ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଷଷ୍ଠ ସ୍କନ୍ଧନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ।ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂ ।ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ॥
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବସଂଯୁତଂ ।ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୂବିଭାବୁକାଃ ॥
ପ୍ରଥମ ଅଧ୍ୟାୟ
ରାଜୋବାଚଶୁକ ଚରଣେ ପ୍ରଣମିତ ।ହୋଇ ବୋଲନ୍ତି ପରୀକ୍ଷିତ ॥
ଆଦ୍ୟରେ ଭଗବାନ ବ୍ରହ୍ମା ।ଅଷ୍ଟ ଐଶ୍ୱର୍ଯ୍ୟର ଏ ସୀମା ॥
ନିବୃତ୍ତି ମାର୍ଗେ ଯା କହିଲେ ।ତା ଯୋଗେଶ୍ୱର ନ ଜାଣିଲେ ॥
ସ୍ତିରୀ ସମୂହେ ସୃଷ୍ଟି ପୁଣ ।ପ୍ରକୃତି ସୃଷ୍ଟି ନୋହେ ଗୁଣ ॥
ଯେ ନାନା ଅଧର୍ମ ଲକ୍ଷଣ ।ନରକମାନଙ୍କ ବର୍ଣ୍ଣନ ॥
ଆଦି ସ୍ୱାୟମ୍ଭୂ ମନୁଠାରୁ ।ବିହିଲେ ଯେତେ ମନ୍ୱନ୍ତରୁ ॥
ହେ ପ୍ରିୟବ୍ରତ ରାଜେଶ୍ୱର ।ଉତ୍ତାନପାଦ ରାଜାଙ୍କର ॥
ବଂଶ ଚରିତ ଏହାଙ୍କର ।ଦ୍ୱୀପ ବରଷ ମହୀଧର ॥
ନଦୀ ଉଦ୍ୟାନ ସିନ୍ଧୁ ବନ ।ପୃଥିବୀ ମଣ୍ଡଳର ସ୍ଥାନ ॥
ଚନ୍ଦ୍ର ତାରକା ଆଦିକରି ।ଭାଗ ବିଚାରି ଅନୁସରି ॥
ଏମନ୍ତ ପ୍ରକାରେ ଈଶ୍ୱର ।ସର୍ଜିଲେ ଅନେକ ସଂସାର ॥
ନାନା ପ୍ରକାରେ ଯେ ନରକ ।ପ୍ରାଣୀ ସଞ୍ଚରନ୍ତି ଅନେକ ॥
ବିଶେଷ କରି ମହାଭାଗ ।କହ ଅନୁରାଗେ ମୋ ଆଗ ॥
ଶ୍ରୀ ଶୁକ ଉବାଚମନ ବଚନ ଶରୀରରେ ।ଯେ ପ୍ରାଣୀ ପାପ କାର୍ଯ୍ୟ କରେ ॥
ଇହ ଲୋକରେ ଦେହଧରି ।ଯେବେ ପ୍ରାୟଶ୍ଚିତ ନ କରି ॥
କି ଅବା ପରମ ଈଶ୍ୱରେ ।ପୂଜା ନ କରେ ଭକ୍ତିଭରେ ॥
ସମ୍ବନ୍ଧିତ ରଚନା
ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
୧୨
ଅଥବା ନାମ ସଂକୀର୍ତ୍ତନ ।
କେବେ ହେଁ ନ କରେ ଯେ ଜନ ॥
ନିଶ୍ଚୟ ଯାତନା ନରକ ।ସେ ପ୍ରାଣୀ ଲଭନ୍ତି ଅନେକ ॥
ଏହି ହେତୁରୁ ମୃତ୍ୟୁ ଆଗେ ।ସଞ୍ଜତମନା ହୋଇ ବେଗେ ॥
ରୋଗରୁ ଗୁରୁ ଲଘୁପ୍ରାୟ ।ପାପକୁ କରିଣ ନିଶ୍ଚୟ ॥
ପ୍ରାୟଶ୍ଚିତ ପାଇଁ ଯତନ ।କରିବ ନୋହିବ ବିମନ ॥
ଏହି ପ୍ରକାରେ ସେ ଅନେକ ।ଭୋଗର ଦୀକ୍ଷା ସେ ଯେତେକ ॥
ଗୁରୁଙ୍କ ମୁଖୁ ଦୀକ୍ଷା ଜାଣି ।ନିଦାନ କଥା ପରିମାଣି ॥
ରାଜୋବାଚପାପ ନରକେ ତମ ପଥେ ।ଆଶ୍ୱାସ ଯୁତ ହୃଦଗତେ ॥
ପାପ ଅହିତ ପରିମାଣ ।ତଥାପି ବିଷୟରେ ପ୍ରାଣୀ ॥
