କାହିଁରୁ କ’ଣ ଉପୁଜିଲା — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କାହିଁରୁ କ’ଣ ଉପୁଜିଲା
ଦିନେ ସନ୍ଧ୍ୟା ସମୟରେ ବନମାଳୀ ଦର୍ଜିକୋଠାରୁ ବାହାରି ବାଟରେ ଚିନ୍ତାମଗ୍ନ ହୋଇ ଯାଉଥିଲା । ହଠାତ୍ ତା’ ଦେହରେ ଗୋଟାଏ ଧକ୍କା ବାଜିଲା । ସେ ଚାହିଁ ଦେଖିଲା, ଛିଣ୍ଡା କନା ଦୁଇ ଖଣ୍ଡ ପିନ୍ଧି ଦୁଇଟି ବାଳିକା ଧଇଁସଇଁ ହୋଇ ଧାଇଁ ପଳାଉଛନ୍ତି । ତାଙ୍କ ମୁଣ୍ଡ ବାଳ ଫିଟିଛି; ଦେହରୁ ଝାଳ ବୋହିଯାଉଛି । ପିନ୍ଧିଥିବା ଛିଣ୍ଡା କନାଖଣ୍ଡମାନ ଖସି ପଡ଼ିବାକୁ ଲୋଡ଼ୁଛି । ଶୁଣିଲା, ଧାଉଁ ଧାଉଁ ଜଣେ ଜଣକୁ କହୁଛି, ‘‘ଆସି ମତେ ଧରି ତ ଥିଲା । କପାଳ ଟାଣ ଥିବାରୁ ଖସିଅଇଲି-।’’
ଆର ଜଣକ ପଚାରିଲା, ‘‘କ’ଣ, କାଲିର ସେଇ ସିପେଇ ?’’
ବନମାଳୀ ବୁଝିଲା ଯେ କୌଣସି ପୋଲିସ କର୍ମଚାରୀଙ୍କି ଦେଖି, ବାଳିକା ଦିଓଟି ଭୟରେ ପଳାଉଛନ୍ତି । ଦୁହେଁ ଶୀଘ୍ର ଦୃଷ୍ଟି ପଥରୁ ଅନ୍ତର ହୋଇଗଲେ । ବନମାଳୀ ଗୋଡ଼ରେ ଗୋଟାଏ କନାପୁଡ଼ା ବାଜିଲା । ସେ ତାହା ଗୋଟାଇ କହିଲା, ‘‘ଏ ପିଲା ଦି’ଟା ପକେଇଦେଇ ଚାଲିଗଲେ ।’’ ସେ ପଛରୁ ଡାକିଲା; କିନ୍ତୁ କେହି ଶୁଣିଲେ ନାହିଁ ।
ଘରକୁ ଫେରିଆସି, ବନମାଳୀ ତା’ ଅପ୍ସରୀ ରାସମଣିର ଠିକଣା କାଳେ ପାଇଯିବ, ସେହି ଆଶାରେ ପୁଡ଼ାଟି ଫିଟାଇ ଦେଖିଲା । ପୁଡ଼ାରେ ଚାରିଖଣ୍ଡ ଚିଠି ଥିଲା । ଚାରିଖଣ୍ଡି ଚିଠିରେ ଚାରିଜଣଙ୍କ ଠିକଣା ଲେଖା ଯାଇଥିଲା । ଏକା ଧୂଆଁପତ୍ର ଗନ୍ଧ ପ୍ରତି ଚିଠିରୁ ମିଳୁଥିଲା । ପ୍ରଥମ ଚିଠିରେ ଠିକଣା ଥିଲା, ‘‘ଜମିଦାର ନୀଳକଣ୍ଠ ନାଏକ’’, ଏବଂ ଚିଠିରେ ଲେଖାଥିଲା ‘‘ମୁଁ ତୀର୍ଥ କରିବାକୁ ପୁରୀ ଯାଇଥିଲି । ଫେରିଲାବେଳେ ବାଟରେ ବାଲିଅନ୍ତା ନିକଟରେ ମୋର ସବୁ ଚୋରି ଗଲା । ମୋତେ ସମ୍ବଲପୁର ଯିବାକୁ ହେବ । ମୁଁ ସପରିବାରରେ ଅଛି । ଆପଣ ଦୟାକରି ଏ ପତ୍ରବାହକ; ମୋ ଝିଅ, ହାତେ ପଚାଶଟି ଟଙ୍କା ଦେଲେ ଆମେ ଘରେ ପହଞ୍ଚିବୁ । ଘରେ ପହଞ୍ଚିଲେ, ମୁଁ ଆପଣଙ୍କ ଟଙ୍କା ପଠେଇଦେବି । ଆପଣଙ୍କର ନିରାଶ୍ରୟ ଜଗବନ୍ଧୁ ନାଏକ ।’’
ଅପ୍ସରୀ ରାସମଣିର ଠିକଣା ନ ପାଇ, ବନମାଳୀ ଦ୍ୱିତୀୟ ଚିଠିଟି ଫିଟାଇଲା । ତହିଁରେ ଠିକଣା ଥିଲା, ‘‘ବସନ୍ତ କୁମାର ମହାନ୍ତି, ଆଲମଚାନ୍ଦ ବଜାର’’ ଏବଂ ଚିଠିରେ ଲେଖାଥିଲା, ‘‘ମୁଁ ଜଣେ ବ୍ୟବସାୟୀ ଲୋକ । ବ୍ୟବସାୟ ଉଦ୍ଦେଶ୍ୟରେ ସପରିବାର ଏ ସହରକୁ ଆସିଥିଲି । ବ୍ୟବସାୟ ନ ଚଳିବାରୁ ସର୍ବସ୍ୱାନ୍ତ ହୋଇପଡ଼ିଛି । ମୋ ଝିଅକୁ ପଠାଇଲି । ଆପଣ ତା’ ହାତେ ପଚାଶ ଟଙ୍କା ଦେଲେ, ମୁଁ ବାଟଖର୍ଚ୍ଚ କରି ପୁଣି ଗାଁକୁ ଫେରିଯିବି । ଗାଁରୁ ଆପଣଙ୍କ ଟଙ୍କା ପଠାଇଦେବି । ଆପଣଙ୍କର, ମଦନମୋହନ ମହାନ୍ତି ।’’
