ତୁ ଗୋଟାଏ ଗଧ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୁ ଗୋଟାଏ ଗଧ
ଗୋବିନ୍ଦ ସିଂହଙ୍କ ନାମ ସହିତ ଆଉ ଗୋଟିଏ ନାମ ବନମାଳୀର ଆରାଧନାର ବିଷୟ ହୋଇ ରହିଥିଲା । ତାହା ଦୀନା ସାହୁ ନାମ । ସେ ଜଜାରସିଂହ ଯାଇ ବୁଝିଥିଲା ଯେ ବ୍ୟବସାୟରେ ବିଫଳ ହୋଇ, ଦୀନା ସାହୁ ଚଟିଘର ଭାଙ୍ଗି, କେଉଁଆଡ଼େ ପଳାଇଛି । ସେ ତାକୁ ନାନା ସ୍ଥାନରେ ଖୋଜି ନିରୁପାୟ ହୋଇ ସାରିଲାଣି । ତା’ ମହାଜନମାନେ ମଧ୍ୟ ନାନା ଅନୁସନ୍ଧାନ କରି ତାକୁ ପାଇପାରିନାହାନ୍ତି । ଦୀନା ସାହୁକୁ ନ ପାଇ ବନମାଳୀ ନିଜକୁ ପୃଥିବୀରେ ନିତାନ୍ତ ଦୋଷୀ ଏବଂ ଘୃଣ୍ୟ ମନେ କରୁଛି । ତାକୁ ଦେଖିଲେ ତା’ ପାଇଁ ସେ ଜୀବନ ଉତ୍ସର୍ଗ କରିଦିଅନ୍ତା, ନିଜର ସମୁଦାୟ ଉପାର୍ଜିତ ଧନସମ୍ପତ୍ତି ଖଟାଇ ତା’ ପାଦ ପୂଜା କରନ୍ତା । ତାହା ହୋଇପାରୁ ନାହିଁ ।
ବନମାଳୀର ସେତେବେଳକୁ ବୟସ କୋଡ଼ିଏ ବର୍ଷ । ସେ ଚମ୍ପତିରାଏଙ୍କ ଉଆସ ଛାଡ଼ିବା ତିନି ବର୍ଷରୁ କିଛି ବେଶି ହୋଇଗଲାଣି । ଚମ୍ପତିରାଏ ତାକୁ ଯେ ସ୍ନେହ କରୁ ନ ଥିଲେ ବୋଲି ସେ ମନେ କରୁଥିଲା, ତାହା ଠିକ୍ ନୁହେଁ । ତାଙ୍କ ହୃଦୟରେ ତା’ ପାଇଁ ଗୋଟିଏ କୋମଳ ସ୍ଥାନ ରହିଥିଲା । ବନମାଳୀ ଘରୁ ଚାଲିଗଲା ମାତ୍ରେ ସେ ସ୍ଥାନଟି ଶୂନ୍ୟ ପଡ଼ିଲା । ତା’ ନାମ ନ ପକାଇବାକୁ ଶ୍ରୀନିବାସ ସମସ୍ତଙ୍କୁ କହନ୍ତି; କିନ୍ତୁ ତାଙ୍କର ସେ ହୁକୁମ ଯେ ସମସ୍ତେ ଶିରୋଧାର୍ଯ୍ୟ କରୁଥିଲେ, ସେଥିରେ ତାଙ୍କର ଭାରି କଷ୍ଟ ହେଉଥିଲା । ବନମାଳୀ ଗଲାଦିନୁ ତାଙ୍କ ଦୁଃଖ ଯେପରି ବଢ଼ିଲା, ହୃଦୟ ମଧ୍ୟ ସେହିପରି କଠୋର ହୋଇଆସିଲା । ସେ ବେଳେ ବେଳେ ମନେ ମନେ ଭାବନ୍ତି, ‘‘ଟୋକାଟା ଯଦି ଫେରିଆସନ୍ତା, କାନ ମୋଡ଼ି ସାଧ୍ୟ କରିଦିଅନ୍ତି ।’’
ଚମ୍ପତିରାଏ ବନମାଳୀ ନିମନ୍ତେ ତେଣେ ଝୁରୁଥିବା ସମୟରେ, ବନମାଳୀ ନିଜେ ବେଶ୍ ଖୁସିରେ ଥିଲା । ସେ ଦୁଃଖ କଷ୍ଟ ଅବଶ୍ୟ ଭୋଗୁଥିଲା; କିନ୍ତୁ ସେ ସେ ଦୁଃଖ କଷ୍ଟ ଯେ ପିତାଙ୍କ ନିମନ୍ତେ ତାକୁ ଭୋଗ କରିବାକୁ ହେଉଛି, ତାହା ଭାବିଲେ, ତା’ ମନରେ ଅପାର ଆନନ୍ଦ ଜନ୍ମୁଥିଲା । ପିତା ଲେଖିଯାଇଥିଲେ, ‘‘ସେ ନିଜକୁ ଏହାର ଉପଯୁକ୍ତ କରି ଗଢ଼ିବ ।’’ ଲେଖା ଅବଶ୍ୟ ନଷ୍ଟ ହୋଇଯାଇଛି; କିନ୍ତୁ କଥାଟି ସେ ନିଜ ହୃଦୟରେ ସ୍ୱର୍ଣ୍ଣାକ୍ଷରରେ ଖୋଳି ରଖିଛି ।