ପାପରେ ହୋଇ ପ୍ରବର୍ତ୍ତିତ ।କିମ୍ପା କରଇ ପ୍ରାୟଶ୍ଚିତ୍ତ ॥
କେବେ ପାପକୁ ନିବର୍ତ୍ତଇ ।ପୁଣି ହିଁ ପାପ ଆଚରଇ ॥
ଏଥୁ ଅନ୍ତରେ ପ୍ରାୟଶ୍ଚିତ ।ହୁଏ କୁଞ୍ଜର ସ୍ନାନବତ ॥
ଶ୍ରୀ ଶୁକ ଉବାଚପାପାଚରଣ ଅଟେ କର୍ମ ।ଚାନ୍ଦ୍ରାୟଣାଦି ମଧ୍ୟ କର୍ମ ॥
କର୍ମରେ କରି କର୍ମମାନ ।ନିଗ୍ରହ କରନ୍ତି ଯେ ଜନ ॥
ନୁହନ୍ତି ଆତ୍ୟାନ୍ତିକ ସେହି ।ଏହାର ସ୍ୱଭାବଟି ଏହି ॥
ଅଧିକାରୀ ଆଜ୍ଞାରୁ କରି ।ପ୍ରାୟଶ୍ଚିତକୁ ସେ ଆଚରି ॥
ସୁପଥ୍ୟ ଗ୍ରାସ ଯେ ନ କରେ ।ତାହାକୁ ବ୍ୟାଧି ପୀଡା କରେ ॥
ଏହି ନିୟମ ଯେ କରନ୍ତି ।କର୍ମେ କଲ୍ୟାଣ ସେ ଲଭନ୍ତି ॥
ତପସ୍ୟା ଯମ ନିୟମରେ ।ଶମ ଦମ ଶୌଚ ତ୍ୟାଗରେ ॥
ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ ।ଜ୍ଞାନୀ ଚିନ୍ତନ୍ତି ନିରନ୍ତରେ ॥
ଦେହ ବଚନ ବୁଦ୍ଧି ଘେନି ।ଶ୍ରଦ୍ଧା ବିନୟେ ମହାମୁନି ॥
ଯେସନେ ଦହଇ ସକଳ ।ବୃକ୍ଷ ଘରଷଣେ ଅନଳ ॥
କେହି କେବଳ ଭକ୍ତି କରି ।ଗୋବିନ୍ଦ ନାମ ଯେ ସୁମରି ॥
ଅଶେଷ ଅଘ କରି ନାଶ ।ହିମେ ଯେସନେ ରବିତ୍ରାସ ॥
ହେ ରାଜା ଅଘବନ୍ତ ଯେହି ।ତପେ ପବିତ୍ର ନୋହେ ସେହି ॥
ଏମନ୍ତ କୃଷ୍ଣର ବିଷୟେ ।ପ୍ରାଣେ ଅର୍ପିତ ଯେବା ହୁଏ ॥
ସୁଶୀଳ ସାଧୁ ଯେଉଁ ଜନ ।ନାରାୟଣରେ ପରାୟଣ ॥
ତାହାଙ୍କ ପଥେ ଯେଉଁ ଜନ ।ଲୋକର କଲ୍ୟାଣ କାରଣ ॥
ରାଜେନ୍ଦ୍ର ଶୁଣ ପରିମାଣି ।କୃଷ୍ଣ-ବିମୁଖ ଯେତେ ପ୍ରାଣୀ ॥
ତାହାଙ୍କ ତପେ ଯେତେ ଫଳ ।ସକଳ ହୁଅଇ ନିଷ୍ଫଳ ॥
କୃଷ୍ଣର ପାଦପଦ୍ମ ଦୁଇ ।ତା ଗୁଣ ଅନୁରୂପେ ହୋଇ ॥
ଯେ ଏକାବେଳେ ବୋଲେ ନାମ ।ସ୍ୱପ୍ନେ ସେ ନ ଦେଖଇ ଯମ ॥
ଯା ଦୂତେ ପାଶ ରଜ୍ଜୁଧାରୀ ।ନ ଦେଖେ ଚିହ୍ନ ତାହାଙ୍କରି ॥
ଯେ ଇତିହାସ ପୁରାତନ ।କହିବା ଶୁଣ ସାବଧାନ ॥
ବିଷ୍ଣୁ ଶମନ ଦୂତଙ୍କର ।କହ ଆମ୍ଭଙ୍କୁ ସମାଚାର ॥
କାନ୍ୟକୁବୁଜ ନାମେ ଦେଶ ।ଅଜାମିଳର ତହିଁ ବାସ ॥
ଆଶ୍ରମେ ଦ୍ୱିଜ ସେ ବୋଲାଇ ।ସ୍ୱଭାବେ ଦାସୀ ପତି ହୋଇ ॥
ସଦାଚାରକୁ ନଷ୍ଟ କରି ।ଦାସୀର ସଂସର୍ଗ ଆଚରି ॥
କୈତବ ଚୌର୍ଯ୍ୟ ପଣେ ଥାଇ ।କୁତ୍ସିତ କର୍ମ ଆଚରଇ ॥
ଏମନ୍ତେ କେତେ ଦିନ ଗଲା ।ତାହାର ପୁତ୍ର ଉପୁଜିଲା ॥
ସେ ନଗ୍ରେ ଥାଇ ଦାସୀପତି ।ପୁତ୍ର ପାଳନେ ସଦାମତି ॥
ଅଠାଶୀ ବରଷେ ତାହାର ।କାଳ ହୋଇଲା ନୃପବର ॥
ବୃଦ୍ଧ ବୟସେ ତାର ପୁତ୍ର ।ହୋଇଲା ଦଶ ପରିମିତ ॥
କନିଷ୍ଠ ପୁତ୍ର ନାରାୟଣ ।ପିତାର ଆନନ୍ଦ କାରଣ ॥
ତାହାର ଚିତ୍ତ ତାର ତହିଁ ।ଅନ୍ୟତ୍ର କେବେହେଁ ନ ଦେଇ ॥
