ଘା’ ଭଲ ହୋଇଗଲା — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଘା’ ଭଲ ହୋଇଗଲା
ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ବେଳେ ପ୍ରାଣୀର ସହଜ ବୁଦ୍ଧି ବିକଶିଉଠେ । ରମା ବନମାଳୀ ସହିତ ଯେତିକି ଏକ ହୋଇ ଯିବାକୁ ଲୋଡ଼ିଲା, ପାଣୁ ନାଏକ ସେତିକି ବନମାଳୀଠାରୁ ଦୂରେଇ ରହିବାକୁ ଇଚ୍ଛାକଲା । ସେ ନିଜ ହୃଦୟ ମଧ୍ୟରେ ଥରିବାକୁ ଲାଗିଲା । ଅପରିଚିତ ଯୁବକ ବିଷୟରେ ପାଣୁ ନାଏକ ରମାକୁ ତୁଣ୍ଡ ଫିଟାଇ ପଦେ ସୁଦ୍ଧା କହି ନ ଥିଲା । ଦିନେ ସେ କାହିଁକି ହଠାତ୍ କହିପକାଇଲେ, ‘‘ସେ ଟୋକାଟାର ଟିକିଏ ଦେଖେଇହବା ଢଙ୍ଗ ଅଛି ।’’ ରମା ଧୀରସ୍ଥିର ସ୍ୱରରେ କହିଲା ‘‘ସେ ଯୁବକ ?’’ ଶୁଣି ମନେହେଲା, ଯେପରି କି ରମା ଜୀବନରେ ପ୍ରଥମେ ସେହି ଦିନ ବନମାଳୀକୁ ଆଖି ଫିଟାଇ ଦେଖିଲା । ପାଣୁ ନାଏକ ମନେ ମନେ ଭାବିଲା, ‘‘ମୁଁ କେଡ଼େ ବୋକା ! ସେ ତାକୁ ଚାହିଁ ସୁଦ୍ଧା ନ ଥିଲା । ଏବେ ମୁଁ ଦେଖେଇଦେଲି ।’’
ଦିନେ ବନମାଳୀ ରମାର ଅନୁସରଣ କରି ଓଡ଼ିଆବଜାର ଘର ପର୍ଯ୍ୟନ୍ତ ଯାଇଥିଲା । ଆଉ ଦିନେ ସେ ଘରର ଜଗୁଆଳ ସଙ୍ଗେ ଯାଇ କଥାବାର୍ତ୍ତା ମଧ୍ୟ ହୋଇଥିଲା । ଜଗୁଆଳ ପାଣୁ ନାଏକକୁ ସେ କଥା କହିଥିଲା । ତହୁଁ ପାଣୁ ନାଏକ ଓଡ଼ିଆବଜାର ଘର ଛାଡ଼ି ସାହେବଜାଦା ବଜାର ଘରକୁ ଚାଲିଗଲା ଏବଂ କିଲ୍ଲାପଡ଼ିଆକୁ ବୁଲିଯିବା ଛାଡ଼ିଦେଲା । ରମା ଅବଶ୍ୟ ସେଥିରେ ପାଟି ଫିଟାଇଲା ନାହିଁ, କିନ୍ତୁ ନିଜ ହୃଦୟ ମଧ୍ୟରେ ସନ୍ତୁଳି ହେବାକୁ ଲାଗିଲା । ପାଣୁ ନାଏକ ସେ କଥା କିଛି ବୁଝିପାରିଲା ନାହିଁ, କେବଳ ଦେଖିଲା ରମା ଟିକିଏ ବିମର୍ଷ ଅଛି । ତହୁଁ କିଛିଦିନ ପରେ ସେ ଦିନେ ପଚାରିଲା, ‘‘ମା, କିଲ୍ଲାପଡ଼ିଆକୁ ବୁଲିଯିବୁ କି ?’’ ରମାର ମୁଖମଣ୍ଡଳ ଉଜ୍ଜ୍ୱଳ ଦିଶିଲା । ସେ କହିଲା, ‘‘ହଁ ।’’ ସେଦିନ ଦୁହେଁ ତିନିମାସ ପରେ ପୁଣି ସେଠାକୁ ଗଲେ । ବନମାଳୀ ସେଠାରେ ନ ଥିଲା । ପରଦିନ ପାଣୁ ନାଏକ ରମାକୁ ପଚାରିଲା, ‘‘ଝିଅ, କିଲ୍ଲାପଡ଼ିଆକୁ ଯିବୁ ?’’ ରମା ବିଷଣ୍ଣ ସ୍ୱରରେ କହିଲା, ‘‘ନା ।’’
ରମା ଏବଂ ବନମାଳୀ ପରସ୍ପରକୁ ନ ଦେଖି ଝୁରିବାକୁ ଲାଗିଲେ । ରମା ରମଣୀସୁଲଭ ସହଜଜ୍ଞାନରେ ପାଣୁ ନାଏକ ମନର ଭାବ ବୁଝିପାରି, କିଲ୍ଲାପଡ଼ିଆ ପ୍ରତି ଉଦାସୀନତା ଦେଖାଇବାକୁ ଶିଖିଲା । କ୍ରମେ ଦୁହେଁ ମଙ୍ଗଳାବାଗ ପାରିହୋଇ ରାଣୀହାଟ ଆଡ଼େ ବୁଲିବାକୁ ଗଲେ । ସେଠାରେ କିଛିଦିନ ବୁଲି, ରମା ପୁଣି ବାଳିକା ଅବସ୍ଥାକୁ ଫେରିଆସିଲା; ଗଛର ଫୁଲକୁ ଚାହଁରହିଲା, ପ୍ରଜାପତି ଉଡ଼ିଲେ ନ ଧରି କେବଳ ପଛେ ପଛେ ଗୋଡ଼ାଇଲା ।
ଦିନେ ବୁଲିବାକୁ ଯାଇଛି, ଅନେକ ଦୂରରେ ଦିଗ୍ବଳୟ ଉପରେ ଗୋଟାଏ ପାଣ୍ଡୁର ବର୍ଣ୍ଣ ଚିହ୍ନ ଦେଖାଗଲା । ରମା ଏକଦୃଷ୍ଟିରେ ଚାହିଁରହିଲା । ପାଣୁ ନାଏକ ପାଖରେ ବସି ରମାର ଭବିଷ୍ୟତ କଳ୍ପନା କରିବାକୁ ଲାଗିଲା; ରମା ସହିତ କିପରି ତା’ର ବିଚ୍ଛେଦ ନ ଘଟିବ, ଚିନ୍ତା କଲା । କେତେକ ସମୟ ପରେ ରମା କହିଲା, ‘‘ବାପା, ଦେଖନା, ଏକାଠି କେତେ ଲୋକ ମେଳ ବାନ୍ଧି ଆସୁଚନ୍ତି ।’’ ପାଣୁ ନାଏକ ମୁଣ୍ଡ ଟେକି ଚାହିଁଲା, ରମା ଠିକ୍ କହୁଥିଲା ।
