ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୯ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ଅଧ୍ୟାୟ
ନାରଦ ଉବାଚଶୁଣ ହୋ ଧର୍ମର ନନ୍ଦନ ।ବାନସ୍ଥ ବ୍ରହ୍ମଚାରୀ ଜନ ॥
ଗୃହସ୍ଥ ଧର୍ମ ଭିକ୍ଷୁ ଯେତେ ।ଏବେ କହିବା ତୋ ଅଗ୍ରତେ ॥
ଗୁରୁ ଉପବନେ ବ୍ରହ୍ମଚାରୀ ।ବସିବ ଦୃଢ଼ ବ୍ରତ କରି ॥
ସ୍ୱଭାବେ ତପ କ୍ଳେଶ ଯେତେ ।ନିରଥେ ଥିବ ଗୁରୁ ହିତେ ॥
ସୁଦୃଢ଼ ସୁହୃଦ ଲକ୍ଷଣେ ।ଆଜ୍ଞା ବହିବ ଦାସପଣେ ॥
ଉଭୟ ସନ୍ଧ୍ୟାରେ ମଉନ ।ଜପିବ ବ୍ରହ୍ମ ସନାତନ ॥
ବେଦ ପଢ଼ିବ ନିରନ୍ତରେ ।ଗୁରୁ ବଚନ ଧରି ଶିରେ ॥
ନିକଟେ ବସି ଶୁଦ୍ଧ ଚିତ୍ତେ ।ଚରଣେ ନମି ବେନି ହସ୍ତେ ॥
ମେଖଳା ଚର୍ମ କଉପୀନ ।ଜଟା କମଣ୍ଡଳୁ ମଉନ ॥
ଯଜ୍ଞୋପବୀତ ଦଭ୍ର ପାଣି ।ଯେବେ କଳ୍ପିତ ଅନ୍ନ ପାଣି ॥
ବିପ୍ର ଭବନୁ ମାଗି ଭିକ୍ଷା ।ଦୃଢ଼େ ରଖିବ ଗୁରୁଦୀକ୍ଷା ॥
ପଞ୍ଚ ଭବନୁ ଭିକ୍ଷା ଦ୍ରବ୍ୟ ।ଗୁରୁ ସମୀପେ ସମର୍ପିବ ॥
ଗୁରୁ ବଚନେ କରି ଭିକ୍ଷା ।ସେ ଧର୍ମ ବ୍ରହ୍ମଚାରୀ ଦୀକ୍ଷା ॥
ଅନ୍ନ ଭୁଞ୍ଜିବ ନିତ୍ୟେ ନିତ୍ୟେ ।ଅଥବା ଉପବାସ ବ୍ରତେ ॥
ଆନନ୍ଦ ମନେ ବଞ୍ଚି ଦିନ ।ନିରତେ ଜ୍ଞାନେ ଦେଇ ମନ ॥
ଗୁରୁଙ୍କ କାର୍ଯ୍ୟ ଦକ୍ଷ ପଣେ ।ଶ୍ରଦ୍ଧା କରିବ ଅନୁକ୍ଷଣେ ॥
ଇନ୍ଦ୍ରିୟ ଆଦି କରି ବନ୍ଦି ।ଚଞ୍ଚଳ ମନ ହୃଦେ ରୁନ୍ଧି ॥
ସ୍ତ୍ରୀବଶ ଲୋକଙ୍କର ମେଳେ ।ସଙ୍ଗ ନ ଥିବ ସର୍ବକାଳେ ॥
ନ ଶୁଣି ସ୍ତିରୀଙ୍କ ବଚନ ।ନ କରି ମୁଖାବଲୋକନ ॥
କେଶ ପ୍ରବନ୍ଧ ଶମ ଦମ ।ସ୍ନାହାନ ସୁବେଶ ଭୋଜନ ॥
ଗୁରୁ କାମିନୀଙ୍କ ଗୋଚରେ ।ଦୃଢ଼େ ବର୍ଜିବ ଅତିଦୂରେ ॥
ଯୁବତୀ ଜନ ଅଗ୍ନି ସ୍ତମ୍ଭ ।ପୁରୁଷ ଦେହ ଘୃତ କୁମ୍ଭ ॥
ଏଣୁ ଯୁବତୀ ଦୂର କରି ।ଧର୍ମ ସାଧିବ ବ୍ରହ୍ମଚାରୀ ॥
ଏମନ୍ତେ ବସି ଗୁରୁ ଘରେ ।ବେଦ ଅଭ୍ୟାସି ନିରନ୍ତରେ ॥
ଅଙ୍ଗ ଉପାଙ୍ଗ ବେଦ ପଢ଼ି ।ଗୁରୁ ସମୀପେ କରଯୋଡ଼ି ॥
ଦକ୍ଷିଣା ଦେଇ ପାଦଯୁଗେ ।ଆଜ୍ଞା ମାଗିବ ଅନୁରାଗେ ॥
ଗୁରୁ ବଚନ ଶିରେ ଧରି ।ତେବେ ବଞ୍ଚିବ ଗୃହ କରି ॥
ଅଥବା ବନସ୍ତେ ପଶିବ ।ସନ୍ନ୍ୟାସମତେ ବା ବଞ୍ଚିବ ॥
ଗୁରୁ ବଚନ ଆଜ୍ଞା ଦେହେ ।ତୁଲେ ଦେଖିବ ବିଷ୍ଣୁମୟେ ॥
ଏହି ପ୍ରକାର ସାଧି କର୍ମ ।ଯେବା ଆଶ୍ରମେ ଯେବା ଧର୍ମ ॥
ଯେବା ସାଧନ୍ତି ଅପ୍ରମାଦେ ।ଅନ୍ତେ ପଶନ୍ତି ବିଷ୍ଣୁପାଦେ ॥
ଏବେ ହୋ ଶୁଣ ନରପତି ।ବନସ୍ତେ ଆଶ୍ରମର ଗତି ॥
ବନସ୍ତେ କର୍ମ ସାଧି ଦୁଃଖେ ।ଅନ୍ତେ ମିଳନ୍ତି ମୁନିଲୋକେ ॥
ଭକ୍ଷିଣ ଫଳମୂଳ ଶାକ ।ଅଗ୍ନି ନ ଜାଳି ଅର୍କପକ୍ୱ ॥