ବନମାଳୀ ତୃତୀୟ ଚିଠି ଧଇଲା । ତା’ ଠିକଣା ଥିଲା, ‘‘ପୁରନ୍ଦର ପଟ୍ଟନାଏକ, ଚାନ୍ଦିନୀଚଉକ’’ । ସେଥିରେ ଲେଖାଥିଲା, ‘‘ମହାଶୟ, ମୁଁ ଝିଅକୁ ଶାଶୁଘରୁ ନେଇ ମହାନଦୀରେ ବୈଦ୍ୟେଶ୍ୱର ଯାଉଥିଲି । ନାଆ ବୁଡ଼ିଯିବାରୁ ଏଠି ପଡ଼ିରହିଛି । ମୋର ସ୍ୱାମୀ ନାହାନ୍ତି କି ଘରେ ଅନ୍ୟ କୌଣସି ପୁରୁଷ ଲୋକ ନାହିଁ । ଆପଣ ଦୟାବନ୍ତ ଲୋକ । ମୋ ଝିଅ ଏ ଚିଠିନେଇ ଗଲା । ୟା ହାତେ ପଚାଶଟି ଟଙ୍କା ଦେଲେ, ମୁଁ ଗାଁରୁ ପଠାଇଦେବି । ଆପଣଙ୍କର ସୁକୁମାରୀ ଦେଈ ।’’
ବନମାଳୀ ତିନି ଖଣ୍ଡଯାକ ଚିଠିରେ ଆାଶାନୁରୂପେ ଖବର ନ ପାଇ ଚତୁର୍ଥ ଖଣ୍ଡି ପଢ଼ି ଦେଖିଲା । ସେଥିରେ ଠିକଣାରେ ଲେଖାଥିଲା, ‘‘କାଳୀମନ୍ଦିର ଭକ୍ତ ଧର୍ମାର୍ଥୀ ଦାତାଙ୍କ ନିକଟକୁ ସବିନୟ ନିବେଦନ–ଧର୍ମାବତାର ମହାଶୟ, ମୁଁ ମୋ ସ୍ତ୍ରୀ ଏବଂ ଝିଅ ଦିଓଟିଙ୍କି ନେଇ ଏଠାରେ ଯେ କି ହଇରାଣ ହେଉଛି, ଭଗବାନ ଜାଣନ୍ତି । ମୁଁ ସହରର ଜଣେ ବାସିନ୍ଦା । ଆଗେ ମୁଁ ଭଲ ଅବସ୍ଥାରେ ଥିଲି; ମାତ୍ର ମୋର ବର୍ତ୍ତମାନ ରୋଜଗାରର କିଛି ଉପାୟ ନାହିଁ । ଆପଣ ଅନେକ ଦାନ ପୁଣ୍ୟ କରୁଛନ୍ତି । ମୋ ଦୁର୍ଦ୍ଦଶା ଥରେ ଆସି ଦେଖିଯାନ୍ତୁ । ତାହାହେଲେ, ମୁଁ ବୁଝିବି ଯେ ମୋ ଦଶା ଲେଉଟିଯିବ । ଆପଣଙ୍କକର ହତଭାଗ୍ୟ ମୁକୁନ୍ଦ ଜେନା ।’’
ଚିଠି ଚାରିଖଣ୍ଡ ପଢ଼ିସାରି, ବନମାଳୀ ନିରାଶ ହୋଇ ବସିଲା । ସେ ଭାବିଲା, ‘‘କାହିଁ, ଯାହା ଖୋଜୁଥିଲି, କିଛି ତ ମିଳିଲା ନାହିଁ ।’’ କିନ୍ତୁ ଚାରିଖଣ୍ଡଯାକ ଚିଠି ଯେ ଜଣେ ଲୋକର ହସ୍ତାକ୍ଷରରେ, ଚାରିଜଣଙ୍କ ନାମରେ, ଚାରିଟା ଭିନ୍ନ ଭିନ୍ନ କାଳିରେ ଲେଖା ହୋଇଥିଲା, ଦେଖି ତା’ର କୌତୂହଳ ଜନ୍ମିଲା; ମାତ୍ର ସେଥିରୁ ଗୋଟାଏ ତଥ୍ୟ ଖୋଜି ବାହାର କରିବା ଶ୍ରମ ସ୍ୱୀକାର କରିବାକୁ ଇଚ୍ଛା ନ କରି, ସେ ଚିଠିଗୁଡ଼ାକ ଘରର ଗୋଟାଏ କଣକୁ ଫିଙ୍ଗିଦେଲା ଏବଂ ରାତିରେ ଶୋଇ ଅପ୍ସରୀ ରାସମଣିର ମୂର୍ତ୍ତି ଆଖି ଆଗରେ କଳ୍ପନା କରିବାକୁ ଲାଗିଲା ।
ପରଦିନ ସକାଳୁ ଦ୍ୱାରେ କିଏ ଟିପ ମାଇଲା । ବନମାଳୀ କହିଲା, ‘‘ଭିତରକୁ ଆସ’’ । ଦ୍ୱାର ଫିଟିଲା ଓ ସଙ୍ଗେ ସଙ୍ଗେ ଗୋଟିଏ ସ୍ୱର ଶୁଭିଲା, ‘‘ଟିକିଏ ଶୁଣିମ ନାହିଁ ?’’ ବନମାଳୀ ଭାବିଲା, ‘‘ଏ ପୁଣି କିଏ ଜଣେ ବୁଢ଼ା ଆସି ପହଞ୍ଚିଲାଣି ।’’ ମାତ୍ର ସେ ଚାହିଁ ଦେଖିଲା, ଗୋଟିଏ ଛୋଟିଆ ବାଳିକା; ଛିଣ୍ଡା କନା ପିନ୍ଧିଛି, ବାଳ ଫୁର୍ଫୁର୍ ହେଉଛି, ଦେହରେ ରକ୍ତ ନ ଥାଇ ଶେତା ଦିଶୁଛି, ଆଖି ଭିତରକୁ ପଶିଯାଇଛି । ଦେଖି ବନମାଳୀ ଚମକି ପଡ଼ି ପଚାରିଲା, ‘‘କ’ଣ ପିଲା ?’’
