁ ।ଆଣିବା ତଣ୍ଡୁଳ ମିତ ଲୁଚାଇଣ ଅଛବୁଜୁଳାଗୋଟି ଓଟାରି ଆଣିଲେ ଶ୍ରୀବତ୍ସ ।ଏ ଦ୍ରବ୍ୟ ମଇତ୍ର ଆଣିଅଛ ଆମ୍ଭପାଇଁଲୁଚାଇଣ ରଖିଅଛ ପଛରେ କିପାଇଁ ।ଆପେ ଶ୍ରୀକୃଷ୍ଣ କର୍ପଟି ଖଣ୍ଡ ଦେଲେ ଫେଇପୃଥୁକ ତଣ୍ଡୁଳମାନ ବନ୍ଧାଅଛି ତହିଁ ।ମହାପୃଥୁକ ଚାଉଳ ସୁସଞ୍ଚ ଗୁଡ଼ିଏଦେଖି ଆନନ୍ଦ ହୋଇଲେ ସେ ଦେବାଧିରାୟେ ।ଆମ୍ଭପାଇଁ ମଇତ୍ର ଯେ ଦ୍ରବ୍ୟ ଆଣିଅଛକାଳେ ମୁଁ ଦେଖିବି ବୋଲି ଗୁପତ କରିଛ ।ଆମ୍ଭମନ ଜାଣି ତୁମ୍ଭେ ଦ୍ରବ୍ୟ ଅଛ ଆଣିଥୋଇଛ ଲୁଚାଇ କିପାଁ ନ ଦିଅ ହେ ପୁଣି ।ତୁମ୍ଭର ପ୍ରସାଦେ ମୋତେ ଦ୍ରବ୍ୟ ବଡ଼ ନୋହିଭକ୍ତିରେ ଭକ୍ତ ଯା ଦିଏ ତାହା ପାଏ ମୁହିଁ ।ମଇତ୍ର ଅଗ୍ରତେ କୃଷ୍ଣ ଏମନ୍ତ ବୋଇଲେବାମ ହସ୍ତରେ ଶ୍ରୀକୃଷ୍ଣ ତଣ୍ଡୁଳ ଘେନିଲେ ।ଆନନ୍ଦ ମନରେ ତାହା ହସ୍ତରେ ଘେନିଣଥୋକାଏ ତଣ୍ଡୁଳ ନେଇ ଭକ୍ଷିଲେ ମୁଖେଣ ।ପୁଣି ଆବର ମୁଠାଏ ହସ୍ତରେ ଘେନିଲେଲକ୍ଷ୍ମୀଦେବୀ ଯାଇ ତାଙ୍କ ହସ୍ତୁ ଛଡ଼ାଇଲେ ।ଲକ୍ଷ୍ମୀ ବୋଇଲେ ଏତିକି ହେଉ ଭାବଗ୍ରାହୀମୁହିଁ ଏ ପାଦ ନିରତେ ସେବା କରୁଥାଇଁ ।ଆରେକ ମୁଠି ଯଦ୍ୟପି ଭୁଞ୍ଜିବଟି ତୁମ୍ଭେମୋତେ ଦୟା ଛାଡ଼ିଲକି ଦେବରାଜ ଏବେ ।ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ମୀଦେବୀ ଯାହାକି ବୋଇଲେଏକା ଶ୍ରୀକୃଷ୍ଣ ଶୁଣିଲେ ବିପ୍ର ନ ଶୁଣିଲେ ।ତହିଁ ଉତ୍ତାରେ ପୁଣିହିଁ ଦେବ ଶିରୀପତିବ୍ରାହ୍ମଣ ମିତ୍ରଙ୍କୁ ଘେନି ଭୋଜନ କରନ୍ତି ।ରଜନୀ ପ୍ରବେଶ ହ୍ୱନ୍ତେ ଏକା ପଲ୍ୟଙ୍କେଣନିଶ୍ଚିନ୍ତେ ଶୋଇଲେ ପ୍ରଭୁ ମିତ୍ରଙ୍କୁ ଘେନିଣ ।ଶ୍ରୀକୃଷ୍ଣ ସଙ୍ଗରେ ଏକା ବ୍ରାହ୍ମଣ ଶୋଇଲାଅଳପେ ଅଳପେ ମୁକ୍ତି ପ୍ରତ୍ୟକ୍ଷେ ପାଇଲା ।ପ୍ରଭାତ କାଳରେ ଦ୍ୱିଜବର ଉଠିକରିସ୍ନାହାନ ସନ୍ଧ୍ୟା ତର୍ପଣ ବେଗେ ବେଗେ ସାରି ।ଆପେ ଶ୍ରୀକୃଷ୍ଣ ବୋଲନ୍ତି ସେ ଦ୍ୱିଜବରଙ୍କୁଭୋ ମଇତ୍ର ବିଜେକର ତୁମ୍ଭର ପୁରକୁ ।ଆମ୍ଭର ଉପରେ ତୁମ୍ଭେ ଦୟା ରଖିଥିବଏହିମତି ହୋଇ ବେଳେ ବେଳେ ଆସୁଥିବ ।ଖଣ୍ଡେଦୁରଯାଏ କୃଷ୍ଣ ପଛେ ଗୋଡ଼ାଇଲେବ୍ରାହ୍ମଣଙ୍କୁ ଓଳଗିଣ ଲେଉଟି ଅଇଲେ ।ଲକ୍ଷ୍ମୀର ପାଲଟ ଅଟେ ଯେବଣ ଶ୍ରୀଅଙ୍ଗସେ ଅଙ୍ଗ ଲଗାଇ ମିତ୍ରେ ଆଉଁସି ଶ୍ରୀରଙ୍ଗ ।ଆପଣେ ଯେ ଶ୍ରୀହସ୍ତରେ ପାଦ ପଖାଳିଲେଲକ୍ଷ୍ମୀଆଗେ ଉଭାହୋଇ ଚାମର ବିଞ୍ଚିଲେ ।ବିପ୍ର ବୋଇଲେ ମୁହିଁ ତ ଭିକ୍ଷୁକ ବ୍ରାହ୍ମଣକେବଳ ଜାତିରେ ମୁହିଁ ଅଟେ ବଡ଼ପଣ ।