ନବୀନ ବନଫଳ ଲୋଭେ ।ସେ ରସ ତେଜିବ ସ୍ୱଭାବେ ॥
ବନ ସମ୍ଭବ ବସ୍ତୁ ଘେନି ।କାଳେ ପୂଜିବ ଇଷ୍ଟ ଅଗ୍ନି ॥
ଅଗ୍ନି ରକ୍ଷଣେ ଅର୍ଥେ ଘରେ ।ଅଥବା ପର୍ବତ କନ୍ଦରେ ॥
କେଶ ଲୋମାଦି ନଖ ଶ୍ମଶ୍ରୁ ।ଜଟିଳ ବସ୍ତ୍ର କଷା ପାଂଶୁ ॥
ଦଣ୍ଡକମଣ୍ଡଳୁ ଅଜିନ ।ବୃକ୍ଷ ବକଳ ପରିଧାନ ॥
ତ୍ରିସନ୍ଧ୍ୟା କରିଣ ସ୍ନାହାନ ।ବାଲୁକା ମଣ୍ଡଳେ ଶୟନ ॥
ଏମନ୍ତ ଦ୍ୱାଦଶ ବତ୍ସର ।ବନେ ବଞ୍ଚିବ ବ୍ରତଧର ॥
ଅଷ୍ଟ ବରଷ କିବା ଅର୍ଦ୍ଧେ ।ଧର୍ମ ସାଧିବ ଅପ୍ରମାଦେ ॥
ବେନି ବରଷ କିବା ଏକ ।ବଞ୍ଚିବ ଏ ବିଧି ବିବେକ ॥
ବ୍ୟାଧି ଜରାରେ ହୋଇ ଗ୍ରସ୍ତ ।ଧର୍ମ ସାଧନେ ଅସମର୍ଥ ॥
ଅଭ୍ୟାସି ଅନଶନ ବ୍ରତ ।ହରି ସ୍ମରଣେ ହୁଅ ରତ ॥
ତେଜେ ତେଜକୁ ନାଶ କରି ।ମନ ସଙ୍ଗରେ ମନ ଧରି ॥
ଜୀବ କାରଣେ କ୍ଷିତି ନାଶି ।ଅନଳେ ବଚନ ପ୍ରକାଶି ॥
କର ଯୁଗଳେ ଇନ୍ଦ୍ରିନ୍ୟାସ ।ସୁହୃଦେ କରିବ ସନ୍ନ୍ୟାସ ॥
ଇନ୍ଦ୍ରିୟ ଗତି ନାରାୟଣ ।ଉପସ୍ଥେ ପ୍ରଜାପତିଗଣ ॥
ଗୁହ୍ୟ ବସାଇ ମୃତ୍ୟୁ ଅଙ୍ଗେ ।ଦିଗ ଶ୍ରବଣ ଶ୍ରୁତି ସଙ୍ଗେ ॥
ଶୌଚ ସଂଗ୍ରହ ବଳେ ନାଶି ।ରୂପକୁ ଚକ୍ଷୁବଳେ ଗ୍ରାସି ॥
ରୂପେ ନିବେଶି ଚକ୍ଷୁ ଗୁଣ ।ସୁଗନ୍ଧ ବାସେ ଘ୍ରାଣେ ଘ୍ରାଣ ॥
ମନକୁ ଅମନେ ସଂହରି ।ବୋଧକୁ ବୁଦ୍ଧି ମଧ୍ୟେ ଭରି ॥
ଅଶେଷ କର୍ମ ରୂପ ଦେହେ ।କ୍ରିୟାକୁ କରିବ ସମୂହେ ॥
ଚିତ୍ତକୁ ସତ୍ତ୍ୱଗୁଣେ ଭରି ।ଗୁଣେ ବିକାରକୁ ସଂହାରି ॥
ମହତ ତତ୍ୱ ଅହଙ୍କାରେ ।ମହତ ପ୍ରକୃତି ଗୋଚରେ ॥
ସେ ଗୁଣମୟ ସର୍ବବ୍ୟାପୀ ।ଯଜ୍ଞ ଈଶ୍ୱର ସର୍ବରୂପୀ ॥
ଜୀବ ପରମ ବେନି ଅଂଶ ।ଚିନ୍ତୁ ଅଛନ୍ତି ଏ ବିଶେଷ ॥
ତହିଁ ପ୍ରବେଶ ଜ୍ଞାନମୟେ ।ଅନଳେ ଦଗ୍ଧ ଜ୍ୟୋତିପ୍ରାୟେ ॥
ଏମନ୍ତେ ସୃଷ୍ଟିକି ସଂହରି ।ବିଷ୍ଣୁ ମାୟାରୁ ଯାନ୍ତି ତରି ॥
ଏମନ୍ତେ ତରଇ ଜଗତ ।କହିଲା ବିପ୍ର ଜଗନ୍ନାଥ ॥
ସୁଜନେ ବୋଲ ହରି ହରି ।ଭବସାଗରୁ ହେବପାରି ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଭିକ୍ଷୁ ଚତୁର୍ବର୍ଣ୍ଣ ବର୍ଣ୍ଣନେନାମ ଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟ
ନାରଦ ଉବାଚଏବେ କହିବା ଯତି ଧର୍ମ ।ସ୍ୱଭାବେ ଅବଧୂତ କର୍ମ ॥
ମାୟା ସଂଯୋଗେ ଦୂର କରି ।ବୁଲିବେ ଦେହ ମାତ୍ର ଧରି ॥
ଗ୍ରାମେ ବସିବ ଏକଦିନ ।ନ ରହି ଏକାଧିକ ପୁଣ ॥
ନିର୍ଜ୍ଜନେ ଦିଗମ୍ବର ବେଶେ ।ଯେବେ ବଞ୍ଚିବ ବନଦେଶେ ॥
କୌପୀନ କରିବ ବସନ ।ଏକା ଭ୍ରମିବ ରାତ୍ର ଦିନ ॥
କେବେହେଁ ନ କରିବ ସଙ୍ଗ ।ସମୁଦ୍ରେ ଯେସନେ ତରଙ୍ଗ ॥
