ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସପ୍ତମ ସ୍କନ୍ଧନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ।ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ।ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ॥
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବସଂଯୁତଂ ।ପିବତ ଭାଗବତଂ ରସମାଳୟଂ ମୁହୂରହୋ ରସିକା ଭୂବିଭାବୁକାଃ ॥
ପ୍ରଥମ ଅଧ୍ୟାୟ
ଶ୍ରୀ ଶୁକ ଉବାଚଏବେ ହୋ ଶୁଣ ନୃପମଣି ।ହରି ଚରିତ ସୁଧାବାଣୀ ॥
ଜନ୍ମ ବାସନା କର୍ମଫଳେ ।ପ୍ରାଣୀ ଭୁଞ୍ଜନ୍ତି ମହୀତଳେ ॥
ସପ୍ତମସ୍କନ୍ଧେ ଭାଗବତେ ।କହିବା ଶୁଣ ଏକଚିତ୍ତେ ॥
କର୍ମ ବାସନା ରୂପ ଧରି ।ବେନି ପ୍ରକାରେ ସେ ସଞ୍ଚରି ॥
ଶୁଭ ଅଶୁଭ ବେନି ପଦେ ।ପ୍ରକାଶ କରେ ହେତୁଭେଦେ ॥
ମହତ ଅପମାନ କୋପେ ।ଯାନ୍ତି ସେ ଆପଣା ସମୀପେ ॥
ପୁଣି ମାଗନ୍ତି ଅନୁଗ୍ରହେ ।ଯେ କର୍ମ ଶୁଭ ଫଳ ବହେ ॥
ଶୁଣ କହିବା ପ୍ରିୟ ଭାବେ ।ଯେ ଯହିଁ ଯେମନ୍ତ ପ୍ରସ୍ତାବେ ॥
ବୈକୁଣ୍ଠେ ହରି ଦ୍ୱାରପାଳେ ।ଜୟ ବିଜୟ ମହାବଳେ ॥
ସେ ଦୁଇଭାଇ ହରିଦ୍ୱାରେ ।ଖଟନ୍ତି ସେବା ଅନୁସାରେ ॥
ତପୀମାନଙ୍କ କୋପଫଳେ ।ଜନ୍ମିଲେ ଅସୁରଙ୍କ କୁଳେ ॥
ବ୍ରାହ୍ମଣେ ଅପରାଧ କରି ।ଜନ୍ମ ଲଭିଲେ ଦେହ ଧରି ॥
ଅସୁର ବଂଶେ ଅବତାର ।ହିରଣ୍ୟକଶିପୁ କୁମର ॥
ସେ ପ୍ରହଲାଦ ନରଦେହେ ।ନାରଦ ମୁନି ଅନୁଗ୍ରହେ ॥
ଶ୍ରୀକୃଷ୍ଣ ଚରଣ କମଳେ ।ନିଶ୍ଚଳେ ଭଜି ଯୋଗବଳେ ॥
ଜନ୍ମ ବାସନା ହେତୁ ଧରି ।ବିଷ୍ଣୁ ଭକତି ହେତୁ କରି ॥
ବିଷ୍ଣୁ ଭକତ ହୋଇ ଯେବେ ।
ସମ୍ବନ୍ଧିତ ରଚନା
ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
୧୨
ଭକତି କରେ ସେହି ଭାବେ ॥
ତାହାକୁ ରଖେ ଭଗବାନ ।ନ ସହେ ଭକ୍ତ ଅପମାନ ॥
ଜୟ ବିଜୟ ବେନି ଭାଇ ।ଅସୁର କୁଳେ ଜନ୍ମ ହୋଇ ॥
ହରିଙ୍କି ଅପରାଧ କଲେ ।ତୃତୀୟ ଜନ୍ମେ ନିସ୍ତରିଲେ ॥
