ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୧୧ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଦେଉଳ ବେଢ଼ାରେ ଦୈତ୍ୟ
ପାଣୁ ନାଏକ ପାଚେରୀରୁ ଓହ୍ଲାଇ ଯେଉଁଠାରେ ପାଦ ପକାଇଲା, ତାହା ଗୋଟାଏ ବିସ୍ତୀର୍ଣ୍ଣ ବଗିଚାର ସଂକୀର୍ଣ୍ଣ କୋଣ ମାତ୍ର । ଜହ୍ନ ଆଲୁଅରେ ସେ ଦେଖିପାରିଲା ଯେ ସେହି ବଗିଚା ଭିତରେ ଖଣ୍ଡେ ଦୂରରେ ଅନେକଗୁଡ଼ିଏ ଘର ଅଛି । ସେ ଘରେ ଗୋଟିଏ ଆଲୁଅ ଜଳିବାର ମଧ୍ୟ ତାକୁ ଦେଖାଗଲା । ସେ ସ୍ଥାନଟା କ’ଣ ଓ ସେ ଘର କାହାର, ସେ ଭାବି କିଛି ଠିକ୍ କରିପାରିଲା ନାହିଁ । ରମା ଘଟଣା କିଛି ବୁଝି ନ ପାରି କେବଳ ଭୟରେ ବାପାକୁ ଭିଡ଼ି ଧରିବାରେ ଲାଗିଛି । ତେଣେ ପାଚିରି ସେ ପାଖେ ସିପାହୀମାନେ ଅନୁସନ୍ଧାନରେ ବିଫଳ ହୋଇ ନିଜ ନିଜ ମଧ୍ୟରେ ପାଟି ଓ ଗଣ୍ଡଗୋଳ କରିବାରେ ବ୍ୟସ୍ତ ଅଛନ୍ତି । କେହି କେହି, ପାଣୁ ନାଏକ ଧରା ପଡ଼ିଲେ, ତାକୁ ବାନ୍ଧି ନେଇଯିବା ନିମନ୍ତେ ଯେଉଁ ଦଉଡ଼ିଟା ଆଣିଥିଲେ, ତାକୁ ଖୋଜିବାରେ ଲାଗିଛନ୍ତି । ଦଉଡ଼ି ଯାହା ହାତରେ ଥିଲା ସେ କହିଲା, ‘‘ମୁଁ ଏଇଠି ରଖିଦେଇ ଗଲି ।’’ ତା’ ସଙ୍ଗରେ ଦ୍ୱିତୀୟ ସିପାହୀ ଆସିଥିଲା ସେ କହିଲା, ‘‘ହଁ, ହଜୁର, ମୁଁ ଦେଖିଚି, ସେ ଠିକ୍ ଏଇଠି ଥୋଇଦେଇ ଗଲା ।’’ ଶୁଣି ମହାପାତ୍ରେ ବିରକ୍ତ ହୋଇ କହିଲେ, ‘‘ତେବେ ତା’ ଛଡ଼ା ଆଉ କେହି ନୁହେଁ । ସେଇ ପାଣୁଆ ଦଉଡ଼ିଟା ନେଇ ଚାଲିଯାଇଚି । ଖୋଜ ଭଲ କରି ଦେଖ । ସେ ଏଇଠି କୋଉଠି ଅଛି ।’’
ଏଣେ ବଗିଚା ଭିତର ଘରୁ ବିପରୀତ ପ୍ରକାର ସ୍ୱର ଶୁଣାଗଲା । ସତେ ଅବା ସ୍ୱର୍ଗରୁ ଅମୃତ ଝରିଆସିଲା; ନାରୀ କଣ୍ଠର ସଙ୍ଗୀତ ଧ୍ୱନି ଶୁଭିଲା; ଉପାସନା ମନ୍ତ୍ର ପଦ ପଦ ହୋଇ ଆସି ପାଣୁ ନାଏକ କର୍ଣ୍ଣ କୁହରରେ ପ୍ରବେଶ କରିବାକୁ ଲାଗିଲା । କ୍ଷଣକ ନିମନ୍ତେ ପାଣୁ ନାଏକ ଅନୁଭବ କଲା, ଯେପରି ତା’ ରମାକୁ ଉଦ୍ଧାର କରିନେବା ନିମନ୍ତେ ସ୍ୱର୍ଗରୁ ଅପ୍ସରାମାନେ ଗୀତ ଗାଇ ଓହ୍ଲାଇ ଆସୁଛନ୍ତି । ସୁତରାଂ ସେ ନିଜେ ବିଭୁ ସଙ୍ଗୀତରୁ ପଦେ ରୁକ୍ଷ କଣ୍ଠରେ ଅତି କ୍ଷୀଣ ସ୍ୱରରେ ଗାଇ ବସିଲା । ରମା ଭୟରେ ଥରିଥରି ସେଥିରେ ନିଜ କ୍ଷୀଣ କମ୍ପିତ ସ୍ୱରଟି ମିଶାଇଲା ।