ଏତେକରୁ ପ୍ରଭୁ ମୋତେ ଏଡ଼େକର୍ମ କରିପରମ ଦୟାଳୁ ପ୍ରଭୁ ଅଟ ହେ ମୁରାରି ।ଦରିଦ୍ର ବ୍ରାହ୍ମଣ ମୁହିଁ ଧନେ ଆଶା କଲିବ୍ରାହ୍ମଣୀର ବଚନେ ମୁଁ ଦ୍ୱାରକା ଅଇଲି ।ମୋହର ତ ଗୁଣ ନାହିଁ ଅଟେ ମୁର୍ଖମତିଶ୍ରୀଅନ୍ତର୍ଯ୍ୟାମୀ ପୁରୁଷ ଏମନ୍ତ ସେବନ୍ତି ।ଯାହାକୁ ଯେମନ୍ତ ଧନ ପାରନ୍ତି ସେ ଦେଇଲୋଭେ ନାଶଯାଏ ତାହା ଯେହୁ ନ ଚିନ୍ତଇ ।ଏମନ୍ତ ବିଚାର କରି ଚଳଇ ବାଟରେପ୍ରବେଶ ହୋଇଲା ଯାଇ ଆପଣା ଦେଶରେ ।ତହିଁ ଦେଖିଲା ବ୍ରାହ୍ମଣ ଶୋଭନୀୟ ପୁରସୂର୍ଯ୍ୟକିରଣ ତାହାକୁ ନୋହେ ପଟାନ୍ତର ।ମନ୍ଦିର ଦେଖି ବ୍ରାହ୍ମଣ ଚକିତ ହୋଇଲାଏ ପୁର ଗୋଟିକ ଏଥେ କାହୁଁ ବା ଅଇଲା ।ପୁଣିହିଁ ବିଚାର କଲା ମନମଧ୍ୟେ ତହିଁମୋହର ରହିବା ଘର ନୁହଇ ବା ଏହି ।ଏହି ପୁର ଗୋଟି କିଏ ଏଥି ଭିଆଇଲାକିବା ଏତେ ଆସି କେଉଁ ଦେବତା ରହିଲା ।ବ୍ରାହ୍ମଣୀକି କିଏ ଅବା ଏଥୁ ତଡ଼ିଦେଲାଦଇବ ପୁରୁଷ ମୋତେ ଏସନକ କଲା ।ଏଥି ଆସି ରହିଲେକି ଅତି ଉଗ୍ରଲୋକେଧାଇଁ ଧାଇଁ ଯାଅ ଆସ କରୁଛନ୍ତି ଥୋକେ ।ପଦକମାନ ହୃଦରେ ଆଭରଣ ହୋଇଦାସୀଏ ଯିବା ଆସିବା କରୁଛନ୍ତି ରହି ।ଏମନ୍ତ ପ୍ରକାରେ ଯହୁଁ ଦେଖିଲା ବ୍ରାହ୍ମଣସ୍ଥିର ନୟନେ ଚାହିଁଲା ଚକିତ ହୋଇଣ ।ଅତି ପରିମଳ ଭାବେ ବହଇ ପବନକୋମଳରେ ଶୁଭୁଅଛି କୋକିଳର ସ୍ୱନ ।ଦାସ ଦାସୀ ପରିବାରୀ ସର୍ବେ ଯାଉଥିଲେଯିବା ବେଳରେ ସେମାନେ ପଣ୍ଡାଙ୍କୁ ଦେଖିଲେ ।ଶତ ଶତ ଚାମରାଦି ପଡ଼ୁଅଛି ତହିଁଯେ ଯାହାର ମତେ ପୁରେ ପ୍ରବେଶିଲେ ଯାଇଁ ।ବ୍ରାହ୍ମଣୀ ଆଗେ କହିଲେ ଶୁଣ ସାଆନ୍ତାଣିସାବଧାନ ହୋଇ ତୁମ୍ଭେ ଶୁଣିମା ଗୋ ବାଣୀ ।ଦରିଦ୍ର ବ୍ରାହ୍ମଣ ଏକ କାହୁଁ ଆସି ଦ୍ୱାରେସନ୍ତପତି ହେଉଅଛି ତାହାର ମନରେ ।ଶୁଣିଣ ମହା ଆନନ୍ଦ ହୋଇଲେ ବ୍ରାହ୍ମଣୀତକ୍ଷଣେ ପଲ୍ୟଙ୍କ ତେଜି ଅଇଲେକ ପୁଣି ।ଦାସୀ ମାନଙ୍କୁ ଘେନିଣ ଆସନ୍ତି ତ୍ୱରିତଆନନ୍ଦରେ ନୟନରୁ ହୋଇ ଅଶ୍ରୁପାତ ।ପଦ୍ମବନୁ ଲକ୍ଷ୍ମୀ ଯେହ୍ନେ ବାହାରି ଆସନ୍ତିଦାସୀଙ୍କ ସଙ୍ଗେ ବ୍ରାହ୍ମଣୀ ତେମନ୍ତ ଦିଶନ୍ତି ।ବେଗେ ଆସିଣ ବ୍ରାହ୍ମଣୀ ପଣ୍ଡାଙ୍କୁ ଭେଟିଲେଭକ୍ତିରେ ସାଷ୍ଟାଙ୍ଗେ ପ୍ରାୟେ ପଡ଼ିଣ ଶୋଇଲେ ।ତକ୍ଷଣେ ଦୋଳା ଉପରେ ବସାଇ ପଣ୍ଡାଙ୍କୁମାନ୍ୟକରି ଘେନିଗଲେ ଘର ଭିତରକୁ ।ଦେଖିଲେ ସୁନ୍ଦର ଦିଶେ ସେହି ପୁରମାନସ୍ଫଟିକରେ ତେଜୋମୟ ଦିଶୁଅଛି ପୁଣ ।କାନ୍ଥେ ନିର୍ମିତ ହୋଇଛି ସୁବର୍ଣ୍ଣ ପିତୁଳିପୁର ମଧ୍ୟରେ ଜଳୁଛି ରତ୍ନ ଦୀପାବଳି ।