ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୨୨ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଦୀନା ସାହୁ ପୁଅ ଦୁହେଁ
ସନ ୧୨୫୩ ସାଲ ପରେ ଜଜାରସିଂହ ଚଟିଘର ଯେତେବେଳେ ଅସଂଖ୍ୟ ଛୋଟିଆ ଛୋଟିଆ ଧାରକରଜ ମଧ୍ୟରେ ବୁଡ଼ି ଅଚଳ ହେବା ଉପରେ ବସିଲା, ତା’ପରେ ଦୀନା ସାହୁର ଦୁଇଗୋଟି ପୁଅ ଜନ୍ମ ହେଲେ । ସେ ଦୁହିଁଙ୍କୁ ଧରି ତା’ର ମୋଟରେ ପାଞ୍ଚଗୋଟି ସନ୍ତାନ– ଯୋଡ଼ିଏ କନ୍ୟା, ତିନୋଟି ପୁତ୍ର । ସାହୁଆଣୀ ଗୋଟାଏ ଆକସ୍ମିକ ଉପାୟରେ ସାନ ପିଲା ଦିଓଟିଙ୍କଠାରୁ ନିଷ୍କୃତି ପାଇଲା । ତା’ର କି ପ୍ରକୃତି କେଜାଣି, ତା’ ମାତୃତ୍ୱ କେବଳ ଝିଅ ଦିଓଟିଙ୍କଠାରେ ଆବଦ୍ଧ ଥିଲା । ପୁଅ ତିନିଙ୍କ ବିଷୟରେ ସେ ଠିକ୍ ସରୀସୃପ ପ୍ରବୃତ୍ତି ଅନୁକରଣ କରୁଥିଲା; ଅର୍ଥାତ୍ ପ୍ରସବ କରିବାପରେ ସେମାନଙ୍କୁ ଗିଳିଦେବାକୁ ଗୋଡ଼ାଉଥିଲା । ସେଥିପାଇଁ ପୁଅମାନେ ନିଜ ପ୍ରାଣ ରଖିବା ଲାଗି ମା ପାଖରୁ ଧାଇଁ ପଳାଉଥିଲେ ।
ଦୀନା ସାହୁର ସାନପୁଅ ଦିଓଟିଙ୍କଠାରୁ ସେ ନିଷ୍କୃତି ପାଇଲା କିପରି ସେ କଥା ଉଲ୍ଲେଖ କରିବା ଦରକାର । ପୂର୍ବରୁ କୁହାଯାଇଚି ଶ୍ରୀନିବାସ ଚମ୍ପତିରାଏ ଦାସୀ ପଦ୍ମାର ପିଲା ଦିଓଟିଙ୍କପାଇଁ ମାସକୁ ଷାଠିଏ ଟଙ୍କା ବୃତ୍ତି ଖଞ୍ଜିଥିଲେ । ପଦ୍ମା ପିଲାଦିଓଟିଙ୍କ ବାବଦରେ ଦଶ ପନ୍ଦର ଟଙ୍କା ଖର୍ଚ୍ଚକରି, ବାକି ଟଙ୍କାତକ ନିଜ ଭୋଗବିଳାସରେ ଲଗାଉଥିଲା । କିଛିଦିନ ପରେ ହଠାତ୍ ହଇଜା ରୋଗରେ ତା’ର ଦୁଇଟିଯାକ ପିଲା ଏକାଦିନକେ ସଂସାର ଛାଡ଼ି ଚାଲିଗଲେ । ତେଣିକି ତା’ ଶୂନ୍ୟ ଘରକୁ କାଳେ ମାସକୁ ମାସ ବୁଜୁଳାଏ ଟଙ୍କା ନ ଆସିବ ଭାବି, ପଦ୍ମା ସେହି ବୟସରେ ଆଉ ଦୁଇଟି ପିଲା ଖୋଜିବାରେ ଲାଗିଲା ଏବଂ ଦିନେ ହଠାତ୍ ଦର୍ଜିକୋଠାରେ ଦୀନା ସାହୁ ଘରେ ପହଞ୍ଚି ତା’ ସାନପୁଅ ଦିଓଟିଙ୍କି ଦେଖି କହିଲା, ‘‘ଆହା, ଏମିତି ଦିଓଟି ପିଲା ମୋର ଯେବେ ଥାଆନ୍ତେ, ମୋ ଅନ୍ଧାର ଘରଟା କେଡ଼େ ଉଜ୍ଜ୍ୱଳ କରନ୍ତେ କି !’’
