ବନମାଳୀର ଅଜାଙ୍କଠାରୁ ବିଦାୟ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବନମାଳୀର ଅଜାଙ୍କଠାରୁ ବିଦାୟ
ଶ୍ରୀନିବାସ ଚମ୍ପତିରାଏ ତାଙ୍କର ୯୧ ବର୍ଷର ଜନ୍ମୋତ୍ସବ ଶେଷ କରି, ତୁଳସୀପୁର କୋଠା ମଧ୍ୟରେ ଚିନ୍ତାମଗ୍ନ ହୋଇ ବସିଥିଲେ । ଦୀର୍ଘ ଚାରିବର୍ଷ କାଳ ସେ ବନମାଳୀକୁ ଅପେକ୍ଷା କରି ରହି, ତା’ ଫେରିବା ଆଶା ମନରୁ କ୍ରମେ ପରିତ୍ୟାଗ କରୁଥିଲେ । ବାସ୍ତବରେ ସେ ବନମାଳୀକୁ ଯେତେ ସ୍ନେହ କରୁଥିଲେ, ଜୀବନରେ ଅନ୍ୟ କାହାକୁ କରି ନାହାନ୍ତି; ଏପରିକି, ନିଜର ଜନ୍ମିତ ପୁତ୍ର ଥିଲେ, ତାକୁ କରିଥାନ୍ତେ କି ନା ସନ୍ଦେହ । ସେଥିପାଇଁ ପାର୍ବତୀ ବାପାଙ୍କର ଓ ନିଜର ସମ୍ପତ୍ତି ବିଶ୍ୱେଶ୍ୱର ହାତେ ଅର୍ପଣ କରିବା ଚେଷ୍ଟା କରି ବିଫଳ ହୋଇଥିଲେ । ଶ୍ରୀନିବାସ ବିଶ୍ୱେଶ୍ୱରକୁ ଯେତିକି ବେଶି ଦେଖିଲେ, ବନମାଳୀ ଆଡ଼କୁ ତାଙ୍କ ହୃଦୟ ସେତିକି ବ୍ୟାକୁଳ ଭାବରେ ଧାଇଁଲା ।
ବନମାଳୀ ରମାଠାରୁ ଦିନକ ପାଇଁ ଯେଉଁଦିନ ରାତିରେ ବିଦାୟ ନେଇ ଆସିଲା, ତା’ ପରଦିନ ସନ୍ଧ୍ୟାରେ ଶ୍ରୀନିବାସ ବନମାଳୀ ବିଷୟ ମନେ ମନେ ଚିନ୍ତା କରି ଗଭୀର ଧ୍ୟାନରେ ବସିଥିଲେ । ସେ ସମୟରେ ଚାକର ଆସି ଜଣାଇଲା, ‘‘ହଜୁର ବନମାଳୀବାବୁ ଦେଖା କରିବାକୁ ଆସିଚନ୍ତି ।’’ ଶୁଣି, ଶ୍ରୀନିବାସ, ତଡ଼ିତ୍ ସ୍ପର୍ଶରେ ଶବ ଜୀବନ ଧରି ଉଠିଲା ପରି କ୍ଷଣକପାଇଁ ଚମକି ପଡ଼ିଲେ । ବିସ୍ମୟ ଦବିଗଲା ପରେ ସେ କହିଲେ, ‘‘ବନମାଳୀ ବାବୁ ! ଆଚ୍ଛା ଡାକି ଆଣ ।’’
ଦୁଆର ଫିଟିଲା ଏବଂ ଜଣେ ଯୁବକ ପ୍ରବେଶ କଲା । ଶ୍ରୀନିବାସ ଦେଖିଲାକ୍ଷଣି ତାଙ୍କ ବନମାଳୀକୁ ଚିହ୍ନିଲେ । ସେ ବାହୁ ପ୍ରସାରି ତାକୁ ଆଲିଙ୍ଗନ କରିବାକୁ ଇଚ୍ଛାକଲେ; କିନ୍ତୁ ପୁଣି କ’ଣ ବିଚାରି, ନିଜକୁ ସେଥିରୁ କ୍ଷାନ୍ତ କଲେ । ହୃଦୟ ସ୍ନେହ ମମତାରେ ଦ୍ରବୀଭୂତ ହୋଇଗଲା । ହୃଦୟ ଯେତିକି କୋମଳ ହୁଏ, ରସନା ସେତିକି କଠୋର ହୋଇପଡ଼େ–ଏହା ଶ୍ରୀନିବାସଙ୍କର ଗୋଟାଏ ଅବୋଧ୍ୟ ବିଶେଷତ୍ୱ । ସେହି ବିଶେଷତ୍ୱ ଯୋଗେ ସେ କହିଲେ, ‘‘ତୁ କାହିଁକି ଆସିଚୁ ? କ’ଣ ମୋତେ କ୍ଷମା ମାଗିବାକୁ ଆସିଚୁ ? ଭୁଲ ବୁଝି ପାରିଲୁଣି ?’’
ବନମାଳୀ ହାତଯୋଡ଼ି ଧୀରେ ଧୀରେ କମ୍ପିତ ସ୍ୱରରେ କହିଲା, ‘‘ମୋଠେଇ ଦୟା ରଖନ୍ତୁ, ଏତିକି ଭିକ୍ଷା ।’’
‘‘କହ ନା, ତୋର କ’ଣ ଦରକାର ।’’
‘‘ମୁଁ ଜାଣେ, ମୋତେ ଦେଖିଲେ, ଆପଣଙ୍କ ମନରେ ରାଗ ହୁଏ । ଜାଣି ସୁଦ୍ଧା, ମୁଁ ଗୋଟାଏ କଥା ଆପଣଙ୍କୁ ପଚାରିବାକୁ ଆସିଚି । ତୁଣ୍ଡରୁ ପଦେ ଉତ୍ତର ଶୁଣିଲେ ବାହାରିଯିବି ।’’
‘‘ତୁ ଗୋଟାଏ ବଳଦ, ନିତାନ୍ତ ବୋକା । ମୂର୍ଖ, ତୋତେ ବାହାରିଯିବାକୁ କିଏ କହିଲା ? ଦେଖ୍, ଆଉ ମୁଁ ତୋ କଥା ସହିପାରିବି ନାହିଁ । କ’ଣ କହୁଛୁ, କହ ବେଗେ; ମୋ ସମୟ ନଷ୍ଟ କରନା ।’’
‘‘ମୁଁ ବିଭା ହେବାକୁ ଆପଣଙ୍କ ଅନୁମତି ମାଗିବାକୁ ଆସିଚି ।’’ ଶୁଣି ଶ୍ରୀନିବାସ ଝିଅକୁ ଡକାଇଲେ । ଝିଅ ଆସି ପହଞ୍ଚିବାରୁ କହିଲେ, ‘‘ଏଇ, ସେନାପତି ବନମାଳୀ ରାୟ ଆସିଛନ୍ତି । ସେ ବିଭା ହେଉଚନ୍ତି ।’’ ଏତିକି କହି ସେ ଝିଅକୁ ବିଦାୟ ଦେଇ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇଲେ । ତୋଫାନ ଆଗରେ ନଡ଼ାଖଣ୍ଡ ଉଡ଼ି ଚାଲିଗଲା ପରି ପାର୍ବତୀ ବାପାଙ୍କ ନିଃଶ୍ୱାସ ସ୍ରୋତରେ ବାହାରକୁ ପଳେଇଗଲେ ।
ଶ୍ରୀନିବାସ କହିଲେ, ‘‘ତୁ ବିଭା ହବୁ, ସବୁ ଠିକ୍ଠାକ୍ କରିସାରିଚୁ, ଭଦ୍ରତା ଜଗି ପଦେ ଖାଲି ଶୁଣେଇ ଦବାକୁ ଆସିଛୁ, ନା ? ଆଚ୍ଛା, ଓକିଲାତି ବ୍ୟବସାୟ କରି କେତେ ରୋଜଗାର କରୁଚୁ-?’’
