ମୁଁ ପାରିବି ନାହିଁ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ମୁଁ ପାରିବି ନାହିଁ
କଟକରେ ବର୍ତ୍ତମାନ ଯେଉଁଠାରେ ଗୋପାଳଜୀ ମଠ ଅଛି, ସେଠାରୁ କିଛି ଦୂର ଦକ୍ଷିଣକୁ, ପ୍ରାୟ ଅଶୀ ନବେ ବର୍ଷ ପୂର୍ବେ ଗୋଟିଏ ପ୍ରକାଣ୍ଡ ବଗିଚା ଥିଲା ଓ ତା’ ମଧ୍ୟରେ ଗୋଟିଏ ବହୁକାଳରେ ପୁରୁଣା ଭଙ୍ଗୋନ୍ମୁଖ ମଠ ରହିଥିଲା । ମଠଟିରେ ବାବାଜି ରହୁ ନ ଥିଲେ, ଥିଲେ କେବଳ ମାତାମାନେ । ଚୈତନ୍ୟ ଦେବଙ୍କ ସହାୟତାରେ ପ୍ରତାପରୁଦ୍ର ଦେବ ବୈଷ୍ଣବ ଧର୍ମର ପତାକା ଓଡ଼ିଶାରେ ଉଡ଼ାଇଲା ଦିନୁ, ବୈଷ୍ଣବମାନଙ୍କ ନିମନ୍ତେ ସ୍ଥାନେ ସ୍ଥାନେ ଯେପରି ମଠମାନ ରହିଥିଲା, କେବଳ ମାତାମାନେ ପୂଜା ଧ୍ୟାନରେ ସମୟ କଟାଇବା ଲାଗି କଟକ ସହରରେ ଓ ପୁରୀଧାମରେ ସେହିପରି ଦୁଇଟି ମାତାମଠ ସ୍ଥାପିତ ହୋଇଥିଲା । ପୁରୀ ମାତାମଠ ବର୍ତ୍ତମାନ ନାମରେ ମାତ୍ର ପଡ଼ିରହିଛି ଏବଂ ମାତା ପରିବର୍ତ୍ତେ ବାବାଜିମାନଙ୍କ ଆଶ୍ରୟସ୍ଥଳରେ ପରିଣତ ହୋଇଛି । କିନ୍ତୁ କଟକ ମାତାମଠର ଅସ୍ତିତ୍ୱ ଏକାବେଳକେ ଲୋପ ପାଇଯାଇଛି କହିଲେ ଚଳେ ।
କଟକ ମାତାମଠ ଥିଲାବେଳେ ସେଠାରେ ଅଳ୍ପ ବୟସର ବାଳିକାମାନଙ୍କୁ ବାଛି ଗ୍ରହଣ କରାଯାଉଥିଲା । ଚିର ଜୀବନ ଅବିବାହିତ ରହି ଯେଉଁମାନେ ଧର୍ମରେ ମନ ଦେବାକୁ ଇଚ୍ଛା କରୁଥିଲେ, ସେହିମାନେ ହିଁ ଅତି ବାଲ୍ୟ ବୟସରୁ ସେଠାରେ ସ୍ଥାନ ପାଉଥିଲେ । ଅନେକ ବାଳବିଧବା ଘରେ ସଂସାରର ସୁଖବିଳାସ ଭିତରେ ନ ରହି, ମଠରେ ଯାଇ ଭଗବାନଙ୍କ ଆରାଧନାରେ କାଳ କଟାଇବାକୁ ପସନ୍ଦ କରୁଥିଲେ । ମଠରେ ପୁରୁଷମାନଙ୍କ ପାଦ ତ ଦୂରର କଥା, ଛାଇ ମଧ୍ୟ ପଡ଼ିବାକୁ ବିଶେଷ ଭାବରେ ମନା ଥିଲା । କେବଳ ବଗିଚା ମାଳୀ ବିଷୟରେ ଏ କଠୋର ନିୟମର ଏକ ସାମାନ୍ୟ ଅତିରିକ୍ତ ରୂପେ ସ୍ୱତନ୍ତ୍ର ବିଧାନ କରାଯାଇଥିଲା ।
ମଠର ସଦର ଦ୍ୱାର ଗୋଟିଏ ଗଳିଆଡ଼କୁ ଥିଲା । କେହି ମଠରେ ପ୍ରବେଶ କରିବାକୁ ଇଚ୍ଛା କଲେ. ସଦରଦ୍ୱାର ପାଖେ ତାକୁ ଗୋଟିଏ ଘଣ୍ଟିରେ ହାତ ମାରି ବଜାଇବାକୁ ହୁଏ । ଘଣ୍ଟି ବାଜିଲା ମାତ୍ରେ ଭିତରୁ ଗୋଟିଏ କୋମଳ ନାରୀ କଣ୍ଠର ସ୍ୱର ଶୁଣାଯାଏ, ‘‘କିଏ’’ ? ମଠ ଭିତରକୁ ଯିବା ନିମନ୍ତେ ଗୋଟିଏ ଗୁପ୍ତ ଠାର ଥାଏ । ଘଣ୍ଟି ବଜାଇବା ଲୋକର ପରିଚୟ ଅନୁସାରେ ଭିତରୁ ପୁଣି ସ୍ୱର ଶୁଣାଯାଏ, ‘‘ଡାହାଣ ଆଡ଼କୁ ଯାଇ ଚୋରି ଦୁଆର ବାଟେ ଆସ ।’’ ଚୋରିଦ୍ୱାର ବାଟେ ଭିତରକୁ ଗଲେ, ଗୋଟାଏ ନିତାନ୍ତ ଅନ୍ଧାର ଘରେ ପଶିବାକୁ ହୁଏ । ସେ ଅନ୍ଧାର ଘର ଭିତରୁ ମଠ ଅଗଣାକୁ କେତେଗୁଡ଼ିଏ ନିତାନ୍ତ ଛୋଟ ଛୋଟ କଣା କାନ୍ଥରେ ରହିଥାଏ । ସେ କଣାବାଟେ କଥା କହି ନିଜର ପରିଚୟ ଦେଲେ, ଭିତର ପାଖୁ ଗୋଟିଏ ଦ୍ୱାର ଫିଟେ । ସେହି ଦ୍ୱାର ବାଟେ ସେ ଅନ୍ଧାର ଘର ମଧ୍ୟରୁ ମଠର ଅଗଣାକୁ ଯିବାକୁ ହୁଏ ।