ସାହୁଆଣୀ ଶୁଣି ଉତ୍ତର ଦେଲା, ‘‘ଏ ଦିହିଙ୍କି ନିଅ ନା । ମୋ ଘର ଅନ୍ଧାର ହେଇ ତମ ଘର ଉଜ୍ଜ୍ୱଳ ହେଲେ, ମୁଁ ଟିକିଏ ଦୁଃଖ କରିବି ନାହିଁ ।’’ କଥା ସ୍ଥିର ହେଲା, ପଦ୍ମା ପିଲା ଦୁହିଙ୍କ ବାବଦରେ ଖଜଣାସ୍ୱରୁପ ଦୀନା ସାହୁକୁ ମାସକୁ ତା’ ଷାଠିଏ ଟଙ୍କା ଭତ୍ତାରୁ ଦଶଟଙ୍କା କରିଦେବ । ପଦ୍ମା ତା’ ଚୁକ୍ତି ରକ୍ଷା କରିବାରେ ଲାଗିଲା । ଶ୍ରୀନିବାସ ନୂଆପିଲା ଦିଓଟିଙ୍କୁ ଦେଖି ପୁରୁଣା ପିଲାଙ୍କଠାରୁ କିଛି ତଫାତ୍ ଧରିପାରିଲେ ନାହିଁ । ସନ୍ଦେହକୁ ସ୍ଥାନ ନ ଦେବାପାଇଁ ପଦ୍ମା ବେଳେ ବେଳେ କହେ, ‘‘ଦେଖନା, ଠିକ୍ ତମରି ପରି କିମିତି ଦିଶୁଛନ୍ତି ।’’
ସେ ଘଟଣାର କିଛଦିନ ପୂର୍ବରୁ ଦୀନା ସାହୁ ଅଗାଧୁ ବେହେରା ଅବତାର ଗ୍ରହଣ କରିଥିଲା । ଚମ୍ପା, ହୀରା ଏବଂ ହରିଆ ତାଙ୍କ ସାନଭାଇ ଦିଓଟିଙ୍କ ସ୍ମୃତି ଏକାବେଳକେ ମନରୁ ପୋଛିଦେଲେ । ସାନ ପିଲା ଦିଓଟି ପଦ୍ମା ଘରେ ବେଶ୍ ସୁଖରେ ରଜାପୁଅ ଆଖ୍ୟାରେ ଖୁବ୍ ଆଡ଼ାରେ ରହିଲେ । ଅଶ୍ଳୀଳ କଦର୍ଯ୍ୟ କଥା କ୍ରମେ କାନବାଟେ ଆଉ ନ ପଶିବାରୁ ତାଙ୍କ ଜିଭବାଟେ ବାହାରିଲା ନାହିଁ ।
କିନ୍ତୁ ଜଗତର ଗୋଟିଏ ବିଚିତ୍ର ନୀତି ଯେ ଷଠି ଯାହା ଭାଗ୍ୟରେ ଦୁଃଖ ଲେଖି ପଠାଇଥାଏ, ସୁଖ ତାକୁ ବେଶି ଦିନ ସହେ ନାହିଁ । ଦୀନା ସାହୁର ମକଦ୍ଦମା ବିଚାରରେ ପ୍ରମାଣ ମିଳିଲା ଯେ ପଦ୍ମା ନାମରେ କୌଣସି ଏକ ସ୍ତ୍ରୀଲୋକଠାରୁ ସେ ମାସରେ ଦଶଟଙ୍କା ପାଏ । ଦିନେ ସକାଳେ ପଦ୍ମାର ପିଲା ଦିଓଟି ଖେଳି ବୁଲିବାକୁ ଘରୁ ବାହାରି ଯାଇଛନ୍ତି, ପୋଲିସ ସିପାହୀ ଆସି, ତାକୁ ଗିରଫ କରିନେଇ, ତା’ ଘରେ ତାଲା ପକାଇ ଚାଲିଗଲେ । ପିଲାମାନେ ଫେରି କବାଟ ବନ୍ଦ ଥିବା ଦେଖି କାନ୍ଦିବାକୁ ଲାଗିଲେ । ପଡ଼ୋଶୀମାନେ ଦୟା ବହି କହିଲେ, ‘‘ତୁମ ମା ପରା ଫାଣ୍ଡିରେ ଯାଇ ଅଛି; ସେଇଠୁକୁ ଯାଅ ।’’
ଦିନେ ସନ୍ଧ୍ୟାରେ ହଠାତ୍ କାହିଁକି ଭାରି ଥଣ୍ଡା ପବନ ବହି ପ୍ରଚଣ୍ଡ ଶୀତ ହେଉଥିଲା । ହରିଆ ସେତେବେଳେ ଗୋଟିଏ ଭଣ୍ଡାରି ଘର ଦୁଆରେ ଠିଆ ହୋଇ ତା’ଘର ଭିତରକୁ ଏପରି ନିରୀକ୍ଷଣ କରି ଚାହିଁଥିଲା, ଦେଖିଲେ ମନେ ହେଉଥିଲା ଯେ ସେ ସତେ ଅବା ସେହି ଘରର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଚାହିଁଛି; କିନ୍ତୁ ପ୍ରକୃତରେ ଭଣ୍ଡାରିର ଖୁରଟା ଉପରେ ତା’ର ଲକ୍ଷ୍ୟ ଥିଲା । ହରିଆ ଗୋଟାଏ ନୂତନ ବ୍ୟବସାୟ ଖୋଲିଥିଲା; ମଫସଲ ଭଣ୍ଡାରିମାନଙ୍କୁ ଭଲ ଭଲ କଟକୀ ଖୁର ଶସ୍ତା ଦାମରେ ବିକ୍ରିକରି କିଛି କିଛି ରୋଜଗାର କରୁଥିଲା । ସେ ବ୍ୟବସାୟର ନାମ ସେ ‘‘ଭଣ୍ଡାରି ଖିଅର’’ ଦେଇଥିଲା ।
ସେତେବେଳେ ହଠାତ୍ ଦୁଇଟି ପିଲା ଆସି ଭଣ୍ଡାରିଘର ଭିତରେ ପଶିଲେ । ସେମାନେ ଭଲ ପୋଷାକ ପିନ୍ଧିଥିଲେ ଏବଂ ବେଶ୍ ସଫାସୁତୁରା ଦିଶୁଥିଲେ । ଘର ଭିତରକୁ ଯାଇ ସେମାନେ କ’ଣ କଲେ କେଜାଣି, ଭଣ୍ଡାରି ପିଲା ଦିଓଟାଙ୍କୁ ମାରି ମାରି ଦାଣ୍ଡକୁ ପେଲିଦେଇ କହିଲା, ‘‘ମୋ ଘରଟା ଧର୍ମଶାଳା ବୋଲି ଭାବିଛ ନା କ’ଣ ? ତୁମେ ତ ଏ ଖୁର ଚୋରାଉଥିବ ।’’ କହି, ଭଣ୍ଡାରି ଦୁଆର କିଳି ଘର ଭିତରକୁ ଚାଲିଗଲା । ପିଲାଦୁହେଁ ବିକଳ ସ୍ୱରରେ କାନ୍ଦିବାକୁ ଲାଗିଲେ । ହରିଆ ସେମାନଙ୍କ ନିକଟକୁ ଯାଇ ପଚାରିଲା, ‘‘କିରେ କାନ୍ଦୁଚ କାହଁକି ?’’