ମର୍କତର ଚାଳ ସୁବର୍ଣ୍ଣର ଦିବ୍ୟ ଶେଣୀତ୍ରୋଣମାନ ଲମ୍ବିଛନ୍ତି ମୁକ୍ତାମାଳ ଜିଣି ।ତହିଁରେ ଅପୂର୍ବ ହୋଇ ରହିଛି ଚାନ୍ଦୁଆଧୂପକାଠି ମାନଙ୍କରେ ଦିଶୁଅଛି ଧୁଆଁ ।ଗଜଦନ୍ତ ପଲ୍ୟଙ୍କରେ ଲମ୍ବେ ରତ୍ନଝରାସୁପାତି ଶେଯ ଉପରେ କର୍ପୁର ପାୟେଡ଼ା ।ଏମନ୍ତ ନିର୍ମାଣ ପୁର ଦେଖିଣ ବ୍ରାହ୍ମଣପଞ୍ଚମନ ସ୍ଥିରକରି ବିଚାରଇ ପୁଣ ।କୃଷ୍ଣ ହାତ ତୋଳି ମୋତେ କିଛି ହିଁ ନ ଦେଲେଲକ୍ଷ୍ମୀ ଠାକୁରାଣୀଙ୍କି ଯେ ଆଗେ ବରଗିଲେ ।ଏଡ଼େବଡ଼ ସମ୍ପତ୍ତି ତ ମୋତେ ଦେଲେ ହରିଫେଡ଼ି ନ କହିଲେ କିଛି କଥା ମଧୁହାରୀ ।ବଡ଼ଲୋକ ପ୍ରଭୁଙ୍କର ଗୁଣ ଅଟେ ଏହିଦେଖିବା ଘେନିବା କଥା ନ ଜାଣନ୍ତି ସେହି ।ବଡ଼ଲୋକ ଯଦ୍ୟପି କି ବହୁ ଧନ ଦ୍ୟନ୍ତିଲୋକଙ୍କ ଆଗରେ କେତେବେଳେ ନ କହନ୍ତି ।କି ଅବା କେବଣ ଜନ୍ମେ ଭକ୍ତି ଥିଲା ମୋରସେହି ଭକତି ବଳରେ ଦେଲେ ଚକ୍ରଧର ।ଏମନ୍ତ ବୋଲିଣ ବିଚାରଇ ଦ୍ୱିଜବରମନ ବୁଦ୍ଧିକୁ ଥୋଇଲା ଶ୍ରୀପାଦପଦ୍ମର ।ପ୍ରତିଦିନ ସେହି ଦ୍ୱିଜ ଭଜନ କରଇଭୋଗପାଇ ଦ୍ୱିଜବର ଅସକତ ନୋହି ।କୃଷ୍ଣପାଦପଦ୍ମେ ଅବିରତ ଥାଇ ମନମହାଆନନ୍ଦ ମନରେ ବଞ୍ଚଇ ସେ ଦିନ ।ଦେହ ଥିବାଯାଏ ବେନି ଜନ ଭୋଗ କଲେଅବଶେଷରେ ସେ ଦୁହେଁ ବୈକୁଣ୍ଠ ପାଇଲେ ।ଦ୍ୱିଜ ଦାମୋଦର କଥା ଯେ ଜନ ଶୁଣଇସର୍ବପାପୁଁ ମୁକ୍ତ ହୋଇ ବୈକୁଣ୍ଠ ଲଭଇ ।ମାୟାମୋହ ସାଗରକୁ କେବେହେଁ ନ ଡରିସେହି ପ୍ରାଣୀ ତରେ କୃଷ୍ଣ ନାମ ଆଶ୍ରେ କରି ।ବଞ୍ଚିଲା ସେ ଦାମୋଦର କୃଷ୍ଣେ ଦେଇ ଚିତ୍ତସେ ପାଦେ ଶରଣ ପଶେ ଦୀନ ଯେ ଅଚ୍ୟୁତ ।କୁରୁକ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେଏଥୁ ଅନନ୍ତରେ ଯାହା କଲେ ଦେବରାୟେ ।ଦିନେ ସୂର୍ଯ୍ୟ ଅସ୍ତାଚଳ ସନ୍ନିହିତ ହୋଇସମସ୍ତେ କୁରୁକ୍ଷେତ୍ରକୁ ଗଲେକ ଚଳାଇ ।ସମସ୍ତ ଦେଶର ଲୋକ ସେ ସ୍ଥାନକୁ ଗଲେବାର୍ତ୍ତାପାଇ ଦ୍ୱାରକାରୁ ସମସ୍ତେ ଅଇଲେ ।ରାମ ଶ୍ରୀକୃଷ୍ଣ ଆବର ପିତା ବସୁଦେବପ୍ରଦ୍ୟୁମ୍ନ ସାତ୍ୟକି ତୁଲେ ଅନେକ ଯାଦବ ।ସମ୍ଭ୍ରମେ ବାହାର ହେଲେ ରାଜା ଉଗ୍ରସେନଆବର ଯେତେକ ଥିଲେ ଶ୍ରୀକୃଷ୍ଣ ନନ୍ଦନ ।ରୋହିଣୀ ଯେ ଇନ୍ଦୁମତୀ ଦେବକୀ ସହିତେଆବର ଅନ୍ତଃପୁରର କୃଷ୍ଣନାରୀ ଯେତେ ।ସମସ୍ତେ ରୁଣ୍ଡ ହୋଇଣ କୁରୁକ୍ଷେତ୍ର ଗଲେଏକା ଅନିରୁଦ୍ଧ ଦ୍ୱାରାବତୀରେ ରହିଲେ ।ଅତି ପବିତ୍ର ଅଟଇ କୁରୁକ୍ଷେତ୍ର ସ୍ଥାନତହିଁ ତପ କରିଥିଲେ ଯମଦଗ୍ନି ନାନ ।