ସର୍ବଭୂତଙ୍କୁ ଶାନ୍ତପଣେ ।ଶ୍ରୀନାରାୟଣ ପ୍ରାୟ ମଣେ ॥
ସାଧୁ ଅସାଧୁ ତୁଲ୍ୟ ବେନି ।ଭାବି ବଞ୍ଚିବ ଆତ୍ମା ଘେନି ॥
ପରମ ବ୍ରହ୍ମ ଆତ୍ମାସାର ।ସେ ସର୍ବବ୍ୟାପୀ ନିରନ୍ତର ॥
ଜାଗ୍ରତ ସ୍ୱପ୍ନ ମଧ୍ୟେ ରହି ।ଆତ୍ମାର ଗତି ଆତ୍ମାଧ୍ୟାୟି ॥
ଆତ୍ମାର ବନ୍ଧ ମୋକ୍ଷ ବେନି ।ଲକ୍ଷିତ ମାୟା ମାତ୍ର ଘେନି ॥
ଗୃହସ୍ଥ ଭାବ ନାହିଁ ତାର ।ଏଣୁ ସର୍ବଦା ନିରାକାର ॥
ବସ୍ତୁର ନିତ୍ୟାନିତ୍ୟ ଭାବ ।ଏଣୁ ଏ ସଂସାର ଅଧ୍ରୁବ ॥
ଜୀବର ଉତ୍ପତ୍ତି ମରଣ ।କାଳଟି ଏହାର କାରଣ ॥
ଶରୀର ଧର୍ମେ ଏହା ଜାଣି ।ଆତ୍ମାର ଗତି ପରିମାଣି ॥
ଅପଥେ ନ କରିବ ଗତି ।ଜୀବନ ଜୀବିକା ପ୍ରବୃତ୍ତି ॥
ଦୂରେ ତେଜିବ ତର୍କ ବାଦ ।ଯେ ଶାସ୍ତ୍ର ପରମାଦ ପ୍ରଦ ॥
ଅଭ୍ୟାସ ନ କରିବ ଗ୍ରନ୍ଥେ ।ଶିଷ୍ୟ ନ କରିବ ସଙ୍ଗତେ ॥
ବିଖ୍ୟାତ ଗୁରୁ ପ୍ରୟୋଜନେ ।କେବେହେଁ ନ କରିବ ମନେ ॥
ପ୍ରଶାନ୍ତ ଯତିର ଆଶ୍ରମେ ।ଥାଇ ଶିଖିବ ତତ୍ୱ ଧର୍ମେ ॥
ସୁଶାନ୍ତ ବୁଦ୍ଧି ସମଚିତ୍ତ ।ହୋଇବ ଅର୍ଥେ ବା ବିରକ୍ତ ॥
ଦୃଶ୍ୟ ବା ଅଦୃଶ୍ୟରେ ଥିବ ।ବୃଦ୍ଧ ବାଳକ ଚେଷ୍ଟା ଭାବ ॥
ମୂର୍ଖ ପଣ୍ଡିତ ପ୍ରାୟେ ଦିଶେ ।ଭାବେ ବଞ୍ଚିବ ଆତ୍ମବଶେ ॥
ଶୁଣ ରାଜନ ସାବଧାନେ ।ଯେ ଇତିହାସ ପୁରାତନେ ॥
ପ୍ରହ୍ଲାଦ ସଙ୍ଗେ ମୁନିବର ।ନାମ ତାହାର ଅଜଗର ॥
ଏ ବେନି ଜନଙ୍କ ସମ୍ବାଦ ।ଶୁଣନ୍ତେ ନ ଲାଗେ ପ୍ରମାଦ ॥
ସେ ପ୍ରହଲାଦ ଏକଦିନେ ।ମୃଗୟା ଅର୍ଥେ ଗଲା ବନେ ॥
ଭୃତ୍ୟ ନିଜର ଘେନି ସଙ୍ଗେ ।ଅରଣ୍ୟେ ଗମେ କ୍ରୀଡ଼ାରଙ୍ଗେ ॥
ଏମନ୍ତ ସହ୍ୟ ଗିରି ତଟେ ।ଭ୍ରମଣ କ୍ରମେ ଭୂମି ପୃଷ୍ଠେ ॥
ଶୟନେ ଦେଖି ମୁନିବର ।ଶରୀର ଧୂଳିରେ ଧୂସର ॥
ସ୍ୱଭାବେ କର୍ଦ୍ଦମ ଭୂଷିତ ।ସମ୍ମୁଖେ ଦେଖି ବିପରୀତ ॥
କର୍ମ ବଚନ ଲିଙ୍ଗ ବର୍ଣ୍ଣେ ।ଲକ୍ଷି ନ ପାରେ ଅନୁମାନେ ॥
କିବା ଆଶ୍ରମେ ଲକ୍ଷି ନୁହେ ।ଶୟନ ବିପରୀତ ଦେହେ ॥
ତାହାକୁ ଦେଖି ପ୍ରହଲାଦ ।ଭାବେ ନମିଲା ତାଙ୍କ ପାଦ ॥
ଲକ୍ଷି ନ ପାରି ତାଙ୍କ ଗତି ।ବୋଲନ୍ତି ଅସୁରଙ୍କ ପତି ॥
ପ୍ରହ୍ଲାଦ ଉବାଚଏ ସ୍ଥୂଳ ଶରୀର ତୋହର ।ସ୍ୱଭାବେ ଦିଶଇ ସୁନ୍ଦର ॥
ଭୋଗୀ ପୁରୁଷ ପ୍ରାୟେ ଦେହୀ ।ସ୍ୱଭାବେ ସ୍ଥୂଳରୂପ ହୋଇ ॥
ବିତ୍ତ ଅର୍ଜ୍ଜନେ ଭୋଗୀ ଜନେ ।ଭ୍ରମନ୍ତି ନଗର ବିପୀନେ ॥
ଭୋଗ ପ୍ରବଳେ ପୁଷ୍ଟ ଦେହୀ ।ଏ ଅନୁମାନେ ମୁଁ ଗଣଇ ॥
ଉଦ୍ୟମ ନ କରୁ ତୁ ଧନେ ।କିମ୍ପା ଶୋଇଛୁ ଘୋରବନେ ॥
କେମନ୍ତେ ପୁଷ୍ଟ ତୋ ଶରୀର ।କହ ସଂଶୟ ଯାଉ ମୋର ॥
କହ ତୁ ନ ଭଜି ମଉନ ।ମୁଁ ଯେବେ ଶୁଣିବା ଭାଜନ ॥
