ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୧୦ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚଦଶ ଅଧ୍ୟାୟ
ନାରଦ ଉବାଚଏ ପଞ୍ଚଦଶ ବର୍ଣ୍ଣାଶ୍ରମ ।ସାର ସଂଗ୍ରହେ ଯେବା ଧର୍ମ ॥
ପ୍ରାଣୀଙ୍କ ନିସ୍ତାର କାରଣେ ।ମୋକ୍ଷ ଲକ୍ଷଣେ ଯେବା ମଣେ ॥
ବର୍ଣ୍ଣିତ ନିଗମ ବଚନେ ।ଶୁଣ ରାଜନ ସାବଧାନେ ॥
ବ୍ରାହ୍ମଣ ଯେବା କର୍ମନିଷ୍ଠା ।ତପସ୍ୱୀ ଯତୀନ୍ଦ୍ର ପ୍ରତିଷ୍ଠା ॥
ବେଦାଧ୍ୟୟନ କାଳସିଦ୍ଧି ।କେବା ନିସ୍ତରେ ଯୋଗ ସାଧି ॥
ଗୃହସ୍ଥ ପିତୃ ଶ୍ରାଦ୍ଧ କାଳେ ।ଜ୍ଞାନୀ ପୁରୁଷ ଯେବା ମିଳେ ॥
ତାହାଙ୍କୁ ହବ୍ୟ କବ୍ୟ ଦାନ ।କଲେ ଅନେକ ହୁଏ ପୁଣ୍ୟ ॥
ଜ୍ଞାନ ଅଭ୍ୟାସେ ଯେବା କର୍ମେ ।ଯେ ପ୍ରାଣୀ ରହେ ନିଜ ଧର୍ମେ ॥
ତାହାଙ୍କୁ ଯଥା ଭାବେ ଦେଇ ।ତେବେ ଉଚିତ ଫଳ ପାଇ ॥
ଶ୍ରାଦ୍ଧେ ଦେବତା ଅର୍ଥେ ଦୁଇ ।ସେ ଭାବେ ବିଶ୍ୱଦେବା ହୋଇ ॥
ତିନୋଟି ପିତୃ ସ୍ଥାନେ ବରି ।ଅଭାବେ ଏକ ଏକ କରି ॥
ଉତ୍ତମ ଦ୍ରବ୍ୟ ଭୁଞ୍ଜାଇବ ।ଶ୍ରାଦ୍ଧେ ବିସ୍ତାର ନ କରିବ ॥
ଯେ ଦ୍ରବ୍ୟ ଦେଶ କାଳୋଚିତେ ।ମିଳିବ ଶାସ୍ତ୍ର ଅନୁମତେ ॥
ମୁନିଙ୍କୁ ବରି ବେଦମତେ ।ପୂଜିବ ମନ ଶାନ୍ତି ପୂତେ ॥
ପ୍ରାଣୀ ତରନ୍ତି ବିଷ୍ଣୁ ଭାବେ ।ନିରାମିଷାଦି ଦ୍ରବ୍ୟ ଯେବେ ॥
ଶ୍ରାଦ୍ଧ ଯୁକତେ ପାତ୍ରେ ଦେଇ ।ସେ ଶ୍ରାଦ୍ଧ କାମଧେନୁ ହୋଇ ॥
ଭୁଞ୍ଜଇ ଅକ୍ଷୟ କଲ୍ୟାଣ ।ଏ ବାକ୍ୟ ନିଗମ ପ୍ରମାଣ ॥
ବେଦ ବ୍ରାହ୍ମଣ ପିତୃମତେ ।ଆତ୍ମା ସଜ୍ଜନ ଜନ ଯେତେ ॥
ଏହାଙ୍କୁ ବିଷ୍ଣୁ ରୂପେ ମଣି ।ସନ୍ତୋଷେ ଦେବ ଅନ୍ନପାଣି ॥
ଯା ଚିତ୍ତ ଧର୍ମ ଉପଦେଶେ ।ଶ୍ରାଦ୍ଧ ସେ ନ କରି ଆମିଷେ ॥
ଯେ ଧର୍ମ ବଳେ ନିରାମିଷେ ।ତାହା ନ ଲଭି ପଶୁ ହିଂସେ ॥
ସୁଧର୍ମେ ଇଚ୍ଛା ଯାର ଥିବ ।କେବେହେଁ ପଶୁ ନ ହିଂସିବ ॥
ମନ କର୍ତ୍ତବ୍ୟ ଏ ବଚନେ ।ନ କରି ପିଶୁକୁ ହିଂସନେ ॥
ଯଜ୍ଞର ଫଳ ଯେ ଜାଣନ୍ତି ।ନିଶ୍ଚଳେ କର୍ମ ଆଚରନ୍ତି ॥
ଆତ୍ମା ସଂଯମେ ଅଗ୍ନି ଜାଳି ।ଇନ୍ଦ୍ରିୟ ଅର୍ଥେ ଘୃତ ଢାଳି ॥