ପୃଥ୍ୱୀର ଯେତେକ କ୍ଷତ୍ରୀ ସବୁ ଧରି ନେଲେସବୁଙ୍କୁ ହାଣି ରୁଧିରେ ତର୍ପଣ ଯେ କଲେ ।ତର୍ପଣ କରିଣ ଅସ୍ଥି ପାଞ୍ଚକୁଢ଼ କରିମହାପବିତ୍ର ତୀର୍ଥ ସେ ପାପମାନ ହରି ।ଅନେକ ଯାଗ ଯଜ୍ଞାଦି ତର୍ପଣ କରିଲେକ୍ଷତ୍ରିବଧ ପାପମାନ ତହିଁ ଛଡ଼ାଇଲେ ।ପବିତ୍ର କୁରୁକ୍ଷେତ୍ର ଯେ ଭ୍ରତଖଣ୍ଡେ ଏହିସମସ୍ତ ଦେଶର ଲୋକ ପ୍ରବେଶିଲେ ତହିଁ ।ଜଗି ବସିଥିଲେ ସର୍ବେ ସୂର୍ଯ୍ୟ ଅସ୍ତବେଳେତୀର୍ଥ ଭିତରେ ପ୍ରବେଶି ସ୍ନାହାନ ସାରିଲେ ।ଅହୋରାତ୍ର ସମସ୍ତେ ହିଁ ଉପବାସେ ଥାଇକାଞ୍ଚନ ଧନ ଆବର ଗୋରୁ ଦାନ ଦେଇ ।ସମସ୍ତେହିଁ ପାରଣାକୁ ସାରି ଆରଦିନଯେଯାହାର ବାସକଲେ ବୃକ୍ଷର ତଳେଣ ।ଗଛ ମୂଳରେ ଥାଇଣ ଭେଟିଲେ ସବୁନ୍ତିଯେଉଁ ଯେଉଁ ରାଜ୍ୟ ଲୋକମାନେ ଆସିଛନ୍ତି ।ମତ୍ସ୍ୟ ମଗଧ ଆବର ମଘଦେଶ ଲୋକପଞ୍ଚାଳ ଦେଶର ମୁଳେ ଥିଲେକ ଯେତେକ ।ଅନେକ ଦେଶରୁ ଆସିଥିଲେ ନରପତିବସୁଦେବ ଆଗେ ସର୍ବେ ବଚନ କହନ୍ତି ।ତ୍ରୈଲୋକ୍ୟର ଅଧିପତି ଅଟନ୍ତି ଶ୍ରୀଧରସେହି ସିନା ହୋଇଛନ୍ତି ତୁମ୍ଭର କୁମର ।ହସିବା ବସିବା କିମ୍ବା ଭୁଞ୍ଜିବା ଶୟନେକ୍ରୀଡ଼ା ରଙ୍ଗରସ କରୁଥାନ୍ତି ଅନୁକ୍ଷଣେ ।ତୁମ୍ଭେମାନେ ଅବ୍ୟକତ ବ୍ରହ୍ମ ସଙ୍ଗ ହୋଇଅନନ୍ତ ସୁଖରେ ପାର ହେବ ଭବନଈ ।ପାଣ୍ଡବ ପାଞ୍ଚ ଭାଇଙ୍କୁ ଘେନି ଦେବୀ କୁନ୍ତୀବସୁଦେବ ଉଗ୍ରସେନ ଯାଇଣ ଭେଟନ୍ତି ।କୁନ୍ତୀ ଦେବୀଙ୍କର ଦୁଃଖ କଥାମାନ ଯେତେକହି ବସୁଦେବ ଉଗ୍ରସେନଙ୍କ ଅଗ୍ରତେ ।ଶୁଣିକରି ସେମାନେ ଯେ ପାଇ ମନେ ବ୍ୟଥାଦଇବର ଘଟସୂତ୍ର ଯେବଣ ବ୍ୟବସ୍ଥା ।ସେହି କଥା କିଏ ଅବା କରିବାକୁ ଆନସବୁଙ୍କ ଉପରେ ଦୈବ ଅଟଇ ପ୍ରଧାନ ।ସମସ୍ତେ ସେହି ଠାବରେ ଭେଟାଭେଟି ହ୍ୱନ୍ତିଏକମନେ ଶୁଣ ତୁମ୍ଭେ ପରୀକ୍ଷ ନୃପତି ।ଗୋପୁ ଆସୁଥିଲେ ନନ୍ଦ ଯଶୋଦା ସକଳଆବର ଯେତେକ ଥିଲେ ଗୋପୀ ଯେ ଗୋପାଳ ।ସମସ୍ତ ଯାଦବ ସେଠାବରୁ ଚଳିଗଲେରାମ କୃଷ୍ଣ ଦୁଇ ଭାଇ ତହିଁ ପ୍ରବେଶିଲେ ।ନନ୍ଦ ଯଶୋବନ୍ତୀଙ୍କର ପାଦସ୍ଥଳେ ଯାଇପ୍ରଣିପାତ କଲେ ରାମ କୃଷ୍ଣ ବେନିଭାଇ ।ଆନନ୍ଦରେ ଅଶ୍ରୁ ଜଳ ନୟନରୁ ବହିବକ୍ଷସ୍ଥଳ ତିନ୍ତି ତାଙ୍କ ବସ୍ତ୍ର ଓଦା ହୋଇ ।ଯଶୋବନ୍ତୀ ଯହୁଁ ରାମ କୃଷ୍ଣଙ୍କୁ ଦେଖିଲେମହାସୁଖ-ସମୁଦ୍ରରେ ନିର୍ଭରେ ବୁଡ଼ିଲେ ।ଆନନ୍ଦିତ ହେଲେ ରାମ କୃଷ୍ଣ ବେନିଭାଇଯଶୋଦା ଦେବୀ କୋଳରେ ବସାଇଲେ ନେଇ ।