ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୧୪ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଏ ଓ ସେ
ବାଙ୍କର ଯେଉଁ ବୁଢ଼ା ବୁଢ଼ା ଲୋକ ଗତ ତିରିଶ ବର୍ଷ ମଧ୍ୟରେ ମରିଯାଇଛନ୍ତି, ସେମାନେ ଶ୍ରୀନିବାସ ଚମ୍ପତିରାଏ ନାମ ସହିତ ବେଶ୍ ପରିଚିତ ଥିଲେ । ଶ୍ରୀନିବାସ ବାଙ୍କିର ବିତାଡ଼ିତ ରାଜାଙ୍କ କକେଇ ପୁଅ ଭାଇ । ସନ ୧୨୫୮ ସାଲରେ ତାଙ୍କ ବୟସ ପ୍ରାୟ ଅଶୀ ବର୍ଷ ହୋଇଥିଲା । ତଥାପି ସେ ସିଧା ଚାଲୁଥିଲେ, ବିନା ପ୍ରଚକ୍ଷୁରେ ପଢ଼ିପାରୁଥିଲେ, ନଡ଼ିଆ, ମୁଗଭଜା ଇତ୍ୟାଦି ଚୋବାଇ ପାରୁଥିଲେ ଏବଂ ଖୁବ୍ ପାଟିକରି କଥା କହିପାରୁଥିଲେ । ତାଙ୍କର ବତିଶଟି ଦାନ୍ତରୁ ଗୋଟିଏ ସୁଦ୍ଧା ପଡ଼ି ନ ଥିଲା । ବିଷୟ ସମ୍ପତ୍ତି ଯାହା ଥିଲା, ସେଥିରୁ ବର୍ଷକେ ପ୍ରାୟ ଦଶହଜାର ଟଙ୍କା ଆଦାୟ ହେଉଥିଲା । ତାକୁ ବାର୍ଷିକ ଲକ୍ଷେ ଟଙ୍କାକୁ ବଢ଼ାଇବାକୁ ସେ ସର୍ବଦା କଳ୍ପନା କରୁଥିଲେ ଏବଂ ସେଥିରୁ ପଚାଶ ହଜାର ଟଙ୍କା ଖର୍ଚ୍ଚକରି, ଅନ୍ତତଃ ପଚାଶ ଜଣ ପୋଇଲୀ ରଖିବାକୁ ଭାବୁଥିଲେ; କିନ୍ତୁ ସେ ଭାବନା କଦାପି ପୂର୍ଣ୍ଣ ହୋଇପାରିଲା ନାହିଁ ।
ଶ୍ରୀନିବାସ ଚମ୍ପତିରାଏଙ୍କର ଗୁଣ ଯେପରି ଥିଲା, ଦୋଷ ମଧ୍ୟ ସେହିପରି ଥିଲା । ସେ ଅତି ଅଳ୍ପକେ ରାଗି ଯାଉଥିଲେ ଏବଂ ରାଗିଲା ମାତ୍ରେ ଠେଙ୍ଗାଧରି ଉଠୁଥିଲେ । ଉତ୍ତରାଧିକାରୀ ସୂତ୍ରେ ଗୋଟାଏ ବଡ଼ ସମ୍ପତ୍ତି ଛାଡ଼ି ଯିବାପାଇଁ ତାଙ୍କର ଏକାନ୍ତ ଇଚ୍ଛା ଥିଲା । ସେଥିପାଇଁ ରାଜାଙ୍କ ସଙ୍ଗେ ତାଙ୍କର ମନ ମିଳୁ ନ ଥିଲା । ତାଙ୍କର ଦୁଇଟି କନ୍ୟା ମଧ୍ୟରୁ ବଡ଼ ପାର୍ବତୀ, ବିଧବା ହୋଇ ପତିଗୃହ ଛାଡ଼ି, ପିତାଙ୍କ ନିକଟରେ ରହୁଥିଲେ । ପାର୍ବତୀଙ୍କ ବୟସ ପଚାଶ ବର୍ଷ; କିନ୍ତୁ ଶ୍ରୀନିବାସ ତାଙ୍କୁ ଗୋଟିଏ ପାଞ୍ଚ ବର୍ଷର ପିଲା ପରି ମଣୁଥିଲେ ଏବଂ ସେହି ଅନୁସାରେ ଶାସନରେ ରଖିଥିଲେ-।
ରାଜାଙ୍କ ସଙ୍ଗେ ମନ ନ ମିଳିବାରୁ ସେ ବାଙ୍କି ଛାଡ଼ି ଆସି କଟକରେ ତୁଳସୀପୁରରେ ଘର ତୋଳି ରହିଥିଲେ । ତାଙ୍କ ତୁଳସୀପୁର ଘରଖଣ୍ଡି ରାଜା ଉଆସ କହିଲେ ଚଳେ । ବାସ୍ତବରେ ସେ ବାଙ୍କି ଛାଡ଼ି ଆସିବାବେଳେ କହି ଆସିଥିଲେ, ‘‘ଏ ଛାର ବାଙ୍କିରେ କିଏ ରହେ ? ରାଜା ହେଇ ରହିବୁ ତ କଟକ ସହରରେ ଆମେ ରହିବୁ ।’’ ସେଥିପାଇଁ ଶ୍ରୀନିବାସ କଟକରେ ରାଜା ଆଡ଼ାରେ ରହିବାକୁ ବରାବର ଚେଷ୍ଟା କରୁଥିଲେ । ଦାସୀ ପଦ୍ମାର ଦୁଇଟି ପୁଅଙ୍କ ପ୍ରତିପୋଷଣ ନିମନ୍ତେ ମାସକୁ ଷାଠିଏ ଟଙ୍କା ଲେଖାଏଁ ତହବିଲରୁ ଯାଉଥିଲା ।
