ବାଘ ହାତେ ମିରିଗ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବାଘ ହାତେ ମିରିଗ
ସକାଳେ ଜଜାରସିଂହ ଲୋକେ ଦୁଆର ଫିଟାଇ ଘରୁ ବାହାରି ଦେଖିଲେ ଯେ ଗୋଟାଏ ଲମ୍ବା କାଳିଆ ବୁଢ଼ା ସଙ୍ଗରେ ଗୋଟିଏ ଅଳ୍ପ ବୟସର ବାଳିକା, କାଖରେ ବଡ଼ କଣ୍ଢେଇଟିଏ ଧରି, ଚାଲିଛି । ବୁଢ଼ାକୁ କେହି ତ ଚିହ୍ନିଲେ ନାହିଁ, ବାଳିକାକୁ ମଧ୍ୟ ତା’ ନୂଆ ବେଶରେ ଅତି ଅଳ୍ପ ଲୋକ ଚିହ୍ନିଲେ । ଯେ ଚିହ୍ନିଲା କହିଲା, ‘‘ଆଜି ପୂର୍ବ ଦିନରେ କୁକୁଡ଼ା ପାଟ ପିନ୍ଧି କୁଆଡ଼େ ଚାଲିଚି ?’’
ଆଗନ୍ତୁକ ସହିତ ରମା ଚାଲିଯିବାର କିଛି ସମୟ ପରେ, ତେଣେ ଚଟିଘର ଭିତରେ ଦୀନା ସାହୁ ଭାର୍ଯ୍ୟାକୁ ଡାକି ନୋଟ୍ କାଗଜ ଦୁଇଖଣ୍ଡି ଦେଖାଇ କହିଲା ‘‘ଏଇ ଦେଖ୍, ଦେଢ଼ ହଜାର ଟଙ୍କା । ସେ ଭାର୍ଯ୍ୟାଠାରୁ ପ୍ରଶଂସା ପାଇବ ବୋଲି ଯେ ଆଶା କରିଥିଲା, ପାଇଲା ନାହିଁ । ବରଂ ସାହୁଆଣୀ ମୁହଁ ଶୁଖାଇ କହିଲା, ‘‘ଏତିକି ?’’ ସାହୁ ସାହୁଆଣୀ ଦୁହେଁ ହାତ ଧରାଧରି ହେଲା ଦିନୁଁ ସାହୁଆଣୀ ସ୍ୱାମୀର କାର୍ଯ୍ୟ ଏହି ପ୍ରଥମଥର ନାପସନ୍ଦ କଲା । ପ୍ରେୟସୀର କଥାରେ ବିବ୍ରତ ହୋଇ ଦୀନା ସାହୁ କହିଲା, ‘‘ତୁ ଠିକ୍ କହିଚୁ । ମୁଁ ଗୋଟାଏ ଗଧ । ଆଣ, ମୋ ବାଡ଼ିଖଣ୍ଡ ଦେ ।’’ ଦୀନା ସାହୁ ଘରୁ ବାହାରିପଡ଼ିଲା । ବାଟରେ ଗଲାବେଳେ ସେ ମନକୁ ମନ କହିଲା, ‘‘ସେ ନିଶ୍ଚୟ ଗୋଟାଏ କୋଟିପତି, ଆଉ ମୁଁ ବଳଦ । ଆଖିରେ ଦେଖିଲି, ଲୋକଟା କଥା ପଦକେ ପ୍ରଥମେ ଟଙ୍କାଏ, ତା’ପରେ ନ ଟଙ୍କା, ତା’ପରେ ପୁଣି ପନ୍ଦରଶହ ଟଙ୍କା ଗଣିଦେଲା । ମୁଁ ଧରିଥିଲେ କ’ଣ ପନ୍ଦରହଜାର ଦେଇ ନ ଥାନ୍ତା ? ଯାହାହେଉ, ଏବେ କ’ଣ ଛାଡ଼ୁଚି ?’’
ସେ ଅନେକ ବାଟ ଚାଲିଲା, କିନ୍ତୁ ରମା ବା ସେ ବୁଢ଼ାର ଭେଟ ପାଇଲା ନାହିଁ; ତହୁଁ ସେ ଧାଇଁବାକୁ ଲାଗିଲା । ଧାଇଁ ଧାଇଁ ଥକିଲାବେଳକୁ ଦେଖିଲା, ଖଣ୍ଡେ ଦୂରରେ ଦୁହେଁଯାକ ବସିଛନ୍ତି । ସେ ପାଖକୁ ଯାଇ କହିଲା, ‘‘ମୋତେ ମାଫ କରିବ, ମହାଜନ ଭାଇ ! ଏଇ ତୁମ ଦେଢ଼ହଜାର ଟଙ୍କା ଫେରସ୍ତ ନିଅ ।’’ ବୁଢ଼ା ଟିକିଏ ମୁଣ୍ଡ ଟେକି ଚାହିଁ ପଚରିଲା, ‘‘କଥା କ’ଣ ?’’
‘‘କଥା ଏଇ ଯେ ମୁଁ ରମାକୁ ଫେରେଇ ନେଇଯିବି ।’’ ଶୁଣି, ରମା ଚମକିପଡ଼ିଲା, ବୁଢ଼ାକୁ ଯାକିଧଇଲା ଏବଂ ବିକଳ ସ୍ୱରରେ କାନ୍ଦିବାକୁ ଲାଗିଲା । ବୁଢ଼ା ପଚାରିଲା, ‘‘ତୁମେ ୟାକୁ ନବାକୁ ଆସିଚ ?’’
‘‘ହଁ । ପନ୍ଦର ଶହ କ’ଣ ପନ୍ଦର ଲକ୍ଷ ପାଇଲେ ମଧ୍ୟ, ମୁଁ ୟାକୁ ଛାଡ଼ିପାରିବି ନାହିଁ । ୟା ମା ୟାକୁ ମୋ ହାତେ ସମ୍ପିଦେଇ ଯାଇଚି । ତୁମେ ହୁଏତ କହିବ ଯେ ସେ ମରିଗଲାଣି । ହଉ, ତେବେ ମା ହାତ ଲେଖା ଟିକିଏ ମୋତେ ଦେଖାଅ । ସେ ଯଦି ଲେଖିଦେଇଥିବ, ମୁଁ କାହିଁକି ମନା କରିବି ? ସେତିକି ହେଲେ ହେଲା ।’’
ବୁଢ଼ା କିଛି ନ କହି ଥଳି ଭିତରେ ହାତ ପୂରାଇଲା । ଥଳି ଭିତରୁ ନୋଟ କାଗଜ ବିଡ଼ାଏ ଦେଖାଗଲା । ଟଙ୍କା ମୋହର ମଧ୍ୟ ଝଣଝଣ ହୋଇ ବାଜିଲା । ଦୀନା ସାହୁ ଖୁସି ହୋଇ ମନକୁ ମନ କହିଲା, ‘‘ଆଉ ମୁଠାଏ ନିଶ୍ଚୟ ମିଳିବ । ଏ ମୋତେ ଲାଞ୍ଚ ଦେଇ ରମାକୁ ନେଇଯିବାକୁ ବସିଚି-। ଯାହା ପାରିବି, ଛାଟିନବା ଦରକାର ।’’
ବାଟୋଇ ବୁଢ଼ା ଥଳି ଭିତର କିଛି ସମୟ ଖୋଜି, ଖଣ୍ଡିଏ ଛୋଟିଆ କାଗଜ ବାହାରକରି ଆଣିଲା । ତାକୁ ଦୀନା ସାହୁ ହାତରେ ଦେଇ କହିଲା, ‘‘ଠିକ୍ କଥା କହୁଚ, ପଢ଼ ।’’ ଦୀନା ସାହୁ କାଗଜ ଧରି ପଢ଼ିଲା ।
