ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୩ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାରକାରେ କୃଷ୍ଣରୂପୀ କୁଶ ପୁତ୍ତଳିକାର ଦହନ
ଏଥିଅନ୍ତେ ମନଦେଇ ଶୁଣ ପରୀକ୍ଷିତକୃଷ୍ଣ ଜାମ୍ବବାନ ଯୁଦ୍ଧ ହେଲା ଅଲୋକିତ ।ମରନ୍ତି ଉପାୟେ ପୁଣି ଜୀଇଁ ଋକ୍ଷଥାଟରୁଧିର ଉଛୁଳି ପଡ଼େ ଗର୍ତ୍ତଦ୍ୱାର ବାଟ ।ସାତ୍ୟତି ଅକ୍ରୁର ଅନାଧୃଷ୍ଟ ତହିଁ ଥିଲେବିବର ଦ୍ୱାରେ ଚଉଦ ଦିବସ ରହିଲେ ।ବୋଇଲେ ତିନି ଦିବସ କଣ୍ଟ କଲେ ହରିଲେଖନ୍ତେ ଚଉଦ ଦିନ ଆଜକୁ ଯେ ସରି ।ଭଲମନ୍ଦ ନ ପାରିଲୁ ଜାଣି ତଥ୍ୟ କଥାଏତେଦିନ ଯାଏ ଆମ୍ଭେ ନ ପାଇ ବାରତା ।ବଚନକୁ ପ୍ରତିଆଶା କରି ଏତେ ଦିନନ ପାଇଲୁ ବାରତା ନ ଦେଖି ବର୍ଣ୍ଣଚିହ୍ନ ।ଏବେ ଦେଖିଲୁ ତ ଯାହା ବିପରୀତ କଥାବାରତା ନ ପାଇଲୁ ତ କିପରି ଅବସ୍ଥା ।ବିବର ଦ୍ୱାରେ ଦେଖିଲୁ ଶୋଣିତର ଧାରବିବର ଦ୍ୱାରେ ଲହରୀ ବୁଦ୍ବୁଦ ଅପାର ।ଅମଙ୍ଗଳ କଥା କହିବାକୁ ଅଗୋଚରଏହା ଦେଖିଣ ନୋହିବ କେ ଅବା କାତର ।ସତ୍ୟବାଦୀ ପୁରୁଷ ସେ ପ୍ରଭୁ ନାରାୟଣମଣିର ନିମନ୍ତେ ଆସି ହରାଇଲେ ପ୍ରାଣ ।ଆବର ଚାହିଁବା ଆମ୍ଭେ କାହା ମୁଖ ଯାଇଅନଳେ ଝାସିବେ ନିଶ୍ଚେଁ ମରି ବିଷ ଖାଇ ।ଜଗନ୍ନାଥ ପ୍ରଭୁ ଗଲେ ଅଖଡ଼େ ବିନାଶକାହାକୁ ବୋଲିବା ଏହା ଆମ୍ଭ କର୍ମଦୋଷ ।ଉଦ୍ଧବହିଁ ନାଶଗଲା ତାଙ୍କ ସଙ୍ଗେ ରହିଆମ୍ଭେମାନେ ସଙ୍ଗତରେ ନ ଗଲୁ କିପାଇଁ ।ନାରାୟଣ ସଙ୍ଗେ ମଲେ ହୁଅନ୍ତେ ମୁକତଖଣ୍ଡନ୍ତେ ଅଶେଷ ଜନମର ଦୁଷୁକୃତ ।ଆହା କୃଷ୍ଣ ବୋଲି ଉଚ୍ଚେ ରୋଦନ ସେ କଲେରୁଧିର ଧାରା ସନ୍ନିଧେ ବେଗେ ଚଳିଗଲେ ।ଦେଖିଲ ରୁଧିର ନଦୀ ଦିଶେ ରଙ୍ଗମୟେକୁଳ ନ ଦିଶଇ ସୃଷ୍ଟି ପ୍ରସାରଣ ଯାଏ ।ତା ଦେଖି ଅଧିକେ ଉଚ୍ଚସ୍ୱରେ ଶୋକ କରିଭେଳା ବୁଡ଼ାଇ ଆମ୍ଭର ଗଲେ ନରହରି ।ମହୀଚର ଆଦିକରି ଛନ୍ତି ଯେତେ ଜୀବଆବର ଦେହରେ କାହୁଁ ଏତେ ରକ୍ତ ହେବ ।ଅଶେଷ କୋଟି ବ୍ରହ୍ମାଣ୍ଡ ଯାହା ଗର୍ଭଗତଲୁଚଇ ଯାହାର ଲୋମମୂଳେ ସିନ୍ଧୁ ସାତ ।ତାହାଙ୍କ ବ୍ୟତିରେକେ କି ଆନ ନାଶଗଲାନୋହିଲେ ଏତେ ରୁଧିର ଉଲ୍ଲୋଳ ହୋଇଲା ।ଏତେ ବୋଲି ତିନିଜଣେ ଉଚ୍ଚେ ଶୋକକରିଭେଳା ବୁଡ଼ାଇ ଆମ୍ଭର ଗଲ ନରହରି ।ପୁଣି ବିଚାରନ୍ତେ ଏଥେ କି କରିବା ଥାଇଦ୍ୱାରକା ଭୁବନେ ଚାଲ ବାର୍ତ୍ତା ଦେବା ନେଇ ।ଶକ୍ରାଜିତ କହିବାରେ ହେଲା ଏଡ଼େ କର୍ମନାଶଗଲା ଦ୍ୱାରକାର ସଞ୍ଚିତ ଧରମ ।ବସୁଦେବ ଉଗ୍ରସେନ କି ବୋଲିବେ ଶୁଣିଆବର ଶୁଣି କି ଦେହ ଧରିବେ ରୁକ୍ମଣୀ ।ଅଚଳାଚଳ ସମ୍ପଦ ଦ୍ୱାରକାରେ ଅଛିଆହା ଜଗନ୍ନାଥ ଗଲ ଆମ୍ଭଙ୍କୁ ହିଁ ମୂର୍ଚ୍ଛି ।ପରଦୁଃଖେ ଦୁଃଖୀହୋଇ ବ୍ୟାକୁଳେ ସେ ବୀରେତଦନ୍ତ ବାରତା ଘେନି ଦ୍ୱାରବତୀ ପୁରେ ।ପାଦୁକା ମନ୍ତ୍ରର ବଳେ ଚଳିଲେ ବହନଦ୍ୱାରକାପୁରେ ପ୍ରବେଶ ହେଲେ ତିନିଜଣ ।ସମସ୍ତ ଯାଦବେ ମିଳି ବସିଛନ୍ତି ଯହିଁସାତ୍ୟକି ଅକ୍ରୁର ଅନାଧୃଷ୍ଟ ମିଳି ତହିଁ ।ଉଗ୍ରସେନ ପଚାରିଲେ ପାଞ୍ଚଜଣ ଗଲତିନିଜଣ ଆସି ଦୁଇ ରଖି କି ଅଇଲ ।ପୁଣି ସ୍ୟମନ୍ତକ ମଣି କାହିଁ ଠାବ କଲନ ପାଇ ଅବା କେବଣ କୃତ୍ୟ ତୁମ୍ଭେ କଲ ।ଅକ୍ରୁର ବୋଲେ ବୁଲିଲୁ ଆମ୍ଭେ ଦେଶ ଦେଶସ୍ୱର୍ଗେ ମଞ୍ଚେ ନ ପାଇଲୁ ମଣିର ସନ୍ଦେଶ ।ପଶ୍ଚିମ ସିନ୍ଧୁର ତଟେ ଥୋକେ ଦୂର ଗଲୁପର୍ବତ ତଳେ ଯାନ୍ତେଣ ବିବର ଦେଖିଲୁ ।ଅପୂର୍ବ ସ୍ଥାନ ଦେଖିଲୁ ଅକ୍ଷବଟ ମୂଳେନିଦ୍ରା ଗଲୁ ତହିଁ ଆମ୍ଭେ ବଞ୍ଚି ରାତ୍ରକାଳେ ।ଆମ୍ଭଙ୍କୁ ବିବର ଦ୍ୱାରେ ରଖି ବ୍ରହ୍ମରାଶିଉଦ୍ଧବକୁ ଘେନି ସଙ୍ଗେ ଭିତରକୁ ପଶି ।ଯିବାବେଳେ ଆମ୍ଭଙ୍କୁ ସେ ତଦନ୍ତ କହିଲେଏହିକ୍ଷଣି ଆସିବୁ ଯେ ବୋଲିଣ ବୋଇଲେ ।ଲେଉଟି ଏକ୍ଷଣି ଯେବେ ନ ପାରିବୁ ଆସିଦିନ ଅନ୍ତଯାଏ ଏଥେ ଥିବ ନିଶ୍ଚେ ବସି ।ତଥାପି ଦିନାନ୍ତେ ଯେବେ ନୋହିବାକ ଭେଟତିନିଦିନ ପରିଯନ୍ତେ ଚାହିଁଥିବ ବାଟ ।ଏସନକ କଣ୍ଟଦେଇ ଗଲେ ଦେବହରିବିବର ଭିତରେ ତିନିବାର ସତ୍ୟକରି ।ଆମ୍ଭ ତିନିଜଣ ଛାଡି ଭିତରେ ପଶିଲେଏତେଦିନ ହୋଇଲା ସେ ବାହୁଡ଼ି ନଇଲେ ।ଅନୁସରି ଆମ୍ଭେମାନେ ଚାହିଁଥିଲୁ ବାଟଦିନକୁ ଦିନ ତହିଁରେ ଲାଗିଲା ଉଚ୍ଚାଟ ।ଦିନ ଅନୁସରି ଚକ୍ଷୁ ହୋଇଲାକ ଅନ୍ଧମନ ଧ୍ୟାନ ଅନୁକ୍ଷଣେ ଚିନ୍ତି ଶ୍ରୀଗୋବିନ୍ଦ ।ବିବର୍ଜିତ କ୍ଷୁଧା ତୃଷା ନିଦ୍ରା ଆମ୍ଭେ ତିନିଏକମନେ ଭାବିଲୁ ଯେ ଲୟଭାବ ଘେନି ।ମୁନିଜନମାନେ ଯେହ୍ନେ କରନ୍ତି ଧିଆନଯୋଗୀମାନଙ୍କର ଯୋଗମାର୍ଗେ ମନ ।ଆମ୍ଭେ ସେହିମତି ଚିନ୍ତି ଚିନ୍ତି ଦେବରାୟେଉଦ୍ଦେଶ୍ୟ ନ ପାଇ ଦିନ ଚଉଦ ଯେ ପାଏ ।ଆବର ଯେ ଦ୍ରୋହକର୍ମ କହିବା ବିଶେଷିବିବର ଭିତରେ ଗଲୁ ଥୋକେ ଦୂର ପଶି ।ଅମଙ୍ଗଳ ଯୋଗ ତହିଁ ଦେଖି ବିପରୀତସମୁଦ୍ର ଲହରୀ ପ୍ରାୟ ପୁରିଛି ରକତ ।