ବଡ଼ ପିଲାଟି ଉତ୍ତର ଦେଲା, ‘‘ଆମେ ଆଜି ଶୋଇବୁ କୋଉଠି ?’’
‘‘ଏଇଥିପାଇଁ ଏଡ଼େ ଭାବନା ? ମୋ ସାଙ୍ଗେ ଆସ ।’’ ପିଲା ଦୁହେଁ ଗୋଟାଏ ରଜାର ଅନୁସରଣ କରି ଗଲା ପରି ହରିଆ ପଛେ ପଛେ ଚାଲିଲେ । କିଛି ବାଟ ଯାଇ ହରିଆ ପଚାରିଲା, ‘‘ତୁମେ ଖାଇଚ ନା ?’’ ଉତ୍ତର ଶୁଣିଲା, ‘‘ହଁ, କାଲି ଖାଇଥିଲୁ ।’’
‘‘କାହିଁକି, ତୁମର କ’ଣ ବାପ ମା ନାହାନ୍ତି ।’’
‘‘ଅଛନ୍ତି । ତେବେ ସେ କେଉଁଠି ଅଛନ୍ତି, ଆମେ ଜାଣୁନା ।’’
‘‘ଆଚ୍ଛା, ମୁଁ ତାଙ୍କୁ ଖୋଜି ବାହାର କରିବି ଆଗେ କିଛି ଖାଇ ନିଅ ।’’ କହି, ସେ ଠିଆ ହେଲା ଓ ତା’ ପରିଧେୟ ବସ୍ତ୍ରରେ ଯେତେଗୋଟି କ’ଣ ଥିଲା ସବୁ ଖୋଜିଖୋଜି ଶେଷରେ ପାଞ୍ଚଟା ଅଧଲା ବାହାର କଲା । ଅଢ଼େଇ ପଇସାର ମୁଢ଼ି ଉଖୁଡ଼ା କିଣା ହେଲା । ଦୋକାନୀ ଏକାଠି ମାପି ଦେବାରୁ ହରିଆ କହିଲା, ‘‘ଆମେ ପରା ତିନିଜଣ ଅଛୁଁ; ତିନି ଭାଗ କରି ବାଣ୍ଟିଦେ ।’’ ତହୁଁ ସେ ପିଲା ଦିଓଟିଙ୍କୁ କହିଲା, ‘‘ନିଅ ଚୋବାଅ ।’’ ପିଲା ଦୁହେଁ ଖାଇବେ କ’ଣ, ଆଚମ୍ବିତ ହୋଇ ଚାହିଁ ରହିଲେ । ହରିଆ ଠୋ ଠୋ ହସି ପକାଇଲା, ‘‘ଦିଅ ପେଷିଦିଅ; ବସିଛ କାହିଁକି, ଛକରେ ?’’
✽✽✽
୪୩
ହାତୀପେଟ
ଦୋକାନରୁ ବାହାରି ହରିଆ ଶୁଣିଲା, ‘‘କି ରେ ଭାଇ ହରିଆ ।’’
‘‘କିରେ ଭାଇ, ଉତ୍ସବା ନା କ’ଣ ?’’ ଉତ୍ସବା ଭଲ ଲୁଗାପଟା ପିନ୍ଧି, ଆଖିରେ ପ୍ରଚକ୍ଷୁ ଲଗାଇ, ଭଦ୍ରଲୋକ ବେଶରେ ବାହାରିଥିଲା । ଦେଖି, ହରିଆ କହିଲା, ‘‘ଖୁବ୍ ତ ବେଶଟା ବାନ୍ଧିଚୁ-। ସେ ଦିନ ସେ ଯୋଉ ବୁଢ଼ା ତତେ ଗାଳିଦେଲା, ତାରି ଫଳ ପରା ଏଇଟା ।’’
‘‘ଚୁପ୍, ଚୁପ୍; ମୁଁ ଯାଉଚି ଗୋବିନ୍ଦାକୁ ଦେଖିବାକୁ ।’’
‘‘କି ରେ ସେ ପରା ଜେଲଖାନାରେ ?’’
‘‘ଆଉ ଅଛି କି ? ମାରିଦେଇଚି ପଟି । ପାଜି ପୋଲିସବାଲାଏ ତାକୁ ପାରନ୍ତେ ? ତାଙ୍କର ଦି’ ଆଖି । ଆମେ ହେଲେ କିମ୍ଭୀର ଜାତି ଜନ୍ତୁ; ଆମର ଚାରି ଆଖି–ତଳେ ଦୁଇ, ଉପରେ ଦୁଇ । ବୁଡ଼ିଲେ ଦିଶିବ, ଭାସିଲେ ଦିଶିବ ।’’ ଉତ୍ସବା ହାତରେ ଗୋଟାଏ ବାଡ଼ି ଧରିଥିଲା । ହରିଆ ତା’ ଠୁଳଟା ଧରି ଭିଡ଼ି ଦେବାରୁ ଭିତରୁ ଗୋଟାଏ ଗୁପ୍ତି ବାହାରିଲା । ପିଲା ଦୁହେଁ ଡରି ପଛକୁ ହଟିଗଲେ । ହରିଆ ପଚାରିଲା, ‘‘ଆଜି କ’ଣ ସେ ପାଜି ଜନାର୍ଦ୍ଦନିଆ ସାଙ୍ଗେ ଲଢ଼େଇ ପଟେ ହବ କି-?’’
‘‘ଦେଖାଯାଉ କ’ଣ ହେଉଚି । ତୁ କୁଆଡ଼େ ଯାଉଚୁରେ ?’’
