ତୃତୀୟ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଅଧ୍ୟାୟ
ନାରଦ ଉବାଚଶୁଣ ପାଣ୍ଡବ ଚୂଡ଼ାମଣି ।ହିରଣ୍ୟକଶିପୁ କାହାଣୀ ॥
ଅନୁଜ ମରଣର ତାପେ ।ମନାସି ଯାହା କଲା ତପେ ॥
ହେବି ମୁଁ ଅଜୟ ଅମର ।ତପେ ତୋଷିଲେ ବେଦବର ॥
ଗୃହ ଉପେକ୍ଷି ତପ ଅର୍ଥେ ।ମିଳିଲା ମନ୍ଦର ପର୍ବତେ ॥
ରହି ପର୍ବତ କ୍ରୋଟ ମଧ୍ୟେ ।ତପସ୍ୟା କଲା ଯୋଗ ବାଦେ ॥
ହୋଇବି ତ୍ରିଭୁବନେ ରାଜା ।ସର୍ବେ ହୋଇବେ ମୋର ପ୍ରଜା ॥
ଏମନ୍ତ ତୃଷ୍ଣା କରି ମନେ ।ରହିଲା ନିଶ୍ଚଳ ଆସନେ ॥
ଉର୍ଦ୍ଧ୍ୱେ ସେ ବେନି କର ତୋଳି ।ଗଗନେ ଚାହିଁଲା ନିରୋଳି ॥
ପାଦ ଅଙ୍ଗୁଷ୍ଠି ମହୀ ଚାପି ।ଦେହେ ରହିଲା ଶୂନ୍ୟେବ୍ୟାପି ॥
ପିଙ୍ଗଳ ଜଟା ଶିରେ ସାଜେ ।ପ୍ରଳୟ ରବି ପ୍ରାୟ ତେଜେ ॥
ତାହାର ଘୋର ତପ ଚାହିଁ ।ଶୂନ୍ୟେ ମିଳିଲେ ଦେବେ ଯାଇ ॥
ଶତେ ବରଷ ବେଦମତେ ।ତପେ ରହିଲା ଦୃଢ଼ ଚିତ୍ତେ ॥
କ୍ଷୁଧା ପିପାସା କଲା ଦୂର ।କେବଳ ପବନ ଆହାର ॥
ତା ମୁଣ୍ଡୁ ଅଗ୍ନି ହୋଇ ଜାତ ।ଧୂମରେ ପୂରିଲା ଜଗତ ॥
ସେ ଅଗ୍ନି ଅଧଊର୍ଦ୍ଧ୍ୱେ ବ୍ୟାପେ ।ଜଗତ କମ୍ପେ ତାର ତାପେ ॥
ନଦୀ ସମୁଦ୍ର ଦିଗ ପୂରି ।କମ୍ପିଲେ ମହାଭୟ କରି ॥
ଗଗନୁ ଗ୍ରହ ତାରା ତ୍ରାସେ ।ଖସି ପଡ଼ିଲେ ଦଶ ଦିଶେ ॥
ଦେବେ କମ୍ପିଲେ ତାହା ଦେଖି ।ସଭୟେ ସରଗ ଉପେକ୍ଷି ॥
ଭୟେ କମ୍ପିଲେ ଏକେ ଏକେ ।ସର୍ବେ ମିଳିଲୋ ବ୍ରହ୍ମଲୋକେ ॥
ବ୍ରହ୍ମା ଚରଣେ ପ୍ରଣମିଲେ ।ଅନେକ ମତେ ସ୍ତୁତି କଲେ ॥
ଦେବାଉଚୁଃହେ ଧାତା ଜଗତ ଈଶ୍ୱର ।
ଆମ୍ଭେ ଯେ ଶରଣ ତୋହର ॥
ଦିତିର ସୁତ ତପ ଚାହିଁ ।ସ୍ୱର୍ଗେ ଥିବାର ଶଙ୍କା ପାଇ ॥
ଭୟେ ଅଇଲୁ ତୁମ୍ଭ ପୁର ।ଆମ୍ଭଙ୍କୁ ରଖ ବେଦବର ॥
ତୋହର ସୃଷ୍ଟି ସର୍ବ ଲୋକ ।ଆମ୍ଭଙ୍କୁ ମହାଭୟୁ ରଖ ॥
ଯେମନ୍ତେ ଲୋକ ନାଶ ନୋହେ ।ତେମନ୍ତ କର ତୁ ଉପାୟେ ॥
ଅସୁର ତପ ତୋର ଧ୍ୟାନେ ।କିବା ସଂକଳ୍ପ ତାର ମନେ ॥
ଏ କଥା ତୋତେ ନୁହେଁ ଦୂର ।ଆମ୍ଭେ ଯେ ତୋହର କିଙ୍କର ॥
ତଥାପି ତୋର ପାଦ ଗତେ ।କହିଲୁ ମହାଭୟ ଚିତ୍ତେ ॥
ତୁମ୍ଭେ ଯେ ଘୋର ତପକରି ।ପୂର୍ବେ ତୋଷିଲ ନରହରି ॥
