ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ପ୍ରାୟ ୧୪୯୧–୧୫୫୦
- ପଢ଼ିବା ସମୟ
- ୨୫୪ ମିନିଟ୍
- ଶବ୍ଦ
- ୪୦୬୦୬
- ସ୍ଥିତି
- ସାର୍ବଜନୀନ (Public domain)
ଚତୁର୍ଥ ସ୍କନ୍ଧନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ॥
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂ ।ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ॥
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦ୍ମୃତଦ୍ରବସଂଯୁତଂ ।ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୂବିଭାବୁକାଃ ॥
ପ୍ରଥମ ଅଧ୍ୟାୟ
ମୈତ୍ରେୟ ଉବାଚଏବେ ହୋ ଶୁଣ ଏକ ଚିତ୍ତେ ।ଚତୁର୍ଥସ୍କନ୍ଧ ଭାଗବତେ ॥
ପୂର୍ବେ ଯେ ପଦ୍ମଯୋନି ତନୁ ।ଜନ୍ମିଲେ ସ୍ୱାୟମ୍ଭୂବ ମନୁ ॥
ତା ନାରୀ ଶତରୂପା ନାମ ।ପୂଜିତ ସର୍ବଗୁଣ ଧାମ ॥
ତାର ଉଦରେ ବେନିସୁତ ।ଅପର ତିନୋଟି ଦୁହିତ ॥
ଆକୂତି ଦେବହୂତି ବେନି ।ପ୍ରସୂତୀ ନାମେ କନ୍ୟା ତିନି ॥
ଆକୂତି ରୁଚିକି ବରିଲା ।ପୁତ୍ରିକା ଅର୍ଥେ ବିଭା ଦେଲା ॥
ଯେ ଧର୍ମ ବିଧି ବେଦ ଅଙ୍ଗେ ।ବିଚାରି ଶତରୂପା ସଙ୍ଗେ ॥
ସେ ପ୍ରଜାପତି ଗୃହେ ଆଣି ।ସ୍ୱଧର୍ମେ ଆକୂତି ଘରଣୀ ॥
ସେ କନ୍ୟା ଗର୍ଭେ ଋଷି ବୀର୍ଯ୍ୟେ ।ପୁତ୍ର ଦୁହିତା ମହାତେଜେ ॥
ଜନ୍ମିଲେ ଅତି ସୁଲକ୍ଷଣ ।ତାହାଙ୍କ ନାମ ଏବେ ଶୁଣ ॥
ଯଜ୍ଞ ପୁରୁଷ ତାଙ୍କ ବଂଶେ ।ଜନ୍ମ ହୋଇଲେ ବିଷ୍ଣୁ ଅଂଶେ ॥
କନ୍ୟା ସ୍ୱରୂପା ସୁଲକ୍ଷଣା ।ତା ନାମ କଳ୍ପିଲା ଦକ୍ଷିଣା ॥
ସେ ବେନି କନ୍ୟା ପୁତ୍ର ଆଣି ।ସ୍ୱଗୃହେ ମନୁଙ୍କ ଘରଣୀ ॥
ନିଜ ଅପତ୍ୟ ପ୍ରିୟଭାବେ ।ପାଳଇ ମନୁବଂଶ ଲାଭେ ॥
ଏମନ୍ତେ ଗଲା ଦିନାକେତେ ।ସେ ମନୁ ଅଳଙ୍କାର ଯୁତେ ॥
ଯଜ୍ଞ ସମ୍ପୂର୍ଣ୍ଣେ କନ୍ୟା ଦେଲା ।ନିଗମ ମତେ ଧର୍ମ କଲା ॥
ସେ ଯଜ୍ଞପତି କନ୍ୟା ପାଇ ।ଗୃହସ୍ଥ ଧର୍ମ ବିଧି ବହି ॥
ଦକ୍ଷିଣା ଗର୍ଭେ ମୁନିବଳା ।ଦ୍ୱାଦଶ ପୁତ୍ର ଜନ୍ମ କଲା ॥
ତୋଷ ପ୍ରତୋଷ ପୁତ୍ର ବେନି ।ସନ୍ତୋଷ ଭଦ୍ର ଶାନ୍ତି ତିନି ॥
ଷଷ୍ଠରେ ପୁତ୍ର ଇଡ଼ସ୍ପତି ।ବେଦେ ଅଧିକ ଯାର ମତି ॥
ଇନ୍ଦୁ କବି ଯେ ବିଭୁ ସ୍ୱାହ୍ନ ।ସୁଦେବ ଦ୍ୱାଦଶେ ରୋଚନ ॥
ଏ ଯେ ଦ୍ୱାଦଶ ଭ୍ରାତୃଗଣେ ।ମନୁର ଆଜ୍ଞା ପରମାଣେ ॥
ତାହାଙ୍କୁ ତୁଷ୍ଟ ଦେବଗଣ ।ହୋଇଲେ ସୃଷ୍ଟିର କାରଣ ॥
ମରୀଚି ଆଦି ସପ୍ତମୁନି ।ଯଜ୍ଞକୁ ଇନ୍ଦ୍ରପଦେ ଘେନି ॥
ଉତ୍ତାନପାଦ ପ୍ରିୟବ୍ରତ ।ଏ ବେନି ମନୁରାଜା ସୁତ ॥
ଏହାଙ୍କ ବଂଶେ ରାଜା ଯେତେ ।ପୁତ୍ର ପଉତ୍ର ଅପ୍ରମିତେ ॥
ଯେ କନ୍ୟା ଦେବହୂତି ନାମ ।ତାହାକୁ ଲଭିଲା କର୍ଦ୍ଦମ ॥
ତାହାର ନବ କନ୍ୟା ଗର୍ଭେ ।ଯେ ଅବା ଉପୁଜିଲେ ପୂର୍ବେ ॥
ସେ କଥା କହିବି ମୁଁ ତୋତେ ।ତୁ ଯେବେ ପଚାରିଲୁ ମୋତେ ॥
ପ୍ରସୂତି କନ୍ୟା ମନୁ ରାଜା ।ଦେଇ ଦକ୍ଷକୁ କଲା ପୂଜା ॥
ତାର ସନ୍ତତି ତିନି ଲୋକେ ।ବିଖ୍ୟାତ ହୋଇଲେ ଅନେକେ ॥
କହିବି ଏଥିର କାରଣ ।ତୁ ଏବେ ସାବଧାନେ ଶୁଣ ॥
ଶୁଣନ୍ତେ ନବ ମୁନି ବଂଶ ।ହରଇ ଅଶେଷ କଳ୍ମଷ ॥
କର୍ଦ୍ଦମ ଋଷିଙ୍କର ବଳା ।ଜ୍ୟେଷ୍ଠ ଦୁହିତା ତାରେ ଦେଲା ॥
ମରୀଚି ବୀର୍ଯ୍ୟେ ତା ଉଦରେ ।ଜନ୍ମିଲେ ଯେ ବେନି କୁମରେ ॥
କଶ୍ୟପ ପୂର୍ଣ୍ଣିମା ଯେ ଦୁଇ ।ଶୁଚି ସୁନ୍ଦର ବେନି ଭାଇ ॥
ଏ ବେନି ଭାଇଙ୍କର ବଂଶ ।ଜଗତେ ହୋଇଲେ ପ୍ରକାଶ ॥
ବିରଜ ବଶ୍ୱଗ ସେ ସୁତ ।ଅପରେ ବିଶେଷ ବିଦିତ ॥
ଦେବକୁଲ୍ୟା ଯେ କନ୍ୟା ତାର ।ସଂସାରେ ହୋଇଲା ପ୍ରଚାର ॥
ସେ ଅନସୂୟା ଅତ୍ରି ନାରୀ ।ଅତି ସୁନ୍ଦରୀ ସୁକୁମାରୀ ॥
ତାହାର ଗର୍ଭେ ତିନିସୁତ ।ହୋଇଲେ ଜଗତ ବିଦିତ ॥
ଦତ୍ତ ଦୁର୍ବାସା ସୋମ ତିନି ।ତିନି ଦେବଙ୍କ ରୂପ ଘେନି ॥
ବିଦୁର ଉବାଚଅତ୍ରିର ପତ୍ନୀ ଗର୍ଭଗତେ ।ତ୍ରିଦେବ ଜନ୍ମିଲେ ଜଗତେ ॥
ସେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରି ।ସୃଷ୍ଟି ପାଳନ ଅନ୍ତକାରୀ ॥
ଏ କଥା ସଂଶୟ ତ ମୋତେ ।ଭୋ ମୁନି କହ ଶୁଦ୍ଧଚିତ୍ତେ ॥
