ବାପର ପୁଅ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବାପର ପୁଅ
ଦୀନା ସାହୁ ସେହିପରି ଭାବୁଛି, ହଠାତ୍ ପାଚିରି ତଳେ ଅନ୍ଧାରରେ ଗୋଟାଏ ମୂର୍ତ୍ତି ଦେଖାଗଲା । କ୍ଷଣକ ମଧ୍ୟରେ ଆଉଜଣେ ଆସି ତା’ ସଙ୍ଗେ ଯୋଗ ଦେଲା । କିଛି ସମୟ ପରେ ପୁଣି ଆଉଜଣେ ଆସିଲା । ଶେଷରେ ଆଉଜଣେ ଆସି ମୋଟରେ ଚାରିଜଣ ରୁଣ୍ଡ ହେଲେ । ପାଚିରି ସେ ପାଖେ କଏଦୀଖାନା ଭିତରେ ରାତିରେ ଯେଉଁ ସିପାହୀ ଜଗି ବସିବା କଥା, ଘୋର ବର୍ଷା ପବନ ଯୋଗେ ସେ ଖଣ୍ଡେ ଦୂରରେ, ଗୋଟାଏ ଛୋଟିଆ ଛାତ ତଳେ ମୁଣ୍ଡ ଗୁଞ୍ଜି, ଠିଆ ହୋଇଥିଲା ।
ଦୀନା ସାହୁ ନିଷ୍କୃତିର ଆଶା ସମ୍ପୂର୍ଣ୍ଣ ଛାଡ଼ି ନ ଥିଲା; କିନ୍ତୁ ପାଚିରି ତଳେ ରୁଣ୍ଡ ହୋଇଥିବା ଚାରିଜଣ ଲୋକଙ୍କୁ ଦେଖି ଏକାବେଳକେ ଛାଡ଼ି ଦେଲା । ତିନିଜଣ ଆସି ରୁଣ୍ଡ ହୋଇଥିଲେ; ତା’ର ଭୟ କରିବାର ସେତେ କାରଣ ନଥାନ୍ତା; ସେମାନେ ଗୋବିନ୍ଦା, ଚନ୍ଦ୍ରା ଓ ସାଧୁଆ ବୋଲି ସେ ଧରିନିଅନ୍ତା । ଚତୁର୍ଥ ବ୍ୟକ୍ତିର ଉପସ୍ଥିତି ତାକୁ ପାଗଳ କରିପକାଇଲା । କିନ୍ତୁ ଯେତେବେଳେ, କେହି ବାଦ ନ ପଡ଼ି; ଚାରିଜଣଯାକ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା ହେଲେ, ଦୀନା ସାହୁ ଆଖି ଆଗରେ ଗୋଟାଏ ବିସ୍ତୀର୍ଣ୍ଣ ସିଡ଼ି ଦେଖିଲା ପରି ଅନୁଭବ କଲା ।
ସେମାନଙ୍କ ମଧ୍ୟରୁ ଜଣେ କହିଲା, ‘‘ଚାଲ, ପଳେଇବା ।’’ ଆଉଜଣେ କହିଲା, ‘‘ସକାଳ ହୋଇଆସିଲାଣି । ସିପେଇମାନେ ଆସିଯିବେ । ଲୋକେ ମଧ୍ୟ ଘରୁ ବାହାରି ପଡ଼ିବେ । ପୁଣି ଧରା ହବ ସିନା ।’’ ସେ ଦୁଇଟା ଯେ ଗୋବିନ୍ଦା ଏବଂ ଚନ୍ଦ୍ରାସ୍ୱର, ଦୀନା ସାହୁ ବେଶ୍ ବୁଝିପାରିଲା । ସେତେବେଳେ ପୁଣି ଶୁଣାଗଲା, ‘‘ଏତେ ତରତର ହେଉଚ କାହିଁକି ? ରହ ସେ କାଳେ ଆମ ସାହାଯ୍ୟ ଦରକାର କରିବ ।’’ ଶୁଣି, ଦୀନା ସାହୁ ମନକୁ ମନ କହିଲା, ‘‘ଏ ତ ଉତ୍ସବା-।’’ ଚତୁର୍ଥ ଲୋକଟା ଯେ ସାଧୁଆ, ଦୀନା ସାହୁର ଆଉ ସନ୍ଦେହ ରହିଲା ନାହିଁ । କାରଣ, ସେ କହିଲା, ‘‘କ’ଣ କହୁଚ ? ଜମିଦାର ଆସିପାରିଲା ନାହିଁ ? ସହଜ କଥା କେତେ ଚାଲାକି ଦରକାର । ଜଙ୍ଘିଆ ଚିରି ଗଇଁଠେଇ ଦଉଡ଼ି ବଳିବ, ଚିଠି ଜାଲ କରିବ, ଜାଲ ଚାବି ଗଢ଼େଇବ, ହାତକଡ଼ି ଉହାରେ କାଟି ଛିଣ୍ଡେଇବ, ଖିଡ଼ିକିବାଟେ ଦଉଡ଼ି ବାହାରକୁ ପକେଇବ, ଛଦ୍ମବେଶ ଧରିବ, ତେବେ ସିନା ଯାଇ କଏଦୀଖାନାରୁ ଫିଟିବ । ଜମିଦାର କ’ଣ ଏଥିକି ପାତ୍ର ?’’ ଶୁଣି ଗୋବିନ୍ଦା କହିଲା, ‘‘କିଏ ଜାଣେ, ଧରା ହୁଏ ତ ପଡ଼ିସାରିଲାଣି । ଦେଖୁନାହଁ, ଭିତରଟା ଘଣ୍ଟି ଠଣଠଣରେ କମ୍ପିଯାଉଚି, କୋଳାହଳ ଶୁଭୁଚି, ଆଲୁଅ ଖୁବ୍ ଜଳୁଚି । ସେ ଯଦି କୋଠରୀ ଭିତରୁ ବାହାରି ଆସିଥିବ, କ’ଣ ଆଉ ଧରାପଡ଼ି ନ ଥିବ ? କୋଡ଼ିଏଟି ବର୍ଷ ଠୁକିଦେବେ । ଯାଉ, ତା’ କପାଳ । ଆମର କ’ଣ ଅଛି । ଏ ପାଣି ପବନରେ ଆଉ କେତେ ତିନ୍ତିବା ? ଦେହଟାମାନ ଗରମ କରିବା ଦରକାର । ଚାଲ ଭାଇ, ଯିବା ତାଡ଼ି ଦୋକାନକୁ ।’’
ଉତ୍ସବା କହିଲା, ‘‘ନା, ‘‘ସାଥି ଲୋକଟାଏ ବିପଦରେ ପଡ଼ିଲା ବେଳେ ଛାଡ଼ି ଯିବନାହିଁ-।’’ ଚୋରମାନେ ଯେତେ ପାପୀ ହୁଅନ୍ତୁ ପଛକେ, ତାଙ୍କର ଗୋଟାଏ ଧର୍ମଜ୍ଞାନ ଥାଏ । ସେ ଧର୍ମଜ୍ଞାନ ବଳରେ ସେମାନେ ପ୍ରାଣପଣେ ପରସ୍ପରକୁ ବିପଦରୁ ଉଦ୍ଧାର କରିବାକୁ ଚେଷ୍ଟାକରନ୍ତି । ସେହି ଧର୍ମଜ୍ଞାନ ବଳରେ ଗୋବିନ୍ଦା ଉତ୍ସବାକୁ ଧରି, ରାତିଯାକ ସାଧୁଆ, ଚନ୍ଦ୍ରା ଏବଂ ଦୀନା ସାହୁକୁ ଅପେକ୍ଷା କରି କଏଦୀଖାନା ବାହାରେ ରହିଥିଲା । ଚନ୍ଦ୍ରା ଏବଂ ସାଧୁଆ ବାହାରିଲା ପରେ ସମସ୍ତେ ମିଶି ଗଳି ଗଳି ହୋଇ ସହରଯାକ ଦୀନା ସାହୁକୁ ଖୋଜି ବୁଲିଛନ୍ତି । ସେମାନେ କାହିଁକି ଜାଣିବେ ଯେ ଦୀନା ସାହୁ ନିର୍ଦ୍ଦିଷ୍ଟ ସମୟରେ ଜେଲଖାନା ଭିତରୁ ବାହାରି ଆସିପାରି ନାହିଁ ? ସେମାନେ ଖୋଜି ଖୋଜି ଯେତେବେଳେ ନ ପାଇଛନ୍ତି, ପୁଣି ଜେଲଖାନା ପାଖକୁ ଫେରିଆସିଛନ୍ତି ।
ସମସ୍ତେ ବସି ଚିନ୍ତା କରୁଛନ୍ତି, ସେପରି ସମୟରେ ଗୋବିନ୍ଦ କହିଲା, ‘‘ଭାଇ ଗୋଟାଏ ଦଉଡ଼ି ପଡ଼ିଚି ।’’ ଚନ୍ଦ୍ରା ଚାହିଁଦେଇ କହିଲା, ‘‘ଏ ତ ମୋ’ରି ଦଉଡ଼ି ।’’ ତହୁଁ ଉତ୍ସବା ଉପରକୁ ଚାହିଁ କହିଲା, ‘‘ଏଇ ତ ଜମିଦାର ଶୋଇଚି ପରା ।’’ ସେମାନେ ସମସ୍ତେ ଉପରକୁ ଚାହିଁଲେ । ଦୀନା ସାହୁ ମୁଣ୍ଡଟା ଟିକିଏ ବାହାରକୁ କାଢ଼ିଲା । ତା’ପରେ ଦଉଡ଼ିଟାକୁ ପାଚିରି ଉପରକୁ ନେଇ, ଚନ୍ଦ୍ରା ପୋତିଥିବା କଣ୍ଟାରେ ବାନ୍ଧିବା ପ୍ରସ୍ତାବ ସ୍ଥିର ହେଲା । ଉତ୍ସବା କହିଲା, ‘‘ଦଉଡ଼ିର ଗୋଟାଏ ମୁଣ୍ଡ ଉପରକୁ ଫିଙ୍ଗିଦିଅ, ଜମିଦାର ବାନ୍ଧିଦବ ।’’
ଦୀନ ସାହୁ ଟିକିଏ ସାହସ ବାନ୍ଧି, ଅଥଚ ପ୍ରାଣ ପ୍ରାୟଶ୍ଚିତ୍ତ କରି, ଉପରୁ ଧୀର ସ୍ୱରରେ କହିଲା, ‘‘ମୁଁ ଏକାବେଳକେ ଓଦା ହେଇଯାଇଚି ।’’
‘‘ଆଚ୍ଛା, ଆ, ଆମେ ଗରମ କରିଦବୁ ।’’
‘‘ମୁଁ ହଲ୍ଚଲ୍ ହେଇପାରୁ ନାହିଁ ।’’
‘‘ତୁ ଖସିଆ, ଆମେ ଧରିନବୁ ।’’
‘‘ମୋ ହାତ କୋଲ ମାରିଯାଇଚି ।’’