ଅତ୍ୟନ୍ତ ପୁଲକେ ନେତ୍ର ଅଶ୍ରୁଜଳ ବହେଗଦ ଗଦ ହ୍ୱନ୍ତେ କଣ୍ଠେ ବାକ୍ୟ ନ ସମ୍ଭାଏ ।ହର୍ଷଭରେ ଦେବୀଙ୍କର ଅଶ୍ରୁଜଳ ବହିରାମ କୃଷ୍ଣଙ୍କର ଶିରେ ପଡ଼ୁଅଛି ଯାଇ ।କିଏ କହିବ ଯଶୋଦା ଦେବୀଙ୍କର ଭାବସେ ଭାବ ଏକା ଜାଣନ୍ତି ପ୍ରଭୁ ପଦ୍ମନାଭ ।ଦେବକୀ ରୋହିଣୀ ଦେବୀ ତହିଁ ପ୍ରବେଶିଲେଯଶୋଦାଙ୍କୁ ପ୍ରବୋଧିଣ ବଚନ ବୋଇଲେ ।ଭୋ ଯଶୋଦା ଦେବୀ ତୋର ପ୍ରସାଦରେ ସିନାଦ୍ୱାରକାପୁର ସମ୍ପଦ ଅର୍ଜିଅଛୁ କିନା ।ତୋହର ପୁତ୍ର ଅଟନ୍ତି ରାମ ଦାମୋଦରମହାଦୁଃଖ ସମୁଦ୍ରରୁ ଉଦ୍ଧରିଣ ଧର ।ଏହି ସୁଖ ସମ୍ପଦ ତ ଯେତେ ଅଛୁ ପାଇଜାଣିଲେ ସବୁ ଏମାନ ତୁମ୍ଭର ଅଟଇ ।ରୁକ୍ମିଣୀ ମୁଳେ କୃଷ୍ଣର ଯେତେ ପାଟବଂଶୀଯଶୋଦା ଦେବୀଙ୍କୁ ସର୍ବେ ମାନ୍ୟକଲେ ଆସି ।ତାହାଙ୍କୁ ଦେଖି ଯଶୋଦା କୃତକୃତ୍ୟ ହୋଇଆଶୀର୍ବାଦ କରନ୍ତି ସେ ମିଷ୍ଟବାକ୍ୟ କହି ।ମାତାଙ୍କ ପାଖରୁ କୃଷ୍ଣ ଆଡ଼ ହୋଇ ଯାଇଏକାନ୍ତରେ ଗୋପୀଙ୍କି ଯେ ଭେଟି ଭାବଗ୍ରାହୀ ।ଗୋପୀଏ ଦେଖି ତାହାଙ୍କୁ ଆନନ୍ଦିତ ହେଲେଧାଇଁଆସି ଶ୍ରୀକୃଷ୍ଣଙ୍କୁ କୋଳାଗ୍ରତ କଲେ ।ଚାହିଁଣ ଗୋପୀମାନଙ୍କୁ ଭଣି ପୀତବାସସବୁକାଳେ ଅଟୁ ଆମ୍ଭେ ତୁମ୍ଭର ବିଶ୍ୱାସ ।କଂସ ରାଜାଙ୍କୁ ଭେଟିବୁ ବୋଲି ଚଳିଗଲୁକାର୍ଯ୍ୟେ ବଶୀଭୂତ ହୋଇ ଯାଇ ନ ପାରିଲୁ ।କାର୍ଯ୍ୟ ଶେଷ ହେଲେ ଆମ୍ଭେ ଅବଶ୍ୟ ହିଁ ଯିବୁଗୋପପୁରେ ପ୍ରବେଶିଣ ତୁମ୍ଭଙ୍କୁ ଭେଟିବୁ ।ତୁମ୍ଭମାନଙ୍କୁ ଆମ୍ଭେ ତ ଭେଟିଲୁ ଗୋ ଏଥିନ ଭେଟିଲେ ତୁମ୍ଭ ମନେ ଜନ୍ମନ୍ତା ଅଭକ୍ତି ।ତେଣୁ ପୂର୍ଣ୍ଣାନନ୍ଦ ନାମ ଆମ୍ଭର ଅଟଇକୀଟୁ ବ୍ରହ୍ମ ପରିଯନ୍ତେ ସର୍ବଦେହେ ଥାଇ ।ଆମ୍ଭବିନୁ ସଂସାରରେ ଆନକେହି ନାହିଁଆମ୍ଭେ ମଧ୍ୟ ତୁମ୍ଭ ଆତ୍ମା ମଧ୍ୟେ ଅଛୁ ରହି ।ଅତିଶୁଦ୍ଧ ଚଇତନ ଆବର ପବନଆନ ମତେ ଅଟୁ ଆମ୍ଭେ ପୂର୍ଣ୍ଣ ସନାତନ ।ଏମନ୍ତ ଭାବେ ଶ୍ରୀକୃଷ୍ଣ ଗୋପୀଙ୍କୁ କହିଲେସେମାନଙ୍କୁ କୃଷ୍ଣ ଜ୍ଞାନମାର୍ଗ ଦେଖାଇଲେ ।ଅତି ଆନନ୍ଦିତ ହୋଇ ଗୋପୀଏ ବୋଲନ୍ତିସାବଧାନେ ଶୁଣ ତୁମ୍ଭେ ଲକ୍ଷ୍ମୀଦେବୀ ପତି ।ତୁମ୍ଭର ପ୍ରସାଦେ ସର୍ବଜ୍ଞାନ ପ୍ରାପ୍ତ ହେଲୁଆମ୍ଭଙ୍କୁ ଏମନ୍ତ ଆଜ୍ଞା ବାସୁଦେବ ଦେଲୁ ।ଏହି ତୋହର ଅଭୟ ପାଦପଦ୍ମ କଥାଆମ୍ଭର ମନରୁ ଯେହ୍ନେ ନ ଯାଏ ସର୍ବଥା ।ତୋର ରୁପଗୋଟି ସଦା ହୃଦେ ଧରିଥିବୁତୋହର ଗୁଣ ମୁଖରେ ଗାୟନ କରିବୁ ।ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏମନ୍ତ ବୋଇଲେତେଣୁ ସେ ଗୋପୀମାନଙ୍କୁ ଏହି ଆଜ୍ଞା ଦେଲେ ।