ମନ୍ଦାର ରଙ୍ଗବର୍ଣ୍ଣ ତା ସ୍ରୋତ ଚାରିଘାଟେଝଲସି ପଡ଼ୁଅଛଇ ଗର୍ତ୍ତ ଦ୍ୱାରବାଟେ ।କେବଣ ଦାନବ କଲା କେବଣ ହିଁ ଯୁଦ୍ଧନ ଜାଣୁ କେ ନାଶକଲା ଶ୍ରୀହରି ଅବଧ୍ୟ ।ଶୁକମୁନି ବୋଇଲେ ହେ ଶୁଣ ନୃପମଣିସିଂହାସନୁଁ ଢଳି ପଡ଼ିଲେକ ବଳୀ ଶୁଣି ।କ୍ଷଣକେ ଚେତନା ପାଇ ଉଚ୍ଚେ ଶୋକ କଲେଅଗାଧ ସମୁଦ୍ରେ ଭେଳା ବୁଡ଼ିଲା ବୋଇଲେ ।ଦେବାଧି ଦେବରାୟ ତୁ ଅଟୁ ବ୍ରହ୍ମରାଶିକୌତୁକ ମାନବ ଦେହୀ ଏ ଦ୍ୱାପରେ ଆସି ।ଅସୁରଙ୍କ ମାୟା ତୁହି ଜାଣି ନ ପାରିଲୁତୁମ୍ଭଭଳି ଲୋକ ପ୍ରାଣ ଅଖଡ଼ରେ ଦେଲୁ ।ଏଡ଼େ ବଡ଼ ସମ୍ପଦ ତୁ ଅର୍ଜି ନାରାୟଣତୋର ଅଭାବେ ହୋଇଲା ସବୁ ଅକାରଣ ।ଅକଣ୍ଟକ ଲକ୍ଷ୍ମୀ ବସେ ନଗ୍ର ଦ୍ୱାରାବତୀଅଚଳାଚଳ ସମ୍ପତ୍ତି ଇନ୍ଦ୍ରଙ୍କ ବିଭୂତି ।କେଡ଼େ ବିପଦ ହରିଛୁ ତୋର ବୁଦ୍ଧି ବଳେଦ୍ରୌପଦୀର ସ୍ୱୟମ୍ବର ଦେଖିଅଛୁ ଡୋଳେ ।ଏଡ଼େ ସମ୍ପଦ ଅର୍ଜିଲୁ ହରି ଅବହେଳେସର୍ବନାଶ ଗଲା ଏବେ କର୍ମର ଅବଳେ ।ବସୁଦେବ ବଳରାମ କହି ଶୋକଭରେଦଇବ ଘଟଣା ଯାହା ଲିହିଛି କର୍ମରେ ।ରୁକ୍ମିଣୀ କାଳିନ୍ଦୀ ପାଟଶ୍ରୀୟା ସତ୍ୟବାଦୀକମଳା ବିମଳା ଆଦି ବହୁତ ଯୁବତୀ ।ସାତବଂଶ ଯାଦବେ ଚୌରାଶୀ କୋଟି ବଳଅନ୍ତଃପୁରେ ମଧ୍ୟେ ସର୍ବେ ହୋଇଲେ ବିକଳ ।ପ୍ରଳୟକାଳେ ଯେସନେ ପଡ଼େ ହାଲହୋଳିସେହିରୂପେ ଅନ୍ତଃପୁରେ ପଡ଼ଇ ବୋବାଳି ।ଦେବତାମାନଙ୍କର ଯେ ଯେତେକ ଦୁହିତୀଶ୍ରୀକୃଷ୍ଣ ଗୁଣ ବାହୁନି ରୋଦନ କରନ୍ତି ।ସାତବଂଶ ଯାଦବ ଚୌରାଶୀ କୋଟି ବଳଆହାକୃଷ୍ଣ କେଣେ ଗଲ ରୋଦନ୍ତି ସକଳ ।ଦ୍ୱାରକାରେ ସର୍ବେ ଲୋକ ପାଇଲେ ବାରତାଯେଝା ଅନୁରୂପେ ତାଙ୍କୁ ଲାଗିଲାକ ବ୍ୟଥା ।ନୟନରୁ ଅଶ୍ରୁଜଳ ବହେ ଘନ ଘନଜରା ଧାଡ଼ିରୁ ଅଧିକ ହେଲା ଗୋପ କାହ୍ନ ।ସର୍ବ ନରନାରୀ ବଜ୍ରନାଭ ଜରା ଡରେମଥୁରା ଛାଡ଼ି ରହିଲେ ଆସି ଗୋପପୁରେ ।ରହିଲୁ ଯେ ଗୋପପୁରେ ଛାଡ଼ି ଏତେ ଦୂରେଏଥୁ ପଳାଇ ରହିବା ଯାଇଁ କେଉଁ ପୁରେ ।ବିଧାତାର ଘଟସୂତ୍ର ଲିହି କପାଳରେଆଉ ରହିବାକୁ ସ୍ଥାନ ନାହିଁ ଏ ସଂସାରେ ।ଏମନ୍ତ କହିର ସର୍ବେ କରୁଛନ୍ତି ଶୋକଭାଟ ବଣିଜାର ଆଦି ଯେତେ ସ୍ଥିତି ଲୋକ ।ସାତବଂଶ ଯଦୁ ଖୁଣ୍ଟ ଆଦି ପଡ଼ିହାରୀମନ୍ତ୍ରୀ ସେବକ ରୋଦନ୍ତି ଯେ ଯାହାରେ କରି ।ଶ୍ରୀକୃଷ୍ଣ ଗୁଣ ବାହୁନି କାନ୍ଦନ୍ତି ସକଳନିରନ୍ତର ନୟନରୁ ବହେ ଅଶ୍ରୁଜଳ ।ସୁଭଦ୍ରା ଆଦି ଭଗିନୀ ଯେତେ ଭାଇମାନେକେଶବାସ ଅସମ୍ଭାଳ କାନ୍ଦି ଅନୁକ୍ଷଣେ ।ଅନନ୍ତ ଦ୍ୱାରକାନଗ୍ରେ ଲାଗେ ଚିନ୍ତା ବାଧାଭୋଜନ ନିଦ୍ରା ଶୟନେ ନାହିଁ କାର ଶ୍ରଦ୍ଧା ।ସବୁରି ମନରେ ପ୍ରତେ ଅକ୍ରୁରର ବାଣୀଶୁକମୁନି ବୋଇଲେ ହୋ ଶୁଣ ନୃପମଣି ।ଯେଉଁ ଜଗନ୍ନାଥ କଳପଣା କାମନିଧିଅଜୀବ ଜୀବେ ଯାହାର ସାଧ୍ୟ ହୋଏ ସିଦ୍ଧି ।ଜନ୍ମ ମୃତ୍ୟୁ ବିବର୍ଜିତ ରୂପରେଖ ନାହିଁପ୍ରାଣେ ମୋକ୍ଷ ନିମନ୍ତେ ଯେ ଛନ୍ତି ଦେହ ବହି ।ଯମ ମୃତ୍ୟୁପରେ ଯମ ଧର୍ମ ପରେ ଧର୍ମସେ ସିନା ଭିଆଇଛନ୍ତି ଶୁଭାଶୁଭ କର୍ମ ।ଗ୍ରହପୀଡ଼ା ରିଷ୍ଟ ରୋଗ ବାନ୍ଧି ନ ପାରିଲାଜନ ଅପବାଦ ହେଲା ପ୍ରାଣ କେଣେ ଗଲା ।ସକଳ ରାଜ୍ୟରେ ଜଣାଇଲେ ଚାରଗଣବୋଇଲେକ ନାଶ ଗଲେ ଦେବ ନାରାୟଣ ।ଶକ୍ରାଜିତ ଅର୍ଥେ ନାଶ ଗଲେ ଦେବ ହରିଏସନକ ଶବଦ ଯେ ଶୁଭେ ମଞ୍ଚପୁରୀ ।ଦୁଷ୍ଟ ରାଜାମାନେ ଶୁଣି ହୋଇଲେ ହରପନାଶ ଗଲା କୃଷ୍ଣ ଆମ୍ଭ ବଢ଼ିଲା ଆୟୁଷ ।ପ୍ରାକ୍ରମହିଁ ବଢ଼ିଲା ଯେ ବଢ଼ିଲା ସାହସଏକାଙ୍ଗେ ଭୋଗ କରିବା ଏବେ ସ୍ୱର୍ଗବାସ ।ଶାଲୁ ରାଜା ଶୁଣି ମହାନନ୍ଦେ କହେ କଥାଜାଣିଲି ଦୁର୍ଲ୍ଲଭ ଅଟେ ଶୁଣାଯିବା କଥା ।ପୁଣ ବୋଲେ ପ୍ରତେ ଲାଗୁନାହିଁ ଏହା ଶୁଣିମଲା ହଜିଲା ଏ ଦୁଇ ସମାନ ବଖାଣି ।ନିଶ୍ଚୟ ନାରାୟଣର ଦେହେ ଯେଉଁ ହରିଆଉ କିସ ଚରାଚର ରହେ ବସୁନ୍ଧରୀ ।ଏବେ ସେ ଜାଣିଲୁ କଥା ହୋଇଲାକ ମନ୍ଦଧର୍ମ ନାଶକଲା ନିଶ୍ଚେ ହୋଇଲାକ ଦ୍ୱନ୍ଦ୍ୱ ।ଥୋକେ ରାଜା ବୋଲନ୍ତି ଯେ ପ୍ରତେ ନ ଲାଗିଲାସାନ୍ଦୀପନୀ ପୁତ୍ରମାନ ଦେଇଛି ଜୀଆଲା ।ଯେ ପ୍ରଭୁ ସଂସାର କୋଟି ବ୍ରହାଣ୍ଡ ସର୍ଜିଲାସନାତନ ପୁରୁଷ ଯେ କର୍ତ୍ତା ସେ କି ମଲା ।ଥୋକେ ରାଜା ବୋଲନ୍ତି ଯେ ଦେହବନ୍ତ ହୋଇଅଛିତେଣୁ କରି ସେ ଜନଙ୍କୁ ମରଣ ହିଁ ଗଚ୍ଛି ।ପରମାନନ୍ଦ ଅଟନ୍ତି ଶୁଣି ଶୁଭାଶୁଭତେଣୁ ସେ ଲୀଳାରେ କରେ ଜନ୍ମ ମୃତ୍ୟୁଭାବ ।ଏସନକ ବିଚାରନ୍ତି ପୁର ନରନାରୀଚିନ୍ତାଭର ବ୍ୟାକୁଳରେ ହୋଇ ଯେ ଯାହାରି ।ଚଉଦଘଡ଼ି ହୋଇଛି ଏ ସମୟେ ବେଳବସୁଦେବ ଆଗେ ମିଳି ଯାଦବ ସକଳ ।ସ୍ୱ କୁଳର ପୁରୋହିତ ବର୍ଗ ତପଚାରୀକୁଶ ପିତୁଳା ରଚିଲେ ସଂକ୍ଷେପ ନ କରି ।ନଖ ମୁଖ କର ପାଦ ନାଶିକା ଉଦରବେଦର ପ୍ରମାଣେ ପ୍ରେତ ବିଧି ଯେ ପ୍ରକାର ।ନାରାୟଣ ମନ୍ତ୍ରେ ଜୀବନ୍ୟାସ ସେ କରାଇଗଜଦନ୍ତ ପଲ୍ୟଙ୍କରେ ଶୁଆଇଲେ ନେଇ ।ଦେବାଙ୍ଗ ଝୀନବସନ ଉପରେ ଘୋଡ଼ାଇଗୋମତୀ କୂଳକୁ ଶବ ନେଲେକ ବୁହାଇ ।