ଜରାସନ୍ଧର ଜନ୍ମଚରିତ — ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିତେବେ ସେ ଶୁଦ୍ଧା ସିନା ହୋଅଇ ବସୁମତୀ ।୨୨।
ଶୁଣି ହଡପକାରୀ ବିସ୍ମୟେ ହୋଇଲା
ଅପୁତ୍ରିକ ଲୋକଂକ ପାତକ କହଣା ନ ଗଲା ।୨୩।
ଆମ୍ଭେ ନନ୍ଦଭୋପାଳକୁ ସେବାକରୁ ନିତିଦିନ
କେମନ୍ତେ ପାର ହେବ ରାଜାର ୟେଡେ ପାପ କର୍ମ ।୨୪।
ୟେତେ ବିଚାର ତହୁଂ ଚଳିଲା ହଡପକାରୀ
ପ୍ରୟାଗତୀର୍ଥେ ଯାଇଂ ଭେଟିଲେ ଦଣ୍ଡଧାରୀ ।୨୫।
ତାମ୍ବୋଳ ଭୁଞ୍ଜାଇ ରାଜାଂକୁ ନ ଚାହିଂଲା ନୟନେ
ନନ୍ଦଭୋପାଳ ବୋଇଲେ ଆଜି ବିକୃତ କିଂପେ ତୋର ମନେ ।୨୬।
ଦେବ କଥାୟେ ଅଛଇ ଯେ କହିବାକୁ କରଇ ଭୟେ
ନନ୍ଦଭୋପାଳ ବୋଇଲା କିଛି ଶଂକା ନ କର କହସି ନିର୍ଭୟେ ।୨୭।
ଜ୍ୟୋତିପୁରେ ତୁମ୍ଭେ ଯେ ବସିଲ ଯେଉଂଣ ଆସ୍ତାନେ
ତାଳେକ ଗଭୀରମାଟି ଖୋଳୁଛନ୍ତି ତହିଂର ହାଦେ ଜନେ ।୨୮।
ବୋଇଲେ ଅପୁତ୍ରିକ ରାଜା ନନ୍ଦଭୋପାଳ ୟେଥି ବସିଥିଲା
ତେଣୁକରି ଭୂମିଖଣ୍ଡି ମହାପାତକୀ ହୋଇଲା ।୨୯।
ଆନମୃତ୍ତିକା ପୂରାଇ ୟେଥି କରିବୁଂ ଆହୁତି
ତେବେ ସେ ପ୍ରତିଷ୍ଠା ହୋଇବ ୟେହି ପୃଥୀ ।୩୦।
ଶୁଣିଣ ବିରସ ଯେ ମଗଧେଶ୍ୱର ରାୟେ
ଧିକ ଧିକ ଜୀବନ ମୋର ନାହିଂ ଯେ ତନୟେ ।୩୧।
ପୁତ୍ରର ଅଭାବେଣ ବ୍ରତନ୍ତିଯେଉଂଣ ପ୍ରାଣୀ
ଜୀବନ ଅକାରଣ ତାହାର ପୁରୁଷ ମଧ୍ୟେ ନ ଗଣି ।୩୨।
ମନ୍ତ୍ରୀକି ହକରାଇ ତହିଂ ବୋଇଲା ନୃପତି
ଇହଲୋକ ଅକାରଣ ପରଲୋକ ଅଗତି ।୩୩।
ଭୋ ମନ୍ତ୍ରୀ ତୁ ମୋହୋର ରାଜ୍ୟଭାର ସମ୍ଭାଳ
ମୁହିଂ ତପ କରିବି ପୁତ୍ର ହୋଇବ ଯେତେ କାଳ ।୩୪।
ମନ୍ତ୍ରୀକଇଂ ରାଜ୍ୟ ସମର୍ପିଲା ନରପତି
ବଦରିକା ଆଶ୍ରମେ ସେ ରଞ୍ଚିଲା ଆହୁତି ।୩୫।
ଦୁତୀ ଈଶ୍ୱର ସେ ଦୁର୍ଭାସା ମହଋଷି
ତାହାନ୍ତ ଧ୍ୟାୟେ କରି ରାଜା ଯୋଗଲୟେ ବସି ।୩୬।
ଛାଡିଲା ମୟାମୋହ କୁଟୁମ୍ବ ମୁହାଂସ
ସନ୍ତାନ ନିମନ୍ତେ ଦୁର୍ଭାସାଂକୁ ବଢାଇଲା ମନାସ ।୩୭।
କାଳ କାମ ନିଦ୍ରା କ୍ଷୁଧା ରାଜା ସମସ୍ତ ଉପେକ୍ଷି
ସନ୍ତତି ନିମନ୍ତେ ରାଜା ଅଜପା ଲୟେ ବାଚି ।୩୮।
ମହାତପେ ନିର୍ଜିତ ରାଜା ହୋଇଲା ଦିବାରାତ୍ରେ
ବସିଲା ନନ୍ଦଭୋପାଳ ନିରାଶ ଉପବାସ ପଞ୍ଚୁଭୂତେ ।୩୯।
ୟେମନ୍ତେ ତପ କଲା ରାଜା ଦ୍ୱାଦଶ ବରଷ
ନିରାଶ ଦେଖିଣ ଦୁର୍ଭାସା ମିଳିଲେ ତାର ପାଶ ।୪୦।
ନିରାଶେ ନିଚେଷ୍ଟେ ପଡିଅଛି ନୃପମଣି
ଉପରେ ସିଞ୍ଚିଲେ ମୁନି ଜୀବନ୍ୟସ ମନ୍ତ୍ରପାଣି ।୪୧।
ନଖ ମୁଖ ନାସିକା ଚାରୁ ଚରଣ ବିକାଶି
ସାଷ୍ଟମ ହୋଇଣ ରାଜା ବିନୟ ପରକାଶି ।୪୨।
ସ୍ୱାମୀ କେଉଂଣ ଦେଶର ତୁମ୍ଭେ ଅଟ ତପୋଧନ
ଦୁଖେ ଅରଜିଲା ତପ କିମ୍ପାଇଂ କଲୁ ଯେ ନାଶନ ।୪୩।
ଆହୋ ରାଜା ତୋର ଯେଉଂଣ ମନୀଷା
ମୁହିଂ ସେହି ମହାତ୍ମା ହୋ ଅଟଇ ଦୁର୍ଭାସା ।୪୪।
ନନ୍ଦଭୋପାଳ ବୋଇଲା ମୁଂ ନିସ୍ତରିଲି ନିସ୍ତରିଲି
ଦୁର୍ଗତି ବଞ୍ଚିଲି ନାଥ କାର୍ଯ୍ୟକୁ କାରଣ ଲଭିଲି ।୪୫।
ମୁକୁଇଂ ଅନଗୃହ କରିବା ମୁନି ଯେବେ
ମୁହିଂ ତପ କଲି ହାଦେ ସନ୍ତାନ ଅଭାବେ ।୪୬।
ପୁତ୍ର ଗୋଟିୟେ ମୋତେ ଦେବାକ ତପୋନିଷ୍ଠି
ସଂସାର ରଂଚନାକୁ ମୁଂ ହୋଇଲି ବଡ କଷ୍ଟି ।୪୭।
ପଛିମ କୋଶଳ ମୁଂ ଅଟଇ ଅଧିକାରୀ
ମହାସଂପଦ ରାଜ୍ୟ ମୋର ମଗଧ ନାମେ ପୁରୀ ।୪୮।
ମୋହୋର ଅଭାବେ ୟେବେ ରାଜ୍ୟ ଗଲା ନଷ୍ଟ
ବୁଡିଲା ବଂଶ ମୋହୋର ରଖ ହୋ ତପୋନିଷ୍ଠ ।୪୯।
ଦୁର୍ଭାସାୟେ ବୋଇଲେ ତୁ ଉଠ ହୋ ମହାରାୟେ
ୟେ ହର ଉଦ୍ୟାନେ ପଶି ଆଣ ହୋ ଫଳ ଗୋଟିୟେ ।୫୦।
ଯେଉଂଣ ଫଳ ପାଅ ଯେ ଘେନିଆସ ନୃପତି
ପାଇବୁ କାରଣ ତୋର ହୋଇବ ସନ୍ତତି ।୫୧।
ଚଳଇ ନନ୍ଦଭୋପାଳ ଋଷିଂକ ବଚନେ
ପ୍ରବେଶ ହୋଇଲା ଯାଇଂ ହର ଉଦ୍ୟାନ ନାମେ ବନେ ।୫୨।
ବୁଲଇ ନିରନ୍ତରେଘୋର ବନେ ଗହନ ଅଟବ୍ୟା
ଚୂତଫଳ ଗୋଟାୟେ ପାଇଲା ରାଜଦେବା ।୫୩।
ଘେନିଣ ଦୁର୍ଭାସାଂକ ସନ୍ନିଧ୍ୟେ ମିଳିଲାକ ଆସି
ଦୁର୍ଭାସାୟେ ବୋଇଲେ ତୋର ପ୍ରିୟବତୀ ଭାରିଯାକୁ ଦିଅସି ।୫୪।
ଦୁର୍ଭାସାଂକ ବଚନେ ଯେ ଚଳଇ ଭାନୁବତୀର ନାତି
ବେନି ପାଟରାଣୀ ଯେ ତାହାର ସୁମତି ଚାରୁମତି ।୫୫।
ୟେକାନ୍ତେ ହକରାଇଲା ରାଜା ସୁମତି ପାଟରାଣୀ
ଚୂତଫଳ ଗୋଟି ତାର କରେ ଦିଲା ନୃପମଣି ।୫୬।
ୟେ ଚୂତଫଳ ଗୋଟି ସୁନ୍ଦରୀ ରେ ଶଉଚବନ୍ତ ହୋଇ ଭକ୍ଷ
ଦୁର୍ଭାସାଂକ ବଚନେ ପୁତ୍ର ହୋଇବ ପ୍ରତ୍ୟକ୍ଷ ।୫୭।
ଦେଇଣ ନୃପତି ଯେ ଗଲାକ ଆସ୍ତାନେ
ଚାରୁମତି ମିଳିଲା ଆସି ସୁମତିର ସନ୍ନିଧ୍ୟାନେ ।୫୮।
ଦେଖିଣ ବିଚାରଇ ସୁମତି ପାଟରାଣୀ
କେମନ୍ତେ ଭକ୍ଷିବି ନ ଦେଇ ପ୍ରିୟବନ୍ତୀ ସଂଘାତୁଣୀ ।୫୯।
ଚୂତଫଳ ଗୋଟିକ ବେନିଫାଳ କରି କାଟ
ଦୁଇ ସପତଣୀ ଯେ ଭୁଞ୍ଜିଲେ ତାହା ବାଣ୍ଟି ।୬୦।
ଋଷିଂକ ମହାମନ୍ତ୍ର ତ ନୋହୋଇ ବିନାଶ
ବେନି ସପତଣୀ ଯେ ହୋଇଲେ ଗର୍ଭବାସ ।୬୧।
ବେନି ଭାରିଯା ରାଜାର ହୋଇଲେ ଗର୍ଭବତୀ
ଦେଖିଣ ସାନନ୍ଦ ନନ୍ଦଭୋପାଳ ନରପତି ।୬୨।
ଉତ୍ସବ ବିଧାନ ଯେ କରାଇଲେ ନରସାଇଂ
ୟେମନ୍ତେ ନବମାସ ଯାଆନ୍ତେ ଦଶମାସ ପ୍ରବେଶ ହୋଅଇ ।୬୩।
ଆହୋ ତୁଳାମାସ କୃଷ୍ଣପକ୍ଷ ଚଉଠି ଶଉରିବାର
ଆର୍ଦ୍ରାନକ୍ଷତ୍ରକୁ ଭୋଗ୍ୟ ସେ ଦିନର ।୬୪।
ବ୍ୟତିପାତ ନାମେ ଯୋଗ କୌଳବ କରଣ
ତୁଳ ସଂକ୍ରାନ୍ତିକି ଯେ ଭୋଗ ପାଞ୍ଚଦିନ ।୬୫।
ରାତ୍ର ପାଞ୍ଚ ଘଡିରେ ସେ ବେନି ଯେ ଯୁବତୀ
ୟେକାବେଳେ ପ୍ରସବିଲେ ସୁମତି ଚାରୁମତି ।୬୬।
ବେନି ଯୁବତୀ ଯେ ପ୍ରସବ କଲେକ
ବେନି ପୁତ୍ର ଉପୁଜିଲେ ହୋଇ ଅର୍ଧେକ ଅର୍ଧେକ ।୬୭।
ଶିର ଅର୍ଧେକ ଚକ୍ଷୁ ନାଶିକା ପୁଡାୟେକ
ଭୁଜୟେକ ବକ୍ଷସ୍ଥଳ ଅର୍ଧ ଅର୍ଧ ଯେ ପାଦକ ।୬୮।
ୟେକଇ ଶରୀର ଯେ ଉତପତି ବେନିଖଣ୍ଡ
ପଡିଲେ କୁମାର ଯେ ଅର୍ଧେ ଅର୍ଧେ ପିଣ୍ଡ ।୬୯।
ନୃପତିର ଅଗ୍ରତେ ଜଣାଇଲେ ପଢିଆରୀ
ବେନିପୁତ୍ରେ ଉତପତି ହୋଇଲେ ଅନ୍ତପୁରୀ ।୭୦।
ଶୁଣିଣ ଭଣ୍ଡାର ଦାନ ଦିଲା ମହାରାଜେ
ହାଟ ପେଣ୍ଠ ତୁଠ ଜୂର ମଗଧଦେଶ ରାଜ୍ୟେ ।୭୧।
ବାବୁ ସେ ମହାତ୍ମା ଅଟେ ଧାର୍ମିକ ତପୀଷ୍ଠ
ଦୁର୍ଭାସାଂକ ପ୍ରସାଦେ ଗଲା ମୋର ପୁତ୍ର କଷ୍ଟ ।୭୨।
ୟେମନ୍ତ ସମୟେ ଯେ ଗଲାକ ମୁଦୁସୁଲୀ
ରାଜାର ଅଗ୍ରତେ ଜଣାଇ କହିଲେ ପୋଇଲି ।୭୩।
ଦେବ ସୁନ୍ଦର ସୁକୁମାର ହୋଇଲା ପୁତ୍ର ସୁସଞ୍ଚ
ଅର୍ଦ୍ଧ ଅର୍ଦ୍ଧ କାୟେ ଉପୁଜିଲେ ପରପଞ୍ଚ ।୭୪।
ମୁଦୁସୁଲୀ ବଚନ ଶୁଣିଣ ନୃପମଣି
ବିଷାଦ ନନ୍ଦଭୋପାଳ ଶୁଣିଣ ଅମଙ୍ଗଳ ବାଣୀ ।୭୫।
ପଟୋଆର ହକରାଇ ବୋଇଲେ ନରପତି
ଆରେ ଶମଶାନ ଭୂମିରେ ନେଇ ପକାଅ ଦୁହିନ୍ତି ।୭୬।
ଜାରକୀ ରାକ୍ଷସୀ ଧରିଣ ତାହାନ୍ତ ଭକ୍ଷୁ
ଦୁର୍ଭାସାଂକ ବଚନ ଯେ ୟେସନେକ ସାରିକ୍ଷୁ ।୭୭।
ରାଜାର ବଚନେ ତହୁଂ ଚଳିଲେ ଦୋସାଧୁ
ବେନି ପୁତ୍ର ଧରି ଆଣିଲେକ ଅନ୍ତପୁର ମଧ୍ୟୁ ।୭୮।
ଶମଶାନ ଭୂଇଂରେ ନେଇ ପକାଇଲେ ବେନିଖଣ୍ଡ
ରୋବନ୍ତି ନନ୍ଦନେ ସେ ଗର୍ଜଇ ଯେନ୍ହେ ଷଣ୍ଢ ।୭୯।
ରାତ୍ର ଅର୍ଦ୍ଧମାନେ ଶମଶାନେ ଅଇଲା ଜାରକୀ
ଆକ୍ରେଷି ଧଇଲା ସେ ମହୁମାଂସ ଦେଖି ।୮୦।
ମହାଭୀଷ୍ମରୂପ ସେ ଶମଶାନ କ୍ଷେପୁଣୀ
ଦୁହିନ୍ତି ଗିଳିଲା ଯେନ୍ହେ ଜଳପ୍ରଭା ଜାଣି ।୮୧।
ବଇବସୁତମନୁ ପୁଚ୍ଛା କଲେ ଅଗସ୍ତିତପୋବନ୍ତେ
ବେନିଫାଳ ହୋଇ ସେ ଉତପତ୍ତି ହୋଇଲେ କେମନ୍ତେ ।୮୨।
ଅଗସ୍ତି ବୋଇଲେ ହୋ ୟେକଇ ଆମ୍ଭଗୋଟି
ନ ଜାଣି ସୁମତି ତାହା ବେନିଫାଳ କରି କାଟି ।୮୩।
ୟେକଫଳଗୋଟି ଯହୁଂ କଲା ବେନିଫାଳ
ଦୁଇଖଣ୍ଡ ହୋଇ ଉପୁଜିଲା ୟେକଇ ଦୁଲାଳ ।୮୪।
ଫଳଗୋଟିକ ଯାକ ଯେବେ ସୁମତି ଭକ୍ଷନ୍ତା
ମହାବଳବନ୍ତା ହୋଇ ପୁତ୍ରେକ ଉପୁଜନ୍ତା ।୮୫।
ଆଦ୍ୟହୁଂ ବେନିଫାଳ କଲେକ ବେନିରାଣୀ
ତେଣୁ ସେ ଉପୁଜିଲା ଅର୍ଦ୍ଧ ଅର୍ଦ୍ଧ ଅଙ୍ଗ ଘେନି ।୮୬।
ବଇବସୁତମନୁ ପଚାରିଲେ ପରସ୍ତାବେ
ସେ ବନିଖଣ୍ଡ ରହିଲା ରାକ୍ଷସୀ ଜାରକୀର ଗର୍ଭେ ।୮୭।
ସେ ପୁଣି କେମନ୍ତେ ହୋଇଲେ କହିବା ମୁନି ହେ
ୟେହା ସଞ୍ଚପିଣ ମୋତେ କହିବା ସନ୍ଦେହେ ।୮୮।
ଅଗସ୍ତି ବୋଇଲେ ତୁ ହୋ ଶୁଣ ଯୋଗେଶ୍ୱର
ସେ ବେନିଖଣ୍ଡ ରହିଲା ଜାରକୀ ଗର୍ଭରେ ।୮୯।
ଗର୍ଭର ଭିତରେ ସେହୁ ମୁଥେକ ପ୍ରହାରି
ବାହାର ହୋଇଲା କୁମର ପାଞ୍ଜରା ବିଦାରି ।୯୦।
ଜାରକୀର ଗର୍ଭେ ପଶିଲେ ମହାବଳବନ୍ତା
ସଂଘରଣ ନ ଗଲା ସେ ରାକ୍ଷସୀ ଗର୍ଭବତା ।୯୧।
ଗର୍ଭର ଭିତରେ ସେହୁ ମୁଥେକ ପ୍ରହାରି
ବାହାର ହୋଇଲା କୁମର ପାଞ୍ଜରା ବିଦାରି ।୯୨।
ପୁତ୍ର ଉତପତ୍ତି ହୋଅନ୍ତେ ଜାରକୀ ନାଶ ଗଲା
ରୋଦନ କରନ୍ତେ ପୁତ୍ର ପୃଥିବୀ କଂପିଲା ।୯୩।
ତିମିର ବିନାଶ ଯହୁଂ ହୋଇଲା ଶେଷରାତି
ବିଜୟେ ନନ୍ଦଭୋପାଳ ବାହାର ଜଗତୀ ।୯୪।
ଶୁଭଇ କୁମାରର ମହାରୋଦନ ବାଣୀ
କଟୁଆଳ ହକାରୀ ଆଗ୍ୟାଂ ଦିଲାକ ନୃପମଣି ।୯୫।
ଆହୋ ଯାଅସି ରେ ଦୋସାଧୁ ଶମଶାନ ଭୂମିକି
କାହିଂର ରୋଦନ ସେ ଆସନି ଯାଇଂ ଦେଖି ।୯୬।
ଦୋସାଧୁ ପ୍ରବେଶ ହୋଇଲା ଶମଶାନ ଭୂମି
ରାଜାକୁ ଜଣାଇଲା ବଡାଇ ଦୁର୍ଲ୍ଲଭ ସ୍ୱାମୀ ।୯୭।
ବେନିଖଣ୍ଡି ଶରୀର ଯେ ହୋଇଲାକ ଦେବ ଜଡିକରି
କୁମାର ସମ୍ଭୁତ ହୋଇଲା ଜାରକୀ ବିଦାରି ।୯୮।
ଶୁଣିଣ ନନ୍ଦଭୋପାଳ ବିଜୟେ କଲେ ଆପଣେ
କୁମାର ରୋଦନ କରନ୍ତେ ସେ ଶୁଭଇ ଗଗନେ ।୯୯।
କୋଳେଣ ଧଇଲା ତାହା ନନ୍ଦଭୋପାଳ ରାୟେ
ଜାରକୀ ମାରି କୁମର ମହାଘୋର ରୋଦନ କୟେ ।୧୦୦।
ଅନେକ ସାନନ୍ଦ ହେଲା ରାଜା ନନ୍ଦଭୋପାଳ
ଜରାସନ୍ଧ ନାମ ଦିଲା ଯେ କୁମାର ମହାବଳ ।୧୦୧।
ଘେନିଣ କୁମରକୁ ନୃପତି ବେଗେ ଚଳି
ଅତି ଯତ୍ନ କରି ସେ କୁମାରେ ପ୍ରତିପାଳ ।୧୦୨।
ମହାବଳବନ୍ତା ସେ ହୋଇଲା କୁମରମଣି
ୟେସନେକ ଭେଦ ତାର କେହି ଯେ ନ ଜାଣି ।୧୦୩।
ଈଶ୍ୱରେ ଜାଣନ୍ତି ତାର ଜନ୍ମ କାଳର କଥା
ଶ୍ମଶାନବାସୀ ରୁଦ୍ର ଅଟନ୍ତି ସର୍ବଥା ।୧୦୪।
ଶମଶାନ ବାରତା ଜାଣନ୍ତି ବିଶ୍ୱବାସୀ
ତେଣୁକରି ଭୀମସେନକୁ କହିଲେ ବିଶେଷି ।୧୦୫।
ଆନର ବେଳେ ବଧ ନୋହୋଇ ସେ ଜାରା
ବେନିଫାଳ କରି ଚିରିଲା ଭୀମସେନ ମହାବୀରା ।୧୦୬।
ଅଗସ୍ତିୟେ କହିଲେ ଯେ ବଇବସୁତ ମନୁକୁ