ବାଳକ ଭାବରେ କୋମଳ ।କହଇ ବଚନ ମଞ୍ଜୁଳ ॥
ତାହାର ଲୀଳାମାନ ଦେଖି ।ହରଷ କେ ପାରିବ ଲେଖି ॥
ଭୋଜନ ଜଳପାନ ବେଳେ ।ନାନାପ୍ରକାରେ ସୁଖ ଭୋଳେ ॥
ବାଳକ ସ୍ନେହବଶ ହୋଇ ।ଅଗ୍ରେ ଭୋଜନ ତାରେ ଦେଇ ॥
ମରଣ ନ ଜାଣଇ ମୂଢ଼ ।ବାଳକ ସ୍ନେହେ ଚିତ୍ତ ଦୃଢ଼ ॥
ମରଣ କାଳ ଉପଗତ ।ତକ୍ଷଣେ କରି ଚିତ୍ତ ହତ ॥
ବାଳକ ନାମ ନାରାୟଣ ।ମତି ନିବେଶିଲା ତକ୍ଷଣ ॥
ଶମନ ଦୂତେ ପାଶ କରେ ।ମିଳିଲେ ତାର ସମୀପରେ ॥
ଉଚ୍ଚ ପୁରୁଷ ଭୟଙ୍କର ।ବକ୍ର ବଦନ ତାହାଙ୍କର ॥
ଲୋମ ଲମ୍ୱ ସର୍ବ ଶରୀର ।ଦେଖି ଅଜାମିଳ କାତର ॥
ଦୂରେ ବାଳକ ସଙ୍ଗେ ମିଳି ।ତାହାର ପୁତ୍ର କରେ କେଳି ॥
ଗଭୀର ସ୍ୱନେ ଉଚ୍ଚ କରି ।ଡାକିଲା ତାର ନାମ ଧରି ॥
ଜୀବନ ବିକଳେ ତତକ୍ଷଣେ ।ଡାକିଲା ପୁତ୍ର ନାରାୟଣେ ॥
ମୋହିତ ଅଜାମିଳ ପୁଣ ।ତୁଣ୍ଡେ ଉଚ୍ଚାରି ନାରାୟଣ ॥
ଶୁଣି ସ୍ୱାମୀର ନାମାକୃତ ।ଆସି ମିଳିଲେ ବିଷ୍ଣୁ ଦୂତ ॥
ସେ ଅଜାମିଳ ହୃଦୟରୁ ।ଜୀବକୁ ଆକର୍ଷଣ କରୁ ॥
ଯମଦୂତଙ୍କୁ ବିଷ୍ଣୁ ଦୂତେ ।ବଳେ ନିବାରିଲେ ତୁରିତେ ॥
ବୈବସୁତ ପ୍ରଭୁ ଯାହାର ।ସେ ଦୂତମାନଙ୍କ ଉତ୍ତର ॥
ବିଷ୍ଣୁ ଦୂତମାନଙ୍କୁ କହି ।ତୁମ୍ଭେ ନିବାର କାହିଁ ପାଇଁ ॥
ଧର୍ମ ରାଜାର ଆଜ୍ଞାମାନ ।କିମ୍ପାଇ କରୁଅଛ ଭଗ୍ନ ॥
କାହାର ତୁମ୍ଭେମାନେ ଦୂତ ।କାହୁଁ ହେ ଅଇଲ ତ୍ୱରିତ ॥
କିମ୍ପାଇ ଆମ୍ଭଙ୍କୁ ନିଷେଧ ।କିବା ଉତ୍ତମ ତୁମ୍ଭେ ସିଦ୍ଧ ॥
କିବା ଦେବତା ତୁମ୍ଭେମାନେ ।ଆନନ୍ଦେ ବସ ସନ୍ନିଧାନେ ॥
ତୁମ୍ଭର ଚକ୍ଷୁପଦ୍ମ ଦଳ ।ବିରାଜେ କିରୀଟ କୁଣ୍ଡଳ ॥
ଉରେ ଝୁଇଇ ପଦ୍ମମାଳ ।ଶୋଭିତ ଏ ପୀତ ଦୁକୂଳ ॥
ସର୍ବେ ନୂତନ ତନୁ ବହ ।ଚାରୁ ଚତୁର ଭୁଜେ ଶୋହ ॥
ଶଙ୍ଖ ଚକ୍ର ଗଦା କମଳ ।ଏଣୁ ତୁମ୍ଭେ ଶୋଭା ସକଳ ॥
ଧନୁ ଖଡ଼ଗ ତୂଣ ଶର ।ଶୋଭା ପାଉଛି ତୁମ୍ଭ କର ॥
ଦିଗମାନଙ୍କର ତିମିର ।ଆତ୍ମ କାନ୍ତିରେ କଲ ଦୂର ॥
ଧର୍ମପାଳଙ୍କ ଭୃତ୍ୟ ଅମ୍ଭେ ।କିମ୍ପା ନିଷେଧ କର ତୁମ୍ଭେ ॥
ଶ୍ରୀ ଶୁକ ଉବାଚଯମ ଦୂତଙ୍କ କଥାନ୍ତରେ ।ବିଷ୍ଣୁ ଦୂତେ ମନ୍ଦ ହାସରେ ॥
ମେଘ-ଗମ୍ଭୀର ସ୍ୱରେ ବାଣୀ ।ଯମ ଦୂତଙ୍କ ଆଗେ ଭଣି ॥
ବିଷ୍ଣୁ ଦୂତା ଉଚୁଃତୁମ୍ଭେ ଦୂତେ ବୈବସୁତର ।ତାହାଙ୍କ ଆଜ୍ଞା ଯେବେ କର ॥
ଧର୍ମ ଅର୍ଧମର ଲକ୍ଷଣ ।ଆମ୍ଭଙ୍କୁ ତତ୍ତ୍ୱ କହ ପୁଣ ॥
ପ୍ରାଣୀ କି କଲେ ଦଣ୍ଡପାଏ ।ଦଣ୍ଡର ସ୍ଥାନ କିବା ହୁଏ ॥
ଦଣ୍ଡ୍ୟ ହୁଅନ୍ତି କେଉଁ ନର ।କହ ସେଥିର ସମାଚାର ॥
