ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୬ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ଅଧ୍ୟାୟ
ଇନ୍ଦ୍ର ଉବାଚବାଳକେ ସାବଧାନେ ଶୁଣି ।ବୋଲନ୍ତି ମନେ ମନେ ଗୁଣି ॥
ଏ ଗୁରୁ ବଚନ ନୁହଁଇ ।ଏଣେ ଆମ୍ଭର କାର୍ଯ୍ୟ ନାହିଁ ॥
ପ୍ରହଲାଦର ମୁଖ ଚାହିଁ ।ଏମନ୍ତ ଭାଳି ସର୍ବେ ଯାଇ ॥
ଗୁରୁଙ୍କ ଆଗେ ଜଣାଇଲେ ।ସଂଯୋଗେ ସକଳ କହିଲେ ॥
ଶିଶୁ ବଚନ ଶୁଣି ଗୁରୁ ।ମନେ ଚିନ୍ତିଲା ମହାମେରୁ ॥
ଏକାନ୍ତ ବୁଦ୍ଧି ତ ଏହାର ।ଅନ୍ୟ ଲକ୍ଷଣ ଅଗୋଚର ॥
ସତ୍ୟ ସଂଯୋଗ ଆବୋରିଲା ।ବାଳକ ବୁଦ୍ଧି ନାଶ ଗଲା ॥
ଯେବେ ଏହାର ବୋଲେ ଥିବେ ।ସର୍ବ ବାଳକ ନାଶ ଯିବେ ॥
ଏମନ୍ତ ହୃଦରେ ବିଚାରି ।ରାଜଦଣ୍ଡକୁ ଭୟ କରି ॥
ବେଗେ ରାଜାର ଆଗେ ଆସି ।ବିସ୍ତାରି କହିଲା ବିଶେଷି ॥
ଅସୁର ଶୁଣି ସର୍ବ କଥା ।ମନେ ପାଇଲା ଗୁରୁ ଚିନ୍ତା ॥
ପୁତ୍ରର ଅନ୍ୟାୟ ବଚନ ।ଶୁଣି ଅସୁର ଛନ୍ନ ଛନ୍ନ ॥
କ୍ରୋଧେ କଂପଇ ତା ଶରୀର ।ସର୍ପ ଯେସନେ ଫୁଫୁକାର ॥
ଅନେକ ମତେ ବିଚାରିଲା ।ପୁତ୍ର ମରଣେ ମନ ଦେଲା ॥
ଗୁରୁଙ୍କ ବାକ୍ୟ କର୍ଣ୍ଣେ ଶୁଣି ।ପ୍ରଚଣ୍ଡ କୋପେ ବୀରମଣି ॥
ଆଡ଼ ନୟନେ ଅନାଇଲା ।ପାପିଷ୍ଠ ପଣେ ଭୟ କଲା ॥
ବିଶ୍ୱାସ ପଣେ ସେ ଦଇତ ।ସ୍ୱଭାବେ ତାର ଶାନ୍ତ ଦାନ୍ତ ॥
କର ଅଂଜଳି ଦେଇ ମାଥେ ।ପ୍ରହ୍ଲାଦ ପିତାର ଅଗ୍ରତେ ॥
ଚରଣ ଅଗ୍ରେ ଶିର ଦେଇ ।ସର୍ବ ବାଳକେ ମେଳ ହୋଇ ॥
ଏମନ୍ତେ ପୁତ୍ରକୁ ଅନାଇ ।ଚିତ୍ତେ ପ୍ରଳୟ କୋପ ବହି ॥
ଗର୍ଜଇ ମନେ ବହି କୋପ ।ପାଦ ପ୍ରହାରେ ଯେହ୍ନେ ସର୍ପ ॥
ସ୍ୱଭାବେ ଦାରୁଣ ଅସୁର ।ଦିଶଇ ଯେହ୍ନେ ଦିବାକର ॥
ହିରଣ୍ୟକଶିପୁ ଉବାଚଦୁର୍ବୁଦ୍ଧି ଦୁଷ୍ଟ କୁଳାନ୍ତକ ।ଅଧର୍ମୀ ମହାପାପୀ ବୃକ ॥