ଚାହୁଁ ଚାହୁଁ କେତେକ ଦଣ୍ଡ ମଧ୍ୟରେ ୨୦ ଜଣ ଲୋକ କ୍ରମେ ନିକଟବର୍ତ୍ତୀ ହୋଇଆସିଲେ । ସମସ୍ତେ ଗୋଟାଏ ଲେଖାଏଁ ଜଙ୍ଘିଆ ପିନ୍ଧିଛନ୍ତି ଓ ବେକରେ ଗୋଟାଏ ଲେଖାଏଁ ଲୁହାବଳା ଗଳାଇଛନ୍ତି । ପ୍ରତି ବଳାରେ ଖଣ୍ଡେ ଛୋଟିଆ କାଠ ପଟା ଝୁଲୁଛି । ପ୍ରତ୍ୟେକ ଲୋକ ମୁଣ୍ଡରେ ଗୋଟାଏ ଛୋଟିଆ ଟୋପି ଅଛି । ଜଙ୍ଘିଆଗୁଡ଼ାକ ଧଳା, କେବଳ ମଇଳା ହୋଇ ମାଟିଆ ପାଲଟିଯାଇଛି । ସମାନ ଦୂରରେ ତା’ ଉପରେ ଗୋଟାଏ ଲେଖାଏଁ କଳାଗାର ପଡ଼ିଛି । କୋଡ଼ିଏ ଜଣଯାକ ଲୋକଙ୍କ ହାତକୁ ହାତ ଲୁହା ଖଡ଼ୁରେ ଛନ୍ଦା ହୋଇଛି । ସମସ୍ତେ ଆଗପଛ ହୋଇ ଧାଡ଼ି ବାନ୍ଧି ଚାଲିଛନ୍ତି । ସବା ଆଗରେ ଓ ପଛରେ ଯେ ଦୁଇଜଣ ଅଛନ୍ତି, ତାଙ୍କ ଅଣ୍ଟାରେ ଗୋଟାଏ ଲେଖାଏଁ ଦଉଡ଼ି ଲାଗିଛି । ଦଉଡ଼ି ଅଗ ଧରି ଜଣେ ସିପାହୀ ଚାଲିଛନ୍ତି । ପଛରେ ଆଉ କେତେଜଣ ସିପାହୀ ମଧ୍ୟ ଆସୁଛନ୍ତି । ବନ୍ଧା ହୋଇ ଚାଲୁଥିବା ଲୋକମାନେ ନ ଚାଲି ଟିକିଏ ଠିଆ ହୋଇଗଲେ କିମ୍ବା ଧୀରେ ଧୀରେ ଚାଲିଲେ, ସିପାହୀମାନେ ସେମାନଙ୍କୁ କଦର୍ଯ୍ୟ ଅଶ୍ଳୀଳ ଭାଷାରେ ଗାଳି ଦେଉଛନ୍ତି ଓ ବେତ ଧରି ତାଙ୍କ ପିଠିରେ ପ୍ରହାର କରୁଛନ୍ତି । ଲୋକଗୁଡ଼ାକ ମାଡ଼ଖାଇ, ବେଙ୍ଗଳା ଗୋରୁ ପରି, ମୁଣ୍ଡ ନୁଆଁଇ ବେଗେ ବେଗେ ଝଣଝଣ ଶୁଣାଇ ଚାଲୁଛନ୍ତି ।
ଦେଖି, ରମା ପଚାରିଲା, ‘‘ବାପା, ଏ ଲୋକେ କିଏ ?’’ ପାଣୁ ନାଏକ ଗୋଟାଏ ଦୀର୍ଘନିଃଶ୍ୱାସ ଚାପି ରଖି କହିଲା, ‘‘କଏଦୀ’’ ।
‘‘କୁଆଡ଼େ ଯାଉଚନ୍ତି ?’’
ପାଣୁ ନାଏକ ଓ ରମା ଘରକୁ ଫେରିଗଲେ । ବାଟରେ ରମା ପାଣୁ ନାଏକକୁ ଯେ କେତେ ପ୍ରଶ୍ନ ପଚାରିଲା ଏବଂ ପାଣୁ ନାଏକ କୌଣସିଟାର ଉତ୍ତର ନ ଦେଇ କେବଳ ନୀରବ ଭାବରେ ଚିନ୍ତାମଗ୍ନ ହୋଇ ଚାଲିବାରେ ଲାଗିଲା, ତାହା ସେ ବାଟରେ ଚାଲିବାବେଳେ ବୁଝିପାରିଲା ନାହିଁ କି ପରେ ଘରେ ପହଞ୍ଚି ସ୍ମରଣ କରିପାରିଲା ନାହିଁ । ସେଦିନ ରାତିରେ ରମା ଯେତେବେଳେ ବାପାକୁ ଛାଡ଼ି ଶୋଇବାକୁ ଗଲା, କହିଲା, ‘‘ମୁଁ ଯେବେ ଏକୁଟିଆ ଥିଲାବେଳେ ସେ ଲୋକଙ୍କ ମଧ୍ୟରୁ ଜଣକୁ ପାଖରେ ଦେଖନ୍ତି, ମୋ ପିଣ୍ଡରୁ ପ୍ରାଣ ଛାଡ଼ିଯାଆନ୍ତା, ବାପା !’’
ତା’ ପରଦିନ କଟକ ସହରରେ ଗୋଟାଏ ମହା ଉତ୍ସବ । ଭାରତର ଶାସନଭାର କମ୍ପାନୀ ହାତରୁ ଶ୍ରୀମତୀ ମହାରାଣୀଙ୍କ ହାତକୁ ଗଲା । ଫଳରେ ମହାରାଣୀଙ୍କ ଅଭିଷେକ ଉତ୍ସବ ଭାରତରେ ସର୍ବତ୍ର ଯେପରି ହେଉଥିଲା, କଟକ ସହରରେ ମଧ୍ୟ ମହା ସମାରୋହରେ ପାଳନ କରାଯାଉଥିଲା । ଦିନଯାକ ଭୋଜି, ବାଦ୍ୟ, ସଂକୀର୍ତ୍ତନ ଚାଲିଲା; ରାତିରେ ଘରେ ଘରେ ଦୀପ ଜଳିଲା, ନାଟ ତାମସା ହେଲା । ପାଣୁ ନାଏକ ରମାର ମନ ବଦଳାଇବା ନିମନ୍ତେ ତାକୁ ନେଇ ସେ ସବୁ ଦେଖାଇ ଆଣିଲା । ଫେରିଲାବେଳେ ବାଟରେ ରମା ଟିକିଏ ଚିନ୍ତିତ ଦେଖାଗଲା । କ୍ଷଣକ ପରେ ସେ ମୁଣ୍ଡ ଟେକି, ପାଣୁ ନାଏକ ମୁହଁକୁ ଚାହିଁ କହିଲା, ‘‘ବାପା, ଜେଲଖାନା କ’ଣ ? ମୋତେ ଟିକିଏ କହନା ।’’
