ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୩ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ସତ୍ସଙ୍ଗର ପରିଣାମ
ଆରଦିନ ସକାଳେ ମହନ୍ତ ମହାରାଜ ଅଭ୍ୟାସ ଅନୁସାରେ ସବୁଦିନ ପରି ଅତି ଭୋର୍ରୁ ଶେଯରୁ ଉଠି ବଗିଚାକୁ ବୁଲିବାକୁ ଗଲେ । ପ୍ରଭାତର ପ୍ରଥମ ଆଲୋକରେ କୁଆମାନେ ଗଛ ଡାଳରେ ବସି କାଆ କାଆ ରାବିବାକୁ ଲାଗିଲେ । ଗଙ୍ଗଶିଉଳି ଗଛରୁ ଫୁଲ ଝଡ଼ି ତଳେ ଗୋଟିଏ ପୁଷ୍ପଶଯ୍ୟା ରଚିତ ହୋଇଥିଲା । ଉଷାର ମୋହନ ଦୃଶ୍ୟ ଦେଖି ଓ ମଧୁର ଧ୍ୱନି ଶୁଣି, ମହନ୍ତ ଆନନ୍ଦରେ ଅଭିଭୂତ ହେଉଛନ୍ତି, ଏପରି ସମୟରେ ବିଷ୍ଣୁପ୍ରିୟା ଧଇଁସଇଁ ହୋଇ ଧାଇଁଆସି, ଦୂରରୁ ପାଟି କରି କହିଲେ, ‘‘ମହାତ୍ମା, ସେ ଲୋକଟା କାହିଁ ? ସିନ୍ଦୁକ ଫିଟିଚି । ରୂପା ରୁଖାଟି ନାହିଁ । ସେ ଲୋକଟା ନିଶ୍ଚୟ ଚୋରି କରି ନେଇ ପଳେଇଚି ।’’
ବିଷ୍ଣୁପ୍ରିୟାଙ୍କ କଥା ଶୁଣି ମହନ୍ତ କୃଷ୍ଣଚରଣ ଦାସ କହିଲେ, ‘‘ଦେଖ, ସାନମାତା, ସେ ରୁଖାଟି କ’ଣ ଆମର ? ମୁଁ ରୋଜ ଭାବେ ଯେ ଆମେ ଗୋଟାଏ ମହା ପାପ କରୁଚେ । ରୂପା ରୁଖା କାହା ଘରେ ଜଳେ ? ତାକୁ ବିକ୍ରି କରି ଆମେ ଦରିଦ୍ର ଲୋକଙ୍କୁ ଯେ ଆଜି ପର୍ଯ୍ୟନ୍ତ ଦାନ କରି ନ ଥିଲେ, ସେଟା କ’ଣ ଗୋଟାଏ ବଡ଼ଦୋଷ ନୁହେଁ ? ଯାଇଚି ଭଲ ହୋଇଚି । ମୁଁ ଏକ ପାପରୁ ପରିତ୍ରାଣ ପାଇଚି । ପାଣୁ ନାଏକ ଯେ ଆସିଥିଲେ, ମୋତେ ପାପରୁ ଉଦ୍ଧାର କରିବାକୁ ଆସିଥିଲେ କହିଲେ ଚଳେ ।’’
‘‘ମାତ୍ର ଏଣିକି କେହି ଆସିଲେ ଆଲୁଅ ଜଳିବ କିପରି ?’’
‘‘କାଠ ରୁଖାରେ । ଏଇ ତ ହରିପ୍ରିୟା । ଭାବ ଦେଖି ବଡ଼ମାତା, ଆମେ ଆଜି କେଡ଼େ ନିଶ୍ଚିନ୍ତ ହେଇଚେ’’ କହି ମହନ୍ତ ମାତା ଦୁହିଙ୍କ ସହିତ ମଠ ଭିତରକୁ ଆସି ଖାଇବା ଘରେ ପହଞ୍ଚିଲେ-। ବାହାରୁ କିଏ ଦୁଆର ଫିଟାଇଲା । ମହନ୍ତ କହିଲେ, ‘‘ଆସ, ବାବା ।’’
ତିନିଜଣଲୋକ ଜଣକୁ ବାନ୍ଧି ଆଣିଥିଲେ । ସେମାନେ ସମସ୍ତେ ମଠରେ ପଶିଲେ । ବାନ୍ଧି ଆଣିଥିବା ଲୋକମାନେ ପୋଲିସ ସିପାହୀ, ବନ୍ଧାହୋଇ ଆସିଥିବା ଲୋକଟି ପାଣୁ ନାଏକ । ପଛରେ ଆଉଜଣେ ବ୍ୟକ୍ତି ଆସି ନମସ୍କାର କରି କହିଲେ, ‘‘ମହନ୍ତ ମହାରାଜ !’’ ପାଣୁ ନାଏକ ଶୁଣି, ମୁଣ୍ଡ ଟେକି, ଗୁଣୁଗୁଣୁ ସ୍ୱରରେ, ନିଜେ କହି ନିଜେ ଶୁଣିଲା ଭଳି କହିଲା, ‘‘ଏ ଯେ ଆଉ କ’ଣ, ବାବାଜି ନୁହନ୍ତି ତ ।’’
ଜଣେ ସିପାହୀ କହିଲା, ‘‘ଚୁପ୍ ସଇତାନ । ପାଟି କରନା ।’’
ମହନ୍ତ ମହାରାଜ ଆଗେଇ ଆସିଥିଲେ । ସେ ପାଣୁ ନାଏକ ଆଡ଼କୁ ଅନାଇ କହିଲେ, ‘‘ଆଃ, ଏଇତ ଆପଣ । ମୁଁ ଆପଣଙ୍କୁ ଦେଖି ବଡ଼ ଖୁସି ହେଲି । ଆପଣଙ୍କୁ ମୁଁ ଯେ ରୁଖାଟି ଦେଇଥିଲି, ତାକୁ କ’ଣ ବିକ୍ରି କରିପାରିଲେ ନାହିଁ ?’’