ଆଗ ପଛରେ ବାଜଣା ବାଜେ ଅପ୍ରମିତଉଦ୍ଦଣ୍ଡ ଯେ ଏକଲକ୍ଷ ଲକ୍ଷେ ପାଟଛତ୍ର ।ମେଘଡମ୍ବରୁ ବିମାନ ଝରା ପନ୍ତି ପନ୍ତିଶ୍ମଶାନ ଭୂମିକି ସର୍ବେ ମିଳି ଘେନିଯାନ୍ତି ।ଥୋକେ ପ୍ରବେଶ ଗୋମତୀ ନଦୀ ଆରକୂଳେତତକ୍ଷଣେ ସର୍ବେ ଯାଇ ପ୍ରବେଶ ହୋଇଲେ ।ଜଳପ୍ରାପତ ନମତେ ଦେଇ ଅନ୍ନ ଜଳଦେବଦାରୁ ଚନ୍ଦନ ଯେ ଅଗୁରୁ ଗୁଗୁଳ ।ପବିତ୍ର ଗୁଆ ଘୃତରେ ଜାଳିଲେ ଅନଳଲାଗିଲା ଅନଳ ହେଲା ତେଜ ମହାବଳ ।କୁଳ ପୁରୋହିତ ବେଶ କାଳ ଯେ ଉଚ୍ଚାରିନାରାୟଣଙ୍କର ଶବ ଅନଳରେ ଭରି ।ପାରୁଶେ ବେଢ଼ି ଯାଦବ ଅନେକ ସଇନିପ୍ରଦ୍ୟୁମ୍ନର ହସ୍ତେ ଦିଆଇଲେ ମୁଖଅଗ୍ନି ।ପ୍ରଚଣ୍ଡ ଅନଳ ଜଳି ଉଠେ ଜ୍ୱଳାବଳିକେବେହେଁ ନ ପୋଡ଼ିଲା ସେ କୁଶର ପିତୁଳି ।ନାସିକା କର ଚରଣ ନଖ ମୁଖ ସଞ୍ଚାଶୁଖିଲା କୁଶପିତୁଳା ଦିଶେ ଯେହ୍ନେ କଞ୍ଚା ।ନାରାୟଣ ମନ୍ତ୍ରେ ଯହୁଁ କଲେ ଜୀବନ୍ୟାସସିଦ୍ଧ ହୋଇ ରହିଲା ନ ଜଳେ ବ୍ରହ୍ମକୁଶ ।ସିଦ୍ଧ ହୋଇ ରହିଲା ପାଦୁକା ନଦୀଘାଟେପାତାଳ ବୈକୁଣ୍ଠ ବୋଲି ଗଲା ସେହି ବାଟେ ।ଶୁକ ବୋଇଲେ ପରୀକ୍ଷ ଶୁଣ ମହାରାଜାଶ୍ରୀଭାଗବତ ସ୍ୟମନ୍ତ ମଣିର ପରିଯା ।ସରିଲା ଶ୍ମଶାନ କାର୍ଯ୍ୟ ବହ୍ନ ଶୀତଳାଇପ୍ରଦ୍ୟୁମ୍ନକୁ ସଙ୍ଗେ ଘେନି ସ୍ନାନ କଲେ ଯାଇଁ ।ଦେବକୀ ରୋହିଣୀ ଆଦି ରୁକ୍ମିଣୀର ମୂଳେରୋଦନ କଲେ ସେ ଆସି ମିଳି ନଦୀ କୂଳେ ।ସ୍ନାନ ସାରିଣ ବିଧବା ବେଶକୁ ଧଇଲେଆହାରେ ବିଧବା ବୋଲି ଉଚ୍ଚେ ଶୋକ କଲେ ।କାଢ଼ିଲେ ସର୍ବନାରୀଙ୍କ ହସ୍ତୁ ସୁନା ଚୁଡ଼ିଲୋଟଣି ଜୁଡ଼ା କବରୀ ଖୋଷା ବେଗେ କାଢ଼ି ।ଶରୀରୁ ରତନ ମାଳା ଯେତେ ଆଭରଣସବୁ କାଢ଼ିଲେ ଯୁବତୀଗଣ ମିଳି ପୁଣ ।ପାଦରୁ ନୂପୁର କାଢ଼ି ପୋଛିଲେ ଅଳତାଶୁକ୍ଳବସ୍ତ୍ର ପରିଧାନ ଭୀଷ୍ମକ ଦୁହିତା ।ଛାଡ଼ି ଅଗୁର ଚନ୍ଦନ କର୍ପୂର କସ୍ତୁରୀତଇଳ ତାମ୍ବୁଳ ତ୍ୟଜ୍ୟା କଲେ ନରନାରୀ ।ଆଉ ଯେତେ ପାଟବଂଶୀ ଅବଳା ନିସ୍ତେଜକୂଳେ ଛିଡ଼ା ହୋଇଛନ୍ତି ପାଇ ମହାଲାଜ ।ପୁନରପି ନଦୀ ମଧ୍ୟେ ପଶି ସ୍ନାନ କଲେବାସୁଦେବ ନବରକୁ ବୋଲିଣ ଅଇଲେ ।ପ୍ରଦ୍ୟୁମ୍ନର ହସ୍ତ ଧରି ଦେବୀ ଚଳି ଆଗେଉଗ୍ରସେନ ଆଦି ସର୍ବଯାଦବଙ୍କ ସଙ୍ଗେ ।ଓଦା ଲୁଗା ଓଦା ବାଳ ଅମଙ୍ଗଳ ମାନମୃତ ଶିବ ପ୍ରାୟେ ହେଇଛନ୍ତି ଜଣ ଜଣ ।ବାସୁଦେବଙ୍କୁ ଯେ ପ୍ରେତ ସାମଗ୍ରୀ ଅର୍ପିଲେସର୍ବଯାଦବେ ଯେ ଯାହା ଆଶ୍ରମକୁ ଗଲେ ।ରହିଲେ ବିଧବା ନାରୀମାନେ ଅନ୍ତଃପୁରେଶ୍ରୀକୃଷ୍ଣ ଗୁଣ ସୁମରି ରହିଲେ କାତରେ ।ବେଦଶାସ୍ତ୍ରର ପ୍ରମାଣେ କଲେ ଯଥା ବିଧିଶୀତଳ ଜଳ ସାମଗ୍ରୀମାନ ପୂର୍ବ ବିଧି ।ନବଦିନ ପିଣ୍ଡ ସେହି ବାଢ଼ି ବିଧିମତେପ୍ରେତ ଲାଗି କରାଇଲେ ନାରାୟଣ ମନ୍ତ୍ରେ ।ଦଶଦିନେ ଭଦ୍ର ହୋଇ ପିନ୍ଧ ନୂଆ ବାସସେଦିନ ରନ୍ଧନ କରି ଗୋତ୍ରେ କଲେ ଗ୍ରାସ ।ଆପଣେ ଭିଆଣ କରିଅଛନ୍ତି ଯା ହରିତେଣୁ ସେହି କର୍ମମାନ ସମସ୍ତ ଆଚରି ।ସମସ୍ତ ଯାଦବେ ଅର୍ଦ୍ଧରାତ୍ରେ ରୁଣ୍ଡ ହୋଇନାରାୟଣ ପ୍ରତିପାଏ ବାହାରକୁ ନେଇ ।ଏକଲକ୍ଷ କାଳଗଣ ଘେନି ଜନ୍ତୁପତିନାରାୟଣ ପୁରୁଷକୁ ଆବୋରି ଝଟତି ।ଦ୍ୱାଦଶ ଦିବସ ସର୍ବେ ଭୁଞ୍ଜି ଗୁଆଘୃତବାଢ଼ିଲେ ଦ୍ୱାଦଶ ପିଣ୍ଡ ହୋଇଲା ମୁକତ ।ଲକ୍ଷେ କୋଟିଏ ଶୀତଳ ବାଢ଼ି ପ୍ରତିଦିନଲକ୍ଷେକ ବିପ୍ରଙ୍କୁ ଦାନ ଦିଅନ୍ତି ଭୋଜନ ।ଲକ୍ଷେ କୋଟି ଦେବ ଆଗେ ଶୀତଳ ଦିଅନ୍ତିଅପରାଜିତା ନୃସିଂହ କବଚ ପଢ଼ନ୍ତି ।ବାରଦିନ ଷୋଡ଼ଶର ଅଛି ଯେଉଁ ବିଧିପ୍ରଦ୍ୟୁମ୍ନ ହସ୍ତରେ ତାହା ଦେଇ କଲେ ସିଦ୍ଧି ।କୁଳପୁରହିତଙ୍କୁ ତା କଲେ ସବୁ ଦାନରୁକ୍ମୁଣୀ ନନ୍ଦନ ପିଣ୍ଡ ବାଢ଼ିଲେ ପ୍ରଦ୍ୟୁମ୍ନ ।ଶ୍ରୀକୃଷ୍ଣ ମାୟାରେ ସର୍ବେ ହୋଇଛନ୍ତି ମୋହିଅଦ୍ଭୁତ ଘଟଶ ଏହା ନ ଜାଣନ୍ତି କେହି ।ସେ ମାୟାଧରଙ୍କ ପାଦେ ସଦା ମୋର ସେବାଅଚ୍ୟୁତ ଦାସ କବିକୁ ଗତି ମୁକ୍ତି ଦେବା ।
ଶ୍ରୀକୃଷ୍ଣଙ୍କ ଦ୍ୱାରା ଜାମ୍ବବାନର ପରାଜୟ ଓ ଜାମ୍ବବତୀ ସହ କୃଷ୍ଣଙ୍କର ବିଭା
ଶୁକମୁନି ବୋଲେ ଶୁଣ ପରୀକ୍ଷ ନୃପତିଅପୂର୍ବ କଥାଏ କହୁଅଛି ଦିଅ ମତି ।ଦିନକୁ ଦିନ ପ୍ରଦ୍ୟୁମ୍ନ ଯେତେ ପିଣ୍ଡ ଦେଲେଶ୍ରୀଜଗନ୍ନାଥ ସେ ସବୁ ପ୍ରାପତ ହୋଇଲେ ।ଅପୂର୍ବ ପଦାର୍ଥ ସବୁ ଭୁଞ୍ଜି ବନମାଳୀଦିନୁଦିନ ବଳବନ୍ତ ହୋଇଲେ ଉଗୁଳି ।ଜାମ୍ବବ ଜଗନ୍ନାଥର ଯୁଦ୍ଧ ଅପ୍ରମାଣମରନ୍ତି ସେ ଯୋଦ୍ଧାମାନେ ଜୀଅନ୍ତି ତକ୍ଷଣ ।ମୃତ ସଞ୍ଜିବନୀ ବଳେ ଦିବ୍ୟ ମନ୍ତ୍ର ପୋଥିସେ ସବୁ ଜାମ୍ବବ ମନ୍ତ୍ରୀ ରଖିଛି ସାଇତି ।ତ୍ରେତାଯୁଗ ମନ୍ତ୍ରପୋଥି ସାଇତି ଯେ ଥିଲେଦ୍ୱାପର ଯୁଗରେ ମହାକ୍ଷତ୍ରୀ ବୋଲାଇଲେ ।ତେଣୁ ସେ ଭୂତ ଭବିଷ୍ୟ ବର୍ତ୍ତମାନ ଜ୍ଞାତାନବନାଟକ ଅଷ୍ଟାଙ୍ଗ ଯୋଗରେ ଶକତା ।ଶ୍ରୀରାମ ତହୁଁ ଅମରବର ଅଛି ପାଇବ୍ରହ୍ମା ବାରବର୍ଷ ଯାଏ ଜନ୍ମ ମୃତ୍ୟୁ ନାହିଁ ।ବ୍ରହ୍ମା ବାରବର୍ଷ ଭୋଗ ଅନ୍ତେ ତାର ମୃତ୍ୟୁଏମନ୍ତ ଯେ ଆଜ୍ଞା ଦେଇଛନ୍ତି ରାମତତ୍ତ୍ୱୁ ।ଶ୍ରୀରାମ ଠାରୁ ଏମନ୍ତ ବର ଅଛି ପାଇତା ସଙ୍ଗେ ଦ୍ୱାପରେ ଯୋଦ୍ଧା କେହି ସମ ନାହିଁ ।ସଂଗ୍ରାମର ମାର୍ଗ ସେହୁ ଜାଣଇ ସକଳବିବେକୀ ବୁଦ୍ଧିମନ୍ତ ଯେ କ୍ଷତ୍ରୀ ମହାବଳ ।ତାହାଙ୍କ ସଙ୍ଗେ ସଂଗ୍ରାମ କରନ୍ତି ଶ୍ରୀହରିଏକୁ ଆରେକ ସଂଗ୍ରାମେ ଜାଣ ସମପରି ।ମାନବାଶର ଘେନିଣ ଦୁହେଁ ଯୁଦ୍ଧ କଲେଦେବଶର ଆଦିକରି ସମସ୍ତ ମାଇଲେ ।ଦୁହିଁଙ୍କର ଶରୀରରେ ନୁହେଁ ଶସ୍ତ୍ରଭେଦଯୁଦ୍ଧ ନ ସରିଲା ମନେ ମନେ ପାଇ ଖେଦ ।ମାଲଯୁଦ୍ଧ କଲେ ପୁଣି ଦୁହେଁ ଯେ ବିଚାରିବିନ୍ଧାଣ ଗତି କରିଣ ଯାନ୍ତି ଅପସରି ।ଗଣ୍ଠି ମୁଠି ଉଠାଇଣ ହୁଅନ୍ତି ସେ ଉଭାବିନ୍ଧ୍ୟଗିରି ମଧ୍ୟେ ମେରୁ ମନ୍ଦର କି ଶୋଭା ।ମନ୍ତ୍ରୀ ସହିତ ଯେତେକ ଥିଲେ ରାଜବଳମାଲଯୁଦ୍ଧ କରନ୍ତେ ସେ ଦେଖନ୍ତି ସକଳ ।ପଡ଼ନ୍ତି ଗଡ଼ନ୍ତି ଦୁହେଁ ହ୍ୱନ୍ତି ମରାମରିଶିରେ ଶିର ତାଡ଼ି ପୁଣ ହ୍ୱନ୍ତି କୋଡ଼ାକୋଡ଼ି ।ଭୁଜରେ ଭୁଜ ଛନ୍ଦିଣ ପାଦେ ପାଦ ଛନ୍ତିଉଚ୍ଚେ ଉଚ୍ଚ ପରିତାଳ କଣ୍ଠେ ହସ୍ତ ରୁନ୍ଧି ।ତାଡ଼ନ ମର୍ଦ୍ଦନ ଭିଡ଼ାଭିଡ଼ି ଭୁଜ ଚାରିଆକର୍ଷଣ କରି ପୁଣି ହ୍ୱନ୍ତି ମରାମରି ।ଉଠି ଲୋଟି ଘୋଟି ପାଦ ମାରନ୍ତି ଯେ କେହୁଫାଟି ତ୍ରିପଣ୍ଡ ରୁଧିର ଧାରା ବହେ ଦେହୁଁ ।ବେଳୁଁ ବେଳହୁଁ ସଂଗ୍ରାମ ବଢ଼େ ମହାବଳୀଖାଲ ଡିଙ୍ଗର ପର୍ବତ ହେଲା ସମସ୍ଥଳୀ ।ନିର୍ଘାତ ଶବଦ ପ୍ରାୟେ ବିଧା ବଜ୍ରମୁଷ୍ଟିଢଳ ଢଳ ବସୁନ୍ଧରା କମ୍ପେ ନବସୃଷ୍ଟି ।କେହୁ ତଳେ କେ ଉପରେ ବସେ ତଳୁ ଉଠିଥୋକାଏ ଦୂର ପଳାଇ ଆସନ୍ତି ଲେଉଠି ।ସଂଗ୍ରାମ ବଢ଼ିଲା ଅନୁକ୍ଷଣେ ଦିବରାତ୍ରେଖଣ୍ଡ ଖଣ୍ଡ ହୋଇ ଛିଡ଼ିପଡ଼େ ବେନିଗାତ୍ରେ ।ଆହାର ନିଦ୍ରା ମୈଥୁନେ ନାହିଁ ତାଙ୍କ ଇଚ୍ଛାପ୍ରାଣ ବିବର୍ଜିତ କଲେ ମରଣକୁ ବାଞ୍ଛା ।ଅନୁକ୍ରମରେ ବଢ଼ିଲା ପାଞ୍ଚଦିନ ରଣ ।ନାହିଁ ସ୍ନାନ ଭୋଜନାଦି ପାଞ୍ଚଦିନ ରଣ ।ଦିନକୁ ଦିନ ଶରୀର ହୋଇଲା ଦୁର୍ବଳଏକେ ଉପବାସ ଦୂଜେ ସଂଗ୍ରାମ ଜଞ୍ଜାଳ ।କେତେବେଳେ ଶ୍ରୀକୃଷ୍ଣଙ୍କୁ ମନ୍ତ୍ରୀ ବସେ ମାଡ଼ିଆଣ୍ଠୁ ଆଣ୍ଠୁ ପରିତାଳ ମୁଣ୍ଡେ ମୁଣ୍ଡ କୋଡ଼ି ।କ୍ଷଣ ଅନ୍ତେ ଜଗନ୍ନାଥ ମାଡ଼ିଣ ବସିଲେବିଚିତ୍ର ବିନ୍ଧାଣ ଦେଖି ପୁଣି ଛାଡ଼ିଦେଲେ ।ପୁଣ ବିନ୍ଧାଣ ଯୁଦ୍ଧେ ସେ ଲାଗିଲେ ଲେଉଟିଜଗନ୍ନାଥଙ୍କୁ ସେ ମାଡ଼ି ବସଇ ପାଲଟି ।ଆକ୍ରୋଶି ବକ୍ଷରେ ମାଡ଼ି ବସେ ଆଣ୍ଠୁ ଭରେମେରୁ କି ଆରୋହି ଅଛି ମନ୍ଦର ଉପରେ ।ସଂଗ୍ରାମରେ ଜୟ କଲା ମନ୍ତ୍ରୀ ମହାବଳୀତଳେ ପଡ଼ି ଜଗନ୍ନାଥ ନ ପାରିଲେ ଚଳି ।ତଳେ ଜଗନ୍ନାଥ ପ୍ରଭୁ ଉପରେ ଜାମ୍ବବତଳେ ହସ୍ତଭରି ମାଡ଼ିବସେ ଅସମ୍ଭବ ।ଏମନ୍ତେ ଦିନ ଅଢ଼ାଇ ପ୍ରହର ଯେ ଆସିକୃଷ୍ଣ ଉପରେ ଜାମ୍ବବ ଅଛି ମାଡ଼ି ବସି ।ଶୁଣ ପରୀକ୍ଷ ନୃପତି ଭଣି ଶୁକମୁନିଦ୍ୱାରକା କଥା କହିବା ଶୁଣ ମହାଜ୍ଞାନୀ ।ଦ୍ୱାରକାପୁରେ ପ୍ରଦ୍ୟୁମ୍ନ ପିଣ୍ଡଦାନ ଦେଲାସେ ଯାଇ ଶ୍ରୀକୃଷ୍ଣଙ୍କର ଶ୍ରୀହସ୍ତେ ପଡ଼ିଲା ।ପାଇଣ ସନ୍ତୋଷ ହେଲେ ସ୍ୱାମୀ ନାରାୟଣଅମୃତ ମଣୋହି ପ୍ରାୟେ ଭୁଞ୍ଜିଲେ ତକ୍ଷଣ ।ପାଇ ସ୍ୱପକ୍ୱ ଆଧାର ହୋଇଲେକ ଶାନ୍ତିହୁଁଙ୍କାର ନାଦ କରିଣ ଉଠିଲେ ଝଟତି ।ଲେଉଟି ମାଡ଼ି ବସିଲେ ଜାମ୍ବବକୁ ତଳେପକାଇ ପାଦରେ ଚାପି ତାର ବକ୍ଷସ୍ଥଳେ ।ମୁଷ୍ଟି ଆଣ୍ଟକରି ମୁଖେ ମାଇଲେକ ବିଧାନିର୍ଘାତ ଶବଦ ଶୁଣି କମ୍ପିଲେ ବିବୁଧା ।ଜାମ୍ବବ ମୁଖରେ ବଜ୍ରସମ ବିଧା ପଡ଼ିଝଡ଼ି ଦାନ୍ତସବୁ ତାର ପଡ଼ିଲା ଉପୁଡ଼ି ।ମାରନ୍ତେ ଉଞ୍ଚାଇ ବିଧା ପୁଣି ଦେବରାୟେମହା ବିଶ୍ୱରୂପ ଦେଖି ଜାମ୍ବବର ଭୟେ ।ବୋଇଲେ ମହାତମା ତୁ ନ ଚିହ୍ନିଲି ତୋତେଚରାଚର ଜୀବେ ଛନ୍ତି ତୋ ଯୋଗୁଁ ଜଗତେ ।ସାମାନ୍ୟ ନୋହୁ ଆଗହୁଁ ତୁହି ବଡ଼ ପଣକିବା ଇନ୍ଦ୍ର ଗଙ୍ଗାଧର ଦେବ ନାରାୟଣ ।ମହେନ୍ଦ୍ର ଅଙ୍ଗଦ ନଳ ନୀଳ ହନୁମାନକିବା ତୁମ୍ଭେ ଜାମ୍ବୁମାଳୀ ସୁଗ୍ରୀବ ରାଜନ ।କିବା ତୁମ୍ଭେ ରାମଚନ୍ଦ୍ର ଅଛ ଦେହ ବହିନୋହିଲେ କି ଆନବଳେ ଜିଣନ୍ତା କେ ନାହିଁ ।ଆହୋ ମହାତମା ତୁମ୍ଭେ କିଏ ମୋତେ କହଏ ତୁମ୍ଭେ ବଚନ ଶୁଣି ଫିଟୁ ମୋ ସନ୍ଦେହ ।ମୁହିଁ ସାଧ୍ୟ ହୋଇଲି ଯେ ମହାତ୍ମା ତୁମ୍ଭଙ୍କୁକି ପୌରୁଷ ଅଇଜିବ ମାରି ଏ ଜୀବକୁ ।ଜାମ୍ବବ ବଚନେ ପ୍ରଭୁ ହୋଇଲେ ସନ୍ତୋଷତକ୍ଷଣେ ଜାମ୍ବବ ଛାଡ଼ି କ୍ଷମା କଲେ ଦୋଷ ।ଦୟାଳୁ ପୁରୁଷ ସେହି ପ୍ରଭୁ ପୀତବାସସରିଲାକ ଯୁଦ୍ଧ ଜାଣ ଦୁହେଁ ହେଲେ ତୋଷ ।ଚିନ୍ତା ପାଇଲେକ ମନେ ମନେ ଯେ ଯାହାରପ୍ରୀତି ଉପୁଜାଇବାକୁ କରନ୍ତି ବିଚାର ।ଜଗନ୍ନାଥ ମୁଖ ଦେଖି ଜାମ୍ବବ ନୃପତିବୋଲେ ଦେବ ନାରାୟଣ କୁ ବିଶ୍ୱ ମୂରତି ।ସର୍ବଦା ତୁମ୍ଭ ଦାସର ଦାସ ମୁଁ ଅଟଇରାମ ଅବତାରେ ରାମ ପାଦେ ଖଟିଥାଇ ।