‘‘ଖାଲି ଦଉଡ଼ିଟା ବାନ୍ଧିଦେ ।’’
‘‘ମୁଁ ପାରିବି ନାହିଁ । ଦେଖ, ୟାଡ଼େ ଭିତରେ ଭାରି ଖୋଜା ତନଖା ଚାଲିଚି; ଏପଟକୁ ମୋହିଁଲେ କି କ’ଣ । ନା, ବୁଲିପଡ଼ିଲେ । ସେଆଡ଼େ ଖୋଜି ଆସୁଚନ୍ତି, ଟିକିଏ ଡେରି ଅଛି ।’’
ଉତ୍ସବା କହିଲା, ‘‘ଆମ ଭିତରୁ ଜଣେ କିଏ ଉପରକୁ ଯିବା ଦରକାର ।’’ ଶୁଣି ଚନ୍ଦ୍ରା କହିଲା, ‘‘ଏ ବାଟେ ଚଢ଼ି କେବଳ ଗୋଟାଏ ପିଲା ଯାଇପାରେ, ବଡ଼ ମଣିଷ ପାରିବେ ନାହିଁ ।’’ ଉପରୁ ଦୀନା ସାହୁ କହିଲା, ‘‘ହଁ’’ । ସାଧୁଆ ପଚାରିଲା, ‘‘ଆମେ ପିଲାଟାଏ ଅଇଛିକା କାହୁଁ ପାଇବା-?’’ ‘‘ଆଚ୍ଛା, ଟିକିଏ ସବରକର୍’’, କହି, ଉତ୍ସବା ଚାଲିଗଲା ।
ରାତି ପାହିବା ସମୟ ହୋଇଯାଇଥିଲେ ସୁଦ୍ଧା, ସେ ଝଡ଼ି କୋହଲାରେ କେହି ବାହାରକୁ ବାହାରି ନଥିଲେ । ଉତ୍ସବା ଯାଇ ଅଧଘଣ୍ଟାକ ମଧ୍ୟରେ ହରିଆକୁ ଧରି ଆସି ପହଞ୍ଚିଲା । ସେ ଅଧଘଣ୍ଟାକ ଦୀନା ସାହୁକୁ ଅଧ ଯୁଗେ ପରି ଲାଗିଲା । ସାଧୁଆ ହରିଆକୁ ଦେଖି କହିଲା, ‘‘ଟୋକାଟା ତ ଗୋଟାଏ ମଣିଷ ପରି ଦିଶୁଚି ।’’ ଶୁଣି, ହରିଆ କହିଲା, ‘‘ମୋ ପରି ଟୋକାଗୁଡ଼ାକ ମଣିଷ; ଆଉ ତୋ ପରି ମଣିଷଗୁଡ଼ାକ ଟୋକାଙ୍କଠୁ ବି ହୀନ ।’’ ଗୋବିନ୍ଦା କହିଲା, ‘‘ବେଶ୍ ପାଟି ଖଣ୍ଡେ ପାଇଚି ଏକା ।’’ ଚନ୍ଦ୍ରା ସେଥିରେ ମିଶାଇଲା ‘‘କଟକୀ ଟୋକା ନା; ଖଳିରେ ତ ଆଉ ତିଆର ନୁହେଁ, ହାଡ଼ ମାଉଁସ ମଣିଷ ।’’
ହରିଆ ଦୌଡ଼ିର ଗୋଟାଏ ମୁଣ୍ଡ ଦାନ୍ତରେ କାମୁଡ଼ି ଧରି, ଦୁଇଟା କାନ୍ଥ ମଝିରେ ଥିବା ଅତି ସଂକୀର୍ଣ୍ଣ ଫାଙ୍କ ବାଟେ ମୁହୂର୍ତ୍ତକ ମଧ୍ୟରେ ଉପରକୁ ଉଠିଗଲା । ଯାଇ ଚମକିପଡ଼ି, ମନେ ମନେ କହିଲା, ‘‘ଆରେ ଏଟା ତ ମୋ ବାପ । ହଉ, ସେଥିରେ କ’ଣ ଅଛି ? ଆସିଚି, କ’ଣ ଆଉ ଫେରିଯିବି ?’’ କହି, ଦଉଡ଼ିଟା କଣ୍ଟାରେ ବାନ୍ଧିଦେଇ ତଳକୁ ଖସିଆସିଲା । ଦୀନା ସାହୁ ପଛେ ପଛେ ଆସି ତଳେ ଠିଆ ହେଲା । ସେ ତଳେ ପହଞ୍ଚିବାରେ ତା’ ଶୀତ, ଜଡ଼ତା, ନୈରାଶ୍ୟ ସବୁ ମୁହୂର୍ତ୍ତକ ମଧ୍ୟରେ ଦୂର ହୋଇଗଲା । ଓହ୍ଲାଇବା ମାତ୍ରେ ସେ ପଚାରିଲା, ‘‘କାହାକୁ ଖାଇବାକୁ ଠିକ୍ କରିଚ ?’’ ଚନ୍ଦ୍ରା ମୁହୂର୍ତ୍ତକ ମଧ୍ୟରେ ଉତ୍ତର ଦେଲା, ‘‘ସେ ଠିକ୍ ହେଇଚି । ସାହେବଜାଦା ବଜାରରେ ଗୋଟାକ ଘର । ବେଶ୍ ସୁବିଧା; ଆଖପାଖେ ଆଉ ଘରଫର ନାହିଁ । ଘରଟା ପୁଣି ଗୋଟାଏ ବଗିଚା ଭିତରେ । ଗୋଟାଏ ବୁଢ଼ୀ ଆଉ ଗୋଟାଏ ଟୋକୀ ଥାଆନ୍ତି । ବାକି ବୁଢ଼ାଟାଏ କୋଉଦିନ ଥାଏ, କୋଉଦିନ ନ ଥାଏ ।’’