କି ହେତୁ କି କର୍ମ ବିଚାରି ।କିମ୍ପା ଜନ୍ମିଲେ ଦେହ ଧରି ॥
ମୈତ୍ରେୟ ଉବାଚଶୁଣ ବିଦୁର ତୋଷମନେ ।ଅତ୍ରି ଯେ ବ୍ରହ୍ମାର ନନ୍ଦନେ ॥
ସ୍ୱଭାବେ ବ୍ରହ୍ମ ବିଦ୍ୟାକର ।ବ୍ରହ୍ମା ବୋଇଲେ ତପ କର ॥
ସେ ତପେ ଯେବା ଦେବ ସେବି ।ତାର ପ୍ରସନ୍ନେ ଫଳ ଲଭି ॥
ଏମନ୍ତେ ପିତାବାକ୍ୟ ମାନି ।ଧର୍ମ ପତ୍ନୀକି ସଙ୍ଗେ ଘେନି ॥
ସେ ପତିବ୍ରତା ଅନସୂୟା ।ତାକୁ ନ ଲାଗେ ବିଷ୍ଣୁମାୟା ॥
ସେ ସାଧୁ ପତ୍ନୀ ସଙ୍ଗ ମେଳେ ।ମିଳିଲେ ଗିରି କୁଳାଚଳେ ॥
ସେ ଗିରିଶିଖେ ନାନା ଫୁଲ ।ସୁରଙ୍ଗ ସୁଗନ୍ଧ ଅମୂଲ୍ୟ ॥
ଚନ୍ଦନ ଚମ୍ପକ ଅଶୋକ ।ପାରିଜାତ ସେ କୁରୁବକ ॥
ତ୍ରିସନ୍ଧ୍ୟା ନଦୀକୂଳେ ରହେ ।ସ୍ନାନେ ସକଳ ପାପ ଦହେ ॥
ସେ ବନେ ପଶି ବେନିଜନେ ।ତପ ସମାଧି ଯୋଗଧ୍ୟାନେ ॥
ମନକୁ ଧରି ଆତ୍ମାବଳେ ।ପବନ ଇନ୍ଦ୍ରିୟ ନିଶ୍ଚଳେ ॥
ଏକ ଚରଣେ ଉଭା ହୋଇ ।ଉପର ମୁଖେ ଶୁଦ୍ଧେ ଧ୍ୟାୟି ॥
ଶତେ ବରଷ ଯୋଗଧ୍ୟାନେ ।ବିଞ୍ଚିଲେ ପବନ ଭୋଜନେ ॥
ନିଶ୍ଚଳ ଯୋଗଧ୍ୟାନେ ଚିନ୍ତି ।ଚିତ୍ତେ ଏମନ୍ତ ବିଚାରନ୍ତି ॥
ଜଗତ ପ୍ରଭୁ ଯେ ଈଶ୍ୱର ।ସୃଷ୍ଟି ପାଳନ ଚକ୍ରଧର ॥
ଅନାଦି ପରମ କାରଣ ।ଦୁର୍ଲ୍ଲଭ ଯାହାର ବରଣ ॥
ଆମ୍ଭର ସନ୍ତତି କାରଣ ।ଶରଣ ଗଲୁ ତା ଚରଣ ॥
ଏମନ୍ତ ଚିତ୍ତେ ବିଚାରନ୍ତି ।ହରିହୁଁ ଅନ୍ୟ ନ ଜାଣନ୍ତି ॥
ସେ ହରି ଯେବେ ଦୟାକରେ ।ଜନ୍ମ ଲଭିବେ ମୋର ଘରେ ॥
ତେବେ ସେ ଜୀବନ ମୋହର ।ସେ ହରି ଶରଣ ସୋଦର ॥
ଏମନ୍ତ ନିତ୍ୟେ ଚିତ୍ତେ ଚିନ୍ତି ।ସେ ବନେ ତପସ୍ୟା ସାଧନ୍ତି ॥
ଉର୍ଦ୍ଧ୍ୱ ବଦନେ ସେ ନିଶ୍ଚଳ ।ଏମନ୍ତେ ଗଲା ଦୀର୍ଘକାଳ ॥
ପ୍ରାଣସଂଯମ ଶ୍ରମବଳେ ।ଶିରେ ଉପୁଜିଲା ଅନଳେ ॥
ତେଜେ ତାପିଲେ ତିନିପୁର ।ଦେଖି କମ୍ପିଲେ ସୁର ନର ॥
ବିଶ୍ୱ କମ୍ପିତ ତେଜ ଭୟେ ।ଦେଖି ଗୋବିନ୍ଦ କଲେ ଦୟେ ॥
ତକ୍ଷଣେ ପ୍ରଭୁ ନରହରି ।ତିନି ଦେବଙ୍କ ରୂପ ଧରି ॥
ବେଗେ ମିଳିଲେ ଶୂନ୍ୟପଥେ ।ଗନ୍ଧର୍ବ ବିଦ୍ୟାଧର ଯୂଥେ ॥
ସୁସ୍ୱରେ ଯେତେ ଗୀତ ଗାନ ।ଯେଣେ ତୃପତ ଆତ୍ମମନ ॥
