ସୁଡ଼ଙ୍ଗ ଭିତରେ ଜୀବନ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସୁଡ଼ଙ୍ଗ ଭିତରେ ଜୀବନ
ବନମାଳୀ ବାସ୍ତବରେ ବନ୍ଦୀ ହୋଇଥିଲା । ଯେତେବେଳେ ତା’ ଦେହରେ ଗୋଟାଏ ଗୁଳି ବାଜିଲା, ତା’ ବନ୍ଦୀକର୍ତ୍ତା ଦ୍ରୁତ ବେଗରେ ଡେଇଁପଡ଼ି ତାକୁ ଟେକି ନେଇଗଲା । ସେତେବେଳକୁ ସେ ମୂର୍ଚ୍ଛିତ । ତାକୁ ଟେକିଧରି ବନ୍ଦୀକର୍ତ୍ତା କେଉଁଆଡ଼େ ଯେ ଯିବ, ବୁଝିପାରିଲା ନାହିଁ । ସମ୍ମୁଖରେ ସରକାରୀ ଫୌଜ ଜଗି ରହିଥିଲେ, ଦେଖିଲେ କେବଳ ଯେ ବାଟ ଛାଡ଼ନ୍ତେ ନାହିଁ, ନୁହେଁ, ମୁମୂର୍ଷୁ ବନମାଳୀର ପ୍ରାଣ ମୁହୂର୍ତ୍ତକ ମଧ୍ୟରେ ଘେନିଯାନ୍ତେ । ବନମାଳୀ ଯେ ବିପ୍ଳବର ନେତା ଏବଂ ଗୋଳମାଳ ମଧ୍ୟରେ ଶତ ଶତ ଗୋରା ଓ ଦେଶୀ ସୈନିକଙ୍କ ଉପରେ ଗୁଳି ବୃଷ୍ଟି କରିଛି, କାହାକୁ ଆଗୋଚର ନ ଥିଲା; ସୁତରାଂ ତା’ ପିଣ୍ଡରେ ପ୍ରାଣ ଥାଉ ଥାଉ ତାକୁ କେହି ଛାଡ଼ି ଦିଅନ୍ତେ ନାହିଁ ।
ବନ୍ଦୀକର୍ତ୍ତା ବନମାଳୀକୁ କାନ୍ଧରେ ଧରି କେତେକ ସମୟ ଠିଆ ହୋଇ ରହିଲା, ଆଗ ପଛ, ବାମ ଦକ୍ଷିଣ, ତଳ ଉପର ସବୁ ଆଡ଼କୁ ବାରମ୍ବାର ଅନାଇଲା; କିନ୍ତୁ କେଉଁଠାରେ କିଛି ଉପାୟ ଦେଖିଲା ନାହିଁ । ସେଠାରେ ଠିଆ ହୋଇ ରହିଲେ ଯେ ରକ୍ଷା ଥିଲା, ତା’ ମଧ୍ୟ ନୁହେଁ । ଅତଏବ ଆସନ୍ନ ବିପଦରୁ ଉଦ୍ଧାର ପାଇବା ନିମନ୍ତେ ସେ ନିକଟରେ ଗୋଟାଏ କୂଅ ଭିତରେ, ବନମାଳୀକୁ ସେହିପିରି କାନ୍ଧରେ ଧରି ପଶିଗଲା । ସଙ୍ଗେ ସଙ୍ଗେ ଉପରେ ରାସ୍ତାରେ କୋଳାହଳ ଶୁଭିଲା । ତେଣୁ ବନମାଳୀକୁ ସେହିପରି କାନ୍ଧରେ ଧରି କୂଅ ଭିତରେ ତାକୁ ଠିଆ ହୋଇ ରହିବାକୁ ପଡ଼ିଲା । କୂଅରେ ସେତେବେଳେ ପ୍ରାୟ ଛାତିଏ ପାଣି ଥିଲା । ଛାତିଏ ପାଣିରେ ସେ ଯେ କେତେ ସମୟ ଠିଆହୋଇ ରହିଲା ତାହା ସେ ବୁଝିପାରିଲା ନାହିଁ । ତାକୁ ମୁହୂର୍ତ୍ତକ ଯୁଗ ପରି ବୋଧ ହେଉଥିଲା । ତା’ ଭାବନା ନିଜ ନିମନ୍ତେ ନୁହେଁ, ସେ ଯେଉଁ ମୁମୂର୍ଷୁ ବନମାଳୀକୁ ଯୁଦ୍ଧସ୍ଥଳରୁ ଘେନି ପଳାଇ ଆସିଛି, ତାହାରି ଜୀବନ ରକ୍ଷା ଲାଗି । ବନମାଳୀକୁ କେଉଁଠାରେ ଟିକିଏ ଶୁଆଇ, ସିଞ୍ଚା ବିଞ୍ଚା ଏବଂ ସେବା ଶୁଶ୍ରୂଷାକଲେ ସେ ଯେ ପୁଣି ବଞ୍ଚି ଉଠିବ, ସେଥିରେ ତା’ର ସନ୍ଦେହ ନ ଥିଲା ।
ହଠାତ୍ କୂଅ ଉପରେ ଶୁଭିଲା, କେହି ଜଣେ କ୍ଷୀଣକଣ୍ଠରେ କହୁଛି, ‘‘ଓଃ, ମଲି । ପାଣି, ପାଣି, ପାଣି ।’’ ସଙ୍ଗେ ସଙ୍ଗେ ଉପରେ ବହୁଲୋକଙ୍କ ପାଟି ଶୁଣାଗଲା । ଜଣେ କହିଲା, ‘‘ଦଉଡ଼ି ନାହିଁ ।’’ ଆଉଜଣେ କହିଲା, ‘‘ମାଗିଆଣ ।’’ ପୁଣି ଆଉ ଜଣକଠାରୁ ଶୁଣାଗଲା, ଦଉଡ଼ି ଆଣି ପାଣି କାଢ଼ିବାକୁ କଅଣ ସମୟ ଅଛି । ଜଣେ ପଶିଯାଇ ଘେନିଆସ ।’’ ଶୁଣି, କୂଅ ଭିତରେ ବନ୍ଦୀକର୍ତ୍ତା ମୃତ୍ୟୁ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲା; କିନ୍ତୁ ସେତେବେଳେ ପୁନରାୟ ଉପରୁ ଶୁଣିଲା, ‘‘ନା, ଆଗ ଦଉଡ଼ିଟେ ଖୋଜାଯାଉ; ନ ମିଳିଲେ, କୂଅରେ ପଶିବା । ଏ ଘୋର ଅନ୍ଧାରରେ ଭିତରେ କିଏ ପଶିବ ? ସାପ ବିଛା କାମୁଡ଼ିଲେ, ମରିବ ସିନା ? ଏଟା କେବଳ ଜଣେ ଦରମରା ଲୋକର ପ୍ରାଣ ରଖିବା ଲାଗି ଜଣେ ଭଲ ଲୋକକୁ ମାରିବା କଥା ସିନା ।’’