ଯମଦୂତା ଉଚୁଃବେଦ ବିହିତ ଯେତେ କର୍ମ ।ସେହି ସଂସାରେ ଅଟେ ଧର୍ମ ॥
ତା ବିନୁ ଅନ୍ୟ କର୍ମ ଯେତେ ।ଅଧର୍ମ ବୋଲନ୍ତି ଜଗତେ ॥
ସାକ୍ଷାତେ ଦେବ ନାରାୟଣ ।ସ୍ୱାୟମ୍ଭୁ ବୋଲି ପରିମାଣ ॥
ଯେ ଦେବ ଆପଣା ଶକ୍ତିରେ ।ସତ୍ତ୍ୱ ରଜ ତମ ଭାବରେ ॥
ଗୁଣ ନାମ କ୍ରିୟା ରୂପରେ ।ଯଥା ତଥା ସେ ଭିନ୍ନ କରେ ॥
ସୂର୍ଯ୍ୟାଗ୍ନି ବାୟୁ ସନ୍ଧ୍ୟା କାଳ ।ଆକାଶ ସୋମ ଅହଜଳ ॥
ପୃଥିବୀ ରାତ୍ରି ଦିଗମାନ ।ଦେହୀ ଧର୍ମର ସାକ୍ଷୀ ଜାଣ ॥
ଅଧର୍ମ ପାରନ୍ତି ଏ ଜାଣି ।ଦଣ୍ଡର ସ୍ଥାନଟି ଏ ପୁଣି ॥
କର୍ମ ଆୟତ୍ତ ହୋଇ ଜନ ।ଦଣ୍ଡର ହୁଅନ୍ତି ଭାଜନ ॥
ଏ ଘେନି ପାପୀ ପ୍ରାଣୀମାନେ ।ଉତ୍ତମ ମଧମରେ ଜନ୍ମେ ॥
ସତ୍କର୍ମ ଯେମାନେ କରନ୍ତି ।ସ୍ୱକର୍ମ ଫଳ ସେ ଲଭନ୍ତି ॥
ମନ୍ଦ କରମ ଯୁକ୍ତ ଯେହୁ ।ସୁକର୍ମ ଭୁଞ୍ଜିବ ସେ କାହୁଁ ॥
ଧର୍ମ ଅଧର୍ମ ଆଚରଣ ।କରନ୍ତି ଯେହୁ ପ୍ରାଣୀ ପୁଣ ॥
ସେ ପ୍ରାଣୀମାତ୍ରେ ଅବନୀରେ ।ଫଳାଫଳକୁ ଭୋଗ କରେ ॥
ହେ ଦେବ ଶ୍ରେଷ୍ଠ ତୁମ୍ଭେମାନେ ।ସଂସାରେ ପ୍ରାଣୀମାନେ ଯେହ୍ନେ ॥
ତ୍ରିବିଧ ଲକ୍ଷଣ ଲଭନ୍ତି ।ଯେ ଯଥା କର୍ମ ଆଚରନ୍ତି ॥
ପୁଣି ବିହିତ ତାହାଙ୍କରି ।ପ୍ରାଣୀଙ୍କ ବିଷୟ ବିଚାରି ॥
କାଳର ଏହି ତତ୍ତ୍ୱମାନେ ।ଗୁଣର ବନ୍ଧନ କାରଣେ ॥
ତମ ଗୁଣରେ ଯୁକ୍ତ ହୋଇ ।ଆଉ ସ୍ୱଧର୍ମ ନ ଜାଣଇ ॥
ସତ୍ତ୍ୱଗୁଣକୁ ନ ଜାଣଇ ।ଜନ୍ମ ଅକାରଣେ ନାଶଇ ॥
ବିଧାତା ପଞ୍ଚଭୂତେ ପୁଣ ।ସୃଷ୍ଟିକୁ କରଇ ଭିଆଣ ॥
ମହତ ଯହୁଁ ଅହଙ୍କାର ।ଏ ଆଦି ଯେତେକ ଆଚାର ॥
ତ୍ରିଗୁଣ ଆଦି ଶକ୍ତି ଯୁକ୍ତେ ।ଏହାଙ୍କୁ ଧରି ହୃଦଗତେ ॥
ଏମନ୍ତ ପ୍ରକାରରେ ଦେହୀ ।ହରଷେ ଶୋକକୁ ଲଭଇ ॥
ତାଙ୍କ ଗର୍ବ ଆଶ୍ଚର୍ଯ୍ୟ ମତ ।କରଇ କର୍ମ ବିପରୀତ ॥
ଦୋଷକାରକ ପ୍ରାୟ ହୋଇ ।କର୍ମରେ ଆତ୍ମାକୁ ରଖଇ ॥
ଏ ଅନନ୍ତରେ ପୁଣ ସେହି ।ତହିଁ ରହଇ ମୋହ ପାଇ ॥
ସ୍ୱଭାବେ କର୍ମ ବଶ ହୋଇ ।ନିରତେ କୁକର୍ମ କରଇ ॥
ଅବ୍ୟକ୍ତ କର୍ମକୁ କରିଣ ।କହଇ ଶୁଣ ହେ ରାଜନ ॥
ପ୍ରକୃତି ସଙ୍ଗରୁ ପୁରୁଷ ।ସର୍ବ କର୍ମକୁ କରେ ନାଶ ॥
ପୂର୍ବ ବୃତ୍ତାନ୍ତ ଏବେ ଶୁଣ ।ବେଦ ସଂପୂର୍ଣ୍ଣ ଯେ ବ୍ରାହ୍ମଣ ॥
ଧର୍ମ ସୁଶୀଳବନ୍ତ ପୁଣ ।ସୁସାଧୁ ମହତ ଲକ୍ଷଣ ॥
ମୃଦୁମନ୍ତ୍ରଜ୍ଞ ଶୁଚି ଦାତା ।ସତ୍ୟ ବଚନ ଧୃତବ୍ରତା ॥
ଅତିଥି ବୃଦ୍ଧ ଗୁରୁ ଅଗ୍ନି ।ସୁସାଧୁ ବୁଦ୍ଧି ଚିତ୍ତେ ଘେନି ॥
ସର୍ବ ଭୂତରେ ମିତ୍ର ପଣ ।କୋପ ବର୍ଜିତ ସାଧୁ ଗୁଣ ॥