ଜରାସନ୍ଧ ପ୍ରସ୍ତାବ ୟେ କହିଲି ଜାଣ ତୁକୁ ।୧୦୭।
ୟେସନେକ ଭେଦ ଜାଣିଣ ଦଇତାରି
କୂଟେଣ ନାଶ ତାକୁ କଲେକ ମଧୁହାରୀ ।୧୦୮।
ବଦୟନ୍ତି ମହାତମା ଯେ ଘଟଋଷିର ତନୁ
ତୁ ଯାହା ପୁଚ୍ଛା କଲୁ ହୋ ବଇବ ସୁତ ମନୁ ।୧୦୯।
ପାଣ୍ଡବ ସୋହୋଡ ଯେ ବ୍ରିକୋଦର ପରଚଣ୍ଡ
ଜାରା ବିଦାରିଣ ସେ କଲେକ ବେନିଖଣ୍ଡ ।୧୧୦।
ୟେସନେକ ସମାର୍ଜନ ରଜାସନ୍ଧର କଥା
ପ୍ରସ୍ତାପ ବାକ୍ୟେ ମହାତ୍ମା ଯେ କହିଲେ ବ୍ରହ୍ମବେତ୍ତା ।୧୧୧।
ଆହୋ ଦ୍ରିଯୋଧନ ସହିତେ ଆସନ୍ତି ଥାଠ ଘେନି
ଯେ ଯାହା ଅନରୂପେ ଭଗତିଭାବ ମାନି ।୧୧୨।
ଭୀମ ଅର୍ଜୁନ ଘେନି ଦେବ ଯେ ଅନନ୍ତ
ଧୃତରାଷ୍ଟ ଗାନ୍ଧାରୀର ଚରଣେ ପ୍ରଣପତ୍ୟ ।୧୧୩।
ସକଳ ଚରିତ ଯେ କହନ୍ତି ମଧୁହାରୀ
ବଡଦୁଷ୍ଟ ଜରାସନ୍ଧକୁ ଦେବ ଅଇଲୁ ନିବାରି ।୧୧୪।
ଶୁଣିଣ ସାନନ୍ଦ ଯେ ରାଜା ଧୃତରାଷ୍ଟ
ଆଝୁଂ ନିବର୍ତ୍ତ ହୋଇଲା ରାଜାମାନଂକର କଷ୍ଟ ।୧୧୫।
ହରି ହେ ଅଦଭୁତ ବାରତା ଶୁଣି ହୋଇଲୁଂ ବିଷାଦ
ବୋଇଲେ ଭୀମ ଅର୍ଜୁନ ହରିଂକୁ ନାଶିଲା ଜରାସନ୍ଧ ।୧୧୬।
ବିଷାଦ ହୋଇଲୁଂ ଶୁଣି ଦେବ ଦୁର୍ଭର ବଚନେ
ବହୁତ ଅପଛାତି ଦିଲୁ ତୁମ୍ଭନ୍ତ ଅଗ୍ୟାନେ ।୧୧୭।
ତୁ ଦେବ କରୁଣାମତ୍ସଳ ପୀତବାସ
ସକଳ ଭୁବନେ ହରି ତୋହୋର ତେଜ ଯେ ପ୍ରକାଶ ।୧୧୮।
ଶ୍ରୀହରି ବୋଇଲେ ତାତ ମୁଂ ଜାଣଇନି ସମସ୍ତ
ଶକୁନିର ଭିଆଣ ଯେ ୟେମନ୍ତ ଚରିତ ।୧୧୯।
ତୁମ୍ଭେ ଗାନ୍ଧାରୀ ଜାଣ ହାଦେ ଶକୁନି କୁଳକ୍ଷୟେ ମନ୍ତ୍ରୀ
ସେହି ସିନା ନାଶ କରାଇବ ତୋହୋର ସନ୍ତତି ।୧୨୦।
ପୋୟେ ତୋର ଅବା ବାଳୁତ କାଳହୁଂ ଅତିଦୁଷ୍ଟ
ତୁ ତାହାନ୍ତ ସମାର୍ଜନା କର ହୋ ଧୃତରାଷ୍ଟ ।୧୨୧।
ଅନେକ ବାଗେ ଯେ କୁରୁପତିଂକି ତିଆରି
ଭୋତାତ ତ୍ରଇଲୋକ୍ୟେ ଜିଣନ୍ତା ହୋଇଲେ ପାଣ୍ଡବ ଭ୍ରାଥ ଚାରି ।୧୨୨।
ଧୃତରାଷ୍ଟେ ବୋଇଲେ ତୁ ଜଗୁ ଜୀବନ ପୁରୁଷଉତ୍ତମା
ଦୁଷ୍ଟଂକର ଦୋଷ ସ୍ୱାମୀ ତୁ କରିବୁ ନା କ୍ଷମା ।୧୨୩।
ଅନେକ ଦ୍ରୋହ ନାଥକଲାକ ତୋତେ ଜାରା
ସାଷ୍ଟାଙ୍ଗେ ନାଶିଲୁ ତୁ ଦୁର୍ଭାର ମହାବୀରା ।୧୨୪।
ଅନେକ ବିନୋୟୀ ଯେ କହିଲା କୁରୁବଇ
ସାନନ୍ଦେ ଚଳିଲେ ସ୍ୱାମୀ ଜଗତ ଗୋସାଇଂ ।୧୨୫।
ପ୍ରବେଶ ହୋଇଲେ ଯାଇଂ ଧର୍ମରାୟେଂକର ପାଶ
ବିନୟ ଭାବେ ସ୍ୱାମୀ କହନ୍ତି ପୀତବାସ ।୧୨୬।
ମୁହିଂ ଯାଉଅଛି ସ୍ୱାମୀ ଦ୍ୱାରକାଭୁବନକୁ
ଶୁଭ ବାରତା କହିବି ବଳରାମ ଠାକୁରଂକୁ ।୧୨୭।
ଜାରାର ଭୟେ ଦେବ ବହୁତ ମୋତେ କଥା
ତାହାରେ ପାଇଲୁ ଆମ୍ଭେ ଅନେକ ଅବସ୍ତା ।୧୨୮।
ଭୋ ଦେବ ଧନୁ ଉତ୍ସବ ବୋଲି ଯାତ୍ରାୟେକ କଲା କଂସ
ନନ୍ଦକୁ ଶ୍ରୀମୁଖ ନିଆଇଲା ଗଉଦବଂଶ ।୧୨୯।
ଗୋପାଳକଂର ତୁଲେ ଆମ୍ଭେ ଗଲୁ ବେନିଭ୍ରାଥେ
ଧନୁ ଉତ୍ସବ ଯାତ୍ରା ଯେ ଦେଖିବା ନିମନ୍ତେ ।୧୩୦।
ଅନେକ ରଙ୍ଗ ଯେ ଯାତ୍ରାର ବିଧାନ
ବିହଡନ୍ତି ରଙ୍ଗେ ସମସ୍ତ ଗୋପାଳ ପୁଅମାନେ ।୧୩୧।
ଆମ୍ଭନ୍ତୁ ଦେଖି ଦେବ କଂସ ଯେ ନାଶ ଗଲା
କିଞ୍ଚିତ ମାତ୍ରକେ ତାର ଅଷ୍ଟମଲ୍ଲଯାକ ମଲା ।୧୩୨।
ତହୁଂଣ ଗୋପାଳେ ଯେ ନିଭ୍ରାନ୍ତି ମନ ହେଇ
ଅନେକ ଧନରତ୍ନ ଆଣିଲେ ସୁଖେ ବହି ।୧୩୩।
କଂସର ଭାରିଯା ଯେ ହେତୀ ପରହେତୀ
ତାହାଂକର ପିଅର ଯେ ମଗଧେଶ୍ୱର ନୃପତି ।୧୩୪।
ବିଧବା ଅବସ୍ତା ହୋଇ ଜରାସନ୍ଧକୁ କଲେକ ଗୁହାରି
ଗୋପପୁରକୁ ଦେବ ଜରାସନ୍ଧ ଦିଲା ଧାଡି ।୧୩୫।
ପାଠ ପଢୁଥିଲୁଂ ଆମ୍ଭେ ଶାନ୍ତିପନି ପଣ୍ଡା ଘରେ
ଗୋପପୁର ଲୋକେ ବିକଳେ ପଳାଉଛନ୍ତି ଜରାସନ୍ଧର ଡରେ ।୧୩୬।
ଜାରାର ଭୟେ ତହୁଂ ଅଇଲୁ ଆମ୍ଭେ ଅପସରି
ଅନେକ ଧନରତ୍ନ ଗୋଧାନ ନେଲା ଜୁର କରି ।୧୩୭।
ପ୍ରଥମ ଧାଡିରେ ଦେବ ଯେ ଛାଡିଲୁ ଗୋପଦେଶ
ଯମୁନା ପାରି ହୋଇ ମଥୁରାୟେ କଲୁଂ ବାସ ।୧୩୮।
ପୁଣି ସମୟେକେ ମଥୁରାକୁ ଦିଲା ଧାଡି
କୁଟୁମ୍ବନ୍ତ ଘେନି ବେନିଭାଇ ଅଇଲୁ ଅପସରି ।୧୩୯।
ମଥୁରାକୁ ବେଢିଲା ଦେବ ଘେନି ସନ୍ୟବଳ
ରାଜ୍ୟ ତେଜି ପଳାଇଲୁ ସକଳ ଗୋପାଳ ।୧୪୦।
ସ୍ୱାମୀ ମଥୁରା ପୁର ରାଜ୍ୟ ସବୁ ଭାଂଜିଣ କଲା ଜୁର
ଧନଭଣ୍ଡାର ଆଦିକରି ପୋଡିଲା ନବର ।୧୪୧।
ପଳାଇ ଅଇଲୁ ଦେବ ଅନୁସର ବନେ
ତହିଂ ସମୟେକେ ଯେ ବ୍ରତିଲୁ ସର୍ବଜନେ ।୧୪୨।
ପୁଣିହିଂ ତହିଂକି ଯେ ବାହିଲା ଜରାସନ୍ଧ
ଅନୁବ୍ରତେ ଲୋଡୁଥାଇ ଶ୍ରୀରାମ ଗୋବିନ୍ଦ ।୧୪୩।
ବନ୍ଧୁବର୍ଗ ଘେନି ତହୁଂ ଗଲୁଂ ଅପସରି
ଅନୁସର ବଣକୁ ସେ ପୁଣିହିଂ ଦିଲା ପୋଡି ।୧୪୪।
ଗୋମନ୍ତ ପର୍ବତେ ଯେ ବଞ୍ଚିଲୁ ସମୟେ
ତହିଂକି ଧାଡିଦିଲା ଚଉଦବରଷ ଯାୟେ ।୧୪୫।
ତହୁଂ ଅପସରିଣ ଯେ ଆଇଲୁଂ ସର୍ବଜନେ
ସମୟେକେ ବିଶ୍ରାମିଲୁ ଦେବ କଟକ ମଧୁବନେ ।୧୪୬।
ଯଦୁ ଋଷିଂକର ସେହୁ ଅଟଇ ଅରଜିଲା ଭୂମି
ତହିଂରେ ସମୟେକେ ବଞ୍ଚିଲୁ ଦେବ ସ୍ୱାମୀ ।୧୪୭।
ତହିଂକି ଦଣ୍ଡ ସାଜିଲା ଯେ କାଳ ଦମନକୁ ଘେନି
ସମଦଣ୍ଡ ଘେନି ତହୁଂ ଘୁଞ୍ଚିଗଲୁ ପୁଣି ।୧୪୮।
ସମୋଦ୍ର ଭିତରେ ଦେବ ରଞ୍ଚିଲୁ ଦ୍ୱାରିକା
ତହିଂରେ ରହିଲୁ ଦେବ ହୋଇଣ ନିଶଂକା ।୧୪୯।
ଜାରାର ଭୟେ ଦେବ ଯଦୁବୀରମାନେ
କେହି ବାହାର ନୋହନ୍ତି ମଧ୍ୟ ଯେ ଭୁବନେ ।୧୫୦।
ତୋହୋର ପ୍ରସନ୍ନେ ଦେବ ନାଶଗଲା ତେଡେ ରିପୁ
ୟେବେ ସେ ଯାଦବଂକର ବିକାଶିଲା ବପୁ ।୧୫୧।
ଅନେକ ସାନନ୍ଦ ଦେବ ହୋଇବେ ବଳଦେବ
ଦ୍ୱାରିକାରେ ହୋଇବ ଦେବ ଅନେକ ଉତ୍ସବ ।୧୫୨।
ଅନେକ ସାନନ୍ଦ ଯେ ହୋଇବେ ଭୋଜ ସାତବଂଶ
ଭୀମସେନଂକୁ ଅନେକ ହୋଇବ ଦେବ ଯଶ ।୧୫୩।
ଭୀମସେନର ପ୍ରସାଦେ ଅନେକ ସୁସ୍ତ ପାଇଲୁ ସର୍ବସ୍ଥାପି
ସାଧୁ ସାଧୁ ବଚନ ଗୋଟି ଉପୁଜିବ ଅଦ୍ୟାପି ।୧୫୪।
ଯୁଝେଷ୍ଠିଦେବଂକୁ ବୁଝାଇଣ ଦେବ ରାଜା
ଆଗ୍ୟାଂ ହେଲା ହରି ଦ୍ୱାରକାପୁରକଇ ବେଗେ ଯା ଯା ।୧୫୫।
ଭୀମ ଅର୍ଜୁନକଇଂ ସଙ୍ଗେ ଘେନିଣ ଜଗନ୍ନାଥେ
ବାରୁଣବନ୍ତେ ଥାଇଣ ସୁମରିଲେ ବଇନେତ୍ରେ ।୧୫୬।
ଚଇତ୍ର କୃଷ୍ଣ ପ୍ରତିପଦା ଦିନ ଜରାସନ୍ଧ ନାଶଗଲା
ଇତ୍ର ଶୁକ୍ଲ ଷଷ୍ଠୀଦିନ ହସ୍ତିନାୟେ ଉତ୍ସବ ହୋଇଲା ।୧୫୭।
ଚଇତ୍ର ଶୁକ୍ଲ ସପ୍ତମୀ ଆଉର ଗୁରୁବାରେ
ମୃଗଶିର ରୁକ୍ଷବେଳ ଅଢାଇ ପ୍ରହରେ ।୧୫୮।
ଭୀମ ଅର୍ଜୁନେ ସମାର୍ଜି ଚଳନ୍ତି ବନମାଳୀ
ଦ୍ୱାରିକାପୁରକୁ ଦେବ ଗରୁଡ ପିଠିରେ ଗବନ କରି ।୧୫୯।
ଶ୍ରୀକୃଷ୍ଣଙ୍କର ଦ୍ୱାରକା ଗମନ , ପଥମଧ୍ୟେ ଯଜ୍ଞୋପକରଣମାନ ସଂଗ୍ରହ , ବଳଦେବଙ୍କ ସହିତ ସାକ୍ଷାତ ଓ ଦ୍ୱାରକାରେ ମହୋତ୍ସବ
ଆହୋ କିରାତ ରାଜା ନାମ ଅଟଇ ଅଜପତି
ଶ୍ରୀହସ୍ତେ ଆପଣେ ତାକୁ ଶାଢୀ ଦିଲେକ ଶ୍ରୀପତି ।୧।
ଆହୋ ଅଜପତି ତୋର ଯେତେକ ବନଚରମାନ
ସମସ୍ତେହେଂ ଶୁଣ ହୋଇଣ ସାବଧାନ ।୨।
ତେରଲକ୍ଷ ତେଷଠୀ ସହସ୍ର ତୋର ବୀରେ
ଶୁଖିଲା ତରୁନ୍ତ ଯେ ରୁଣ୍ଡ କରିବେ ବନସ୍ତରେ ।୩।
ଜୀବଥିବା ବୃକ୍ଷକଇଂ ନ କାଟିବ ଯତନେ
ଜୀବନାଶ ବୃକ୍ଷନ୍ତ ରୁଣ୍ଡ କରିବ ପଶି ବନେ ।୪।
ଆହୋ ଯୁଝେଷ୍ଠି ଦେବ କରିବେ ରାଜୁସି ଯଗ୍ୟଂ ସଭା
ଗଜ ଅଶ୍ୱ ଛତ୍ରଶାଳମାନନ୍ତ ତୋଳାଇବା ।୫।
ତେରଲକ୍ଷ ତେତିଶି ସହସ୍ର ଶବରା
ସବୁନ୍ତି ହରି ଦିଲେ ଅଷ୍ଟରତ୍ନେ ଚଉରସା ।୬।
ଦେବାଙ୍ଗ ବସ୍ରମାନ ଯେ ଦିଲେକ ବହୁତ
ପାଇଣ ଶବରାୟେ ହୋଇଲେ ତୋଷଚିତ୍ତ ।୭।
ଆହୋ ଝିମାଣୀଶାଳ ମହାରଣାମାନେ ଅଛନ୍ତି ବାରୁଣାବନ୍ତେ
ତାହାନ୍ତ ଶାଢୀ ଦିଆଇଲେ ଭୀମସେନର ହାଥେ ।୮।
କୋଦାଳ କୋଠାର କଟାଇ ଶାବେଳି ମୂଷଳୀ
ଲୋହକର୍ମମାନନ୍ତ ନିର୍ବାଣ କର ବଦନ୍ତି ବନମାଳୀ ।୯।
କମିଲା ବିନ୍ଧାଣୀମାନେ କୁନ୍ଦନ୍ତି କାମ କାଠ
ତାହାନ୍ତ ଶାଢୀ ଦିଆଇଲେ ନାବ ତୁମ୍ଭେ ଖଟ ।୧୦।
ଆଠଲକ୍ଷ ନାବ ବାବୁ ତୁମ୍ଭେ ଦେବ ସାଜି
ଉଡନ୍ତା ନାବ ହେବ ପବନହୁଂ ବେଗ ତେଜି ।୧୧।
ଧାନ ଚାଉଳ ବିରି ମୁଗ ପରିବା ଶାକମାନ
ନାବେ ପୂରୋଇ ଆସୁଥିବ ହର ଉଦ୍ୟାନ ବନ ।୧୨।
ମେଢ ମଣ୍ଡୋପ ପୁର ଜଗତୀ ଅଟାଳୀ
ୟେମାନ ସର୍ଜନା କରିବ ଆଗ୍ୟାଂ ପ୍ରତିପାଳି ।୧୩।
ବିଶ୍ୱକର୍ମା ମୂଳେ ଥିବେ ଯେତେକ ବିନ୍ଧାଣୀ
ଦଶଲକ୍ଷ ବରତନିୟା ଖଟାଇଥିବୁ ଆଣି ।୧୪।
ୟେମାନନ୍ତ ଆଗ୍ୟାଂ ଦେଇ ଗଲେ ଜଗନ୍ନାଥେ
କୋଲହାଣ ନୃପତିକି ଭେଟିଲେ ଯମପ୍ରଶସ୍ତେ ।୧୫।
ଭାସୁକ ନାମେଣ ସେ ଅଟଇ ନରପତି
ତାହାକଇଂ ଶାଢୀ ଦିଲେ ଆପଣେ ଶିରୀପତି ।୧୬।
ତାଡଝୁମ୍ପା ବାହୁଟି ସରଳ ଜଗଦଳା
ହୃଦେଣ ଭୂଷଣ କର୍ଣ୍ଣାଞ୍ଚଳ ସିମଛିନୀ ରତ୍ନମାଳା ।୧୭।
ଆହୋ ଯୁଝେଷ୍ଠି ଦେବ କରିବେ ରାଜୁସି ଯାଗ ସଭା
ଋଷିଗଣମାନ ସମସ୍ତ ଆସିବେ ସର୍ବଦେବା ।୧୮।
ବେନିଲକ୍ଷ ଦେବୁ ତୁ କୃଷ୍ଣାଞ୍ଜୀନ ଛଉରୀ
ଗଣ୍ଡା ହରିଣମାନନ୍ତ ଜୀବନ୍ତା ଆଣି ଥୋଇବୁ ଧରି ।୧୯।
ମୃଗମାଂସ ଭୋଜନ କରିବେ ସର୍ବଋଷି
ବନ ବରେହା ମାଂୟେସ ମାନବ ମନ ତୋଷି ।୨୦।
ୟେମାନ ଯେତେ ଲାଗଇ ଷୋଳ ଦିବସ ପରିଯନ୍ତେ
ତିନିକ୍ଷଉଣୀ ପାଦାନ୍ତି ବଳ ଘେନି ଦେଉଥିବୁ ବାରୁଣାବନ୍ତେ ।୨୧।
କୋଲହାଣ ନୃପତିକି ଆଗ୍ୟାଂ ଦିଲେକ ଗୋବିନ୍ଦେ
ହରଷେ ସନମତ କଲା ମନର ଆନନ୍ଦେ ।୨୨।
ୟେସନେକ ଆଗ୍ୟାଂ ତାକୁ ଦେଇଣ ଦେବରାଜେ
ଚଳନ୍ତି ଜଗନ୍ନଥେ ବଇନେତ୍ର ପିଠିରେ କରି ବିଜେ ।୨୩।
ମଲ୍ହାର ଦେଶର ରାଜା ନାମ ଋତୁପତି
ମଲ୍ହାର ଦେଶେରେ ସେ ଅଟଇ ଆଧିପତି ।୨୪।
ଜାନ୍ହବୀ ନଦୀ ତୀରେ ଅଟଇ ତାର ବାସ
ତାହାର ପଲ୍ଲୀରେ ଦେବ ହୋଇଲେ ପରବେଶ ।୨୫।
କେଶବଂକୁ ଦେଖିଣ ସେ ମହ୍ଲାର ଦେଶ ରାଜା
ଶ୍ରୀକୃଷ୍ଣ ପଦ୍ମପାଦେ କଲାକ ଦିବ୍ୟପୂଜା ।୨୬।
ଶ୍ରୀହସ୍ତେ ନାରାୟଣ ଦିଲେକ ତାକୁ ଶାଢୀ
ଆହୋ ବନଚର ତୁହୋ ଅରଣ୍ୟେ ଅଧିକାରୀ ।୨୭।
ଅନେକ ରତ୍ନ ଅଳଂକାରମାନ ତାକୁ ଦେଇ
ଆଗ୍ୟାଂ ଦିଲେ ତାକୁ ପୁଣ ଜଗତଭୂତ ସାଇଂ ।୨୮।
ଆହୋ ଯୁଝେଷ୍ଠିଦେବ କରିବେ ରାଜୁସି ଯାଗ ସଭା
ଲକ୍ଷେକ ନୃପତି ତହିଂ ବସିବେ ରାଜଦେବା ।୨୯।
ଅଗର ଚନ୍ଦନ ଯେ ବୃକ୍ଷମାନ କାଟି
ଗଙ୍ଗାକୂଳେ ଆଣିଣ ତୁ କରିଥିବୁ ପଇଠି ।୩୦।
ଲକ୍ଷେକ ରାଜାଂକୁ ଯେ ଲକ୍ଷେକ ନବର
ଖମ୍ବ ଶେଣୀ ରୁଅ ଯେ ବତା ହୋଇବ ଅଗର ଚନ୍ଦନର ।୩୧।
