ବନମାଳୀ ପାଇଁ ଚମ୍ପା ପ୍ରାଣ ଦେଲା — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବନମାଳୀ ପାଇଁ ଚମ୍ପା ପ୍ରାଣ ଦେଲା
‘‘କେତେ ବୋଳିଛି ମୁଁ ଏ ହାତେ କାଳି,
କେତେ କାହାଠାରୁ ଖାଇଛି ଗାଳି ।
ଆଉ ପଦେ କିଏ କହିବ ମୋତେ ?
ମୁଁ ତ ଧୋଇବି ଏ ହାତ ରକତେ ।
ଧନ୍ୟ ଧନ୍ୟ ଧନ୍ୟ ମୋର ପରାଣ
ମାଆ ଲାଗି ଆଜି ମରିବି ଜାଣ ।’’
‘‘ଏ ତ ହରିଆ ।’’ ହରିଆ ଗୀତ ଗାଇ ଗାଇ ଧାଇଁ ଆସି କହିଲା, ‘‘ଦେଖ ବୈଦ୍ୟନାଥବାବୁ, ଦଳେ ସିପେଇ ଆସୁଚନ୍ତି; ଆମ ବେଦୀ ତାଡ଼ି ପକେଇବେ, ସିଂହାସନ ଭାଙ୍ଗି ଗୁଣ୍ଡା କରିଦେବେ; ଆଉ ପତାକା ଚିରି ଟିକ୍ ଟିକ୍ କରିବେ, ତା’ ଛଡ଼ା, ଆମକୁ ତ ଧୂଳିରେ ମିଶେଇଦେବେ । ଆମକୁ ଯାହା କରନ୍ତୁ, ସେ ତ ପଛ କଥା । ଆସ, ବେଗେ କାମଟା ସାରିଦେବା-।’’ ହଠାତ୍ ଦୂରରେ ଗୁଳି ଆବାଜ ଓ କୋଳାହଳ ଶୁଣାଗଲା ।
ଗଦାଧର ବର୍ତ୍ତମାନ ସୁଦ୍ଧା ବିପ୍ଳବୀମାନଙ୍କ ମଧ୍ୟରେ ରହିଥିଲା । ପଦ୍ମନାଭ ଏବଂ ଅନ୍ୟ କେତେଜଣ ତାକୁ ଘରକୁ ଚାଲିଯିବା ପାଇଁ ବାରମ୍ୱାର ଅନୁରୋଧ କରି ବିଫଳ ହୋଇଥିଲେ । ଯେତେବେଳେ କଥା ହେଲା ଯେ ଜଣେ କିଏ ଯାଇ ବେଦୀରେ ପତାକାର ଖୁଣ୍ଟଟି ବାନ୍ଧି ରଖିବ, ସେହି ଅଶୀ ବର୍ଷର ବୁଢ଼ା ଥରି ଥରି ବେଦୀ ଉପରକୁ ଉଠିଲା । ମୁହୂର୍ତ୍ତକ ପାଇଁ ଚତୁର୍ଦ୍ଦିଗ ନିସ୍ତବ୍ଧ ହୋଇଗଲା । ବିପ୍ଳବୀ ଓ ଦର୍ଶକମାନେ ଭକ୍ତି ଏବଂ ବିସ୍ମୟରେ ମୁଣ୍ଡ ପୋତିଦେଲେ । ହଠାତ୍ ଦଳେ ସିପାହୀଙ୍କ ଆଗେ ଆଗେ ଜଣେ ଗୋରା କର୍ମଚାରୀ ଧାଇଁ ଆସି କହିଲେ, ‘‘କିଏ ଚଢ଼ୁଚ, ଓହ୍ଲାଅ; ଶୁଣ, ଓହ୍ଲେଇ ଆସ-।’’ ଶୁଣି, ଗଦାଧର କହିଲା, ‘‘ରାଜା ବୀରକିଶୋର ଦେବଙ୍କ ଜୟ ।’’ ତେଣେ ହୁକୁମ ପଡ଼ିଲା, ଗୁଳି ଚଳାଅ ।’’ ମୁହୂର୍ତ୍ତକ ମଧ୍ୟରେ ଗଦାଧର ବେଦୀ ଉପରୁ ତଳକୁ ଟଳିପଡ଼ିଲା; ରକ୍ତ ସ୍ରୋତରେ ଦାଣ୍ଡ ଧୂଳି ରଞ୍ଜିତ ହୋଇଗଲା । ବିଦ୍ରୋହୀ ଏବଂ ଦର୍ଶକମାନେ ଶବ ଚାରିପାଖେ ଘେରିରହିଲେ ।
ସେତେବେଳେ ପଛରୁ ପୁଣି ଗୁଳି ଆବାଜ ଶୁଣାଗଲା । ସମସ୍ତେ ଚାହିଁ ଦେଖିଲେ, ବନମାଳୀ ଆସୁଛି । ସେ ହାତରେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ବନ୍ଧୁକଟା ଧରି ଉନ୍ମାଦନାରେ ଶୂନ୍ୟକୁ ଗୁଳି ଫୁଟାଇ ଧାଇଁବାରେ ଲାଗିଥିଲା । ସେ ଆସି ଦେଖିଲା ଯେ ଗଦାଧର ରକ୍ତାକ୍ତ ହୋଇ ଭବରଙ୍ଗ ଭୂମିରୁ ଚିରକାଳ ପାଇଁ ବିଦାୟ ନେଇ ଆଖି ବୁଜି ଶୋଇଛି ଏବଂ ତା’ ନିକଟରେ ଆହତ ହରିଆ ପଡ଼ି ଛଟପଟ ହେଉଛି । ତହୁଁ ସେ କହିଲା, ‘‘ଦେଖ, ଭାଇମାନେ, ଜଣେ ବୁଢ଼ା ଓ ଗୋଟିଏ ପିଲା ଆମ ଆଗରେ ଆଜି ତ୍ୟାଗର କି ଜ୍ୱଳନ୍ତ ଆଦର୍ଶ ଦେଖେଇଛନ୍ତି । ଆମେ ପଛକୁ ହଟିଲାବେଳେ ସେମାନେ ଅଗ୍ରସର ହେଲେ । ଆମେ ଫଳାଫଳ ଚିନ୍ତା କଲାବେଳେ ସେମାନେ କାର୍ଯ୍ୟକ୍ଷେତ୍ରରେ ପାଦ ପକାଇଲେ । ଏହି ବୃଦ୍ଧ ବ୍ୟକ୍ତିଙ୍କ ଶବ ଏବଂ ବାଳକର ଆହତ ଦେହ ଆମକୁ ଜୀବନର କର୍ତ୍ତବ୍ୟ ଶିକ୍ଷା ଦେଉ । ଆମେ ସମସ୍ତେ କାର୍ଯ୍ୟରେ ଅଗ୍ରସର ହବା, ବଞ୍ଚି ଥାଉ ଥାଉ, ଏ ବେଦୀ ଉପରକୁ କାହାକୁ ଚଢ଼େଇ ଦେବା ନାହିଁ ।’’