କିଛି ସମୟ ପରେ ପୁଣି ସବୁ ନିସ୍ତବ୍ଧ ହୋଇ ରହିଲା; ବଗିଚା ଭିତର ସଙ୍ଗୀତ ଧ୍ୱନି ବନ୍ଦ ହୋଇଗଲା ଓ ବାହାରେ ସିପାହୀମାନଙ୍କ କୋଳାହଳ ଆଉ ଶୁଣାଗଲା ନାହିଁ । ପାଣୁ ନାଏକ ଦେହରୁ କୁରୁତାଟି ବାହାର କରି ରମାକୁ ଘୋଡ଼ାଇ ଦେଲା । ଶୀତଳ ପବନ ସୁଲୁସୁଲୁ ବହୁଥିଲା ଏବଂ ଭୟତ୍ରସ୍ତ ରମା ଦେହକୁ ଆହୁରି କମ୍ପାଉଥିଲା । ପାଣୁ ନାଏକ କହିଲା, ‘‘ମା’ ତୁ ଏଠେଇ ଟିକିଏ ରହ କି, ମୁଁ ଏଇ କ୍ଷଣକ ଭିତରେ ଯାଇ ଫେରିଆସୁଛି ।’’
କୌଣସି ଏକ ଆଶ୍ରୟ ପାଇଲେ ରମାକୁ ଟିକିଏ ଶୁଆଇ ଦେବ ମନେକରି, ପାଣୁ ନାଏକ ସ୍ଥାନ ଖୋଜିବାକୁ ବାହାରିଲା । ସୁତରାଂ ସେ ବଗିଚା ଭିତରର ସେହି ଘର ନିକଟକୁ ଗଲା । ସେ ଯାଇ ପଞ୍ଜର ବାଟେ ଦେଖିଲା, ଘର ଭିତରେ ଖଣ୍ଡିଏ ପୁରୁଣା ଖଟ ପଡ଼ିଛି ଓ ତହିଁରେ ଜଣେ ଲୋକ ମୁହଁ ମାଡ଼ି ଶୋଇରହିଛି; ଉପରେ ଖଣ୍ଡିଏ ଧଳା ଲୁଗା ତା’ ଦେହକୁ ଘୋଡ଼ାଇ ରଖିଛି; ପାଖରେ ଗୋଟିଏ ଦୀପ ମିଞ୍ଜିମିଞ୍ଜି ଜଳୁଛି; ଘର ଭିତରେ ଆଉ ଜନପ୍ରାଣୀ କେହି ନାହାନ୍ତି । ପାଣୁ ନାଏକ ମନରେ ଭୟ ଜନ୍ମିଲା । ଶୋଇଥିବା ଲୋକଟି ବଞ୍ଚିଛି କି ମରିଛି, ସେ ବୁଝିପାରିଲା ନାହିଁ ।
ପାଣୁ ନାଏକ ସେଠାରେ ରହିବାକୁ ସାହସ କଲା ନାହିଁ । ତହୁଁ ସେ ଧାଇଁ ରମା ବସିଥିବା ସ୍ଥାନକୁ ଫେରିଆସିଲା । କିନ୍ତୁ ସେ ଠିଆ ହୋଇପାରିଲା ନାହିଁ, ପଡ଼ିଗଲା । ତା’ ଦେହ ତମାମ ଝାଳରେ ତିନ୍ତିଗଲା । ସେ ମନେ ମନେ ଭାବିବାକୁ ଲାଗିଲା, ‘‘ଏଟା କି ଘର ? ମୁଁ କ’ଣ ସତେ ସର୍ଦ୍ଦାର ହାବୁଡ଼ରୁ ବର୍ତ୍ତିଆସିଚି ନା ଏ ସବୁ କେବଳ ସ୍ୱପ୍ନ ?’’ ଏହିପରି ଭାବି ଭାବି, ଦୁଃଖ ଓ ନୈରାଶ୍ୟର ଶେଷ ସୀମାରେ ସେ ଯେତେବେଳେ ପହଞ୍ଚିଲା, ପର୍ବତ ଉପରେ ଚଢ଼ି ପୁଣି ଆର ପାଖେ ତଳକୁ ଓହ୍ଲାଇଗଲା ପରି, ପାଣୁ ନାଏକ ଟିକିଏ ଶାନ୍ତି ଲାଭ କଲା । ରମା ଶୋଇପଡ଼ିଥିଲା । ସେ ବସି ତା’ ମୁଣ୍ଡ ଆଉଁଷି କହିଲା, ‘‘ଆହା କି ଦୁଃଖ ନ ପାଇଲୁ ।’’ କହି, ତା’ ଖଦଡ଼ା ହାତରେ ଆଖି ପୋଛିବାକୁ ଲାଗିଲା ।
