ରମାଠାରୁ ବିଦାୟ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ରମାଠାରୁ ବିଦାୟ
ବନମାଳୀ ସ୍ତମ୍ଭୀଭୂତ ହୋଇ ରହିଲା । ସେ ଅନେକ ଦିନ ଯେଉଁ ରହସ୍ୟ ଭେଦ କରିପାରୁ ନଥିଲା, ଅଳ୍ପ ସମୟ ମଧ୍ୟରେ ତାହା ବୁଝିପାରି, ଜୀବନରୁ ଅବଶ୍ୟ ଗୋଟାଏ ଭାର ଦୂରକଲା; କିନ୍ତୁ ଆଉ ଗୋଟାଏ ଗୁରୁତର ଭାବରେ ନଇଁପଡ଼ିଲା । ବିବାହ ଉତ୍ସବ ନ ସରୁଣୁ ଶ୍ୱଶୁର ଅଭୟ ଦାସଙ୍କୁ ପାଣୁ ନାଏକ ରୂପରେ ଦେଖି, ଫୁଲ-ଶଯ୍ୟା ତଳେ ଗୋଟାଏ ବିଷଧର ସାପର ସତ୍ତା ଅନୁଭବ କଲା ।
ପାଣୁ ନାଏକର ଆତ୍ମପ୍ରକାଶ ବନମାଳୀ ଆକାଶରୁ ଅବଶ୍ୟ ଗୋଟାଏ ମେଘ ଦୂର କରିଦେଲା; କିନ୍ତୁ କ୍ଷଣକ ମଧ୍ୟରେ ମେଘଟା ଫେରିଆସି ପୁଣି ବିକଟ ମୂର୍ତ୍ତିରେ ବିରାଜମାନ ହେଲା । ବନମାଳୀ ପାଣୁ ନାଏକକୁ ଯେ ବିପ୍ଳବସ୍ଥଳରେ ଦେଖିଥିଲା, ତାହା ସେ ମନେ କରିବାକୁ ଲାଗିଲା । ଗୋଟାଏ ଲୋକ ଯୁଦ୍ଧଭୂମିକୁ ଗଲା, ଅଥଚ କୌଣସି ପକ୍ଷରେ ଯୁଦ୍ଧ କଲା ନାହିଁ; କିନ୍ତୁ ପୋଲିସ ସର୍ଦ୍ଦାରକୁ ଟାଣି ଟାଣି ନେଇ ଗୁଳି କରି ମାରିଲା– ସେହି ଛବିସବୁ ତା’ ଆଖି ଆଗରେ ନାଚିଲା । ସେ ସ୍ଥିର କଲା ଯେ ଗୋଟାଏ ପୁରୁଣା ଦାଗୀ ପୋଲିସ କର୍ମଚାରୀକୁ ହତ୍ୟା କରିବା କିଛି ଅସମ୍ଭବ ନୁହେଁ । ହୁଏତ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ବିପ୍ଳବସ୍ଥଳକୁ ଆସିଥିବାର ଖବର ପାଇ ସେ ପ୍ରତିଶୋଧ ନେବାକୁ ଯାଇଥିଲା । ସେପରି ଗୋଟାଏ ନୃଶଂସ ନିଷ୍ଠୁର ଲୋକ ହାତେ ପଡ଼ି ରମା ଯେ କିପରି ସୁଗୁଣ ଅର୍ଜିଛି, ସେ ବୁଝିପାରିଲା ନାହିଁ । ଭାବିଲା, ‘‘ପ୍ରକୃତି କ’ଣ ମୃଗଶିଶୁର ଲାଳନ ପାଳନ ଭାର ବାଘ ହାତରେ ଅର୍ପଣ କରେ ?’’ ପାଣୁ ନାଏକ ପରି ଗୋଟାଏ ରାକ୍ଷସ କୋଳରେ ବଢ଼ି ରମା ଯେ ସ୍ୱର୍ଗର ଅପ୍ସରୀ ହୋଇପାରିଛି, ସେଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଦେଲା ।
ରମାର ରୂପଶ୍ରୀ ଏବଂ ହୃଦୟର ମାଧୁରୀ ଦେଖି ବନମାଳୀ ଯେତିକି ଆନନ୍ଦ ଅନୁଭବ କଲା, ତା’ ସହିତ ପାଣୁ ନାଏକର ସମ୍ପର୍କ ବିଷୟ ସ୍ମରଣ କରି ମନେ ମନେ ସେତିକି ଭୟତ୍ରସ୍ତ ହୋଇପଡ଼ିଲା । ରମା ତା’ର ସମଗ୍ର ହୃଦୟ ଅଧିକାର କରି ରହିଲା । ତା’ ମଧ୍ୟରେ ସେ ପାଣୁ ନାଏକ ପାଇଁ ବିନ୍ଦୁ ମାତ୍ର ସ୍ଥାନ ଖୋଜି ପାଇଲାନାହିଁ । ପରଦିନ ସକାଳେ ପାଣୁ ନାଏକ ଯେତେବେଳେ ଶ୍ରୀନିବାସଙ୍କ ଦୁଆରେ ଆସି ପହଞ୍ଚିଲା, ଜଗୁଆଳ ପଚାରିଲା, ‘‘ସାନ ବାବୁ କହିଚନ୍ତି, ଆପଣ ତଳ ଘରେ ବସିବେ ନା ଉପରକୁ ଯିବେ ?’’