ବନମାଳୀ ଠିକ୍ କଥା ଶେଷ କରିବାବେଳକୁ ତା’ ଆଡ଼କୁ ଲକ୍ଷ୍ୟ କରି ଗୋଟାଏ ବନ୍ଧୁକ ରଖା ହୋଇଥିଲା । ବନ୍ଧୁକ ଯେତେବେଳେ ଫୁଟିଲା, ବନମାଳୀ ଚାହିଁ ଦେଖିଲା ନଳି ମୁହଁରେ ଗୋଟାଏ ହାତ ରହିଛି । ତଥାପି ବନ୍ଧୁକ ଭିତରୁ ଗୁଳିଟା ଫୁଟି ବାହାରିଗଲା, କିନ୍ତୁ ବନମାଳୀ ଦେହରେ ବାଜିଲା ନାହିଁ । ବନମାଳୀ ବିପ୍ଳବୀମାନଙ୍କ ଦଳ ଭେଦ କରି, ବେଦୀ ସିଂହାସନ ଆଦି ଭାଙ୍ଗି ପକାଇବାକୁ ସିପାହୀ ଓ ସୈନିକମାନେ ମାଡ଼ି ଆସୁଥିଲେ, ବନମାଳୀ ସେମାନଙ୍କୁ ଅଟକାଇବାକୁ ଚାଲିଗଲା । ସୈନିକମାନଙ୍କୁ ହୁକୁମ ମିଳିଲା, ‘‘ଆଗେ ସିଂହାସନଟା ଗୁଳିରେ ଉଡ଼େଇ ଦିଅ ।’’ ଶୁଣି ବନମାଳୀ କହିଲା, ‘‘ନା, ତା’ ଆଗରୁ ମୋତେ ।’’ ସଙ୍ଗେ ସଙ୍ଗେ ଗୁଳି ବୃଷ୍ଟି ହେଲା । ବନମାଳୀ ସେହି ଭୀଷଣ ବୃଷ୍ଟି ମଧ୍ୟରେ ନିଜର ଆପାଦମସ୍ତକ ତିନ୍ତାଇ ସୈନିକମାନଙ୍କ ଗତି ବନ୍ଦ କରିବାକୁ ଲାଗିଲା ।
ବନମାଳୀର ମୃତ୍ୟୁକୁ ଭୟ କରିବାର କୌଣସି କାରଣ ନାହିଁ । ସେ ରମାକୁ କହି, ମରିବାକୁ ପ୍ରତିଜ୍ଞା କରି ଆସିଛି । ତା’ପରେ ପୁଣି, ପିତା ତା’ ବିଷୟରେ ତାଙ୍କ ଆଦେଶପତ୍ରରେ ଯାହା ଲେଖିଥିଲେ, ସେ ନିଶ୍ଚୟ ତା’ର ଉପଯୁକ୍ତ ହେବ । ସେ କଥା ସେ ହୃଦୟ ମଧ୍ୟରେ ଜପିବାକୁ ଲାଗିଛି; ଜୀବନରେ ଗୋଟାଏ ଦୃଢ଼ ବନ୍ଧନ ସେ ଅଳ୍ପଦିନ ହେଲା ଅନୁଭବ କରୁଥିଲା; ତାହା ଛିଣ୍ଡାଇ ଦେଇ ଆସିଛି । ସୁତରାଂ ସେ ପ୍ରାଣପଣେ ସୈନିକମାନଙ୍କ ଭୀଷଣ ଆକ୍ରମଣ ସହିବାରେ ଲାଗିଛି । ପଛରେ ବିପ୍ଳବୀଗଣ ଦଳ ବାନ୍ଧି ଠିଆ ହୋଇଛନ୍ତି । ସିପାହୀ ଏବଂ ସୈନିକମାନେ ଯେତେବେଳେ ଦେଖିଲେ ଯେ ଅଗ୍ରସର ହେବା ଅସମ୍ଭବ, ସେମାନେ ଗୋଟାଏ ଗଳିବାଟେ ଖସି ଚାଲିଗଲେ । ବନମାଳୀ ବେଦୀ ଉପର ଆୟୋଜନ ଦେଖିବାକୁ ଗଲା । ସେତେବେଳେ ତାକୁ କେହି ଜଣେ ଡାକିଲା ।
ଶୁଣି, ବନମାଳୀ ଚମକି ପଡ଼ିଲା । ପ୍ରାୟ ଦୁଇ ଘଣ୍ଟା ପୂର୍ବେ ସାହେବଜାଦାବଜାର ବଗିଚା ଫାଟକ ପାଖେ ଯେଉଁ ସ୍ୱର ତାକୁ ରଙ୍ଗଭୂମିକୁ ଡାକି ଆଣିଥିଲା, ସେ ଅବିକଳ ସେହି ସ୍ୱର । ସ୍ୱର ପୁନରାୟ ଶୁଭିଲା; ‘‘ବନମାଳୀ ବାବୁ’’ ! ବନମାଳୀ ଚାରିଆଡ଼େ ଚାହିଁ କାହାକୁ ଦେଖିଲାନାହିଁ । ସେ ପୁଣି ଶୁଣିଲା, ‘‘ତୁମ ପାଦତଳେ ।’’ ତହୁଁ ସେ ତଳକୁ ଚାହିଁଲା, ଦେଖିଲା, ଗୋଟିଏ ମଳିନ ମୁହଁ ତଳୁ ଉଠି ତା’ ଆଡ଼କୁ ଚାହିଁଛି । ସେ ମୁହଁରୁ ଶୁଣାଗଲା, ‘‘ମୋତେ ଚିହ୍ନିପାରୁଚ ?’’
