ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିପ୍ରଥମ ସ୍କନ୍ଧଓଁ ନମୋ ଭଗବତେ ବାସୁଦେବାୟନାରାୟଣଂ ନମସ୍କୃତ୍ୟ ନରଂଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ॥
ମୂକଂ କରୋତି ବାଚାଳଂ ପଙ୍ଗୁ ଲଘଂୟତେ ଗିରିଂ ।ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ॥
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବସଂଯୁତଂ ।ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବିଭାବୁକାଃ ॥
ପ୍ରଥମ ଅଧ୍ୟାୟ
ନମଇଁ ନୃସିଂହ ଚରଣ ।ଅନାଦି ପରମ କାରଣ ॥
ଯାହାର ଆଦି ମଧ୍ୟ ଅନ୍ତେ ।ବିଚାରେ ନ ଘଟେ ଜଗତେ ॥
ଇନ୍ଦ୍ରିୟ ଅର୍ଥ ଯେ ଜାଣନ୍ତି ।ସତ୍ୟ ଯେ ନିତ୍ୟ ପ୍ରକାଶନ୍ତି ॥
ଆନନ୍ଦ ମନେ ବେଦସାର ।ବ୍ରହ୍ମାଣ୍ଡ କଲା ସେ ବିସ୍ତାର ॥
ଯାର ସ୍ୱରୂପ ହୃଦେ ଚିନ୍ତି ।ବେଦ ପୁରୁଷ ନ ଜାଣନ୍ତି ॥
ମୃତ୍ତିକା ବିକାର ଯେମନ୍ତ ।ଜଳ ଅନଳେ ସୁଯନ୍ତ୍ରିତ ॥
ରୂପ ଅରୂପ ସ୍ଥିତି ତିନି ।ଯାହା ଯୋଗରେ ଅନୁମାନି ॥
ସ୍ୱଭାବେ ନୋହେ ଯେ ଏମନ୍ତ ।ଏ ସାଂଖ୍ୟ ଯୋଗୀଙ୍କର ମତ ॥
ଆତ୍ମା ପ୍ରକାଶେ ଜନ୍ମ ହୋଇ ।ନିରତେ କୁହୁକ ବୋଲାଇ ॥
ସତ୍ୟ ପରମାନନ୍ଦ ହରି ।ଯାହା ଭାବିଲେ ଭବୁଁ ତରି ॥
ତାର ଚରଣେ ନିତ୍ୟେ ଧ୍ୟାନ ।କରି ତରନ୍ତି ସୁଜ୍ଞଜନ ॥
ସେ ହରି ପାଦ ହୃଦେ ଧରି ।ପ୍ରବନ୍ଧେ ଗୀତ ନାଦ କରି ॥
ଅଶେଷ ଜଗତର ହିତେ ।ବନ୍ଦଇ ଦାସ ଜଗନ୍ନାଥେ ॥
ନିର୍ମଳ ମୁନିଙ୍କର ମତେ ।ହରି ଚରିତ ଭାଗବତେ ॥
କହିବି ଅଛି ଯେତେ ଗୁଣ ।ସୁଜନେ ସାବଧାନେ ଶୁଣ ॥
କପଟ ଧର୍ମ ଯାର ନାହିଁ ।ସ୍ୱଭାବେ ଶାସ୍ତ୍ର ସେ ବୋଲାଇ ॥
ସେ ସାଧୁଜନଙ୍କର ଧର୍ମ ।
ସମ୍ବନ୍ଧିତ ରଚନା
ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
୧୨
ମାୟା ବର୍ଦ୍ଧିତ ଶୁଦ୍ଧକର୍ମ ॥
ସେ ଧର୍ମ ଯେହୁ ଅନୁମାନି ।ଏଣୁ ସଂସାରେ ଯେତେ ଜ୍ଞାନୀ ॥
ତାଙ୍କ ବିଚାରେ ବସ୍ତୁ ଯେତେ ।କହିବା ଶୁଣ ଏକ ଚିତ୍ତେ ॥
ଲକ୍ଷ୍ୟ ଅଲକ୍ଷ ଯେତେ ଜାଣି ।ବୋଧ ବିଚାରେ ପରିମାଣି ॥
ସେ ବସ୍ତୁ ଅଛି ଯହିଁ ପୂରି ।ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥
ଶ୍ରବଣ ମାତ୍ରେ ମୋକ୍ଷ ପାଇ ।ତ୍ରିତାପମାନ କ୍ଷୟ ଯାଇ ॥
ହୃଦରେ ବସଇ ତକ୍ଷଣ ।ଅନାଦି ପ୍ରଭୁ ନାରାୟଣ ॥
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ ।କି ପ୍ରୟୋଜନ ଏ ଜଗତେ ॥
ଏ ଭାଗବତର ମହିମା ।କେ କହିପାରେ ଗୁଣ ସୀମା ॥
ସକଳ ଦେବ ହୋଇ ବୃକ୍ଷେ ।ଫଳ ଫଳିଲେ ଅନ୍ତରୀକ୍ଷେ ॥
କେତେହେଁ ଦିନେ ପାଚି ତଳେ ।ବୃକ୍ଷୁ ପଡ଼ିଲେ ବାୟୁ ବଳେ ॥
ଶୁକ ଧାଇଁଲେ ତାହା ଦେଖି ।ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥
ତୋଷେ ଅଧର ପାନ କଲେ ।ଭିତରେ ସୁରଙ୍ଗ ଦେଖିଲେ ॥
ତହୁଁ ଗଳିଲା ରସ ସାର ।କି ଅବା ଦେବା ପଟାନ୍ତର ॥
ଅମୃତ ନିନ୍ଦେ ସ୍ୱାଦୁଗୁଣେ ।ସୁଜନେ ପିଅ ଅନୁକ୍ଷଣେ ॥
ଆନନ୍ଦେ କର ସୁଧାପାନ ।ଯେଣୁ ପାଇବ ଦିବ୍ୟଜ୍ଞାନ ॥