ଏଣୁ ପଣ୍ଡିତ ପ୍ରାଣୀମାନେ ।ମାଗନ୍ତି ଅନୁଗ୍ରହ ଧ୍ୟାନେ ॥
ଯତ୍ନ କରିଣ ନିରନ୍ତରେ ।ଆତ୍ମାକୁ ଆପଣେ ଉଦ୍ଧାରେ ॥
ଏ ଭାବ ମୁନି ଗଣ ଚିନ୍ତି ।ଭବ ସାଗରୁ ତରିଯାନ୍ତି ॥
ଏ ଆଦି ଗ୍ରନ୍ଥେ ତୋତେ କହି ।ଶୁଣ ପରୀକ୍ଷ ମନଦେଇ ॥
ଅସୁରକୁଳେ ଦେହ ବହି ।ଜୟ ବିଜୟ ବେନି ଭାଇ ॥
ବିଷ୍ଣୁ ବଇରୀ ନିରନ୍ତରେ ।ସ୍ୱଭାବେ ଅସୁର ବେଭାରେ ॥
ତାହାଙ୍କ କୁଳେ ପ୍ରହଲାଦ ।ହରି ଭକତ ମଧ୍ୟେ ଭେଦ ॥
ଏ ପିତା ପୁତ୍ର ମଧ୍ୟ ଗତେ ।ଗୁଣ ବାସନା ଅନୁମତେ ॥
ମହାନ୍ତ କୋପ ଅନୁଗ୍ରହେ ।ବାସନା ଭେଦ ଏ ସଂଶୟେ ॥
ବାସନା ବଳେ କର୍ମ ଜାତ ।ହରଇ ପ୍ରାଣୀଙ୍କର ଚିତ୍ତ ॥
ଏ ପଞ୍ଚ ପ୍ରସ୍ତାବ କାରଣ ।ଧର୍ମ ନିୟମ କଥା ଶୁଣ ॥
ପ୍ରଥମ ଅଧ୍ୟାରେ ପ୍ରସ୍ତାବ ।କହିବା ପିତା ପୁତ୍ର ଭାବ ॥
ହିରଣ୍ୟକଶିପୁ କୁମର ।ବିଷ୍ଣୁ ଭକତ ମଧ୍ୟେ ବର ॥
ବ୍ରାହ୍ମଣ ଶାପେ ବେନି ଭାଇ ।ଅସୁର ରୂପେ ଜନ୍ମ ହୋଇ ॥
ଇନ୍ଦ୍ରର ଅର୍ଥେ ଭଗବାନ ।ଅସୁର କରିବେ ନିଧନ ॥
ଏଣୁ କଶ୍ୟପ ଗୃହ ନାରୀ ।ସେ ଦିତି ମନେ କୋପ କରି ॥
ପୁତ୍ରଙ୍କ ମରଣ ବିଶ୍ୱାସେ ।ନିର୍ଘାତ ରବେ ଦଶଦିଶେ ॥
ଏମନ୍ତେ ମୁନି ବାକ୍ୟ ଶୁଣି ।ବୋଲେ ସାନନ୍ଦେ ନୃପମଣି ॥
ଭୋ ମୁନି ଶୁଣ ମୋ ବଚନ ।ଯେ ହରି ସର୍ବ ଘଟେ ସମ ॥
ପ୍ରିୟ ସୁହୃଦ ପ୍ରାଣୀଙ୍କର ।ବିଶେଷେ ଶରଣ ସୋଦର ॥
ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ ।ନିର୍ଦ୍ଦୟେ ଅସୁର ସଂହାରେ ॥
ବିଷମ ମତ ଏହାଙ୍କର ।ଯେ ହରି ଭକତ ସୋଦର ॥
ସୁରଗୁଣଙ୍କ ନିମିତ୍ତରେ ।ନିଷ୍ଠୁର ପ୍ରାୟ କର୍ମ କରେ ॥
ଯେ ହରି ସର୍ବଜୀବ ପତି ।ସେ କିମ୍ପା ବିଚାରେ ଅନୀତି ॥
ଅଶେଷ ଜନ୍ତୁ ହୃଦେ ଥାଇ ।ଅନ୍ତର ସମସ୍ତ ଦେଖଇ ॥
ଆତ୍ମାର ନିସ୍ତାରଣ କରେ ।ସେ କିମ୍ପା ଭେଦକୁ ବିଚାରେ ॥
ଦେବ ଅସୁର ତା’ର ଦେହି ।ସମ ବିଷମ ତା’ର ନାହିଁ ॥
ସ୍ୱଭାବେ ତ୍ରିଗୁଣ ଶରୀର ।ସେ ନିରଞ୍ଜନ ନିରାକାର ॥