‘‘କିଛି ନାହିଁ ।’’
‘‘ତେବେ କ’ଣ କନ୍ୟାଟା ଧନୀଘରର ଝିଅ, ନା ?’’
‘‘ନା, ମୋରି ପରି ।’’
‘‘ହଁ । କୋଡ଼ିଏ ବାଇଶି ବର୍ଷର ଭେଣ୍ଡାଟାଏ । ପାହୁଲାଏ ବୋଲି ରୋଜଗାର ନାହିଁ । ବରଷରେ ଟଙ୍କା ବାରଶହ ଖୋରାକି ପାଇବ; ତେବେ କ’ଣ ସେନାପତିଆଣୀ ନିଜେ ଟୋକେଇ ଧରିଯାଇ ବଜାରରୁ ସଉଦା କିଣି ଆଣିମ ? ହାଃ ହାଃ ହାଃ, କି ସୁନ୍ଦର ପ୍ରସ୍ତାବ ! ରାଜାଘର ପୁଅ ହେଇ ଦାଣ୍ଡର ଭିକାରୁଣୀ ପିଲାଟାଏ ଆଣି ତା’ ହାତ ଧରିବ । ଯା, ବାବା । ବେକରେ ପଥର ବାନ୍ଧି, ମହାନଦୀକି ଡେଇଁପଡ଼ । ଲାଜ ନାହିଁ ଅନୁମତି ପାଇଁ ଆସିଚୁ ? ମୁଁ ପୁଣି ଅନୁମତି ଦେବି ? କହିବି; ‘‘ହଁ ?’’
‘‘ବାପା–’’
‘‘ନା, କେବେ ନୁହେଁ ।’’ ଶ୍ରୀନିବାସ ଯେପରି ସ୍ୱରରେ ନାସ୍ତି ବଚନ ଉଚ୍ଚାରଣ କଲେ, ସେଥିରେ ବନମାଳୀ ଅଜାଙ୍କ ଅନୁମତି ପାଇବାର କୌଣସି ଆଶା ଦେଖିଲା ନାହିଁ । ସେ ମୁଣ୍ଡ ପୋତି ଘରୁ ବାହାରି ଚାଲିଯିବାକୁ ବସିଲା । ଶ୍ରୀନିବାସ ପଛରୁ ଧାଇଁଯାଇ, ତାକୁ ଘର ଭିତରକୁ ଭିଡ଼ିଆଣିଲେ ଏବଂ ତା’ ବିବାହ ବିଷୟ ତନ୍ନତନ୍ନ କରି ବର୍ଣ୍ଣନା କରିବାକୁ କହିଲେ । ବନମାଳୀ ତୁଣ୍ଡରୁ ‘‘ବାପା’’ ଡାକ ଶୁଣି ଶ୍ରୀନିବାସଙ୍କ ମନରେ ଗୋଟାଏ ନୂତନ ଭାବର ସୃଷ୍ଟି ହୋଇଥିଲା । ସେ କହିଲେ, ‘‘ଦେଖ୍, ବନମାଳୀ । ତୁ କା ପ୍ରେମରେ ପଡ଼ିଚୁ, ମୋତେ କିଛି ନ ଲୁଚାଇ କହିଲୁ ଦେଖି ।’’ ବନମାଳୀ ଆରମ୍ଭ କଲା, ‘‘ବାପା– ।’’ ଶ୍ରୀନିବାସଙ୍କ ବଦନମଣ୍ଡଳ ଆନନ୍ଦରେ ପୁଲକିତ ହୋଇଗଲା-। କହିଲେ, ‘‘ଠିକ୍ କଥା; ମୋତେ ‘ବାପା’ ବୋଲି ଡାକ୍ ।’’
ଶ୍ରୀନିବାସଙ୍କଠାରୁ କୋମଳ କଥା ଶୁଣି, ବନମାଳୀ ଆଶାତୀତ ଆନନ୍ଦ ଅନୁଭବ କଲା । କହିଲା, ‘‘ବାପା–ଶ୍ରୀନିବାସ ପଚାରିଲେ, ‘‘ତୋ ପାଖେ ସତେ ଟଙ୍କା ନାହିଁ ? ଲୁଗାପଟା ତ ପିନ୍ଧିଚୁ ଠିକ୍ ଚୋରଙ୍କ ପରି । ଏଇ, ଶହେ ଟଙ୍କା ଧର; ଭଲ ଲୁଗାପଟା କିଣ୍ ।’’ ବନମାଳୀର ଆହ୍ଲାଦର ସୀମା ରହିଲା ନାହିଁ । ସେ କହିଲା, ‘‘ବାପା, ମୁଁ ତାକୁ କେତେ ସ୍ନେହ କରେ, ଆପଣ କଳ୍ପନା କରିପାରିବେ ନାହିଁ । ତାକୁ ମୁଁ ପ୍ରଥମେ କିଲ୍ଲା ପଡ଼ିଆରେ ଦେଖିଲି । ପ୍ରଥମେ ମୁଁ ତା’ ଆଡ଼କୁ ଚାହିଁଲି ନାହିଁ; କିନ୍ତୁ ଚାହିଁଲାମାତ୍ରେ ତା’ ପ୍ରେମ ପାଶରେ ବାନ୍ଧିହୋଇ ପଡ଼ିଲି । ଆଃ, ସେ ଯୋଗେ ମୁଁ କେତେ କଷ୍ଟ ପାଇଚି । ଏବେ ତା’ ସହିତ ମୋର ରୋଜ ଦେଖା ହେଉଚି । ତା’ ବାପ ସେ କଥା କିଛି ଜାଣିନାହାନ୍ତି । ଏବେ ସେମାନେ କାର୍ଯ୍ୟ ଉପଲକ୍ଷରେ ରେଙ୍ଗୁନ ଚାଲିଯାଉଛନ୍ତି । ମୁଁ ଭାବିଲି, ଯାଇ ଅଜାଙ୍କୁ ସବୁକଥା କହିଆସିବି; ତା’ପରେ ପାଗଳ ହେବି, ମରିବି, ପାଣିକି ଡେଇଁପଡ଼ିବି । ମୁଁ ତାକୁ ବିଭା ନ ହେଲେ; ଏସବୁ ନିଶ୍ଚୟ ହବ । ଯାହା କହିଲି, ସତ କଥା; ବିଶ୍ୱାସ କରନ୍ତୁ । ସେ ସାହେବଜାଦା ବଜାରରେ ରହୁଚି, କାଠଯୋଡ଼ି କୂଳେ ।’’
‘‘କ’ଣ କହିଲୁ ? ସାହେବଜାଦା ବଜାରରେ ନା ? ଘରଟା ଗୋଟାଏ ବଗିଚା ଭିତରେ-? ତୋ ଭାଇ ବିଶ୍ୱେଶ୍ୱର ସେ ଟୋକୀକି ଦେଖିଚି । ସେ ବାପାକୁ ନ କହି ତୋ ପାଖକୁ ଆସେ, ନା-? ମୋ ପିଲାଦିନେ ସେପରି କେତେ ଆସୁଥିଲେ । ଜାଣୁ, ଏପରି ଘଟଣାରେ ଲୋକେ କ’ଣ କରନ୍ତି-? ନେ, ଦୁଇଶ ଟଙ୍କା ନେ; ଯାଇ ଫୂର୍ତ୍ତି କର । ସମସ୍ତଙ୍କୁ ଏପରି ବିଭା ହବାକୁ କହିଲେ ଚଳିବ-? ବିଭା ନହେଇ କ’ଣ ସାଥି ହେଇ ପାରାଯାଏ ନାହିଁ ? କ’ଣ, ବୁଝିଲୁନା ?’’