ଓକିଲାତି ବ୍ୟବସାୟ ବନମାଳୀକୁ ଭଲ ଲାଗିଲା ନାହିଁ । ସେ ମନକୁ ମନ କହିଲା, ‘‘ମୁଁ ତ ଗୀତ ଲେଖି ପେଟ ପୋଷିପାରିବି; ହାକିମଙ୍କ ପାଖେ ଦାନ୍ତ ନିକୁଟି, ନଖରେ ମୁଣ୍ଡ କୁଣ୍ଡେଇ କାହିଁକି ଠିଆ ହେବି ?’’ ତାକୁ ସେ ସମୟରେ ଗୋଟିଏ ଆଖେଡ଼ାଦଳ ମାସରେ ଶହେ ଟଙ୍କା ଦେଇ କେବଳ ଗୀତ ଲେଖି ଯୋଗାଇବା ନିମନ୍ତେ, ନେବାକୁ ବାରମ୍ବାର ଜିଦ୍ ଧଇଲେ; କିନ୍ତୁ ବନମାଳୀ ସେଥିରେ ରାଜି ହେଲାନାହିଁ; ଭାବିଲା, ‘‘ହଁ ଖାଇପିଇ ସୁଖରେ ଅବଶ୍ୟ ରହିବି, ହେଲେ, ମାନ ଯିବ-।’’
ବନମାଳୀ କ୍ରମେ କ୍ରମେ ଲୋକଙ୍କ ସହିତ ମିଳାମିଶା କରିବା ଛାଡ଼ିଦେଲା । ଶେଷକୁ ତା’ର କେବଳ ଦୁଇଜଣ ସଙ୍ଗୀ ରହିଲେ– ଜଣେ ପଦ୍ମନାଭ ଓ ଆଉଜଣେ କଟକଚଣ୍ଡୀ ଦେଉଳ ମାଳୀ ରଘୁନାଥ । ଏ ଦୁହିଙ୍କ ମଧ୍ୟରେ ପୁଣି ରଘୁନାଥ ସହିତ ତା’ର ବେଶି ଘନିଷ୍ଠତା ଥିଲା । ସେ ପ୍ରାୟ ପ୍ରତିଦିନ ତା’ ଦେଉଳକୁ ଯାଏ ଓ ବାପା କେଉଁଠାରେ ଆଢ଼ୁଆଳରେ ରହି ତାକୁ ବେଳେ ବେଳେ ଦେଖୁଥିଲେ, ସେହି ସ୍ଥାନରେ ମୁଣ୍ଡିଆ ମାରି ବସି ରଘୁନାଥଠାରୁ ତାଙ୍କ ବିଷୟରେ ନାନା କଥା ଶୁଣେ । ସେଥିରେ ତା’ର ବଡ଼ ଆନନ୍ଦ ହୁଏ । ସେ ମନକୁ ମନ କହେ, ‘‘ମୋ ଆଖିରେ ଗୋଟାଏ ମସ୍ତ ପରଳ ଚଢ଼ିଯାଇଥିଲା; ଏ ରଘୁନାଥ କାଢ଼ି ବାହାର କରିଚି ।’’
ରଘୁନାଥ ଦେଉଳରେ ଫୁଲ ଯୋଗାଏ । ତା’ର ନିଜର ଗୋଟିଏ ବଗିଚା ଥିଲା । ସେ ଫୁଲ ଯୋଗାଇବା ନିମନ୍ତେ ଜାଗିରି ଭୋଗ କରେ । ତା’ ଛଡ଼ା ବଜାରକୁ ମଧ୍ୟ ଫୁଲ ପଠାଏ । ସେଥିରେ ତା’ ଜୀବିକା କୌଣସି ପ୍ରକାରେ ନିର୍ବାହ ହୋଇ ଯାଉଥିଲା । ପରେ ତା’ ଆର୍ଥିକ ଅବସ୍ଥା ମନ୍ଦ ହୋଇ ଆସିଲା । କିନ୍ତୁ ସେ ଅଭାବରେ ପଡ଼ି ସୁଦ୍ଧା ପୂର୍ବପରି ଖୁସିବାସିରେ ରହିବାକୁ ଲାଗିଲା-। ତାହା ଦେଖି ବନମାଳୀର ତା’ ପ୍ରତି ଶ୍ରଦ୍ଧା ଆହୁରି ବଢ଼ିଲା ।
ଦର୍ଜିକୋଠା ଏବଂ ତା’ ଆଖପାଖ କେତେ ଘରେ ଯେଉଁ ଚାକିରିଆଣୀ ବାସନମଜା ପାଣିଦିଆ ଆଦି କାମ କରୁଥିଲା, ଦିନେ ସେ ବନମାଳୀକୁ ଆସି କହିଲା, ‘‘ଶୁଣ ବାବୁ; ତଳ ଘରେ ଯୋଉ ଅଗାଧୁ ବେହେରା ଥିଲା ନା, ଆଜି ଚାଲିଯାଉଚି ।’’
‘‘କାହିଁକି ?’’