ନିର୍ଗୁଣ ସତ୍ୟ ବେଦପତି ।ସକଳ ଭୂତେ ତା’ର ସ୍ଥିତି ॥
ଏଣୁ ଗୋବିନ୍ଦ ଗୁଣ କର୍ମେ ।ସଂଶୟେ ମୋର ମତି ଭ୍ରମେ ॥
ପୂଜଇ ଚରଣେ ତୁମ୍ଭର ।ମୋର ସଂଶୟ ଦୂର କର ॥
ଶ୍ରୀ ଶୁକ ଉବାଚଭୋ ନୃପ ତୋର ସାଧୁବାଣୀ ।ତୁ ଯେ ପଚାରୁ ପରିମାଣି ॥
ଅଦ୍ଭୁତ ବିଷ୍ଣୁର ମହିମା ।କେ ଜାଣି ପାରେ ଗୁଣସୀମା ॥
ଏ ଗ୍ରନ୍ଥ ଭାଗବତେ ପୁଣ ।ଏ ବିଷ୍ଣୁ ଭକତି ଲକ୍ଷଣ ॥
ପରମ ପୁଣ୍ୟ ହେତୁ ବାଣୀ ।ଯେ ଶୁଣେ ଯେବା ମୁଖେ ଭଣି ॥
ନାରଦ ଆଦି ମୁନିଗଣେ ।ଯାହା ଭଜନ୍ତି ଅନୁକ୍ଷଣେ ॥
ବ୍ୟାସ ଚରଣେ ସେବି ମୁହିଁ ।କହିବି ଯାହା ମୁଁ ଜାଣଇଁ ॥
ସେ ହରି ସ୍ୱଭାବେ ନିର୍ଗୁଣ ।ପ୍ରକୃତି ପରମ କାରଣ ॥
ସ୍ୱଭାବେ ସର୍ବଗୁଣ ପର ।ବ୍ରହ୍ମା ଶଙ୍କରେ ଅଗୋଚର ॥
ସେ ମାୟା ଗୁଣ ଆଶ୍ରେ କରି ।ବ୍ୟାଧି ବ୍ୟାଧିକ ରୂପ ଧରି ॥
ସେ ସତ୍ତ୍ୱ ରଜ ତମଗୁଣ ।ପ୍ରକୃତି ଏହାଙ୍କ ପ୍ରମାଣ ॥
ଆତ୍ମାର ଗୁଣ ଏ ନୁହନ୍ତି ।ପ୍ରକୃତି ରୂପେ ପ୍ରକାଶନ୍ତି ॥
ଉଦୟ ଅସ୍ତ ଏକାବେଳେ ।ନୁହଁନ୍ତି ଶୁଚି ସଙ୍ଗମେଳେ ॥
ସୃଷ୍ଟି ପାଳନ କାଳେ ହରି ।ସତ୍ତ୍ୱଗୁଣକୁ ଆଶ୍ରେ କରି ॥
ଦେବତା ଋଷି ରୂପ ହୋଇ ।ସ୍ୱଧର୍ମେ ସୃଷ୍ଟିକୁ ପାଳଇ ॥
ରଜୋଗୁଣକୁ ଆଶ୍ରେକରି ।ଅସୁର ଗଣଙ୍କୁ ନିସ୍ତାରି ॥
ଯକ୍ଷ ରାକ୍ଷସ ତମୋଗୁଣେ ।ଭଜଇ କାଳର ପ୍ରମାଣେ ॥
ଜ୍ୟୋତି ଆକାଶେ ପ୍ରକାଶଇ ।ବିଚାରେ କାହିଁ ନ ମିଳଇ ॥
କାଷ୍ଠ ସଂଯୋଗେ ଅଗ୍ନି ଯେହ୍ନେ ।ଜ୍ୱଳେ ବାୟୁ ସଞ୍ଚାର ସ୍ଥାନେ ॥
ଆକାଶ ଯେହ୍ନେ ଜଳଘଟେ ।ତେମନ୍ତ ରୂପେ ସେ ପ୍ରକଟେ ॥
ମାୟାରେ ନାନାରୂପ ହୋଇ ।ସେ ମାୟା ତାକୁ ନ ଲାଗଇ ॥
ଏହା ବିଚାରି ମୁନିଜନେ ।ଆତ୍ମାକୁ ଆତ୍ମା ଅନୁମାନେ ॥
ସଂଶୟ ନ କରନ୍ତି ମନେ ।ହରି ବିଷୟ କ୍ରୀଡ଼ାସ୍ଥାନେ ॥
ସେ କାଳେ ମାୟାଯୋଗ ଅର୍ଥେ ।ପୁରୁଷ ଜୀବ ଏହିମତେ ॥
ରଜୋଗୁଣରୁ ସୃଷ୍ଟି କରେ ।ସତ୍ତ୍ୱରେ ବ୍ରହ୍ମରୂପ ଧରେ ॥
ଦେବାଦି ଯୋନି ଦେହ ମଧ୍ୟେ ।କ୍ରୀଡ଼ା କରଇ ସେ ଅବାଧେ ॥