‘‘ଜଜାରସିଂହ ଚଟିଘର ମାଲିକ ଦୀନା ସାହୁ ଜାଣିବ, ଏ ପତ୍ରବାହକ ସଙ୍ଗେ ରମାକୁ ଛାଡ଼ିଦେବ । ୟାଙ୍କଠାରୁ ତୁମର ପାଉଣା ପତ୍ର ସବୁ ବୁଝିନେବ ।’’
ତୁମର
ଶ୍ରୀମତୀ ରାଧା ଦେବୀ
ବୁଢ଼ା ପଚାରିଲା, ‘‘ଦସ୍ତଖତ ଚିହ୍ନିପାରୁଚ ?’’ ଦୀନା ସାହୁ ନିରୁତ୍ତର ହୋଇ ରହିଲା । ତହୁଁ ବୁଢ଼ା ପୁଣି କହିଲା, ‘‘କାଗଜ ଖଣ୍ଡିକ ପାଖରେ ରଖ । ଯେବେ ପିଲାର ମା’ ଆସେ ତାକୁ ଦେଖେଇବ ।’’ ଶୁଣି, ଦୀନା ସାହୁ କହିଲା, ‘‘ଦସ୍ତଖତଟା ବେଶ୍ ଜାଲ କରି ଆଣିଚ । ହେଲେ, ସେଥିରେ ମୋର କ’ଣ ଅଛି ? ମୋ ପାଉଣା ପାଇଲେ ମୁଁ ତୁନି ହୋଇ ରହିବି ।’’ ଶୁଣି ବୁଢ଼ା ବସିବା ସ୍ଥାନରୁ ଉଠି ଠିଆ ହେଲା ଏବଂ ଗୁରୁ ଗମ୍ଭୀର ସ୍ୱରରେ କହିଲା, ‘‘ଦୀନା ସାହୁ, ତୁମେ ଗୋଟାଏ ପ୍ରଧାନ ଠକ-। ତୁମେ ଯେତେବେଳେ ଯେତେ ଟଙ୍କା ପାଇଁ ଚିଠି ଲେଖିଚ, ତାଠୋଉ ବରାବର ବେଶି ପାଇଚ । ତା’ପରେ ମୁଁ ଆଜି ପୁଣି ତୁମକୁ ପନ୍ଦର ଶହ ଦେଲି । ଫେରେ ତୁମର ଆହୁରି ପାଉଣା ଅଛି ? ଲାଜ ନାହିଁ ମୁହଁକୁ ।’’
ଗଧିଆ ଜାଲରେ ପଡ଼ିଲେ ଯେପରି ବ୍ୟତିବ୍ୟସ୍ତ ହୁଏ, ଦୀନା ସାହୁ ସେହିପରି ହେଲା । ତଥାପି ଲୋଭ ଏଡ଼ି ନ ପାରି ସେ କହିଲା, ‘‘ମହାଜନ, ରାଗୁଛ କାହିଁକି ? ଯାହା ନ୍ୟାୟ ତା’ ତ କରିବ । ଦେଢ଼ ହଜାର ଦେଇଚ ବାକି ତିନି ହଜାର ଦେଇଦିଅ, ରମାକୁ ନେଇଯାଅ ।’’
ବାଟୋଇ ବୁଢ଼ା ପଦେ କଥା କାହିଲା ନାହିଁ, ନିଜ ଥଳିଟି କାନ୍ଧରେ ଧରି ଠିଆ ହେଲା ଏବଂ ବାଡ଼ି ଉଠାଇ ଦୀନା ସାହୁ ଆଡ଼କୁ କଟମଟ କରି ଚାହିଁଲା । ରମାକୁ କହିଲା, ‘‘ଚାଲ ମା’, ଆଗରେ ।’’ ସେ ନିର୍ଜନ ସ୍ଥାନରେ ବୁଢ଼ା ହାତର ପ୍ରକାଣ୍ଡ ବାଡ଼ିଟା ଦେଖି, ଦୀନା ସାହୁ ଥରଥର ହେଲା । ତା’ ଆଖି ଆଗରେ ବାଟୋଇ ରମାକୁ ଧରି ଚାଲିଗଲା । ତହୁଁ ସେ କହିଲା, ‘‘ମୁଁ କେଡ଼େ ମୂର୍ଖ । ଆସିଲି ତ, ନଳିଟା ନ ଆଣିଲି କାହିଁକି ? ଆଚ୍ଛା, ମୁଁ କ’ଣ ଛାଡ଼ୁଛି ? କିଛି ନୋହିଲେ ସେ କୁଆଡ଼େ ଯାଉଚି, ଜାଣି ରଖିବି; ଦିନେ ହେଲେ, କେବେ ଆଦାୟ କରି ନେବି ଗୁଣେ ନୁହେଁ, ଦଶ ଗୁଣ କରି ।’’
ଦୀନା ସାହୁ ଖଣ୍ଡେ ଦୂରରେ ବାଟୋଇ ଓ ରମାକୁ ଅନୁସରଣ କରି ଲୁଚି ଚାଲିବାରେ ଲାଗିଲା । କିନ୍ତୁ ବାଟୋଇ ଅଳ୍ପ ସମୟ ପରେ ତାକୁ ଦେଖି ପକାଇଲା । ତହୁଁ ସେ ରାଗି ଏପରି ଜୋରରେ ବାଡ଼ି ଟେକିଲା ଯେ ଦୀନା ସାହୁ ପିଣ୍ଡରୁ ପ୍ରାଣ ଚାଲିଯିବା ଉପରେ ବସିଲା । ଦୀନା ସାହୁ ମନେ ମନେ ଭାବିଲା, ‘‘ଏ ଚୋରଟା ପଛରେ ଆଉ ଗୋଡ଼େଇଲେ, ଏଣିକି ବିପତ୍ତି ସିନା, ଲାଭ କିଛି ନାହିଁ ।’’
ସୂର୍ଯ୍ୟାସ୍ତ ପରେ ବେଳ ବୁଡ଼ି ଅନ୍ଧାର ଘୋଟି ଆସୁଅଛି, ସେପରି ସମୟରେ ପାଣୁ ନାଏକ ରମାକୁ ଧରି କଟକ ସହରରେ ଯାଇ ପାଦ ପକାଇଲା । ଦିନଯାକ ଖିଆପିଆ ଠିକ୍ ନାହିଁ । ସୁତରାଂ ରମା ଥକି ପଡ଼ିଥିଲା । ସେ ଚାଲି ନ ପାରିବାରୁ ପାଣୁ ନାଏକ ତାକୁ ପିଠିରେ ପକାଇ ଗଳି ଗଳି ହୋଇ ଚାଲିବାକୁ ଲାଗିଲା ।
ରାତି ପ୍ରାୟେ ଦୁଇ ଘଡ଼ି, ବେଳେ ପାଣୁ ନାଏକ ନିଦ୍ରିତା ରମାକୁ ପିଠିରେ ଧରି ଗୋଟିଏ ଛୋଟିଆ ପକାଘର ଆଗରେ ଯାଇ ଠିଆ ହେଲା । ସେ ଘରଟି ମଙ୍ଗଳାବାଗରେ ଗୋଟିଏ ନିତାନ୍ତ ସଂକୀର୍ଣ୍ଣ ମଇଳା ଗଳି ମଧ୍ୟରେ; ଲୋକ ଦୃଷ୍ଟିରୁ କିଛି ଦୂରରେ । ଘରଟି ଆଗେ ଜଗନ୍ନାଥ ସଡ଼କ ଉପରେ ଚଟିଘର ରୂପେ ବ୍ୟବହୃତ ହେଉଥିଲା; କିନ୍ତୁ ଘରର ମାଲିକ ମରିଯିବାରୁ ତାହା ପ୍ରାୟ ଦଶ ପନ୍ଦର ବର୍ଷ କାଳ ତାଲା ବନ୍ଦ ହୋଇ ପଡ଼ିଥିଲା । ଏକ ସମୟରେ ସେଥିରେ ଜଣେ ଦର୍ଜି ରହୁଥିଲା-। ସେଥିପାଇଁ ତାକୁ ଲୋକେ ‘‘ଦର୍ଜି କୋଠା’’ ବୋଲି କହନ୍ତି । ଘରଟି ବେମରାମତି ଅବସ୍ଥାରେ ଥିଲା-। ତା’ କରବାଟେ ଉପରକୁ ଗୋଟିଏ ସିଡ଼ି ଲାଗିଥିଲା । ସେହି ସିଡ଼ି ବାଟେ ଉପର ମହଲାକୁ ଯିବାଆସିବା ହୁଏ । ଉପର ମହଲାରେ ଘରର ମାଲିକିଆଣୀ ନିଜେ ରହୁଥିଲେ । ଘରଟିର ଦୁଇ ପାଖେ କିଛି ଦୂରରେ ଆଉ କେତେଗୁଡ଼ିଏ ଛୋଟିଆ ପୁରଣା ପକାଘର ଥିଲା । ସେ ସବୁ ଏକ ସମୟରେ ଚଟିଘର ହୋଇଥିଲା । ବର୍ତ୍ତମାନ ଚଟିଘର ଖଣ୍ଡେ ଦୂରକୁ ଉଠିଯାଇ ସେ ଘରଗୁଡ଼ିକ ଅନ୍ୟ କାର୍ଯ୍ୟରେ ଲାଗୁଛି । ବେଶି ଦିନ ରହିବା ଲୋକେ ସେ ମଧ୍ୟରୁ କୌଣସି କୌଣସି ଘର ଭଡ଼ା ନେଇ ରହୁଛନ୍ତି ।
ପାଣୁ ନାଏକ ଦୁଆରେ ପହଞ୍ଚି, ଅଣ୍ଟାରୁ କୁଞ୍ଚିକାଠି କାଢ଼ି, ତାଲା ଫିଟାଇ, ଘର ଭିତରେ ପଶିଲା । ଘର ଭିତରେ ଖଣ୍ଡିଏ ପୁରୁଣା ଖଟ ପଡ଼ିଥିଲା । ସେ ରମାକୁ ଧୀରେ ଧୀରେ ପିଠିରୁ ଓହ୍ଲାଇ, ଅତି ଯତ୍ନରେ ସେହି ଖଟରେ ଶୁଆଇଦେଲା । ରମାର ନିଦ ଭାଜିଲା ନାହିଁ । ପାଣୁ ନାଏକ ଦୀପ ଜାଳି ଆଲୁଅରେ ରମାକୁ ଟିକିଏ ଦେଖିଲା । ଦେଖୁ ଦେଖୁ ଆହ୍ଲାଦରେ ସେ ରମା କପାଳରେ ଗୋଟିଏ ଚୁମ୍ବନ ଦେଲା । ନ ମାସ ପୂର୍ବେ ତା’ ମା ରୋଗଶଯ୍ୟାରେ ଶୋଇଥିଲାବେଳେ ସେ ଦିନେ ସେହିପରି ତା’ କପାଳରେ ମଧ୍ୟ ଗୋଟିଏ ଚୁମ୍ବନ ଦେଇଥିଲା । ଆଜି ରାଧା କଥା ମନେ ପକାଇ ସେ ଦୁଃଖରେ ଅଭିଭୂତ ହେଲା, ଦୀର୍ଘନିଃଶ୍ୱାସ ପକାଇଲା, ଶୁଖିଲା ଆଖିରୁ ଲୁହ ଗଡ଼ାଇଲା । ରମା ନିଦରେ ଶୋଇରହି ସେ ସବୁ କିଛି ଜାଣିପାରିଲା ନାହିଁ ।
ସେଦିନ ରାତି ରମା ନିଦରେ ଶୋଇରହି ତ କିଛି ଖାଇଲା ନାହିଁ; ପାଣୁ ନାଏକ ତାକୁ ଖାଇବାକୁ ନ ଉଠାଇ, ନିଜେ ଉପବାସରେ ରହିଲା । ଆରଦିନ ସକାଳେ ସୂର୍ଯ୍ୟ ଉଦୟ ହେବାର ଅନେକ ସମୟ ପରେ ରମାର ନିଦ ଭାଜିଲା । ରମା ଉଠି ଚମକିପଡ଼ି କହିଲା, ‘‘ସାଆନ୍ତାଣୀ, ମୁଁ ଯାଉଚି କାମ କରିବାକୁ ।’’ କହି, ସେ ଆଖି ଫିଟାଇବା ପୂର୍ବରୁ ଖଟ ଉପରୁ ଡେଇଁପଡ଼ିଲା । ଫଳରେ ସେ ତଳେ ପିଟି ହୋଇ ପଡ଼ିଗଲା । ପଡ଼ିବା ମାତ୍ରେ ସେ ଆଖି ଫିଟାଇ ଚାହିଁଲା ଛାଞ୍ଚୁଣି କାହିଁ ? ମାତ୍ର ସେ ଆଖି ଫିଟାଇ ଚାହିଁଲା ବେଳକୁ ଦେଖିଲା ପାଣୁ ନାଏକ ତାକୁ କୋଳରେ ଧରି ବସି ତା’ ମୁଣ୍ଡ ଆଉଁଷୁଚି । ଦେଖି, ରମା କହିଲା, ‘‘ବାପା, ଆମେ ଆଉ ଜଜାରସିଂହରେ ନାହେଁ, ନା-?’’
ପିଲାମାନେ ଟିକିଏ ଆଦର ପାଇଲେ ପରକୁ ନିଜର କରିନିଅନ୍ତି । ତାହା ବାସ୍ତବରେ ଆଶ୍ଚର୍ଯ୍ୟର ବିଷୟ । ରମା ପାଣୁ ନାଏକକୁ ଯେ ସେଦିନ ବାପା ବୋଲି ଡାକିଲା, ସେହି ବାପା ଡାକ ପାଇଁ କ’ଣ ପ୍ରକୃତି ରମାର ତୁଣ୍ଡ ବା ପାଣୁ ନାଏକର କାନ ଗଢ଼ି ରଖିଥିଲା ? ରମା ତା’ ଜୀବନର ପ୍ରଥମ ବାପା ପାଣୁ ନାଏକ କୋଳରୁ ଓହ୍ଲାଇ ତା’ ରାଣୀକି ଧରି ଖେଳିବାକୁ ଗଲା । ସେ କିଛି ସମୟ ଖେଳିସାରି ପାଣୁ ନାଏକକୁ ନାନା ପ୍ରଶ୍ନ ପଚାରିବାରେ ଲାଗିଲା–ଏଟା କୋଉଠା ? କଟକ ବଡ଼ ନା ଜଜାରସିଂହ ବଡ଼ ? ସାହୁଆଣୀଙ୍କ ଚଟିଘର ଏଠୁକୁ କେତେ ବାଟ ? ସାହୁଆଣୀ ଏଠୁକୁ ଆସିବେ ନାହିଁ ? ମୁଁ ସାହୁଆଣୀଙ୍କ ଘରକୁ ଯିବି ନାହିଁ ? ଏହିପରି ଅନେକ ପ୍ରଶ୍ନ ସେ ମୁହୂର୍ତ୍ତକ ମଧ୍ୟରେ ପଚାରିଲା । ଶେଷରେ ସେ କହିଲା, ‘‘ଆହା, ଏ ଘରଟି କେଡ଼େ ସୁନ୍ଦର ହେଇଚି କି !’’ କିନ୍ତୁ ବାସ୍ତବରେ ସେ ଘରଟାର ଆଦୌ କୌଣସି ସୌନ୍ଦର୍ଯ୍ୟ ନ ଥିଲା । ଯାହାହେଉ, ରମା ଆଖିକୁ ତାହା ସୁନ୍ଦର ଦିଶିଲା । ରମା କେତକ ସମୟ ପରେ ପଚାରିଲା, ‘‘ମୁଁ ଝାଡ଼ୁ ଦେବି ନା ?’’