‘‘ମନକୁ କ’ଣ ଖୁସିରେ ଯାଉଚି ? ଘରଭଡ଼ା ଛ ମାସର ବାକି ପଡ଼ିଯିବାରୁ ଘରବାଲା ବାହାର କରିଦଉଚି ।’’
ବନମାଳୀ ପାଖେ ସେଦିନ ପଚାଶ ଟଙ୍କା ଥିଲା । ସେ ବାକ୍ସରୁ ଟଙ୍କା ବାହାରକରି କହିଲା, ‘‘ଏଇ କୋଡ଼ିଏ ଟଙ୍କା ନେଇଯା । ଅଠର ଟଙ୍କା ଭଡ଼ା ଗଲେ, ବାକି ଦୁଇ ଟଙ୍କାରେ ଖର୍ଚ୍ଚବାର୍ଚ୍ଚ ଚଳାଇବେ; ମାତ୍ର ଟଙ୍କା ଯେ ମୁଁ ଦେଇଚି ସେ କଥା କହିବୁ ନାହିଁ । ଠିକ୍ ମନେ ରଖିଲୁ ନା-? ମୋ ନାଁଟା ଆଦୌ କହିବୁ ନାହିଁଟି ।’’
ଏଣେ ମଙ୍ଗଳାବାଗରେ ଗୋଟିଏ ଦରିଦ୍ର ପରିବାରକୁ ସାହାଯ୍ୟ କରିବା ନିମନ୍ତେ ବନମାଳୀ ତା’ର ଯତ୍କିଞ୍ଚିତ୍ ଉପାର୍ଜିତ ଧନ ଦାନ କରୁଥିବା ସମୟରେ; ସହରର ଠିକ୍ ବିପରୀତ ଦିଗରେ, ତୁଳସୀପୁରରେ ଶ୍ରୀନିବାସ ଚମ୍ପତିରାଏଙ୍କ ଉଆସରେ ଗୋଟାଏ ବିଶେଷ ଘଟଣା ଘଟିଲା-। ପାର୍ବତୀ ମନେ ମନେ ଭାବିଲେ, ‘‘ବନମାଳୀ ତ ଗଲା । ସମ୍ପତ୍ତିର ଜଣେ ଉତ୍ତରାଧିକାରୀ ବର୍ତ୍ତମାନ ସ୍ଥିର କରିନବା ଦରକାର ।’’ ତା’ପରେ ସେ ବାପାଙ୍କ ପାଖକୁ ଯାଇ କହିଲେ, ‘‘ବାପା, ବିଶ୍ୱେଶ୍ୱର ତୁମକୁ ଜୁହାର ହବାକୁ ଆସିଚି ।’’ ଶୁଣି, ଶ୍ରୀନିବାସ କେବଳ କହିଲେ, ‘‘ହୁଁ’’ ଏବଂ ପୋଥି ଧରି ପଢ଼ି ବସିଲେ । ପଢ଼ୁ ପଢ଼ୁ ତାଙ୍କର ଅନେକ କଥା ମନେପଡ଼ିଲା । ସେ ଦୁଃଖିତ ହେଲେ, ରାଗିଲେ । ତା’ ମଧ୍ୟରେ ବନମାଳୀର ଚିତ୍ର ଆସି ତାଙ୍କ ଆଖି ଆଗେ ନାଚିଗଲା-। ସେ ଦୀର୍ଘନିଃଶ୍ୱାସ ପକାଇ ପୁଣି ପୋଥିକୁ ଚାହିଁଲା ବେଳକୁ ପାର୍ବତୀ ବିଶ୍ୱେଶ୍ୱରକୁ ଧରି ଆସି ପହଞ୍ଚି କହିଲେ, ‘‘ଏଇ ବିଶ୍ୱେଶ୍ୱର, ତୁମ ନାତିଟି ।’’ ବିଶ୍ୱେଶ୍ୱର ଶ୍ରୀନିବାସଙ୍କ ଯେଉଁ ପୁତୁରାର ପୁଅ, ସେ ତାଙ୍କଠାରୁ ଅନେକ ଦିନରୁ ପୃଥକ୍ ଅନ୍ନରେ ରହୁଥିଲା; ସୁତରାଂ ସେ ବାଙ୍କି ଛାଡ଼ି ଆସିଲାବେଳେ ବିଶ୍ୱେଶ୍ୱରର ପିତା ତାଙ୍କ ସହିତ ଆସିବା ଆବଶ୍ୟକ ହେଲା ନାହିଁ ।
ପାର୍ବତୀ ବିଶ୍ୱେଶ୍ୱରକୁ ବାପାଙ୍କ ପାଖେ ପହଞ୍ଚାଇ ତା’ କାନରେ କହିଲେ, ‘‘ସବୁ କଥାରେ ହୁଁ ମାରିବୁ ।’’ ବିଶ୍ୱେଶ୍ୱର ନମସ୍କାର କରି ଠିଆହେଲା । ଶ୍ରୀନିବାସ ତାକୁ ବସିବାକୁ କହି, ନିଜେ ବସିବା ସ୍ଥାନରୁ ଉଠି, ଘର ମଧ୍ୟରେ ଏଣେତେଣେ ବୁଲିବାକୁ ଲାଗିଲା; ପାଟି କରି ଏଣୁ ତେଣୁ କ’ଣ ପ୍ରଳାପ କଲେ । ତା’ପରେ ସେ କହିଲେ, ‘‘ଓକିଲଗୁଡ଼ାକଙ୍କ ବ୍ୟବସାୟ ବଡ଼ ହୀନ ।’’ ବିଶ୍ୱେଶ୍ୱର କହିଲା, ‘‘ଠିକ୍ କଥା ।’’ ଶୁଣି ଶ୍ରୀନିବାସ ମୁହଁ ବୁଲାଇ ବିଶ୍ୱେଶ୍ୱର ଆଡ଼କୁ ଟିକିଏ ଚାହିଁ ପୁଣି କହିବାକୁ ଲାଗିଲେ, ବଡ଼ ଘରର ଯୁବକମାନେ ଏ ବ୍ୟବସାୟରେ ପଶିବା କ’ଣ ଉଚିତ୍ ?’’ ବିଶ୍ୱେଶ୍ୱର ସ୍ତୋକରେ କହିଲା ‘‘ହୁଁ ।’’
‘‘ଆହା ବନମାଳୀ, କାହିଁକି ଏ ଦୁର୍ବୁଦ୍ଧି କଲୁ ସତେ ଆଉ ଫେରି ଆସିବୁ ନାହିଁ ? ଏ ଘର ଅନ୍ଧାର କରିଦେଇ କ’ଣ ଚାଲିଗଲୁ ?’’