ରମିବା ଅର୍ଥେ ଭାବଗ୍ରାହୀ ।ଅଶେଷ ଜନ୍ମ ହୃଦେ ସେହି ॥
କ୍ରୀଡ଼ାର ଅନ୍ତେ ସେ ଆପଣେ ।ସୃଷ୍ଟି ସଂହାରେ ତମୋଗୁଣେ ॥
ସେ ପୁଣି ସୃଷ୍ଟି କାଳେ ହରି ।ଜୀବ ପ୍ରକୃତି ରୂପ ଧରି ॥
ପ୍ରଧାନ ପୁରୁଷ ଏ ବେନି ।ନିମିତ୍ତେ ତାଙ୍କୁ ସଙ୍ଗେ ଘେନି ॥
ତାଙ୍କ ଆଶ୍ରୟ ସଙ୍ଗ ମେଳେ ।ଭିଆଏ ନିମିଷାଦି କାଳେ ॥
ସେ କାଳ ହରି ଆଜ୍ଞା ଘେନି ।ପ୍ରଧାନ ପୁରୁଷ ଏ ବେନି ॥
ଉଭୟ ମତେ ନାନାଗୁଣ ।ସୃଜଇ ସଂସାର କାରଣ ॥
ସେ ହରି କାଳରୂପ ଧରେ ।ସାତ୍ତ୍ୱିକେ ଦେବଙ୍କୁ ଉଦ୍ଧରେ ॥
ଦେବଙ୍କ ପ୍ରିୟ କର୍ମକରେ ।ଅସୁର କୁଳକୁ ସଂହାରେ ॥
ଏଣୁ ସେ ପ୍ରଭୁ ଭଗବାନ ।ନିର୍ଲ୍ଲୋଭ ପ୍ରଭୁ ଉପାଦାନ ॥
ରଜ ତାମସ ଗୁଣ ଯେତେ ।ତାଙ୍କୁ ସଂହାରେ ଅବିରତେ ॥
ଏବେ ହୋ ଶୁଣ ନରନାଥ ।ବିଷ୍ଣୁ ଚରିତ ଭାଗବତ ॥
ତାହାଙ୍କ ମହିମା ବିଶେଷ ।ଶୁଣ କହିବା ଇତିହାସ ॥
ରାଜୁସି ଯଜ୍ଞ ସଭା ଅନ୍ତେ ।ଧର୍ମ ନନ୍ଦନର ଅଗ୍ରତେ ॥
ନାରଦ ମୁନି ଯାହା କହି ।ସେ ସଭା ମଧ୍ୟେ ପାଞ୍ଚଭାଇ ॥
ଦେବକୀ ନନ୍ଦନର ତୁଲେ ।ରାଜ ମୁନିଙ୍କୁ ପଚାରିଲେ ॥
ସେ ସଭା ମଧ୍ୟେ ଧର୍ମବଳା ।ନୟନେ ଅଦ୍ଭୁତ ଦେଖିଲା ॥
ଶିଶୁପାଳର ପଞ୍ଚପ୍ରାଣ ।ଗୋବିନ୍ଦେ ପଶିଲା ଶରଣ ॥
ସଭାଜନଙ୍କ ଦୃଷ୍ଟି ଆଗେ ।ଯେହ୍ନେ ବିଜୁଳି କଳା ମେଘେ ॥
ଯୁଧିଷ୍ଠିର ଉବାଚଭୋ ମୁନି ଦୁର୍ଲ୍ଲଭ ଏ କଥା ।ଶୁଣି ମୋ ମନେ ଗୁରୁବ୍ୟଥା ॥
ଅଷ୍ଟାଙ୍ଗ ଯୋଗେ ମୁନିଗଣ ।ଚିନ୍ତନ୍ତି ଯାହାଙ୍କ ଚରଣ ॥
ଏକାନ୍ତେ ଭକ୍ତି ଯୋଗେ ଚିନ୍ତି ।ଯା ରୂପ କେହି ନ ଦେଖନ୍ତି ॥
ଦେବ ଦାନବେ ଅଗୋଚର ।ଯେ ବ୍ରହ୍ମ ନିତ୍ୟ ନିରାକାର ॥
ଏ ଦମଘୋଷର କୁମର ।ସ୍ୱଭାବେ ଦୁଷ୍ଟ ଦୁରାଚାର ॥
କୃଷ୍ଣେ ଅନେକ ନିନ୍ଦାକଲା ।ସେ କିମ୍ପା କୃଷ୍ଣଙ୍କୁ ପାଇଲା ॥
ଏ ସଭାଲୋକ ମଧ୍ୟେ ମୁହିଁ ।ତୁମ୍ଭର ଛାମୁରେ ପୁଚ୍ଛଇ ॥
କହହେ କେବଣ କାରଣ ।ସକଳେ ଶୁଣନ୍ତୁ ପ୍ରମାଣ ॥
ବିଷ୍ଣୁଙ୍କୁ ଦୁଷ୍ଟ ଜନ ମେଳେ ।ଯେବା ନିନ୍ଦନ୍ତି ଜ୍ଞାନଭୋଳେ ॥