‘‘ନା ତଳ ଘରେ ବସିବି ।’’ ପାଣୁ ନାଏକ ଘରେ ବସି ରହିଲା । ଘରଟି ବଡ଼ ସଂକୀର୍ଣ୍ଣ ଏବଂ ଅନ୍ଧାରିଆ । ଆଗେ ସେଥିରେ ଜାଳେଣି କାଠ ରହୁଥିଲା; ଗତ ରାତିରେ ପରିଷ୍କାର କରାହୋଇଛି । ପାଣୁ ନାଏକ ଆସିଲେ, ତାକୁ ଯେ ସେହି ଘରେ ବସିବାକୁ ଦିଆଯିବ, ତାହା ଆଗରୁ ସ୍ଥିର ହୋଇଥିବା କଥା ସେ ବୁଝିପାରିଲା । ସେ ଘରେ ଦୁଇଗୋଟି ଆସନ ପଡ଼ିଥିଲା । ପାଣୁ ନାଏକ ଅନେକ ଦିନ ନ ଖାଇ ନ ଶୋଇ ରହିଥିବାରୁ ନିତାନ୍ତ କ୍ଳାନ୍ତ ଶ୍ରାନ୍ତ ଦୁର୍ବଳ ହୋଇପଡ଼ିଥିଲା; ସୁତରାଂ ପହଞ୍ଚିବା ମାତ୍ରେ ଆସନରେ ବସିପଡ଼ିଲା । ରମା ଆସି କହିଲା, ‘‘ବାପା, ତୁମେ କିପରି ଏକ ଅବୁଝା ଲୋକ ? ଏ ଘରଟାରେ ଆସି ବସନ୍ତ ନା ? ବାବୁ କହିଲେ, ତୁମେ କୁଆଡ଼େ ମୋ ସାଙ୍ଗେ ଏଇ ଘରଟାରେ ଦେଖା କରିବାକୁ ତାଙ୍କୁ କହିଚ । ଏ କ’ଣ ମ ? ଛି ଛି ଛି !’’ କହି ରମା ପାଣୁ ନାଏକ କୋଳରେ ବସିବାକୁ ଗଲା । ପାଣୁ ନାଏକ ବସିବା ସ୍ଥାନରୁ ଉଠିପଡ଼ି ଠିଆ ହେଲା । ରମା କହିଲା, ‘‘ବାପା, ଚାଲ ଉପରକୁ ଯିବା ।’’ ଉତ୍ତର ଶୁଣିଲା ‘ନା’ । ତହୁଁ ରମା ପାଣୁ ନାଏକର ହାତ ଧରି ଟାଣିବାକୁ ବସିଲା । ସେ କହିଲା, ‘‘ଏ ଅପ୍ରଛନିଆ ଘରଟାରେ ମୁଁ ତୁମକୁ ବସିବାକୁ ଦେବି ନାହିଁ ।’’
‘‘ଶୁଣ, ରମା–’’
ପାଣୁ ନାଏକ ରମା ଅଗୋଚରରେ ଜିଭ କାମୁଡ଼ି ଦେଲା; ଓ ତା’ପରେ କହିଲା, ‘‘ଶୁଣ, ସାଆନ୍ତାଣୀ, ଜାଣତ ମୋ କଥା ସବୁ ସେଇପରି ।’’
‘‘ସାଆନ୍ତାଣୀ ! କାହାକୁ କହୁଚ ମ ? କାହିଁ, ଏଇଠେଇ ତ ଆଉ କେହି ନାହାନ୍ତି ? ବାପା, ତୁମେ କ’ଣ ପାଗଳ ହେଇଗଲ ?’’ ଶ୍ମଶାନର ଅଗ୍ନିଶିଖା ପରି ପାଣୁ ନାଏକର ନୈରାଶ୍ୟଜଡ଼ିତ ମୁଖରୁ କ୍ଷୁଦ୍ର ହାସ୍ୟରେଖା ବାହାରିଲା, ‘‘ତୁମେ ସାଆନ୍ତାଣୀ ହବାକୁ ଇଚ୍ଛା କରୁଥିଲ, ହେଇଚ ।’’
‘‘ବାପା, ମୁଁ କ’ଣ ତମ ପାଖରେ ସାଆନ୍ତାଣୀ ହେଇଚି ?’’
‘‘ମୋତେ ବାପା ବୋଲି ଡାକ ନାହିଁ । ଡାକିବ ପାଣୁ ବୋଲି । ମନେ ରଖିଲ ନା ? ପାଣୁ ନ ହେଲେ, ପାଣୁଆ ।’’
‘‘ତେବେ, ତୁମେ ଆଉ ବାପା ନୁହଁ, ମୁଁ ରମା ନୁହେଁ ? ମୁଁ ‘ପାଣୁ’ ବୋଲି ଡାକିବି, କି ସୃଷ୍ଟିଛଡ଼ା କଥା କହୁଚ, ବାପା ? କ’ଣ ହେଲା ତୁମର ? ତୁମେ ଏଠେଇ ରହିବ ନାହିଁ, ଏ ଘରେ ଖାଇବ ନାହିଁ, ମୁଁ କ’ଣ ତୁମର କଲିକି ? କହୁ ନା କ’ଣ ହେଲା ?’’