‘‘ମୁଁ ଖଣ୍ଡିଏ ଚିଠି ଆଣିଚି, ବନମାଳୀବାବୁ ।’’ ଶୁଣି ବନମାଳୀ ମହା ସନ୍ଦେହରେ ପଡ଼ିଲା-। ବାଳିକା ତା’ ନାମ କିପରି ଜାଣିଲା, ଭାବି ଭାବି ସେ କିଛି ସ୍ଥିର କରିପାରିଲା ନାହିଁ । ତଥାପି ସେ ଚିଠିଖଣ୍ଡି ନେଇ ଫିଟାଇ ଦେଖିଲା, କାଳି ସମ୍ପୂର୍ଣ୍ଣ ଶୁଖି ନାହିଁ । ସେଥିରୁ ବୁଝିଲା ସେ ଚିଠିଖଣ୍ଡି ଅତି ଅଳ୍ପ ଦୂରରୁ ଆସିଛି । ପଢ଼ିଲା–
ଆପଣଙ୍କ ଗୁଣାବଳୀ ମୁଁ ଶୁଣୁଛି, ଆପଣ କେତେ ମାସ ତଳେ ମୋ ପାଇଁ ତ ଛ’ ମାସର ଘରଭଡ଼ା ଦେଇଥିଲେ । ସେ ଉପକାର ମୁଁ ପାସୋରି ପାରିବି ନାହିଁ । ମୋ ବଡ଼ ଝିଅ ଏ ଚିଠି ଧରି ଗଲା । ତା’ଠାରୁ ଶୁଣିବେ, ଆମେ ଚାରି ପ୍ରାଣୀ ଦୁଇଦିନ ହେଲା ଖାଇ ନାହୁଁ । ସେଥିରେ ପୁଣି ମୋ ଭାର୍ଯ୍ୟାର ଦେହ ବ୍ୟସ୍ତ ହୋଇଛି । ଏଥିରୁ ଆପଣ ମୋତେ ଉଦ୍ଧାର କରିବେ; ଆଜି ମୋତେ କିଛି ସାହାଯ୍ୟ ଦେବେ । ବନମାଳୀବାବୁ ଆମ ଦଶା ଦେଖିଲେ ଆପଣଙ୍କ ହୃଦୟ କାନ୍ଦିବ । ମୋ ଝିଅକୁ ନିରାଶ କରିବେ ନାହିଁ ।
ଗତ ରାତିରେ ଯେଉଁ ଚାରିଖଣ୍ଡ ଚିଠି ଅକସ୍ମାତ୍ ବନମାଳୀ ହାତରେ ପଡ଼ି ତାକୁ ଅନ୍ଧାରରେ ବୁଲାଉଥିଲା, ଏ ଚିଠିଖଣ୍ଡ ତା’ ମଧ୍ୟରେ ଗୋଟାଏ ଦୀପ ଆଣି ଜାଳିଦେଲା । ଭିତରର ଗୂଢ଼ ରହସ୍ୟ କ୍ରମେ ଉଜ୍ଜ୍ୱଳ ହୋଇ ଆସିଲା । ସେ ଚାରିଖଣ୍ଡ ଚିଠି ଯେ ଲେଖିଥିଲା, ଏ ଚିଠି ଖଣ୍ଡ ମଧ୍ୟ ତାରି ହାତର ଲେଖା, ସେହି କାଗଜ ସେହି ଧୂଆଁପତ୍ର ଗନ୍ଧ । ପାଞ୍ଚଖଣ୍ଡ ଚିଠିରେ ପାଞ୍ଚଟା ଇତିହାସ, ପାଞ୍ଚଜଣ ଲୋକର ନାମ, ପାଞ୍ଚଟା ଠିକଣା ଅଥଚ ଜଣେ ଲେଖକ । ବନମାଳୀ ମନେ ମନେ ଭାବିଲା, ‘‘ସବୁ ହୁଏତ ଜଣେ ଅଗାଧୁ ବେହେରାର କାମ । ତେବେ ଏ ଅଗାଧୁ ବେହେରା ଏବେ ସତ କି ମିଛ, କିଏ ଜାଣେ ?’’
ଦର୍ଜିକୋଠାରେ ବନମାଳୀ ଏତେ ଦିନ ରହିଲା; କିନ୍ତୁ ତା’ ତଳମହଲା ଘରେ କିଏ ଅଛନ୍ତି, ତାହା ଦିନେ ତା’ ଦୃଷ୍ଟିରେ ପଡ଼ିଲା ନାହିଁ । ବର୍ତ୍ତମାନ ଅଗାଧୁ ବେହେରାର ଚିଠିଟା ପାଇ, ସେ ବୁଝିଲା ଯେ ସେ ଲୋକଙ୍କଠାରୁ ସାହାଯ୍ୟ ମାଗି ଖର୍ଚ୍ଚ ଚଳାଇବାଟାକୁ ଗୋଟାଏ ବ୍ୟବସାୟ କରିଛି; ଭିନ୍ନ ଭିନ୍ନ ଲୋକଙ୍କ ନାମରେ ଜାଲ କରି ସହରର ନାନା ବ୍ୟକ୍ତିଙ୍କ ନିକଟକୁ ପତ୍ର ଲେଖୁଛି, ଏପରିକି ବାପ ହୋଇ ଯୁବତୀ ଝିଅମାନଙ୍କୁ ଦାଣ୍ଡକୁ ଛାଡ଼ି ଦେବାରେ କୁଣ୍ଠିତ ହେଉନାହିଁ । ତହୁଁ ସେ ମନକୁ ମନ କହିଲା, ‘‘ଏଟା ଭାଗ୍ୟ ସାଙ୍ଗେ ଗୋଟାଏ ମସ୍ତ ଜୁଆଖେଳ ।’’
ବନମାଳୀ ସେହିପରି ଭାବୁଥିବା ସମୟରେ ବାଳିକା ଘର ଭିତରେ ପଶି ଜିନିଷପତ୍ର ଘଣ୍ଟାଘଣ୍ଟି କରିବାରେ ଲାଗିଲା, ବନମାଳୀର କୁରୁତା ପକେଟରେ ହାତ ପୂରାଇଲା, ପେଡ଼ିର ଘୋଡ଼ଣି କାଢ଼ି ଚାହିଁ ଦେଖିଲା ଓ ଶେଷରେ ଆସି ବନମାଳୀର ମେଜ ନିକଟରେ ପହଞ୍ଚିଲା । ବନମାଳୀର ବହି ଫିଟା ହୋଇଥିଲା; ସେ ତାହା ଦେଖି କହିଲା, ‘‘ମୁଁ ପଢ଼ିଜାଣେ ଯେ ।’’ କହି, ସେ ପଢ଼ିବସିଲା, ‘‘ମାତୃଭୂମିର ସେବା ନିମନ୍ତେ ଗୋବିନ୍ଦ ସିଂହ ଜୀବନ ଉତ୍ସର୍ଗ କରିଥିଲେ ।’’ ପଢ଼ିସାରି, ସେ ବହିଟି ଥୋଇଦେଇ, ପଚାରିଲା, ‘‘ବନମାଳୀବାବୁ, କହ ନା, ଗୋବିନ୍ଦ ସିଂ କିଏ ?’’ ବନମାଳୀ କିଛି ଉତ୍ତର ନ ଦେବାରୁ, ବାଳିକା ବହି ଛାଡ଼ି, ହାତରେ କଲମ ଧଇଲା ଓ କହିଲା, ‘‘ମୁଁ କ’ଣ ଲେଖି ଜାଣେନାହିଁ ? ରହ, ଏଇ ସାଥେ ସାଥେ ଲେଖି ଦେଖେଇ ଦେଉଛି ।’’ ବନମାଳୀ କିଛି କହିବା ପୂର୍ବରୁ ତାଙ୍କ କଲମ ଧରି, ଦୁଆତରେ ବୁଡ଼ାଇ, ଖଣ୍ଡେ କାଗଜ ଟାଣି ଆଣି, ସେ ଲେଖିଲା ‘‘ସିପାହୀମାନେ ଆସୁଛନ୍ତି ।’’ ସେ ଲେଖିସାରି, କଲମଟା ପକାଇଦେଇ କହିଲା, ‘‘ବନମାଳୀବାବୁ, ଦେଖିଲ, କିଛି ଭୁଲ ହେଇଚି ? ମୁଁ ପିଲାଦିନେ ପାଠ ପଢ଼ୁଥିଲି ଯେ । ସବୁବେଳେ କ’ଣ ଆମେ ଇମିତି ଦୁଃଖରେ ଥିଲୁ କି ?’’
