ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୪ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଯେ ଅଙ୍ଗାର ସେହି ହୀରା
ତେଣେ ରାଧା ଯାଇ, କାମ ଖୋଜି ଖୋଜି, ଶେଷରେ ଭୁବନେଶ୍ୱର ପାଖେ ଏକ ଗେରୁ କାରଖାନାରେ କାର୍ଯ୍ୟ ପାଇଲା । ସେଠାରୁ ସେ ରମା ବିଷୟରେ ଖବର ଜାଣିବାକୁ ଦୀନା ସାହୁକୁ ଚିଠି ଲେଖିଲା । ଦୀନା ସାହୁ ଚିଠି ପରେ ଚିଠି ପାଇ ଉତ୍ତରରେ ବାରମ୍ବାର ଜଣାଇବାରେ ଲାଗିଲା ଯେ ରମା ବେଶ୍ ଭଲରେ ଅଛି । ପ୍ରଥମ ଛ’ ମାସ ପରେ ରାଧା ରମାର ଖର୍ଚ୍ଚ ବାବଦରେ ଦୀନା ସାହୁ ନିକଟକୁ ମାସିକ ସାତ ଟଙ୍କା ପଠାଇଲା । ମାତ୍ର ବର୍ଷ ନ ପୂରୁଣୁ ଦୀନା ସାହୁ କହିଲା, ‘‘ବେଶ୍ ତ ! ଟଙ୍କା ସାତଟା ପକେଇ ଦେଇ ନିଶ୍ଚିନ୍ତ । ମୁଁ ମାଗି ଯାଇଥିଲି ନା କ’ଣ ?’’ ସେ ମାସକୁ ବାର ଟଙ୍କା ଦେବା ନିମନ୍ତେ ରାଧା ପାଖକୁ ଚିଠି ଲେଖିଲା । ଚିଠି ପାଇ ରାଧା ତେଣିକି ସେହି ବାର ଟଙ୍କା ହିସାବରେ ଦେଲା ।
ଏକ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନଙ୍କ ହୃଦୟରେ ଅନୁରାଗ କିମ୍ବା ବିରାଗ କିଛି ନାହିଁ । ଫଳରେ କାହାକୁ ସ୍ନେହ କରିବାକୁ ହେଲେ ସେମାନଙ୍କର ଅନ୍ୟ କାହାକୁ ଘୃଣା କରିବା ଦରକାର । ଦୀନା ସାହୁ ଭାର୍ଯ୍ୟା ଯେ ନିଜ ଝିଅ ଦିଓଟିଙ୍କୁ ଏତେ ସ୍ନେହ କରିବାକୁ ଲାଗିଲା, ସେ ସ୍ନେହ ନିମନ୍ତେ ବିଧାତା ତା’ ହୃଦୟରେ ମଞ୍ଜି ପୋତି ନ ଥିଲା । ସେଥିପାଇଁ କ୍ଷତିପୂରଣ ସ୍ୱରୂପ ତାକୁ ବିଚାରା ରମାକୁ ସେତିକି ଘୃଣା କରିବାକୁ ପଡ଼ୁଥିଲା । ଦୀନା ସାହୁର ରୋଜଗାର ଯାହାହେଉ ପଛକେ, ସାହୁଆଣୀକୁ ପ୍ରତିଦିନ ଦୁଇଟି ବିପରୀତ ପ୍ରକାରର ଜିନିଷ ବ୍ୟୟ କରିବାକୁ ହେଉଥିଲା । ଅର୍ଥାତ୍, ସେ ନିଜ ଝିଅ ଦିଓଟିଙ୍କି ଯେତିକି ଚୁମ୍ବନ ଆଲିଙ୍ଗନ ଦେଉଥିଲା, ନିରୀହ ରମାକୁ ସେତିକି ଗାଳି ମାଡ଼ ଦେଉଥିଲା । ରମା ସେ ଘରେ ଆଶ୍ରୟ ନ ପାଇଥିଲେ, ହୁଏତ ତାରି ନିଜ ଝିଅମାନେ ତା’ର ନିତିଦିନର ଗାଳି ମାଡ଼ତକ ନିଜ ଅଙ୍ଗରେ ନିଭାଉଥାନ୍ତେ । ରମା ଥିବାରୁ ତାହା ଘଟେ ନାହିଁ । ସେ ନିଜ ଉପରେ ସାହୁଆଣୀର କ୍ରୋଧର ସ୍ରୋତ ବହିବାକୁ ଛାଡ଼ିଦିଏ । ସେ ଅତି କଷ୍ଟରେ ରହେ । ଅଥଚ ତା’ ପାଖରେ ଦୀନା ସାହୁ ଝିଅ ଦିଓଟି ସୁଖରେ କାଳ କାଟନ୍ତି ।