ସୁଜ୍ଞଜନଙ୍କ ବାକ୍ୟ ଦୂର ।ଦୁଃଶୀଳ ଦୁଷ୍ଟ ଦୁରାଚାର ॥
ମୋହର କୋପେ ତିନିପୁର ।ଭୟେ କଂପନ୍ତି ଥରହର ॥
ତ୍ରାସେ କଂପନ୍ତି ଦିଗପାଳେ ।ନକ୍ଷତ୍ର ଗଗନ ମଣ୍ଡଳେ ॥
ଧିକ ତୋ ଜ୍ଞାନ ମୁଢ଼ ପଣେ ।ମୋ ଆଜ୍ଞା ଭାଙ୍ଗୁ ପରମାଣେ ॥
ତୁ ପୁତ୍ର ମୋର କୁଳାଙ୍ଗାର ।ଆଜ ପେଶିବି ଯମପୁର ॥
କାହାର ବୋଲେ ଦୁଷ୍ଟ ପଣେ ।ମୋ ବୋଲ ଭାଙ୍ଗୁ ଅକାରଣେ ॥
ପ୍ରହଲାଦ ଉବାଚଶୁଣ ରାଜନ ମୋର ବାଣୀ ।ତୁମ୍ଭେ ତ୍ରିଲୋକରେ ବରଣୀ ॥
ଯେ କଥା ଉଚିତ ମୋହର ।କହଇ ଶୁଣ ନୃପବର ॥
ଯେଉଁ ପ୍ରଭୁର ବଳେ ମୁହିଁ ।ନୀଚକୁ ସମାନ ଜାଣଇ ॥
ତୋର ମୋହର ଆଦି କରି ।ଅପରେ ଯେତେ ଦେହଧାରୀ ॥
ଜଗତେ ମହାବଳୀ ଯେତେ ।ସ୍ଥାବର ଜଂଗମ ସହିତେ ॥
ବ୍ରହ୍ମାଦି ଯେତେ ସୁରାସୁରେ ।ଯାର ଚରଣେ ପୂଜା କରେ ॥
ସେ ରୂପେ କର୍ମ କାଳ ରୂପୀ ।ଯଜ୍ଞ ଶରୀର ବିଶ୍ୱବ୍ୟାପୀ ॥
ପ୍ରାଣୀଙ୍କ ବଳ ପ୍ରାୟ ସେହି ।ବାହ୍ୟ ଅନ୍ତର ସମ ହୋଇ ॥
ଇନ୍ଦ୍ର ଦେବତା ଇନ୍ଦ୍ରି ଗୁଣ ।ଇନ୍ଦ୍ରିୟ ବଶର କାରଣ ॥
ସେ ବିଶ୍ୱ ସଂସାର ସର୍ଜ୍ଜଇ ।ତ୍ରିଗୁଣ ମାୟା ସଂଗେ ନେଇ ॥
ଭୁଞ୍ଜଇ ଅଶେଷ ଶରୀରେ ।କ୍ରୀଡ଼ାର ଅନ୍ତେ ଅନ୍ତ କରେ ॥
ଏହାତୁ ଜାଣି ତାକୁ ସ୍ମର ।ଅସୁର ଭାବ ଦୂର କର ॥
ଆତ୍ମାର ଭାବେ ଆତ୍ମା ରଖ ।ସକଳ ଘଟେ ସମ ଦେଖ ॥
ଯେ ଭାବେ ରିପୁ ମିତ୍ର ନାହିଁ ।ସେ ଭାବେ ରହ ମନଦେଇ ॥
ମିତ୍ର ଉଦାସ ଶତ୍ରୁ ଗଣେ ।ହରି ହୁଁ ନାହିଁ ଅନ୍ୟ ଜଣେ ॥
ଏ ଭାବେ ଚିନ୍ତ ହେ ପିଅର ।ହରି ସନ୍ତୋଷେ କର୍ମ କର ॥
ତୁ ଯେ ବୋଲାଉ ବୀରମଣି ।ତ୍ରିଲୋକ ଦଶଦିଗ ଜାଣି ॥
ଏ ତିନି ଭୁବନ ଆବୋରି ।ଭୁଜ ତୁ ଅକଣ୍ଟକ ଶିରୀ ॥
ଜଗତେ ରିପୁ ତୋର ନାହିଁ ।କହିବି ଶୁଣ ମନ ଦେଇ ॥