ସେ ହରି ନିଜ ଗୁଣ ଗାଇ ।ତପ ପ୍ରଭାବ ହୃଦେ ବହି ॥
ଦୂର ଗମନ ଅତିଶ୍ରମେ ।ମିଳିଲେ ମୁନିଙ୍କ ଆଶ୍ରମେ ॥
ଦେବଙ୍କ ଆଗମନ ଦେଖି ।ସେ ମୁନି ଆସନ ଉପେକ୍ଷି ॥
ସମାଧି ତପ ଆଚରଣେ ।ଥିଲେ ସେ ଏକଇ ଚରଣେ ॥
ବେନି ଚରଣ ସ୍ଥିରେ ଥୋଇ ।କପୋଳେ ବେନିହସ୍ତ ଦେଇ ॥
ହରଷେ ଅଶ୍ରୁଜଳ ନେତ୍ରେ ।ପ୍ରଣାମ କଲେ ଦଣ୍ଡବତେ ॥
ଉଠି ଚାହଁଇ ଶୂନ୍ୟମାର୍ଗେ ।ତିନି ମୂରତି ଦେଖି ଆଗେ ॥
ବୃଷଭ ପକ୍ଷୀରାଜ ଯାନେ ।ପରମହଂସଙ୍କ ବିମାନେ ॥
ତିନିଦେବଙ୍କ ଚିହ୍ନ ଦେଖି ।ନିର୍ମଳ କଲା ବେନି ଆଖି ॥
ଦେଖଇ ବ୍ରହ୍ମା ବିଷ୍ଣୁ ହର ।ନିଜ ଆୟୁଧେ ମନୋହର ॥
ପ୍ରସନ୍ନ ଦିଶେ ମୁଖକାନ୍ତି ।ଈଷତ ହାସେ ଶୋଭାପାନ୍ତି ॥
ଏମନ୍ତେ ଦେଖି ତିନି ମୁଖ ।ମୁନି ଛାଡିଲେ ମନୋଦୁଃଖ ॥
କଣ୍ଠ କଣ୍ଠିତ ଗଦଗଦେ ।ପ୍ରଣାମ କଲେ ତିନି ପାଦେ ॥
କରଯୁଗଳ ଶିରେ ଦେଇ ।ବୋଲଇ ତାଙ୍କ ମୁଖ ଚାହିଁ ॥
ଅତ୍ରି ଉବାଚସ୍ଥିତି ଉଦ୍ଭବ ଲୟ କାର୍ଯ୍ୟେ ।ତୁମ୍ଭର ଶରୀର ବିରାଜେ ॥
ଭକ୍ତଜନଙ୍କ ପ୍ରିୟ ଭାବେ ।ଶରୀର ବହୁ ଅନୁରାଗେ ॥
ଉଠି ଚାହିଁଲା ଶୂନ୍ୟମାର୍ଗେ ।ଶ୍ୱେତ ଅଶିତ ପୀତରୋଗେ ॥
ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର ।ମୁଁ ତୁମ୍ଭ ଚରଣେ କିଙ୍କର ॥
ତୁମ୍ଭର ରୂପ ଏ ସଂସାରେ ।ପ୍ରକାଶେ ଜନ ଉପକାରେ ॥
ଏମନ୍ତେ ଅତ୍ରି ବାକ୍ୟ ଶୁଣି ।ବିଷ୍ଣୁ ଶଙ୍କର କୁଶପାଣି ॥
ଦେବା ଉଚୁଃକହନ୍ତି ଅତ୍ରି ମୁଖ ଚାହିଁ ।ଭୋ ମୁନି ଭାଗ୍ୟବନ୍ତ ତୁହି ॥
ତୋହର ପ୍ରାୟ ତପଘୋରେ ।ତପସ୍ୱୀ ନାହିଁ ଏ ସଂସାରେ ॥
ପତ୍ନୀ ସହିତେ ଦୁଃଖ ସହି ।ତପ ଯେ କଲୁ ବନେ ରହି ॥
ଚିତ୍ତେ ତୁ କଳ୍ପି ଅଛୁ ଯାହା ।ତେଣୁ ଆମ୍ଭର ତୋତେ ଦୟା ॥
ମନେ ତୁ ସଂଶୟ ନ କର ।ହୋଇବୁଁ ତୁମ୍ଭର କୁମର ॥
ତୋହର ଯଶ ଏ ଜଗତେ ।ନିଶ୍ଚଳ ରହିବ ଯେମନ୍ତେ ॥
କରିବୁ ସତ୍ୟ ଏ ବଚନ ।ଏମନ୍ତ କହି ଅନ୍ତର୍ଦ୍ଧାନ ॥
ମୈତ୍ରେୟ ଉବାଚନିଜ ଭୁବନେ ଗଲେ ବେଗେ ।ସେ ଅତ୍ରି ପତ୍ନୀ ଗର୍ଭଭାଗେ ॥