ଅଳ୍ପ ବୟସର ପିଲାମାନେ ନିଜ ମା’ର ଅବିକଳ ପ୍ରତିବିମ୍ବ କହିଲେ ଚଳେ । ସେମାନେ ଆକାରରେ ଅବଶ୍ୟ ଛୋଟ ଥାନ୍ତି; କିନ୍ତୁ ଗୁଣ ସମାନ ଥାଏ । ଚମ୍ପା ଏବଂ ହୀରା ଠିକ୍ ମା ପରି ରମା ଉପରେ ନିଜ ମନର ଓରମାନଯାକ ମେଣ୍ଟାନ୍ତି । ବରଷକ ପରେ ବର୍ଷ ଚାଲିଗଲା । ରାଧା ରମାକୁ ଦେଖିବାକୁ ଜଜାରସିଂହ ଆସିପାରିଲା ନାହିଁ । ଜଜାରସିଂହ ଲୋକେ କ୍ରମେ କହିବାକୁ ଲାଗିଲେ, ‘‘ଆହା, ଏ ଦୀନା ସାହୁଟି କେଡ଼େ ସନ୍ଥ ପାଲଟି ଗଲା ମ । ନିଜର ତ ଖାଇବାକୁ ନିଅଣ୍ଟ । ତେବେହେଲେ ପର ପିଲାଟାକୁ ରଖି ପୋଷୁଚି ।’’
ରାଧା ରମାକୁ ପକାଇଦେଇ ପଳାଇଛି ବୋଲି ଜଜାରସିଂହରେ ଗୋଟାଏ ଧାରଣା ଜନ୍ମିଥିଲା । ସାହୁଆଣୀ କ୍ରମେ ଧରିନେଲା ଯେ ରମା ରାଧାର ବିବାହିତ ସ୍ୱାମୀର ଔରସରେ ଜନ୍ମ ହୋଇ ନାହିଁ । ସୁତରାଂ, ଶୀଘ୍ର ଆସି ପିଲାକୁ ନେଇଯିବା ପାଇଁ ଦୀନା ସାହୁ ରାଧାକୁ ଚିଠି ଲେଖିଲା-। ରାଧା କାମ ଛାଡ଼ି ଆସିପାରିଲା ନାହିଁ; ତେଣିକି ଦୀନା ସାହୁର ଦାବି ଅନୁସାରେ ମାସକୁ ମାସ ପନ୍ଦର ଟଙ୍କା ପଠାଇଲା । ରମା ବୟସରେ ବଢ଼ିବା ସଙ୍ଗେ ସଙ୍ଗେ ତା’ ଦୁଃଖକଷ୍ଟର ମାତ୍ରା ବଢ଼ିଲା । ପାଞ୍ଚ ବର୍ଷ ବୟସରେ ତାକୁ ଆଜି ନାନା କାର୍ଯ୍ୟ କରିବାକୁ ପଡ଼ିଲା । ରମା ଏପରି ବର୍ଷେ ଖଣ୍ଡେ କାର୍ଯ୍ୟ କଲା ପରେ, ତା’ ମା ମାସକୁ ପନ୍ଦର ଟଙ୍କା ନିୟମିତ ରୂପେ ଦେଇପାରିଲା ନାହିଁ । କେତେ ମାସର ଦେୟ ବାକି ପଡ଼ିଗଲା । ତହୁଁ ଦୀନା ସାହୁ ଓ ତା’ ଭାର୍ଯ୍ୟା କହିଲେ, ‘‘ଦେଖ୍, ରମା, କାମ ନ କଲେ ତୋ ହାଡ଼ ଗୁଣ୍ଡା କରିଦେବୁ । ତୁ କ’ଣ ଏଠି ମାଗଣା ଖାଇ ଖଟୁଲିରେ ବସି ପୂଜା ହବାକୁ ଆସିଚୁ ? ମା’ ରାଣ୍ଡୀ ତ ପଇସାଟିଏ ଦବାକୁ ନାହିଁ ।’’
ରାଧା ନିଜର ଗଣ୍ଠିଧନ ରମାକୁ ଦୀନା ସାହୁ ଘରେ ଛାଡ଼ିଯିବାର ତିନିବର୍ଷ ପରେ ସେଠାରେ ଆସି ପହଞ୍ଚିଥିଲେ, ଝିଅକୁ ଚିହ୍ନିବା ତା’ ପକ୍ଷେ ଅସମ୍ଭବ ହୋଇପଡ଼ିଥାନ୍ତା । ରମା ଦେହରେ ହାଡ଼ ଚାରି ଖଣ୍ଡି ଛଡ଼ା ବର୍ତ୍ତମାନ ଆଉ କିଛି ନାହିଁ । ସେଥିପାଇଁ ଚମ୍ପା ଏବଂ ହୀରା ତାକୁ ଆସିବାର ଦେଖିଲେ କହନ୍ତି, ‘‘ଏଇ ଡାହାଣୀ ଆସିଲା ।’’ ବାସ୍ତବରେ ରମା ତା’ର ପ୍ରେତ ଛଡ଼ା ଅନ୍ୟ କିଛି ପରି ଦିଶୁ ନଥିଲା । ତା’ ପିଲାଦିନର ସବୁ ସୌନ୍ଦର୍ଯ୍ୟ ଯାଇଥିଲା; ବାକି ଥିଲା କେବଳ ବଡ଼ବଡ଼ ଉଜ୍ଜ୍ୱଳ ଆଖି ଦିଓଟି । ତାହା ଦେଖିଲେ ମନେ ହେଉଥିଲା ଯେ ସେ ନିଜର ଦୁର୍ଦ୍ଦଶା ଭଲରୂପେ ଦେଖିପାରିବା ନିମନ୍ତେ ପ୍ରକୃତି ତା’ର ବାକି ସବୁ ନେଇ, କେବଳ ବଡ଼ବଡ଼ ଆଖି ଦୁଇଟା ଛାଡ଼ିଦେଇଛି । ସେ ଶୀତଦିନ ରାତିରେ ଫୁଙ୍ଗାରେ ଶୁଏ; ଖରାଦିନେ ଦୁଇ ପହର ବେଳେ ଖାଲି ମୁଣ୍ଡରେ ପାଏ ଦୂର ପୋଖରୀରୁ ପାଣି ଆଣେ । ରମାର ଆଖି ଦିଓଟି କେବେ କେହି ଶୁଖିଲା ଦେଖେନାହିଁ ।