‘‘ନା, ଖେଳ ।’’ ସେ ଦିନଟା ରମା ଖେଳରେ କଟାଇଦେଲା । ସେ ଯେ କେଉଁଠାରେ କାହିଁକି ଆସି ରହିଛି, କିଛି ବୁଝିପାରିଲା ନାହିଁ । ତଥାପି ସେ ବେଶ୍ ଖୁସିବାସିରେ ରହିଲା ।
ବାଘଟା ବାପ ପାଲଟିଲା
ପାଣୁ ନାଏକ ରମାକୁ ଧରି ଯେଉଁ ଘରେ ବସା କଲା, ସେଠାରେ ତା’ର କୌଣସି ଅସୁବିଧା ଘଟିଲା ନାହିଁ । ପଡ଼ୋଶୀମାନଙ୍କ ସହିତ ତା’ର କୌଣସି ସମ୍ପର୍କ ନ ଥିଲା । ଉପର ମହଲାରେ ଥିବା ଘରର ମାଲିକିଆଣୀଙ୍କ ସଙ୍ଗେ କେବଳ ତା’ର ବେଳେ ବେଳେ ଦେଖାସାକ୍ଷାତ୍ ହୁଏ-। ବାକି ସବୁବେଳେ ସେ ଦ୍ୱାର ବନ୍ଦ କରି ରମାକୁ ଧରି ଘର ଭିତରେ ଥାଏ । ସେ ପୂର୍ବେ ସରକାରୀ ଚାକିରି କରୁଥିଲା ଏବଂ ପେନ୍ସନ୍ରେ ଚଳେ ବୋଲି ବାହାରକୁ ପ୍ରକାଶ ପାଇଲା । ଘରର ମାଲିକିଆଣୀ ତା’ଠାରୁ ଛ’ ମାସର ଭଡ଼ା ଆଗତୁରା ନେଇନେଲେ । ପାଣୁ ନାଏକ ଝିଅ ସହିତ ସେହି ଘରେ ଆଜୀବନ କଟାଇବ ବୋଲି କହିଲା ।
କାଳସ୍ରୋତରେ କେତେ ସପ୍ତାହ ବିତିଗଲା । ସେ ଘରେ ପାଣୁ ନାଏକ ଓ ରମା ଆନନ୍ଦରେ କାଳ କଟାଇଲେ । ରମାକୁ ପାଠ ପଢ଼ାଇବା ଏବଂ ଖେଳାଇବା ପାଣୁ ନାଏକର ପ୍ରଧାନ କାର୍ଯ୍ୟ ହେଲା । ରମା ଖେଳିଲାବେଳେ ପାଣୁ ନାଏକ ଖୁବ୍ ଖୁସିରେ ତା’ ପାଖେ ବସି ଚାହିଁଥାଏ । ବାସ୍ତବରେ ରମାକୁ ପାଇଲା ଦିନଠାରୁ ସେ ତା’ ଜୀବନର ଗୋଟାଏ ମୂଲ୍ୟ ପ୍ରଥମେ ଅନୁଭବ କରି ଶିଖିଲା ।
ପାଣୁ ନାଏକ ଘର ଭିତରୁ ଦିନବେଳେ କେବେ ପଦାକୁ ବାହାରେ ନାହିଁ । ସନ୍ଧ୍ୟା ହେଲା ପରେ, ସେ ରମାକୁ ସଙ୍ଗରେ ଧରି, ଜନାକୀର୍ଣ୍ଣ ଗଳିମାନ ଛାଡ଼ି ବାହାରକୁ ବୁଲିବାକୁ ଯାଏ । ଘର ମାଲିକିଆଣୀଙ୍କ ପୋଇଲୀ ପାଣୁ ନାଏକ ଠାରୁ କିଛି ବକସିସ୍ ପାଇ ତା’ ଘର ଓଳେଇବା, ରୋଷେଇ କରିବା, ଖାଇବାକୁ ଦେବା ଆଦି କାମ କରିଦିଏ । ପାଣୁ ନାଏକ ନିତାନ୍ତ ଦରିଦ୍ର ଲୋକ ପରି ଚଳେ; ଛୋଟ ଲୁଗା ପିନ୍ଧେ, କନ୍ଥାରେ କୁରୁତା ତିଆରି କରାଇ ଦେହରେ ଦିଏ । ସେ ବୁଲିଗଲା ବେଳେ ଲୋକେ ତାକୁ ଭିକାରି ମନେ କରି, ତା’ ହାତରେ ପଇସାଏ, ଅଧଲାଏ ଦିଅନ୍ତି । ସେ ମଧ୍ୟ ଆଗ୍ରହରେ ତାହା ଗ୍ରହଣ କରେ । ତଥାପି ସେ ନିଜେ ଭିକାରିଙ୍କୁ ଭିକ ଦେବାରେ ବିମୁଖ ହୁଏନାହିଁ-। ଦୁଃଖୀ ଲୋକଙ୍କୁ ଦେଖିଲେ, ଚାରିଆଡ଼କୁ ଚାହିଁ, କେହି ନ ଦେଖିଲା ବେଳେ, ସେ ଟଙ୍କାଏ ମସାଏ ଦାନ କରେ; କିନ୍ତୁ ତା’ର ଏ ଦାନ ବିଷୟ ବେଶି ଦିନ ଛପି ରହିଲା ନାହିଁ । ଫଳରେ ତା’ର ‘‘ଭିକାରି ଦାତା’’ ନାମ ହୋଇଗଲା ।
ଘରର ମାଲିକିଆଣୀ ପାଣୁ ନାଏକକୁ ସର୍ବଦା ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ସେଥିପାଇଁ ସେ ବେଳେ ବେଳେ କବାଟ ଫାଟବାଟେ ପାଣୁ ନାଏକ ଘର ଭିତରକୁ ଚାହାନ୍ତି । ଦିନେ ସେ ଚାହିଁ ଦେଖିଲେ, ପାଣୁ ନାଏକ ତା’ କୁରୁତା ପକେଟରୁ ଗୋଟିଏ କତୁରୀ ବାହାର କରି, କୁରୁତା ମଝିରେ ଗୋଟିଏ କଣା କଲା ଏବଂ ସେହି କଣା ବାଟେ ଖଣ୍ଡିଏ ନୋଟ କାଗଜ କାଢ଼ିଆଣି, ପୁଣି କୁରୁତା ସିଲେଇ କରିଦେଲା । ମାଲିକିଆଣୀ ଚିହ୍ନିଲେ ଯେ କାଗଜ ଖଣ୍ଡିଏ ଗୋଟିଏ ହଜାର ଟଙ୍କିଆ ନୋଟ । ତାଙ୍କ ସ୍ୱାମୀ କାଠ ବ୍ୟବସାୟ କଲାବେଳେ ସେ ଥରେ ଦୁଇଥର ହଜାର ଟଙ୍କିଆ ନୋଟ ଆଖିରେ ଦେଖିଥିଲେ । ସେ ପାଣୁ ନାଏକ ହାତରେ ନୋଟ ଖଣ୍ଡିକ ଦେଖି ଚମକିପଡ଼ିଲେ । ପାଣୁ ନାଏକ ବୁଝିପାରିଲା ଯେ ସେ ଧରା ପଡ଼ିଯାଇଛି । ତହୁଁ ସେ ନୋଟ ଖଣ୍ଡ ଭଙ୍ଗାଇବାକୁ ନେଇ ସେହି ମାଲିକିଆଣୀଙ୍କ ପାଖକୁ ଗଲା ଏବଂ କହିଲା, ‘‘ଏ ହଜାରଟି ଟଙ୍କା ମୋ ଜୀବନଯାକର ସଞ୍ଚୟ ।’’ ତା’ର ସେ ଟଙ୍କା ବିଷୟ କିଛି ଦିନ ପରେ ସାହି ତମାମ ରାଷ୍ଟ୍ର ହୋଇଗଲା ।