ଏଣୁ ଏ ବ୍ରହ୍ମଲୋକେ ସ୍ଥିତି ।ପ୍ରଜା ରକ୍ଷଣେ ପ୍ରଜାପତି ॥
ଏ ବଳବନ୍ତ କାଳବଳେ ।ଏ ଘୋର ସମାଧି ନିଶ୍ଚଳେ ॥
ଅନେକ ଜନ୍ମ କରି ତପ ।ସାଧ୍ୟ କରିବ ତିନିଲୋକ ॥
ଏବେ ବିଚାରି ସତ୍ୟଲୋକେ ।ତୁମ୍ଭେ ରହିଲ ଆତ୍ମସୁଖେ ॥
ବ୍ରହ୍ମାଣ୍ଡ ସୃଜିବାର ଅର୍ଥେ ।ଶ୍ରେୟ ବିଭୁତି ନାମ ଯୁକ୍ତେ ॥
ଏମନ୍ତ ଦେବ ବାକ୍ୟ ଶୁଣି ।ସଙ୍ଗତେ ଭୃଗୁ ଦକ୍ଷ ଘେନି ॥
ଅପର ଯେତେ ବ୍ରହ୍ମମୁନି ।ସଙ୍ଗତେ ଘେନି ପଦ୍ମଯୋନି ॥
ଆତ୍ମାକୁଶଳ ମନେ ଭାଳି ।ଦୈତ୍ୟର ତପସ୍ଥାନେ ମିଳି ॥
ଦେଖିଲେ ଅସୁର ଶରୀର ।ସ୍ୱଭାବେ ଅତି ଭୟଙ୍କର ॥
ତପ ସାଧନେ କ୍ଷୀଣକାୟ ।ମାଂସ ଶୋଣିତ ଶୁଷ୍କ ପ୍ରାୟ ॥
କେବଳ ଅସ୍ଥି ଚର୍ମ ଅଛି ।ବଲ୍ମୀକେ ବ୍ୟାପିତ ହୋଇଛି ॥
ତାହାର ତପେ ଅତିରେକେ ।ହେଲେ ତାପିତ ତିନି ଲୋକେ ॥
ଦେହ ନ ଦିଶେ ଗୁଳ୍ମ ତୃଣେ ।ମେଘ ଆବୃତ ରହି ଯେହ୍ନେ ॥
ଏମନ୍ତ ଅସୁରର ଗତି ।ଦେଖି ବିସ୍ମିତ ପ୍ରଜାପତି ॥
ଆରୋହି ନିଜ ହଂସ ଯାନ ।ସହାସ୍ୟେ କହିଲେ ବଚନ ॥
ବ୍ରହ୍ମୋବାଚଉଠ ହେ କଶ୍ୟପ କୁମର ।ହୋଇଛି ତପ ସିଦ୍ଧି ତୋର ॥
ତୋହର ତପ କଷ୍ଟ ଦେଖି ।ଅଇଲି ସ୍ୱପୁର ଉପେକ୍ଷି ॥
ତୋହର ବରଦାତା ମୁହିଁ ।ବାଞ୍ଚିତ ବର ମାଗ ତୁହି ॥
ତପେ ତୋ ପରି ସ୍ଥିର ମତି ।କେ ଅବା ଭୁବନେ ଅଛନ୍ତି ॥
ଅଦ୍ଭୁତ ଦେଖିଲି ମୁଁ ତୋତେ ।ତୋ ସମ ନାହିଁ ଏ ଜଗତେ ॥
ପ୍ରାଣ ଅଛଇ ଅସ୍ଥି ଗତେ ।ଧ୍ୟାନ ତୋହର ଅନ୍ତର୍ଗତେ ॥
ପୂର୍ବେ ଯେ ଥିଲେ ମୁନି ଜନେ ।ତପ ଆଚରି ଏ ଭୁବନେ ॥
ତୋହରି ପ୍ରାୟେ ସେ ନୁହନ୍ତି ।ନିରମ୍ବୁ ଭକ୍ଷଣେ ଜୀଅନ୍ତି ॥
ଶତ ବରଷ ବେଦ ମତେ ।ତପ ସାଧିବ ଏକ ଚିତ୍ତେ ॥
ଭୂତ ଭବିଷ୍ୟ ବର୍ତ୍ତମାନେ ।ଦେଖିଲି ନାହିଁ ତ୍ରିଭୁବନେ ॥
ଦୁସ୍ତର ତପ ଏ ତୋହର ।ମନୁଷ୍ୟ ଲୋକେ ଆଗୋଚର ॥
ଏ ତପ ନିଷ୍ଠା ଦୃଢ଼ ମତେ ।ସ୍ୱଭାବେ ଜିଣିଲୁ ତୁ ମୋତେ ॥
ଏଣୁ ତୋ ତପ ଦୃଢ଼ ଦେଖି ।ଅଇଲି ସରଗ ଉପେକ୍ଷି ॥
ହେଲି ସନ୍ତୁଷ୍ଟ ତପେ ତୋର ।ମାଗିଲେ ଦେବି ଇଷ୍ଟବର ॥
ଦର୍ଶନ ଦେବଲୋକଙ୍କର ।ନିଷ୍ପଳ ନୁହଇ ଜନର ॥
ନାରଦ ଉବାଚଏମନ୍ତ କହି ତାଙ୍କୁ ବାଣୀ ।ଦୟାସାଗର କୁଶପାଣି ॥
ତକ୍ଷଣେ କମଣ୍ଡଳୁ କରେ ।ଜଳ ସିଞ୍ଚିଲେ ତା ଉପରେ ॥
