ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)
ପ୍ରାୟ ୧୪୯୧–୧୫୫୦
- ପଢ଼ିବା ସମୟ
- ୧୬୫ ମିନିଟ୍
- ଶବ୍ଦ
- ୨୬୩୬୦
- ସ୍ଥିତି
- ସାର୍ବଜନୀନ (Public domain)
ଅଷ୍ଟମ ସ୍କନ୍ଧନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀ ବ୍ୟାସଂ ତତୋଜୟ ମୁଦିରୟେତ ॥
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ।ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ॥
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତଂ ।ପିବତଭାଗବତ ରସମାଳୟ ମୁହୂରହୋ ରସିକା ଭୂବି ଭାବୁକାଃ ॥
ପ୍ରଥମ ଅଧ୍ୟାୟ
ରାଜୋବାଚହରଷେ ଅଭିମନ୍ୟୁ ସୁତ ।ରୋମ ପୁଲକେ କୃତ କୃତ୍ୟ ॥
ଶୁକ ଚରଣେ କର ଦେଇ ।ବୋଲନ୍ତି ନିସ୍ତରିଲି ମୁହିଁ ॥
ବିଷ୍ଣୁ ଚରିତ ତୁମ୍ଭ ମୁଖେ ।ଶୁଣିଲି ଅଦୃଷ୍ଟ ସୁପାକେ ॥
ଭୋ ମୁନି ଦୟାକର ମୋତେ ।ମରଣୁ ତରିବି ଯେମନ୍ତେ ॥
ମୋଠାରେ ସ୍ନେହ ରହେ ଯେବେ ।ପ୍ରସନ୍ନ ଚିତ୍ତେ କହ ଏବେ ॥
ପୂର୍ବେ ଏ ସ୍ୱାୟମ୍ଭୁବ ମନୁ ।ପ୍ରତ୍ୟକ୍ଷ ପଦ୍ମଯୋନି ତନୁ ॥
ତାହାଙ୍କ ବଂଶେ ଯେ ଚରିତ ।ଯେ ପୂର୍ବେ ଭୂତ ଭବିଷ୍ରତ ॥
ବିସ୍ତାରେ ତୁମ୍ଭ ମୁଖୁ ଶୁଣି ।ତରିଲି ଭବତରଙ୍ଗିଣୀ ॥
ସେ ବଂଶୀ ସ୍ୱାୟମ୍ଭୁବ ରାଜା ।ମନୁ ପୁରୁଷ ରୂପେ ପୂଜା ॥
ପୂଜିତ ଏ ମାୟା ଜଗତେ ।ଯେବା ଚରିତ କଲେ ଯେତେ ॥
ଏ ମନୁବଂଶେ ଯେତେ କୃତ୍ୟ ।ଅଦ୍ଭୁତ ବିଷ୍ଣୁର ଚରିତ ॥
ଅଦ୍ୟାପି ବସି କବିଜନେ ।ଅଶେଷ ଶାସ୍ତ୍ର ଅନୁମାନେ ॥
ଗ୍ରନ୍ଥିଲେ କୃଷ୍ଣ ଗୁଣଗାଥା ।ଅଶେଷ କର୍ମ ହରି କଥା ॥
ଯେ କତା କର୍ଣ୍ଣରନ୍ଧ୍ରେ ପଶି ।ଅଶେଷ କଳୁଷ ବିନାଶି ॥
ଯେ ମନୁ ଅନ୍ତରେ ସେ କଥା ।ବିଷ୍ଣୁ ଚରିତ ସାଧୁଗାଥା ॥
ଯେ ବର୍ତ୍ତମାନ ଯେବା ଭୂତେ ।ଯେ ଅବା କଲେ ଭବିଷ୍ୟତେ ॥
ସକଳ କହି ମୁନିବର ।ଏ ଭବସାଗରୁ ଉଦ୍ଧର ॥