ଶ୍ରୀନିବାସ ଚମ୍ପତିରାଏ ଏତେ ବେଳ ଯାଏଁ ନିଜେ ନିଜକୁ କଥା କହୁଥିଲେ । ହଠାତ୍ ବୁଲିପଡ଼ି, ରାଗି କହିଲେ, ‘‘ସବୁ ଖାଲି ହୁଁ । ତୁ ଗୋଟାଏ ନିପଟ ଗଧ ।’’
ଖୋଜାଖୋଜି
ବନମାଳୀ ମନୁଷ୍ୟ ସମାଜ ଛାଡ଼ି କ୍ରମେ ଯେ ନିର୍ଜନତା ସଙ୍ଗେ ଗୋଟାଏ ଅଚ୍ଛେଦ୍ୟ ସମ୍ପର୍କ ସ୍ଥାପନ କରିଥିଲା, ତା’ର ଆଭାସ ପୂର୍ବେ ଦିଆଯାଇଅଛି । ଅପରାହ୍ନରେ ସେ କେଉଁଦିନ ଦ୍ୱାର ବନ୍ଦକରି ଘର ଭିତରେ ବସିରହେ, କେଉଁଦିନ ବା କିଲ୍ଲା ପଡ଼ିଆକୁ ବୁଲିବାକୁ ଯାଏ । ସେଠାରେ ସେ ଦେଖେ ଯେ ଜଣେ ପ୍ରାୟ ଷାଠିଏ ବର୍ଷ ବୟସର ବୁଢ଼ା ଆସି ବୁଲୁଛନ୍ତି । ତାଙ୍କ ଆକାର ବେଶ୍ ମୋଟା ମୋଟି; ଦେହରେ ଖୁବ୍ ବଳ ଥିଲା । ବେଶଭୂଷା ଓ ଚାଲିଚଳନ ଦେଖିଲେ ମନେହେଉଥିଲା ଯେ ସେ କୌଣସି ବାବୁଭାୟା ଶ୍ରେଣୀର ଲୋକ ସନ୍ଧ୍ୟାବେଳେ ହାଓ୍ୱା ଖାଇବାକୁ ଆସୁଛନ୍ତି । ଦିନେ ପଦ୍ମନାଭ ବନମାଳୀ ସଙ୍ଗେ ବୁଲିବାକୁ ଯାଇ ତାଙ୍କୁ ଦେଖି କହିଲା, ‘‘ଏ ସଦାଶିବ ମହାନ୍ତି ହେବ ପରା ।’’
ସଦାଶିବ ମହାନ୍ତିଙ୍କ ସଙ୍ଗେ ଗୋଟିଏ ପ୍ରାୟ ତେର ବର୍ଷର ବାଳିକା ବୁଲିବାକୁ ଯାଏ । ବାଳିକାଟି ଦେଖିବାକୁ ସେତେ ସୁନ୍ଦରୀ ନୁହେଁ । ତା’ ବର୍ଣ୍ଣ ଶ୍ୟାମଳ ଓ ମୁହଁର ଗଠନ ବେଢ଼ଙ୍ଗିଆ । କେବଳ ତା’ ଆଖି ଦିଓଟି ଦେଖିଲେ ମନେହୁଏ ଯେ ଦିନେ ହୁଏତ ତା’ ମୁଖମଣ୍ଡଳରେ ସୌନ୍ଦର୍ଯ୍ୟର ଆଭା ବିକଶି ଉଠିବ । ବନମାଳୀ ଦୁଇ ତିନି ଦିନ ଲାଗେ ଲାଗେ ସେମାନଙ୍କୁ ଭେଟିଲା । ସେମାନେ ବନମାଳୀ ଆଡ଼କୁ ଚାହିଁବାର କୌଣସି ଚିହ୍ନ ଦେଖାଗଲାନାହିଁ; କେବଳ ନିଜ ମଧ୍ୟରେ କଥାବାର୍ତ୍ତା ହେବାରେ ବ୍ୟସ୍ତଥିଲେ । ବାଳିକା ଖାଲି ପ୍ରଶ୍ନ ଉପରେ ପ୍ରଶ୍ନ ପଚାରୁଥାଏ; କିନ୍ତୁ ସଦାଶିବ ମହାନ୍ତିଙ୍କଠାରୁ ଅତି କମ୍ ଉତ୍ତର ପାଏ । ବର୍ଷେକାଳ ବନମାଳୀ କିଲ୍ଲା ପଡ଼ିଆରେ ସେ ଦୁହିଁଙ୍କୁ ସେପରି ଭାବରେ ବୁଲିବାର ଦେଖିଲା ।
ଦ୍ୱିତୀୟ ବର୍ଷ ଆରମ୍ଭରେ ବନମାଳୀର କିଲ୍ଲା ପଡ଼ିଆକୁ ଯିବା ଛ ମାସ ବନ୍ଦ ହୋଇଗଲା-। ତା’ପରେ ସେ ଦିନେ ହଠାତ୍ ଯାଇ ଦେଖିଲା ଯେ ସଦାଶିବ ମହାନ୍ତି ଗୋଟାଏ ସ୍ଥାନରେ ବସିଛନ୍ତି ଓ ତାଙ୍କ ପାଖକୁ ଲାଗି ଗୋଟିଏ ବାଳିକା ବସିଛି; କିନ୍ତୁ ସେ ଯେ ପୂର୍ବର ସେହି ବାଳିକା ତାହା ଆଦୌ ବୋଧ ହେଲା ନାହିଁ । ବାଳିକାର ଦେହର ବର୍ଣ୍ଣ ତା’ଠାରୁ ଗୋରା, ମୁହଁର ଗଠନ ସୁନ୍ଦର ଓ ଆଖିର ଚାହାଣି ମାଧୁରୀମୟ । ତା’ ବୟସ ପନ୍ଦରରୁ କମ୍ ନୁହେଁ ବୋଲି ମନେହେଲା । ବନମାଳୀ ତା’ ପାଖ ବାଟେ ଗଲାବେଳେ ତା’ ମୁହଁ ଦେଖିପାରିଲା ନାହିଁ । ବାଳିକା ସେତେବେଳେ ସଦାଶିବଙ୍କ କଥା ଶୁଣି ଧୀରେ ଧୀରେ ହସୁଥିଲା । ସେ ହସର ଠାଣି ବନମାଳୀ ଆଖିରେ ସାମାନ୍ୟ ପଡ଼ିଗଲା । ବାଳିକା ଖଣ୍ଡିଏ ନେଳିଆ ପାଟଶାଢ଼ି ପିନ୍ଧିଥିଲା । ତା’ ଦେହରେ ବିଶେଷ କିଛି ଅଳଙ୍କାର ନ ଥିଲା । ନାକର ଦଣ୍ଡିଟି ଓ ଦୁଇ ହାତରେ ଦୁଇପଟ ସୁନା ଚୁଡ଼ି ନ ଥିଲେ, ବନମାଳୀ ତାକୁ ବିଧବା ବୋଲି ଭାବିଥାନ୍ତା । ବନମାଳୀ ଫେରି ପୁଣି ସେହି ବାଟେ ଗଲାବେଳେ ବାଳିକା ମୁଣ୍ଡ ଟେକି ତା’ ଆଡ଼କୁ ଚାହିଁଲା । ସେଦିନ ବନମାଳୀ ସେ ବାଟେ ଚାରି ପାଞ୍ଚ ଥର ଯିବା ଆସିବା କରି ମନରେ ଗୋଟାଏ ନୂଆ ଭାବ ଧରି, ଦର୍ଜିକୋଠାକୁ ଫେରିଲା ।
ଆରଦିନ ବୁଲିବାକୁ ଗଲାବେଳେ ବନମାଳୀ ଭଲ ଲୁଗାପଟା ପେଡ଼ିରୁ ବାହାର କରି ପିନ୍ଧି ଗଲା । ସେଦିନ ବାଳିକା କେତେବେଳେ ମୁଣ୍ଡ ଟେକି ତା’ ଆଡ଼କୁ ଚାହିଁଛି ଏବଂ ଚାହିଁ ପୁଣି ମୁଣ୍ଡ ପୋତିଦେଇଛି, ସେ ତାହା ଲକ୍ଷ୍ୟ କରିପାରିଲା ନାହିଁ । ଫଳରେ ତା’ ପ୍ରାଣରେ ଟିକିଏ ଆଘାତ ଲାଗିଲା । ସେ ମନେ ମନେ ଭାବିଲା; ‘‘ଏ ଯଦି ଗୀତ ଗାଉଥିବ ଏବଂ ସେ ଗୀତରୁ ମୋତେ ଗୋଟାଏ ଦୁଇଟାର ରଚକ ବୋଲି ଜାଣିପାରନ୍ତା, କ’ଣ ଆଡ଼ ଆଖିରେ ଟିକିଏ ଚାହାଁନ୍ତା ନାହିଁ ?’’ କିନ୍ତୁ ବନମାଳୀ ଯେ ଗୀତ ଲେଖେ, ତାହା ଜଣାଇବା ସୁବିଧା ତା’ର ଆଦୌ ନ ଥିଲା । ସେ ଗୀତ ଲେଖିଲେ ସୁଦ୍ଧା, ନିଜେ ଗାଇ ଜାଣେନାହିଁ । ଗୀତ ଗାଇବାକୁ ଜୀବନରେ ଦିନେ ଚେଷ୍ଟା ମଧ୍ୟ କରିନାହିଁ ।
ତୃତୀୟ ଦିନ ବାଳିକା ପାଖବାଟେ ବନମାଳୀ ଧୀରେ ଧୀରେ ଚାଲିଗଲାବେଳେ ବାଳିକା ତା’ ଆଡ଼କୁ ଚାହିଁଲା । ଦେଖିପାରି, ବନମାଳୀ ମନରେ ଆନନ୍ଦ ଅନୁଭବ କଲା । ସେପରି ଅନେକ ଦିନ ଚାଲିଗଲା । ବନମାଳୀ ସବୁ କାମ ଛାଡ଼ି କିଲ୍ଲା ପଡ଼ିଆକୁ ପ୍ରତିଦିନ ବୁଲିବାକୁ ଯାଏ ଏବଂ ପ୍ରତିଦିନ ବସାକୁ ଫେରିଲାବେଳେ ମନର ପୂର୍ବ ସଞ୍ଚିତ ଭାବ ଉପରେ ଗୋଟିଏ ନୂତନ ସ୍ତର ପକାଇ ଫେରେ । କେଉଁଦିନ ସେ ଖାଇବାକୁ ଭୁଲିଯାଏ; କେଉଁଦିନେ ବା ଶୋଇଲେ ତାକୁ ନିଦ ଲାଗେନାହିଁ-। ନିଦ ଲାଗିଲେ ସ୍ୱପ୍ନରେ ବାଳିକାର ଚିତ୍ର ଆଖି ଆଗରେ ଆସି ନାଚେ; ନିଦ ନ ଲାଗିଲା ପର୍ଯ୍ୟନ୍ତ ତାରି ଧ୍ୟାନରେ ତା’ ସମୟ ବିତିଯାଏ ।