ସାହିର ଲୋକେ ରମାକୁ ‘‘କୁକୁଡ଼ା’’ ନାମ ଦେଇଥାନ୍ତି । ତା’ର କାରଣ, ଖୁବ୍ କାଳି ଅନ୍ଧାରରୁ ଉଠିବା ନିମନ୍ତେ ତାକୁ ସାହୁଆଣୀ ଯେଉଁ ବିଧା ଗୋଇଠା ମାଡ଼ ଦିଏ, ସେଥିରେ ସେ ଏତେ କାନ୍ଦିଉଠେ ଯେ ସାହିଲୋକଙ୍କ ନିଦ ଭାଙ୍ଗିଯାଏ । ରମା ଦୀନା ସାହୁ ଘର ଭିତରେ ଯାବତୀୟ କାର୍ଯ୍ୟ କରେ । ତା’ ଛଡ଼ା ଚଟିଘରକୁ ଯେ ବାଟୋଇମାନେ ଆସନ୍ତି ସେମାନଙ୍କର ମଧ୍ୟ ନଉକରି ଖଟେ । ପ୍ରଥମେ ଚଟିଘର ପାଇଁ ଜଣେ ଚାକର ଥିଲା । ରମା ଟିକିଏ ବଡ଼ ହୋଇଯିବାର ଦେଖି ଦୀନା ସାହୁ କହିଲା, ତୁଚ୍ଛାଟାରେ ଏ ଲୋକଟା ପିଛାରେ ମାସକୁ କାହିଁକି ଚାରି ପାଞ୍ଚ ଟଙ୍କା ଉଡ଼େଇବି ? ରମା କ’ଣ ଖାଲି ବସି ଖାଇବ ?’’
ଜଜାରସିଂହ ଗଡ଼ରେ ଦୀନା ସାହୁ ଘରେ ଚମ୍ପା ଓ ହୀରାଙ୍କ ସଙ୍ଗରେ ରହି ରମାର ଯେ ଦୁର୍ଗତି ଘଟୁଅଛି ତାହା ମୋଟେ ଆଠ କ୍ରୋଶ ଦୂରରେ ରହି ତାହା ମାଆ ତିଳେ ମାତ୍ର ଜାଣି ନାହିଁ । ସେ କାରଖାନାରେ କାର୍ଯ୍ୟ କରି ଝିଅ ନିମନ୍ତେ ଟଙ୍କା ରୋଜଗାର କରିବାରେ ଲାଗିଛି । ସେ ଯେଉଁ ଗେରୁ କାରଖାନାରେ କାମ କରୁଥିଲା, ତାହା ଗୋଟିଏ ନୂଆ କାରଖାନା । ଅନ୍ୟାନ୍ୟ ରଙ୍ଗ ନ ମିଳିବାରୁ ସେ ସମୟରେ ଗେରୁର ଦାମ ଖୁବ୍ ବଢ଼ିଯାଇଥିଲା । ତାହା ଦେଖି ସନ ୧୨୪୮ ସାଲ ଶେଷ ଆଡ଼କୁ ଜଣେ ବିଦେଶୀ ବ୍ୟବସାୟୀ ଆସି ସାରଙ୍ଗଗଡ଼ରେ ଗୋଟିଏ କାରଖାନା ବସାଇଲେ-। ରାଧା ସେହି କାରଖାନାରେ କାର୍ଯ୍ୟ କରୁଥିଲା । ବ୍ୟବସାୟ ଚଳିବାର ତିନି ବର୍ଷ ମଧ୍ୟରେ ଦେଖାଗଲା ଯେ ସେ ବ୍ୟବସାୟୀ ଖୁବ୍ ଲାଭବାନ୍ ହୋଇଛନ୍ତି । କେବଳ ସେତିକି ନୁହେଁ; ସେଠାରେ ଯେତେ ମୂଲିଆ ମଜୁରିଆ କାମ କରୁଥିଲେ ସେମାନଙ୍କ ହାତରେ ମଧ୍ୟ ଅନେକ ଟଙ୍କା ପଡ଼ିଥିଲା ।