‘‘ତେବେ ତୁମେ କାହିଁକି ଇମିତି କହୁଚ ?’’
‘‘ଦେଖୁ ନାହଁ, ତୁମ ନାଁ ‘ରମା’ ଥିଲା ଏବେ ‘ଶ୍ରୀମତୀ ରମାଦେବୀ’ ହେଲା । ଆଉ ମୋ ନାଁକୁ ତୁମେ କାହିଁକି ନାପସନ୍ଦ କରୁଚ ?’’
‘‘ମୁଁ ଏ ସବୁ କିଛି ବୁଝିବି ନାହିଁ । ମୁଁ ବାବୁଙ୍କୁ ପଚାରିବି, ସେ ଯେବେ କହିବେ ପାଣୁ ବୋଲି ଡାକିବାକୁ ଡାକିବି । ସେ କ’ଣ ଏକଥା କେବେ କହିବେ ? ତୁମେ ପାଗଳ ହେଲ, ବାପା ! ମୋ କଥା ଶୁଣ ।’’ ରମା ପାଣୁ ନାଏକକୁ ଆଦରରେ କୁଣ୍ଢାଇପକାଇ ପୁଣି କହିଲା, ‘‘ବାପା, ମୋଠାରେ ନିର୍ଦ୍ଦୟ ହୁଅ ନାହିଁ ।’’ ପାଣୁ ନାଏକ ରମା ହାତ ଛଡ଼ାଇଦେଇ ଉତ୍ତର ଦେଲା, ‘‘ତୁମେ ପରା ବିଭା ହେଲ, ସ୍ୱାମୀ ପାଇଲ । ଆଉ ବାପା କ’ଣ ? କେହି ନ ଥିଲେ ସିନା ବାପା ।’’
‘‘ତେବେ, ମୁଁ କ’ଣ ସୁଖରେ ରହିଲି ବୋଲି ରାଗୁଚ ? ଜନ୍ମକଲା ଝିଅ ହୋଇଥିଲେ, ଏଡ଼େ ହୀନିମାନ କରନ୍ତ ନା ?’’
ସରଳ କଥା ବେଳେ ଅଜ୍ଞାତଭାବରେ ହୃଦୟର ଗଭୀରତମ କୋଣରେ ଯାଇ ତୀକ୍ଷ୍ଣଭାବରେ ଭେଦକରେ । ରମା ସରଳଭାବରେ କଥାଟା କହିପକାଇଲା । ପାଣୁ ନାଏକ ହୃଦୟ ତହିଁରେ ବିନ୍ଧିହୋଇଗଲା । ସେ କଳା ପଡ଼ିଗଲା; କେତେକ ସମୟ କିଛି କହି ନ ପାରି ଅବାକ୍ ହୋଇ ରହିଲା ଓ ତା’ପରେ ମନକୁ ମନ କହିଲା ପରି କହିଲା, ‘‘ତାରି ସୁଖ ତ ମୁଁ ଜୀବନଯାକ ଲୋଡ଼ି ଆସିଚି । ଆଜି ଯେବେ ଦେଖି ମୁଁ ରାଗୁଥାଏ, ତେବେ ମୋର ମରିବାଇ ଭଲ-।’’ ତା’ପରେ ସେ ପାଟିକରି ରମାକୁ କହିଲା, ‘‘ରମା ତୁ ସୁଖରେ ରହ । ମୋର ସମୟ ସରି ଆସିଲା ।’’
‘‘ହଁ, ତୁମେ ତ ମତେ ତୁ କହୁଚ ।’’ କହି, ରମା ଆନନ୍ଦରେ ଡେଇଁପଡ଼ି ପାଣୁ ନାଏକ ବେକକୁ ଜାକିଧରିଲା । ପାଣୁ ନାଏକ ମଧ୍ୟ ତାକୁ ଆନନ୍ଦରେ କୁଣ୍ଢାଇ ପକାଇଲା । ସେ ଯେପରି ପୁନରାୟ ରମାକୁ ଫେରିପାଇଛି, ମୁହୂର୍ତ୍ତକ ପାଇଁ ତାହା ଅନୁଭବ କଲା । ରମା କହିଲା, ‘‘ବାପା, ମୋତେ ସବୁବେଳେ ଛାତିରେ ଧରିଥିବ; ଦୂର କରିଦେବ ନାହିଁଟି । କଥାଟାର ମର୍ମ କ୍ରମେ ପାଣୁ ନାଏକ ପ୍ରତି ଅସହ୍ୟ ହୋଇଉଠିଲା । ସେ ଧୀରେ ଧୀରେ ରମାର ହାତ ଛଡ଼ାଇ କହିଲା, ‘‘ସାଆନ୍ତାଣୀ ମୁଁ ଯାଉଚି, ତୁମେ ଘର ଭିତରକୁ ଯାଅ । ତୁମପାଇଁ ହୁଏତ ଚାହିଁ ବସିଥିବେ ।’’ ଦ୍ୱାର ପର୍ଯ୍ୟନ୍ତ ଯାଇ, ପାଣୁ ନାଏକ ପୁଣି କହିଲା, ‘‘ମୁଁ ତୁମକୁ ‘ତୁ’ ବୋଲି କହି ପକେଇଲି, ମୋତେ କ୍ଷମା ଦିଅ ସାଆନ୍ତାଣୀ ! ଆଉ କେବେ ଏପରି କହିବି ନାହିଁ ।’’ ରମା ଅବାକ୍ ହୋଇ ଦ୍ୱାର ମୁହଁରେ ଠିଆ ହୋଇ ରହିଲା ।
ପୁଣି ଏକ ଚିଠି
ଅନେକ ସପ୍ତାହ ଚାଲିଗଲା । ରମା ନୂତନ ସ୍ଥାନରେ ରହି, ନୂଆ ନୂଆ ଆତ୍ମୀୟସ୍ୱଜନଙ୍କ ସଙ୍ଗେ ମିଳାମିଶା କରି, କ୍ରମେ ଜଣେ ନୂଆଲୋକରେ ପରିଣତ ହେବା ଦିଗରେ ଚାଲିଲା । ପାଣୁ ନାଏକ ରୋଜ ଆସୁଥାଏ । ସେ ରମାକୁ ‘ସାଆନ୍ତାଣୀ’ ଏବଂ ରମା ତାକୁ ‘ପାଣୁ’ ବୋଲି ଅନେକ ଦିନ ଡାକିବାଦ୍ୱାରା ସେ ରମା ନିକଟରେ ଭିନ୍ନ ଆକାରରେ ପ୍ରତିଭାତ ହେଲା । ସେ ରମାଠାରୁ ଦୂରରେ ରହିବାକୁ ଯେ ଇଚ୍ଛା କରୁଥିଲା; ତାହା ସଫଳ ହେଲା । ଦିନେ ରମା ତାକୁ କହିଲା, ‘‘ତୁମେ ମୋ ବାପା ଥିଲ, ଏବେ ବାପା ହେଇ ନାହଁ , ତୁମେ ମତେ ପାଳିଥିଲ, ଏବେ ଆଉ ପାଳୁନାହଁ; ତୁମେ ଅଭୟ ଦାସ ଥିଲ, ଏବେ ପାଣୁ ହେଲ । ପ୍ରକୃତରେ ତୁମେ କିଏ ? ଏ ସବୁ ଛନ୍ଦ କପଟ ମୋତେ କିଛି ଭଲ ଲାଗୁନାହିଁ । ମୁଁ ତୁମକୁ ଭଲ କରି ଜାଣି ନ ଥିଲେ, ଡରି ମରୁଥାନ୍ତି ପରା-?’’
ସେ ସମୟରେ ତେଲେଙ୍ଗାବଜାରରେ ପାଣୁ ନାଏକର ବସା ଥିଲା । ସେ ପ୍ରଥମେ ପ୍ରଥମେ ରମା ପାଖକୁ ଆସି ସେହିକ୍ଷଣି ଫେରିଯାଉଥିଲା; ମାତ୍ର ପରେ କ୍ରମେ କ୍ରମେ ବେଶି ସମୟ ରହିଲା । ଦିନେ କଥାବାର୍ତ୍ତା ହେଉ ହେଉ ରମା ଭୁଲରେ ‘ବାପା’ ବୋଲି କହିପକାଇଲା । ଶୁଣି ପାଣୁ ନାଏକର ବିଷଣ୍ଣ ମୁଖରେ ଆନନ୍ଦର ଜ୍ୟୋତି ପ୍ରକାଶ ପାଇଲା । ତଥାପି ସେ କହିଲା, ‘‘ପାଣୁ ବୋଲି କହ ।’’ ସଙ୍ଗେ ସଙ୍ଗେ ପାଣୁ ନାଏକର ଦୁଇ ଆଖିରେ ଦୁଇ ଧାର ଲୁହ ବୋହିଗଲା ।