ଶ୍ରୀନୀବାସଙ୍କ ଉଆସରେ ଗୋଟିଏ ଛୋଟିଆ ପିଲା ଥିଲା । ତାଙ୍କ ଆଗରେ ସେ ସବୁବେଳେ ଥରୁଥାଏ ଏବଂ ମୂକଙ୍କ ପରି କଥା ନ କହି ରହେ । ଶ୍ରୀନିବାସ ମଧ୍ୟ ତାକୁ କେବେ କଥା କହନ୍ତି ନାହିଁ । କଥା କହିବାର କୌଣସି ଆବଶ୍ୟକତା ପଡ଼ିଲେ ସେ ନିଜ ବେତ ଖଣ୍ଡିକ ଉପରେ ସେ ଭାର ଅର୍ପଣ କରିଦିଅନ୍ତି । ସେ ପିଲାଟିକି ବଡ଼ ଘୃଣା କରୁଥିଲେ । ସେ ଯେ ପର ପିଲା, ତା’ ନୁହେଁ; ସେ ତାଙ୍କ ନିଜ ନାତି; କିନ୍ତୁ ସେ ତାକୁ ନାତି ବୋଲି ଡାକିବାକୁ ପଶ୍ଚାତ୍ପଦ ହେଉଥିଲେ । କେବଳ ସେତିକି ନୁହେଁ, ପିଲାଟି ତାଙ୍କୁ ଅଜା ବୋଲୁଛି ଜାଣିପାରିଲେ ସେ ଖଡ୍ଗହସ୍ତ ହୋଇ ଉଠୁଥିଲେ । ପିଲାଟି ବିଶ୍ୱେଶ୍ୱର ସହିତ ନିଜକୁ ତୁଳନା କରି, ସର୍ବଦା ସଂକୁଚିତ ହୋଇ ରହେ । ବିଶ୍ୱେଶ୍ୱରର ବୟସ ପ୍ରାୟ ନ ବର୍ଷ । ଶ୍ରୀନିବାସଙ୍କ ଉଆସରେ ସୋହାଗ ସମ୍ପଦ ତା’ ଉପରେ ଭାଜିପଡ଼ୁଥିଲା । ସେ ଶ୍ରୀନିବାସଙ୍କ ନାତି, ତାଙ୍କ ପୁତୁରାର ପୁଅ । ସେ ବାଙ୍କିରେ ରହୁଥଲା-। ଶ୍ରୀନିବାସ ଏବଂ ପାର୍ବତୀ ତା’ ନିକଟକୁ ଥରକୁ ଥର ଉପହାରମାନ ପଠାଉଥିଲେ ।
✽✽✽
୨୬
ବାପାଙ୍କ ଚିଠି
କଟକରୁ ଚାଲି ପୁରୀ ଆଡ଼କୁ ଯେଉଁମାନେ ଯାଉଥିଲେ, ବାଲିଅନ୍ତା ନିକଟରେ, କୁଆଖାଈ ପଠା ଉପରେ ଗୋଟିଏ ସୁନ୍ଦର ଛୋଟିଆ ବଗିଚା ସେମାନଙ୍କ ଦୃଷ୍ଟିରେ ପଡ଼ୁଥିଲା । ବଗିଚାରେ ଜଣେ ପଚାଶ ବର୍ଷର ବ୍ୟକ୍ତି ଗୋଟିଏ ଛୋଟିଆ କୁଡ଼ିଆ ଘରେ ବାସ କରୁଥିଲେ । ସେ ଦିନଯାକ ବଗିଚାରେ କୋଡ଼ି ହାଣିବା, ଗଛ ପୋତିବା, ପାଣିଦେବା, ଘାସ ବାଛିବା ଆଦି କାର୍ଯ୍ୟ ନିଜ ହାତରେ କରନ୍ତି ଏବଂ ସନ୍ଧ୍ୟାପରେ ଘର ଭିତରେ ନ ରହି ବଗିଚାର ସୌନ୍ଦର୍ଯ୍ୟ ଦେଖି ଏ ଗଛ ମୂଳରୁ ସେ ଗଛ ମୂଳକୁ ଯିବାଆସିବା କରୁଥାନ୍ତି । ତାଙ୍କର ବେଶଭୂଷାରେ ପରିପାଟି ନ ଥାଏ-। ସେ ଖୁବ୍ ମୋଟା ଲୁଗା ପିନ୍ଧନ୍ତି, ଚଷା ଗଉଡ଼ଙ୍କ ପରି ମୋଟା ବଗଡ଼ା ଖାଆନ୍ତି । ତାଙ୍କ ମୁଣ୍ଡରେ ଗୋଟାଏ ବଡ଼ ଘା’ ଚିହ୍ନ ଦେଖି ଲୋକେ କହନ୍ତି, ‘‘ଏଡ଼େବଡ଼ ଘା’ରୁ ଏ ବର୍ତ୍ତିଗଲେ, କେବଳ କପାଳ ଭଲ ଥିବା ଯୋଗେ ।’’ ବାସ୍ତବରେ ତାଙ୍କ କପାଳଟା ଖୁବ୍ ଉନ୍ନତ ଏବଂ ସୁନ୍ଦର; ଜୀର୍ଣ୍ଣ ଶୀର୍ଣ୍ଣ ଦେହ ଉପରେ ଗୋଟାଏ ମାଗିଆଣିଲା ଜିନିଷ ପରି ଥୁଆହୋଇ ରହିଥାଏ । ଜଣେ ବୁଢ଼ୀ ଚାକିରିଆଣୀ ଘର ଓଳାଇବା ଓ ରୋଷେଇ କରିବା ଆଦି କାମ କରେ । ଲୋକେ ତାଙ୍କ ଫୁଲ ବଗିଚା ଦେଖିବାକୁ ବେଳେ ବେଳେ ରୁଣ୍ଡ ହୁଅନ୍ତି । କେତେବେଳେ ସେମାନେ ଦେଖନ୍ତି ଯେ ସେ ଦୀର୍ଘନିଃଶ୍ୱାସ ପକାଉଛନ୍ତି, କେତେବେଳେ ବା ମନରେ କ’ଣ ଭାବି ଟିକିଏ ହସୁଛନ୍ତି, ଦର୍ଶକମାନଙ୍କୁ ସେ ଗଛରୁ ଫୁଲ ଛିଣ୍ଡାଇ ଦିଅନ୍ତି, ନିଜ ଶକ୍ତି ଅନୁସାରେ ଖୁଆଇ ପିଆଇ ଅଭ୍ୟର୍ଥନା କରନ୍ତି । ଅଭ୍ୟର୍ଥିତ ଲୋକେ କହନ୍ତି, ‘‘ଗୋବିନ୍ଦ ସିଂହ ଦରିଦ୍ର ସିନା, ଭାରି ଉଦାର ।’’
ବାଙ୍କି ରାଜ୍ୟର ଇତିହାସ ଲେଖାଯାଇ ନାହିଁ । ତେବେ ସେ ସମୟର ଘଟଣାବଳୀର ଅନୁଧାବନ କରି ଦେଖିଲେ ଦେଖାଯିବ ଯେ ସନ ୧୨୪୭ ସାଲରେ ବାଙ୍କି ରାଜାଙ୍କ ସହିତ ଇଂରେଜଙ୍କର ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ଗୋବିନ୍ଦ ସିଂହ ପ୍ରଧାନ ସେନାନାଏକ ଥିଲେ । ରାଜ୍ୟର ସ୍ୱାଧୀନତା ରକ୍ଷାକରିବା ନିମନ୍ତେ ସେ ଅସ୍ତ୍ରଧାରଣ କରିଥିଲେ । ସେ ଯୁଦ୍ଧରେ ଇଂରେଜମାନେ ଜୟୀ ହେବାରୁ ବାଙ୍କି ଖାସ୍ ହେଲା । ଗୋବିନ୍ଦ ସିଂହ ବାଙ୍କିରୁ ବିତାଡ଼ିତ ହେଲେ । ସେ ଯେଉଁଦିନ ବାଙ୍କି ଛାଡ଼ି ଯାଆନ୍ତି, ବଞ୍ଚିବେ କି ମରିବେ କିଛି ସ୍ଥିର ନ ଥିଲା । ଯେଉଁ ଯୁଦ୍ଧଭୂମିରେ ବାଙ୍କିର ଦେଢ଼ହଜାର ସୈନିକ ଆତ୍ମବଳି ଦେଲେ, ସେନାନାଏକ ଗୋବିନ୍ଦ ସିଂହ ସେହିଠାରେ ନିଜର ପ୍ରାଣାଧିକ ସୈନିକବର୍ଗଙ୍କ ଶବରାଶି ମଧ୍ୟରେ ନିଜେ ମୃତପ୍ରାୟ ପଡ଼ିଥିଲେ । ହଠାତ୍ କିଏ ଯେପରି ସ୍ୱର୍ଗରୁ ଦେବତା ପରି ଆସି ତାଙ୍କୁ ଶବରାଶି ମଧ୍ୟରୁ କାଢ଼ି ଉଦ୍ଧାରକଲା । ସେ ପ୍ରଥମେ ଜଣେ ସାଧାରଣ ସୈନିକ ଥିଲେ; କିନ୍ତୁ ଇଂରେଜ ବିରୁଦ୍ଧରେ ଅସ୍ତ୍ର ଧାରଣକରି ଯୁଦ୍ଧଭୂମିକୁ ଗଲାବେଳେ ରାଜା ନିଜ ହାତରେ ତାଙ୍କ ମୁଣ୍ଡରେ ସିନ୍ଦୂର ଟୋପା ଦେଇ କହିଲେ, ‘‘ଗୋବିନ୍ଦ ସିଂହ, ତୁମେ ଆଜି ବାଙ୍କିର ସେନାପତି ।’’
ଗୋବିନ୍ଦ ସିଂହଙ୍କ ପତ୍ନୀ ସନ ୧୨୪୨ ସାଲରେ ଗୋଟିଏ ପୁତ୍ର ଜନ୍ମକରି ନିଜେ ମୃତ୍ୟୁମୁଖରେ ପଡ଼ିଥିଲେ । ପୁଅଟି ଗୋବିନ୍ଦ ସିଂହଙ୍କ ଜୀବନର ଏକମାତ୍ର ସାନ୍ତ୍ୱନାର ବିଷୟ ହୋଇଥାନ୍ତା; କିନ୍ତୁ ସେ ଜନ୍ମ ହେଲା ଦିନଠାରୁ ଅଜାଘରେ ଯାଇ ରହିଲା । ସୁତରାଂ ବାପାଙ୍କ ସଙ୍ଗେ ତା’ର କେବେ ଦେଖା ହେଲାନାହିଁ । ଅଜା ସ୍ପଷ୍ଟ କହିଲେ, ‘‘ସେ ଯଦି ବାପା ପାଖକୁ ଯାଏ କିମ୍ବା ବାପ ପ୍ରତି ସ୍ନେହ ମମତା ଭକ୍ତି ମନରେ ରଖେ, ତେବେ ତାକୁ ସମ୍ପତ୍ତିରୁ ମୁଁ ପାହୁଲାଟାଏ ଦେବିନାହିଁ-।’’ ତାଙ୍କର ସେ କଠୋର ପ୍ରତିଜ୍ଞାପରେ, ପୁଅର କଲ୍ୟାଣ ଦୃଷ୍ଟିରୁ ଗୋବିନ୍ଦ ସିଂହ ତା’ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସବୁ ତୁଟାଇଦେଇ, ପାତ୍ର ଅଭାବରେ ବ୍ୟର୍ଥ ହେଉଥିବା ଅପତ୍ୟ ସ୍ନେହ ବଗିଚାର ଗଛ ପତ୍ର ଫୁଲଠାରେ ଅର୍ପିବାରେ ଲାଗିଲେ ।