ଏ ଜ୍ଞାନ ଯଜ୍ଞେ ଦୃଢ଼ କରି ।ବିଷ୍ଣୁ ମାୟାରୁ ଯାନ୍ତି ତରି ॥
ଯେ ଦ୍ରବ୍ୟମୟ ଯଜ୍ଞ କରେ ।ତାହାଙ୍କୁ ଦେଖି ସାଧୁ ଡରେ ॥
ଏହାର ଦେହେ ଜ୍ଞାନ ନାହିଁ ।ଆମ୍ଭ ଜୀବନ ରଖେ ନାହିଁ ॥
ଏ ଘେନି ଦୟା ଯାର ଚିତ୍ତେ ।ଯଜ୍ଞ କରିବ ଅନୁମତେ ॥
ଯେ ଧର୍ମ ପରଧର୍ମ ବଳେ ।ଅଭ୍ୟାସ ଉପଦେଶ ଛଳେ ॥
ଅଧର୍ମ ପଞ୍ଚଶିକ୍ଷା ଏହି ।ଧର୍ମଜ୍ଞ ହୋଇ ନ କରଇ ॥
ଯେ ଧର୍ମେ ସ୍ୱଧର୍ମରେ ବାଧା ।ସେ ଧର୍ମେ ନ କରିବ ଶ୍ରଦ୍ଧା ॥
ଯେ ଧର୍ମ ପରବାକ୍ୟ କରି ।ସେ ଧର୍ମେ କେବେହେଁ ନ ଡରି ॥
ପାଷାଣ୍ଡ ଧର୍ମ ଉପଧର୍ମ ।ଦମ୍ଭ ବଚନ ଆଦି କର୍ମ ॥
ସ୍ୱଧର୍ମେ ଆତ୍ମା ଶାନ୍ତି କରି ।ଯେ ତାହା ନିରତେ ସୁମରି ॥
ନିଷ୍କାମ ପ୍ରାଣୀ ଯେବେ ହୋଇ ।ଧର୍ମାର୍ଥେ ଜୀବନ ବଞ୍ଚଇ ॥
ଚେଷ୍ଟା ନ କରେ ବହୁ ଧନେ ।ସନ୍ତୋଷ ଅଳପ ଭୋଜନେ ॥
ସହଇ ଅଜଗର ଯେହ୍ନେ ।ଆହାର ନ ବାଞ୍ଛଇ ମନେ ॥
ସନ୍ତୋଷେ ଆତ୍ମାରାମ ସ୍ମରେ ।ଅନ୍ତେ ପଶନ୍ତି ସୁଖଘରେ ॥
ଯେ ଧନ ଲୋଭେ ଅସନ୍ତୋଷ ।ଭବେ ଭ୍ରମଇ ସର୍ବଦିଶ ॥
ତହିଁରେ କଷ୍ଟ ସାର ହୁଏ ।ସର୍ବେ ସନ୍ତୋଷ ସୁଖମୟେ ॥
ଚର୍ମ ପାଦୁକା ଯା ଚରଣେ ।ସେ ଯେବେ କଣ୍ଟକ ପାଷାଣେ ॥
ଭ୍ରମି ନ ଲଭେ କିଛି ଦୁଃଖ ।ରାତ୍ର ଦିବସେ ଲଭେ ସୁଖ ॥
ଯେ ଜନ ସର୍ବ ଦିଗ ଜିଣି ।ସନ୍ତୋଷେ ଭୁଞ୍ଜଇ ଧରଣୀ ॥
ସେ ପ୍ରାଣୀ ଇହ ପରଲୋକେ ।ସନ୍ତୋଷେ ଫଳ ଭୁଞ୍ଜେ ଏକେ ॥
ପଣ୍ଡିତ ଜନ ହୋଇ ଯେବେ ।ନିରତେ ଅସନ୍ତୋଷ ଭାବେ ॥
ଅଧୋଗମନ ତାହାଙ୍କର ।ଶୁଣ ସୁମନେ ନୃପବର ॥
କାମକୁ ଜିଣେ ଅସଂକଳ୍ପେ ।ପ୍ରାଣ ନାଶଇ ଯାର ଦର୍ପେ ॥
କାମକୁ କ୍ରୋଧ ତ୍ୟାଗ ଜୟେ ।ଅର୍ଥକୁ ଅନର୍ଥର କ୍ଷୟେ ॥
ଲୋଭ କ୍ରୋଧ ଯେ ତତ୍ତ୍ୱଜ୍ଞାନେ ।ଶୋକ ମୋହକୁ ବିଷ୍ଣୁ ଧ୍ୟାନେ ॥
ମହତ ସେବା ଦମ୍ଭ ନାଶେ ।ଯେ ଭାବେ କୈବଲ୍ୟ ପ୍ରକାଶେ ॥
ଯୋଗ ସାଧନେ ବିଘ୍ନ ହୋଇ ।ତାହାକୁ ମଉନେ ଖଣ୍ଡଇ ॥
ହିଂସାକୁ ଜିଣି କାମ ତ୍ୟାଗେ ।କାମ ଜିଣଇ ଯୋଗ ମାର୍ଗେ ॥
ପ୍ରାଣୀଙ୍କ ଭୟ ଦୟା ହରେ ।ତ୍ରିତାପ ସମାଧି ଯୋଗରେ ॥
