ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୪ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଅଧ୍ୟାୟ
ଅସୁର କୁଳେ ପୁରୋହିତ ।ସର୍ବଜ୍ଞ ଶୁକ୍ର ଭୃଗୁ ସୁତ ॥
ମୁନିଙ୍କ ପୁତ୍ର ବେନିଭାଇ ।ଷଣ୍ଢ ଅମର୍କ ନାମେ ଦୁଇ ॥
ରାଜା ଆଚାର୍ଯ୍ୟ ତାଙ୍କୁ କଲେ ।ପୁତ୍ରମାନଙ୍କୁ ପଢ଼ାଇଲେ ॥
ରାଜା ମନ୍ଦିରେ ବେନିଭାଇ ।ଦୈତ୍ୟ ପୁତ୍ରଙ୍କୁ ସଙ୍ଗେ ଦେଇ ॥
ଯତ୍ନେ ପଢ଼ାନ୍ତି ଜ୍ଞାନବଳେ ।ସର୍ବେ ପଢ଼ନ୍ତି ଏକମେଳେ ॥
ତାହାଙ୍କ ମଧ୍ୟେ ପ୍ରହଲାଦ ।ସକଳ ଶାସ୍ତ୍ରେ ହେଲେ ସିଦ୍ଧ ॥
ଗୁରୁଙ୍କ ମୁଖୁଁ ଥରେ ଶୁଣି ।ତକ୍ଷଣେ ଚିତ୍ତେ ପରିମାଣି ॥
ଚିତ୍ତ ନିର୍ମଳେ ତାହା ଜାଣେ ।କେବଳ ମନେ ନ ପ୍ରମାଣେ ॥
ବିଚାର କରେ ହୃଦଗତେ ।କେ ରିପୁ ମିତ୍ର ଏ ଜଗତେ ॥
ଏକଇ ଆତ୍ମା ନରହରି ।ସମେ ସକଳ ଦେହେ ପୂରି ॥
ଏକଥା ନୁହଇ ପ୍ରମାଣ ।ସକଳ ଆତ୍ମା ନାରାୟଣ ॥
ଯେ ପାଠପଢ଼େ ବ୍ୟାଖ୍ୟା ମତେ ।ଦୃଢ଼େ ନ ଧରେ ହୃଦଗତେ ॥
ଦିନେକ ପ୍ରହଲାଦ ଆଣି ।କୋଳେ ବସାଇ ନୃପମଣି ॥
ଅନେକ ଅଳଙ୍କାର ଦେଇ ।ସାନନ୍ଦେ ପୁତ୍ରକୁ ପୁଚ୍ଛଇ ॥
ହିରଣ୍ୟକଶିପୁ ଉବାଚହେ ପୁତ୍ର ଶୁଣ ବାକ୍ୟ ମୋର ।ପଢ଼ିଲୁ ରାଜନୀତି ସାର ॥
ତୁ ଯାହା ଗୁରୁମୁଖେ ଶୁଣୁ ।ତାହା ସୁଚିତ୍ତେ ନ ପ୍ରମାଣୁ ॥
ମୁହିଁ ଶୁଣିଲି ଭଲେ ଏହା ।କହ ତୁ ସାଧୁ ମଣୁ ଯାହା ॥
ଯେ ରାଜନୀତି ଚିତ୍ତେ ଧରେ ।କେବେହେ ଶତ୍ରୁକୁ ନ ଡରେ ॥
ସଂଗ୍ରାମେ ରିପୁ ଜୟ କଲେ ।ସେ ରାଜାସୁଖ ଭୁଞ୍ଜେ ଭଲେ ॥
ବିଦ୍ୟା ପଢ଼ିଲୁ ଏତେ କାଳ ।ଭଲ କି ମଣୁ ମୋତେ ବୋଲ ॥
ପିତା ବଚନ ପୁତ୍ର ଶୁଣି ।କହେ ନିବେଶି ଶିରେ ପାଣି ॥
ପ୍ରହ୍ଲାଦ ଉବାଚଯେ ସାଧୁ ଶାସ୍ତ୍ରେ ମୋର ଚିତ୍ତ ।ଶୁଣ କହିବା ତୋ ଅଗ୍ରତ ॥
ମୁହିଁ ମୋହର ଏ ସଂସାରେ ।ଯେ ପ୍ରାଣୀ ଚିତ୍ତେ ନିତ୍ୟ କରେ ॥
ଦେଖ ଏ ଗୃହେ ଅନ୍ଧକୂପ ।ଆତ୍ମା ନିପାତ ମହାତାପ ॥
ଏହାକୁ ଦୂରେ ପରିହର ।ଅରଣ୍ୟେ ବିଷ୍ଣୁ ଆଶ୍ରାକର ॥