ସେତିକି କହି, ବାଳିକା ବନମାଳୀର ଗମ୍ଭୀର ମୁହଁ ଆଡ଼କୁ ଦୃଷ୍ଟି ପକାଇଲା । ତହୁଁ ସେ ଠୋ ଠୋ ହସିପକାଇ କହିଲା, ‘‘ବନମାଳୀବାବୁ, ତମ ଚେହେରାଟି ତ ଖୁବ୍ ସୁନ୍ଦର ।’’ ତା’ପରେ ସେ ସ୍ୱରକୁ ସା ରେ ଗା ମା ପା ଧା ନି ସା କ୍ରମରେ ଉଚ୍ଚରୁ ତଳଆଡ଼କୁ ଖସାଇଆଣି, କେତେଗୁଡ଼ାଏ କଥା କହିପକାଇଲା । ଶୁଣି ବନମାଳୀ ଯେପରି ବିରକ୍ତ ସେହିପରି ଭୀତ ହେଲା । ଶେଷରେ ସେ କହିଲା, ‘‘ଦେଖ୍ ପିଲା, ମୁଁ କାଲି ଗୁଡ଼ାଏ କାଗଜ ପାଇଥିଲି । ସେଗୁଡ଼ାକ ବୋଧହୁଏ ତୋର । ତୁ ନେଇଯା ।’’ କହି, ସେ ପୁଡ଼ାରେ ବନ୍ଧା ହୋଇଥିବା ଗତ ରାତିର ଚିଠି ଚାରିଖଣ୍ଡି ବଢ଼ାଇଦେଲା । ବାଳିକା ଆନନ୍ଦରେ ଗଦ୍ ଗଦ୍ ହୋଇ ତାଳିମାରି କହିଲା, ‘‘ଆଃ, ମିଳିଲା ତ । ତୁମେ ପାଇଥିଲ । ଓଃ, କାଲି ରାତି ଆମେ କେତେ ନ ଖୋଜିଚୁ ! ମୁଁ ଆଉ ମୋ ଭଉଣୀ ଦିହେଁଯାକ ବେଦମ ହୋଇଯାଇଚୁ-। ଚିଠିତକ ତ ହଜେଇଦେଇ ଗଲୁ । ସତ କଥା କହିଲେ, ବାପା ପିଟି ପକେଇଥାନ୍ତା-। ସେଥିପାଇଁ କହିଲୁଁ, ‘ଦେଇଆସିଚୁ ।’ କାଲି ରାତିରେ ତୁମରି ଦେହରେ ଧକ୍କା ବାଜିଲା ନା ? ମୁଁ ପରା କହିଲି ଭଉଣୀକି, ‘ସେ ଜଣେ ଭଦ୍ରଲୋକ ହବ ।’ ସତେ, ବନମାଳୀ ବାବୁ, ତୁମେ ଜଣେ ଭାରି ଭଦ୍ରଲୋକ-।’’
କହୁ କହୁ ବାଳିକା କାଳୀମନ୍ଦିର ଭକ୍ତଙ୍କ ନିକଟକୁ ଲେଖା ହୋଇଥିବା ଚିଠିଖଣ୍ଡ ଫିଟାଇ ପକାଇଲା ଓ କହିଲା, ‘‘ଏ ସେ ବୁଢ଼ା ଚିଠି । ଏଇ ତ ତା’ ବେଳ । ମୁଁ ଚିଠିଖଣ୍ଡ ନେଇ ଅଇଛିକା ଯିବି-। ଗଲେ ନିଶ୍ଚୟ ସେ ଖାଇବାକୁ କିଛି ପଇସା ଦବ ।’’ ତା’ପରେ ସେ ଠୋ ଠୋ ହସିପକାଇ କହିଲା, ‘‘ବନମାଳୀ ବାବୁ, ଜାଣ, ଆମେ ଆଜି ଖାଇଲେ କ’ଣ ହବ ? ଆଜି ଦିହିପହରେ ପଅରଦିନ ରାତିର, କାଲି ଦିନର, ଆଉ କାଲି ରାତିର, ଏମିତି ତିନିଟା ବାକିଆ ବକତ ଆଉ ଆଜିର ଗୋଟାଏ କରି ଏକାଠି କରି ଚାରିଟା ଖାଇବୁ । ବୁଝିଲ ନା ?’’