ଋତୁ ସଙ୍ଗମ ପତ୍ନୀ ସଙ୍ଗେ ।ଜନ୍ମ ହୋଇଲେ ତିନି ଦେବେ ॥
ନୟନ ମଧ୍ୟୁ ସୋମ ଜାତ ।ଉଦରୁ ରୁଦ୍ରର ସମ୍ଭୂତ ॥
ଦୁର୍ବାସା ଧୂର୍ଜ୍ଜଟିର ଅଂଶେ ।ଜନ୍ମ ହୋଇଲେ ପୃଷ୍ଠଦେଶେ ॥
ତପ ପ୍ରଭାବର ଏ ଗୁଣ ।ଏବେ ଅଙ୍ଗିରା ବଂଶ ଶୁଣ ॥
ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ ।ତାର ସଂଯୋଗେ ପ୍ରଜାପତି ॥
ଚାରି ଦୁହିତା ଜନ୍ମକଲା ।ସୁନ୍ଦର ରୂପ ଗୁଣଶୀଳା ॥
ତୁଳନା ନାହିଁ ଅନୁପମ ।ଶୁଣ ହେ ତାହାଙ୍କର ନାମ ॥
ପ୍ରଥମ କନ୍ୟା ସିନୀବାଲୀ ।ଅପରେ କୁହୁ ରାକାବାଳୀ ॥
ଚତୁର୍ଥ ନାମ ଅନୁମତି ।ଏମନ୍ତେ କନ୍ୟାଙ୍କର ଖ୍ୟାତି ॥
ଅପରେ ବେନି ସୁତ ଜାତ ।ଔତଥ୍ୟ ବୃହସ୍ପତି ସୁତ ॥
ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ ।ପୌଲସ୍ତି ସୃଷ୍ଟି ଏବେ ଶୁଣ ॥
ଅଗସ୍ତି ହବି ନାମ ବେନି ।ଜନ୍ମିଲେ ବ୍ରହ୍ମତେଜ ଘେନି ॥
ଏ ଯେ ସୁରୁଚି ମନ୍ୱନ୍ତରେ ।ବିଖ୍ୟାତ ଖ୍ୟାତି ତିନି ପୁରେ ॥
ସେ ପୁଣି ଅନ୍ୟ ଜନେ ଖ୍ୟାତ ।ବ୍ରତୋଳି ବିଶ୍ରବା ସମ୍ଭୂତ ॥
ବ୍ରତୋଳି ପତ୍ନୀ ଇଡ଼ବଳା ।ଦୁର୍ଜ୍ଜୟ ପୁତ୍ର ପ୍ରସବିଲା ॥
କୁରୂପ ଦେଖି ତା ଶରୀର ।ତା ନାମ କଳ୍ପିଲା କୁବେର ॥
ପୁଣି ବିଶ୍ରବା ରୂପ ଘେନି ।ଅସୁରୀ ଗର୍ଭେ ପୁତ୍ର ତିନି ॥
ରାବଣ କୁମ୍ଭକର୍ଣ୍ଣ ନାମ ।ତେଜେ ତ୍ରୈଲୋକ୍ୟ ନାହିଁ ସମ ॥
ପୁଣି ଜନ୍ମିଲେ ବିଭୀଷଣ ।ବିଷ୍ଣୁର ଭକ୍ତ ମହାଜନ ॥
ପୌଲସ୍ତି ପୁତ୍ର ଭାନୁ ଗର୍ଭେ ।ତିନି ବାଳକ ସୃଷ୍ଟି ଲଭେ ॥
କେ ପାରେ ତାଙ୍କ ଗୁଣ ଚିନ୍ତି ।ଅନଳ ପ୍ରାୟେ ତେଜ କାନ୍ତି ॥
ଜ୍ୟେଷ୍ଠର ନାମ କର୍ମ ଶ୍ରେଷ୍ଠ ।ଦ୍ୱିତୀୟ ବରୀୟସ ଶ୍ରେଷ୍ଠ ॥
କନିଷ୍ଠ ସହିଷ୍ଣୁ ପ୍ରକାଶ ।ଏବେ ତୁ ଶୁଣ କ୍ରତୁବଂଶ ॥
କ୍ରତୁର ପତ୍ନୀ ନାମ କ୍ରିୟା ।ତା ପୁତ୍ର ଶୁଣ ପୁଣ୍ୟଦେହା ॥
ଷାଠି ସହସ୍ର ବାଳଖିଲ୍ୟା ।ତା ଗର୍ଭେ ପୁତ୍ର ଉପୁଜିଲା ॥
କେ ପାରେ ତାଙ୍କ ଗୁଣ ଚିନ୍ତି ।ଅନଳ ପ୍ରାୟ ରୁପକାନ୍ତି ॥
ଶୁଣ କହିବା ବଂଶ ଏବେ ।ବଶିଷ୍ଠ ଅରୁନ୍ଧତୀ ଗର୍ଭେ ॥