ପାଣୁ ନାଏକ ଦେଖିଲା ଯେ ବନମାଳୀ ଅତି ଅଳ୍ପ ବ୍ୟୟରେ ଚଳୁଛି । ତହୁଁ ଦିନେ ସେ ରମାକୁ କହିଲା, ‘‘ତୁମେ ଗୋଟିଏ ବଗି କାହିଁକି ରଖୁନାହଁ ? ମାସରେ ତ ଟଙ୍କା ଶହେଟା ଖର୍ଚ୍ଚ । ତୁମର ଟଙ୍କାର ଅଭାବ ନାହିଁ ।’’ ରମା ଉତ୍ତର ଦେଲା, ‘‘ମୁଁ ସେ କଥା କିଛି ଜାଣେ ନା ।’’ ପାଣୁ ନାଏକ ପୁଣି ପଚାରିଲା, ‘‘ମାଣିକକୁ କାହିଁକି ବାହାର କରିଦେଲ ? ତା’ ବାବଦରେ କେତେ ବା ଖରଚ ହେଉଥିଲା ? ଆଉ ଜଣକୁ ରଖ ।’’ ରମା କହିଲା, ‘‘ଜଣେ ତ ଅଛି ।’’
‘‘ତୁମକୁ ସାହାଯ୍ୟ କରିବା ପାଇଁ ତ ଜଣେ ଦରକାର ।’’
‘‘ନା, ତୁମର ଏତେ କଷାକଷି ହୋଇ ଚଳିବା ଠିକ୍ ନୁହେଁ । ଗାଡ଼ି ଘୋଡ଼ା ରଖିବ, ଚାକରବାକର ରହିବେ, ସୁଖରେ କାଳ କଟେଇବ । ଦରିଦ୍ରଲୋକଙ୍କ ପରି କାହିଁକି ଚଳୁଚ, କହ ତ-।’’
ରମା ଉତ୍ତର ଦେଲା ନାହିଁ । ପାଣୁ ନାଏକ ରମା ପାଖରେ ଯେତେବେଳେ ବେଶି ସମୟ ରହିବାକୁ ଇଚ୍ଛାକରେ, ସେ ବନମାଳୀର ପ୍ରଶଂସା କରିବାକୁ ଲାଗେ । ରମା ସେଥିରେ ଯୋଗଦିଏ । ତାହାହେଲେ କଥାବାର୍ତ୍ତରେ ଅନେକ ସମୟ ଚାଲିଯାଏ । ଦିନେ ଦିନେ ଚାକର ଆସି ଡାକେ, ‘‘ମା, ଭାତ ବଢ଼ାହୋଇ ଶୁଖୁଚି ପରା ।’’ ସେହିପରି ଦିନମାନଙ୍କରେ ପାଣୁ ନାଏକ ଚିନ୍ତାମଗ୍ନ ହୋଇ ନତମସ୍ତକରେ ଘରକୁ ଫେରେ । ଦିନେ ସେ ଟିକିଏ ବେଶି ସମୟ ରମା ପାଖରେ ରହିଗଲା-। ତା’ ଆରଦିନ ଆସି ଦେଖିଲା ତା’ ଦେଖା କରିବା କୋଠରୀରେ ଆଉ ବସିବା ଆସନ ପଡ଼ିନାହିଁ । ଦେଖି, ରମା ବିରକ୍ତ ହୋଇଉଠିଲା । ପାଣୁ ନାଏକ କହିଲା, ‘‘ମୁଁ ପରା ଆସନ ପକେଇବାକୁ ମନା କରିଥିଲି ।’’
‘‘କାହିଁକି ? ସେୟା ତ ଗଲାନାହିଁ । କ’ଣ ତଳେ ବସିବ ?’’
‘‘ସେଦିନ ପାଣୁ ନାଏକ ଠିଆ ଠିଆ ଦେଖା କରି ଫେରିବାବେଳେ ରମା କହିଲା, ‘‘ବାବୁ କାଲି ଗୋଟାଏ କଥା କହୁଥିଲେ ।’’
‘‘କହିଲେ, ‘ରମା, ଅଜା ଆମକୁ ବର୍ଷରେ ତିନି ହଜାର ଟଙ୍କା ଖର୍ଚ୍ଚ କରିବାକୁ ଦେଉଛନ୍ତି । ଏତିକିରେ ଚଳିପାରିବ ତ ! ମୁଁ କହିଲି, ତୁମେ ଥିଲେ ମୁଁ କିଛି ନ ପାଇ ମଧ୍ୟ ଚଳିପାରିବି ।’ ତା’ପରେ ମୁଁ ପଚାରିଲି; ‘ମୋତେ କାହିଁକି ଏ କଥା କହିଲ ?’’ ସେ ଉତ୍ତର ଦେଲେ, ‘ଖାଲି ତୁମ ଇଚ୍ଛା ଜାଣିବାକୁ ।’ ମୋର ପୁଣି ଇଚ୍ଛା କ’ଣ, ପାଣୁ ?’’