ଶୁଣି, ବାଳିକା ଯେ କି ଉଦ୍ଦେଶ୍ୟରେ ଆସିଥିଲା, ବନମାଳୀର ମନେ ପଡ଼ିଗଲା । ବନମାଳୀ ପେଡ଼ି ଫିଟାଇ ଦେଖିଲା, ପାଞ୍ଚଟଙ୍କା ଆଠଅଣା ଅଛି । ସେ ଆଠଅଣା କାଢ଼ି ରଖିଦେଇ କହିଲା, ‘‘ଆଜିର ଖର୍ଚ୍ଚ ଏଥିରେ ଚଳିଯିବ । କାଲିକି ଭଗବାନ ଚଳେଇବେ ।’’ କହି, ସେ ପାଞ୍ଚଟଙ୍କା ବାଳିକା ହାତକୁ ପକାଇଦେଲା । ବାଳିକା ଝଣଝଣ ଶବ୍ଦ ଶୁଣି, ବିସ୍ମିତ ହୋଇ ନମସ୍କାର କରି, ଚାଲିଯିବାକୁ ବସିଲା । ଦୁଆର ପାଖ ତଳେ ପୁଞ୍ଜିଏ ମୁଢ଼ି ପଡ଼ିଥିଲା । ସେ ସେତକ ସାଉଁଟି ପାଟିରେ ପକାଇ କହିଲା, ‘‘ଆଃ, ସିପି ଯାଇଚି ।’’ ଦୁଇଥର ପାଟି ବୁଲାଇ, ମୁଢ଼ିତକ ଗିଳିଦେଇ, ସେ ପୁଣି କହିଲା, ‘‘ଜୁହାର, ବନମାଳୀ ବାବୁ; ମୁଁ ଗଲି । ମତେ କେତେ ବାଟ ଯିବାକୁ ହବ ସେ ବୁଢ଼ା ପାଖକୁ, କୋଶେ କି ଦେଢ଼କୋଶ ।’’
ବାଳିକା ଚାଲିଗଲା ପରେ ବନମାଳୀ ଦେଖିଲା ଯେ ଘରର ଯେଉଁ କଣରୁ ସେ ଚିଠି ପୁଡ଼ାଟା ଆଣି ବାଳିକାକୁ ଦେଲା, ସେଠାରେ ଚଟାଣଟାରେ ଗୋଟାଏ ମୂଷା ଗାତ ପରି ଗାତ ରହିଛି-। ସେ ଗାତଟା ସେ ଯେ ସେ ପର୍ଯ୍ୟନ୍ତ କାହିଁକି ଦେଖି ନ ଥିଲା ଭାବି ଠିକ୍ କରିପାରିଲା ନାହିଁ-। ସେ କଣା ବାଟେ ଚାହିଁଲେ, ତଳ ମହଲା ଘର ଭିତରଟା ପରିଷ୍କାର ଦେଖାଯାଉଥିଲା । ବନମାଳୀ ମନେ ମନେ ଭାବିଲା, ‘‘ଆଚ୍ଛା ଏ ବାଟେ ଦେଖେଁ, ଲୋକଗୁଡ଼ାକ କିପରି ଅଛନ୍ତି ।’’ କଣାଟା ଯେଉଁ କଣରେ ଥିଲା, ତା’ ପାଖେ ପଛପଟ ଦ୍ୱାରଟା । କବାଟ ମେଲାଇ ରଖିଲେ, କଣାଟା ଘର ଭିତରୁ ଦିଶେନାହିଁ ଏବଂ ଘରେ ଝରକା ନ ଥିବାରୁ; ପବନ ଯିବାଆସିବା ନିମନ୍ତେ ବନମାଳୀ ତାକୁ ସର୍ବଦା ଖୋଲି ରଖିଥାଏ । ସେ ବାଟେ ଉପରକୁ ବାଟ ନ ଥିବାରୁ, ଦ୍ୱାର ଖୋଲା ଥିଲେ ମଧ୍ୟ, କେହି ଘର ଭିତରେ ପଶିବାର ଆଶଙ୍କା ନ ଥାଏ ।
ବନମାଳୀ କବାଟ କଣରେ ମୁହଁ ମାଡ଼ି ବସି କଣାବାଟେ ତଳମହଲା ଘର ଭିତରକୁ ଦୃଷ୍ଟି ପକାଇ ଦେଖିଲା, ଘରଟାଯାକ ନିତାନ୍ତ ମଇଳା ହୋଇ ପଡ଼ିଛି; କାନ୍ଥରେ ଅଶ୍ଳୀଳ ଶବ୍ଦମାନ ଲେଖାଯାଇଛି; କୌଣସି କୌଣସିଠାରେ ଅଙ୍ଗାରରେ ଅଶ୍ଳୀଳତାସୂଚକ ଚିତ୍ରମାନ ଅଙ୍କା ମଧ୍ୟ ହୋଇଛି । ସେ ସବୁ ମଧ୍ୟରେ ଗୋଟିଏ ଛୋଟିଆ ପିଣ୍ଡି ଉପରେ କେତେ ଖଣ୍ଡ କାଗଜ, ଗୋଟିଏ ଭଙ୍ଗା ଦୁଆତ ଓ ଗୋଟିଏ ପୁରୁଣା ବାଘନଖ କଲମ ପଡ଼ିଥିଲା । ପାଖରେ ପ୍ରାୟ ଷାଠିଏ ବର୍ଷ ବୟସର ଜଣେ ବାଙ୍ଗରା ବୁଢ଼ା ଖଣ୍ଡେ ଛିଣ୍ଡାଶାଢ଼ି ପିନ୍ଧି ବସିଥିଲା । ତା’ ମୁହଁ ପାଖେ ପିକାରୁ ମେଞ୍ଚାଏ ମେଞ୍ଚାଏ ଧୂଆଁ ବାହାରୁଥିଲା । ପାଖରେ ଜଣେ ସ୍ତ୍ରୀଲୋକ ବସିଥିଲା । ସେ ଯେତିକି ମୋଟୀ, ସେତିକି ମଧ୍ୟ ଡେଙ୍ଗୀ । ଖଣ୍ଡେ ଦୂରରେ ଗୋଟିଏ ଜୀର୍ଣ୍ଣା ଶୀର୍ଣ୍ଣା ବାଳିକା ପ୍ରାୟ ଉଲଗ୍ନ ଅବସ୍ଥାରେ ଶୋଇ ରହିଥିଲା । ଦେଖିଲେ ମନେ ହେଉଥିଲା ଯେ ତା’ ବୟସ ବାର ତେର ବର୍ଷରୁ ଊଣା ହେବ ନାହିଁ । ବନମାଳୀ ମନରେ ଗୋଟାଏ ଘୋର ଶଙ୍କାର ଛାୟା କ୍ଷଣକ ନିମନ୍ତେ ଘୋଟିଗଲା ।
ଆକାଶ କୟାଁ ଚିଲିକା ମାଛ ଭେଟ
ବନମାଳୀ ତା’ ବିକଟ ପରିଦର୍ଶନ କାର୍ଯ୍ୟରୁ କ୍ଷାନ୍ତ ହୋଇ, ଘରୁ ବାହାରି, କାର୍ଯ୍ୟ ଉପଲକ୍ଷରେ ଚାଲିଯିବାକୁ ବସିଲାବେଳେ, ତଳମହଲା ଘରକୁ ବାହାରୁ ଜଣେ ଧାଇଁ ଧାଇଁ ଆସିବା ଶବ୍ଦ ଶୁଣିଲା । ତହୁଁ ସେ ଚିତ୍ରପ୍ରତିମା ପରି ବସି, ସେ କଣା ପାଖେ କାନ ଦେଇ ଏକଧ୍ୟାନରେ ଶୁଣିବାକୁ ଲାଗିଲା । ଅଳ୍ପ ସମୟ ପୂର୍ବେ ଯେଉଁ ବାଳିକା ଆସି, ତା’ ସଙ୍ଗେ ପରିଚୟ କରି ପାଞ୍ଚ ଟଙ୍କା ନେଇ ଯାଇଥିଲା ସେ ଧଇଁ ସଇଁ ହୋଇ ଆସି କହିଲା, ‘‘ଆସୁଚି ।’’ ଶୁଣି, ବାପା ପଚାରିଲା, ‘‘କିଏ-? କାଳୀ ମନ୍ଦିରର ସେଇ ବୁଢ଼ା ?’’