ନିର୍ମଳ ଗୁଣ ସପ୍ତଋଷି ।ଭାନୁ ଉଦୟେ ତାହା ଘୋଷି ॥
ଶୁଣ ବିଦୁର ମନ ସୁଖେ ।କହିବା ଚିତ୍ରକେତୁ ମୁଖେ ॥
ଜ୍ୟେଷ୍ଠ ଚିତ୍ରକେତୁ ସୁରୋଚି ।ବିରାଜ ମିତ୍ର ବେନି ଶୁଚି ॥
ଉଲ୍ୱଣ ବସୁଭୃତ୍ୟ ଜାତ ।ଦ୍ୟୁମାନ ଶକ୍ତିଙ୍କ ସମ୍ଭୂତ ॥
ଚିତିର ବଂଶ ଏବେ କହି ।ଶୁଣ ବିଦୁର ମନଦେଇ ॥
ଅପୂର୍ବ ପତ୍ନୀ ସେ ସ୍ୱଭାବେ ।ପୁତ୍ରେ ଜନ୍ମିଲା ତାର ଗର୍ଭେ ॥
ଦଧୀଚି ନାମେ ମହାବୀର ।ସ୍ୱଭାବେ ଦିଶେ ଅଶ୍ୱଶିର ॥
କେ କହିପାରେ ତାଙ୍କ ଗୁଣ ।ଏବେ ତୁ ଭୃଗୁବଂଶ ଶୁଣ ॥
ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ ।ତିନି ଅପତ୍ୟ ସୃଷ୍ଟି ଲଭେ ॥
ଧାତା ବିଧାତା ବେନି ସୁତ ।କନ୍ୟାଏ କମଳା ସମ୍ଭୁତ ॥
ଧାତା ବିଧାତା ବେନିକୋଳେ ।ସୁନ୍ଦର ରୂପ ବାଳକାଳେ ॥
ସୁମେରୁ ପର୍ବତ ଦୁହିତା ।ଆୟତି ନିୟତି ସମ୍ଭୂତା ॥
ଏ ବେନି କନ୍ୟା ବେନି ଭାଇ ।ବିବାହ କଲେ ବେନିକୁହିଁ ॥
ସେ ବେନି କନ୍ୟା ଗର୍ଭଗତେ ।ଜନ୍ମ ଲଭିଲେ ବେନି ସୁତେ ॥
ମୁକୁଣ୍ଡ ପ୍ରାଣ ତାଙ୍କ ନାମ ।ସୁନ୍ଦରେ ସମ ନୁହେଁ କାମ ॥
ମାର୍କଣ୍ଡେୟ ମୃକୁଣ୍ଡ ହେଲା ।ସଂସାରେ ଖ୍ୟାତି ସେ ଲଭିଲା ॥
ସେ ପ୍ରାଣୁ ଦେବଶିରା ହୁଏ ।ମୁନିଙ୍କ ମଧ୍ୟେ ମହାଶୟେ ॥
ଉଶନା ମୁନି ଯାର ସୁତ ।କବିଙ୍କ ମଧ୍ୟେ ମହାବ୍ରତ ॥
ଏ ସର୍ବମୁନି ମହାଜନ ।ସ୍ୱଭାବେ ତ୍ରୈଲୋକ୍ୟ ଭାବନ ॥
ଏମନ୍ତ କର୍ଦ୍ଦମ ସନ୍ତତି ।କହିଲି ମୁନିବଂଶ ଖ୍ୟାତି ॥
ଏ ଯଶ ଶୁଣନ୍ତେ ସଂସାରେ ।ଜ୍ଞାନ ଅଜ୍ଞାନ ପାପ ହରେ ॥
ଏ ସ୍ୱାୟମ୍ଭୂବ ମନୁ ସୁତା ।ପ୍ରସୂତି ନାମେ ପତିବ୍ରତା ॥
ତାହାର ପ୍ରିୟ ଶୁଦ୍ଧମତି ॥
ଯା ନାମ ଦକ୍ଷ ପ୍ରଜାପତି ॥
ତା ବୀର୍ଯ୍ୟେ ପ୍ରସୂତିର ଗର୍ଭେ ।ଷୋଡ଼ଶ କନ୍ୟା ସେ ପ୍ରସବେ ॥
ଜନ୍ମିଲେ ନାମ ସୁଲୋଚନୀ ।ରୂପେ ତ୍ରିଭୁବନ ମୋହିନୀ ॥
ଧର୍ମକୁ ତ୍ରୟୋଦଶ ନାରୀ ।ଦେଲା ସେ ଅଳଙ୍କାର ଭରି ॥
ଅଗ୍ନିକୁ ଏକ କନ୍ୟା ଦେଲା ।ପିତୃ ପୁରୁଷେ ଏକ ବଳା ॥
ଅପରେ ନାରୀ ସତୀକନ୍ୟା ।ସୁଗୁଣା ପତିବ୍ରତା ଧନ୍ୟା ॥