ଏହି ନୂତନ ବ୍ୟବସାୟୀଙ୍କ ପରିଚୟ ସମଗ୍ର ସାରଙ୍ଗଗଡ଼ରେ କେହି ପାଇ ନ ଥିଲେ । ସେ ଆସିଲା ବେଳେ ହାତରେ ଟଙ୍କା ଖଣ୍ଡେ ମାତ୍ର ଆଣିଥିଲେ । ସନ ୧୨୫୩ ସାଲକୁ ତାଙ୍କ ହାତରେ ପ୍ରାୟ ସାତ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା ହେଲା । ସେ ଯେଉଁଦିନ ପ୍ରଥମେ କାନ୍ଧରେ ଗୋଟିଏ ବୁଜୁଳା ପକାଇ ଏବଂ ହାତରେ ଖଣ୍ଡିଏ ଅଚଞ୍ଛା ବାଉଶଁ ବାଡ଼ି ଧରି ସାରଙ୍ଗଗଡ଼ ମଧ୍ୟରେ ପାଦ ପକାଇଥିଲେ, ସେଦିନ ଗୋଟିଏ ବିଶେଷ ଘଟଣା ଘଟିଥିଲା । ସେ ପହଞ୍ଚିବା ବେଳକୁ ଜଣକ ଘରେ ନିଆଁ ଲାଗିଲା । ସେ ନିଆଁ ମଧ୍ୟକୁ ଡେଇଁପଡ଼ି ସେ ଲୋକର ଦୁଇଟି ପିଲାଙ୍କୁ ଉଦ୍ଧାର କରି ଆଣିଲେ । ସେ ଯାହା ପିଲାଙ୍କୁ ଉଦ୍ଧାର କଲେ ସେ ପୋଲିସ ବିଭାଗର ସବୁଠାରୁ ବଡ଼ କର୍ମଚାରୀ । ସେଥିପାଇଁ ସେ ନୂଆ ହୋଇ ଆସିଥିଲେ ସୁଦ୍ଧା, ପୋଲିସ ତାଙ୍କ ବିଷୟରେ ଆଉ କିଛି ଖୋଜଖବର ନେଲେ ନାହିଁ । କେବଳ ତାଙ୍କ ଧନଞ୍ଜୟ ରାୟ ନାମ ସବୁଆଡ଼େ ପ୍ରକଟିତ ହେଲା । ସେତେବେଳେ ତାଙ୍କ ବୟସ ପ୍ରାୟ ପଚାଶ ବର୍ଷ ।
ସାରଙ୍ଗଗଡ଼କୁ ଆସିବାର ବର୍ଷକ ମଧ୍ୟରେ ଧନଞ୍ଜୟ ବ୍ୟବସାୟର ଲାଭରେ ଗୋଟିଏ ବଡ଼ କାରଖାନା ଘର ତୋଳିଲେ । ସେ କାରଖାନାରେ ସ୍ତ୍ରୀ ଓ ପୁରୁଷ ବ୍ୟକ୍ତିମାନେ କାମ କରିବା ନିମନ୍ତେ ଅଲଗା ଅଲଗା ଖୁଆଡ଼ ରହିଲା । ଯେ ଖାଇବାକୁ ନ ପାଏ, ତା’ ନିମନ୍ତେ ସେ କାରଖାନାରେ କାର୍ଯ୍ୟ ରହିଥାଏ । ଲୋକେ ସାଧୁ ଓ ସତ୍ଚରିତ୍ର ହେଲେ; ସେଠାରେ ସହଜରେ ସ୍ଥାନ ପାଉଥିଲେ । ଧନଞ୍ଜୟ ରାୟ ଅର୍ଥ ଉପାର୍ଜନ କରି କେବଳ ଯେ ସଞ୍ଚୟ କରି ରଖୁଥିଲେ, ତା’ ନୁହେଁ, ଯଥେଷ୍ଟ ଦାନ କରୁଥିଲେ । ସାରଙ୍ଗଗଡ଼ରେ ଗୋଟିଏ ଚିକିତ୍ସାଳୟ ବସାଇଲେ । ବାଳକ ଏବଂ ବାଳିକାମାନଙ୍କ ନିମନ୍ତେ ଦୁଇଟି ପୃଥକ ବିଦ୍ୟାଳୟ ସ୍ଥାପନ କଲେ ।
ଧନଞ୍ଜୟ ରାୟ ସାରଙ୍ଗଗଡ଼କୁ ଆସିବାର ଚାରି ବର୍ଷ ପରେ ରାଜା ତାଙ୍କୁ ଦେବାନ ପଦ ଯାଚିଲେ । ସେଥିରେ ରାଜାଙ୍କର ପୁରୁଣା କର୍ମଚାରୀମାନଙ୍କର ଈର୍ଷା ଜାତ ହେଲା । ତାହା ଜାଣିପାରି ଧନଞ୍ଜୟ ରାୟ ସେ ପଦ ଗ୍ରହଣ କଲେ ନାହିଁ । ତାଙ୍କ ବିଚକ୍ଷଣତା ଦେଖି ରାଜା ତାଙ୍କୁ ‘‘ବିଦ୍ୟାଭୂଷଣ’’ ଉପାଧି ଯାଚିଲେ । ତାହା ମଧ୍ୟ ସେ ଗ୍ରହଣ କରିବାକୁ ନାରାଜ ହେଲେ । ରାଜଦତ୍ତ ଉପାଧି ଓ ଉଚ୍ଚ ପଦବୀ ଧନଞ୍ଜୟ ଯେତିକି ପରିତ୍ୟାଗ କରିବାକୁ ବସିଲେ, ସେ ସବୁ ତାଙ୍କୁ ସେତିକି ଗୋଡ଼ାଇବାରେ ଲାଗିଲା । ସନ ୧୨୫୩ ସାଲରେ ରାଜା ତାଙ୍କୁ ପୁଣି ଦେବାନ ପଦ ଗ୍ରହଣ କରିବାକୁ କହିଲେ । ଏଥରେ ତାହା ଗ୍ରହଣ କରିବା ନିମନ୍ତେ ତାଙ୍କୁ ସାରଙ୍ଗଗଡ଼ର ସବୁ ଅଞ୍ଚଳର ଲୋକେ ଆସି ଅନୁରୋଧ କଲେ । ଫଳରେ ଧନଞ୍ଜୟ ରାୟ ନିଜ ବ୍ୟବସାୟ ଚଳାଇବା ସଙ୍ଗେ ସଙ୍ଗେ ରାଜାଙ୍କ ଦେବାନ ପଦରେ ମଧ୍ୟ ଅଧିଷ୍ଠିତ ହେଲେ ।