ଦୀନା ସାହୁ ପଚାରିଲା, ‘‘ଏଇ ରାତିରେ ହବ, ନା ଆଉ କୋଉ ଦିନକୁ ଠିକ୍ କରିଚ ?’’ ଶୁଣି ଗୋବିନ୍ଦା କହିଲା, ‘‘ତୋ ଝିଅ ଚମ୍ପା ତ ଯାଇଥିଲା ଦେଖିବାକୁ ?’’ ମାତ୍ର ଉତ୍ସବା କହିଲା, ‘‘ସେଟା ହେଲା ନାହିଁ; ଚମ୍ପା ଆସି ନାହିଁ କରିଯାଇଚି ।’’ ଶେଷରେ ଦୀନା ସାହୁ କହିଲା, ‘‘ନୁହେଁ, ଆମେ ନିଜେ ଯାଇ ଦେଖିବା ଦରକାର । ସେ ଛତ୍ରଖାଈ କଥା କାହିଁକି ଶୁଣୁଚ ?’’ ଶୁଣି ଅନ୍ୟ ସମସ୍ତେ କହିଲେ, ‘‘ଠିକ୍, ଠିକ୍ ।’’
ସେସବୁ ଗଳ୍ପ ମଧ୍ୟରେ ହରିଆ ଆଡ଼କୁ କେହି ଆଡ଼ ଆଖିରେ ସୁଦ୍ଧା ଚାହିଁଲେ ନାହିଁ । ବାପଠାରୁ ପଦେ କଥା ଶୁଣିବାକୁ ସେ ଆଶାକରି ଠିଆ ହୋଇଥିଲା । ତାହା ଯେତେବେଳେ ନ ଶୁଣିଲା, ସେ ଶେଷରେ କହିଲା, ‘‘ମୋ ଦେହାତି ଆଉ କିଛି କାମ ନାହିଁ ତ ? ମୁଁ ଚାଲିଲି । ମୋ ପିଲା ଦି’ଟା ଫେରେ ସେଠେଇ ଶୋଇଚନ୍ତି, ଯାଇ ଉଠେଇବାକୁ ହବ । ନ ହେଲେ ରାତିଯାଏ ସିନା ଶୋଇଥିବେ ।’’
ହରିଆ ଚାଲିଗଲା । ତା’ ପଛରେ ଅନ୍ୟ ପାଞ୍ଚଜଣ ଗୋଟି ଗୋଟି ହୋଇ ଯାଇ ଅନ୍ୟତ୍ର ଏକାଠି ମିଳିଲେ । ସେତେବେଳେ ଗୋବିନ୍ଦା ଦୀନା ସାହୁକୁ ତୁନି କରି ପଚାରିଲା, ‘‘ସେ ଟୋକାଟାକୁ ଚିହ୍ନିଲୁ ତ ?’’
‘‘ଯେ ପାଚିରିରେ ଚଢ଼ିଥିଲା ମ ! ସେ ତୋ ପୁଅ ନୁହେଁ ?’’
‘‘ଯାଃ, ସେ କାହିଁକି ମୋ ପୁଅ ହୁଅନ୍ତା ? ତୋ ପୁଅ ହୋଉ ।’’
‘‘ନା ରେ, ତାରି ଯୋଗେ ତ ତୁ ଆଜି ବର୍ତ୍ତିଲୁ ।’’
‘‘ଓ, ତେବେ ସେ ତା’ ବାପର ପୁଅ, ଗୋବିନ୍ଦା ଭାଇ ।’’
ଡକାୟତମାନେ ସାହେବଜାଦା ବଜାର ଘରଟା ଲୁଟି କରିବାକୁ ସ୍ଥିର କରି, ତାହା ଜଗିବା ନିମନ୍ତେ ଆଗରୁ ଚମ୍ପାକୁ ପଠାଇଲେ; କିନ୍ତୁ ସେ ଘରେ କିଏ ରହୁଥିଲା, ଚମ୍ପା ଯେତେବେଳେ ଜାଣିପାରିଲା, ସେ ସେମାନଙ୍କୁ ସେଠାରୁ ଦୂରରେ ରଖିବାକୁ ଚେଷ୍ଟା କଲା । ତା’ ଛଡ଼ା, ସେ ବନମାଳୀକି ନେଇ ସେଠାରେ ପହଞ୍ଚାଇଲା । ବନମାଳୀ କ୍ରମେ ରମା ଘର ବଗିଚା ମଧ୍ୟରେ ପ୍ରବେଶ କରିବାକୁ ଲାଗିଲା । ସନ ୧୨୬୫ ସାଲ ବସନ୍ତ କାଳଯାକ ଦୁଇଟି ପ୍ରେମିକ ପ୍ରେମିକା ସେହି ପାର୍ଥିବ ବଗିଚା ମଧ୍ୟରେ ସ୍ୱର୍ଗର ଅମୀୟ ସମ୍ପଦ ଢାଳି ରଖିଲେ ।