ବାଦରାୟଣିରୁବାଚଏମନ୍ତେ ପରୀକ୍ଷିତ ଆଗେ ।ଶୁକ କହନ୍ତି ଅନୁରାଗେ ॥
ପ୍ରଥମ କଳ୍ପେ ମୁଁ ସମ୍ପାଦି ।କହିଲି ସ୍ୱାୟମ୍ଭୁବ ଆଦି ॥
ଏ ଷଡ଼ ମନୁବଂଶେ ଯେତେ ।ଦେବାଦି ମନୁଷ୍ୟ ପର୍ଯ୍ୟନ୍ତେ ॥
ଆଦ୍ୟନ୍ତ ମଧ୍ୟ କଲେ ଯେତେ ।ପୂର୍ବେ ମୁଁ କହିଅଛି ତୋତେ ॥
ଆକୁତି ଦେବହୂତି ବେନି ।ମନୁ ଦୁହିତା ବେନି ଭଗ୍ନୀ ॥
ଧର୍ମ ଜ୍ଞାନର ଉପଦେଶେ ।ପରମବ୍ରହ୍ମ ନିଜ ଅଂଶେ ॥
ଯଜ୍ଞ ବରାହ କଳ୍ପେ ପୂର୍ବେ ।ଜନ୍ମିଲେ ଦେବହୂତି ଗର୍ଭେ ॥
କପିଳ ରୂପେ କଲେ ଯେତେ ।ପୂର୍ବେ ମୁଁ କହିଅଛି ତୋତେ ॥
ଆକୁତି ଦେବହୂତି ବେନି ।ଯେ ଅବା କଲେ ପୂର୍ବଘେନି ॥
ସେ କଥା ଶୁଣ ନୃପବର ।ହରି ଚରିତ ସୁଧାସାର ॥
ଯେ ସ୍ୱାୟମ୍ଭୁବ ମନୁ ରାଜା ।ବିଷ୍ଣୁ ପ୍ରସନ୍ନେ ମହାତେଜା ॥
ସେ ପତ୍ନୀ ଶତରୂପା ସଙ୍ଗେ ।ବିରକ୍ତ ଚିତ୍ତ କାମ ଭୋଗେ ॥
ବନେ ପଶିଲେ ତପ ଅର୍ଥେ ।ସେ ପତିବ୍ରତାର ସମେତେ ॥
ସୁନନ୍ଦା ତୀର୍ଥେ ଏକପାଦେ ।ଭୂମି ସ୍ପରଶେ ଦୃଢ଼ବନ୍ଧେ ॥
ଗଗନ ଗତେ ମୁଖ କରି ।ଚଞ୍ଚଳ ଚିତ୍ତକୁ ନିବାରି ॥
ସୁଘୋର ତପେ ରହି ମନେ ।ସେ ରାଜା ବିଚାରିଲା ମନେ ॥
ଯେ ହରି ଏ ବିଶ୍ୱ ସଂସାରେ ।ଚେତନା ରୂପେ ହୃଦପରେ ॥
ଚେତନା ଅଚେତନ ରୂପୀ ।ଜାଗ୍ରତ ସ୍ୱପ୍ନ ମଧ୍ୟେ ବ୍ୟାପି ॥
ବ୍ରହ୍ମା ନ ଜାଣେ ଯାର ଅନ୍ତ ।ତେଣୁ ସେ ବୋଲାଏ ଅନନ୍ତ ॥
ଏ ବିଶ୍ୱ ଆତ୍ମା ଯାର ହୁଏ ।ସତ୍ୟ ବିରାଜେ ନିଜ ଦେହେ ॥
ସୃଜଇ ପାଳଇ ସଂହାରେ ।ବାଳକ ଲୀଳାରେ ବିହରେ ॥
ଦେଖନ୍ତା ପ୍ରାଣୀକି ନ ଦିଶେ ।ଦୃଶ୍ୟ ଅଦୃଶ୍ୟ ରୂପେ ମିଶେ ॥
ସକଳ ରୂପେ ଯାର ବାସ ।ବିଭବେ ଯେହ୍ନେ ଘଟାକାଶ ॥
ସେ ସର୍ବ ପ୍ରାଣୀଙ୍କ ମଧ୍ୟର ।ଜୀମୁତ ମଧ୍ୟେ ଯେହ୍ନେ ନୀର ॥
ସୁପର୍ଣ୍ଣ ପୃଷ୍ଠେ ତାର ଗତି ।ଜ୍ୟୋତିଙ୍କ ମଧ୍ୟେ ଦିବ୍ୟ ଜ୍ୟୋତି ॥
ଆଦ୍ୟନ୍ତ ମଧ୍ୟ ଯାର ନାହିଁ ।ସ୍ୱକୀୟ ଭେକ ତାର ନାହିଁ ॥
ନିମିଷେ ଅନ୍ତର ବାହାରେ ।ଏ ମାୟା ମୋହର ସଂସାରେ ॥
ଏ ବିଶ୍ୱଜ୍ୟୋତି ସେ ବୋଲାଇ ।ବିରକ୍ତ ଆତଯାତ ନାହିଁ ॥