ବନ୍ଦୀକର୍ତ୍ତା ସେହି ଅବସରରେ କୂଅ ଭିତରେ ଗୋଟିଏ ବାଟ ଖୋଜିବାରେ ଲାଗିଥିଲା । ସେ ଯେତେବେଳେ ସନ୍ଧ୍ୟା ଆଗରୁ କୂଅ ଭିତରେ ପଶିଲା, ପଥର ବନ୍ଧ ଭିତରେ ଏକ ପ୍ରକାଣ୍ଡ କଣା ତା’ ଦୃଷ୍ଟିରେ ପଡ଼ିଥିଲା; କିନ୍ତୁ କଣା ଭିତରଟା ସେତେବେଳେ ତାକୁ ଏତେ ଭୀଷଣ ଦେଖାଯାଉଥିଲା ଯେ ସେ ତା’ ଆଡ଼କୁ ନ ଚାହିଁ ପଛକରି ପାଣି ଭିତରେ ଠିଆହେଲା । କ୍ରମେ କୂଅ ଭିତରଟା ଯେତେବେଳେ ତାକୁ ମୁହାଁଇଗଲା, ସେ ଅନ୍ଧାରରେ ଅଣ୍ଡାଳି ଦେଖିଲା କଣାଟା ସେହିପରି ଅଛି ଓ ମନକୁ ମନ କହିଲା, ‘‘ଧରାପଡ଼ିବାଠୋଉ ଏଇ କଣାରେ ପଶି ମରିବା ଭଲ ।’’
କୂଅର କାନ୍ଥ ଭେଦକରି ପୂର୍ବେ ଗୋଟିଏ ସୁଡ଼ଙ୍ଗ ଥିଲା । ସେହି ବାଟେ ଗୋଟିଏ ପ୍ରାଚୀନ ବିଶାଳ ଉଆସର ବାହାର ସହିତ ଗୁପ୍ତ ସମ୍ପର୍କ ସୃଷ୍ଟି ହୋଇଥିଲା; କିନ୍ତୁ ସୁଡ଼ଙ୍ଗଟି କାଳକ୍ରମେ ଭାଙ୍ଗି ନିତାନ୍ତ ଜୀର୍ଣ୍ଣ ହୋଇପଡ଼ିଥିଲା । ଭିତରେ କେଉଁଠାରେ ମାଟି ଇଟାପଥର ଆଦିର ଛୋଟବଡ଼ ଗଦା ରହିଥିଲା; କେଉଁଠାରେ ବା ପାଣି ଜମି ରହି ପଙ୍କରେ ପରିଣତ ହୋଇଥିଲା । ତଥାପି ବନ୍ଦୀକର୍ତ୍ତା ମନକୁ ମନ କହିଲା, ‘‘ହୁଏତ ଏଇ ବାଟେ ଗଲେ ବିପଦରୁ ରକ୍ଷା ମିଳିପାରେ ।’’ ସୁତରାଂ ସେ ଅଗ୍ରସର ହେବାକୁ ଲାଗିଲା ।
ସୁଡ଼ଙ୍ଗ ବାଟଟା ଯେ ବେଶି ଉଚ୍ଚ ନୁହେଁ, କହିବା ଅନାବଶ୍ୟକ । ସେବାଟେ ଠିଆ ହୋଇ ସିଧା ଚାଲିବା ମନୁଷ୍ୟ ପକ୍ଷେ କଷ୍ଟସାଧ୍ୟ; ପୁଣି ସେ ବନ୍ଦୀକର୍ତ୍ତା ପରି ଦୀର୍ଘାକୃତି ଲୋକ ପକ୍ଷରେ ଏକାବେଳକେ ଅସମ୍ଭବ । ବନ୍ଦୀକର୍ତ୍ତା ବନମାଳୀକୁ କାନ୍ଧରେ ଧରି ବସି ବସି ଧୀରେ ଧୀରେ ଚାଲିଲା । ବାଟଟା ତାକୁ କ୍ରମେ ନର୍କର ପଥ ପରି ବୋଧ ହେଲା । ସେ ଭାବିଲା, ‘‘ଫେରିଯିବି’’, କିନ୍ତୁ ପର ମୁହୂର୍ତ୍ତରେ କହିଲା, ‘‘ନା, ଯେତେବେଳେ ଗୋଟାଏ ଜୀବନର ଭାର ନେଇଚି, ଶେଷ ପର୍ଯ୍ୟନ୍ତ ପ୍ରାଣପଣେ ଚେଷ୍ଟା କରି ଦେଖିବି ।’’ କହି, ସେ ଆଗକୁ ଆଉ ପାଦେ ପକାଇଲା । ପାଦ ଗୋଟାଏ ଚିକ୍କଣ କୋମଳ ଜୀବନ୍ତ ଦଉଡ଼ି ପରି ପଦାର୍ଥ ଦେହରେ ବାଜିଲା । ସେ ଭୟରେ ପଛକୁ ଘୁଞ୍ଚିଆସି ଶୁଣିଲା, ଗୋଟାଏ ଭୀଷଣ ଫଁ ଫଁ ଶବ୍ଦ ଶୁଭୁଛି । ଅନ୍ଧାରରେ ସେ କିଛି ଦେଖିପାରିଲା ନାହିଁ; ମାତ୍ର ଶବ୍ଦଟା କ୍ରମଶଃ ତା’ ପଛଆଡ଼କୁ ଚାଲିଗଲା । ସେତେବେଳେ ସେ ଯେ ଫେରିଯିବା କଥା ଭାବୁଥିଲା, ସେ ଚିନ୍ତାର ଗତି ରୁଦ୍ଧ ହୋଇଗଲା; ସୁତରାଂ ସେ ପୁଣି ଅଗ୍ରସର ହେବାକୁ ଲାଗିଲା ।