ବନମାଳୀ ରମା ସହିତ ଘର ଭିତରେ କେବେ ପାଦ ପକାଇଲା ନାହିଁ । ବଗିଚାର ଗୋଟିଏ ରମଣୀୟ ଲତାକୁଞ୍ଜ ମଧ୍ୟରେ ଦୁହେଁ ବସି ରହନ୍ତି । ସେ କୁଞ୍ଜଟିରେ ବସିଲେ ଦାଣ୍ଡର ବାଟୋଇ ଦୃଷ୍ଟିରେ ସେମାନଙ୍କର ପଡ଼ିବାର ଆଶଙ୍କା ନ ଥାଏ । ପ୍ରେମିକ ପ୍ରେମିକାଙ୍କର ଗଳ୍ପ କରିବା ନିମନ୍ତେ କୌଣସି ବିଷୟର ପ୍ରୟୋଜନ ହୁଏନାହିଁ । ବୁଢ଼ିଆଣୀ ପେଟ ଭିତରୁ ସୂତା ବାହାର କଲା ପରି, ପ୍ରେମିକ ପ୍ରେମିକା ନିଜ ହୃଦୟ ମଧ୍ୟରୁ ଗଳ୍ପର ଅସରନ୍ତି ବିଷୟ କାଢ଼ିପାରନ୍ତି । ବନମାଳୀ ଓ ରମା ସେ କୁଞ୍ଜରେ ବସି ଗଳ୍ପରେ ଲାଗିଥିଲା ବେଳେ, ବଗିଚା ମଧ୍ୟରେ ଗୋଟିଏ ବଜ୍ର ପଡ଼ିଲେ ସୁଦ୍ଧା, ସେମାନେ ଶୁଣିପାରି ନ ଥାନ୍ତେ । ବନମାଳୀ ସନ୍ଧ୍ୟାରେ ଆସି ପ୍ରାୟ ଅଧରାତି ସମୟରେ ପଦ୍ମନାଭ ବସାକୁ ଫେରିଯାଏ ।
ଦିନେ ସନ୍ଧ୍ୟାବେଳେ ବନମାଳୀ ରମା ସହିତ ଦେଖା କରିବାକୁ ଆସିବା ସମୟରେ ବାଟରେ ଶୁଣିଲା, ‘‘ନମସ୍କାର, ବନମାଳୀ ବାବୁ ।’’ ସେ ମୁଣ୍ଡ ଟେକି ଚାହିଁ ଚମ୍ପାକୁ ଦେଖିଲା । ଚମ୍ପା ପ୍ରଥମେ ଯେଉଁଦିନ ବନମାଳୀକୁ ରମା ଘର ପାଖେ ଆଣି ଛାଡ଼ି ଦେଇଗଲା, ସେହି ଦିନଠାରୁ ସେ ଚମ୍ପାକୁ ଆଉ ଦେଖି ନ ଥିଲା । କେବଳ ସେତିକି ନୁହେଁ, ତା’ କଥା ସେ ପାସୋରି ମଧ୍ୟ ଦେଇଥିଲା-। ସେଦିନ ତାକୁ ହଠାତ୍ ଦେଖି ସେ ଟିକିଏ ବିବ୍ରତ, ଏପରିକି ବିରକ୍ତ ମଧ୍ୟ ହୋଇଉଠିଲା-। ଚମ୍ପା ଯେ ତା’ ବାପାଙ୍କ ଆଦେଶପତ୍ରରେ ଲିଖିତ ଦୀନା ସାହୁର ଝିଅ, ସେ ତାହା ଜାଣି ସୁଦ୍ଧା, ସମ୍ପୂର୍ଣ୍ଣରୂପେ ହୃଦୟଙ୍ଗମ କରି ନ ଥିଲା । ସେଥିପାଇଁ ସେ ତାକୁ ଦେଖି ଉଦାସୀନ ଭାବରେ କହିଲା, ‘‘ଓ, ଚମ୍ପା ।’’ ଶୁଣିଲାକ୍ଷଣି ଚମ୍ପା ଦୋଷାରୋପ କରି ପଚାରିଲା, ‘‘ବନମାଳୀ ବାବୁ, ମୁଁ ତୁମର କି ଦୋଷ କରିଚି ? ମୋତେ କାହିଁକି ଫିଙ୍ଗିଲା ଫୋପାଡ଼ିଲା ପରି କଥା କହୁଚ ?’’ ବନମାଳୀ ସ୍ତୋକରେ ଉତ୍ତର ଦେଲା, ‘‘ନା ।’’
ବାସ୍ତବରେ ଚମ୍ପା ଉପରେ ବିରକ୍ତ ହେବାକୁ ବନମାଳୀର କୌଣସି କାରଣ ନ ଥିଲା; ବରଂ କୃତଜ୍ଞ ହେବାର ଯଥେଷ୍ଟ ଥିଲା । ତଥାପି ସେ କୃତଜ୍ଞତା ନ ଦେଖାଇବାରୁ ଚମ୍ପା ପୁଣି କହିଲା, ‘‘ମୋତେ କହ ।’’ ମାତ୍ର ସେ ଆଉ କିଛି କହିପାରିଲା ନାହିଁ କିମ୍ବା ହସିବାକୁ ଚେଷ୍ଟା କରି ହସି ମଧ୍ୟ ପାରିଲା ନାହିଁ, କେବଳ ମୁଣ୍ଡ ପୋତି ଠିଆ ହୋଇ ରହିଲା । ତା’ପରେ, ‘‘ନମସ୍କାର, ବନମାଳୀ ବାବୁ’’ କହି, ଧୀରେ ଧୀରେ ପାଦ ଚାଲି ବାଟେ ବାଟେ ଚାଲିଗଲା ।