ପାଣୁ ନାଏକ ଆଖି ପୋଛିସାରି ଚାହିଁ ଶୁଣିଲା ଖଣ୍ଡେ ଦୂରରେ ଘଣ୍ଟି ବାଜୁଛି । ବଗିଚା ଭିତରେ ଜଣେ ଲୋକ ଚାଲିବାର ଦେଖାଗଲା । ମୁହୂର୍ତ୍ତକ ପୂର୍ବେ ସେଠାରେ ସେ ମନୁଷ୍ୟର ଚିହ୍ନ ନ ଦେଖି ଭୀତ ହେଉଥିଲା । ବର୍ତ୍ତମାନ ମନୁଷ୍ୟ ଦେଖି, ଭୟ ଦୂର କରିବା ପରିବର୍ତ୍ତେ, ସେ ଆହୁରି ଅଧିକ ଭୀତ ହୋଇପଡ଼ିଲା । ସେ ମନେ ମନେ ଭାବିଲା, ‘‘ସର୍ଦ୍ଦାର ମହାପାତ୍ର ପାଚିରି ସେ ପଟେ ବାଘ ଛକିବସିଲା ପରି ବସିଥିବ । ଏ ଲୋକ ଏଠେଇ ମତେ ଦେଖି ହଲା କଲେ, ଧରା ପଡ଼ିଯିବା ଛଡ଼ା ଆଉ ଅନ୍ୟ ଗତି ନାହିଁ ।’’ ତହୁଁ ସେ ଲୋକଟାକୁ ନିରୀକ୍ଷଣ କରି ଚାହିଁବାକୁ ଲାଗିଲା । ଦେଖିଲା, ତା’ ପାଦ ଯେପରି ପଡ଼ୁଛି ଉଠୁଛି, ଘଣ୍ଟି ମଧ୍ୟ ସେହି ଅନୁକ୍ରମେ ବାଜୁଛି । ସେ ବୁଝିପାରିଲା ଯେ ଘଣ୍ଟାଟା ସେ ଲୋକର ଗୋଡ଼ରେ ବନ୍ଧା ହୋଇଛି । କିନ୍ତୁ ରାତି ଅଧରେ ଗୋଟାଏ ନିର୍ଜନ ବଗିଚା ମଧ୍ୟରେ ଜାନୁଘଣ୍ଟିଆ ଯେ କାହିଁକି ଆସି ବୁଲିବ ସେ ଭାବି ସ୍ଥିର କରିପାରିଲା ନାହିଁ । ଲୋକଟା କ୍ରମେ ତା’ ଆଡ଼କୁ ଅଗ୍ରସର ହେଲା । ହଠାତ୍ ଧରାପଡ଼ିବା ପରିବର୍ତ୍ତେ ସେ ସେଠାରୁ ଖସି ପଳାଇବା ଆପାତତଃ ସଙ୍ଗତ ବୋଧ ହେଲା । ରମାକୁ ଉଠାଇବାକୁ ତା’ ଦେହରେ ହାତ ଛୁଆଁଇ ଦେଖିଲା, ବିଲ୍କୁଲ୍ କାକର ହୋଇ ରହିଛି ।
ସେ ରମାକୁ ନାମ ଧରି ଡାକିଲା । ରମା ଉତ୍ତର ଦେଲା ନାହିଁ କି ଆଖି ଫିଟାଇ ଚାହିଁଲା ନାହିଁ । ତହୁଁ ସେ ତାକୁ ଝାଙ୍କି ଉଠାଇବାକୁ ଚେଷ୍ଟା କଲା । ତଥାପି ସେ ଚାହିଁଲା ନାହିଁ । ପାଣୁ ନାଏକର କଲିଜା ପାଣି ଫାଟିଗଲା । ସେ ମନକୁ ମନ କହିଲା, ‘‘କ’ଣ, ଏ ଦୃଶ୍ୟର ଶେଷ ଏଇଠେଇ ? ମରିଯାଇଚି ?’’