ଏବେ ଦୃଶ୍ୟ ହେଉଛି ସେ ଶଙ୍ଖ ଚକ୍ର ଚିହ୍ନକଳି କଳୁଷ ଆଜହୁଁ ହୋଇଲା ଦହନ ।ଦିବ୍ୟ ଦୃଷ୍ଟି କରି ଚାହିଁ ହୋଇ ଅବଗତଦେଖିଲା ସ୍ୱରୂପ ରାଜେ ଶଙ୍ଖ ଚକ୍ରହସ୍ତ ।ନିସ୍ତରିଲି ବୋଲି ପାୟେ ଶୁଏ ଗଡ଼ଘାଲିଉଠି କରଯୋଡ଼ି ସ୍ତୁତି କରେ ନିସ୍ତରିଲି ।ଜୟ ଜୟ ନିରଞ୍ଜନ ନିରାକାର ସ୍ୱାମୀଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ଅନ୍ତର୍ଯ୍ୟାମୀ ।ଲକ୍ଷ୍ମୀର ବଲ୍ଲଭ ସ୍ୱାମୀ ତୁମ୍ଭେ ଦେବରାୟେପୂଜନ୍ତି ଶୁକ ସନକ ଆଦି ତୁମ୍ଭେ ପାୟେ ।ରୂପ ରେଖ ବର୍ଣ୍ଣ ଯାର ହାଦେ ଦେଖା ନାହିଁତୁମ୍ଭେ ସର୍ଜିଲ ବାସବ ଚରାଚର ମହୀ ।ଜଳ ସ୍ଥଳ ଅନଳରେ ଅଛ ତୁମ୍ଭେ ପୂରିଶୁଭାଶୁଭ କର୍ମ ତୁମ୍ଭେ ପାର ଆନକରି ।ଅକ୍ଷୟ ଅଜରାମର କଳ୍ପାନ୍ତ ପୁରୁଷଭୂତ ଭବିଷ୍ୟତ ବର୍ତ୍ତମାନ ସବୁ ଦୃଶ୍ୟ ।ଶରୀରେ ମଦ ମତ୍ସର ଅହଙ୍କାର ନାହିଁଅଛିଦ୍ର ପୁରୁଷ ତୁମ୍ଭେ ଛଦ୍ରମଧ୍ୟେ ରହି ।ରାମ ଅବତାରେ ସ୍ୱାମୀ ପାଇଲ ଯେ କଷ୍ଟକୁମାର ବୟସେ ତୁମ୍ଭେ ହେଲ ରାଜ୍ୟ ଭ୍ରଷ୍ଟ ।ଭାଇ ଭାରିଯା ସଙ୍ଗତେ ହୋଇ ବନଚାରୀଦଣ୍ଡକ ଅରଣ୍ୟେ ସୀତା ଦଶମୁଖ ହରି ।ସୀତା ଅନୁସରି ଯାନ୍ତେ ପମ୍ପାସର ତଟରୁକ୍ଷ ବାନରଙ୍କ ସଙ୍ଗେ ହେଲା ତୁମ୍ଭ ଭେଟ ।ସମୁଦ୍ରକୁ ବାନ୍ଧି ଲଙ୍କାଗଡ଼କୁ ଜିଣିଲରାବଣର ବଂଶ ନାଶି ସୀତାଙ୍କୁ ଆଣିଲ ।ସେ ଦୁଃଖ ତୁମ୍ଭର ତେଜ୍ୟା କରିବାର ପାଇଁହୋଇଛ ରଙ୍ଗାବତାର ଏ ରୂପକୁ ବହି ।ତୁମ୍ଭଙ୍କୁ ମୁହିଁ ଚଣ୍ଡାଳ ନ ପାରିଲି ଚିହ୍ନିପ୍ରଭୁଙ୍କ ସଙ୍ଗେ ନିଗ୍ରହ କଲି ମୁଁ ଅମାନି ।ତୁମ୍ଭ ସେବା କରି ମୁହିଁ ସେବକ ହେ ହରିଏହା କହି ଶତେବାର ଦଣ୍ଡବତ କରି ।ଶ୍ରୀଜଗନ୍ନାଥ ଜାମ୍ବବ ମୁଖକୁ ଅନାଇଆମ୍ଭେ ହୁଡ଼ିଲୁ ତୁମ୍ଭର କିଛି ଦୋଷ ନାହିଁ ।ଯାଦବ ସଭାରେ ଆମ୍ଭେ ପାଇ ବଡ଼ଲାଜହଜିଲା ଯେ ସ୍ୟମନ୍ତକ ମଣି ଋକ୍ଷରାଜ ।ଶୁଣିଣ ଜନମୁଖରୁ ମୁଁ ଝିଙ୍ଗାସ ବାଣୀସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ତଲାସିଲି ମଣି ।କେବଣ ଠାବରେ ମଣି ନ ପାଇଲୁ ଭେଟପର୍ବତ ତଳେ ଭେଟିଲୁ ଏ ବିବର ବାଟ ।ସାତ୍ୟକି ଅକ୍ରୁର ଅନାଧୃଷ୍ଟ ରଖି ଦ୍ୱାରେଉଦ୍ଧବକୁ ଘେନି ଆମ୍ଭେ ପଶିଲୁ ବିବରେ ।ଦେଖିଲୁ ଏ ତୁମ୍ଭ ପୁର ଅଟେ ଅକଳନାଅମର ବାରସ୍ୱତୀକୁ ଲକ୍ଷେ ଗୁଣ ଜିଣା ।କଟକେ ପଶି ଚାହିଁଲୁ ଆମ୍ଭେ ଉଦବେଗେଯାଇଣ ଭେଟିଲୁ ତୁମ୍ଭ ସିଂହଦ୍ୱାର ଲାଗେ ।ଏ ତୁମ୍ଭ ଦୁହିତା ନାମ ଅଟେ ଜାମ୍ବବତୀମଣି ଘେନି ଖେଳୁଥିଲା କନ୍ୟାଙ୍କର କତି ।ତାରଗଣ ମଧ୍ୟେ ଯେହ୍ନେ ଉଦିତ ଚନ୍ଦ୍ରମାତେସନ ସଞ୍ଜାତ ଦିଶେ ତୋର ଯେଉଁ ଜେମା ।ସ୍ୟମନ୍ତକ ଆଭରଣ ତାର କଣ୍ଠତଟେପ୍ରତ୍ୟକ୍ଷେ ଆମ୍ଭେ ଯେ ଯାହା ଦେଖିଲୁ ନିକଟେ ।ଅତିଦୁଃଖେ ଦୁଃଖୀ ଆମ୍ଭେ ଯହିଁର ନିମନ୍ତେହସ୍ତର ପଦାର୍ଥ ତାହା ଛାଡ଼ିବୁ କେମନ୍ତେ ।କନ୍ୟାହସ୍ତ ମଣି ଆମ୍ଭେ ଘେନିଲୁ ଉଛୁଡ଼ିତୁମ୍ଭ ସୈନ୍ୟମାନେ କଲେ ସଂଗ୍ରାମ ଯେ ହୁଡ଼ି ।ଆମ୍ଭେ ମଣିକୁ ନିଅନ୍ତେ ଆମ୍ଭଙ୍କୁ ସେ ମାରିଘୋର ସଂଗ୍ରାମ ହୋଇଲା କହି ତା କେ ପାରି ।ଏତେଦୂର ପରିଯନ୍ତେ ହୋଇଲା ଏ କଥାବିଧାତାର ଯୋଗ ଜାଣି ନ ପାରି ସର୍ବଥା ।କେତେ ପରିଶ୍ରମ କଲୁ ଆମ୍ଭେ ସୁସ୍ଥେ ଥାନ୍ତୁହେଉ କିବା ନୋହୁ କାର୍ଯ୍ୟ ବାର୍ତ୍ତା ଘେନିଯାନ୍ତୁ ।ଆଉ କଥାଏ ଏବେ ତୁ ଶୁଣ ନୃପନାହାସ୍ମରଣ କର ତୁ ମନେ ବାଞ୍ଛା କଲୁ ଯାହା ।ରାବଣ ମାରିଣ ଆମ୍ଭେ ଅଯୋଧ୍ୟା ଅଇଲୁଜାନକୀକୁ କୋଳେ ଘେନି ଅଭିଷେକୀ ହେଲୁ ।ଦେବଋଷି ରାଜଋଷି ବ୍ରହ୍ମଋଷି ମେଳେଗଣଗନ୍ଧର୍ବ ଦେବତା ମିଳିଲେ ସକଳେ ।ପଚିଶ ଯୂଥପତି ଯେ ଋକ୍ଷକପି ଯେତେଲଙ୍କାରାଜା ବିଭୀଷଣ ଆଉ ସୈନ୍ୟ କେତେ ।ଅଛନ୍ତି ଏ ଅଭିଷେକ ମଣ୍ଡପର କତିଶ୍ରଦ୍ଧାର ବଢ଼ିଲା ଏ କଥାରେ ତୁମ୍ଭ ମତି ।ବୋଇଲେ ବଡ଼ ଏ ଦଶରଥର ନନ୍ଦନଏହାଙ୍କ ସଙ୍ଗେ ସଂଗ୍ରାମ କରିବାକୁ ମନ ।କ୍ଷତ୍ରି ବୃତ୍ତି ସବୁ ଜାଣେ ମାରି ଶରକାଳମାଲଯୁଦ୍ଧ ଜାଣିବା କେତେ ଏହା ବଳ ।ଜାଣିଲୁ ତୁମ୍ଭର ମନକଥା ଆମ୍ଭେ ତହୁଁଏ ଯୁଗେ ସମର ଆଉ ହୋଇବ ବା କାହୁଁ ।ଦ୍ୱାପରଯୁଗେ ସମରେ ଥିବ ବାଟ ଚାହିଁଅଯୋଗେ ମିଳିବୁ ତୁମ୍ଭ ପୁରେ ଆମ୍ଭେ ଯାଇ ।ଏତେ କାଳରେ ବିଧାତା ଭେଟ କଲା ଆଣିଆମ୍ଭେ ପାସୋରିଲୁ ତୁମ୍ଭେ ନ ପାରିଲୁ ଜାଣି ।ଶୁଣି ଜାମ୍ବବ ନୁଆଁଇ କରେ ଦେଇ ମଥାବୋଲେ ଅନ୍ତର୍ଯ୍ୟାମୀ ନାଥ ଜାଣ ମନକଥା ।ତ୍ରେତାଯୁଗେ ମନେ ବାଞ୍ଛା କରିଥିଲି ଯାହାଏତେକାଳ ଯାଏ ଚିତ୍ତେ ରଖିଅଛି ତାହା ।ଏହା କହି ଜାମ୍ବବ ଶ୍ରୀଚରଣେ ପ୍ରଣମିସବୁ ଅପରାଧ କ୍ଷମା କର ଅନ୍ତର୍ଯ୍ୟାମୀ ।ମୁଁ ହୀନ ପାମର ଋକ୍ଷ ଅଟେ ପଶୁଜାତିସେ କଥା ଲାଗି ସ୍ୱାମୀ କି ଦେଲେ ଏଡ଼େ ଶାସ୍ତି ।ପର୍ବତକୁ ଟେକା ମାରି ମୁଁ ହୀନ ମନୁଷ୍ୟଏ ମୋହର ଦୋଷରେଟି ମୁହିଁ ଗଲି ନାଶ ।