ପାଣୁ ନାଏକ ଆଚମ୍ବିତ ହୋଇ ମହନ୍ତଙ୍କ ମୁହଁକୁ ଚାହିଁଲା ।
ପୋଲିସ କର୍ମଚାରୀ କହିଲେ, ‘‘ମହନ୍ତ ମହାରାଜ, ଏ ଲୋକ ମତେ ଯାହା କହିଚି, ତେବେ ସତ । ଏ ଅଣବାଟରେ ଏପରି ମୂଲ୍ୟବାନ ଜିନିଷ ଧରି ଧାଇଁ ଚାଲିଯିବାର ଦେଖିବାରୁ ଆମର ସନ୍ଦେହ ହେଲା । ଦାଗୀ କି ନା । ଏଟା ଆମର ବଡ଼ ଭୁଲ ହେଇଚି ।’’ କହି, ପାଣୁ ନାଏକକୁ ଛାଡ଼ି ଦେବା ନିମନ୍ତେ କର୍ମଚାରୀ ସିପାହୀମାନଙ୍କୁ ଆଦେଶ ଦେଲେ ।
ପାଣୁ ନାଏକ ପୋଲିସ ହାତରୁ ଖଲାସ ପାଇ, ଗୁଣୁ ଗୁଣୁ ସ୍ୱରରେ କହିଲା, ‘‘ମୁଁ କ’ଣ ପ୍ରକୃତରେ ଖଲାସ ହେଲିଣି ?’’ ଶୁଣି, ଜଣେ କଟୁଆଳ ଉତ୍ତର ଦେଲା, ‘‘କ’ଣ ବୁଝିପାରୁ ନାହଁ ? ହଁ, ଆମେ ଛାଡ଼ିଦେଲୁଁ ।’’
ପାଣୁ ନାଏକ ଯିବାକୁ ପ୍ରସ୍ତୁତ ହେବାର ଦେଖି ମହନ୍ତ କୃଷ୍ଣଚରଣ କହିଲେ; ‘‘ରହନ୍ତୁ ଟିକିଏ, ଆପଣଙ୍କର ଆଉ ଗୋଟାଏ ଜିନିଷ ରହିଯାଇଚି ।’’ କହି ସେ ନିଜ ଶୋଇବା ଘରକୁ ଯାଇ, ସିନ୍ଦୁକ ଭିତରୁ ଗୋଟାଏ ରୂପା ଦୀପ ଆଣିଦେଲେ । ମାତାମାନେ ଅବାକ୍ ହୋଇ ଚାହିଁ ରହିଲେ । ଆପତ୍ତି କରିବାକୁ ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ପାଣୁ ନାଏକ ଆପାଦମସ୍ତକ ଥରୁଥିଲା, ମହନ୍ତ ଦୀପଟି ବଢ଼ାଇ ଦେବାରୁ, କଳର ପିତୁଳା ପରି ହାତରେ ଧରିଲା । ସେ ଦୀପ ନେଇ କ’ଣ କରିବ, ବୁଝି ନ ପାରି ଠିଆ ହୋଇଛି, ମହନ୍ତ କହିଲେ, ‘‘ଆପଣ ବର୍ତ୍ତମାନ ଯାଇପାରନ୍ତି । ଆଉ ଯେତେବେଳେ ଆପଣଙ୍କର କୌଣସି ଅଭାବ ହବ, ଏଠାକୁ ବିନା ସଂକୋଚରେ ଆସିବେ ବୋଲି ମୁଁ କହି ରଖିଲି ।’’
ପୋଲିସ ମଠ ଛାଡ଼ି ଚାଲିଗଲେ । ପାଣୁ ନାଏକ ନିତାନ୍ତ ବିବ୍ରତ ହୋଇପଡ଼ିଲା । ତାକୁ ସାହସ ଦେବା ପାଇଁ ମହନ୍ତ କହିଲେ, ‘‘ଦେଖନ୍ତୁ, ପାଣୁ ନାଏକ, ଆପଣ ଦମ୍ଭ ଧରନ୍ତୁ । ମୁ୍ଁ ଆପଣଙ୍କୁ ଗୋଟିଏ ଅନୁରୋଧ କରିବି । ଆପଣ ଏଣିକି ସାଧୁ ଲୋକ ହେବେ ବୋଲି ମୋତେ କାଲି କହୁଥିଲେ ନା ? ଆପଣ ସାଧୁ ଭାବରେ ଚଳିବେ ।’’
ପାଣୁ ନାଏକ ସାଧୁ ଭାବରେ ଚଳିବ ବୋଲି ଯେ କହିଥିଲା, ତା’ର ମନେ ପଡ଼ିଲା ନାହିଁ-। ସେତେବେଳେ ତା’ର ଚେତନା ନ ଥିଲା, କହିଲେ ଚଳେ । ସେ ପଦେ କିଛି ନ କହି ମଠ ଭିତରୁ ପଦାକୁ ଚାଲିଗଲା । ତାକୁ ବାଟ ଦେଖାଗଲା ନାହିଁ । ଅନ୍ଧ ପରି ପାଦ ଘୋଷାରି ଘୋଷାରି, ସେ କେତେ ଦୂର ଚାଲିଗଲା । ସକାଳ ଓଳି ସାରା ସେ ଏଣେତେଣେ କେବଳ ଲକ୍ଷ୍ୟହୀନ ଭାବରେ ବୁଲିବାକୁ ଲାଗିଲା । ତାକୁ ଭୋକଶୋଷ କିଛି ଜଣାଗଲା ନାହିଁ । କ୍ରମେ ତା’ ମନରେ ପ୍ରଚଣ୍ଡ ରାଗ ଜନ୍ମିଲା; କିନ୍ତୁ ସେ ଯେ କାହା ଉପରେ ରାଗୁଛି, ବୁଝିପାରିଲା ନାହିଁ । ଏହିପରି ତା’ର ସକାଳଓଳି ଗୋଟାକ କଟିଗଲା ।
ସେଦିନ ଦିନସାରା ପାଣୁ ନାଏକ ଅତିଶୟ ଚିନ୍ତିତ ହୋଇ ରହିଲା । ସନ୍ଧ୍ୟାରେ ଯେତେବେଳେ ଆକାଶର ସୂର୍ଯ୍ୟଦେବତା ଅସ୍ତାଚଳ ପଛରେ ଲୁଚିଗଲେ, ସେ କ୍ଳାନ୍ତ ହୋଇ ଗୋଟିଏ ବୁଦା ପାଖେ ବସିପଡ଼ିଲା । ନିକଟରେ ଗାଁ ଗଣ୍ଡା କିଛି ନ ଥିଲା । ମାତ୍ର ଖଣ୍ଡେ ଦୂରରେ ଗୋଟିଏ ସରୁଆ ବାଟ ପଡ଼ିଥିଲା । ସେ ବାଟେ ଗୋଟିଏ ଦଶ ବର୍ଷ ବୟସର ପିଲା ମୁଣ୍ଡରେ ବୋଝ ମୁଣ୍ଡାଇ ଆନନ୍ଦରେ ଗୀତ ଗାଇ ଗାଇ ଆସୁଥିଲା । ହାତରେ ଦୁଇଟି ଦୋ’ଣି ଧରି ସେ ଖେଳି ଖେଳି ବାଟ ଚାଲୁଥିଲା । ସେ ପାଣୁ ନାଏକ ପାଖେ ଆସି ପହଞ୍ଚିଲାବେଳେ ତା’ ହାତରୁ ଗୋଟିଏ ଦୋ’ଣି ଖସିପଡ଼ି ପାଣୁ ନାଏକ ଆଡ଼କୁ ଗଡ଼ି ଚାଲିଗଲା । ପାଣୁ ନାଏକ ହଠାତ୍ ଦୋ’ଣିଟି ଉପରେ ନିଜ ପାଦ ରଖି ତାହା ଲୁଚାଇ ଦେଲା; କିନ୍ତୁ ସେ ପିଲାର ଦୃଷ୍ଟି ଏଡ଼ି ପାରିଲା ନାହିଁ । ପିଲାଟି ଦଉଡ଼ି ଯାଇ ପାଣୁ ନାଏକକୁ କହିଲା, ‘‘ଦୋ’ଣି ଦେଇପକାଅ ।’’
‘‘ତୋ ନାଁ ?’’