ସେ ବିଶ୍ୱମୟ ପୁରୋହିତ ।ବିଶ୍ୱ ସୃଜନେ ଉପଗତ ॥
ବିମୋହ ମୋହ ପାଶେ ଛନ୍ଦି ।ଯାର ଜ୍ଞାନେର ବିଶ୍ୱବନ୍ଦୀ ॥
ସ୍ୱୟଂ ପରମ ଜ୍ୟୋତି ଆଜ ।ପରମ ପୁରୁଷ ବିରାଜ ॥
ଜୀବର ଜନ୍ମ ଆଦି ଯେତେ ।ଧରଇ ଆତ୍ମଗତି ଅର୍ଥେ ॥
ଜୀବନ ଚେଷ୍ଟା ବିବର୍ଜିତ ।ସ୍ୱଭାବେ ଇଚ୍ଛଇ ଜଗତ ॥
ଏ ଭାବ ଜାଣି ଋଷି ଜନେ ।କର୍ମ ଇଚ୍ଛନ୍ତି ଦୃଢ଼ମନେ ॥
ଯେ ଭାବ କର୍ମଫଳ ବଳେ ।ଯେଣୁ ସେ ଭଜନ୍ତି ନିଶ୍ଚଳେ ॥
ଈଶ୍ୱର ଭାବେ କର୍ମ କଲେ ।ନିର୍ଗୁଣ ଲଭନ୍ତି ସେ ଭଲେ ॥
ଇଚ୍ଛା କରନ୍ତି ପ୍ରାଣୀଙ୍କର ।ଯେ ଭାବେ ଭଜେ ଦୁରାଚାର ॥
ଆତ୍ମାର ଆତ୍ମା ପୂର୍ଣ୍ଣ ଅର୍ଥେ ।ଯେ ତାଙ୍କୁ ଭଜନ୍ତି ଜଗତେ ॥
କେବେ ହେଁ ଭ୍ରଷ୍ଟ ସେ ନୁହଁନ୍ତି ।ଅନ୍ତେ ଲଭନ୍ତି ବ୍ରହ୍ମଗତି ॥
ସକଳ ଆତ୍ମାର ଈଶ୍ୱର ।ସ୍ୱଭାବେ ନାହିଁ ଅହଙ୍କାର ॥
ପୂର୍ଣ୍ଣ ଅନାଦି ନିରଞ୍ଜନ ।କାହାର ନୁହେଁ ସେ ଅଧୀନ ॥
ସ୍ୱଭାବେ ନିଜ ମାର୍ଗେ ରହେ ।କେ ଚିନ୍ତିଥାଇ ଅନ୍ୟ ଦେହେ ॥
ଏଣୁ ସେ ସଂସାରରେ ସାର ।ତା ପାଦେ ମୋର ନମସ୍କାର ॥
ଶ୍ରୀ ଶୁକ ଉବାଚଏମନ୍ତେ ବ୍ରହ୍ମ ଭାଗବତେ ।ସେ ସ୍ୱାୟମ୍ଭବୁ ଦୃଢ଼ଚିତ୍ତେ ॥
ଚିନ୍ତା କରନ୍ତି ତପବଳେ ।ସୁଦୃଢ଼ ସମାଧି ନିଶ୍ଚଳେ ॥
ଅସୁର ଯାତୁଧାନଗଣେ ।ବେଗେ ମିଳିଲେ ଯୋଗାରଣ୍ୟେ ॥
ଭକ୍ଷିବା ପ୍ରାୟେ କ୍ଷୁଧା ଆଶେ ।ବେଗେ ମିଳିଲେ ତାର ପାଶେ ॥
ତାକୁ ଦେଖିଣ ନରହରି ।ଯଜ୍ଞ ପୁରୁଷ ରୂପ ଧରି ॥
ନିବାରି ଯାତୁଧାନଗଣ ।ସ୍ୱର୍ଗେ ମିଳିଲେ ନାରାୟଣ ॥
ସେ ମନୁ ଅନ୍ତେ ସୁରୋଚିତ ।ଦ୍ୱିତୀୟ ମନୁ ସେ ବିଦିତ ॥
ଅଗ୍ନିର ପୁତ୍ର ସେ ସ୍ୱଭାବେ ।ରାଜତ୍ୱ କଲା ବିଶ୍ୱଭାବେ ॥
ଦ୍ୟୁମତ ସୁବେଶ ରୋଚିଷ ।ଏ ଆଦି ତାର ପୁତ୍ର ଦଶ ॥
ସେ ମନୁ କାଳେ ନରନାଥ ।ରୋଚନ ନାମେ ବଳବନ୍ତ ॥
ଯାହାର କାଳେ ଦେବଗଣେ ।ତୁଷିତ ନାମ ଉଚ୍ଚାରଣେ ॥
ଋଷି ଯେ ଉର୍ଜ୍ଜସ୍ତମ୍ଭ ଆଦି ।ଯେ ସପ୍ତଋଷି ବ୍ରହ୍ମାବାଦୀ ॥
ଯେ ଦେବଶିରା ନାମେ ମୁନି ।ତୁଷିତା ନାମ ତା ଭାବିନୀ ॥