ପରଦିନ ସନ୍ଧ୍ୟା ସମୟରେ ବନମାଳୀ ପୁଣି ସେହି ବାଟରେ ଯାଉଥିବାବେଳେ ଚମ୍ପା ତା’ ଆଡ଼କୁ ଆସିବାର ଦେଖିଲା; କିନ୍ତୁ ସେ କିଛି ନ କହି ବାଟ ଭାଙ୍ଗି ଚାଲିଗଲା । ଚମ୍ପା ଯାହା କେବେ କରି ନ ଥିଲା, କଲା; ପଛେ ପଛେ ସେ ଘର ପର୍ଯ୍ୟନ୍ତ ଗଲା । ସେ ଅନେକ ଦିନ ସେ ଅଞ୍ଚଳରେ ଆସି ବୁଲେ, ବନମାଳୀ ବଗିଚା ମଧ୍ୟରେ ପ୍ରବେଶ କରିବାର ଦେଖେ, କିନ୍ତୁ ନିଜେ କେବେ ଦେଖା ଦିଏନାହିଁ । କେବଳ ଗତ ସନ୍ଧ୍ୟାରେ ସେ ତା’ ସହିତ ଦେଖା କରିଥିଲା; କିନ୍ତୁ ସେଦିନ ସନ୍ଧ୍ୟାରେ ସେ ବଗିଚା ଫାଟକ ପର୍ଯ୍ୟନ୍ତ ଗଲା ଏବଂ ପହରାବାଲା ପରି ସେଠାରେ ବସିରହିଲା । ସେ ଅନ୍ଧାରରେ ହଲ୍ଚଲ୍ ନହୋଇ, ଲୁଚି, ଘଣ୍ଟାକରୁ ଅଧିକ ସମୟ ରହିଲା ପରେ, ପ୍ରାୟ ଦଶଟା ବାଜିଲା ବେଳେ, ଛ’ଜଣ ଲୋକ ଆସି ପହଞ୍ଚିଲେ । ସେମାନେ ବଜାରୀ ଭାଷାରେ କାନକୁ କାନ କଥା କୁହାକୁହି ହେଲେ । ଜଣେ କହିଲା; ‘‘ଏଇଟା ।’’ ଆଉଜଣେ ପଚାରିଲା, ‘‘ଦୁଆର ତାଡ଼ିବା ପାଇଁ ତୁ ସାବଳଟା ଆଣିଚୁ ନା ?’’ ଉତ୍ତର ଶୁଣିଲା, ‘‘ହଁ ।’’ ଆଉଜଣେ କହିଲା, ‘‘ଫାଟକଟା ତ ପୁରୁଣା । ବଗିଚାରେ କୁକୁର ଫୁକୁର ନାହାନ୍ତି ତ, ଭାଇ ।’’
ଜଣେ ଲୋକ ସେପର୍ଯ୍ୟନ୍ତ ପାଟି ଫିଟାଇ ନ ଥିଲା । ସେ ଅଣ୍ଡାଳି ଅଣ୍ଡାଳି ଫାଟକଟା ଫିଟାଇବାକୁ ଗଲାବେଳେ, ଅନ୍ଧକାର ମଧ୍ୟରୁ ଗୋଟାଏ ହାତ ବାହାରି ତାକୁ ପେଲି ଧରିଲା ଏବଂ କର୍କଶ ସ୍ୱର ଶୁଣାଗଲା ‘‘ସାବଧାନ, କୁକୁର ଅଛି ।’’ ସେ ନିରୀକ୍ଷଣ କରି ଦେଖିଲା, ଆଗରେ ଜଣେ ବାଳିକା ଠିଆ ହୋଇଛି । ଦେଖିବାମାତ୍ରେ ତା’ର ରୋମାଞ୍ଚ ହେଲା । ଭୟତ୍ରସ୍ତ ହିଂସ୍ର ଜନ୍ତୁର ମୂର୍ତ୍ତି ଅପେକ୍ଷା ସଂସାରରେ ଭୀଷଣ ପଦାର୍ଥ ଆଉ କିଛି ନାହିଁ । ସେ ଲୋକ ପଛକୁ ହଟିଯାଇ ପଚାରିଲା, ‘‘କିଏ ଏ ସୟତାନ ?’’ ଉତ୍ତର ଶୁଣିଲା, ‘‘ତୋ ଝିଅ ପରା ।’’
‘‘ତୁ ଏଠେଇ ଆସି କ’ଣ କରୁଚୁ ତେବେ ? ତୁ କ’ଣ ଆମ ବାଟ ବନ୍ଦ କରିବାକୁ ଆଗରୁ ଆସିଥିଲୁ ?’’ ଦୀନା ସାହୁ ରାଗି ଅଥଚ ଧୀର ସ୍ୱରରେ ପଚାରିଲା । ଚମ୍ପା ଉତ୍ତର ଦେଲା, ‘‘ମୋତେ କ’ଣ ଓଲୁ ଠଉରେଇଲୁ ? ମୁଁ ଆସିଲି, ଦେଖିଲି, ବୁଝିଲି, ସୁଝିଲି ଯାଇ ମନା କଲି । ତେବେ ବି ସାଙ୍ଗରେ ପାଞ୍ଚଟା ଲୋକ ଧରି ଧାଇଁଚୁ ? ଟିକିଏ ଡର ଭୟ ନାହିଁ । ମୁଁ କହୁଚି ଏ ଘରେ ପଶିବା ଦରକାର ନାହିଁ । ଏମାନେ ଭାରି ଗରିବ ଲୋକ । ଘରଟାଯାକ ଖୋଜିଲେ ପଇସାଟାକର ଚିଜ ପାଇବ ନାହିଁ ।’’ ଶୁଣି ଦୀନା ସାହୁ ରାଗିଯାଇ କହିଲା, ‘‘ତୁ ଡାହାଣୀ କଥାରେ ଆମେ ଫେରିଯିବୁ ? ଆମେ ନିଜେ ଘରଦ୍ୱାର ଖୋଜିବୁ, ନ ପାଇଲେ, ବଳେ ଚାଲିଯିବୁ’’ କହି, ସେ ଚମ୍ପାକୁ ବାଟରୁ ପେଲିଦେଲା; କିନ୍ତୁ ଚମ୍ପା ଉଠିଆସି ଦୁଆରେ ଜଗି, ଛ ଜଣ ହାତ ହତିଆର ଧରି ଆସିଥିବା ଲୋକଙ୍କ ଆଗରେ ଠିଆ ହୋଇ କହିଲା, ‘‘ମୁଁ ଛାଡ଼ିବି ନାହିଁ ।’’