ଦିନେ ବନମାଳୀ କିଲ୍ଲା ପଡ଼ିଆରେ ଖଣ୍ଡିଏ ବହି ଫିଟାଇ ଧରି ବସିଥିଲା । ହଠାତ୍ ଚମକି ପଡ଼ି ଦେଖିଲା, ସଦାଶିବ ତା’ ଆଡ଼କୁ ମୁହଁ କରି ଆସୁଛନ୍ତି ଏବଂ ବାଳିକା ତାଙ୍କ ହାତ ଧରି ସଙ୍ଗେ ସଙ୍ଗେ ଚାଲିଛି । ବନମାଳୀ ବହି ବନ୍ଦକଲା; କିନ୍ତୁ ପୁଣି ଫିଟାଇ ପଢ଼ିଲା ପରି ଚାହିଁଲା । ସେତେବେଳେ ତା’ ଛାତି ଥରିବାକୁ ଲାଗିଲା । ସେ ମନକୁ ମନ କହିଲା, ‘‘ଆଃ, ମୁଁ ଏ କୁତ୍ସିତ ଚେହେରା ଧରି ଏଠି ବସିଥିବି; ସେ ଏବାଟେ ଯିବ, ଏ ଧୂଳିରେ ତା’ ପାଦ ପକେଇବ । ଧୂଳି ଧନ୍ୟ ହେବ ଏକା । ଆଉ ଧୂଳିକି ଚିତା ଘେନିଲେ ଧନ୍ୟ ହେବି ମୁଁ ।’’ ସେ ଏକଧ୍ୟାନରେ ବହିକି ଚାହିଁ ବସିଲା । ପାଦଶବ୍ଦ କ୍ରମେ ନିକଟବର୍ତ୍ତୀ ହୋଇଆସିଲା । ବାଳିକା ତା’ ପାଖବାଟେ ଅତିକ୍ରମ କରି ଚାଲିଗଲା । ସେ ମନେକଲା, ସେ ଯେପରି ଶୁଣୁଛି, ‘‘ତୁମେ ଛ’ ମାସ କାଳ କାହିଁକି ଆସୁ ନ ଥିଲ-?’’ ବାଳିକାର ମୂର୍ତ୍ତି ତାକୁ ସ୍ୱର୍ଗର ଅପ୍ସରୀ ପରି ଦେଖାଗଲା ।
ସଦାଶିବ ମହାନ୍ତି କ୍ରମେ ବୁଝିପାରିଲେ ଯେ ତାଙ୍କ ଝିଅର ଯିବାଆସିବା ସହିତ ବନମାଳୀ ଗତିବିଧିର କିଛି ଗୋଟାଏ ଅବୋଧ୍ୟ ସମ୍ପର୍କ ରହିଛି । ତହୁଁ ସେ କିଲ୍ଲା ପଡ଼ିଆର ସେ ଅଞ୍ଚଳ ଛାଡ଼ି ଆଉ ଏକ ସ୍ଥାନକୁ ବୁଲିଯିବାକୁ ଲାଗିଲେ । ବନମାଳୀ ତାଙ୍କୁ ଅନୁସରଣ କରିବ କି ନା, ପରୀକ୍ଷା କରିବା ତାଙ୍କ ଉଦ୍ଦେଶ୍ୟ ଥିଲା । ବନମାଳୀ ସେ ଉଦ୍ଦେଶ୍ୟ ବୁଝି ନ ପାରି ନିଜକୁ ଅପରାଧୀ ପ୍ରମାଣିତ କଲା । ତହୁଁ ସଦାଶିବ ପ୍ରତିଦିନ ଝିଅକୁ ସଙ୍ଗରେ ନ ଆଣି, ଦିନେ ଦିନେ ଏକା ବୁଲିବାକୁ ଗଲେ ।
ଦିନେ ସଦାଶିବ ଏବଂ ବାଳିକାଟି ବସିବା ସ୍ଥାନରୁ ଉଠି ଚାଲିଯିବା ପରେ, ବନମାଳୀ ଖଣ୍ଡିଏ ରୋମାଲ ପଡ଼ିଥିବାର ଦେଖିଲା । ବାଳିକା ବିଷୟରେ କୌଣସି କଥା ତ ବନମାଳୀକୁ ଜଣା ନ ଥିଲା । ସେ ଦେଖିଲା ରୋମାଲର ଗୋଟିଏ କଣରେ ଯୋଡ଼ିଏ ଅକ୍ଷର ନାଲି ସୂତାରେ ସିଲେଇ କରାହୋଇଛି । ଚିହ୍ନିଲା, ସେ ଦୁଇଟି ‘ଅ’ ଏବଂ ‘ରା’ । ତାହା ବାଳିକା ନାମର ସଂକେତ ଅକ୍ଷର ହୋଇଥିବ ଭାବି ବନମାଳୀ ମନେ ମନେ ବାଳିକାକୁ ନାମ ଦେଲା ‘ଅନ୍ନପୂର୍ଣ୍ଣା’; କିନ୍ତୁ ଭାବିଲା, ‘‘ତେବେ ‘ରା’ କ’ଣ ? ସଦାଶିବ ମହାନ୍ତିଙ୍କ ଝିଅ ନାମରେ ଗୋଟାଏ ‘ରା’ ରହିବାର ତ କୌଣସି କାରଣ ନାହିଁ । ଏ ତେବେ କ’ଣ ବିବାହିତା ? କ’ଣ ଅନ୍ନପୂର୍ଣ୍ଣା ରାଏ, ନା ଅପ୍ସରୀ ରାସମଣି ?’’ ରୋମାଲଟି ଯେ ବାଳିକାର ନୁହେଁ, ସେ ବୃଦ୍ଧ ବ୍ୟକ୍ତିଙ୍କର, ତାହା ଜାଣି ନ ପାରି ବନମାଳୀ ଅନେକ ଦିନ ସ୍ୱପ୍ନ-ରାଜ୍ୟରେ ବିଚରଣ କରିବାକୁ ଲାଗିଲା ।