କୀଟ ବଲ୍ମୀକ ତାର ଦେହୀ ।ତକ୍ଷଣେ ଦିବ୍ୟ ଜଳ ପାଇ ॥
ସର୍ବ ସଂପୂର୍ଣ୍ଣ କଳେବର ।ବଜ୍ରହୁଁ କଠିନ ଶରୀର ॥
ଯୁବା ବୟସ ସୁଗଠନ ।ଯୁବତୀ ମନ ବିମୋହନ ॥
ତପ୍ତ କାଞ୍ଚନ ପ୍ରାୟ ଦେହୀ ।ତେଜେ ଅନଳ ରୂପ ବହି ॥
ଲୋଚନ ଘଷି ଦଶ ଦିଗେ ।ଚାହିଁ ଦେଖିଲା ଶୂନ୍ୟମାର୍ଗେ ॥
ହଂସ ବାହନେ ବ୍ରହ୍ମା ଚାହିଁ ।ନମିଲା ଶିର ତଳେ ନେଇ ॥
ବ୍ରହ୍ମାଙ୍କ ଦର୍ଶନ ଉତ୍ସବେ ।ନିଷ୍ଠୁର ତପର ପ୍ରଭାବେ ॥
କର ଅଞ୍ଜଳି ଶିରେ ଦେଇ ।ହରଷେ ଲୋମ ପୁଲକର ॥
ଆନନ୍ଦେ ଅଶ୍ରୁ ଗଦଗଦେ ।ସ୍ତୁତି କରଇ ପଦ୍ମ ପାଦେ ॥
ହିରଣ୍ୟକଶିପୁ ଉବାଚନମସ୍ତେ ପ୍ରଭୁ ବେଦପତି ।ତ୍ରିଲୋକେ ତୋହର କୀରତି ॥
କଳ୍ପ ଅନ୍ତରେ କାଳବଳେ ।ଘୋର ଅନ୍ଧାର ଏ ଶୟଳେ ॥
ନିଜ ଶରୀର ତୋର ତେଜେ ।ଜଗତେ ଯେ ପ୍ରଭୁ ବିରାଜେ ॥
ଆତ୍ମା ତ୍ରିଗୁଣ ମାୟା ଘୋରେ ।ସର୍ଜ୍ଜଇ ପାଳଇ ସଂହାରେ ॥
ଏଣୁ ତ୍ରିଗୁଣ ଏ ଜଗତେ ।ପରାୟେ ମହତ ସମସ୍ତେ ॥
ଜ୍ଞାନ ବିଜ୍ଞାନ ଆଦିକରି ।ନମସ୍ତେ ଜୀବ ଶକ୍ତିଧାରୀ ॥
ପ୍ରାଣ ଇନ୍ଦ୍ରିୟ ମନ ବୁଦ୍ଧି ।ବିକାର ବ୍ୟକ୍ତ ଯେ ପ୍ରସିଦ୍ଧି ॥
ଜଗତ କଳ୍ପନା ସ୍ୱରୂପୀ ।ଜୀବକୁ ମାୟା ରୂପେ ବ୍ୟାପି ॥
ପ୍ରଜାପତିଙ୍କ ପ୍ରଜା ହେଉ ।ଇନ୍ଦ୍ରିୟ ଇନ୍ଦ୍ରିୟେ ବନ୍ଧାଉ ॥
ତୁ ମହାଭୂତ ଗୁଣଚୟ ।ସକଳ ସ୍ତୁତି ଗୁଣମୟ ॥
ତ୍ରିଦେବ ରସ ସପ୍ତ ତନ୍ତ୍ର ।ଚତୁର ହୋମ ମୂଳମନ୍ତ୍ର ॥
ଆମ୍ଭର ଆତ୍ମା ତୁ ଅନାଦି ।ଅନନ୍ତ ଅପ୍ରମେୟ ବାଦୀ ॥
ତୁ ନାଥ ଅନିମିଷ କାଳ ।ହରୁ ପ୍ରାଣୀଙ୍କ ଆୟୁବଳ ॥
ନିଃଶେଷେ ଆଦି ରୂପ ତୋର ।ତେଣୁ ପ୍ରାଣୀଙ୍କ ଆୟୂ ହର ॥
ତୋର ସର୍ଜ୍ଜିତ ଏ ଜଗତ ।ତୁ କରୁ ଆତ୍ମାରୂପ ସ୍ଥିତ ॥
ତୁ ପରମେଷ୍ଠୀ ମହାଶୟ ।ଜୀବ ଲୋକର ଜୀବନ ଦେହ ॥
ତୋ ତହୁଁ ଅନେକ ଜଗତେ ।ପର ଅପରଛନ୍ତି ଯେତେ ॥
ସଂସାରେ ବିଦ୍ୟା କଲ ଯେତେ ।ତୋର ଶରୀର ଏ ନିୟତେ ॥
ବ୍ରହ୍ମାଣ୍ଡ ତୋର ମନୁ ଜାତ ।ତୁ ଦେବ ତ୍ରିପୁରର ନାଥ ॥
ଜଗତ ରୂପେ ତୋର ଦେହୀ ।ମନ ଇନ୍ଦ୍ରିୟ ଗୁଣଗ୍ରାହୀ ॥
ପ୍ରାଣ ଧାରଣେ ଏହାଙ୍କର ।ତୋର ବିକୃତ କଳେବର ॥
ପରମ ପଦ ତୋର ପାଶ ।ଏହାକୁ କିମ୍ପା କରୁ ତ୍ରାସ ॥