ଅନେକ ମତେ ତାର ଗୁଣ ।ଶିବଙ୍କୁ କଲା ସେ ପ୍ରଦାନ ॥
ଶ୍ରଦ୍ଧା ମଇତ୍ରୀ ଦୟା ଶାନ୍ତି ।ତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି ॥
ତିତିକ୍ଷା ମୂର୍ତ୍ତି ବୁଦ୍ଧି ମେଧା ।ଲଜ୍ଜା ସହିତେ ପରସିଦ୍ଧା ॥
ଏମନ୍ତେ ଧର୍ମ ଏତେ ନାରୀ ।ଦକ୍ଷର ଭାବେ ବିଭାକରି ॥
ଶ୍ରଦ୍ଧା ସତ୍ୟକୁ ପ୍ରସବିଲା ।ମୈତ୍ରୀ ପ୍ରସାଦେ ଉପୁଜିଲା ॥
ଅଭୟ ହେଲା ଦୟାଠାରୁ ।ଶ୍ରମ ଯେ ଜନ୍ମିଲା ଶାନ୍ତିରୁ ॥
ହର୍ଷରୁ ତୁଷ୍ଟି ପ୍ରସବିଲା ।ପୁଷ୍ଟିରୁ ଗର୍ବ ଯେ ହୋଇଲା ॥
ଯୋଗ ହୋଇଲା କ୍ରିୟାଠାରୁ ।ଦର୍ପକ ଉନ୍ନତି ଗର୍ଭରୁ ॥
ଅର୍ଥରୁ ବୁଦ୍ଧି ଉପୁଜିଲା ।ସ୍ମୃତି ଯେ ମେଧାରୁ ଜନ୍ମିଲା ॥
ତିତିକ୍ଷା ପ୍ରସବିଲା କ୍ଷେମ ।ବିନୟ ଲଜ୍ଜାରୁ ଜାଣିମ ॥
କ୍ଷେମ ପ୍ରସୂତି କ୍ରିୟା ତହୁଁ ।ମୂର୍ତ୍ତିର ସୁତ ଏବେ କହୁଁ ॥
ଯହିଁ ଆଶ୍ରିତ ସର୍ବଗୁଣ ।ସେ ବେନି ନର ନାରାୟଣ ॥
ଏ ବେନି ପୁତ୍ର ଜନ୍ମଦିନେ ।ଆନନ୍ଦ ଏ ତିନି ଭୁବନେ ॥
ଦିଶେ ଗଗନ ଗିରି ନଦୀ ।ଆନନ୍ଦେ ଉଲ୍ଲୋଳ ଜଳଧି ॥
ଗଗନ ପୂରେ ତୂରୀ ଘୋଷେ ।ନିର୍ମେଘେ କୁସୁମ ବରଷେ ॥
ସକଳ ମୁନି ସ୍ତୁତିକରି ।ରଙ୍ଗେ ନାଚନ୍ତି ଅପସରୀ ॥
ଗନ୍ଧର୍ବ କିନ୍ନର ଆନନ୍ଦେ ।ଗାବନ୍ତି ବିଦ୍ୟାଧର ବୃନ୍ଦେ ॥
ସକଳ ଗୃହେ ଅନୁକୂଳ ।ଉଛୁଳେ ପରମ ମଙ୍ଗଳ ॥
ହରଷେ ହର ପଦ୍ମଯୋନି ।ସଙ୍ଗେ ଦେବତା ବୃନ୍ଦ ଘେନି ॥
ମିଳିଲେ ଧର୍ମର ଭୁବନେ ।ଆନନ୍ଦ ମନେ ସର୍ବଜନେ ॥
ଯେ ନିଜ ମାୟାଗୁଣେ ହରି ।ବିଶ୍ୱ ସଂସାରେ ରୂପ ଧରି ॥
ବିଶ୍ୱ ପାଳନ କ୍ଷମ ଅର୍ଥେ ।ଭାରତ ଭୂମି ମଧ୍ୟଗତେ ॥
ତପ ଆଚରି ଜନହିତେ ।ସେ ହରି ଚରଣେ ନମସ୍ତେ ॥
ଯେ ହରି ସୃଷ୍ଟିଲୟ ଅର୍ଥେ ।ଆମ୍ଭଙ୍କୁ ସର୍ଜିଲା ଜଗତେ ॥
ସର୍ବ ଲକ୍ଷଣ ଅର୍ଥେ ହରି ।ଆତ୍ମାକୁ ବେନି ରୂପ କରି ॥
ପରିପାଳନ ତପବଳେ ।ଆସନେ ଧରଣୀ ମଣ୍ଡଳେ ॥
ଶ୍ରୀନିକେତନ ତିନି ନେତ୍ର ।କ୍ଷଣେ କିଞ୍ଚିତ ସେ ପବିତ୍ର ॥
ସଂସାରାର୍ଣ୍ଣବ ସୁଖେ ତରେ ।ଯେ ପ୍ରାଣୀ ତୋତେ ଆଶ୍ରାକରେ ॥