‘‘ମଧୁଆ ।’’
‘‘ପଳା ଏଠୁ ବେଗେ ।’’
‘‘ମୋ ଦୋ’ଣି ଦେଇଦେଲେ, ମୁଁ ଚାଲିଯିବି ।’’
ପାଣୁ ନାଏକ ଶୁଣି ଚୁପ୍ ହୋଇ ବସିରହିଲା; କିନ୍ତୁ ମଧୁଆ ତାକୁ ଛାଡ଼ିଲା ନାହିଁ । କହିଲା, ‘‘ମୋ ଦୋ’ଣି ବେଗେ ଦେଇ ପକାଅ ।’’ ପାଣୁ ନାଏକ ନ ଶୁଣି ତୁନି ହୋଇ ବସିବାରୁ ସେ ହାତରେ ତା’ ପାଦ ଘୁଞ୍ଚାଇବାକୁ ଚେଷ୍ଟା କଲା; କିନ୍ତୁ ପାଣୁ ନାଏକ ଭଳି ଗୋଟିଏ ଲୋକର ପାଦ ଟେକି ଘୁଞ୍ଚାଇବାକୁ ମଧୁଆ ପରି ପିଲାର କ’ଣ କାମ ? ସେ ନପାରି କାନ୍ଦିଲା ମାତ୍ର । ପାଣୁ ନାଏକ ମୁଣ୍ଡ ଟେକି, ବାଡ଼ି ଉଚାଇ, କହିଲା, ‘‘କିଏ ରେ ଟୋକା ତୁ ? ମୋ ପାଖେ ଶକାଉଚୁ । ପଳା, ନୋହିଲେ ଏ ଠେଙ୍ଗାରେ ପିଟି ଗୁଣ୍ଡା କରିଦେବି ।’’
ମଧୁଆ ଭୟରେ ଧାଇଁ ପଳାଇଲା । ଏକେ ପାଣୁ ନାଏକ ଦିନସାରା କିଛି ଖାଇ ନାହିଁ; ତା’ପରେ ତା’ର ସାମାନ୍ୟ ଜର ମଧ୍ୟ ହୋଇଛି । ସୁତରାଂ ସେ ସେଠାରେ ସେପରି ନିକାଞ୍ଚନ ସ୍ଥାନରେ, ଏକୁଟିଆ ବସି ନ ରହି କେଉଁଠାକୁ ଯାଇ ରାତିରେ ଆଶ୍ରୟ ନେବାକୁ ଉଠିଲା । ପାଦ ଉଠାଇବାରେ ଦୋ’ଣିଟି ତାକୁ ଗୋଧୂଳି ସମୟର ଆଲୁଅରେ ଜକ୍ ଜକ୍ ଦିଶିଲା । ଦେଖି ସେ ଆଶ୍ଚର୍ଯ୍ୟରେ କହିଲା, ‘‘ଏଟା କି ଜିନିଷ !’’ ସେ ଦୁଇ ତିନି ପାହୁଣ୍ଡ ପଛକୁ ଘୁଞ୍ଚିଗଲା । ତା’ପରେ ଦୋ’ଣିଟି ତଳୁ ଗୋଟାଇ ହାତରେ ଧରିଲା ।
ସେ ଯେତେବେଳେ ଚାଲିବାକୁ ଆରମ୍ଭ କଲା, ସେହି ଅଚିହ୍ନା ସ୍ଥାନରେ ତାକୁ ବାଟ ଦେଖାଗଲା ନାହିଁ । ତହୁଁ ସେ ‘‘ମଧୁଆ, ମଧୁଆ’’ ବୋଲି ଖୁବ୍ ପାଟିରେ ଡାକିବାକୁ ଲାଗିଲା । ସେ ଯେତେ ଡାକିଲା, ମଧୁଆ ଶୁଣିଲା ନାହିଁ । ତହୁଁ ସେ ଆଗକୁ ଚାଲିବାକୁ ଲାଗିଲା । କିଛି ବାଟ ଚାଲି, ତା’ପରେ ସେ ଧାଇଁଲା । ଥରେ ଥରେ ସେ ଠିଆ ହୋଇ ‘‘ମଧୁଆ’’ ବୋଲି ଡାକିଲା । ମଧୁଆ ଯେବେ ତା’ ପାଟି ଶୁଣିଥାନ୍ତା, ହୁଏତ ମୂର୍ଚ୍ଛାରେ ତଳେ ପଡ଼ି ଯାଇଥାନ୍ତା । ସୁନ୍ଦରପୁର ମଠରୁ ଦ୍ୱିତୀୟ ଥର ଫେରିବାବେଳୁ ପାଣୁ ନାଏକର ଚିନ୍ତା ସ୍ରୋତରେ ଗୋଟିଏ ପରିବର୍ତ୍ତନ ଘଟିଛି । ମହନ୍ତ ଯେ ତାକୁ କହିଲେ, ‘‘ତୁମେ ଏଣିକି ଜଣେ ସାଧୁ ଲୋକ ହବ’’ ସେ କଥା ତା’ କାନରେ ବାରମ୍ବାର ଆସି ବାଜୁଛି । ସୁତରାଂ ସେ କହିଲା, ‘‘କ’ଣ, ମୁଁ ସାଧୁ ହେବି ? ମୁଁ ତେବେ କ’ଣ ସାଧୁ ନୁହେଁ ଯେ ମୋତେ ସେ ବାବାଜି ଏପରି କହିବ ?’’