ସେ ପ୍ରାଣୀ ନରକେ ପଡ଼ନ୍ତି ।ମହାନ୍ତେ ଏମନ୍ତ କହନ୍ତି ॥
ସେ ଦମଘୋଷ ସୁତ ବାଣୀ ।ସଭାରେ ଦନ୍ତବକ୍ର ଶୁଣି ॥
ସେହି ଅନେକ ନିନ୍ଦାକଲେ ।ମୋତେ ତ ସନ୍ଦେହ ଲାଗିଲା ॥
ଏ ବେନି ଜନେ ନିନ୍ଦାକଲେ ।ସଭାର ମଧ୍ୟେ ଏକ ତୁଲେ ॥
କୃଷ୍ଣଙ୍କୁ ନିନ୍ଦା କରି ତୁଣ୍ଡେ ।କିମ୍ପା ନ ଗଲେ ଯମ କୁଣ୍ଡେ ॥
କେବଣ ହେତୁ ବେନି ବୀରେ ।ପଶିଲେ କୃଷ୍ଣର ଶରୀରେ ॥
ଏବେ ଭ୍ରମଇ ମୋର ମନ ।ବନେ ଯେସନ ହୁତାଶନ ॥
କାରଣ କହ ମୁନି ମୋତେ ।ଶୁଣି ମୁଁ ଯିବଇଁ ପରତେ ॥
ଏମନ୍ତ ରାଜା ବାକ୍ୟ ଶୁଣି ।ସାନନ୍ଦ ମନେ ବ୍ରହ୍ମମୁନି ॥
କହନ୍ତି ରାଜାର ଅଗ୍ରତେ ।ସମସ୍ତେ ଶୁଣନ୍ତୁ ଏମନ୍ତେ ॥
ନାରଦ ଉବାଚଯାହାର ନିନ୍ଦାସ୍ତୁତି ଅର୍ଥେ ।ମନୁଷ୍ୟ ଶରୀର ଜଗତେ ॥
ପ୍ରକୃତି ପୁରୁଷ ସଂଯୋଗେ ।ଜନ୍ମଇ ଅବିବେକ ଭାବେ ॥
ବଢ଼ଇ ହିଂସା ଅଭିମାନେ ।ଦ୍ୱନ୍ଦ୍ୱ କୁଟିଳ ଅବଧାନେ ॥
ମୁହିଁ ମୋହର ବୋଲି ଜାଣେ ।ଯାବତ ବସଇ ତ୍ରିଗୁଣେ ॥
ମନୁଷ୍ୟ ସ୍ୱଭାବ ଏମନ୍ତେ ।ସଂସାର ମଧ୍ୟେ ଛନ୍ତି ଯେତେ ॥
ଆତ୍ମାଭିମାନେ ଦେହ ବହି ।ଲୁବୁଧେ ପ୍ରାଣୀ ବଧ ହୋଇ ॥
ସେ ପୁଣି କୈବଲ୍ୟ ଆସ୍ଥାନେ ।ନ ଖଟେ ଆତ୍ମା ଅନୁମାନେ ॥
ହରି ବିଷୟେ କଲେ ଯେତେ ।କୈବଲ୍ୟ ଲଭେ ପ୍ରାଣୀ ଅନ୍ତେ ॥
କେ ଭଜେ ରିପୁ ଅନୁବନ୍ଧେ ।କେ ଅବା ମିତ୍ରଭାବ ସାଧେ ॥
କେ ଅବା ଭଜେ ତାକୁ ଡରେ ।କେ ଅବା ପ୍ରିୟଭାବ କରେ ॥
କେ ଅବା ସ୍ନେହ ଚିତ୍ତ ଧରି ।କେ ଅବା ରୂପ ଚିନ୍ତାକରି ॥
ସେ ସର୍ବଜନେ ଅନ୍ତଃକାଳେ ।ପଶନ୍ତି ଚରଣ କମଳେ ॥
ନିତ୍ୟ ବଇରୀ ଭାବେ ଚିନ୍ତି ।ହରିଙ୍କି ଏମନ୍ତ ଭଜନ୍ତି ॥
ନିଶ୍ଚଳ ଯୋଗ ଚିତ୍ତେ ଧ୍ୟାୟି ।ଯୋଗୀଏ ଲଭିବାର ପାଇଁ ॥
ଏ ଭାବ ମୋର ନିତ୍ୟ ମନେ ।ଏବେ ହୋ ଶୁଣ ସାବଧାନେ ॥
ଭ୍ରମର କୀଟ କୀଟ ମାରେ ।ନେଇ ସ୍ଥାପଇ ନିଜ ଘରେ ॥
ସେ କୀଟ ପ୍ରାଣ ଯିବା କାଳେ ।ଭ୍ରମର ଦେଖୁଥାଇ ଡୋଳେ ॥
ଭ୍ରମର ଯୋଗେ ଭୟେ ମର ।ତାର ସ୍ୱରୂପ ଅନ୍ତେ ଧରେ ॥
ଏମନ୍ତ କୃଷ୍ଣର ବିଷୟେ ।ମାୟା ମନୁଷ୍ୟ ନିଜ କାୟେ ॥