ଏମନ୍ତ ସୁରଗଣେ ଗାଇ ।ସ୍ତୁତି କରନ୍ତି ମୁଖ ଚାହିଁ ॥
ଜଗତ ହିତେ ତପ ଅର୍ଥେ ।ସେ ଗନ୍ଧମାର୍ଦ୍ଦନ ପର୍ବତେ ॥
ମିଳିଲେ ଶୁଭ ଲଗ୍ନବେଳେ ।ଭାରତ ଭୂମି ସୁମଙ୍ଗଳେ ॥
ସେ ବେନିରୂପ ବିଷ୍ଣୁଅଂଶେ ।ଜନ୍ମ ହୋଇଲେ ଧର୍ମବଂଶେ ॥
ଭୂମିର ଭାରା ନିବାରଣେ ।ଜଗତ ପରମ କାରଣେ ॥
ସମ୍ଭବେ ଯଦୁ କୁରୁବଂଶେ ।କୃଷ୍ଣ ଅର୍ଜ୍ଜୁନ ବିଷ୍ଣୁ ଅଂଶେ ॥
ଅଗ୍ନିରେ ସ୍ୱାହା ସ୍ୱଧା ନାରୀ ।ତିନି ଅପତ୍ୟ ଜନ୍ମ କରି ॥
ପାବକ ପବମାନ ଶୁଚି ।ହୁତ ଭୋଜନ ଜଳରୁଚି ॥
ଏ ତିନିବୀର୍ଯ୍ୟେ ଅଗ୍ନିଗଣେ ।ଜନ୍ମିଲେ ସଂସାର ଧାରଣେ ॥
ଊନପଞ୍ଚାଶ ରୂପ ହୋଇ ।ତେଜେ ଗଞ୍ଜନ୍ତି ସ୍ୱର୍ଗମହୀ ॥
ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ ।ମିଳନ୍ତି ବୈତାଳିକ ରଙ୍ଗେ ॥
ଯେ ବ୍ରହ୍ମବାଦୀ ବିପ୍ରଗଣେ ।ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ ॥
ଅଗ୍ନିକୁ କରନ୍ତି ବରଣ ।ତାହାଙ୍କ ନାମ ଏବେ ଶୁଣ ॥
ଅଗ୍ନି ସୁଧା ଯେ ବର୍ହିଷଦ ।ସୋମପା ଆଜ୍ୟପ ସୁବେଦ ॥
ଅଗ୍ନିର ପତ୍ନୀ ସ୍ୱାହା ନାମ ।ସ୍ୱରୁପ ଗୁଣେ ଅନୁପମ ॥
ତାର ଉଦରେ କନ୍ୟା ବେନି ।ଜନ୍ମିଲେ ପିତୃରୁପ ଘେନି ॥
ଅଷ୍ଟବସୁଙ୍କ ନାମ ଭଣି ।ଯା ନାମ ବିଷ୍ଣୁ ତା ଧରଣୀ ॥
ଏ ବେନି କନ୍ୟା ଯୋଗଜ୍ଞାନୀ ।ବଞ୍ଚନ୍ତି ଭୁବନ ପାବନୀ ॥
ଏମନ୍ତ ଦକ୍ଷ ପ୍ରଜାପତି ।ତାର କୁମାରୀ ନାମ ସତୀ ॥
ଈଶ୍ୱର ପତ୍ନୀ ସେ ସ୍ୱଭାବେ ।ତାର ଚରିତ ଶୁଣ ଏବେ ॥
ଆତ୍ମା ସଦୃଶ ପୁତ୍ର ଗର୍ଭେ ।ସେ ସତୀ କେବେ ହେଁ ନ ଲଭେ ॥
ପିତାର ଯଜ୍ଞଶାଳେ ଯାଇ ।ସ୍ୱାମୀର ଛଳେ କ୍ରୋଧବହି ॥
ଦେବଙ୍କ ମଧ୍ୟେ ଯଜ୍ଞଶାଳେ ।ଜୀବନ ଛାଡିଲା ଅନଳେ ॥
ଚତୁର୍ଥ ସ୍କନ୍ଧେ ଭାଗବତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ମୈତ୍ରେୟ ବିଦୁରସମ୍ବାଦେ ନାମ ପ୍ରଥମୋଽଧ୍ୟାୟଃ ।
ସମ୍ବନ୍ଧିତ ରଚନା
ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