କ୍ରମେ କ୍ରମେ ସେ ବୁଝିପାରିଲା ଯେ ସେ ଯେଉଁ ପାଣୁ ନାଏକ ହୋଇ ଜନ୍ମ ହୋଇଥିଲା, ତହିଁରୁ ଗୋଟାଏ କିଛି ପୃଥକ୍ ଜିନିଷ ହେବାକୁ ଯାଉଛି । ମହନ୍ତ ତା’ ପ୍ରତି ଅଗାଧ ସ୍ନେହ ଓ କ୍ଷମା ଦେଖାଇଲେ । ସେପରି ସେ ଜୀବନରେ କେବେ ଦେଖି ନ ଥିଲା । ସେ ତାକୁ ସୁଶିକ୍ଷା ଦେଲେ । ଏ ସବୁର ପ୍ରଭାବରୁ ସେ ନିଜକୁ ବିଚ୍ଛିନ୍ନ କରିପାରିଲା ନାହିଁ । ସେ କେତେବେଳେ ଭାବିଲା, ‘‘ନା, ମୁଁ ଆଗରୁ ସାଧୁହେଇ ସାରିଚି ।’’ ଆଉ କେତେବେଳେ ଭାବିଲା, ‘‘ମୁଁ ସାଧୁ ହୋଇନାହିଁ; ହେବି ।’’ ଏହିପରି ମାନସିକ ଅବସ୍ଥାରେ ସେ କ’ଣ କରିବ, କିଛି ବୁଝିପାରିଲା ନାହିଁ । ମଧୁଆର ଦୋ’ଣିଟି ଯେ ସେ କାହିଁକି ଠକିନେଇ ଆସିଲା, ତା’ର କାରଣ ଜାଣିପାରିଲା ନାହିଁ । ସେ ମନେ ମନେ କହିଲା, ‘‘ଛି, ମୁଁ କି କାର୍ଯ୍ୟ କଲି !’’ ବାସ୍ତବରେ ତା’ର ଯେଉଁ ମନ ବର୍ତ୍ତମାନ ‘‘ଛି’’ ବୋଲି କହିଲା, ମଧୁଆର ଦୋ’ଣି ଚୋରାଇବାକୁ ସେହି ମନ ତାକୁ ପ୍ରବର୍ତ୍ତାଇ ନଥିଲା । ସେ ପୁରୁଣା ପାଣୁ ନାଏକ ସଙ୍ଗେ ଏକ ଦେହ ଭିତରେ ଏ ନୂଆ ପାଣୁ ନାଏକର ସଂଯୋଗ ଘଟି ଆସିଥିଲା ।
ନାନା କଥା ଭାବି, ନିଜର ଅତୀତ ଜୀବନ ବିଷୟ ସ୍ମରଣ କରି ପାଣୁ ନାଏକର ହୃଦୟ ଦୁଃଖ ଓ ନୈରାଶ୍ୟରେ ପୂର୍ଣ୍ଣ ହୋଇପଡ଼ିଲା । ସେ ଅନେକ ସମୟ ଧରି ପିଲାଙ୍କ ପରି ଭୋ ଭୋ କାନ୍ଦିଲା । ତା’ର ସେ ଅନୁତାପର ଭୀଷଣ କାଳିମା ମଧ୍ୟରେ ଗୋଟିଏ କ୍ଷୀଣ ଆଲୋକ ରେଖା ଦେଖାଗଲା । ସେ ତା’ର ସମୁଦାୟ ଅତୀତ ଜୀବନ ବିଷୟ ଥରେ ଭାବିନେଲା । କହିଲା, ‘‘ଓଃ, କି କଳଙ୍କ ! ମୋର କ’ଣ ମୁକ୍ତି ନାହିଁ ? ନା, ଅଛି । ବାବାଜି କହିଛନ୍ତି, ମୁଁ ଜଣେ ସାଧୁ ପୁରୁଷ ହେବି । ମୁଁ ସାଧୁ ନ ଥିଲି । ଏବେ ମଧ୍ୟ ସାଧୁ ହୋଇ ନାହିଁ; କିନ୍ତୁ ହେବି । ଏହି ମୋର ପ୍ରତିଜ୍ଞା । ଆଜି ସୂର୍ଯ୍ୟ ଚନ୍ଦ୍ର ସାକ୍ଷୀ ହୁଅ । ଓଃ କି କଷ୍ଟ ! ମୋ ଛାତି ଫାଟିଯାଉଚି, ନିଃଶ୍ୱାସ ବନ୍ଦ ହେଇଆସୁଚି, ପ୍ରାଣବାୟୁ ଉଡ଼ିଯାଉଚି । ଉଡ଼୍ ଉଡ଼୍, ପ୍ରାଣବାୟୁ । ସେ ପୁରୁଣା ପାଣୁ ନାଏକ ମରୁ, ପୋତା ହେଉ, ପୋଡ଼ା ହେଉ । ସେଥିରୁ ନୂଆ ପାଣୁ ନାଏକ ବାହାରିବ, ଯାହାକୁ ବାବାଜି ଦେଖିଲେ କହିବେ, ସଂସାର ଦେଖିଲେ କହିବ– ଏ ଜଣେ ସାଧୁ ସନ୍ଥ ଲୋକ ।’’
✽✽✽
୬
ବୁଢ଼ିଆଣୀ ଜାଲ
ସନ ୧୨୫୦ ସାଲରେ ଦଳେ ନାଟୁଆ ଜଜାରସିଂହ ଗଡ଼ରେ ଆସି ପହଞ୍ଚିଲେ । ସେମାନେ ବାଉଁଶ ପୋତି, ତା’ ଉପରେ ଚଢ଼ି ନାନା ପ୍ରକାର ଖେଳ ଦେଖାଉଥିଲେ । ସେମାନଙ୍କ ମଧ୍ୟରେ ତିନିଜଣ କେଳା ଓ ଜଣେ ଚଷା । ଚାରିଜଣଯାକଙ୍କ ସାଙ୍ଗରେ ଚାରିଗୋଟି ସ୍ତ୍ରୀଲୋକ ଥିଲେ । ସେମାନେ ସ୍ତ୍ରୀ ସ୍ୱାମୀ ପରି ଏକତ୍ର ବାସ କରୁଥିଲେ । ସ୍ତ୍ରୀଲୋକମାନେ ରନ୍ଧାବଢ଼ା