ସାଧୁ ମଣଇ ଏହା ଚିତ୍ତେ ।ସତ୍ୟ କହିଲି ତୋ ଅଗ୍ରତେ ॥
ନାରଦ ଉବାଚଏମନ୍ତେ ପୁତ୍ର ବାକ୍ୟ ଶୁଣି ।ଶତ୍ରୁର ପକ୍ଷ ପ୍ରାୟେ ମଣି ॥
ସଧୀରେ ହସି ସେ କହିଲା ।ବାଳକେ ଏ ବୁଦ୍ଧି କେ ଦେଲା ॥
ଏପରି ପର ବୁଦ୍ଧି ବଳେ ।ନଷ୍ଟ ହୁଅନ୍ତି ସର୍ବକାଳେ ॥
ଏହାର ବୁଦ୍ଧି କେ ହରିଲା ।ଏ ମୋର ଶତ୍ରୁକୁ ଭଜିଲା ॥
କୋପେ ବାଳକ ତଳେ ଥୋଇ ।ବୋଲେ ସେବକ ମୁଖ ଚାହିଁ ॥
ଗୁରୁଙ୍କ ଘରେ ନେଇ ଦିଅ ।ଏ କଥା ଗୁରୁ ଆଗେ କହ ॥
ଏ ମୋର ବାଳକର ମନ ।ରିପୁ ବିଷୟେ କିମ୍ପା ଛନ୍ନ ॥
ଏହାର ବୁଦ୍ଧି ବିଷ୍ଣୁ ପକ୍ଷେ ।ଯେମନ୍ତେ ନ ଭଜେ ପ୍ରତ୍ୟକ୍ଷେ ॥
ରାଜାର ଆଜ୍ଞା ଭୃତ୍ୟ ପାଇ ।ବାଳକ ଗୁରୁଦ୍ୱାରେ ନେଇ ॥
ବ୍ରାହ୍ମଣ ଗୋଷ୍ଠୀ ମଧ୍ୟେ କଲା ।ରାଜା ବଚନ ଜଣାଇଲା ॥
ଶୁଣିଣ ତା ବିପ୍ର ଉଦବେଗେ ।ବୋଲନ୍ତି ପ୍ରହ୍ଲାଦର ଆଗେ ॥
ସାଧୁ ବଚନ ବାକ୍ୟ ମତେ ।କହନ୍ତି ହସ୍ତ ଧରି ହସ୍ତେ ॥
ହେ ବତ୍ସ ପ୍ରହଲାଦ ଶୁଣ ।ସର୍ବଦା ହେଉ ତୋ କଲ୍ୟାଣ ॥
ଆମ୍ଭଙ୍କୁ ଲାଗିଲା ସନ୍ଦେହ ।ମିଥ୍ୟାକୁ ଛାଡ଼ି ସତ୍ୟ କହ ॥
ବାଳକ ବୁଦ୍ଧି ତୋ ନ ଦେଖି ।ଅଦ୍ଭୁତ ପ୍ରାୟେ ଉପଲକ୍ଷି ॥
ତୋହର ବୁଦ୍ଧି କେ ହରିଲା ।ଶତ୍ରୁ ଭଜନେ ଶିକ୍ଷା ଦେଲା ॥
କିବା ଏ ସ୍ୱଭାବ ତୋହର ।ଆମ୍ଭଙ୍କୁ ଲାଗେ ଆଗୋଚର ॥
କହ କେ ତୋତେଦେଲା ଶିକ୍ଷା ।ଆମ୍ଭେ ଶ୍ରବଣ କରୁ ଇଚ୍ଛା ॥
ପ୍ରହ୍ଲାଦ ଉବାଚଯାହାର ମାୟାବଳେ ଜନ ।ସଂସାର ବୃଦ୍ଧି କରେ ଛିନ୍ନ ॥
ଯାହାର ନାହିଁ ପରାପର ।ତାହାକୁ ମୋର ନମସ୍କାର ॥
ଯାହାର ଆଜ୍ଞା ପରମାଣେ ।ପ୍ରାଣୀ ସୁବୁଦ୍ଧି ପରିମାଣେ ॥
ସେ ସର୍ବ ଆତ୍ମା ଯୋଗେଶ୍ୱର ।ତାହାର ନାହିଁ ଆତ୍ମାପର ॥
ବାସନା ବଳେ ସର୍ବ ଜନ୍ତୁ ।ଭୁଞ୍ଜନ୍ତି ପରାପର ହେତୁ ॥
ବ୍ରହ୍ମାଦି ଦେବହି ସରବେ ।ବିମୁଗ୍ଧ ହୋନ୍ତି ଯାର ଭାବେ ॥
ସେ ମୋର ମତି ଭିନ୍ନ କଲା ।ପର ଅପର ନ କହିଲା ॥
ଯେସନେ ଚୁମ୍ବନ ଦର୍ଶନେ ।ଲୋହ ଭ୍ରମଇ ଆକର୍ଷଣେ ॥
ମୋହର ମତ ସେହିମତେ ।ଭ୍ରମଇ ବିଷ୍ଣୁର ଆୟତ ॥