ସେ ଦକ୍ଷ ପଣ୍ଡିତ ଚତୁର ।ବିଚିତ୍ର ବାକ୍ୟ ପ୍ରିୟକର ॥
ତାଙ୍କୁ ପୁଚ୍ଛିଲେ ସର୍ବ କହେ ।ମନେ ଅହଙ୍କାର ନ ବହେ ॥
ଏମନ୍ତ ପ୍ରହଲାଦ ବାଣୀ ।ସେ ଅବଧୂତ କର୍ଣ୍ଣେ ଶୁଣି ॥
ତାହାର ଅମୃତ ବଚନ ।କହଇ ହର୍ଷିତ ବଦନ ॥
ଅବଧୂତ ଉବାଚତୁ ପ୍ରହଲାଦ ଦୈତ୍ୟ ବୀର ।ମୁଁ ଜାଣେ ମହିମା ତୋହର ॥
ସଂଶୟ ନାହିଁ ତୋର ମନେ ।ତୁ ଦେଖୁ ନିର୍ମଳ ନୟନେ ॥
ଯାର ହୃଦରେ ନାରାୟଣ ।ବସଇ ପୁରୁଷ ପୁରାଣ ॥
ସେ ଭକ୍ତ ତରେ ତମଘୋର ।ନାଶଇ ଯେହ୍ନେ ଦିବାକର ॥
ତୁ ମୋତେ ପଚାରିଲୁ ଯେବେ ।ଶୁଣ କହିବି ତୋତେ ଭାବେ ॥
ଆତ୍ମାର ଶୁଦ୍ଧି ଯେ ଇଚ୍ଛନ୍ତି ।ମହାନ୍ତ ପୁଚ୍ଛିଲେ କହନ୍ତି ॥
ପ୍ରାଣୀ ଭ୍ରମନ୍ତି କର୍ମ ପଥେ ।ନାନା ଯାତନା ଯମ ତନ୍ତ୍ରେ ॥
ଘୋର ସଂସାରେ ସଞ୍ଚରନ୍ତି ।ଏ ଘେନି ମୋର ମନେ ଭ୍ରାନ୍ତି ॥
ଦେଖ ଅଜ୍ଞାନ ମନ ଛନେ ।ସଂସାରେ ସଂଚରନ୍ତି ଜନେ ॥
ଯେ ଜଳ ତୃଣ ଆଚ୍ଛାଦିତ ।ତାହା ନ ଭକ୍ଷଇ ତୃଷିତ ॥
ମୃଗତୃଷ୍ଣାକୁ ଜଳ ମଣେ ।ଭ୍ରମେ ଭ୍ରମଇ ଅକାରଣେ ॥
ତାହାର ଶ୍ରମ ମାତ୍ର ସାର ।ଯେ ଆତ୍ମା ନ କରେ ବିଚାର ॥
କର୍ମ ଆୟତ୍ତେ ଦେହ ବହି ।ଆତ୍ମାର ସୁଖ ଯେ ଅଟଇ ॥
ସଂକଳ୍ପେ କ୍ରିୟା କରେ ଯେତେ ।ନିଷ୍ଠୁର ହୁଏ କାର୍ଯ୍ୟ ଅନ୍ତେ ॥
ବିମୁକ୍ତ ପ୍ରାଣୀଙ୍କର ଏଣେ ।କି ପ୍ରୟୋଜନ ନିସ୍ତାରଣେ ॥
ଲୋଭୀ ପ୍ରାଣୀଙ୍କ ଦୁଷ୍ଟମନ ।ବଳେ ବନ୍ଧନ କରେ ଧନ ॥
ଧନୀ ଜନଙ୍କ ଦୁଃଖ ଦେଖି ।ମୁଁ ଧନ ତୃଷ୍ଣାକୁ ଉପେକ୍ଷି ॥
ଦେଖଇ ଧନୀଙ୍କର ଦୁଃଖ ।ନିଦ୍ରା ଭୋଜନେ ନାହିଁ ସୁଖ ॥
ରାଜାର ଭୟ ଚିତ୍ତ ଧନେ ।ଚୌର୍ଯ୍ୟ ସ୍ୱଜନ ଶତ୍ରୁଜନେ ॥
ଯେ ଅବା ଆସେ ଧନ ମାଗି ।ତା ଦେଖି ଚିତ୍ତେ ଦୁଃଖ ଭାଗୀ ॥
ଯେ ଶୋକ ମୋହ ଭୟ ରୋଗ ।ପ୍ରମାଦ ନିତ୍ୟ ଉଦବେଗ ॥
ଯାହାର ମୂଳୁଁ ଏ ସ୍ରବନ୍ତି ।ଧନର ବଳେ ପ୍ରାଣୀ ଭ୍ରାନ୍ତି ॥
ଏ ଘେନି ଯେ ପଣ୍ଡିତ ଜନେ ।ଲୋଭ ନ ଜନ୍ମେ ଯେବେ ଧନେ ॥
ଭ୍ରମଇ ଯଥା ଲାଭ ଧର୍ମେ ।ନିତ୍ୟ ବ୍ୟାକୁଳ ଚିତ୍ତ ମର୍ମେ ॥
ମହାସର୍ପର ପ୍ରାୟ ସେହି ।ବଞ୍ଚଇ ଉପଦେଶ ଧ୍ୟାୟି ॥
ତଥା ଶ୍ରୀ ଗୋବିନ୍ଦ ପ୍ରସନ୍ନେ ।ନିତ୍ୟ ଆନନ୍ଦ ମୋର ମନେ ॥
ମୋ ଦେହେ ବଳକାନ୍ତି ତୁଷ୍ଟି ।ସୁଖ ସଂକଳ୍ପେ ଦେହ ପୁଷ୍ଟି ॥
ଏ ଭାବେ ବର୍ଦ୍ଧିତ ମୋ ଦେହୀ ।ମୁଁ ଦୁଃଖ ସୁଖ ନ ଜାଣଇ ॥
ଅଳ୍ପ ଆହାର କାହିଁ ପାଇ ।କାହିଁ ବା ସନ୍ତୁଷ୍ଟେ ଭୁଞ୍ଜଇ ॥
ସ୍ୱାଦୁ ଅସ୍ୱାଦୁ ନ ଜାଣଇ ।ଯହିଁ ବା ଯେମନ୍ତ ମିଳଇ ॥
ସେ ସବୁ ଅମୃତ ମଣଇ ।ଯେ ଯେତେବେଳେ ଯାହାଦେଇ ॥
ଅଳ୍ପ ବହୁତ ନ ବାରଇ ।ଯହିଁ ଯା ମିଳେ ତୁଷ୍ଟ ତହିଁ ॥