ବନମାଳୀ ବିବ୍ରତ ହୋଇ କଥା କହିପାରିଲେ ନାହିଁ; କେବଳ ମୁଣ୍ଡ ହଲାଇ ନାସ୍ତି ଜଣାଇଲା । ତହୁଁ ଚମ୍ପତିରାଏ କହିଲେ, ‘‘ବଳଦ ! ଆରେ ତାକୁ ରଖ; ବିଭା ହେବି; ବିଭା ହେବି କାହିଁକି ଲଗେଇଚୁ ?’’ ଶୁଣି ବନମାଳୀ କଳା ପଡ଼ିଗଲା ଓ ଉଠି ଦ୍ୱାର ପାଖକୁ ଯାଇ, ଗୋଟାଏ ମୁଣ୍ଡିଆ ମାରି କହିଲା, ‘‘ପାଞ୍ଚବର୍ଷ ଆଗେ ଆପଣ ମୋ ବାପାଙ୍କୁ ଘୋର ଅପମାନ ଦେଇଥିଲେ । ଆଜି ମୋ ଭାର୍ଯ୍ୟାକୁ ପୁଣି ଅପମାନ ଦେଲେ । ଆଉ ମୁଁ କ’ଣ କହିବି ? ଯାଉଚି ।’’
ଶ୍ରୀନିବାସ ଚମ୍ପତିରାଏ ଅବାକ୍ ହୋଇ ରହିଲେ । ସେ ତୁଣ୍ଡ ଫିଟାଇଲେ, କଥା ବାହାରିଲା ନାହିଁ; ଉଠିବାକୁ ଚେଷ୍ଟା କଲେ, ଉଠିପାରିଲେ ନାହିଁ । କବାଟ ବନ୍ଦ ହେଲା; ମୁହୂର୍ତ୍ତକ ମଧ୍ୟରେ ବନମାଳୀ ଅନ୍ତର୍ଦ୍ଧାନ ହୋଇଗଲା । ବଜ୍ରାହତ ପରି ବୃଦ୍ଧ ଘର ମଧ୍ୟରେ ବସି ରହିଲେ ଓ ଶେଷରେ ପାଟିକରି ଚିତ୍କାର କଲେ, ‘‘ଡାକ ଡାକ ।’’ ପାର୍ବତୀ ଆସି ଉପସ୍ଥିତ ହେଲେ । ଶୁଣିଲେ, ‘‘ଧାଁ ତା’ ପଛରେ । ତାକୁ ଧରିଆଣ । ଓଃ, ମୁଁ କାହିଁକି ତାକୁ ଅପମାନ ଦେଲି ? ସେ ପାଗଳ ହେଇ ପଳେଇଲା । ଏ ଥରକ ଆଉ ଫେରି ଆସିବ ନାହିଁ ।’’ କହି ଝରକା ପାଖକୁ ଯାଇ ସେ ନଇଁପଡ଼ି ଡାକିଲେ, ‘‘ବନମାଳୀ ବନମାଳୀ’’; କିନ୍ତୁ ବନମାଳୀ ଶୁଣିଲା ନାହିଁ । ସେ ଦୁଇଟା ଛୋଟ ଗଳି ପାର ହୋଇ ଚାଲିଯାଇଥିଲା ।
ରମା ଅଦୃଶ୍ୟ
ସେହିଦିନ ଅପରାହ୍ନ ପ୍ରାୟ ଚାରିଘଣ୍ଟା ସମୟରେ ପାଣୁ ନାଏକ ତା’ ବଗିଚା ଭିତରେ କାମ କରି କରି ବୁଲୁଥିଲା । ସେ ରମାକୁ ଧରି ଏକପ୍ରକାର ଶାନ୍ତିରେ ରହିଥିଲା, କେବଳ ଦଶ ପନ୍ଦର ଦିନ ହେଲା ତା’ ମନରେ ଗୋଟାଏ ନୂତନ ଆଶଙ୍କା ଜନ୍ମିଥିଲା । ସେ ଦିନେ ବାଟରେ ଯାଉ ଯାଉ ହଠାତ୍ ଦୀନା ସାହୁକୁ ଦେଖିଲା । ଦୀନା ସାହୁ ଅବଶ୍ୟ ତାକୁ ତା’ ନୂତନ ପୋଷାକରେ ଚିହ୍ନିପାରିଲା ନାହିଁ । ପାଣୁ ନାଏକ ଚମକି ପଡ଼ିଲା । ତା’ପରେ ସେ ଦୀନା ସାହୁକୁ ବାଟରେ କେତେ ଥର ଦେଖିଛି । ଦୀନା ସାହୁ କଟକ ସହରରେ ଥିଲା ପର୍ଯ୍ୟନ୍ତ ସେ ଯେ ନିରାପଦ ନୁହେଁ, ତାହା ସେ ବୁଝିପାରିଲା । ସୁତରାଂ, ସେ ନିଶ୍ଚିନ୍ତରେ ରହିବା ଏବଂ ବିପଦ ଆପଦ ଏଡ଼ି ସୁଖ ଭୋଗିବା ନିମନ୍ତେ ରମାକୁ ଧରି ସୁଦୂର ରେଙ୍ଗୁନ ରାଜ୍ୟକୁ ଚାଲିଯିବାକୁ ସ୍ଥିର କରିଥିଲା ।
ସେଦିନ ବଗିଚାରେ କାମ କରିବାକୁ ତା’ ମନ ଲାଗିଲା ନାହିଁ । ସେ ଦୀନା ସାହୁ; ପୋଲିସ ଏବଂ ଚାଲିଯିବା ପ୍ରସ୍ତାବ ଆଦି କଥା ଭାବି ଚିନ୍ତାରେ ଭାଜି ପଡ଼ିବାକୁ ଲାଗିଲା । ସେତେବେଳେ କାନ୍ଥରେ ଲେଖାହୋଇଥିବା ବକ୍ସିବଜାର ତା’ ଆଖିରେ ପଡ଼ିଲା । ସେଟା ଯେ ସେ ପୂର୍ବଦିନ ଦେଖି ନ ଥିଲା ଏବଂ ଗତ ରାତିରେ ଲେଖାହୋଇଛି, ସେଥିରେ ତା’ର ସନ୍ଦେହ ରହିଲା ନାହିଁ । ସେହି ଲେଖା ଘେନି ସେ ନାନା କଥା ଭାବି, ସ୍ଥିର କଲା ଯେ, ବଗିଚା ଭିତରକୁ ବାହାରର ଲୋକେ ଆସି ଏସବୁ କାଣ୍ଡ କରୁଛନ୍ତି । ଅପରାହ୍ନର ସୂର୍ଯ୍ୟ କିରଣରେ ହଠାତ୍ ପଛରୁ ଗୋଟାଏ ଛାଇ ପଡ଼ିଲା । ସେ ବୁଲି ଚାହିଁ କାହାକୁ ଦେଖିଲା ନାହିଁ, କିନ୍ତୁ ଖଣ୍ଡିଏ ଛୋଟିଆ କାଗଜ ପାଇଲା । ସେ ପଢ଼ି ଦେଖିଲା, ତହିଁରେ ଲେଖାଅଛି, ‘‘ଏ ଘର ଛାଡ଼ି ଚାଲିଯାଅ ।’’