ବ୍ରହ୍ମାଣ୍ଡେ ଯେତେ ଛନ୍ତି ପୁଣ ।ଏକତ୍ୱ ଦେହ ପରିମାଣ ॥
ଯେ ଷଡ଼ରିପୁ କାମ ଆଦି ।ହୃଦୟ ମଧ୍ୟେ ଛନ୍ତି ଭେଦି ॥
ମନକୁ କରି ସେନାପତି ।ଆତ୍ମା ସଂପଦ ଲୁଟୁଛନ୍ତି ॥
ଏ ଦଶ ଇନ୍ଦ୍ରି ଦିଗପାଳେ ।ଆତ୍ମାକୁ ନାଶନ୍ତି ସମୂଳେ ॥
ଏହାଙ୍କୁ ଦେହେ ନ ନିବାରି ।ମୁଁ ବୀର ବୋଲି ଗର୍ବ କରି ॥
ଏହାଙ୍କୁ ଜିଣିବୁ କେମନ୍ତେ ।ଏବେ ହୋ ଦୃଢ଼ କର ଚିତ୍ତେ ॥
ଏମନ୍ତ ପ୍ରହଲାଦ ବାକ୍ୟେ ।ଅସୁର ଦେହ କୋପେ କଂପେ ॥
ବୋଲଇ ପୁତ୍ର ମୁଖ ଚାହିଁ ।ନିଶ୍ଚେ ମରିବୁ ଆଜ ତୁହି ॥
ଅଧିକ କେତେ କଥା କହୁ ।ତୁ ଯେ ଅସୁର ତନୁ ବହୁ ॥
ମୃତ୍ୟୁ ଯାହାର ସନ୍ନିଧାନ ।ମନୁ ହରଇ ତାର ଜ୍ଞାନ ॥
ଆତ୍ମାର ଗତି ନ ପ୍ରମାଣି ।ବାଳୁତ ଭାବେ କହୁ ବାଣୀ ॥
ଜୀବନେ ଭାବ ନାହିଁ ତୋର ।ବଚନ କହୁ ଅଗୋଚର ॥
ଏ ତିନିପୁରେ ମୁଁ ଈଶ୍ୱର ।ମୋ ତହୁଁ ଅଛି କେବା ପର ॥
ତାହାର ବୋଲେ ତୁ ପାମର ।ମୋ ବାକ୍ୟ ଅବଜ୍ଞା ତୋହର ॥
ସ୍ଥାବର ଜଙ୍ଗମ ସହିତେ ।ମୁହିଁ ପାଳଇ ଏ ଜଗତେ ॥
ମୋ ତହୁଁ କେବା ଅଛି ଭିନ୍ନେ ।ଈଶ୍ୱର ଏ ତିନି ଭୁବନେ ॥
ତୁ ଯେବେ ବୋଲୁ ଦୃଢ଼ କରି ।ଦୃଶ୍ୟେ ଅଦୃଶ୍ୟେ ଅଛି ପୂରି ॥
ଆଜ ତୁ ମୋହର ସମ୍ମୁଖେ ।ହରିଙ୍କୁ ଦେଖାଅ ପ୍ରତ୍ୟକ୍ଷେ ॥
ସେ ଯେବେ ସର୍ବବ୍ୟାପୀ ଥାଇ ।ଏ ସ୍ତମ୍ଭେ କିଂପା ନ ଦିଶଇ ॥
ତୁ ଯେ ବୋଲାଉ ତାର ସଖା ।ପ୍ରତ୍ୟକ୍ଷେ ସ୍ତମ୍ଭ ମଧ୍ୟେ ଦେଖା ॥
ଆଜ ହାଣିବି ତୋର ଶିର ।କେମନ୍ତେ ରଖେ ଚକ୍ରଧର ॥
ଏମନ୍ତ ପିତାର ବଚନେ ।ପ୍ରହ୍ଲାଦ ଭୟ କଲା ମନେ ॥
ବାଳକ ବିଷ୍ଣୁର ବିଶ୍ୱାସେ ।ଚଂଚଳେ ଚାହିଁ ଦଶ ଦିଶେ ॥
ଦେଖିଲା ସ୍ତମ୍ଭ ମଧ୍ୟେ ହରି ।ଶଙ୍ଖ କମଳ ଚକ୍ରଧାରୀ ॥
ପ୍ରଚଣ୍ଡ ଗଦା ଶୋହେ କରେ ।ଦେଖିଲେ ସ୍ତମ୍ଭର ଭିତରେ ॥