ସେ ପତ୍ନୀ ଗର୍ଭେ ବିଭୁ ରୂପେ ।ବିଷ୍ଣୁ ଜନ୍ମିଲେ ଆଦି କଳ୍ପେ ॥
ପୂର୍ବେ ସେ ବାଳଖିଲ୍ୟା ରୂପେ ।ଅଷ୍ଟାଶୀ ସହସ୍ରାବ୍ଦ କଳ୍ପେ ॥
ଯଜ୍ଞ ଆରମ୍ଭେ ଊର୍ଦ୍ଧ୍ୱରେତା ।ବିଷ୍ଣୁ ଭଜନେ ବଳବନ୍ତା ॥
ବିଷ୍ଣୁର ଦୀକ୍ଷା ଶିରେ ଧରି ।ସେ ମୁନିଗଣେ ବ୍ରହ୍ମଚାରୀ ॥
କୁମାର ବ୍ରତ ଆଚରିଲେ ।ତେଣୁ ବାଳକ ସେ ହୋଇଲେ ॥
ତୃତୀୟ ମନୁ ଯେ ଉତ୍ତମ ।ସେ ପ୍ରିୟବ୍ରତର ନନ୍ଦନ ॥
ତାର ସଞ୍ଜୟ ଜୟହୋତା ।ଏ ଆଦି ସର୍ବେ ବଳବନ୍ତା ॥
ସେ କଳ୍ପେ ସପ୍ତ ଋଷିଗଣ ।ବଶିଷ୍ଠ ଋଷିଙ୍କ ନନ୍ଦନେ ॥
ପ୍ରମାଦ ଆଦି ସପ୍ତ ସୁତ ।ସତ୍ୟକ ନାମେ ଦେବଶ୍ରୁତ ॥
ସତ୍ୟକ ନାମେ ଇନ୍ଦ୍ରରାଜା ।ହରି ଭକତ ମହାତେଜା ॥
ସୁନୁଜା ଧର୍ମପତ୍ନୀ ଗର୍ଭେ ।ପୁରୁଷୋତ୍ତମ ରୂପେ ପୂର୍ବେ ॥
ଜନ୍ମିଲେ ସତ୍ୟ ଗୁଣ ତୁଲେ ।ଶୁଣ ତୁ ଯେବା କର୍ମ କଲେ ॥
ଯକ୍ଷ ରାକ୍ଷସ ଭୂତଗଣ ।ପ୍ରାଣୀଙ୍କୁ କରନ୍ତି ଭକ୍ଷଣ ॥
ତାହାଙ୍କୁ ମାରି ସତ୍ୟ ସଙ୍ଗେ ।ଧର୍ମ ରଖିଲେ ସତ୍ୟଯୁଗେ ॥
ଚତୁର୍ଥ ପ୍ରିୟବ୍ରତ ସୁତ ।ତାମସ ଉତ୍ତମର ଭ୍ରାତ ॥
ଯେ କ୍ରତୁ ପୃଥୁ ଖ୍ୟାତି ନର ।ଏ ଆଦି ଦଶ ତା କୁମର ॥
ତାର ଅନ୍ତରେ ସ୍ୱର୍ଗପୁରେ ।ତ୍ରିଶିଖ ନାମେ ସୁର ଘରେ ॥
ସତ୍ୟକ ହରିବୀର ଆଦି ।ଦେବତା ନାମେ ଏ ପ୍ରସିଦ୍ଧି ॥
ଜ୍ୟୋତିଧର୍ମେ ମୁନିଏ ଆଦି ।ତାମସ ଅନ୍ତରେ ପ୍ରସିଦ୍ଧି ॥
ବିଧୃତି ନାମେ ଦେବଗଣ ।ଶୁଣ ହେ ତାହାଙ୍କ ପ୍ରମାଣ ॥
କାଳେ ସକଳ ନାଶ ଗଲେ ।ଶେଷ ଅନ୍ତରେ ଯେତେ ଥିଲେ ॥
ସେ ମନୁ ଅନ୍ତରେ ଅଦ୍ଭୁତ ।ହରିଣୀ ଉଦରେ ସମ୍ଭୁତ ॥
ତେଣୁ ବହିଲେ ହରି ନାମ ।ରୂପେ ମୋହନ କୋଟି କାମ ॥
ଯେ ହରି ନାମ ଏ ସଂସାରେ ।ଅଶେଷ ଦୂରିତ ସଂହାରେ ॥
ଯେ ରୂପେ ଗଜେନ୍ଦ୍ର ମୋକ୍ଷଣ ।କୁମ୍ଭୀର ଦର୍ପ ନିବାରଣ ॥
ଜଳେ କୁମ୍ଭୀର ମୁଣ୍ଡ ହାଣି ।ସତ୍ୟ ରଖିଲେ ଚକ୍ରପାଣି ॥
ଯା ନାମ ପରମ ମଙ୍ଗଳ ।ଦୂରିତ ବନେ ଦାବାନଳ ॥
ଏକଥା ଶୁକ ମୁଖୁଁ ଶୁଣି ।ପାଣ୍ଡବ ବଂଶ ଚୂଡ଼ାମଣି ॥