ବନ୍ଦୀକର୍ତ୍ତା ପୂର୍ବଦିନ ସନ୍ଧ୍ୟାରେ, ଯେ ସକାଳର ପଖାଳ ପୁଞ୍ଚିଏ ଖାଇଥିଲା, ତା’ପରେ ତା’ ପେଟରେ ଅନ୍ନଜଳ କିଛି ପଡ଼ିନାହିଁ; ଗୋଟାଏ ରାତି ଏବଂ ଗୋଟାଏ ଦିନ ଯାଇ, ପୁଣି ରାତି ହେଲାଣି । ତା’ ପେଟ ଭୋକରେ ଜଳୁଛି; ଶୋଷରେ ପାଟି ପାଟୁ ପାଟୁ ହୋଇଯାଉଛି; ଚାଲିବାପାଇଁ ପାଦରେ ବଳ ନାହିଁ । ତା’ପରେ ପୁଣି ଫେରିଗଲେ ହୁଏତ ପ୍ରଥମେ ସାପ ହାବୁଡ଼ରେ ପଡ଼ିବାକୁ ହେବ ଓ ସେଥିରୁ ବର୍ତ୍ତିଲେ, ସରକାରୀ ଫୌଜ ହାତେ ପଡ଼ି ପ୍ରାଣ ହରାଇବାକୁ ପଡ଼ିବ । ଏଣେ ଅଗ୍ରସର ହୋଇଗଲେ ଭାଗ୍ୟରେ ଯେ କ’ଣ ଅଛି, ତାହା ମଧ୍ୟ ସେ ଜାଣେନା ।
ସେହି ମୁହୂର୍ତ୍ତର ଅନିର୍ଦ୍ଦିଷ୍ଟତା ମଧ୍ୟରେ ବନମାଳୀକୁ କାନ୍ଧରୁ ଓହ୍ଲାଇ ବନ୍ଦୀକର୍ତ୍ତା ତଳେ ଶୁଆଇ ଦେଲା ଓ ହାତ ଦେଇ ଦେଖିଲା, ତା’ ଦେହରେ ଉଷ୍ଣତା ରହିଛି ଏବଂ ନାକରୁ ନିଃଶ୍ୱାସ ଯାଉଛି । ଦେଖି, ସେ ମନକୁ ମନ କହିଲା, ‘‘ପ୍ରାଣ ରହିଚି । କେବଳ ବାହାରକୁ ଯାଇପାରିଲେ ହେଲା ।’’ ସେତେବେଳେ ବନମାଳୀ କୁରୁତା ପକେଟରେ ତା’ ହାତ ବାଜିବାରୁ ସେ ହାତ ପୂରାଇ ତହିଁରୁ ଦୁଇଟି ଜିନିଷ ପାଇଲା– ମୁଠାଏ ଚୁଡ଼ା ଓ ଖଣ୍ଡିଏ କାଗଜ । କାଗଜରେ କିଛି ଲେଖା ଥାଇପାରେ ଭାବି ସେ ପଢ଼ିବାକୁ ସ୍ଥିର କଲା । ତା’ ନିଜ ପରିଧେୟ ସବୁ ତ ଓଦା ହୋଇଯାଇଛି; ବନମାଳୀ ପିନ୍ଧା ଲୁଗାରୁ ଖଣ୍ଡିଏ କନା ଛିଣ୍ଡାଇ ଝିକିମିକି ଠୁକାଇ ନିଆଁ ଧରାଇଲା । ସେହି କ୍ଷୀଣ ଆଲୋକରେ ସେ ପଢ଼ିଲା, ‘‘ମୋ ନାମ ବନମାଳୀ ରାଏ । ମୋ ଶବଟା ଅଜା ଶ୍ରୀନିବାସ ଚମ୍ପତିରାଏଙ୍କ ଘରକୁ ନେଇଯିବ, ଘର ତୁଳସୀପୁର ।’’ ପଢ଼ି ବନ୍ଦୀକର୍ତ୍ତା ମୁହୂର୍ତ୍ତକ ପାଇଁ ଘୋର ଚିନ୍ତାମଗ୍ନ ହୋଇ ରହିଲା । ତା’ପରେ ସେ କହିଲା, ‘‘ଶ୍ରୀନିବାସ ଚମ୍ପତିରାଏଙ୍କ ନାତି ।’’ କହି, ମୁଣ୍ଡ ଟୁଙ୍ଗାରିଲା । ତାହା ଅବଶ୍ୟ ସେ ବିକଟ ନର୍କକୁଣ୍ଡରେ କେହି ଦେଖିଲେ ନାହିଁ ।
ଚୁଡ଼ା ପୁଞ୍ଜିଏ ପେଟରେ ପଡ଼ିବା ଫଳରେ ସେ ହାତ ପାଦରେ ଟିକିଏ ବଳ ଅନୁଭବ କଲା । ତହୁଁ ବନମାଳୀକୁ ସେ ପୁଣି କାନ୍ଧରେ ଧରି ଚାଲିବାକୁ ଲାଗିଲା । ସେ କିଛି ବାଟ ଗଲା ପରେ ଆଗରେ ଗୋଟିଏ କ୍ଷୀଣ ଆଲୋକ ରେଖା ଦେଖିଲା । ତାହା ତାକୁ ଦିବସ ଆଲୋକ ପରି ବୋଧ ହେଲା । ସୁତରାଂ ତା’ ମନରେ ଗୋଟାଏ ଦମ୍ଭ ଆସିଲା । ତହୁଁ ସେ ବେଗେ ବେଗେ ପାଦ ପକାଇ କିଛିଦୂର ଅଗ୍ରସର ହେଲା; କିନ୍ତୁ ତାକୁ ହଠାତ୍ ଗତିରୋଧ କରିବାକୁ ପଡ଼ିଲା । ତାକୁ ସମ୍ମୁଖରେ ଗୋଟାଏ ପର୍ବତ ଦେଖିଲା ପରି ବୋଧହେଲା । ସେ ଅଣ୍ଡାଳି ଦେଖିଲା ଯେ ଗୋଟାଏ ମାଟି ଗଦା ସୁଡ଼ଙ୍ଗ ଛାତକୁ କିଛି ବାଟ ଛାଡ଼ି ଜମା ହୋଇଅଛି । ସେ ଗଦା ଯେ କେତେ ଲମ୍ବ ସେ ଜାଣିପାରିଲା ନାହିଁ; କେବଳ ମାଟି ଗଦା ଉପର ଫାଙ୍କ ବାଟେ ଦୂରରୁ ଦିବସର କ୍ଷୀଣ ଆଲୋକ ଆସି ତା’ ପ୍ରାଣରେ ଆଶା ସଞ୍ଚାର କରୁଥିଲା ।