ବୁଦ୍ଧି ବଳରେ ପ୍ରଚୁର ଅର୍ଥ ଉପାର୍ଜନ କରି ଓ ରାଜାଙ୍କର ଦେବାନ ପଦରେ ନିଯୁକ୍ତ ହୋଇ ସୁଦ୍ଧା ଧନଞ୍ଜୟ ରାୟ ଆଡ଼ମ୍ବର ଶୂନ୍ୟ ଚାଲିଚଳନ ଛାଡ଼ିଲେ ନାହିଁ । ସେ ଖଣ୍ଡିଏ ଛୋଟିଆ ବାଉରିବୁଣା ଖଦି ପିନ୍ଧି ଆଉ ଖଣ୍ଡିଏ ଦୋସଡ଼ା ଧରୁଥିଲେ । ଦେବାନ କାର୍ଯ୍ୟ କରିବା ସମୟ ଛଡ଼ା ସେ ଅନ୍ୟ ସମୟରେ ଏକୁଟିଆ ରହୁଥିଲେ । ଅତି ଅଳ୍ପ ଲୋକଙ୍କ ସଙ୍ଗେ କଥାବାର୍ତ୍ତା ହେଉଥିଲେ । ହସିବା ନିମନ୍ତେ କୌଣସି ଘଟଣା ପଡ଼ିଲେ କ୍ଷୀଣ ମୁଡ଼ୁକି ହସାରେ ତାହା ଶେଷ କରୁଥିଲେ । ଅନ୍ୟ କୌଣସି କାର୍ଯ୍ୟ ନ ଥିବାବେଳେ ବହି ପଢ଼ି ସମୟ କଟାଉଥିଲେ । ସାରଙ୍ଗଗଡ଼ରେ ରହି କ୍ରମେ ତାଙ୍କ ଭାଷା ମାର୍ଜିତ, ବ୍ୟବହାର ଭଦ୍ର ଓ କାର୍ଯ୍ୟକଳାପ ସୁସଙ୍ଗତ ହୋଇଗଲା ।
ଧନଞ୍ଜୟ ରାୟ ରୋଜ କିଛି ସମୟ ବାହାରେ ବୁଲିବାକୁ ଯାଉଥିଲେ । ସେ ଘରୁ ବାହାରିଲା ବେଳେ ମୁଣାରେ ସୁ’କି, ଦୋ’ଣି ମୁଣାଏ ପୂରାଇ ନେଇଥାନ୍ତି । ଫେରିଆସିଲା ବେଳକୁ ମୁଣିଟି ଖାଲି ହୋଇଥାଏ । ଦରିଦ୍ର ମାଗିଖିଆ ଲୋକେ ବରାବର ତାଙ୍କ ବାଟକୁ ଚାହିଁ ବସିଥାନ୍ତି । ସେ ସତ୍କାର୍ଯ୍ୟମାନ ଗୋପନରେ କରିବାକୁ ଇଚ୍ଛା କରୁଥିଲେ, ସତେ ଅବା ଯେପରି କୌଣସି ପାପ କରୁଛନ୍ତି । ଅନେକ ଦିନ ରାତିରେ ଦରିଦ୍ର ଲୋକଙ୍କ ଘରେ ଚିତ୍କାର ଶୁଣାଯାଏ– ‘‘ଏଇ ଚୋର ପଳେଇଲା, ଚୋର ପଳେଇଲା ।’’ ମାତ୍ର ଦୀପ ଳଗାଇ ଦେଖିଲା ବେଳକୁ ଦେଖାଯାଏ ଯେ କାହା ଘରେ ଗୋଟିଏ ସୁନାର ମୋହର ପଡ଼ିଛି, କାହା ଘରେ ବା ଗୋଟିଏ ଛୋଟିଆ ଟଙ୍କାଥଳି ଥୁଆ ହୋଇଛି । ଏ ଚୋର ଯେ ଧନଞ୍ଜୟ ରାୟ, ତାହା ଜଣାପଡ଼ିବାକୁ ବିଳମ୍ବ ହେଲା ନାହିଁ ।
ସନ ୧୨୪୫ ସାଲରେ ସୁନ୍ଦରପୁର ମଠମହନ୍ତଙ୍କର ନାରାୟଣ ପ୍ରାପ୍ତି ହେଲା । ସେ ସମ୍ବାଦ ପାଇ ଧନଞ୍ଜୟ ରାୟ ହଠାତ୍ କାନ୍ଦି ପକାଇଲେ । ତାଙ୍କୁ କେହି କେହି ପଚାରିଲେ, ‘‘ଆପଣ କ’ଣ ମହନ୍ତଙ୍କର ବନ୍ଧୁବାନ୍ଧବ କିଛି ହୁଅନ୍ତି ?’’ ଧନଞ୍ଜୟ ରାୟ ଉତ୍ତର ଦେଲେ, ‘‘ନା, ମୁଁ ଦିନେ ତାଙ୍କର ଅତିଥି ହୋଇଥିଲି’’– କହି, ସେ ଏକ ଦୀର୍ଘନିଃଶ୍ୱାସ ପକାଇଲେ । ଆଉ ଦିନେ ମଧୁସୂଦନ ମହାନ୍ତି ନାମରେ ଜଣେ ଯୁବକ ପଡ଼ିଆ ଜମି ପଟାନେବା ନିମନ୍ତେ ରାଜାଙ୍କ କଚେରିକୁ ଦରଖାସ୍ତ ଘେନି ଆସିଥିଲା । ସେ ଦରଖାସ୍ତ ଦେବାନଙ୍କ ପାଖେ ପେଶ୍ କଲାବେଳେ ଦେବାନ ଏକଦୃଷ୍ଟିରେ ତା’ ଆଡ଼କୁ ଅନେକ ସମୟ ଚାହିଁ ରହିଲେ । ତା’ପରେ ତାକୁ ଆଠଗୋଟି ସୁନା ମୋହର ଦେଇ ତା’ ଦରଖାସ୍ତ ମଞ୍ଜୁର କଲେ । ସେ କାରଣ ବୁଝି ନ ପାରି ଅବାକ୍ ହୋଇ ଠିଆ ହୋଇ ରହିଲା ।