ଆନନ୍ଦେ ହୋଇ କୃତ କୃତ୍ୟ ।ବୋଇଲେ ନୃପ ପରୀକ୍ଷିତ ॥
ଭୋ ମୁନି ଦୁର୍ଲ୍ଲଭ ବଚନ ।ଶୁଣି ଆନନ୍ଦ ମୋର ମନ ॥
କେମନ୍ତେ ପ୍ରଭୁ ନରହରି ।ଗଜ ରଖିଲେ ଗ୍ରାହ ମାରି ॥
କୁମ୍ଭୀର କେଉଁ ଜଳେ ଥିଲା ।ଗଜକୁ କେମନ୍ତ ଧରିଲା ॥
ସେ ଜଳ ଜୀବ ଜଳେ ଥାଇ ।ହସ୍ତୀ ସଂଯୋଗ ତାର କାହିଁ ॥
ହସ୍ତୀ ସବଳ ମହାକାୟେ ।କୁମ୍ଭୀର କେତେ ବଳ ବହେ ॥
ଏ କଥା ସଂଶୟ ତ ମୋତେ ।ଭୋ ମୁନି କହ ଶୁଦ୍ଧ ଚିତ୍ତେ ॥
ଏ ପୁଣ୍ୟ କଥା ମୋର ଧନ୍ୟ ।ମଙ୍ଗଳ ଯୁତ ସୁଖାୟନ ॥
ଯେ ଏ ପ୍ରସ୍ତାବ ହରିବାଣୀ ।ଶ୍ରବଣ ମାର୍ଗେ ଶୁଣେ ପ୍ରାଣୀ ॥
ସେ ପ୍ରାଣୀ ଭବ ଭୟୁ ତରେ ।ନ ପଡ଼େ ମାୟା ତମ ଘୋରେ ॥
ସୁତ ଉବାଚଏମନ୍ତେ ପରୀକ୍ଷିତ ବାଣୀ ।ଆନନ୍ଦେ ଶୁକ ମୁନି ଶୁଣି ॥
ଗଙ୍ଗାର ତୀରେ ଅନ୍ତର୍ଜଳେ ।ଅସଂଖ୍ୟ ମୁନିଗଣ ମେଳେ ॥
ଗୋବିନ୍ଦ ପାଦେ ଦେଇ ଚିତ୍ତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଶ୍ରୀ ଶୁକ ଉବାଚକହନ୍ତି ବ୍ୟାସଙ୍କର ସୁତ ।ଶୁଣ ସୁଜନ ପରୀକ୍ଷିତ ॥
ପର୍ବତ ଚିତ୍ରକୂଟ ନାମ ।ସର୍ବ ସମ୍ପଦ ମୂଳ ଧାମ ॥
ଅୟୁତ ଯୋଜନ ବିସ୍ତୃତ ।କ୍ଷୀର ସମୁଦ୍ରେ ସେ ଆବୃତ ॥
ଉଚ୍ଚ ସେ ଅୟୁତ ଯୋଜନ ।ଦେଖନ୍ତେ ହରେ ପ୍ରାଣୀ ମନ ॥
ବିରାଜେ ଅଷ୍ଟଦିଗ ମଧ୍ୟେ ।ଆନନ୍ଦ କରେ ଦେବବୃନ୍ଦେ ॥
ତୃତୀୟ ଶୃଙ୍ଗ ବହେ ଶିରେ ।ଲୌହ ସୁବର୍ଣ୍ଣ ରୌପ୍ୟ ଧରେ ॥
ରତ୍ନ ଧାରଣ କରି ଅଙ୍ଗେ ।ବିରାଜି ଶୋଭେ ଦଶଦିଗେ ॥
ନାନା ପ୍ରକାରେ ଲତା ଗୁଳ୍ମ ।ନିର୍ଝର ତଟେ ରହେ ଦ୍ରୁମ ॥
ନିର୍ଝର ଶବଦ ଗଭୀର ।ଅତି ସୁଷମ ମନୋହର ॥
ନିଶ୍ଚଳ ଜଳ ରମ୍ୟ ଶୋହେ ।ଗିରି ଚରଣ କିବା ଧୁଏ ॥
ମର୍କତ ପାଷାଣ ସମୂହେ ।ଶ୍ୟାମଳ ବର୍ଣ୍ଣ ଭୂମି ଶୋହେ ॥
ସିଦ୍ଧ ଚାରଣ ବିଦ୍ୟାଧର ।ଗନ୍ଧର୍ବ ସଙ୍ଗରେ କିନ୍ନର ॥
ଅପ୍ସରା ମିଳି ନୃତ୍ୟ ଗୀତ ।ପ୍ରମଦା ଗଣେ ଯୂଥ ଯୂଥ ॥
ଅରଣ୍ୟେ ନାନା ପଶୁଗଣେ ।ଗିରି କନ୍ଦର ଘୋର ବନେ ॥
ନାଦ କରନ୍ତି ମନୋହର ।ମୟୂର କୋକିଳ ଭ୍ରମର ॥
ସରିତ ସରୋବର ନଦ ।ମଣି ବାଲୁକା କୁଦ କୁଦ ॥
ଦେବ କାମିନୀ ଗଣ ଯହିୋ ।ସ୍ନାନ କରନ୍ତି ମୋଦବହି ॥
ତାହାଙ୍କ ଅଙ୍ଗରେ ଲେପିତ ।ଗନ୍ଧ ଚନ୍ଦନ ପାରିଜାତ ॥
ସେ ଗନ୍ଧ ପବନ ସଙ୍ଗରେ ।ସୁଗନ୍ଧ ଦଶଦିଗେ ସ୍ଫୁରେ ॥
ସେ ଗିରି ଦ୍ରୋଣ ମଧ୍ୟେ ବନ ।ବରୁଣ କ୍ରୀଡ଼ାର ଉଦ୍ୟାନ ॥
ଉତ୍ତମ ଶୋଭା ସେ ବନର ।ସୁର କାମିନୀ କ୍ରୀଡ଼ାଘର ॥
ପର୍ବତ ଅଳଂକୃତ ବନ ।ଫୁଲ ପଲ୍ଲବ ଫଳମାନ ॥
ମନ୍ଦାର ପାଟଳୀ ଚମ୍ପକ ।ପାରିଜାତକ କୁରୁବକ ॥
ଚୂତ ପିଆଜ ପନସକ ।ଆମ୍ବ ଅଶୋକ ଆମ୍ରାତକ ॥
କଦମ୍ବ ନାରୀକେଳ ବନ ।ଖର୍ଜ୍ଜୁର ବୀଜପୁର ଘନ ॥
ମଧୁର ଶାଳ ତାଳ ଶୋହେ ।ତମାଳ ଆସନ ସମୂହେ ॥
ଅରୂପ ଔଦୁମ୍ବର ପ୍ଳକ୍ଷ ।ନ୍ୟଗ୍ରୋଧ ଚନ୍ଦନ ରୁଦ୍ରାକ୍ଷ ॥
ନିମ୍ବ କୋବିଦାର ସରଳ ।ଅର୍ଜ୍ଜୁନ ଦେବଦାରୁ କୁଳ ॥
ବିଳ୍ୱ ଜମ୍ବୀର କପିତ୍ଥକ ।ଆମଳକ ଯେ ହରିତକ ॥
ଯହିଁ ବରୁଣ ସରୋବର ।ସୁବର୍ଣ୍ଣ ପଦ୍ମ ମନୋହର ॥
କହ୍ଲାର କୁମୁଦ ଉତ୍ପଳ ।ସ୍ୱଭାବେ ସୁଗନ୍ଧ ଶୀତଳ ॥
ଉତ୍ପଳ ଶତ ଶତ ଶୋଭା ।କିବା ଉପମା ଆନେ ଦେବା ॥
ମତ୍ତ ଭ୍ରମର ପକ୍ଷଗଣ ।ନାଦ କରନ୍ତି ଅନୁକ୍ଷଣ ॥
ହଂସ କାରଣ୍ଡବ ସମୂହେ ।ସାରସ ଚକ୍ରବାକ ଶୋହେ ॥
ଜଳ କୁକୁଟ କୋ ଯଷ୍ଟିକ ।କୁଜିତ କୋମଳ ଡାହୁକ ॥
ମତ୍ସ୍ୟ କଚ୍ଛପ ନିଶାଚରେ ।ପ୍ରଫୁଲ୍ଲ ରଜତ ଧୂସରେ ॥
ପ୍ରକଟ ମୁଦ ଜଳବେତ ।ନୀପ କୀଚକ ଯୂଥ ଯୂଥ ॥
କୁନ୍ଦ ଅଶୋକ କୁରୁବକ ।କୁଟଜ ଇଙ୍ଗୁଦି ଜାଳକ ॥
ଶତପତ୍ର ଯେ ସ୍ୱର୍ଣ୍ଣଯଥୀ ।ନାଗ ପୁନ୍ନାଗ ଗନ୍ଧଜାତି ॥
ମଲ୍ଲିକା ଯୂଥ ଯୂଥ ଶୋଭେ ।ମାଧବୀ ଶିରୀଷ ସ୍ୱଭାବେ ॥
ଅନ୍ୟତ୍ର ଯେତେ ଫଳ ଫୁଲ ।ଷଡ଼ଋତୁରେ ସମତୁଲ ॥
ଏମନ୍ତ ବନେ ଏକ ଦିନେ ।ଗଜେନ୍ଦ୍ର ବିଚାରିଲା ମନେ ॥
ଏ ଗ୍ରୀଷ୍ମକାଳେ ଏ ବନସ୍ତେ ।ତୃଷିତ ହୋଇ ପଶୁଯୁଥେ ॥
ଜଳ ନ କରନ୍ତି ଆହାର ।କେମନ୍ତ ଧରିବେ ଶରୀର ॥
ଏମନ୍ତେ ମନେ ବିଚାରଇ ।ଶୀତଳ ଜଳ ଅଛି କାହିଁ ॥