ଛତ୍ରଶାଳକଇଂ ଦେବୁ ଜାଳ ଆଦି କରି
ଚନ୍ଦନ ଅଗରେ ପାକ ଫକୁ ଯେନ୍ହେ କରି ।୩୨।
ଷୋଳ ଦିବସକଇଂ ଯେତେକ କାଠ ଲାଗି
ନାବେ ପୂରୋଇଂ ଗଙ୍ଗାରେ ମେଲି ଦେଉଂଥିବୁଟି ବେଗି ବେଗି ।୩୩।
ଆହେ ମନୋହର ଦେଶେ ରାଜା ତ୍ରିୟବଳେଶ୍ୱର
ସେ ରାଜାଇ ଅଟଇ ସେ ବନର ବେଣ୍ଟିକାର ।୩୪।
କାଶୀନଦୀ ତୀରେ ସେ ରାଜାର ନିଜ ବାସ
ସେ ବନେ ଗଉରା ରୁଦ୍ରଂକୁ ତପ ଦାହିଲେ ଦଶସହସ୍ର ବରଷ ।୩୫।
ନାନା ଗନ୍ଧ ଚନ୍ଦନ ଯେ ମିଶ୍ରିତ ଦେବୀ କରି
ବାଲୁଂକା ଲିଙ୍ଗ ଉପରେ ଯେ ନିଉଡନ୍ତି ଶାକାମ୍ଭେରୀ ।୩୬।
ସେ ଉଦେକ ପିଇଲେ ଯେତେକ ଜୀବମାନେ
ସେହି ବୋଲାଇବେଟି କସ୍ତୁରୀ ଜୀବ ବନେ ।୩୭।
ତାହାଂକର ଉବୁରା ଯେ ପିଇଲେ ଜଳ ଚିନ୍ହି
ସେ ଜୀବ ବୋଲାଇଲେ ଶାଳେହା ପତନି ।୩୮।
ତାହାଂକର ଉବୁରା ଯେ ପିଇଲେ ଜଳ ଚିନ୍ହି
ସେ ଜୀବ ବୋଲାଇଲେ ଶାଳେହା ପତନି ।୩୯।
ଆହୋ କୁଣ୍ଡଳୀ ତୁ ଆରେ ୟେହି ଜୀବ ଧରି
ରାଜୁସି ଯାଗକୁ ନେମୁଂ ପଂଜରୀରେ ଭରି ।୪୦।
ଯେତେକ ପଦାର୍ଥମାନ ତୁ ଅପୁର୍ବ ପାଇବୁ
ଷୋଳଦିନ ପରିଯନ୍ତେ ରାଜୁସି ସଭାକୁ ଦେଉଥିବୁ ।୪୧।
ଯେହୁ ଅବା ଅନ୍ୟସ୍ତା କରିବ ମୋହର ବାଣୀ
ଅବଶ୍ୟ ଚକ୍ରରେ ତାକୁ ପକାଇବି ହାଣି ।୪୨।
ଅନେକ ସାନନ୍ଦ ଯେ ମନୋହର ଚକ୍ରବ୍ରତୀ
ଶ୍ରୀକୃଷ୍ଣ ଦ୍ରଶନେ ତାର ଅନେକ ତୋଷ ମତି ।୪୩।
ୟେସନେକ ଆଗ୍ୟାଂ ଦେଇଣ ସର୍ବ ପାଇଟି
ବିଜୟେ ନାରାୟେଣ ବଇନେତ୍ର ପିଠି ।୪୪।
ଆହୋ ନିଷାଦ ପୁରେ କଇବ୍ରତ ନିଷାଦ
ଗୋମତୀ ନଦୀ ତୀରେ ତାହାର ରାଜ୍ୟ ସମ୍ପଦ ।୪୫।
ଅଶି ସହସ୍ର ନାବ ଯେ ତୁ ଚଳାଇବୁ ନୃପମଣି
ବାଞ୍ଛାବଟ ତଳେ ତାର କଟକ ମିରିମାଣି ।୪୬।
ସେ ବଟର ତଳେ ଯାଇଂ ବିଜୟେ ଦେବରାଜା
ଦେଖିଣ ନିଷାଦ ସ୍ୱାମୀଂକି କଲା ପାଦପୂଜା ।୪୭।
ଶିରରେ ରତ୍ନ ମୁକୁଟ ଲଲାଟେ ସୀମନ୍ଥିନୀ
ନିଷାଦ ହୃଦେ ରତ୍ନମାଳା ଲମ୍ବାଇଲେ ନେଇ ଦେବ ଚକ୍ରପାଣି ।୪୮।
ରାଜୁସି ଯଗ୍ୟଂ କରିବେ ଯୁଝେଷ୍ଠି ରାଜଦେବ
ଲକ୍ଷେକ ନୃପତି ଆସି ମିଳିବେ ସମ୍ଭର୍ବ ।୪୯।
ୟେ ମଧୁବନ ରାଜ୍ୟେ ଆମ୍ଭେ ରହିଥିଲୁଂ ପୂର୍ବେ
ୟେ ରାଜ୍ୟ ତେଜିଲୁ ଆମ୍ଭେ କାଳଦମନ ପ୍ରସ୍ତାବେ ।୫୦।
ଆହୋ ମଧୁମତିର ବଲ୍ଲଭ ୟେଥି ସମସ୍ତ ଥିଲା ସଞ୍ଚି
ତ୍ରେତୟା ଯୁଗରୁ ୟେଥି ତଣ୍ଡୁଳମାନ ଅଛି ।୫୧।
ସୁବର୍ଣ୍ଣ ନିର୍ବାଣ ଯେ ୟେଥେ ଅଛଇ ଶତ ଶତ କୋଠି
ତଣ୍ଡୁଳ ପୂରିଣ ଅଛି ଭରଣ ତିନିକୋଟି ।୫୨।
ଶ୍ରୀହସ୍ତେ ଶାଢୀ ତାକୁ ଦିଲେକ ଶ୍ରୀପତି
ଅଶି ଖର୍ବ ନାବ ଘେନି ବାହୁଥିବୁ ଦିବାରାତି ।୫୩।
କାତ କେରୁଆଳ ଆଦି ନାବମାନ ସବୁ
ଯତନ କରିଣ ୟେମାନ ସିଞ୍ଛି ରଖିଥିବୁ ।୫୪।
ୟେ ଯେ ମଧୁବନ ଚଉରାଶି ଯୋଜନା ତୋଟା
ସମସ୍ତ ବୃକ୍ଷ ଫଳମାନ ଅମୃତ ରସ ମିଠା ।୫୫।
କଦଳୀ ନଟୀକାଳ ଆମ୍ବ ପଣସ ବଦରୀ
ଟଭା ଲେମ୍ବାଉ ଜମ୍ବିଳ ଦାରାକ୍ଷ ଖଜୁରୀ ।୫୬।
ୟେମାନ ସମସ୍ତ ଯେ ପୂରୋଇକରି ନାବେ
ବାରୁଣାବନ୍ତେ ପ୍ରବେଶ କରାଇବୁ ସମ୍ଭର୍ବେ ।୫୭।
ଆରେ ମଧୁବନ ତୋଟା ରକ୍ଷକ ପାଞ୍ଚଖର୍ବ
ଅନୁବ୍ରତେ ତୁମ୍ଭେ ନାବ ପାରି କରୁଥିବ ।୫୮।
ୟେସନେକ ଆଗ୍ୟାଂ ଦିଲେକ ପରମଯୋଗୀ
ଖଗେବର ପିଠିରେ ବିଜୟେ କଲେ ବେଗି ।୫୯।
ମଧୁବନେ ଆଗ୍ୟାଂ ଦିଲେ ସ୍ୱାମୀ ବଇନେତ୍ରକୁ
ବହନ ହୋଇ ଯିବା ଚାଲ କୋବେର ଅଳକା ଭୁବନକୁ ।୬୦।
ନାରାୟେଣଂକ ଆଗ୍ୟାଂ ଯେ ନିବେଶିତ ଶିରେ
ବାରାସ୍ୱତୀ ଭୁବନେ ଯାଇଂ ବିଜୟେ ଖଗେଶ୍ୱର ।୬୧।
ଅଳକାନାଥ ଦେଖିଲା ନାରାୟେଣଂକ ବିଜେ
ପାଦ୍ୟ ଅର୍ଘ୍ୟ ଦେଇ ପୂଜା କରଇ ଦେବରାଜେ ।୬୨।
ବଇନେତ୍ର ବାହାନୁଂ ଉତୁରି ଅନ୍ତର୍ଯ୍ୟାମୀ
ଦେଖିଣ ସାନନ୍ଦ ଅଳକାନାଥ ସ୍ୱାମୀ ।୬୩।
ଗୋବିନ୍ଦେ କହନ୍ତି ଯେ ଅଳକାନାଥର ଆଗ
ଯୁଝେଷ୍ଠିଦେବ ଠାକୁରେ କରିବେ ରାଜୁସି ମହାଯାଗ ।୬୪।
ଆହୋ ସପତ ନିଧି ଭଣ୍ଡାର ଫେଇଥିବୁ ଅନୁବ୍ରତେ
ଯେତେକ ରତ୍ନ ଲାଗିବ ଦେବୁ ଷୋଳଦିନ ପରିଯନ୍ତେ ।୬୫।
କମିଲା ଘଟଣ ହକାରିଲେ ବିଶ୍ୱକର୍ମା
ଅମରପୁରେ ଯେସନେକେ ଶୋଭାପାୟେ ସୁଧର୍ମା ।୬୬।
ତହୁଂ ଅତିଅନ୍ତ ଯେ ହୋଇବ ସୁସଞ୍ଚ
ଆକାଶୁଂ ଓହ୍ଲାଇ କରି ମୋହିବୁ ଭୁବନ ମଞ୍ଚ ।୬୭।
ଆହୋ ଦ୍ୱାଦଶ ଯୋଜନ ହୋଇବ ସଭାର ଆୟତନ
ଲକ୍ଷେକ ଖମ୍ବ ହୋଇବ ସବୁ ସୁବର୍ଣ୍ଣେ ନିର୍ବାଣ ।୬୮।
ଅଷ୍ଟାଦଶ ଦଣ୍ଡ ଯେ ହୋଇବ ନଳକାଠୀ
ହାଥକେ ମାଡିବସିବ ଖମ୍ବ ଚାରିଗୋଟି ।୬୯।
ୟେମନ୍ତେ ବାସ୍ତରି ହାଥ ହୋଇବ ଆୟେତନ
ଉପରକୁ ଉଚ୍ଛର୍ଗ ହୋଇବ ଚଉବିଂଶ ଯୋଜନ ।୭୦।
ଚଇବିଂଶ ଅଂଶା ହୋଇବ ୟେକ ଖମ୍ବଗୋଟି
ୟେକ ଅଂଶାକେ ଲାଗିଥିବ ହୀରା ନବକୋଟି ।୭୧।
ମାଣିକ୍ୟ ପାଞ୍ଚକୋଟି ହୀରା ପାବଚ୍ଛେ ଖଞ୍ଜିତା
ସହସ୍ରେକ ପନ୍ତିଥିବି ଗଜ ଯେ ମୁକୁତା ।୭୨।
ନୀଳାର ଫେରରେ ବଇଡୁର୍ଯ୍ୟ ଥିବ ଜଡି
ପ୍ରବାଳର ଖଞ୍ଜଣୀ ଯେ ନିରନ୍ତରେ ପାୟେଡା ଗୁଜ କରି ।୭୩।
ଯେଉଂଣ ରାଜା ଯେଉଂଣ ଖମ୍ବରେ ବସିଥିବ
ସେ ଖମ୍ବକୁ ବାହୁନିବାକୁ ଦିନ ନ ଅଣ୍ଟିବ ।୭୪।
ସେ ରାଜାର ଶତେକ ଭଣ୍ଡାର ସେ ସ୍ତମ୍ଭକୁ ନୋହିବ ସରି
ଦେଖନ୍ତେଣ ବସିଥିବ କ୍ଷୁଧା ପିପାସା ପାସୋରି ।୭୫।
ଆପଣେ ଶ୍ରୀ ଜଗନ୍ନାଥେ ଶ୍ରୀହସ୍ତେ ଚିତ୍ରପଟେ କାଟି
ୟେହି ସରୂପେ ହୋଇବଟି ଲକ୍ଷେ ସ୍ତମ୍ଭଗୋଟି ।୭୬।
ସେ ସ୍ତମ୍ଭର ତଳେ ଆସ୍ତାନ ଗୋଟିୟେ ହୋଇବ ନିର୍ମିତ
ବେନିକାଠି ଉଚ୍ଛର୍ଗ ହୋଇବ ସ୍ଥଳୀ ଯେ ସପ୍ତହସ୍ତ ।୭୭।
ସୁବର୍ଣ୍ଣର ଦ୍ୱାଦଶ ଗୋଟି ଯେ ହୋଇବ ପାବଚ୍ଛ
ଲକ୍ଷେକ ଥମ୍ବ ହୋଇବ ଆସ୍ତାନ ହେବ ଲକ୍ଷ ।୭୮।
ଚିତ୍ରପଟ ଗୋଟିକ ଦିଲେ ହରି ବିଶ୍ୱକର୍ମା ଗୋଚରେ
ଅଷ୍ଟରତ୍ନେ ଛାୟେଣୀ ହୋଇବ ତହିଂର ଉପରେ ।୭୯।
ଅନେକ ସୁସଞ୍ଚ ଯେ ହୋଇବ ଅପୂର୍ବ
ଲକ୍ଷେ ନୃପତିଂକି ବସିବାକୁ ହୋଇବାକ ଠାବ ।୮୦।
ମୁକୁତା ମାଳମାନ ଲମ୍ବିଥିବ ମାଣିକ୍ୟର ଝରା
ନନ୍ଦାବ୍ରତେକ ଲେଖନ ନେତର ଚନ୍ଦ୍ରାତପ ଅଷ୍ଟରତ୍ନେ ଚଉସରା ।୮୧।
ୟେସନେକ ସମ୍ପଦ ସେ ଛାୟାମଣ୍ଡୋପର ସ୍ଥଳୀ
କୁତୂହୋଳେ ରାଜାମାନେ ଦେଖିବେ ଉଭାରି ।୮୨।
ୟେସନେକ ଆଗ୍ୟାଂ ତାକୁ ଦେଇଣ ଜଗନ୍ନାଥେ
କୁବେରକୁ ବୋଇଲେ ଧନ ଦେବୁ ଯାଗକୁ ଲାଗଇ ଯେତେ ।୮୩।
ଆହୋ ନାରାୟଣ ସଂଚିତ ସମସ୍ତେ ଆଗ୍ୟାଂବ୍ରତୀ
ମନ୍ଦର ପର୍ବତ ଉପରେ ଆସ୍ତାନ ସଞ୍ଚା ପାତି ।୮୪।
ଦଶମେବଚ୍ଛ ଚାରଗଣ ଅଳକାର ସଇନି
ଭଣ୍ଡାରୁ ଧନମାନ ଭାର ଭାର କରି ଆଣି ।୮୫।
ତହୁଂଣ ବଇନେତ୍ର ଆରୋହି ଚକ୍ରହାଥେ
ଚଳନ୍ତି କେଶବ ଯେ ଦ୍ୱାରକା ପ୍ରଶସ୍ତେ ।୮୬।
ବରୁଣ ଭୁବନ ଯାଇଂ ବିଜୟେ ଜଗବନ୍ଧୁ
ଦେଖିଣ ପୂଜାକଲେ ବାରାନିଧି ନାଥ ସାଧୁ ।୮୭।
ରତ୍ନାକର ଦେଖିଲା ଯହୁଂ ଶ୍ରୀ ଜଗନ୍ନାଥେ
ଭୋ ଦେବରାଜ ବିଜୟେ କେଉଣ ଅର୍ଥେ ୟେଥେ ।୮୮।
କନକ ସିଂଘାସନେ ବସାଇଂ ବାରାନିଧି
ଅନେକ ପୂଜାକଲେ ସେ ଯେସନେକ ବିଧି ।୮୯।
ଅନେକ ହରଷ ଯେ ହୋଇଲା ଜଳପତି
ନାରାୟଣ ଦ୍ରଶନେ ମୋର ଫିଟିଲା ଦୁର୍ଗତି ।୯୦।
ରତ୍ନାକର ସନ୍ନିଧ୍ୟେ ଯେ ବଦନ୍ତି କେଶବ
ରାଜୁସିଯାଗ କରିବେ ଯୁଝେଷ୍ଠି ରାଜଦେବ ।୯୧।
ଆହୋ ବାରାନିଧି ଭଣ୍ଡାର ଫେଇଥିବୁ ଯାଗ ସରିବା ପରିଯନ୍ତେ
ପଇଲମ ଯୋଗାଡ ଦେଉଥିବୁ ଲାଗଇ ଯେତେ ଯେତେ ।୯୨।
ତାରକା ଦିଗବିଜୟ କାଳେ ଆକାଶେ ଦେବରାୟେ
ରତ୍ନ ଯୋଗାଡ ଲୁଚାଇଛନ୍ତି ତୋହୋର ପୁରେ ସମସ୍ତ ଦେବତାୟେ ।୯୩।
ତ୍ରେତୟାଯୁଗେ ଯହୁଂ ତାରକା ନାଶଗଲା
କାର୍ତ୍ତିକ କୁମାର ହାଥେ ଯେ ଦଇତ ପ୍ରାଣ ଦିଲା ।୯୪।
ପୁଣ ଉପତ୍ତି କାଳେ ସେ ହେଇଲା ରାବଣ
ସେହୁ ଧାଡି ଦିଲା ପଳାଇଲେ ଦେବଗଣ ।୯୫।
ସେ ରତ୍ନ ଯୋଗାଡମାନ ଅଛଇ ତୋର ପୁରେ
ସେ ପଇଲମ ଯୋଗାଡମାନ ମାଗିଲେ ସ୍ୱାମୀ ଦାମୋଦରେ ।୯୬।
ରତ୍ନାକର ବୋଇଲା କରପତ୍ର ଯୋଡି
ତୋହୋର ଭଣ୍ଡାରେ ସିନା ନାଥ ମୁହିଂ ସେ ଅଧିକାରୀ ।୯୭।
ଜଳଚର ପଂକଚର ବେନି ଅସୁର ହୋଇଲେ ଦୃଭାର
ଜଳ ଭୁବନ ମଛନ କଲେ ସେ ମୋହୋର ।୯୮।
ୟେ ବାରାନିଧିଉଂ ମୋର ଭଣ୍ଡାର ଜୁର କରି
ଦେବତାଂକର ବଚନେ ତାହାନ୍ତ ନାଶିଲୁ ଦେବହରି ।୯୯।
ଆଣି ସେ ଭଣ୍ଡାର ପୁଣ ଥୋଇଲୁ ମୋର ତହିଂ
ଆପଣେ ଥୋଇଲା ଦ୍ରବ୍ୟ କାହାକୁ ମାଗୁ ହୋ ଗୋସାଇଂ ।୧୦୦।
ଯେତେକ ତୋହୋର ଦେବ ହୋଇବାକ କାର୍ଯ୍ୟ
ତେତେକ ଯୋଗାଡ ମୁଂ ଦେବଇଂ ଦେବରାଜ ।୧୦୧।
ଲକ୍ଷେକ ରାଜାଂକୁହିଂ ଯେତେକ ପଇଲମ ଝରୀ
ଜଳଚରମାନେ ବହି ଦେଉଥିବେ ଦେବହରି ।୧୦୨।
ରତ୍ନାକରଂକୁ ଆଗ୍ୟାଂ ଦେଇଣ ଅନନ୍ତ
ଦ୍ୱାରିକା ସଭାୟେ ହେ ବିଜୟେ ଜଗନ୍ନାଥ ।୧୦୩।
ଦ୍ୱାରିକା ସଭାୟେ ହେ ବିଜୟେ ଉଗ୍ରସେନ
ଆସ୍ତାନେ ବିଜୟେ ଯାଇଂ ଦେବ ଜନାର୍ଦ୍ଦନ ।୧୦୪।
ନାରାୟଣଂକ ଆଗତ ଶୁଣିଣ ଦେବ କାମପାଳେ
ବିଜୟେ କାମପାଳ ସଭା ନିବର୍ତ୍ତ ବେଳେ ।୧୦୫।
ଆସ୍ତାନ ତେଜିଣ ଉଠିଲେ ଯାଦବ ସମସ୍ତ
ନୀଳାମ୍ବରଂକ ପଦ୍ମପାଦେ ପ୍ରଳମ୍ବ ଶ୍ରୀଜଗନ୍ନାଥ ।୧୦୬।
ଅନେକ ବିନୋୟୀ ହୋଇଣ ଦେବସ୍ୱାମୀ
ବଳରାମଂକ ପାଦତଳେ ଶତ ସହସ୍ର ଦଣ୍ଡ ପରିଣାମି ।୧୦୭।
ନାରାୟଣଂକୁ ଦେଖି ଧଇଲେ ଦେବ କୋଳେ
କୁଶଳ ବାରତା ଯେ ପୁଚ୍ଛନ୍ତି କାମପାଳେ ।୧୦୮।
ବାବୁ ଦ୍ୱାରିକା ଛାଡିଣ ତ ତୁ ଗଲୁ ଅପାର ଦିନ
ପଥ ନିରୋପଇ ଦିନ ନ ସରଇ ଜନାର୍ଦ୍ଦନ ।୧୦୯।
ଜରାସନ୍ଧ ଦୁଷ୍ଟ ସେ ଥିବା ପରିଯନ୍ତେ
ମନକଇଂ ବିକୃତ ମୃଚ୍ଛି ନୋହୋଇ କଦାଶ୍ଚିତେ ।୧୧୦।
ବାବୁ ଗୋମତ ଯୁଦ୍ଧକାଳେ ମୁଂ ପିଟିଲି ବଜ୍ରହଳ
ସାଂଗ୍ରାମେ ଜରାସନ୍ଧ ଯେ ପାତିଲା ବକ୍ଷସ୍ଥଳ ।୧୧୧।
ଆରବେଳ ବୁଲାଇ ମୁଂ ପିଟିନ୍ତେଣ ହଳେ
ଦେବତାୟେ ଡାକିଲେ ଥାଇଣ ସ୍ୱର୍ଗଆଳେ ।୧୧୨।
ୟେ ବିଘାତେ ନାଶ ଗଲା ଜାରା
ପ୍ରତ୍ୟକ୍ଷେ ଦେଖିଲି ସେ ଅମର ମହାବୀରା ।୧୧୩।
ପ୍ରଥମ ଧାଡିରେ ସେ ଗୋପପୁରକୁ ବେଢିଲା
ତାହାର ହେତ୍ତୁ ଆମ୍ଭନ୍ତ ପୟେଡ ପଡିଲା ।୧୧୪।
ଗୋପପୁର ତେଜିଣ ରହିଲୁ ମଥୁରା
ତହିଂକି ପୁଣ ଧାଡି ଦିଲାକ ବୀର ଜାରା ।୧୧୫।
ତହୁଂ ପୁଣ ସାଂଗ୍ରାମେ ଜିଣିତ ନୁଆରି
ଅବନ୍ତୀପୁରକୁ ଗଲୁ କହନ୍ତି ହଳଧାରୀ ।୧୧୬।
ତହିଂକି ପୁଣ ଧାଡି ଦିଲାକ ଜରାସନ୍ଧ
ତହୁଂ ପୁଣ ଅପସରି ଆମ୍ଭେ ଅଇଲୁଂ ଗୋବିନ୍ଦ ।୧୧୭।
ଗୋପ୍ୟାନ ହୋଇ ରହିଲାଇଂ ଗୁପତେ
ତହିଂ ଅନେକ ଯୁଦ୍ଧ ହୋଇଲା ଅପ୍ରମିତେ ।୧୧୮।
ପର୍ବତେ ରହି ଯେ ନୁଆରିଲା ତାହାର ଡରେ
ମଧୁବନେ ତହୁଂ ଯାଇଂ ରହିଲୁ ଦାମୋଦରେ ।୧୧୯।
ଅଷ୍ଟାଦଶବାର ତହିଂକି ଦିଲା ଧାଡି
ବଜ୍ରହଳ ମୂଷେଳ ନୋହିଲା ଅପହାରି ।୧୨୦।
ବିଧାତା ବୋଇଲେ ରାମ ନିଧନ ନ କର ୟେହାକୁ ତୁ
ତୋହୋର ହାଥରେ ଜାରାକୁ ନାହିଂ ହାଦେ ମୃତୁ ।୧୨୧।
ଧାତାର ବଚନେ ମୁଂ ଅଇଲି ଅପସରି
ତେଣୁ ସେ ଜରାସନ୍ଧକୁ ଥାଉଂ ତ୍ରାସ କରି ।୧୨୨।
ହରି ହେ ସମୁଦ୍ର ଭିତରେ ରଞ୍ଚିଲୁ ଦ୍ୱାରିକା
ତେଣୁ କରି ଜରାସନ୍ଧକୁ ସବୁରି ମନେ ଶଂକା ।୧୨୩।
ଦ୍ୱାରିକାଉଂ କେହି ବାହାର ନୋହନ୍ତି ତାର ଡରେ
ଜରାସନ୍ଧ ନାଶଯିବା ଯାୟେଂ ତୁ ଯିବୁ ନିର୍ଭରେ ।୧୨୪।
ଜାରା ନାଶ ଯିବାକୁ କେମନ୍ତେ କରିବାକ ବୁଦ୍ଧି
ତେବେ ସେ ହୋଇବନା ସକଳ କାର୍ଯ୍ୟ ସିଦ୍ଧି ।୧୨୫।
ଦ୍ରହସିତ ହୋଇଣ ସେ ବଦନ୍ତି ନାରାୟଣ
ଦ୍ୱାରିକାୟେ ଉଚ୍ଛବ ତୁମ୍ଭେ କରାଅ ସଂକ୍ରିଷେଣ ।୧୨୬।
ବଳରାମେ ବୋଇଲେ ହେ ଉଚ୍ଛବ କାହିଂକି
ଜରାସନ୍ଧ ବଧ ହେଲା ଅଇଲୁକି ଦେଖି ।୧୨୭।
କରପତ୍ର ଯୋଡିଣ ସେ ବଦନ୍ତି ହୃଷିକେଶି
ଭୋ ଦେବ କାମପାଳ ଜରାସନ୍ଧ ହୋଇଲା ବିନାଶି ।୧୨୮।
ଅନେକ ସାନନ୍ଦେ ଯେ ବୋଲନ୍ତି ହଳହସ୍ତେ
ଜରାସନ୍ଧ ବଧ କରାଇଲୁ ହରି ତୁ କାହାର ହାଥେ ।୧୨୯।
ଗୋବିନ୍ଦ ବୋଇଲେ ଯେ ଶୁଣିମା ଦେବରାଜେ
ମଗଧ ଦେଶେ ଗଲୁ ଯୁଝେଷ୍ଠି ଦେବଂକର କାର୍ଯ୍ୟେ ।୧୩୦।
ଭୀମ ଅର୍ଜୁନକଇଂ ନେଲୁଂ ଦେବ ତୁଲେ
ଜାରାକୁ ଯାଗରେ ଭେଟିଲୁ ଦେବ ଆହୁତିର ବେଳେ ।୧୩୧।
ବେଦ ଆଧ୍ୟାନ କରି ଯେ ମାଗିଲୁଂ ତାହାକଇଂ ଦାନ
ସାଂଗ୍ରାମ ମାଗିଲୁ ତାକୁ ସେ ଦିଲାକ ତୋଷମନ ।୧୩୨।
ଜରାସନ୍ଧ ତୁଲେ ଦେବ ସାଂଗ୍ରାମ କଲା ବୀର ଭୀମେ
ଜରାସନ୍ଧକୁ ଭୀମ ଯେ ଧଇଲା ସାଂଗ୍ରାମେ ।୧୩୩।
ଜନ୍ମକାଳହୁଂ ଜାରା ଦେବ ଅଟଇ ବେନିଫାଳ
ଧରିଣ ଚିରି ପକାଇଲା ତାକୁ ପବନର ବାଳ ।୧୩୪।
ବଡବା ଅନଳେ ଦେବ ପକାଇଲା ଖଣ୍ଡେକ
ଭୂଚର ହୋଇଣ ଦେବ ରହିଲା ଅର୍ଦ୍ଧଅଙ୍ଗ ୟେକ ।୧୩୫।
ଛୟାଣୋଇଂ ସସ୍ର ରାଜା କାଳଦମନର ତୁଲେ ଥିଲେ
ମଧୁବନ ସାଂଗ୍ରାମେଣ ସମସ୍ତେ ସେମାନେ ପଳାଇଲେ ।୧୩୬।
କାଳଦମନ ନିଧନେ ଜାରା ସେ ରାଜାମାନନ୍ତ ନେଲା ଧରି
ଛୟାଣୋଇଂ ସସ୍ର ରାଜା ସମସ୍ତ ରଖିଲା ସେ ବନ୍ଦୀକରି ।୧୩୭।
ଯତନେ ଥୋଇଲା ନେଇ ସେ ଯେ ନିଅଳ ପିନ୍ଧାଇ
ଆହୁତିୟେ ପାତିଲା ଋଷିମାନନ୍ତ ହକରାଇ ।୧୩୮।
ସ୍ୱାମୀ ଆମ୍ଭେ ପ୍ରବେଶ ହୋଇଲୁ ଯେବଣ ଦିନର
ସେହି ଦିବସେ ରାଜାନ୍ତ ମାରି ଦିଅନ୍ତା ଆହୁତିର ।୧୩୯।
ଜାରାକୁ ମାରି ଦେବ ରାଜାନ୍ତ ଉଦ୍ଧାରି
ଜାରାର ପୁତ୍ର ସହଦେବକୁ କଲୁ ମଘଦେଶର ଅଧିକାରୀ ।୧୪୦।
ରାଜାମାନନ୍ତ ସେହିଠାବରେ କଲୁ ନିମନ୍ତ୍ରଣ
ଶୁଣି ଅନେକ ସାନନ୍ଦ ଦେବ ସଂକ୍ରିଷେଣ ।୧୪୧।
ବାବୁ ଅନେକ ସାନନ୍ଦ ହୋଇଲି ଜାରାସନ୍ଧ ନାଶଗଲେ
ଭୀମସେନକୁ କିଂପେ ହରି ନ ଆଣିଲୁ ତୋହୋର ତୁଲେ ।୧୪୨।
ଉତ୍ସବ କର ବାବୁ ଭୁବନ ଦ୍ୱାରିକା
ମହାଭୟରୁ ଭୀମସେନ କଲାକ ନିଶଂକା ।୧୪୩।
ଭୀମସେନ ଉଚ୍ଛବ କର ବୋଲି ୟେଥେ ଦିଅ ଧୁନି
ଦେଖନ୍ତୁ ଜାଣନ୍ତୁ ହରି ୟେଥିର କାମେନୀ ।୧୪୪।
ପୁଣ ପୁଣ ବଳଦେବ କହନ୍ତି ବହୁ ପୁରସରି
ଭୀମସେନର ନାମେ ହାଦେ ବହୁ ପ୍ରଶଂସା ସେ କରି ।୧୪୫।
ଜଗନ୍ନାଥେ ବୋଇଲେ ବଡ ମହିଂମା ହୋଇବ
ଯୁଝେଷ୍ଠି ଦେବ କରିବେ ରାଜୁସି ଯଗ୍ୟଂ ଉତ୍ସବ ।୧୪୬।
ଲକ୍ଷେକ ନୃପତିଂକି ଆଣିବେ ଦେବ ସାଧି
ୟେକୁଂ ୟେକେ ପାଣ୍ଡବେ ଅଟନ୍ତି ମହାଯୋଧୀ ।୧୪୭।
ରାଜୁସି ଯାଗ ଦେବ ହୋଇବ ମହାସଭା
ସଜ ହୋଇଥାଅ ଆମ୍ଭେ ସମସ୍ତେହେଂ ଯିବା ।୧୪୮।
ଶୁଣି ବଳରାମେ ହେଲେ ପରମ ସାନନ୍ଦ
ଦେଖିବା ଯୁଝେଷ୍ଠିଂକର ଉଚ୍ଛବ ସମ୍ପଦ ।୧୪୯।
ହରି ଲକ୍ଷେକ ନୃପତି ଆସିବେ କାହାର ବୋଲେ
ମହା ମହା ବଳବନ୍ତା ଅଛନ୍ତି ସନ୍ୟ ତାହାଂକର ତୁଲେ ।୧୫୦।
ଗୋବିନ୍ଦେ ବୋଇଲେ ଦେବ ରାଜାୟେ କେତେ ମାତ୍ର
ବିଭୀଷଣ ସହିତେ ଯେ ଆସିବେ ସମସ୍ତ ।୧୫୧।
ଭୋ ସ୍ୱାମୀ , ପାତାଳ ସ୍ୱର୍ଗୁଂ ଆସିବେ ବାସୁକି ନାଗରାଜା
ନାଗବଳନ୍ତ ଘେନି ସେ କରିବେ ପାଦ ପୂଜା ।୧୫୨।
ଆକାଶୁଂ ଆସିବେ ଦେବ ସମସ୍ତ ଦିଗପାଳମାନେ
ବ୍ରହ୍ମାରୁଦ୍ର ଆଦି କରି ଆସିବେ ମଘବାନେ ।୧୫୩।
ମେଘ ପବନ ଆଦିକରି ସମସ୍ତେହେଂ ଥିବେ ଖଟି
ୟେମନ୍ତ ସମ୍ପଦ ଦେବ ଅର୍ଜିବେ ଯୁଝେଷ୍ଠି ।୧୫୪।
ବଳରାମେ ବୋଇଲେ ହରି ବହନ ଚାଲ ଯିବା
କାହିଂ ହୋଇବ ୟେଡ଼େ ସମ୍ପଦ ସରୂପ ଦେଖିବା ।୧୫୫।
ମାନଧାତା ଯଗ୍ୟଂକଲା ଶୁଣିଥିଲୁଂ ପୂର୍ବେ
ଯୁଝେଷ୍ଠି ରାଜୁସିଯଗ୍ୟଂ ବାବୁ ଦେଖିବାକ ୟେବେ ।୧୫୬।
ଗୋବିନ୍ଦେ ବୋଇଲେ ସ୍ୱାମୀ ଚତୁର୍ମାସ୍ୟା ଅନ୍ତରେ
ସାତବଂଶ ସଂଗେ ଘେନି ବିଜେ କରିବା ବଳେବରେ ।୧୫୭।
ଅନେକ ମହିମାଂ ଦେବ ବଳରାମଂକର ଆଗେ କହି
ଦ୍ୱାରିକା ମହାରଣାନ୍ତ ସନ୍ନିଧ୍ୟେ ହକରାଇ ।୧୫୮।
ଦଶଲକ୍ଷ ସୁବର୍ଣ୍ଣର ନଉତ୍ତି ଦଶଲକ୍ଷ ତେଲାଉଣୀ
ଦଶଲକ୍ଷ ସୁବର୍ଣ୍ଣ କୋଡୋଇ ଦେବ ଆଣି ।୧୫୯।
ଭଣ୍ଡାରୁ ପ୍ରସନ୍ନାଜିତ ଧନ ଦେଉଥିବ ଆଣି
ନିରନ୍ତରେ ନିର୍ବାଣ କରିବ ତୁମ୍ଭେ ପୁଣି ।୧୬୦।
ଦଶଲକ୍ଷ ମାଠିଆ ଯେ ଦଶଲକ୍ଷ ଗରିୟା
ରାଜାନ୍ତ ସ୍ରାହାନକୁ ହୋଇବ ବଦନ୍ତି ଜଗୁନାହା ।୧୬୧।
ଦଶଲକ୍ଷ ସୁବର୍ଣ୍ଣର ନାଳୁଆ ଦଶଲକ୍ଷ ଝରୀ
ୟେ ଚତୁର୍ମାସ୍ୟା ଭିତରେ ସବୁନ୍ତି ଥିବ ହୋ ନିବାଡି ।୧୬୨।
ସୁବର୍ଣ୍ଣର ଦେଉଡି ଦେବ ଶତେକ ମର୍ଭୁତ
ସୁବର୍ଣ୍ଣର ଦୀପ ଦେବ ଅଶି ଅହିବ୍ରତ ।୧୬୩।
ଅଶିଲକ୍ଷ ଦେବ ହୋ ସୁବର୍ଣ୍ଣର କୋପରା
ସୁବର୍ଣ୍ଣ ଦୀପକୁ ରୂଖା ହୋଇବ ଅଶି ଯେ ସାଗରା ।୧୬୪।
ଅକ୍ରୂର ଅନାଧୃଷ୍ଟ ଉଦ୍ଧବ ଯେ ସାତ୍ତୁକୀ
ସେ ଘଟଣ ଯୋଗାଡମାନନ୍ତ ସବୁ ସେମାନେ ଥିବେ ରଖି ।୧୬୫।
ୟେକ ପଦାର୍ଥ ୟେଥୁଂ ଅନ୍ତର ହୋଇଲେ
ପ୍ରାଣେ କେହି ନ ବ୍ରତିବଟି ଯୁଝେଷ୍ଠି ଦେବଂକର କୋପକଲେ ।୧୬୬।
ଦ୍ୱାରିକାପୁରେ ଯେ ଅଛନ୍ତି ଗନ୍ଧକାରୀ
ଗନ୍ଧ ଜୁଆଦ ଦେବ କର୍ପୂର କସ୍ତୁରୀ ।୧୬୭।
ରାଜାକେ ତହିଂ ଶତେ ମାଢ ନିର୍ବାଣ କରିବ
ଷୋଳ ଦିବସକୁ ଷୋଳ ସଜ ଗୋଟିକେ ଦେବ ।୧୬୮।
ୟେହିମତି କରି ଲକ୍ଷେ ରାଜାଂକୁ ଭିଆଇବ ।୧୬୯।
ସାତ୍ତୁକୀ ମୂଳେ ଗନ୍ଧ ଦେଉଥିବ ତୋଳାଇ
ଚିନାୟେକ ଊଣା ହୋଇଲେ ଯୁଝେଷ୍ଠିଂକର କୋପ ହୋଇ ।୧୭୦।
ଯଦି ଚିନାୟେକ ବାବୁ ତୁମ୍ଭେ ଊଣା ଯେ କରିବ
ଯୁଝେଷ୍ଠିଂକର କୋପେ ତୁମ୍ଭେ ସମସ୍ତେ ନାଶ ଯିବ ।୧୭୧।
ଦ୍ୱାରିକାୟେ ଅଛନ୍ତି ଯେଉଂ ପାଟ ହାଥୀ ତନ୍ତୀ
ତାହାନ୍ତ ରାଇ ଆଗ୍ୟାଂ ଦିଅନ୍ତି ଶ୍ରୀପତି ।୧୭୨।
ପାଟ ପିତାମ୍ବରମାନ ଦେବ ରାଜାଗଣମାନଂକୁ
ଯେତେକ ଲାଗଇ ଷୋଳ ଦିବସକୁ ।୧୭୩।
ରାଜାଂକୁ ଦିନକରେ ଦେଉଥିବେ ଯାହାକୁ ଯେତେ ଲାଗି
ଭଣ୍ଡାରୁ ଧନ ମୋହୋର ଘେନିଯାଅ ଲେଖି ବେଗି ।୧୭୪।
ଉଦ୍ଧବର ମୂଳେ ପାଟ ଲେଖି ଦେଉଥିବେ ।୧୭୫।
ଯତ୍ନକରି ଦେବ ୟେହା ଚତୁର୍ମାସ୍ୟା ଭିତରେ
ନୋହିଲେ କୋପିବେଟି ଯୁଝେଷ୍ଠି ଠାକୁରେ ।୧୭୬।
ତାହାନ୍ତ ଶାଢୀ ଦେଇ କହିଲେ ନାରାୟଣ
ଭଣ୍ଡାରୁ ଧନ ଲେଖି ଦେବାକୁ ଆଗ୍ୟାଂ ହୋଇଲା ଉଗ୍ରେସେନ ।୧୭୭।
ଦ୍ୱାରିକାରେ ଛନ୍ତି ଯେତେକ ହାଟୁଆ
ସମସ୍ତ ଭିଆଣକୁ ଆଗ୍ୟାଂଦିଲେ ଜଗୁନାହା ।୧୭୮।
ରାଜୁସି ଯାଗକୁ ଯାହା ଯାହା ଲାଗିବ
ଜଣେ ଜଣେ ଆଗ୍ୟାଂ ଦିଅନ୍ତି ପଦ୍ମଲାଭ ।୧୭୯।
ସମସ୍ତ ସଞ୍ଚିତ ଭିଆଇବାକୁ ଦେବହରି
ରାତ୍ରେ ନିଦ୍ରା ନାହିଂ ଦେବ କ୍ଷୁଧା ତେଜ୍ୟା କରି ।୧୮୦।
ମନେ ମନେ ଦେବ ଧାବନ୍ତି ଅତି ଖରେ
ଯେଉଂଠାରେ ଯାହା ଲୋଡା ଆଗ୍ୟାଂ ଦିଅନ୍ତି ଚକ୍ରଧରେ ।୧୮୧।
ଧନ୍ୟ ସେ ରାଜୁସି ଯଗ୍ୟଂ ଧନ୍ୟ ଧର୍ମରାୟେ
ଆପେ ଜଗନ୍ନାଥ ସଂଚିତ ଯାହା କୟେ ।୧୮୨।
ନାମ ଯୁଝେଷ୍ଠିଂକର ଭିଆଣ ଜଗନ୍ନାଥ
ତିନି ଭୁବନେ ନାହିଂ ରାଜୁସି ଯାଗ ଉଦିତ ।୧୮୩।
ଦ୍ୱାରିକା ଭୁବନେ ଦେବ ୟେମାନେ ବେଗେ ସଞ୍ଚି
ଖଗେଶ୍ୱର ପିଠିରେ ବିଜୟେ ଶିରୀବତ୍ସି ।୧୮୪।
ତହୁଂ ବିଜୟେ କଲେ ଦେବ ଜନାର୍ଦ୍ଦନେ
ଘୃତ ସମୋଦ୍ରେ ଯାଇଂ ମିଳିଲେ ବହନେ ।୧୮୫।
ଘୃତ ଅଧିପତି ଯେ ଅଟଇ ଅମୃତାକ୍ଷ
ତାହାକଇଂ ରାଇ ଆଗ୍ୟାଂ ଦିଲେକ ଶ୍ରୀବତ୍ସ ।୧୮୬।
ଅଶି ପଦ୍ମ ସେନାଂକୁ ସେ ଘେନିଣ ମେଘ ଦ୍ରୋଣ
ତୋ ତହୁଂ ଘୃତ ନେଉଥିବ ରାଜୁସି ଯାଗେଣ ।୧୮୭।
ଶୁଣିଣ ପରମ ସାନନ୍ଦ ହୋଇଲା ବାରାନିଧି
ରାଜୁସି ଯଗ୍ୟେଂ ଖଟିଲେ ଆମ୍ଭର କାର୍ଯ୍ୟ ହୋଇବ ସିଦ୍ଧି ।୧୮୮।
ଘୃତ ସମୋଦ୍ରକୁ ଅକ୍ଷତ ଦିଲେ ଦେବରାଜେ
ତକ୍ଷଣେ ଜଗନ୍ନାଥେ ବଇନେତ୍ର ପିଠିରେ କଲେ ବିଜେ ।୧୮୯।
ରତ୍ନାକର ଭୁବନେ ବିଜୟେ ହୃଶିକେଶି
ଜଳଅନ୍ଧାର ପୁରେ ଦେବ ଯାଉଛନ୍ତି ପଶି ।୧୯୦।
ଦେଖିଲା ରତ୍ନାକର ଯେ ବଇନେତ୍ର ବାହାନେ
ଶ୍ରୀହସ୍ତେ ଅର୍ଘ୍ୟଘେନି ଆସି କଲାକ ଦ୍ରଶନେ ।୧୯୧।
ଅନେକ ବିନୋୟୀ ଜଳାଧିବ ରାଜା
ଶ୍ରୀଜଗନ୍ନାଥଂକ ଚରଣେ କଲାକ ଦିବ୍ୟପୂଜା ।୧୯୨।
ଗୋବିନ୍ଦେ ଆଗ୍ୟାଂଦିଲେ ଶୁଣସି ରତ୍ନାକର
ସୁବର୍ଣ୍ଣ ଯୋଗାଡମାନ କରତୁ ସମ୍ଭାର ।୧୯୩।
ୟେସନେକ ବଚନ ଶୁଣି ଦେବ ଜଳନିଧି
ତକ୍ଷଣେ ଫେଡିଲା ସେ ଭଣ୍ଡାର ବାରାନିଧି ।୧୯୪।
ସତ୍ୟଯୁଗେ ଦେବତାୟେ ତାରକାର ଭୟେ
ବରୁଣ ତହିଂ ସୁବର୍ଣ୍ଣ ଯୋଗାଡମାନ ଥୋଇଲେ ଦେବତାୟେ ।୧୯୫।
ରତ୍ନାକର ସନ୍ନିଧ୍ୟେଣ କହନ୍ତି ବନମାଳୀ
ୟେ ରତ୍ନ ଯୋଗାଡ଼ମାନ କର ହୋ ହାଦେ ଝଳି ।୧୯୬।
ଅନେକ ସାନନ୍ଦ ହୋଇ ଦେବ ଜଳାଧି ଜଳପତି
ଜଳଚରନ୍ତ ଘେନିଣ ସେ ନିର୍ମାଣ କରନ୍ତି ।୧୯୭।
ଗୋବିନ୍ଦେ ବୋଇଲେ ଚର୍ତୁମାସ୍ୟା ମହାଯଗ୍ୟଂ
ଦିନକୁ ଦିନ ରତ୍ନ ଯୋଗାଡ଼ ଦେଉଥିବି ସର୍ବ ।୧୯୮।
ବାରାନିଧି ବୋଇଲା ପରମ ଭାଗ୍ୟ ଆମ୍ଭର
ରାଜୁସି ଯଗ୍ୟଂକୁ ଦେଉଥିବୁ ନିତ୍ୟେହେଂ ଯୋଗାଡ଼ ।୧୯୯।
ଅତ୍ୟନ୍ତ ପୁଣ୍ୟ ଯେହୁ ପୂର୍ବେ ଥିବ ଅର୍ଜି