ଶ୍ରୀନିବାସ ବିଧବା ଝିଅଟି ସହିତ ତୁଳସୀପୁର ଉଆସରେ କାଳ କଟାଉଥିବା ଅବସ୍ଥାରେ ଅନେକ ସମୟରେ କହନ୍ତି, ‘‘ଦେଖ୍ ପାର୍ବତୀ । ଉମାକୁ ମୁଁ ଯେ ସ୍ନେହ କରୁ ନ ଥିଲି, ତା’ ନୁହେଁ; କିନ୍ତୁ ସେ ଯେଉଁଦିନ ସେ ଡକାୟତର ହାତ ଧଇଲା, ସେଦିନୁଁ ମୁଁ ତାକୁ ବିଷ ଦୃଷ୍ଟିରେ ଦେଖିଲି । ଭାଗ୍ୟକୁ ସେ ଚାଲିଯାଇଛି । ତା’ ସ୍ୱାମୀ ଡକାୟତି ବୃତ୍ତି କଲା । ମୁଁ ତାକୁ ଯେତେ ମନାକଲି ଶୁଣିଲା ନାହିଁ । ଯେ ମୋର ଶତ୍ରୁ ସେ ତାରି ସାହାଯ୍ୟରେ ରହିଲା । ମୁଁ କହିଲି, ଏ ଗୋରାମାନେ ଦେଶତମାମ ତ ନେଇ ସାରିଲେଣି । ଆଉ ଏ ଛାର ବାଙ୍କି ରାଜା ତାଙ୍କୁ କି ହଟେଇ ପାରିବେ ? ବାଙ୍କିରାଜା ଯେପରି ଗୋଟାଏ ବଳଦ, ଏ ଗୋବିନ୍ଦ ମଧ୍ୟ ସେହିପରି ଗୋଟାଏ ବଳଦ । ଦୁଇଟାଯାକ ମିଶି ବାଙ୍କିର ପଡ଼ିଆଗୁଡ଼ାକ ଦିନେ ଦୁଇଦିନ କାଳ ଚଷିଗଲେ । ଶେଷରେ ବାଙ୍କିରାଜା ଯେପରି ତଡ଼ା ଖାଇଗଲା, ଏ ଗୋବିନ୍ଦ ମଧ୍ୟ ସେହିପରି ତଡ଼ା ଖାଇଲା । ଏବେ ଯାଇ ଚଷାଙ୍କ ପରି ଲଙ୍ଗଳ ଧରି ଚାଷ କରୁଚି-। କି ବଡ଼ପଣିଆ ନୁହେଁ କି ? ଛି ଛି ଛି ।’’
ବନମାଳୀ କେବଳ ଅଜାଙ୍କ ସାମାନ୍ୟ ସମ୍ପତ୍ତି ଭୋଗ କରିବ ବୋଲି ଯେ ଗୋବିନ୍ଦ ସିଂହ ଅନବରତ ପୁତ୍ର ବିଚ୍ଛେଦ ବହ୍ନିରେ ଜଳି ତାକୁ ପରିତ୍ୟାଗ କରି ରହିଥିଲେ, ତା’ ନୁହେଁ । ପାର୍ବତୀ ଜଣେ ବିଶେଷ ଧନଶାଳୀ ରାଜାଙ୍କ ହାତ ଧରିଥିଲେ, କିନ୍ତୁ ବିବାହର ଅଳ୍ପ କାଳ ପରେ ତାଙ୍କୁ ବିଧବା ହେବାକୁ ପଡ଼ିଲା । ତାଙ୍କର ସନ୍ତାନ ନ ଥିବାରୁ ସେ ପତିଙ୍କ ସମୁଦାୟ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରିଣୀ ହେଲେ; କିନ୍ତୁ ଶ୍ରୀନିବାସ ତାଙ୍କୁ ଏକୁଟିଆ ପତିଗୃହରେ ଛାଡ଼ି ନ ଦେଇ ନିଜ ପାଖେ ରଖିଲେ । ପାର୍ବତୀଙ୍କର ବିପୁଳ ସମ୍ପତ୍ତି ସେ ପରକୁ ନ ଦେଇ; ନିଜ ଉତ୍ତରାଧିକାରୀ ହାତେ ଅର୍ପଣ କରିବାକୁ ସ୍ଥିର କରିଥିଲେ । ବିଶ୍ୱେଶ୍ୱରକୁ ପୋଷ୍ୟ ପୁତ୍ର କରିବା ଲାଗି ପାର୍ବତୀଙ୍କର ଯେ ପ୍ରବଳ ଇଚ୍ଛା ଥିଲା; ଶ୍ରୀନିବାସ ନାନା ମନ୍ତ୍ରଣାଦ୍ୱାରା ତାହା ଚୂର୍ଣ୍ଣ କରି ପକାଇଲେ । ଶେଷରେ ସ୍ଥିର ହେଲା ଯେ ବାପା ଯାହାକୁ ନିଜର ପୋଷ୍ୟପୁତ୍ର ରୂପେ ଗ୍ରହଣ କରିବେ, ପାର୍ବତୀଙ୍କ ସମ୍ପତ୍ତି ତାହାରି ହସ୍ତରେ ଅର୍ପଣ କରାଯିବ । ଶ୍ରୀନିବାସ ବନମାଳୀକୁ ଅତି ଶିଶୁ ବୟସରୁ ନିଜ ଘରେ ରଖି, ପାଳି ତାହାକୁ ହିଁ ପୋଷ୍ୟପୁତ୍ର କରିବାକୁ ଠିକ୍ କରିଥିଲେ ଓ ନିଜ ବଂଶର ଉପାଧିରେ ତା’ ପୈତୃକ ନାମକୁ ବିମଣ୍ଡିତ କରି ରଖିଥିଲେ । ନିଜର ଛେଉଣ୍ଡ ପୁଅ ବନମାଳୀ ଅଜା ଓ ମାଉସୀ ଉଭୟଙ୍କ ବିପୁଳ ସମ୍ପତ୍ତି ଭୋଗକରି ସୁଖରେ ରହିପାରିବ ଭାବି, ଗୋବିନ୍ଦ ସିଂହ ଶ୍ରୀନିବାସଙ୍କ ଇଚ୍ଛା ବିରୁଦ୍ଧରେ କେବେ କାର୍ଯ୍ୟ କରିନାହାନ୍ତି; ବନମାଳୀକୁ ପାଖରେ ରଖିବାକୁ ଚେଷ୍ଟିତ ହୋଇନାହାନ୍ତି, ଏପରିକି ପ୍ରକାଶ୍ୟରେ ତାକୁ ଥରେ ହେଲେ ଆଖିରେ ଦେଖି ନାହାନ୍ତି ।
ବନମାଳୀ ନିଜ ବାପାଙ୍କ ପାଖକୁ ଯିବାଆସିବା କରୁ, ପାର୍ବତୀ ବରାବର କାମନା କରୁଥିଲେ । କେବଳ ସେତିକି ନୁହେଁ, ରାଜ୍ୟ ଓ ସମ୍ପତ୍ତିରୁ ବିତାଡ଼ିତ ଗୋବିନ୍ଦ ସିଂହ ମଧ୍ୟ ଆସି ଶ୍ୱଶୁରଘରେ ରହନ୍ତୁ ବୋଲି ତାଙ୍କର ଇଚ୍ଛାଥିଲା । ବାପାଙ୍କ ନିକଟରେ ସେହି ଇଚ୍ଛା ପ୍ରକାଶକରି ସେ କେତେଥର ଗାଳି ମଧ୍ୟ ଖାଇଛନ୍ତି । ଗୋବିନ୍ଦ ସିଂହ ଉମାର ପାଣିଗ୍ରହଣ କଲାବେଳେ ଶ୍ରୀନିବାସ କହିଥିଲେ, ‘‘ଏ ସତ୍ ବ୍ରାହ୍ମଣ ହାତରେ ସୁବର୍ଣ୍ଣ ଦାନ;’’ କିନ୍ତୁ ବିବାହର ଠିକ୍ ପରେ ଗୋବିନ୍ଦ ସିଂହ ବାଙ୍କି ରାଜାଙ୍କ ସୈନ୍ୟ ଦଳରେ ଭୁକ୍ତହେଲେ । ସେହି ଯୋଗେ ତାଙ୍କୁ ଶ୍ରୀନିବାସଙ୍କ ବିଷଦୃଷ୍ଟିରେ ପଡ଼ିବାକୁ ହେଲା ।
ବାଲିଅନ୍ତା ଗୋପୀନାଥଙ୍କ ଦେଉଳ ପୂଜାରୀ ଗଙ୍ଗାଧର ଗୋବିନ୍ଦ ସିଂହଙ୍କ ବଗିଚାରୁ ଠାକୁରଙ୍କ ନିମନ୍ତେ ଫୁଲ ଆଣିବା ସମ୍ପର୍କରେ ପ୍ରଥମେ ତାଙ୍କ ସଙ୍ଗେ ପରିଚୟ କରିଥିଲା । ସେ ପରିଚୟ କ୍ରମେ ଘନିଷ୍ଠତାରେ ପରିଣତ ହେଲା । ଗଙ୍ଗାଧରର ସାନଭାଇ ବିମ୍ବାଧର କଟକଚଣ୍ଡୀ ଦେଉଳରେ ଯାଇ କାମ କରେ । ଦିନେ ବିମ୍ବାଧରକୁ ଧରି ଗଙ୍ଗାଧର ଗୋବିନ୍ଦ ସିଂହଙ୍କ ନିକଟକୁ ଯାଇଥିଲା । ବିମ୍ବାଧର କଥା ପ୍ରସଙ୍ଗରେ କହିବସିଲା, ‘‘ମୋ ଦେଉଳ କାମ ଅବଶ୍ୟ ଅନେକ, ହେଲେ ରୋଜଗାର ମଧ୍ୟ ସେଇପରି ହୁଏ । ପ୍ରତିଦିନ ଶହ ଶହ ଲୋକ ଦର୍ଶନ କରିବାକୁ ଆସନ୍ତି । ପଇସାଏ ହେଲେ ତ ମୋର ଶହେ ପଇସା ଟଙ୍କେ ନ ଅଣା ଦିନକୁ ଥୁଆ । ତା’ପରେ ପ୍ରତି ମଙ୍ଗଳବାର ଦିନ ବାଙ୍କି ରାଜାଙ୍କ ବଂଶର ଜଣେ ଜେମା ସାଥିରେ ଗୋଟିଏ ପିଲା ଧରି ଦର୍ଶନ କରିବାକୁ ଆସି ମୋତେ ଟଙ୍କେ ମସାଏ ଦେଇଯାଆନ୍ତି ।’’