ଯାବତ ଗୋପୀଏ ଶ୍ରୀକୃଷ୍ଣଙ୍କ ସଙ୍ଗେ ଥିଲେତାବତ ସେମାନେ କୃଷ୍ଣନାମ ସୁମରିଲେ ।ଅନ୍ତଃକାଳେ ଗୋପୀମାନେ ବୈକୁଣ୍ଠକୁ ଯିବେହରି ପରିବାରୀ ହୋଇ ଭୋଗ ବିଳସିବେ ।ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃପତିପାଣ୍ଡବଙ୍କର ଭାରିଯା ଦ୍ରୌପଦୀ ଅଟନ୍ତି ।ରୁକ୍ମିଣୀ ଆଦି ଯେତେକ ପାଟବଂଶୀ ଥିଲେଆନନ୍ଦରେ ସମସ୍ତଙ୍କୁ ଦ୍ରୌପଦୀ ଭେଟିଲେ ।ଅତ୍ୟନ୍ତ ଆନନ୍ଦ ହୋଇଲେକ ସର୍ବନାରୀହରଷରେ ଦ୍ରୌପଦୀଙ୍କୁ କୋଳାଗ୍ରତ କରି ।ସବୁଙ୍କୁ ଦ୍ରୌପଦୀ ଦେବୀ କୁଶଳ ପୁଛନ୍ତିଏକୁ ଆରେକ ସଙ୍ଗେ ପୀରତି କରନ୍ତି ।ଶ୍ରୀକୃଷ୍ଣଙ୍କ ପାଟବଂଶୀମାନଙ୍କୁ ଯେ ପୁଣିପୁଣ ପୁଣ ପଚାରନ୍ତି ପାଣ୍ଡବ ଘରଣୀ ।ଷୋଳସସ୍ର ବାଳିକାରେ ପାଟବଂଶୀ ଆଠଶ୍ରୀକୃଷ୍ଣର ତୁଲେ ତୁମ୍ଭେ ଦିନରାତି ଖଟ ।କିଏ ତୁମ୍ଭେ କେଉଁ ରୂପେ ଥାଅ ଉଭାହୋଇଭଲା ଶ୍ରୀକୃଷ୍ଣଙ୍କୁ ତୁମ୍ଭେ ଅଛ ଯେ ମନାଇ ।ଏହା ଶୁଣି ଆଗସରି ରୁକ୍ମିଣୀ କହନ୍ତିମୋହର ଯେ ବଡ଼ଭାଇ ଅତି ଦୁଷ୍ଟମତି ।ମୋ ପାଇଁ ଶିଶୁପାଳକୁ ବରିଣ ଆଣିଲେବଳବନ୍ତ ରାଜାମାନେ ତାହାସଙ୍ଗେ ଥିଲେ ।ମତ୍ତହସ୍ତୀ ଦେଖି ଯେହ୍ନେ ଶିବା ଜଗିଥାଇସିଂହକୁ ଦେଖିଣ ସେହି ଯେମନ୍ତ ହୁଅଇ ।ତେମନ୍ତ ପରାୟେ ମୋତେ ପ୍ରଭୁ ଜଗିଥିଲେଅନେକ ରାଜାମାନଙ୍କୁ ସେଠାରେ ଜିଣିଲେ ।ମୋତେ ନେଇଣ ଦ୍ୱାରକାପୁରେ ବିଭାହୋଇପାଦପଦ୍ମର ଦାସୀ ମୁଁ ସର୍ବଦା ଅଟଇ ।ତୁମ୍ଭେ ଗୋ ମୋତେ ଏମନ୍ତ କଲ୍ୟାଣ କରିବତାଙ୍କ ପାଦେ ଚିତ୍ତ ମୋର ଅନୁବ୍ରତେ ଥିବ ।ତାହାଙ୍କ ପଛେ କହନ୍ତି ଦେବୀ ସତ୍ୟଭାମାମୋର କଥାରେ ଅଛଇ ବହୁତ ଗାରିମା ।ମୋର ପିତା ସମନ୍ତ୍ୟକ ମଣି ହଜାଇଲାମଣି ହଜାଇଣ ସେହୁ କୃଷ୍ଣେ ଦୋଷଦେଲା ।ପାତାଳପୁରେ ପାଇଲେ ପ୍ରଭୁ ଚକ୍ରପାଣିମୋହର ପିତା ହସ୍ତରେ ମଣି ଦେଲେ ଆଣି ।ଯାଦବଙ୍କ ସଭାରେ ମୋ ପିତା ଲଜ୍ଜା ପାଇଶ୍ରୀକୃଷ୍ଣଙ୍କୁ ବିଭା ମୋତେ ଦେଲେକ ସେ ନେଇ ।ସେହି ମଣି ପିତା ମୋର ଯଉତୁକ ଦେଲାଏମନ୍ତ ପ୍ରକାରେ ପିତା ବିଭା କରାଇଲା ।ଦ୍ୱାରକାପୁରକୁ ପ୍ରଭୁ ମୋତେ ଘେନିଗଲେପଦ୍ମପାଦ ତଳେ ଦାସୀ କରିଣ ରଖିଲେ ।ଏବେ ଏତେକ କଲ୍ୟାଣ ତୁମ୍ଭେ ମୋତେ କରଜନ୍ମେ ଜନ୍ମେ ଖଟିଥିବି ଶ୍ରୀକୃଷ୍ଣ ପୟର ।ସର୍ବଦାହିଁ ଶ୍ରୀକୃଷ୍ଣଙ୍କୁ ଆମ୍ଭେ ଭଜୁଥିବୁଁପାଦପଦ୍ମ ଧୂଳିନେଇ ଶିରେ ବୋଳୁଥିବୁ ।