ଏ ଚାରି ରସଙ୍କର ମୂଳ ।ନିଗମ ବନ ବୃକ୍ଷଫଳ ॥
ପ୍ରିୟ ଜୀବନ ଅନ୍ତଯାଏ ।ଯେବେ ତରିବ ମାୟାମୋହେ ॥
ଏବେ ହୋ ଶୁଣ ସାଧୁଜନେ ।ହରି ଚରିତ ଶୁଦ୍ଧମନେ ॥
ସର୍ବଦେବଙ୍କ ରମ୍ୟସ୍ଥାନ ।ନାମ ଯେ ନୈମିଷ ଅରଣ୍ୟ ॥
କଳିର ଆଗମନ ଦେଖି ।ମୁନିଏ ସ୍ୱସ୍ଥାନ ଉପେକ୍ଷି ॥
ଶୌନକ ଆଦି ମୁନିଗଣେ ।ମିଳିଲେ ନୈମିଷ ଅରଣ୍ୟେ ॥
କଳି କଳୁଷେ ଭୟକରି ।ଏକାନ୍ତେ ମୁନିଏ ବିଚାରି ॥
ସଂକଳ୍ପ କରି ଏକ ତୁଲେ ।ସମସ୍ତେ ଯଜ୍ଞ ଆରମ୍ଭିଲେ ॥
ଜାଣନ୍ତି ଶୁଭେ ସର୍ବଦୀକ୍ଷା ।ସ୍ୱର୍ଗାପବର୍ଗେ କଲେ ଇଚ୍ଛା ॥
ସକଳେ ମିଳି ପ୍ରାତଃକାଳେ ।କର୍ମ ସାଧିଲେ ଜ୍ଞାନବଳେ ॥
ସୁତ ମୁନିଙ୍କୁ ମଧ୍ୟେକରି ।ସକଳ ବସିଲେ ଆବୋରି ॥
ସକଳ ମୁନି ଶୁଦ୍ଧମନେ ।କହନ୍ତି ଅମୃତ ବଚନେ ॥
ଋଷୟ ଉଚୁଃଭୋ ସୁତ ଶୁଣ ସାବଧାନେ ।ତୋର ମହିମା ଅନୁମାନେ ॥
ସର୍ବ ପୁରାଣ ଇତିହାସ ।ଶୁଣିବୁ ତାହାର ସମ୍ଭାଷ ॥
ସଂସାରେ ଧର୍ମଶାସ୍ତ୍ର ଯେତେ ।ସବୁ ଗୋଚର ତୁମ୍ଭ ମତେ ॥
ବ୍ୟାସମୁନିଙ୍କ ଶିଷ୍ୟ ତୁମ୍ଭେ ।ଏ କଥା ଭଲେ ଜାଣୁ ଆମ୍ଭେ ॥
ପୂର୍ବେ ଯେ ଥିଲେ ବ୍ରହ୍ମମୁନି ।ତାଙ୍କ ବଦନୁ ଅଛୁ ଶୁଣି ॥
ସକଳ ଶାସ୍ତ୍ର ତୁମ୍ଭ ତହିଁ ।ବେଦ ପୁରାଣ ଯେତେ କହି ॥
ବ୍ୟାସଙ୍କ ଅନୁଗ୍ରହ ଘେନି ।ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ॥
ଦଇବେ ଅଛି ଏହି ମତି ।ଯେ ଶିଷ୍ୟ ଗୁରୁରେ ଭକତି ॥
ଶିଷ୍ୟରେ ହିତେ ଦୟା ବହେ ।ସକଳ ତତ୍ତ୍ୱଜ୍ଞାନ କହେ ॥
ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ।ପ୍ରକାଶ ଆମ୍ଭର ଅଗ୍ରତେ ॥
ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ ।ଏ ଜୀବ ତରିବ ଯେମନ୍ତେ ॥
ଯେଣୁ ତୁଟଇ ବିଷ୍ଣୁ ମାୟା ।କହ ଆମ୍ଭର ଯେତେ ଦୟା ॥
ଏ କଳିଯୁଗେ ଯେତେ ପ୍ରାଣୀ ।ଅଳ୍ପ ଆୟୁଷ ପରିମାଣି ॥
ସ୍ୱଭାବେ ମନ୍ଦ ବୁଦ୍ଧି ହ୍ୱନ୍ତି ।ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ॥
ଯୁଗ ବେଭାର ପରିମାଣି ।ସକଳ ଧର୍ମ ଆମ୍ଭେ ଜାଣି ॥
ଏ ପ୍ରଶ୍ନ ଶୁଭ ଆମ୍ଭ ମତେ ।ସାର ଉଦ୍ଧରି ତୁମ୍ଭ ଚିତ୍ତେ ॥
କହ କେମନ୍ତେ ପ୍ରାଣୀଙ୍କର ।ଏ ଘୋର ମାୟାରୁ ନିସ୍ତାର ॥
ଯେଣେ ପ୍ରସନ୍ନ ହୋଇ ହରି ।ଏ ଜୀବ ଆତ୍ମାକୁ ଉଦ୍ଧରି ॥
ତୁମ୍ଭେ ଏ ପ୍ରଶ୍ନ ଯୋଗବଳେ ।ପ୍ରକାଶ କର ମହୀତଳେ ॥
କି ପ୍ରୟୋଜନେ ଜଗନ୍ନାଥ ।ଦେବକୀ ଉଦରେ ସମ୍ଭୂତ ॥
ସେ ହେତୁ କହ ଶୁଦ୍ଧଚିତ୍ତେ ।ଆମ୍ଭେ ପଚାରୁ ଜନହିତେ ॥
ଘୋର-ସଂସାରେ ପ୍ରାଣୀ ପଡ଼ି ।ଆତ୍ମା-ନିସ୍ତାର-ପଥ ହୁଡ଼ି ॥
ଯାହାର ନାମ ଉଚ୍ଚାରିଲେ ।ସଙ୍କଟୁ ତରିଯାନ୍ତି ଭଲେ ॥
ଯା ଭୟୁ ଜୀବ ତେଜ ହରେ ।ସେ ହରି ନାମ ଶୁଣି ଡରେ ॥
ଯା’ର ଚରଣେ ଆଶ୍ରେକରି ।ପାବନ ହୋନନ୍ତି ବ୍ରହ୍ମଚାରୀ ॥
ଶୁଦ୍ଧ କରନ୍ତି ସର୍ବଜନେ ।ଗଙ୍ଗା ଯେସନେ ସ୍ନାନ ପାନେ ॥
ଯାହାର ଯଶ ଗୁଣ ଶ୍ଳୋକେ ।ପୁଣ୍ୟେ ଭଜନ୍ତି ଏକେ ଏକେ ॥
କଳି କଳୁଷ ନ ଲାଗଇ ।କେବା ନ ତରେ ଏହା ଗାଇ ॥
ଯେ ଯଶ ଗାଇ ମୁନିଗଣେ ।ସୁଖେ ତରନ୍ତି ଭବବନେ ॥