‘‘ଚମ୍ପା ।’’ ଶୁଣି ବନମାଳୀ ଆହୁରି ନଇଁପଡ଼ି ବ୍ୟାକୁଳଭାବରେ ତଳକୁ ଚାହିଁଲା ଓ ଦେଖିଲା ସେ ପ୍ରକୃତରେ ଚମ୍ପା, କେବଳ ପୁରୁଷ ପୋଷାକ ପିନ୍ଧିଛି । ପ୍ରକୃତ କଥା କହିବାକୁ ଗଲେ ରମା ପ୍ରତି ଚମ୍ପା ମନରେ ଲୁଚି ଲୁଚି ଈର୍ଷାଜାତ ହୋଇଥିଲା । ପଦ୍ମନାଭ ବସାକୁ ଯାଇ ସେ ଶୁଣିଥିଲା ଯେ ବନମାଳୀ ବିପ୍ଳବରେ ନେତୃତ୍ୱ ନେବାକୁ ଯାଉଛି । ରମାକୁ ନ ଦେଖିଲେ ବନମାଳୀ ମନରେ ଯେ କି ନୈରାଶ୍ୟ ଜନ୍ମିବ, ସେ ତାହା ବୁଝିପାରିଥିଲା ଏବଂ ପରିଣାମରେ ବନମାଳୀର ମୃତ୍ୟୁ ଘଟିବ ବୋଲି ମଧ୍ୟ ଜାଣିଥିଲା । ସୁତରାଂ ସେ ବନମାଳୀ ସହିତ ଏକ ରଙ୍ଗଭୂମିରେ ମରିବାକୁ ଆସିଥିଲା ।
ବନମାଳୀ ପଚାରିଲା, ‘‘ଚମ୍ପା, ମାଟିଟାରେ କାହିଁକି ପଡ଼ିଚୁ ?’’
‘‘ମରୁଚି ପରା !’’ ଶୁଣି, ବନମାଳୀ ବିସ୍ମିତ ହୋଇ ଅଧୀର ସ୍ୱରରେ କହିଲା, ‘‘କ’ଣ ତୋ ଦେହରେ ଗୁଳି ବାଜିଚି କି ? ଆଚ୍ଛା, ମୁଁ ତୋତେ ଟେକି ଘର ଭିତରକୁ ନେଇଯିବି ।’’ କହି, ସେ ଚମ୍ପାକୁ ହାତରେ ଉଠାଇବାକୁ ଚେଷ୍ଟା କଲା । ଚମ୍ପା ଯନ୍ତ୍ରଣାରେ ପାଟି କରିବାକୁ ଲାଗିଲା । ବନମାଳୀ ପଚାରିଲା, ‘‘ମୁଁ ତ ଖାଲି ତୋ ହାତଟା ଧରିଚି, କାଟୁଚି କ’ଣ ?’’ ଚମ୍ପା ନିଜ ହାତ ଟେକି ଦେଖାଇଲା । ବନମାଳୀ ଦେଖିଲା, ତା’ ପାପୁଲିଟା ଫୁଟି କଣା ହୋଇଯାଇଛି ।
‘‘ତୋ ହାତ କ’ଣ ହେଲା, ଚମ୍ପା ?’’
‘‘ତୁମ ଆଡ଼କୁ ବନ୍ଧୁକ ଲକ୍ଷ୍ୟ କରାହୋଇଥିଲା, ଦେଖିଚ ?
‘‘ଦେଖିଚି; ବନ୍ଧୁକ ଫୁଟିଲା ବେଳେ ନଳି ମୁହଁରେ ଗୋଟାଏ ହାତ ମଧ୍ୟ ଦେଖିଚି ।’’
ବନମାଳୀ ଅବାକ୍ ହୋଇଗଲା, କହିଲା, ‘‘ପାଗଳ ନା କ’ଣ ? ତୁ କ’ଣ ନଳି ମୁହଁରେ ହାତ ଦେଇ ଗୁଳି ଅଟକେଇବାକୁ ଯାଉଥିଲୁ ? ଛି ଛି ଛି । ଏମିତି କିଏ କରେ ? ଆଚ୍ଛା, ଏବେ ତୁ ଘର ଭିତରକୁ ଚାଲ । ହାତଟାରେ ଗୁଳି ବାଜିଲେ କେହି ମରିଯାଏ ନାହିଁ । ତୋ ହାତ ଭଲ ହୋଇଯିବ ।’’ ଶୁଣି, ଚମ୍ପା ଅସ୍ପଷ୍ଟ ସ୍ୱରରେ କହିଲା, ‘‘ଗୁଳି ହାତରେ ପଶି ପିଠିବାଟେ ବାହାରିଯାଇଚି ପରା । ମତେ ଏଠୋଉ କାହିଁକି ନବ ? ମୁଁ ତୁମଠୋଉ ଆଉ କିଛି ଅନୁଗ୍ରହ ଚାହୁଁ ନାହିଁ । ମୋ ପାଖେ ଖାଲି ଟିକିଏ ବସ ।’’
ବନମାଳୀ ବସିଲା । ଚମ୍ପା ତା’ କୋଳରେ ମୁଣ୍ଡ ରଖି କହିଲା, ‘‘ମୋତେ ବଡ଼ ଭଲ ଲାଗୁଚି । ଆଉ କିଛି କଷ୍ଟ ହେଉ ନାହିଁ । ଦେଖ, ମୋ ପାଖେ ତୁମର ଖଣ୍ଡିଏ ଚିଠି ଅଛି । ମୁଁ ଯେ କୁରୁତାଟା ପିନ୍ଧିଛି ନା, ତାରି ପକେଟରେ ଅଛି । ସେ ଚିଠି ଖଣ୍ଡି ତୁମକୁ ଦବାକୁ ମୋର ଇଚ୍ଛା ନ ଥିଲା । ମୋ ଉପରେ ରାଗିବ ନାହିଁ, ବନମାଳୀ ବାବୁ । ଆମର ଫେରେ କେବେ ଦେଖା ହବ; ହବ ନାହିଁ ? ତୁମ ଚିଠି ନିଅ ।’’ କହି, ନିଜ ଆହତ ହାତରେ ବନମାଳୀ ହାତ ଭିଡ଼ିଧରି, ସେ ନିଜ କୁରୁତା ପକେଟରେ ପୂରାଇଲା । ବନମାଳୀ ଚିଠିଖଣ୍ଡି କାଢ଼ି ଆଣିଲା । ଚମ୍ପା କହିଲା, ‘‘ଆଉ ମୋ ମେହନତର ପୁରସ୍କାର ?’’