ବୋଲଇ ପିତା ମୁଖ ଚାହିଁ ।କପୋଳେ ବେନି କର ଦେଇ ॥
ହେ ତାତ ସ୍ତମ୍ଭ ମଧ୍ୟ ହରି ।ଦେଖ ପ୍ରତ୍ୟକ୍ଷେ ଛନ୍ତି ପୂରି ॥
ଏମନ୍ତେ ପୁତ୍ର ମୁଖୁ ଶୁଣି ।କୋପେ ଉଠିଲା ଶିର ଝୁଣି ॥
ପୁତ୍ରକୁ ଚାହିଁ କୋପଦୃଷ୍ଟି ।ଓଷ୍ଠ ଚାପିଣ ଦନ୍ତ ପାଟି ॥
ତୀକ୍ଷ୍ଣ ଖଡ଼ଗ ଧରି କରେ ।ଅସୁର ଉଠି କୋପ ଭରେ ॥
ସ୍ତମ୍ଭକୁ ଚାହିଁ କୋପ ଦୃଷ୍ଟି ।ପ୍ରହାର କଲା ବାମ ମୁଷ୍ଟି ॥
ତକ୍ଷଣେ ଘୋର ନାଦ କରି ।ସ୍ତମ୍ଭ ମଧ୍ୟରେ ଦଇତାରି ॥
ଅତି ଦୁଃସହ ଘୋର ନାଦେ ।ବ୍ରହ୍ମାଣ୍ଡ ପୂରିଲା ଶବଦେ ॥
ବ୍ରହ୍ମାଦି ତ୍ରିଭୁବନ ଲୋକେ ।ଭୟେ କଂପିଲେ ଏକେ ଏକେ ॥
ଶବଦେ ଯେହ୍ନେ ଘଡ଼ ଘଡ଼ି ।ବ୍ରହ୍ମାଣ୍ଡ ପଡ଼ିଲା କି ଛିଡ଼ି ॥
ଅଦ୍ଭୁତ ଘୋର ନାଦ ଶୁଣି ।କୋପେ ଧାଇଁଲା ଖଡ଼୍ଗଘେନି ॥
ଦେଖି କଂପିଲେ ଦିଗପାଳ ।ଧଇଲା ପ୍ରହଲାଦ ବାଳ ॥
ଦେଖିଲା ସ୍ତମ୍ଭେ କେହି ନାହିଁ ।ବୋଇଲା ପୁତ୍ର ମୁଖ ଚାହିଁ ॥
ଆଜ ପେଷିବି ଯମପୁର ।ଦେଖା ତୋ କାହିଁ ଚକ୍ରଧର ॥
ତକ୍ଷଣେ ଭକତ ବତ୍ସଳ ।ଦେଖିଲେ ଭୃତ୍ୟର ବିକଳ ॥
ଯେ ହରି ସର୍ବ ଭୂତେ ପୂରି ।ତାର ବଚନ ସତ୍ୟ କରି ॥
ସ୍ତମ୍ଭର ମଧ୍ୟେ ରୂପ ଧରି ।ଯେସନେ ବିକ୍ରମ କେଶରୀ ॥
ଅଦ୍ଭୁତ ରୂପ ଦେବ ରାୟ ।ଶୋହେ ମନୁଷ୍ୟ ପଶୁକାୟେ ॥
ଅଦ୍ଭୁତ ରୂପ ଭୟଙ୍କର ।ଦେଖି ବିଚାରଇ ଅସୁର ॥
ଏ ରୂପ ଦେଖିଲା ତ ନାହିଁ ।ସ୍ତମ୍ଭେ ଏ ପ୍ରକାଶିଲା କାହିଁ ॥
ଦୁଗ୍ଧ ସୁବର୍ଣ୍ଣ ପ୍ରାୟ ବର୍ଣ୍ଣ ।କର୍କଶ ପିଙ୍ଗଳ ଲୋଚନ ॥
ଶରୀର କେଶର କମ୍ପନେ ।ଜଳଦେ ଉଡ଼ିଲେ ଗଗନେ ॥
ବିସ୍ତାର ତୁଣ୍ଡ ବେନି କଲେ ।ଜିହ୍ୱା ବୁଲାଇ ଅନ୍ତରାଳେ ॥
ବିକଟ ଦନ୍ତ ବେନି ପାଟି ।ନିଷ୍ଠୁର ଚଞ୍ଚଳ ଭ୍ରୂକୁଟି ॥
ଉର୍ଦ୍ଧ୍ୱେ ଚଳଇ କର୍ଣ୍ଣ ଦୁଇ ।ଗିରି ଗୁହାର ପ୍ରାୟ ହୋଇ ॥