ପାଣୁ ନାଏକ ପଦେ ସୁଦ୍ଧା କଥା କହିଲା ନାହିଁ । ସେଦିନ ସେ ଏତେ ବିବ୍ରତ ହୋଇ ତେଲେଙ୍ଗାବଜାରକୁ ଫେରିଲା ଯେ ନିଜ ଘରକୁ ନ ଯାଇ ଭ୍ରମରେ ଆଉଜଣକ ଘରେ ଯାଇ ପହଞ୍ଚିଲା ଓ ସେହି ଘର ଲୋକଙ୍କୁ ଦେଖନ୍ତେ ଭୁଲ ବୁଝିପାରି, ପୁଣି ନିଜ ଘରକୁ ଫେରିଲା । ସେ ମନେ ମନେ ଭାବିଲା, ବନମାଳୀ ବାବୁ ଏ ଛ’ଲକ୍ଷ ଟଙ୍କା କଥାରେ ସନ୍ଦେହ କରିଛନ୍ତି, ବୁଝିଚନ୍ତି ଯେ ଟଙ୍କାଟା ଚୋରି ଧନ । ସେଥିପାଇଁ ସ୍ଥିର କରିଚନ୍ତି, ଦୁଃଖରେ ପଛେ ରହିବେ, ଏ ଟଙ୍କା ଛୁଇଁମେ ନାହିଁ । ତା’ପରେ ଶ୍ରୀନିବାସ ଚମ୍ପତିରାଏଙ୍କ ଘରେ ତାକୁ କିପରି ବ୍ୟବହାର ମିଳୁଛି, ତାହା ମଧ୍ୟ ସେ ଟିକିଏ ଭାବିଲା ।
ପରଦିନ ପାଣୁ ନାଏକ ଶ୍ରୀନିବାସଙ୍କ ଘରେ ପହଞ୍ଚି ଦେଖିଲା, ଯେଉଁ କୋଠରୀରେ ସେ ରମା ସହିତ ଦେଖାକରେ, ତା’ ଦ୍ୱାରେ ଗୋଟାଏ ତାଲା ପଡ଼ିଚି । ରମା ଆସି ବ୍ୟସ୍ତ ହୋଇ ପଚାରିଲା, ‘‘ଏ ତାଲା କାହିଁକି ମ ?’’ ପାଣୁ ନାଏକ ଘରର ମାଲିକ ପରି ଉତ୍ତର ଦେଲା, ‘‘ମୁଁ ତାଲା ପକେଇଦବାକୁ ଚାକରକୁ କହିଥିଲି । ମୁଁ ବାହାରେ ଠିଆ ଠିଆ କଥାବାର୍ତ୍ତା ହେଇ ଚାଲିଯିବି ବୋଲି ସେ ଜାଣେ ।’’
‘‘ଏ କ’ଣ । ସେଦିନ ତୁମେ ବସିବା ଆସନ ଖଣ୍ଡ ବାହାର କରିଦେବାକୁ କହିଲ । ଆଜି ଘରେ ତାଲା ପକେଇଦେବାକୁ ବରାଦକଲ । ମୁଁ ତୁମ କଥା କିଛି ବୁଝିପାରୁ ନାହିଁ । ଆଗରୁ ତ ଉପରକୁ ଯିବାକୁ ମନା କରିଦେଇଥିଲ । ହଁ, ତୁମେ କ’ଣ ଆଉ ମୋ ବାପ କି ? ତୁମେ ତ କୋଉ ପାଣୁ ହେଇଯାଇଚ । ଏଣିକି ତୁମର ଯାହା ଇଚ୍ଛା । ହେଲେ ସତ କହୁଚି; ମୋତେ ଏସବୁ କିଛି ସୁଖ ଲାଗୁ ନାହିଁ ।’’
‘ମୁଁ ଯାଉଚି’ କହି ପାଣୁ ନାଏକ ଚାଲିଗଲା ଓ ତା’ ପରଦିନ ଆଉ ଆସିଲା ନାହିଁ । ସେଦିନ ରାତିରେ ରମା କହିଲା, ‘ଆଜି ପାଣୁ ତ କାହିଁ ଆସିଲେ ନାହିଁ । ରମା ମନରେ ଗୋଟାଏ ବିଷାଦଭାବ ମୁଣ୍ଡ ଟେକି ଉଠୁଥିଲା, ମାତ୍ର ବନମାଳୀ ଆସି ପହଞ୍ଚିବାରୁ, ଉଭେଇ ଗଲା । ପରଦିନ ମଧ୍ୟ ପାଣୁ ନାଏକ ଆସିଲା ନାହିଁ । ଦିନଯାକ ସେ କଥା ରମାର ମନେପଡ଼ିଲା ନାହିଁ, ଆରଦିନ ଶେଯରୁ ଉଠି ତା’ର ସେ କଥା ଯାଇ ମନେହେଲା । ସେ ଚାକରକୁ ତେଲଙ୍ଗାବଜାର ପଠାଇ ପାଣୁର ଦେହ ବ୍ୟସ୍ତ ହୋଇଛି କି ନାହିଁ, ବୁଝିବାକୁ ବସିଲା । ଚାକର ଆସି କହିଲା, ‘‘ସେ ଭଲ ଅଛନ୍ତି । କାମରେ ବ୍ୟସ୍ତ ଥିଲେ । ଶୀଘ୍ର ଆସିବେ । ସେ ତ କେଉଁଆଡ଼େ ଯାଉଚନ୍ତି । ସେ ଏଇମିତି ଦି’ ତିନି ମାସରେ ଥରେ କୁଆଡ଼େ ଯାଆନ୍ତି ବୋଲି ହଜୁର ତ ଜାଣନ୍ତି, ସେ ମୋତେ କହିଲେ । ଆପଣ ମନରେ ଦୁଃଖ କରିବେ ନାହିଁ ବୋଲି କହି ପଠେଇଛନ୍ତି ।’’
ସେ ଘଟଣା ପରେ ପାଣୁ ନାଏକ ଯେ ତୁଳସୀପୁର ନ ଯାଏ, ତା’ ନୁହେଁ; ଶ୍ରୀନିବାସ ଚମ୍ପତିରାଏଙ୍କ ଫାଟକ ପର୍ଯ୍ୟନ୍ତ ଯାଇ, ଘର ଆଡ଼କୁ କେବଳ ଟିକିଏ ଚାହିଁ, ଦାଣ୍ଡରୁ ଫେରିଆସେ । ଅନେକ ଦିନ ଚାଲିଗଲା; ଦିନେ ପାଣୁ ନାଏକ ବାହାର ଦରଜା ପାଖେ ବସିଛି, ତା’ ବାସନ ମାଜିବା ଧାଈ ଆସି କହିଲା, ‘‘ବାବୁ, ତୁମେ କାଲି ଯେ କିଛି ଖାଇନାହଁ ?’’