ସେହି ସେ ଯୁଝେଷ୍ଠିଦେବଂକ ପାଦପଦ୍ମ ପୂଜି ।୨୦୦।
ନାରାୟଣଂକ ଆଗ୍ୟାଂୟେ ଦେବ ରତ୍ନାକର
ନିର୍ବାଣ ଝଳି କରଇ ସେ ରତ୍ନ ଯୋଗାଡ଼ ।୨୦୧।
ତହୁଂ ବଇନେତ୍ର ପିଠିରେ ବିଜୟେ ଦେବହରି
ଚଳିଲେ ହୃଷିକେଶ ପାତାଳ ସ୍ୱର୍ଗପୁରୀ ।୨୦୨।
ହଟକେଶ୍ୱର ଭୁବନେ ଥାଇଂ ମୟ ଦାନବ
ତାହାର ପୁରେ ବିଜୟେ କଲେକ ବାସୁଦେବ ।୨୦୩।
ବାରତା ପାଇଣ ସେ ବିଦ୍ୟା କେତୁର ନାତି
ସଙ୍ଗେ ଘେନିଲା ସେ ପଞ୍ଚବିଂଶ ପଦ୍ମ ରଥୀ ।୨୦୪।
ଲକ୍ଷେ ଭାର ସୁବର୍ଣ୍ଣ ପାଣିଦ୍ରବ୍ୟ ଘେନିଣ ସେ ରାୟେ
ଶତ ସହସ୍ର ପ୍ରଣପତ୍ୟ ଜଗନ୍ନାଥଂକ ପଦ୍ମପାୟେ ।୨୦୫।
ଆହୋ ମୟ ଦାନବ ରାଜୁସି ଯାଗ କରିବେ ଧର୍ମ ଯେ ଯୁଝେଷ୍ଠି
ରାଜୁସି ଯାଗକୁ ତୁ ଦେବୁ ମାୟାସଭା ଗୋଟି ।୨୦୬।
ଅବାଡେ ଚିତ୍ରମାନ ଯେ ହୋଇବ ଲେଖନ
ଜଳେ ସ୍ଫଟିକ ହୋଇଥିବ ୟେକବର୍ଣ୍ଣ ।୨୦୭।
ଜଳରେ ସ୍ଥଳ ହୋଇବ ସ୍ଥଳେଣ ହୋଇବ ଜଳ
ଶୂନ୍ୟେଣ ଖମ୍ବ ହୋଇବ ଶୂନ୍ୟେଣ ହୋଇବ ଚାଳ ।୨୦୮।
ଶତ୍ରୁ ଖଳ କଣ୍ଟକ ହୋଇବ ସଭାର ନାମ
ଶୂନ୍ୟେଣ ତେର ପାବଚ୍ଛ ହୋଇବ ଉତକର୍ମ ।୨୦୯।
ଯୁଝେଷ୍ଠିଦେବ ଠାକୁରଂକୁ ଯେ ହୋଇବ ଭଗତା
ସେହି ସେ ସଭାରେ ବସିବାକୁ ହୋଇବ ମହାଗ୍ୟାଂତା ।୨୧୦।
ଯୁଝେଷ୍ଠି ଦେବଂକୁ ଯେ ହୋଇବାକ ରିପୁ
ତାହାଂକୁ ଅଦୃଶ୍ୟ ହୋଇବ ସଭାର ବପୁ ।୨୧୧।
ୟେସନେକ କୂଟ ଯେ କହିଲେ ବାସୁଦେବ
ଶୁଣିଣ ସନମତ ଯେ କଲା ମୟେ ଦାନେବ ।୨୧୨।
ତୋହୋର ବଚନ ଦେବ ଅଟଇ ଅଲଂଘିତ
ଶତ୍ରୁ ଖଳ କଣ୍ଟକ ସଭା ମୁଂ କରିବଇଂ ଜାତ ।୨୧୩।
ମୟ ଦାନବକୁ ସନମତ କରାଇଣ ନାରାୟଣ
ଲକ୍ଷେ ରାଜାଂକୁ ଦେବୁ ତୁ ରତ୍ନ ଆବରଣ ।୨୧୪।
ତାତ ଝୁମ୍ପା ସରଳ ବାହୁଟି ଜଗଦଳା
ଶିରକୁ ସୀମଛିନୀ ହୃଦକୁ ରତ୍ନମାଳା ।୨୧୫ ।
ରତ୍ନ ଆଭରଣ ଦେବୁ ରାଜାଗଣମାନଂକୁ
ଯେତେକ ଲାଗଇ ଦେବୁ ରାଜୁସିଯାଗ ସଭାକୁ ।୨୧୬ ।
ୟେସନେକ ଆଗ୍ୟାଂ ତାକୁ ଦିଲେ ଦେବହରି
ଶୁଣି ମୟ ଦାନବ ତା ସନମତ କରି ।୨୧୭ ।
ପାତାଳେ ଅଛନ୍ତି ତୋର ଯେତେକ ସଇନି
ସଭା ସରିତେ ଯିବୁ ରତ୍ନମାନ ଘେନି ।୨୧୮ ।
ଅକ୍ଷତ ଗୁଆ ତାକୁ ଘେନାଇ ଦାମୋଦର
ବିଜୟେ ଜଗୁମୋହନ ବଇନେତ୍ର ପିଠିର ।୨୧୯ ।
ପାତାଳୁଂ ବାହାର ହୋଇ ଦେବ ଯେ ଅନନ୍ତ
ଆକାଶେ ବିଜୟେ ଯାଇଂ କଲେ ଜଗନ୍ନାଥ ।୨୨୦ ।
ଆସିଣ ଦ୍ରଶନ କଲାକ ବିଶ୍ୱକର୍ମା
ସଭାୟେକ ଦେଖାଇଲା ତାକୁଲ୍ୟ ସୁଧର୍ମା ।୧୨୧ ।
ଦ୍ୱାଦଶଯୋଜନ ସେ ଆୟେତନ ସ୍ଥଳୀ
ସୁବର୍ଣ୍ଣ କମ ଉପରେ ଅଷ୍ଟରତ୍ନମଣି ଝଳି ।୨୨୨ ।
ତିମିର ବିଦାରଣ ବିରଜଇ ରତ୍ନମଣି
ଆଦିତ୍ୟ ଉଦୟ ପ୍ରାୟେ ଦିଶଇ ରୟେଣୀ ।୨୨୩ ।
ଚାରି ଦିବକଇଂ ସେ କମ ଦିଶଇ ଆଶ୍ରିଜ
ଦେଖିଣ ସାନନ୍ଦ ଯେ ହୋଇଲେ ଦେବରାଜ ।୨୨୪ ।
ସୁବର୍ଣ୍ଣର ସ୍ତମ୍ଭ ଆଉ ସୁବର୍ଣ୍ଣର ଶେଣୀ
ସୁବର୍ଣ୍ଣର ଓରା ଅଷ୍ଟରତ୍ନେ ଖଞ୍ଜଣୀ ।୨୨୫ ।
ଲକ୍ଷେକ କୋଟି ଯେ ଅଛଇ ନନ୍ଦାବର୍ତ୍ତ
ବ୍ରହ୍ମାଣ୍ଡ ଝଲକଇ ଜାଣି ତେଜ ଯେ ଆଦିତ୍ୟ ।୨୨୬ ।
ଯେବଣ ଆଗ୍ୟାଂ ଦେଇଛନ୍ତି ଦେବହରି
ଦେବଂକୁ ଅସମ୍ଭବ ସେ ସଭା ନିର୍ମାଣ କରି ।୨୨୭ ।
ସାତପଦ୍ମ ବିନ୍ଧାଣି ଲାଗି ଅଛନ୍ତି ଅନୁବ୍ରତେ
ପୀଢ ଘଟଣ କରିଅଛନ୍ତି ଯଏ ଅନେକ ଭଷତେ ।୨୨୮ ।
ତିନିକାଠି ଉତ୍ସର୍ଗ ଯେ ଦ୍ୱାଦଶଯୋଜନ ସ୍ଥଳୀ
ସ୍ପଟିକର ପାବଚ୍ଛ ମର୍କତ ଶୁଦ୍ଧଶାଳୀ ।୨୨୯ ।
ଚଉବିଂଶ ପାବଚ୍ଛ ଯେ ନୀଳାୟେ ନିର୍ମିତ
ଦେଖିଣ ହରଷ ଯେ ହୋଇଲେ ପ୍ରଭୁ ଜଗନ୍ନାଥ ।୨୩୦ ।
ଆପଣେ ବିଶ୍ୱକର୍ମା ରୂପ ଧରିଣ ଦେବହରି
କମିଲା ପଟଳ ଘେନିଣ ଦେବ ନିର୍ମାଣ ସେ କରି ।୨୩୧ ।
ଯେବଣ ଠାବରେ କମ ମନକୁ ନ ମିଳି
ଆପଣେ ଲେଖନ କଲେ ଦେବ ବନମାଳୀ ।୨୩୨ ।
ୟେସନେକ ନିର୍ମାଣ ଯଏ କଲେ ବିଶ୍ୱକର୍ମା
ୟେ ସଭା ଦେଖି ପ୍ରଶଂସା କରିବେ ବେଦବ୍ରହ୍ମା ।୨୩୩ ।
କୁବେରକୁ ହକାରି ଯେ ବଦୟନ୍ତି ଅଚ୍ୟୁତ
ଧନକୁ ବିକୃତ କିଛି ନ ଧରିବୁ ଚିତ୍ତ ।୨୩୪ ।
ଯେତକ ଧନ ଲାଗଇ ରାଜୁସି ଯାଗ ସଭାକୁ
ସଂଚେପ କରି ଦେବୁ ଯେ ବିଶ୍ୱକର୍ମାକୁ ।୨୩୫ ।
ନାରାୟଣଂକ ବଚନେ ବୋଲଇ ଧନପତି
ତୋହୋର ଭଣ୍ଡାର ସିନା ସଂଚିତ ଶ୍ରୀପତି ।୨୩୬ ।
ଅଳକା ଭୁବନୁ ବିଜେକଲେ ଲକ୍ଷ୍ମୀପତି
ଅମର ଭୁବନେ ଦେବ ବିଜେ କଲେକ ତିଡିତି ।୨୩୭ ।
ଆସ୍ତାନ ତେଜିଣ ଯେ ଉଠିଲେ ଦେବରାଜା
ଶ୍ରୀ ଜଗନ୍ନାଥଂକ ପାଦପଦ୍ମ କଲେକ ଦିବ୍ୟପୂଜା ।୨୩୮ ।
ନାରାୟଣ ବୋଇଲେ ଶୁଣ ହୋ ମଘବାନ
ଯୁଝେଷ୍ଠିଦେବ କରିବେ ରାଜୁସି ଯାଗ ବିଧାନ ।୨୩୯ ।
ଯେ ତୋହୋର ଅମରାବତୀ ଯେ ସ୍ୱର୍ଗ ଭୁବନୁଂ
ମେଞ୍ଜନ ଯୋଗାଡ ଦେଉଥିବୁ ତୋଟା ନନ୍ଦନ ବନୁଂ ।୨୪୦ ।
ଆମ୍ବ ପଣସ ଆଉ କଦଳୀ ନଟୀକାଳ
ଟଭା ନେମ୍ବାଉ ଜମ୍ବିଳ ମଧୁର କଣ୍ଟାହୁଳ ଫଳ ।୨୪୧।
ଦାରକ୍ଷ କଇଥ ନାନା ଅପୂର୍ବ ଯେ ଦ୍ରବ୍ୟ
ଯତ୍ନ କରି ସଞ୍ଚିତ ୟେହା କରାଅ ବାସିବ ।୨୪୨।
ତୋହୋର ତୋଟାଳନ୍ତ ଯେ ତିଆରି ଦୃଢ଼ କରି
ଆଜହୁଂ ଫଳମାନନ୍ତ ତୁ ନ କରିବୁ ଉଜାଡି ।୨୪୩।
ଆକାଶ ଗଙ୍ଗାୟେ ଯେ ଲାଗିଥିବ ନାବ
ନାବେ ପୁରେଇଂ ତୁ ଦେଉଥିବୁ ବାସେବ ।୨୪୪।
ସେ ଗଙ୍ଗା ଅଛନ୍ତି ଇନ୍ଦ୍ର ପ୍ରଶସ୍ତେ ଯେ ଲାଗି
ପୂରୋଇଂ ଦେଉଥିଲେ ନାବ ଲାଗିବ ଯାଇଂ ବେଗି ବେଗି ।୨୪୫।
ତୋହୋର ନନ୍ଦନ ବନର ଫଳ ଫୁଲୁରି ଯେ ମାନ
ତେବେ ଅଣ୍ଟିବ ନା ସକଳ ଥାଠ ସନ୍ୟ ।୨୪୬।
ଆହୋ ତୋହୋର ଅର୍ଜିଲା ସେ ଅଟନ୍ତି ପାଣ୍ଡବ
ତୋତେହେଂ ତହିଂ ଅନେକ ଧର୍ମହିଂ ହୋଇବ ।୨୪୭।
ଇନ୍ଦ୍ର ଦେବତା ବୋଇଲା ହରି ଯେ ତୋହୋର ଆଗ୍ୟାଂ
କାହାର ବେଳେ ତାହା କରି ପାରିବ ଅବଗ୍ୟାଂ ।୨୪୮।
ବିଦ୍ୟାଧରମାନେ ମୋର ଅଛନ୍ତି ଛପନ ଯେ କୋଟି
ସମସ୍ତ ଘେନିଥିବି ରାଜୁସି ଯାଗେ ଖଟି ।୨୪୯।
ଆଗ୍ୟାଂ ଦେଇଣ ସେ ବିଜୟେ ବାସୁଦେବ
ପଛେଣ ପୁଷ୍ୟେକ ଚଢି ଗୋଡାନ୍ତି ବାସବ ।୨୫୦।
ଇନ୍ଦ୍ର ଗୋବିନ୍ଦ ଯେ ତହୁଂ ଚଳନ୍ତି ତୋଷମାନେ
ପ୍ରବେଶ ହୋଇଲେ ଯାଇଂ ନନ୍ଦନ ନାମେ ବନେ ।୨୫୧।
ଦେଖନ୍ତି ତୋଟା ଯେ ମେରୁ ସମାନେ ସ୍ଥଳୀ
ଶତେ ତିରିଶ ଯୋଜନା ଅଟଇ ଉଗୁଳି ।୨୫୨।
ସୁବର୍ଣ୍ଣର ପାଚେରୀ ଯେ ଷାଠିୟେ ତାଳ ଉଚ୍ଚ
ତିରିଶ ତାଳ ଓସ୍ତାର ବିସ୍ତାର ସୁସଞ୍ଚ ।୨୫୩।
ଗଗନ ଶିଖରେ ଲାଗିଅଛି ବୃକ୍ଷ ଶିଖ
ଫଳଭରେ ଭୂମିରେ ଲାଗୁଅଛି ବୃକ୍ଷଂକର ଶାଖ ।୨୫୪।
ପାଚିଣ ଫକୁଫଳ ପଡୁଛନ୍ତି ଭୂମି
ଦେଖି ପ୍ରଶଂସା କରନ୍ତି ଇନ୍ଦ୍ର ଗୋବିନ୍ଦ ବେନି ସ୍ୱାମୀ ।୨୫୫।
ଇନ୍ଦ୍ର ବିଚାରଇ ଯେ ନନ୍ଦନ ବନ ଦେଖି
ଯୁଝେଷ୍ଠିଦେବଂକ ଯାଗକୁ ହୋ ୟେହା ସଞ୍ଚିଥିଲି ରଖି ।୨୫୬।
ଜୟ ତୁ ଭଗବାନ ୟେ ତୋହୋର ଚରିତ
ଅତି ମାୟାୟେଣ ତୁ ମାୟାଧର ଚକ୍ରହସ୍ତ ।୨୫୭।
ତୁ ସେ ସଚରାଚର ପାଳନ୍ତା ଶ୍ରୀବତ୍ସି
ଗତ ଆଗତ ଦେବ ଯେ ସବୁ ଅଛୁ ସଞ୍ଚି ।୨୫୮।
ଆପଣେ ଶ୍ରୀହସ୍ତରେ ଦେବ ଯେ ରତ୍ନମାଳା ଧରି
ତୋଟାଳିୟାନ୍ତ ଦେବ ଶ୍ରୀକରେ ଦିଲେ ଶାଢୀ ।୨୫୯।
ସମସ୍ତ ଫଳ ସୁବିଧାନେ କରସି ରକ୍ଷା
ରାଜୁସି ଯାଗ ସରିଲେ ପୂରୋଇବି ତୁମ ମନବାଞ୍ଛା ।୨୬୦।
ନାରାୟଣଂକ ବଚନେ ସକଳ ଗନ୍ଧର୍ବେ
ଅନେକ ପୂଜା ସେହୁ କରନ୍ତି ବାସୁଦେବ ।୨୬୧।
ଇନ୍ଦ୍ର ଗୋବିନ୍ଦ ତୁମ୍ଭେ ତିନିଲୋକ ଆଧିପତି
ଆମ୍ଭେମାନେ ସମସ୍ତେ ତୁମ୍ଭର ବଶ୍ୟବୃତ୍ତି ।୨୬୨।
ଯେତେକ ଫଳ ପୁଷ୍ୟ ଯୋଗାଡ ଲାଗଇ ରାଜୁସି ଯାଗ ସଭାକୁ
ନାବମାତ୍ର ସ୍ୱାମୀ ପଠିଆଇବା ୟେହି ନନ୍ଦନ ବନକୁ ।୨୬୩।
ନାରାୟଣ ବୋଇଲେ ହେ କଇବର୍ତ୍ତ ନିଷାଦ ଆଧିପତି
ସାତପଦ୍ମ ନାବ ଘେନି ବାହୁଥିବେ ଦିବାରାତି ।୨୬୪।
ନିରାଧାର ଆଗ୍ୟାଂ ସ୍ୱାମୀ ଦିଲେ ଜନାର୍ଦ୍ଦନ
ବିଜୟେ ଜଗମୋହନ ଖଗେଶ୍ୱର ବାହନ ।୨୬୫।
ଇନ୍ଦ୍ର ଦେବତାନ୍ତ ବଦନ୍ତି ଦେବରାଜ
ଦେବାଙ୍ଗ ବସ୍ର ଦେବୁ ଯେମନ୍ତେ ହୋଇବ କାର୍ଯ୍ୟ ।୨୬୬।
ସୁବର୍ଣ୍ଣ ଯୋଗାଡନ୍ତ ଯେତେ ଲାଗଇ ଦେବରାୟେ
ଚିତ୍ରସେନ ଦେଉଥିବ ରାଜୁସି ଯାଗ ସଭାୟେ ।୨୬୭।
ସୁରେଶ୍ୱରେ ନିମନ୍ତ୍ରଣ କରି ଦେବ ଅଚ୍ୟୁତ
ନିଷାଦ ରାଜ୍ୟେ ଯାଇଂ ବିଜୟେ ଜଗନ୍ନାଥ ।୨୬୮।
କଇବ୍ରତ ନୃପତି ଦେଖି କଲାକ ଅନେକ ପୂଜା
କିସ ଅର୍ଥେ ବିଜେ ସ୍ୱାମୀ ଦେବାଧି ଦେବରାଜା ।୨୬୯।
ବଦୟନ୍ତି ଜନାର୍ଦ୍ଦନ ଶୁଣ କଇବ୍ରତ ରାୟେ ଶ୍ରେଶ୍ଠ
ରାଜୁସି ଯାଗ ସଭା ଆସି ହୋଇଲାନି ନିକଟ ।୨୭୦।
ନାବମାନ ସଞ୍ଚିତ କଲୁକି ହୋ କଇବ୍ରତ
ନନ୍ଦନ ବନ ହାଦେ ଦିଲାକ ପୁରୁହୂତ ।୨୭୧।
ନିଷାଦ ବୋଇଲା ସ୍ୱାମୀ ଦେଖ ବନମାଳୀ
ପଞ୍ଚବିଂଶ ମର୍ଭୁତ ନାବ ମୁଂ ଅଛଇ ବଟାଳି ।୨୭୨।
ଆହୁରି କେତେ ନାବ କରିବି ନିରିମାଣ
ରାଜୁସି ଯାଗ ସଭାକୁ ଯେତେ ଅଣ୍ଟଇ ସେ ଜାଣ ।୨୭୩।
ଦିବାରାତ୍ରେ ବାହୁଥିବୁ ନନ୍ଦନ ବନକୁ
ଧାତିକାରେ ଲାଗୁଥିବ ଇନ୍ଦ୍ରପଶସ୍ତ ଭୁବନକୁ ।୨୭୪।
ନିଷାଦକୁ ଆଗ୍ୟାଂଦେଇ ଚଳିଲେ ହୃଷୀକେଶ
ବାରୁଣାବନ୍ତେ ଯାଇଂ ହୋଇଲେ ପ୍ରବେଶ ।୨୭୫।
ଦେଖିଲେ କିରାତ ରାଜା ବନର ନୃପମଣି
ଅନେକ ପୂଜାବିଧି କଲାକ ଦେବ ଚକ୍ରପାଣି ।୨୭୬।
ବଦୟନ୍ତି କେଶବ ତୁ ଶୁଣହୋ କିରାତ
ବନକାଠମାନ ଚାଲ ଦେଖିବା ସମସ୍ତ ।୨୭୭।
କମିଲା ଲାଗିଛନ୍ତି ଅନେକ ବିନ୍ଧାଣୀ
ଅଶ୍ୱଶାଳ ଗଜଶାଳ ଦେଖିଲେ ଚକ୍ରପାଣି ।୨୭୮।
ତାଡ ତୋଢର ଯେ ସରଳ ରତ୍ନମାଳା
ଶ୍ରୀହସ୍ତେ ଶାଢୀ ଦିଲେ ଦେବକୀର ବଳା ।୨୭୯।
ରାଜାମାନଙ୍କୁ ନିମନ୍ତ୍ରଣାର୍ଥେ ଭୀମ , ଅର୍ଜୁନ , ନକୁଳ , ସହଦେବ ଚାରି ଭାଇଙ୍କୁ ଚାରି ଦିଗକୁ ଯିବାକୁ ଶ୍ରୀକୃଷ୍ଣଙ୍କର ଆଦେଶ
ତହୁଂ ବିଜେକରି ଦେବ ଶିରୀପତି
ହସ୍ତିନା ଭୁବନେ ଯାଇଂ ବିଜୟେ ତତକ୍ଷଣାନ୍ତି ।୧।
ଆସ୍ତାନେ ବିଜୟେ କରିଛନ୍ତି କୁରୁପତି
ଭୀଷ୍ମ ଦ୍ରୋଣ କୃପା ଶଲ୍ୟ କର୍ଣ୍ଣ ମହାରଥୀ ।୨।
ବିଜୟେ ଧର୍ମସୁତ ଭୀମ ଅର୍ଜୁନ ନକୁଳ ସହଦେବ
ଆସ୍ତାନରେ ବିଜୟେ ଯେ ଋଷିମାନ ସର୍ବ ।୩।
ଜଗନ୍ନାଥଂକୁ ଦେଖି ଆସ୍ତାନୁ ଉଠିଲେ ସର୍ବରାଜା
ନାରାୟଣଂକୁ ପଦ୍ମପାଦେ କଲେ ସର୍ବ ପୂଜା ।୪।
ଆସ୍ତାନେ ବିଜୟେ ଯାଇଂ ଦେବ ଦଇତାରି
କୁଶଳ ବାରତା ଯେ ପଚାରନ୍ତି ଶ୍ରୀହରି ।୫।