ଦିନେ ବାରିପଟେ ଖରାରେ ବସି ରମା ଖେଳୁଛି, ପାଣୁ ନାଏକ ତା’ ଖେଳ ଦେଖୁଛି ଏବଂ ପୋଇଲୀ ଘର ଭିତର ଓଳାଉଛି, ମାଲିକିଆଣୀ ଆସି ପାଣୁ ନାଏକ କୋଠରୀରେ ପହଞ୍ଚିଲେ-। ସେ ଦେଖିଲେ, ତା’ କୁରୁତାଟି ଗୋଟିଏ କାଠିରେ ଝୁଲୁଛି । ସେ ପୋଇଲୀକୁ ଗୋପନରେ ଅନ୍ୟଠାକୁ ପଠାଇଦେଇ, କୁରୁତା ପରୀକ୍ଷା କରିବାରେ ଲାଗିଲେ । କୁରୁତା ଭିତରେ ସିଲେଇ ହୋଇ ଯେ ଅନେକଗୁଡ଼ିଏ କାଗଜ ରହିଥିଲା, ତାହା ସେ ହାତରେ ଛୁଇଁ ଜାଣିପାରିଲେ । ସେ କାଗଜ ଛଡ଼ା, କୁରୁତା ପକେଟରେ ଛୁରି କତୁରି ଛୁଞ୍ଚି ସୂତା ଆଦି ଅନେକ ପଦାର୍ଥ ଥିଲା । ମାଲିକିଆଣୀ ଦେଖିସାରି ଛପି ଖସି ଚାଲିଗଲେ ।
ମଙ୍ଗଳବାଗ ଅଞ୍ଚଳରେ ଜଣେ ନିତାନ୍ତ ଦରିଦ୍ର ଲୋକ ଥିଲା । ସେ ପ୍ରତିଦିନ ଗୋଟାଏ କୂଅ ମୂଳେ ବସି ମାଳି ଜପେ ଏବଂ ଭିକ ମାଗେ । ଲୋକେ କହନ୍ତି, ସେ ଆଗେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିଲା ଏବଂ ଅବସର ନେବା ପରେ ବାବାଜି ହୋଇଛି । ଦିନେ ପାଣୁ ନାଏକ ତାକୁ ଭିକ ଦେବା ସମୟରେ, ସେ ମୁଣ୍ଡ ଟେକି ଥରେ ପାଣୁ ନାଏକ ଆଡ଼କୁ ଚାହିଁ, ପୁଣି ମୁଣ୍ଡ ପୋତିଦେଲା । ଦେଖି, ପାଣୁ ନାଏକ ଚମକି ପଡ଼ିଲା । ସେ ସେହି ମୁହଁ ଆଗରୁ କେଉଁଠାରେ ଦେଖିଛି ବୋଲି ଭାବିବାକୁ ଲାଗିଲା । ସେ କଥା ସେ ଯେତିକି ଭାବିଲା, ତା’ ଭୟ ସେତିକି ବଢ଼ିଲା-। ବେଳେ ବେଳେ ସାହସ ବାନ୍ଧି ସେ ମନକୁ ମନ କହିଲା, ‘‘ମୁଁ କି ମୂର୍ଖ । ତା’ କ’ଣ ସମ୍ଭବ ହୋଇପାରେ ? ତଥାପି ତା’ ମନ ମାନିଲା ନାହିଁ । ସେ ଯେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ମୁହଁ, ତାହା ସେ ମୁହୂର୍ତ୍ତେ ଭାବି; ପୁଣି ଆର ମୁହୂର୍ତ୍ତକୁ ବିଶ୍ୱାସ କଲା ନାହିଁ । ସନ୍ଦେହ ଦୂର କରିବା ନିମନ୍ତେ ସେ ଆର ଦିନ ଭିକ୍ଷା ଧରି ପୁଣି ତା’ ପାଖକୁ ଗଲା । ଭିକ ପାଇ, ଭିକାରି ମୁହଁ ଟେକି ଚାହିଁଲା-। ସେତେବେଳେ ପାଣୁ ନାଏକ ନିଶ୍ଚିତ ହୋଇ କହିଲା, ‘‘ମୋ ପରି ବୋକା ସଂସାରରେ ନ ଥିବେ-। ମୁଁ ମିଛରେ ୟାକୁ ସେ ବୋଲି ଭାବି ଭୟରେ ଥରି ମରୁଚି ।’’
ସେ ଘଟଣାର କେତକ ଦିନ ପରେ, ଦିନେ ପାଣୁ ନାଏକ କୋଠରୀ ଭିତରେ ସନ୍ଧ୍ୟା ଆଠଟା ବେଳେ ରମାକୁ ଧରି ବସିଥିଲା, ହଠାତ୍ ବାହାରେ ପାଦ ଶବ୍ଦ ଶୁଣାଗଲା । ରାତିରେ ଆଲୁଅ ଜାଳିବା ଖର୍ଚ୍ଚରୁ ରକ୍ଷା ପାଇବା ନିମନ୍ତେ ଉପର ମହଲାରେ ମାଲିକିଆଣୀ ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ଶୋଇପଡ଼ନ୍ତି । ପୋଇଲୀ ମଧ୍ୟ ସେତେବେଳେ ବାହାରକୁ ବାହାରେ ନାହିଁ । ସୁତରାଂ ସନ୍ଧ୍ୟା ପରେ ଦୁଆରେ ପାଦ ଶବ୍ଦ ଶୁଣି ପାଣୁ ନାଏକ ମନରେ ଟିକିଏ ଆଶଙ୍କା ଘୋଟିଲା । ସେ କବାଟ ପାଖକୁ ଯାଇ ଫାଟ ବାଟେ ଦେଖିଲା, ବାହାରେ କିଏ ଜହ୍ନ ପକ୍ଷରେ ସୁଦ୍ଧା; ଆଲୁଅଟାଏ ଧରି ଠିଆ ହୋଇଛି । ଚାହୁଁ ଚାହୁଁ ଆଲୁଅଟି ଅଦୃଶ୍ୟ ହୋଇଗଲା । ଅଥଚ ଦୁଆର ପାଖରୁ କେହି ଚାଲିଯିବାର ପାଦ ଶବ୍ଦ ଶୁଣାଗଲା ନାହିଁ । ପାଣୁ ନାଏକ ରାତି ସାରା ଶେଯରେ ପଡ଼ିରହି ଅନିଦ୍ରାରେ କଟାଇଲା । ପୁଣି ଖୁବ୍ ବଡ଼ିସକାଳୁ ଦୁଆରେ ଆଉଥରେ ପାଦ ଶବ୍ଦ ଶୁଣାଗଲା । କବାଟ ଫାଟବାଟେ ପାଣୁ ନାଏକ ଚାହିଁ ଦେଖିଲା, ଗୋଟାଏ ଲମ୍ବା ଚପକନ ପିନ୍ଧି, ମୁଣ୍ଡରେ ପଗଡ଼ି ବାନ୍ଧି, ଜଣେ ବୟସ୍କ ଲୋକ ଠିଆ ହୋଇଛି ଏବଂ ସାକ୍ଷାତ୍ ସର୍ଦ୍ଦାର ମହାପାତ୍ରଙ୍କ ପରି ଦିଶୁଛି; କିନ୍ତୁ ଲୋକଟି ବେଶି ସମୟ ରହିଲା ନାହିଁ ।
ସକାଳେ ପୋଇଲୀ କାମ କରିବାକୁ ଆସି ପଚାରିଲା, ‘‘କାଲି ରାତିରେ କିଏ ଜଣେ ଆସିଥିଲା, ତୁମେ ଜାଣିଚ ?’’ ପାଣୁ ନାଏକ ଖୁବ୍ ଧୈର୍ଯ୍ୟରେ କହିଲା ପରି ଉତ୍ତର ଦେଲା, ‘‘ଆସିଥିବ କିଏ ସେ ।’’
‘‘ପଡ଼ିଶାଘରେ ରହିବାକୁ ଜଣେ କିଏ ଆସିଚି ପରା ।’’