ଯେ ହରି ବ୍ରହ୍ମାଣ୍ଡ ମଧ୍ୟରେ ।ନାନା ଶରୀରେ ଅବତାରେ ॥
କଳି ଆଗମ ଆମ୍ଭେ ଦେଖି ।ସକଳ ସମ୍ପଦ ଉପେକ୍ଷି ॥
ଏ ପୁଣ୍ୟ କ୍ଷେତ୍ରେ ଶୁଭକ୍ଷଣେ ।କୃଷ୍ଣର କଥା ଅନୁକ୍ଷଣେ ॥
କରି ତରିବୁ ବିଷ୍ଣୁ ମାୟା ।ଭୋ ମୁନି ତୁମ୍ଭେ କର ଦୟା ॥
ଆମ୍ଭର ପୂର୍ବ ପୁଣ୍ୟଫଳେ ।ସଙ୍ଗ ହୋଇଲୁ ତୁମ୍ଭ ମେଳେ ॥
ଏ ଭୟଙ୍କର କଳି କାଳେ ।ଆମ୍ଭେ ଯେ ଅଛୁ ଭବଜଳେ ॥
ଏ ଜଳୁ ତୁମ୍ଭେ କର ପାର ।ବୋଇତେ ଯେହ୍ନେ କର୍ଣ୍ଣଧାର ॥
ସେ ହରି ଭକତ ବତ୍ସଳ ।ସର୍ବଦେବଙ୍କ ଆଦିମୂଳ ॥
ସକଳ ଧର୍ମ ଯାର ସଙ୍ଗେ ।ସୁଖେ ବିହରେ ନାନା ରଙ୍ଗେ ॥
କଳି ଆଗମେ ଭଗବାନ ।ପଶିଲେ ଆପଣା ଭୁବନ ॥
ଯେ ଧର୍ମ ସଂସାର ରଖିବ ।ସେ କାହିଁ ଶରଣ ପଶିବ ॥
ସେ କଥା କହ ମୁନିବର ।ଆମ୍ଭ ସଂଶୟ ହେଉ ଦୂର ॥
ଆତ୍ମାର ମାୟା ଯୋଗବଳେ ।ବିହରେ ଅବନୀ-ମଣ୍ଡଳେ ॥
ତାର ମହିମା ଶୁଣି ନିତ୍ୟେ ।ତୋଷ ନ ଲଭେ ଆମ୍ଭଚିତ୍ତେ ॥
ଜିହ୍ୱା ଯେସନ ସୁଧାରସ ।ପିବନ୍ତେ ନୁହଇ ସନ୍ତୋଷ ॥
ଅନନ୍ତ ରୂପେ ଥାଇ ହରି ।ବାହ୍ୟ ଅନ୍ତରେ କର୍ମ କରି ॥
ଏମନ୍ତେ ନୈମିଷ ବନସ୍ତେ ।ସକଳ ମୁନିଙ୍କ ଅଗ୍ରତେ ॥
ଶୌନକ ଆଦି ମୁନିଗଣେ ।ଯେ ପ୍ରଶ୍ନ କଲେ ଜଣେ ଜଣେ ॥
ନିର୍ମଳ ବିଷ୍ଣୁର ଚରିତ ।କୃଷ୍ଣ ବିଷୟେ ଭାଗବତ ॥
ସୁଜନ ଜନଙ୍କର ହିତେ ।କହଇ ଦାସ ଜଗନ୍ନାଥେ ॥
ଏ ଘୋର ଭବ ଦୁସ୍ତରରୁ ।ଉଦ୍ଧର ବାଞ୍ଛା କଳ୍ପତରୁ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଋଷି ପ୍ରଶ୍ନେ ନାମପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ।ହରଷେ ମନେ ମନେ ଗୁଣି ॥
ଜୀବର ହିତେ କୃତକୃତ୍ୟ ।ହସି କହନ୍ତି ମୁନି ସୂତ ॥
ଶ୍ରୀ ସୂତ ଉବାଚଯେ ଶୁକ ଏକାନ୍ତ ଗମନ ।କରିଣ ଦେହ କଲେ ଶୂନ୍ୟ ॥
ପୁତ୍ରର ସ୍ନେହ ମନେ ଧରି ।ବ୍ୟାସ ଡାକନ୍ତି ଉଚ୍ଚକରି ॥
ପିତାର ସ୍ନେହ ଭଗ୍ନ ଅର୍ଥେ ।ଉତ୍ତର ଦେଲେ ବୃକ୍ଷରୂପେ ॥
ତାହାଙ୍କୁ ମୋର ନମସ୍କାର ।ଯେ ହୃଦେ ସର୍ବ ପ୍ରାଣୀଙ୍କର ॥
ଜୀବର ପରିତ୍ରାଣ ଅର୍ଥେ ।କରୁଣା ବହି ଯେହୁ ଚିତ୍ତେ ॥
ଅଖିଳ-ବେଦର ସାଗର ।ଯେ ଅନୁଭବ ଆପଣାର ॥
କହିଲେ ପୁରାଣର ସାର ।ତାହାଙ୍କୁ ମୋର ନମସ୍କାର ॥
ଭାରତୀ ନର ନାରାୟଣ ।ଯେ ସତ୍ୟବତୀର ନନ୍ଦନ ॥
ଯେ ନରୋତ୍ତମ ଏ ସଂସାରେ ।ନମଇଁ ତାହାଙ୍କ ପୟରେ ॥
ଶୁଣ ସକଳ ମୁନିଜନ ।ସାଧୁ ଏ ତୁମ୍ଭର ବଚନ ॥
ପରମ-ମଙ୍ଗଳ ଏ ବାଣୀ ।ଜୀବ ନିସ୍ତରେ ଏହା ଶୁଣି ॥
ପରମ ଧର୍ମ ଏ ଜଗତେ ।କୃଷ୍ଣ ଭଜନ ଯେତେ ମତେ ॥
ଫଳର ଆଶା ଯହିଁ ନାହିଁ ।ବିଘ୍ନ ପଶିବ ଅବା କାହିଁ ॥
ବାସୁଦେବଙ୍କ ଠାରେ ଯେବେ ।ଭକ୍ତି ଉଦୟ ହୁଏ ତେବେ ॥
ଜ୍ଞାନ ବୈରାଗ୍ୟ ଜାତ ହୁଏ ।ଶୁଷ୍କ ତର୍କାଦି ନାଶ ଯାଏ ॥
ଭକ୍ତି କଲେ ସେ ଜ୍ଞାନ ହୁଏ ।ଜୀବ ନ ପଡ଼େ ମାୟା ମୋହେ ॥
ବିଷ୍ଣୁ ଚରିତ ଶୁଣି ଯେବେ ।ଭକ୍ତି ନ ଜନ୍ମେ ମୂଢ଼ ଭାବେ ॥
କେବଣ ଶ୍ରମ ତାହାଙ୍କର ।କାହୁଁ ତରିବେ ତମଘୋର ॥
ଅର୍ଥ ସଞ୍ଚନ୍ତି ଯେତେ ନର ।କେବଳ ଶ୍ରମ ତାହାଙ୍କର ॥
ଅର୍ଥେ ନ ପାଇ କାମ ମୋକ୍ଷ ।ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ ॥