ସେ ରମା ନାକ ପାଖେ ହାତ ଦେଇ ଦେଖିଲା, ନିଃଶ୍ୱାସ ଯିବାଆସିବା କରୁଛି; ନାଡ଼ି ଛୁଇଁ ବୁଝିଲା, ଚାଲୁଚି; କିନ୍ତୁ ତା’ ହାତ ଗୋଡ଼ ଥଣ୍ଡା ହୋଇଯାଇଥିଲା । ତା’ର ସନ୍ନିପାତ ହେଲା ବୋଲି ପାଣୁ ନାଏକର ଆଶଙ୍କା ହେଲା । ନିଆଁ ଜାଳି ତାକୁ ନ ସେକିଲେ ସେ ବଞ୍ଚିପାରିବ ନାହିଁ, ପାଣୁ ନାଏକ ସ୍ପଷ୍ଟ ଜାଣିପାରିଲା । ସୁତରାଂ ତା’ ନିଜ ଜୀବନ ପଛକେ ଯାଉ, ସେ ରମାର ଜୀବନ ରକ୍ଷା କରିବା ନିମନ୍ତେ ସେ ଲୋକଟି ପାଖକୁ ଧାଇଁଯାଇ କହିଲା, ‘‘ଶହେ ଟଙ୍କା ଦେବି, ମୋତେ ରାତିଟା ରହିବାକୁ ସ୍ଥାନ ଖଣ୍ଡିଏ ଦିଅ ।’’ ଚନ୍ଦ୍ର-କିରଣରେ ପାଣୁ ନାଏକର ମୁହଁ ସଫା ଦେଖାଗଲା । ଲୋକଟି ଚମକିପଡ଼ି କହିଲା, ‘‘ଦେବାନ ଆଜ୍ଞା, ତୁମେ ଯେ ଏଠେଇ ?’’
ପାଣୁ ନାଏକ ଏତେ ଦିନ ଯେଉଁ ନାମଟାକୁ ଘୃଣା ଓ ଭୟ କରୁଥିଲା, ହଠାତ୍ ଅଚିହ୍ନା ମୁହଁରେ ନିଜର ସେ ନାମ ଶୁଣି, ପଛକୁ ହଟିଗଲା । ସେ ବୁଝିପାରିଲା ଯେ ଧରାପଡ଼ିଛି; ଆଉ ଉପାୟ ନାହିଁ । ତଥାପି ସେ ସାହସ ବାନ୍ଧି ପଚାରିଲା, ‘‘ତୁମେ କିଏ ? ଏଟା କି ଘର ?’’
‘‘ତୁମେ ଆପଣ କ’ଣ ଜାଣିନାହଁ ? ମୋତେ ଚିହ୍ନିପାରୁ ନାହଁ, ମୋ ପ୍ରାଣ ପରା ରଖିଥିଲ-? ମୋତେ ପରା ଚିଠି ଲେଖି ଏଇ ଚାକିରିରେ ରଖେଇ ଦେଇଥିଲେ ?’’ ପାଣୁ ନାଏକ ଚିହ୍ନିଲା, ସେ ବୁଢ଼ା ବାସୁଦାସ । ସେହି ବାସୁଦାସକୁ ସାରଙ୍ଗଗଡ଼ର ଦେବାନ ଧନଞ୍ଜୟ ରାଏ ଦିନେ ଶଗଡ଼ ତଳୁ କାଢ଼ି ବଞ୍ଚାଇଥିଲେ । ତାକୁ ଚିହ୍ନିଲା ପରେ ପାଣୁ ନାଏକ କହିଲା, ‘‘ଦାସେ, ଏଠେଇ କି କାମ କର ତୁମେ ?’’