ବନମାଳୀକୁ ତଳେ ଥୋଇଦେଇ, ବନ୍ଦୀକର୍ତ୍ତା ଦୁଇ ହାତରେ ମାଟି ଖୋଳିବାକୁ ଲାଗିଲା-। ସେ ଯେ କେତେ ସମୟ ଖୋଳିଲା, ତାହା ସେ ବୁଝିପାରିଲା ନାହିଁ । କାରଣ ଖୋଳିସାରିଲା ପରେ ସେ ମନେକଲା ଯେ ତା’ର ଆୟୁ ଯେପରି ସେତିକିରେ ଶେଷ ହୋଇଯାଉଛି-। ସେ ଥକି କିଛି ସମୟ ବସି ରହିଲା ଓ ତା’ପରେ ପୁଣି ବନମାଳୀକୁ କାନ୍ଧରେ ଧରି ଚାଲିବାକୁ ଲାଗିଲା । ଦିବସ ଆଲୋକ କ୍ରମେ ଯେତିକି ନିକଟବର୍ତ୍ତୀ ହେଲା; ତା’ ପ୍ରାଣରେ ଉଦ୍ଧାର ଆଶା ସେତିକି ମୁଣ୍ଡ ଟେକି ଉଠିଲା । ସେ ମନେ ମନେ ଭାବିଲା, ‘‘ଏଥର ବୋଧହୁଏ ସବୁ ବାଧାବିଘ୍ନ ଅତିକ୍ରମ କରି ଆସିଲି; ବାକି ଏଇ ଖଣ୍ଡକ ପାର ହୋଇଗଲେ ରକ୍ଷା ପାଇଯିବି ।’’
ସେହି କଥା ଭାବିସାରି, ସେ ପାଦ ପକାଇଲା ବେଳକୁ, ପାଦ ଗୋଟାଏ କାଦୁଅ ଗାଡ଼ରେ ପଡ଼ିଗଲା । ତା’ ଦୁଇପାଦ ଭିତରକୁ ଏତେ ଗଳିଗଲା ଯେ ସେ ସିଧା ଠିଆ ହେବାକୁ ଅକ୍ଷମ ହେଲା । କାଦୁଅ କ୍ରମେ ଅଣ୍ଟା ପର୍ଯ୍ୟନ୍ତ ଆସିଗଲା, ଦେଖି ତା’ ମନରେ ଭୟ ହେଲା । ତଥାପି ସେ ଅଗ୍ରସର ହେବାକୁ ଲାଗିଲା । କାଦୁଅ ମଧ୍ୟ ପ୍ରଥମେ ଛାତି ଓ ତା’ପରେ ବେକ ପର୍ଯ୍ୟନ୍ତ ଉଠିଲା । ସେ ବନମାଳୀକୁ କାନ୍ଧରୁ ଟେକି ମୁଣ୍ଡରେ ଥୋଇଲା । ସେ ଏକା ହୋଇଥିଲେ, ହୁଏତ କାଦୁଅ ଉପରେ କୌଣସି ପ୍ରକାରେ ଠେଲି ପେଲି ହୋଇ ରହିଯାଆନ୍ତା; କିନ୍ତୁ ତା’ ଦୁଇ ପାଦ ଉପରେ ତାକୁ ଦୁଇ ଜଣ ମନୁଷ୍ୟର ଭାର ବୋହିବାକୁ ପଡ଼ୁଥିଲା; ଅଥଚ ପାଦତଳେ କୌଣସି କଠିନ ସ୍ଥାନର ଆଶ୍ରୟ ମିଳିଲା ନାହିଁ । କ୍ରମେ ଯେତେବେଳେ ତା’ ପାଟି ପର୍ଯ୍ୟନ୍ତ କାଦୁଅ ପହଞ୍ଚିଲା, ସେ ନିଃଶ୍ୱାସ ନେବାପାଇଁ ମୁଣ୍ଡ ପଛକୁ ବଙ୍କା କରି, ନାକ ଉପରକୁ ଟେକିରଖିଲା ଓ କହିଲା, ‘‘ମୁଁ ପାପିଷ୍ଠ ନିଜେ ମରିଥାନ୍ତି, ୟାକୁ ଆଣିଲି କାହିଁକି ? ଏ ମଲେ ପାପ ତ ମୋତେ ମୁଣ୍ଡେଇବାକୁ ହବ କହି ସେ ପାଦ ଟିକିଏ ବଢ଼ାଇଲା ବେଳକୁ ତଳେ ଗୋଟାଏ ପଥର ଉପରେ ବାଜିଲା । ତହୁଁ ବନ୍ଦୀକର୍ତ୍ତା ଠିଆ ହୋଇ ନିଃଶ୍ୱାସ ମାରିଲା । ସେତେବେଳେ ଗୋଟିଏ ସୂର୍ଯ୍ୟ ରଶ୍ମି ମଧ୍ୟ କିଛି ଦୂରରେ ତା’ ଦୃଷ୍ଟିପଥରେ ପଡ଼ିଲା ।
କିନ୍ତୁ ସେ ଅଗ୍ରସର ହୋଇ ଦେଖିଲା ଯେ ସୁଡ଼ଙ୍ଗ ଆଉ ଗୋଟାଏ କୂଅରେ ଆସି ସରିଛି-। ସେ କୂଅରେ ପାଣି ନ ଥିଲା । ସେ ଉପରକୁ ଚାହିଁ ଦେଖିଲା କୂଅର ମୁହଁଟା ବନ୍ଦ । ବନମାଳୀକୁ ତଳେ ଶୁଆଇ ଦେଇ କୂଅର ମୁହଁ ଖୋଲିବାପାଇଁ ସେ ଉପରକୁ ଉଠିଲା । କୂଅ ଉପରେ ଗୋଟାଏ କାଠପଟା ଜାଲ ଘୋଡ଼ଣି ରହିଥିଲା । ଘୋଡ଼ଣିଟା ଫିଟାଇ ଚାଲିଯିବା ସହଜ ହେବ ବୋଲି ସେ ସ୍ଥିର କଲା ସମୟରେ ଦେଖିଲା, ସେଥିରେ ଉପରୁ ତାଲା ପଡ଼ିଛି ଏବଂ କୂଅ ଉପରେ ଖଣ୍ଡେ ଦୂରରେ ଜଣେ ଲୋକ ଠିଆ ହୋଇଛି । ତା’ର ହୃତ୍କମ୍ପ ହେଲା । ସେ ମନକୁ ମନ କହିଲା, ‘‘ଏଁ, ଏ ତ ଦୀନା ସାହୁ ।’’ କିନ୍ତୁ ଦୀନା ସାହୁ ତାକୁ ଦେଖି ଚିହ୍ନିପାରିଲା ନାହିଁ । ତା’ ମୁହଁଟା ରକ୍ତରେ ନାଲି ପଡ଼ିଥିଲା ଓ ସମଗ୍ର ଦେହରେ କାଦୁଅ ବୋଳାହୋଇଥିଲା । ସେ ଅବସ୍ଥାରେ ସେ ନିଜେ ନିଜକୁ ଚିହ୍ନି ପାରିଥାନ୍ତା କି ନା ସନ୍ଦେହ ।
କର୍ତ୍ତବ୍ୟ ଓ କୃତଜ୍ଞତା