ମଠରେ ଚଳିବା ନିମନ୍ତେ ଅନେକଗୁଡ଼ିଏ ନିୟମ ଲିପିବଦ୍ଧ ହୋଇ ରହିଥାଏ । ବାଳିକାମାନେ ପଢ଼ାଶୁଣା କରି ଜ୍ଞାନ ଉପାର୍ଜନ କଲା ପରେ ଦୀକ୍ଷା ଗ୍ରହଣ କରି ମାତା ହୁଅନ୍ତି । ମାତା ହେଲା ପରେ ସେମାନଙ୍କୁ ଗେରୁଆ ଲୁଗା ପିନ୍ଧିବାକୁ ହୁଏ । ମାତାମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, ଈଶ୍ୱର ଆରାଧନାରେ କାଳେ ଅନ୍ୟମନସ୍କ ହେବେ, ସେଥିପାଇଁ ସେମାନେ କଥା କହନ୍ତି ନାହିଁ; କେବଳ ଠାରରେ ମନୋଭାବ ବ୍ୟକ୍ତ କରନ୍ତି । ବାଳିକାମାନେ ପାଠ ପଢ଼ନ୍ତି, ଗୀତ ଗାଆନ୍ତି, ଆବଶ୍ୟକ ବେଳେ ହସ କୌତୁକରେ ଯୋଗ ଦିଅନ୍ତି, ସଫା ଧୋବା ଲୁଗା ପିନ୍ଧିବାକୁ ପାଆନ୍ତି । ସମସ୍ତେ ନିରାମିଷ ଖାଆନ୍ତି । ମଠର ବ୍ୟୟ ନିମନ୍ତେ ଜମି ଖଞ୍ଜା ଥାଏ । ରାଣୀମାତା ବାଳିକାମାନଙ୍କୁ ପଢ଼ାନ୍ତି ଓ ମଠ ପରିଚାଳନା ବୁଝନ୍ତି । ସେ ଏକା ସବୁବେଳେ କଥା କହିପାରନ୍ତି । ପୁରୁଷ ଲୋକଙ୍କ ସଙ୍ଗେ ଦେଖା ସାକ୍ଷାତ୍ ଓ କଥାବାର୍ତ୍ତା କରିବାକୁ ମଠ ମଧ୍ୟରେ ଏକମାତ୍ର ତାଙ୍କରି ଅଧିକାର ଥାଏ ।
ସେହି ମଠର ବଗିଚା ଭିତରେ ଘଟଣାଚକ୍ରରେ ପାଣୁ ନାଏକକୁ ହଠାତ୍ ଆସି ଉପସ୍ଥିତ ହେବାକୁ ପଡ଼ିଲା । ବଗିଚାରେ ପାଦ ପକାଇବା ମାତ୍ରେ ସେ ଯେଉଁ ସଙ୍ଗୀତ ଶୁଣିଲା, ତାହା ଛାତ୍ରୀମାନଙ୍କ ଉପାସନା ଧ୍ୱନି । ସେ ଘର ଭିତରେ ଯେଉଁ ଲୋକ ଶୋଇବାର ଦେଖି, ବଞ୍ଚିଛି କି ମରିଯାଇଛି ବୋଲି ସନ୍ଦେହରେ ପଡ଼ିଥିଲା, ସେ ଲୋକ ପ୍ରକୃତରେ ଜୀବନ୍ତ ମାନବ ନୁହେଁ । ମାତାମାନଙ୍କୁ ମୃତ୍ୟୁ ବିଷୟରେ ସର୍ବଦା ସ୍ମରଣ କରାଇବା ନିମନ୍ତେ ମୃତ ବ୍ୟକ୍ତିର ଏକ ପଥର ନିର୍ମିତ ମୂର୍ତ୍ତି ମଠ ମଧ୍ୟରେ ରଖାଯାଇଥାଏ । ମଠର ପ୍ରତ୍ୟେକ ମାତା ଏବଂ ଛାତ୍ରୀ ପ୍ରତିଦିନ ସେ ମୂର୍ତ୍ତି ଦର୍ଶନ କରନ୍ତି ।
ବାସୁଦାସ ସଙ୍ଗେ ତା’ର ଚିହ୍ନାଚିହ୍ନି ହୋଇଯିବା ପରେ, ପାଣୁ ନାଏକ କହିଲା, ‘‘ମୁଁ ଏଣିକି ଏଇଠେଇ ରହିଯିବି । ଏଠାରୁ ଆଉ ସୁବିଧା ଥାନ ମତେ ମିଳିବ ନାହିଁ ।’’ ବାସ୍ତବରେ ପାଣୁ ନାଏକ ପରି ଅବସ୍ଥାରେ ପଡ଼ିଥିବା ଲୋକ ପକ୍ଷେ ସେପରି ଗୋଟାଏ ମଠ ଛଡ଼ା ଅନ୍ୟ କୌଣସିଠାରେ ନିରାପଦ ସ୍ଥାନ ମିଳିବା ସମ୍ଭବପର ନୁହେଁ; କିନ୍ତୁ ତାହାହିଁ ବାସୁଦାସ ପକ୍ଷେ ଭାବନାର ବିଷୟ ହୋଇପଡ଼ିଲା । ସେ ରାତିଯାକ ନ ଶୋଇ ପୂର୍ବ ପରିଚିତ ଦେବାନଙ୍କ ବିଷୟରେ ନାନା କଥା ଚିନ୍ତା କରିବାରେ ଲାଗିଲା । ସେ ଭାବିଲା, ‘‘ଦେବାନ କିପରି ଏ ଭିତରକୁ ଆସିଲେ ? ଏ ପିଲାଟି କିଏ ?’’ ରାତିଯାକ ନାନା ପ୍ରଶ୍ନ ତା’ ମନରେ ଉଦୟ ହେଲା; କିନ୍ତୁ କୌଣସିଟାରେ ସନ୍ତୋଷଜନକ ଉତ୍ତର ତାକୁ ମିଳିଲା ନାହିଁ । ତହୁଁ ସେ ଶେଷରେ କହିଲା, ‘‘ଯାହାହେଉ, ଦେବାନ ତ ମୋ ଜୀବନ ରଖିଚନ୍ତି, ବର୍ତ୍ତମାନ ମୋ ପାଳି ।’’
ବାସୁଦାସ ଜୀବନ ସାରା ନିଜ ସ୍ୱାର୍ଥଛଡ଼ା ଆଉ କିଛି କେବେ ବୁଝି ନାହିଁ, ସାରା ଜୀବନରେ ପାହୁଲାଟିଏ କେବେ ଦାନ କରି ନାହିଁ, ସତ କଥା ପଦେ କେବେହେଁ କହିନାହିଁ; କିନ୍ତୁ ଦୁଇବର୍ଷ କାଳ ମଠରେ ରହି, ଧର୍ମପ୍ରାଣା ମାତାମାନଙ୍କୁ ଦେଖି ତା’ ଜୀବନର ଗତି କେତକ ପରିମାଣରେ ବଦଳିଥିଲା ପରି ବୋଧହୁଏ । ସୁତରାଂ ସେ ପାଣୁ ନାଏକକୁ ଦେଖି, ଦେବାନଙ୍କ ପୂର୍ବ ଋଣ ଶୁଝାଇବ ବୋଲି ମନେ ମନେ ସ୍ଥିର କଲା । ସେ ସକାଳେ ଶେଯରୁ ଉଠି ପ୍ରଥମ ପ୍ରଶ୍ନ ପଚାରିଲା, ଆଚ୍ଛା, କହ ଦେଖି, ଦେବାନ ମହାରାଜ, ଏଠି ତୁମେ କିପରି ଚଳିବ ବୋଲି ଭାବିଚ ?’’ ତା’ପରେ ଉଭୟଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା । ଶେଷରେ ବାସୁଦାସ କହିଲା, ‘‘ତୁମେ, କି ତୁମର ପିଲାଟି ଘରୁ ବାହାରି ପଦାରେ ପାଦ ପକେଇବ ନାହିଁ । ପଦାକୁ ବାହାରିଲେଇ ବିପତ୍ତି । ବିପତ୍ତି ତ ଘଟି ସାରନ୍ତାଣି । ତୁମେ ଭାରି ସୁବିଧା ସମୟରେ ଆସି ଯାଇଚ । ଜଣେ ବଡ଼ମାତାଙ୍କ ଦେହ ଖୁବ୍ ଖରାପ ଅଛି, ବଞ୍ଚିଲେ ବଞ୍ଚିଲା ପରି । ସେଥିରେ ଆଉ ସମସ୍ତେ ବ୍ୟସ୍ତ ଅଛନ୍ତି । ନୋହିଲେ, କି ତୁମେ ଆଜି ଧରା ନ ପଡ଼ିଥାନ୍ତ ? ଆଜି ଦିନଟା ଏମିତି ଯିବ । କାଲିକି କ’ଣ ହେଉଛି ଦେଖ ।’’
‘‘ତୁମ ଏ କୁଡ଼ିଆଟି ତ ଏକେ ଅନେକ ଦୂରରେ; ତା’ପରେ ପୁଣି ଗଛ ଆଢ଼ୁଆଳରେ ଅଛି-। ମଠକୁ ଏଠା ଦେଖାଯାଉ ନଥିବ ?’’
‘‘ନା; ହେଲେ ସାନ ସାନ ପିଲାମାନେ ଯେ ଅଛନ୍ତି ରାଣୀମାତା କହନ୍ତି, ସେମାନେ ସବୁ ବାରୁଦ, ଟିକିକେ ଜଳି ଉଠିବେ ।’’
‘‘ସେମାନେ ପୁଣି କିଏ ?’’ ବାସୁଦାସ ଉତ୍ତର ଦେବାକୁ ପାଟି ଫିଟାଉଥିଲା । ହଠାତ୍ ମଠରେ କୋଳାହଳ ଶୁଣାଗଲା । ତହୁଁ ସେ କହିଲା, ‘‘ଏଇ, ମରିଗଲେ ପରା । ସେଇଥିପାଇଁ ମଠର ଛୋଟ ମାତାମାନେ ହରି ସଂକୀର୍ତ୍ତନ ଆରମ୍ଭ କଲେ । ଶୁଣ, ଶୁଭୁଚି ନା ? ହୁଏତ ସାନ ପିଲାମାନେ ମଠ ଭିତରୁ ଏ ଆଡ଼େ ବୁଲିଆସିବେ । ଆସିଲେଇ ତ ତୁମକୁ ଦେଖି ପକେଇବେ । ତାଙ୍କ ପାଟିରେ କିଏ ବାଡ଼ ବତା ଦବ ? ହଲା କରି କହିବେ, ‘ଏ ଗୋଟାଏ ପୁରୁଷ ଲୋକ ।’ ଆଜି ହୁଏତ ନ ଆସି ପାରନ୍ତି । କାହିଁକି ନା, ଆଜି ସମସ୍ତେ ହରି ସଂକୀର୍ତ୍ତନରେ ଲାଗିବେ; ମାତ୍ର କାଲିକି କିଏ, ତାଙ୍କୁ ରୋକି ପାରିବ ?’’
‘‘ଦାସେ, ଏଠି ବାଳିକାମାନେ ପଢ଼ନ୍ତି ନା ?’’
‘‘ହଁ ।’’ ଶୁଣି, ପାଣୁ ନାଏକ ମନେ ମନେ ଭାବିଲା, ‘‘ରମା ପାଇଁ ତାହାହେଲେ ଗୋଟାଏ ପାଠଶାଳା ସୁବିଧାରେ ମିଳିଯିବ । ଏଇ ମଠହିଁ ଆମକୁ ରକ୍ଷା କରିବ, ଦେଖୁଚି ।’’ ପାଣୁ ନାଏକକୁ ମନେ ମନେ କ’ଣ ଭାବିବାର ଦେଖି ବାସୁଦାସ ପଚାରିଲା, ‘‘ଦେବାନ, କ’ଣ ଭାବୁଚ ?’’
‘‘ଭାବୁଚି ଏଠେଇ ରହିବା ଟିକିଏ କଷ୍ଟ କଥା ।’’
‘‘ନା, ବାହାରିବା । ବର୍ତ୍ତମାନ ଏଠୁକୁ ଆସିବାକୁ ହେଲେ, ତୁମକୁ ଆଗେ ବାହାରିଯିବାକୁ ହବ । ସଦର ଦରଜାବାଟେ ନ ଆସିଲେ ଏଠି ତୁମର ଥାନ ନାହିଁ । ତୁମେ ଯେ ବାଟେ ଆସିଥିଲ, ସେ ବାଟେ ଯାଇପାରିବ ନାହିଁ ? କହିଲ ଦେଖି, କୋଉ ବାଟେ ଆସିଲ ?’’
ପାଣୁ ନାଏକ କଳା ପଡ଼ିଗଲା । ମଠରୁ ବାହାରି ସେହି ଗଳିକୁ ପୁଣି ଯିବା ଭାବନାରେ ସେ ଅସ୍ଥିର ହୋଇପଡ଼ିଲା । ସର୍ଦ୍ଦାର ମହାପାତ୍ର ଓ ତାଙ୍କ ସିପାହୀମାନଙ୍କ ଚିତ୍ର ତା’ ଆଖି ଆଗରେ ସ୍ପଷ୍ଟ ନାଚିଗଲା । ସେ କହିଲା, ‘‘ଦାସେ, ଧର ମୁଁ ଆକାଶରୁ ଖସି ପଡ଼ିଲି ।’’ ଶୁଣି, ବାସୁଦାସ କହିଲା, ‘‘ମୁଁ ସିନା ବୁଝୁଚି ସେ କଥା; ସେ ରାଣ୍ଡୀଏ କ’ଣ ବୁଝିବେ କି ? ତୁମ ଝିଅଟି ବେଶ୍ ନିଦରେ ଶୋଇଚି । ଆଚ୍ଛା, ୟା ନାଁ କ’ଣ ?’’