ପ୍ରହ୍ଲାଦ ଉବାଚଗୁରୁଙ୍କୁ କହି ଏ ବଚନ ।ପ୍ରହ୍ଲାଦ ହୋଇଲା ମଉନ ॥
ବାଳକ ବାଣୀ ଶୁଣି କର୍ଣ୍ଣେ ।କୋପ ବସିଲା ଗୁରୁମନେ ॥
ସମୀପେ ଅଛି ରାଜଲୋକ ।ଗୁରୁହିଁ ରାଜାର ସେବକ ॥
କୋପେ କମ୍ପିଲା ବାକ୍ୟ ଶୁଣି ।ତକ୍ଷଣେ ଘରୁ ବେତ ଆଣି ॥
ରାଜାର ବଂଶେ ଦୁରାଚାର ।ନିଶ୍ଚେ ଜନ୍ମିଲା କୁଳାଙ୍ଗାର ॥
ଦୁର୍ବୁଦ୍ଧି ପଣ ଏ ବାଳକ ।ଏହାକୁ ଦଣ୍ଡେ ହେଁ ନ ରଖ ॥
ଚନ୍ଦନ ବନେ କଣ୍ଟା ବୃକ୍ଷ ।ଜନ୍ମିଲା ଦେଖ ଏ ପ୍ରତ୍ୟକ୍ଷ ॥
ଚନ୍ଦନ ବୃକ୍ଷ କ୍ଷୟକାରୀ ।କଣ୍ଟକ ବୃକ୍ଷ ସର୍ବ ମାରି ॥
କଣ୍ଟକ ଥିଲେ ନିତ୍ୟେ ଡରି ।ନିର୍ଭୟେ ଭୋଗ ନୁହେଁ କରି ॥
ଚନ୍ଦନ ବନ ଉନ୍ମୀଳନେ ।ଶ୍ରୀବିଷ୍ଣୁ କୁଠାରୁ ସମାନେ ॥
ସେ ବିଷ୍ଣୁ ଏହୁ ନିତ୍ୟେ ଧ୍ୟାୟି ।ଏ ଥିଲେ ଆମ୍ଭ ଭଲ କାହିଁ ॥
ଏମନ୍ତ ଦେଖାଇଲେ ଭୟେ ।ତର୍ଜିଲେ ବିବିଧ ଉପାୟ ॥
ପୁଣି ଆଶ୍ୱାସ ତାକୁ କରି ।ଗୁରୁ ପଢ଼ାନ୍ତି ହସ୍ତ ଧରି ॥
ଯେ ଧର୍ମ ଅର୍ଥ କାମ ଫଳେ ।ସେ ବିଦ୍ୟା ପଢ଼ାଇଲେ ବଳେ ॥
ମୋକ୍ଷହିଁ ଅଛି ତାର ତହିଁ ।ଏମନ୍ତ ବାଳକେ ପଢ଼ାଇ ॥
ମାତାଙ୍କ ଆଗେ ନେଇ ଦେଲେ ।ସେ ତାକୁ ଅଳଙ୍କୁତ କଲେ ॥
ରାଜା ସମୀପେ ଦେଲେ ନେଇ ।ତା ଦେଖି ରାଜା ତୋଷହୋଇ ॥
ଚରଣ ତଳେ ପୁତ୍ର ଚାହିଁ ।ତକ୍ଷଣେ କୋଳ କଲା ନେଇ ॥
କଲ୍ୟାଣ କରି କୋଳେ ରଖି ।ସ୍ନେହେ ଲୋତକ ବେନି ଆଖି ॥
ପ୍ରସନ୍ନ ବଦନେ ଅନାଇ ।ସଧୀରେ ପୁତ୍ରକୁ ବୋଲଇ ॥
ହିରଣ୍ୟକଶିପୁ ଉବାଚହେ ପୁତ୍ର ଶୁଣ ମୋ ବଚନ ।ଗୁରୁଙ୍କ ଗୃହେ ଏତେ ଦିନ ॥
ତୁ ଯେ ପଢ଼ିଲୁ ବାଳଭାବେ ।ମୋର ସମ୍ମୁଖେ କହ ଏବେ ॥
ଉତ୍ତମ ବିଦ୍ୟା ମୋତେ କହ ।ମୋ ମନେ ନ ରହୁ ସନ୍ଦେହ ॥
ପ୍ରହ୍ଲାଦ ଉବାଚଶୁଣ ହୋ ତାତ ମନ ଦେଇ ।ଯେ ବିଦ୍ୟା ଉତ୍ତମ ମଣଇ ॥
କୃଷ୍ଣର ଶ୍ରବଣ କୀର୍ତ୍ତନ ।ସ୍ମରଣ ଚରଣେ ସେବନ ॥
କରିବ ତାଙ୍କୁ ପୂଜା ସ୍ତବ ।ସଙ୍ଗତେ ଦାସ ପଣେ ଥିବା ॥
ସଖ୍ୟ ଭାବରେ ନେବ ଦିନ ।କରିବ ଆତ୍ମା ସମର୍ପଣ ॥
ଏଭାବେ ଚିତ୍ତ ସମର୍ପିବ ।ଯେ ଶାସ୍ତ୍ର କହେ ଏତେ ଭାବ ॥