ରୁକ୍ମିଣୀ ସତ୍ୟଭାମା ଯେ ବଚନ କହିଲେଗୋପୀମାନେ ତାଇ ଖଣ୍ଡେଦୁରେ ଶୁଣୁଥିଲେ ।ସମସ୍ତ ଗୋପିଏ ଶୁଣି ପ୍ରଶଂସା କରନ୍ତିଧନ୍ୟ ଧନ୍ୟ ପାଟବଂଶୀ ତୁମ୍ଭ ଜୀବନଟି ।ଶ୍ରୀକୃଷ୍ଣର ଗୁଣ ନିତ୍ୟ କରୁଛ ଭଜନଅନୁବ୍ରତେ ତାଙ୍କ ଗୁଣ କରୁଛ ଗାୟନ ।ସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ରାଜନକୃଷ୍ଣ ବିଜେ କରିଛନ୍ତି କୁରୁକ୍ଷେତ୍ର ସ୍ଥାନ ।ଏ କଥା ଶୁଣି ସକଳ ଋଷିଗଣମାନେକୁରୁକ୍ଷେତ୍ର ମଣ୍ଡଳକୁ ଅଇଲେ ବହନେ ।ବ୍ୟାସ ବଶିଷ୍ଠ ମହର୍ଷି ମୁନି ପରାଶରଗାର୍ଗବ ଅଙ୍ଗିରା ଜଇମିନି ଋଷିବର ।ଭରଦ୍ୱାଜ ଭାରଦ୍ୱାଜ ମୁନି ସନାତନନାରଦଙ୍କୁ ମୁଖ୍ୟକରି ଯେତେ ତପୋଧନ ।କଣ୍ୱଋଷି ସନକ ଯେ ଆଉ ବୃହସ୍ପତିବିଶ୍ୱାମିତ୍ର ଆଦିକରି ସମସ୍ତେ ମିଳନ୍ତି ।ସର୍ବଋଷିମାନେ ଆସି କୃଷ୍ଣଙ୍କୁ ଦେଖିଲେଋଷିଗଣଙ୍କୁ ଦେଖିଣ ଶ୍ରୀକୃଷ୍ଣ ଉଠିଲେ ।ସେ ଋଷିଗଣଙ୍କ ପାଦେ ପ୍ରଣାମ କରିଣଅର୍ଘ୍ୟଦେଇ ପୂଜା କଲେ ବିନୟ ଭାବେଣ ।ମହା ହରଷ ହୋଇଣ ପୂଜନ୍ତି ମୁରାରିଋଷିଗଣ ସମସ୍ତେ ହିଁ ଜୟ ଜୟ କରି ।ଆମ୍ଭେ ଋଷିଗଣମାନେ ପବିତ୍ର ହୋଇଲୁତୁମ୍ଭ ପାଦପଦ୍ମ ଯେଣୁ ନୟନେ ଦେଖିଲୁ ।ଆମ୍ଭଙ୍କୁ ତ ତୁମ୍ଭେ ଅଛ ମାୟାରେ ଯେ ମୋହିଦଇବ ଏମନ୍ତ ମାୟା ଅଛଇ ଭିଆଇ ।ତୁମ୍ଭଙ୍କୁ ଏକମନରେ ଦେଖଇ ଯେ ନରଜନ୍ମ ଜନ୍ମାନ୍ତର ପାପ ନ ଥାଇ ତାହାର ।ଯେଉଁ ନାମ ଧରନ୍ତେଣ ପୂତ ହୁଏ ଚିତ୍ତପ୍ରାଣୀମାନେ ନାମ ଭଜି ହୁଅନ୍ତି ମୁକତ ।ଅନେକ ସ୍ତୁତି କରିଣ ମୁନିମାନେ କହିଶ୍ରୀକୃଷ୍ଣର ପଦ୍ମପାଦ ହୃଦମଧ୍ୟେ ଥୋଇ ।ଶ୍ରୀମୁଖକୁ ଚାହିଁ ଆଜ୍ଞା ମାଗି ମୁନିମାନେଯେ ଯାହାର ଆଶ୍ରମକୁ ଚଳିଲେ ବହନେ ।ଖଣ୍ଡେଦୁର ମୁନିଙ୍କର ପଛରେ ଗୋଡ଼ାଇବସୁଦେବ କରପତ୍ର ଯୋଡ଼ିଣ ଜଣାଇ ।ଲେଉଟି ଗମନ କରୁଛନ୍ତି ମୁନିବରେକର୍ମ ନ ସାରି ମୋହର ଯାଅ କି ପ୍ରକାରେ ।ଏମନ୍ତ ବଚନ ବସୁଦେବଙ୍କର ଶୁଣିମୁନିମାନେ ବିଚାରନ୍ତି ମନମଧ୍ୟେ ପୁଣି ।ଯାହାଙ୍କର ପୁତ୍ର ହୋଇଛନ୍ତି ଭଗବାନସେହି ଲୋକ କାହିଁପାଇଁ ପୁଚ୍ଛେ ବ୍ରହ୍ମଜ୍ଞାନ ।ଶୁଣିକରି ବୋଲନ୍ତି ସେ ନାରଦ ଗୋସାଇଁଜାଣିଲେହିଁ ଏହିକଥା ବୋଲିବା କିପାଇଁ ।କୃଷ୍ଣଙ୍କୁ ଜଗତ ଆତ୍ମା ବୋଲି ସେ ଜାଣଇତେବେହେଁ ସେ ପୁତ୍ରବୋଲି ସ୍ନେହ କରୁଥାଇ ।ମୁନିମାନେ ବୋଲନ୍ତି ହୋ ଶୁଣ ବସୁଦେବକୃଷ୍ଣନାମ ଗୋଟି ମୁଖେ କୀର୍ତ୍ତନ କରିବ ।ଶ୍ରୀକୃଷ୍ଣଙ୍କୁ କର୍ମମାନ ସମର୍ପଣ କଲେସଂସାର ବନ୍ଧନୁ ପ୍ରାଣୀ ମୁକ୍ତ ହୁଏ ଭଲେ ।