ସଂଯମେ ଦେହୁ ବ୍ୟାଧି ନାଶେ ।ନିଦ୍ରାକୁ ପ୍ରାଣୀଙ୍କ ନିଃଶ୍ୱାସେ ॥
ରଜ ତାମସ ସତ୍ତ୍ୱ ଗୁଣେ ।ସତ୍ୟକୁ ଉପଶମ ଜିଣେ ॥
ଗୁରୁ ସେବନେ ମହା ଦୁଃଖେ ।ପ୍ରାଣୀ ତରନ୍ତି ଆତ୍ମା ସୁଖେ ॥
ଯେ ଗୁରୁ ଜ୍ଞାନ ଦାନ ଦେଇ ।ତାକୁ ଯେ ମନୁଷ୍ୟ ମଣଇ ॥
ସେ ଯେବେ ଧର୍ମ କରେ ଦେହେ ।ନ ଲଭେ ହସ୍ତ ସ୍ନାନ ପ୍ରାୟେ ॥
ଦେଖ ଏ ପ୍ରଭୁ ଚକ୍ରଧର ।ପ୍ରଧାନ ପୁରୁଷ ଈଶ୍ୱର ॥
ତାଙ୍କ ଚରଣେ ସେବା ଅର୍ଥେ ।କେହି ନୁହନ୍ତି ସାମରଥେ ॥
ତାହାକୁ ନର ପ୍ରାୟେ ମଣି ।ଅଧୋଗତି କି ଯାନ୍ତି ପ୍ରାଣୀ ॥
ଏକାନ୍ତ ଧର୍ମ ଯେବେ ପ୍ରାଣୀ ।ନ କରେ ମାୟା ମୋହ ଜିଣି ॥
ଯମ ନିୟମ ସାଦ୍ଧ ଯେଣେ ।ନିଗମ ବଚନ ପ୍ରମାଣେ ॥
ଯେବେ ନ ଭଜେ ନରହରି ।ସେ ନର ମଧ୍ୟେ ହ୍ୱନ୍ତି ଭାରି ॥
ବ୍ରତ କଳ୍ପନେ ଯେତେ ଅର୍ଥ ।ଯୋଗେ ନୁହନ୍ତି ସାମରଥ ॥
ଏଣୁ ଏ ଇଚ୍ଛା ମତେ ଯେତେ ।ଅନର୍ଥ ଭଜନ୍ତି ସମସ୍ତେ ॥
ଚିତ୍ତ ପ୍ରସନ୍ନ ଯତ୍ନ ଯାର ।ନିଃ ଶଙ୍କେ କରଇ ବିହାର ॥
ନିଗ୍ରହ ମନ ଇନ୍ଦ୍ରି ଦୁଃଖେ ।ଯୋଗ ସାଧଇ ଅତିରେକେ ॥
ଏକାନ୍ତ ଏକମତେ ଥାଇ ।ଅଳପ ଭୋଗେ ତୋଷ ହୋଇ ॥
ଏକାନ୍ତେ ମନ ଶୁଚି ଦେଶେ ।ଆତ୍ମାର ଆସନ ଉଶ୍ୱାସେ ॥
ପବିତ୍ର ସ୍ଥାନେ ସୁଖ ମନେ ।ଆସନେ ବସିବ ନିମଗ୍ନେ ॥
ଓଁକାର କରି ଉଚ୍ଚାରଣ୍ ।ଆକର୍ଷ ଚାପିବ ଚରଣ ॥
ବାମ ଚରଣ ଗୃହ୍ୟ ଦ୍ୱାରେ ।ଦକ୍ଷିଣ ପାଦ ତା ଉପରେ ॥
ଦେଇ ଟେକିବ ମେରୁଦଣ୍ଡ ।ଭୁଞ୍ଜେ ଆମଞ୍ଚି ଜାନୁ ଖଣ୍ଡ ॥
ପ୍ରାଣ ଅପାନ କରି ଏକ ।ସାଧିବ ପୂରକ କୁମ୍ଭକ ॥
ରେଚକ କରି ଆତ୍ମାସନ ।ପ୍ରାଣ ସଙ୍ଗମେ ସ୍ଥାପି ମନ ॥
ଯାବତ କର୍ମ ହିଁ ନ ତ୍ୟଜେ ।ତାବତ ସଂଯମ ନ ଭଜେ ॥
ଏଣୁ ନିଶ୍ଚଳେ ସ୍ଥାପି ମନ ।କରିବ ନାଶା ଅଗ୍ରେ ଧ୍ୟାନ ॥
ଅଗ୍ନିର ବଳେ କାମ ବନ ।ଜ୍ଞାନେଣ ଇନ୍ଦ୍ରିୟ ଦହନ ॥
ତହିଁ ରଖିବ ମନ ଧରି ।ଯୋଗ ଅଭ୍ୟାସ ଧୀରେ କରି ॥
ନିର୍ମଳ କରି ଚକ୍ଷୁ ଦ୍ୱାରା ।କର୍ମ ସାଧିବ ନିରନ୍ତର ॥
ଅଭ୍ୟାସ ବଳେ ଜିଣି ମନ ।ଅଳପ ଅଳପ ସାଧନ ॥
ଏମନ୍ତ ସାଧି ନିରନ୍ତର ।ସୁଖେ ମିଳିବ ମୋକ୍ଷ ଦ୍ୱାର ॥