ନ ଜାଣିଣ ଦୋଷ କଲେ କିଛି ଦୋଷ ନାହିଁଶ୍ରୀମୁଖେ କହିଲେ ଏହି କଥା ଯଦୁସାଇଁ ।ତୁମ୍ଭେ ଆମ୍ଭର ସେବକ ଅଟ ପ୍ରାଣ ସଖାଯୋଗେଶ୍ୱର ପୁରୁଷ ତୁ ସିଦ୍ଧ ସଙ୍ଗେ ଲେଖା ।ଭୂତ ଭବିଷ୍ୟତ ବର୍ତ୍ତମାନ ଜାଣ ବୁଦ୍ଧିସର୍ବବିଦ୍ୟା ପରିପୂର୍ଣ୍ଣ ଗୁଣ ମନ୍ତ୍ର ସିଦ୍ଧି ।କରିଛ ତୁମ୍ଭେ ଅପାର ଉପକାର ଯାହାଏ ଜନମେ କିସ ଦେଇ ଶୁଝିବଇଁ ତାହା ।ପୁଲକିତ ରୋମାବଳି ହେଲେ ଦେବହରିଆସ ଆସ ବୋଲି କୋଳେ ସମ୍ଭାଷଣ କରି ।ମସ୍ତକେ ହସ୍ତ ବୁଲାଇ ପ୍ରଭୁ ବ୍ରହ୍ମରାଶିବ୍ରହ୍ମ ଷୋଡ଼ଶ ବରଷ ଯାଏ ଥାଅ ବସି ।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଷ୍ଣୁ ଆଦି କରିନରେ ରାକ୍ଷସେ ସମରେ ନୋହିବେ କେ ସରି ।ପୁତ୍ର ନାତି କୁଟୁମ୍ବାଦି ଅଚଳ ସମୃଦ୍ଧିପାତାଳୁଁ ସ୍ୱର୍ଗ ପର୍ଯ୍ୟନ୍ତେ ହୁଅ ଜମ୍ବଭେଦୀ ।ଜାମ୍ବକ ବୋଇଲା ସ୍ୱାମୀ ଦେଲୁ ମୋତେ ବରକଥାଏ ମାଗିବି ପ୍ରଭୁ ସତ୍ୟ ତୁମ୍ଭେ କର ।ଶ୍ରୀଜଗନ୍ନାଥେ ବୋଇଲେ ମାଗିବ ହେ ଯାହାତ୍ରିବାର ସତ୍ୟ ଆବର ନିଶ୍ଚେଁ ଦେହୁ ତାହା ।ଜାମ୍ବବ ବୋଲେ ଦୁହିତା ମୋର ନବଯୁବାପ୍ରଦାନ କରିବି ତୁମ୍ଭେ ହେବ ତାକୁ ବିଭା ।ମୁହିଁ ଜାଣଇ ତୁମ୍ଭଙ୍କୁ ସେ କନ୍ୟା ପ୍ରାପତଅବିବାହୀ ହୋଇଅଛି ଜାଣ ଯୁଗ ସାତ ।ଇନ୍ଦ୍ରଦେବର ଭାରିଯା ଇନ୍ଦ୍ରାଣୀ ସେ ନାରୀତାହାର ଗର୍ଭରୁ ଜାତ ହୋଇଲା କୁମାରୀ ।ରାମାବତାରେ ତୁମ୍ଭଙ୍କୁ ମନେ ବରିଥିଲୁଏକପତ୍ନୀ ବ୍ରତ ବୋଲି ଜାଣି ନ ବରିଲୁ ।ଦ୍ୱାପର ଯୁଗେ ତୁମ୍ଭଙ୍କୁ ଭେଟିଲି ହେ ହରିବିଭା ହୋଇ କନ୍ୟା ନିଅ ଦ୍ୱାରକା ନଗରୀ ।ଶ୍ରୀଜଗନ୍ନାଥ ସମ୍ମତ କଲେ ତାହା ଶୁଣିମନ୍ତ୍ରୀଙ୍କୁ ଆଜ୍ଞା ଦେଲେ ସେ ଋକ୍ଷ ରାଜମଣି ।ବିବିଧ ପଦାର୍ଥ ବିଭାପାଇଁ ଆଣ ସର୍ବଧନ ବସ୍ତ୍ର ଅଳଙ୍କାର ଉପହାର ଦ୍ରବ୍ୟ ।ତକ୍ଷଣେ ମନ୍ତ୍ରୀ ପଦାର୍ଥମାନ ନିର୍ଭାକରିବରବେଶ ହୋଇଲେକ ଆପେ ଦେବହରି ।ସୁବର୍ଣ୍ଣ ବେଦୀରେ ବିଜେ ଦେବରାଜ ସ୍ୱାମୀଦେବାଙ୍ଗ ବସ୍ତ୍ର ବେଢ଼ାଇ ଜାମ୍ବବତୀ ଆଣି ।ଜାମ୍ବବତୀ ଜାମ୍ବବ ଏ ବସି ତହିଁ ଲାଗେପଶ୍ଚିମେ ଶ୍ରୀଜଗନ୍ନାଥ ବସି ତହିଁ ଲାଗେ ।ଲକ୍ଷେ ଜୟଶଙ୍ଖ ବାଜେ ଶତେକ ମହୁରୀଢୋଲ ଟମକ ନିଶାଣ ମର୍ଦ୍ଦଳ ଯେ ଭେରୀ ।ତାଳ କଂସାଳ ଉପାଙ୍ଗ ଡିବିଡିବି କୋଟିବେଣୁ ବୀଣା ମୃଦାଙ୍ଗାଦି ବାଜେ ପରିପାଟୀ ।ଉଭୟ କୁଳ ଗୋତ୍ରକୁ ବୋଲି ଦ୍ୱିଜବରେକୁଶ ବନ୍ଧନ କରିଲେ ବରକନ୍ୟା କରେ ।ହୁଳୁହୁଳି ବନ୍ଦାପନା ଦେଇ ନାରୀଗଣେମଙ୍ଗଳ ଗୀତ ଗାବନ୍ତି ବରାଙ୍ଗନାମାନେ ।ପୂରାଇ ଡାହାଣବର୍ତ୍ତ ଶଙ୍ଖେ ତୀର୍ଥଜଳଅନେକ ଯୌତୁକ ଦେଲେ ଜାମ୍ବବ ଭୂପାଳ ।ସହସ୍ରେକ ରଥ ଅଷ୍ଟରତ୍ନରେ ପୁରାଇସମାରୋହେ ବେଦୀତଳେ ସମର୍ପିଲେ ନେଇ ।ବେନିଲକ୍ଷ ଅଶ୍ୱ ରଥ ଅଶୀଲକ୍ଷ ଗଜଲକ୍ଷେ ପରିବାରୀ ହେଲେ କରି ଦିବ୍ୟସଜ ।ଗୋ ଭୂମି ମଇଁଷୀ ଦାସୀ ଦେଲେ ସମତୁଲେକୋଟି ବର୍ଣ୍ଣେ ବସ୍ତ୍ର ଦେଲେ ଆଣି ବେଦୀ ତଳେ ।ପାତ୍ର ମନ୍ତ୍ରୀ ଅମନାତ୍ୟ ରାଜାଙ୍କ ସେବକବିଷ୍ଣୁ ପ୍ରୀତିଅର୍ଥେ ଦେଲେ ସବୁ ଯଉତୁକ ।ସରିଲା ବିଭା ବିଧାନ ସର୍ବେ ହେଲେ ତୋଷଫିଟିଲା କୁଶବନ୍ଧନ ଉଠି ହୃଷୀକେଶ ।ପୁରୋହିତ ବିଦ୍ୱଜନେ ଲାଜାହୋମ କଲେଅଗ୍ନି ପ୍ରଦକ୍ଷିଣ କରି ଘୃତ ଭୁଞ୍ଜାଇଲେ ।ଜାମ୍ବବ ବୋଲେ ଦେବାଧିଦେବଙ୍କର ରାଜାବ୍ରହ୍ମ ଇନ୍ଦ୍ର ଗଙ୍ଗାଧର କରି ତୋତେ ପୂଜା ।ଅନୁଗ୍ରହ ନାଥ ତୁମ୍ଭେ ଚିନ୍ତ୍ୟ ଚିନ୍ତାମଣିସକଳ ବ୍ରହ୍ମାଣ୍ଡ ପରେ ତୁମ୍ଭେ କ କାରେଣି ।ସର୍ବଦା ତୁମ୍ଭ ଦାସର ଅଟଇ ମୁଁ ଦାସସର୍ବ ଜୀବ ପାଳକେ ହେ ତୁମ୍ଭେ ବିଶ୍ୱବାସ ।ଦୁହିତା ଦେଇ ସମର୍ପି ଦେଲି ମୁହିଁ ତୋତେକୁଟୁମ୍ବ ସହିତେ ଦେବ ପାରିକର ମୋତେ ।ଏତେ ବୋଲି ପୁଣ ପୁଣ ଜାମ୍ବବ ଉତ୍ସୁକସ୍ୟମନ୍ତକ ମଣି ଦେଲା ଅକ୍ଷତ ଯୌତୁକ ।ସାରି ବିଭାବିଧି ସର୍ବେ ହୋଇଲେକ ତୋଷଅନ୍ତଃପୁରେ ବରକନ୍ୟା ହୋଇଲେ ପ୍ରବେଶ ।ସ୍ନାନ ସାରିଣ ଶଉଚ ହେଲେ ଦେବହରିଉଦ୍ଧବ ସଙ୍ଗେ ମଣୋହି ସ୍ଥାନେ ବିଜେକରି ।ଉତ୍ତମ ଦ୍ରବ୍ୟ ସୁପକ୍ୱ ଯୋଗାଡ଼ ବ୍ୟଞ୍ଜନଏକତ୍ର ଭୁଞ୍ଜନ୍ତି ଜାମ୍ବବତୀ ନାରାୟଣ ।ଅପୂର୍ବ ବ୍ୟଞ୍ଜନ ଶାଳୀଅନ୍ନ ଘୃତପକ୍ୱମଢ଼ଫୁଲିଏ ପରଷୁଛନ୍ତି ଏକ ଏକ ।ଭୁଞ୍ଜିଣ ତୃପତି ହେଲେ ଦେହ ନରହରିଅନେକ ଦିନର କ୍ଷୁଧା ପରିଶ୍ରମ ହରି ।ଜନମୁଖେ ନିନ୍ଦା ଶବ୍ଦ ଶୁଭିଲାକ ଯେତେଅତି ଆତଙ୍କ ହୋଇଣ ବୁଲି ତ୍ରିଜଗତେ ।ସକଳ କାର୍ଯ୍ୟ ହିଁ ହେଲା ତୋଷ ହେଲା ମନପାଟବଂଶୀ କନ୍ୟା ଲଭି ଦେହ ଭଗବାନ ।ବିଶେଷେ ଜାମ୍ବବ ସଙ୍ଗେ ହେଲା ପ୍ରୀତିଭାବଦ୍ୱାଦଶ ଦିନ ରହିଲେ ତହିଁ ବସୁଦେବ ।ଚଉଠୀ ଅଷ୍ଟମଙ୍ଗଳା ଚନ୍ଦ୍ର ବନ୍ଦାପନାବେଦଶାସ୍ତ୍ରର ପ୍ରମାଣେ ଯେସନ ରଚନା ।ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ବାସର ସଉରିସ୍ୱାତୀନକ୍ଷତ୍ର ସୌଭାଗ୍ୟ ଯୋଗ ଧରିକରି ।