‘‘ଏ ତୁମ ଝିଅ ?’’ ନା; ମୁଁ ପଚାରୁଚି, ତୁମେ ତା’ ଅଜା, ନା ?’’
‘‘ଝିଅ ! ୟାକୁ ବାହାରକୁ ନବା ସହଜ । ମୁଁ ମୋ ଟୋକେଇରେ ପୂରେଇ ମୁଣ୍ଡେଇ ନେଇଯାଇପାରେ । ତୁମେ ମନା କରିଦେଇଥିବ । ପାଟିତୁଣ୍ଡ କରିବ ନାହିଁ । ମୋର ଜଣେ ଆପଣାର ଲୋକ ଏ ସହରରେ ଅଛି । ମୁଁ ଏ ପିଲାକୁ ନେଇ ତା’ ପାଖେ ଛାଡ଼ି ଦେଇଥିବି । ତୁମେ କାଲି ଆସିଲାବେଳେ ଏ ତୁମ ସାଥିରେ ଆସିବ । ତୁମେ ଆଜି ଯାଅ କି, ମୁଁ କାଲି ତୁମକୁ ପୁଣି ଘେନିଆସିବି । ତେବେ କଥା ହେଉଚି, ତୁମେ ଯିବ କିପରି ?’’ ଶୁଣି ପାଣୁ ନାଏକ କେବଳ ଥରେ ମୁଣ୍ଡ ହଲାଇଲା, ଯେପରିକି ଲୋକେ ମହାଚିନ୍ତାରେ ପଡ଼ି କୌଣସି କଥା ସ୍ଥିର ନ କରିପାରିବା ବେଳେ କରିଥାନ୍ତି ।
ତେଣେ ସଂକୀର୍ତ୍ତନ ମୁହୂର୍ତ୍ତକ ନିମନ୍ତେ ବନ୍ଦ ହେଲା । ବାସୁଦାସ କହିଲା, ‘‘ଆମ ଏଠି ମାତାମାନେ ପୋଡ଼ା ହୁଅନ୍ତି ନାହିଁ । ମାତା ଜଣେ ମରିଗଲେ, ପୋଲିସଙ୍କ ଦରିଆରେ ମଠର ଖଞ୍ଜା ସମ୍ପତ୍ତିରୁ ଗୋଟିଏ ବଡ଼ ସିନ୍ଦୁକ ଆସେ । ମାତାଙ୍କୁ ସେ ସିନ୍ଦୁକରେ ପୂରାଇବାକୁ ହୁଏ । ତା’ପରେ ମୁଁ ମାଳୀ କି ନା, ସିନ୍ଦୁକରେ କଣ୍ଟା ମାରି ବନ୍ଦ କରିବା କାମ ମୋ ଦେହାତି । ଯୋଉ ଘରେ ଏ ସବୁ କାମ ହୁଏ, ସେଠେଇ ରାଣୀମାତାଙ୍କ ଛଡ଼ା ଆଉ କେହି ରହନ୍ତି ନାହିଁ । ମୁଁ ଅବଶ୍ୟ ରହେ, ଆଉ ସିନ୍ଦୁକ-ବୁହାଳିମାନେ ରହନ୍ତି । ତେବେ ଆମେଗୁଡ଼ାକ କୋଉ ମଣିଷରେ ଲେଖା ? ସିନ୍ଦୁକଟା ଆସିଲାବେଳକୁ ଖାଲି ଆସେ; ମାତ୍ର ଏଣୁ ଗଲାବେଳକୁ ଗୋଟିଏ ମଡ଼ା ଭର୍ତ୍ତି ହୋଇଯାଏ । ଯାଇ ତ ମାଟି ଭିତରେ ପୋତା ହୁଏ । ସେଠି ଯେ ପୋତିବା ଲୋକ ଅଛି, ତା’ ସାଥିରେ ମୋର ମନ ମିଳେ । ତା’ ନାଁ ଜଗନାଥିଆ । ଦେଖାଯାଉ, କ’ଣ ହେଉଚି; କାଲିଠୁ ତ ଏ ମଠରେ ଏକ ନ ହେବା କଥା ହେଇଛି, ଦେବାନ– ।’’ ମାତା ମରିଚନ୍ତି ଆଉ ସେହି ସମୟକୁ ବାସୁଦାସ କହି ନ ସାରୁଣୁ ତା’ ତୁଣ୍ଡରୁ କଥା ଛଡ଼ାଇନେଇ, ପାଣୁ ନାଏକ ଟିକିଏ ହସି କହିଲା, ‘‘ପୋତା ହେବେ ।’’
ଶୁଣି ବାସୁଦାସ ଉତ୍ତର ଦେଲା, ‘‘ଏଠି ରହିବା, ଦେବାନ ହଜୁର, ପୋତା ହବାଠୁ କିଛି କମ୍ ନୁହେଁ ।’’ ତେଣେ ମଠରେ ଘଣ୍ଟା ବାଜିଲା । ବାସୁଦାସ କହିଲା, ‘‘ଏଟା ମୋ ପାଇଁ । ମୋତେ ଡାକରା ପଡ଼ିଲା । ମତେ କ’ଣ ବରାଦ କରିବେ । ଦେବାନ ଆପଣେ, ତୁମେ ଘରୁ ବାହାରିବ ନାହିଁଟି । ଶିକାରେ ମୁଢ଼ି ଉଖୁଡ଼ା ପୁଞ୍ଜିଏ ଅଛି, ଖାଇବ । ମୁଁ ଯାଉଚି ।’’ କହି, ବାସୁଦାସ ଘଣ୍ଟି ଠନ୍ଠନ୍ ଶବ୍ଦରେ ମାତାମାନଙ୍କୁ ଗୋରୁପଲ ପରି ତଡ଼ିନେଇ ମଠ ଭିତରେ ଯାଇ ହାଜର ହେଲା । ରାଣୀମାତା ଗାଦିରେ ବାଘଛାଲ ଉପରେ ବସିଥିଲେ । ମାଳୀ ଯାଇ ଗୋଡ଼ତଳେ ମୁଣ୍ଡିଆ ମାରି ହାତ ଯୋଡ଼ି ଠିଆହେଲା । ମାତା ଆଖି ବୁଜି ମାଳି ଗଡ଼ାଉଥିଲେ, ବାସୁଦାସ କାଶି ନିଜର ଉପସ୍ଥିତି ଜଣାଇବାରେ ମୁଣ୍ଡ ଟେକି ଚାହିଁଲେ । କହିଲେ, ‘‘ବାସୁ ମୁଁ ତୋତେ ଗୋଟାଏ କଥା କହିବାକୁ ଡାକିଲି-।’’