‘‘ମାଳୀ କାମ କରେ ପରା । ଆଉ ଆପଣ କିମିତି ଆସିଲ, ଏ ଭିତରକୁ ?’’ ଉତ୍ତର ନ ଦେଇ ପାଣୁ ନାଏକ ନାନା ପ୍ରଶ୍ନ ପଚାରିବାକୁ ଲାଗିଲା । ସେ ସବୁ ପ୍ରଶ୍ନର ଉତ୍ତରରେ ବାସୁଦାସ ଯାହା କହିଲା ତା’ର ସାରାଂଶ ଏହି– ‘‘ଏଟା ଗୋଟାଏ ବଡ଼ ମଠ । ଏ ମଠରେ ବାବାଜି ନାହାନ୍ତି କି କେବେ ବାବାଜିଙ୍କ ଛାଇ ପଡ଼େ ନାହିଁ । ଏଠେଇ ଖାଲି ମାତାମାନେ ରହନ୍ତି । ସେମାନେ ପୁରୁଷର ମୁହଁ ଚାହାନ୍ତି ନାହିଁ । ସେଥିପାଇଁ ମୁଁ ଗୋଡ଼ରେ ଘଣ୍ଟି ବାନ୍ଧିଚି । ଘଣ୍ଟି ଶବ୍ଦ ଶୁଣିଲେ, ମୁଁ ଯାଉଚି ବୋଲି ଜାଣି, ସେମାନେ ଆଡ଼େଇ ହେଇଯାଆନ୍ତି । ତୁମେ ତ ମୋତେ ରଖେଇ ଦେଇଥିଲ । କ’ଣ ପାସୋରି ଦେଲଣି ?’’ ସେ ସବୁ ବର୍ଣ୍ଣନା ଶୁଣିବାରେ ପାଣୁ ନାଏକର ପୂର୍ବ କଥାମାନ ଧୀରେ ଧୀରେ ମନେ ପଡ଼ିଲା; ସେ ଯେ ଦୁଇ ବର୍ଷ ପୂର୍ବେ ବାସୁଦାସକୁ କଟକ ମାତା ମଠରେ ମାଳୀ କାମରେ ରଖାଇ ଦେଇଥିଲା, ତା’ର ସ୍ମରଣ ହେଲା ।
ବାସୁଦାସ ପଚାରିଲା, ‘‘ଦେବାନ ମହାରାଜ, ଆପଣ ଏ ଭିତରକୁ ଆସିଲ କିମିତି ? କେହି ତ ଜାଣିଶୁଣି କେବେ ଛାଡ଼ି ନ ଥିବେ ।’’
‘‘ସେ କଥା ପରେ ଶୁଣିମ । ଦେଖ, ଦିନେ ମୁଁ ତୁମ ପ୍ରାଣ ରଖିଥିଲି । ତୁମେ ବର୍ତ୍ତମାନ ମୋ ପ୍ରାଣ ରଖ ।’’
‘‘ତୁମେ ମୋର ଯେ ଉପକାର କରିଚ ମୁଁ କ’ଣ ଏ ଜନ୍ମରେ ଶୁଝିପାରିବି ? ହେଲେ ଯାହା କହିବ, କରିବି । କଣ କହୁଚ, କହ ।’’
‘‘ତୁମେ କେଉଁଠି ରହୁଚ ?’’
‘‘ବଗିଚା ଭିତରେ ମୋର ଗୋଟିଏ ଛୋଟିଆ କୁଡ଼ିଆ ଘର ଅଛି । ତିନି ବଖରାକୁ ଜଣେ ଏକା ମୁଁ ।’’ ଶୁଣି ପାଣୁ ନାଏକ ଧୀରେ ଧୀରେ କହିଲା, ‘‘ବେଶ୍ । ଶୁଣ, ଦୁଇଟି କଥା ମନେ ରଖ । ଗୋଟିଏ, ତୁମେ ମୋ ବିଷୟ କିଛି କାହାକୁ କହିବ ନାହିଁ; ଆରଟି, ମୋ ବିଷୟରେ ଯାହା ଜାଣିଚ, ତା’ଠୁ ଅଧିକ କିଛି ମୋତେ ପଚାରିବ ନାହିଁ ।’’
‘‘ହଉ, ଆପଣ ମହତ୍ ଲୋକ, ମୁନିଋଷିଙ୍କ ସଙ୍ଗେ ସମାନ । ଆପଣ କ’ଣ କିଛି ଅନ୍ୟାୟ କରିବେ ? ତା’ପରେ ତୁମେ ପୁଣି ମୋତେ ଏ ଚାକିରିରେ ରଖେଇ ଦେଇଚ । ତୁମେ ଯାହା କହିବ, ମୁଁ କରିବି ।’’
‘‘ଆଚ୍ଛା ତେବେ ଆସ; ମୋ ପିଲାଟିକି ଘେନି ଆସିବା ।’’