ନିର୍ଧୁମ ଅଗ୍ନି ପ୍ରାୟ ହୋଇ ।ସୂକ୍ଷ୍ମ ସ୍ୱରୂପେ ପ୍ରକାଶଇ ॥
ଯେ ଚିତ୍ତେ ମିଶେ ବ୍ରହ୍ମ ସୁଖେ ।କେବେ ହେଁ ନ ପଡ଼ଇ ଦୁଃଖେ ॥
କେବେହେଁ ମାୟା ନ କଳ୍ପଇ ।ଅନ୍ତରେ ରହେ ସୂକ୍ଷ୍ମ ହୋଇ ॥
ଯେ ପ୍ରାଣୀ ଗୃହ ଦ୍ୱନ୍ଦ୍ୱ ତେଜେ ।ପ୍ରତିଜ୍ଞା ଗତି ବଳେ ଭଜେ ॥
ପୁଣି ମିଳଇ ଗୃହେ ଯାଇ ।ସେବଇ ଭୋଗ ଫଳ ପାଇ ॥
ଏ ଦେହେ ସୁଖ ଯେ ଲୋଡନ୍ତି ।ଅଜରାମର ପ୍ରାୟ ଚିନ୍ତି ॥
ଜୀବନ ଅନ୍ତେ ଏ ଶରୀର ।ଭସ୍ମ ପୂରିତ ଧୂଳି ସାର ॥
ଏହାକୁ ସତ୍ୟ ପ୍ରାୟେ ମଣି ।ଅଧର୍ମେ ପଶନ୍ତି ଯେ ପ୍ରାଣୀ ॥
ତାହାକୁ ବୋଲି ମୁଢ଼ ଗଣ ।ନିଷ୍ପଳ ତାଙ୍କର ଜୀବନ ॥
ଗୃହସ୍ଥ ଗୃହ କର୍ମ ଛାଡ଼ି ।ଅନ୍ୟ ଆଶ୍ରମେ ଲୋଭ ବଢ଼ି ॥
ବ୍ରତକୁ ତ୍ୟଜେ ବ୍ରତାଚାରୀ ।ତପସ୍ୱୀ ଗ୍ରାମ ସେବାକରି ॥
ସନ୍ୟାସୀ ଇନ୍ଦ୍ରି ଲୋଭେ ରସେ ।ଗ୍ରାମ ଗହନେ ଯେବେ ପଶେ ॥
ଆଶ୍ରମ ଭ୍ରଷ୍ଟ ଯେତେ ପ୍ରାଣୀ ।ଏହାଙ୍କୁ ଆଶ୍ରମେ ନ ଗଣି ॥
ଯେ ଧର୍ମ ବିଡମ୍ବନ କର୍ମ ।ବିଷ୍ଣୁ ମାୟାରେ ହ୍ୱନ୍ତି ଭ୍ରମ ॥
ବୁଲନ୍ତି ମାୟା ରୂପ ଧରି ।ତାହାଙ୍କୁ ସମ୍ଭାଷ ନ କରି ॥
ପରମ ଜ୍ଞାନ ପଥେ ଚିନ୍ତି ।ସେ ଆତ୍ମା ଗତି ନ ଜାଣନ୍ତି ॥
ସେ କି କାରଣେ ଦେହ ଧରେ ।ଏ ନର ସଂସାର ବେଭାରେ ॥
ଏବେ ହୋ ଶୁଣ ଯୁଧିଷ୍ଠିର ।ଏ ନର ଶରୀର ବେଭାର ॥
ଦେହ ବହିଲା ଯେବା ଅର୍ଥେ ।କେବେହେଁ ନ ଭଜନ୍ତି ଚିତ୍ତେ ॥
ବିଧାତା ଭିଆଣ ନିର୍ମାଣ ।ଏହା ନ ଜାଣେ ମୁର୍ଖଜନ ॥
ଦେହକୁ ରଥ ପ୍ରାୟେ ଗଢ଼ି ।ଦଶ ତୁରଙ୍ଗ ଅଗ୍ରେ ଯୋଡ଼ି ॥
ଦଶ ଇନ୍ଦ୍ରିୟ ଦଶ ବାଜୀ ।ତା ସଙ୍ଗେ ମନ ଦେଇ ଖଞ୍ଜି ॥
ଶବଦ ରସ ରୂପ ଗନ୍ଧେ ।ସ୍ପର୍ଶେ ଚଳେ ଅନୁବନ୍ଧେ ॥
ସାରଥି ପଣେ ବୁଦ୍ଧି ରହେ ।ଏ ପଞ୍ଚମାର୍ଗେ ରଥ ବାହେ ॥
ଏ ନର ଦେହେ ବଳ ସତ୍ୟେ ।ଛନ୍ଦ ବନ୍ଧନ ଈଶ ତନ୍ତ୍ରେ ॥
ପ୍ରାଣୀ ବହନ୍ତି ଏ ଶରୀରେ ।ଦ୍ୱିପଞ୍ଚ ବାହ୍ୟ ଅଭ୍ୟନ୍ତରେ ॥
ଯେ ପ୍ରାଣୀ ଅଜରୂପ ଧରି ।ବାହାରେ ଭିତରେ ସଞ୍ଚରି ॥
ଅଧର୍ମ ଧର୍ମ ଚକ୍ର ଦୁଇ ।ମାନବ ଅହଂକାର ବହି ॥