ବାସୁଦାସ କହିଲା, ‘‘ମଣିମା, ମୋର ମଧ୍ୟ ଗୋଟିଏ କଥା ହଜୁରରେ ଜଣାଇବାକୁ ଅଛି-।’’ କହିସାରି, ବାସୁଦାସ ଥରିବାକୁ ଲାଗିଲା । ରାଣୀମାତା ଦେଖି କହିଲେ, ‘‘ଡର ନା, ବାସୁ । ଯାହା କହିବୁ, କହନା ।’’ ବାସୁ ସାହାସ ପାଇ କହିବାକୁ ଲାଗିଲା, ‘‘ମଣିମା, ମୁଁ ହଜୁରଙ୍କ ଦାନା ଖାଇ ଏଇ ମଠ ଭିତରେ ଦି’ ବର୍ଷ ହେଲା କାମ ଚଳେଇ ଆସିଲି । ଏଣିକି ବୁଢ଼ା ହେଇଗଲି; ପାଦ ଥକିଗଲାଣି, ଦେହରେ ଆଉ ବଳ ନାହିଁ । ଦିନରାତି କାମକୁ ମୁଁ ପାରୁନାହିଁ । କାଲି ରାତିସାରା ମୋତେ ବଗିଚାରେ ପାଣି ଦବାକୁ ପଡ଼ିଲା । ମଣିମା ଯେବେ ହୁକୁମ ଦିଅନ୍ତେ, ମୋର ଜଣେ ଭାଇ ଅଛି, କିଛି ଟୋକା ଭେଣ୍ଡା ନୁହେଁ, ମୋରି ପରି ବୁଢ଼ା; ମୁଁ ତାକୁ ଆଣି ମୋ ସାଥିରେ ରଖନ୍ତି । ସେ ବଗିଚା କାମ ମୋ’ଠୋଉଁ ଦିଗୁଣ ଜାଣେ । ଆଉ ତା’ର ଗୋଟିଏ ଝିଅ ଅଛି । ସେ ମଧ୍ୟ ଏଠେଇ ପିଲାମାନଙ୍କ ସାଥିରେ ମାତା ହୋଇ ରହିଯିବ ।’’
ବାସୁଦାସ ଭାଇ କଥା କହିଲାବେଳେ ରାଣୀମାତା ଗୋଟାଏ ପୁରୁଷ ବିଷୟ ଶୁଣି ଚମକି ପଡ଼ିଥିଲେ । ସେ ତା’ ବକ୍ତବ୍ୟ କହି ଶେଷକଲା । ତାହା ନ ଶୁଣିଲାପରି ରହି ରାଣୀମାତା କହିଲେ, ‘‘ବାସୁ, ତତେ ଆମ ବଗିଚା ଭିତରେ ଗୋଟିଏ ଗାତ ଖୋଳିବାକୁ ହବ ।’’
‘‘କାହିଁକି, ମଣିମା ? ଆଃ ମୋ ଭାଇ କି ଗାତଖୋଳି ଜାଣେ କି !’’
‘‘ଆଜି ମାତା କୃଷ୍ଣପ୍ରିୟା ଦେହ ଛାଡ଼ିଚନ୍ତି, ଜାଣିଚୁ ତ ? ତାଙ୍କ ସମାଧି ଏଇ ମଠଭିତରେ କରିବାକୁ ଭାବୁଚି ।’’
‘‘କୋମ୍ପାନୀଘର ଛତରା ହାକିମଗୁଡ଼ାକ କ’ଣ ସେ କଥା କେବେ କରେଇ ଦେବେ ? କେଡ଼େ ଭଲ ହୁଅନ୍ତା କି । ଆହା, ମାତା ଚାଲିଗଲେ ।’’
‘‘ନା, ମାଣିମା । ମୁଁ ତ ଗୋଟାଏ କଣରେ ସେଆଡ଼େ ଯାଇ ପଡ଼ିଚି । ମୁଁ କାହିଁକି ଜାଣିମି ଏଠେଇ କ’ଣ ହେଉଚି, ନ ହେଉଚି ?’’
‘‘ତୁ ସଂକୀର୍ତ୍ତନ ଶୁଣି ନାହୁଁ ? ଯାହାହେଉ, ତାଙ୍କ ସମାଧି ଏଇଠି କରିବାକୁ ହବ । ସରକାରୀ ହାକିମମାନେ ଯାହା କହନ୍ତୁ ପଛକେ, ମାତାଙ୍କ କଥା ରଖିବାକୁ ହବ । ସେ ଏଇ ମଠ ଭିତରେ ଅଶ୍ୱତ୍ଥ ଗଛମୂଳେ ସମାଧି ଘେନିବାକୁ ଥରକୁ ଥର କହି ଯାଇଚନ୍ତି ।’’
‘‘ତାଙ୍କ ପରି ମାତା ଜଣେ ଆଉ କ’ଣ କିଏ ହବ ? ମୁଁ ହୀନକପାଳିଆ; ତାଙ୍କ ଦର୍ଶନ ପାଇବି ପାଇବି ବିଚାରୁ ବିଚାରୁ ସେ ସ୍ୱର୍ଗକୁ ଚାଲିଗଲେ, ମୁଁ ପାଇପାରିଲି ନାହିଁ । ସେ ବଞ୍ଚି ଥାଉଥାଉ ମୋତେ ଟିକିଏ ଫୁଙ୍କି ଦେଇଥିଲେ, କ’ଣ ମୋ ଏ ଛୋଟାଗୋଡ଼ ଆଉ ଏମିତି ରହିଥାନ୍ତା-? ଶହ ଶହ ଲୋକ ତାଙ୍କ ହାତେ ତରିଚନ୍ତି ପରା ।’’
ରାଣୀମାତା ମାଳି ଗଡ଼ାଇବାରେ ଲାଗିଥିଲେ । ବାସୁଦାସ କହିସାରିବା ପରେ ସେ କହିଲେ, ‘‘କୃଷ୍ଣପ୍ରିୟା ଯୋଉ ଖଟରେ କୋଡ଼ିଏବର୍ଷ କାଳ ଶୋଇଚନ୍ତି, ସେହି ଖଟ ସହିତ ତାଙ୍କୁ ସମାଧି ଦବାକୁ କହି ଯାଇଛନ୍ତି । ଆଜି ସମାଧି ହବ ନାହିଁ । ସେ କହିଚନ୍ତି, ଆଜିକାଲି ଦି ଦିନ ଅଷ୍ଟପ୍ରହରୀ ହେଲାପରେ ପରଦିନକୁ ସମାଧି ହବ । ତୁ ମାଟିରେ ଗୋଟିଏ ବଡ଼ ଗାତ ଖୋଳି ରଖ-।’’
‘‘ଖୋଳିବି ମଣିମା ! ହଜୁର ହୁକୁମ ଦେଲେ, କାଲିକି ମୋ ଭାଇ ମଧ୍ୟ ଆସିଯିବ । ଦିହେଁ ମିଶିଲେ ଗାତ ଖଣ୍ଡେ କ’ଣ, ଅଧା ପୋଖରୀଟାଏ ଖୋଳି ପକେଇବୁ । ଆଚ୍ଛା, ଭଲ କଥା ମନେ ପଡ଼ିଲା । ତେଣୁ ଯେ ସିନ୍ଦୁକ ଆସିବ, କ’ଣ ଓ୍ୱାପସ ଚାଲିଯିବ ?’’