‘‘ମୁଁ ମରିଗଲା ପରେ ମୋ କପାଳରେ ଗୋଟିଏ ଚୁମ୍ବନ ଦବ; ମୁଁ ବୁଝିପାରିବି ଯେ– ।’’ କହି, ଚମ୍ପା ଆଖି ବୁଜିଦେଲା । ତା’ ପ୍ରାଣବାୟୁ ଉଡ଼ିଗଲା ବୋଲି ବନମାଳୀ ମନେ ମନେ ଭାବିଲା; କିନ୍ତୁ କିଛି କ୍ଷଣ ପରେ ସେ ପୁଣି ଆଖି ଫିଟାଇ ଚାହିଁଲା ଏବଂ ଗୋଟାଏ ସୁଦୂର ଅଦୃଶ୍ୟ ରାଜ୍ୟରୁ କହିଲା ପରି ଧୀର କମ୍ପିତ ସ୍ୱରରେ କହିଲା, ‘‘ସତ କହିବି, ବନମାଳୀ ବାବୁ ? ମୋର ତୁମଠେଇଁ ଭାରି ଶରଧା । ହେଲେ, ଆଉ କ’ଣ ଅଛି ?’’ କହି, ସେ ଈଷତ୍ ହସିବାକୁ ଚେଷ୍ଟା କଲା ଏବଂ ଅଧର କମ୍ପିତ ହେବା ସଙ୍ଗେ ସଙ୍ଗେ ତା’ ପ୍ରାଣବାୟୁ ଉଡ଼ି ଚାଲିଗଲା ।
ବନମାଳୀ ତା’ ଅଙ୍ଗୀକାର ରକ୍ଷାକଲା, ଚମ୍ପାର ଜୀବନଶୂନ୍ୟ ଶୀତଳ କପାଳରେ ଗୋଟିଏ ଚୁମ୍ବନ ଦେଇ ତା’ପରେ ସେ ତା’ ମୁଣ୍ଡଟି ଧୀରେ ଧୀରେ ନିଜ କୋଳରୁ କାଢ଼ି ତଳେ ରଖି ଚାଲିଗଲା । ଚମ୍ପା ଶବ ନିକଟରେ ବସି ଚିଠି ଖଣ୍ଡି ପଢ଼ିବାକୁ ତା’ର ଇଚ୍ଛା ହେଲାନାହିଁ ।
ଭିତର ରହସ୍ୟ
ବନମାଳୀ ଚମ୍ପା ଶବ ନିକଟରୁ ଖଣ୍ଡେ ଦୂର ଚାଲିଯାଇ ଚିଠିଖଣ୍ଡି ଫିଟାଇ ପଢ଼ିଲା,
ଆମେ ଏହି ମୁହୂର୍ତ୍ତରେ ଏ ଘର ଛାଡ଼ି ଯିବାକୁ ବାପା କହୁଛନ୍ତି । ଆମେ ଏଠୁ ଯାଇ ଆଜି ସନ୍ଧ୍ୟାରେ ତେଲଙ୍ଗା ବଜାରରେ ରହିବୁ । ସାତଦିନ ବାଦ୍ ରେଙ୍ଗୁନରେ ଥିବୁ । ରବିବାର ।
ଯାହା ଯାହା ଘଟିଲା, ସବୁ ଚମ୍ପାର କାର୍ଯ୍ୟ । ଯେଉଁଦିନ ରାତିରେ ସେ ପାଣୁ ନାଏକ ଘରର ବଗିଚା ଫାଟକ ଜଗିଥିଲା, ତା’ପରେ ତା’ ମନରେ ଦୁଇଟା ଭାବନା ଜାତ ହେଲା, ତା’ ବାପା ଏବଂ ଅନ୍ୟାନ୍ୟ ଡକାୟତମାନଙ୍କ ଚେଷ୍ଟା ବିଫଳ କରିବ ଏବଂ ରମାଠାରୁ ବନମାଳୀକୁ ପୃଥକ୍ କରି ରଖିବ । ‘‘ଏ ଘର ଛାଡ଼ି ଚାଲିଯାଅ’’ ଲେଖି ଯେ ପାଣୁ ନାଏକକୁ ନିର୍ଦ୍ଦେଶ ଦେଇଥିଲା, ସେ ସେହି ଚମ୍ପା । ସେ ଲେଖାଟା ପାଇ ପାଣୁ ନାଏକ ସିଧା ଘର ଭିତରକୁ ଯାଇ ରମାକୁ କହିଲା, ‘‘ଆମେ ଆଜି ସନ୍ଧ୍ୟାରେ ମାଣିକକୁ ଧରି ଏଠୋଉ ତେଲେଙ୍ଗାବଜାର ଯିବା; ଆର ସପ୍ତାହକୁ ରେଙ୍ଗୁନରେ ଥିବା ।’’
ହଠାତ୍ ସେପରି ଗୋଟାଏ ଆଘାତ ପାଇ ରମା ମୃତ ପ୍ରାୟ ହୋଇଗଲା ଏବଂ ତରତରରେ ବନମାଳୀ ନିକଟକୁ ଦୁଇ ଧାଡ଼ିରେ ଉପରର ଚିଠିଟା ଲେଖି ପକାଇଲା, କିନ୍ତୁ ତାହା କିପରି ପଠାଇବ, ବୁଝିପାରିଲା ନାହିଁ । ସେ ନିଜେ ଏକା ଘରୁ ବାହାରି କେଉଁଠାକୁ ଯାଏ ନାହିଁ । ମାଣିକ ହାତରେ ଦେଲେ, ସେ ଅଭୟ ଦାସଙ୍କୁ ସବୁ କହିଦିଅନ୍ତା । ସୁତରାଂ ସେ ବସି ଉପାୟ ଚିନ୍ତା କରିବାକୁ ଲାଗିଲା । ସେତେବେଳେ ଫାଟକ ପାଖେ ସେ ଚମ୍ପାକୁ ପୁରୁଷ ବେଶରେ ଠିଆହେବାର ଦେଖିଲା । ସେ ତାକୁ ଜଣେ ମୂଲିଆ ଟୋକା ବୋଲି ମନେକରି, ଚିଠି ଖଣ୍ଡି ତା’ ହାତେ ଦେଇ କହିଲା, ‘‘ଶୀଘ୍ର ନେଇ ଠିକଣା ଥାନରେ ପହଞ୍ଚେଇବୁ’’ ଓ ତା’ ହାତରେ ପାଞ୍ଚ ଟଙ୍କା ମଜୁରି ଧରାଇଦେଲା ।
ବନମାଳୀ ଚିଠି ଖଣ୍ଡିକୁ ଚୁମ୍ବନରେ ପୋତି ପକାଇଲା । ସେ ମୁହୂର୍ତ୍ତକ ପାଇଁ ଭାବିଲା ଯେ ଜୀବନ ହରାଇଦେବା ତା’ ପକ୍ଷେ ଅନୁଚିତ ହେବ, କିନ୍ତୁ ତା’ପରେ ମନକୁ ମନ କହିଲା, ‘‘ତା’ ବାପା ତାକୁ ରେଙ୍ଗୁନ ନେଇ ଯାଉଚନ୍ତି । ମୋ ଅଜା ମୋତେ ବିବାହ ହବାକୁ ଅନୁମତି ଦେବେ ନାହିଁ-। ତେବେ ନ ମରି ଆଉ ବଞ୍ଚିବାର କ’ଣ କାରଣ ଅଛି ?’’ ତା’ପରେ ତା’ର ଦୁଇଟି କର୍ତ୍ତବ୍ୟ ନ ସରି ରହିଛି ବୋଲି ସେ ମନେକଲା, ପ୍ରଥମେ ନିଜ ମୃତ୍ୟୁ ସମ୍ବାଦ ଜଣାଇଁ ରମାଠାରୁ ଶେଷ ବିଦାୟ ନେବ, ଦ୍ୱିତୀୟରେ, ଦୀନା ସାହୁ ପୁଅ, ଚମ୍ପାର ଭାଇ ହରିଆକୁ ଆପାତ ବିପଦରୁ ରକ୍ଷା କରିବ । ସେହି ଯୁଗ୍ମ କର୍ତ୍ତବ୍ୟ ସାଧନ କରିବା ନିମନ୍ତେ ସେ ଖଣ୍ଡିଏ, କାଗଜ କାଢ଼ି ଲେଖିଲା–
‘‘ଆମ ବିବାହ ଅସମ୍ଭବ । ମୁଁ ଅଜାଙ୍କୁ ଅନୁମତି ମାଗିଲି, ସେ ଦେଲେ ନାହିଁ । ତୁମେ ଯେପରି ଦରିଦ୍ର, ମୁଁ ମଧ୍ୟ ସେପରି ଦରିଦ୍ର । ମୁଁ ତୁମ ଘରକୁ ଯାଇଥିଲି, ତୁମକୁ ଦେଖିଲି ନାହିଁ । ମୁଁ ତୁମ ଆଗରେ କି ଶପଥ କରିଥିଲି ମନେଥିବ, ତାହା ମୁଁ ପାଳନ କରିଛି, ପ୍ରାଣ ବିସର୍ଜନ ଦେଇଛି । ମୁଁ ତୁମକୁ ସ୍ନେହ କରେ । ଆଉ କ’ଣ ଲେଖିବି ?’’
ଶ୍ରୀମତୀ ରମା ଦେବୀ, ଅଭୟ ଦାସଙ୍କ ଘର ତେଲଙ୍ଗାବଜାର । ତା’ପରେ ସେ ଆଉ ଖଣ୍ଡିଏ କାଗଜ କାଢ଼ି ଲେଖିଲା, ‘‘ମୋ ନାମ ବନମାଳୀ ରାଏ । ମୋ ଶବଟା ଅଜା ଶ୍ରୀନିବାସ ଚମ୍ପତିରାଏଙ୍କ ଘରକୁ ନେଇଯିବ । ଘର ତୁଳସୀପୁର ।’’
ଚିଠି ଦୁଇଖଣ୍ଡି ଲେଖିସାରି ବନମାଳୀ ହରିଆକୁ ଡାକି ପଚାରିଲା, ‘‘ମୋ ପାଇଁ ଗୋଟିଏ କାମ କରିଦେବୁ ?’’
‘‘ଯାହା କହିବ, କରିବି । କହିଲେ ପ୍ରାଣ ଦେବି ।’’
‘‘ଏଟା ନେଇ ତେଲଙ୍ଗାବଜାର ଯିବାକୁ ହବ ।’’
‘‘ଏ ଭିତରେ ଯେ ସିପେଇମାନେ ଆମ ଆୟୋଜନ ସବୁ ଭାଙ୍ଗି ପକେଇବେ । ଆଉ ମୁଁ ସେତେବେଳେ ନ ଥିବି । ତା’ କିମିତି ହବ ?
‘‘ନା, ସକାଳ ଆଗରୁ ସେମାନେ କିଛି କରିପାରିବେ ନାହିଁ ।’’
‘‘ଆଚ୍ଛା, ଚିଠି ଖଣ୍ଡ କାଲି ସକାଳେ ଦେଲେ ହବ ନାହିଁ ?’’