ପାଣୁ ନାଏକ ସହିତ ରମାର ସମ୍ପର୍କ ଉପରେ ଧୀରେ ଧୀରେ ଏକ ଅଦୃଶ୍ୟ ଛାୟା ଢାଙ୍କି ହୋଇଗଲା । ସେ ମଧ୍ୟରେ ଗୋଟିଏ ମାତ୍ର ବିଳାସର ବିଷୟ ରହିଲା ପାଣୁ ନାଏକର ରମାକୁ ଧରି ଦୀନ ଦୁଃଖୀଙ୍କୁ ଟଙ୍କା ପଇସା ଦେବା । ସେମାନେ ଅଗାଧୁ ବେହେରା ଘରକୁ ଯେ ସାହାଯ୍ୟ ଦେବାକୁ ଯାଇଥିଲେ, ତାହା ସେହି ସମୟରେ ।
ଦର୍ଜି କୋଠାକୁ ଯିବା ଦିନ ରାତିରେ ପାଣୁ ନାଏକ, କାଖରେ ଗୋଟାଏ ପୋଡ଼ା ଘା ସମ୍ଭାଳି, ଘରେ ଶୋଇରହିଲା । ରମା ସେବା ଶୁଶ୍ରୂଷା କରିବାରେ ଲାଗିଲା । କ୍ରମେ ପାଣୁ ନାଏକ ମନରୁ ଗୋଟାଏ ଚିନ୍ତାର ଆବରଣ ଖସି ପଡ଼ିଲା । ସେ ଦିନେ ରମାକୁ ଚାହିଁ କହିଲା, ‘‘ମୋର ଏ ଘା’ଟା ଗୋଟାଏ ଶୁଭ ଜିନିଷ । ମୋ ଦେହକୁ ଅବଶ୍ୟ କଷ୍ଟଦେଲା; ହେଲେ, ମନରୁ କଳୁଷ ପୋଛି ନେଇଯିବ ।’’
ରମା ଦିନରାତି ପାଣୁ ନାଏକର ସେବାକରି, ତାକୁ ରୋଗରୁ ମୁକ୍ତ କଲା । ପାଣୁ ନାଏକ ଘା’ କଷ୍ଟରୁ ରକ୍ଷାପାଇବା ସଙ୍ଗେ ସଙ୍ଗେ ଦୀନା ସାହୁର ଅତ୍ୟାଚାର ବିଷୟ ଭୁଲିଗଲା । ସେ ଯେ ନିଜେ ପୋଲିସ ହାବୁଡ଼ରୁ ବର୍ତ୍ତି ଚାଲିଆସିଲା, ତାକୁ ଆଉ କେହି ଖୋଜି ବାହାର କରିପାରିଲେ ନାହିଁ । ରମା ମଧ୍ୟ କଏଦୀମାନଙ୍କ ସ୍ମୃତି ମନରୁ ପୋଛି ପକାଇଲା । ଫଳରେ ପାଣୁ ନାଏକ କ୍ରମେ ଶାନ୍ତିରେ ରହିଲା । ରମା ମଠରେ ଗୀତ ଶିଖି ଆସିଥିଲା । ପାଣୁ ନାଏକ ସନ୍ଧ୍ୟାବେଳେ ବଗିଚାରେ ଚନ୍ଦ୍ର କିରଣରେ କାନି ପାରି ଶୋଇଥିବା ସମୟରେ ରମା ବିଚ୍ଛେଦ ବିରହ ଦୁଃଖ ଗୀତମାନ ଗାଇ ତାକୁ ଶୁଣାଉଥିଲା ।
କାହା ଧନ କେଉଁଠାକୁ ଗଲା
ହରିଆ ଦିନେ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ଖାଇ ନ ଥିଲା । ସେ ମନେ ପକାଇ ଦେଖିଲା ଯେ ପୂର୍ବଦିନ ମଧ୍ୟ ଖାଦ୍ୟ ସହିତ ତା’ ପାଟିର ସମ୍ପର୍କ ଘଟି ନ ଥିଲା; ସୁତରାଂ ସେ ମନକୁ ମନ କହିଲା, ‘‘ଏକଥା ଯେ ଶୁଣିମ ହସିବ ।’’ କହି, ସେଦିନ ସନ୍ଧ୍ୟାରେ ସେ ଉଦର ପୂର୍ଣ୍ଣ କରିବାକୁ ଦୃଢ଼ପ୍ରତିଜ୍ଞ ହେଲା । ପ୍ରତିଜ୍ଞା ରକ୍ଷାକରିବା ନିମନ୍ତେ ସେ ଗଳିରୁ ଗଳିକୁ ବୁଲି ବୁଲି ଗଲା । ଗୋଟାଏ ବଗିଚାରେ ସେ କିଛିଦିନ ତଳେ ବାରମାସି ଆମ୍ବ ପାଚିଥିବାର ଦେଖିଥିଲା । ସେ ସେହି ବଗିଚା ପାଖେ ପହଞ୍ଚି ବାଡ଼ ଡେଇଁବାକୁ ଯାଉଛି– ଶୁଣିଲା, ବଗିଚା ଭିତରେ ଦୁଇ ଜଣ ବସି କଥାବାର୍ତ୍ତା ହେଉଛନ୍ତି । ହରିଆ ଛପି ଶୁଣିବାକୁ ଲାଗିଲା ।
‘‘ଜମିବାଲା କହୁଚି, ତା’ର ତିନି ବର୍ଷର ଖଜଣା ବାକି ରହିଲାଣି । ସେ ଖଜଣାପାଇଁ ମକଦ୍ଦମା କରିବ, ଆଉ ତୁମକୁ ବାହାର କରିଦେବ ।’’
‘‘ଦୋକାନୀ କହୁଚି, ଆଉ ଚାଉଳ ଡାଲି କାଲି ଦବ ନାହିଁ ।’’
‘‘ଭଲ କଥା; ମୋର ତ ମଧ୍ୟ ଭାତ ଜୀର୍ଣ୍ଣ ହଉନାହିଁ ।’’
‘‘ମାଣ୍ଡିଆବାଲାକୁ ପଚାରିଲି, କହିଲା, ‘ଆଗ ପଇସା ଦିଅ, ଦେବି’ ।’’
‘‘ଆମେ ଖାଲି ହାତରେ ଏପରି ଆଉ ଚଳିପାରିବା ନାହିଁ ।’’
‘‘ମୁଁ ଆଉ କ’ଣ କରିବି ? ହାତରେ କିଛି ନାହିଁ ଯେ ।’’