ରାତ୍ର ପାହାନ୍ତିରେ ଚାରେ ଜାମ୍ବବ ଜଣାଇଶ୍ରୀଜଗନ୍ନାଥ ଲେଉଟା ରଥରେ ଆରୋହି ।ଉଦ୍ଧବ ସାରଥି ହୋଇ ବାହଇ ସେ ରଥଜାମ୍ବବତୀ ଘେନି ରଥେ ବିଜେ ଜଗନ୍ନାଥ ।ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରାୟ ତାହା ମଣିଦେଖିଲେ ଯେ ଜଗନ୍ନାଥ ସଂସାର କାରେଣି ।ଆଗରେ କନ୍ୟା ପଛରେ ପ୍ରଭୁ ଆଦିମୂଳପୁରୁଷ ଉତ୍ତମ ନାହିଁ ଶୂନ୍ୟ ନାହିଁ ଠୁଳ ।ଜଳସ୍ଥଳ ଅନଳ ଏ ସବୁ ଅଛି ବହିଏହାଙ୍କର ନାଶ ଗଲେ ସଂସାର କି ରହି ।କେହି ବୋଇଲେ ନୁହନ୍ତି ଅବା ଦେବହରିକେହି ବୋଲନ୍ତି ବୁଝିବା ସିନା ତଥ୍ୟକରି ।କେ ବୋଲଇ ଇନ୍ଦ୍ର ଅବା ମାୟାଜାଲ କଲାମଲା ଲୋକ କେହି ଅବା ବାହୁଡ଼ି ଅଇଲା ।ଏ କଥା ଗୋଟି ତ ବଡ଼ ଦେଖିଲୁ ପ୍ରତ୍ୟକ୍ଷସାତ୍ୟକି ଅକ୍ରୁର ଅନାଧୃଷ୍ଟ କହି ମିଛ ।ଏତେ ବୋଲିଣ ଯାଦବେ ହରଷରେ ଚାହିଁରଥ ଉତୁରି ସଭାରେ ବିଜେ ପ୍ରଭୁ ଯାଇ ।ଜାମ୍ବବତୀକି ଉଦ୍ଧବ ଅନ୍ତଃପୁରେ ନେଲେଶ୍ରୀଜଗନ୍ନାଥ ଯାଦବେ ଏକତ୍ରେ ରହିଲେ ।ଦେବକୀ ଯେ ଇନ୍ଦୁମତୀ ସୁଭଦ୍ରା ରୋହିଣୀନିସ୍ତରିଲୁ ବୋଇଲେ ଯେ ଏ ବାରତା ଶୁଣି ।ମୃଦୁସୁଲୀ ଜଣାଇଲା ରୁକ୍ମିଣୀ ଅଗ୍ରତେମାଗୋ ଦିଶିଲା ତୋ ଭାଗ୍ୟ ବିଜେ ଜଗନ୍ନାଥେ ।ଆଣିଛନ୍ତି ସ୍ୟମନ୍ତକ ମଣି ଅନୁପମାକନ୍ୟା ଏକ ବିଭା ହୋଇ ଜାମ୍ବବତୀ ନାମା ।ଆପେ ଯାଦବ ସଭାରେ ଅଛନ୍ତି ଯେ ବସିକନ୍ୟାକୁ ଘେନି ଉଦ୍ଧବ ନଅରରେ ପଶି ।ଏ କଥା ନିଶ୍ଚୟ ଆମ୍ଭେ ଅଇଲୁଣି ଦେଖିମିଛ କଥାରେ ଗୋ ମାତ ହୋଇଅଛୁ ଦୁଃଖୀ ।ବିଧବା ଲକ୍ଷଣ ନାହିଁ ହୋଇଛ ବିରସଜନ୍ମ ସଫଳ ହୋଇଲା ପାପ ଗଲା ନାଶ ।ମୃଦୁସୁଲୀଙ୍କ ବଚନ ଶୁଣି କୃଷ୍ଣରାଣୀନିସ୍ତରିଲି ନିସ୍ତରିଲି ବୋଲି ଠାକୁରାଣୀ ।ଅନ୍ଧକୁ ପ୍ରାପତ କିବା ହେଲା ଦିବ୍ୟଚକ୍ଷୁପଥେ ସମ୍ପଦ ପାଇ କି ଦରିଦ୍ର ଯେ ଭିକ୍ଷୁ ।ଚାତକ ମୁଖେ କି ହେଲା ମେଘଜଳ ବୃଷ୍ଟିଚନ୍ଦ୍ର ଦେଖି ଯେହ୍ନେ ହର୍ଷେ କଇଁଫୁଲ ଫୁଟି ।ବୁଭୁକ୍ଷିତି ପ୍ରାଣୀ କିବା ପାଇଲା ଭୋଜନମୃତ ପିଣ୍ଡ ଗର୍ଭରେ କି ପଶିଲା ଜୀବନ ।ସମସ୍ତ ପାଟବଂଶୀ ଏ କୃଷ୍ଣ ମନୋହରୀରାମ ଜନ୍ମରେ ଯେସନେ ଅଯୋଧ୍ୟା ନଗରୀ ।ଏକୁ ଆରେକ ହରଷ ହେଲେ ସେହିପରି ।ତକ୍ଷଣେ ବେଶ ଭୂଷଣ ହେଲେ କୃଷ୍ଣ ନାରୀ ।ଲୋଟଣୀଜୁଡ଼ା ପାରି କେ ବାନ୍ଧି ମଥାବେଣୀମେଘାଡମ୍ବର ଖୋଷାକୁ ଖୋଷି ନାଗଫେଣୀ ।କର୍ଣ୍ଣେ ତଡ଼ପ ମୁକୁତା ଝରା ଫେର କାପବିବିଧ ରତନ ହାର ସପ୍ତଫେଣୀ ଧାପ ।ବିଦ ମୁଦି ତାଡ଼ ତୋଡ଼ କଙ୍କଣ ବାହୁଟିନୁପୁର ମେଖଳା ରୁଣଝୁଣ ପାଦକଟୀ ।ପିନ୍ଧି ଦେବାଙ୍ଗ ବାସନ ନାକେ ନାକଚଣାସମସ୍ତେ ସୁବେଶ ହେଲେ ଏକୁଁ ଏକ ଜିଣା ।କସ୍ତୁରୀ ଆବର ଗନ୍ଧ ପୁଷ୍ପ ପନି ପାଣିଛାଡ଼ି ବିଧବାର ବେଶ ସୁନ୍ଦରୀ କାମିନୀ ।ପଞ୍ଚରତ୍ନ ମାଣିକ୍ୟରେ ଭରି ଅର୍ଘ୍ୟସ୍ଥାଳୀଶ୍ରୀକୃଷ୍ଣଙ୍କୁ ଅନୁସରି ବସି ସର୍ବ ବାଳୀ ।ଶୁକମୁନି ବୋଲନ୍ତି ହୋ ଶୁଣ ନୃପମଣିଶ୍ରୀଭାଗବତ ପୁରାଣ ପୁଣ୍ୟମୟ ଧ୍ୱନି ।ଯାଦବଙ୍କୁ ସଙ୍ଗେ ଘେନି ଶ୍ରୀହରି ଆନନ୍ଦେଦେଖି ସାନନ୍ଦ ହୋଇଲେ ଯଦୁକୁଳ ବୃନ୍ଦେ ।କୁଶସ୍ଥଳୀ ଦ୍ୱାରକାରେ ପାଇଣ ବାରତାପରମ ସାନନ୍ଦ ହେଲେ ଛାଡ଼ି ସର୍ବ ଚିନ୍ତା ।ଛାଡ଼ିଲେ ମନ ବେଦନା ସକଳ ଯେ ଦୁଃଖଲଭିଲେ ପରମ ସୁଖ ଦେଖି ପଦ୍ମମୁଖ ।ନାରାୟଣ ବୋଇଲେକ ଉଗ୍ରସେନେ ଚାହିଁବହୁତ କଷ୍ଟ ପାଇଲି ଏହି ମଣି ପାଇଁ ।ସ୍ୱର୍ଗ ମଞ୍ଚ ପାତାଳକୁ କରି ଉପଲକ୍ଷ୍ୟଦେବ ଭଣ୍ଡାର ପ୍ରଭୃତି ଧର୍ମ କରି ସାକ୍ଷ୍ୟ ।ଖାଲ ଡିଙ୍ଗର ଅରଣ୍ୟ ଲତା ଗୁଳ୍ମମାଳସପତ ଦ୍ୱୀପା ପୃଥିବୀ ଖୋଜିଲୁ ସକଳ ।କାହିଁ ସ୍ୟମନ୍ତକ ମଣି ନ ପାଇଲୁ ଲେଶବିବର ଦ୍ୱାର ଭେଟିଲୁ ଯାଇ ସିନ୍ଧୁ ପାଶ ।ଏତିନିଙ୍କ ଦ୍ୱାରେ ରଖି ପଶିଲି ଭିତରେଉଦ୍ଧବଙ୍କୁ ସଙ୍ଗେ ନେଇ ଗଲୁ ସେ ବିବରେ ।ସୁମାର୍ଗେ ଦେଖି ଅନେକ ଦୂର ଆମ୍ଭେ ଗଲୁବାରସ୍ୱତୀ ପ୍ରାୟ ତହିଁ ପୁରେକ ଦେଖିଲୁ ।ଶ୍ରୀରାମ ମନ୍ତ୍ରୀ ଜାମ୍ବବ ତହିଁର ଯେ ରାଜାଅଚିନ୍ତା ଐଶ୍ୱର୍ଯ୍ୟେ ରହିଛନ୍ତି ଜନପ୍ରଜା ।ନଗ୍ର ପରିମଳ ଦେଖି ଗଲୁ ଏତେ ବେଗେଗଗନ୍ତେ ଯାଇଁ ମିଳିଲୁ ସିଂହଦ୍ୱାରେ ଲାଗେ ।ଦେଖିଲୁ ଜାମ୍ବବ ରାଜା ଝିଅ ଜାମ୍ବବତୀମଣି ଘେନି ଖେଳୁଅଛି କନ୍ୟାଙ୍କ ସଙ୍ଗତି ।ମନମଧ୍ୟୁ ଚିନ୍ତାଗଲା ମଣି ଦେଖିକରିକନ୍ୟାର ଗଳାରୁ ମଣି ଘେନିଲୁ ଉଛୁଡ଼ି ।ଜାମ୍ବବ ମନ୍ତ୍ରୀ ସଙ୍ଗତେ ଘୋର ଯୁଦ୍ଧ ହେଲାପରାଜୟ ପାଇ ଯାଇଁ ରାଜାଙ୍କୁ କହିଲା ।ସମଦଣ୍ଡ ଘେନି ରାଜା ଅଇଲାକ ବାହିରଥ ଗଜ ଅଶ୍ୱ ତାର କଳନା ନ ଯାଇ ।ତ୍ରେତାଯୁଗ ମଲ୍ଲ କ୍ଷତ୍ରୀ ଅଟଇ ଜାମ୍ବବଅଜରାମର ତ୍ରିବୀଜ ରାଜ୍ୟ ଅସମ୍ଭବ ।ମୃତ ସଞ୍ଜିବନୀ ମନ୍ତ୍ର ଜାଣଇ ନିର୍ଭରେମହାମନ୍ତ୍ର ପୋଥିଧାତା ଦେଇଛି ତା କରେ ।