‘‘ଆଁ, ଆଉ କ’ଣ ଫେରେ ପିଲାଟିଏ ଅଛି, ନା କ’ଣ ?’’ ବିସ୍ମୟ ସେତିକିରେ ପ୍ରକାଶ କରି, ଆଉ କିଛି ନ କହି, ବାସୁଦାସ ପାଣୁ ନାଏକ ପଛେପଛେ ତା’ ବେତନଭୋଗୀ ଭୃତ୍ୟ ପରି ଅନୁସରଣ କରି ଚାଲିଲା । କେତକ ସମୟ ପରେ ମାଳୀ ଶେଯରେ ଶୋଇ ରମା ପୁଣି ଆନନ୍ଦରେ ସ୍ୱପ୍ନ ଦେଖିବାକୁ ଲାଗିଲା । ମାଳୀ ପାଣୁ ନାଏକ ଶୋଇବା ନିମନ୍ତେ ତଳେ କିଛି ପାଳ ବିଛାଇ ଦେଲା ଓ ନିଜେ ମଧ୍ୟ ପାଳ ବିଛାଇ ତା’ ପାଖେ ଶୋଇଲା । ନିଦ ହେବା ପୂର୍ବରୁ ମାଳୀ ଯାହା ଯାହା କହିଲା, ତା’ର ସାରାଂଶ– ‘‘ଦେବାନ ମହାରାଜ, ଆପଣ ମୋତେ ଦେଖିଲାକ୍ଷଣି ଚିହ୍ନିପାରିଲେ ନାହିଁ-। ତୁମେ ଲୋକଙ୍କ ପ୍ରାଣ ରଖୁଚ; ପରେ ପୁଣି ତାଙ୍କୁ ଭୁଲି ଯାଉଚ । ଏଟା ଭାରି ଅନ୍ୟାୟ ।’’
✽✽✽
୨୧
ପୁଣି ଖୋଜା ତନଖା ଚାଲିଲା
ଏପର୍ଯ୍ୟନ୍ତ ଚିତ୍ରର କେବଳ ଗୋଟାଏ ପାଖ ଦେଖାଗଲା । ରାଧାର ମୃତ୍ୟୁଶଯ୍ୟା ନିକଟରୁ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଯେଉଁଦିନ ପାଣୁ ନାଏକକୁ ଧରିନେଲେ, ପାଣୁ ନାଏକ ଜେଲଖାନାକୁ ଯାଇ ସେଠାରୁ ଖସି ପଳାଇଗଲା । ପୋଲିସ ବିଭାଗ କର୍ମଚାରୀମାନେ ମନେକଲେ ଯେ ସେ କଟକ ଯାଇଥିବ । ସେଥିପାଇଁ ସର୍ଦ୍ଦାର ମହାପାତ୍ର କଟକ ଯାଇ ତାକୁ ଖୋଜାଇବାରେ ଲାଗିଲେ । ସେ ଖୋଜିବାଟା ଅବଶ୍ୟ ବିଫଳ ହେଲା । କିନ୍ତୁ ତାଙ୍କ ଦକ୍ଷତା ଦେଖି, କଟୁଆଳ ବିଭାଗର ବଡ଼ କର୍ମଚାରୀ ତାଙ୍କୁ କଟକ ସହରରେ ରଖିନେଲେ । କଟକରେ ନୂତନ କର୍ମକ୍ଷେତ୍ର ପାଇ ସର୍ଦ୍ଦାର ମହାପାତ୍ର ପାଣୁ ନାଏକ କଥା ଏକାବେଳକେ ଭୁଲିଗଲେ । ତା’ପରେ ୧୨୫୬ ସାଲ ଶୀତକାଳ ଆରମ୍ଭରେ ସେ ଯେତେବେଳେ ଶୁଣିଲେ ଯେ ପାଣୁ ନାଏକ ଧାମରା ବନ୍ଦରଠାରେ ଜାହାଜରୁ ପଡ଼ି ପାଣିରେ ବୁଡ଼ି ମରିଗଲା ଏବଂ ସେ ମର୍ମରେ ଏକ ସରକାରୀ ଇସ୍ତାହାର ମଧ୍ୟ ସ୍ୱଚକ୍ଷୁରେ ଦେଖିଲେ, ସେ କହିଲେ, ‘‘କଟୁଆଳ ହାତରୁ ରକ୍ଷା ପାଇବାର ଏକ ଶ୍ରେଷ୍ଠ ଉପାୟ ।’’