ବୁଢୀ ଚାକରିଆଣୀ ଶୁଣି, କୁଡ଼ିଆ ଭିତରକୁ ଚାଲିଗଲା । ଗଦାଧର ଏକୁଟିଆ ବସି ଚିନ୍ତାରେ ବୁଡ଼ି ରହିଲା । ହରିଆ ମଧ୍ୟ ବାଡ଼ପାଖେ ବସି ଭାବିବାକୁ ଲାଗିଲା । କିଛିକ୍ଷଣ ଭାବିବା ପରେ, ସେ ବାଡ଼ ଭିତରେ ଗଳି, ଗଦାଧର ଯେଉଁ ପଥର ଉପରେ ବସିଥିଲା, ତା’ ତଳେ ଆସି ଶୋଇଲା; କିନ୍ତୁ ସେ ଶୁଆ କେବଳ ବିରାଡ଼ିର ଶୁଆ, ଯହିଁରେ ଗୋଟାଏ ଆଖି ବନ୍ଦ ହେଲେ ଆଉ ଗୋଟାଏ ମେଲା ରହେ । ମେଲା ଥିବା ଆଖିରେ ହରିଆ ଦେଖିଲା, ଖଣ୍ଡେ ଦୂରରେ ଦୁଇଜଣ ଲୋକ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବୁଢ଼ା ଓ ଆର ଜଣକ ଯୁବକ । ଯୁବକଟାକୁ ହରିଆ ଚିହ୍ନେ । ସେ ଉତ୍ସବା । ଉତ୍ସବା ଅନ୍ଧାରରେ ଜଣେ ଲୋକ ପଛରେ ଅନୁସରଣ କରିଗଲେ, ଦେଖିବା ଲୋକର ଭୟ ହେବାର କଥା ।
ହରିଆ ଆଗରେ ଆସୁଥିବା ବୁଢ଼ା ଲୋକଟିକୁ ସାବଧାନ କରାଇଦେବ ବୋଲି ଭାବିଲା; କିନ୍ତୁ ତା’ର ସାହସ ହେଲା ନାହିଁ । ସେହି ସମୟରେ ହଠାତ୍ ଦୁଇ ଜଣଙ୍କ ମଧ୍ୟରେ ଧରାଧରି ଗଡ଼ାଗଡ଼ି ଲାଗିଲା । ଉତ୍ସବା ବୁଢ଼ାକୁ ଯାଇ ମାଡ଼ିବସିବାରୁ ସେ କାଣ୍ଡଟା ଉପୁଜିଲା । ହରିଆ ଦଉଡ଼ିଯାଇ ଦେଖିଲାବେଳକୁ ସେ ଯାହା ଭାବିଥିଲା, ତା’ର ଠିକ୍ ବିପରୀତ ଫଳ ଘଟିଛି; ଉତ୍ସବା ତଳେ ଚିତ୍ ହୋଇ ଶୋଇଛି ଓ ବୁଢ଼ା ତା’ ଉପରେ ମାଡ଼ିବସିଛି । ଦେଖି, ସେ ଥଟ୍ଟାରେ ତାଳି ମାଇଲା । କିନ୍ତୁ ବୁଢ଼ା ବା ଯୁବକ କେହି ଶୁଣି ପାରିଲେ ନାହିଁ । କେତେକ ସମୟ ପରେ ବୁଢ଼ା ଉତ୍ସବାକୁ ଛାଡ଼ିଦେଇ, ଉଠିପଡ଼ି, କହିଲା, ‘‘ଉଠ୍ ।’’
ଉତ୍ସବା ଉଠି ଠିଆ ହେଲା; କିନ୍ତୁ ବୁଢ଼ା ତାକୁ ଭିଡ଼ିଧରି ପଚାରିଲା ‘‘ତୋ ବୟସ କେତେ-?’’ ଉତ୍ତର ଶୁଣିଲା ‘‘ଊଣିଶ ବର୍ଷ ।’’ ତହୁଁ ବୁଢ଼ା କହିଲା, ‘‘ତୋର ବଳ ବୟସ ଅଛି । କାମ କାହିଁକି କରୁନାହୁଁ; ତୋ ବ୍ୟବସାୟ କ’ଣ ?’’ ଜବାବ ପାଇଲା, ‘‘ବୁଲିବା ।’’
‘‘ଠିକ୍ କହ, ତୋର କ’ଣ କରିବା ଇଚ୍ଛା ?’’
ତା’ପରେ ଅନେକ ସମୟ ନୀରବତା ରାଜତ୍ୱ କଲା । ବୁଢ଼ାଟି ଉତ୍ସବାକୁ ଭିଡ଼ିଧରି ଠିଆହେଲା । ଉତ୍ସବା ଚାଲିଯିବାକୁ ଅନେକ ଟାଣି ଓଟାରି ହେଲା, କିନ୍ତୁ ଖସି ପଳାଇ ପାରିଲା ନାହିଁ-। ବୁଢ଼ା ଅନେକ ସମୟ ଭାବି ଭାବି ପରେ ଉତ୍ସବାକୁ ଗୋଟାଏ ଦୀର୍ଘ ନିବେଦନ କଲା । ତା’ର ପ୍ରତ୍ୟେକ ଶବ୍ଦ ହରିଆ କର୍ଣ୍ଣକୁହରରେ ପ୍ରବେଶ କରିବାକୁ ଲାଗିଲା ।
‘‘ଦେଖ୍ ବାପା, ତୋର ବୟସ ବର୍ତ୍ତମାନ ଅଳ୍ପ । ମାତ୍ର ତୁ ଧ୍ୱଂସ ମାର୍ଗରେ ଚାଲିଯିବାକୁ ବସିଚୁ । ଏ କାର୍ଯ୍ୟ ଛାଡ଼ିଦେ । ପରିଶ୍ରମ କରିବା ଦରକାର । ନୋହିଲେ ଅନ୍ୟମାନେ ହସି ଗୀତ ଗାଉଥିବେ, ଆଉ ତୁ କାନ୍ଦି ଆଖିରୁ ଲୁହ ପୋଛୁଥିବୁ । ତୋର ଭଲ ଖାଇବାକୁ, ସୁନ୍ଦର ପୋଷାକ ପିନ୍ଧିବାକୁ, ଭୋଗ ବିଳାସରେ ରହିବାକୁ ଇଚ୍ଛା । ତୁ ଭୁଲ ବାଟରେ ଚାଲୁଚୁ । ମୋ କଥା ଶୁଣ୍ । ମୁଁ ଯାହା କହିଲି, ଯାଇ, ଘରେ ବସି ଭାବି ଦେଖ୍ । ଆଚ୍ଛା, କହିଲୁ ଦେଖି, ମୋତେ କାହିଁକି ତୁ ଏପରି ଆସି ମାଡ଼ିବସିଲୁ ? କ’ଣ ମୋଠୋଉ ଟଙ୍କା ନବାକୁ ? ଏଇ ନେ ।’’ କହି, ବୁଢ଼ା ଉତ୍ସବାକୁ ଛାଡ଼ିଦେଇ, ଗୋଟିଏ ମୁଣି ତା’ ହାତରେ ଧରାଇଦେଲା । ଉତ୍ସବା ତାହା ନିଜ ବାହୁବଳରେ ପାଇଥିଲା ପରି, ଯତ୍ନରେ କୁରୁତା ପକେଟରେ ରଖି, ଗୁଣୁ ଗୁଣୁ ସ୍ୱରରେ କହିଲା, ‘‘ବୁଢ଼ା ଧାକଡ଼ ।’’