‘‘ନା, ତା’ କୋଉଠେଇ ହବ ? ସେଟାକୁ ସମାଧି ସ୍ଥାନରେ ବିଧିମତେ ନେଇ ପୋତିବାକୁ ପଡ଼ିବ ପରା । ନ ହେଲେ ଧରିବେ ଯେ ।’’
‘‘ହଁ, ମାତାଙ୍କ ସମାଧି ତ ଏ ଭିତରେ ହବ ନା’ ଖାଲି ସିନ୍ଦୁକ ନୁହେଁ ତ ଆଉ କ’ଣ ? କ’ଣ, ହୋଇପାରିବ ନାହିଁ ?’’
‘‘ଉଶ୍ୱାସ ହେଲେ ଯେ ଜଣା ପଡ଼ିଯିବ । ବୁହାଳିମାନେ କଥା ଫିଟେଇ ଦେବେନାହିଁ ? କାହା ତୁଣ୍ଡରେ କେତେ ହାତ ଦବା ?’’
‘‘ସତ କଥା, ତା’ ତ ଦେଇପାରନ୍ତି; ମାତ୍ର ଉପାୟ କ’ଣ ?’’
‘‘ମଣିମା, ମୁଁ ସିନ୍ଦୁକରେ ମାଟି ଭରତି କରିଦେବି ।’’
‘‘ଠିକ୍ କଥା । ମାଟି ଓଜନ ମଣିଷ ଓଜନ ସାଙ୍ଗେ ପ୍ରାୟ ସମାନ । ତା’ପରେ ପୁଣି, ଏଇ ମଣିଷ ତ ମାଟି ହେଉଚି । ଏ ଉପାୟଟା ବେଶ୍ । କୃଷ୍ଣପ୍ରିୟାଙ୍କୁ ମୁଁ ଭାରି ସ୍ନେହ କରୁଥିଲି, ବାସୁ । ସେପରି ଆଉଜଣେ କାହୁଁ ପାଇବି ?’’ କହୁଁ କହୁଁ ରାଣୀମାତାଙ୍କ ଦୁଇ ଆଖିରୁ ଦୁଇ ଟୋପା ଲୁହ ଗଡ଼ିପଡ଼ିଲା । ସେ ହଠାତ୍ ତାହା ପୋଛି ପକାଇ କହିଲେ, ‘‘ଆହା, ମୋ ଆଖିରୁ ଗଙ୍ଗାଜଳ ଝରି ପଡ଼ୁଚି ।’’ ମାତାମଠରେ ମାତାମାନେ ମଠର ନିୟମ ଅନୁସାରେ କାନ୍ଦିବାକୁ ମନା ଥାଏ । ଦୁଃଖରେ କାନ୍ଦିବା ଯେପରି, ସମ୍ପଦରେ ହସିବା ମଧ୍ୟ ସେହିପରି ଦୁର୍ବଳତା ବୋଲି ସେମାନେ ସ୍ଥିର କରିଥିଲେ-। ବାସୁଦାସ ରାଣୀମାତାଙ୍କ ନିକଟକୁ ଆସି ପହଞ୍ଚିବାବେଳେ ତାଙ୍କ ମୁଖମଣ୍ଡଳରେ ଯେଉଁ ବିଷାଦର ଛାୟା ଦେଖିଥିଲା, ତାହା ଆଉ ରହିଲା ନାହିଁ । କୃଷ୍ଣପ୍ରିୟାଙ୍କୁ ମଠର ସାଧାରଣ ସମାଧି ଭୂମିରେ ବିସର୍ଜନ ନ କରି ମଠ ଭିତରେ କିପରି ସମାଧି ଦେବାକୁ ହେବ, ଅଥଚ ସେ କଥା ସରକାରୀ କର୍ମଚାରୀମାନଙ୍କୁ ଜଣାପଡ଼ିବ ନାହିଁ, ତାହା ସେ ବୁଝିପାରୁ ନ ଥିଲେ । ବାସୁଦାସ କଥା ଶୁଣିବା ପରେ ତାଙ୍କୁ ବାଟ ପରିଷ୍କାର ଦେଖାଗଲା । ସୁତରାଂ ବାସୁଦାସ ଫେରିଯିବା ବେଳେ ସେ କହିଲେ, ‘‘ବାସୁ, ମୁଁ ତୋଠେଇ ବଡ଼ ପ୍ରସନ୍ନ ହେଲି । ଆଜି ତୋ ଭାଇକି ଆଣ୍ । ଆଉ ତା’ ଝିଅ ମଧ୍ୟ ଆସୁ ।’’
ବାଟଯାକ ଚିନ୍ତାଗ୍ରସ୍ତ ହୋଇ, ଧୀରେ ଧୀରେ ଚାଲି ବାସୁଦାସ ପ୍ରାୟ ଘଡ଼ିକ ପରେ ବସାରେ ଯାଇ ପହଞ୍ଚିଲା । ରମା ନିଦରୁ ଉଠି ବସିଥିଲା । ପାଣୁ ନାଏକ ତାକୁ କହୁଥିଲା, ‘‘ମା’ ରମା, ଶୁଣ୍, ଆଜି ଆମକୁ ଏଠୋଉ ଚାଲି ଯିବାକୁ ହବ । ତେବେ, ଯାଇ ଆମେ ଫେରେ ଆସିବା-। ଆସିଲେ ଏଠେଇ ଖୁବ୍ ସୁଖରେ ରହିବା । ତୋର ଏ ମଉସା ତୋତେ ତାଙ୍କ ଟୋକେଇରେ ବସେଇ ଘେନିଯିବେ । ମୁଁ ପଛେ ଯାଇ ପହଞ୍ଚିବି । ତୁ କାନ୍ଦିବୁ ନାହିଁ, କି ପାଟିତୁଣ୍ଡ କିଛି କରିବୁ ନାହିଁ-। କଲେ, ବୁଝିଥା, ସାଉଆଣୀ ଆସିବଟି ।’’ ରମା ମୁଣ୍ଡ ନାଡ଼ି ସମ୍ମତି ଜଣାଇଲା ।