ବଇରୀ ପଣେ ତାକୁ ଭଜି ।ନିର୍ମଳ ହୃଦୟେ ନିମଜ୍ଜି ॥
ଏ ଘେନି କାମକ୍ରୋଧ ଭୟେ ।ଯେବା ଭଜନ୍ତି ମିତ୍ର ସ୍ନେହେ ॥
କୃଷ୍ଣ ବିଷୟେ ଚିତ୍ତ ଦେଇ ।ଅନେକ ଗଲେ ମୋକ୍ଷ ହୋଇ ॥
ଗୋପ ନଗରେ ଗୋପୀ ଯେତେ ।ବିଷ୍ଣୁଙ୍କୁ ଭଜି କାମଚିତ୍ତେ ॥
କଂସ ଯେ ନିତ୍ୟ ଭୟ କଲା ।ଅନ୍ତେ ସେ ଗୋବିନ୍ଦେ ପଶିଲା ॥
କ୍ଷତ୍ରିୟ ଶିଶୁପାଳ ଆଦି ।କୃଷ୍ଣ ବିଷୟେ ହୋଇ ବାଦୀ ॥
ସମ୍ବନ୍ଧେ କୃଷ୍ଣିବଂଶ ଯେତେ ।ଭଜନ୍ତି ଭ୍ରାତୃସ୍ନେହେ ଚିତ୍ତେ ॥
ମୁଁ ତା’ର ଚରଣ କମଳେ ।ଭକତି କରଇ ନିଶ୍ଚଳେ ॥
ଭକତି କରଇ ନିଶ୍ଚଳେ ।ନିତ୍ୟ ଭଜିଲେ ଶତ୍ରୁ ଭାବେ ॥
ପୂର୍ବେ ଏ ବେନି ସତ୍ୟଯୁଗେ ।ନିତ୍ୟ ଭଜିଲେ ଶତ୍ରୁ ଭାବେ ॥
ଏଣୁ ହରିଙ୍କି ନାନାମତେ ।ଯେ ଭଜିପାରେ ଦୃଢ଼ଚିତ୍ତେ ॥
ନିର୍ଭୟେ ଗୋବିନ୍ଦେ ପଶନ୍ତି ।ଜନ୍ମ ମରଣୁ ନିସ୍ତରନ୍ତି ॥
ଯେ ଦମଘୋଷର କାମିନୀ ।ତୋହର ମାତାର ଭଗିନୀ ॥
ତା’ର ଉଦରୁ ବେନି ବାଳ ।ଏ ଦନ୍ତବକ୍ର ଶିଶୁପାଳ ॥
ପୂର୍ବେ ଏ ହରି ଦ୍ୱାରେ ଥିଲେ ।ବ୍ରାହ୍ମଣେ ଅପରାଧ କଲେ ॥
ଏ ବେନିଭାଇ ସହୋଦର ।ବିଷ୍ଣୁ ସେବକ ମଧ୍ୟେ ବର ॥
ମହାନ୍ତ ଅପରାଧ ଫଳେ ।ଜନ୍ମିଲେ ଅସୁରଙ୍କ କୁଳେ ॥
ବ୍ରାହ୍ମଣେ ଅପରାଧ କଲେ ।ବ୍ରହ୍ମଋଷିଏ ଶାପ ଦେଲେ ॥
ଏ ଜନ୍ମେ ମନୁଷ୍ୟ ଶରୀରେ ।ପୁଣି ମିଳିଲେ ହରି ଦ୍ୱାରେ ॥
ଯୁଧିଷ୍ଠିର ଉବାଚଯେ ହରି ନାମ ଉଚ୍ଚାରନ୍ତି ।ସର୍ବ ସଙ୍କଟୁ ସେ ତରନ୍ତି ॥
ଯେ ହରି ଦ୍ୱାରପାଳ ପଣେ ।ପାଦେ ସେବନ୍ତି ଅନୁକ୍ଷଣେ ॥
ତାହାଙ୍କୁ କେବା ଶାପ ଦେଲା ।ମୋତେ ତା ସନ୍ଦେହ ଲାଗିଲା ॥
ଯେ ବଇକୁଣ୍ଠ ପୁରେ ଥାନ୍ତି ।ସେ ତ ସଂସାରେ ନ ପଡ଼ନ୍ତି ॥
ଦେହ ସମ୍ଭବ ଯହିଁ ନାହିଁ ।ସେ କିମ୍ପା ବହେ ନରଦେହୀ ॥
ନିତ୍ୟେ ହୋଇଲେ ଦୁରାଚାର ।ଏଣୁ ସଂଶୟ ଜାତ ମୋର ॥
ଭୋ ମୁନି ବନ୍ଦେ ତୋ ଚରଣ ।କହ ଏ କେବଣ କାରଣ ॥
ନାରଦ ଉବାଚଶୁଣ ରାଜନ ସାବଧାନେ ।ଯେ କଥା ବିଷ୍ଣୁର ଭୁବନେ ॥