ବନମାଳୀର ବନ୍ଦୀକର୍ତ୍ତା ଯେତେବେଳେ କୂଅ ମୁହଁକୁ ଆସି ଦେଖିଲା, ତା’ କବାଟରେ ଗୋଟାଏ ପ୍ରକାଣ୍ଡ ତାଲା ପଡ଼ିଛି ଏବଂ ସମ୍ମୁଖରେ ଦୀନା ସାହୁ ବିକଟ ମୂର୍ତ୍ତିରେ ଠିଆ ହୋଇଛି, ତାକୁ କ୍ଷଣକ ପାଇଁ ସବୁ ଅନ୍ଧାର ଦିଶିଗଲା । ସେ ଯେଉଁବାଟେ ଆସିଥିଲା, ସେ ବାଟର ବିକଟ ଚିତ୍ର ତା’ ଆଗରେ ଆସି ଚିତ୍ରିତ ହେବାକୁ ଲାଗିଲା । ସେ ମନକୁ ମନ କହିଲା, ‘‘ନା, ଫେରିଯିବା ଅସମ୍ଭବ-।’’ ସେତେବେଳେ ଦୀନା ସାହୁର ଦୃଷ୍ଟି ତା’ ଉପରେ ପଡ଼ିଲା । ଦୀନା ସାହୁ ତାକୁ ଚିହ୍ନି ନ ପାରି କହିଲା, କି ରେ ଭାଇ, ତୁ ନିଶ୍ଚୟ ଗୋଟେ କିଛି ଶିକାର ପାଇଚୁ ।’’ କୂଅ ମୁହଁରେ ତଳକୁ ଚାହିଁ ତଳେ ଗୋଟାଏ ରକ୍ତାକ୍ତ ମନୁଷ୍ୟ ଦେହ ପଡ଼ିଥିବାର ଦେଖିଲା । ତହୁଁ ସେ ଧୀରେ ଧୀରେ କହିଲା, ‘‘ଭାଇ ତୋର ଅଧେ, ମୋର ଅଧେ ।’’
ବନ୍ଦୀକର୍ତ୍ତା ମନେକଲା ଯେ ସେ ଗୋଟାଏ ସ୍ୱପ୍ନ ଦେଖୁଛି । ସେ ଅନେକ ସମୟ ଅବାକ୍ ହୋଇ ରହିଲା । ତା’ପରେ ଦୀନା ସାହୁ ପୁଣି ପଚାରିଲା, ‘‘ତୁ କିମିତି ଆସିବୁ ? ମୋତେ ଅଧା ଦେବୁ ବୋଲି ଆଗ ହଁ କର । ତୁ ତାକୁ ତ ମାରିଚୁ । ଭଲ କଥା । ମୁଁ ତୋତେ ଚିହ୍ନି ନାହିଁ; ତେବେ ତୁ ଆମରି ଦଳର ଗୋଟାଏ ହବୁ ନିଶ୍ଚୟ । ମୁଁ ତୋତେ ସାହାଯ୍ୟ ନ କରିବାଟା ଭଲ ହେବ ନାହିଁ । ମୋ ପାଖେ ଚାବି ଅଛି । ତୁ ତ ବିନା ଲାଭରେ ଶିକାର କରି ନାହୁଁ । ମତେ ଅଧେ ଦେଲେ, ଫିଟେଇଦେବି ।’’
ବନ୍ଦୀକର୍ତ୍ତା ସେତେବେଳେ ଯାଇ କଥାଟା ବୁଝିଲା । ସେ ବୁଝିଲା ଯେ ଦୀନା ସାହୁ ପରି ବିକଟ ରୂପରେ ଦୟାମୟ ଭଗବାନ ତାକୁ ସାହାଯ୍ୟ କରିବାକୁ ଉପସ୍ଥିତ ହୋଇଛନ୍ତି । ସେ ସେହି କଥା ଭାବୁ ଭାବୁ ଦୀନା ସାହୁ ପୁଣି ପଚାରିଲା, ‘‘କ’ଣ ଅଧେ ଦେବୁ ତ ? ବନ୍ଦିକର୍ତ୍ତାର ଅନିଚ୍ଛାସତ୍ତ୍ୱେ ତା’ ତୁଣ୍ଡରୁ ବାହାରିପଡ଼ିଲା, ‘‘ହଁ ।’’ ଦୀନା ସାହୁ ତାଲାଟା ଫିଟେଇଦେଲା । ବନ୍ଦୀକର୍ତ୍ତା ଓହ୍ଲେଇ ଯାଇ ବନମାଳୀକୁ କାନ୍ଧରେ ଧରି କ୍ଷଣକ ମଧ୍ୟରେ କୂଅ ଉପରେ ଆସି ଠିଆ ହେଲା । ଦୀନା ସାହୁ ତା’ କୁରୁତା ପକେଟ ଖୋଜି ତିନିଗୋଟି ମୋହର, ପନ୍ଦରଟି ଟଙ୍କା ଏବଂ କେତେଗୁଡ଼ିଏ ରେଜିକି ପାଇ କହିଲା, ‘‘ମନ୍ଦ କ’ଣ ? ବେଶ୍ ତ ପାଇଚୁ । ତେବେ, ଆହୁରି ବଡ଼ ମୁଣ୍ଡିଆ ଜଣେ କାହିଁକି ଧଇଲୁ ନାହିଁ ? ମୋତେ ଅଳ୍ପକିଆ କଥା ସୁଖ ଲାଗେ ନାହିଁ । ତୋ ନଜରଟା ଭାରି ଛୋଟିଆ ଦେଖୁଚି ।’’ ତଥାପି ସେ ବନ୍ଦୀକର୍ତ୍ତା ଓ ବନମାଳୀର ଲୁଗାପଟା ତନ୍ନତନ୍ନ କରି ଖୋଜିବାକୁ ଲାଗିଲା, କିନ୍ତୁ କିଛି ପାଇଲା ନାହିଁ । ବନ୍ଦିକର୍ତ୍ତାର ଅଗୋଚରରେ ବନମାଳୀ କୁରୁତାରୁ ସେ ଖଣ୍ଡିଏ କନା ଧୀରେ ଧୀରେ କତୁରିରେ କାଟି ନେଇଗଲା । ସେତେବେଳେ ସେ ମନେ ମନେ ଭାବିଲା, ‘‘ହୁଏତ ୟାରି ସାହାଯ୍ୟରେ ଦିନେ ଘାତକ ଆଉ ହତ ଦିହିଁଙ୍କ ପରିଚୟ ପାଇପାରିବି ।’’ ତା’ପରେ ସେ ବନ୍ଦୀକର୍ତ୍ତା ହାତକୁ ଗୋଟାଏ ଦଉଡ଼ି ଆଣି ବଢ଼ାଇଦେଲା ।
ବନ୍ଦୀକର୍ତ୍ତା ପଚାରିଲା, ‘‘ମୁଁ ୟାକୁ ନେଇ କ’ଣ କରିବି ?’’