ଅବ୍ୟକ୍ତ ଆତ୍ମା ତୁ ନିର୍ମାଣ ।ତୁ ନାଥ ପୁରୁଷ ପୁରାଣ ॥
ଅନନ୍ତ ଅବ୍ୟୟ ଶରୀରେ ।ତୁ ନାଥ ବ୍ରହ୍ମାଣ୍ଡ ଭିତରେ ॥
ଚିତ୍ତ ଅଚିତ୍ତ ମୁକ୍ତି ତ୍ୟକ୍ତ ।ନମସ୍ତେ ପ୍ରଭୁ ଭାଗବତ ॥
ଯେବେ ତୁ ବର ଦେବୁ ମୋତେ ।ଶୁଣ କହିବି ତୋ ଅଗ୍ରତେ ॥
ତୋର ସୃଜିତ ସୃଷ୍ଟି ଯେତେ ।ଏ ରୂପେ ଅଛନ୍ତି ଜଗତେ ॥
ତାହାଙ୍କ ହସ୍ତେ ନ ମରିବି ।ଅଜରାମର ହୋଇଥିବି ॥
ନର ଅଥବା ପଶୁ ହସ୍ତେ ।ଅପର ରଜନୀ ଦିବସେ ॥
ନାନା ଆୟୁଧଛନ୍ତି ଯେତେ ।କେବେହେଁ ନ କାଟିବ ମୋତେ ॥
ଉରଷେ ନ ମାରିବେ ମୋତେ ।ନମରି ଭ୍ରମି ଶୂନ୍ୟପଥେ ॥
ଜୀବେ ଅଜୀବେ ନ ମରିବି ।ନିତ୍ୟେ ନିର୍ଭୟେ ମୁଁ ବଞ୍ଚିବି ॥
ସୁର ଅସୁର ଶସ୍ତ୍ରାଘାତେ ।ବିୟୋଗ ନ କରିବେ ମୋତେ ॥
ସମରେ ମୋର ତୁଲେ ବଳେ ।କେହି ନ ଥିବେ ଏ ଶୟଳେ ॥
ହୋଇବି ତ୍ରିଭୁବନେ ରାଜା ।ସର୍ବେ କରିବେ ମୋତେ ପୂଜା ॥
ଦିଗପାଳଙ୍କ ମଧ୍ୟଗତେ ।ମୋ ଦୃଢ଼ ଯୋଗଫଳ ଜାତେ ॥
କେବେହେଁ ବଂଶ ନାଶ ନାହିଁ ।ଏ ବର ମାଗୁଅଛି ମୁହିଁ ॥
ଏମନ୍ତ ବ୍ରହ୍ମାର ସମ୍ମୁଖେ ।ବର ମାଗିଲା ଆତ୍ମା ସୁଖେ ॥
କହଇ ଦାସ ଜଗନ୍ନାଥ ।ସପ୍ତମସ୍କନ୍ଧେ ଭାଗବତ ॥
ନାରଦ ଯୁଧିଷ୍ଠିର ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ହିରଣ୍ୟକଶିପୁ ତପ ଆରାଧନେନାମ ତୃତୀୟୋଽଧ୍ୟାୟଃ ।
ଚତୁର୍ଥ ଅଧ୍ୟାୟ
ନାରଦ ଉବାଚଶୁଣ ରାଜନ ସ୍ଥିର ଚିତ୍ତେ ।କହିଲୁ ଯାହା ତୋ ଅଗ୍ରତେ ॥
ତପେ ହିରଣ୍ୟକଶିପୁର ।ସନ୍ତୁଷ୍ଟ ହୋଇ ବେଦବର ॥
ବର ପ୍ରାର୍ଥନା ତାର ଶୁରି ।କହିଲେ ଏସନ ବଖାଣି ॥
ବ୍ରହ୍ମୋବାଚଶୁଣ ହେ ଅସୁର ପୁଙ୍ଗବ ।ତୋହର ଜନ୍ମ ଏ ଦୁର୍ଲ୍ଲଭ ॥
ଯେତେ ମାଗିଲୁ ବର ମୋତେ ।ପ୍ରାଣୀଙ୍କୁ ଦୁର୍ଲ୍ଲଭ ଜଗତେ ॥
ତୋହର ତପେ ତୋଷ ହୋଇ ।ଦେବି ଅନ୍ୟଥା ଏଥେ ନାହିଁ ॥
ହେଉ ତୋ ମନବାଞ୍ଛା ସିଦ୍ଧି ।ଏମନ୍ତ କହି ବେଦନିଧି ॥
ତକ୍ଷଣେ ଗଲେ ଅନ୍ତର୍ଦ୍ଧାନେ ।ମିଳିଲେ ଆପଣା ଭୁବନେ ॥
ଏମନ୍ତେ ବ୍ରହ୍ମା ବର ପାଇ ।ସୁବର୍ଣ୍ଣମୟ ତନୁ ବହି ॥
ଅନୁଜ ବଧ ମନେ ଚିନ୍ତି ।ବିଦ୍ୱେଷ କଲା ବିଷ୍ଣୁ ପ୍ରତି ॥
ବଳେ ଜିଣିଲା ଦଶ ଦିଶ ।ତିନି ଭୁବନ କଲା ବଶ ॥