ପାଣୁ ନାଏକ ତରତର ହୋଇ ବଗିଚାଯାକ ଖାଜିଗଲା । ଦେଖିଲା ଜଣେ କିଏ ଭିତରୁ ବାହାରି ଚାଲିଯାଉଛି । ସେ ଆକାରରେ ବଡ଼ ମଣିଷଠାରୁ ସାନ ଏବଂ ପିଲାଠାରୁ ବଡ଼ । ଦେଖି, ତାକୁ ଗୋଡ଼େଇବାକୁ ନ ଯାଇ, ପାଣୁ ନାଏକ ଚିନ୍ତିତ ହୋଇ ଘରକୁ ଚାଲିଗଲା ।
ବନମାଳୀ ହୃଦୟରେ ଅତି ଅଳ୍ପ ଆଶା ପୋଷଣ କରି ଶ୍ରୀନିବାସ ଚମ୍ପତିରାଏଙ୍କ ନିକଟକୁ ଯାଇଥିଲା, ତଥାପି ଫେରିଲାବେଳେ ଭୀଷଣ ନୈରାଶ୍ୟ ଧରି ଆସିଲା । ପରଦିନ ଦିନସାରା ସେ ସହରଟା ଯାକ ଗଳିକି ଗଳି ବୁଲି କଟାଇଲା; ଅନେକ ସ୍ଥାନରେ କୋଳାହଳ, ଚିତ୍କାର ଶୁଣିଲା । ତହୁଁ ସେ ମନେ ମନେ ଭାବିଲା, ‘‘ଏ କ’ଣ ଯୁଦ୍ଧ ଆରମ୍ଭ ହୋଇଗଲା ?’’ ଦିନ ତମାମ ଚିନ୍ତାରେ କଟାଇ, ଠିକ୍ ରାତି ନ’ଟା ବେଳେ ସେ ସାହେବଜାଦା ବଜାରର ବଗିଚାରେ ପାଦ ପକାଇ ଦେଖିଲା, ରମା ସେ କୁଞ୍ଜ ମଧ୍ୟରେ ନାହିଁ ।
ବନମାଳୀ ବଗିଚାଯାକ ଖୋଜି ବୁଲିଲା; ମାତ୍ର କୌଣସିଠାରେ ରମାର ଦେଖା ପାଇଲା ନାହିଁ; ବରଂ ଦେଖିଲା ଘରଟାର ଦ୍ୱାର ବନ୍ଦ ହୋଇଛି । ସେ ମନେ ମନେ ଭାବିଲା, ‘‘ଘର ପାଖକୁ ଗଲେ, ସଦାଶିବ ମହାନ୍ତି ହୁଏତ ଉଠି ଦେଖିବେ, ମୁଁ କାହିଁକି ଆସିଚି ବୋଲି ପଚାରିବେ ।’’ ତଥାପି ସେ ଦ୍ୱାର ନିକଟରେ ଯାଇ ଡାକିଲା, ‘‘ରମା , ରମା’’ । କିଛି ଉତ୍ତର ମିଳିଲା ନାହିଁ । ସେତେବେଳେ ରାସ୍ତା ଉପରୁ ଗୋଟାଏ ସ୍ୱର ଶୁଣାଗଲା, ‘‘କିଏ ? ବନମାଳୀ ବାବୁ ?’’ ଶୁଣି, ବନମାଳୀ ଉତ୍ତର ଦେଲା, ‘‘ହଁ’’ । ସେ ପୁଣି ଶୁଣିଲା, ‘‘ବନମାଳୀ ବାବୁ, ତୁମ ସାଥି ଲୋକେ ତୁମକୁ ଅପେକ୍ଷା କରି ରହିଚନ୍ତି ।’’ ସ୍ୱରଟା ବନମାଳୀର ସମ୍ପୂର୍ଣ୍ଣ ଅପରିଚିତ ନୁହେଁ; ସେ ଚମ୍ପା ଡାକୁଛି ବୋଲି ମନେକଲା ଏବଂ ଧାଇଁଯାଇ ଫାଟକ ପାଖେ ଦେଖିଲା, ଜଣେ ଯୁବକ ଅନ୍ଧାରରେ ଧାଇଁ ଚାଲିଯାଉଛି ।
ଲଢ଼େଇ
ଠିକ୍ ସେହି ସମୟରେ ତେଣେ ଗଦାଧର ଦୁଃଖ ଏବଂ ଦରିଦ୍ରତାରେ ଆପାଦମସ୍ତକ ବୁଡ଼ିଯାଇଥିଲା । ବ୍ୟବସାୟରୁ ଯେତେବେଳେ ଅର୍ଥାଗମର ବାଟ ରହିଲା ନାହିଁ, ସେ କିଛିଦିନ ସଞ୍ଚିତ ଧନ ଖର୍ଚ୍ଚକଲା ଏବଂ ପରେ ଘରକରଣା ଜିନିଷଗୁଡ଼ିକ ବିକିଲା । ତାହା ମଧ୍ୟ ଯେତେବେଳେ ସରିଗଲା, ଘରେ କେବଳ ଖଣ୍ଡିଏ ରାମାୟଣ ଖଣ୍ଡିଏ ମହାଭାରତ ପୋଥି ରହିଲା । ଗଦାଧର ଅତି ଅଳ୍ପ ବୟସରୁ ପ୍ରତିଦିନ ରାମାୟଣ ଓ ମହାଭାରତରୁ କିଛି କିଛି ପଢ଼ି ପ୍ରାୟ ଅଶୀ ବର୍ଷ ବୟସରେ ଆସି ପହଞ୍ଚିଛି; କିନ୍ତୁ ଯେତେବେଳେ ନିତାନ୍ତ ଅଭାବ ପଡ଼ିଲା, ଆଗ ପଛ କରି ସେ ଦୁଇଖଣ୍ଡଯାକ ପୋଥି ମଧ୍ୟ ଘରୁ କାଢ଼ିଦେଲା ।