ନାସିକା ରନ୍ଧ୍ର ଅନ୍ଧକାର ।ବିସ୍ତାର ହନୁ ମହାଘୋର ॥
ଗ୍ରୀବାର ତନୁ ଦୀର୍ଘ ଦିଶେ ।ମସ୍ତକ ଲାଗଇ ଆକାଶେ ॥
ଚନ୍ଦ୍ର ଗଉର ତନୁ ରୁହ ।ବିଶ୍ୱ ପୂରିତ ବିଶ୍ୱଦେହ ॥
କର ଚରଣ ନଖାୟୁଧ ।ତା ଦେଖି କମ୍ପିଲେ ବିବୁଧ ॥
ଅସୁର ପଳାଇଲେ ତ୍ରାସେ ।ଭୟେ ପଶିଲେ ଦଶଦିଶେ ॥
ଏମନ୍ତ ରୂପ ଦେଖି ଆଗେ ।ଦାନବ ପତି ମହାରାଗେ ॥
ଗଦା ବୁଲାଇ ଦକ୍ଷକରେ ।ପିଟିଲା ନୃସିଂହ ଉପରେ ॥
ପୁଣି ପ୍ରହାରେ ବାମଦକ୍ଷେ ।ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥
ଅତି ବିକ୍ରମ ତେଜ ଦେଖି ।ନୃସିଂହ ଉନ୍ମୀଳିତ ଆଖି ॥
କର ପ୍ରସାରି ନରହରି ।ତକ୍ଷଣେ ଅସୁରକୁ ଧରି ॥
ଗଦା ଯେ ଅଛି ତାର ହସ୍ତେ ।ସର୍ପକୁ ଗରୁଡ଼ ଯେମନ୍ତେ ॥
ତକ୍ଷଣେ ଦାନବଙ୍କ ପତି ।ହସ୍ତରୁ ଖସି କରେ ଗତି ॥
ଗରୁଡ଼ ହସ୍ତୁ ଯେହ୍ନେ ଅହି ।ପଡ଼ି ଗର୍ଜ୍ଜଇ ବ୍ୟସ୍ତ ହୋଇ ॥
ଓଷ୍ଠ କାମୋଡ଼ି ଅତିବଳେ ।ଦେଖି ଡରିଲେ ଦିଗପାଳେ ॥
ଅସାଧ୍ୟ ଦେଖି ଦେବଗଣ ।ମେଘ ଲୁଚିଲେ ତତକ୍ଷଣ ॥
ନୃସିଂହ ହସ୍ତୁ ଗଲା ଚଳି ।ଦେବେ ଭାଳନ୍ତି ଶୂନ୍ୟେ ମିଳି ॥
ପୁଣି ଧାଇଁଲା ନାଦ କରି ।ତକ୍ଷଣେ ଖଡ଼୍ଗ ଚର୍ମଧରି ॥
ତମେ ଶୋଭିତ ଶତଚନ୍ଦ୍ର ।ଦୁର୍ଜ୍ଜୟ ଅସୁର ନରେନ୍ଦ୍ର ॥
ଖଡ଼୍ଗ ମଣ୍ଡଳ ଗତି ଦେଖି ।ଭୟେ ବୁଜିଲେ ସର୍ବେ ଆଖି ॥
ଶୂନ୍ୟେ ଉଡ଼ଇ ବାହୁବଳେ ।ପୁଣି ମିଳଇ ଭୂମିତଳେ ॥
ପ୍ରଚଣ୍ଡ ହାସେ ନରହରି ।ତକ୍ଷଣେ ଅସୁରକୁ ମାରି ॥
ହୃଦେ ଚାପନ୍ତେ ପୁଣି ଗଳି ।ତଳେ ପଡ଼ିଲା ମହାବଳୀ ॥
ପୁଣି ଧରନ୍ତି ଅତି ବେଗେ ।ବଳେ ଉଛୁଡ଼େ ଦଶଦିଗେ ॥
ମାର୍ଜ୍ଜାର ମୂଷିକକୁ ଯେହ୍ନେ ।ଧଇଲେ ରାକ୍ଷସକୁ ତେହ୍ନେ ॥
ସ୍ୱଭାବେ ଦୁର୍ଜ୍ଜୟୟ ଅସୁର ।ବଜ୍ର ହୁଁ କଠିନ ଶରୀର ॥