‘‘ନା, ଗୋଟାଏ ପଥର ମଧ୍ୟ ତୋର ଦରକାର ହବ ।’’
‘‘ବଳଦ, ତୁ କ’ଣ ନୂଆ କି ? ଖାଲି କିମିତି ପାଣିରେ ବୁଡ଼ିବ ? ପଥରଟା ଦଉଡ଼ିରେ ବେକରେ ବାନ୍ଧି ପକେଇଦେବୁ ।’’ କହି, ଦୀନା ସାହୁ ତାକୁ ବିଦାୟ ଦେଲା । ବନ୍ଦିକର୍ତ୍ତାର ଶିକାର ଲବ୍ଧ ଧନ ସେ ଯେ ଅଧା ଅଧା ବାଣ୍ଟିବାକୁ କହିଥିଲା, ବିଦାୟ ଦେଲାବେଳେ ତା’ର ସେ କଥା ମନେପଡ଼ିଲା ନାହିଁ । ତାକୁ ବିଦାୟ ଦେଇ ଦୀନା ସାହୁ କୂଅ ମୁହଁ କବାଟରେ ପୁଣି ତାଲା ପକାଇଲା-। କବାଟ ଉଠିବା ଓ ପଡ଼ିବାବେଳେ କଟ୍କଟ୍ ଶବ୍ଦ କିଛି ଶୁଣାଗଲା ନାହିଁ, କବ୍ଜାରେ କଳଙ୍କି ଲାଗି ନ ଥିଲା । ସେଥିରୁ ବୁଝାଯାଉଥିଲା ଯେ କବାଟଟା ବେଳେ ବେଳେ ପଡ଼ୁଛି ଓ ଫିଟୁଛି-। କୂଅଟା ଗୋଟାଏ ବହୁଦିନର ପରିତ୍ୟକ୍ତ ପ୍ରକାଣ୍ଡ ପୁରୁଣା ବେମରାମତ ଦରଭଙ୍ଗା ଘରର ଅଗଣାରେ ଅବସ୍ଥିତ ଥିଲା । ଯେଉଁ ବ୍ୟକ୍ତି ପ୍ରଥମ କୂଅରେ ପଶିଲାବେଳେ ବନମାଳୀର ବନ୍ଦୀକର୍ତ୍ତା ରୂପେ ପଶିଥିଲା, ଦ୍ୱିତୀୟ କୂଅରୁ ସେ ତା’ର ରକ୍ଷାକର୍ତ୍ତା ହୋଇ ବାହାରିଲା ।
ବନମାଳୀକୁ କାନ୍ଧରେ ଧରି ସେହି ଭଙ୍ଗା ଘର ମଧ୍ୟରୁ ବାହାରକୁ ବାହାରିଲା ମାତ୍ରେ, ବାହକ ସମ୍ମୁଖରେ ଖଣ୍ଡେଦୂରରେ ଜଣେ ଦୀର୍ଘାକୃତି ବ୍ୟକ୍ତି ଆସିବାର ଦେଖିଲା । ଦେଖି ସେ ଚମକି ପଡ଼ିଲା । ଆଗନ୍ତୁକ ଅନ୍ଧାରରେ ଧାଇଁଆସି, ବାହକର ଦୁଇ ବାହୁକୁ ଧରି, ମୁହଁକୁ ମୁହଁ ଲଗାଇ, ଚାହିଁ ଦେଖିଲେ, କିନ୍ତୁ ଚିହ୍ନିପାରିଲେ ନାହିଁ । କିନ୍ତୁ ବାହକ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କୁ ଚିହ୍ନିଲା । ସେ ଯେ ମହର୍ଗରୁ ଆସି କାନ୍ତାରରେ ପଡ଼ିଲା, ବୁଝିବାକୁ ଆଉ ବାକି ରହିଲା ନାହିଁ । ଜନାର୍ଦ୍ଦନ ଦୀନା ସାହୁ ପଛରେ ଗୋଡ଼ାଇ ସେ ପର୍ଯ୍ୟନ୍ତ ଆସିଥିଲେ । ଠିକ୍ ସେହିଠାରେ ଦୀନା ସାହୁ ତାଙ୍କ ଦୃଷ୍ଟିପଥରୁ ଅତୀତ ହୋଇଯିବାରୁ ସେ ବହୁ ସମୟ ଧରି ତାକୁ ଖୋଜି ବୁଲୁଥିଲେ ଏବଂ ବାହକକୁ ଦେଖି ପଚାରିଲେ, ‘‘ତୁମେ କିଏ ?’’