ଅଶେଷ ପୁଣ୍ୟସ୍ଥାନ ଏହି ।ସୁଶୀଳ ବୃତ୍ତିରେ ଜୀଅଁଇ ॥
ପିତୃ ଆଜ୍ଞାରେ ଏ ବ୍ରାହ୍ମଣ ।ଏକକାଳେ ବନେ ଗମନ ॥
ପୁଷ୍ପ ସମିଧ ଫଳ କୁଶେ ।ଘେନି ଆସଇ ମନ ତୋଷେ ॥
ସ୍ତିରୀ ସହିତେ ବନେ ଥିଲା ।କାମୀ ଶୂଦ୍ରାକୁ ଏ ଦେଖିଲା ॥
ମଦ୍ୟ ପାନରେ ରକ୍ତ ନେତ୍ର ।ବିହ୍ୱଳ ହୋଇ ଅଛି ଚିତ୍ତ ॥
ନୀବି ଖସିଛି ମତ୍ତ ଭରେ ।ଶୂଦ୍ରା ଲଜ୍ଜାକୁ କରି ଦୂରେ ॥
ହାସ୍ୟ ଗାୟନ କ୍ରୀଡା ରସ ।ଲୀଳା କରଇ ତାର ପାଶ ॥
ନିଜ ଯୁବତୀ କୁଳ ସ୍ତିରୀ ।ସେ ବିପ୍ର ଶୂଦ୍ରା ଦେଖିକରି ॥
ଇନ୍ଦ୍ରିୟ ବଶେ ଅନୁସରି ।ମନେ ମୋହିତ ହୋଇ କରି ॥
କନ୍ଦର୍ପେ ଲିପ୍ତ ମନ ହୋଇ ।ବାହୁ ଆଲିଙ୍ଗନ କରଇ ॥
ଆପଣା ଆତ୍ମା ସ୍ଥିର କରି ।ମନ ସମର୍ଥ ନ ବିଚାରି ॥
ଯେବେ ସେ ସତ୍ୱ ଗୁଣେ ସ୍ଥିତ ।କନ୍ଦର୍ପେ ହୋଇଛି ପୀଡିତ ॥
ସ୍ତିରୀ ବିଷୟେ ଅଭିରାମ ।କପଟେ ଗୃହେ ହୁଏ କାମ ॥
ଏଣେ ଯନ୍ତ୍ରିତ ମନ ଯାର ।ଅଜ୍ଞାନେ କରି କର୍ମ ଦୂର ॥
ପୀନ ଉରଜେ ମନ ହରେ ।ସ୍ନେହରେ ସ୍ତିରୀ ବିଷୟରେ ॥
ପତି ତୋଷନ୍ତି ହାସ୍ୟ କରି ।ପ୍ରସନ୍ନେ ଏମନ୍ତେ ସୁନ୍ଦରୀ ॥
ନିଜ ଯୁବତୀ କୁଳ ସ୍ଥିତ ।ତେଜିଲା ବିପ୍ର ମନ୍ଦ କୃତ୍ୟ ॥
ସ୍ୱୈରିଣୀ ଅପାଙ୍ଗ କୁଣ୍ଠିତ ।ବୃଦ୍ଧି ହୋଇଲା ତାର ହତ ॥
ଅଧର୍ମ ବୁଦ୍ଧି ସେ ବ୍ରାହ୍ମଣ ।ନିରତେ ବେଶ୍ୟା ପରାୟଣ ॥
ଧର୍ମ ଅଧର୍ମେ ଧନ ଆଣି ।ସନ୍ତୋଷେ କରଇ ସ୍ୱୈରିଣୀ ॥
ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର ।ଶୂଦ୍ରାଣୀ ଋଚି ଅନୁବ୍ରତ ॥
ଗୃହ ସ୍ୱକର୍ମେ ପ୍ରବର୍ତ୍ତିଲା ।ପୂର୍ବରୁ ଧର୍ମ ନାଶ ଗଲା ॥
ଏଣୁ ଏ ପାପୀ ଦ୍ୱିଜେ ନେଇ ।ଯମର ଛାମୁରେ ଦେବଇଁ ॥
ବୋଇଲେ ଜଗନ୍ନାଥ ଦାସ ।ଯମଦୂତେ ବେଗେ ପ୍ରବେଶ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ ବିଷ୍ଣୁ ଦୂତଯମଦୂତ ସମ୍ୱାଦେ ନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚଏମନ୍ତ ଭଗବତ ଦୂତେ ।ଭାଷିତ ହୋଇ ଯମଦୂତେ ॥
ରାଜନ ଶୁଣି ଏ ଅନ୍ତରେ ।ତାହାଙ୍କ ବାକ୍ୟ ଅନୁସାରେ ॥
ସକଳ ଧର୍ମ ସେ ଜାଣନ୍ତି ।ଯମଦୂତଙ୍କୁ ସେ ବୋଲନ୍ତି ॥
ବିଷ୍ଣୁଦୁତା ଉଚୁଃଏ ତ ଅତ୍ୟନ୍ତ ଅଦଭୂତ ।ଦେଖିଲୁ ତୁମ୍ଭର ଚରିତ ॥
ସମଦରଶୀ ସାଧୁଜନେ ।ଅଧର୍ମ ଚରିତ କେସନେ ॥
ଅଦଣ୍ଡ ଅପାପୀ ଯେ ପ୍ରାଣୀ ।ତାହାଙ୍କୁ ବ୍ୟର୍ଥେ ଦଣ୍ଡ ପୁଣି ॥
ପ୍ରଜାମାନଙ୍କ ପିତା ହୋଇ ।ଯେବେ ସେ ପ୍ରଜା ଶାସ୍ତିଦେଇ ॥
ତେବେ ସେ କାହାର ଶରଣ ।ହୋଇବ କହ ହେ କାରଣ ॥