ରଥେ ବସାଇ ରଥୀ ରୂପେ ।କର୍ମ ଭୂଷିତ ବଳ ଦର୍ପେ ॥
ପ୍ରଣବ ହସ୍ତେ ଧନୁ ତାର ।ଅକାର ଉକାର ମକାର ॥
ଜୀବକୁ ତାର ରୂପ କରି ।ପ୍ରଣବ ହସ୍ତେ ଧନୁ ଧରି ॥
ପରମ ଆତ୍ମା କରି ଲକ୍ଷ୍ୟ ।ନାରାଚ ବିନ୍ଧଇ ପ୍ରତ୍ୟେକ୍ଷ ॥
ସମ୍ମୁଖେ ଯେତେ ରିପୁ ଥିବେ ।ଯୁଦ୍ଧେ ସକଳ ନାଶ ଯିବେ ॥
ଶୁଣ ରାଜନ ଶୁଦ୍ଧ ଚିତ୍ତେ ।ସମ୍ମୁଖେ ରିପୁ ଛନ୍ତି ଯେତେ ॥
ଏ କାମ କ୍ରୋଧ ମୋହ ଶୋକ ।ଲୋଭ ସାହସ ଅବିବେକ ॥
ପ୍ରମାଦ ମାନ ଅପମାନ ।ଅସତ୍ୟ ମିଥ୍ୟା ହିଂସା ଜ୍ଞାନ ॥
ଲଜ୍ୟା ପ୍ରମାଦ ନିଦ୍ରା କ୍ଷୁଧା ।ଏତେ ଶତ୍ରୁର ଯହିଁ ବାଧା ॥
ତ୍ରିଗୁଣମୟୀ ସେ ପ୍ରକୃତି ।ଏ ଆଦି ଯେତେ ରିପୁଛନ୍ତି ॥
ଏହାକୁ ସମ୍ମୁଖେ ଆବୋରି ।ଯେ ରଥୀ ପାରେ ଯୁଦ୍ଧେ ମାରି ॥
ରଥକୁ ଆତ୍ମା ବଶକରି ।ଜ୍ଞାନ ଖଡଗ ହସ୍ତେ ଧରି ॥
ସମ୍ମୁଖେ ଶତ୍ରୁ କରେ ଛେଦ ।ତେବେ ନିର୍ଭୟ ସୁଖାନନ୍ଦ ॥
ସୁଖେ ଭୁଞ୍ଜଇ ସେ ସ୍ୱରାଜ୍ୟ ।ଆନନ୍ଦ ଅଷ୍ଟ ଅଇଶ୍ୱର୍ଯ୍ୟ ॥
ଯେବେ ଏ ରଥ ତ୍ୟାଗ କରେ ।ନିଶ୍ଚିନ୍ତେ ରହେ ମୋଦ ଭରେ ॥
ଏ ରଥେ ରିପୁ ଯେ ନ ମାରେ ।ସେ କାହିଁ ଆତ୍ମ ସୁଖେ ତରେ ॥
ଯେବେ ଅଳସେ ରହେ ରଥେ ।ତାହାକୁ ବେଢ଼ନ୍ତି ସମସ୍ତେ ॥
ଅସାଧ୍ୟ ଅଶ୍ୱ ଯେତେ ରଥେ ।ସାରଥି ବିମାନ ସହିତେ ॥
ଦୁର୍ଗମ ମାର୍ଗେ ରଥ ନ୍ୟନ୍ତି ।ଶତ୍ରୁଙ୍କ ମଧ୍ୟେ ପ୍ରବେଶନ୍ତି ॥
ସେ ଶତ୍ରୁ ଗଣ ବଳ କରି ।ଅଶ୍ୱ ସାରଥି ଯୁଦ୍ଧେ ଧରି ॥
ସଂସାର କୂପ ଅନ୍ଧକାରେ ।କ୍ଷେପନ୍ତି ମୃତ୍ୟୁ ଭୟଙ୍କରେ ॥
ପଡ଼େ ଅଜ୍ଞାନ ଦୁଃଖ ଘୋରେ ।ମନୁଷ୍ୟ ଜନ୍ମ ହୁଏ ଦୂରେ ॥
ପ୍ରବୃତ୍ତି ନିବୃତ୍ତି ଯେ ଧର୍ମ ।ସଂସାରେ ବଇଦିକ କର୍ମ ॥
ପ୍ରବୃତ୍ତି ପଥେ ସଞ୍ଚରନ୍ତି ।ନିବୃତ୍ତି ଅମୃତ ଭୁଞ୍ଜନ୍ତି ॥
ଯେ ଦ୍ରବ୍ୟମୟ ଯଜ୍ଞ କାମ ।ଶାନ୍ତି କ ଅଗ୍ନିହୋତ୍ର ନାମ ॥
ପୂର୍ଣ୍ଣମୀ ଅମାବାସ୍ୟା ଆଦି ।ପଶୁଏ ଚାତୁର୍ମାସ୍ୟବାଦି ॥
ହୁତ ପ୍ରହୁତ ଆଦି ଯେତେ ।ପ୍ରବୃତି ଇଷ୍ଟ ପଥ ଏତେ ॥
କୂପ ପ୍ରସାଦ ଯେ ଭବନ ।ଏ ଆଦି ପୂର୍ବର ଲକ୍ଷଣ ॥