ଛ’ଟା ଯାକ ଲୋକ ସ୍ତମ୍ଭୀଭୂତ ହୋଇ ଠିଆହେଲେ । ଚମ୍ପା ପୁଣି କହିଲା, ‘‘ଦେଖ, ତୁମେ ଏ ଭିତରେ ଗୋଡ଼ ପକେଇବ ତ, ମୁଁ ଡାକ ପକେଇବି, ପାଟିତୁଣ୍ଡ କରିବି, ଲୋକଙ୍କୁ ଉଠେଇବି, ତୁମ ଛ’ଜଣ ଯାକକୁ ଧରେଇଦେବି, ଆଉ ପୋଲିସ ଡାକି ଆଣିମି । ମୋ ନିଜ ବାପ ମଧ୍ୟ ବାଦ୍ ଯିବନାହିଁ ।’’ ଦୀନା ସାହୁ ଝିଅର ରାଗ ଦେଖି, ତା’ ନିକଟକୁ ଯିବାକୁ ବସିଲା । ଦେଖି ଚମ୍ପା କହିଲା, ‘‘ମୋ କତିକି ଆ ନା ।’’ ଦୀନା ସାହୁ ପଛକୁ ଘୁଞ୍ଚିଗଲା । ଚମ୍ପା ବିକଟ ସ୍ୱରରେ ଠୋ ଠୋ ହସି ପୁଣି କହିଲା, ‘‘ତୁମେ ଛ’ଟା ଲୋକ ଅଛ ବୋଲି ମତେ ଡରଉଛ । ଘର ଭିତରେ ମାଇପକୁ ଡରେଇ ଡରେଇ ସାହସ ବଢ଼ିଯାଇଚି । ମୁଁ ଡରିବା ଲୋକ ନୁହେଁ’’ କହି ଦୀନା ସାହୁ ଆଡ଼କୁ ଚାହିଁ ସେ ପୁଣି କହିଲା, ‘‘ବାପକୁ ମଧ୍ୟ ମୁଁ ଡରେନା । ମୋତେ ମାରିବ ! ମାର ।’’ ଚମ୍ପା ହଠାତ୍ ଚୁପ୍ ହୋଇଗଲା । ଗର୍ଜି ଗର୍ଜି ତା’ର କାଶ ଉଠିଲା ।
ଗୋବିନ୍ଦା ପଚାରିଲା, ‘‘କ’ଣ ଏ ପିଲାଟାକୁ ଡରି ଫେରିଯିବା ?’’ ଉତ୍ସବା କହିଲା, ‘‘ନା, ତୁମେ ପାଞ୍ଚ ଜଣ ଭିତରେ ପଶ । ଆଉ ମୁଁ ଏ ଟୋକୀଟାକୁ ଧରି ବସୁଚି । ହଲ୍ଚଲ୍ ହେଲେ–’’ କହି, ସେ ତା’ ଛୁରି ବାହାର କଲା । ଦୀନା ସାହୁ ପଦେ ସୁଦ୍ଧା କଥା କହିଲା ନାହିଁ, କିନ୍ତୁ ଶେଷରେ ଚନ୍ଦ୍ରା କହିଲା, ‘‘ଦେଖ ଭାଇ, ଆଜି ଦିନଟା ଭଲ ନୁହେଁ । କାହା ମୁହଁ ଚାହିଁ ରାତି ପାହିଥିଲା, ଖାଲି ମନ୍ଦରେ ମନ୍ଦରେ ଯାଉଚି । ଚାଲ, ଫେରିଯିବା ।’’ ଚନ୍ଦ୍ରା କଥା ଶୁଣି, ସମସ୍ତେ ଫେରିଗଲେ । ଫେରିବାବେଳେ ଉତ୍ସବା କହିଲା, ‘‘ତୁମେ କହିଥିଲେ, ମୁଁ ସତ୍ୟାନାଶୀ ଟୋକୀଟାର ତଣ୍ଟିଟା କାଟିଦେଇଥାନ୍ତି ।’’
ଚମ୍ପା ଡକାୟତମାନଙ୍କୁ ଏକା ଛାଡ଼ି ନ ଦେଇ, ଛପି ଛପି ତାଙ୍କ ପଛେ ପଛେ ଗଲା । ସେତେବେଳେ ବନମାଳୀ ରମା ପାଖେ ସେହି ବଗିଚା ଭିତରେ କୁଞ୍ଜ ମଧ୍ୟରେ ବସିଥିଲା । ରମା ମୁହଁରେ ହାତ ଦେଇ କାନ୍ଦୁଥିଲା । ବନମାଳୀ ପଚାରିଲା, ‘‘କାନ୍ଦୁଚ କାହିଁକି, ରମା ? କ’ଣ ହେଇଚି-?’’ ରମା ଉତ୍ତର ଦେଲା, ‘‘କ’ଣ କହିବି ? ବଡ଼ ଦୁଃଖର କଥା । ବାପା କହୁଛନ୍ତି, ମୁଁ ତାଙ୍କ ସାଙ୍ଗେ ରେଙ୍ଗୁନ ଯିବି ।’’ ବନମାଳୀ ଚମକି ପଡ଼ିଲା । ସେ କହିଲା, ‘‘କାହିଁକି ?’’ କିନ୍ତୁ ଉତ୍ତର ପାଇବା ପୂର୍ବରୁ ପୁଣି ପଚାରିଲା, ‘‘କେବେ ବାହାରିବ ?’’