ମହତେ ଯାହା ଆଚରିବେ ।ଇତର ତାହାହିଁ କରିବେ ॥
ସେ ଯାହା ପ୍ରମାଣ କରିବେ ।ଲୋକେ ତଦନୁବର୍ତ୍ତୀ ହେବେ ॥
ଯାହାର ଅଙ୍କେ ଶିର ଦେଇ ।ନିଃଶଙ୍କେ ନିଦ୍ରାକୁ ଭଜଇ ॥
ସେ ଧର୍ମାଧର୍ମ ନ ଜାଣଇ ।ପଶୁ ଯେସନେ ସୁଖେ ଥାଇ ॥
ମିତ୍ର ସ୍ୱଭାବ ଯାର ହୋଇ ।ବିଶ୍ୱାସେ ଆତ୍ମା ସମର୍ପଇ ॥
ବିଶ୍ୱାସେ ସର୍ବ ପ୍ରାଣୀଙ୍କର ।ଦୟା ପୂରିତ ଯା ଶରୀର ॥
ବିଶ୍ୱାସୀ ପ୍ରାଣୀଙ୍କୁ କେମନ୍ତେ ।ହିଂସା କରନ୍ତି ହୃଦଗତେ ॥
କୋଟି ଜନ୍ମର ଶୁଭଫଳ ।କଲା ଏ ଦ୍ୱିଜ ଅଜାମିଳ ॥
ତେଣୁ ଚତୁରାକ୍ଷର ନାମ ।ମୁଖେ ବୋଇଲା ନାରାୟଣ ॥
ତେଣୁ ନାଶିଲା ମନ୍ଦକୃତ୍ୟ ।ହୋଇଲା ସର୍ବ ପାପୁ ମୁକ୍ତ ॥
ଯେ ବ୍ରହ୍ମହତ୍ୟା ମଦ୍ୟପାନ ।ଗୁରୁ ପତ୍ନୀ ଅଭିଗମନ ॥
ମିତ୍ର ବିଷୟେ ଅପରାଧୀ ।ସ୍ତିରୀ ରାଜା ପିତୃ ଗୋବଧୀ ॥
ଏ ଆଦି ପାପ ଯେ ଆଚରେ ।ସର୍ବ ଦୁରିତ ନିଶ୍ଚେଁ ହରେ ॥
ପ୍ରାଶ୍ଚିତ ସର୍ବ ପ୍ରାଣୀଙ୍କର ।ନାମ ଉଚ୍ଚାରଣ ବିଷ୍ଣୁର ॥
ପାପରେ ଗ୍ରସ୍ତ ସେ ନୁହନ୍ତି ।ବିଷ୍ଣୁ ଭୁବନକୁ ଗମନ୍ତି ॥
ଏଣୁ ଏହାକୁ ତୁମ୍ଭେମାନେ ।ତେଜିଣ ଯାଅ ହେ ଭୁବନେ ॥
ଏହାର ଯେତେ ପାପମାନ ।ବସିଣ କଲା ସେ ଦହନ ॥
ଏଣୁ ଏ ଦ୍ୱିଜ ଅଜାମିଳ ।ନିକଟେ ମରଣର କାଳ ॥
ତୁଣ୍ଡେ ଉଚ୍ଚାରି ନାରାୟଣ ।ପ୍ରାଣ ଛାଡ଼ିଲା ତତକ୍ଷଣ ॥
ସଙ୍କେତ ପରିହାସ ବେଳେ ।ଗୀତାଳାପରେ ଯେବା ହେଳେ ॥
ବୈକୁଣ୍ଠ ନାମ ଉଚ୍ଚାରଇ ।ତାର କଳୁଷ ନ ରହଇ ॥
ପତନ ସ୍ପଳନ ଭଗ୍ନରେ ।ନାନା ପ୍ରକାରେ ସେ ସୁମରେ ॥
ତୁଣ୍ଡେ ଉଚ୍ଚାରି ହରି ନାମ ।ତାହାକୁ ନ ଦଣ୍ଡଇ ଯମ ॥
ଅଳ୍ପ ବହୁତ ପାପମାନ ।ପ୍ରାୟଶ୍ଚିତରେ ଯଥାକ୍ରମ ॥
ପାପରୁ ଲଘୁ ଗୁରୁ ଜାଣି ।ମୁନି କହନ୍ତି ପରିମାଣି ॥
ତପସ୍ୟା ଆଦି ଯଜ୍ଞ ସ୍ଥାନେ ।ପାପ ନାଶନ୍ତି ମୁନି ଜନେ ॥
ତାହାଙ୍କ ହୃଦେ ପାପ ନାହିଁ ।ପାଦ ପଙ୍କଜ ନିତ୍ୟେ ଧ୍ୟାୟି ॥
ଜ୍ଞାନ ଅଜ୍ଞାନ ଯେହୁ ପ୍ରାଣୀ ।ସ୍ମରଣେ କରେ ଚକ୍ରପାଣି ॥
ନାମ କରନ୍ତି ସଂକୀର୍ତ୍ତନ ।ପାପକୁ କରନ୍ତି ଦହନ ॥
ଯେସନେ ବହୁ କାଷ୍ଠରାଶି ।ଅନଳ ପ୍ରବେଶେ ବିନାଶି ॥
ଯେମନ୍ତେ ରୋଗ ବଳବନ୍ତ ।ଶରୀରେ ହୋଇ ଉପଗତ ॥
ତେବେ ସେ ଆତ୍ମା ଗୁଣେ ତାର ।ସେ କି ନ କରେ ଉପକାର ॥
ଶ୍ରୀ ଶୁକ ଉବାଚବିଷ୍ଣୁ ଦୂତଙ୍କ ଧର୍ମବାଣୀ ।କୃତାନ୍ତ ଦୂତମାନେ ଶୁଣି ॥
ଅଜାମିଳକୁ ପାଶୁ ଫେଇ ।ମୃତ୍ୟୁରୁ ଦେଲେ ବାହୁଡାଇ ॥
ଯମର ଦୂତମାନେ ଗଲେ ।ଏ ସର୍ବ ଯମକୁ କହିଲେ ॥