‘‘ପାଣୁ ନାଏକ ପରା । ଆପଣ ମୋତେ ଚିହ୍ନିସାରି ପୁଣି ଯେ ପଚାରୁଛନ୍ତି ।’’ ପ୍ରକୃତରେ ପାଣୁ ନାଏକର ଚେହେରା ଏକାବେଳକେ ବଦଳି ଯାଇଥିବାରୁ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ପରି ବିଚକ୍ଷଣ ପୋଲିସ କର୍ମଚାରୀ ମଧ୍ୟ ତାକୁ ଚିହ୍ନିପାରି ନ ଥିଲେ; କିନ୍ତୁ ସେ ତାହା ବୁଝିପାରିଲା ନାହିଁ । ତହୁଁ ସେ ନାମ ଲୁଚାଇବାକୁ ବୃଥା ଚେଷ୍ଟା ନ କରି କହିଦେଲା ଓ ତା’ପରେ ନିବେଦନ କଲା, ‘‘ସର୍ଦ୍ଦାର ଆପଣେ, ଆପଣ ମୋତେ ବର୍ତ୍ତମାନ ଧରିଚନ୍ତି । ମୁଁ ଆପଣଙ୍କ ହାତେ ଧରା ହେଇଚି ବୋଲି ଆଗରୁ ଜାଣିଚି; ତେଣୁ ମୁଁ ଆପଣଙ୍କୁ ମୋ ଠିକଣା ଦେଇଦେଇଚି । ମୋତେ ଧରିନିଅନ୍ତୁ, ତେବେ, ଗୋଟାଏ ପ୍ରାର୍ଥନା ଶୁଣନ୍ତୁ ।’’
ଜନାର୍ଦ୍ଦନ ପାଣୁ ନାଏକ କଥା ନ ଶୁଣି ନିଜେ ଗଭୀର ଚିନ୍ତାରେ ନିମଗ୍ନ ଥିଲେ । ସେ ଚିନ୍ତାରୁ ବିରତ ହୋଇ ପଚାରିଲେ, ‘‘ତୁମେ ଏଠେଇ କଣ କରୁଚ ? ଏ ଲୋକଟି କିଏ ?’’ ପାଣୁ ନାଏକ ଉତ୍ତର ଦେଲା ଏବଂ ସର୍ଦ୍ଦାର ଶୁଣି ଗୋଟାଏ ପ୍ରବଳ ସ୍ୱପ୍ନରୁ ଉଠିଲା ପରି ବୋଧ କଲେ । ‘‘ମୁଁ ୟାରି କଥା ଆପଣଙ୍କୁ କହିବାକୁ ଯାଉଥିଲି । ଆପଣ ମୋତେ ଯାହା କରିବେ କରନ୍ତୁ । କେବଳ ୟାକୁ ତା’ ଘରେ ନେଇ ପହଞ୍ଚେଇ ଦବାରେ ଟିକିଏ ସାହାଯ୍ୟ କରନ୍ତୁ ।’’ ଶୁଣି ସର୍ଦ୍ଦାର ବନମାଳୀ ମୁହଁ ନିଜ ରୋମାଲରେ ପୋଛି ଦେଇ କହିଲେ, ‘‘ଏ ତ ସେ ଗୋଳମାଳ ଭିତରେ ଥିଲା । ୟାକୁ ସମସ୍ତେ ବନମାଳୀ ବାବୁ ବୋଲି ଡାକୁଥିଲେ ।’’
‘‘ହଁ, ୟା ଉପରେ ଖୁବ୍ ଜୋର ମାଡ଼ ବସିଚି ।’’
‘‘ଏ ତ ମରିଗଲାଣି ନା କ’ଣ !’’
‘‘ଏପର୍ଯ୍ୟନ୍ତ ମରିନାହିଁ । ୟା ଘର ତୁଳସୀପୁରରେ । ୟା ଅଜା ସେଠେଇ ଥାଆନ୍ତି ।’’ କହି, ପାଣୁ ନାଏକ ବନମାଳୀ ପକେଟରୁ ତା’ର ସେ କାଗଜ ଖଣ୍ଡି କାଢ଼ି ସର୍ଦ୍ଦାରଙ୍କ ହାତକୁ ବଢ଼ାଇଦେଲା । ଅନ୍ଧାରରେ ବିରାଡ଼ି ଦେଖିପାରିଲା ପରି, ଲେଖା ପଢ଼ିବା ଶକ୍ତି ପୋଲିସ କର୍ମଚାରୀମାନଙ୍କର ଥାଏ । ସର୍ଦ୍ଦାର ଲେଖାଟି ପଢ଼ି ଡ଼ାକିଲେ, ‘‘ଗାଡ଼ିବାଲା ।’’
ସର୍ଦ୍ଦାର ସଙ୍ଗରେ ଗୋଟିଏ ଭଡ଼ା ଘୋଡ଼ା ବଗି ନେଇ ଆସିଥିଲେ । ତହିଁରେ ସେ ବନମାଳୀକୁ ଟେକି ଥୁଆଇଲେ, ପାଣୁ ନାଏକକୁ ସଙ୍ଗରେ ଧରି ବସିଲେ ଓ କହିଲେ, ‘‘ତୁଳସୀପୁର ଚଲାଅ ।’’ ଗାଡ଼ିବାଲା ଘୋଡ଼ା ପିଠିରେ ଛାଟ ପିଟିଲା । ଗାଡ଼ି ଘର ଘର ହୋଇ ଚାଲିଲା ।
ଶ୍ରୀନିବାସ ଚମ୍ପତିରାଏଙ୍କ ଦ୍ୱାରରେ ବଗି ବନ୍ଦ କରି ସର୍ଦ୍ଦାର କହିଲେ, ‘‘ଏଇଟା ପରା ଚମ୍ପତିରାଏଙ୍କ ଘର ।’’ ଜଗୁଆଳ ଉତ୍ତର ଦେଇ ପଚାରିଲା, ‘‘ହଁ, କ’ଣ ଦରକାର ?’’
‘‘ଆମେ ତାଙ୍କ ପୁଅକୁ ଆଣିଚୁ ।’’ ଜଗୁଆଳ ବିସ୍ମିତ ହୋଇ କହିଲା, ‘‘ତାଙ୍କ ପୁଅ । ସେ ପୁଣି କିଏ ? ମୁଁ ତ ନୂଆ ଶୁଣୁଚି ଆଜି ।’’
‘‘ହଁ, ତାଙ୍କ ପୁଅ; ହେଲେ, ମରିଯାଇଚି । ସେ ମେଳିରେ ମିଶି ଯୁଦ୍ଧ କରୁଥିଲା । ତା’ ବାପାକୁ ଡାକ ନା ।’’ ଜଗୁଆଳ ଚାକରକୁ ଡାକି ଉଠାଇଲା । ଚାକର ଚାକିରିଆଣୀକୁ ଡାକିଲା । ଚାକିରିଆଣୀ ପାର୍ବତୀଙ୍କି ଖବର ଦେଲା; କିନ୍ତୁ କେହି ଶ୍ରୀନିବାସଙ୍କୁ ଉଠାଇଲେ ନାହିଁ, କେବଳ ବନମାଳୀକୁ ନେଇ ଘରେ ରଖି ଚିକିତ୍ସକଙ୍କୁ ଡକାଇ ପଠାଇଲେ ।