ବ୍ରହ୍ମାର ପୁତ୍ରେ ବେଦବାଦୀ ।ସନକ ସନାତନ ଆଦି ॥
ସେ ଚାରି ଭାଇ ଏକ ଦିନେ ।ଭ୍ରମନ୍ତି ଏ ତିନି ଭୁବନେ ॥
ପୁଣି ସେ ଅନ୍ତରୀକ୍ଷେ ଗଲେ ।ବିଷ୍ଣୁର ଭୁବନେ ମିଳିଲେ ॥
ପ୍ରବେଶ ହୋଇ ଦ୍ୱାରଦେଶେ ।ବିଷ୍ଣୁର ଦର୍ଶନ ଲାଳସେ ॥
ଜ୍ୟେଷ୍ଠ ଅଟନ୍ତି ସେହି ମାନେ ।ମରୀଚି ଆଦି ମୁନିଗଣେ ॥
ପାଞ୍ଚ ବରଷ ବାଳପୋଏ ।ସର୍ବେ ଦିଶନ୍ତି ଏକ ପ୍ରାୟେ ॥
ବାଳ ସ୍ୱାଭାବେ ଦିଗମ୍ୱର ।ସ୍ୱଭାବେ ବ୍ରହ୍ମାଙ୍କ କୁମର ॥
ସନକ ଆଦି ମୁନିଗଣେ ।ସେବନ୍ତି ବିଷ୍ଣୁଙ୍କ ଚରଣେ ॥
ତାଙ୍କୁ ବାଳକ ପ୍ରାୟେ ଚାହିଁ ।ଜୟ ବିଜୟ ବେନିଭାଇ ॥
ବାଳକ ଦେଖି ଦ୍ୱାର ପାଳେ ।ନିଷେଧ କଲେ ତାଙ୍କୁ ବଳେ ॥
ତାହାଙ୍କ ମନ ହରି ପାଦେ ।ପଶି ନପାରିଲା ପ୍ରମାଦେ ॥
ଦ୍ୱାରପାଳଙ୍କ ମୁଖ ଚାହିଁ ।କୋପେ ବୋଲନ୍ତି ଚାରିଭାଇ ॥
ତୁମ୍ଭେ ତ ଦୁଷ୍ଟ ବେନିଭାଇ ।ଏ ପୁରେ ଥିବା ନ ଯୋଗାଇ ॥
ଏ ପୁର ବଇକୁଣ୍ଠ ଧାମ ।ପଶି ନପାରେ ରଜ ତମ ॥
ଏଥେ ନଥାଅ ଭାଇ ବେନି ।ମର୍ତ୍ତ୍ୟେ ଜନ୍ମିବ ଦେହ ଘେନି ॥
ଅତି ପାପିଷ୍ଠ ତୁମ୍ଭ ଦେହ ।ଅସୁର ଘରେ ଜନ୍ମ ହୁଅ ॥
ଏମନ୍ତ ବିପ୍ର ଶାପ ପାଇ ।ପୁରୁ ଖସିଲେ ବେନିଭାଇ ॥
ଊର୍ଦ୍ଧ୍ୱ ଚରଣ ଅଧୋମୁଖ ।ତକ୍ଷଣେ ଦେଖି ତାଙ୍କ ଦୁଃଖ ॥
ଦୟା ବସିଲା ତାଙ୍କ ଦେହୀ ।ସ୍ନେହେ ବୋଲନ୍ତି ଚାରିଭାଇ ॥
ଅସୁର ହୋଇ ବେନି ଜନ୍ମ ।ନିତ୍ୟେ କରିବ ଦୁଷ୍ଟ କର୍ମ ॥
ତୃତୀୟ ଜନ୍ମେ ଜାତ ହୋଇ ।ଶାପୁଁ ତରିବ ବେନି ଭାଇ ॥
ବିଷ୍ଣୁଙ୍କୁ ଚିନ୍ତି ଅପରାଧ ।ପୁଣି ଲଭିବ ବିଷ୍ଣୁପାଦ ॥
ପ୍ରଥମେ କଶ୍ୟପଙ୍କ ଘରେ ।ବେନି ଏ ଦିତିର ଗର୍ଭରେ ॥
ଜନ୍ମିଲେ ହିରଣ୍ୟକଶିପୁ ।ହିରଣ୍ୟାକ୍ଷ ଯେ ମହାବପୁ ॥
ଦେବ ଦାନବ ତାଙ୍କ ପାଦେ ।ଖଟନ୍ତି ଅପରାଧୀ ଭାବେ ॥
ହିରଣ୍ୟାକ୍ଷର ଗର୍ବଭରେ ।ମହୀ କମ୍ପଇ ଥରହରେ ॥
ସେ କଷ୍ଟ ହରି ନ ସହିଲେ ।ଶୂକର ରୂପକୁ ଧଇଲେ ॥
ଧରଣୀ ଉଦ୍ଧାରଣ ପାଇଁ ।ବରୁଣ ପୁରେ ହେଲେ ଯାଇଁ ॥
ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର ।ଅସୀମ ବଳ ଅଟେ ଯାର ॥