ଦ୍ୱାର ଫିଟାଇ ବାସୁଦାସ ଘର ମଧ୍ୟରେ ଗୋଡ଼ ପକାଇଲା ଦେଖି, ପାଣୁ ନାଏକ ଆଗ୍ରହରେ ପଚାରିଲା, ‘‘କ’ଣ ହେଲା ?’’ ‘‘ସବୁ ଠିକ୍ ହୋଇଗଲା । ମୁଁ ତୁମକୁ ଆଣିବାକୁ ରାଣୀମାତା ହଁ କଲେ । ତେବେ କଥା ହେଉଚି, ତୁମେ ବାହାରକୁ ଯାଉଚ କିମିତି ? ଏ ପିଲା ତ ଚାଲିଯିବ । ତୁମ କଥା ପଡ଼ିଚି ଭାବନା । ସବୁ ପୁଣି ଆଜି ଭିତରେ ହବା ଦରକାର । ତୁମର ଏ ଝିଆରୀ ନା ନାତୁଣୀ, କଣଟି ତୁମର ? ରାଣୀମା ରମାକୁ ଆଜି ନେଇ ଆସିବାକୁ ହୁକୁମ ଦେଇଛନ୍ତି-।’’ କହିସାରି, ବାସୁଦାସ ରାଣୀମାତାଙ୍କଠାରୁ ଶୁଣିଥିବା ସମସ୍ତ ବୃତ୍ତାନ୍ତ ପାଣୁ ନାଏକକୁ ଗୋଟିଗୋଟି କରି କହିଗଲା, କିଛି ଲୁଚାଇଲା ନାହିଁ । ତା’ପରେ ସେ କହିଲା, ‘‘ବାହାରକୁ ଯେ ସିନ୍ଦୁକ ଯିବ, ମତେ ତା’ ସାଥିରେ ଯିବାକୁ ପଡ଼ିବ । ସେଠି ଯେ ଲୋକ ମାଟି ପୋତେ; ତା’ ସହିତ ମତେ ରହିବାକୁ ହବ-। ପୋତା ସରିଲେ ମୁଁ ପୁଣି ଫେରିଆସିବି । ଖାଲି ଗୋଟାଏ କଥା ସିନ୍ଦୁକଟା ଯେ ଖାଲି ରହିବ, କାଳେ କିଏ କୁଆଡ଼େ ସୁରାଖ ପାଇଯିବ କେଜାଣି ?’’
‘‘ଖାଲି କାହିଁକି ରହିବ ? ସେଥିରେ ଯାହା ରହିବା କଥା, ରଖିବ ନାହିଁ କାହିଁକି ? ଖାଲି ରଖିଲେଇ ତ ଗଣ୍ଡଗୋଳ ଭିଆଇବ ?’’
‘‘ରଖିବା କଥା ମଡ଼ା ? ମଡ଼ାଟାଏ ପୁଣି କୋ’ଠୁ ପାଇବି ?’’
‘‘ତାହାହେଲେ ଜିଅନ୍ତା ଲୋକଟାଏ ରଖ ।’’
‘‘ଜିଅନ୍ତା ! କାହାକୁ ?’’ ବାସୁଦାସ ଜିଭ କାମୁଡ଼ିଦେଲା ।
ପାଣୁ ନାଏକ ଗମ୍ଭୀର ସ୍ୱରରେ ଉତ୍ତର ଦେଲା, ‘‘କାହିଁକି, ମୋତେ ।’’ ଶୁଣି ବାସୁଦାସ କହିଲା, ‘‘ଦେବାନ ଆପଣ, ତୁମେ ମୋ ସାଙ୍ଗେ ପରିହାସ କରୁଚ । କ’ଣ ବାଟ ଅଛି, ଠିକ୍ କହ ନା-।’’
‘‘ନା, ଠିକ୍ କଥା କହୁଚି, ପରିହାସ ନୁହେଁ । ମୋତେ ତ ଫେରେ ଏଠୋଉ ବହାରି ପଦାକୁ ଯିବାକୁ ହବ ?’’
‘‘କେହି ନ ଜାଣି ତ ଯିବି । ଆଚ୍ଛା; ସିନ୍ଦୁକ ଅଛି କୋଉଠି ?’’
‘‘ନାହିଁ; ଆସିବ । ଆସି ଦେଉଳ ଆଗେ ସମାଧି ଘରେ ରହିବ ।’’
‘‘ସିନ୍ଦୁକଟା କେତେ ବଡ଼, କହ ଦେଖି ।’’
‘‘ଏଇ ପାଖରେ, ଏ ବଗିଚା ଭିତରେ ନିର୍ଜନ ସ୍ଥାନରେ ।’’
‘‘ସିନ୍ଦୁକ କେତେବେଳେ ଆସିବ ?’’
‘‘ଆସିବ ଠିକ୍ ତିନିଟା ବାଜିଲାବେଳେ ।’’
‘‘ଆଚ୍ଛା, ମୁଁ ସମାଧି ଘରକୁ କିପରି ଯାଇ ପାରିବି ?’’
‘‘ଯିବାର କିଛି ଉପାୟ ନାହିଁ । ସିନ୍ଦୁକ ଆସି ପହଞ୍ଚିଲା ସାଙ୍ଗେ ସାଙ୍ଗେ ସେଠି ଲୋକାରଣ୍ୟ ହବ । ମୁଁ ତା’ ପୂର୍ବରୁ ସମାଧି ଘର ଭିତରେ ଯାଇ ବନ୍ଦ ହେଇ ରହିଥିବି । ତୁମେ ଆଉ ଯିବ କିପରି ?’’
‘‘ନା, ସିନ୍ଦୁକ ପହଞ୍ଚିବା ଆଗରୁ, କେହି ଆସି ନ ଥିବାବେଳେ, ମୋତେ ସେଠାକୁ ନେଇଯାଅ । ତେବେ ତ କାମ ଫତେ ।’’
‘‘ଏଇ ଦିନବେଳେ ? ଆଉ ମୁଁ ଗୋଟାଏ ପୁରୁଷ ଲୋକକୁ ସାଥିରେ ଧରି ଯିବି ? ପୁଣି କୋଉଠୁକୁ, ନା ମଠ ଭିତରକୁ ?’’