କାହିଁ ବା ଶ୍ରଦ୍ଧା ଅପହୃତ ।କାହିଁ ବା ମାନ୍ୟ ବିବର୍ଜିତ ॥
ଏମନ୍ତେ ପୋଷଇ ଜୀବନ ।ନିଶ୍ଚିନ୍ତ ମନେ ମୋ ଶୟନ ॥
ରାତ୍ର ଦିବସ ନ ଜାଣଇଁ ।ଉଭୟେ ଏକତ୍ୱ ମଣଇ ॥
ପାଟ ବସନ କାହିଁ ପିନ୍ଧି ।କାହିଁ ବୁଲଇ ଚର୍ମ ବାନ୍ଧି ॥
ଚିର୍କୁଟି ବସ୍ତ୍ର କାହିଁ ମିଳେ ।କାହିଁ ବା ବଞ୍ଚଇ ବଳ୍କଳେ ॥
କର୍ମ ଆଦରି ତୋଷମନେ ।ବସଇ ଇଚ୍ଛା ସୁଖ ସ୍ଥାନେ ॥
କାହିଁ ବା ଧରଣୀ ଶୟନେ ।କାହିଁ ପାଷାଣ ତୃଣ ଗୁଳ୍ମେ ॥
କାହିଁ ପ୍ରାସାଦ ମଧ୍ୟେ ଥାଇ ।କାହିଁ ପଲ୍ୟଙ୍କ ମଧ୍ୟେ ଶୋଇ ॥
କାହିଁ ବା ଧୂଳିର ଉପରେ ।କାହିଁ ଶୟନ ବନ ଘୋରେ ॥
କାହିଁ ବା ସ୍ନାନ କରି ଶୁଦ୍ଧେ ।ସୁବାସ ତୈଳ ଶୁଚିପଦେ ॥
କାହିଁ ଚନ୍ଦନ ଗନ୍ଧସାର ।କାହିଁ ବା ନାନା ଅଳଙ୍କାର ॥
ସୁବାସ ପୁଷ୍ପମାଳା ଗନ୍ଧେ ।କାହିଁ ବା ଅଶ୍ୱଗଜ କନ୍ଧେ ॥
କାହିଁ ବେଷ୍ଟିତ ପୀତାମ୍ବର ।କାହିଁ ବା ଧୂଳିଆ ଧୂସର ॥
କାହିଁ ବା ଜ୍ଞାନ ଥାଇ ଦେହେ ।କାହିଁ ଭ୍ରମଇ ଗୃହୀପ୍ରାୟେ ॥
ବିଷମ ମତେ ପ୍ରାଣୀଥାନ୍ତି ।ନିତ୍ୟ ସ୍ୱଭାବ ପ୍ରକାଶନ୍ତି ॥
କାହାକୁ ସ୍ତୁତି ନିନ୍ଦା ମୋର ।କେବେହେଁ ନ କରି ବିଚାର ॥
ସର୍ବ ପ୍ରାଣୀଙ୍କ ଶ୍ରେୟ ଚିନ୍ତି ।ତେଣୁ ମୋ ମନେନାହିଁ ଭ୍ରାନ୍ତି ॥
ଆନନ୍ଦେ ଗୋବିନ୍ଦ ପୟରେ ।ଚିତ୍ତ ନିବେଶି ନିରନ୍ତରେ ॥
ଚିତ୍ତ ବିକଳ୍ପେ ହୋମ କରି ।ନିଷ୍କାମ ତପସ୍ୟା ଆବୋରି ॥
ମର୍ମ ବିକାରେ ତତ୍ତ୍ୱ ଥୋଇ ।ଯେଣେ ମାୟାକୁ ଭୟ ନାହିଁ ॥
ସେ ମାୟା ଆତ୍ମା ଅଦଭୁତେ ।ସତ୍ୟ ସଂକଳ୍ପ ମୁନିମତେ ॥
ତେଣୁ ନିର୍ବିକାର ମୋ ମନ ।ନିର୍ଗୁଣ ବ୍ରହ୍ମେ କରି ଧ୍ୟାନ ॥
ଏମନ୍ତେ ଆତ୍ମା ଅନୁଭୂତେ ।କହିଲି ତୋହର ଅଗ୍ରତେ ॥
ଯେତେକ ମାୟା ମାତ୍ର ହୋଇ ।ତେଣେ ବର୍ଜ୍ଜିତ ମୋର ଦେହୀ ॥
ତୁ ଯେଣୁ ଥାଉ ବିଷ୍ଣୁ ମତେ ।ଏଣୁ କହିଲି ତୋ ଅଗ୍ରତେ ॥
ଏମନ୍ତ ମୁନି ମୁଖୁଁ ଶୁଣି ।ପରମହଂସ ଧର୍ମବାଣୀ ॥
ସେ ପ୍ରହଲାଦ ଜ୍ଞାନ ଧୀର ।ସ୍ୱଭାବେ ବିଷ୍ଣୁର କିଙ୍କର ॥
ଆନନ୍ଦେ ନମି ତା ଚରଣେ ।ସ୍ୱସ୍ଥାନେ ଗଲା ତତକ୍ଷଣେ ॥
ଶୁଣ ସୁଜନ ଦୃଢ଼ ଚିତ୍ତ ।ହରି ଚରିତ ଭାଗବତ ॥
ଶୁଣନ୍ତେ ଖଣ୍ଡେ ଭବବ୍ୟଥା ।ପ୍ରହ୍ଲାଦ ଅବଧୂତ କଥା ॥
ଏଣେ ନିର୍ମଳ କର ଚିତ୍ତ ।କହଇ ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦ ଅବଧୂତ ସମ୍ବାଦେନାମ ତ୍ରୟୋଦଶୋଽଧ୍ୟାୟଃ ।
ଚତୁର୍ଦ୍ଦଶ ଅଧ୍ୟାୟ
ଯୁଧିଷ୍ଠିର ଉବାଚଶୁଣ ହେ ବ୍ରହ୍ମାଙ୍କ ନନ୍ଦନ ।ବାନାସ୍ଥପ୍ରଦି ଧର୍ମମାନ ॥