ବୁଢ଼ା ଚାଲିଯାଇ ଅନ୍ଧାରରେ କ୍ଷଣକମଧ୍ୟରେ ଅନ୍ତର୍ଦ୍ଧାନ ହୋଇଗଲା । ହରିଆ ଅଗ୍ରସର ହେଲା । ସେ ଚାହିଁ ଦେଖିଲା, ଗଦାଧର ସେହି ପଥର ଉପରେ ବସି ବସି ଶୋଇପଡ଼ିଛି । ତହୁଁ ସେ ଛପି ଛପି ଉତ୍ସବା ପାଖେ ଯାଇ ପହଞ୍ଚିଲା । ଉତ୍ସବା ଗୋଟାଏ ପଥରମୂର୍ତ୍ତି ପରି ଅବାକ୍ ନିଷ୍ପନ୍ଦ ହୋଇ ବସିଥିଲା । ଧୀରେ ଧୀରେ ତା’ ପକେଟରେ ହାତ ପୂରାଇ ସେ ଟଙ୍କା ମୁଣିଟି କାଢ଼ି ଆଣିଲା ଏବଂ ଚମ୍ପେଇନଳୀ ପରି ଗୁରୁଣ୍ଡି ଗୁରୁଣ୍ଡି ପୂର୍ବ ସ୍ଥାନକୁ ଫେରିଆସିଲା । ଉତ୍ସବା ସେ ସବୁ କିଛି ଟେର ପାଇଲା ନାହିଁ । ହରିଆ ଟଙ୍କା ମୁଣିଟି ଗଦାଧର ବସିଥିବା ସ୍ଥାନକୁ ଫିଙ୍ଗିଦେଇ ଧାଇଁ ଚାଲିଗଲା । ‘ଝଣ’ ଶବ୍ଦ ଶୁଣି, ଗଦାଧର ଆଖି ଫିଟାଇ; ମୁଣିଟି ହାତରେ ଧଇଲା ଓ ଫିଟାଇ ଦେଖିଲା, ତିନୋଟି ସୁନା ମୋହର, ପଚିଶଟି ଟଙ୍କା ଏବଂ କେତେଗୁଡ଼ିଏ ରେଜିକି ତହିଁରେ ଅଛି । ସେ ତାହା ନେଇ ଚାକିରିଆଣୀକୁ ଦେଖାଇଲା । ଚାକିରିଆଣୀ କହିଲା, ‘‘ଏ ସ୍ୱର୍ଗରୁ ତେବେ ପଡ଼ିଚି, ଦିଅଁ ଦେଇଚନ୍ତି-।’’
ନାମ ପଚରା ପଚରି
ସେ ଅନୁଭୂତି ପରେ ପାଣୁ ନାଏକ ଜୀବନର ଚିନ୍ତାସ୍ରୋତରୁ ଗୋଟାଏ ଧାର ବାହାରି ଏକ ନୂତନ ନାଳରେ ବୋହିବାକୁ ଲାଗିଲା । ରମା ହୃଦୟରେ ବିରହ ବେଦନା କ୍ରମେ ଆରୋଗ୍ୟ ଲାଭ କରିବାକୁ ବସିଥିଲା । ଦିନେ ସେ ବନମାଳୀ ବିଷୟରେ କହିଲା, ‘‘ମୁଁ ତ ତାଙ୍କ କଥା ମନରୁ ପାସୋରି ଦେଇଥିଲି ।’’ ହପ୍ତାକ ମଧ୍ୟରେ, ସେ ଦିନେ ବଗିଚାରେ ବୁଲୁଛି, ଜଣେ ହୃଷ୍ଟପୁଷ୍ଟ ଲୋକ ସେ ବାଟେ ଚାଲିବାର ଦେଖିଲା । ବେଶଭୂଷା ଓ ଚାଲିଚଳନରୁ ମନେହେଲା, ସେ ବନମାଳୀର ଠିକ୍ ବିପରୀତ ଲୋକଟି । ତା’ ମୁହଁରେ ଗୋଟାଏ ପିକା ଜଳୁଥିଲା । ଲୋକଟି ଦପ୍ଦପ୍ ହୋଇ ଚାଲିବାରେ ଲାଗିଥିଲା । ତା’ ପରଦିନ ମଧ୍ୟ ସେ ଲୋକ ସେହି ବାଟେ ଗଲା । କ୍ରମେ ରମା ଦେଖିଲା, ଲୋକଟି ପ୍ରତିଦିନ ତା’ ବଗିଚା ଦ୍ୱାରବାଟେ ଯିବାକୁ ଲାଗିଲା । ରମାର ମନେହେଲା, ସେ ଜଣେ କୁସ୍ତି କସରତ କରିବା ମାଲ ।
ଠିକ୍ ସେହି ସମୟରେ ତେଣେ ବନମାଳୀ ଗଭୀର ନୈରାଶ୍ୟ ସାଗର ମଧ୍ୟରେ ବୁଡ଼ି ଯାଉଥିଲା । ଦିନେ ସେ କହିଲା, ‘‘ମୁଁ ମରିବା ପୂର୍ବରୁ ଥରେ ହେଲେ ତାଙ୍କ ଦର୍ଶନ ପାଆନ୍ତି ।’’ ରମା ତା’ ବଗିଚା ଆଗରେ ମାଲ ଆଡ଼କୁ ଦୃଷ୍ଟିପାତ କରିବାର ବନମାଳୀ ସେତେବେଳେ ଦେଖିଥିଲେ, ସେ ଦୁଃଖ ଓ କ୍ରୋଧରେ ହୁଏତ ପ୍ରାଣ ବିସର୍ଜନ କରିଥାନ୍ତା । ବନମାଳୀ ଓ ରମା ଦୁହିଁଙ୍କ ପ୍ରକୃତି ଭିନ୍ନ ଭିନ୍ନ ରକମର । ବନମାଳୀ ଥରେ ଦୁଃଖରେ ପଡ଼ିଲେ ତହିଁରେ ବୁଡ଼ିରହେ । ଯେଉଁ ଲୋକେ ଥରେ ଦୁଃଖ-ପଙ୍କରେ ବୁଡ଼ି ପୁଣି ଧୋଇଧାଇ ହୋଇ ବାହାରିଆସନ୍ତି, ରମା ସେହି ଶ୍ରେଣୀର ଅନ୍ତର୍ଗତ ।
ପ୍ରତିଦିନ ବଗିଚା ଆଗରେ ଯାଉଥିବା ଯୁବକ ମାଲକୁ ଦେଖି ରମାର ହୃଦୟ-ସରସୀ ଉପରେ ଗୋଟାଏ ସ୍ନେହର ସ୍ତର ପଡ଼ିବାକୁ ଲାଗିଲା; କିନ୍ତୁ ସେ ସ୍ତର ତଳେ ବରାବର ସରସୀର ନିମ୍ନ ପ୍ରଦେଶ ପର୍ଯ୍ୟନ୍ତ ସମଗ୍ର ସ୍ଥାନ କିଏ ଅଧିକାର କରିଥିଲା ତାହା ସେତେବେଳେ ସେ ଭଲରୂପେ ବୁଝିପାରୁ ନ ଥିଲା । ସେପରି ସମୟରେ ଗୋଟାଏ ଘଟଣା ଘଟିଲା ।