ତାହା ମୁଁ ଉତ୍ତମ ମଣଇ ।କହିଲି ତୋର ପାଶେ ମୁହିଁ ॥
ଏ ନବ ଲକ୍ଷଣ ଭକତି ।ଯେ ନର ଗୋବିନ୍ଦେ କରନ୍ତି ॥
ଉତ୍ତମ ବିଦ୍ୟା ବୋଲି ତାହା ।ଯେଣେ ନ ଲାଗେ ବିଷ୍ଣୁ ମାୟା ॥
ଏମନ୍ତ ପୁତ୍ର ମୁଖୁ ଶୁଣି ।କୋପେ ଉଠିଲା ଶିର ଝୁଣି ॥
ଆରକ୍ତ ବେନି ଚକ୍ଷୁ ତାର ।ପ୍ରଚଣ୍ଡ କମ୍ପଇ ଅଧର ॥
ଗୁରୁ ପୁତ୍ରଙ୍କ ମୁଖ ଚାହିଁ ।ବୋଲଇ କୋପଭର ହୋଇ ॥
ହିରଣ୍ୟକଶିପୁ ଉବାଚତୁ ବ୍ରହ୍ମବଂଶୀ ଗୁରୁ ସୁତ ।ଏ କି ତୋହର ବିପରୀତ ॥
ବିପକ୍ଷ ଶ୍ରୁତି କଥା ଯେତେ ।ଏ ଶିକ୍ଷା ଦେଲୁ ତୁ କେମନ୍ତେ ॥
ଅସାର ବିଦ୍ୟା ଶିଖାଇଲୁ ।ତୁ ତ ଅବଜ୍ଞା ମୋତେ କଲୁ ॥
ଅସାଧୁ ଲୋକ ଏ ସଂସାରେ ।ରୋଗ ଯେସନେ କଳେବରେ ॥
ଯେ ପ୍ରାଣୀ ବ୍ରହ୍ମହତ୍ୟା ପରେ ।ସେ କ୍ଷୟ ବ୍ୟାଧି ଜନ୍ମାନ୍ତରେ ॥
ସେ ନିତ୍ୟ ମଦ୍ୟପାନ କରେ ।ବିକଟ ଦନ୍ତ ତା ଅଧରେ ॥
ସୁବର୍ଣ୍ଣ ହରିଥାଇ ଯେବେ ।ସେ କୁଳ କ୍ଷୟ ଦୋଷ ଲଭେ ॥
ଗୁରୁ କାମିନୀ ଯେହୁ ରତେ ।ଧବଳ ହୋଇ ବେନି ହସ୍ତେ ॥
ଏମନ୍ତ ଅସୁର ବଚନେ ।କହନ୍ତି ଗୁରୁଙ୍କ ନନ୍ଦନେ ॥
ଗୁରୁପୁତ୍ର ଉବାଚଏ ଶିକ୍ଷା ଦେଇନାହିଁ ମୁହିଁ ।ଅନ୍ୟ ବା ପଢ଼ାଇବି କାହିଁ ॥
ତୋହର ପୁତ୍ରର ସ୍ୱଭାବ ।ଜାଣି ତୁ ଚିନ୍ତୁ ପରାଭବ ॥
ଏମନ୍ତେ ଗୁରୁ ବାକ୍ୟ ଶୁଣି ।ସନ୍ଦେହ ମନେ ପରିମାଣି ॥
ପୁତ୍ରକୁ ଚାହିଁ କୋପଭରେ ।ବୋଲଇ କର୍କଶ ବାକ୍ୟରେ ॥
ଏ ବିଦ୍ୟା ଗୁରୁ ବାକ୍ୟ ନୁହେଁ ।କେ ଅବା ତୋର ଚିତ୍ତମୋହେ ॥
ପ୍ରହ୍ଲାଦ ଉବାଚଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର ।ମତିର ଗତି ଚକ୍ରଧର ॥
ଯେ ପ୍ରାଣୀ ଗୃହେ ବାସ କରେ ।ତା ମତି ବିଷ୍ଣୁଙ୍କୁ ନ ସ୍ମରେ ॥
ଗୁରୁ ବଚନ କି କରିବ ।ଯାହାର ଯେମନ୍ତ ସ୍ୱଭାବ ॥
ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ ।ଗୃହସ୍ଥ ପଡ଼େ ରସାତଳେ ॥
କୁଳ ବେଭାରେ ବଶ ହୋଇ ।ଚବ୍ୟ ଚର୍ବଣ ଯେ ଲଭଇ ॥
ତାହାଙ୍କ ମତି କୃଷ୍ଣ ଭାବେ ।କେବେହେଁ ନୋହେ ଶୁଦ୍ଧଭାବେ ॥