କିନ୍ତୁ କିଛିଦିନ ପରେ ଜଜାରସିଂହ ଦୀନା ସାହୁ ଘରୁ କେହି ଜଣେ ଲୋକ ତା’ ପାଳିତା କନ୍ୟା ରମାକୁ ଘେନି ପଳାଇବା ସମ୍ବାଦ କଟୁଆଳ ବିଭାଗ କର୍ମଚାରୀଙ୍କ ପାଖେ ପହଞ୍ଚିଲା । ତା’ ଜନ୍ମକଲା ମା’ ରାଧା ଯେ କୌଣସିଠାରେ ଚିକିତ୍ସାଳୟରେ ମରିଥିଲା, ସେ ସମ୍ବାଦ ଜଣାଥିଲା । ଖବର ସବୁ ଏକତ୍ର ହୋଇ ଯେତେବେଳେ ସର୍ଦ୍ଦାରଙ୍କ ଆଗରେ ଥୁଆଗଲା, ସେ ଗଭୀର ଚିନ୍ତାରେ ବୁଡ଼ି ବସି ରହିଲେ । ସେ ରାଧାର ନାମ ଜାଣିଥିଲେ । ପାଣୁ ନାଏକ ତା’ ପିଲାକୁ ଆଣିବ ବୋଲି ଯେ ତିନିଦିନ ସମୟ ମାଗୁଥିଲା, ତାଙ୍କ ମନେ ପଡ଼ିଗଲା । କଟକରୁ ଜଜାରସିଂହ ଆଡ଼କୁ ଯିବା ବାଟରେ ଥରେ ପାଣୁ ନାଏକ ଧରା ହୋଇଥିଲା । ସର୍ଦ୍ଦାର ସବୁ ବିଷୟ ଏକାଠି ଗୁନ୍ଥି ଠିକ୍ କଲେ ଯେ ରାଧା ଝିଅ ରମା ଦୀନା ସାହୁ ଘରେ ଜଜାରସିଂହରେ ଥିଲା । ତାକୁ ପାଣୁ ନାଏକ ଚୋରାଇ ଆଣିଥିବା ସମ୍ଭବପର; କିନ୍ତୁ ପାଣୁ ନାଏକ ପରା ମରିଯାଇଥିଲା । ତଥାପି ସେ ମୁହୂର୍ତ୍ତେ ସମୟ ନଷ୍ଟ ନ କରି ଜଜାରସିଂହ ଚାଲିଗଲେ । ସେଠାରେ ଯେତେ ତଦନ୍ତ କଲେ ତାଙ୍କର ସନ୍ଦେହ ଦୂର ହେଲା ନାହିଁ । ରମାକୁ କିଏ ଚୋରାଇନେଇଛି କହିଲେ, ନିଜ ଉପରକୁ ଦୋଷ ଆସିବ ଜାଣି, ଦୀନା ସାହୁ କହିଲା, ‘‘ରମାକୁ ତ ଅଜା ଆସି ନେଇ ଯାଇଚି ।’’ ଶୁଣି, ସର୍ଦ୍ଦାର ମହାପାତ୍ର ମନକୁ ମନ କହିଲା, ‘‘ନା, ଏଟା ପାଣୁ ନାଏକ ନୁହେଁ । ସେ ନିଶ୍ଚୟ ମରିଯାଇଚି । ମୁଁ ଗୋଟାଏ ବଳଦ । ବୃଥା ଏତେ ଭୁଆଁ ବୁଲିଲି ।’’
ବର୍ଷକ ମଧ୍ୟରେ ପାଣୁ ନାଏକ ବିଷୟରେ ସମସ୍ତ କଥା ପ୍ରାୟ ପାସୋରିଦେଲା ବେଳକୁ, ସେ କଟକ ମଙ୍ଗଳବାଗର ସେହି ‘‘ଭିକାରି ଦାତା’’ କଥା ଦିନେ ହଠାତ୍ ଶୁଣିଲେ । ସେ ଆହୁରି ମଧ୍ୟ ଶୁଣିଲେ ଯେ ତା’ ସାଙ୍ଗରେ ଆଠ ବର୍ଷର ଗୋଟିଏ ବାଳିକା ଅଛି ଏବଂ ସେ ବାଳିକା ଜଜାରସିଂହରୁ ଆସିଛି । ସେହି ଭିକାରି ଦାତା ହାତରେ ଲକ୍ଷ ଲକ୍ଷ ଟଙ୍କା ଅଛି ବୋଲି ମଧ୍ୟ ତାଙ୍କୁ ଖବର ମିଳିଲା । ସେ ସମୟ ନଷ୍ଟ ନ କରି, ଛିଣ୍ଡା ନେଙ୍କଡ଼ା କନା ପିନ୍ଧି, ଭିକାରି ବେଶରେ, ମଙ୍ଗଳବାଗର ଗୋଟିଏ କୂଅ ପାଖରେ ଯାଇ ବସିଲେ । ସେହିଠାରେ ପାଣୁ ନାଏକ ତାଙ୍କୁ ଭିକ ଦେବାକୁ ଗଲା । ସେତେବେଳେ ପାଣୁ ନାଏକ ତାଙ୍କୁ ଦେଖି ଯେପରି