ଇନ୍ଦ୍ରିୟ ଅର୍ଥ ପ୍ରିୟ ଯେତେ ।ଲୋଭେ ଭ୍ରମଇ କାମ ଅର୍ଥେ ॥
ଯାବତ ଜୀବନ ଧରଇ ।କାମ ଲୋଭରେ ସୁଖ ନାହିଁ ॥
ଜୀବର ତତ୍ତ୍ୱ ଜାଣିବାରେ ।କେ ଜ୍ଞାନୀ ଅଛି ଏ ସଂସାରେ ॥
ତତ୍ତ୍ୱ ବିଚାରି ଜ୍ଞାନ ଯେତେ ।ଜ୍ଞାନୀ କହନ୍ତି ଏ ଜଗତେ ॥
କେହୁ କହନ୍ତି ବ୍ରହ୍ମତତ୍ତ୍ୱ ।କେହୁ ବା କହେ ପରମାର୍ଥ ॥
କେହୁ କହନ୍ତି ଭଗବାନ ।ନିର୍ମଳ ପରମ ଯେ ଜ୍ଞାନ ॥
ଏ ଭାବେ ପ୍ରୀତି ଯେ କରନ୍ତି ।ଜ୍ଞାନ ବୈରାଗ୍ୟ ଆଚରନ୍ତି ॥
କରନ୍ତି କୃଷ୍ଣଠାରେ ଭକ୍ତି ।ଆତ୍ମାରେ ଆତ୍ମାକୁ ଦେଖନ୍ତି ॥
ହରି ଶ୍ରବଣୁ ଭକ୍ତି ଜାତ ।ଅଜ୍ଞାନୀ ନ ଜାଣେ ଜଗତ ॥
ଏଣୁ ଅଖିଳ ଏ ଜଗତେ ।ଅଛନ୍ତି ବର୍ଣ୍ଣାଶ୍ରମ ଯେତେ ॥
ସ୍ୱଭାବେ ଧର୍ମ ଆଚରଣେ ।ଭକ୍ତି ଉପୁଜେ ନାରାୟଣେ ॥
ଯେବେ ସନ୍ତୋଷ କୃଷ୍ଣ ହୋଇ ।ପ୍ରାଣୀଙ୍କୁ ଚତୁର୍ବର୍ଗ ଦେଇ ॥
ଏ ଘେନି ହୋଇ ଏକମନ ।ଭାବେ ତୋଷିବ ଭଗବାନ ॥
ବିଷ୍ଣୁର ଗୁଣ କର୍ମ ଯେତେ ।ନିତ୍ୟେ ଶୁଣିବ କର୍ଣ୍ଣପଥେ ॥
ନିର୍ମଳ କରି ସ୍ଥିର ମନ ।ନିରତେ କରିବ କୀର୍ତ୍ତନ ॥
ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ ।ପୂଜା କରିବ ସୂକ୍ଷ୍ମ କଳ୍ପେ ॥
ଏ ଭାବେ ଭକ୍ତିଯୋଗ ବଢ଼େ ।କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ ॥
ଏଣୁ ଜଗତେ ଜ୍ଞାନୀ ଯେତେ ।କୃଷ୍ଣ ନ ଭଜିବେ କେମନ୍ତେ ॥
କୃଷ୍ଣ ଶ୍ରବଣେ ଭକ୍ତି ଯାର ।ସେ ପ୍ରାଣୀ ଭବମଧ୍ୟେ ସାର ॥
ହରି ଚରଣେ ଯାର ଶ୍ରଦ୍ଧା ।ତାଙ୍କୁ ନ ଲାଗେ ଭବବାଧା ॥
ସେ ପୁଣ୍ୟେ ସାଧୁସଙ୍ଗ ମିଳେ ।ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥
ତେବେ ସେ ହରି ରସ ରସେ ।ଭକ୍ତଙ୍କ ସଙ୍ଗେ ଯେବେ ମିଶେ ॥
କୃଷ୍ଣର କଥା ଯେ ଶୁଣନ୍ତି ।ବଦନେ ମହିମା କହନ୍ତି ॥
ତାହାଙ୍କ ହୃଦେ ହରି ବସେ ।ସର୍ବ ଅଶୁଭ ଫଳ ଧ୍ୱଂସେ ॥
ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ ।ବେଦେ କହନ୍ତି ମୁନିଜନ ॥
ସାଧୁ ଜନଙ୍କ ମିତ୍ର ହରି ।ଏଣୁ ଭକତକୁ ଆଦରି ॥
ହେଳେ ତାରଇ ଭବସିନ୍ଧୁ ।ଯେଣୁ ଭକତ ଜନ ବନ୍ଧୁ ॥
ଭକ୍ତଜନଙ୍କ ସେବା ବଳେ ।ଦହନ ହୋନ୍ତି ଅମଙ୍ଗଳେ ॥
ତେବେ ସେ ଗୋବିନ୍ଦ ବିଷୟେ ।ଭକ୍ତି ଉପୁଜେ ନର ଦେହେ ॥
ସ୍ୱଭାବେ ରଜ ତମ ଦୁଇ ।କାମାଦି ଯେତେ ରିପୁ ଥାଇ ॥
ଚିତ୍ତୁଁ ବାହାର ହୋଇଯାନ୍ତି ।ସାତ୍ତ୍ୱିକ ଗୁଣ ଆବୋରନ୍ତି ॥
ଏହି ପ୍ରକାରେ ଯେବେ ମନ ।ନିର୍ମଳେ ହୋଇବ ପ୍ରସନ୍ନ ॥
ତେବେ ସେ ଭକ୍ତି ଯୋଗବଳେ ।ଶ୍ରୀକୃଷ୍ଣ ଭକ୍ତ ସଙ୍ଗ ମିଳେ ॥
ନିର୍ମଳ ଜ୍ଞାନ ପ୍ରକାଶଇ ।ଜନ୍ମ ମରଣ ଆଦି କାହିଁ ॥
ଅଶେଷ କର୍ମ ଗ୍ରନ୍ଥି ବନ୍ଧ ।ଏଣେ ଛିଡ଼ଇ ସର୍ବ ଦ୍ୱନ୍ଦ୍ୱ ॥
ସର୍ବ ସଂଶୟ ତୁଲେ କର୍ମ ।ଛାଡ଼ଇ ବିଷ୍ଣୁ ମାୟାଭ୍ରମ ॥
ଆତ୍ମାରେ ଆତ୍ମା ସେ ଦେଖନ୍ତି ।ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥
ଏଣୁ ପଣ୍ଡିତ ଜନ ଯେତେ ।ଆନନ୍ଦେ ଭକ୍ତିଯୋଗ ମତେ ॥
ହରି ବିଷୟେ ଦୃଢ଼ ଚିତ୍ତେ ।ନିତ୍ୟେ ଭଜନ୍ତି ଆତ୍ମାମତେ ॥
ବିଷ୍ଣୁର ମାୟାରୁ ସମ୍ଭୁତ ।ଆଦି ପ୍ରକୃତି ଜନମାତ ॥