‘‘ଖଲିରେ ଯେମିତି ବଢ଼ା ହୋଇଥିଲା, ସବୁ ତ ସେମିତି ରହିଚି ।’’
‘‘ତୁ ପାଣି ମାଠିଆ ଦେଖିନାହୁଁ ବୋଲି ଏମିତି କହୁଚୁ ।’’
‘‘ତୁମେ ଭାତ ତିଅଣ କିଛି ନ ଖାଇ, ଖାଲି ଗୁଡ଼େ ପିଇଚ । ସେଇଥିପାଇଁ ଏ ମାଠିଆଟା ତୁଚ୍ଛା ପଡ଼ିଚି । ତୁମର କ’ଣ ଜର ହେଇଚି ?’’
ସେ ବୁଢ଼ୀ ଧାଈ ଛଡ଼ା ପାଣୁ ନାଏକର ଆଉ କାହା ସଙ୍ଗେ ଦେଖାସାକ୍ଷାତ୍ ହୁଏନାହିଁ । ଦିନେ ଧାଈ ତା’ ଘରେ ପୁଅକୁ କହିଲା, ‘‘ସେ ଯେ ବୁଢ଼ା ବାବୁ ଅଛନ୍ତିନା, ଆଉ ଶେଯରୁ ଉଠୁନାହାନ୍ତି, ଖିଆପିଆ କରୁନାହାନ୍ତି, କି ରାତିରେ ମଧ୍ୟ ଶୋଉନାହାନ୍ତି । ଆଉ ବେଶି ଦିନ ବଞ୍ଚିଲାପରି ଦିଶୁନାହିଁ । ସବୁବେଳେ ତ କ’ଣ ଭାବୁଚନ୍ତି । ଆହା, ଝିଅଟିକି କେଡ଼େ ସ୍ନେହ କରୁ ନ ଥିଲେ କି । କୋଉଠି କୋଉ ଖରାପ ଲୋକ ହାତରେ ପଡ଼ିଲା, ସେଇ କଥା ଭାବି ବିଥେଇ ହୋଉଚନ୍ତି । ମୋରି କଥାରୁ ମୁଁ ଜାଣେ ପରା । ବାପ ମୋତେ ଏ ଘରେ ଆଣି ପୂରେଇଦେଲା । ଦେଖୁଚୁ ତ, ପୁଅ କେତେ କଷ୍ଟ ପାଉଚି ? ପର ଅଇଁଠା ନ ଉଠେଇଲେ ନ ଚଳେ । ସେ ମୋରି କଥା ଭାବି ଭାବି ମରିଗଲା । ଆହା, ବାପ ମା’ ପୁଅଝିଅ ଜନ୍ମକରି କି କଷ୍ଟ ନ ପାଆନ୍ତି ?’’
ଦିନେ ସନ୍ଧ୍ୟାରେ ପାଣୁ ନାଏକ ଶେଯରେ ଶୋଇଥିଲା, ଉଠିବାକୁ ଚେଷ୍ଟାକରି, ଉଠିପାରିଲା ନାହିଁ, କଚେଟିରେ ହାତ ଦେଇ ଦେଖିଲା, ନାଡ଼ି ଚଳୁନାହିଁ । କ୍ରମେ ସେ ନିଃଶ୍ୱାସ ମଧ୍ୟ ନେଇପାରିଲା ନାହିଁ । ଅନେକ ସମୟ ଚାଲିଗଲା, ତା’ପରେ ସେ ଉଠି ବସିଲା ଓ କ୍ରମେ ଠିଆହେବାକୁ କ୍ଷମ ହେଲା । ତହୁଁ ସେ ଶେଯରୁ ଉଠିଯାଇ, ସେହି ଛୋଟିଆ ପେଡ଼ିଟି ଫିଟାଇ, ରମାର ପୁରୁଣା ଶାଢ଼ି ଖଣ୍ଡକ ଆଣି ପାଖରେ ରଖିଲା । ପରିଶ୍ରମରେ ତା’ ଦେହରୁ ଝାଳ ଗମ ଗମ ବହିଗଲା-। ସେ ନିଜ ମୂର୍ତ୍ତି ଦର୍ପଣରେ ଦେଖି ଚିହ୍ନିପାରିଲା ନାହିଁ; ମନେକଲା ଯେପରିକି ମୃତ୍ୟୁ ଚିହ୍ନ ତା’ କପାଳରେ ଅଙ୍କିତ ହୋଇସାରିଥିଲା । ସେତେବେଳକୁ ରାତି ହୋଇଯାଇଥିଲା । ସେ ବହୁ କଷ୍ଟରେ ଗୋଟାଏ ଆଲୁଅ ଜାଳିଲା । ସେତିକି ପରିଶ୍ରମରେ ସେ ମୂର୍ଚ୍ଛିତ ହୋଇ ପଡ଼ିଗଲା ଓ ମୂର୍ଚ୍ଛାରୁ ଉଠି ଅତ୍ୟନ୍ତ ଅଧୀର ହେଲା । ସେ ପାଣି ମାଠିଆ ଟେକି ନ ପାରିବାରୁ ସେଥିରେ ମୁହଁ ଲଗାଇ ଢୋକେ ପିଇଲା ।