‘‘ତା’ ମୋତେ କହି ନାହାନ୍ତି ।’’
‘‘କେଜାଣି ? ସେ କଥା ମଧ୍ୟ କହି ନାହାନ୍ତି ।’’
ବନମାଳୀ ଠିଆ ହୋଇ ନୀରସ ସ୍ୱରରେ ପଚାରିଲା, ‘‘ରମା, ତୁମେ ଯିବ ?’’ ରମା ବନମାଳୀର ହାତ ଦିଓଟି ନିଜ ହାତରେ ଧରି କହିଲା, ‘‘ମୋର କି ଚାରା ଅଛି ? ସେ ପରା ବାପ, ଆଉ ମୁଁ ଝିଅ ।’’
‘‘ତେବେ, ତୁମେ ଯିବାକୁ ଠିକ୍ କରିଚ ? ଆଚ୍ଛା, ଯାଅ । ମୁଁ ମଧ୍ୟ ତାହାହେଲେ କୁଆଡ଼େ ଚାଲିଯିବି ।’’ ରମା ଏ କଥାର ଅର୍ଥ ଯାହା ବୁଝିଲା, ତା’ଠାରୁ କଳ୍ପନାରେ ବେଶି ଦେଖିଲା । କ୍ଷଣକ ମଧ୍ୟରେ ସେ କଳାପଡ଼ିଗଲା । ତା’ପରେ ସେ ପଚାରିଲା, ‘‘ତୁମେ ତେବେ କ’ଣ କହୁଚ ?’’
‘‘ରମା, ମୁଁ କେବେ ଶପଥ କରିନାହିଁ । କାରଣ; ଶପଥକୁ ମୋର ଭାରି ଡର; କିନ୍ତୁ ଆଜି ଶପଥ କରି କହୁଚି, ତୁମେ ଚାଲିଗଲେ, ମୁଁ ମରିଯିବି ।’’ ଶୁଣି, ରମା ଆପାଦମସ୍ତକ ଥରିଲା; ଭୟରେ ତା’ ଆଖିରୁ ଲୁହ ଶୁଖିଗଲା, ତା’ କାନ୍ଦ ବନ୍ଦ ହୋଇଗଲା । ବନମାଳୀ କହିଲା, ‘‘ଦେଖ, ରମା ! ମୁଁ କାଲି ଆସିପାରିବି ନାହିଁ ।’’ ରମା ପଚାରିଲା, ‘‘କାହିଁକି ?’’ ବନମାଳୀ କହିଲା, ‘‘କାଲି ନ ଆସି, ପରଦିନ ଆସିବି ।’’ ରମା ନିତାନ୍ତ ବିଷଣ୍ଣ ଭାବରେ କହିଲା, ‘‘ତୁମକୁ ଛାଡ଼ି ଦିନେ କାଳ କ’ଣ ମୁଁ ରହିପାରିବି ? ଅସମ୍ଭବ ।’’ ତହୁଁ ସେ ଉତ୍ତର ପାଇଲା, ‘‘ସାରା ଜୀବନ ଏକାଠି ରହିବା ଆଶାରେ ଦିନେ ସୁଖରୁ ବଞ୍ଚିତ ହବା କିଛି ମନ୍ଦ କଥା ନୁହେଁ । ତେବେ ଏ ମଧ୍ୟରେ ତୁମର ଯଦି କିଛି ଖବର ଦରକାର ପଡ଼େ, ସେଥିପାଇଁ ମୁଁ ଠିକଣା ଦେଇ ଯାଉଚି । ମୁଁ ରହୁଚି ପଦ୍ମନାଭ ବସାରେ; ବକ୍ସିବଜାର । ଆଚ୍ଛା, ମନେ ରହିବଟି ? ନାଁ ଲେଖି ଦେଉଚି । ସେ ପକେଟରୁ ଛୁରି କାଢ଼ି ହତା ପାଚିରିରେ ମଇଳା ଚୂନ ଉପରେ ଲେଖିଦେଲା, ‘‘ବକ୍ସିବଜାର’’ ।
‘‘ତୁମେ ତ ଚାଲିଯିବ, କାଲି ଆସିବ ନାହିଁ । ମୁଁ ଦୁଇ ଦିନ କାଳ କିମିତି କାଟିବି, ମୋତେ ଉପାୟ ବତାଇଦେଇ ଯାଅ । ଆଚ୍ଛା, କହ ଦେଖି କାଲି ରାତିରେ ତୁମେ କୁଆଡ଼େ ଯିବ ?’’
‘‘ଗୋଟାଏ ଚେଷ୍ଟାରେ ଯିବି ।’’
‘‘ତେବେ ପରଦିନ ନ’ଟା ବେଳେ ମୁଁ ବଗିଚାକୁ ଆସିବି ।’’
‘‘ହଁ, ମୁଁ ମଧ୍ୟ ଠିକ୍ ସେତିକିବେଳେ ଆସି ପହଞ୍ଚିବି ।’’
ସେହିଠାରେ କଥାବାର୍ତ୍ତା ବନ୍ଦ ହେଲା । ତା’ପରେ ଦୁହେଁ ବିଦାୟ ନେଇଯିବା ନିମନ୍ତେ ପରସ୍ପର ହାତ ଧରାଧରି ହେଲେ ।