ସେ ସତ୍ତ୍ୱ ରଜ ତମ ଗୁଣ ।ସୃଷ୍ଟି ପାଳନ ସଂହାରଣ ॥
ଅନାଦି ପରମ ପୁରୁଷ ।ଏ ତିନିଗୁଣେ ଯେ ପ୍ରବେଶ ॥
ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ।ପାଳନେ ବିଷ୍ଣୁ ସେ ବୋଲାଇ ॥
ସଂସାର କାଳେ ରୁଦ୍ର ରୂପେ ।ସୁଖେ ବିହରେ ମୋହ କଳ୍ପେ ॥
ସେ ଶୁଭ ସତ୍ୟ ବିଷ୍ଣୁ ଦେହେ ।ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥
କାଷ୍ଠ ସଂଯୋଗେ ଧୂମ ଜାତ ।ଧୂମରୁ ଅନଳ ସମ୍ଭୂତ ॥
ତୃତୀୟ ଭାଗ ଏ ପ୍ରମାଣ ।
ଏ ଭାବେ ବ୍ରହ୍ମା ପରିମାଣି ।ଭବସାଗରୁ ତରେ ପ୍ରାଣୀ ॥
ନିର୍ମଳଚେତା ମୁନି ଯେତେ ।ବିଚାର କରି ଆତ୍ମା ହିତେ ॥
କୃଷ୍ଣଙ୍କୁ ସତ୍ତ୍ୱ ଗୁଣେ ଜାଣି ।ଭଜିଲେ ମୋକ୍ଷ ପରିମାଣି ॥
ତାମସ ରଜଗୁଣ ଯେତେ ।ଯେ ଉତପତ୍ତି ଏ ଜଗତେ ॥
ସ୍ୱଭାବେ ଘୋର ଭୟଙ୍କର ।ଏଣେ ନ ଭଜେ ମନ ଯାର ॥
ଅହିଂସା ଶାନ୍ତି ଗୁଣେ ଥାନ୍ତି ।ହରି ଚରଣ ନିତ୍ୟେ ଚିନ୍ତି ॥
ଧନ ସମ୍ପଦେ ଯାର ଇଚ୍ଛା ।ସେ କରେ ଭୂତ ପ୍ରେତ ଦୀକ୍ଷା ॥
ସଂସାରେ ବେଦ କର୍ମ ଯେତେ ।ତପ ସାଧନେ କ୍ରିୟାମତେ ॥
ପରମ ତତ୍ତ୍ୱ ଜ୍ଞାନ ଆଦି ।କଠୋର ଯେତେ କର୍ମସାଧି ॥
ଏ ସର୍ବ ଗତି ନାରାୟଣ ।ଏବେ ହୋ ମୁନିଗଣେ ଶୁଣ ॥
ଏମନ୍ତ ସୂକ୍ଷ୍ମରୂପ ଧରେ ।ମାୟାରେ ସଂସାରେ ବିହରେ ॥
ସ୍ୱଭାବେ ନିର୍ଗୁଣ ମୁରାରି ।ଖେଳଇ ତ୍ରିଗୁଣ ଆବୋରି ॥
ସକଳ ଜୀବ ମଧ୍ୟେ ଥାଇ ।ଅଜ୍ଞାନ ଜୀବ ନ ଜାଣଇ ॥
ଅଶେଷ ମହିମା ଯେ ଧରେ ।କିବା ଉପମା ଦେବା ତାରେ ॥
ସକଳ ଭୂତେ ହରି ବସେ ।କ୍ଷେତ୍ରଜ୍ଞ ରୂପ ପରକାଶେ ॥
ଅଗ୍ନି ଯେସନେ କାଷ୍ଠେ ଥାଇ ।ସେ ରୂପେ ବିଶ୍ୱ ଆତ୍ମା ସେହି ॥
ସ୍ୱତନ୍ତ୍ରେ ତାଙ୍କ ଦେହେ ଥାଇ ।ବିଷୟ ଭୋଗକୁ କରଇ ॥
ଦେବତୀର୍ଯକ ନର ଆଦି ।ସେ ଲୀଳାବତୀର ପ୍ରସିଦ୍ଧି ॥
ତହିଁରେ ଅନୁରକ୍ତ ହୋଇ ।ପାଳଇ ସତ୍ତ୍ୱଗୁଣ ବହି ॥
ସେ ହରି ଚରଣ ପଙ୍କଜ ।ସୁଜନ ଜନମାନେ ଭଜ ॥
କହଇ ଜଗନ୍ନାଥ ଦାସ ।ଗୀତ ପ୍ରବନ୍ଧେ କୃଷ୍ଣ ରସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନୋଶ୍ରୀଭଗବଦାନୁଭାବ ବର୍ଣ୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ଶ୍ରୀ ସୂତ ଉବାଚସୂତ କହନ୍ତି ଶୁଦ୍ଧ ଚିତ୍ତେ ।ହରଷେ ମୁନିଙ୍କ ଅଗ୍ରତେ ॥
ଶୁଣ ସକଳ ମୁନିଜନେ ।ହରି ଚରିତ ସାବଧାନେ ॥
ସୃଷ୍ଟିର କାଳେ ସେ ମୁରାରି ।ମହାପୁରୁଷ ରୂପ ଧରି ॥
ମହତତ୍ତ୍ୱାଦି ଅଙ୍ଗେ ପଶି ।ବିରାଟ ରୂପେ ବ୍ରହ୍ମରାଶି ॥
କଳା ସେ ବହଇ ଷୋଡ଼ଶ ।ଅନାଦି-ପରମ-ପୁରୁଷ ॥
ବୁଦ୍ଧି ଚେତନା ଅହଙ୍କାର ।ମନ ଅନ୍ତରୀକ୍ଷ ସମୀର ॥
ଅନଳ ଜଳ ବସୁମତୀ ।ପଞ୍ଚ ଇନ୍ଦ୍ରିୟ ଯାହା ଚିନ୍ତି ॥
ଜୀବ ପରମ ଏ ଷୋଡ଼ଶ ।ଏ ଆଦି ସୃଷ୍ଟି ଉପଦେଶ ॥
ସେ ସୃଷ୍ଟି ସଙ୍ଗେ ଇଚ୍ଛା କରି ।ଜଳେ ଯୋଗନିଦ୍ରା ବିସ୍ତାରି ॥
ତା ନାଭି କମଳୁଁ କମଳ ।ପ୍ରକାଶି ଆଚ୍ଛାଦିଲା ଜଳ ॥
ବ୍ରହ୍ମା ହୋଇଲେ ତହୁଁ ଜାତ ।ସେ ପ୍ରଜାପତିଙ୍କର ନାଥ ॥
ତାର ଶରୀରୁ ସୃଷ୍ଟି ଲୋକ ।ପ୍ରକାଶ ହୋଇଲେ ଅନେକ ॥
ସେ ଶୁଦ୍ଧତତ୍ତ୍ୱ ବିଶ୍ୱରୂପ ।ଯାର ଭିଆଣ ମୋହକଳ୍ପ ॥