ବାଳିକାର ନାମଟା ନିଜ ରୁଚି ଅନୁସାରେ ଅନୁମାନରେ ସ୍ଥିର କରି, ସେ କ୍ରମେ ଅଗୋଚର ଭାବରେ ପଛେ ପଛେ ତା’ ବସା ଆଡ଼କୁ ଯାଇ, ଅପ୍ସରୀ ରାସମଣିର ରହିବା ସ୍ଥାନ ଠଉରାଇଲା; କିନ୍ତୁ ତା’ ପରିଚୟ ନ ପାଇ ଅସ୍ଥିର ହେବାକୁ ଲାଗିଲା । ଦିନେ ସେ ବୁଢ଼ା ଏବଂ ଅପ୍ସରୀ ରାସମଣି ପଛେ ପଛେ ଯାଇ, ସେମାନେ ଘର ଭିତରକୁ ଚାଲିଗଲା ପରେ, ଦୁଆର ଜଗୁଆଳକୁ ପଚାରିଲା, ‘‘ଏ ଯେ ବୁଢ଼ାଜଣକ ଗଲେ, ଏ କିଏ ?’’ ଜଗୁଆଳ କହିଲା, ‘‘ଜଣେ ଭାରି ଭଲ ଲୋକ । ୟାଙ୍କ ଦାନପୁଣ୍ୟ କଥା ଶୁଣିଲେ ତୁମେ ଅବାକ୍ ହବ । ହେଲେ ସେପରି ଧନୀ ଲୋକ ନୁହନ୍ତି, ମାମୁଲି ଧରଣର ।’’
‘‘ୟାଙ୍କ ନାଁ ? ଜଗୁଆଳ ମୁଣ୍ଡ ଟେକି ବନମାଳୀ ଆଡ଼କୁ ଚାହିଁ ପଚାରିଲା, ‘‘ବାବୁ, ତୁମେ କ’ଣ ପୋଲିସବାଲା, ନା ଗୋଇନ୍ଦା ?’’ ବନମାଳୀ ଲଜ୍ଜାରେ ମୁଣ୍ଡ ପୋତି ଚାଲିଗଲା; କିନ୍ତୁ ତା’ର ଆନନ୍ଦ ହେଲା ଯେ ସେ କ୍ରମେ କ୍ରମେ ସଫଳତା ଆଡ଼କୁ ଗତି କରୁଛି ।
ଆରଦିନ ସନ୍ଧ୍ୟାବେଳେ ବସାକୁ ଫେରିବା ସମୟରେ ସଦାଶିବ ମହାନ୍ତି ଝିଅକୁ ପ୍ରଥମେ ଘରକୁ ପଠାଇଦେଇ ଦୁଆରେ ଟିକିଏ ଠିଆହେଲେ ଏବଂ ତା’ପରେ ବନମାଳୀ ଆଡ଼କୁ ଥରେ ଗୋଟାଏ ତୀକ୍ଷ୍ଣ ଦୃଷ୍ଟି ପକାଇ, ନିଜେ ଭିତରେ ପଶିଗଲେ । ଦୁଆର ବନ୍ଦ ହୋଇଗଲା । ତା’ ପରଦିନ ବନମାଳୀ କୌଣସି ହଜିଥିବା ପଦାର୍ଥ ଖୋଜିବା ପରି କିଲ୍ଲାପଡ଼ିଆ ତମାମ ଖୋଜିବୁଲିଲା-। କେତେକ ସମୟ ପରେ, ସନ୍ଧ୍ୟା ହୋଇଆସିବାରୁ ନିରାଶ ନେତ୍ରରେ, ଓଡ଼ିଆବଜାରର ଯେଉଁ ଘର ନିକଟରେ ସେ ଗତ ଦୁଇ ଦିନ ଯାଉଥିଲା, ସେହିଠାରେ ଯାଇ ହାଜର ହେଲା । ସେ ଦେଖିଲା, ଘର ଭିତରେ ଗୋଟିଏ ଆଲୁଅ ଜଳୁଛି; ମାତ୍ର ସେ ପହଞ୍ଚିବାରୁ ଆଲୁଅଟି ଲିଭିଗଲା । ପରଦିନ ସେହିପରି ବନମାଳୀ କିଲ୍ଲା ପଡ଼ିଆରୁ ଫେରି, ଓଡ଼ିଆବଜାରର ସେହି କୋଠା ଦାଢ଼ରେ ବୁଲିବାକୁ ଲାଗିଲା । ବୁଲୁବୁଲୁ ରାତି ଦଶ ବାଜିଲା । ଶେଷରେ ସେ ବୁଝିପାରିଲା ଯେ ଘରଟି ଖାଲି, ସେଠାରେ ଲୋକବାକ ନାହାନ୍ତି ।