ଯେ ପ୍ରାଣୀ ଦୁରାଶୟ ପଣେ ।ଅନର୍ଥ ଅର୍ଥ ପ୍ରାୟ ମଣେ ॥
ସେ କାହିଁ ବିଷ୍ଣୁଙ୍କୁ ଜାଣିବ ।ଯେ ବ୍ରହ୍ମା ଶଙ୍କରେ ଦୁର୍ଲ୍ଲଭ ॥
ତାହାର ମତି ଅର୍ଥ ତହିଁ ।ପ୍ରାଣୀ ଲଭିବ ତାକୁ କାହିଁ ॥
ଅନ୍ଧକୁ ଅନ୍ଧ ଯେବେ ବହେ ।ଈଶ୍ୱର ତତ୍ତ୍ୱ ଯେହ୍ନେ କହେ ॥
ଏମନ୍ତ ପ୍ରାଣୀଙ୍କ ସ୍ୱଭାବ ।କେମନ୍ତେ କୃଷ୍ଣଙ୍କୁ ସେବିବ ॥
ବିଷ୍ଣୁ ଚରଣ ପଦ୍ମ ଦୁଇ ।ଏ ଜନ୍ମେ ଲଭି ନ ପାରଇ ॥
ଯାହାଙ୍କ ଚରଣାରବିନ୍ଦ ।ସେବି ନ ପାରି ସୁରବୃନ୍ଦ ॥
ବିଷ୍ଣୁ ଭକତ ପାଦ ଧୂଳି ।ଶିରେ ନ ବେଳେ ହସ୍ତେ ତୋଳି ॥
ସନ୍ଥ ଚରଣେ ଇଚ୍ଛା ନାହିଁ ।ହରିଙ୍କୁ ଲଭିବ ସେ କାହିଁ ॥
ଏମନ୍ତ କହି ଦୈତ୍ୟବଳା ।ମଉନ ହୋଇଣ ରହିଲା ॥
ଶୁଣି ଅସୁର କୋପାନଳେ ।କୋଳରୁ ପକାଇଲେ ତଳେ ॥
କୋପେ ଅରୁଣ ଚକ୍ଷୁକଲା ।ଅସୁର ଗଣେ ଆଜ୍ଞା ଦେଲା ॥
ହିରଣ୍ୟକଶିପୁ ଉବାଚଦେଖ ହେ ନଇରତ ଗଣ ।ମୋର ପୁତ୍ରର ଦୃଷ୍ଟପଣ ॥
ମରଣ ଅର୍ଜ୍ଜିଲା ବେଭାରେ ।ଏହାକୁ ରାଜ୍ୟୁ କର ଦୂରେ ॥
ମୋର ଅନୁଜ ନାଶକାରୀ ।ସେ ବିଷ୍ଣୁ ବଇରୀ ମୋହରି ॥
ତାହାର ପକ୍ଷ ଏ ହୋଇଲା ।ନିଜ ସମ୍ପଦ ଉପେକ୍ଷିଲା ॥
ବିଷ୍ଣୁର ଦାସପଣେ ରହେ ।କେ ପ୍ରାଣ ଥାଇ ଏହା ସହେ ॥
ଶତ୍ରୁ ଆଶ୍ରିତ ଏ କୁମର ।ନିଶ୍ଚେ କରିବ ଅପକାର ॥
ଏ ପଞ୍ଚ ବରଷର ସୁତ ।ପିତା ମାତାରେ ଅଭକତ ॥
ପରର ପୁତ୍ର ହୋଇ ଯେବେ ।ଆତ୍ମାର ହିତ ଅନୁଭବେ ॥
ତାହାକୁ ବୋଲି ନିଜ ସୁତ ।ରୋଗୀକୁ ଔଷଧ ଯେମନ୍ତ ॥
ଆମ୍ଭର ତହୁଁ ଜନ୍ମ ହୋଇ ।ପରର ହିତେ ଯେବେ ଥାଇ ॥
ବ୍ୟାଧିର ପ୍ରାୟ ଜନ୍ମ ତାର ।ସେ ମଲେ ଆତ୍ମାର ନିସ୍ତାର ॥
ଯେ ଅଙ୍ଗେ ସର୍ପାଘାତ କରେ ।ସେ ଅଙ୍ଗ ଦୋଷେ ପ୍ରାଣୀ ମରେ ॥
ସେ ଅଙ୍ଗ ଛେଦି ପକାଇଲେ ।ଦେହେ ଜୀବନ ରହେ ଭଲେ ॥
ଯେ ହିତ କରେ ପର ହୋଇ ।ତା ତହୁଁ ବନ୍ଧୁ ଅନ୍ୟ ନାହିଁ ॥
ବନ୍ଧୁ ଅହିତ ଚିତ୍ତ ଯେବେ ।ତାହାକୁ ଲେଖି ଶତ୍ରୁଭାବେ ॥
ଦେହରୁ ବ୍ୟାଧି ଜନ୍ମ ହୋଇ ।ଆତ୍ମା ସହିତେ ସଂହାରଇ ॥
ଅରଣ୍ୟୁ ମହୌଷଧି ଆଣି ।ରୋଗ ସଙ୍କଟୁ ତରେ ପ୍ରାଣୀ ॥