ଅନେକ ଚକ୍ଷୁଦ୍ୱାରେ ଭରି ।ସେ ବିଶ୍ୱ ରୂପ ବ୍ରହ୍ମଚାରୀ ॥
ସହସ୍ର ପାଦ ଊରୁ ଭୁଜ ।ଶିର ବଦନ ନାସା ତେଜ ॥
ସହସ୍ର ଲୋଚନ ଶ୍ରବଣ ।ବସନ କୁଣ୍ଡଳ ଭୂଷଣ ॥
ମଣି କୁଣ୍ଡଳ ଝଟକନ୍ତି ।ଦିଶନ୍ତି ଅତି ରୂପକାନ୍ତି ॥
ସେ ସୃଷ୍ଟି ମଧ୍ୟେ ମାୟାଧର ।କରଇ ଯେତେ ଅବତାର ॥
ତାଙ୍କର ମୂଳ ବୀଜ ଏହି ।ଜଗତେ ବ୍ରହ୍ମ ଯେ ବୋଲାଇ ॥
ଯାହାର ଅଂଶାଂଶର ବଳେ ।ଗଗନ ପୃଥିବୀ ପାତାଳେ ॥
ଦେବ ମନୁଷ୍ୟ ପଶୁ ଆଦି ।ନିଗମ ଗୋଚରେ ସମ୍ପାଦି ॥
ପ୍ରଥମେ କୁମାର ବୟସ ।ସୃଷ୍ଟି ଉଦୟେ ଉପବେଶ ॥
ଦୁସ୍ତର ବ୍ରହ୍ମଚର୍ଯ୍ୟ ବ୍ରତେ ।ତପ ସାଧିଲେ ଦୃଢ଼ ଚିତ୍ତେ ॥
ଦ୍ୱିତୀୟ ସୃଷ୍ଟିର ଆଗମେ ।ସାଧିଲେ ଯଜ୍ଞେଶ୍ୱର ନାମେ ॥
ପୂର୍ବ ପ୍ରଳୟକାଳ ବଳେ ।ମହୀ ଯେ ଥିଲା ରସାତଳେ ॥
ତାକୁ ଉଦ୍ଧରେ ନରହରି ।ତକ୍ଷଣେ କାଳ ରୂପ ଧରି ॥
ଉଦ୍ଧରି ଜଳେ ଭସାଇଲା ।ବରାହ କଳ୍ପ ବୋଲାଇଲା ॥
ତୃତୀୟେ ଋଷି ସଙ୍ଗେ ହରି ।ନାରଦ ଋଷି ରୂପ ଧରି ॥
ବିଷ୍ଣୁ ଭକତ ଜନ ହିତେ ।ନିଷ୍କାମ ଭାବ ଉପଗତେ ॥
ଚତୁର୍ଥେ ଜନ୍ମ ବେଦ କାଣ୍ଡେ ।ଧର୍ମ ଉଦ୍ଦେଶ୍ୟ କର୍ମ କାଣ୍ଡେ ॥
ସେ ରୂପେ ନର ନାରାୟଣ ।ସୃଜିଲେ ଧର୍ମ ଆଚରଣ ॥
ତପ ସାଧିଲେ ଦୃଢ଼ଚିତ୍ତେ ।ସୃଷ୍ଟି କଳ୍ପନେ ଅବିରତେ ॥
ପଞ୍ଚମେ ସିଦ୍ଧି ଅବତାରେ ।ଜନ୍ମିଲେ କଦ୍ଦର୍ମର ଘରେ ॥
ନାମ ସେ କପିଳ ବୋଲାଇ ।ପିତାମାତାଙ୍କୁ ଜ୍ଞାନ କହି ॥
ଷଷ୍ଠ ସର୍ଗରେ ନରହରି ।ଅତ୍ରିର ବଂଶେ ଅବତରି ॥
ଅନେକ ଜ୍ଞାନ ଶାସ୍ତ୍ର କଳ୍ପେ ।ଜନ୍ମିଲେ ଦତ୍ତାତ୍ରେୟ ରୂପେ ॥
ସପ୍ତମେ ରୁଚି ଋଷି ବୀର୍ଯ୍ୟେ ।ଜନ୍ମିଲେ ଆକୁତିର ଗର୍ଭେ ॥
ଏରୂପେ ଯଜ୍ଞ ଅବତାର ।ପାଳିଲେ ସ୍ୱୟମ୍ଭୁବଙ୍କର ॥
ଅଷ୍ଟମେ ନାଭି ଗୃହେ ଜାତ ।ଋଷଭ ମେରୁଦେବୀ ସୁତ ॥
କଠୋର ଅତି ତପ କଲେ ।ଜ୍ଞାନୀଙ୍କି ପଥ ଦେଖାଇଲେ ॥
ନବମେ ପୃଥୁ ରୂପ ଧରି ।ବଳେ ଦୁହିଁଲେ ବସୁନ୍ଧରୀ ॥
କ୍ଷୀରେ ଧରଣୀ କରି ସମ ।ନାମ ବହିଲେ ଉଷତମ ॥
ଦଶମେ ମତ୍ସ୍ୟରୂପ ହୋଇ ।ନାଦେ ଔଷଧି ବୀଜ ବାହି ॥
ପ୍ରଳୟ ଜଳେ ବିହରିଲା ।ରବି କୁମରକୁ ରଖିଲା ॥
ଏକାଦଶରେ ଚକ୍ରଧର ।ଯେ ରୂପେ ଜନ ଉପକାର ॥
ଇନ୍ଦ୍ରର ଅର୍ଥେ ଦେବାସୁରେ ।କ୍ଷୀର ସମୁଦ୍ର ମନ୍ଥିବାରେ ॥
କପଟେ କୂର୍ମରୂପ ହୋଇ ।ମନ୍ଦର ଗିରି ପୃଷ୍ଠେ ବହି ॥
ଦ୍ୱାଦଶ ସର୍ଗେ ବିଶ୍ୱରୂପେ ।ଜନ୍ମିଲେ ଧନ୍ୱନ୍ତରୀ ରୂପେ ॥
ଅମୃତ କ୍ଷୀରାର୍ଣ୍ଣବୁଁ ଆଣି ।ଦେବଙ୍କୁ ପିଆଇଲେ ପୁଣି ॥
ମୋହିନୀ ରୂପେ ତ୍ରୟୋଦଶେ ।ଅସୁର ମୋହେ କାମବଶେ ॥
ଚତୁର୍ଦ୍ଦଶେ ନୃସିଂହ ବପୁ ।ବିଦାରେ ହିରଣ୍ୟକଶିପୁ ॥
ବାମନ ରୂପେ ପଞ୍ଚଦଶେ ।ବଳିକୁ ଛଳିଲେ ବିଶ୍ୱାସେ ॥
ଷୋଡ଼ଶ ଅବତାରେ ହରି ।ପରଶୁରାମ ରୂପ ଧରି ॥
ପିତାଙ୍କ ବଧ ଅହଙ୍କାରେ ।ଧରଣୀ ଏକବିଂଶ ବାରେ ॥
ଭ୍ରମିଲେ ମହା କୋପାନଳେ ।ରାଜାଙ୍କୁ ଧରି ବାହୁବଳେ ॥
ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ।ରୁଧିରେ ପୂର୍ଣ୍ଣକଲେ କୁଣ୍ଡ ॥
ତର୍ପଣ କଲେ ପିତୃଗଣେ ।ତପେ ରହିଲେ ଘୋରବନେ ॥
ସପ୍ତଦଶରେ ସୁର କାର୍ଯ୍ୟେ ।ଜନ୍ମିଲେ ପରାଶର ବୀର୍ଯ୍ୟେ ॥