‘‘ନା, ସ୍ତ୍ରୀଲୋକ, ପୁରୁଷ ନୁହେଁ ।’’
‘‘ସ୍ତ୍ରୀ ଲୋକ ! କିମିତି ?’’
‘‘ସେ ଠିକ୍ ହବ, କାମବେଳେ ଦେଖାଯିବ ।’’
ଘଣ୍ଟାରେ ଦୁଇଟା ବାଜିଲା ପୂର୍ବରୁ ପାଣୁ ନାଏକ ତା’ ଛୋଟିଆ ବାକ୍ସଟି ଭିତରୁ ଖଣ୍ଡିଏ ଛିଣ୍ଡା ଗଇଣ୍ଠା କନା ବାହାରକଲା । ସେ କନା ଖଣ୍ଡି ରମା ଦୀନା ସାହୁ ଘରେ ପିନ୍ଧୁଥିଲା । ରମାକୁ ପାଟ ପିନ୍ଧାଇ ପାଣୁ ନାଏକ ସେ ଖଣ୍ଡି ପାଲଟାଇ ସଙ୍ଗରେ ନେଇଆସି ଥିଲା । ତାହା ସେ ଗୋଟାଏ ଛୋଟିଆ ବାକ୍ସରେ ବନ୍ଦ କରି କୁଞ୍ଚି ପକାଇ ରଖିଥିଲା । ଦର୍ଜିକୋଠାରୁ ପାଣୁ ନାଏକ ତାକୁ ଧରି ଚାଲିଆସିଲାବେଳେ ସେ ବାକ୍ସଟି ଥଳିରେ ପୂରାଇବାର ଦେଖି ରମା ପଚାରିଥିଲା, ‘‘ବାପା, ଏଇଟା କାହିଁକି ବୋହୁଚ ? ଇଥେରେ କ’ଣ ଅଛି ?’’ ବାପା ଉତ୍ତର ନ ଦେଇ, ତାକୁ ସାଥିରେ ଧରିବାର ଦେଖି ରମା ମନକୁ ମନ କହିଥିଲା, ‘‘ଏଟା ଅଛଡ଼ା, ୟାକୁ ପାଖରୁ ଛାଡ଼ିବାକୁ ହବନାହିଁ ।’’ ସେହି ‘ଅଛଡ଼ା’ ଭିତରୁ ପାଣୁ ନାଏକ ରମାର ପୂର୍ବର ଛିଣ୍ଡା ପରିଧେୟ କାଢ଼ି ତାକୁ ପିନ୍ଧିବାକୁ ଦେଲା ଏବଂ ନିଜେ ତା’ ଛୋଟିଆ ପାଟଖଣ୍ଡି ପିନ୍ଧି, ବାସୁଦାସକୁ ପଚାରିଲା, ‘‘ଦାସେ, ଦେଖିଲ, ଏଥର ଚଳିବ ତ ?’’
ଦେଖି, ବାସୁଦାସ କହିଲା, ‘‘ଦେବାନ ଆପଣେ, ତୁମେ ପକା କଡ଼ାଏ ଏକା, ଦେଖିଲି । ନୋହିଲେ କି ତୁମେ ଦେବାନ ହେଇଥାନ୍ତ, ଆଉ ମୁଁ ମାଳୀ ହୋଇ ପଡ଼ିଥାନ୍ତି ? ହେଲେ, ଏ ନାଲିଆ ପାଟ ଚଳିବ ନାହିଁ । ଏଠେଇ କେହି ନାଲିଆ, କଳା କି ଛିଟ ଲୁଗା ପିନ୍ଧନ୍ତି ନାହିଁ ପରା । ଦେଖିଲା ମାତ୍ରେ ଆଖି ପଡ଼ିଯିବ । କିଏ ଅବଶ୍ୟ ଦେଖୁଚି ଅବା ? ତେବେ ସତର୍କ ହେଇ କାମ କରିବା ଭଲ । ଏଟା ଚଳିବ ନାହିଁ ।’’
ବାସୁଦାସ ଚୂନପତ୍ର ଖାଏ । ମଠ ମଧ୍ୟରେ ରୋଜ ଚୂନ ଖୋଜିବା ଧନ୍ଦାରୁ ମୁକ୍ତି ପାଇବା ନିମନ୍ତେ, ସେ ପୁରୀରୁ ମଠକୁ ମହାପ୍ରସାଦ ଅଣାହେଲାବେଳେ କୁଡ଼ୁଆଏ କଲିଚୂନ ଅଣାଇ ରଖିଥାଏ । ପାଣୁ ନାଏକ ଆଖି କଲିଚୂନ କୁଡ଼ୁଆ ଉପରେ ପଡ଼ିଲା । ସେ ପାଟ ଖଣ୍ଡି ପାଲଟି, ଚୂନପାଣିରେ ବୁଡ଼ାଇ, ଧଳା କରିନେଲା । ଦେଖି, ବାସୁଦାସ କହିଲା; ଏଥର ଚମତ୍କାର । ବୁଦ୍ଧିକି ପରା କେହି ପାଏନାହିଁ, ଦେବାନେ ।’’ କହି, ସେ ପାଣୁ ନାଏକକୁ ଧରି, ଛପି ଛପି ସମାଧି ଘରକୁ ଚାଲିଗଲା । ସମାଧିଘର ଗୋଟିଏ ନିତାନ୍ତ ଅନ୍ଧାରିଆ ସ୍ଥାନ । ସେ ଘରେ ଦିନବେଳେ ସୁଦ୍ଧା ଦୀପ ଜାଳି ସିନ୍ଦୁକରେ କଣ୍ଟା ମାରିବାକୁ ହୁଏ । ସେଠାରେ ପହଞ୍ଚି, ପାଣୁ ନାଏକ ଗୋଟାଏ କଣରେ ଯାଇ ଲୁଚି ରହିଲା । ବାସୁଦାସକୁ କହିଲା, ‘‘ସିନ୍ଦୁକ ଆସି ପହଞ୍ଚିଲା ମାତ୍ରେ ମୁଁ ସେଥିରେ ପଶି ଶୋଇପଡ଼ିବି । ତୁମେ ସାଙ୍ଗେ ସାଙ୍ଗେ କଣ୍ଟା ମାରିଦବଟି ।’’
‘‘ନା, ଦେବାନେ, ମୁଁ ପାରିବିନାହିଁ । ମୋତେ ଯେ ବଞ୍ଚାଇଚି ତାକୁ ଜାଣୁ ଜାଣୁ ମାରିଦେବି-? ଏଟା ହବା କଥା ନୁହେଁ ।’’