‘‘ହଁ, ଗୋଟାଏ ଘୋଡ଼ା ବଗିରେ ବସି ଆସୁଚି ।’’
‘‘ସେ ତ ବଗିରେ ବସି ଆସୁଚି; ତୁ ଚାଲିଆସି ତା’ ଆଗରୁ କିମିତି ପହଞ୍ଚିଲୁ ? ଠିକଣା କହି ଆସିଚୁ ତ ? ଘର ଭୁଲ ନ ହେଲେ ହେଲା । ସେ କ’ଣ ଚିଠି ପଢ଼ିଲା ? ତତେ କ’ଣ କହିଲା-?’’ ବାଳିକା ମୁହଁ ଛିଞ୍ଚାଡ଼ି ଉତ୍ତର ଦେଲା, ‘‘ଆଃ, କେତେ କଥା । ଏକାନିଃଶ୍ୱାସକେ ପଚାରି ଦେଇ ଯାଉଚ-? ହଁ, ସେ ଦେଉଳରେ ଥିଲା; ମୁଁ ଯାଇ ନମସ୍କାର କରି ଚିଠି ଖଣ୍ଡି ଦେଲି, ସେ ପଢ଼ିଲା । ପଢ଼ି ସାରି ମତେ ପଚାରିଲା, ‘‘ତୁମ ବସା କୋଉଠି ପିଲା ! ମୁଁ କହିଲି ‘ମୁଁ ବାଟ ଦେଖେଇନେବି-।’ ସେ କହିଲା, ନା ମତେ କହିଦେ । ମୋ ଝିଅ ଆଉ ମୁଁ ତ ବଗିରେ ଯିବୁ, ତୁ ଆଗରୁ ଚାଲିଯା । ମୁଁ ତାକୁ ଠିକଣା କହିଲି । ମୋ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲା । ମନେ ମନେ କ’ଣ କେତେ ଭାବିଲା, ପଛକୁ ମତେ କହିଲା, ‘ଆଚ୍ଛା, ମୁଁ ଯିବି’ ।’’
‘‘ଆସୁଚି ବୋଲି ତୁ କିପରି ଜାଣିଲୁ ?’’
‘‘ସେ ଦେଉଳ ଦୁଆରୁ ବଗିରେ ବାହାରିଲା, ଦେଖିଲି; ଆଉ ମୁଁ ଏବେ ଆମ ଗଳି ମୁଣ୍ଡେ ପହଞ୍ଚିଲାବେଳକୁ ଦେଖିଲି ବଗିଟା ବଜାରଆଡ଼ୁ ଆସୁଚି । ଦେଖି ତ ମୁଁ ଧାଇଁଛି ।’’ ଶୁଣି, ବୁଢ଼ା ମୁହଁରେ ଗୋଟାଏ ଆନନ୍ଦର ଢେଉ ଖେଳିଗଲା । ସେ ଭାର୍ଯ୍ୟାକୁ ଡାକି କହିଲା, ‘‘ଦେଖ, ଆସୁଚି । ଯାଅ ସମସ୍ତେ କାମରେ ଲାଗିଯାଅ । ତୁ ଶେଷରେ ଶୋଇପଡ଼ । ଆଉ ଝିଅ, ତୁ ପଞ୍ଜରଟା ଭାଙ୍ଗିଦେ; ଚୁଲିରେ ପାଣି ପକେଇ ନିଆଁ ନିଭେଇଦେ; ଆଉ ବସି ଶୀତରେ ଥରୁଥା ।’’ ତା’ପରେ ସେ ସାନଝିଅକୁ କହିଲା, ‘‘ତୁ ଗୋଟାଏ କଣରେ ବସି କାନ୍ଦୁଥା ।’’ ସେ ଯାହାକୁ ଯାହା ବରାଦ କଲା, ସେ ଅନୁସାରେ କାର୍ଯ୍ୟ ହୋଇଯିବାର ଦେଖି, ଶେଷରେ ନିଶ୍ଚିନ୍ତ ହୋଇ, ନିଃଶ୍ୱାସ ମାରି କହିଲା, ‘‘ବେଶ୍ ।’’
ଭଙ୍ଗା ଖିଡ଼ିକି ବାଟେ ଥଣ୍ଡା ପବନ କିଲିକିଲି ବହିବାକୁ ଲାଗିଲା । ଘର ଭିତରଟା ବରଫ ପରି କାକର ହୋଇଗଲା । ଘର ଲୋକେ ଯେଉଁ ନିଆଁ ଗଦା ଜାଳି ପୋଉଁଥିଲେ, ପାଣି ଢାଳି ତାହା ଲିଭାଇ ଦେଇଥିବାରୁ, ଅଙ୍ଗାରଗୁଡ଼ାକ କଳା କିଟି କିଟି ଦିଶୁଥିଲା । ଅଗାଧୁ ବେହେରା ତା’ ଉପରେ ପାଉଁଶ ବିଞ୍ଚିଦେଇ କହିଲା, ‘‘ଏଥର ଆସୁ ।’’ ସେତିକି ବେଳକୁ ଦାଣ୍ଡ ଦୁଆରେ ଥପ୍କିନି ଗୋଟାଏ ବଗି ଠିଆ ହୋଇଗଲା ଏବଂ କବାଟରେ ଟିପ୍ ଟିପ୍ ଶବ୍ଦ ଶୁଣାଗଲା । ଅଗାଧୁ ବେହେରା ଧାଇଁଯାଇ, ଭୂଇଁରେ ମୁଣ୍ଡ ଲଗାଇ ଜୁହାର ହୋଇ କହିଲା, ‘‘ଆସନ୍ତୁ, ହଜୁର, ମୋ ରକ୍ଷାକର୍ତ୍ତା ପାଦ ପକାନ୍ତୁ ।’’