ପାଣୁ ନାଏକ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ସଙ୍ଗେ ପୁଣି ବଗିରେ ବସିବାକୁ ଗଲା । ସେତେବେଳେ ସେ କହିଲା, ‘‘ସର୍ଦ୍ଦାର ମହାରାଜ ! ମୋତେ ଆଉ ଗୋଟାଏ ଅନୁଗ୍ରହ କରିବେ । ମୁଁ ଦଣ୍ଡକ ସକାଶେ ଟିକିଏ ଘରକୁ ଯିବି । ତା’ପରେ ଆପଣ ମୋତେ ନେଇ ଯାହା ଇଚ୍ଛା କରିବେ ।’’ ସର୍ଦ୍ଦାର ଶୁଣି ମନେ ମନେ କ’ଣ ଭାବିଲେ ଓ ତା’ପରେ ଗାଡ଼ିବାଲାକୁ କହିଲେ, ‘‘ତେଲେଙ୍ଗାବଜାର ଚଲାଅ ।’’ ବାଟରେ ଗାଡ଼ି ଚାଲିଲାବେଳେ ଉଭୟଙ୍କ ମଧ୍ୟରେ ପଦେ ସୁଦ୍ଧା କଥାବାର୍ତ୍ତା ହେଲା ନାହିଁ-। ସର୍ଦ୍ଦାର ଗୋଟାଏ ଗଭୀର ଚିନ୍ତାରେ ନିମଗ୍ନ ଥିଲେ । ପାଣୁ ନାଏକ ମଧ୍ୟ ନିଜ ଅବସ୍ଥା ଅନୁସାରେ ଆଉ ଗୋଟିଏ ଗାଢ଼ ଧ୍ୟାନରେ ବୁଡ଼ିରହିଥିଲେ । ସେ ରମାକୁ ଦେଖି, ବନମାଳୀ କେଉଁଠାରେ ଏବଂ କିପରି ଅଛି ସେ ଖବର ଦେଇ, ବିଦାୟ ନେଇ ଚାଲିଯିବା ନିମନ୍ତେ ସର୍ଦ୍ଦାରଙ୍କୁ ପ୍ରାର୍ଥନା କରି କିଛି ସମୟ ଛୁଟି ମାଗିଥିଲା ।
ପାଣୁ ନାଏକ ସହିତ ସର୍ଦ୍ଦାର ଯେତେବେଳେ ବଗିରୁ ଓହ୍ଲାଇଲେ, ଗାଡ଼ିବାଲାକୁ ପଚାରିଲେ, ‘‘ତୋ ଭଡ଼ା କେତେ ହେଲା ?’’ ଗାଡ଼ିବାଲା ଉତ୍ତର ଦେଲା ‘‘ହଜୁର, ଭଡ଼ା ସାତ ଘଣ୍ଟାକୁ ପାଞ୍ଚଟଙ୍କା ଚାରଣା । ଆଉ ଦେଖନ୍ତୁ, ମଖମଲ୍ ଗଦିଟା ରକ୍ତରେ କିମିତି ବୁଡ଼ିଯାଇଛି । ମୋତେ ତା’ ଦାମ୍ଟା ଏ ଘାତୁକଠୋଉ ଦିଆଇ ଦିଅନ୍ତୁ ।’’ ସର୍ଦ୍ଦାର ପଚିଶ ଟଙ୍କା ଚାରି ଅଣା ନିଜ ଥଳିରୁ ଗାଡ଼ିବାଲାକୁ ଦେଇ ବିଦାୟ କରିଦେଲେ ଏବଂ ପାଣୁ ନାଏକ ସହିତ ତା’ ଘର ଦ୍ୱାରରେ ଉପସ୍ଥିତ ହେଲେ । ପାଣୁ ନାଏକ ଡାକିବାରୁ ଦ୍ୱାର ଫିଟିଲା । ସର୍ଦ୍ଦାର କହିଲେ, ‘‘ମୁଁ ଠିଆ ହେଇଚି । ତୁମେ ଭିତରକୁ ଯାଅ ।’’ ସର୍ଦ୍ଦାରଙ୍କର ଏ ପ୍ରକାର ଅନୁଗ୍ରହ ପାଣୁ ନାଏକକୁ ନୂଆ ବୋଧ ହେଲା । ସେ ଘର ଭିତରକୁ ଯାଇ କିଛି ସମୟ ପରେ ଫେରିଆସି ଦେଖିଲା, ସର୍ଦ୍ଦାର ଆଉ ନାହାନ୍ତି ।
ସର୍ଦ୍ଦାର ପାଣୁ ନାଏକ ଘରୁ ଯେ ଚିନ୍ତାମଗ୍ନ ହୋଇ ମୁଣ୍ଡ ନୁଆଁଇ ଫେରିଲେ, ସେ ମୁଣ୍ଡ ସେ ଆଉ ଟେକିପାରିଲେ ନାହିଁ । ପାଣୁ ନାଏକ ପରି ଜଣେ ଅପରାଧୀ ତାଙ୍କୁ ପ୍ରାଣ ଦାନ କରିଥିଲା-। ତା’ର ପ୍ରତ୍ୟୁପକାର ସ୍ୱରୂପ ସେ ଆଜି ଅପରାଧୀକୁ ଦେଖି ହାତରେ ପାଇ, ବନ୍ଦୀ ନ କରି, ସ୍ୱାଧୀନତା ଦେଇଛନ୍ତି । ଏକ ଦିଗରେ କୃତଜ୍ଞତା ଓ ଅପର ଦିଗରେ କର୍ତ୍ତବ୍ୟର ତ୍ରୁଟି-। ସେ ତୁଳି ଦେଖିଲେ, କର୍ତ୍ତବ୍ୟର ତ୍ରୁଟି ତାଙ୍କୁ ବିଶେଷ ଗୁରୁତର ବୋଧହେଲା । ତେଣୁ ସେ ନଇଁପଡ଼ିଲେ, ଜୀବନଟାକୁ ତୁଚ୍ଛ ବିଷୟ ମନେକଲେ । ସେ ଫାଣ୍ଡିକୁ କିମ୍ୱା ନିଜ ଘରକୁ ନ ଫେରି, କାଠଯୋଡ଼ି ପଥରବନ୍ଧ ଉପରେ ଯାଇ ନିଜର ପ୍ରେତମୂର୍ତ୍ତି ପରି ଠିଆହୋଇ ଦେଖିଲେ, ବିଶାଳ ତଟନୀ ବକ୍ଷରେ ପ୍ରଖର ସ୍ରୋତ ବହୁଅଛି । ଦେଖି ସେ କହିଲେ, ‘‘ମା ଗଙ୍ଗା ! ଏ ଅଧମ ସନ୍ତାନକୁ କୋଳରେ ଗ୍ରହଣ କର ।’’ ନଦୀ ବକ୍ଷ କ୍ଷଣକ ନିମନ୍ତେ ଦୁଇଭାଗ ହୋଇ, ଗୋଟାଏ ଲହରୀ ଉଠାଇ, ଅବିଳମ୍ବେ ପୁଣି ସମାନ ହୋଇଗଲା । କୂଳର ମନୁଷ୍ୟ ମୂର୍ତ୍ତିଟି ଆଉ ଦେଖାଗଲା ନାହିଁ ।