କରନ୍ତି ଏବଂ ଖେଳ ଦେଖାନ୍ତି । ସେମାନେ ଦିନଯାକ ଖେଳ ଦେଖାଇ ରାତିରେ କେତେକ ସମୟ ଶୋଉଥିଲେ ଓ ଆଉ କେତେକ ସମୟ କଳିଗୋଳ କରିବାରେ କଟାଉଥିଲେ । ସବୁଠାରୁ ବେଶି କଳି କାର୍ତ୍ତିକା ଏବଂ ରାଧା, ଦୁଇଜଣଙ୍କ ମଧ୍ୟରେ ହୁଏ । କାର୍ତ୍ତିକା ଚଷା ପିଲା । ଅତି ପିଲାଦିନୁ ଛେଉଣ୍ଡ ହୋଇ ଜୀବିକା ଉପାର୍ଜନ କରିବା ନିମନ୍ତେ କେଳାମାନଙ୍କ ସଙ୍ଗେ ମିଶି ବାଉଁଶ ନାଟରେ ଯୋଗ ଦେଇଥିଲା । ତା’ ସାଙ୍ଗର କେଳା ତିନିଜଣ ତିନୋଟି କେଳୁଣୀ ବିଭା ହୋଇଥିଲେ । କାର୍ତ୍ତିକ ବାଇଶ ବର୍ଷ ବୟସରେ ପହଞ୍ଚିବା ବେଳେ ତା’ର ରାଧା ସହିତ ଦେଖାହେଲା । ରାଧା ମଧ୍ୟ ଚଷାଘର ଝିଅ । କାର୍ତ୍ତିକା ପରି ସେ ଅତି ପିଲାଦିନେ ଛେଉଣ୍ଡ ହୋଇ ପେଟ ପୋଷିବାକୁ ଭିକ ମାଗି ବୁଲୁଥିଲା । କାର୍ତ୍ତିକା ସହିତ ଦେଖା ହେବା ବେଳକୁ ତା’ର ବୟସ ବାରବର୍ଷ । କାର୍ତ୍ତିକା ଯେତେବେଳେ ତା’ ଜାତି କୁଳର ପରିଚୟ ପାଇଲା, କହିଲା, ‘‘ରାଧା, ବିଧାତା ତୋତେ ମୋରି ପାଇଁ ଗଢ଼ିଚି । ମୋ ସାଙ୍ଗରେ ଆ । ମୁଁ ବାଉଁଶରେ ନାଟ ଦେଖେଇ ଦିନକୁ ଟଙ୍କେ କଣ, ଦୁଇଟଙ୍କା କଣ, ଯୋଉଁ ଦିନ ଯାହା ହେଲା ରୋଜଗାର କରୁଚି । ମୋ ସାଙ୍ଗେ ରହିଲେ, ତୋତେ ତ ଆଉ ଭିକ ମାଗିବାକୁ ପଡ଼ିବ ନାହିଁ; ଆ ।’’ କାର୍ତ୍ତିକା କଥା ଶୁଣି ରାଧା ତା’ ସାଥି ଧଇଲା । ପ୍ରଥମେ ଦୁହେଁ କେତେଦିନ ବେଶ୍ ମିଳିମିଶି ଚଳିଲେ । ମାତ୍ର ତା’ପରେ ଦୁହିଙ୍କ ମଧ୍ୟରେ ଏତେ କଳି ଲାଗିଲା ଯେ ଶେଷରେ ସାଥି କେଳା କେଳୁଣୀମାନେ ତାଙ୍କୁ କହିବାକୁ ବାଧ୍ୟ ହେଲେ, ‘‘କ’ଣ କେଳା ଘର ପରି ସବୁବେଳେ କଳି କରୁଚ ମ ।’’
ଜଜାରସିଂହରେ ନାଟ ଦେଖାଇ ସାରି, ନାଟୁଆ ଦଳ ଯେତେବେଳେ ସେଠାରୁ ଦକ୍ଷିଣ ଆଡ଼କୁ ଗଲେ, କାର୍ତ୍ତିକା ରାଧାକୁ ଆଉ ସଙ୍ଗରେ ନେଲା ନାହିଁ । ରାଧା ତା’ କୋଳରେ ଝିଅଟିକୁ କାନ୍ଧରେ ପକାଇ ଦୁଇ ତିନି ଦିନ ଏଣେତେଣେ ନିଃସହାୟ ଭାବରେ ବୁଲିବାକୁ ଲାଗିଲା । ଶେଷରେ ସେ ଜଜାରସିଂହର ଗୋଟିଏ ଗଳିରେ ପଶି ଦେଖିଲା ଯେ ଯୋଡ଼ିଏ ଛୋଟ ବାଳିକାଙ୍କୁ ଦୋଳିରେ ବସାଇ ଜଣେ ସ୍ତ୍ରୀଲୋକ ଖେଳାଉଛି ଓ ମଝିରେ ପଦେ ପଦେ ଗୀତ ମଧ୍ୟ ଗାଉଛି । ବାଳିକା ଦିଓଟି ଖୁସି ହୋଇ ହସୁଛନ୍ତି । ରାଧା ସେଠି ଠିଆ ହୋଇ, କିଛି ସମୟ ଅନାଇ, ଶେଷରେ କହିଲା, ‘‘ମାଉସୀ, ତୁମ ପିଲା ଦିଓଟି କେଡ଼େ ସୁନ୍ଦର ହେଇଚନ୍ତି କି ।’’