‘‘ମୁଁ କ’ଣ ନାଁ ଫାଁ ଜାଣେ ?’’ ତେବେ ଏତିକି ଶୁଣିଚି ଯେ କ’ଣ ଚାକିରି କରୁଥିଲା; ଆଉ ତୁମରି ପରି ପେନ୍ସନ୍ ପାଇ ଚଳୁଚି ।’’
ସେ କଥାରେ ଯେ ଗୋଟାଏ କିଛି ଅର୍ଥ ଅଛି, ପାଣୁ ନାଏକ ବେଶ୍ ବୁଝିପାରିଲା । ପୋଇଲୀ ଚାଲିଗଲା ପରେ ସେ ଗୋଛାଏ ନୋଟ କାଗଜ ବାକ୍ସରୁ ବାହାରକରି ଏକତ୍ର ଗୁଡ଼ାଇ କୁରୁତା ପକେଟରେ ରଖିଲା । ସେ ଯେତେ ସାବଧାନ ହେବାକୁ ଚେଷ୍ଟା କଲା, ତା’ ନିଜ ହାତ ତାକୁ ସେତିକି ଧରା ପକାଇବାକୁ ବସିଲା । ତା’ ଅଣ୍ଟାରୁ ଗୋଟାଏ ମୋହର ଠଣ୍ କିନି ତଳେ ପଡ଼ି ଟଣଟଣ ଗଡ଼ି ଗଡ଼ି ଚାଲିଲା ।
ସେ ଦିନ ସନ୍ଧ୍ୟାରେ ଦାଣ୍ଡରେ କେହି ନ ଥିବା ସମୟରେ ପାଣୁ ନାଏକ ରମାକୁ କହିଲା, ‘‘ଆ ।’’ ଦୁହେଁ ଏକ ସଙ୍ଗେ ଘରୁ ବାହାରିଗଲେ । ପାଣୁ ନାଏକ ସଦର ରାସ୍ତା ଛାଡ଼ି ଗଳି ଭିତରେ ପଶି ଚାଲିଲା । କୃଷ୍ଣପକ୍ଷ ପ୍ରତିପଦା ଚନ୍ଦ୍ର ଗଳିରେ ଗୋଟାଏ ପାଖ ଛାଇ କରି ଆର ପାଖେ ପଡ଼ିଥିଲା । ପାଣୁ ନାଏକ ରମାକୁ ଧରି ସେହି ଛାଇରେ ଛାଇରେ ଚାଲିଲା । ମଙ୍ଗଳାବାଗର ସେ ଘରକୁ ସେ ଆଉ ଫେରିବ ନାହିଁ ବୋଲି ସ୍ଥିର କରି ବାହାରି ଆସିଥିଲା । ବିଲୁଆ ଯେପରି ନିଜ ଗାତରୁ ବାହାରିଯାଇ, ବାଟରେ ବାଘ ହାବୁଡ଼େ ପଡ଼ିବା ଭୟରେ ଆଉ ଗୋଟାଏ ଗାତ ଖୋଜେ, ପାଣୁ ନାଏକ ସେହିପରି ଅନ୍ୟଠାରେ ଖଣ୍ଡିଏ କୁଡ଼ିଆ ଖୋଜି ଲାଗିଲା । ସେ ଯେଉଁ ଅଞ୍ଚଳରେ ଖୋଜି ବୁଲୁଥିଲା, ସେଠାରେ ଯେ ବସାଘର ନ ଥିଲା, ନୁହେଁ । କିନ୍ତୁ କୌଣସି ଘରେ ଆଶ୍ରୟ ନେବାକୁ ତା’ର ସାହସ ହେଲା ନାହିଁ । କାଳେ ପଛେ ପଛେ କେହି ଅନୁସରଣ କରି ଆସୁଥିବ ବୋଲି ସେ ଆଶଙ୍କା କରୁଥିଲା ।
କିଛି ବାଟ ଗଲା ପରେ, ସେ ଗଳିର ଅନ୍ଧାର ପାଖରେ, ରାତି ପ୍ରାୟ ଏଗାରଟା ବେଳେ ଦେଖିଲା, ତିନିଜଣ ଲୋକ ତା’ ପିଛା ଧରି ଆସୁଚନ୍ତି । ତାହା ଦେଖି ସେ ବାଟ କାଟି ଅନ୍ୟ ଏକ ଆଡ଼େ ଚାଲିଯାଇ, ଗୋଟାଏ ସୁବିଧାଜନକ ଜାଗାରେ ଲୁଚି ରହିଲା । ଖଣ୍ଡେ ଦୂରରେ ଜହ୍ନ ଆଲୁଅରେ ଚାରିଜଣ ଲୋକ ଠିଆହୋଇ ନିଜ ନିଜ ମଧ୍ୟରେ ଯୁକ୍ତି କରିବାକୁ ଲାଗିଲେ । ଜଣେ ପାଣୁ ନାଏକର ଲୁଚି ରହିଥିବା ସ୍ଥାନ ଆଡ଼କୁ ହାତ ଦେଖାଇଲା । ଆଉଜଣେ ତା’ର ଠିକ୍ ବିପରୀତ ଦିଗରେ ଯିବାକୁ ବସିଲା । ପ୍ରଥମ ଜଣକ ଯେତେବେଳେ ଆଲୁଅକୁ ମୁହଁ ଦେଖାଇ ଠିଆ ହେଲା, ପାଣୁ ନାଏକ ଦୂରରୁ ଦେଖି ଚିହ୍ନିଲା, ସେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଛଡ଼ା ଆଉ କେହି ନୁହେଁ ।
ପାଣୁ ନାଏକର ସନ୍ଦେହ ଏକାବେଳକେ ଦୂର ହୋଇଗଲା । କିନ୍ତୁ ତା’ ସୌଭାଗ୍ୟକୁ ଅନୁସରଣକାରୀମାନେ ଆଗ ଅପେକ୍ଷା ଅଧିକ ସନ୍ଦେହରେ ପଡ଼ିଲେ । ସେମାନେ ସନ୍ଦେହରେ ପଡ଼ି ଯୁକ୍ତିତର୍କ କରୁଥିବା ସମୟରେ ପାଣୁ ନାଏକ କ୍ଳାନ୍ତ ଶ୍ରାନ୍ତ ରମାକୁ ପିଠିରେ ପକାଇ, ଲୁଚିଥିବା ସ୍ଥାନରୁ ଉଠି, ଖସି ଚାଲିଗଲା । ବାଟରେ ଗୋଟାଏ ଶଙ୍ଖ ପଡ଼ିଲା । ସେ ଶଙ୍ଖ ତିଆରି ଖର୍ଚ୍ଚ ଉଠାଇବା ନିମନ୍ତେ ଯାତାୟାତ କରୁଥିବା ଲୋକଙ୍କଠାରୁ ଜଣ ପ୍ରତି ପଇସାଏ କରି ମାସୁଲ ଅସୁଲ ହେଉଥିଲା । ପାଣୁ ନାଏକ ଜଗୁଆଳ ହାତରେ ପଇସାଏ ଦେଇ ଚାଲିଯିବାକୁ ବାହାରିଲା । ଜଗୁଆଳ କହିଲା, ‘‘ଦି ଜଣକୁ ପଇସାଏ କ’ଣ ?’’ ଏ ଯେ ପିଲାକୁ ନେଉଚ; ତା’ ପାଇଁ ମଧ୍ୟ ମାସୁଲ ଦବାକୁ ହବ ।’’