ଶୁଣିଲି ମହତ ପ୍ରସ୍ଥାବେ ।ଗୃହସ୍ଥ ଧର୍ମ କହ ଏବେ ॥
ଯେ ବିଧି ଗୃହ ଆଚରଣେ ।ଆଗମ ନିଗମ ପ୍ରମାଣେ ॥
ନାରଦ ଉବାଚଗୃହସ୍ଥ ରଜନୀ ପ୍ରଭାତେ ।ଶୂଚି ନିର୍ମଳ ଶୁଦ୍ଧ ଚିତ୍ତେ ॥
ସୁମରି ନାରାୟଣ ନାମ ।ହରି ଗୋବିନ୍ଦ କୃଷ୍ଣ ଶ୍ୟାମ ॥
ପୁରୁଷୋତ୍ତମ ଦାମୋଦର ।ବିଶ୍ୱସମ୍ଭବ ବିଶ୍ୱମ୍ଭର ॥
ଏ ଆଦି ପୁଣ୍ୟଶ୍ଳୋକ ଯେତେ ।ନାମ ସଂକୀର୍ତ୍ତନ ପ୍ରଭାତେ ॥
ଏମନ୍ତ ନିତ୍ୟେ ନିତ୍ୟେ କରି ।ଗୃହସ୍ଥ ଧର୍ମକୁ ଆଚରି ॥
ମହାନ୍ତ ଜନର ଏ କର୍ମ ।ନିତ୍ୟେ କରିବ ଉପାସନ ॥
ବିଷ୍ଣୁର ଅବତାର କଥା ।ପୁରାଣ ମଦି ଶାସ୍ତ୍ର ଗୀତା ॥
ସଙ୍ଗ କରିବ ସାଧୁ ସନ୍ଥେ ।ଦିନ ବଞ୍ଚିବ ନିତ୍ୟେ ନିତ୍ୟେ ॥
ସାଧୁ ସଙ୍ଗମେ ଥୋଇ ମନ ।ତେବେ ଭାବିବ ଗୃହୀଜନ ॥
ତାହାଙ୍କୁ ସୁଖ ଭୋଗ ଦେଇ ।ଆତ୍ମାକୁ ସନ୍ତୋଷେ ଭୁଞ୍ଜାଇ ॥
ସ୍ୱପ୍ନ ସଂକଳ୍ପ ପ୍ରାୟେ ମଣି ।ଚିତ୍ତେ ଚିନ୍ତିବ ଚକ୍ରପାଣି ॥
ଯେ ସୁଖ ଗୃହଧର୍ମ ଅର୍ଥେ ।ଗୃହେ ସାଧିବ ନିତ୍ୟେ ନିତ୍ୟେ ॥
ବିରକ୍ତି ଚିତ୍ତେ ଅବିରତେ ।ଲୋଭ ବେଭାର ଜନହିତେ ॥
ପ୍ରବର୍ତ୍ତ କରି ବିଦ୍ୟମାନେ ।ଭଜନ୍ତି ହୃଦରେ ଯତନେ ॥
ସ୍ୱଜାତି ବନ୍ଧୁଜନ ସୁତ ।ଏ ସବୁ କର୍ମର ଆୟତ୍ତ ॥
ଯେବା ଇଚ୍ଛନ୍ତି ଯେ ବୋଲନ୍ତି ।ସେ ଭାବେ ସନ୍ତୋଷ ରହନ୍ତି ॥
ସନ୍ତୋଷେ ତାକୁ ବର ଦେବ ।ନିଷ୍କାମେ ସର୍ବଦା ବଞ୍ଚିବ ॥
ଭୂମି ଗଗନ ଅନ୍ତରୀକ୍ଷେ ।ଯେ ଧର୍ମ ଲଭଇ ପ୍ରତ୍ୟକ୍ଷେ ॥
କୃଷ୍ଣର ଲୀଳା ପ୍ରାୟେ ଭଜ ।ସେ ଧର୍ମ ଦୁଃଖ ସୁଖେ ମଜ୍ଜ ॥
ଦିନ ବଞ୍ଚିବ ହରିଭାବେ ।ଯତ୍ନ କରିବ କୃଷ୍ଣ ଲାଭେ ॥
ଯାବତ ଦେହେ ପ୍ରାଣ ଥିବ ।ତାବତ ସନ୍ତୋଷେ ବଞ୍ଚିବ ॥
ଲୋଭେ ଅଧିକ ଯେ ଚିନ୍ତନ୍ତି ।ଚୌର ସମାନେ ଦଣ୍ଡ ପାନ୍ତି ॥
ବାନର ଶାରୀ ଶୁକଗଣ ।ମୃଗ ମକ୍ଷିକା ଯେ ଚାରଣ ॥
ପଶୁ ପତଙ୍ଗ ଆଦି ଯେତେ ।ତାହାକୁ ପୁତ୍ର ପ୍ରାୟ ଚିତ୍ତେ ॥
ଆତ୍ମାର ପ୍ରାୟେ ନିତ୍ୟେ ଦେଖି ।ଅନ୍ତର ପ୍ରାୟେ ଉପଲକ୍ଷି ॥
ତ୍ରିବର୍ଗ କଷ୍ଟେ ନ ସାଧିବ ।ଯେ ଭାବେ ନିଶ୍ଚିତ ରହିବ ॥
ଯେ ଦ୍ରବ୍ୟ ଅତି କଷ୍ଟେ ପାଇ ।ଯେ ମୁର୍ଖ ଅତି ଲୋଭେ ଥାଇ ॥
ଏ କର୍ମ ଅତି ପୀଡ଼ା ବୃତ୍ତେ ।ଯେ ଦେଶକାଳ ପାତ୍ର ମତେ ॥
କର୍ମ ଆୟତ୍ତେ ଯା ମିଳିବ ।ତହିଁରେ ଜୀବନ ପୋଷିବ ॥
ପ୍ରାଣୀକୁ ନ କରିବ ଭିନ୍ନ ।ଦେଖିବ ସକଳେ ସମାନ ॥
ଶ୍ୱାନ ଶୃଗାଳ ଅନ୍ୟଜାତି ।ଆତ୍ମାର ପ୍ରାୟେ ତାଙ୍କୁ ଚିନ୍ତି ॥
ତାହାକୁ ଯଥାଭାଗ ଦେବ ।ଆତ୍ମାର ସଦୃଶ ଭାବିବ ॥
ଏକ ଗୃହିଣୀ ସଂଗ୍ରହଣେ ।ସ୍ୱଧର୍ମେ ଗୃହର କାରଣେ ॥
ସେ ସତ୍ୟପର ନାମା ନାରୀ ।ତାହା ସନ୍ତୋଷେ ଭୋଗକରି ॥