ବିମ୍ବାଧର ଏତିକି କହିଛି, ଗୋବିନ୍ଦ ସିଂହ ଭୋ ଭୋ କାନ୍ଦି ପକାଇଲେ । ଗଙ୍ଗାଧର କାରଣ ନ ବୁଝିପାରି ବାରମ୍ବାର ପଚାରିବାକୁ ଲାଗିଲା । ତହୁଁ ଗୋବିନ୍ଦ ସିଂହ ନିଜ ପୁଅର ଯାବତୀୟ ବୃତ୍ତାନ୍ତ ବର୍ଣ୍ଣନା କରି ଶେଷରେ କହିଲେ, ‘‘ଗଙ୍ଗାଧର, ମୁଁ ଯାହା କଷ୍ଟ ପାଉଚି ପାଏ । ମୋ ବନୁ ଟଙ୍କା ପଇସା ପାଇ ସୁଖରେ ରହିଲେ ହେଲା । ତାରି ଲାଗି ତ ମୁଁ ଏ ଦଶା ଭୋଗୁଚି, ଛାତି ଫାଟିଯାଉଚି’’ କହି, ସେ ପୁଣି ଅନେକ ସମୟ କାନ୍ଦିଲେ । ସେହିଦିନଠାରୁ ଗୋବିନ୍ଦ ସିଂହଙ୍କୁ ଗଙ୍ଗାଧର ଓ ବିମ୍ବାଧର ବେଶି ଆପଣାର କଲେ ।
ବନମାଳୀ ପିଲାଦିନୁ ମାଉସୀ ପାର୍ବତୀଙ୍କ କଟକଣାରେ ରହି ପଢ଼ାପଢ଼ି କଲା । ତା’ର ଯେତିକି ଜ୍ଞାନର ପରିସର ବଢ଼ିଲା, ଅଜାଙ୍କ କାର୍ଯ୍ୟକଳାପ ପ୍ରତି ତା’ର ସେତିକି ବିରାଗ ଜନ୍ମିବାକୁ ଲାଗିଲା । ଷୋଳବର୍ଷ ବୟସବେଳେ ଦିନେ ସେ ପଢ଼ିସାରି ଘରକୁ ଫେରିବାବେଳେ ହଠାତ୍ ଅଜାଙ୍କ ହାବୁଡ଼େ ପଡ଼ିଲା । ଅଜା କହିଲେ, ‘‘ଦେଖ୍ ଟୋକା, ତୁ କାଲି ସକାଳେ ବାଲିଅନ୍ତା ଯା ।’’ ଶୁଣି ବନମାଳୀ ଭୟତ୍ରସ୍ତ ସ୍ୱରରେ ପଚାରିଲା, ‘‘କାହିଁକି ?’’ ଅଜା ଉତ୍ତର ଦେଲେ, ‘‘ତୋ ବାପା ଡକେଇଚି-।’’ ବନମାଳୀ ଏକେ ଅଜାଙ୍କୁ ଦେଖି ତ ଥରୁଥିଲା; ତାଙ୍କ କଥା ଶୁଣି ଆପଦମସ୍ତକ କମ୍ପିବାକୁ ଲାଗିଲା । ବାପାଙ୍କୁ ଦେଖିବାକୁ ଯେ ତାକୁ ଦିନେ ଯିବାକୁ ପଡ଼ିବ, ସେଥିପାଇଁ ସେ ନିଜକୁ କେବେ ପ୍ରସ୍ତୁତ କରି ନ ଥିଲା । ସେ ଅଜାଙ୍କଠାରୁ ଶୁଣି ଶୁଣି ସ୍ଥିରରୂପେ ଜାଣିଛି ଯେ ତା’ ବାପା ଗୋଟାଏ ଡକାୟତ ଏବଂ ଦାଣ୍ଡର ଭିକାରି । ବାପା ଏତେ ବର୍ଷ ମଧ୍ୟରେ ତାକୁ ଦିନେ ନ ପଚାରିବାରୁ ତା’ର ସେ ବିଶ୍ୱାସ ବଦ୍ଧମୂଳ ହୋଇଛି । ଆଜି ବାପାଙ୍କୁ ଦେଖିବାକୁ ଯିବା ନିମନ୍ତେ ଅଜାଙ୍କଠାରୁ ହୁକୁମପାଇ ବନମାଳୀ ମୁହୂର୍ତ୍ତକେ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇପଡ଼ିଲା । ଦେଖି, ମାଉସୀ କହିଲେ, ‘‘ତାଙ୍କ ଦେହ ବ୍ୟସ୍ତ ହେଇଚି; ତୁ ଗଲେ ଟିକିଏ ଦେଖିବେ ପରା ।’’
ପରଦିନ ସନ୍ଧ୍ୟାରେ ବନମାଳୀ ବାଲିଅନ୍ତା ଯାଇ ବାପାଙ୍କ ବଗିଚାରେ ପହଞ୍ଚିଲା । ଜଣେ ବୁଢ଼ୀ ବଗିଚା କୁଡ଼ିଆ ଘରଦ୍ୱାରେ ବିମର୍ଷ ମୁଖରେ ବସିଥିଲା । ବନମାଳୀ ତାକୁ ପଚାରିଲା, ‘‘ଏ କ’ଣ ଗୋବିନ୍ଦ ସିଂହଙ୍କ ଘର ?’’ ବୁଢ଼ୀ ମୁଣ୍ଡ ଠାରି ‘ହଁ’ କଲା । ବନମାଳୀ ପୁଣି ପଚାରିଲା, ‘‘ତାଙ୍କ ସାଙ୍ଗେ ଦେଖା ହେଇପାରିବ ?’’ ବୁଢ଼ୀ ପୁଣି ମୁଣ୍ଡ ଠାରିଲା, ମାତ୍ର ଏଥର ନାହିଁକଲା । ଦେଖି ବନମାଳୀ କହିଲା, ‘‘ମୁଁ ତାଙ୍କ ପୁଅ, ସେ ମୋତେ ଡକେଇଥିଲେ ।’’ ତହୁଁ ବୁଢ଼ୀ ପାଟି ଫିଟାଇ କହିଲା, ‘‘ଆଉ ଦେଖିପାରିବେ ନାହିଁରେ ବାପା !’’