ଯୁଝେଷ୍ଠିଦେବେ ବୋଇଲେ ଶୁଣ ହୋ ଶ୍ରୀବତ୍ସ
ପିତାଂକ ବ୍ରହ୍ମହତ୍ୟା ଦୋଷ ନାରଦେ କହିଲେ ପ୍ରତକ୍ଷ ।୬।
ରାଜୁସି ଯାଗ ହରି କରିବା ନିମନ୍ତେ
ଜରାସନ୍ଧ ବଧ କରାଇଲୁ ଯେବଣ କାର୍ଯ୍ୟ ଅର୍ଥେ ।୭।
ତହିଂକି କେବଣ ଚରିତ କଲୁ ଯେ ଭିଆଣ
ୟେ ମୋହୋର ବଚନ ହରି ସାବଧାନେ ଶୁଣ ।୮।
ସ୍ୱାମୀ ପ୍ରାଗେ ଝାସ ଦେବି ମୁଂ ପିତାର ନିମନ୍ତେ
ନୋହିଲେ ଭାଇନ୍ତ ଘେନି ମୁଂ ଗମିବି ସର୍ବ ତୀର୍ଥେ ।୯।
ଗୋବିନ୍ଦେ ବୋଇଲେ ଦେବ ରାଜୁସି ଯାଗ କରିବା
କିସ ନିମନ୍ତେ ଯାଗ ଛାଡି କରିବ ତୀର୍ଥକଇଂ ସେବା ।୧୦।
ଯୁଝେଷ୍ଠି ବୋଇଲେ ତୁ ନିଚିନ୍ତ ହୋଇଲୁ ଶ୍ରୀବତ୍ସି
ମହାଯାଗ ସଭାକୁ ଦେବ କିଛିହିଂ ନ ସଞ୍ଚି ।୧୧।
ଜଗନ୍ନାଥେ ବୋଇଲେ ଦେବ ସେ କଥାକୁ ନକର ଚିନ୍ତା
ମୁହିଂ ସେ ସକଳ ଦେବ ଭିଆଣ କରନ୍ତା ।୧୨।
ଯାହାର ଆଗ୍ୟାଂୟେ ଦେବ ସଚରାଚର ବ୍ରତି
ମୁହିଂ କିଞ୍ଚିତ ପ୍ରାୟେ ମଣଇ ରାଜୁସିଯାଗ ପ୍ରତି ।୧୩।
ଚାରି ଦିଗକଇଂ ୟେବେ ଦୂତ ବରଗାଇ
ରାଜାଗଣମାନନ୍ତ ଆଣିମା ନିମନ୍ତାଇ ।୧୪।
ଚାରି ଦିଗକୁ ଦେବ ବରଗିବା ଦୂତ
ଧାର୍ମିକ ଦେଖି ଚାରିଜଣ କରିବା ସଞ୍ଚିତ ।୧୫।
ଯୁଝେଷ୍ଠିଦେବେ ବୋଇଲେ ଶୁଣିମା ଚକ୍ରଧାରୀ
ବିଚାର କରି ଦେବ ପେଷ ଯେ ଜଣ ଚାରି ।୧୬।
ନାରାୟଣେ ବୋଇଲେ ହୋ ତୋହୋର ସହୋଦରେ
ତାହାଂକର ଗଲେ ରାଜାମାନେ ସାଧ୍ୟ ହୋଇବେ ସର୍ବପୁରେ ।୧୭।
ପଛିମ ଦିଗକୁ ସ୍ୱମୀ ଭୀମସେନ ଯାନ୍ତୁ
ଉତ୍ତରେ ଅର୍ଜୁନ ଯାଇଂ ରାଜାମାନନ୍ତ ନିମନ୍ତୁ ।୧୮।
ଦକ୍ଷିଣେ ନକୁଳ ଯାଉ ପୂର୍ବେ ସହଦେବ
ୟେହାଂକର ଗଲେ ଯେ ଚାରିଦିଗ ସାଧ୍ୟ ହୋଇବ ।୧୯।
ଯୁଝେଷ୍ଠି ବୋଇଲେ ତୁ ବିଚାର ଅଚ୍ୟୁତ
ମୋହୋର ବିଚାରକୁ ନ ଯୋଗାଇ ୟେମନ୍ତ ।୨୦।
ଭୀମ ଅର୍ଜୁନ ଯାଆନ୍ତୁ ଦେଶ ନିମନ୍ତ୍ରିଣ
ନକୁଳ ସହଦେବ ଅଟନ୍ତି ଦେବ ସାନ ।୨୧।
ତାହାଂକର ବୋଲେ କି ସାଧ୍ୟ ହୋଇବେ ରାଜାମାନେ
ୟେହୁ ନ ଯିବେ ବୋଲନ୍ତି ଯୁଝେଷ୍ଠି ରାଜନେ ।୨୨।
ସ୍ୱାମୀ ଯେଉଂଣ ଦିନେ ମାଦ୍ରୀଦେବୀ ପ୍ରାଣତ୍ୟାଜ ହୋଇଲେ
ବାଳୁତ ପୁତ୍ର ଦୁଇଗୋଟି ମୋତେ ସମର୍ପିଲେ ।୨୩।
କେମନ୍ତେ ଦୂରାନ୍ତରେ ପଠିଆଇବି ଦେଖନ୍ତେ
ସୁକୁମାର ବାଳୁତ ସେ ଅଟନ୍ତି ବେନି ଭ୍ରାଥେ ।୨୪।
ରାଜୁସି ଯାଗ ହରି ନୋହୁ ମୋର ପଛେ
ତାହାନ୍ତ ପଠିଆଇ ମୁହିଂ ନୁଆରିବି ଶ୍ରୀବତ୍ସେ ।୨୫।
ଜଗନ୍ନାଥେ ବୋଇଲେ ସାଧୁ ସାଧୁ ତୋହୋର ଧର୍ମ
କେବଣ ସାଧବୀ ତୋତେ କଲାକ ଜନମ ।୨୬।
ଅନେକ ପ୍ରଶଂସା ଯେ କରନ୍ତି ଦେବହରି
ଆପଣାର ସୋଦରନ୍ତ ଉପେକ୍ଷା ଦେବ କରି ।୨୭।
ସାବତ ଭ୍ରାଥନ୍ତ ସୋଦ୍ରିମାପଣ ତୋର ଗୁଣ
ଅନାସ୍ତ ବନ୍ଧୁ ଦେବ ଅକାରଣକଇଂ କାରଣ ।୨୮।
ପଚ୍ଛିମେ ବସନ୍ତି ଦେବ ଦୁଷ୍ଟ ରାଜାମାନେ
ତାହାନ୍ତ ସାଧ୍ୟ କରିବ ପବନର ନାନେ ।୨୯।
ଉତ୍ତରେ ବସନ୍ତି ରାଜା ମହା ମହା ପ୍ରତାପୀ
ଅର୍ଜୁନର ନାମେ ସେ ଶଂକା କରିବେ ସର୍ବସ୍ଥାପି ।୩୦।
ସ୍ୱାମୀ ପୂର୍ବେ ଦିଗେ ବସନ୍ତି ଯେତେକ ନୃପତି
ଧାର୍ମିକ ବିବେକ ସେ ଦୃଭାର ନୁହନ୍ତି ।୩୧।
ସହଦେବ ବୋଲେ ସେ ସମସ୍ତେ ହେବେ ସାଧି
ଯେ ଦୁଷ୍ଟ ହୋଇବ ତାହାନ୍ତ ଚକ୍ରେ ମୁଂ ପକାଇବି ଛେଦି ।୩୨।
ଦକ୍ଷିଣେ ବସନ୍ତି ଦେବ ଯେତେକ ନୃପତି
ଦେବତା ବ୍ରାହ୍ମଣେ ପୂଜା ଦୁଷ୍ଟ ସେ ନୋହନ୍ତି ।୩୩।
ସ୍ୱାମୀ ଯେ ଅବା ସାଧ୍ୟ ନୋହଇ ନକୁଳ କୁମାରକୁ
ଅବଶ୍ୟ ପ୍ରାଣେ ମୁଂ ନାଶ କରିବଇଂ ତାହାକୁ ।୩୪।
ଆପଣେ ଶ୍ରୀହସ୍ତେ ଶାଢୀ ଦିଲେକ ଭୀମସେନକୁ
ତୁମ୍ଭେ ବିଜେକରି ଯାଅ ପଛିମ ଦିଗକୁ ।୩୫।
ଦୁଇଊଣା ପଞ୍ଚାଶ ସହସ୍ର ରାଜା ବସନ୍ତି ପଛିମ ଦିଗେ
ବିନା ସାଂଗ୍ରାମେ ସେ ସାଧ୍ୟ ନୋହନ୍ତି କେଉଂଣ ବାଗେ ।୩୬।
ଯେଉଂଣ ରାଜା ହାଦେ ହୋଇବ ଅସାଧି
ସନ୍ୟ ନାଶକରି ଆଣି ମୁଂ ତାହାକଇଂ ବାନ୍ଧି ।୩୭।
ଅନେକ ଦୋଷକଲେ ନାଶ ନ କରିବୁ ନୃପତି
ୟେମନ୍ତ ଚାରିଊଣା ଲକ୍ଷେକ ରାଜା ଅଛନ୍ତି ନା ପୃଥୀ ।୩୮।
ଯେବଣ ନୃପତି ଅବା ମାରିବୁ ସମର
ଥାଠ ସନ୍ୟ ଆଦିକରି ହୋଇବ ସୁବର୍ଣ୍ଣର ।୩୯।
ଦୃଭାର ଦୁଷ୍ଟ ପ୍ରକୃତି ଅଟୁ ତୁ ରେ ଭୀମା
ରାଜାୟେ ଅନେକ ଦୋଷ କଲେ କରିବୁଟି କ୍ଷମା ।୪୦।
ଆହୋ ଆଶ୍ୱୀନ ଶୁକଳପକ୍ଷ ଦଶମୀର ଦିନ
ଚନ୍ଦ୍ରବାର ଶ୍ରବଣା ନକ୍ଷତ୍ର ବିଦ୍ୟମାନ ।୪୧।
ଧୃତି ନାମେ ଯୋଗ ତତୁଲ୍ୟ ନାମେ କରଣ
ତାର ଚନ୍ଦ୍ର ଅମୃତ ଯୋଗରେ ଘଟଣ ।୪୨।
ସପତମେ ଶନୋଇଶ୍ଚର ୟେକାଦଶେ ବୃହସ୍ପତି
ସ୍ୱାତୀ ତୁଳ ରାଶିକି ସୁବିଧାନେ ଯୋଗ ପ୍ରୀତି ।୪୩।
ଦିଗ ଅନକୂଳେ ଯେ ମାହେନ୍ଦ୍ର ଯୋଗ ଲଗ୍ନେ
ଈଶାନେ ମହାଲକ୍ଷ୍ମୀ ଯେ ମଗର ବାହନେ ।୪୪।
ମାହେନ୍ଦ୍ର ଯୋଗବେଳେ ଯେ କଲେକ ଅନକୂଳ
ପଛିମ ଦିଗେ ମାରୁତି ଚଳଇ ସର୍ବ ମଙ୍ଗଳ ।୪୫।
ସୁବିଧାନେ ଯାତ୍ରା ଯେ ଶୁଭ ତିଥିର ଲଗ୍ନେ
ଇନ୍ଦ୍ରପ୍ରଶସ୍ତରୁ ଭୀମସେନ ବାହାର ପରସ୍ତାନେ ।୪୬।
ଜୟଶଙ୍ଖ ଧୁନି ଯେ ବିପ୍ରେ ବେଦଧୁନି
ଗ୍ରହ ପୁତ୍ରେ ଯେ ମଙ୍ଗଳ ଅଷ୍ଟକ ବଖାଣି ।୪୭।
ସହସ୍ରେକ ରଥ ଚାରି ସହସ୍ରେ ମତ୍ତହାଥୀ
ଅହିବ୍ରତେକ ଅଶ୍ୱ ଦଶଲକ୍ଷ ପାଦାନ୍ତି ।୪୮।
ଅହିବ୍ରତେକ ବୀରତୂର ବୀରକାହାଳୀ ବୀରଦାଉଣ୍ଡି
ଅଷ୍ଟରତ୍ନେ ଆଭରଣ ରଥ ଗଜ ଅଶ୍ୱ ମଣ୍ଡି ।୪୯।
ପାଟଛତ୍ର ଆଲମ୍ବ ମୟୂର ଝାଲି ଛତା
ତିନିକୋଶ ମାଡି ଚଳଂଇ ନ ଯାଇ ଗଣିତା ।୫୦।
ଯମୁନା ନଦୀ ପାର ହୋଇଲେ ସୁବିଧାନେ
ଗୋଡାଇ ତିଆରନ୍ତି ହରି ବଇନେତ୍ର ବାହନେ ।୫୧।
ଆହୋ ଭୀମସେନ ରାଜ୍ୟକୁ ନ ପଶି ଆଗେ ବରଗିବୁ ଦେଶାଉର
ରାଜାମାନନ୍ତ ବାରତା କରିବେ ପଛିମେ ବିଜୟେ ବ୍ରିକୋଦର ।୫୨।
ଜରାସନ୍ଧକୁ ବଧହିଂ କଲୁ ପଛିମ ଦିଗେ
ରାଜାମାନେ ତୋତେ ଜାଣି ଅଛନ୍ତି ଭୂଅଭାଗେ ।୫୩।
ନଉ ଦିବସକୁ ତୁମ୍ଭର ସମସ୍ତ କରିବ ବରଣ
ପଞ୍ଚାଶସହସ୍ର ରାଜା ସାଧ୍ୟକରି ବେଗେ ଆଣ ।୫୪।
ମକର ମାସ ଶୁକଳ ପକ୍ଷ ଅର୍କବାର ରେବତୀ
ସେଦିନ ଯାଗ ହେବଟି ପ୍ରଥମ ଆହୁତି ।୫୫।
ରାଜାନ୍ତ ଘେନି ଆସିବୁଂ ନଉ ଯେ ଦିବସେ
ନୋହିଲେ ଚକ୍ରମାରି ଶିର ଛେଦିବି ଯୁଝେଷ୍ଠିଦେବଂକ ଆଦେଶେ ।୫୬।
ଆହୋ ଭୀମ ଦୁଇଗୁଣା ପାଞ୍ଚସହସ୍ର ନୃପତି
ୟେହାନ୍ତ ସଭାରେ ଗଣିତା ଆଣି ଦେବୁଟି ସବୁନ୍ତି ।୫୭।
ଭୀମସେନକଇଂ ଆଗ୍ୟାଂ ଦେଇଣ ଅଚ୍ୟୁତ
ହସ୍ତିନାପୁରେ ଯାଇଂ ବିଜୟେ ଦାବ ଜଗନ୍ନାଥ ।୫୮।
ଇନ୍ଦ୍ର ପ୍ରଶସ୍ତେ ଯେ ବିଜୟେ ଦେବ ଦଇତାରି
ଅର୍ଜୁନକୁ ସନ୍ନିଧ୍ୟେ ହକାରି ବଚନ ଅବଧାରି ।୫୯।
ଆହୋ ଉତ୍ତର ଦିଗେ ଚାଳିଶ ସହସ୍ର ରାୟେ
ଦଣ୍ଡଘେନି ଉତ୍ତରକୁ ବିଜୟେ କର ଧନୁର୍ଜୟେ ।୬୦।
ରାଜାନ୍ତ ନିମନ୍ତ୍ରଣ କର ହୋ କିରୀଟୀ
ୟେହେନେକ ଆଗ୍ୟାଂ ଦିଲେ ଧର୍ମରାଜା ଯୁଝେଷ୍ଠି ।୬୧।
ରାଜାମାନକଂର ଯେତେକ ସଇନି
ସମ୍ଭରେ ଆସିବେ ଦେଖା ଦରଶନି ଧନ ଘେନି ।୬୨।
ଯଦ୍ୟପି ରାଜାୟେ ତୋତେ ହୋଇବେ ଦୋଷକାରୀ
କାର୍ଯ୍ୟର ନିମନ୍ତେ ତାହାନ୍ତ ଦୋଷ ଯେ ନ ଧରି ।୬୩।
ଅନେକ ଦୋଷ ଯେବେ କରିବେ ନରପତି
ସନ୍ୟସେନା ମାରିବ ରାଜାନ୍ତ ଆଣିବ ନିମନ୍ତି ।୬୪।
ଅହିବ୍ରତେକ ରଥ ବେନି ଅହିବ୍ରତ ହାଥୀ
ପାଞ୍ଚ ଅହିବ୍ରତ ଅଶ୍ୱ ବେନିକୋଟି ପାଦାନ୍ତି ।୬୫।
ସହସ୍ରେକ ପାଟଛତ୍ର ଆଲମ୍ବ ବେନିଲକ୍ଷ
ଉଦଣ୍ଡ ଲକ୍ଷେକ ମୟୁର ଝାଲି ବେନିଲକ୍ଷ ।୬୬।
ବେନିଲକ୍ଷ ଶଙ୍ଖ ବୀରତୂର ବିଜିଘୋଷ ଦାଉଣ୍ଡି
ଅଷ୍ଟରତ୍ନ ଆଭରଣ ରଥ ଗଜ ଅଶ୍ୱନ୍ତ ମଣ୍ଡି ।୬୭।
ଦଧିବାବନ ସୁମରି ଚଳ ହୋ ଧନୁର୍ଜୟେ
ସର୍ବ ମଙ୍ଗଳ ମାତାଙ୍ଗୀ ହୃଦରେ କର ଲୟେ ।୬୮।
ଆହୋ ନଉ ଦିବସକୁ କଣ୍ଟଟି ସବୁନ୍ତି
ମହାଯୋଗ ହୋଇବ ମକର ଶୁକଳ ପକ୍ଷ ଦଶମୀ ଅର୍କବାର ନକ୍ଷତ୍ର ରେବତୀ ।୬୯।
ସେଦିନ ରାଜାମାନନ୍ତ କରାଇବୁ ଦ୍ରଶନ
କ୍ଷତ୍ରିୟ ଜଗଜ୍ଜିତା ତୁ ପାର୍ଥିବ ଫାଲଗୁନ୍ୟ ।୭୦।
କାର୍ତ୍ତିକ ଶୁକଳ ପକ୍ଷ ପଣ୍ଡିତବାର ଚଉଠୀ
ମୂଳା ନକ୍ଷତ୍ର ଅନକୂଳ କଲାକ କିରୀଟୀ ।୭୧।
ଆହୋ ଉତ୍ତର କୋଶଳ ରାୟେ ଅଛନ୍ତି ଟି ବଡ ଦୁଷ୍ଟ
ସେ ରାଜାର ନାମ ଯେ ଅଟଇ ଯମାଗୋଷ୍ଠ ।୭୨।
ଯମର ବୋଲେ ସେ ଯେ ପୃଥୀକି ଅଟଇ ଅଧିକାରୀ
ତପରେ ତୋଷିଲା ସେ ଗଗନ ବେହାରୀ ।୭୩।
ଲିହିଣ ପୋଛଇ ସେ ଯେତେକ ନାମଧରି
ବେନିଖଣ୍ଡେ ଛିଡଇ ଯେହ୍ନେ ଅସିଧାରେ ଛେଦନ କରି ।୭୪।
କେମନ୍ତ କରି ପଶିବୁ ବାବୁ ତାହାର ଭୁବନେ
ତାହାକଇଂ ଜିଣିଲେ ସାଧ୍ୟ ହୋଇବ ଆଉର ରାଜାମାନେ ।୭୫।
କ୍ଷତ୍ରିୟ ପଣେ ତୁ ଯେ ଅଟୁ ଜଗତ ଜନେ ଜିତା
ମୁହିଂ ଅର୍ଜୁନ ତୋତେ ହୋ କିସ ତିଆରନ୍ତା ।୭୬।
ବିଘ୍ନରାଜ ସୁମରି ତୁ ହୋ କର ଅନୁକୂଳ
ଚଳ ହୋ ଧନୁର୍ଜୟେ ମାହେନ୍ଦ୍ର ଲଗ୍ନ ବେଳ ।୭୭।
ନାରାୟଣଂକ ଆଗ୍ୟାଂୟେ ଶୁଭଯୋଗ ଘେନି
ଚଳଇ ପାଣ୍ଡବ ଯେ ଅଭୟେ ଫାଲଗୁନି ।୭୮।
ସହସ୍ରେକ ବୀରତୂର ମୃଦଙ୍ଗ ଟମକ ଭେରୀ ବାଜେ
ଉତ୍ତର ଦିଗ ପ୍ରଶସ୍ତେ ଅର୍ଜୁନ ଦିଗବିଜେ ।୭୯।
ନନ୍ଦିଘୋଷ ରଥ ଜଗନ୍ନାଥ ସ୍ୱାମୀ ସାଜି
ବାଛିଣ ଅଶ୍ୱ ଯେ ଯୋଚିଲା ଚାରିବାଜୀ ।୮୦।
ଖେପନ୍ତି ଅଶ୍ୱ ଯେହ୍ନେ ଗଗନେ ଖଗଇନ୍ଦ୍ର
ଆକାଶେ ଥାଇ ଦେଖିଲେ ଯେ ଦେବ ଅସକନ୍ଦ ।୮୧।
ମାତଳିକ ରାଇଣ ବୋଇଲେ ସହସ୍ରାକ୍ଷ
ବସନ୍ତ ସାରଥି ଯେ ଅଟଇ ତୋର ବତ୍ସ ।୮୨।
ତାହାକଇଂ ରାଇ ଆଗ୍ୟାଂ ଦିଅ ତୁ ହୋ ପୁଣି
ସେହୁ ରଥେ ଯାଇଂ ବାହୁ ବୀର ଫାଲଗୁନି ।୮୩।
ତାହାକଇଂ ରାଇ ଆଗ୍ୟାଂ ଦିଲାକ ସୁରପତି
ଦେବରାଜା ବଚନେ ସେ ବାସବର ନାତି ।୮୪।
ଆଗ୍ୟାଂ ଘେନି ଚଳିଲା ସେ ବସନ୍ତ ସାରଥି
ଅନେକ ହରଷ ଯେ ହୋଇଲା ତାର ମତି ।୮୫।
ମକରନ୍ଦ ବନେ ଯେ ତ୍ରିବେଣୀ ବଟ ତଳେ
ଅର୍ଜୁନକୁ ଭେଟିଲା ସେ ମାତଳିର ବାଳେ ।୮୬।
ଦେଖିଲା ଧନୁର୍ଜୟେ ଯେ ବସନ୍ତ ସାରଥି
ରଥ ତେଜି ପୂଜାକଲା ବିଚିତ୍ରବୀର୍ଯ୍ୟର ନାତି ।୮୭।
ବାବୁ ବାହା ତୁ ରହୁବର ପବନ ଆଘାତେ
ନଉ ଦିବସେ ଚାଳିଶ ସହସ୍ର ରାଜା ସାଧ୍ୟ ହୋଇବେ ଯେମନ୍ତେ ।୮୮।
ଯୁଝେଷ୍ଠି ସନ୍ନିଧ୍ୟେ ପ୍ରବେଶ ନନ୍ଦବାଳ
ସନ୍ନିଧ୍ୟେ ହକାରି ଆଗ୍ୟାଂ ଦିଲେକ ନକୁଳ ।୮୯।
ତୁ ହୋ ନକୁଳ ଯାଅସି ଦକ୍ଷିଣ ଦିଗେ