ବିମୁକ୍ତ ମତିକୁ ସେବନେ ।ଯତ୍ନ କରିବ ନିଜ ଧନେ ॥
ଅପାଦେ ପିତା ଗୁରୁ ଅର୍ଥେ ।ପ୍ରାଣହିଁ ନ ଚିନ୍ତିବ ସ୍ୱାର୍ଥେ ॥
ପତ୍ନୀକୁ ଆପଦୁଁ ଉଦ୍ଧରି ।ଏ ଭାବେ ସାଧୁ ନରହରି ॥
ଦେଖ ଏ ତୁଚ୍ଛ ନରଦେହୀ ।ଅନ୍ତେ ତ୍ରିପ୍ରକାରେ ଭଜଇ ॥
ଅବଶ୍ୟ ଭଜେ ଅବସାନେ ।ଭସ୍ମେ ପୁରୀଷ କୃମିମାନେ ॥
ସେ ଦେହେ ପତିପତ୍ନୀ ମେଳେ ।ଘନ ଯେସନେ ନଭସ୍ଥଳେ ॥
ଯଜ୍ଞାବଶେଷ ସିଦ୍ଧି ଅର୍ଥେ ।ଆହାର କଳ୍ପିତ ଜୀବନ୍ତେ ॥
ଏମନ୍ତ ମତ ଯା ବେଭାର ।ସେ ପ୍ରାଣୀ ଯଜ୍ଞଜନ ସାର ॥
ଦେବତା ଋଷି ପିତୃଗଣେ ।ଆତ୍ମାର ଶତ୍ରୁ ଅନୁକ୍ଷଣେ ॥
ଏହାଙ୍କୁ ବିଷ୍ଣୁଭାବେ ଭଜି ।ନାନାଦି ଉପହାରେ ମଜ୍ଜି ॥
ଆତ୍ମା ବିକାରେ ନାନା ବିଧି ।ପଞ୍ଚବିଶିଖ ମୁନି ଆଦି ॥
ବିଧି ବିଧାନ ବେଦମତେ ।ଯଜ୍ଞ କରିବ ଅଗ୍ନି ହୋତ୍ରେ ॥
ସେ ଅଗ୍ନିହୋତ୍ର ଅବସାନେ ।ବିପ୍ରଙ୍କୁ ତୋଷିବ ଭୋଜନେ ॥
ବ୍ରାହ୍ମଣ ଦେହେ ଥାଇ ହରି ।ଏଣୁ ସୁଜନେ ପୂଜା କରି ॥
ବିପ୍ର ଭୋଜନେ ତୋଷ ଯେତେ ।ସେ ନୁହେଁ ଯଜ୍ଞେ କୋଟିମତେ ॥
ଏ ଘେନି ଦେବତା ବ୍ରାହ୍ମଣ ।ପୂଜା କରିବି ଅନୁକ୍ଷଣ ॥
ଏଣୁ ବ୍ରାହ୍ମଣ ମୁଖେ ଦେଇ ।ପୂଜା କରିବି ଭାବଗ୍ରାହୀ ॥
ଆଶ୍ୱିନ ମାସେ କୃଷ୍ଣପକ୍ଷେ ।ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ ॥
ପିତୃ ପୂଜନେ ଶ୍ରଦ୍ଧାମନେ ।ଜ୍ଞାତି ବାନ୍ଧବ ସୁଭୋଜନେ ॥
ଏବେ ହୋ ଶୁଣ ମହୀପତି ।ଗୃହସ୍ଥ ଜନର ଏ ଗତି ॥
ବେନି ଆୟନ ବିଷୁବରେ ।ହରଷ ଯେ ବ୍ୟତିପାତରେ ॥
ଅକ୍ଷୟ ତୃତୀୟା ଦିବସେ ।ଆଦିତ୍ୟ ଶଶାଙ୍କର ଗ୍ରାସେ ॥
ଦ୍ୱାଦଶୀର ଶ୍ରବଣା ସଂଯୋଗେ ।ତୃତୀୟା ସ୍ୱନକ୍ଷତ୍ର ଭୋଗେ ॥
ଶୁକ୍ଳ ନବମୀ ଭାଦ୍ରମାସେ ।ଋତୁର ଅଷ୍ଟମ ଦିବସେ ॥
ସପ୍ତମୀ ମାଘ ଶୁକ୍ଳପକ୍ଷେ ।ପୌର୍ଣ୍ଣମାସୀରେ ମଘାଋକ୍ଷେ ॥
ଦ୍ୱାଦଶୀ ଅନୁରାଧା ଯୋଗେ ।ତ୍ରିପୂର୍ବା ଉତ୍ତରା ସଂଯୋଗେ ॥
ଏ ତ୍ରୟତିଥି ଏକାଦଶୀ ।ଜନ୍ମ ନକ୍ଷତ୍ର ଯୋଗେ ମିଶି ॥
ଶ୍ରେୟ ସାଧନ ଯୋଗ ଏତେ ।ପ୍ରାଣୀଙ୍କ କର୍ମ ସିଦ୍ଧି ଅର୍ଥେ ॥
ଏ ଦିନେ ଧର୍ମ କର୍ମ କଲେ ।ଶ୍ରେୟ ଆୟୁଷ ବଢ଼େ ଭଲେ ॥
ଏ ଦିନେ ତପ ହୋମ ସ୍ନାନ ।ଯଜ୍ଞେ ଦେବତା ଅରାଧନ ॥
ସଂସ୍କାର କାଳେ ପତ୍ନୀ ସଙ୍ଗେ ।ରମିବ ଅପତ୍ୟ ସଂଯୋଗେ ॥
ଜ୍ଞାତି ମରଣ ପ୍ରେତ କାର୍ଯ୍ୟେ ।ପୂଜିବ ବାନ୍ଧବ ସମାଜେ ॥
ଏବେ ହୋ ଶୁଣ ଧର୍ମଶିଷ୍ୟ ।କହିବା ପୁଣ୍ୟ ସ୍ଥାନ ଦେଶ ॥
ସତ୍ପାତ୍ର ଜନ ଜାତ ଯହିଁ ।ତାହାକୁ ପୁଣ୍ୟ ଦେଶ କହି ॥
ବିଷ୍ଣୁ ଭକତ ବାସ ଯହିଁ ।ସଚରାଚର ପୂତ ସେହି ॥