ନିଜ ସନ୍ତାନ ସନ୍ତତିଙ୍କର ପ୍ରଶଂସା ଶୁଣିଲେ, ନିତାନ୍ତ ରୁକ୍ଷ ପ୍ରକୃତିର ରମଣୀମାନେ ମଧ୍ୟ ପ୍ରଶଂସାକାରୀ ପ୍ରତି ଟିକିଏ ତରଳିଯାନ୍ତି । ରାଧା କଥା ଶୁଣି, ସେ ସ୍ତ୍ରୀଲୋକଟି ତାକୁ ଡାକି ପାଖରେ ବସାଇଲା । ତା’ପରେ ଦୁହେଁ କଥାବାର୍ତ୍ତା କରିବାରେ ଲାଗିଲେ । ସେ ସ୍ତ୍ରୀ ବ୍ୟକ୍ତି କଥାବାର୍ତ୍ତା ମଧ୍ୟରେ କହିଲା, ‘‘ମୋର ଗିରସ୍ତ ଗୁଡ଼ିଆଘର ପୁଅ । ଆମର ଏ ଘରଟି ଗୋଟିଏ ଚଟିଘର । ଗିରସ୍ତ ଚଟିଘର କଥା ବୁଝନ୍ତି, ମୁଁ ରାନ୍ଧେ ବାଢ଼େ, ପିଲାଙ୍କୁ ଖୁଆଏ ପିଆଏ ଏବଂ ନିଜେ ଖାଏ । ଏ ପିଲା ଦିଓଟି ମୋର ଝିଅ, ଦେଢ଼ବର୍ଷ ସାନ ବଡ଼ । ସାନ ଝଅଟିକି ଅଢ଼େଇ ବର୍ଷ ହେଲା ।’’ ଗୁଡ଼ିଆଘର ସ୍ତ୍ରୀ ଲୋକମାନେ ସାଧାରଣତଃ ଯେପରି ସ୍ୱରୂପ ହୁଅନ୍ତି, ଦୀନା ସାହୁ ଭାର୍ଯ୍ୟା ସେପରି ନ ଥିଲା । ତା’ର ରୂପ କଳା ଓ ଗଠନ ବିକୃତ । ସେ ଅତ୍ୟନ୍ତ ଡେଙ୍ଗୀ । ସାହି ଲୋକେ ଥଟ୍ଟାରେ କହନ୍ତି, ‘‘ତା’ ମୁଣ୍ଡ ତୁଳିରେ ଲାଗେ ।’’ ଦୀନା ସାହୁ ବାପ ପୁଅ ବେକରେ ଯେ ପଦକ କାହିଁକି ଝୁଲାଇଥିଲା, ତା’ର କାରଣ କେହି ଅନୁମାନ କରିପାରନ୍ତି ନାହିଁ । ଦୀନା ସାହୁ ଦେଖିବାକୁ ଖୁବ୍ ସୁନ୍ଦର ନୋହିଲେ ମଧ୍ୟ, କଦର୍ଯ୍ୟ ନୁହେଁ । ଦୋଳିରେ ବସିଥିବା ପିଲା ଦିଓଟି ତାଙ୍କ ମା ସହିତ ତୁଳନାରେ ଗୋବର ଗଦା ପାଖର ଗୋଲାପ ଫୁଲ ପରି ଦିଶୁଥିଲେ । ସେମାନଙ୍କୁ ଦେଖି ରାଧା ସାହୁଆଣୀକି କହିଲା, ‘‘ମୋ ପିଲାଟି ତୁମ ଝିଅଙ୍କ ସାଙ୍ଗେ ଟିକିଏ ହେଲେ ଦୋଳିରେ ଖେଳନ୍ତା ।’’ ତିନି ଜଣ ବସିଲେ ଦୋଳି କାଳେ ଛିଡ଼ିଯିବ, ସେଥିପାଇଁ ସାହୁଆଣୀ ନିଜ ପିଲା ଦିଅଟିଙ୍କୁ ଦୋଳିରୁ ଓହ୍ଲାଇ ତଳେ ଛାଡ଼ିଦେଲା । ରାଧାର ଝିଅ ମା କାଖରୁ ଖସି ସେମାନଙ୍କ ସଙ୍ଗେ ଖେଳିବାକୁ ଲାଗିଲା-।
ରାଧା ସାହୁଆଣୀ ମୁହଁରୁ ତା’ ପରିଚୟ ପାଇ, ନିଜର ପରିଚୟ ଦେବାକୁ ଗଲା; କିନ୍ତୁ ନିଜ ବିଷୟରେ ସେ ସବୁ କଥା ଠିକ୍ ଠିକ୍ କହିପାରିଲା ନାହିଁ । କେତେକ ପ୍ରକୃତ ବିଷୟ ଲୁଚାଇ ରଖି, ତା’ ସ୍ଥାନରେ ଅମୂଳକ କଥାମାନ କହିଗଲା । ସେ କହିଲା, ‘‘ମୁଁ ଚଷାଘର ଝିଅ । ମୋ ସ୍ୱାମୀ ମରିଯାଇଚି । ମୋ ଘର କଟକଆଡ଼େ । ଘରପାଖେ କିଛି କାମପତ୍ର ନ ମିଳିବାରୁ ମୁଁ ହାତ ମେହନତରେ ରୋଜଗାର କରିବାକୁ ଘରୁ ବାହାରି ଆସିଛି’’– କହି, ସେ ଏକ ଦୀର୍ଘନିଃଶ୍ୱାସ ପକାଇଲେ । ଗ୍ରୀଷ୍ମକାଳର ଝଡ଼ ତୋଫାନ ପରେ ଆକାଶରୁ ବୃଷ୍ଟି ପଡ଼ିଲା ପରି ଦୀର୍ଘନିଃଶ୍ୱାସ ପଛେ ପଛେ ତା’ର ଦୁଇ ଆଖିରୁ ଦୁଇ ଧାର ଲୁହ ବୋହିଗଲା; ମାତ୍ର ସେ ଅବିଳମ୍ବେ ଲୁହ ପୋଛିଦେଇ, ସାହୁଆଣୀ ସହିତ ପୁଣି କଥାବାର୍ତ୍ତାରେ ଲାଗିଲା ।
‘‘ତୋର ଏ ପିଲାଟି ନାଁ କଣ ?’’
‘‘ରମା ।’’
‘‘ବୟସ କେତେ ମ ?’’
‘‘ତିନି ପୂରି ଚାରି ଚାଲୁଚି ।’’
‘‘ତେବେ ତ ମୋ ବଡ଼ ଝିଅ ସାଙ୍ଗର । ପିଲାମାନେ କେଡ଼େ ଜଲ୍ଦି ମିଶିଯାଆନ୍ତି ମ ! ଦେଖ ତ, ତୋ ନାଁ କଣଟି, ରାଧା ବୋଲି କହିଲୁ ପରା ? ଦେଖ ତ, ରାଧା, ତିନିହେଁ ସାକ୍ଷାତ ତିନି ଭଉଣୀ ପରି ଦିଶୁନାହାନ୍ତି ? ଯେମିତି ଏକା ମା ପେଟର ତିନିହେଁ ?’’