‘‘ହଁ ଚିଠି ତ ସକାଳେ ଦବୁ, ଏ ରାତିରେ ନୁହେଁ; ତେବେ ଏଇ ମୁହୂର୍ତ୍ତରେ ଏଠୋଉ ବାହାରିଯିବାକୁ ହବ । ରାତି ଭିତରେ ସବୁ ବାଟ ବନ୍ଦ ହୋଇଯିବ, ତୁ ବାହାରି ଯାଇପାରିବୁ ନାହିଁ । ଏଇକ୍ଷଣି ଯା ।’’
ହରିଆ ଉତ୍ତର ଖୋଜି ପାଇଲା ନାହିଁ । କିଛି ସମୟ ନୀରବ ଭାବରେ ଠିଆହୋଇ, ସେ ବିରସ ମୁଖରେ କହିଲା, ‘‘ଆଚ୍ଛା, ଚିଠି ଦିଅ ।’’ କହି ଚିଠି ଖଣ୍ଡ ଧରି, ଧାଇଁ ଚାଲିଗଲା । ସେତେବେଳେ ତା’ ମନରେ ଗୋଟାଏ ଭାବ ଜାତ ହେଲା । ତାହା ସେ ପ୍ରକାଶ କଲା ନାହିଁ, ଭାବିଲା, ‘‘ଏ ତ ଅଧରାତି ହୋଇ ନାହିଁ । ତେଲେଙ୍ଗା ବଜାର ବେଶି ଦୂର ନୁହେଁ; ଯାଇ ଚିଠି ଖଣ୍ଡ ଦେଇ, ଚାହୁଁ ଚାହୁଁ ତ ମୁଁ ଫେରିଆସିବି ।’’
କାହା ଚିଠି କାହା ହାତେ ପଡ଼ିଲା
ସେହିଦିନ ସନ୍ଧ୍ୟାରେ ପାଣୁ ନାଏକ ରମା ଓ ମାଣିକ ସହିତ ତେଲେଙ୍ଗାବଜାର ଘରେ ଯାଇ ପହଞ୍ଚିଲା । ସେଠାକୁ ଯିବା ବିରୁଦ୍ଧରେ ରମା ଘୋର ଆପତ୍ତି ଉଠାଇଥିଲା । ପାଣୁ ନାଏକ ସଙ୍ଗେ ଏକାଠି ରହିବା ପରେ ଏହି ପ୍ରଥମଥର ତା’ ଇଚ୍ଛା । ପାଣୁ ନାଏକ ଇଚ୍ଛାଠାରୁ ଭିନ୍ନ ଆକାର ଧାରଣ କଲା; ହେଲା ଗୋଟିଏ ପକ୍ଷରୁ ଆପତ୍ତି ଏବଂ ଅନ୍ୟ ପକ୍ଷରେ ଜିଦ୍ । କେହି ଜଣେ ଅପରିଚିତ ଲୋକ ପାଣୁ ନାଏକକୁ ସାବଧାନ କରିଦେବା ଯୋଗେ ସେ ଏତେ ଭୀତ ହୋଇପଡ଼ିଲା ଯେ ରମାର ଆପତ୍ତି ଶୁଣିବାକୁ ତା’ ହୃଦୟରେ ସାହସ ନ ଥିଲା । ଶେଷରେ ରମା ସବୁ ଆପତ୍ତି ସତ୍ତ୍ୱେ ମଧ୍ୟ ବାଧ୍ୟ ହୋଇ ରାଜି ହେଲା ।
ପାଣୁ ନାଏକ ଏବଂ ରମା କେହି କାହାକୁ ପଦେ କଥା ନ କହି ତେଲେଙ୍ଗାବଜାର ଘରେ ଯାଇ ପହଞ୍ଚିଲେ । ସାହେବଜାଦା ବଜାରକୁ ପୁଣି ଫେରିବାକୁ ନ ପଡ଼ିପାରେ ଭାବି, ପାଣୁ ନାଏକ ମାଣିକକୁ ସଙ୍ଗରେ ନେଇଥିଲା, ଅଥଚ ତା’ର ସେହି ‘ଅଛଡ଼ା’ ଛୋଟିଆ ପେଡ଼ିଟି ବ୍ୟତୀତ ବାକି କୌଣସି ଜିନିଷପତ୍ର ନେଲା ନାହିଁ । ରମା କେବଳ ତା’ ଚିଠି କାଗଜ ଓ ଛାପା କାଗଜ ଲେନ୍ତାଟି ଧଇଲା । ତେଲେଙ୍ଗା ବଜାରରେ ପହଞ୍ଚିଲାବେଳକୁ ସନ୍ଧ୍ୟା ହୋଇ ଯାଇଥିଲା ।
ସାହେବଜାଦା ବଜାର ଘର ଛାଡ଼ିଲାବେଳେ ରମା ମୁଣ୍ଡ ବଥାଉଛି, କିଛି ଖାଇଲା ନାହିଁ । ରନ୍ଧାବଢ଼ା ମଧ୍ୟ ବିଶେଷ କିଛି ହୋଇ ନ ଥିଲା । ପାଣୁ ନାଏକ ସକାଳର ପଖାଳ ଖାଇଲା, ତାହା ମଧ୍ୟ ବିନା ତରକାରୀରେ । ସେ ଖାଇ ବସିଲାବେଳେ ମାଣିକ କହିଲା, ‘‘ଆଜି ସହର ଭିତରେ ଭାରି କ’ଣ ଗୋଳମାଳ ଲାଗିଚି, ହଣାହଣି ମରାମରି ହୋଉଚନ୍ତି ।’’ ପାଣୁ ନାଏକ ଅନ୍ୟମନସ୍କ ରହି ସେ କଥା ଶୁଣିପାରିଲା ନାହିଁ । ସେ ଖାଇବାଠାରୁ ଉଠି, ଦୁଆର ପାଖରୁ ଝରକା ପର୍ଯ୍ୟନ୍ତ ଏବଂ ଝରକାଠାରୁ ପୁଣି ଦୁଆର ଯାଏ ଧୀର ଗତିରେ ବୁଲିବାକୁ ଲାଗିଲା । ମନରେ କେବଳ ରମା ଚିନ୍ତା; ରମାର ମୁଣ୍ଡ ବଥା ଯୋଗେ ନୁହେଁ; ତା’ ଭବିଷ୍ୟତ ଲାଗି । ଅନେକ ସମୟ ଭାବିଲା ପରେ ତା’ ମୁହଁ ଉଜ୍ଜ୍ୱଳ ହୋଇ ଆସିଲା । ସେ ବୁଝିପାରିଲା ଯେ ଭବିଷ୍ୟତରେ ରମା ସଙ୍ଗେ ତା’ର କେବେ ବିଚ୍ଛେଦ ଘଟିବ ନାହିଁ । କୌଣସି କୌଣସି ସମୟରେ ପ୍ରତ୍ୟେକ ବିଷୟ ଅସମ୍ଭବ ବୋଧହୁଏ; କିନ୍ତୁ ଆଉ ଗୋଟାଏ ଗୋଟାଏ ଶୁଭ ମୁହୂର୍ତ୍ତ ଆସେ, ଯେତେବେଳେ କି ସବୁ ସହଜ, ସମ୍ଭବ ଓ ସୁସାଧ୍ୟ ପରି ଜଣାଯାଏ । ପାଣୁ ନାଏକ ସେତେବେଳକୁ ଜୀବନର ଏହିପରି ଗୋଟାଏ ଶୁଭ ମୁହୂର୍ତ୍ତରେ ଆସି ପହଞ୍ଚିଲା ।