ୟେକଊଣା ସାତ ସହସ୍ର ରାଜାନ୍ତ ନିମନ୍ତି ଘେନି ଆସିବୁ ବେଗେ ।୯୦।
ରାଜାନ୍ତ ଅଣାଇବୁ ନଉ ଦିବସର ମଧ୍ୟେ
ରାଜାନ୍ତ ନ ମାରିବୁ ତୁ ସନ୍ୟ ମାରିବୁ ଯୁଦ୍ଧେ ।୯୧।
ଯେ ଅବା ଦୃଭାର ତୋତେ ହୋଇବ ଦଣ୍ଡଧାରୀ
ସନ୍ୟ ବଧ କରି ସେ ରାଜାନ୍ତ ଆଣିବୁ ବନ୍ଦୀ କରି ।୯୨।
ଯଦ୍ୟପି ବଧ କରିବୁ ଯେଉଂଣ ରାଜାକୁ
ରାଜୁସି ଯାଗ ନୋହିବଟି ନିରାଧାର କହିଲଇଂ ତୁକୁ ।୯୩।
ଦକ୍ଷିଣ କୋଷଳ ରାଜା ଭୂମନୁ ଚକ୍ରବ୍ରତୀ
ଦ୍ରିଯୋଧନର ଶ୍ୱଶୁର ସେ ତାହାର ଦୋହିତା ନାମ ଭାନୁବତୀ ।୯୪।
ପ୍ରଥମେ ପ୍ରବେଶ ହୋଇବୁ ତାହାର ଭୁବନେ
ତାହାକଇଂ ନିମନ୍ତିଲେ ଆସନ୍ତିଟି ସମସ୍ତ ରାଜାମାନେ ।୯୫।
ଅହିବ୍ରତେକ ରଥ ପାଞ୍ଚ ଅହିବ୍ରତ ହାଥୀ
ଦଶ ଅହିବ୍ରତ ଅଶ୍ୱ ତେରଲକ୍ଷ ପାଦାନ୍ତି ।୯୬।
ଲକ୍ଷେକ ପାଟଛତ୍ର ଯେ ଲକ୍ଷେକ ବାଦ୍ୟକାର
ମାହେନ୍ଦ୍ର ବେଳେ ନକୁଳ ଦକ୍ଷିଣକୁ ବାହାର ।୯୭।
ମାଦ୍ରୀର ତନୟ ତହୁଂ ଚଳଇ ହରଷେ
ମକର ଶୁକଳ ପକ୍ଷ ତ୍ରୟୋଦଶୀର ଦିବସେ ।୯୮।
ସେଦିନ ପ୍ରବେଶ ଆସି ହୋଇଲା ଯାଗସ୍ତାନେ
ସମ୍ଭରେ ଆସିବେଟି ଦକ୍ଷିଣ ଦିଗ ରାଜାମାନେ ।୯୯।
ମୋହୋର ମହିଂମା ତୁ ଜାଣିଅଛୁଂ ନା ଭଲେ
ଚକ୍ରଘାତେ ନାଶ ଯିବୁଟି ନଉ ଦିବସେ ନଇଲେ ।୧୦୦।
ଆପଣେ ଶ୍ରୀ ଜଗନ୍ନାଥେ ରଥେକ ଦିଲେ ସାଜି
ବାଛିଣ ଯୋଚିଲେ ଯେ ବାରିଣ ଚାରି ବାଜୀ ।୧୦୧।
କାର୍ତ୍ତିକ ମାସ ଶୁକଳ ପକ୍ଷ ତ୍ରୟୋଦଶୀ ଚନ୍ଦ୍ରବାର
ଅଶ୍ୱିନୀ ନକ୍ଷତ୍ର ବେଳ ଯେ ଦେଢ ପ୍ରହର ।୧୦୨।
ବାଣିଜ୍ୟ ନାମେ କରଣ ବରିୟାନ ନାମେ ଯୋଗ
ଶୁଭ ଅନୁକୂଳେ ବିଜୟେ ନକୁଳ ଦକ୍ଷିଣ ଦିଗଭାଗ ।୧୦୩।
ଅନେକ ବ୍ରାହ୍ମଣ ତହିଂ କରନ୍ତି ବେଦଧୁନି
ମଙ୍ଗଳ ହୁଳହୁଳି ଦିଅନ୍ତି ଯେ ସକଳ ସୁଲଭ କାମେନୀ ।୧୦୪।
ମାଦ୍ରୀର ନନ୍ଦନ ଯେ ଦକ୍ଷିଣ ଦିଗେ ବିଜେ
ବାରୁଣାବନ୍ତ ଯାୟେ ଆସନ୍ତି ଦେବରାଜେ ।୧୦୫।
ସକଳ ସୁବିଧାନେ ନକୁଳକୁ ତିଆରି
ଖଗେଶ୍ୱର ବାହାନେ ବାହୁଡନ୍ତି ଦେବହରି ।୧୦୬।
ସହଦେବକଇଂ ସନ୍ନିଧ୍ୟେ ବସାଇ ଅଚ୍ୟୁତ
ପୂର୍ବଦିଗକଇଂ ଶାଢୀ ଦିଲେକ ଜଗନ୍ନାଥ ।୧୦୭।
ମନ୍ତ୍ରୀଚୂଡ଼ାମଣି ସକଳ ଗୁଣେ କୁଶଳ
ମାହେନ୍ଦ୍ର ବେଳ ଘେନି ତୁ ଅଇଶାନ୍ୟ ଭାଗେ ଚଳ ।୧୦୮।
ସହସ୍ରେକ ରଥ ଯେ ଦୁଇସହସ୍ର ମତ୍ତ ନାଗ
ସାତଲକ୍ଷ ପାଦାନ୍ତି ଯେ ଲକ୍ଷେକ ତୁରଙ୍ଗ ।୧୦୯।
ଟମକ ନିଶାଣ ଆଦି ବହୁତ ବୀରତୂର ବାଜେ
ଶୁଭଯୋଗ ସହଦେବ ପୂର୍ବଦିଗକଇଂ ବିଜେ ।୧୧୦।
ଜଗନ୍ନାଥେ ବୋଇଲେ ଶୁଣ ହୋ ସହଦେବ ମହାମନ୍ତ୍ରୀ
ୟେକଊଣା ତିନିସହସ୍ର ପୂର୍ବ ଦିଗେଣ ନୃପତି ।୧୧୧।
ଧାର୍ମିକ ବିବେକ ସେ ପଣ୍ଡିତ ସର୍ବରାଜା
ତୋତେ ଦେଖି ସମସ୍ତେହେଂ କରିବେ ପାଦପୂଜା ।୧୧୨।
ରାଜାମାନେ ଆସନ୍ତି ଯେତେକେ ବୁଦ୍ଧିବଳେ
ପ୍ରୀତଭାବ ଉପୁଜାଇ ଆଣିବୁଂ କୁତୂହୋଳେ ।୧୧୩।
ଚଳଇ ସହଦେବ ନାରାୟଣଂକ ବଚନେ
ପୂର୍ବଦିଗକଇଂ ବିଜେ ରାଜାନ୍ତ ନିମନ୍ତ୍ରଣେ ।୧୧୪।
ଚାରିଦିଗକଇଂ ଚାରି ପାଣ୍ଡବନ୍ତ ପଠିଆଇ
ଅନେକ ସାନନ୍ଦ ଯେ ହୋଇଲେ ଯଦୁସାଇଂ ।୧୧୫।
ଯୁଝେଷ୍ଠିଂକ ଛାମୁରେ ଯେ କହନ୍ତି ଜନାର୍ଦ୍ଦନ
ନଉଦିବସେ ଆସିବେ ସମସ୍ତ ରାଜାଗଣ ।୧୧୬।
ଯୁଝେଷ୍ଠି ବୋଇଲେ ବାବୁ ଶୁଣିମା ଅନନ୍ତ
ରାଜାନ୍ତ ବିଶ୍ରାମିବାକୁ ଠାବ ହୋଇବ କେମନ୍ତ ।୧୧୭।
ଖରା କାକର କୁହୁଡି ଶୀତ ଯେ ଖାଇଲେ
ପିତାର ପାତକ ଯିବ କି ଅପଖ୍ୟାତି ଉପୁଜିଲେ ।୧୧୮।
ଯୁଝେଷ୍ଠିଦେବଂକୁ ସେ ଘେନିଣ ଦେବରାଜେ
ଦ୍ରିଯୋଧନ ସହିତେ ଇନ୍ଦ୍ରପ୍ରଶସ୍ତେ କଲେ ବିଜେ ।୧୧୯।
ପ୍ରବେଶ ନାରାୟଣ ଯମୁନା ନଦୀ କୂଳେ
ଘଟଣ ଭୁବନମାନ ସ୍ୱାମୀ ସେ ଦେଖାଇଲେ କୁତୂହୋଳେ ।୧୨୦।
ଘଟଣ ବିନ୍ଧାଣୀମାନେ ଲକ୍ଷ ଲକ୍ଷ ହୋଇଛନ୍ତି ଲାଗି
ଦିବାରାତ୍ରେ ଅପସର ନାହିଂ ଆରୋପନ୍ତି ବେଗି ବେଗି ।୧୨୧।
କଇବ୍ରତ ନୃପତି ଯେ ନାବେ ଦାରୁନ୍ତ ପୂରୋଇ
ପାଷାଣ ସହିତେ ଯମୁନା କୂଳେ ଉଭାରୁଛନ୍ତି ନେଇ ।୧୨୨।
ଅଶିଲକ୍ଷ ଯୋଦ୍ଧା ଘେନି କିରାତ ଆଧିପତି
ବାରୁଣବନ୍ତ ଭୁବନେ ଆଣି ବହିଣ ପକାନ୍ତି ।୧୨୩।
ସାତଲକ୍ଷ ପନ୍ଦର ମେବଚ୍ଛ ବିନ୍ଧାଣୀ
ନବର ସଞ୍ଚାମାନ ଘଟଣ ନିର୍ବାଣି ।୧୨୪।
ଦେଖିଣ ଆଶ୍ରିଜ ହେଲା ରାଜା ମାନଗୋବିନ୍ଦ
ଯୁଝେଷ୍ଠିଦେବ ଦେଖିଣ ପରମ ସାନନ୍ଦ ।୧୨୫।
କର୍ଣ୍ଣ ଶଲ୍ୟ ଶକୁନିଂକି ଦେଖି ନ ଫୁରଇ କିଛି
ଦେବଂକୁ ଅଶକ୍ୟ ୟେତ ଭିଆଣ ହୋଇଅଛି ।୧୨୬।
ତିରିଶ ମେବଚ୍ଛ ସୂପକାର ଦିଜ ବିଦ୍ୟମାନ
ସେ ଘଟଣାକାରୀମାନନ୍ତ ରାନ୍ଧି ଦିଅନ୍ତି ଭୋଜନ ।୧୨୭।
ଭୀଷ୍ମେ ବିଚାର ଯେ କରନ୍ତି ତାହା ଚାହିଂ
ୟେଥକୁ ତଣ୍ଡୋଳ ମେଞ୍ଜନ ହରି ସଂଚିଥିଲୁ କାହିଂ ।୧୨୮।
ଜୟତୁ ଜଗମୋହନ ସାତୁକ୍ୟ ସିଦ୍ଧବୁଦ୍ଧି
ଜୟତୁ ଜଗମୋହନ ଉପାୟ ବାରାନିଧି ।୧୨୯।
ଜୟତୁ ଜଗମୋହନ ସୟଳ ଜନ ଚିନ୍ତା
ଜୟତୁ ଜଗମୋହନ ସଂସାର ଉଦ୍ଧାରନ୍ତା ।୧୩୦।
ଜୟତୁ ଜଗମୋହନ ସର୍ବ ସିଦ୍ଧି ଯୋଗୀ
ଜୟତୁ ଜଗମୋହନ ତ୍ରଇଲୋକ ଜନ ଭାବି ।୧୩୧।
ଜୟତୁ ଜଗମୋହନ ସକଳ ଜନ ଭାବେ
ଜୟତୁ ଜଗମୋହନ ଉପାୟ ସର୍ବଠାବେ ।୧୩୨।
ଜୟତୁ ପରମେଶ୍ୱର ନିରାକୁଳ ନିରଞ୍ଜନ
ଜୟତୁ ପରମେଶ୍ୱର ଅଭୟେ କୁଳଶୂନ୍ୟ ।୧୩୩।
ଜୟତୁ ପରମେଶ୍ୱର କୃତାନ୍ତେକ ଦର୍ପ ଧ୍ୱଂସା
ଜୟତୁ ପରମେଶ୍ୱର ଜଗତ ଜନ ଚିନ୍ତା ମନୀଷା ।୧୩୪।
ଜୟତୁ ପରମେଶ୍ୱର ପର ଦୁଖେ ଦୁଖୀ
ଜୟତୁ ପରମେଶ୍ୱର ଆଦିଅନ୍ତ ମଧ୍ୟ ସାକ୍ଷୀ ।୧୩୫।
ଜୟତୁ ପରମେଶ୍ୱର ଯୋଗୀଜନ ହୃଦେ
ଜୟତୁ ପରମେଶ୍ୱର ପରମ ସାନନ୍ଦେ ।୧୩୬।
ଜୟତୁ ପରମେଶ୍ୱର କେଶବ ମୂରତି
ସର୍ବଜନ ଚିନ୍ତାମଣି ନାଥ ଫେଡ ମୋହୋର ଦୁର୍ଗତି ।୧୩୭।
ଯାହାକଇଂ ପ୍ରସନ୍ନ ସ୍ୱାମୀ ଫେଡୁ ସର୍ବ ଚିନ୍ତା
ଅନାଥ ଜନକୁ ନାଥ ଗତି ଦିଅନ୍ତା ।୧୩୮।
କିଞ୍ଚିତ ପ୍ରସନ୍ନ ସ୍ୱାମୀ ହୋଉ ତୁ ଯାହାକୁ
ଅଭଗତେ ଠାବଦିଲୁ ସ୍ୱାମୀ ତୁ ମାନଧାତାକୁ ।୧୩୯।
ତୁ ଦେବ ତ୍ରଇଲୋକ୍ୟ ଭୁବନକୁ ଚିନ୍ତାମଣି
ନାଶକର ଦଣ୍ଡ ଦେବ ଖଣ୍ଡ ଚକ୍ରପାଣି ।୧୪୦।
ଅସୁର ଦର୍ପ ନିଶୋଧନ ଜୟ ତୁ ହୃଷିକେଶି
ଶୂଦ୍ରମୂନି ସାରୋଳା ଦାସକୁ ମୁକତି ଗତି ଦେସି ।୧୪୧।
ରାଜସୂୟ ଯଜ୍ଞ , ଯଜ୍ଞଶାଳା ଓ ସଭାଗୃହ ଯଜ୍ଞଶାଳା ଓ ସଭାଗୃହ , ରାଜାମାନଙ୍କ ସହ ସୈନ୍ୟ ଗଜ ଅଶ୍ୱଙ୍କର ଗୃହନିର୍ମାଣ ଓ ରାଜସୂୟ ଯଜ୍ଞର ଆୟୋଜନ
ଶୁଣ ହୋ ଯୋଗେଶ୍ୱର ବଦୟନ୍ତି ବ୍ରହ୍ମବେତ୍ତାନାରାୟଣଂକ ବଚନେ ସେ ସକଳ ନିର୍ମିତା ।୧।ଗଙ୍ଗା ଯମୁନା ଦୁଇ ନଦୀର ମଧ୍ୟସ୍ତାନେମହାକ୍ଷେତ୍ର ଭୂମି ହୋୟେ ଦ୍ୱାଦଶ ଯୋଜନେ ।୨।ୟେଥିର ଚାରିଦିଗେ ବେଢି ଚାରିଆଡେଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ବାରୁଣାବନ୍ତ କଛାଡେ ।୩।ଇନ୍ଦ୍ରପ୍ରଶସ୍ତ ରାଜ୍ୟେ ଦୁର୍ଗମି ଗିରି ବସିଯୁଝେଷ୍ଠି ଦେବ ସୁମରିଲେ ବ୍ୟାସ ମହାଋଷି ।୪।ଧ୍ୟାନେଣ ଜାଣିଲେ ସେ ପଣ୍ଡିତ ଭିଗ୍ୟଂବାସୀମନରେ ଉଦବେଗ ହୋଇଲେ ବ୍ୟାସ ମହଋଷି ।୫।ପରାଶଂରକ ନନ୍ଦନ ଜାଣିଲେ ତଲୟେଷାଠିୟେ ସସ୍ର ଶିଷ୍ୟନ୍ତ ଘେନି ପ୍ରବେଶ ସତ୍ୟବତୀର ତନୟେ ।୬।ଜଇମିନି ଶୁକମୁନି ବଇଶମ୍ପାୟନଅଙ୍ଗିରା ବାଲମୀକ ଉଦ୍ଦାଳକ ତପୋଧନ ।୭।ୟେହାଂକର ମୂଳେ ଯେ ଷାଠିୟେ ସହସ୍ର ଶିଷିତାହାନ୍ତ ଘେନି ପ୍ରବେଶ ହୋଇଲେ ବ୍ୟାସ ମହଋଷି ।୮।ଇନ୍ଦ୍ରପ୍ରଶସ୍ତେ ବିଜୟେ ପାଣ୍ଡବେ କଉରୋବେଆସ୍ତାନେ ଦ୍ରୋଣ କର୍ଣ୍ଣ ବିଦୁର ଶକୁନି ଗାଙ୍ଗବେ ।୯।ମହା ସମ୍ଭର୍ବେ ସେ ଆସ୍ତାନ ଗହଳପ୍ରବେଶ ହୋଇଲେ ଆସି ସତ୍ୟବତୀର ବାଳ ।୧୦।ୟେହେନେକ ସମୟେ ବିଜୟେ ବ୍ରହ୍ମବେତ୍ତାଆସ୍ତାନ ତେଜ୍ୟା କରି ଉଠିଲେ ଧର୍ମପୁତା ।୧୧।ଶ୍ରୀକରେ ରତ୍ନଝରୀ ଘେନିଣ ଧର୍ମରାଜାବ୍ୟାସଂକର ପଦ୍ମପାଦେ କଲେ ଦିବ୍ୟପୂଜା ।୧୨।ସମସ୍ତ କୁଶଳ ପୁଚ୍ଛା କରନ୍ତି ତପୋନିଷ୍ଠିସର୍ବ କୁଶଳ ବୋଲି ବୋଲନ୍ତି ଧର୍ମରାଜା ଯୁଝେଷ୍ଠି ।୧୩।ପଚାରନ୍ତି ଧର୍ମସୁତ ଶୁଣିମା ବ୍ରହ୍ମଋଷିମମ ପିତା ପଣ୍ଡୁ ହୋଇଲେ ବ୍ରହ୍ମହତ୍ୟା ଦୋଷୀ ।୧୪।ରାଜୁସି ଯଗ୍ୟଂକୁ ଆଗ୍ୟାଂ ଦିଲେକ ଶ୍ରୀପତିଭାଇନ୍ତ ଘେନିଣ ମୁଂ ଯେ ତୀର୍ଥ କରି ଯାନ୍ତି ।୧୫।ରାଜୁସି ଯଗ୍ୟଂ ବୋଲି ସଭା ଯେ କେମନ୍ତମୋତେ ଅଶକ୍ୟ ଅଟଇ ୟେ ଅଶ୍ରୁତି ଅଦୃଷ୍ଟି ଯୁଗତ ।୧୬।ବ୍ୟାସେ ବୋଇଲେ ଯାହାକଇଂ ସଂପକ୍ଷ ପରମେଶ୍ୱରବାବୁ ରାଜୁସି ଯଗ୍ୟଂ ତୋତେ କେତେକ ମାତର ।୧୭।ଆହୋ ବାବୁ ଯେତେବେଳୁଂ ବଧ୍ୟ ଗଲା ଜାରାଲକ୍ଷେକ ନୃପତି ତୋତେ ହୋଇଲେ ଭୃତ୍ୟ ପରା ।୧୮।ଦେବତାମାନଂକକୁ ତୁ ସୁମରିବୁ ଯେତେବେଳେଆସି ପ୍ରବେଶ ହୋଇବେ ସମସ୍ତ ଦିଗପାଳେ ।୧୯।ଖାଣ୍ଡେବ ବନୁଂ ଖାଇଣ ସମସ୍ତ ମଉଷଧିଅଗ୍ନିଦେବତାର ଅର୍ଜୁନ ଖଣ୍ଡିଲା ଲୁଦୁବୁଦୁ ବ୍ୟାଧି ।୨୦।ତେଣୁ ଅଗ୍ନି ଦେବତାୟେ ହୋଇଛନ୍ତି ପ୍ରସନ୍ନପୁଷ୍କରଦେବତା ତୋତେ ହୋଇଛନ୍ତି ସଂପକ୍ଷ ବିଦ୍ୟମାନ ।୨୧।ଆବର ଯାହାକୁ ସଂପକ୍ଷଟି ଦେବ ନାରାୟଣରାଜୁସି ଯଗ୍ୟଂ ତୁ ହୋ କରସି ଆରୋପଣ ।୨୨।ଯଗ୍ୟଂଶାଳ ଭୂମି ନେଇ ଦେଖାଇଲେ ଦେବ ହରିମକର ତିଳ ବୁଣାଇଲେ ଶୂଳେ ଭୂମି ଚିରି ।୨୩।ଯଗ୍ୟଂକୁ ସଞ୍ଚା ଯେ କରନ୍ତି ତହିଂ ବ୍ରହ୍ମବେତ୍ତାସମିଧ ଘୃତ ଯବ ତିଳ କରନ୍ତି ନିର୍ମିତା ।୨୪।ରାଜାମାନଂକୁ ନବର ଯେ ଅଶ୍ୱଶାଳ ଗଜଶାଳଭାଗ ଭାଗ କରି ନେଇ ପାତିଲେ ତହିଂ ନଳ ।୨୫।ୟେକବିଂଶ ଦଣ୍ଡେ ପାତିଲେ ନଳକାଠିପାଞ୍ଚନଳ ଆୟତନ ୟେକ ବଖରା ଗୋଟି ।୨୬।ବିଶାଶତେ ବଖରାୟେ ଘରେକ ନିର୍ବାଣିକାନ୍ଥଚାଳ ଆଦିକରି ସବୁ ପାଷାଣେ ଘଟଣ ଜାଣି ।୨୭।ଯମୁନା ନଦୀର ଯେ ଦକ୍ଷିଣ ଭାଗ କୂଳେୟେତେକ ଆୟେତନ ଉଠିଲା ଯାଗଶାଳେ ।୨୮।ୟେମନ୍ତେ ଅଶିପଦ୍ମ ନଉସାଗର ବିଶାଶତେ ମର୍ଭୁତୟେତେକ ଯଗ୍ୟଂଶାଳ ହୋଇଲା ନିର୍ମିତ ।୨୯।ଅଞ୍ଜନ ନାମେଣ ମଧୁବନର ବିଶ୍ୱକର୍ମାତାହାର ଉପର ବଂଶେ ଗଞ୍ଜିଲେ ସଭା ସୁଧର୍ମା ।୩୦।ତାହାନ୍ତ ଆଗ୍ୟାଂ ଯେ ଦିଲେ ବ୍ୟାସ ମହାଯତିତୋହୋର ଉପର ବଂଶେ ଯେ ଚାରି ଯୁଗେ ସଭା ନିର୍ମିତି ।୩୧।