ବ୍ୟାକୁଳେ ବନରୁ ବାହାର ।ତୃଷିତେ ଦିଶେ ଅନ୍ଧକାର ॥
ଗଜ ଆଶ୍ରିତେ ସେହି ବନେ ।ସୁଖେ ଚରନ୍ତି ପଶୁମାନେ ॥
ଏକ ଦିନରେ ପଶୁମାନେ ।ବିହାର କରୁଥିଲେ ବନେ ॥
କଣ୍ଟକାକୀର୍ଣ୍ଣ ବେଣୁବନେ ।ଭ୍ରମନ୍ତି ତୃଷିତ ବଦନେ ॥
ସ୍ୱଭାବେ ମତ୍ତ ବଳବନ୍ତା ।ବନ ବିହାରେ ସେହୁ ଚିନ୍ତା ॥
ଯାର ଚାଲନ୍ତେ ପାଦ ଲାଗି ।ପଡ଼ନ୍ତି ବୃକ୍ଷମାନ ଭାଙ୍ଗି ॥
ତାହାର ମନ୍ଦ ଗନ୍ଧ ବାସେ ।ପଶୁଏ ନ ଚରନ୍ତି ପାଶେ ॥
ବ୍ୟାଘ୍ର ଭଲ୍ଲୁକ ଖଗ ମୃଗ ।ଯେବା ସଞ୍ଚରେ ମହୋରବ ॥
ଶରୀର କୃଷ୍ଣବର୍ଣ୍ଣ ହରି ।ଶୁକର ଯୂଥ ସୁଚାମରୀ ॥
ବରାହ ମହିଷ ଶଲ୍ୟକ ।ଗୋପୁଚ୍ଛ ଆଦି ଯେ ଶଶକ ॥
କ୍ଷୁଦ୍ର ହରିଣ ଶଶା ଯେତେ ।ଚରନ୍ତି ଯେ ଯାହା ଆୟତେ ॥
ସେ ଗଜପତି ଗଜଯୂଥ ।ଅନେକ ଭ୍ରମିଲା ବନସ୍ତ ॥
ନିଦାଘ ତାପେ କରୀଗଣ ।ବ୍ୟାକୁଳେ ବିଚଳିତ ମନ ॥
ମଦ ଜଳରେ ହୋଇ ଛନ୍ନ ।ଲାଙ୍ଗୁଳ କଲେ ପ୍ରକମ୍ପନ ॥
ପଦ୍ମକୁ ତେଜି ଅଳିଗଣ ।ହସ୍ତୀଙ୍କ ମଦ କଲେ ପାନ ॥
ବରୁଣ ହ୍ରଦ ତୀରେ ଯାଇ ।ତୃଷିତ ଲୋଚନେ ଅନାଇଁ ॥
ଜଳ ଶୀତଳ ପୁଷ୍ପଗନ୍ଧେ ।ଆଘ୍ରାଣ କରି ନାସା ରନ୍ଧ୍ରେ ॥
କରିଣୀ ଯୂଥ ସଙ୍ଗେ ମିଶି ।ସମସ୍ତେ ଶୀତଜଳେ ପଶି ॥
ସେ ସରୋବର ଜଳ ମଧ୍ୟେ ।ସକଳେ ପଶିଲେ ଆନନ୍ଦେ ॥
ସକଳ ହରଷ ବଦନ ।ସନ୍ତୋଷେ କଲେ ଜଳ ପାନ ॥
ଜଳ ତୋଳନ୍ତି ଥୋର ହସ୍ତେ ।ସିଞ୍ଚନ୍ତି ଅନ୍ୟ ଅନ୍ୟ ଗାତ୍ରେ ॥
ନିଦାଘ କାଳେ ଶୀତଜଳେ ।କ୍ରୀଡ଼ା କରନ୍ତି ହସ୍ତୀବରେ ॥
ଶବଦ ଶୁଭେ ଉଛୁଳିତ ।ଯେମନ୍ତେ ଜୀମୁତ ଗର୍ଜିତ ॥
ଅଗାଧ ଜଳେ ଗ୍ରାହ ଥିଲା ।ଜଳେ ଶବଦ ସେ ଶୁଣିଲା ॥
ବେଗେ ଧାଇଁଲା କୋପମନେ ।ମିଳିଲା ଗଜ ସନ୍ନିଧାନେ ॥
କେହି ନ ଦେଖି ତାକୁ ଜଳେ ।କୁମ୍ଭୀର ଅତି କୋପାନଳେ ॥
ଧଇଲା ଗଜପତି ପାଦ ।ଶବଦ କରି ଘୋର ନାଦ ॥
ଦଇବ ବଶେ ଯୋଗବଳେ ।ହସ୍ତୀ ବିପତ୍ତି ଘୋର ଜଳେ ॥
ଗ୍ରାହ ଧଇଲା ଅକସ୍ମାତେ ।ଗଜ ଚରଣ ଦୃଢ଼ମତେ ॥
ସେ ଗଜପତି ବଳବନ୍ତ ।ବଜ୍ରହୁଁ ତୀକ୍ଷ୍ଣ ତାର ଦାନ୍ତ ॥