‘‘ଏ ପିଲା ଦି’ଟା ପାଇଁ ଗୋଟେ ଶୋଇବା ଜାଗା ଠିକ୍ କରିବାକୁ । ତୋ ଜାଣତାରେ କୋଉଠି ଘରଫର କିଛି ଅଛି ?’’
‘‘ଅଛି, ସେ ହାତୀପେଟରେ ।’’ ହରିଆ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ହାତୀପେଟରେ ! ତା’ ଅର୍ଥ ? ନା, ବାବୁ, ଏତେ ଦୂର ଚାଲି ହାତୀପେଟକୁ କାହିଁକି ଯିବେ, ଏଠି ତୋ ପେଟ ଥାଉ ଥାଉ-? ନା, ଭାଇ, କହନା, ଠିକ୍ । ଥଟ୍ଟା ନୁହେଁ, ସତେ ଦରକାର ମ; ମୋ ରାଣ ।’’
‘‘ହଁ, ତୁ ସେ ହାତୀଟା ଦେଖିନୁ ? କିଲ୍ଲା ଖାଇ ମୁହଁରେ ଯୋଉଟା ଅଛି । ଶଙ୍ଖ ତଳଠୋଉ ସେଟା ଭଲ, ପାଣି ପବନ ଲାଗେ ନାହିଁ ।’’
‘‘ଆଉ, ଯିବାକୁ ବାଟ ?’’
‘‘ତା’ ପାଟି ବାଟେ ଗୁରୁଣ୍ଡି ଗଳିଯିବାକୁ ହବ । ସେଠେଇ ଯାଇ ରହିଲେ ତ୍ରିଭୁବନରେ କେହି ଜାଣିପାରିବେ ନାହିଁ, ଛେଚେଡ଼ା ପୋଲିସ ବି ନୁହନ୍ତି । ତୁ ତ ଚଢ଼ି ଭିତରେ ପଶିଯିବୁ; ଚିନ୍ତା କ’ଣ ?’’
‘‘ଏ ପିଲା ଦି’ଟାଙ୍କ ପାଇଁ ତେବେ ଗୋଟେ ସିଡ଼ି ଦରକାର ହବ ।’’ ଶୁଣି, ଉତ୍ସବା ଠୋ ଠୋ ହସିଲା ଓ ହସି ସାରି ପଚାରିଲା, ‘‘କିରେ ଏ ଦିଟାଙ୍କୁ ପାଇଲୁ କୋଉଠୁ ?’’ ଉତ୍ତର ଶୁଣିଲା, ‘‘ଗୋଟାଏ ଭଣ୍ଡାରି ମୋତେ ଭେଟି ଦେଇଚି ପରା ।’’ ଉତ୍ସବା କିଛି ସମୟ ନୀରବ ରହି ପଚାରିଲା ‘‘ଭାଇ, ମୁଁ କ’ଣ ଚିହ୍ନା ପଡ଼ିଯାଉଚି ? ତୁ ତ ଖୁବ୍ ଜଲ୍ଦି ଚିହ୍ନିଦେଲୁ ।’’ କହି, ସେ କୁରୁତା ପକେଟରୁ କାଢ଼ି ମୁହଁରେ ଗୋଟାଏ ରଙ୍ଗ ବୋଳି ହେଲା ଏବଂ ନାକରେ ଗୋଟାଏ ଫାସିଆ ପିନ୍ଧିଲା । ଦେଖି, ହରିଆ କହିଲା, ‘‘ଚମତ୍କାର । ଆଉ କାହା ବାପାର ସାଧ୍ୟ ଅଛି ତତେ ଚିହ୍ନେ । ଆଚ୍ଛା, ଯା । ମୁଁ ତ ଚାଲିଲି ମୋ ଉଆସକୁ । ତୋର ଯେବେ ଦରକାର ପଡ଼େ ଯାଇ ଖବର ଦବୁ । ମୋର ଦୁଆରୀ ନ ଥିବେ, ଭାଇ ! ଡାକିବୁ ‘ହରିଆ ମହାରାଜ’ । ତେବେ, ଆମେ ଭିତରୁ ବାହାରି, ଦୁଆରେ ବିଜେ ହେଇ ତୋ କଥା ଶୁଣିମୁ ।’’
ସିପାହୀ ଯୁଦ୍ଧ ପରେ ଦଶ ପନ୍ଦର ବର୍ଷ ପର୍ଯ୍ୟନ୍ତ ବାରବାଟୀ କିଲ୍ଲା ଗଡ଼ଦ୍ୱାରରେ ଦୁଇଟା ପୁରୁଣା ହାତୀ ମଧ୍ୟରୁ ଗୋଟାଏ ଭାଜିପଡ଼ି, ବାକି ଗୋଟାଏ ଦରଭଙ୍ଗା ଅବସ୍ଥାରେ ଠିଆ ହୋଇ ରହିଥିଲା । ହାତୀଟା ଅନେକ ବର୍ଷ ପୂର୍ବେ ଚୂନ ଏବଂ ସୁର୍କିରେ ଗଢ଼ା ହୋଇଥିଲା । ତା’ ପେଟଟା ପୋଲା । ଇଂରେଜ ଓଡ଼ିଶା ଜୟ କଲାପରେ ଗଙ୍ଗବଂଶୀୟ ରାଜାଙ୍କ ନବତଳ ରାଜପ୍ରାସାଦ ଭାଙ୍ଗି ଚୁରି ହୋଇଗଲା । ଇଂରେଜ ସରକାର ବାରବାଟୀରେ ଗୋଟିଏ ବାରୁଦଘର ସ୍ଥାପନ କଲେ । ବାରୁଦଘର ରକ୍ଷା କରିବା ନିମନ୍ତେ ଫାଟକ ମରାମତ ହେଉଥିଲା; କିନ୍ତୁ ହାତୀଟା ମରାମତ କରିବାର କୌଣସି ବ୍ୟବସ୍ଥା ନ ଥିଲା । ଓଡ଼ିଶା ଗଜପତିଙ୍କ ପୂର୍ବ ସମୃଦ୍ଧିର ଭଗ୍ନାବଶେଷସ୍ୱରୂପ ଦରଭଙ୍ଗା ହାତୀର ପ୍ରତିମା ସେ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ଏକାକୀ ଠିଆ ହୋଇ ରହି, ଦେଶର ଦୁର୍ଦ୍ଦଶା ଉତ୍କଳବାସୀଙ୍କି ସ୍ମରଣ କରାଇ ଦେଉଥିଲା । ଭାବୁକ, ଚିନ୍ତାଶୀଳ, ସ୍ୱଦେଶବତ୍ସଳ ଲୋକେ ସେ ବାଟେ ଗଲାବେଳେ ନିଜ ନିଜର ମାନସିକ ବେଦନା ଅନୁପାତରେ କିଏ ଗୋଟାଏ ଦୀର୍ଘନିଃଶ୍ୱାସ ପକାଉଥିଲା, କିଏ ବା ଆଖିରୁ ଟୋପାଏ ଲୁହ ପୋଛୁଥିଲା ।
ସେହି ହାତୀ ପାଖରେ ଯାଇ ହରିଆ ପିଲା ଦିଓଟିଙ୍କି ଧରି ପହଞ୍ଚିଲା । ମୁର୍ତ୍ତିଟାକୁ ଦେଖି ପିଲା ଦୁହେଁ ଥରିବାକୁ ଲାଗିଲେ । ସାନ ପିଲାଟି କାନ୍ଦି ପକାଇବାକୁ ବସିଲା । ହରିଆ କହିଲା, ‘‘ପାଟି କରନା, ଶୁଣିଲେ ସିପେଇ ଧାଇଁ ଆସି ଧରି ନେଇଯିବେ ।’’ ଶୁଣି, ପିଲା ଦୁହିଁଙ୍କର ଆହୁରି ଅଧିକ ଭୟ ହେଲା । ତେବେ, ଭୟ ଚାପରେ କାନ୍ଦ ସ୍ୱର ରୁଦ୍ଧ ହୋଇ ରହିଲା । ସେ ବେଳଟା ଭାରି ଦୁଃସମୟ । ଖାଲି ଯେ ବର୍ଷା ହୋଇ ଆସୁଥିଲା ତା’ ନୁହେଁ; ଘଡ଼ଘଡ଼ି ଚଡ଼ଚଡ଼ି ଶବ୍ଦରେ ଆକାଶ ବିଦୀର୍ଣ୍ଣ ହୋଇ ଯାଉଥିଲା ।
ହରିଆ ଚାହିଁ ଦେଖିଲା, ନିକଟରେ ମିସ୍ତ୍ରିମାନଙ୍କ ସିଡ଼ି ଡେରାହୋଇଛି । ସେ ସିଡ଼ିଟାକୁ ଆଣି ହାତୀ ମୁହଁ ପାଖେ ପକାଇ କହିଲା, ‘‘ଯାଅ, ଚଢ଼; ତା’ପରେ ଭିତରକୁ ଗଳିଯିବ ।’’ ଶୁଣି, ପିଲା ଦୁହେଁ ପରସ୍ପର ମୁହଁକୁ ଚାହିଁଲେ । ହରିଆ ପଚାରିଲା, ‘‘ଡରୁଚ ନା ?’’ ତହୁଁ ସେ ବିନା ସିଡ଼ିରେ ଉପରକୁ ଚଢ଼ିଗଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଓହ୍ଲାଇଆସି ବଡ଼ ପିଲାଟିକି ସିଡ଼ିବାଟେ ଉପରକୁ ନେଇଗଲା । ବଡ଼ ପିଲା ଉପରେ ବସିଲା । ହରିଆ ତଳକୁ ଚାଲିଆସି, ସାନ ପିଲାଟିକି ଟେକି, ସିଡ଼ିର ମଝି ପଟାରେ ବସାଇ ଦେଲା । ତହୁଁ ସେ ବଡ଼ପିଲାଟିକୁ ସାନପିଲା ହାତ ଧରି ଉପରକୁ ଟାଣି ନେବାକୁ କହିଲା ଏବଂ ନିଜେ ତାକୁ ତଳୁ ଟେକିଲା ସାନପିଲାଟି ଉପରକୁ ଯିବା ପରେ ସେ କହିଲା, ‘‘କ’ଣ ଗିଳିଦେଲା ?’’