ଆହୋ ୟେ ଆସ୍ତାନ ବିଜେ ଲକ୍ଷେକ ରାୟେସୁଧର୍ମା ସଭା ସାରିକ୍ଷେ ଘଟଣ କରିବୁ ଛାୟା ମଣ୍ଡୋପ ଗୋଟାୟେ ।୩୨।ଅଞ୍ଜନ ବୋଇଲା ମୋତେ ଆଗ୍ୟାଂ ଦିଲେନି ଚକ୍ରପାଣିଅଳକା ଭୁବନ ସାଦ୍ରିଶେ ଛାୟା ମଣ୍ଡୋପ ନିର୍ବାଣି ।୩୩।ନବରମାନ ଘଟଣ କରିବଇଂ ୟେ ସ୍ତାନେଦୁତୀ ଅମର ଜାଣି ଦେଖିବେ ରାଜାମାନେ ।୩୪।ଆଗ୍ୟାଂ ପ୍ରମାଣେ ତହିଂ ଲାଗିଲା ଅଞ୍ଜନକାଠ ପାଷାଣ ଆଦିକରି ଯେ କରନ୍ତି ସର୍ଜନ ।୩୫।ଆହୋ ଚଉଷଠୀ କାଠିୟେ ଯେ ବଖରାୟେ କରିୟେମନ୍ତେ ୟେକଶାଳ ଗୋଟି ବଖରା ସହସ୍ର ଚାରି ।୩୬।ୟେମନ୍ତେ ସହସ୍ରେ ପାରାର୍ଦ୍ଧ ଘର ଉଠିଲା ବାରୁଣାବନ୍ତେସହସ୍ରେ ପରାୟୁଧ ଘର ରଂଚିଲା ଇନ୍ଦ୍ର ପ୍ରଶସ୍ତେ ।୩୭।ବିଶାଶତେ ସାଗର ଘର ଯମପ୍ରଶସ୍ତ ଭୁବନେଅଶ୍ୱଶାଳ ଗଜଶାଳ ମାପିଦିଲେ ଜନାର୍ଦ୍ଦନେ ।୩୮।ପାଟହାଥୀ ପାଟଘୋଡାକୁ ସୁବର୍ଣ୍ଣ ରସାଣ ଶାଳ ସଞ୍ଚିଚାରିଲକ୍ଷ ଘର ଲେଖନ ଶକୁନିର ପାଞ୍ଜି ।୩୯।ଆହୋ ଉଟ ଅଶ୍ୱ ବରାଳ ମର୍ଦ୍ଦନ ବାଦ୍ୟକାରଗଙ୍ଗାକୂଳେ ଉଠିଅଛି ଅଶି ସାଗର ଘର ।୪୦।ଆହୋ ୟେକୋଇଶ କାଠି ବଖରା ୟେକ ବୋଲିୟେକ ବଖରାକେ ତହିଂ ବସଇ ୟେକ ଚୁଲୀ ।୪୧।ୟେକା ଚୁଲିକରେ ଅଷ୍ଟ ଉତ୍ତର ଶତେ ପଖାଲକ୍ଷେ ରାଜାର ସନ୍ୟ ଆସିବେ କେ କରିବ ଲେଖା ।୪୨।ଆହୋ ୟେକୋଇଶ ଦଣ୍ଡେ ହୁୟେ ଯେ କାଠିୟେୟେକୋଇଶ କାଠିରେ ୟେକ ବଖରାୟେ ।୪୩।ୟେକ ଘରକେ ଉଠଇ ତହିଂ ବଖରା ଶୟେଅନେକ ଘର ନିର୍ବାଣ ଯେ ହୋଇଲା ସେହିଠାୟେ ।୪୪।ୟେମନ୍ତେ ନଉପଦ୍ମ ଅଶିସାଗର ଉଠଇ ଛତ୍ରଶାଳଛତ୍ରଶାଳମାନ ହୋଇଲା ଯମୁନା ନଦୀକୂଳେ ।୪୫।ୟେମନ୍ତେ ବତିଶି ଲକ୍ଷ ଉଠିଲା ଯେ କୁରାଳଶାଳମାନମୃତ୍ତିକା ହାଣ୍ଡିମାନ ତହିଂ କରିବେ ଘଟଣ ।୪୬।କଣୟଭାଗୀ ବୋଲି ୟେକଇ ନଦୀଗୋଟିମେଖଳା ଗଙ୍ଗାଉଂ ସେ ଦେଖିଣ ଭାବେ ଫିଟି ।୪୭।ସେ ନଦୀର ତୀରେ ବିଶାଶତେ ମେବଚ୍ଛ ଛତ୍ରଶାଳବ୍ରାହ୍ମଣମାନଙ୍କୁ ସେହି ବଡାଇ ବୃଷାଳ ।୪୮।ସହସ୍ରେ ଅହିବ୍ରତ ଘର ବାରୁଣାବନ୍ତେ ନିର୍ବାଣିୟେତେଶାଳ କରିବେ ତାମ୍ବରା ବିନ୍ଧାଣୀ ।୪୯।ତମ୍ବାର ଯୋଗାଡମାନ କରିବେ ନିର୍ମିତୟେ ବିନ୍ଧାଣୀମାନେ ଯେ ଲାଗିଛନ୍ତି ପଞ୍ଚାଶ ମର୍ଭୁତ ।୫୦।ପାଞ୍ଚଲକ୍ଷ ଘର ତହିଂ ଉଠଇ ଝିମାଣିଶାଳଲୁହା କର୍ମମାନ ଘଟଣ କରିବେ ସକଳ ।୫୧।ଅସିପତ୍ର ଧରା ତହିଂ ତେରଲକ୍ଷ ଘରବୁଲାନ୍ତି ଶାଣ ଯେ ଅସି କରନ୍ତି ତୀଖଧାର ।୫୨।ଚଉରାଣୋଇଂ ସହସ୍ର ଘର ଅଛଇ କମକାରୀଂକିସୁବର୍ଣ୍ଣର କମମାନ ଯେ ଅଷ୍ଟରତ୍ନେ ଲେଖି ।୫୩।ତାଡତୋଢର ଝୁମ୍ପା ସରଳ ବାହୁଟି କଂକଣନେପୂର କର୍ଣାଞ୍ଚଳ ହୃଦରେ ଭୂଷଣ ।୫୪।ମୁକୁଟ କୁଣ୍ଡଳ ତାଡ ବିଦ ମୁଦି ଗଢିଅଷ୍ଟରତ୍ନେ ଖଞ୍ଜିଲେ ୟେମାନେ ସର୍ବ ଜଡି ।୫୫।ପଇଲମ ତାଟିଆ ରତ୍ନଝରୀ ଆଦିକରିପୀଢା ସିଂହାସନ ଖଟୁଳି କାମ କରି ।୫୬।ସୁବର୍ଣ୍ଣର ନଉତି ଘଟଣ ନିର୍ବାଣୟେହା ସର୍ଜନା କରନ୍ତି ବଇଶ୍ୟ ଜାତିମାନ ।୫୭।ଚାଳିଶ ସାଗର ବସଇ ସୁପୁଟି ସୂଚୀକର୍ମ ବିନ୍ଧାଣିୟେମାନଂକୁ ଅଶିସାଗର ଘର ନିର୍ବାଣ କଲେ ଦେବ ସ୍ୱାମୀ ।୫୮।ଶେଯ ମୁଚୁଳି ହଂସୁଲିତୁଳି ସୁପାତି ଶେଯୟେମାନ ଭିଆଣ ଯେ କରିଲେ ଦେବରାଜ ।୫୯।ନାନା ଅଷ୍ଟରତ୍ନେ ଖଞ୍ଜଣି ରତ୍ନକର୍ମହିଂପରିହରଣ ବସ୍ର ସୁଠାମ କଲେକ ଖଞ୍ଜାଇ ।୬୦।ବ୍ୟାସନ୍ତ ଘେନିଣ ସେ ଦେବ ଚକ୍ରପାଣିଆଗ୍ୟାଂ ପରମାଣେ ସେ ସମସ୍ତ ନିରିବାଣି ।୬୧।ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ବାରୁଣା ଜଇନ୍ତା ପଞ୍ଚୁକଟକ ମାଡିଉଠିଲେ ଶାଳମାନେ ନଦୀ ପର୍ବତ ଛାଡି ।୬୨।ଘଟଣ କମମାନ କଳନା ନ ଯାଇ ଲେଖାରାଜାମାନେ ଆସି ନିହାଇ ଦିଅନ୍ତି ଦେଖା ।୬୩।କାର୍ତ୍ତିକେ ବୁଣିଲେ ତିଳ ଫୁଟି ପଡଇ ତଳେଆପଣେ ଥାଇ ବ୍ୟାସେ ତୋଳାଇଲେ ଯାଗଶାଳେ ।୬୪।ପଞ୍ଚୁ ରାଜ୍ୟରେ ହୋୟେ ଯେତେକ ଧାନ ସଞ୍ଜାତଣ୍ଡୁଳ କରିଣ ତାହା ସଞ୍ଚିଲେ ପରିଜା ।୬୫।ଦ୍ୱାପରେ ନିର୍ବାଣ କଲେ ମାଢକେ ୟେକବାଟିବାଟିକେ ତଣ୍ଡୁଳ ଦେବ ୟେକ ଯେ ପଉଟି ।୬୬।ୟେସନକ କରି ଭିଆଇଲା ମନ୍ତ୍ରୀ ଶକୁନିସାଧୁ ମନ୍ତ୍ରୀ ବୋଲିକରି ପଞ୍ଚୁରାଜ୍ୟେ ଉଠିଲାକ ଧୁନି ।୬୭।ଅଶିସହସ୍ର ମାପୁଣିଆ ଘେନି ମନ୍ତ୍ରୀ ଶକୁନିଇନ୍ଦ୍ରପ୍ରଶସ୍ତେ ମାପି ବସିଲେ ତଣ୍ଡୁଳମାନ ଘେନି ।୬୮।ଆଟୁକାମ କଲେକ ଦଶ ସହସ୍ର ଘରତଣ୍ଡୁଳ ତହିଂ ପୂରାବନ୍ତି ନିରନ୍ତର ।୬୯।ଯେତେକ ସଇନ ଲାଗିଛନ୍ତି ବିନ୍ଧାଣିକାରୀରାନ୍ଧଣା ବିଧାନେ ସବୁନ୍ତିହି ତ୍ରିପୁତି କରି ।୭୦।ବାହାର ରୋଷଘରେ ରାନ୍ଧଣା ନିରିବାଣିପଦ୍ମେ ସାଗରେ ମର୍ଭୁତେ ଭୁଞ୍ଜନ୍ତି ବିନ୍ଧାଣି ।୭୧।ଉଠାବନ୍ତି ଘର ମାନ ଅନେକ ରତ୍ନେ କମିଦେଖିଣ ସାନନ୍ଦ ଯେ ଜଗନ୍ନାଥଦେବ ସ୍ୱାମୀ ।୭୨।ଅନେକ ବିନ୍ଧାଣି ମୂଳେ ଅଞ୍ଜନ ବିଶ୍ୱକର୍ମାଦିବାରାତ୍ରେ ଲାଗିଲେ ସେ କମକାରୀ ମହାତମା ।୭୩।ଅନେକ ମହାରଣା ତାହାଂକ ତୁଲେ ଛନ୍ତି ଲାଗିଆହାର ନିଦ୍ରା ତେଜିଣ ଗଢନ୍ତି ବେଗି ବେଗି ।୭୪।ଆହୋ ବଇବସୁତ ମନୁ ଦେଖ ଜଗନ୍ନାଥଂକର ମାୟାଆହାର ନ ରୁଚଇ ବିନ୍ଧାଣିମାନଂକର ପୁଲକିତ କାୟା ।୭୫।ଆହାର ନିଦ୍ରା ମଇଥୁନ ତେଜନ୍ତି ସମସ୍ତ ରଣାସବୁହିଂ ସୁବର୍ଣ୍ଣର ନିର୍ବାଣ ପାଣିଦ୍ରବ୍ୟ ଘଟଣା ।୭୬।ଗଜଶାଳ ଅଶ୍ୱଶାଳ ଗୋଶାଳ ଆଦିକରି଼ରୂପାରପତ୍ର ଛାୟେଣି ଝିଂକର ଓହାଡ କରି ।୭୭।ହାଥୀଦନ୍ତ କମମାନଂକୁ ଦଶଲକ୍ଷ ଶିଂଗରାସ୍ଥୂଳ କର୍ମମାନ ନିବାଡନ୍ତି ଶତେଲକ୍ଷ କୁନ୍ଦୁରା ।୭୮।ରୂପାପାତ୍ରମାନ ଯେ ଉପରେ ଛାୟେଣିବଖରାକେ ସୁବର୍ଣ୍ଣର କଳସ ନିରିବାଣି ।୭୯।ଆଡ ଦୀର୍ଘେ ପଞ୍ଚାଶ ପଞ୍ଚାଶ ଯୋଜନା ପ୍ରତିନିରନ୍ତରେ ଭୁବନ ଯେହ୍ନେ ଅମର ବାରସ୍ୱତୀ ।୮୦।କନେକର ରୁଅ ଶେଣି ବତା ଆଦିକରିସଷ୍ଟିକର ପୀଢ ଆଣି ମୟେଦାନବ ଉହାରି ।୮୧।ଆପଣେ ନିର୍ବାଣ କରିଣଛନ୍ତି ଜଗନ୍ନାଥଦେବ ସ୍ୱାମୀଯାଗଶାଳମାନ ଉଠିଅଛି ଯେ ମଧ୍ୟସ୍ତାନ ଭୂମି ।୮୨।ପୂର୍ବଦ୍ୱାରେ ଅଛି ବଟ ପଛିମ ଦ୍ୱାରେ ଶମୀଉତ୍ତରେଣ ଜଟୀବଟ ଦକ୍ଷିଣରେ ଗନ୍ଧ ଆମି ।୮୩।ତିନିଶାଖା ତିନିପୁରେ ବିଶାଶତେ ତାଳ ଉଞ୍ଚକୋଶେକ ଆୟେତନ ଯାଗଶାଳ ସୁସଞ୍ଚ ।୮୪।ଜଟୀ ବଟୀ ହଟୀ ଯେ ଆବର ସାଂପୁଟୀୟେ ଚାରି ସମିଧେ ଯଗ୍ୟଂଶାଳ ଖଟି ।୮୫।ପଚ୍ଛିମ ସୋମନାଥେ ନଡପ ଶାଳମାନସତୁରିପଦ୍ମ ଘଣା ବୁଲଇ ପ୍ରତିଦିନ ।୮୬।କୁନ୍ଧାଣ ଦେଶର ରାଜା ନାମ ଋଷିକେଶିନାବେ ପୂରୋଇ ଆଣି ଦେଉଅଛି ସର୍ବରାଶି ।୮୭।ପଞ୍ଚଷଠି ପଦ୍ମ ଚାରି ସାଗର ଦିହୁଡିଶତେ ବୃନ୍ଦହୁଳା ଦୀପ ସାଗର ଚାରି ।୮୮।ୟେମନ୍ତେଣ ପଞ୍ଚାଶ ସହସ୍ର ଯୋଜନା ଦିଶଇ ଆଲୋଅମୟେମହାରଣାମାନ ଘଟଣ କରୁଛନ୍ତି ରାତ୍ର ଯେ ଦିବସ ପ୍ରାୟେ ।୮୯।ଦବାରାତ୍ରେ କାହାକଇଂ ନାହିଂ ଅବସାନଖଟନ୍ତି ବେପାରୀୟେ ଯେ ଯାହାର ନିଯୋଗମାନ ।୯୦।ଆପଣେ ଜଗନ୍ନାଥେ ଅନୁବ୍ରତେ ବିଜେକରିସମସ୍ତ ବିନ୍ଧାଣିମାନଂକୁ ଶ୍ରୀହାଥେ ଦିଲେ ଶାଢୀ ।୯୧।ଅନେକ ରତନେଣ ବାହୁଟି ଜଗଦଳାଲଲାଟେ ସୀମଛିନୀ ତାଡ ତୋଢର ହୃଦେ ରତ୍ନମାଳା ।୯୨ ।ଆହୋ ନଉ ଦିବସ ମଧ୍ୟେ ସମସ୍ତ କର ନିର୍ବାଣଯେତେ ରତ୍ନ ଅଣ୍ଟଇ ଆମ୍ଭେ ଦେଉଥିବୁ ଆଣି ।୯୩ ।ମୋହୋର ଆଗ୍ୟାଂ ଭ୍ରଷ୍ଟ କରିବ ଯେଉଂଣ ଜନଚକ୍ରେ ଶିର ଛେଦିବି ଯୁଝେଷ୍ଠିଦେବଂକ ଆନ ।୯୪ ।ଜୀବନକଇଂ କାରଣ ୟେହୁ ରାଜୁସିଯଗ୍ୟଂ ସଭାସମସ୍ତ ପାତକ ୟେଥି ଦହନ କରିବା ।୯୫ ।ଜନ୍ମେ ଜନ୍ମେ ସୁଫଳ ଯାହାର ସୁଭାଗିୟେ ମହାଯଗ୍ୟଂ କାର୍ଯ୍ୟ ସୁବିଧାନେ ଥିବ ଲାଗି ।୯୬ ।ଜଣ ଜଣକେ ଆଗ୍ୟାଂ ଦେଉଅଛନ୍ତି ଶ୍ରୀପତିଆପଣେ ଚରଚା ସ୍ୱାମୀ କରନ୍ତି ଦିବାରାତି ।୯୭ ।ବଇନେତ୍ର ଆରୋହି ଦେବ ମଧୁହାରୀପ୍ରବେଶ ହୋଇଲେ ଯାଇଂ ଅମର ସ୍ୱର୍ଗ ପୁରୀ ।୯୮ ।ଛାୟା ମଣ୍ଡୋପ ଯାଇଂ ଦେଖିଲେ ଅନେକେସଭା ପଟାନ୍ତର କରିବାକୁ ନାହିଂ ତ୍ରିୟଲୋକେ ।୯୯ ।ଦେଖିଣ ସାନନ୍ଦ ଯେ ହୋଇଲେ ଦେବରାଜାଅଇରାବ୍ରତ ଆରୋହି ବିଜୟେ ବିଡୋଜା ।୧୦୦ ।ଇନ୍ଦ୍ର ଗୋବିନ୍ଦ ବସି ବିଶ୍ୱକର୍ମାକଇଂ ହକାରିଶ୍ରୀହାଥେ ନାରାୟଣେ ଯେ ଆପଣେ ଦିଲେ ରତ୍ନଶାଢୀ ।୧୦୧ ।ସୁଧର୍ମା ସଭା ଯେ ଅତିଅ ସୁସଞ୍ଚମାନବ ମାତ୍ରକେ କାହିଂ ଦେଖିବାକ ମଞ୍ଚ ।୧୦୨ ।କ୍ଷୁଧା ତୃଷ୍ଣା ନ ନାଗଇ ଯେଉଂଣ ସଭାୟେ ଥିଲେରାତ୍ର ଦିବସେ ତହିଂ ଚନ୍ଦ୍ର ଉଦୟେ ପରକାଶି ।୧୦୩ ।ସଭା ଦେଖିଣ ସେ ଅନେକ ସାନନ୍ଦେଅନେକ ପ୍ରଶଂସା ଯେ କରନ୍ତି ଇନ୍ଦ୍ର ଯେ ଗୋବିନ୍ଦେ ।୧୦୪ ।ବତିଶ ଲକ୍ଷ ବିନ୍ଧାଣି ବିଶ୍ୱକର୍ମା ମୂଳେସଭା ଆୟେତନ କରିଛନ୍ତି ମେରୁ ମେଖଳେ ।୧୦୫ ।କରପତ୍ର ଯୋଡିଣ କହଇ ବିଶ୍ୱକର୍ମାସଭାକୁ ଅନେକ ପ୍ରଶଂସା କରନ୍ତି ବେଦବ୍ରହ୍ମା ।୧୦୬ ।ନାରାୟଣ ବୋଇଲେ ତୁ ଅନାଦି ବିଶ୍ୱରୂପୀସିଦ୍ଧ ସାଧକ ହେତୁ ତୁହି ଅଟୁ ସର୍ବବ୍ୟାପୀ ।୧୦୭ ।ତ୍ରଇଲୋକ୍ୟର ମଧ୍ୟେ ୟେ ତୋହୋର ସଭା ଦେଖିଫିଟିବ ଦୁଷୁକୃତ ଅନେକ ପାତେକ ଉପେକ୍ଷି ।୧୦୮ ।ତିମିର ବିଦାରଣେ ଯେ ଅନର୍ଘ୍ୟ ମଞ୍ଚମଣିଘଟଣକରି ତୁଲେ ତାହା ଥିବୁ ତ ନିର୍ବାଣି ।୧୦୯ ।ୟେସନେ ଆଗ୍ୟାଂ ଦେଇଣ ଦେବରାଜେଇନ୍ଦ୍ର ଗୋବିନ୍ଦ ଦୁହେଂ ନନ୍ଦନବନେ କଲେ ବିଜେ ।୧୧୦ ।ଦେଖନ୍ତି ତୋଟା ଯେ ସଦାଇ ବସନ୍ତଫଳଭାରେ ଶାଖାୟେ ଲୋଟନ୍ତି ଭୂମିଗତ ।୧୧୧ ।ତୋଟାଳମାନନ୍ତ ତହିଂ ଆଗ୍ୟାଂ ଅବଧାରୀସୁବିଧାନେ ଥାଅ ତୋଟା ଯତ୍ନେ ରକ୍ଷା କରି ।୧୧୨।ରାଜୁସି ଯଗ୍ୟଂ ଆସି ହୋଇଲା ସନ୍ନିଧାନସର୍ବେ ଅଛଇଂପୁଣ ପଞ୍ଚବିଂଶ ଦିନ ।୧୧୩।ତୋଟାଳେ ବୋଇଲେ ହରି ତୋହୋର ଆଗ୍ୟାଂଦେବତା ଗନ୍ଧର୍ବ କେ ଅବା କରିବ ଅବଗ୍ୟାଂ ।୧୧୪।ନାରାୟଣକଇଂ ବିନୋୟୀ କହିଲେ ମଘବାନତୋହୋର ପ୍ରସନ୍ନେ ମୋହୋର ଉଦିତ ହୋଇଲା ଧର୍ମ ।୧୧୫।ଯେବଣ ବିଧାନ ଦେବ କରିଅଛ ଆରୋପଣୟେ ସର୍ବସମ୍ପଦ ତୋହୋର ନାରାୟଣ ।୧୧୬।ଗୋବିନ୍ଦେ ବୋଇଲେ ବହୁତ ଭାରାୟେ ହୋ ପଶିଲୁ ଦେବରାୟେତୁ ସେ ସୁରେଶ୍ୱର ୟେଥକୁ କରିଥିବୁ ସଦୟେ ।୧୧୭।ୟେସନେକ ଆଗ୍ୟାଂ ଦେଇଣ ଦେବହରିବିଜୟେ ଜଗମୋହନ ହସ୍ତିନା ରାଜ୍ୟପୁରୀ ।୧୧୮-୧୮୦୩।