ବ୍ରାହ୍ମଣକୁଳ ବସେ ଯହିଁ ।ଦୟା ତପସ୍ୟା ଧର୍ମ ତହିଁ ॥
ବିଷ୍ଣୁର ପୂଜା ଯହିଁ ନିତ୍ୟେ ।ସେ ପୁଣ୍ୟ ଦେଶ ବେଦମତେ ॥
ଗଙ୍ଗାଦି ନଦୀ ଯହିଁ ବହେ ।ସେ ପୁଣ୍ୟକ୍ଷେତ୍ର ବେଦ କହେ ॥
ପୁଷ୍କର ଆଦି ସରୋବର ।ଯହିଁ ବସନ୍ତି ବିଷ୍ଣୁ ନର ॥
ପ୍ରୟାଗ ପୁଲହ ଆଶ୍ରମ ।ସନ୍ନ୍ୟାସୀ ଋଷି ଗୁଣଧାମ ॥
ପ୍ରଭାସ କୁରୁ ମଧୁପୁରୀ ।ଗୟା ମଥୁରା କୁଶସ୍ଥଳୀ ॥
ଯେ କାଶୀ ପମ୍ପା ବିନ୍ଦୁସାର ।କାଞ୍ଚି ଅବନ୍ତୀ ରାମେଶ୍ୱର ॥
ପୁଲମା ନରନାରାୟଣ ।ନନ୍ଦା ସୀତୟା ରାମାଶ୍ରମ ॥
ମହେନ୍ଦ୍ର ମଳୟ ପର୍ବତେ ।ଏମନ୍ତ କ୍ଷେତ୍ର ଅଛି ଯେତେ ॥
ଏ ସର୍ବ ସ୍ଥାନ ହରିପ୍ରିୟ ।ତେଣୁ ଜଗତେ ପୁଣ୍ୟମୟ ॥
ସେ ପୁଣ୍ୟ ଦେଶ ତତ୍ତ୍ୱ ଭାବି ।ବିଷ୍ଣୁ ପ୍ରତିମା ଯହିଁ ସେବି ॥
କୈବଲ୍ୟ ଇଚ୍ଛା ଯାର ଚିତ୍ତେ ।ଏ ଦେଶେ ରହୁଥିବ ନିତ୍ୟେ ॥
ଏବେ କହିବା ପାତ୍ର ଯେତେ ।ଶୁଣ ରାଜନ ଶୁଦ୍ଧ ଚିତ୍ତେ ॥
ପୁରାଣ ପୁରୁଷ ମୁରାରୀ ।ଯାର ଚରଣେ ବସୁନ୍ଧରୀ ॥
ସରରାଚର ଯା ଚରଣେ ।ଋଷି ଦେବତାଦି ବ୍ରାହ୍ମଣେ ॥
ଅଗ୍ରେ ଚରଣେ ପୂଜା ଯାର ।ତା ତହୁଁ ପାତ୍ର କେବା ପର ॥
ଯାର ଶରୀରେ ଜୀବ ନାଶି ।ଜଳ ଯେସନେ ଜଳେ ମିଶି ॥
ଯେ ହରି ସର୍ବ ଦେବମୂଳ ।ଅଶେଷ ପୁଣ୍ୟ କର୍ମ ଫଳ ॥
ନାନା ପ୍ରକାର ପୁର କରି ।ତା ମଧ୍ୟେ ଜୀବ ରୂପ ଧରି ॥
ହୃଦୟ ପଦ୍ମ ମଧ୍ୟେ ଶୋହେ ।ଅରୂପ ଜ୍ୟୋତି ରୂପ ବହେ ॥
ପୁରୁଷୋତ୍ତମ ନାମ ବହେ ।ସେ ହରି ତା ସଦନେ ରହେ ॥
ଏଣୁ ପୁରୁଷଙ୍କ ଉତ୍ତମ ।ଯେ ନିତ୍ୟେ ରମେ ଆତ୍ମା ରାମ ॥
ଏଭାବେ ସଂଚୟ ବିଚାରି ।ନେତ୍ରାଦି ଯୁଗେ ପୂଜାକରି ॥
ସଂସାର ଆଗମ ନିଗମେ ।ପୂଜା କରନ୍ତି ଗ୍ରାମେ ଗ୍ରାମେ ॥
ସେ ପୂଜା ମତେ ତୋଷହୋନ୍ତି ।ବାଞ୍ଚିତ ପଳ ନିତ୍ୟ ଦ୍ୟନ୍ତି ॥
ଯେ ପ୍ରାଣୀ ପରେ ହିଂସାକରେ ।ଦେବତା ପୂଜି ସେ ନ ତରେ ॥
ଏଣୁ ପୁରୁଷଙ୍କର ମଧ୍ୟେ ।ଯେ ବିପ୍ର ଥାନ୍ତି ବେଦ ସାଧେ ॥
ତା ତହୁଁ ପାତ୍ର ନାହିଁ କେହି ।ସେ ବିପ୍ର ନିତ୍ୟ ବିଷ୍ଣୁ ଦେହୀ ॥
ଏଣୁ ଏ ବ୍ରାହ୍ମଣ ଚରଣେ ।ତ୍ରିଲୋକ ନିସ୍ତାର କାରଣେ ॥
ଏ ଭାବେ ଦେଶ କାଳ ପାତ୍ର ।ଧର୍ମାଦି ଦୀକ୍ଷା ମନ୍ତ୍ର ଯନ୍ତ୍ର ॥
ନାରଦ ମୁନି ପ୍ରିୟ ଭାବେ ।କହିଲେ ଯୁଧିଷ୍ଠିର ଆଗେ ॥
ଏ ଭାଗବତ ଧର୍ମ ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ସପ୍ତମ ସ୍କନ୍ଧେ କାଗବତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଦେଶ କାଳ ପାତ୍ର କଥନେନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।