କେତେଦିନ ପରେ ଚାକିରିଆଣୀ ରୋଗରେ ପଡ଼ିଲା । ଚାଉଳ କିଣିବାକୁ ହାତରେ ପଇସା ନ ଥିଲେ ମନରେ ଯେତେ ଦୁଃଖ ହୁଏ, ତା’ଠାରୁ ବେଶି ହୁଏ ରୋଗୀ ପାଇଁ ଔଷଧର କିଣିବାକୁ ଅର୍ଥାଭାବ ବେଳେ । ଚାକିରିଆଣୀର ହାତ ଦେଖି ବୈଦ୍ୟ ଗୋଟାଏ ଦାମୀ ଔଷଧର ବ୍ୟବସ୍ଥା କଲେ । ଗଦାଧର ସେଦିନ ଘର ସାରା ଖୋଜି ଆସି ଦେଖିଲା, ହାଣ୍ଡିଶାଳେ ଥାଳି, ଗିନା, କଂସା, ଚାଉଳ, କାଠ କିଛି ନାହିଁ; ଶୋଇବା ଘରେ ଶେଯ, ଲୁଗାପଟା ଖଣ୍ଡିଏ ମାତ୍ର ନାହିଁ; ଠାକୁରଘରେ ପୋଥିଖୋଜି ଦେଖିଲା, ସେ ଘରଟା ମଧ୍ୟ ଶୂନ୍ୟ । ତାକୁ କିଛି ବୁଦ୍ଧି ଦିଶିଲା ନାହିଁ । ସାହେବଜାଦା ବଜାରକୁ ଯାଇ, କଟକ ସହରର ଜଣେ ପ୍ରଧାନ ଦାନଶୀଳ ବ୍ୟକ୍ତିଠାରୁ ସେ ଶହେଟି ଟଙ୍କା ପାଇଲା । ସେ ଟଙ୍କାତକ ଆଣି ଚାକିରିଆଣୀର ଶେଯ ପାଖେ ଥାଇଦେଲା ।
ପରଦିନ ସକାଳେ ସେ ବଗିଚାରେ ଚିନ୍ତାମଗ୍ନ ହୋଇ ବସିଛି, ବର୍ଷା ଆସିଲା । ଅସରାକୁ ଅସରା କେତେ ବର୍ଷି ଚାଲିଗଲା, ସେ ଜାଣିପାରିଲା ନାହିଁ । ସେଦିନ ଉପରବେଳା ସହରରେ ବହୁତ ଗୋଳମାଳ କୋଳାହଳ ଶୁଣାଗଲା । ସେତେବେଳେ ବାଟରେ ଜଣେ ମାଳୀ ଯାଉଥିଲା । ସେ ତାକୁ ପଚାରିଲା, ‘‘କିରେ, ଖବର କ’ଣ ?’’ ମାଳୀ କାନ୍ଧରେ କୋଦାଳ ଧରି ଉତ୍ତର ଦେଲା, ‘‘ମେଳିଆମାନେ ଲଢ଼େଇ କରୁଛନ୍ତି ପରା ?’’
‘‘ଏଇ ବାରୁଦଖାନା ଆଡ଼େ ।’’ ଶୁଣି ଗଦାଧର ଘର ଭିତରକୁ ଗଲା । କାଖତଳେ ଜାକି ନେବାପାଇଁ ଅନ୍ୟମନସ୍କ ଭାବରେ ଠାକୁରଘରେ ଖଣ୍ଡିଏ ପୋଥି ଖୋଜିଲା । ପୋଥି ନ ପାଇ ସେ କହିଲା, ‘‘ଓ ସତ କଥା ।’’ କହି, ସେ ଅତ୍ୟନ୍ତ ଉଦାସ ହୃଦୟରେ ଘରୁ ବାହାରି ଚାଲିଗଲା ।’’
ଯୁଦ୍ଧକ୍ଷେତ୍ରରେ ବନମାଳୀ
ସନ ୯୭୫ ସାଲରେ ହଳଦିଘାଟ ଯୁଦ୍ଧଭୂମିରେ ମୁକୁନ୍ଦଦେବଙ୍କ ପତନ ସଙ୍ଗେ ସଙ୍ଗେ ସ୍ୱାଧୀନ ଓଡ଼ିଶାର ସୌଭାଗ୍ୟ-ରବି ଯେ ଅସ୍ତ ହୋଇଥିଲା, ତା’ର ଶେଷରଶ୍ମି ଅନେକ ଦିନ ପର୍ଯ୍ୟନ୍ତ ଖୋରଧାର ବରୁଣେଇ, ଖଣ୍ଡାହଣା, ସୋଲେରି, ଭାଲେରି ଶିଖରେ ଗୋଟିଏ କ୍ଷୁଦ୍ର ସଂକୀର୍ଣ୍ଣ କନକିତ ରେଖାରେ ବିରାଜମାନ କରୁଥିଲା । ସେ ରେଖାଟି ମଧ୍ୟ ସନ ୧୨୧୧ ସାଲରେ ଲୋପ ପାଇଗଲା, ଇଂରେଜ ସରକାର ଖୋରଧା ଅଧିକାର କରି ରାଜାଙ୍କୁ ଗାଦିଚ୍ୟୁତ କଲେ । ସ୍ୱାଧୀନତା ରକ୍ଷା କରିବା ପାଇଁ ପ୍ରଥମେ ଜୟକୃଷ୍ଣ ରାଜଗୁରୁ, ତା’ପରେ ରାଜାଙ୍କ ବକ୍ସି ପାଇକମାନଙ୍କ ସାହାଯ୍ୟରେ ଗୋଟାଏ ତୁମୂଳ ଉଦ୍ୟମ କରି ପରାସ୍ତ ହେଲେ । ରାଜା ସାମାନ୍ୟ କିଛି ମାଲିକାନା ପାଇ ପୁରୀ ସହରରେ ଏକପ୍ରକାର ବନ୍ଦୀ ହୋଇ ରହିଲେ ।
ସନ ୧୨୬୩ ସାଲରେ ରାମଚନ୍ଦ୍ର ଦେବଙ୍କ ଅନ୍ତେ ତାଙ୍କ ପୁତ୍ର ଦ୍ୱିତୀୟ ବୀରକିଶୋର ଦେବ ପୁରୀ ରାଜଗାଦିରେ ବସିଲେ । ଇଂରେଜ କମ୍ପାନୀଙ୍କଠାରୁ ଖୋରଧା ଫେରସ୍ତ ପାଇବାପାଇଁ ତାଙ୍କ ପିତା, ପିତାମହ ପ୍ରଭୃତି ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ; ମାତ୍ର ୧୨୬୫ ସାଲରେ ଭାରତର ଶାସନ ଭାର ଯେତେବେଳେ କମ୍ପାନୀ ହାତରୁ ମହାରାଣୀ ଭିକ୍ଟୋରିୟାଙ୍କ ହାତକୁ ଗଲା, ସେତେବେଳେ ବୀରକିଶୋର ଦେବ କଟକ କମିଶନରଙ୍କ ନିକଟରେ ସେ ବିଷୟରେ ଆବେଦନ କଲେ । ସେ ଆବେଦନ ଲେଖାଲେଖି କରିବାରେ ବନମାଳୀ ଓ ପଦ୍ମନାଭ ସହିତ ଅନ୍ୟାନ୍ୟ କେତେଜଣ ଓକିଲ ସାହାଯ୍ୟ ଦେଇଥିଲେ । ସେମାନେ ରାଜାଙ୍କୁ କହିଲେ, ‘‘ଓଡ଼ିଶାରେ ଯେତେବେଳେ ଏତେଗୁଡ଼ାଏ ଗଡ଼ଜାତ ରହୁଚି, ଖୋରଧା ସେହିପରି ଗୋଟାଏ ଗଡ଼ଜାତ ହୋଇ ରହିବା ଆମ ମତ ନୁହେଁ । ଖୋରଧା ଗଡ଼ଜାତ ହେବନାହିଁ, ପ୍ରାଚୀନ ରାଜବଂଶର ଭଗ୍ନାବଶେଷ ସ୍ୱରୂପ ବିଦ୍ୟମାନ ରହିବ ଓ ଓଡ଼ିଶାର ପୂର୍ବ ସୌଭାଗ୍ୟ ସ୍ମୃତି ଏକକୋଟି ଉତ୍କଳ ସନ୍ତାନଙ୍କ ପ୍ରାଣରେ ଜାଗ୍ରତ ରଖିବ । ଆମ୍ଭେମାନେ ଏଥିରେ ଯଥାସାଧ୍ୟ ସାହାଯ୍ୟ କରିବୁଁ ।’’