ବନମାଳୀ ଦେଖିଲା, ବୁଢ଼ୀ ଆଖିରୁ ଝରଝର ଲୁହ ବୋହୁଛି । କିଛି କାରଣ ବୁଝି ନ ପାରି ସେ ଘର ଭିତରେ ପାଦ ପକାଇଲା । ସେଠାରେ ତିନିଜଣ ଲୋକ ଥିଲେ । ଜଣେ ଠିଆ ହୋଇଥିଲା, ଜଣେ ବସି କାନ୍ଦୁଥିଲା, ଆଉଜଣେ ଚିତ୍ ହୋଇ ଶୋଇ ରହିଥିଲା । ଯେ ଶୋଇ ରହିଥିଲା, ସେ ଗୋବିନ୍ଦ ସିଂହ । ଠିଆ ହେବା ଲୋକଟି ବୈଦ୍ୟ ଏବଂ ବସି କାନ୍ଦୁଥିବା ଲୋକଟି ଗଙ୍ଗାଧର । ବୈଦ୍ୟ ବିଫଳ ହୋଇ ଫେରି ଯାଉଥିଲେ । ଗଙ୍ଗାଧର ତା’ ବହୁ ଦିନର ସଙ୍ଗୀ ଗୋବିନ୍ଦ ସିଂହଙ୍କୁ ଚିର ବିଦାୟ ଦେଇ, ତାଙ୍କ ସ୍ମୃତିଟିକୁ ନେତ୍ର ଜଳରେ ସିକ୍ତ କରି ରଖୁଥିଲା ।
ମଲା ପୂର୍ବରୁ ଗୋବିନ୍ଦ ସିଂହଙ୍କର କିଛି ସମୟ ପ୍ରଳାପ ହୋଇଥିଲା । ସେ ପ୍ରଳାପରେ ବାରମ୍ବାର କହୁଥିଲେ, ‘‘ମୋ ପୁଅ ଆସିଲା ନାହିଁ । ମୁଁ ଯାଇ ତା’ ସଙ୍ଗେ ଦେଖା କରିବି ।’’ ମଲାବେଳେ ତାଙ୍କ ଦୁଇ ଆଖିରୁ ଦୁଇଧାର ଲୁହ ଯେ ଗଡ଼ି ପଡ଼ିଥିଲା, ବନମାଳୀ ଆସିବା ସମୟ ମଧ୍ୟରେ ତାଙ୍କ ଜଡ଼ ଦେହ ତାହା ଶୁଖାଇପାରି ନ ଥିଲା । ସେହି ଅଶ୍ରୁଧାର ଦେଖି ବନମାଳୀ ପିତାଙ୍କ ବଗିଚାରୁ ଫେରିଲା । ସେ ଫେରିଲାବେଳେ ବୁଢ଼ୀଟି ତା’ ହାତରେ ଖଣ୍ଡିଏ ଲେଖା ଦେଲା । ସେଥିରେ ଲେଖାଥିଲା, ‘‘ମୋ ପୁଅ ଜାଣିବ, ମୁଁ ମାତୃଭୂମିର ଗୌରବ ରକ୍ଷା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ରାଜା ମୋତେ ‘ସେନାପତି’ ଉପାଧି ଦେଇଥିଲେ । ସେ ଉପାଧି ମୁଁ ହୃଦୟର ରକ୍ତ ଦେଇ କିଣିଥିଲି । ମୋ ପୁଅ ସେ ଉପାଧି ଗ୍ରହଣ କରିବ । ସେ ନିଶ୍ଚୟ ନିଜକୁ ତା’ର ଉପଯୁକ୍ତ କରି ଗଢ଼ିବ ।’’ ତା’ ତଳକୁ ଆହୁରି ଲେଖାଥିଲା, ‘‘ଯୁଦ୍ଧକ୍ଷେତ୍ରରେ ଜଣେ ସୈନିକ ମୋ ଜୀବନରକ୍ଷା କରିଥିଲା । ସେ ଜଜାରସିଂହ ଚଟିଘର ମାଲିକ ଦୀନା ସାହୁ । ମୋ ପୁଅ ତାକୁ କୃତଜ୍ଞତା ଦେଖାଇବ-।’’ ଲେଖାଟି ବନମାଳୀ ବାରମ୍ବାର ପଢ଼ିବାରେ ଲାଗିଲା । ସେ ଯେତିକି ପଢ଼ିଲା, ତା’ ମନରେ ଗୋଟାଏ ଅଦ୍ଭୁତ ଭାବର ସଞ୍ଚାର ହେଲା । ତାହା ପ୍ରାଣରେ ଗୋଟିଏ ନୂତନ ଅଙ୍କୁରର ଆବିର୍ଭାବ ଘଟିଲା ।