ଜଣେ ବୁଢ଼ା ଜଣେ ଯୁବତୀକି ସଙ୍ଗରେ ଧରି ଘର ଭିତରେ ପଶିଲେ । ବନମାଳୀ ଦେଖି ଚିତ୍ରପ୍ରତିମା ପରି ସ୍ତମ୍ଭିତ ହୋଇ ରହିଲା । ସେ ମନକୁ ମନ କହିଲା, ‘‘କ’ଣ, ଏ ତ ସେଇ ।’’ ଯାହାକୁ ଖୋଜି ସେ ଦୀର୍ଘ ଛଅମାସ କାଳ କିଲ୍ଲା ପଡ଼ିଆରୁ ଓଡ଼ିଆବଜାର ଏବଂ ଓଡ଼ିଆବଜାରରୁ ପୁଣି କିଲ୍ଲା ପଡ଼ିଆକୁ ଯାତାୟାତ କରିଛି, ଏ ସେହି କୁମାରୀ । ଗ୍ରହଣ ଛାଡ଼ିଯାଇ, ପୂର୍ଣ୍ଣଚନ୍ଦ୍ର ପୁନରାୟ ଆକାଶରେ ବିରାଜିଲା ପରି ତାକୁ ଦେଖାଗଲା । ବନମାଳୀର ହୃଦୟ ଥରିବାକୁ ଲାଗିଲା-। କୁମାରୀ ଠିକ୍ ସେହିପରି ଅଛି, କେବଳ ଟିକିଏ ବିଷଣ୍ଣ ଦେଖାଯାଉଛି, ସଙ୍ଗରେ ସେହି ପୁରୁଣା ସଦାଶିବ ମହାନ୍ତି ।
କୁମାରୀ ଘର ଭିତରକୁ ଆସି ଗୋଟାଏ ବଡ଼ ରକମ ବୁଜୁଳା ତଳେ ଲଥ୍କିନି ଥୋଇଦେଲା । ସଦାଶିବ କହିଲେ, ‘‘ଏ ବୁଜୁଳାରେ ଘୋଡ଼େଇ ହବା କମ୍ବଳ, ପିନ୍ଧିବା ଲୁଗା, ପକେଇ ଶୋଇବା ଶେଯ ଚାରିଜଣଙ୍କ ପାଇଁ ଅଛି ।’’ ଅଗାଧୁ ବେହେରା ଭୂଇଁରେ ମୁଣ୍ଡ ଲଗାଇ କହିଲା, ‘‘ଓହୋ, କେତେ ଜିନିଷ ଆଣି ଦେଇଛନ୍ତି, ଏ କୁଟୁମ୍ବର ପ୍ରାଣ ରଖିଲେ ଆଜି ।’’ କହିସାରି ସେ ବଡ଼ଝିଅ ଆଡ଼କୁ ବୁଲି ପଡ଼ିଲା ଏବଂ ତା’ କାନରେ ତୁନି ତୁନି କହିଲା, ‘‘ଖାଲି ଲୁଗାଗୁଡ଼ାକ ! ଟଙ୍କା କାହିଁ ? ଭାରି ଦାତା ଏ । କହିଲୁ, ୟା ପାଖକୁ କି ନାଁରେ ଚିଠି ଲେଖିଥିଲି ?’’
‘‘ଆଚ୍ଛା’’ କହି ଅଗାଧୁ ବେହେରା ସଦାଶିବ ମହାନ୍ତିଙ୍କ ଆଡ଼କୁ ଚାହିଁଲା । ସେତେବେଳକୁ ସେ କହୁଥିଲେ, ‘‘ତୁମେ ବଡ଼ କଷ୍ଟରେ ଅଛ ଦେଖୁଚି, ଜେନା । କି ଜେନାଟି ତୁମ ନାଁ ।’’
‘‘ହଁ ମୁକୁନ୍ଦ ଜେନା, ମନେ ପଡ଼ିଲା । ମୁଁ ତ ତୁମ କଥା ଆଗରୁ ଶୁଣିଥିଲି ।’’ ଅଗାଧୁ ବେହେରା ତା’ ଉପକାରୀ ବ୍ୟକ୍ତିଙ୍କ ଆଡ଼କୁ ଅନେକ ସମୟରେ ଏକ ଦୃଷ୍ଟିରେ ଚାହିଁ ରହିଥାଏ । ସେ ଯେତେବେଳେ ଯାହା ପଚାରନ୍ତି, କରୁଣ ସ୍ୱରରେ ଉତ୍ତର ଦିଏ । ସେ ମଝିରେ ଥରେ ଟିକିଏ ଖସିଯାଇ ଭାର୍ଯ୍ୟା କାନରେ କହିଲା, ‘‘ଲୋକଟାକୁ ନିରୀକ୍ଷଣ କରି ଦେଖ ।’’ ତା’ପରେ ସଦାଶିବଙ୍କ ପାଖକୁ ଫେରିଆସି କହିଲା, ‘‘ହଜୁର, ଦେଖିଲେ ତ ଘରର ଅବସ୍ଥା, ମୁଁ ସେଇଥିପାଇଁ ଚିଠି ଲେଖିଥିଲି, ହଜୁରଙ୍କ ଆଖି ଥରେ ପଡ଼ିଯାଉ । ଏଣିକି ମୋ ଦୁର୍ଦ୍ଦଶା ଘୁଞ୍ଚିଲା ବୋଲି ଜାଣିଲି । ମୁଁ କିଛି ଭିକ ମାଗିବା ଲୋକ ନୁହେଁ, ମୁଁ ଜଣେ ନାମଜାଦା ଚିତ୍ରକର ଥିଲି । ହେଲେ, ଏ ଯୁଗରେ ଆଉ ଚିତ୍ର କିଏ କିଣୁଚି ? ସେଇଥିଲାଗି ତ ମୋର ଏ ଦଶା । ଝିଅ ଦି’ଟାକୁ ଦିଅକ୍ଷର ପଢ଼େଇଥିଲେ ସ୍ୱର୍ଗର ଅପ୍ସରା ହେଇଥାନ୍ତେ, ମୂର୍ଖ ହେଇ ବୁଲିଲେ । ତାଙ୍କ ମଙ୍ଗଳକୃତ୍ୟ ନ ହେଲା, ସେ କଥା କିଏ ପଚାରୁଚି ? କାଲିକି ତ କ’ଣ ହେବ ଠିକ୍ ନାହିଁ । କାଲି ଶ୍ରୀପଞ୍ଚମୀ । କାଲି ଘର ଭଡ଼ାତକ ନ ଛିଣ୍ଡେଇଲେ, ପିଲାପିଲିଙ୍କୁ ଧରି ମୋତେ ଦାଣ୍ଡରେ ଠିଆ ହବାକୁ ହବ । ବର୍ଷକ ଭଡ଼ା ଷାଠିଏ ଟଙ୍କା ବାକି ।’’