ହଠାତ୍ ପାଣୁ ନାଏକ ଦେହରେ ସାମାନ୍ୟ ବଳ ଆସିଲା । ତହୁଁ ସେ କାଗଜ ଧରି ଲେଖିଲା, ‘‘ରମା, ମୁଁ ଆଶୀର୍ବାଦ କରୁଚି । ମୁଁ ଆଜି ତୋତେ ଗୋଟାଏ କଥା ଲେଖିବାକୁ ଯାଉଚି । ମୁଁ ତୋ ସଙ୍ଗେ ଦେଖା କରିବା ଭଲ ହେବନାହିଁ ବୋଲି ତୋ ସ୍ୱାମୀ ଯେ ସ୍ଥିର କଲେ, ସେଟା ବେଶ୍ ହୋଇଛି, କିନ୍ତୁ ସେ ଯାହା ଭାବିଛନ୍ତି; ତା’ ଠିକ୍ ନୁହେଁ । ଯାହାହେଉ, ତାଙ୍କ କାର୍ଯ୍ୟ ବଡ଼ ଠିକ୍ ହୋଇଛି-। ସେ ଖୁବ୍ ଉପଯୁକ୍ତ ଲୋକ । ମୁଁ ଚାଲିଗଲା ପରେ ତୁ ମୋ କଥା ଏକାବେଳକେ ଭୁଲିଯାଇ ତାଙ୍କୁ ସ୍ନେହ କରୁଥିବୁ ! ବନମାଳୀ ବାବୁ, ଆପଣ ମଧ୍ୟ ମୋ ଗଣ୍ଠିଧନଟିକି ସ୍ନେହ କରିବେ-। ଆଉ ଏକ କଥା କହି ରଖୁଛି । ସେ ଟଙ୍କାଟା ପ୍ରକୃତରେ ତୁମର । କଥା ଏହି-ବିଦେଶୀ ରଙ୍ଗ ଆସି ଏ ଦେଶରେ ବିକ୍ରି ହେଉଛି; କିନ୍ତୁ ଦେଶୀ ଗେରୁ ପରି କୌଣସି ରଙ୍ଗ ସ୍ଥାୟୀ କିମ୍ବା ସୁନ୍ଦର ନୁହେଁ । ଫପ୍ସା ମାଙ୍କଡ଼ାପଥର ମାଟିରୁ ଗେରୁ ତିଆରି କଲେ, ମହଣକେ ଦଶଟଙ୍କା ବାରଅଣା ଖର୍ଚ୍ଚ ପଡ଼ିବ-। ବିଦେଶୀ ରଙ୍ଗ ମହଣକୁ ଦେଢ଼ଶହ ଟଙ୍କା । ଗେରୁ ମହଣ ପଚାଶ ଟଙ୍କାରେ ବିକ୍ରି କଲେ ମଧ୍ୟ ଅଣଚାଳିଶ ଟଙ୍କା ଚାରି ଅଣା ଲାଭ ।’’
ପାଣୁ ନାଏକ ଆଉ ଲେଖିପାରିଲା ନାହିଁ । ତା’ର କୋହ ଉଠିଲା । ସେ କାନ୍ଦୁଣିମାନ୍ଦୁଣି ହୋଇ କହିଲା, ‘‘ଆଉ ନୁହେଁ । ପ୍ରାଣ ଛାଡ଼ିଆସିଲାଣି । ମୁଁ ତାକୁ ଦେଖିପାରିବି ନାହିଁ । ଓଃ ସରିଗଲା, ସରିଗଲା । ଆଉ ତା’ ସାଙ୍ଗେ ଦେଖା ହବ ନାହିଁ । ଭଗବାନ ।’’
ଠିକ୍ ସେହି ସମୟରେ ବାହାର ଦୁଆରେ କିଏ ଠକ୍ ଠକ୍ କଲା । ସେତେବେଳକୁ ଗୋଟାଏ ଘୋଡ଼ାଗାଡ଼ିର ଘର୍ଘର ଶବ୍ଦ ସେହିକ୍ଷଣି ବନ୍ଦ ହୋଇଗଲା; କିନ୍ତୁ ତା’ ପ୍ରତିଧ୍ୱନି ଆହୁରି ପବନରେ ଖେଳୁଥିଲା ।