ମାୟାମୋହେ ସଂସାରରେ ଯେବେ ଜନ୍ମ ହୋଇତିନି ପ୍ରକାର ଋଣ ଯେ ତାହାର ହୁଅଇ ।ଦେବଋଣ ଋଷିଋଣ ଆଉ ପିତୃଋଣଏମନ୍ତ ପ୍ରକାରେ ପ୍ରାଣୀଙ୍କର ତିନିଋଣ ।ଏହି ସଂସାରରେ ଯାର ସୁପୁତ୍ର ଜନ୍ମଇସେହି ପୁତ୍ର ପିତୃଋଣ ଅବଶ୍ୟ ଶୁଝଇ ।ତତ୍ତ୍ୱଜ୍ଞାନ ଉପାର୍ଜନ କରଇ ସେ ଯେବେଋଷିମାନଙ୍କର ଋଣ ଶୁଝି ପାରେ ତେବେ ।ଯେ ପୁତ୍ର ଅବଗାହନ ପ୍ରତିଦିନ କରେଦେବଋଣ ସେହି ପୁତ୍ର ନିଶ୍ଚେ ଶୁଝିପାରେ ।ଏହି ତିନିଗୋଟି କର୍ମ ଯେଉଁ ପୁତ୍ର ସାରିବାନପ୍ରସ୍ଥ ଧର୍ମ ପୁଣି ପାରଇ ଆଚରି ।ନିଃଶଂସୟ ରୂପେ କୃଷ୍ଣଙ୍କର କର୍ମ କଲେଏ ଭବସାଗରୁ ସେହି ତରିଯାଏ ଭଲେ ।ମୁନିମାନଙ୍କ ମୁଖରୁ ଶୁଣି ବସୁଦେବପୁଣ ପୁଣ ବଚନକୁ କହି ତାଙ୍କ ଠାବ ।ଏ ଭୂମିର ନାମ ଗୋଟି ଅଟେ କୁରୁକ୍ଷେତ୍ରଯାଗ କରିବା ନିମନ୍ତେ ଅଟଇ ପବିତ୍ର ।ତୁମ୍ଭେ ଋଷିଗଣମାନେ ସର୍ବେ ରୁଣ୍ଡ ହୋଇମୋହର ଏ ଯାଗ ଗୋଟି କରାଅ ଗୋସାଇଁ ।ରାମ କୃଷ୍ଣ ପିତା ଅଟନ୍ତି ତ ବସୁଦେବତାଙ୍କର ବଚନ କିଏ ଅନ୍ୟଥା କରିବ ।ବସୁଦେବଙ୍କ ଚରିତ ଶୁଣି ମୁନିମାନେତତକ୍ଷଣେ ଯାଗ ଆରମ୍ଭିଲେ ସେହିସ୍ଥାନେ ।ଉତ୍ତମ ପ୍ରକାରେ ଯାଗ ସମାଧାନ କଲେସେହିମାନଙ୍କୁ ଭୋଜନ ଦକ୍ଷିଣା ଅର୍ପିଲେ ।ଯା ପୁତ୍ର ଅଟନ୍ତି ନିଜେ ପ୍ରଭୁ ପଦ୍ମନାଭସଂସାର ମଧ୍ୟରେ ତାଙ୍କୁ କିବା ଅସମ୍ଭବ ।ଅନେକ ଦେଶର ନରପତିମାନେ ଥିଲେସେହି ନୃପତିମାନଙ୍କୁ ଭୋଜନ ସେ ଦେଲେ ।ଯେଉଁ ରାଜା ଯେ ପ୍ରକାର ଭାଜନ ଅଟଇଅଳଙ୍କାର ଆଦି କରି ଦ୍ରବ୍ୟମାନ ଦେଇ ।ଦକ୍ଷିଣା ଧନ ପାଇଣ ସର୍ବ ମୁନିମାନେବେଗ ହୋଇ ଚଳିଗଲେ ଯେ ଯାହାର ସ୍ଥାନେ ।ଏମନ୍ତ ହୋଇଣ ଚଳିଗଲେ ବିଦ୍ୟମାନେପ୍ରବେଶ ହୋଇଲେ ଯାଇ ଆପଣା ଭୁବନେ ।ହସ୍ତିନାପୁରେ ପାଣ୍ଡବମାନେ ଚଳିଗଲେଏକାହୋଇ ନନ୍ଦରାଜା ପଛକୁ ରହିଲେ ।ଅନେକ ପ୍ରକାର ସ୍ନେହ କରିଣ ଶ୍ରୀପତିନନ୍ଦ ଯଶୋଦାଙ୍କୁ କେଭେ ଛାଡ଼ି ନ ପାରନ୍ତି ।ଥୋକାଏ ଦିନ ସେମାନେ ସେ ସ୍ଥାନରେ ରହିଗୋପପୁରକୁ ଚଳିଲେ ବେଗ ବେଗ ହୋଇ ।ରାମକୃଷ୍ଣ ସହିତରେ ସର୍ବେ ଚଳିଗଲେକୁଶସ୍ଥଳୀ ଦ୍ୱାରକାରେ ଯାଇ ବିଜେ କଲେ ।ଯେଉଁ ନର ଶୁଣେ କୁରୁକ୍ଷେତ୍ର ତୀର୍ଥ କଥାଶରୀରୁ ଛାଡ଼ଇ ତାର ଭବଭୟ ବ୍ୟଥା ।ଶ୍ରୀକୃଷ୍ଣ ପାଦପଦ୍ମରେ ନିବେଶିଣ ଚିତ୍ତଅଚ୍ୟୁତ ଦାସ ଲେଖଇ ହରିବଂଶ ଗୀତ ।ସାବଧାନ ହୋଇ ଶୁଣ ରାଜା ପରୀକ୍ଷିତଇଦଂ କୁରୁକ୍ଷେତ୍ର କଥା ହେଲା ସମାପତ ।