ଉର ଉପରେ ନରହରି ।ଉଭାନ କରି ତାକୁ ଧରି ॥
ବାମ ଦକ୍ଷିଣ ଧରି କରେ ।ଲୀଳା ମାତ୍ରକେ ନଖାଙ୍କୁରେ ॥
ରୋଷେ ହୁଁକାର ନାଦ କରି ।ହୃଦୟ କମଳ ବିଦାରି ॥
ଦେବେ ଦେଖନ୍ତି ଥାଇ ଶୂନ୍ୟ ।ସର୍ପକୁ ଗରୁଡ଼ ଯେସନେ ॥
ଅସୁର ହୃଦୟ ରୁଧିରେ ।ତିନ୍ତିଲା ଲଲାଟ କେଶରେ ॥
ସିଂହ ଯେସନେ ହସ୍ତୀ ମୁଣ୍ଡେ ।ବସି ବିଦାରି ଦନ୍ତ ତୁଣ୍ଡେ ॥
ଅସୁର ହୃଦୟ କମଳ ।ନଖେ ବିଦାରି ମହାବଳ ॥
କୋପେ ଚାହାନ୍ତେ ଦଶଦିଶେ ।ଦୈତ୍ୟେ ମିଳିଲେ ଆସି ପାଶେ ॥
ନାନାଦି ଅସ୍ତ୍ର ଧରି କରେ ।ଧାଇଁଲେ ନୃସିଂହ ଉପରେ ॥
ତାହାଙ୍କୁ ଧରି ତତକ୍ଷଣ ।ନଖେ ବିଦାରି କଲେ ରଣ ॥
ସହସ୍ର ସହସ୍ର ଅସୁର ।ସମରେ ଗଲେ ଯମପୁର ॥
ଅସୁର ବଳ କୋପେ ମାରି ।ବେଗେ ଧାଇଁଲେ ନରହରି ॥
ନୃସିଂହ ଜଟାର ସ୍ପରଶେ ।ଜଳଦେ କମ୍ପିଲେ ଆକାଶେ ॥
ଗ୍ରହ ନକ୍ଷତ୍ର ମାଳ ମାଳ ।ସ୍ୱର୍ଗୁ ପଡ଼ିଲେ ମହୀତଳ ॥
ନିଃଶ୍ୱାସ ବାତେ ସିନ୍ଧୁଜଳ ।ହୋଇଲେ ଅତ୍ୟନ୍ତ ଚଞ୍ଚଳ ॥
ନୃସିଂହ ଶବ୍ଦେ ଦିଗପନ୍ତି ।ଭୟରେ ଚିତ୍କାର କରନ୍ତି ॥
ଦେବେ ଗଗନୁ ଗଲେ ତ୍ରାସେ ।ଭୟେ ଦିଶିଲେ ଦଶ ଦିଶେ ॥
ସକଳ ଅସୁର ସଂହାରି ।ବିଜୟ କଲେ ନରହରି ॥
ବସିଲେ ଅସୁର ଆସନେ ।ଯେହୁ ପୂଜିତ ତ୍ରିଭୁବନେ ॥
ଦେଖି ଅସୁରେ ପଳାଇଲେ ।ଯେ ଅବା ଅବଶେଷେ ଥିଲେ ॥
ଶସ୍ତ୍ର ଧରନ୍ତା କେହି ନାହିଁ ।ଚଞ୍ଚଳେ ଚଉଦିଗେ ଚାହିଁ ॥
ଏମନ୍ତେ ଅସୁର ସଂହାରି ।ସଭାରେ ମଧ୍ୟେ ବିଜେ ହରି ॥
ହିରଣ୍ୟକଶିପୁ ଅସୁର ।ତ୍ରୈଲୋକ୍ୟ ମଧ୍ୟେ ଥିଲା ବୀର ॥
ସଂଗ୍ରାମେ ହାରି ତା ଜୀବନ ।ସୃଷ୍ଟି ରଖିଲେ ଭଗବାନ ॥
ଅସୁର ନିଧନ ସମ୍ବାଦେ ।ବିବୁଧେ ପରମ ଆନନ୍ଦେ ॥
ନନ୍ଦନ ବନ ପୁଷ୍ପ ତୋଳି ।ଶୂନ୍ୟେ ସକଳ ଦେବ ମିଳି ॥