ରମା ବିଷୟରେ ସାହୁଆଣୀ କି ମତ ବ୍ୟକ୍ତ କରିବ, ତାହା ଜାଣିବା ନିମନ୍ତେ ରାଧା ଯେପରି ଅପେକ୍ଷା କରି ରହିଥିଲା । ସାହୁଆଣୀ କଥା ସରୁ ନ ସରୁଣୁ କହିଲା, ‘‘ଆଚ୍ଛା, ମୋ ପିଲାଟିକି ତମ ଘରେ ରଖିବ ?’’ ଶୁଣି ସାହୁଆଣୀ ଚମକି ପଡ଼ିଲା । ସେଥିରୁ ତା’ର ଇଚ୍ଛା ଅନିଚ୍ଛା ରାଧା କିଛି ବୁଝିପାରିଲା ନାହିଁ । ତହୁଁ ସେ କହିଲା, ‘‘ଦେଖ, ମାଉସୀ, ଯେ ମାଇପି କାମ କରି ପେଟ ପୋଷିବାକୁ ବାହାରେ, ସେ ଲାଞ୍ଜରେ ଗୋଟାଏ ପିଲା ବାନ୍ଧିଲେ, ବଡ଼ ମୁସ୍କିଲ୍ । କୋଳରେ ପିଲା ଦେଖିଲେ, କେହି କାମ ଦିଅନ୍ତି ନାହିଁ । ବରୁଣୀ ଠାକୁରାଣୀଙ୍କର କି ଦୟା ଯେ ଆଜି ମୁଁ ତୁମ ଦୁଆରେ ଆସି ପହଞ୍ଚିଲି । ତୁମେ ମୋ ଦରିଦ୍ର ପସରାକୁ ରଖ । ଆଉ ନାହିଁ କର ନାହିଁ ।’’
‘‘ଆଚ୍ଛା, ଦେଖିବା ।’’
‘‘ମୁଁ ମାସକୁ ପାଞ୍ଚ ଟଙ୍କା ଲେଖାଏଁ ଦେବି ।’’
ଜଣେ ଲୋକ କାନ୍ଥ ଆରପାଖରୁ ଘର ଭିତରୁ ପୁରୁଷ ସ୍ୱରରେ କହିଲା, ‘‘ଉହୁଁ । ସାତ ଟଙ୍କାରୁ କମ୍ରେ ହବ ନାହିଁ । ତା’ପରେ ପୁଣି ଛ’ମାସ ଆଗତୁରା ଦେଇଯିବାକୁ ହବ ।’’ ମାସକୁ ସାତ ଟଙ୍କା, ଛ’ ମାସ । ମୋଟ ଦୁଇ କୋଡ଼ି ଦୁଇ, ଗୁଡ଼ିଆଣୀ ଆଙ୍ଗୁଠିରେ ଗଣି, ହିସାବ କରି, କିଛି ସମୟ ପରେ କହିଲା–
‘‘ହଉ, ମୁଁ ଦେବି ।’’
‘‘ନା, ଆଉ ବାଜେ ଖର୍ଚ୍ଚ ପାଇଁ ଛ’ ମାସକୁ ବାର ଟଙ୍କା ।’’
ଗୁଡ଼ିଆଣୀ ପୁଣି ହିସାବ କରି କହିଲା, ମୋଟରେ ତେବେ ଦି କୋଡ଼ି ଚଉଦ, ପଚାଶ ଉପରେ ଚାରି ଟଙ୍କା ।’’
‘‘ହଁ, ଏଥିରୁ କମ୍ରେ ଆଉ କୋ’ଠି ହବ ? କାଳ ତ କେଡ଼େ ମହରଗ, ଦେଖୁଚ ।’’
‘‘ମୁଁ ଦେବି । ମୋ ପାଖେ ଏବେ ସତୁରି ଟଙ୍କା ଅଛି । ଦଶବର୍ଷ କାଳ କାମ କରି ଖର୍ଚ୍ଚ ପତ୍ର ବାଦ୍ ଏତକ ସଞ୍ଚିଛି । ମୁଁ ତୁମକୁ ଚଉବନ ଟଙ୍କା ଦେଇଗଲେ, ବାକି ତ ମୋ ହାତରେ କୋଡ଼ିଏ ଖଣ୍ଡେ ରହିବ । ମୁଁ ଯାଇ କାମ କରି ମାସକୁ ମାସ ତୁମଠାକୁ ଟଙ୍କା ପଠେଇବି । ତା’ପରେ ମୁଁ କୋଉଠି ଥୟ ଧରି ରହିଲେ, ଗଣ୍ଠିଧନକୁ ଆସି ନେଇଯିବି ।’’
କାନ୍ଥ ସେ ପାଖରୁ ସେହି ପୁରୁଷ ସ୍ୱର ପୁଣି ଶୁଣାଗଲା, ‘‘ତା’ର ପିନ୍ଧିବାକୁ ଲୁଗାପଟା ସବୁ ଅଛି ତ ?’’
ଗୁଡ଼ିଆଣୀ ଠାରି କହିଲା, ‘‘ମୋ ଗିରସ୍ତ ।’’
‘‘ମୋ ଧନର ଯାହା ଲୁଗାପଟା ଅଛି, ମୁଁ ବୁଜୁଳାରେ ବାନ୍ଧି ରଖିଚି । ପାଟ ଲୁଗା, ମଖମଲ ହୋଇ ତା’ର ବର୍ଷେ ଖଣ୍ଡେ ଚଳିଯିବ ।’’
ପୁଣି କାନ୍ଥ ସେପାଖରୁ ସ୍ୱର ଶୁଣାଗଲା, ‘‘ସେ ସବୁ ଆଉ ସାଙ୍ଗରେ ନେଇଯିବୁ ନାହିଁ । ଆମକୁ ଦେଇଯା ।’’
‘‘ମଲା; ମୁଁ ନେଇ କ’ଣ କରିବି ମ ? ମୋ ଧନମାଳୀ ତ ଏଠି ରହିବ, ମୁଁ ଆଉ ତା’ ଲୁଗାପଟାତକ କାହିଁକି ନେଇଯିବି, କହତ ?’’
ଚଟିଘର ମାଲିକ ଗୁଡ଼ିଆ ସାହୁ ଘରୁ ବାହାରି ରାଧା ଆଗରେ ଆସି ଠିଆ ହେଲା । କହିଲା, ‘‘ଆଚ୍ଛା ।’’ ଚୁକ୍ତି ସ୍ଥିର ହୋଇଗଲା । ରାଧା ସେ ରାତି ପିଲାଟିକି କୋଳରେ ଧରି ଚଟିଘରେ ଶୋଇଲା । ସେ ଆରଦିନ ସକାଳେ ଉଠି ଚଉବନ ଟଙ୍କା ଦୀନା ସାହୁକୁ ଗଣିଦେଲା । ରମାର ଲୁଗାପଟାତକ ମଧ୍ୟ ତା’ ହାତରେ ସମ୍ପିଦେଲା । ତା’ପରେ ରମାକୁ ଗୋଟିଏ ଚୁମ୍ବନ ଦେଇ, କୋଳରେ ଜାକିଧରି, କହିଲା, ‘‘ମା, ତୁ ଏଠି ମାଉସୀ ପାଖେ ରହ । ଏ ଦି’ ଭଉଣୀଙ୍କ ସାଙ୍ଗେ ଖେଳାବୁଲା କର । ମୁଁ ଆଜି ଯାଉଚି । ଦିନ କେଇଟାରେ ଫେରି ଆସିବି ଯେ–’’ କହି ରାଧା ଚଟିଘରୁ ଗୋଡ଼ କାଢ଼ି, ପଛକୁ ଚାହିଁ ଚାହିଁ ଅଦୃଶ୍ୟ ହୋଇଗଲା । ସାହିର ଲୋକେ ତା’ ପଛରେ କଥାବାର୍ତ୍ତା ହେଲେ, ‘‘ମାଇପିଟା କେତେ କାନ୍ଦି କାନ୍ଦି ଯାଉଥିଲା କି । ଓଃ, ପିଲା ପାଇଁ କେଡ଼େ ସ୍ନେହ ତା’ର ।’’