ଦେବ ଅସୁର ନୃପ ସର୍ବ ।ଉରଗ ଗରୁଡ଼ ଗନ୍ଧର୍ବ ॥
ସିଦ୍ଧ ଚାରଣ ବିଦ୍ୟାଧର ।ଋଷି ପିତର ମୁନିବର ॥
ପିଶାଚ ଯକ୍ଷ ରକ୍ଷଗଣ ।ଭୂତ ବେତାଳ ରୂଦ୍ରଗଣ ॥
ସକଳ ପ୍ରାଣୀ ଦର୍ପ ହରି ।ବିଶ୍ୱ ସଂହାର ବଶ କରି ॥
ଦିଗ ପାଳଙ୍କ ଘରୁ ଆଣି ।ଅମୁଲ୍ୟ ଧନ ରତ୍ନ ମଣି ॥
ସ୍ୱର୍ଗ ଭୁବନେ ସ୍ଥାନ ଯେତେ ।ଦେବଙ୍କ ଉଦ୍ୟାନ ସହିତେ ॥
ସକଳ ବଳେ ଆବୋରିଲା ।ଇନ୍ଦ୍ର ଭୁବନେ ବିଜେକଲା ॥
ବିଶ୍ୱକର୍ମାର ଶିଳ୍ପ ଯହିଁ ।ତ୍ରିଲୋକେ ପଟାନ୍ତର ନାହିଁ ॥
ତ୍ରୈଲୋକ୍ୟ ଲକ୍ଷ୍ମୀ ଯହିଁ ବସେ ।ଅଶେଷ ସମ୍ପଦ ପ୍ରକାଶେ ॥
ମର୍କତ ଭୁବି ଯହିଁ ସାଜେ ।ପ୍ରବାଳ ପାବଚ୍ଛ ବିରାଜେ ॥
ସ୍ପଟିକ ପାଚେରୀ ଆରମ୍ଭ ।ନିର୍ମିତ ବଇଡ଼ର୍ଯ୍ୟ ସ୍ତମ୍ଭ ॥
ଉପରେ ବିଚିତ୍ର ବସନ ।ମାଣିକ୍ୟ ଘଟିତ ଆସନ ॥
ଦିବ୍ୟ ଆସନ ହେମମୟ ।ଦିଶଇ ଦୁଗ୍ଧ ଫେନ ପ୍ରାୟ ॥
ଲମ୍ବିଛି ମୁକୁତାର ଝରା ।ସୁବର୍ଣ୍ଣ ପୁଷ୍ପ କେରା କେରା ॥
ଦିବ୍ୟ କାମିନୀ ଗଣ ତହିଁ ।ଚଳନ୍ତି ଇତଃସ୍ତତ ହୋଇ ॥
ଚରଣେ ନୂପୁର ବାଜଇ ।ରତ୍ନ ମେଖଳା ବିରାଜଇ ॥
ବୁଲନ୍ତି ରତ୍ନମୟ ସ୍ଥଳେ ।ଦେଖନ୍ତି ସ୍ୱମୁଖ କମଳେ ॥
ଏମନ୍ତେ ଇନ୍ଦ୍ରର ଭୁବନେ ।ଅସୁର ବସେ ତୋଷ ମନେ ॥
ତିନି ଭୁବନେ ଏକ ରାଜା ।ଦେବେ କରନ୍ତି ପାଦ ପୂଜା ॥
ପ୍ରଚଣ୍ଡ ତେଜେ ଆଜ୍ଞା କରେ ।ଯଥେଷ୍ଟ ଖେଳେ ଇନ୍ଦ୍ରପୁରେ ॥
ସୁଗନ୍ଧ ମଦ୍ୟପାନ କଲା ।ସ୍ୱଭାବେ ବିକୃତି ହୋଇଲା ॥
ତମ୍ବାର ପ୍ରାୟ ଚକ୍ଷୁ ଜ୍ୱଳେ ।ଦେବେ ମିଳିଲେ ପାଦତଳେ ॥
ହସ୍ତରେ ଘେନି ଉପାୟନ ।ଦିଶନ୍ତି ଅରକ୍ଷ ଯେସନ ॥
ସ୍ୱଭାବେ ତପ ତେଜବଳ ।ଥିବାରୁ ଦିଶଇ ଉତ୍କଳ ॥
ସର୍ବ ଦେବତା ତାର ପାଶେ ।ଖଟନ୍ତି ଜୀବନର ଆଶେ ॥
ବିଧାତା ବିଷ୍ଣୁ ମହେଶ୍ୱର ।ଏ ତ ରହିଲେ ନିଜ ପୁର ॥
ଏହାଙ୍କୁ ଛାଡ଼ି ସର୍ବ ଦେବା ।ତାର ଚରଣେ କଲେ ସେବା ॥
ଇନ୍ଦ୍ର ଆନେ କରି ବିଜେ ।ଇନ୍ଦ୍ରହୁଁ ଅଧିକ ବିରାଜେ ॥
ଗନ୍ଧର୍ବ ମିଳି ତା ଚରଣେ ।ସଙ୍ଗତେ ଅପସରା ଗଣେ ॥
ନାରଦ ବିଶ୍ୱାବସୁ ପୁଣ ।ତୁମ୍ଭରୁ ତୋଷିଲେ ଗାଇଣ ॥
ମିଳିଲେ ସିଦ୍ଧ ଋଷିଗଣେ ।ସଂଭ୍ରମେ ଅସର ଚରଣେ ॥
ସ୍ତୁତି କରନ୍ତି ମୁନିଗଣେ ।ଗନ୍ଧର୍ବେ ନୃତ୍ୟନ୍ତି ଚରଣେ ॥