ତା’ପରେ କେତେଜଣ ଓକିଲ, କେତେଜଣ ଛାତ୍ର ଏବଂ କେତେଜଣ ସହରବାସୀ ଯୁବକଙ୍କୁ ନେଇ ଗୋଟାଏ ଆନ୍ଦୋଳନ ସୃଷ୍ଟି ହେଲା । ଇତିହାସ ସେ ଆନ୍ଦୋଳନ ବିଷୟରେ କାହିଁକି ଯେ ଏତେ ନୀରବ ହୋଇଛି, ତା’ର କାରଣ ବୁଝିବା କଠିନ । ସେହି ଆନ୍ଦୋଳନ ଯୋଗେ ପ୍ରାୟ ପଚାଶ ଜଣ ଲୋକ ଦିନେ ଶୋଭାଯାତ୍ର ଓ ସଭାସମିତି କରିବାରେ ଲାଗିଲେ । କମିଶନର କଚେରିଠାରୁ କିଲ୍ଲା ପଡ଼ିଆ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ତୁମୂଳ ଗୋଳମାଳ ଲାଗିଲା । କ୍ରମେ ଦୋକାନୀ, ବଜାରୀ ମଧ୍ୟ ସେ ଗୋଳମାଳରେ ଯୋଗ ଦେଲେ । ଲୋକେ ଘରୁ ଠେଙ୍ଗାବାଡ଼ି ଧରି ବାହାରି ପଡ଼ିଲେ । ବର୍ତ୍ତମାନ ପରି ଅସ୍ତ୍ର ଆଇନ୍ ସେତେବେଳେ ନ ଥିଲା; ବିନା ଅନୁମତିରେ ଲୋକେ ଘରେ ନଳି, ବାରୁଦ, ଖଣ୍ଡା, ତରୱାଲ ରଖିପାରୁଥିଲେ । ଯାହାର ନଳି ଥିଲା, ସେ ନଳି ଘେନି ବାହାରିଲା, କିଏ ବା ତରବାଲ ଧରି ଡେଇଁ ପଡ଼ିଲା । ସମସ୍ତେ କହିଲେ, ‘‘ମହାରାଜା ବୀରକିଶୋର ଦେବଙ୍କ ଜୟ !’’ ଜୟ ଧ୍ୱନିରେ ଆକାଶ ବିଦୀର୍ଣ୍ଣ ହୋଇଗଲା ।
ଜଣେ ବୁଢ଼ା ଡମ ହାତରେ ଦୁଇ ତିନିଟା ତାଳପତ୍ର ଛତା ଧରି ବିକ୍ରି କରିବାକୁ ଯାଉଥିଲା-। ଗୋଟାଏ ଟୋକା ଧାଇଁ ଆସି କହିଲା, ‘‘ଦେଖି, ଗୋଟାଏ ଛତା ବେଣ୍ଟ ମୋତେ ଦେଲୁ-।’’ କହି, ବୁଢ଼ାଠାରୁ ଛତା ବେଣ୍ଟଟାଏ ମାଗି ନେଇ ପାଇକ ଖେଳରେ ବୁଲାଇଲା ପରି ବୁଲାଇ ବୁଲାଇ, ଗୋଳମାଳ ମଧ୍ୟକୁ ଚାଲିଗଲା ।
ହରିଆ ସେଦିନ ରାତିରେ ସେହି ପିଲା ଦିଓଟିଙ୍କି ନେଇ ହାତୀପେଟ ଭିତରେ ଆଶ୍ରୟ ଦେବାବେଳେ ଜାଣି ନ ଥିଲା ଯେ ସେ ସାନଭାଇଙ୍କ ପ୍ରତି ବଡ଼ଭାଇର କର୍ତ୍ତବ୍ୟ ପାଳନ କରୁଛି । ସେହି ରାତି ପାହିବା ଆଗରୁ ସେ ତା’ ପିତାର ପ୍ରାଣ ରକ୍ଷାକରି ଫେରିଯାଇ, ପିଲା ଦିଓଟିଙ୍କି ପୁଞ୍ଜିଏ ଜଳଖିଆ ଦେଇ କହିଲା, ‘‘ମୁଁ କାମରେ ଯାଉଚି । ତୁମେ ବୁଲିବାକୁ ଯିବ ତ ଯାଅ । ବାପା ମା’ଙ୍କୁ ନ ପାଇଲେ, ପୁଣି ଆସିବ, ମୁଁ ଯାହାହେଲେ ମୁଠାଏ ଦେବି’’; କିନ୍ତୁ ପିଲା ଦୁହେଁ ସେଦିନ ସନ୍ଧ୍ୟାରେ ଆଉ ହରିଆ ନିକଟକୁ ଆସିଲେ ନାହିଁ । ହରିଆ ମଧ୍ୟ ଖୋଜି ଖୋଜି ତାଙ୍କୁ ପାଇଲା ନାହିଁ-। ସେହି ଖୋଜିବାଭିତରେ ତା’ର ପଦ୍ମନାଭ ଏବଂ ଆଉଜଣେ ଦୁଇଜଣ ଓକିଲଙ୍କ ସହିତ ପରିଚୟ ଘଟିଲା ।
କଟକରେ ଉପରୋକ୍ତ ଗୋଳମାଳ ଘଟିଲା ଦିନ ପଦ୍ମନାଭ ପ୍ରଭୃତି ଦଳ ବାନ୍ଧି ହାତ ହତିଆର ଧରି ଯେତେବେଳେ ଶୋଭାଯାତ୍ରାରେ ଯାଉଥିଲେ, ହରିଆ ସେମାନଙ୍କୁ ଦେଖି ପଚାରିଲା, ‘‘କୁଆଡ଼େ ଯାଉଚ, ବାବୁ !’’ ପଦ୍ମନାଭ ଉତ୍ତର ନ ଦେଇ କେବଳ କହିଲା, ‘‘ଆ’’ । ହରିଆ ଡମଠାରୁ ଛତାବେଣ୍ଟ ଖଣ୍ଡେ ନେଇ ନଳିପରି କାନ୍ଧରେ ପକାଇ ଧାଇଁଲା । ସେତେବେଳେ ସେହି କୋଳାହଳରେ ଯୋଗ ଦେବାକୁ ଜଣେ ପ୍ରାୟ ଅଶୀ ବର୍ଷର ବୁଢ଼ା ମଧ୍ୟ ଧାଇଁଥିଲା । ପଦ୍ମନାଭ, ବନମାଳୀ ସଙ୍ଗେ ଯିବାଆସିବା କଲାବେଳେ ତାକୁ ପୂର୍ବରୁ ଚିହ୍ନିଥିଲା; ବର୍ତ୍ତମାନ ଦେଖି କହିଲା, ‘‘ତୁମେ ଫେରିଯାଅ, ଗଦାଧର । ବଡ଼ ଗୋଳମାଳ ହେବ ।’’