ବିପାକେ ଦ୍ରବ୍ୟ ସୂକ୍ଷ୍ମ ଯେତେ ।ଧୂମ ରଜନୀ ଅସାକ୍ଷାତେ ॥
ଦକ୍ଷିଣାୟନ ସୋମ ବୁଧ ।ପରଶ ଔଷଧି ବିରୁଦ୍ଧ ॥
ସେ ମନ୍ୱନ୍ତର ଅସମ୍ଭବ ।ଏ ପିତୃ ଦାନ ପୁଣ୍ୟଭାବ ॥
ଦେବଙ୍କ ରାତ୍ରି ଏ ବୋଲାଇ ।ଶୁଣ ଦିବସ ଏବେ କହି ॥
ଏ ଅନୁରୂପେ ଏକେ ଏକେ ।ଭବେ ଭ୍ରମନ୍ତି ଜୀବଲୋକେ ॥
ପ୍ରବୃତ୍ତି ମାର୍ଗ ଏ ପ୍ରମାଣ ।ଏବେ ହୋ ଧର୍ମ ସୁତ ଶୁଣ ॥
ସମ୍ଭବୁଁ ମରଣ ପର୍ଯ୍ୟନ୍ତେ ।ବିପ୍ର ସଂସାରେ ବେଦ ମତେ ॥
ସେ ବିପ୍ର ଜ୍ଞାନୀ ଯେବେ ହୁଏ ।ଯଜ୍ଞ କରଇ ନିଜ ଦେହେ ॥
ଇନ୍ଧନ ଇନ୍ଦ୍ରି ଅର୍ଥେ କଳ୍ପେ ।ହୋମ କରଇ ଜ୍ଞାନ ଦୀପେ ॥
ମନେ କରିବ ଇନ୍ଦ୍ରିଲୀନ ।ବଚନେ ସଂହରିବ ମନ ॥
ବଚନ ସ୍ୱରେ ଲୀନ କରି ।ସ୍ୱରକୁ ଓଁକାରେ ସଂହରି ॥
ଓଁକାର ବିନ୍ଦୁନାଦେ ଯାଇ ।ସେହି ବିନ୍ଦୁକୁ ଯୋଗେ ଥୋଇ ॥
ଜ୍ଞାନୀର ଅଟେ ଏ ଲକ୍ଷଣ ।ଯେ ପଥେ ଯିବ ତାହା ଶୁଣ ॥
ଅଗ୍ନି ଆଦିତ୍ୟ ପ୍ରାତଃ କାଳେ ।ପୂର୍ଣ୍ଣମୀ ପକ୍ଷ ଯେ ଶୁକଳେ ॥
ଯେ ସ୍ୱର୍ଗ ମାର୍ଗ ଅନୁମାନ ।ଉତ୍ତରାୟଣ ଏହା ନାମ ॥
ବିଶ୍ୱ ତେଜସ ସାଧୁ ଲୟେ ।ତୁରୀୟ ଦୀପ୍ତେ ଆତ୍ମା ମୟେ ॥
ଏ ଦେବ ପଥ ମନେ ଚିନ୍ତି ।ଏ ମାର୍ଗେ ଭୋଗ ନ ମିଳନ୍ତି ॥
ଯେ ଆତ୍ମା ଉପଶନ୍ତ ଜନେ ।ନିତ୍ୟେ ରହନ୍ତି ଆତ୍ମା ଧ୍ୟାନେ ॥
ସେ ନ ଡରନ୍ତି ନରଲୋକେ ।ନିଶ୍ଚିନ୍ତେ ଥାନ୍ତି ଆତ୍ମା ସୁଖେ ॥
ଏ ପିତୃ ଦେବ ଜାନ ପଥେ ।ଯେ ଜନ ଯାନ୍ତି ବେଦ ମତେ ॥
ପରମ ବ୍ରହ୍ମ ସେ ଲଭନ୍ତି ।ଜ୍ଞାନୀ ରହନ୍ତି ଏହା ଚିନ୍ତି ॥
ଆଦି ଅନ୍ତରେ ପ୍ରାଣୀଙ୍କର ।ଯେ ବ୍ୟାପି ବାହ୍ୟ ଅଭ୍ୟନ୍ତର ॥
ପର ଅପର ତାର ଦେହେ ।ସ୍ୱଭାବେ ଜ୍ଞାନ ଅର୍ଥ ହୁଏ ॥
ବଚନ ଦୀପ ତମ ଜ୍ୟୋତି ।ଦୃଶ୍ୟ ଅଦୃଶ୍ୟ ତାର ଗତି ॥
ଯେ ତାକୁ ଯେମନ୍ତେ ଚିହ୍ନନ୍ତି ।ଅଭ୍ୟାସ ମାତ୍ରେ ସେ ଦେଖନ୍ତି ॥
ଭାବ ପ୍ରମାଣେ ବଶ ହୁଏ ।ଦର୍ପଣେ ପ୍ରତିବିମ୍ବ ପ୍ରାୟେ ॥
ଧଇର୍ଯ୍ୟ ନୁହେଁ କଦାଚିତେ ।ଏ ଭାବ ଘଟିବ କେମନ୍ତେ ॥
ଏଣୁ ନିଶ୍ଚଳ ବୃତ୍ତି ଚିତ୍ତେ ।ଯେ ତାକୁ ଚିତ୍ତେ ଅବିରତେ ॥