ପର ଅପର ଏ ବିଚାର ।କେ ରିପୁ ଅବା ଆପଣାର ॥
ସୁହୃଦ ହୋଇ ଶତ୍ରୁ ପଣେ ।ପାପ ଚିନ୍ତଇ ଅନୁକ୍ଷଣେ ॥
ନାନା ଉପାୟ ତାକୁ ମାରି ।ସେ ମଲେ ସୁଖେ ପ୍ରାଣ ଧରି ॥
ଯୋଗୀଙ୍କ ଯୋଗଧ୍ୟାନ କାଳେ ।ଦୁଷ୍ଟ ଇନ୍ଦ୍ରିୟ ଯେତେବେଳେ ॥
ତାହାକୁ କରେ ସେହୁ ସାଧ୍ୟ ।ସୁଖେ ଲଭଇ ବ୍ରହ୍ମପଦ ॥
ଏ ମିତ୍ର ବେଶଧାରୀ ପର ।ଏହାକୁ ବେଗେ ବଧକର ॥
ଭୋଜନ ଶୟନ ଆସନେ ।ଉପାୟ କର ତା ପ୍ରମାଣେ ॥
ଏମନ୍ତେ ରାଜା ଆଜ୍ଞା ପାଇ ।ଅସୁରେ ଶସ୍ତ୍ର ଘେନି ଧାଇଁ ॥
ବାଳକ ନାଶ ମନେ ଚିନ୍ତି ।ଶୂଳ ଅନ୍ତରୀକ୍ଷେ ବୁଲାନ୍ତି ॥
ସୁଦୀର୍ଘ ଦିଶେ ଦନ୍ତପନ୍ତି ।କରାଳ ବଦନେ ଚାହାନ୍ତି ॥
ତମ୍ବାର ବର୍ଣ୍ଣ ପ୍ରାୟେ ଦାଢ଼ି ।ଶିରେ ପିଙ୍ଗଳା ଜଟା ବେଢ଼ି ॥
ନାଚନ୍ତି ଭଇରବ ନାଦେ ।ଅସୁର ଛନ୍ଦି ପାଦ ପାଦେ ॥
ଶୂଳ ବୁଲାଇ ଅନ୍ତରୀକ୍ଷେ ।ବାଳକ ଉପରେ ପ୍ରତ୍ୟକ୍ଷେ ॥
ତା ଦେଖି ଅସୁର କୁମର ।ମନେ ଚିନ୍ତଇ ଚକ୍ରଧର ॥
ଗୋବିନ୍ଦ ପାଦେ ଚିତ୍ତ ଦେଇ ।ବୋଲଇ ଅସୁରଙ୍କୁ ଚାହିଁ ॥
ତୁମ୍ଭର ଦେହେ ଯେବେ ହରି ।ଆତ୍ମା ସ୍ୱରୂପେ ଛନ୍ତି ପୂରି ॥
ସକଳ ଶସ୍ତ୍ରେ ହରି ଯେବେ ।ଘଟନ ଅଛି ଆତ୍ମା ଭାବେ ॥
ଏ କଥା ସତ୍ୟ ଯେବେ ହୁଏ ।ଶସ୍ତ୍ର ନ କାଟୁ ମୋର ଦେହେ ॥
ଶୁଣି ଅସୁର କୋପ କଲେ ।ଅନେକ ଶସ୍ତ୍ର ପ୍ରହାରିଲେ ॥
ପ୍ରହଲାଦର ଦେହେ ବାଜି ।ତକ୍ଷଣେ ଶସ୍ତ୍ରେ ଗଲେ ଭାଜି ॥
ଅପୁଣ୍ୟବନ୍ତ ପ୍ରାଣୀ ଦେହେ ।ସାତ୍ତ୍ୱିକ ଫଳ ଯେହ୍ନେ ନୋହେ ॥
ଅଦ୍ଭୁତ କର୍ମ ତାର ଦେଖି ।ତକ୍ଷଣେ ଆସନ ଉପେକ୍ଷି ॥
ଭିତରେ ଗମିଲା ଅସୁର ।ଭୟେ କମ୍ପିଲା ତା ଶରୀର ॥
ମନ୍ତ୍ରୀ ସଙ୍ଗତେ ବିଚାରିଲା ।ନିର୍ବନ୍ଧେ ମରଣ ଚିନ୍ତିଲା ॥
ଅଇରାବତ ଆଦି ଗଜେ ।ତାହାକୁ ଅଣାଇଲା ତେଜେ ॥
ବୋଲଇ ଦନ୍ତାଘାତ କର ।ଯେମନ୍ତେ ମରଇ କୁମର ॥
ଶୁଣି ଅନେକ ହସ୍ତୀତୁଲେ ।ବାଳକ ନିକଟେ ମିଳିଲେ ॥
ହସ୍ତୀଙ୍କି ଚାହିଁ ଦୈତ୍ୟବଳା ।ଅନ୍ତରେ ବିଷ୍ଣୁ ସୁମରିଲା ॥
ମହା କ୍ରୋଧରେ ଗଜବରେ ।ନିଷ୍ଠୁର ଦନ୍ତର ଅଗ୍ରରେ ॥