‘‘ଆହୁରି ଭଲ ।’’ କହି, ଗଦାଧର ସେମାନଙ୍କ ଆଗେ ଆଗେ ଚାଲିବାକୁ ଲାଗିଲା । ସେମାନେ ଯାଇ ମହମଦୀୟା ବଜାର ଭିତରେ ମାଟିରେ ଗୋଟାଏ ବେଦୀ ତିଆରି କଲେ ଏବଂ ସେହି ବେଦୀକୁ ସିଂହାସନ କରି, ତହିଁରେ ବୀରକିଶୋର ଦେବଙ୍କ ମୂର୍ତ୍ତି ବସାଇ, ରାଜପଦରେ ଅଭିଷିକ୍ତ କରିବେ ବୋଲି ସ୍ଥିର କଲେ । ସିଂହାସନ ଉପରେ ଉଡ଼ିବା ନିମନ୍ତେ ଗୋଟିଏ ପ୍ରକାଣ୍ଡ ପତାକା ତିଆର ହେଲା । ପତାକା ଉଡ଼ିବାପାଇଁ ସମୟ ସ୍ଥିର କରାଗଲା । କଟକ ସହର ପଡ଼ିଲା ଉଠିଲା । ସରକାରୀ କର୍ମଚାରୀମାନେ ତ୍ରସ୍ତ ହୋଇ ପଡ଼ିଲେ । କମିଶନର ହୁକୁମ ଦେଲେ, ‘‘ଏସବୁ ଆନ୍ଦୋଳନ ଆଇନ ବଳରେ ସ୍ଥାପିତ ସରକାରଙ୍କର ବିରୋଧ କାର୍ଯ୍ୟ । ଏହା ଏହି ମୁହୂର୍ତ୍ତରେ ବନ୍ଦ କରିବାକୁ ହେବ ।’’ ପୋଲିସ କର୍ମଚାରୀମାନେ ଓ ଦଳେ ସୈନିକ ଗୁଳି ବାରୁଦ ଧରି ବାହାରିଲେ ।
ହରିଆ କାର୍ଯ୍ୟରେ ନିତାନ୍ତ ବ୍ୟସ୍ତ ଥିଲା । ବେଦୀରେ ମାଟି ପକାଇବାଠାରୁ ଆରମ୍ଭ କରି ପତାକା ସିଲେଇ କରିବା ନିମନ୍ତେ ଛୁଞ୍ଚିରେ ସୂତା ଗଳାଇବା ପର୍ଯ୍ୟନ୍ତ, କାହିଁରେ ସେ ଯୋଗ ନ ଦେଇ ରହିଲାନାହିଁ । ସମସ୍ତେ କାର୍ଯ୍ୟବ୍ୟସ୍ତ ଥିବା ବେଳେ ବିଦ୍ରୋହୀ ଦଳରେ ଜଣେ ନୂଆ କର୍ମୀ ଆସି ଯୋଗ ଦେଲେ । ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ଯାଇ ପଡ଼ିଲା । ତାଙ୍କ ପରିଚୟ ପାଇଁ ସମସ୍ତେ ନିଜ ନିଜ ମଧ୍ୟରେ ଆଖି ଠରାଠରି ହେଲେ; କିନ୍ତୁ କେହି ତାଙ୍କୁ ଚିହ୍ନିଥିବାର ଜଣାପଡ଼ିଲା ନାହିଁ; କେବଳ ହରିଆ ମୁହଁ ଭାରି ହୋଇଆସିଲା । ସେ ପଦ୍ମନାଭକୁ ଡାକିନେଇ କହିଲା, ‘‘ସେ ଡେଙ୍ଗାଟାକୁ ଦେଖୁଚ ?’’
‘‘ହଁ, ଦେଖୁଚି; କ’ଣ ହେଲା ?’’
‘‘ସେ ଜଣେ ଗୋଇନ୍ଦା ନା କ’ଣ ।’’
‘‘ହଁ, ମୁଁ ଜାଣେ । ପନ୍ଦର ଦିନ ଆଗେ ମୁଁ ଗୋଟାଏ ଘରୁ ବାହାରି ଆସୁଥିଲି, ସେତେବେଳେ ସେ ମୋତେ ଡାକି ମୋ କାନ ମୋଡ଼ିଦେଇଥିଲା ।’’ କହି ହରିଆ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଗଲା ।
କିଛି ସମୟ ପରେ ପଦ୍ମନାଭର ସଙ୍ଗୀ ବୈଦ୍ୟନାଥ ସେ ବ୍ୟକ୍ତଙ୍କି ଆସି ପଚାରିଲା, ‘‘ତୁମେ କିଏ ?’’ ଶୁଣି, ସେ ଚମକିପଡ଼ିଲେ ଓ ପରେ ପ୍ରକୃତିସ୍ଥ ହୋଇ କହିଲେ, ‘‘କ’ଣ, ମୋ ନାଁ ? ଆଚ୍ଛା, ଶୁଣ ।’’ ମାତ୍ର ତାଙ୍କ ନାମ ନ ଶୁଣି ବୈଦ୍ୟନାଥ ପୁଣି ପଚାରିଲା,
କ୍ଷଣକ ମଧ୍ୟରେ ବୈଦ୍ୟନାଥଠାରୁ ସୂଚନା ପାଇ ଚାରିଜଣ ହୃଷ୍ଟପୁଷ୍ଟ ବଳବାନ୍ କର୍ମୀ ସେ ବ୍ୟକ୍ତିଙ୍କୁ ଧରି ବାନ୍ଧିପକାଇଲେ । ତାଙ୍କ କୁରୁତା ପକେଟରୁ ଖଣ୍ଡିଏ ଛୋଟିଆ ହାତଲେଖା ଖାତା ବାହାରିଲା । ସେଥିରେ ଲେଖା ଥିଲା, ‘‘ପୋଲିସ ବିଭାଗ କର୍ମଚାରୀ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର; ବୟସ ୫୨ବର୍ଷ ।’’ ଆଉ ଖଣ୍ଡିଏ କାଗଜରେ ଲେଖା ଥିଲା, ‘‘ବିଦ୍ରୋହ ଦମନ କରିସାରି, ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଡଗରପଡ଼ାରେ ଥିବା ଡକାୟତମାନଙ୍କ ଖଟି ଭାଙ୍ଗିବା କାର୍ଯ୍ୟରେ ଲାଗିବେ ।’’ ଜନାର୍ଦ୍ଦନଙ୍କ ଦେହ ଖାନ୍ତଲାସ ହୋଇ ସାରିବା ପରେ କର୍ମୀମାନେ ତାଙ୍କୁ ଗୋଟାଏ ଘର ଭିତରକୁ ଟେକିନେଇ ନଜରବନ୍ଦୀରେ ରଖିଲେ । ହରିଆ ଦୂରରେ ରହି ସମସ୍ତ ଘଟଣା ଦେଖୁଥିଲା ଓ ଶେଷରେ ଜନାର୍ଦ୍ଦନଙ୍କ ନିକଟକୁ ଯାଇ କହିଲା, ‘‘ମୂଷା ଏବେ ବିଲେଇକୁ ଯନ୍ତାରେ ପକେଇଚି ନା ।’’
କେତେଜଣ ସିପାହୀ ପାଗପଟୁକା ବାନ୍ଧି, ବନ୍ଧୁକ ଧରି ଆସି ପହଞ୍ଚିଲେ । ବର୍ଷା ଆରମ୍ଭ ହେଲା । ସେମାନେ ବର୍ଷାରୁ ରକ୍ଷାପାଇବା ନିମନ୍ତେ ଗୋଟାଏ ପିଣ୍ଡାରେ ଚଢ଼ି କବାଟରେ ଖୁବ୍ ଧକ୍କା ମାଇଲେ । କେତେକ ସମୟ ପରେ ଉପର ମହଲାରୁ ପଞ୍ଜର ବାଟେ ଘରର ଚାକର ମୁହଁ ଦେଖାଇଲା । ତଳୁ ଜଣେ ସିପାହୀ କହିଲା, ‘‘ଦୁଆର ଖୋଲିଦେ ।’’
ସ୍ୱରଟା ସେତିକିରେ ବନ୍ଦ ହେଲା । କାରଣ, ଚାକର ଦ୍ୱାର ଖୋଲିବାକୁ ମନା କରିବାରୁ, ସିପାହୀ ତଳୁ ଗୋଟାଏ ଗୁଳିରେ ତା’ ମୁଣ୍ଡ ଉଡ଼ାଇଦେଲା । ସେତିକିବେଳେ ପଛରୁ କେହି ଆସି ତା’ ବେକକୁ ଚିପି ଧଇଲା । ସିପାହୀ ଚାହିଁ ଦେଖିଲା, ସେ ବିଦ୍ରୋହୀ ବୈଦ୍ୟନାଥ । ବୈଦ୍ୟନାଥ ନରହନ୍ତାକୁ କହିଲା, ‘‘ଦୋଷ ମାନ୍ ।’’ ଉତ୍ତରରେ ଶୁଣିଲା, ‘‘ନା, ପାଜି, ମୋ ବେକ ଛାଡ଼ିଦେ ।’’ ଅନ୍ୟ ସିପାହୀମାନେ ବନ୍ଧୁକ ମୁହଁ ତଳକୁ କରି ପଛକୁ ହଟିଗଲେ । ବୈଦ୍ୟନାଥ ସେ ସିପାହୀର ବେକ ଧରି ଦୁଇ ହାତରେ ନିଜର ସମଗ୍ର ବଳ ପ୍ରୟୋଗ କରି ଚିପିଦେଲା ଓ ତା’ପରେ ଛାଡ଼ିଦେଇ କହିଲା, ‘‘ନିଅ, ଏଟାକୁ ମାଟିରେ ପୋତିପକାଅ ।’’ ସିପାହୀ ଗୋଟାଏ କାଠ ଗଡ଼ ପରି ପଡ଼ିରହିଲା-।
ସେ ଘଟଣାର ଉତ୍ତେଜନା ତିଳେ ମାତ୍ର କମିନାହିଁ, ପଦ୍ମନାଭ ଜଣେ ଯୁବକକୁ ଦେଖିଲା-। ଯୁବକ ବନମାଳୀର ଖବର ବୁଝିବାପାଇଁ କିଛି ସମୟ ପୂର୍ବେ ତା’ ବସାକୁ ଆସିଥିଲା । ଯୁବକର ମୂର୍ତ୍ତିରେ କଠୋରତାର ଚିହ୍ନ ଥିଲେ ସୁଦ୍ଧା, ରମଣୀସୁଲଭ ଶୋଭାଦ୍ୱାରା ତା’ ଆବୃତ ହୋଇ ରହିଥିଲା ।
ବନମାଳୀ ସାହେବଜାଦାବଜାର ବଗିଚାରେ ରମାକୁ ଖୋଜି ନ ପାଉଥିବା ସମୟରେ ବାଟରୁ ଯାହା ସ୍ୱର ତାକୁ ସହରର ଗୋଳମାଳ ଭିତରକୁ ଟାଣି ଘେନି ଆସିଥିଲା, ସେ ସେହି ଯୁବକ-। ବନମାଳୀ ମରିବାକୁ ଦୃଢ଼ପ୍ରତିଜ୍ଞ ହୋଇ ଯୁବକର ଡାକରେ ଆସିଥିଲା; କିନ୍ତୁ ଯୁବକ ତାକୁ ମରିବାକୁ ଛାଡ଼ିଦେବ କି ନା ସନ୍ଦେହ କରି ସେ ତା’ ଆଖି ଆଗରେ ଗଳି ଭିତରେ ଉଭେଇ ଯାଇଥିଲା ।
ବନମାଳୀ ରଙ୍ଗଭୂମିରେ ଉପସ୍ଥିତ ହୋଇ ପିତାଙ୍କ ସ୍ମୃତି ଜପିବାକୁ ଲାଗିଲା; ପିତା ଯେ କିପରି ଯୁଦ୍ଧଭୂମିରେ ପ୍ରାଣ ଦେଇଥିଲେ, ତାହା ମନେ ପକାଇଲା । ସେ ଭାବିଲା, ପିତାଙ୍କର ଯେଉଁ ରକ୍ତ ରଣକ୍ଷେତ୍ରକୁ ଦିନେ ପାଟଳ ବର୍ଣ୍ଣରେ ରଞ୍ଜିତ କରିଥିଲା, ସେହି ରକ୍ତର ଧାରା ତା’ ନିଜ ଧମନୀରେ ମଧ୍ୟ ବହୁଛି । ସେ ରକ୍ତ ସେ କେତେଦିନ ଆଉ ସଞ୍ଚୟ କରି ରଖିବ ? ତାହା ସେ ମାତୃପଦରେ ଢାଳିଦେବାପାଇଁ ସଂକଳ୍ପ କଲା । ମୁହୂର୍ତ୍ତକ ନିମନ୍ତେ ତା’ର ଆପାଦମସ୍ତକ ଥରିଗଲା ।