ଏ ଭୂମି ଆଦି ପଞ୍ଚଭୂତେ ।ସେ ରହେ ବାହ୍ୟ ଅନ୍ତର୍ଗତେ ॥
ତାହା ନ ପାଇ ଏକେ ଏକେ ।ସେ ତାରତମ୍ୟ ଅତି ରେକେ ॥
ବନ ସମୂହ ଲତା ଯେହ୍ନେ ।ଜାଣିଲେ ନିଜ କର୍ମ ତେହ୍ନେ ॥
ବିଚାରେ ରହେ ଏକ ମୂଳେ ।ଅନ୍ୟତ୍ର ନ ଲାଗେ ନିଶ୍ଚଳେ ॥
ତାହାର ଆଦ୍ୟାନ୍ତ ନ ଜାଣି ।ଏହି ପ୍ରକାରେ ଭ୍ରମେ ପ୍ରାଣୀ ॥
ସ୍ୱପ୍ନେ ଜାଗ୍ରତ ନିଦ୍ରାଗତେ ।ବିଧି ନିଷେଧ ସେହି ମତେ ॥
ଶରୀର ବହି ଏ ଜଗତେ ।ଯେ କର୍ମ କରେ ବେଦମତେ ॥
ହରି ବିଷୟେ ସମର୍ପିଲେ ।ଏ ବିଷ୍ଣୁମାୟା ତରେ ଭଲେ ॥
ଶରୀର ଦାରା ପୁତ୍ରେ ଆଦି ।ଅନ୍ୟ ବାନ୍ଧବେ ସେ ସମ୍ପାଦି ॥
ଏହାଙ୍କ ଅର୍ଥେ ଆତ୍ମା ଦୁଃଖୀ ।ସେ କାହିଁ ଭବ ମଧ୍ୟ ସୁଖୀ ॥
ଏ ଆଦି ବେଦ ବାକ୍ୟ ଯେତେ ।ଗୃହେ ନ ସାଧେ ଅବିରତେ ॥
କୃଷ୍ଣେ ନ କଲେ ସମର୍ପଣ ।ତାର ଜୀବନ ଅକାରଣ ॥
ଦେଖତୁ ଗୃହ ମଧ୍ୟ ଥାଇ ।ସଙ୍ଗତେ ଘେନି ଚାରି ଭାଇ ॥
ରାଜ୍ୟବିହୀନେ ବନ ଦେଶେ ।ଯେତେ ଭ୍ରମିଲୁ ବନବାସେ ॥
ଯାର ଚରଣେ ଆଶ୍ରେ କରି ।ଘୋର ସଙ୍କଟୁ ତୁ ନିସ୍ତରି ॥
ଏବେ ତୋହର ଦେଖ ଭାଗ୍ୟ ।କଲୁ ରାଜୁସି ମହାଯଜ୍ଞ ॥
ଲଭିଲୁ ପରମ କାରଣ ।ତୋତେ ସୁଲଭ ନାରାୟଣ ॥
ମୁହିଁ ଯେ ପୂର୍ବେ ଦେହ ବହି ।କୃଷ୍ଣ ମାୟାରେ ଭ୍ରମେ ହୋଇ ॥
ପୂର୍ବ କଳ୍ପର ନାମ ଗୁଣ ।ଗନ୍ଧର୍ବ ଉପ ବହରଣ ॥
ସେ କଳ୍ପ ଅନ୍ତେ ଦେହ ବହି ।ଗନ୍ଧର୍ବ ଗଣ ମଧ୍ୟ ଥାଇ ॥
ସ୍ୱଭାବେ ରୂପ ଗୁଣ ମୋର ।ଅତି ସୁନ୍ଦର ମନୋହର ॥
ଗନ୍ଧର୍ବ ନାରାୟଣ ମଧ୍ୟେ ।ଉନ୍ମତ୍ତ ରୂପେ ମୁଁ ଆନନ୍ଦେ ॥
ଯୁବତୀ ଗଣେ ପ୍ରିୟତମ ।ଏମନ୍ତେ ଗଲା କେତେଦିନ ॥
ଏକ ଦିବସେ ଦେବଗଣେ ।ସମସ୍ତେ ମିଳି ପୁଷ୍ପ ବନେ ॥
ବ୍ରହ୍ମା ଶଙ୍କର ଆଦି ବସି ।ହରି ଗାୟନ ରସେ ରସି ॥
ଗନ୍ଧର୍ବ ଗଣେ ଶୁଣାଇଲେ ।ମୁହିଁ ଯେ ଥିଲି ତାଙ୍କ ତୁଲେ ॥
ଯୁବତୀ ଜନ ମଧ୍ୟ ଥାଇ ।ଆନନ୍ଦ ବୀଣା ବାଦ୍ୟ ବାଇ ॥
ଆବୃତ୍ତ ଅପସରା ବୃନ୍ଧେ ।ହସ୍ତ ନିବେଶି ତାଙ୍କ କନ୍ଧେ ॥
ନୃତ୍ୟ ମୁଁ କଲି ନାନା ମତେ ।ଦେଖିଣ ବ୍ରହ୍ମା କୋପ ଚିତ୍ତେ ॥
ଦେବହେଳନ କାର୍ଯ୍ୟ ଦେଖି ।କୋପେ ଅରୁଣ କଲେ ଆଖି ॥