ନିଗମ ବୃକ୍ଷ ଥିଲା ଏକା ।ବିଚାରି କଲା ଶତ ଶାଖା ॥
ପ୍ରାଣୀଙ୍କ ଦେଖି ଅଳ୍ପ ବୁଦ୍ଧି ।ଯେ ଧର୍ମ ସଂସାରେ ପ୍ରସିଦ୍ଧି ॥
ସେ ପୁଣି ଦିବାକର-ବଂଶେ ।ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ॥
ଜଳଧି ବାନ୍ଧି ସୀତାଛଳେ ।ଲଙ୍କା ଧ୍ୱଂସିଲେ ଭୁଜବଳେ ॥
ରାବଣ ମାରି ଦେବ କାର୍ଯ୍ୟେ ।ଧର୍ମ ସ୍ଥାପିଲେ ଏହୁ ରାଜ୍ୟେ ॥
ଊନବିଂଶତି ରୂପେ ହରି ।ଯାଦବ ବଂଶେ ଅବତରି ॥
କୃଷ୍ଣ ଶରୀର ରାମ ତୁଲେ ।ଅବନୀ ଭାରା ନିବାରଲେ ॥
କଳି ଆଗମେ ଭାବଗ୍ରାହୀ ।ପାଷାଣ୍ଡ ଜନ ମନ ମୋହି ॥
ବୁଦ୍ଧ ନାମରେ ଦ୍ୱିଜ ଘରେ ।ଜନ୍ମିଲେ କୀକଟ ନଗରେ ॥
ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ।ମୋହିଲେ ଅସୁରଙ୍କ ମନ ॥
ଏମନ୍ତେ ଜନ୍ମ ଏକବିଂଶ ।ସୁଜନ ହିତେ ହୃଷୀକେଶ ॥
ସେ ପୁଣି କଳିଯୁଗ ଅନ୍ତେ ।ରାଜାଙ୍କୁ ଦେଖି ଏ ଜଗତେ ॥
ନିର୍ଦ୍ଦୟ ହୃଦେ ପ୍ରଜା ମାରି ।ଧନ ଜୀବନ ନିତ୍ୟ ହରି ॥
ସେ କୋପେ ବିଷ୍ଣୁଯଶା ଘରେ ।ଜନ୍ମିବେ କଳ୍କୀ ଅବତାରେ ॥
ମନରୁ ଅତି ବଳବନ୍ତ ।ଅଶ୍ୱ ଆରୋହି ଜଗନ୍ନାଥ ॥
ସୁନନ୍ଦ-ଖଡ୍ଗ କରେ ଧରି ।ଦୁଷ୍ଟ ରାଜାଙ୍କୁ ବେଗେ ମାରି ॥
ଅଳପ ପ୍ରଜାଜନ ଶେଷ ।ଦୟାରେ ଲଭିବେ ଆଶ୍ୱାସ ॥
ସେ ସତ୍ୟନିଧି ମାୟାଧର ।ଅସଂଖ୍ୟ କରେ ଅବତାର ॥
ଯଥା ଅକ୍ଷୟ ହ୍ରଦ ଦେହେ ।ସହସ୍ର କ୍ଷୁଦ୍ର ନଦୀ ବହେ ॥
ଋଷି ଦେବତା ମନୁ ରାଜା ।ଯେ ମନୁପୁତ୍ରେ ମହାତେଜା ॥
ଏ ଆଦି ଯେତେ ପ୍ରଜାପତି ।ବିଷ୍ଣୁର ଅଂଶେ ଜନ୍ମ ହୋନ୍ତି ॥
କେ ଅଂଶେ କେତେ କଳାହୋଇ ।ବିଭୂତି ଗୁଣେ କେ ଜନ୍ମଇ ॥
ସକଳ ଅବତାର ସାର ।କି ଅବା ଦେବା ପଟ୍ଟାନ୍ତର ॥
ନିଜ ମୂରତି ଚକ୍ରଧର ।ସ୍ୱୟଂ ଶ୍ରୀକୃଷ୍ଣ ଅବତାର ॥
ଏମନ୍ତେ ନାନାରୂପ ଧରେ ।ସେ ହରି ସଂସାରେ ବିହରେ ॥
ଦୁଷ୍ଟଙ୍କ ବଳ ତେଜେ ହରି ।ସଂସାର ରଖେ ନରହରି ॥
ବିଷ୍ଣୁଙ୍କ ଜନ୍ମ କର୍ମ ବାଣୀ ।ଯେ ଏହା ଯତ୍ନେ ନିତ୍ୟେ ଶୁଣି ॥
ରାତ୍ର ଦିବସ ମଧ୍ୟେ ଯେବେ ।କାଳ ବଞ୍ଚଇ କୃଷ୍ଣ ଭାବେ ॥
ସେ ଦୁଃଖ ସଙ୍କଟୁ ତରନ୍ତି ।ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥
ବିଷ୍ଣୁ ଜନ୍ମଇ ଜନହିତେ ।ଏମନ୍ତେ ନାନାରୂପ ଯେତେ ॥
ସ୍ୱଭାବେ ରୂପ ଯାର ନାହିଁ ।ନିର୍ଲେପ ନିରଞ୍ଜନ ସେହି ॥
ମାୟାର ଗୁଣେ ବିରଚିତ ।ମହତ ଆଦିରୁ ସମ୍ଭୂତ ॥
ଯେସନେ ମେଘ ଶୂନ୍ୟେ ଥାଇ ।ଗଗନେ ଧୂଳି ଯେ ଉଡ଼ଇ ॥
ତାହାକୁ ତୃଷ୍ଟି ଊର୍ଦ୍ଧ୍ୱେ ଦେଖି ।ଯେ ସତ୍ୟ ପ୍ରାୟ ଉପଲକ୍ଷି ॥
ତାହାକୁ ବୋଲି ଜ୍ଞାନହୀନ ।ଏବେ ହୋ ଶୁଣ ମୁନିଜନ ॥
ସ୍ୱଭାବେ ଦୃଶ୍ୟ ବର୍ଣ୍ଣ ନୁହେଁ ।ଗୁଣ ଆବୋରି ଦେହ ବହେ ॥
ଏଣୁ ଏ ଜୀବ ରୂପ ବହି ।ଜନ୍ମ ମରଣ ପଥେ ଥାଇ ॥
ସମ ଅସମ ରୂପ ଯେତେ ।ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ॥
ଆତ୍ମାର କଳ୍ପିତ ଈଶ୍ୱର ।ଏ ତହୁଁ ବ୍ରହ୍ମାର ବିଚାର ॥
ମାୟା ମିଶ୍ରିତ ପ୍ରାଣୀ ଯେବେ ।ନିରସ୍ତ ହୋଇ ଜ୍ଞାନ ଭାବେ ॥
ତେବେ ଆତ୍ମାରେ ଆତ୍ମା ଦେଖି ।ନିର୍ମଳ ମହିମା ନିରେଖି ॥