ନିର୍ଘାତେ କରନ୍ତେ ପ୍ରହାର ।ସକଳ ଦନ୍ତ ହେଲା ଚୂର ॥
ଭୟ ଭାଜିଲେ ହସ୍ତୀବଳ ।ଦେଖି ଅସୁର କୋପାନଳ ॥
ତକ୍ଷକ ଆଦି ଅଷ୍ଟନାଗେ ।ଥିଲେ ଯେ ଅନ୍ତରୀକ୍ଷ ମାର୍ଗେ ॥
ତାହାଙ୍କୁ ରାଇ ନୃପବର ।ନିଷ୍ଠୁରେ ବୋଇଲା ଉତ୍ତର ॥
ଏ କୁଳଅଙ୍ଗାରକୁ ମାର ।ଏହାର ପ୍ରାଣ ବେଗେ ହର ॥
ନାଗଙ୍କୁ ଦେଖି ପ୍ରହଲାଦ ।ଚିତ୍ତେ ଚିନ୍ତିଲା ବିଷ୍ଣୁପାଦ ॥
ତକ୍ଷଣେ ନାଗ କୋପେ ଗଲେ ।ବାଳକ ଶରୀରେ ଦଂଶିଲେ ॥
ବଦନେ ବିଷ ନ ଭେଦିଲା ।ନାଗଙ୍କ ଫଣା ବଥାଇଲା ॥
ନାଗ ପଳାଇ ଗଲେ ବେଗେ ।ଜୀବନ ଭୟେ ଦଶ ଦିଗେ ॥
ପୁଣି ସେ କୃତ୍ୟା ହୋମ କଲା ।ପର୍ବତ ଶିଖୁ କଚାଡ଼ିଲା ॥
ସାଗର ଜଳେ ବୁଡ଼ାଇଲା ।କେବେହେଁ ତା ପ୍ରାଣ ନ ଗଲା ॥
ବନ୍ଧନ କରେ ପ୍ରତିଦିନେ ।ମରିବ ବୋଲଇ ଯେସନେ ॥
କେତେହେଁ ଦିନ ଅଭୋଜନେ ।ବଞ୍ଚିଲା ଅସୁର ନନ୍ଦନେ ॥
ହିମ ପବନ ଅଗ୍ନିଜଳେ ।କଷଣ ଦେଲା କୋପାନଳେ ॥
ନାନା ପ୍ରକାର କଷ୍ଟ ଦେଲା ।କେବେହେଁ ବାଳକ ନ ମଲା ॥
ସ୍ୱଭାବେ ପାପ ତାର ନାହିଁ ।ଦଣ୍ଡ ବାଧିବ ତାକୁ କାହିଁ ॥
କେବେହେଁ ମାରି ନ ପାରିଲା ।ଚିନ୍ତା ସାଗରେ ନିମଜ୍ଜିଲା ॥
ଜାଗ୍ରତ ସ୍ୱପ୍ନ ପ୍ରାୟ ହୋଇ ।କେବେହେଁ ଶାନ୍ତି ନ ଭଜଇ ॥
ଦେଖ ଏ ବାଳକ ବିଷୟେ ।କେତେ ନ ଚିନ୍ତଇ ଉପାୟେ ॥
ସାଧୁ ବିଷୟେ ଦ୍ରୋହ କଲେ ।କେବା ସଂସାରେ ଥିବେ ଭଲେ ॥
ଏ ମୋର ଶତ୍ରୁ ପକ୍ଷ ହୋଇ ।କେବେହେଁ ଚିତ୍ତେ ନ ଡରଇ ॥
କଷଣ ଦେଲି ଯେତେ ମୁହିଁ ।ସେ ତ ତାହାର ଚିତ୍ତେନାହିଁ ॥
ସୁଜନ ଜନ ପ୍ରାୟ ସହେ ।କି ଆଉ କିରିବି ଉପାୟେ ॥
ମହାନୁଭବ ଏ କୁମର ।ମନ ବଚନ ଆଗୋଚର ॥
ନିର୍ଭୟେ ଏତେ ଦୁଃଖ ସହେ ।ଏଣୁ ମୋ ଚିତ୍ତେ ମହାଭୟେ ॥
ଏହାର ସଙ୍ଗେ ବାଦ କଲେ ।ପ୍ରାଣ ମୁଁ ନ ଧରିବି ଭଲେ ॥
ଏମନ୍ତ ଭାଳି ମନ ଦୁଃଖେ ।ଦଣ୍ଡେ ରହିଲା ଅଧୋମୁଖେ ॥
ଗୁରୁ କୁମର ତାହା ଶୁଣି ।ଅସୁର ମୁଖ ଚାହିଁ ଭଣି ॥
ଗୁରୁପୁତ୍ର ଉବାଚଶୁଣ ହେ ନୃପ ଚୂଡ଼ାମଣି ।ତପେ ତୁ ତ୍ରିଭୁବନ ଜିଣି ॥