ଦେବାନଙ୍କ ଚାଲିଚଳନ ଯେତିକି ସିଧା ତାଙ୍କ ଘରଦ୍ୱାର ସେତିକି ଖୋଲା । କେବଳ ଗୋଟିଏ କୋଠରୀକୁ ସେ କାହାକୁ ଛାଡ଼ନ୍ତି ନାହିଁ । ସେହିଟି ତାଙ୍କର ଶୟନକକ୍ଷ । ଦିନେ ରାଜା କହିଲେ, ‘‘ଦେବାନ, ମୁଁ ଶୁଣୁଚି ଆପଣ ତଳେ ଶୋଉଛନ୍ତି । ଶଯ୍ୟାର ଆଡ଼ମ୍ବର ଆପଣଙ୍କର କିଛି ନାହିଁ । ଶୀତଦିନେ ଘୋଡ଼ାଇ ହେଉ ନାହାନ୍ତି କି ଆପଣଙ୍କ ପାଖେ ପଙ୍ଖା ଆଲଟ ପଡ଼ୁନାହିଁ । ମୁଁ ଆପଣଙ୍କ ଶୟନକକ୍ଷ ଦେଖିବି ।’’ ଦେବାନ ନିତାନ୍ତ ଅନିଚ୍ଛାସତ୍ତ୍ୱେ ରାଜାଙ୍କୁ ନିଜ ଶୟନକକ୍ଷ ଭିତରକୁ ନେଇଗଲେ । ସେଠାରେ କିଛି ବିଶେଷତ୍ୱ ନ ଥିଲା । କେବଳ ଗୋଟିଏ ରୂପା ଦୀପରୁଖାରେ ଗୋଟିଏ ଫୁଳମାଳ ପଡ଼ି ଦେବାନଙ୍କ ଶେଯର ମୁଣ୍ଡ ଆଡ଼କୁ ଥୁଆ ହୋଇଥିଲା । ରାଜା ଦେବାନଙ୍କୁ ସେ ବିଷୟରେ କିଛି ପ୍ରଶ୍ନ ନ କରି ନିଜେ କହିଲେ, ‘‘ଏଇ ଦୀପ ଜାଳି ବୋଧହୁଏ ଆପଣ ରାତିରେ ପଢ଼ନ୍ତି ।’’ ଦେବାନ ଉତ୍ତର ଦେବାର କୌଣସି ଆବଶ୍ୟକତା ଘଟିଲା ନାହିଁ ।
ଦେବାନ କ୍ରମେ କ୍ରମେ ସାରଙ୍ଗଗଡ଼ର ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଶ୍ରଦ୍ଧା ଓ ଭକ୍ତିର ପାତ୍ର ହୋଇପଡ଼ିଲେ । ନିଜେ ରାଜା ମଧ୍ୟ ତାଙ୍କର ଜାତି କୁଳ ବିଷୟରେ କିଛି ନ ଜାଣି ତାଙ୍କୁ ନମସ୍କାର କରୁଥିଲେ । କିନ୍ତୁ ସମଗ୍ର ସାରଙ୍ଗଗଡ଼ରେ ଜଣେ ମାତ୍ର ଲୋକ ଥିଲେ, ଯେ କି ଦେବାନଙ୍କୁ ମନେ ମନେ ଅତ୍ୟନ୍ତ ବେଖାତିର କରୁଥିଲେ । ଦେବାନଙ୍କୁ ଦେଖିଲେ ସେ ସବୁବେଳେ ମୁହୂର୍ତ୍ତେ ତାଙ୍କ ଆଡ଼କୁ ସନ୍ଦେହ ଦୃଷ୍ଟିରେ ଚାହାଁନ୍ତି । ସେ ମନକୁ ମନ କହନ୍ତି, ‘‘ଏଟାକୁ ମୁଁ ତ ଆଗରୁ କେଉଁଠି ଦେଖିଚି ।’’ କିନ୍ତୁ ପ୍ରକାଶ୍ୟରେ ସେ କିଛି କହିପାରନ୍ତି ନାହିଁ; ଅନ୍ୟାନ୍ୟ ସମସ୍ତଙ୍କ ପରି ଭଦ୍ରତାର ସହିତ ମାନି, ମୁଣ୍ଡ ନୁଆଁଇ ଚଳନ୍ତି ।