ପାଣୁ ନାଏକ ଆଉ ଗୋଟାଏ ପଇସା ତରତରରେ ପକାଇଦେଇ ଗୋଟାଏ ଚାଲନ୍ତା ଶଗଡ଼ର ଛାଇ ଆଶ୍ରୟ କରି, ଶଙ୍ଖ ପାର ହୋଇଗଲା । ସେତେବେଳେ ରମା କହିଲା, ‘‘ମୋ ହାତ ଝିମ୍ଝିମ୍ ହେଇଗଲାଣି । ମୁଁ ଟିକିଏ, ଓହ୍ଲେଇବି ।’’ ପାଣୁ ନାଏକ ରମାକୁ ଓହ୍ଲାଇ, ଟିକିଏ ତଳେ ଠିଆ କରି ପୁଣି ଟେକି କାନ୍ଧରେ ବସାଇ, ଅଗ୍ରସର ହେବାକୁ ଲାଗିଲା । କିଛି ଦୂର ଯାଇ ସେ ଗୋଟାଏ ନିର୍ଜନ ଗଳିରେ ପହଞ୍ଚିଲା । ସେଠାରେ ଗୁଡ଼ାଏ ନୂଆ ଘର ତିଆରି ହେଉଥିଲା । ସେଥିପାଇଁ ଇଟା କାଠ ଆଦି ଗଦାମରାହୋଇ ରହିଥିଲା । ସେହି ଗଳି ମୁଣ୍ଡେ ପହଞ୍ଚି, ପାଣୁ ନାଏକ ଥରେ ପଛକୁ ମୁହଁ ବୁଲାଇ ଚାହିଁଲା । ଦେଖିଲା, ଅନେକ ଦୂରରେ ଜହ୍ନ ଆଲୁଅରେ ଚାରିଜଣ ଲୋକ ଆସୁଛନ୍ତି । ସେ ଭୟରେ ଥରିଗଲା । କିନ୍ତୁ ସେହି ଗଳିରେ ଯାଇ ଆଶ୍ରୟ ନେଇପାରିଲେ, ସେ ନିରାପଦ ହେବ ବୋଲି ଆଶା କରିବାକୁ ଲାଗିଲା ।
ଗଳିରେ ପଶି, ପାଣୁ ନାଏକ ପ୍ରାୟ ଚାରି ଶହ ହାତ ଯିବା ପରେ ଗୋଟାଏ ଦୋବାଟି ପଡ଼ିଲା । ଯେଉଁ ବାଟେ ଗଲେ ଘର ଦୋକାନ ବଜାର ପଡ଼ିବ ନାହିଁ, ସେ ସେହି ବାଟ ଧଇଲା । କିନ୍ତୁ ରମା ପୁଣି କହିଲା, ‘‘ମୁଁ ଟିକିଏ ଓହ୍ଲେଇବି; ମୋ ପିଚା ପୋଡ଼ିଲାଣି ।’’ ସେ ମୁହୂର୍ତ୍ତରେ ଠିଆ ହେବାକୁ ସମୟ ନ ଥିଲା । ପାଣୁ ନାଏକ ରମାକୁ କାନ୍ଧରୁ ଖସାଇ, ପିଠିରେ ଧରି, ପୁଣି ଦ୍ରୁତ ଗତିରେ ଚାଲିବାକୁ ଲାଗିଲା । ରମା ପାଟି ଫିଟାଇଲା ନାହିଁ । ପାଣୁ ନାଏକ ବାରାମ୍ବାର ପଛକୁ ଚାହୁଁଥାଏ । ଅନେକ ସମୟ ପର୍ଯ୍ୟନ୍ତ ସେ କାହାରିକୁ ଦେଖିଲା ନାହିଁ, କିନ୍ତୁ କେତକ ସମୟ ପରେ ଅଳ୍ପ ଦୂରରେ କେହି ଜଣେ ଆସିବାର ଦେଖାଗଲା । ତହୁଁ ସେ ଧାଇଁବାକୁ ଲାଗିଲା । ଆଗରେ ଗୋଟାଏ ପ୍ରକାଣ୍ଡ ପାଚିରି ପଡ଼ିଲା । ସେ ନିରାଶ ହୋଇ ପଡ଼ୁଥିଲା, ମାତ୍ର ପାଚିରି ତଳେ ତଳେ ଦୁଇ ଆଡ଼େ ଦୁଇଟି ବାଟ ପଡ଼ିଥିବାର ଦେଖିଲା । ପ୍ରଥମେ ଡାହାଣଆଡ଼େ ନିରୀକ୍ଷଣ କରି ଚାହିଁଲା । ଦେଖିଲା ଖଣ୍ଡେ ଦୂର ଯାଇ ସେ ବାଟ ବନ୍ଦ । ତହୁଁ ମୁହୂର୍ତ୍ତେ ବିଳମ୍ବ ନ କରି ବାଁ ଆଡ଼କୁ ଚାଲିଲା; କିନ୍ତୁ କିଛି ବାଟ ଯାଇ ଦେଖିଲା ଯେ ଆଗରେ ଜଣେ ସିପାହୀ ଠିଆ ହୋଇଛି । ତହୁଁ ସେ ଯେଉଁ ପାଦ ଆଗକୁ ପକାଇଥିଲା ତାକୁ ଫେରାଇବାକୁ ବାଧ୍ୟ ହେଲା । ମାତ୍ର ପଛକୁ ଫେରିଲେ ଯେ ନିଷ୍କୃତି ଅଛି, ତା’ ମଧ୍ୟ ନୁହେଁ, କାରଣ ପଛରୁ ଯେଉଁମାନେ ଆସୁଥିଲେ, ସେମାନେ ଆସି ପହଞ୍ଚିବାକୁ ବେଶି ବିଳମ୍ବ ନ ଥିଲା ।
କିଛି ଉପାୟ ନ ପାଇ, ପାଣୁ ନାଏକ ଗୋଟିଏ ମେଲା ଡିହ ଭିତରେ ପଶିଗଲା । ସେଠାରେ ସେ ଲୁଚିରହି ଅନୁସରଣକାରୀମାନଙ୍କ ଦୃଷ୍ଟି ଏଡ଼ିପାରିବ, ତା’ର ସେ ଆଶା ଆଦୌ ନ ଥିଲା । ସେ ମେଲା ଡିହକୁ ଲାଗି ଗୋଟାଏ ପ୍ରକାଣ୍ଡ ପାଚିରି ଥିଲା । ପାଚିରି ଆର ପାଖେ ଗୋଟାଏ ଆମ୍ବଗଛ ଏବଂ ଏ ପାଖେ ଦୁଇ ତିନିଟା ଛୋଟିଆ ବୁଦା । ସେ ଯାଇ ସେ ବୁଦା ଭିତରେ ଆଶ୍ରୟ ନେଲା । କିନ୍ତୁ ସେଠାରେ ଯେ ନିରାପଦରେ ରହିପାରିବ, ତା’ର ସମ୍ଭାବନା ତାକୁ ଦେଖାଗଲା ନାହିଁ-। ଦୁଇ ଜଣ ସିପାହୀ ସେହି ବାଟେ ରାସ୍ତାରେ କଥାବାର୍ତ୍ତା ହୋଇ ଗଲେ । ଜଣେ ଆରଜଣକୁ କହିଲା, ‘‘ଭାଇ, ଏ ଦଉଡ଼ିଟା କାହିଁକି ବୋହିବୋହି ନେବି ? ଏଟା ଏଇଠେଇ ଥାଉ । ଆଗେ ଖୋଜି ବାହାର କରିବା, ବାନ୍ଧିବା ତ ପରର କଥା ।’’ କହି, ସେ ଆର ସିପାହୀ ସଙ୍ଗେ ତା’ ଖୋଜିବା କାର୍ଯ୍ୟରେ ଚାଲିଗଲା ।
ପାଣୁ ନାଏକ ବୁଝିଲା ଯେ ସିପାହୀମାନେ ଆଉଥରେ ସେଠାକୁ ଫେରିଆସିଲାବେଳେ ସେ ବୁଦା ମୂଳ ନ ଖୋଜି ଛାଡ଼ିବେ ନାହିଁ । ତା’ ଛାତି ପଡ଼ିଲା ଉଠିଲା । ପାଚିରି ଉପରେ କୌଣସି ପ୍ରକାରେ ଚଢ଼ିପାରିଲେ, ସେ ଆମ୍ବଗଛ ଡାଳ ଧରି ଯେ ଆର ପାଖେ ତଳକୁ ଓହ୍ଲାଇ ଯାଇପାରନ୍ତା, ସେ ଚିତ୍ର ସେ କଳ୍ପନାରେ ବେଶ୍ ଦେଖିଲା । ପାଚିରି ଚଢ଼ିବା ଅଭ୍ୟାସ ଯେ ତା’ର ନାହିଁ, ତା’ ନୁହେଁ । ସେ ଜେଲଖାନାର ପନ୍ଦର କୋଡ଼ିଏ ହାତ ଉଚ୍ଚ ପାଚିରିମାନ ଡେଇଁ ଚାଲି ଆସିଛି । ସେ ପାଚିରିଟା ଦଶ ହାତ ଖଣ୍ଡେ ଉଚ୍ଚ । ସେଟା ଡେଇଁ ଚାଲିବା ତା’ ପକ୍ଷେ ଆଦୌ କଷ୍ଟକର ନୁହେଁ; କିନ୍ତୁ ସେ ଯେ ରମାକୁ ଲାଞ୍ଜରେ ବାନ୍ଧିଛି; ତାକୁ ଧରି ପାଚିରି ଡେଇଁବ କିପରି ? ଗୋଟାଏ ଦଉଡ଼ି ପାଇଲେ, ପାଚିରି ଡେଇଁବା ଯେ ଅତି ସହଜ ହେବ, ସେ ବୁଝିପାରିଲା । ପାଣୁ ନାଏକ ଯଦି ଗୋଟାଏ ରାଜ୍ୟର ରାଜା ହୋଇଥାନ୍ତା, ସେ ମୁହୂର୍ତ୍ତରେ ଗୋଟିଏ ସାମାନ୍ୟ ଦଉଡ଼ି ସହିତ ରାଜ୍ୟଟି ବଦଳ କରି ନେଇଥାନ୍ତା ।