ଆତ୍ମା ସୁଖରେ ଭୋଗ କରୁ ।ଯେହ୍ନେ ଅଚଳ ମହାମେରୁ ॥
ତୋହର ରିପୁ ଏ ସଂସାରେ ।ନ ଦେଖି ଶରୀର ବେଭାରେ ॥
ଏ ବାଳ କୁମର ତୋହର ।ଏହାକୁ କିପାଁ ତୋର ଡର ॥
ଏ ଶିଶୁ ବୁଦ୍ଧି ଛାଡ଼ି ନାହିଁ ।ସଂଶୟ କରୁ କାହିଁପାଇଁ ॥
ଯେବେ ସଂଶୟ ତୋର ମନେ ।କହିବା ଶୁଣ ସାବଧାନେ ॥
ତାହାକୁ ବରୁଣ ପାଶେ ।ବନ୍ଧନ କର ତୁ ବିଶ୍ୱାସେ ॥
ନିକଟେ ରଖ ତୋ ଆୟତେ ।ଭୟ ନ ଲାଗୁ ତୋର ଚିତ୍ତେ ॥
ବାଳୁତ ଦଶା ଏ ଛାଡ଼ିଲେ ।ସୁବୁଦ୍ଧି ପ୍ରକାଶିବ ଭଲେ ॥
ଏ କଥା କର ଆମ୍ଭମତେ ।ତୋ ପାଶେ ଥାଉ ଅନୁବ୍ରତେ ॥
ତାବତ ଥାଉ ଏହି ମତେ ।ସନ୍ଦେହ ନ କର ତୁ ଚିତ୍ତେ ॥
ଗୁରୁ ପୁତ୍ରଙ୍କ ବାକ୍ୟ ଶୁଣି ।ସନ୍ତୋଷେ କହେ ନୃପମଣି ॥
ହିରଣ୍ୟକଶିପୁ ଉବାଚଶୁଣ ହେ ଗୁରୁଙ୍କ କୁମର ।ଏବେ ମୋହର ବୋଲ କର ॥
ଗୃହସ୍ଥ ଧର୍ମେ ଧର୍ମ ଯେତେ ।ରାଜାଙ୍କ ଧର୍ମ ନୀତି ଯୁକ୍ତେ ॥
ତ୍ରିବର୍ଗ ଧର୍ମ ଅର୍ଥ କାମ ।ଯେମନ୍ତେ ପଢ଼େ ଅନୁକ୍ରମ ॥
ଏମନ୍ତ ରାଜାର ବଚନେ ।ପ୍ରହ୍ଲାଦେ ଗୁରୁ ବେନିଜନେ ॥
ଅନେକ ଯତନେ କହିଲେ ।ଅସୁର କୁମାରଙ୍କ ତୁଲେ ॥
ଗୁରୁଙ୍କ ମୁଖୁ ଯେତେ ଶୁଣେ ।ଅନ୍ତରେ ସାଧୁତା ନ ମଣେ ॥
ଗୃହସ୍ଥ ଧର୍ମର ବ୍ୟବସ୍ଥା ।ଆତ୍ମାର ନିପାତ ଏ କଥା ॥
ଏ ଧର୍ମେ ମୋହ ହୁଏ ଜନ ।ଏଣେ କି ମୋର ପ୍ରୟୋଜନ ॥
ଏମନ୍ତ କରେ ବିଚାରଣ ।ଏବେ ହୋ ଧର୍ମସୁତ ଶୁଣ ॥
ନାରଦ ଉବାଚପଢ଼ଇ ବାଳକଙ୍କ ମେଳେ ।ଗୁରୁ ଯେ ଗୃହଧର୍ମି ଗଲେ ॥
ସେ ପ୍ରହଲାଦ ତାହା ଚାହିଁ ।ବୋଲେ ବାଳକ ମଧ୍ୟେ ଥାଇ ॥
ଶୁଣ ହେ ଅସୁର କୁମରେ ।ଯେ ବିଦ୍ୟା ସଂସାରୁ ଉଦ୍ଧରେ ॥
ମର୍ତ୍ତେ ମନୁଷ୍ୟ ଦେହ ବହି ।ଆତ୍ମାର ଜ୍ଞାନ ଯାର ନାହିଁ ॥
ତାର ଜୀବନ ଅକାରଣ ।ଏବେ ହୋ ସାବଧାନେ ଶୁଣ ॥
କହଇ ଦାସ ଜଗନ୍ନାଥ ।ସପ୍ତମ ସ୍କନ୍ଧେ ଭାଗବତ ॥
ଏ ପିତା ପୁତ୍ରର ସମ୍ବାଦ ।ଶୁଣନ୍ତେ ନ ଲାଗେ ପ୍ରମାଦ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ହିରଣ୍ୟକଶିପୁ ପ୍ରହଲାଦସମ୍ବାଦେ ନାମ ପଞ୍ଚମୋଽଧ୍ୟାୟଃ ।