ସେ ବ୍ୟକ୍ତିଙ୍କର ନାମ ଜନାର୍ଦ୍ଦନ ମହାପାତ୍ର । ସେ ପୋଲିସ ବିଭାଗର ସବୁଠାରୁ ବଡ଼ କର୍ମଚାରୀ; ସେ ସମୟରେ ସାରଙ୍ଗଗଡ଼ରେ କାର୍ଯ୍ୟ କରୁଥିଲେ । ସେ ସାରଙ୍ଗଗଡ଼କୁ ଆସିବା ପୂର୍ବରୁ ଧନଞ୍ଜୟ ରାୟ ବ୍ୟବସାୟରେ ଅର୍ଥ ଉପାର୍ଜନ କରି ବଡ଼ଲୋକ ହୋଇ ସାରିଥିଲେ । ଜନାର୍ଦ୍ଦନ ମହାପାତ୍ରଙ୍କ ଉତ୍ପତ୍ତି ସେତେ ଲୋଭନୀୟ ନୁହେଁ । ତାଙ୍କ ମା ଖୁଣୀ ଅପରାଧର ଦଣ୍ଡସ୍ୱରୂପ କଏଦୀଖାନାରେ ଥିଲାବେଳେ ସେହିଠାରେ ତାଙ୍କର ଜନ୍ମ । ସେହି କଏଦୀଖାନାରେ ହିଁ ସେ ମାତୃକୋଳରେ ବଢ଼ିଥିଲେ । ମନୁଷ୍ୟ ସମାଜକୁ ଘୃଣା କରିବା ସେ ମାଆାଙ୍କଠାରୁ ଅତି ବାଲ୍ୟକାଳରୁ ଶିକ୍ଷା କରିଥିଲେ । ବଡ଼ହୋଇ ସେ ଶିକ୍ଷା ଲାଭ କରି, ମାଆଙ୍କ ଦଣ୍ଡରେ ପ୍ରତିଶୋଧ ନେବା ଇଚ୍ଛାରେ ସେ ପୋଲିସ ବିଭାଗରେ କାର୍ଯ୍ୟ କଲେ; କିନ୍ତୁ କିଛିଦିନ କାର୍ଯ୍ୟ କଲା ପରେ ତାଙ୍କ ପ୍ରତିହିଂସା ନେବା ଇଚ୍ଛା ଲୋପ ପାଇଗଲା । ସେ ଦୁଇଗୋଟି ନୀତିରେ ନିଜକୁ ଗଢ଼ି ରଖିଲେ– ଗୋଟିଏ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରତି ଭକ୍ତି; ଆରଟି ଦୋଷକୁ ଘୃଣା କରିବା । ତାଙ୍କ କାର୍ଯ୍ୟରେ ବିଚକ୍ଷଣତା ଯୋଗେ ତାଙ୍କୁ ‘‘ସର୍ଦ୍ଦାର’’ ଉପାଧି ମିଳିଥିଲା ।
ସର୍ଦ୍ଦାର ମହାପାତ୍ରଙ୍କ ଚେହେରା ଯେ ସୁନ୍ଦର ନ ଥିଲା, ତା’ ତାଙ୍କୁ ଯେ ଦେଖିଥିବ ସେ ବୁଝିପାରିଥିବ । ତାଙ୍କ ମୁହଁଟି ଏକପ୍ରକାର ତ୍ରିଭୁଜାକାର, କପାଳ ଅପ୍ରଶସ୍ତ, ଓଠ ଗୋଜିଆ, ହାତ ଦୁଇଟା ଅତିଶୟ ଲମ୍ବା, ଦୃଷ୍ଟି ଅତ୍ୟନ୍ତ ବିକଟ । ସେ ହାତରେ ଗୋଟାଏ ଲମ୍ବା ବେତ ଧରି ଘୋଡ଼ାରେ ଚଢ଼ି ଗଲାବେଳେ ଲୋକେ ଦୂରରୁ ଦେଖି କହନ୍ତି, ‘‘ଏଇ ଯମ ଆସିଲା ।’’ ଯେଉଁମାନେ ମୁଣ୍ଡରେ ‘‘ଅପରାଧୀ’’ ଛାପ ପିନ୍ଧିଥାନ୍ତି କିମ୍ବା ଅପରାଧ କରିବାକୁ ଯାହାଙ୍କର ଇଚ୍ଛା ଥାଏ, ସେମାନେ ସର୍ଦ୍ଦାର ମହାପାତ୍ରଙ୍କ ନାମ ଶୁଣିଲା ମାତ୍ରେ ଭୟରେ ଥରନ୍ତି ।
ସର୍ଦ୍ଦାର ମହାପାତ୍ରେ ଦେବାନଙ୍କୁ ମନେ ମନେ ଯେ କାହିଁକି ସନ୍ଦେହ ଚକ୍ଷୁରେ ଦେଖନ୍ତି, ତାହା ତାଙ୍କୁ ଜଣା । ଅନ୍ୟମାନେ କାରଣଟା କେବଳ ଅନୁମାନ କରିପାରନ୍ତି । ଦେବାନ ମଧ୍ୟ ସର୍ଦ୍ଦାରଙ୍କୁ ଦେଖିଲେ ଖୁସି ହୁଅନ୍ତି ନାହିଁ । ସର୍ଦ୍ଦାର ଦେବାନଙ୍କ ନିକଟକୁ ଯାଇ ପରିଚୟ କରିବାକୁ ଯେତେ ଇଚ୍ଛା କରନ୍ତି, ଦେବାନ ସେତିକି କରଛଡ଼ା ଦେଇ ଦୂରରେ ରହନ୍ତି; କିନ୍ତୁ ଦିନେ ଉଭୟଙ୍କର ମିଳନ ହୋଇଗଲା । ଦେବାନ ବୁଲିଯାଉଥିବା ବେଳେ ବାଟରେ ଗୋଟାଏ ବୋଝେଇ ଶଗଡ଼ ଭାଜିପଡ଼ି ଶଗଡ଼ିଆକୁ ମାଡ଼ିବସିଲା । ଲୋକ ଜମା ହୋଇଗଲେ; କିନ୍ତୁ କେହି ଶଗଡ଼ିଆକୁ ଭିଡ଼ି ବାହାର କରି ଆଣିବାକୁ ସାହସ କଲେ ନାହିଁ । ଦେବାନ ପହଞ୍ଚି କହିଲେ, ‘‘ଦେଖ, ମୁଁ ଶହେ ଟଙ୍କା ପୁରସ୍କାର ଦେବି, କିଏ ବାହାରୁଛ ବାହାର, ଶଗଡ଼ିଆର ପ୍ରାଣ ରଖ ।’’ ମାତ୍ର କେହି ବାହାରିଲେ ନାହିଁ ।