ସିପାହୀ ତା’ ସାଥୀ ସିପାହୀକୁ କହିଥିବା କଥା ପଦମାନ ପାଣୁ ନାଏକ କାନରେ ଟାଇଁଟାଇଁ ବାଜୁଥିଲା । ତହୁଁ ସେ ମନକୁ ମନ କହିଲା, ‘‘ଆଚ୍ଛା, ଥରେ ଶେଷ ଚେଷ୍ଟା କରେଁ ।’’ କହି ରମାକୁ ବୁଦା ଭିତରେ ଏକା ଛାଡ଼ି, ଗଳିକୁ ବାହାରିପଡ଼ିଲା । ସିପାହୀମାନେ ଖଣ୍ଡେ ଦୂରରେ ଘରକୁ ଘର ଖୋଜି ଆସୁଥିଲେ ଏବଂ ସେମାନଙ୍କ ଆଗରେ ସର୍ଦ୍ଦାରଙ୍କ ମୁଣ୍ଡ ଚାଖଣ୍ଡେ ଉପରକୁ ବଳି ଦେଖା ଯାଉଥିଲା । ସେମାନେ ଯେପରି ଗତିରେ ଆସୁଥିଲେ, ସେ ମେଲା ଡିହ ପାଖେ ପହଞ୍ଚିବାକୁ ତାଙ୍କୁ ପନ୍ଦର ମିନିଟ୍ରୁ ଊଣା ଲାଗିବ ନାହିଁ ବୋଲି ପାଣୁ ନାଏକ ବୁଝିପାରିଲା । ସେ ବାଟରେ ଚାହିଁ ଦେଖିଲା, ଗୋଟାଏ ଝୋଟ ଦଉଡ଼ି ଗୋଲାକାରରେ ଗୁଡ଼ିଆହୋଇ ଚନ୍ଦ୍ର କିରଣରେ ପଡ଼ି ଦାଉ ଦାଉ ଦିଶୁଛି । ଚୋରଟି ପରି ଗୁରୁଣ୍ଡି ଗୁରୁଣ୍ଡି, ସେହି ଦଉଡ଼ିଟି ଘେନି, ଧଇଁସଇଁ ହୋଇ ସେ ବୁଦା ମୂଳେ ରମା ପାଖେ ଆସି ପହଞ୍ଚିଲା । ତେବେ ସିପାହୀମାନେ ଘରକୁ ଘର ଖୋଜି ପାଟି କୋଳାହଳ କରୁଥିଲେ । ରମା ଭୟରେ ଥରି ଥରି କହିଲା, ‘‘ବାପା, ମୋତେ ଭାରି ଡର ଲାଗୁଚି । ସେ କିଏ ଆସୁଛି ?’’
‘‘ତୁନି ହୁଅ; ସେ ଦୀନା ସାହୁଆଣୀ ।’’ ରମା ଆହୁରି ଥରିବାକୁ ଲାଗିଲା । ପାଣୁ ନାଏକ କହିଲା, ‘‘ପାଟି ଫିଟେଇବୁ ନାହିଁ, ଝିଅ ତୋ ତୁଣ୍ଡ ଶୁଣିଲେ, ଆସି ତୋତେ ଧରି ନେଇଯିବ ।’’
ରମା ଭୟରେ ଥରହର ହେଉଛି; ପାଟିକରି କାନ୍ଦିଲେ ଯେ ସାନ୍ତ୍ୱନା ପାଆନ୍ତା; ସେ କାନ୍ଦକୁ ଚାପିରଖି ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ କମ୍ପୁଛି; ଅବାକ୍ ହୋଇ ବାପଆଡ଼କୁ ଚାହିଁ ରହିଛି; ପାଣୁ ନାଏକ ଦଉଡ଼ିକୁ ଫିଟାଇ, ତା’ର ଗୋଟାଏ ମୁଣ୍ଡ ଦାନ୍ତରେ କାମୁଡ଼ିଧରି, ହାତ ଏବଂ ଗୋଡ଼ରେ ଠେସଦେଇ ନିଶୁଣିରେ ଉଠିଲା ପରି ଉଠିଯାଇ, ମୁହୂର୍ତ୍ତକ ମଧ୍ୟରେ ପାଚିରି ଉପରେ ବସିଲା । ଆମ୍ବ ଗଛ ଡାଳରେ ଦଉଡ଼ି ଅଗଟି ବାନ୍ଧି ସେ ପୁଣି କ୍ଷଣକ ମଧ୍ୟରେ ତଳକୁ ଓହ୍ଲାଇ ଆସିଲା । ରମାକୁ କହିଲା, ‘‘କାନ୍ଦିବୁ ନାହିଁ । ମୋ ପିଠିରେ ଲାଉ ହ ।’’
ରମାକୁ ପିଠିରେ ପକାଇ ଏବଂ ତା’ ଦୁଇ ହାତ ନିଜ ଗଳା ପାଖେ ବାଁ ହାତରେ ଏକତ୍ର ଭିଡ଼ିଧରି, ପାଣୁ ନାଏକ ଡାହାଣ ହାତରେ ଗଛରୁ ଝୁଲୁଥିବା ଦଉଡ଼ିଟିକ ମୁଠାଇ ଧଇଲା । ତା’ପରେ ଗୋଡ଼ରେ ଠେସ ଦେଇ ଏବଂ ଦଉଡ଼ିଟିକି ବଳେ ବଳେ କାଖରେ ଚିପି ଧରି ସେ କ୍ରମେ କ୍ରମେ ଉଠିବାକୁ ଲାଗିଲା । ରମା ଦୀନା ସାହୁଆଣୀ ନାମ ଶୁଣି ଭୟରେ ବରଫ ହୋଇ ରହିଥିଲା । ସୁତରାଂ ତା’ର କାନ୍ଦିବାର କିମ୍ବା ଡରିବାର ଶକ୍ତି ନ ଥିଲା । ପାଚିରି ଉପରକୁ ଯିବାପାଇଁ ପାଣୁ ନାଏକକୁ ପ୍ରାୟ ପାଞ୍ଚ ମିନିଟ ଲାଗିଗଲା । ସିପାହୀମାନଙ୍କ ସ୍ୱର କ୍ରମେ ନିକଟବର୍ତ୍ତୀ ହେଲା । ପାଣୁ ନାଏକ ଅବିଳମ୍ବେ ଦଉଡ଼ିଟା ଟେକିଆଣି, ଗଛରୁ ଫିଟାଇ, ପାଚିରି ଭିତର ପାଖକୁ ପକାଇଦେଲା ଏବଂ ନିଜେ ରମାକୁ ପିଠିରେ ବହି ଗଛଡାଳ ଧରି ଧରି ତଳେ ଯାଇ ଠିଆହେଲା । ଠିକ୍ ସେହି ସମୟରେ, ପାଚିରି ଆର ପାଖେ, ବାଟରେ ସର୍ଦ୍ଦାର ମହାପାତ୍ରଙ୍କ ପାଟି ଶୁଣାଗଲା, ‘‘ଖୋଜ ସେଇ ବୁଦା ମୂଳ । ଆଉ ଯାଆନ୍ତା କୁଆଡ଼େ ? ସବୁଆଡ଼େ ତ ଜଗୁଆଳ ଜଗିଚନ୍ତି, ଯେତେ ବାଟ ସବୁ ଛକି ଘେରୋଉ କରିଛନ୍ତି ।’’