ପାପରୁ ମୁକ୍ତ ଅଜାମିଳ ।ଦେହ ଲଭିଲା ତତକାଳ ॥
ବିନାଶ ସର୍ବ ଭୟ ତାର ।ଶିରରେ ଦେଇ ବେନିକର ॥
ବିଷ୍ଣୁଦୂତଙ୍କୁ ନମସ୍କାର ।ଉଲ୍ଲାସ ହୋଇଛି ମନର ॥
ପ୍ରସନ୍ନ ମୁଖ ଦେଖି ତାର ।ଜାଣିଲେ ବିଷ୍ଣୁଙ୍କ କିଙ୍କର ॥
ତକ୍ଷଣେ ହୋଇ ଅନ୍ତର୍ଦ୍ଧାନ ।ତାହାର ନିକଟୁ ରାଜନ ॥
ଏଥୁ ଅନ୍ତରେ ବିପ୍ର ଶୁଣି ।ବିଷ୍ଣୁ ଯମଦୂତଙ୍କ ବାଣୀ ॥
ଧର୍ମ ଭାଗବତର ଶୁଦ୍ଧ ।ଗୁଣର ଆଶ୍ରୟ ତ୍ରିବିଧ ॥
ତକ୍ଷଣେ ଚରଣାର ବିନ୍ଦେ ।ଭକ୍ତି ଲଭିଲା ଅପ୍ରମାଦେ ॥
ହରି ଚରିତ ଉଚ୍ଚାରଣେ ।ପବିତ୍ର ଶୁଭ ସୁମରଣେ ॥
ସନ୍ତାପମାନ ତାର ଗଲା ।ଯେ କ୍ଷଣେ ବିଷ୍ଣୁ ସୁମରିଲା ॥
ଆହା ମୋହର ବଡ କଷ୍ଟ ।ଅଜିତ ଇନ୍ଦ୍ରିୟେ ମୁଁ ନଷ୍ଟ ॥
ସୁକର୍ମ କଲି ମୋର କ୍ଷୀଣ ।ଯେଣୁ ବୃଷଳୀକୁ ଗମନ ॥
ଅଧର୍ମ ଆଚରଣ କରି ।କାଟିଲି ଦିବସ ଶର୍ବରୀ ॥
ଧିକ ମୋହର ମନ୍ଦକୃତ୍ୟ ।କୁଳରେ କଳଙ୍କ ବିଦିତ ॥
ତେଜିଣ ନିଜ ପତ୍ନୀ ସତୀ ।ରମିଲି ମେଳେଛ ଅସତୀ ॥
ବୃଦ୍ଧ ଅନାଥ ପିତାମାତ ।ମୋର ବିହୁନେ ଅରକ୍ଷିତ ॥
ତପସ୍ୱୀରୂପେ ଥାନ୍ତି ବନେ ।ତାହାଙ୍କୁ ତେଜି ଅକାରଣେ ॥
ବିଧି ବିଯୋଗ ଯେତେ କର୍ମ ।ଲଭିବି ନରକ ଦାରୁଣ ॥
ଧର୍ମ ହ୍ରିଂସକ ପ୍ରାଣୀ ଯେହି ।ଯମ ଯାତନା ଲଭେ ସେହି ॥
କି ଏ ସ୍ୱପନେ ଅଦଭୂତେ ।ଯେସନେ ଦେଖିଲି ସାକ୍ଷାତେ ॥
ପାଶ ଦଉଡି ହସ୍ତେ କରି ।ଯେ ମୋତେ ନେଉଥିଲେ ଧରି ॥
ତେଣୁ ଆଶ୍ଚର୍ଯ୍ୟ ବଡ ପଣେ ।କ୍ଷଣକେ ଚାଲିଗଲେ କେଣେ ॥
ଏ ଅନ୍ତେ ସିଦ୍ଧ ଚାରି ଜଣ ।ତାଙ୍କର ରୂପ ମନୋରମ ॥
ପାଶେ ବନ୍ଧନ ମୋତେ କରି ।ନିଅନ୍ତେ ଅଧୋଭୂମି ଧରି ॥
ଛଡାଇ ଦେଲେ ଏହିକ୍ଷଣି ।କ୍ଷଣକେ ଗଲେ କାହିଁ ପୁଣି ॥
ଏ ଅନନ୍ତରେ ସାଧୁଜନ ।ମୋହର ଦେଲେ ଦରଶନ ॥
ଏଣେ ହୋଇଲା ଶୁଭ ଫଳ ।ଯେ ନାମ ପରମ ମଙ୍ଗଳ ॥
ଅଶୁଚି ଦାସୀପତି ମୁହିଁ ।ମୋ ତହୁଁ ପାପୀ ଅଛି କାହିଁ ॥
ମୋହର ମରଣର କାଳେ ।ନାମ କୀର୍ତ୍ତନ ଅବହେଳେ ॥
ଜିହ୍ୱା ମୋ କେମନ୍ତେ ବୋଇଲା ।କଳ୍ପତରୁ କି ଦୟାକଲା ॥
ମୁଁ କାହିଁ ଧୂର୍ତ୍ତ ପାପୀବର ।ବିପ୍ର କୁଳର ଲଜ୍ଜା କର ॥
ବୈକୁଣ୍ଠ ନାମ ଉଚ୍ଚାରଣ ।ସେ ନାମ ପରମ କାରଣ ॥
କେମନ୍ତେ କରିବଇଁ ମୁହିଁ ।ଇନ୍ଦ୍ରିୟ କ୍ଷେତ୍ରେ ମୁଁ ଅଛଇ ॥
ଏମନ୍ତ ମାୟାଭାବ ଛାଡି ।ବ୍ରହ୍ମ ଭାବରେ ଦେହ ବୁଡି ॥
ମୋଚନ କରି ଏ ବନ୍ଧନ ।ଅବିଦ୍ୟା କାମେ ଯାର ମନ ॥
ସର୍ବ ଭୂତରେ ଶାନ୍ତି ହୋଇ ।ଦୟା ବହିବି ଚିତ୍ତେ ମୁହିଁ ॥
ସେ ମାୟା ଗ୍ରସ୍ଥ ମୋର ମନ ।ନିଶ୍ଚୟ କରିବି ମୋଚନ ॥