ପାଣୁ ନାଏକ ରମାକୁ ମାଣିକ ପାଖେ ଛାଡ଼ିଦେଇ, ଦୁଇ ତିନି ମାସରେ ଥରେ କେଉଁ ଆଡ଼େ ତିନି ଚାରି ଦିନ ପାଇଁ ଚାଲିଯାଏ । ସେ କେଉଁଆଡ଼େ ଯାଏ, କେହି ଜାଣନ୍ତି ନାହିଁ; ନିଜେ ରମା ସୁଦ୍ଧା ନୁହେଁ; କିନ୍ତୁ ସେ ନିୟମିତରୂପେ ଯାଏ ଏବଂ ହାତରେ ଟଙ୍କା ଊଣା ପଡ଼ି ଆସିଲାବେଳକୁ ତା’ ଯିବାଟା ଘଟେ । ଫେରି, ସେ ଦୁଇ ଚାରି ଦିନ ବିସ୍ତର ଦାନ ମଧ୍ୟ କରେ । ଦିନେ ବସନ୍ତକାଳରେ ପାଣୁ ନାଏକ ଘରୁ ଚାଲିଯିବା ବେଳେ କହିଗଲା, ‘‘ମୁଁ ତିନି ଦିନରେ ଫେରିଆସିବି ।’’ ରମା ଘର ଭିତରେ ଏକୁଟିଆ ବସି ଗୀତ ଗାଇବାକୁ ଲାଗିଲା । ଗୀତ ଗାଇସାରିଲାବେଳକୁ ସେ କାହା ପାଦଶବ୍ଦ ଶୁଣିଲା ଓ କାନଡେରି ଜାଣିପାରିଲା; କିଏ ଜଣେ ପୁରୁଷଲୋକ ବଗିଚାରେ ଯିବା ଆସିବା କରୁଛି । ସେ ପଞ୍ଜର ପାଖେ ଯାଇ ଦେଖିଲା; ଚନ୍ଦ୍ରକିରଣରେ ବଗିଚାଟି ଉଜ୍ଜ୍ୱଳ ଦିଶୁଛି; କିନ୍ତୁ ସେ କୌଣସି ଲୋକକୁ ଦେଖିଲାନାହିଁ; ତହୁଁ ସେ ମନେ ମନେ ଭାବିଲା, ‘‘ଏଟା ଖାଲି କଳ୍ପନା ।’’
ପର ଦିନ ସନ୍ଧ୍ୟାରେ ରମା ବଗିଚାରେ ବୁଲୁଥିଲାବେଳେ ପୁଣି ପାଦଶବ୍ଦ ଶୁଣାଗଲା । ଶୁଣି, ସେ ଘର ଆଡ଼କୁ ଚାଲିଆସିଲା, ମାତ୍ର ତା’ ଛାଇ ପାଖେ ଜହ୍ନ ଆଲୁଅରେ ଆଉ ଗୋଟାଏ ଛାଇ ପଡ଼ିଯାଇ ପୁଣି ଉଭେଇଗଲା । ସେ ଚାହିଁ ଦେଖିଲା, କେହି କେଉଁଆଡ଼େ ନାହିଁ । ତା’ର ଭୟ ହେଲା । ତଥାପି ସେ ସାହସ ବାନ୍ଧି ବଗିଚାଯାକ ଯାଇ ଖୋଜିଲା; କିନ୍ତୁ କିଛି ଦେଖିଲା ନାହିଁ ।
ପର ଦିନ ପାଣୁ ନାଏକ ଫେରିଆସିଲା । ରମା ପୂର୍ବ ଦୁଇ ରାତିର ଅନୁଭୂତି ତାକୁ ବର୍ଣ୍ଣନା କରି କହିଲା । ଶୁଣି ପାଣୁ ନାଏକ ଉତ୍ତର ଦେଲା, ‘‘ସେ କିଛି ନୁହେଁ ।’’ କିନ୍ତୁ ସେ ନିଜେ କିଛି ସମୟ ପରେ ସବୁଆଡ଼େ ବୁଲି ଥରେ ଦେଖିଆସିଲା । ତା’ ପର ଦୁଇ ରାତି ସେ ବଗିଚାରେ ବୁଲି କଟାଇଲା । ତୃତୀୟ ରାତିରେ ଚନ୍ଦ୍ର କିଛି ବିଳମ୍ବରେ ଉଦୟହେଲା । ରାତିପ୍ରାୟ ଗୋଟାକବେଳେ ପାଣୁ ନାଏକ ରମାକୁ ଡାକି ଦେଖାଇଲା, ଘର ଛାତ ଉପରୁ ଗୋଟାଏ ଖୁଣ୍ଟିର ଛାଇ ତଳେ ପଡ଼ିଥିଲା । ତହୁଁ ସେ ହସି ହସି କହିଲା, ‘‘ତୁ ଏଇଟାକୁ ଦେଖି ଡରିଲୁ ।’’ ରମା ନିଜର ଭ୍ରମ ଯୋଗେ ଲଜ୍ଜିତ ହେଲା ।
କେତେକ ଦିନ ପରେ ଆଉ ଗୋଟାଏ ଘଟଣା ଘଟିଲା । ସେହି ମାସରେ; କିଛିଦିନ ପରେ, ପାଣୁ ନାଏକ ନ ଥିବାବେଳେ, ରମା ସନ୍ଧ୍ୟା ସମୟରେ ବଗିଚାରେ ବସି ଅଜ୍ଞାତ ବିଷାଦର ମାଧୁର୍ଯ୍ୟ ଅନୁଭବ କରୁଥିଲା । ସେତେବେଳେ ସେ କ୍ଷଣକପାଇଁ ଚିନ୍ତାରେ ଚାଳିତ ହୋଇ ବଗିଚାରେ ବୁଲିବାକୁ ଚାଲିଗଲା । ପୁଣି ବସିବା ସ୍ଥାନକୁ ସେ ଫେରି ଦେଖିଲା, ସେଠାରେ ଗୋଟାଏ ବଡ଼ ପଥର ରହିଛି । ସେ ପ୍ରଥମେ ବସିଥିବାବେଳେ ସେ ପଥରଟା ନ ଥିଲା । ତାହା ହଠାତ୍ ସେଠାକୁ କେଉଁଆଡ଼ୁ ଆସିଲା, ସେ ବୁଝି ନ ପାରି ଭୟ କରିବାକୁ ଲାଗିଲା । ତହୁଁ ସେ ଘର ଭିତରକୁ ଧାଇଁଆସି ମାଣିକକୁ ପଚାରିଲା, ‘‘ବାପା ଆସିଲେଣି କି ?’’