ପାଣୁ ନାଏକ ନୂଆ ଘରେ ପହଞ୍ଚି ଜିନିଷପତ୍ର ସଜାଡ଼ିବା ପାଇଁ ରମାକୁ ଠିକ୍ ଡାକିବାକୁ ଯିବା ସମୟରେ ଦର୍ପଣ ଭିତରେ ପଢ଼ିଲା–
ଆମେ ଏହି ମୁହୂର୍ତ୍ତରେ ଏ ଘର ଛାଡ଼ି ଯିବାକୁ ବାପା କହୁଛନ୍ତି । ଆମେ ଏଠୁ ଯାଇ ଆଜି ସନ୍ଧ୍ୟାରେ ତେଲେଙ୍ଗାବଜାରରେ ରହିବୁ । ସାତଦିନ ବାଦ୍ ରେଙ୍ଗୁନରେ ଥିବୁ । ରବିବାର ।
ପଢ଼ି, ପାଣୁ ନାଏକ ସ୍ତମ୍ଭିତ ହୋଇ ରହିଲା । ରମା ନୂଆ ଘରେ ପାଦ ପକାଇ ତା’ ଚିଠି କାଗଜ ସହିତ ଛାପା କାଗଜ ଲେନ୍ତାଟି ଦର୍ପଣ ଆଗରେ ଥୋଇଦେଇଥିଲା । ତା’ପରେ ସେ ଏତେ ଭାବିତ ହୋଇପଡ଼ିଲା ଯେ କାଗଜଗୁଡ଼ିକ ନେଇ ଯଥା ସ୍ଥାନରେ ରଖିବା କଥା ତା’ର ଆଉ ମନେ ପଡ଼ିଲା ନାହିଁ । ଛାପା କାଗଜରେ ଲାଗିଥିବା କାଳି ଚିହ୍ନ ପ୍ରତିଫଳିତ ହୋଇ ପାଣୁ ନାଏକ ଆଗରେ ରମା ବନମାଳୀ ନିକଟକୁ ଲେଖିଥିବା ପତ୍ରର ଗୋଟିଏ ଅବିକଳ ନକଲ ପ୍ରତିଭାତ ହେଲା-। ପାଣୁ ନାଏକ ଥରେ ତା’ ଉପରେ ଦୃଷ୍ଟି ପକାଇ କେତେକ ସମୟ ଅବାକ୍ ହୋଇ ରହିଲା ପରେ, ପୁଣି ଆଉ ଥରେ ଚାହିଁଲା । କ୍ଷଣକ ନିମନ୍ତେ ତା’ ହୃଦୟରେ ବିଦ୍ୟୁତ୍ ଝଟକ ଖେଳିଗଲା । ସେ ତାହା ଦେଖି ହଠାତ୍ ବିଶ୍ୱାସ କଲା ନାହିଁ; ମନେକଲା, ତାହା ନିତାନ୍ତ ଅସମ୍ଭବ, ତା’ର ଅସ୍ତିତ୍ୱ ନାହିଁ; କିନ୍ତୁ ପ୍ରଥମ ଉତ୍ତେଜନା ଟିକିଏ ଶାନ୍ତ ହେଲା ପରେ ସେ ଯାଇ ଛାପା କାଗଜ ହାତରେ ଧରିଲା ଏବଂ ମନକୁ ମନ କହିଲା, ‘‘ଓ, ଏଇଥିରୁ ଆସୁଚି ।’’
ପାଣୁ ନାଏକ ଯେତେବେଳେ ଘଟଣାଟା ଆଖି ଆଗରେ ଦେଖିଲା, ସେ ଖଟ ଉପରେ ଲଥ୍କିନି ପଡ଼ିଗଲା । ସମଗ୍ର ଜଗତ ତାକୁ ଅନ୍ଧାର ଦିଶିଲା । ମନୁଷ୍ୟ ଯାହାକୁ ସ୍ନେହ କରେ, ସେ ନିଜକୁ ଅନ୍ତର କରିଦେଲେ, ହୃଦୟରେ ଯେ ଦୁଃଖ ଜନ୍ମେ, ଜଗତରେ ତା’ର ଆଉ ଉପମା ନାହିଁ । ପାଣୁ ନାଏକ ସେହି ଦୁଃଖରେ ଅଭିଭୂତ ହୋଇପଡ଼ିଛି, ମାଣିକ ଆସି ପହଞ୍ଚିଲା । ତହୁଁ ସେ ଉଠି ପଚାରିଲା, ‘‘କୁଆଡ଼େ ଶୁଭୁଥିଲା ?’’ ଶୁଣି ମାଣିକ କିଛି ବୁଝିପାରିଲା ନାହିଁ, ପଚାରିଲା, ‘‘କ’ଣ ଶୁଭୁଥିଲା ?’’
‘‘ତୁ କହିଲୁନାହିଁ ଯେ ସହର ଭିତରେ ମାରପିଟ ଚାଲିଚି ?’’
‘‘ହଁ, ସେ ତ ସେ ଚାନ୍ଦିନୀଚୌକ ସେପଟଯାକ ସବୁଠି ଚାଲିଚି ।’’
ମନୁଷ୍ୟ ବେଳେ ବେଳେ ଇଚ୍ଛା ନ କରି କେତେଗୁଡ଼ାଏ କାର୍ଯ୍ୟ କରି ଚାଲିଯାଏ, ଯାହାକି ଜାଣିପାରିଲେ ସେ କରିବାକୁ ପ୍ରସ୍ତୁତ ହୁଅନ୍ତା ନାହିଁ । ପାଣୁ ନାଏକ ଏହିପରି ଏକ ଭାବର ବଶବର୍ତ୍ତୀ ହୋଇ କେତେକ ମୁହୂର୍ତ୍ତ ପରେ ଦେଖିଲା ଯେ ସେ ଘରଛାଡ଼ି ଦାଣ୍ଡରେ ଯାଇ ଚାଲୁଛି । ସେତେବେଳକୁ ଅଳ୍ପ ରାତି ହୋଇଗଲାଣି, ରାସ୍ତାରେ ଲୋକ ଯିବା ଆସିବା କରୁନାହାନ୍ତି । ସେ କିଛି ବାଟ ଯାଇ ବସିପଡ଼ିଲା ଓ କେତେ ସମୟ ସେଠାରେ ବସିଲା ତାକୁ ଜଣା ନାହିଁ । ଘଣ୍ଟାରେ ଏଗାରଟା ବାଜିଲା । ସେତିକିବେଳେ ମହମଦୀୟା ବଜାରଆଡ଼େ ବନ୍ଧୁକ ଆବାଜ ଶୁଣାଗଲା । ପାଣୁ ନାଏକ ଉଠି ଚାହିଁଲା; ଦେଖିଲା, ରାସ୍ତାରେ କିଏ ଜଣେ ଆସୁଛି । ଆଗନ୍ତୁକ ଆହୁରି ନିକଟବର୍ତ୍ତୀ ହେବାରେ ଜଣାଗଲା ଯେ ସେ ପିଲା । ପାଣୁ ନାଏକ ପିଲାଆଡ଼କୁ ଦୃଷ୍ଟିପାତ କଲାନାହିଁ; କିନ୍ତୁ ପିଲା ଆସି ପଚାରିଲା, ଏଇଟା ଅଭୟ ଦାସଙ୍କ ଘର ନା ?’’ ଶୁଣି, ପାଣୁ ନାଏକ ଉତ୍ତର ନ ଦେଇ ପଚାରିଲା, ‘‘ତୁ କାହିଁକି ଖୋଜୁଚୁ ?’’