ଅଗାଧୁ ବେହେରା ଯେ ଠିକ୍ ସତ୍ୟ କଥା କହିଲା ନାହିଁ, ସହଜରେ ବୁଝାଯାଉଛି । ପ୍ରଥମେ, ତା’ର ବର୍ଷକର ଘରଭଡ଼ା ଷାଠିଏ ଟଙ୍କା ନୁହେଁ ଛତିଶ ଟଙ୍କା । ତା’ପରେ ପୁଣି, ଛ’ ମାସର ଭଡ଼ା ପ୍ରାୟ ତିନିମାସ ତଳେ ବନମାଳୀ ଚାକିରିଆଣୀ ହାତେ ପଠାଇଦେଇଥିଲା । ସଦାଶିବ ତାହା ସବୁ କିଛି ନ ଜାଣି, କୁରୁତା ପକେଟରୁ ପାଞ୍ଚ ଟଙ୍କା କାଢ଼ି, ଅଗାଧୁ ବେହେରା ହାତକୁ ବଢ଼ାଇଦେଲେ-। ଅଗାଧୁ ଟଙ୍କାଟା ଧରି ବଡ଼ଝିଅ ପାଖକୁ ଯାଇ କାନରେ କହିଲା ‘‘ଚଣ୍ଡାଳ ମତେ କ’ଣ ବୋଲି ବିଚାରିଚି କି ? ଟଙ୍କା ପାଞ୍ଚଟା କି କାମକୁ ପାଇବ ? ଝରକାଟା ଯେ ଭାଙ୍ଗିଦବାକୁ କହିଲି, ତାକୋଇ ତିଆରି କରିବାକୁ ତ ଦଶ ଲାଗି ଯିବ । ମୁଁ ୟାକୁ ଘରକୁ ଆଣି ଭାରି ଲାଭଟାଏ କଲି-।’’
ସଦାଶିବ ନିଜ ଘୋଡ଼େଇହେବା ଶାଲଟି କାଢ଼ି ଘର ଭିତରେ ଗୋଟାଏ କାଠିରେ ରଖି ଦେଇଥିଲେ । ସେ ଅଗାଧୁକୁ ଡାକି କହିଲେ, ‘‘ମୁକୁନ୍ଦ ଜେନା, ମୋ ପାଖେ ଆଉ କିଛି ନାହିଁ । ମୁଁ ଏବେ ଯାଉଚି, ଝିଅକୁ ଘରେ ନେଇ ଛାଡ଼ିଦେବି, ରାତିକି ପୁଣି ଆସିବି । ଆଜି ରାତିରେ ଘରଭଡ଼ା ଦବାକୁ ହେବ, କହିଲ ନା ?’’ ଶୁଣି ଅଗାଧୁର ମୁହଁ ଉଜ୍ଜ୍ୱଳ ହୋଇଗଲା । ସେ କହିଲା, ‘‘ଆଜ୍ଞା, ଅବଧାନ, ହଜୁର, ହଁ । ଆଜି ସନ୍ଧ୍ୟା ଆଠଟାବେଳେ ଦବାକୁ ହବ ।’’
‘‘ମୁଁ ତେବେ ଟଙ୍କା ଧରି ଛ’ଟାରେ ଆସିବି । ଏବେ ଯାଏ ।’’
‘‘ଅବଧାନ’’ କହି, ଅଗାଧୁ ଭାର୍ଯ୍ୟା କାନରେ ଯାଇ କହିଲା, ‘‘କ’ଣ, ଚିହ୍ନିଲୁଟିକି, ରାଣ୍ଡୀ ? ନ ହେଲେ, ଭଲକରି ଦେଖିଥା ।’’
ସଦାଶିବ ଦ୍ୱାର ପାର ହୋଇ, ବାହାରେ ଯାଇ ଠିଆ ହୋଇଥିଲେ । ସେ ବଗିରେ ବସିବାକୁ ଯାଉଛନ୍ତି, ସେତେବେଳେ ଅଗାଧୁର ବଡ଼ଝିଅ ଭିତରୁ କହିଲା, ‘‘ତୁମ କମଳଟି ଛାଡ଼ିଗଲ ବାବୁ ।’’ ଅଗାଧୁ ଶାଲଟି ନେଇ ଦେବା ବାହାନାରେ ଘର ଭିତରକୁ ଆସି ଝିଅର କାନ ମୋଡ଼ିଦେଲା; କିନ୍ତୁ ବାହାରୁ ସଦାଶିବ କହିଲେ, ‘‘ମୁଁ ଭୁଲରେ ଛାଡ଼ି ଆସିନାହିଁ, ଜାଣି ରଖିଗଲି ।’’ ଶୁଣି, ଅଗାଧୁ କହିଲା, ‘‘ଓ, କି ଉପକାରୀ ପୁରୁଷ । ଆପଣଙ୍କ ଦୟା ଦେଖି ମୋ ଆଖିରୁ ଲୁହ ବୋହିପଡ଼ୁଛି ।’’ କହି, ଅଗାଧୁ ଗାଡ଼ିପାଖକୁ ଯିବାକୁ ବସିଲା । ସଦାଶିବ କହିଲେ, ‘‘ଦେଖ, ମୁକୁନ୍ଦ ଜେନା, ଏ ଶୀତରେ ଖାଲି ଦେହରେ ବାହାରକୁ ଆସନା । ସେ ଶାଲଟା ଦେହରେ ଦେଇ ଆସ, ଆସିବ ତ । ସେଟା ତ ତୁମର ।’’ ଅଗାଧୁକୁ ସେ କଥା ଆଉ ଦ୍ୱିତୀୟ ଥର ଶୁଣିବାକୁ ହେଲାନାହିଁ; ସେ ଶାଲଟି ଦେହରେ ପକାଇ, ବଗିପାଖେ ଠିଆ ହୋଇ, ପରିଦର୍ଶକ ଦୁହିଁଙ୍କୁ ବିଦାୟ ଦେଲା ।