‘‘ନାଇଁ ତ ।’’ ପାଣୁ ନାଏକ ଅନେକ ଦିନ ଫେରୁ ଫେରୁ ବେଶି ରାତି ହୋଇଯାଏ । ବାପା ଆସୁ ଆସୁ ବିଳମ୍ବ ହୋଇପାରେ ଭାବି, ରମା ମାଣିକକୁ କହିଲା, ‘‘ତୁ ସବୁଦ୍ୱାର ଭଲକରି କିଳିଦେ । କାହିଁକିନା, ଦେଖୁଚୁ, ଘରେ ଆଉ କେହି ନାହାନ୍ତି ।’’ ମାଣିକ ଦ୍ୱାର ବନ୍ଦକରି ଆସି ରମାକୁ କହିଲା, ‘‘ସତ କଥା । ଆମେ ତ ଦି’ଜଣ ମାଇପି ଲୋକ ଏଡ଼େବଡ଼ ଘରଟାରେ ଏକା ପଡ଼ିଚେଁ । କେଜାଣି କିଏ ପଶି ପିଟିମାରି ଦେଇପାରେ । ତେବେ ଆମେ କଅଣ କରିବା ? ମରିବାରେ ତ କିଛି ନାହିଁ । କିଏ ମରୁନାହିଁ ? ଭୟର କଥା ହେଉଛି ଦୁଷ୍ଟ ଲୋକଗୁଡ଼ାକଙ୍କ ଚେହେରା, ଆଉ ତାଙ୍କ ଠେଙ୍ଗା ।’’
ରମା ମନ ଭୟରେ କେତେକ ପରିମାଣରେ କାତର ତ ଆଗରୁ ହୋଇଥିଲା; ମାଣିକ କଥା ଶୁଣି ସେ ଆହୁରି ଭୀତ ହୋଇପଡ଼ିଲା, ଏକା ରହିବାକୁ ଏକାବେଳକେ ସାହସ କଲା ନାହିଁ । ସେ, ଶୋଇବା ଘରଯାକ ତନ୍ନତନ୍ନ କରି ଦେଖିଲା, ଦୁଆର ଭଲ ରୂପେ କିଳିଦେଲା, ଖଟତଳକୁ ଚାହିଁଲା ଓ ତା’ପରେ ଯାଇ ଶେଯରେ ଶୋଇଲା । ତଥାପି ତାକୁ ନିଦ ହେଲା ନାହିଁ; ରାତିଯାକ ବଗିଚାର ସେହି ଅବୋଧ୍ୟ ପଥରଟା ତା’ ମୁଣ୍ଡଉପରେ ପ୍ରକାଣ୍ଡ ମେଘାସନ ପର୍ବତ ପରି ଝୁଲିରହିଲା-।
ପରଦିନ ସକାଳେ ରମା ବଗିଚାକୁ ଯାଇ ପଥରଟା ପରୀକ୍ଷା କରି ଦେଖୁ ଦେଖୁ ତଳୁ ଗୋଛାଏ କାଗଜ ପାଇଲା । ତହିଁରେ କେତେ ପ୍ରକାର କାଳିରେ ଲେଖାଥିଲା । ଲେଖକର ନାମ ସେ ଖୋଜି ପାଇଲା ନାହିଁ ବା କାଗଜଗୁଡ଼ାକ କାହାପାଇଁ ଯେ ରଖାହୋଇଥିଲା, ତାହା ମଧ୍ୟ ବୁଝିପାରିଲା ନାହିଁ । ତଥାପି ସେ କାଗଜ ଧରି ଥରି ଥରି ପଢ଼ି ବସିଲା ।
‘‘ସମଗ୍ର ସଂସାରଟା ଜଣକଠାରେ କେନ୍ଦ୍ରୀଭୂତ ହୋଇ ରହିବା ନାମ ପ୍ରେମ । ସେହିପରି ମଧ୍ୟ ଜଣେ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇ ସମଗ୍ର ବିଶ୍ୱରେ ଲୀନ ହେବା ପ୍ରେମ ଛଡ଼ା ଆଉ କିଛି ନୁହେଁ ।’’
‘‘ସ୍ୱର୍ଗର ଅପ୍ସରୀମାନେ ତାରାମାନଙ୍କୁ ଯେ ନମସ୍କାର କରନ୍ତି, ତାହା ଏକା ପ୍ରେମ ।’’
‘‘ପ୍ରେମ ଯୋଗେ ଯେଉଁ ବିଷାଦ ହୃଦୟରେ ଜନ୍ମେ ତାହା ବିଷାଦ ନୁହେଁ, ସ୍ୱର୍ଗର ଅମୃତ-। ସମୁଦ୍ର ମନ୍ଥନକରି ଦେବତାମାନେ ସେହି ଅମୃତ ପାଇଥିଲେ ଏବଂ ତାହା ସେବାକରି ଅମର ହୋଇଥିଲେ । ମୁଁ ଛାର କ’ଣ ଏ ଅନନ୍ତ ଜଗତରେ ଅମର ହୋଇପାରିବି ?’’
‘‘ବିଚ୍ଛେଦକାତର ପ୍ରେମିକ ଅଳୀକ ସାନ୍ତ୍ୱନାରେ ମନ ଭୁଲାଇ ପାରେନାହିଁ । ଆହା ଯେତେବେଳେ ପ୍ରେମିକ ପ୍ରେମିକାଙ୍କର ଦେଖା ନ ହୁଏ, ଚିଠିପତ୍ର ନ ଚାଲେ, ସେମାନେ ତେଣିକି କେବଳ ଆତ୍ମାର ମିଳନରେ ମିଳିତ ହୁଅନ୍ତି । କୋକିଳର ସଙ୍ଗୀତରେ, ସୁଧାକରର କିରଣରେ, ସମୀରଣର ସନ ସନ ଦୀର୍ଘନିଃଶ୍ୱାସରେ, ସୁଦୂର ତାରକାବୃନ୍ଦର ଆଲୋକରେ ଜଣେ ଜଣକ ନିକଟକୁ ହୃଦୟର ଅମୂଲ୍ୟ ଉପହାର ପଠାଏ । ସେଥିରୁ କାହାକୁ କିଏ ନିରସ୍ତ କରିପାରିବ ?’’
‘‘ପ୍ରକୃତ ପ୍ରେମ ନୈରାଶ୍ୟରେ ରହିଛି । ନୈରାଶ୍ୟରୁ ଆଶାର ବିକାଶ । ପ୍ରକୃତରେ ଆଶା କରିବାର ଅଧିକାର ଅଛି ତାରି, ଯେ ନୈରାଶ୍ୟରେ ଥରେ ଜଳିମରିଛି । ମୁଁ ଥରେ କାହିଁକି, ଦଶଥର ନୈରାଶ୍ୟରେ ଜଳି କେବଳ ମରିନାହିଁ; ଏକାବେଳକେ ପାଉଁଶରେ ପରିଣତ ହୋଇଛି । ତାହାହେଲେ ଜଣାପଡ଼ୁଛି; ମୋ ଆଶା ଦଶ ଗୁଣ ଫୁଟିଉଠିବ ।’’