କି କରିପାରେ ତାର ମତ ।ବିଷ୍ଣୁର ମାୟାର ଆୟତ ॥
ଗଜ ସ୍ୱଭାବେ ମହାବଳୀ ।ଚରଣ ନ ପାରିଲା ଚାଳି ॥
କରିଣୀ ଯୂଥ ତାହା ଦେଖି ।ଦୁଃଖେ ହୋଇଲେ ଅଶ୍ରୁମୁଖୀ ॥
ସ୍ୱଭାବେ ଅତି ଶୀତପାଣି ।ଗଜ ନ ପାରେ ପାଦ ଆଣି ॥
ସେ ହସ୍ତୀବୃନ୍ଦ ତାକୁ ଧରି ।ଟାଣନ୍ତି ଘୋର ନାଦ କରି ॥
ମୁଖରୁ ରୁଧିର ଗଳଇ ।କେବେହେଁ ଗଜ ନ ଚଳଇ ॥
ବଳେ ଆଣନ୍ତି କିଛି ଦୂର ।କୁମ୍ଭୀର ଅତି ବଳିୟାର ॥
ପୁଣି ଗଭୀର ଜଳେ ଭରେ ।ସୁଦୃଢ଼େ ଦନ୍ତ ପାଦ ଧରେ ॥
ଏମନ୍ତେ ଗଜ ଗ୍ରାହ ଯୁଦ୍ଧ ।ଗଗନେ ଦେଖନ୍ତି ବିବୁଧ ॥
ଗଜେ ଟାଣନ୍ତି ଅତି ଖରେ ।ପୁଣି ଗଭୀର ଜଳେ ଭରେ ॥
ଏମନ୍ତ ସହସ୍ର ବରଷ ।ଯୁଦ୍ଧ ନୋହିଲା ଅବଶେଷ ॥
ଏମନ୍ତେ ଦୀର୍ଘକାଳ ଜଳେ ।ଗଜ କୁମ୍ଭୀର ମହାବଳେ ॥
କ୍ଷୀଣ ଆୟୁଷ ଗଜପତି ।ସଙ୍ଗତେ ଥିଲେ ଯେତେ ହସ୍ତୀ ॥
ଦଣ୍ଡେ ଚଳନ୍ତି ଘୋର ବନେ ।ଜଳେ ବଞ୍ଚନ୍ତି ରାତ୍ର ଦିନେ ॥
ଗଜ କୁମ୍ଭୀର ଯୁଦ୍ଧଘାତେ ।ସେ ଜଳେ ଜଳଜନ୍ତୁ ଯେତେ ॥
ଦୁଃଖିତ ହୋଇ ଝଟକନ୍ତି ।ଜଳୁ ପଳାଇ ନ ପାରନ୍ତି ॥
ଏହି ପ୍ରକାରେ ଗଜ ଦୁଃଖୀ ।ଗଜେ କାନ୍ଦନ୍ତି ତାହା ଦେଖି ॥
ଏ ଅନ୍ତେ ପୂର୍ବ ପୁଣ୍ୟବଳେ ।ବୁଦ୍ଧି ସ୍ଫୁରିଲା ତାକୁ ଜଳେ ॥
କାତରେ କରଇ ବିଚାର ।ଯେ ହରି ସଂସାରର ସାର ॥
ସଙ୍କଟୁ କରେ ପରିତ୍ରାଣ ।ଯେ ତାଙ୍କୁ ପଶଇ ଶରଣ ॥
କାଳ ଭୁଜଙ୍ଗ ଗ୍ରାସ କାଳେ ।ଯେ ତାଙ୍କ ସ୍ମରେ ଧ୍ୟାନବଳେ ॥
ବୋଇଲେ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଗଜେନ୍ଦ୍ର ଯୁଦ୍ଧ କର୍ମ ବାଣୀ ।ଆନନ୍ଦେ ଶୁଣନ୍ତି ଯେ ପ୍ରାଣୀ ॥
ଜନ୍ମ ମରଣେ ନାହିଁ ଭ୍ରାନ୍ତି ।ହେଳେ ସେ ସଙ୍କଟୁ ତରନ୍ତି ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ମନ୍ୱନ୍ତର ବର୍ଣ୍ଣନେ ଗଜେନ୍ଦ୍ରୋପାଖ୍ୟାନେନାମ ଦ୍ୱିତୀୟୋଽଧ୍ୟାୟଃ ।
ସମ୍ବନ୍ଧିତ ରଚନା
ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