ବିମ୍ବାଧର ସଙ୍ଗେ ଚିହ୍ନା ହେବାପରେ ଗୋବିନ୍ଦ ସିଂହ ମାସକେ ଥରେ କୌଣସି ମଙ୍ଗଳବାର ଦିନ କଟକଚଣ୍ଡୀ ଦେଉଳକୁ ଯାଉଥିଲେ । ପାର୍ବତୀ ବନମାଳୀକି ଧରି ଦେଉଳକୁ ଆସିଲେ, ସେ ଆଢ଼ୁଆଳରେ ରହି ଥରେ ତାକୁ ଦେଖି ନିଅନ୍ତି । ସେ ଅନେକ ମଙ୍ଗଳବାର ବାଲିଅନ୍ତାରୁ କଟକ ଯାଇ ଫେରଛନ୍ତି । ଏପରିକି ବର୍ଷାପାଣି, ପବନ, ବଢ଼ି, ନ ମାନି ଜୀବନ ମୂର୍ଚ୍ଛି, ପୁଅକୁ ଦେଖିବାପାଇଁ ସେ ଯାଉଥିଲେ ।
ଗୋବିନ୍ଦ ସିଂହଙ୍କ ମୃତ୍ୟୁର ଅନେକ ଦିନ ପରେ ଦିନେ ବନମାଳୀ ଏକା କଟକଚଣ୍ଡୀଙ୍କ ଦେଉଳରେ ଗୋଟାଏ ଖମ୍ବ ଆଢ଼ୁଆଳରେ ଆଉଜି ବସିଛି, ଦେଉଳ ମାଳୀ ଗଦାଧର ଆସି କହିଲା; ‘‘ତୁମେ ଏଠୋଉ ଘୁଞ୍ଚ ଏଟା ମୋ ଥାନ ।’’ ଶୁଣି ବନମାଳୀ ଘୁଞ୍ଚିଗଲା । ତହୁଁ ମାଳୀ କହିଲା, ‘‘ଶୁଣମ, ମୁଁ କାହିଁକି ତୁମକୁ ଘୁଞ୍ଚିଯିବାକୁ କହିଲି ?’’ ବନମାଳୀ କହିଲା, ‘‘ନା, ମୋର ଦରକାର ନାହିଁ-।’’
ଶୁଣି ମାଳୀ ଉତ୍ତର ଦେଲା, ‘‘ନା, ଦରକାର ଅଛି, ଶୁଣ । ତୁମେ କାହିଁକି ଭାବିବ ଯେ ମୁଁ ଗୋଟାଏ ଖରାପ ଲୋକ ଆଉ ଅନ୍ୟାୟରେ ଅକାରଣରେ ତୁମକୁ ବସିବାଠାରୁ ଉଠେଇଲି । ମୁଁ ଏ ଥାନଟିକି ବଡ଼ ପବିତ୍ର ମନେକରେ । ମୁଁ ତା’ କାରଣ କହୁଚି । ପ୍ରାୟ ପାଞ୍ଚବର୍ଷ କାଳ ମୁଁ ଦେଖିଲି, ମାସକେ ଥରେ ମଙ୍ଗଳବାର ଦିନ ଜଣେ ଦରିଦ୍ର ଲୋକ ଏଠେଇ ଠିଆ ହେଇ, ମୁଣ୍ଡ ବଢ଼େଇ ତା’ ପୁଅକୁ ଟିକିଏ ଚାହିଁଦେଇ ଚାଲିଯାଏ । ତା’ ବାପ ସେମିତି ଆସି ଦେଖୁଚି ବୋଲି ପୁଅ କେବେ ସନ୍ଦେହ କରି ନାହିଁ । ମୁଁ ସେ ଲୋକକୁ ଜାଣେ । ତା’ର ଜଣେ ଶ୍ୱଶୁର ଥିଲା । ସେ ଶ୍ୱଶୁର ତା’ ପୁଅକୁ– ବୋଇଲେ ନିଜ ନାତିକି ନେଇ ଘରେ ରଖିଥିଲା, ଆଉ ତାକୁ ବାପ ପାଖକୁ ଯିବାକୁ ମନା କରିଥିଲା । ଲୋକଟି ବାଲିଅନ୍ତାରେ ରହୁଥିଲା । ତା’ ନାଁ କି ସିଂହ ତ । କପାଳରେ ଗୋଟାଏ ବଡ଼ ଘା ଚିହ୍ନ ଥାଏ । ପୂଝାରି ବିମ୍ବାଧର ତାକୁ ଭଲରୂପେ ଜାଣନ୍ତି । କି ସିଂହ ତ ।’’
ଶୁଣି ବନମାଳୀ କହିଲା, ‘‘ଗୋବିନ୍ଦ ସିଂହ ।’’
‘‘ହଁ, ଠିକ୍ ଗୋବିନ୍ଦ ସିଂହ । ତୁମେ କ’ଣ ତାକୁ ଚିହ୍ନ କି ?’’
‘‘ହଁ, ସେ ତ ମୋ ବାପା ।’’ ମାଳୀ ବନମାଳୀକି କୁଣ୍ଢାଇ ପକାଇ କହିଲା, ‘‘ତୁ ବାପ, ତା’ ପୁଅ ? ଆହା, ତତେ କେତେ ସ୍ନେହ କରୁ ନ ଥିଲା କି ! ସେମିତି ବାପ କୋଟିକେ ଗୋଟିଏ ପରା-।’’
✽✽✽
୨୭