ବ୍ରାହ୍ମଣ ଆଦି ଚାରିବର୍ତ୍ତେ ।ସର୍ବ ଆଶ୍ରମ ଯୁକ୍ତ କର୍ମେ ॥
ପୂଜନ୍ତି ପିତୃଦେବ ଯଜ୍ଞେ ।ତାର ଚରଣେ ହବିର୍ଭାଗେ ॥
ସପତ ଦ୍ୱୀପେ ମହୀତଳେ ।ବିନା ବର୍ଷଣେ ଶସ୍ୟ ଫଳେ ॥
ଫୁଲ ଫଳରେ ଭୂମିପୂରି ।ହୋଇଲା କାମଧେନୁ ସରି ॥
ଏମନ୍ତ ବେଳେ ନଭସ୍ଥଳ ।ଦିଶଇ ଅତ୍ୟନ୍ତ ସୁଢ଼ଳ ॥
ସମୁଦ୍ର ରତ୍ନ ଆଣି ଦ୍ୟନ୍ତି ।ନଦୀଏ ଅଳ୍ପ ଉଛୁଳନ୍ତି ॥
ଲବଣ ଇକ୍ଷୁ ସୁରା ଘୃତ ।ଦଧି ଦୁଗ୍ଧରେ ସେ ପୂରିତ ॥
ପର୍ବତ ଦ୍ରୋଣୀକ୍ରୀଡ଼ା ଠାବ ।ସକଳ ଋତୁ ପୂର୍ଣ୍ଣ ନଭ ॥
ଦିଗପାଳଙ୍କ ଗଣ ଯେତେ ।ରହିଲେ ଅସୁର ଆଶ୍ରିତେ ॥
ଅସୁର ଦଶଦିଗ ଜିଣି ।ସପତ ଦ୍ୱୀପେ ନୃପମଣି ॥
ସକଳ ଭୋଗ୍ୟ ଭୋଗ କଲା ।କେବେହେଁ ସନ୍ତୋଷ ନୋହିଲା ॥
ଉଗ୍ର ତପସ୍ୟା ଯୋଗୁ ସେହି ।ବିଶେଷେ ଗର୍ବକୁ ବହଇ ॥
ଐଶ୍ୱର୍ଯ୍ୟ ମଦେ ମତ୍ତ ହୋଇ ।ଈଶ୍ୱର ବାକ୍ୟ ନ ମାନଇ ॥
ଏଣେ ଅନେକ କାଳ ଗଲା ।ସନକ ଶାପେ ଅନର୍ଗଳା ॥
ତାହାର ଉଗ୍ରଦଣ୍ଡ ଦେଖି ।ତ୍ରିଦଶେ ଭୂବନ ଉପେକ୍ଷି ॥
ଅନ୍ୟତ୍ର ଶରଣ ନ ପାଇ ।ସକଳ ଦେବ ରୁଣ୍ଡ ହୋଇ ॥
ଭାଳନ୍ତି ଦଶ ଦିଗ ଚାହିଁ ।କାହିଁ ଦେଖିବୁ ଭାବଗ୍ରାହୀ ॥
ଯେ ଦିଗେ ଛନ୍ତି ଚକ୍ରଧର ।ତହିଁକି କରି ନମସ୍କାର ॥
ନିର୍ମଳ ଯୋଗୀ ଜନେ ଯହିଁ ।ଗଲେ ପୁନରାଗମ ନାହିଁ ॥
ଏମନ୍ତ ଏକ ମନେ ଭାଳି ।କ୍ଷୀର ସମୁଦ୍ର ତୀରେ ମିଳି ॥
ଉନିଦ୍ର ପବନ ଭୋଜନ ।ଡାକନ୍ତି ରଖ ଭଗବାନ ॥
ଅନେକ ମତେ କରି ସ୍ତୁତି ।ଜଳଧି ତଟେ ସେ ଭ୍ରମନ୍ତି ॥
ମସ୍ତକେ ଦେଇ ବେନିକର ।ଡାକନ୍ତି ରଖ ଚକ୍ରଧର ॥
ମହାପୁରୁଷ ଭଗବାନ ।ପରମ ଆତ୍ମା ନିରଞ୍ଜନ ॥
ବିଶୁଦ୍ଧ ଆତ୍ମାର ସମୂହ ।ନମସ୍ତେ ପ୍ରଭୁ ଦିବ୍ୟ ଦେହ ॥
ଏମନ୍ତ ଦେବସ୍ତୁତି ଭଣି ।କହଇ ପ୍ରଭୁ ଚକ୍ରପାଣି ॥
ମେଘ ଗମ୍ଭୀର ପ୍ରାୟ ସ୍ଫୁରେ ।ସାଧୁଜନଙ୍କ ଦୁଃଖ ହରେ ॥
ଭୟ ନ କର ଦେବଗଣ ।ତୁମ୍ଭର ହୋଇବ କଲ୍ୟାଣ ॥
ମୋହର ଦରଶନ ଲାଭ ।ଅଶେଷ ସମ୍ପଦ ସମ୍ଭବ ॥
ପାପୀ ଅସୁର ଦୁଷ୍ଟପଣେ ।ଭୟ କରାଏ ଦେବଗଣେ ॥
ଆଉ ନ କର ତୁମ୍ଭେ ଭ୍ରାନ୍ତି ।ଏ ଭୟ କରିବି ମୁଁ ଶାନ୍ତି ॥
ଅଳପ କାଳ ଦୁଃଖ ସହ ।ନାଶିବି ତୁମ୍ଭର ସନ୍ଦେହ ॥