‘‘ତୁମେ କ’ଣ ଏହି ଘରେ ଥାଅ ?’’
‘‘ହଁ ।’’ କହି, ପାଣୁ ନାଏକ ମନରେ କ’ଣ ଭାବିଲା ଓ ସଙ୍ଗେ ସଙ୍ଗେ ପଚାରିଲା, ‘‘ତୁ ମୋ ଚିଠି ଆଣିଚୁ ?’’
‘‘ତୁମ ଚିଠି ? ତୁମେ କ’ଣ ମାଇପି ଲୋକ ? ମୁଁ ତୁମ ଚିଠି ଫିଠି କିଛି ଜାଣେନା । ମୁଁ ଲଢ଼େଇ ଥାନରୁ ଚିଠି ଧରି ଆସିଚି । ଚିଠିଟା କୋଉ ଜନାନାର । ତୁମେ ଟିକିଏ ଦେଇଦବ ?’’
‘‘ନିଶ୍ଚୟ, ଏଇ ମୁହୂର୍ତ୍ତରେ ।’’ ଶୁଣି ହରିଆ ଚିଠିଖଣ୍ଡି ପାଣୁ ନାଏକ ହାତକୁ ବଢ଼ାଇଦେଇ, ମୁହୂର୍ତ୍ତେ ଅପେକ୍ଷା ନ କରି, ଧାଇଁ ଚାଲିଗଲା । ପାଣୁ ନାଏକ ତାହା ଧରି ଘର ଭିତରେ ପ୍ରବେଶେ କଲା । ସେ ସବୁ ପଢ଼ିପାରିଲା ନାହିଁ । କେବଳ ଶେଷ ଦୁଇଧାଡ଼ି ପଢ଼ିଲା– ‘‘ପ୍ରାଣ ବିସର୍ଜନ ଦେଇଚି-। ମୁଁ ତୁମକୁ ସ୍ନେହ କରେ । ଆଉ ବିଶେଷ କ’ଣ ଲେଖିବି ? ତୁମର ଅଭାଗା ବନମାଳୀ ।’’
ସେହି ଦୁଇ ଧାଡ଼ି ଦେଖି ପାଣୁ ନାଏକ ଭୀଷଣ ଭୟରେ ଥରିବାକୁ ଲାଗିଲା । ଚିଠି ଖଣ୍ଡ ଯେ ରମା ପାଇବା ନିମନ୍ତେ ଲେଖା ହୋଇଛି, ସେ ସ୍ପଷ୍ଟ ବୁଝିପାରିଲା; କିନ୍ତୁ ଲେଖକ ‘ପ୍ରାଣ ବିସର୍ଜନ ଦେଇଛି’, ସେଥିରେ ତା’ ହୃଦୟରେ ଗୋଟାଏ ବିକଟ ଆନନ୍ଦ ଜନ୍ମିଲା । ରମା ଚିଠି ଖଣ୍ଡିକ ପରଦିନ ସକାଳେ ପାଇବ ବୋଲି ବନମାଳୀ ଭାବିଥିଲା । ରାତି ଏଗାରଟା ବେଳେ ଲଢ଼େଇ ସ୍ଥାନରେ ବନମାଳୀ ପ୍ରାଣର ମମତା ଛାଡ଼ି ଯେ ଯୁଦ୍ଧରେ ଯୋଗ ଦେଇଥିଲା, ତା’ପରେ ଆଉ କୌଣସି ଘଟଣା ସେଠାରେ ଘଟି ନ ଥିଲା; କିନ୍ତୁ ପାଣୁ ନାଏକ ତାହା ଜାଣିବ କିପରି ? ପତ୍ରର ଲେଖକ ମରିଯାଇଛି ଜାଣି ସେ ଟିକିଏ ନିଶ୍ଚିନ୍ତ ହେଲା, ଭାବିଲା ଯେ ରମା ସହିତ ଭବିଷ୍ୟତରେ ତା’ର ଆଉ ବିଚ୍ଛେଦ ଘଟିବ ନାହିଁ । ରମାକୁ ସେ ଚିଠିଟା ଦେଖାଇବ ନାହିଁ ବୋଲି ସ୍ଥିର କଲା; କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେ ପୁଣି ବିଷାଦରେ ଭାଜି ପଡ଼ିବାକୁ ବସିଲା ।
ପାଣୁ ନାଏକ ଦୋକାନରୁ ସରକାରୀ ସିପାହୀମାନଙ୍କ ପୋଷାକରୁ ସାରେ କିଣି, ପିନ୍ଧି, ଜଣେ ପଡ଼ୋଶୀଠାରୁ ବନ୍ଧୁକଟାଏ ମାଗି, ଧରି, ଚାନ୍ଦିନୀଚୌକ ଆଡ଼କୁ ଗଲା । ସରକାରୀ ଫୌଜ ସମଗ୍ର ଚାନ୍ଦିନୀଚୌକ ସଡ଼କ ଓ ଗଳିମାନଙ୍କରେ ଜମି ରହିଥିଲେ । କେବଳ ସେତିକି ନୁହେଁ, ବିଦ୍ରୋହୀମାନଙ୍କୁ ସେମାନେ ଚାରିଆଡ଼ୁ ଘେରିଯାଇ, ମଝିରେ ମହମଦୀୟା ବଜାର ଭିତରେ, ଏକପ୍ରକାର ବନ୍ଦୀ କରି ରଖିଥିଲେ । ସୁତରାଂ ବାହାରୁ ମହମଦୀୟା ବଜାର ଭିତରକୁ ଯିବା ବାଟ ବନ୍ଦ ହୋଇଥିଲା ।