ବ୍ରହ୍ମାଙ୍କ ଶାପ କୋପାନଳେ ।ପଡ଼ିଲି ଅବନୀ ମଣ୍ଡଳେ ॥
ଲଭିଲି ଦାସୀ ଗର୍ଭେ ଜନ୍ମ ।ଯେଣୁ ମୋ ଥିଲା ଶୁଭ କର୍ମ ॥
ତେଣୁ ମୁଁ ସେବି ବିପ୍ର ପାଦ ।ତରିଲି ଦୁର୍ଗମ ପ୍ରମାଦ ॥
ବିପ୍ର ଚରର ସେବା ଫଳେ ।ପୁଣି ଜନ୍ମିଲି ବିପ୍ର କୁଳେ ॥
ତୋର ଅଗ୍ରତେ ଗୃହୀ ଧର୍ମ ।କହିଲି ଯଥାବିଧି କର୍ମ ॥
ଏହା ଶୁଣନ୍ତେ ପାପ ହରେ ।ଯେ ଗୃହାଧର୍ମେ ଥାଇ ତରେ ॥
ତୁ ବଡ଼ ଲୋକ ଭାଗ୍ୟବନ୍ତ ।ତେଣୁ ତୋ ବାନ୍ଧବ ଅନନ୍ତ ॥
ତୋହରି ଗୃହେ ନରହରି ।ବସଇ ନରରୂପ ଧରି ॥
ସେ ହରି ବ୍ରହ୍ମ ନିରଞ୍ଜନ ।ଧ୍ୟାନେ ନ ପାନ୍ତି ମୁନିଜନ ॥
କେବଳ ସୁଖ ଅନୁଭୂତି ।ପରମ ସୁଖେ ତାର ସ୍ଥିତି ॥
ତୋହର ପ୍ରିୟ ଭଗବାନ ।ସ୍ୱଭାବେ ମାତୁଳ ନନ୍ଦନ ॥
ଜଗତ ଆତ୍ମା ମହାଗୁରୁ ।କେବା ମହିମା ବର୍ଣ୍ଣିପାରୁ ॥
ବ୍ରହ୍ମା ଶଙ୍କର ଆଦି ଦେବେ ।ତାର ମହିମା ନ ଜାଣିବେ ॥
ମଉନ ବ୍ରତ ତପ ଆଦି ।ନିଶ୍ଚଳ ଧାରଣା ସମାଧି ॥
ନିର୍ମଳ ଭକ୍ତି ହୁଏ ଯେବେ ।ନିର୍ବାଣ ମୁକ୍ତି ତାର ଭାବେ ॥
ସାତ୍ତ୍ୱିକ ଜନଙ୍କର ଗତି ।ସେ ହରି ହେଉ ଆମ୍ଭ ପ୍ରୀତି ॥
ଶ୍ରୀ ଶୁକ ଉବାଚଏମନ୍ତେ ଦେବ ଋଷି ବାକ୍ୟେ ।ପଞ୍ଚ ପାଣ୍ଡବ ଏକେ ଏକେ ॥
କୃଷ୍ଣ ଚରଣେ ପୂଜା କଲେ ।ନାରଦ ପାଶେ ପ୍ରଣମିଲେ ॥
ନାରଦ ଉଠି ତତକ୍ଷଣ ।ନମିଲେ କୃଷ୍ଣର ଚରଣ ॥
ସେ କୃଷ୍ଣ କରି ଅନୁମାନ ।ମୁନି ହୋଇଲେ ଅନ୍ତର୍ଦ୍ଧାନ ॥
ଏମନ୍ତ ଦକ୍ଷ କନ୍ୟା ଗର୍ଭେ ।ଯେତେ ଉପୁଜିଲେ ଦାନବେ ॥
ଦେବ ଦାନବ ଆଦି ଯେତେ ।ସର୍ବ କହିଲୁ ତୋ ଅଗ୍ରତେ ॥
ନୃସିଂହ ଚରିତ ଅମୃତ ।ଶୁଣନ୍ତେ ନାଶଇ ଦୁରିତ ॥
ସପ୍ତମ ସ୍କନ୍ଧେ ଯାହା କହି ।ଶୁଣନ୍ତେ ପାପ ଭୟ ନାହିଁ ॥
ଏ ଦାସ ଜଗନ୍ନାଥ ବାଣୀ ।ଶୁଣି ସଂସାରୁ ତରେ ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦେବର୍ଣ୍ଣାଶ୍ରମ ଧର୍ମ କଥନେ ପଞ୍ଚଦଶୋଽଧ୍ୟାୟଃ ।ଭୀମସ୍ୟାପି ରଣେ ଭଙ୍ଗୋ ମୁନେରପି ମତିଭ୍ରମଃ ।ଯଦି ଶୁଦ୍ଧମଶୁଦ୍ଧଂ ବା ମମଦୋଷୋ ନ ବିଦ୍ୟତେ ॥
ସପ୍ତମସ୍କନ୍ଧ ସମାପ୍ତ