ହରଷ ଲୋଚନେ ଅନାଇଁ ।ମଙ୍ଗଳ ସ୍ୱରେ ଗୀତ ଗାଇ ॥
ମିଳି ସକଳ ସୁରନାରୀ ।ସାନନ୍ଦ ପୁଷ୍ପ ବୃଷ୍ଟି କରି ॥
ଶୂନ୍ୟେ ଅସୁର ଭୟ ଭାଜି ।ଥିଲେ ଯେ ଦଶଦିଶେ ହଜି ॥
ଗଗନେ ବିମାନ ସଙ୍କୁଳେ ।ମିଳିଲେ ଦଶ ଦିଗପାଳେ ॥
ଦୁନ୍ଦୁଭି ବାଦ୍ୟ ନାଦ କଲେ ।ଗନ୍ଧର୍ବ ଅପସରା ମେଳେ ॥
ଆନନ୍ଦହେଲେ ସୁରନାରୀ ।ହସନ୍ତି ନୃତ୍ୟ ଗୀତ କରି ॥
ବ୍ରହ୍ମା ଶଙ୍କର ଇନ୍ଦ୍ରତୁଲେ ।ଋଷିଏ ପିତୃ ସିଦ୍ଧ ମେଳେ ॥
ଉରଗ ବିଦ୍ୟାଧର ଗଣ ।ମାନବ ପ୍ରଜାପତି ପୁଣ ॥
ମିଳିଲେ ଗନ୍ଧର୍ବ ଚାରଣ ।ଯକ୍ଷ ଯେ କିଂପୁରୁଷ ଗଣ ॥
ଆବର ବେତାଳ କିନ୍ନର ।ଏ ଆଦି ଅଶେଷ ଅମର ॥
ମିଳିଲେ ବିଷ୍ଣୁ ପାରିଷଦ ।ସନନ୍ଦ ସନକ ମୁକୁନ୍ଦ ॥
କର ଅଞ୍ଜଳି ଶିରେ ଦେଇ ।ମିଳିଲେ ବିଷ୍ଣୁ ପାଶେ ଯାଇ ॥
ପ୍ରଚଣ୍ଡ ତେଜ ମହାଘୋର ।ଭୟେ ରହିଲେ କିଛି ଦୂର ॥
ସର୍ବେ ରହିଲେ ଦୂର ହୋଇ ।ସମୀପେ ନ ପାରିଲେ ଯାଇ ॥
ଶଙ୍କିତ ଚିତ୍ତେ ସର୍ବ ଲୋକେ ।ସ୍ତୁତି କରନ୍ତି ଏକେ ଏକେ ॥
ବ୍ରହ୍ମୋବାଚଅଦ୍ଭୁତ ଅନନ୍ତ ମୂରତି ।ଦୂରନ୍ତ ଯାହାଙ୍କର ଶକ୍ତି ॥
ଯେ କରେ ଜଗତ ପାଳନ ।ସୃଜଇ ସ୍ଥିତି ସଂହାରଣ ॥
ବିଚିତ୍ରବୀର୍ଯ୍ୟ ଯାର ନାମ ।ଯେ କରେ ସର୍ବ ଶୁଭ କର୍ମ ॥
ଅଶେଷ ଯାହାର ମହିମା ।କେ ବର୍ଣ୍ଣିପାରେ ଗୁଣସୀମା ॥
ସେ ପ୍ରଭୁ ଚରଣାରବିନ୍ଦେ ।ପ୍ରସନ୍ନ ଅର୍ଥ ମୁହଁ ବନ୍ଦେ ॥
ଶ୍ରୀ ହରି ପ୍ରସନ୍ନ ହୁଅନ୍ତୁ ।ସକଳେ ଅଭୟ ଦିଅନ୍ତୁ ॥
ମହାଦେବ ଉବାଚହେ ପ୍ରଭୁ ଭକତ ବତ୍ସଳ ।ଦୁଷ୍ଟ ଅସୁର ବିନାଶିଲ ॥
ତା ପୁତ୍ର ଭକ୍ତ ପ୍ରହଲାଦ ।ଆଶ୍ରା ନେଇଛି ତୁମ୍ଭପାଦ ॥
ତା ସମ ଭକ୍ତ କେହି ନାହିଁ ।ରଖ ତାହାକୁ ଭାବଗ୍ରାହୀ ॥
ଇନ୍ଦ୍ର ଉବାଚଇନ୍ଦ୍ର ନୃସିଂହ ମୁଖ ଚାହିଁ ।ବୋଇଲେ କର ତ୍ରାହି ତ୍ରାହି ॥