ଏମନ୍ତେ ଜନ୍ମ କର୍ମ ଯେତେ ।ବିଚାର କରି ବେଦମତେ ॥
କହନ୍ତି ଯେତେ ମୁନି ଧ୍ୟାନେ ।ଏ ନ ଘଟଇ ଅନୁମାନେ ॥
ପରମାନନ୍ଦ ରୂପେ ଚିତ୍ତ ।ଯେବେ ସେ ହୁଅଇ ମିଶ୍ରିତ ॥
ତେବେ ସମ୍ମତ ବ୍ରହ୍ମଜ୍ଞାନ ।ଜାଣଇ ତତ୍ତ୍ୱ ଜ୍ଞାନୀଜନ ॥
ତାହାର ଜନ୍ମ କର୍ମ ନାହିଁ ।ବେଦର ଗୁପ୍ତ ତତ୍ତ୍ୱ ସେହି ॥
ତାହାଙ୍କ ଜନ୍ମ କର୍ମ ଭାବେ ।କବିଏ ବର୍ଣ୍ଣନ୍ତି ସ୍ୱଭାବେ ॥
ସ୍ୱଭାବେ ଜନ୍ମ ଯାର ନାହିଁ ।ବିଚାର କରିବ ସେ କାହିଁ ॥
ଅମୋହ ଲୀଳା ନରହରି ।ଆତ୍ମାରେ ବିଷ୍ଣୁ ମାୟାକରି ॥
ବ୍ରହ୍ମାଣ୍ଡ ସୃଜଇ ପାଳଇ ।ତାହାକୁ ଅନ୍ତେ ସେ ଭକ୍ଷଇ ॥
ପ୍ରାଣୀଙ୍କ ମଧ୍ୟେ ଆତ୍ମା ତନ୍ତ୍ରେ ।ଷଡ଼ବର୍ଗ ଯେ ଭୋଗେ ନିତ୍ୟେ ॥
ଏଣୁ ଈଶ୍ୱର ସେ ବୋଲାଇ ।କିସ ଉପମା ଦେବି ମୁହିଁ ॥
ଈଶ୍ୱର ଲୀଳା କର୍ମ ଯେତେ ।କେ ଜାଣିପାରେ ତର୍କମତେ ॥
ଏହାର ଅଛି ଯେତେ ନାମ ।ସ୍ୱଭାବେ ଯେତେ ଗୁଣ ଗ୍ରାମ ॥
ନଟ ଯେସନେ ମାୟା କରି ।ମୋହଇ କୁହୁକ ବିସ୍ତାରି ॥
ଅଜ୍ଞାନୀ ଜାଣିବ କି ତାହା ।ଦୁରଧିଗମ୍ୟ ବିଷ୍ଣୁ ମାୟା ॥
ଏ କାଳ ଚକ୍ର ଯାର ହସ୍ତ ।କେ ଜାଣିପାରେ ତାର ଗ୍ରସ୍ତ ॥
ସେ ହରି ପାପପଦ୍ମ ବନ୍ଧ ।ଯେ ନିତ୍ୟେ ପିଏ ମକରନ୍ଦ ॥
ହିଂସା କପଟ ଦୂରେ ତେଜ ।ସର୍ବାନୁକୂଳେ କୃଷ୍ଣେ ଭଜି ॥
ଭକତ ଭାବେଣ ଭଜନ୍ତି ।ସେ କୃଷ୍ଣ ମହିମା ଜାଣନ୍ତି ॥
ଧନ୍ୟ ଜୀବନ ତାହାଙ୍କର ।ସେ ହରି ଚରଣେ କିଙ୍କର ॥
ସର୍ବ ଆତ୍ମାକୁ ଆତ୍ମ ଭାବେ ।ଭଜନ୍ତି ନିତ୍ୟ ବାସୁଦେବେ ॥
ଏମନ୍ତ ଭାବେ ଯେ ଭଜଇ ।ଏ ମାୟା ତାକୁ ନ ଲାଗଇ ॥
ଏ ଯେ ପୁରାଣ ଭାଗବତ ।ନିର୍ମଳ ପଦ ବ୍ରହ୍ମତତ୍ତ୍ୱ ॥
କୃଷ୍ଣର ଚରିତ ପ୍ରଶଂସି ।ପ୍ରକାଶ କଲେ ବ୍ରହ୍ମଋଷି ॥
ଜୀବର ମୋକ୍ଷଫଳ ଅର୍ଥେ ।ଧନ୍ୟ ମଙ୍ଗଳ ଏ ଜଗତେ ॥
ସର୍ବ ନିଗମ ଇତିହାସେ ।ସାର ଉଦ୍ଧରି ମନତୋଷେ ॥
ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର ।ଯେ ଶୁକରୂପେ ଅବତାର ॥
ତାହାଙ୍କୁ ଭାଗବତ ଦୀକ୍ଷା ।ଦେଇ କହିଲେ ଆତ୍ମା ଶିକ୍ଷା ॥
ସେ ପୁଣି ପରୀକ୍ଷିତ ଆଗେ ।କହିଲେ ଆତ୍ମା ଅନୁରାଗେ ॥
ବ୍ରାହ୍ମଣ ଶାପେ ସେ ବିକଳେ ।ନିବାସ କରି ଗଙ୍ଗାକୂଳେ ॥
ପରମ ଋଷି ମେଳେ ଥାଇ ।କୃଷ୍ଣ ଚରଣେ ମନ ଦେଇ ॥
ଏ ଭାଗବତ ରସ ଶୁଣି ।ତରିଲା ଭବ ତରଙ୍ଗିଣୀ ॥
ସେ କୃଷ୍ଣଲୀଳା କାର୍ଯ୍ୟ ଲାଭେ ।ନିଜ ଭବନେ ପୁଣି ଯିବେ ॥
ସଙ୍ଗତେ ଘେନି ଧର୍ମଜ୍ଞାନ ।ନିଜ ଶରୀରେ ହେବେ ଲୀନ ॥
ଏ କଳିଯୁଗେ ଯେତେ ନରେ ।ପଡ଼ିବେ ମାୟା ଅନ୍ଧକାରେ ॥
ତାହାଙ୍କୁ ତପନ ଉଦିତ ।ହୋଇବ ଭାବେ ଭାଗବତ ॥
ରାଜା ସଙ୍ଗତେ ଗଙ୍ଗାତଟେ ।ଅନେକ ଋଷିଙ୍କ ସଙ୍ଗତେ ॥
ଏ ଭାଗବତ ତତ୍ତ୍ୱବାଣୀ ।ଶୁକ ମୁନିଙ୍କ ମୁଖୁ ଶୁଣି ॥
ଜାଣିଲି ଶୁକ ଅନୁରାଗେ ।ଏବେ କହିଲି ତୁମ୍ଭ ଆଗେ ॥
କହଇ ଦାସ ଜଗନ୍ନାଥ ।ସୁଜନ ହିତେ ଭାଗବତ ॥
ଏ ଭାବେ ଚିନ୍ତି ନରହରି ।ଘୋର ସଂସାରୁ ଯିବ ତରି ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଜନ୍ମ ଗୁହ୍ୟ ନାମତୃତୀୟୋଽଧ୍ୟାୟଃ ।
ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