ଏ ଯେବେ ଦେବଙ୍କୁ ନିନ୍ଦିବ ।ଗୋରୁ ବ୍ରାହ୍ମଣ ଏ ନାଶିବ ॥
ସାଧୁଜନଙ୍କୁ ଦୁଷ୍ଟପଣେ ।ଯେବେ ହିଂସିବ ଅକାରଣେ ॥
ମୋରେ କରିବ ରିପୁ ଭାବ ।ତେବେ ଏ ବେଗେ ନାଶଯିବ ॥
ଏବେ ଏହାର ନିଜ ସୁତ ।ହୋଇବ ବିଷ୍ଣୁର ଭକତ ॥
ସମରଦଶୀ ସାଧୁ ଧୀର ।ପ୍ରହଲାଦ ନାମ ତାହାର ॥
ତାହାକୁ ଯେବେ ଏ ଲଙ୍ଘିବ ।କୋପେ ଅନେକ ଦୁଃଖଦେବ ॥
ତାହାକୁ ସଙ୍କଟୁ ରଖିବି ।ବ୍ରହ୍ମାର ବର ବିନାଶିବି ॥
ନାରଦ ଉବାଚଏମନ୍ତ ବିଷ୍ଣୁ ବାଣୀ ଶୁଣି ।ଦେବେ ନମିଲେ ଚକ୍ରପାଣି ॥
ଗୋବିନ୍ଦ ଚରଣେ ବିଶ୍ୱାସ ।ଜାଣିଲେ ନିଶ୍ଚ ଯିବ ନାଶ ॥
ବିଷ୍ଣୁଙ୍କ ପାଦ ପଦ୍ମ ନମି ।ଚଳିଲେ ଦେବ ନିଜଭୂମି ॥
ଏବେ ହୋ ଶୁଣ ଧର୍ମସୁତ ।ଭକତ ପ୍ରହ୍ଲାଦ ଚରିତ ॥
ଯାହା ଶୁଣନ୍ତେ ପ୍ରାଣୀ ଦେହେ ।ଅଶେଷ ଦୁରିତ ନ ରହେ ॥
ହିରଣ୍ୟକଶିପୁର ଘରେ ।ତାହାର ପତ୍ନୀର ଉଦରେ ॥
ଜନ୍ମ ହୋଇଲେ ଚାରି ସୁତ ।ଶୁଣ ପ୍ରହଲାଦ ଚରିତ ॥
ପ୍ରହଲାଦ ତାହାଙ୍କ ମଧ୍ୟେ ।ବିଷ୍ଣୁ ଭଜିଲା ଚିତ୍ତ ଶୁଦ୍ଧେ ॥
ଗୁଣେ କି ଦେବା ପଟାନ୍ତର ।ବିଷ୍ଣୁ ଭକତ ମଧ୍ୟେ ବର ॥
ସତ୍ୟ ସମ୍ପନ୍ନ ଶୀଳ ଗୁଣେ ।ସେବଇ ବିଷ୍ଣୁଙ୍କ ଚରଣେ ॥
ସର୍ବ ଭୂତଙ୍କ ମଧ୍ୟେ ପ୍ରିୟ ।ସ୍ୱଭାବେ ନିବୃତ ଇନ୍ଦ୍ରିୟ ॥
ସନ୍ଥ ଚରଣେ ଦାସ ପ୍ରାୟେ ।ଦୁଃଖୀକୁ ଭଜେ ପିତା ସ୍ନେହେ ॥
ସମ ବୟସ ସ୍ନେହ ମୟେ ।ଗୁରୁଙ୍କୁ ସେବେ ଦାସ ପ୍ରାୟେ ॥
ଅସୁର ବଂଶେ ଜାତ ହୋଇ ।ଅସୁର ଭାବ ହୃଦେ ନାହିଁ ॥
ବିପଦେ ଧୀର ଭାବ ବହି ।ସମସ୍ତ ନଶ୍ୱର ଭାବଇ ॥
ଇନ୍ଦ୍ରିୟ ବଦ୍ଧି ଜୟ କରି ।ଶାନ୍ତ ଭାବରେ ଦେହ ଧରି ॥
ହରି ଭଜନେ ତାର ମନ ।ନିଶ୍ଚଳେ ରହେ ସବଦିନ ॥
ତାହାର ମହାଗୁଣ ମାନ ।ମୁନି କହନ୍ତି ପୁଣ ପୁଣ ॥
ସେ ପୁଣି ବିଷ୍ଣୁର ବିଷୟେ ।ଲକ୍ଷିତ ଅଲକ୍ଷିତ ରୁହେ ॥
ଶତ୍ରୁକୁ ଶତୁ ପରଶଂସେ ।ଯାର ମହିମା ବିଷ୍ଣୁ ଅଂଶେ ॥
ତାହାକୁ ସାଧୁଗଣ ମଧ୍ୟେ ।କେବା ନ ଗଣେ ଅପ୍ରମାଦେ ॥
ଯାର ମହିମା ମୁନିଗଣେ ।ଚିତ୍ତେ ଭାବନ୍ତି ଅନୁକ୍ଷଣେ ॥
ସ୍ୱଭାବେ ତାର ଶୁଦ୍ଧମତି ।ହରି ଚରଣେ ନିତ୍ୟ ରତି ॥
ବାଳକ ସଙ୍ଗେ କ୍ରୀଡ଼ା କରେ ।କ୍ରୀଡ଼ା କନ୍ଦୁକ ନ ସୁମରେ ॥
ଜଡ଼ଙ୍କ ପ୍ରାୟ ହୋଇ ଖେଳେ ।ଚିତ୍ତ ଗୋବିନ୍ଦ ପାଦ ତଳେ ॥