ରାଧା ଚାଲିଗଲା ପରେ ଦୀନା ସାହୁ ଭାର୍ଯ୍ୟାକୁ କହିଲା, ‘‘ଓଃ, କି ଚିନ୍ତାରେ ସଢ଼ି ଯାଇଥିଲି ମୁଁ । ଦିଅଁ ଦେଲାବେଳେ ଏଇପରି ଦିଅନ୍ତି । କାଲି ମୋତେ ମହାଜନର ଶହେ ଚାଳିଶ ଟଙ୍କା ଶୁଝିବାକୁ ହବ । ସେ ଡିଗ୍ରୀ କରି ରଖିଚି । କାଲି ନ ଦେଇ ପାରିଥିଲେ, ଘର କୋରଖ ହୋଇଥାନ୍ତା । ମୁଁ ବଡ଼ କଷ୍ଟରେ ନବେ ଟଙ୍କା ଯୋଗାଡ଼ କରିଥିଲି ପଚାଶ ନଅଣ୍ଟ ଥିଲା । ଆଜି ଦେଖିଲୁ, କିମିତି ଚଉବନ ଟଙ୍କା ମିଳିଗଲା । ତୋର ଏ ପିଲା ଦିଇଟା ପିଲା ନୁହନ୍ତି, ସାକ୍ଷାତ ବୁଢ଼ିଆଣୀ ଜାଲ । ଥରେ ଯେ ପଡ଼ୁଚି ଆଉ ବାହାରି ପାରୁନାହିଁ ।’’
ଭାର୍ଯ୍ୟା କହିଲା, ‘‘ହଁ ଜାଲରେ ତ ପଡ଼ୁଚନ୍ତି, ଖାଲି ଆଶ୍ଚର୍ଯ୍ୟର କଥା ଯେ ତାକୁ ଜାଲ ବୋଲି ଜାଣିପାରୁ ନାହାନ୍ତି ।’’
ଦୀନା ସାହୁ ଜାତିରେ ଗୁଡ଼ିଆ ହେଲେ କ’ଣ ହେବ, ସେ ଯୌବନରେ ଓଡ଼ିଶାର କୃଷକ ସେନାଦଳର ନାମ ଲେଖାଇଥିଲା ଓ ଖଣ୍ଡାୟତମାନଙ୍କ ସଙ୍ଗେ କାନ୍ଧକୁ କାନ୍ଧ ପକାଇ ଯୁଦ୍ଧଭୂମିରେ ଲଢ଼ୁଥିଲା । ଖୋରଧାର ପାଇକଯୁଦ୍ଧ ବେଳେ ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରି, ନିଜ ହାତରେ କେତେ ଗୋରା ସୈନିକଙ୍କ ମୁଣ୍ଡ କାଟିଛି । କିନ୍ତୁ ତା’ପରେ ଯେତେବେଳେ ଇଂରେଜ ସରକାର ଜୟଲାଭ କଲେ ଏବଂ କୃଷକସେନା ଛାରଖାର ହୋଇଗଲା, ସାତ ପୁରୁଷର ଯୋଦ୍ଧାମାନେ ଛିନ୍ଛତ୍ର ହୋଇ କିଏ କେଉଁଆଡ଼େ ବନ ଜଙ୍ଗଲରେ ଯାଇ ପଶିଲେ, ଦୀନା ସାହୁ ପେଟ ପୋଷିବା ଲାଗି ପୈତୃକ ବ୍ୟବସାୟ ପରିବର୍ତ୍ତେ ଜଜାରସିଂହ ଗଡ଼ରେ ଗୋଟିଏ ଚଟିଘର ବସାଇଲା-। ତା’ ଭାର୍ଯ୍ୟା ବୟସରେ ତା’ଠାରୁ ପ୍ରାୟ ପନ୍ଦର ବର୍ଷ ସାନ । ଖୋରଧାର ସୈନିକ ବିଭାଗ ଭାଙ୍ଗିବା ପରେ, ଦୀନା ସାହୁ ଯେତେବେଳେ ଅଧିକ ବୟସରେ ବିନା ଅବଲମ୍ବନରେ ଘରକୁ ଫେରିଲା, ସେତେବେଳେ ତା’ ହାତ ଧରିବାକୁ କେହି ରାଜି ହେଲେ ନାହିଁ । ଶେଷରେ ଜଣେ ନିତାନ୍ତ ଦରିଦ୍ର ଲୋକ ତା’ ଅସୁନ୍ଦରୀ, କାଳି ଶିଙ୍ଘାଣିନାକୀ ଝିଅଟିକୁ ଦୀନା ସାହୁ ହାତରେ ସମର୍ପି ଦେଲା-।
କୁପଥରେ ଗଲେ ସବୁବେଳେ ଯେ ଲୋକେ ଲାଭବାନ୍ ହୁଅନ୍ତି; ତା’ ନୁହେଁ । ଦୀନା ସାହୁ ଚଟିଘର ସାହାଯ୍ୟରେ ମୂର୍ଖ ବାଟୋଇମାନଙ୍କୁ ବରାବର ଠକିବାରେ ଲାଗିଥାଏ । ତଥାପି ତାକୁ ନଅଣ୍ଟ ହୁଏ । ରାଧାଠାରୁ ଚଉବନ ଟଙ୍କା ନେଇ ସେ ସେ ମାସରେ କୌଣସି ପ୍ରକାରେ ନିଶ୍ଚିନ୍ତ ହେଲା; କିନ୍ତୁ ତା’ ପର ମାସରେ ତା’ର ପୁଣି ଅଭାବ ପଡ଼ିଲା । ସୁତାରାଂ ସେ ରମାର ଲୁଗାପଟାତକ ପଞ୍ଚାଳିଶ ଟଙ୍କାକୁ ବନ୍ଧା ପକାଇଲା । ସେ ଟଙ୍କା ସରିବା ପରେ ଦୀନା ସାହୁ ଓ ତା’ ଭାର୍ଯ୍ୟା ମନେକଲେ ଯେ ସେମାନେ ରମାକୁ ମାଗଣା ଖୁଆଇ ପିଆଇ ରଖିଛନ୍ତି ଏବଂ ସେହି ଅନୁସାରେ ତା’ ପ୍ରତି ବ୍ୟବହାର ମଧ୍ୟ କଲେ । ତା’ ନିଜର ଆଉ ଲୁଗାପଟା ନ ଥିବାରୁ ଦୀନା ସାହୁ ପିଲାମାନେ ଯାହା ପିନ୍ଧି ଚିରି ପକାଇ ଦିଅନ୍ତି, ରମାକୁ ତାହା ପିନ୍ଧିବାକୁ ପଡ଼ିଲା । ସମସ୍ତେ ଖାଇଗଲେ ଅଇଁଠାରେ ଯାହା ପଡ଼ିଥାଏ, ରମାକୁ ତହିଁରେ ପେଟ ପୂରାଇବାକୁ ହୁଏ ।
✽✽✽
୭