ତା’ପରେ ଆଠଦିନ କାଳ ଗଲା ବନମାଳୀ କିଲ୍ଲା ପଡ଼ିଆରେ କିମ୍ବା ଓଡ଼ିଆବଜାରର ସେ କୋଠାରେ ଅପ୍ସରୀ ରାସମଣିର ଛାୟା ସୁଦ୍ଧା ଦେଖିପାରିଲା ନହିଁ । ଦିନବେଳେ ଓଡ଼ିଆବଜାର ଭିତରକୁ, ବିଶେଷରେ ସେ କୋଠା ପାଖକୁ ଯିବାକୁ ତା’ର ସାହସ ହୁଏନାହିଁ । ନବମ ଦିନ ସେ ସାହସ ବାନ୍ଧି ଦିନବେଳେ ଯାଇ ସେଠାରେ ପହଞ୍ଚିଲା ଓ ପ୍ରତିବାସୀମାନଙ୍କୁ ପଚାରି ବୁଝିଲା ଯେ ସଦାଶିବ ମହାନ୍ତି ଅପ୍ସରୀ ରାସମଣିକୁ ଧରି ଆଠଦିନ ହେଲା ସେ ଘର ଛାଡ଼ି ଚାଲିଯାଇଛନ୍ତି । ବନମାଳୀକୁ ପଡ଼ିଗଲା ପରି ଲାଗିଲା । ସେ କ୍ଷୀଣକଣ୍ଠରେ ପଚାରିଲା, ‘‘ଯାଇଛନ୍ତି କୋଉଠିକୁ ?’’ କିନ୍ତୁ ଉତ୍ତର ଶୁଣିଲା, ‘‘କେଜାଣି ।’’ କୋଠା ଜଗୁଆଳ ହଠାତ୍ ଗୋଟାଏ କୁଡ଼ିଆ ଘରୁ ବାହାରିପଡ଼ି କହିଲା, ‘‘କି ହୋ, ତୁମେ ପୁଣି ଆସିଚ ନା କ’ଣ ? ମୁଁ କ’ଣ କହିଥିଲି ସେଦିନ ? ତୁମେ ନିଶ୍ଚୟ ଜଣେ ପୋଲିସ ଗୋଇନ୍ଦା ।’’
ଗ୍ରୀଷ୍ମକାଳ ଚାଲିଗଲା ଏବଂ ବର୍ଷା, ଶରତ୍ ଯାଇ ଶୀତ ଆସିଲା । ସେ ଦୀର୍ଘକାଳ ମଧ୍ୟରେ ସଦାଶିବ ମହାନ୍ତି କିମ୍ବା ବନମାଳୀର ଅପ୍ସରୀ ରାସମଣି କିଲ୍ଲା ପଡ଼ିଆରେ ଦିନେ ପାଦ ପକାଇଲେ ନାହିଁ । କ୍ରମେ ବନମାଳୀର ଦୁଃଖର ମାତ୍ରା ବଢ଼ିବାକୁ ଲାଗିଲା । ସେ ନିଜକୁ ଧିକ୍କାର କରି କହିଲା, ‘‘ମୁଁ କାହିଁକି ତା’ ପଛେ ପଛେ ଯାଇଥାନ୍ତି ? ସେ ତ ତା’ ମଧୁର ଦୃଷ୍ଟି ମୋ ଆଡ଼କୁ ପକାଇଲା; ମୋର ତାଠୋଉ ଆଉ କ’ଣ ବେଶି ଦରକାର ଥିଲା ? ମୁଁ ଦୋଷୀ, ମୁଁ ପାପୀ, ମୁଁ ଚଣ୍ଡାଳ ।’’
ଦିନେ ବନମାଳୀ ତେଲଙ୍ଗାବଜାର ବାଟେ ବ୍ୟଥିତ ହୃଦୟରେ କାଠଯୋଡ଼ି କୂଳକୁ ଚାଲିଚି; ଦେଖିଲା ଜଣେ ବୁଢ଼ା ମଜୁରିଆ ବେଶରେ ହାତରେ ଗୋଟାଏ କୋଡ଼ି ଧରି, ବାଟରେ ଯାଉଛି । ସେ ତାକୁ ଖୁବ୍ ପରିଚିତ ପରି ବୋଧ ହେଲା । ଲୋକଟିର ମୁହଁ ଠାଣି, ମୁଣ୍ଡର ଧଳା ବାଳ ଆଦି ଦେଖି, ସେ ମନକୁ ମନ କହିଲା, ‘‘ଏ ତ ସେଇ । ହେଲେ ଏ ଛଦ୍ମବେଶ କାହିଁକି ? ଆଚ୍ଛା, ପଛେ ପଛେ ଯାଇ ଦେଖିବି ।’’ କିନ୍ତୁ ସେ ଏ ନିଷ୍ପତ୍ତି କଲାବେଳକୁ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବାର ସମୟ ନ ଥିଲା; ଲୋକଟି ଗୋଟାଏ ଗଳି ଭିତରେ ପଶି ଅଦୃଶ୍ୟ ହୋଇଯାଇଥିଲା । ବନମାଳୀ ମନକୁ ସାନ୍ତ୍ୱନା ଦେଇ କହିଲା, ‘‘ବୋଧହୁଏ ଏ ଲୋକ ସେମିତି ଦିଶୁଥିଲା ଖାଲି, ଠିକ୍ ସେ ନୁହନ୍ତି, ଆଉ କିଏ ।’’