ଖଣ୍ଡିଏ ଖଣ୍ଡିଏ କାଗଜରେ ଗୋଟିଏ ଗୋଟିଏ ବିଷୟ ଦିନକେ ନୁହେଁ, ଅନେକ ଦିନ ଧରି ଲେଖା ହୋଇଥିଲା । ରମା ପଢ଼ି ଧ୍ୟାନମଗ୍ନ ହେଲା । ଧ୍ୟାନ ଭାଜିଲାବେଳକୁ ସେ ଦେଖିଲା ଆଗରେ ନିତି ଦିନର ସେହି ମାଲ ଯାଉଛି । ତା’ ମୂର୍ତ୍ତିଟା ସେଦିନ ରମାକୁ ଅତି କଦର୍ଯ୍ୟ ଦିଶିଲା । ରମା ଆଖି ଫେରାଇ ନେଇ ପୁଣି ସେହି କାଗଜ ମେଞ୍ଚକ ଭିତରକୁ ଚାହିଁଲା । ସେ ଦେଖିଲା, ସବୁ ଲେଖା ଜଣେ ଲେଖିଛି ଓ ଏକ ଭାବନା ପ୍ରତ୍ୟେକ ଲେଖାରେ ରହିଛି । କିଏ ଲେଖିଛି ଏବଂ କାହାପାଇଁ ଲେଖିଛି, ବୁଝିବା ତା’ ପକ୍ଷେ କଷ୍ଟକର ହେଲାନାହିଁ; ତେଣୁ ସେ କହିଲା, ‘‘ସେ ଲେଖିଛନ୍ତି-।’’ ସବୁ ତାକୁ ଦିବାଲୋକ ପରି ଉଜ୍ଜ୍ୱଳ ଦିଶିଲା । ତା’ ମନ ମଧ୍ୟରେ ଆନନ୍ଦର ଲହରୀ ଖେଳିବାକୁ ଲାଗିଲା । ତହୁଁ ସେ କହିଲା, ‘‘ସେ ପାଦଶବ୍ଦ ତାଙ୍କରି । ସେ ଦିନର ସେ ଛାୟା ମଧ୍ୟ ତାଙ୍କ ଛଡ଼ା ଆଉ କାହାରି ନୁହେଁ । ମୁଁ ତାଙ୍କୁ ପାସୋରି ଦେଉଥିଲି । ସେ ମୋତେ ଆସି ନିଦରୁ ଉଠାଇଦେଲେ-।’’ କିନ୍ତୁ ବାସ୍ତବରେ ରମା ବନମାଳୀକୁ ଭୁଲିଯାଇ ନ ଥିଲା; କେବଳ ପ୍ରକାଶ୍ୟ ସ୍ନେହ ପରିବର୍ତ୍ତେ ଅନ୍ତର ମଧ୍ୟରେ ପୂଜା କରିବାରେ ଲାଗିଥିଲା ।
ରମା ଲେଖା ପଢ଼ିସାରି ଠିଆ ହୋଇଛି, ବିଶ୍ୱେଶ୍ୱର ଫେରି ପୁଣି ସେହି ବାଟେ ଯାଉଥିଲା । ରମାକୁ ଦେଖି ସେ ଈଷତ୍ ହସିଲା; କିନ୍ତୁ ରମା ତା’ କୁତ୍ସିତ ମୂର୍ତ୍ତି ଦେଖି, ମନେ ମନେ ତାକୁ ଘୃଣା କରିବାକୁ ଲାଗିଲା ଏବଂ ଲଜ୍ଜା ଓ ଅନୁତାପରେ ମୁଣ୍ଡ ନୁଆଁଇ ଦେଲା । ସେ ଧାଇଁଯାଇ, ଶୟନକକ୍ଷରେ ଦୁଆର କିଳି ଲେଖାଗୁଡ଼ିକ ପୁଣି ପଢ଼ିବାକୁ ଲାଗିଲା । କାଗଜକୁ ସେ ଅଧରରେ ଚୁମ୍ବନ ଦେଲା ଏବଂ ବୁକୁରେ ଯାକି ଧରିଲା । ସବୁ ପରେ ସୁଦ୍ଧା ରମା ସ୍ୱର୍ଗରାଜ୍ୟର ଗର୍ତ୍ତ ମଧ୍ୟରେ ପୁଣି ଖସିପଡ଼ିଲା ।
ସନ୍ଧ୍ୟାରେ ପାଣୁ ନାଏକ ଏକା ବୁଲିବାକୁ ଚାଲିଗଲା । ରମା ଲୁଗାପଟା ପିନ୍ଧିଲା । ସେ ଯେ କାହିଁକି ଲୁଗାପଟା ପିନ୍ଧି ତିଆର ହେଲା, ତାହା ଆଉ କାହା କଥା ଦୂରେଥାଉ, ସେ ନିଜେ ସୁଦ୍ଧା ବୁଝିପାରିଲା ନାହିଁ; କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେ ବଗିଚାରେ ବୁଲିବାର ଦେଖାଗଲା । ପୂର୍ବର ପାଦଶବ୍ଦ ପୁଣି ଶୁଭିଲା । ରମା ଚାହିଁବାରେ ଜଣେ ଯୁବକର ମୂର୍ତ୍ତି ଦେଖାଗଲା । ସେ ମୂର୍ତ୍ତି ଯେ ବନମାଳୀର, ତାକୁ ଚିହ୍ନିବାରେ ତାକୁ ସମୟ ଲାଗିଲା ନାହିଁ । ନୈରାଶ୍ୟରେ ବିଷଣ୍ଣ ହୋଇ, ଦୁଃଖରେ ମଳିନ ପଡ଼ି, ବନମାଳୀ ଆସି ଉପସ୍ଥିତ ହୋଇଥିଲା; ଦେଖି, ରମା ମୂର୍ଚ୍ଛା ଅନୁଭବ କଲା; ତହୁଁ ସେ ଗୋଟାଏ ଗଛରେ ଆଉଜି ରହିଲା । ତା’ପରେ ସେ ଶୁଣିଲା–
‘‘ମୋ ଦୋଷ କ୍ଷମା କରିବ । ମୁଁ ଯେତେବେଳେ ନୈରାଶ୍ୟରେ ଜଳି ପୋଡ଼ିଯିବାକୁ ବସିଲି, ଧାଇଁ ଚାଲିଆସିଲି ଏଠି ପ୍ରାଣ ଶୀତଳ କରିବାକୁ । ମୋ ଲେଖା କ’ଣ ପଢ଼ିଲ? କିଲ୍ଲାପଡ଼ିଆରେ ମୋ ସହିତ ଦେଖା ହେବାର କ’ଣ ମନେଅଛି ? ସେ ତ ପ୍ରାୟ ବର୍ଷକ ତଳର କଥା-। ତା’ପରେ ମୁଁ ତୁମକୁ କେତେ ଖୋଜି ବୁଲିଚି । ମୁଁ ରାତିରେ ଏଠାକୁ ଆସୁଚି । ତୁମେ ଭୟ କରିବ ନାହିଁ-। ମୁଁ ଗୋପନରେ ଆସି ଫେରିଯାଉଚି । ସେଦିନ ମୁଁ ତୁମ ପାଖ ପର୍ଯ୍ୟନ୍ତ ଆସିଲି-। ତୁମେ ବୁଲି ଚାହିଁଲ, ଦେଖି, ପଳେଇଗଲି । ତୁମେ ମୋ ପ୍ରାଣର ଅପ୍ସରା । ମୁଁ ବେଳେ ବେଳେ ଆସି ଦେଖି ଯାଉଥିବି । ମୁଁ ଆଉ କିଛି ଲୋଡ଼େ ନା ।’’
ରମା ତଳେ ପଡ଼ିଗଲା; ବନମାଳୀ ତାକୁ ଉଠାଇ କୁଣ୍ଢାଇ ଧଇଲା; କିନ୍ତୁ ସେ ନିଜେ ମଧ୍ୟ ପଡ଼ିଯିବାକୁ ବସିଲା । ଘଟଣାକ୍ରମେ ତା’ ହାତ ରମା ଛାତିରେ ବାଜିଲା । ସେ ବୁଝିଲା ଯେ ତା’ ଲେଖା ଗୁଡ଼ିକ ରମା ଛାତିରେ ରଖିଛି । ତହୁଁ ସେ ପଚାରିଲା, ‘‘ତୁମେ ମୋତେ କ’ଣ ତେବେ ସ୍ନେହ କର ?’’ ଉତ୍ତର ଶୁଣିଲା, ‘‘ତୁନି ହୁଅ । କରେ ବୋଲି ତୁମେ ଜାଣିଚ । ଆଚ୍ଛା, କହ ଦେଖି ତୁମ ନାଁ କ’ଣ ।’’