ସନ୍ଦେହରେ ଚମକି ପଡ଼ିଲା, ସେ ମଧ୍ୟ ପାଣୁ ନାଏକକୁ ଦେଖି ଚିହ୍ନିପାରି, ହଠାତ୍ ଚମକିପଡ଼ିଲେ; କିନ୍ତୁ ସେତିକିରେ ସର୍ଦ୍ଦାରଙ୍କ ସନ୍ଦେହ ମୋଚନ ହେଲା ନାହିଁ । ସେ ତାକୁ ସୁବିଧାରେ ଛକିବା ନିମନ୍ତେ ତା’ ବସା ପାଖେ ଖଣ୍ଡିଏ ବସାଘର ନେଇ ରହିବାକୁ ଗଲେ । ପ୍ରଥମ ଦିନ ସନ୍ଧ୍ୟାବେଳେ ସେ ଗୋଟିଏ ଆଲୁଅ ଧରି ଯେତେବେଳେ ପାଣୁ ନାଏକ ଦ୍ୱାରେ ପହଞ୍ଚିଲେ, ପାଣୁ ନାଏକ ଫାଟବାଟେ ତାଙ୍କୁ ଦେଖି ଏକ ମହା ସଙ୍କଟରେ ପଡ଼ିଗଲା-।
ପାଣୁ ନାଏକ ମଙ୍ଗଳବାଗ ବସାଘର ଛାଡ଼ି ଯେଉଁଦିନ ରାତିରେ ପଳାଇ ଆସିଲା, ସର୍ଦ୍ଦାର ମହାପାତ୍ର ଦୁଇଜଣ ଲୋକ ନେଇ ତା’ ଘର ପାଖେ ଜଗିଥିଲେ, ସୁତରାଂ ସେ ପଳାଇ ଆସିବା ସଙ୍ଗେ ସଙ୍ଗେ ତାକୁ ଅନୁସରଣ କରିବାରେ ଲାଗିଲେ । ଅଥଚ ସେ ପାଣୁ ନାଏକକୁ ସେହିଠାରେ ଧରି ବନ୍ଦୀ କଲେ ନାହିଁ । ସେ ଜଣେ ଧର୍ମପରାୟଣ ବ୍ୟକ୍ତି । ଅନ୍ୟାୟରେ ନିରପରାଧୀକୁ ବନ୍ଦୀ କରିବା ତାଙ୍କର କାର୍ଯ୍ୟ ନୁହେଁ । ସେଥିପାଇଁ ସେ ଠିକ୍ ରୂପେ ଚିହ୍ନିଲା ପର୍ଯ୍ୟନ୍ତ ଅପେକ୍ଷା କରି ରହି, କେବଳ ଅନୁସରଣ କରିବାରେ ଲାଗିଲେ । ମାତାମଠ ପାଖ ଗଳିରେ ପାଣୁ ନାଏକ ମେଲା ଡିହରେ ଠିକ୍ ପଶିବା ବେଳେ, ସେ ଖଣ୍ଡେ ଦୂରରୁ ତାକୁ ଚନ୍ଦ୍ର କିରଣରେ ସ୍ପଷ୍ଟ ରୂପେ ଦେଖି ନିଃସନ୍ଦେହ ଭାବରେ ଚିହ୍ନି ପକାଇଲେ । ମାତ୍ର ସିପାହୀମାନେ ସଙ୍ଗରେ ନ ଥିବାରୁ ସେମାନଙ୍କୁ ଡାକିବାକୁ ସେ ଯେତେବେଳେ ପଛକୁ ମୁହଁ ବୁଲାଇଲେ, ସେହି ଅବସରରେ ପାଣୁ ନାଏକ ଅଦୃଶ୍ୟ ହୋଇଗଲା ।
ପାଣୁ ନାଏକ ଖସି ଚାଲିଯିବାର ଦେଖି ସର୍ଦ୍ଦାର ମର୍ମାହତ ହୋଇପଡ଼ିଲେ । କିନ୍ତୁ ସେ ଯେ ବେଶି ଦୂର ଯାଇନାହିଁ, ସର୍ଦ୍ଦାର ସ୍ପଷ୍ଟ ବୁଝିପାରିଲେ । ସେ ଏଘର ସେଘର ଏଗଳି ସେଗଳି ଖୋଜି ବୁଲିବାକୁ ଲାଗିଲେ । ସତେ ଯେପରି ସେ ଗୋଟାଏ ହଜିଲା ଛୁଞ୍ଚି ଖୋଜୁଛନ୍ତି, ସେହିପରି ଭାବରେ ଚାରିଆଡ଼େ ନିରୀକ୍ଷଣ କରିଗଲେ । ଖୋଜୁଖୋଜୁ ରାତି ପାହିଯିବାରୁ ଦୁଇ ଜଣ ସିପାହୀ ବସାଇଦେଇ, ନିଜେ ମୁଣ୍ଡ ପୋତି ଚୋରଟି ପରି, ଛାତିଫଟା ଦୁଃଖରେ ଫାଣ୍ଡିକି ଫେରିଲେ ।
✽✽✽
୨୨