ନ ଥାଏ ତାର ସଂଜ୍ଞା ଦେହେ ।କୃଷ୍ଣେ ଆବିଷ୍ଟ ହୋଇଥାଏ ॥
ମନ ତା ଗୋବିନ୍ଦ ଚରଣେ ।ସଂସାର ଗୁଣ ସେ ନ ଜାଣେ ॥
ଜାଗ୍ରତେ ଶୟନେ ଭୋଜନେ ।ଗମନେ କିବା ଜଳପାନେ ॥
ଗୋବିନ୍ଦ ପାଦେ ଚିତ୍ତ ଥାଇ ।ବିଷୟା ରସେ ଜ୍ଞାନ ନାହିଁ ॥
ବିଷ୍ଣୁ ଚରଣ ଚିନ୍ତି ବୁଲେ ।ଯେ ଅବା ବୋଲେ ଯେତେବେଳେ ॥
ଊର୍ଦ୍ଧ୍ୱେ ଉତ୍କଣ୍ଠେ ନାଦ ସ୍ଫୁରେ ।ନିର୍ଲଜ ପ୍ରାୟ ନୃତ୍ୟ କରେ ॥
କାନ୍ଦି ହସଇ ଉଚ୍ଚ ନାଦେ ।ବିଷ୍ଣୁଙ୍କୁ ଭଜଇ ଆନନ୍ଦେ ॥
ନିର୍ମଳ ଭାବେ ଭକ୍ତି ପୂରେ ।ବିଷ୍ଣୁ ଚେଷ୍ଟାରେ ମତିଭୋଳେ ॥
ବିଷ୍ଣୁର ନାମ ମୁଖେ ଭଜି ।ପୁଲକ କରି ରୋମ ରାଜି ॥
ଆନେନ୍ଦେ ଅଶ୍ରୁ ଝର ଝର ।ନିରତେ ବହେ ଚକ୍ଷୁଦ୍ୱାର ॥
ବିଷ୍ଣୁ ଚରଣେ ଭାବ ଭୋଳେ ।ରମଇ ଅକିଞ୍ଚନ ମେଳେ ॥
ଆତ୍ମା ନିବୃତ୍ତି ଅନୁକ୍ଷଣେ ।ବିଷୟ ସଙ୍ଗେ ଦୁଃଖମଣେ ॥
ଏମନ୍ତେ ପୁତ୍ରର ବିଷୟେ ।ହିରଣ୍ୟକଶିପୁ ନିର୍ଦ୍ଦୟେ ॥
ଦେଲା ସେ ପୀଡ଼ା ଅତିରେକେ ।କେ ସହି ପାରେ ନରଲୋକେ ॥
ଯୁଧିଷ୍ଠିର ଉବାଚହେ ଦେବରଷି ସତ୍ୟବ୍ରତ ।ତୁମେ କହିଲ ଅଦଭୁତ ॥
ନିଜ ପୁତ୍ରକୁ ପିତା ଯେବେ ।ଦଣ୍ଡିଲା ଶତ୍ରୁଜନ ଭାବେ ॥
ସେ ଶୁଦ୍ଧ ଚିତ୍ତ ପ୍ରହଲାଦ ।କିମ୍ପା ପଡ଼ିଲା ଏ ପ୍ରମାଦ ॥
କୁପୁତ୍ର ପଣ ଯେ କରନ୍ତି ।ପିତାକୁ ରିପୁ ପ୍ରାୟ ଚିନ୍ତି ॥
ତାର କୁଶଳ ଶିକ୍ଷା ଅର୍ଥ ।ପିତା ଚିନ୍ତଇ ଅବିରତେ ॥
ଏ ପୁତ୍ର ପିତା ଅନୁଚର ।ସ୍ୱଭାବେ ଶୁଦ୍ଧ ସାଧୁ ଧୀର ॥
ଏହାଙ୍କୁ କିମ୍ପା ଦୁଃଖ ଦେଲା ।ମୋତେ ତ ସନ୍ଦେହ ଲାଗିଲା ॥
ଯେ ପିତା ପୁତ୍ରେ ଦିଏ ଦୁଃଖ ।ଏ କଥା ମରଣୁ ଅଧିକ ॥
ଏଣୁ ଦୁଃଖିତ ମୋର ମନ ।କହ ହେ ବ୍ରହ୍ମାର ନନ୍ଦନ ॥
ଏମନ୍ତ ଧର୍ମ ସୁତ ବାଣୀ ।ନାରଦ ସଭା ମଧ୍ୟେ ଶୁଣି ॥
କୃଷ୍ଣ ଚରଣେ ଦେଇ ଚିତ୍ତ ।କହିଲେ ବିଷ୍ଣୁର ଚରିତ ॥
ସେ ବ୍ରହ୍ମମୁନିଙ୍କ ଚରଣେ ।ସୁଜନ ମନ ଅନୁକ୍ଷଣେ ॥
ସୁଜନ ହିତେ ଭାଗବତ ।ଭାଷା ପ୍ରବନ୍ଧେ କଲି ଗୀତ ॥
ସପ୍ତମ ସ୍କନ୍ଧେ ଭାଗବତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ବିଷ୍ଣୁ ପ୍ରସନ୍ନ ବର୍ଣ୍ଣନେନାମ ଚତୁର୍ଥୋଽଧ୍ୟାୟଃ ।