ମାଇଲେ ସେ ନ ମରନ୍ତି ଜୀଅନ୍ତି ଲେଉଟିଅପର୍ଯ୍ୟାପ୍ତ ଋକ୍ଷସୈନ୍ୟ ତାର କୋଟି କୋଟି ।ଆଧାନ ସନ୍ଧାନ ଦେବ ଶାସ୍ତ୍ର ଯାହା କଲୁସୁଦର୍ଶନ ଚକ୍ର ଶତେବା ରହିଁ ମାଇଲୁ ।କଉଣସି ଶସ୍ତ୍ର ଭେଦ ନୋହିଲା ତା ଅଙ୍ଗେବିଚାରିଣ ମାଲଯୁଦ୍ଧ କଲୁ କାର ସଙ୍ଗେ ।ଚବିଶ ଦିନ ପର୍ଯ୍ୟନ୍ତ ଲାଗିଣ ଆରେଣିଏକକୁ ଆରେକ କେହି ନ ପାରିଲୁ ଜିଣି ।ବହୁ ପରିଶ୍ରମ ଆମ୍ଭେ ପାଇ ବେନିଜନଶରୀର ପୀଡ଼ା ପାଇଲୁ ଆଶା ଛାଡ଼ି ପ୍ରାଣ ।ଆହାର ନିଦ୍ରା ମୈଥୁନ ବିବର୍ଜିତ ପୁଣିବଞ୍ଚିବା ଆଶା ଛାଡ଼ିଲୁ ମୃତ୍ୟୁ ଆଶା ଘେନି ।ଏସନ ସମୟେ କାହୁଁ ବିଧାତାର ବଳେଷଡ଼ରସ ଅନ୍ନ ମିଳେ ମୋର କରତାଳେ ।ଭଞ୍ଜନ୍ତେ ବଳ ହୋଇଲା ମନେ ପାଇ ତୁଷ୍ଟମନେ ଭାବିଲୁ ଭୋଜନ ଦେଲେ ପରମେଷ୍ଠ ।ଲେଉଟାଇ ଜାମ୍ବବକୁ ପାରି ଭୂମିତଳେଆକ୍ରୋଶି ଶତେକ ବିଧା ମାରି ବକ୍ଷସ୍ଥଳେ ।ବିଧା ଆଘାତେ ଜାମ୍ବବ ହେଲା ମୋହଗତବୋଲେ କେ ବଶ ମହାତ୍ମା କହ ମୋତେ ସତ ।ମୁଁ ଶ୍ରୀରାମ ମନ୍ତ୍ରୀ ପୂର୍ବେ ଅଛି ବର ପାଇସ୍ୱର୍ଗ ମଞ୍ଚ ପାତାଳରେ ଜିଣନ୍ତା କେ କାହିଁ ।ବ୍ରହ୍ମା ଇନ୍ଦ୍ର ଆଦି ଦିଗପାଳ ଶୂଳପାଣିଗନ୍ଧର୍ବ ମାନବ ନାଗ ନ କରିବେ ଜିଣି ।ବର୍ଣ୍ଣ ଚିହ୍ନ ଦେଖିଣ ସେ ହୋଇଲା ସନ୍ତୋଷଅପରାଧ ମାଗି ନେଲା କହି ଆମ୍ଭ ପାଶ ।କଥାର ତଦନ୍ତ ଜାଣି ଜାମ୍ବବ ନୃପତିଛାଡ଼ି ସଂଗ୍ରାମ ଆମ୍ଭଙ୍କୁ କଲା ବହୁସ୍ତୁତି ।ଆମ୍ଭେ ବୋଇଲୁ ଏ ମଣି ଅଟଇ ଆମ୍ଭରତୁମ୍ଭେ କେମନ୍ତେ ପାଇଲ କହ ନୃପବର ।ସିଂହ ପୁରୁଷେକ ମାରି ଘେନି କରେଯାଇଥିଲା ଭେଟିଲି ମୁଁ ପର୍ବତ ଉପରେ ।ସିଂହକୁ ମାରି ଆଣି ସ୍ୟମନ୍ତକ ମଣିସନ୍ତୋଷ ହୋଇଲୁ ଆମ୍ଭେ ଏ ବଚନ ଶୁଣି ।ଜାଣିଲୁ ପ୍ରସନ୍ନାଜିତ ସିଂହ ହସ୍ତେ ମଲାଜାମ୍ବବତୀ ବୋଲି ତାର ଦୁହିତାଏ ଥିଲା ।ତାକୁ ବିଭାଦେଇ ମଣି ଦେଲା ଯଉତୁକଗଉରବ କଲା ମନ୍ତ୍ରୀ ଆମ୍ଭଙ୍କୁ ଅନେକ ।ବାରି ବସ ରହିଲୁ ଚଉରବ ପାଇଜାମ୍ବବତୀକୁ ଘେନିଣ ଅଇଲଇଁ ମୁହିଁ ।ସାତ୍ୟକି ଅକ୍ରୁର ଅନାଧୃଷ୍ଟ ରୁହାଇଲୁବାହୁଡ଼ି ଆସନ୍ତେ ତାଙ୍କୁ ତହିଁ ନ ଭେଟିଲୁ ।ଶ୍ରୀଜଗନ୍ନାଥ ଉକତି ପୁଣି ହଳପାଣିଇଦଂ ପ୍ରତିବାକ୍ୟ କହି ଶୁଣ ଚକ୍ରପାଣି ।ସାତ୍ୟକି ଅକ୍ରୁର ଅନାଧୃଷ୍ଟ ମନ୍ଦବାଣୀଶୁଣିଣ ଆମ୍ଭେ ରୋଦନ କଲୁ ପୁଣ ପୁଣି ।ଏହାଙ୍କ କହତେ ପୁର ହେଲା ହାଲହୋଳିଅକଣ୍ଟକ ଦ୍ୱାରକାରେ ପଡ଼ିଲା ବୋବାଳି ।ଅଶୁଭ ବିଧବା ରୂପ ଅନ୍ତଃପୁରେ ନାରୀଶୋକ ସନ୍ତାପ ସାଗରେ ଆମ୍ଭେ ହେଲୁ ଘାରି ।ଶକ୍ରାଜିତ ଯୋଗୁଁ ସିନା ହେଲା ଏତେ ମନ୍ଦଅନିମିତ୍ତେ ଦୋଷ ଦେଇ କଲେ ଏତେ ଦ୍ୱନ୍ଦ୍ୱ ।କହୁଁ କ୍ରୋଧ କଲେ ସେ ଦେବାଧି ଦେବରାଜେରତ୍ନପାଦୁକା ଛାଡ଼ିଣ ପୟରରେ ବିଜେ ।ସର୍ବ ଯାଦବେ ଗହଣେ ଛନ୍ତି ଅଗସରିହରଷିତ ବୃଷ୍ଟିପାଦ ଦ୍ୱାରକା ନଗରୀ ।ଆନନ୍ଦ ଦେଖନ୍ତି ଦ୍ୱାରକାର ନରନାରୀଉଦ୍ଧବର କରେ କର ଦେଇ ବିଜେ ହରି ।ଅର୍ଘ୍ୟସ୍ଥାଳୀ କରେ ଘେନି ବିଜେ ଇନ୍ଦୁମତିଶ୍ରୀକୃଷ୍ଣଙ୍କ ଶିରେ ଅର୍ଘ୍ୟ ଘେନିଣ ବନ୍ଦାବନ୍ତି ।ଆବର ଶ୍ରୀକୃଷ୍ଣଙ୍କର ଯେତେ ମନୋହାରୀରୁକ୍ମିଣୀ ରେବତୀ ସଙ୍ଗେ ଘେନି ପରିବାରୀ ।କାଳିନ୍ଦୀ ଶ୍ରୀୟା ତୁଳସୀ ଆଦି ଜାମ୍ବବତୀସର୍ବ କନ୍ୟାମାନେ ଅର୍ଘ୍ୟ ଘେନିଣ ବନ୍ଦାନ୍ତି ।ଜୟ ମଙ୍ଗଳ ମହୁରି ବାଜେ ଅପ୍ରମିତଭିତର ପୁରକୁ ବିଜେ କଲେ ଜଗନ୍ନାଥ ।ଦିବାକର ଅସ୍ତଯାନ୍ତେ ହୋଇଲା ରଜନୀନିତ୍ୟକର୍ମ ସାରି ବିଜେ କଲେ ଚକ୍ରପାଣି ।ସୁପକ୍ୱ ଅନ୍ନ ଭୁଞ୍ଜନ୍ତି ବସି ଦେବରାୟେଆଚମନ ସାରି ପ୍ରଭୁ ପଲ୍ୟଙ୍କେ ବିଜୟେ ।ସମସ୍ତ ଯାଦବେ ତହିଁ ଉଭା ହୋଇଥିଲେଶକ୍ରାଜିତକୁ ଚାହିଁଣ ବାକ୍ୟ ଉଚ୍ଚାରିଲେ ।ଆସ ଆସ ଶକ୍ରାଜିତ ତୁମ୍ଭ ମଣି ଦେଖଏ ମଣି ଯୋଗୁଁ ପାଇଲୁ ଆମ୍ଭେ ଏତେ ଦୁଃଖ ।ଏ ମଣିକି ଘେନି ତୁମ୍ଭେ ନିଜପୁରେ ଯାଅଏକାନ୍ତ ବାଣୀ କହିଲେ ପ୍ରଭୁ ଦେବରାୟ ।ତାହା ଶୁଣି ଶକ୍ରାଜିତ ବୋଲେ ଏ ବଚନଏ ମଣିଗୋଟି ତୁମ୍ଭଙ୍କୁ ଦେଲି ଭଗବାନ ।ଆଗହୁଁ ଯେବେ ଏ ମଣି ଦିଆ ହୋଇଥାନ୍ତାମୋ ଭାଇ ପ୍ରସନ୍ନାଜିତ କିପାଇଁ ମରନ୍ତା ।ଦେଶ ବିଦେଶରେ ଯଶ ପୌରୁଷ ରହନ୍ତାତୁମ୍ଭ ମନରେ କିପାଇଁ ଦୁଃଖ ଉପୁଜନ୍ତା ।ଭୋ ମହାପ୍ରଭୁ କଲଇଁ ପଦାର୍ଥରେ ଲୋଭଦୋଷ ଅନୁରୂପେ ପାଇଲହିଁ ପରାଭବ ।ଶ୍ରୀଜଗନ୍ନାଥ ରାଇଲେ ଯାଦବ ମାନନ୍ତଆମ୍ଭଙ୍କୁ ଏ ମଣିଗୋଟି ଦେଲେ ଶକ୍ରାଜିତ ।ଶୁଣିଣ ଉସତ ହେଲେ ସକଳ ଯାଦବନିଜ ସ୍ଥାନେ ଗଲେ ଆଜ୍ଞା ଦେଲେ ବାସୁଦେବ ।ଅବକାଶ ମନ୍ଦିରରେ ପହୁଡ଼ିଲେ ହରିସନ୍ନିଧେ ମିଳିଲେ ଆସି ଭୀଷ୍ମଙ୍କ କୁମାରୀ ।ଧୀର ଧୀର କରି ପାଦ ମଞ୍ଚାଳି ରୁକ୍ମିଣୀକେତେ ରଙ୍ଗ ରସଭରେ ପାହିଲା ରଜନୀ ।ନିତ୍ୟ କର୍ମ ସାରିଲେକ କୃଷ୍ଣ ହଳଧରିଯାଦବନ୍ତ ଘେନି ଆସ୍ଥାନରେ ବିଜେ କରି ।ଶୁକ ବ୍ରହ୍ମା ବୋଇଲେ ହୋ ଶୁଣ ନୃପରାୟେଶଏ ସତୁରୀ ଅଧ୍ୟାୟ ସମାପତ ହୁଏ ।