ହରିଆ ପ୍ରଥମେ ହାତୀ ମୁହଁ ବାଟେ ପେଟ ଭିତରକୁ ଗଳି ଚାଲିଗଲା । ତା’ପରେ ସାନପିଲାଟିର ମୁଣ୍ଡ କଣା ପାଖେ ରଖି, ବଡ଼ ପିଲାକୁ କହିଲା, ‘‘ତୁ ପଛରୁ ପେଲେ, ମୁଁ ଆଗରୁ ଟାଣୁଚି ।’’ ସେହି ଉପାୟରେ ସାନପିଲା ପେଟ ଭିତରେ ପ୍ରବେଶ କଲା । ବଡ଼ପିଲା ପାଇଁ କୌଣସି ପରିପାଟି ଦରକାର ହେଲା ନାହିଁ । ପିଲାମାନେ ଯାଇ ସେଠାରେ ପହଞ୍ଚିବା ମାତ୍ରେ କିଲ୍ କିଲ୍ କିଲ୍ ଚେଁ ଚାଁ ଶବ୍ଦରେ ହାତୀପେଟ ଭିତରଟା କମ୍ପିବାକୁ ଲାଗିଲା । ପିଲା ଦୁଇଟା ଭୟରେ ଥରିଲେ । ହରିଆ ଝିକିମିକି ପଥର ଠୁକାଇ ସେଠାରେ ପଡ଼ିଥିବା ଗୋଟାଏ ଅଟାରେ ନିଆଁ ଧରାଇଲା । ସେଥିରେ ଆଲୁଅ ଅପେକ୍ଷା ଧୂଆଁର ମାତ୍ରା ବେଶି ମିଳିଲା । ଉତ୍ସବା ସେଠାରେ ଖଣ୍ଡେ ଛିଣ୍ଡା ପଟି ରଖିଥାଏ । ସେ ପଟି ପକାଇ, ତିନିଜଣଯାକ ଲଗାଲଗି ଯାକିଯୁକି ହୋଇ ଶୋଇଲେ । ହରିଆ ସମସ୍ତଙ୍କ ଉପରେ ନିଜ କମ୍ବଳ ଖଣ୍ଡି ଘୋଡ଼ାଇଦେଇ କହିଲା, ‘‘ଏ ବନାତଟା ମାଙ୍କଡ଼ମାନେ କାହା ଘରୁ ଆଣି ଧରି ଭିଡ଼ାଭିଡ଼ି କରୁଥିଲେ । ମୁଁ ମଝିରେ ପଡ଼ି ଛଡ଼େଇ ଆଣିଚି । ୟାକୁ ଯୁଦ୍ଧର ଲୁଟି ମାଲ ବୋଲି କହ । ଭାରି ଭଲ ଚିଜ ଖଣ୍ଡେ ।’’
ପିଲା ଦୁହେଁ ତା’ କଥା ବୁଝିଲେ କି ନାହିଁ; କିନ୍ତୁ ଭୟ କରିବାର ହଠାତ୍ ଗୋଟାଏ କାରଣ ଘଟିଲା । ଯେଉଁ କିଲି କିଲି ଚେଁ ଚାଁ ଶବ୍ଦ କିଛି ସମୟ ବନ୍ଦ ହୋଇଥିଲା, ତାହା ପୁଣି ଶୁଣାଗଲା । ହରିଆ କହିଲା, ‘‘ଡରନା, ପିଲାଏ । ମୂଷାଗୁଡ଼ାକ ଏମିତି ହେଉଚନ୍ତି, କାମୁଡ଼ିବେ ନାହିଁ ଯେ । ଆମେ ତ ବନାତ ଘୋଡ଼େଇ ହେଇ ଶୋଇଚେଁ । ଖାଲି ହୁସିଆର ଥିବ, ଗୋଡ଼ ହାତ ମୁହଁ କିଛି ପଦାକୁ କାଢ଼ିବନାହିଁ । ନୋହିଲେ କାମୁଡ଼ି ଦେବେଟି । ଭାରି ଦୁଷ୍ଟ ଏ ଜନ୍ତୁଗୁଡ଼ାକ ।’’
ରାତି ପାହିବାକୁ କିଛି ବିଳମ୍ବ ଅଛି, ତଳେ ଗୋଟାଏ ପାଦଶବ୍ଦ ଶୁଣଗଲା । ତା’ପରେ କାହାର ଡାକ ଶୁଣି, ଆଉଜଣେ କହିଲା, ‘‘ଚାଲ, ଭାଇ, ଯାଉଚି ।’’ କ୍ଷଣକ ମଧ୍ୟରେ ହାତୀପେଟ ତଳେ ଦୁଇ ଜଣ ଲୋକ ଠିଆ ହେବାର ଦେଖାଗଲା; ଜଣେ ଯୁବକ, ଆଉଜଣେ ପିଲା । ଝୁପୁଝୁପୁ ବର୍ଷା ହେଉଥିଲା । ଯୁବକ ଜଣକ କହିଲା, ‘‘ହରିଆ, ତୋର ଟିକିଏ ମୋ ସାଙ୍ଗେ ଯିବା ଦରକାର । ଆ ଚଞ୍ଚଳ ।’’ ହରିଆ କିଛି ନ ପଚାରି ଉତ୍ତର ଦେଲା, ‘‘ଚାଲ, ଉତ୍ସବା ଭାଇ । କ’ଣ ବେଶି ଦୂର ?’’
✽✽✽
୪୪
ପ୍ରାଣ ଲାଗି ସବୁ