ହଠାତ୍ ପଛରୁ ସର୍ଦ୍ଦାର ମହାପାତ୍ରେ ଆସି ପହଞ୍ଚି ବଡ଼ପାଟିରେ ପଚାରିଲେ, ‘‘ଆବେ, କାହିଁକି ଜମା ହେଇଚ ? ଘଟଣା କ’ଣ ?’’ ସମସ୍ତେ ଘୁଞ୍ଚି ବାଟ ଛାଡ଼ିଦେଲେ । ଦେବାନଙ୍କ ମୁହଁ ଟିକିଏ କଳା ପଡ଼ିଗଲା । ସର୍ଦ୍ଦାର ନଇଁ ନମସ୍କାର କରି କହିଲେ, ‘‘ହଜୁର ମଧ୍ୟ ଏଠି ବିଜେ ହେଇଚନ୍ତି ।’’ ଦେବାନ କୌଣସି ଉତ୍ତର ନ ଦେଇ ରୁଣ୍ଡ ହୋଇଥିବା ଲୋକଙ୍କୁ ପୁଣି କହିବାକୁ ଲାଗିଲେ, ‘‘ଦେଖ, ଶହେ ଟଙ୍କା, ବାହାରିପଡ଼ ।’’ ତଥାପି କେହି ବାହାରିଲେ ନାହିଁ । ତେଣେ ଶଗଡ଼ିଆ ପାଟିକରି କହିଲା, ‘‘ମରିଗଲି, ମରିଗଲି ।’’ ପୁଣି ଦେବାନ ପୁନରାୟ ଲୋକଙ୍କୁ ଉତ୍ସାହ ଦେଇ କହିଲେ, ‘‘ଯାଅ, ବାହାରିପଡ଼ । ଶହେ ନାହିଁ, ଦୁଇଶ ଟଙ୍କା ଦେବି ।’’
ସର୍ଦ୍ଦାର କହିଲେ, ‘‘ଆପଣ ଯେତେ ଦିଅନ୍ତୁ ପଛକେ, ଏମାନେ ବାହାରିବେ ନାହିଁ, ଏ ଛେଳି ଜାତି । ୟାଙ୍କ ଦିହାତି ଏ କାମ ନୁହେଁ । ମୁଁ ଜଣେ ଲୋକକୁ ଜାଣେ, ଯା ହାତେ ଏଇ କାର୍ଯ୍ୟ ଦଣ୍ଡକେ ହେଇପାରନ୍ତା ।’’ ଶୁଣି ଦେବାନଙ୍କ ମୁହଁ ଶେତା ପଡ଼ିଗଲା । ତାହା ଦେଖି ସୁଦ୍ଧା, ସର୍ଦ୍ଦାର ପୁଣି କହିଲେ, ‘‘ଲୋକଟା ଗୋଟାଏ ଊଣିଶ ବର୍ଷର କଏଦୀ ।’’ ଦେବାନଙ୍କ ମୁହଁ ଏକା ବେଳକେ ଶୁଖିଗଲା । ସେତିକିବେଳେ ଶଗଡ଼ିଆ ପୁଣି ଚିତ୍କାର କରିଉଠିଲା । ‘‘ମୋ ହାଡ଼ ଭାଙ୍ଗିଗଲା । ମୋତେ ରଖ । ଏତେ ଲୋକ ଠିଆ ହେଇ ଦେଖୁଚ, ମୁଁ ଏଠି ମରୁଚି ।’’ ଦେବାନ ମୁଣ୍ଡ ଟେକି ଚାହିଁଲେ । ଦେଖିଲେ ସର୍ଦ୍ଦାର ତାଙ୍କ ଆଡ଼କୁ ଏକ ଦୃଷ୍ଟିରେ ଅନାଇଁ ରହିଛନ୍ତି । ସେଥିରେ ବିଚଳିତ ହେବାକୁ ତାଙ୍କର ଆଉ ଅବସର ନ ଥିଲା । ସେ ଚାହୁଁ ଚାହୁଁ ପାଛୁଡ଼ା ଖଣ୍ଡି ଅଣ୍ଟାରେ ବାନ୍ଧି ଶଗଡ଼ ଦଣ୍ଡାରେ କାନ୍ଧ ଲଗାଇଦେଲେ । ବୋଝେଇ ଶଗଡ଼ କ୍ଷଣକ ମଧ୍ୟରେ ତଳୁ ଉଠିଗଲା । ବାସୁଦାସ ମୃତ୍ୟୁମୁଖରୁ ଉଦ୍ଧାର ପାଇ ଚିକିତ୍ସାଳୟରେ ଯାଇ ରହିଲା । ସେଠାରେ ସେ ଦେଖିଲା, ତା’ ଶେଯ ପାଖେ କୋଡ଼ିଏଟି ସୁନା ମୋହର ଥୁଆ ହୋଇଛି । ତା’ ଉପରେ ଦେବାନଙ୍କ ହାତ ଲେଖା ଖଣ୍ଡିଏ କାଗଜ ରଖାଯାଇଛି । ସେଥିରେ ଲେଖାଅଛି; ‘‘ତୁମ ଶଗଡ଼ ଓ ବଳଦର ଦାମ । ଭଙ୍ଗା ଶଗଡ଼ ଏବଂ ଜଖମ ହୋଇଥିବା ବଳଦ ଦେବାନ କିଣି ନେଇଗଲେ ।’’
✽✽✽
୮