ଯେଉଁ ମାୟାରେ ମୋହ ମୁହିଁ ।କ୍ରୀଡା କୁରଙ୍ଗପ୍ରାୟ ହୋଇ ॥
ଦେହ ସମ୍ପଦ ମୋର ଯେତେ ।ଅଛଇ ଦମ୍ଭ ଅବିରତେ ॥
ଏହାଙ୍କୁ ତେଜି ଶୁଦ୍ଧ ମନ ।କୃଷ୍ଣ ଚରଣେ ହେଉ ଲୀନ ॥
ଏମନ୍ତେ ହ୍ୱନ୍ତେ ଶୁଦ୍ଧ ଜ୍ଞାନ ।ତେଣୁ ସେ ସାଧୁ ଦରଶନ ॥
ତେଜି ସେ ସକଳ ବନ୍ଧନ ।ଗଙ୍ଗା ଗମନେ ତାର ମନ ॥
ଶ୍ରୀ ଶୁକ ଉବାଚଦେବ ସଦନେ ବିପ୍ର ଯାଇ ।ନିଶ୍ଚଳ ମନେ ଯୋଗଧ୍ୟାଇ ॥
ଇନ୍ଦ୍ରିୟ ନିଗ୍ରହ କରିଣ ।ବ୍ରହ୍ମେ ନିବେଶି ସ୍ଥିର ମନ ॥
ସକଳ ଦ୍ୱନ୍ଦ୍ୱ ପରିହରି ।ସମାଧି ଆତ୍ମଯୋଗ କରି ॥
ପରମ ବ୍ରହ୍ମେ ମନ ଦେଲା ।ମନକୁ ତହିଁ ନିବେଶିଲା ॥
ବ୍ରହ୍ମ ଭଜନେ ମନ ସ୍ଥିର ।ଦେଖିଲା ବିଷ୍ଣୁଙ୍କ ପୟର ॥
ପୂର୍ବେ ଯେ ରୂପ ଦେଖିଥିଲା ।ପୁଣି ଦେଖନ୍ତେ ପ୍ରଣମିଲା ॥
ଗଙ୍ଗାକୁ ଦେଖି ଦ୍ୱିଜବର ।ଛାଡ଼ିଲା ନିଜ କଳେବର ॥
ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟ ।ହୋଇଲା ତାର ନିଜ କାୟ ॥
ବିଷୟ କ୍ଲେଶ ତା ଖଣ୍ଡନ ।ବେଷ୍ଟିତ ହୋଇ ବିଷ୍ଣୁଗଣ ॥
ହେମ ବିମାନ ଆରୋହିଲା ।ତକ୍ଷଣେ ବୈକୁଣ୍ଠକୁ ଗଲା ॥
ଦାସୀର ପତି ଗତି କର୍ମ ।ନଷ୍ପଳ ତାର ନିଜ ଧର୍ମ ॥
ବ୍ରତ ବିହୀନ ଯେଉଁ ନର ।ନରକେ ପଡେ ତା ଶରୀର ॥
ଈଶ୍ୱର ନାମ ଗ୍ରହଣରୁ ।ତତ୍କାଳେ ମୁକ୍ତି ନରକରୁ ॥
ମୋକ୍ଷ ବାଞ୍ଛିତ ନରଙ୍କର ।ତୀର୍ଥ ସେବନ ଶ୍ରେଷ୍ଠ ବର ॥
କର୍ମ ବନ୍ଧନରେ ଛେଦନ ।ଏହାର ସମ ନାହିଁ ଆନ ॥
ଯେ ଜନ ରଜ-ତମେ ଥାଇ ।କର୍ମେ ମଳିନ ନିତ୍ୟେ ହୋଇ ॥
ସେ ପ୍ରାଣୀ ନାରାୟଣ ନାମ ।ଅଶେଷ ପାପର ଖଣ୍ଡନ ॥
ଶୁଣଇ ଶ୍ରଦ୍ଧାଯୁକ୍ତ ହୋଇ ।ବଦନେ କୀର୍ତ୍ତନ କରଇ ॥
ସେ ପ୍ରାଣୀ ନରକେ ନ ଯାଇ ।ଯମ ଯାତନା ତାକୁ ନାହିଁ ॥
ଏଣେ ନିର୍ମଳ ପ୍ରାଣୀ ହୋଇ ।ନିଶ୍ଚିନ୍ତେ ବିଷ୍ଣୁ ଲୋକେ ଯାଇ ॥
ମରଣ କାଳେ ଅଜାମିଳ ।ପୁତ୍ର ଭାବରେ ଆଦିମୂଳ ॥
ନାମକୁ ଆକୁଳେ ଉଚ୍ଚାରି ।ଭବ ସାଗରୁ ହେଲା ପାରି ॥
ସର୍ବ ଦୁଷ୍କୃତ ତାର ଗଲା ।ପରମ ପଦ ସେ ଲଭିଲା ॥
ଶ୍ରଦ୍ଧାରେ ହରି ସ୍ମରେ ଯେବା ।ତାହାର କଥା କି କହିବା ॥
ଶ୍ରୀକୃଷ୍ଣ ନାମର ମହିମା ।ଶୁକ କହିଲେ ତାର ସୀମା ॥
ବୋଇଲେ ଦାସ ଜଗନ୍ନାଥ ।ଷଷ୍ଠ ସ୍କନ୍ଧରେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଅଜାମିଳ ବ୍ରାହ୍ମଣ ଉପାଖ୍ୟାନେଶ୍ରୀକୃଷ୍ଣ ମହିମା ବର୍ଣ୍ଣନେ ନାମ ଦ୍ୱିତୀୟୋଽଧ୍ୟାୟଃ ।
ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