ସେହି ରାତିରେ ଦରଘା ବଜାର କଏଦୀଖାନା ଭିତରେ ଗୋଟାଏ ପ୍ରକାଣ୍ଡ ଘଟଣା ଘଟିଲା-। ଗୋବିନ୍ଦା, ଚନ୍ଦ୍ରା, ସାଧୁଆ ଏବଂ ଦୀନା ସାହୁ ମିଳି ଜେଲଖାନାରୁ ବାହାରି ପଳାଇଯିବାକୁ ଗୋଟାଏ ଷଡ଼ଯନ୍ତ୍ର କରିଥିଲେ । ଗୋବିନ୍ଦା ନିଜ କୌଶଳରେ ଦିନବେଳୁଁ ଖସି ଚାଲିଯାଇଥିଲା । ଚନ୍ଦ୍ରା ଗୋପନରେ ଗୋଟାଏ ଦଉଡ଼ି ତିଆରି କରି ରଖିଥିଲା । ବର୍ତ୍ତମାନ ପରି ସେ ସମୟରେ ଜେଲଖାନାରେ ଏତେ କଟକଣା ନ ଥିଲା ସେଥିପାଇଁ ସେ ଦଉଡ଼ିଟି ସହଜରେ ଲୁଚାଇ ରଖିବାକୁ କ୍ଷମ ହେଲା । ସେ ଗୋଟାଏ ଖୁଆଡ଼ରୁ ଯେଉଁଦିନ ଆଉ ଗୋଟାକୁ ଗଲା, ସେଦିନ ସେ ଦୁଇଟା ନୂଆ ପଦାର୍ଥ ପାଇଲା; ଗୋଟାଏ ସାଧୁଆ, ଅର୍ଥାତ୍, ଅପରାଧର ପ୍ରତିମୂର୍ତ୍ତି; ଦ୍ୱିତୀୟଟା ଗୋଟାଏ ଲୁହା କଣ୍ଟା, ଅର୍ଥାତ୍, ସ୍ୱାଧୀନତାର ଉପାୟ । ସେଦିନ ରାତିରେ, ସେ ପାଇଥିବା ଲୁହାକଣ୍ଟା ଓ ନିଜେ ତିଆର କରିଥିବା ଦଉଡ଼ି ସାହାଯ୍ୟରେ, ପାଚିରି ଡେଇଁ ଜେଲଖାନା ଭିତରୁ ଚାଲିଗଲା । ସେଥିରେ ତାକୁ ସାଧୁଆର ପରାମର୍ଶ ଅନୁସାରେ ଚଳିବାକୁ ହୋଇଥିଲା । ସାଧୁଆ ମଧ୍ୟ ପଛେ ପଛେ ବାହାରକୁ ବାହାରିପଡ଼ିଲା ।
ସାଧୁଆ ଏବଂ ଚନ୍ଦ୍ରା ରାତିରେ ଗୋଟାଏ କୋଠରୀରେ ଏକାଠି ଥିଲେ । ଦୀନା ସାହୁ ଆଉ ଗୋଟାଏ କୋଠରୀରେ ଥିଲା । ଦୀନା ସାହୁ ଜେଲଖାନାରେ ପଶିଲାବେଳେ ତା’ ବିଷୟରେ ନାନା ପ୍ରକାର ବଡ଼ବଡ଼ କଥା ଶୁଣାଗଲା । ପାଣୁ ନାଏକଠାରୁ ସେ ଦୁଇ ଲକ୍ଷ ଟଙ୍କା ଦାବି କରୁଥିଲା; ଅନେକେ ମନେକଲେ ଯେ ତା’ର ସେ ଦାବି ପୂର୍ଣ୍ଣ ହୋଇଛି । ସେଥିପାଇଁ କଏଦୀମାନେ ତାକୁ ଜମିଦାର ନାମ ଦେଲେ । ମାତ୍ର ହାକିମ କିମ୍ବା ସିପାହୀମାନେ କେହି ତା’ ଜମିଦାରିର ଅଣୁମାତ୍ର ପରିଚୟ ପାଇଲେ ନାହିଁ । ସେଥିଲାଗି ଦୀନା ସାହୁ ପିଠିରେ ପ୍ରତିଦିନ ମାଡ଼ ବସେ । ଦିନେ ଦିନେ ପ୍ରହାରରେ ତା’ ଦେହରୁ ଛାଲ ଛାଡ଼ିଯାଏ । ତଥାପି ତା’ ଜମିଦାରିରୁ ପଇସାଏ ସୁଦ୍ଧା ଜେଲଖାନା ଭିତରକୁ ଆସିଲା ନାହିଁ । ତହୁଁ ସିପାହୀମାନେ ନିରାଶ ହୋଇ ସେ ଉପାୟ ଛାଡ଼ି, ଗୋଟାଏ ଭିନ୍ନ ଉପାୟର ଆଶ୍ରୟ ନେଲେ; ସଦର ଦରଜା ବାଟେ ଯାଇ ନ ପାରି, ଚୋରି ଦ୍ୱାରରେ ପଶିବାକୁ ଚେଷ୍ଟା କଲେ, କ୍ରମେ ଦୀନା ସାହୁର ମନ ନେବାକୁ ବସିଲେ । ସିପାହୀମାନେ ଚିଲମ ଖାଇଲା ବେଳେ ନିଜେ ଟାଣିସାରି, ଶେଷକୁ ଦୀନା ସାହୁ ହାତକୁ ବଢ଼ାଇଦିଅନ୍ତି । ଦୀନା ସାହୁ ପ୍ରସାଦ ପାଇ ଘଡ଼ିକ ସକାଶେ ଭୋଳ ହୋଇ ରହେ ।
ଦୀନା ସାହୁକୁ କଠିନ ଅପରାଧ ଯୋଗେ ଗୋଟାଏ ଘରେ ଏକୁଟିଆ ରଖାଯାଇଥିଲା । କେବଳ ତାକୁ ଜଣେ ସିପାହୀ ଜଗି ବସୁଥିଲା । ସେଦିନ ରାତି ଦୁଇଟାବେଳେ ଯେଉଁ ସିପାହୀ ଜଗିବାକୁ ଆସିଲା ସେ ଚିଲମ ତିଆରି କଲାବେଳେ ଦୀନା ସାହୁ କହିଲା, ‘‘ହଜୁର କାହିଁକି ଏତେ ମେହନତ କରିବେ, ମୋ ଆଡ଼କୁ ପକେଇଦିଅନ୍ତୁ ।’’ ଦୀନା ସାହୁ ସେଦିନ ଆଗରୁ ଦୁଇ ଅଣାର କଲିକତୀ କଲି ଗଞ୍ଜେଇ ଅଣାଇ ରଖିଥିଲା, ସିପାହୀର ସାମାନ୍ୟ ଗଞ୍ଜାଇରେ ସେତକ ମିଶାଇ ଚିଲମରେ ଭର୍ତ୍ତି କରିଦେଲା । ସିପାହୀ ଚାରିପୁଳା ଟାଣି ନିଶାରେ ଢଳି ଶୋଇପଡ଼ିଲା । ସଙ୍ଗେ ସଙ୍ଗେ ଦୀନା କାମରେ ଲାଗିଗଲା; ଗୋଟାଏ ଉହାଧରି ଲୁହାବାଡ଼ର ବାଡ଼ି ଦୁଇଟା କାଟି ପକାଇଲା-।