ବରାହ ରୂପ ଦେଖି କୋପେ ।ମିଳିଲେ ଗୋବିନ୍ଦ ସମୀପେ ॥
ଅନେକ ଗଦା ଯୁଦ୍ଧ କଲା ।ଶବଦେ ଭୁବନ କମ୍ପିଲା ॥
ବିଷ୍ଣୁର ଗଦାଘାତ ବଳେ ।ପ୍ରାଣ ଛାଡ଼ିଲା ରସାତଳେ ॥
ହିରଣ୍ୟକଶିପୁର ସୁତ ।ପ୍ରହ୍ଲାଦ ଗୋବିନ୍ଦଙ୍କ ଭକ୍ତ ॥
ତାଙ୍କୁ ଅନେକ ଦୁଃଖ ଦେଇ ।ବିଷ୍ଣୁ ଭଜନ ନ ସହଇ ॥
ପୁଣି ସେ ବିଷ୍ଣୁ ଭକ୍ତି ବଳେ ।ଅଜେୟ ଏ ମହୀମଣ୍ଡଳେ ॥
ତାକୁ ଅନେକ ଦୁଃଖ ଦେଲା ।କେବେହେଁ ମାରି ନ ପାରିଲା ॥
ନୃସିଂହ ରୂପ ଧରି ହରି ।ହିରଣ୍ୟକଶିପୁ ବିଦାରି ॥
ଦେବତା ହିତକୁ ସାଧିଲେ ।ନିଜ ପୁରକୁ ଚଳିଗଲେ ॥
ପୁଣି ରାକ୍ଷସ କୁଳେ ଜାତ ।ବିଶ୍ରବା ଗୃହେ ବେନି ଭ୍ରାତ ॥
ନିକଷା ଗର୍ଭେ ହୋଇ ଜନ୍ମ ।ଅନେକ କଲେ ମନ୍ଦକର୍ମ ॥
ରାବଣ କୁମ୍ଭକର୍ଣ୍ଣ ରୂପେ ।ତ୍ରୈଲୋକ୍ୟ ବଶ କଲେ ଦର୍ପେ ॥
ତାହାଙ୍କୁ ରାମରୂପେ ମାରି ।ରାକ୍ଷସ ଜନ୍ମରୁ ଉଦ୍ଧାରି ॥
ସେ ରାମ ଚରିତକୁ ସୁଖେ ।ଶୁଣିଲୁ ମାରକଣ୍ଡ ମୁଖେ ॥
ପୁଣି ସେ ମହୀତଳେ ଜାତ ।ତୋ ମାତା ଭଗିନୀର ସୁତ ॥
ଏବେ ତୋ ଯଜ୍ଞ ସଭା ମଧ୍ୟେ ।ବିଷ୍ଣୁଙ୍କୁ ନିନ୍ଦେ ଅପ୍ରମାଦେ ॥
ବିଷ୍ଣୁର ଚକ୍ରେ ଛିନ୍ନ ହୋଇ ।ମୋକ୍ଷ ପାଇଲେ ବେନିଭାଇ ॥
ବଇରୀ ଭାବେ ତତ୍ତ୍ୱ ଧ୍ୟାନ ।ତେଣୁ ପାଇଲେ ତତ୍ତ୍ୱଜ୍ଞାନ ॥
ତୃତୀୟ ଜନ୍ମେ କ୍ଷୟ ପାଇ ।ଜୟ ବିଜୟ ବେନିଭାଇ ॥
ପୁଣି ମିଳିଲେ ନିଜ ପୁରେ ।ବିଷ୍ଣୁର ବୈକୁଣ୍ଠ ଦୁଆରେ ॥
ଯୁଧିଷ୍ଠିର ଉବାଚହିରଣ୍ୟକଶିପୁ କିମ୍ପାଇ ।ପୁତ୍ରକୁ ଦ୍ରୋହ ଆଚରଇ ॥
ଅସୁର ଜାତ ପ୍ରହଲାଦ ।କିମ୍ପା ଭଜିଲା ବିଷ୍ଣୁପାଦ ॥
ବୋଲଇ ଦାସ ଜଗନ୍ନାଥ ।ନାରଦ ଆଗେ କୁନ୍ତୀ ସୁତ ॥
ସଭାର ମଧ୍ୟେ ପଚାରିଲା ।ଯେ ଭାଗବତ ବିଷ୍ଣୁଲୀଳା ॥
ସପ୍ତମସ୍କନ୍ଧେ ହରି ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଜୟ ବିଜୟ ପ୍ରଶ୍ନକଥନେ ନାମ ପ୍ରଥମୋଽଧ୍ୟାଽୟଃ ।
ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