ପ୍ରଶ୍ନ ହୋଇପାରେ, ଜେଲଖାନା କଏଦୀ ହାତକୁ ଉହା ଆସିଲା କିପରି ? ସୃଷ୍ଟିର ରୀତି ଯେପରି ରହସ୍ୟମୟ, ରାଜ୍ୟ ଶାସନ ପ୍ରଣାଳୀ ମଧ୍ୟ ତା’ଠାରୁ କୌଣସି ଅଂଶରେ କମ୍ ନୁହେଁ । ଶରୀର ଓ ସମ୍ପତ୍ତିର ରକ୍ଷାକର୍ତ୍ତା ପୋଲିସ ଫୌଜ ମଧ୍ୟରେ ଯେପରି ଚୋର ଆଉ ନରହନ୍ତା ଅଛି, ସେହିପରି ଜେଲଖାନାର କଗୁଆଳମାନଙ୍କ ଭିତରେ ମଧ୍ୟ ଏଭଳି ଲୋକ ଥାଆନ୍ତି ଯେଉଁମାନେ କଏଦୀମାନଙ୍କୁ ବାହାରକୁ ଛାଡ଼ିଦେବା ବ୍ୟବସାୟ କରନ୍ତି । ସେମାନେ କଏଦୀମାନଙ୍କ ବରାଦ ଅନୁସାରେ ବାହାରୁ ପାନ, ସିଗାରେଟ, ଅଫିମ ପରି ନାନାପ୍ରକାର ମୁକ୍ତିର ଉପକରଣ ମଧ୍ୟ ଲୁଚାଇ ଆଣିଦିଅନ୍ତି ।
ସେହିପରି କୌଣସି ସିପାହୀର କୃପାରେ ଦୀନା ସାହୁ ତା’ କୋଠରୀ ଭିତରୁ ବାହାରି, ଅଗଣାରେ ଚାଲି ଚାଲି ଯାଇ ଛାତ ଉପରେ ଚଢ଼ି, ଛାତରୁ ଛାତକୁ ଡେଇଁ ବାହାରର ଉଚ୍ଚ ପାଚିରି ଉପରେ ଯାଇ ପହଞ୍ଚିଲା । ସେଠାରେ ସେ ଯାଇ ଦେଖିଲା ଚନ୍ଦ୍ର ଓ ସାଧୁଆ ଯେଉଁ ଦଉଡ଼ି ଧରି ଓହ୍ଲାଇ ଯାଉଥିଲେ, ତାହା କଣ୍ଟାରୁ ଖସି ବାହାର ପାଖେ ପଡ଼ିଯାଇଛି । ତହୁଁ ସେ ନିରୁପାୟ ହୋଇ ପାଚିରି ଉପରେ ବସିଲା । ବସିଲେ, କାଳେ କାହାକୁ ଦେଖାଯିବ, ଭାବି ସେଇ ଅଣ ଓସାରିଆ ପାଚିରି ଉପରେ ଶୋଇରହିଲା । ଶୋଇବାରେ ତଳଟା ନିକଟ ହୋଇଗଲା । ତାହା ଯେତେ ନିକଟ ହେଲା, ସେ ପଡ଼ିଲେ ପ୍ରାଣ ରହିବ ନାହିଁ ବୋଲି ସେ ବୁଝିପାରିଲା । ତା’ କଲିଜା ପାଣି ହୋଇଗଲା-। ତଳୁଟା ତଥାପି ଅନେକ ଗହୀରିଆ ଦିଶିଲା । ଡେଇଁବାକୁ ତା’ର ସାହସ ହେଲାନାହିଁ-। ଏକ ପାଖରେ ମୃତ୍ୟୁ ଏବଂ ଅପର ପାଖରେ ବନ୍ଧନ ଓ ଦଣ୍ଡ ମଧ୍ୟରେ ଅତି ସଂକୀର୍ଣ୍ଣ ପାଚିରି ଉପରେ ଶୋଇ ସେ ଛଟ୍ପଟ୍ ହେବାକୁ ଲାଗିଲା ।
ଜେଲଖାନା ଘଣ୍ଟାରେ ଦୁଇଟା ବାଜିଲା । ସିପାହୀ ବଦଳ ହେଲା । ଦୀନା ସାହୁ କୋଠରୀରେ ଯାହାର ପାଳି ପଡ଼ିଲା, ସେ ଆସି ଦେଖିଲା, ତା’ ପୂର୍ବରୁ ଜଗିଥିବା ସିପାହୀ କାଠଗଡ଼ ପରି ତଳେ ପଡ଼ି ଶୋଇଛି ଏବଂ କଏଦୀ କୋଠରୀ ଭିତରେ ନାହିଁ । ସଙ୍ଗେ ସଙ୍ଗେ ବିପଦ ଘଣ୍ଟା ବାଜିଲା, ଚାରିଆଡ଼େ ଦ୍ୱାର ଫିଟିଲା ଓ ପଡ଼ିଲା, କୋଳାହଳ ଶୁଣାଗଲା, ମଶାଲ ଧରି ସିପାହୀମାନେ ଦଉଡ଼-ଧାପଡ଼ କଲେ; ଦୀନା ସାହୁ ପିଣ୍ଡରେ ଆଉ ପ୍ରାଣ ରହିଲା ପରି ବୋଧ ହେଲାନାହିଁ । ସେ ବାହାରକୁ ଡେଇଁପଡ଼ିବାକୁ ଭାବିଲା; କିନ୍ତୁ ଚମକିପଡ଼ି କହିଲା, ‘‘ପ୍ରାଣଟା କାହିଁକି ଅକାରଣେ ତ୍ୟକ୍ତ କରିଦେବି ? ଧରି ନେବେ ତ, ନିଅନ୍ତୁ । ସେଥିରେ ପ୍ରାଣଟା ତ ଆଉ ଯିବ ନାହିଁ । ଏଇ ପ୍ରାଣ ଲାଗି ପରା ସବୁ ।’’
✽✽✽
୪୫