ଏ ମହାସୁର ମହାବେଗେ ।ଯଜ୍ଞ ଆରମ୍ଭେ ହବିର୍ଭାଗେ ॥
ବଳେ ଭୁଞ୍ଜଇ ସେ ଆକର୍ଷି ।ଆମ ହୃଦୟପଦ୍ମ ଗ୍ରାସି ॥
ତୁ ନାଥ ସର୍ବ ପ୍ରାଣୀଙ୍କର ।ହୃଦୟପଦ୍ମେ ତୋର ଘର ॥
ସେ ପଦ୍ମ ଅସୁର ଶଶାଙ୍କେ ।ମୁଦ୍ରିତ ଥିଲା ଅତିରେକେ ॥
ତୁ ଏବେ ସୂର୍ଯ୍ୟରୂପ ଧରି ।ହୃଦୟେ ପଦ୍ମ ଭେଦ କରି ॥
ତୋହର ହୃଦ ତୁ ରଖିଲୁ ।ଆମ୍ଭଙ୍କୁ ଯଜ୍ଞଭାଗ ଦେଲୁ ॥
ଏ ଘୋର ସଂସାର ସାଗରେ ।ପ୍ରାଣୀ ଜୀବନ ନିରନ୍ତରେ ॥
ଅଜ୍ଞାନେ ମୋହିତ ଏ ନିତ୍ୟେ ।କିବା କହିବୁ ତୋ ଅଗ୍ରତେ ॥
ତୋର ସେବକ ପ୍ରାଣୀଙ୍କର ।ତୁ ନାଥ ଶରଣ ସୋଦର ॥
ଋଷୟ ଉଚୁଃତୋର ଚରଣ ଧ୍ୟାନ ଅର୍ଥ ।ତପ ସମାଧି ଏ ଜଗତେ ॥
ତୋର ବଚନେ ଆମ୍ଭେ ରହି ।ସଂସାରେ ବିପ୍ରଦେହ ବହି ॥
ସେ ତପ ସାଧିବାର ବେଳେ ।ହରଣ କଲା ଦୁଷ୍ଟ ବଳେ ॥
ତୋର ବଚନେ ତୋତେ ଭାବି ।ଦୃଢ଼ ପଦାରବିନ୍ଦେ ସେବି ॥
ସେ ତ ହରିଲା ଆମ୍ଭର ।ନିଜର ପ୍ରତାପେ ଅସୁର ॥
ଏବେ ତାହାକୁ ନାଶ କରି ।ଆମ୍ଭର ତପସ୍ୟା ଉଦ୍ଧରି ॥
ରଖିଲୁ ଋଷିଙ୍କର ଧର୍ମ ।ତୁ ନାଥ ସର୍ବକୁଳ ଧର୍ମ ॥
ପିତର ଉଚୁଃଆମ୍ଭର ଶ୍ରାଦ୍ଧ ତୋଷ ଚିତ୍ତେ ।ପୁତ୍ରେ କରନ୍ତି ବେଦମତେ ॥
ଆମ୍ଭ ଦିବସ ଶ୍ରାଦ୍ଧ କାଳେ ।ଅସୁର ଭୁଞ୍ଜ ଆସି ବଳେ ॥
ତିଳ ଉଦକ ଯେତେ ତୀର୍ଥେ ।ପୁତ୍ରେ ଦିଅନ୍ତି ସ୍ନେହମତେ ॥
ସେ ଜଳ ବଳେ ପାନ କରେ ।ଅର୍ପିତ ଦାନ ବଳେ ହରେ ॥
ଆମ୍ଭର ଜଳପିଣ୍ଡ ଯେତେ ।ଥିଲା ଅସୁର ଗର୍ଭଗତେ ॥
ନଖ ଅଗ୍ରତେ ତାହା ଖୋଳି ।ଆମ୍ଭଙ୍କୁ ଦେଲୁ ନରହରି ॥
ସିଦ୍ଧା ଉଚୁଃଆମ୍ଭର ୟୋଗେ ସିଦ୍ଧଗତି ।ବଳେ ହରିଲା ଦୈତ୍ୟପତି ॥
ତାହାକୁ ନଖେ ବିଦାରିଲୁ ।ତୁ ନାଥ ଆମ୍ଭଙ୍କୁ ରଖିଲୁ ॥
ତୋର ଚରଣେ ନମସ୍କାର ।ଯେଣୁ ତୁ ଶରଣ ସୋଦର ॥
ବିଦ୍ୟାଧରା ଉଚୁଃକର ପ୍ରସାରି ବିଦ୍ୟାଧରେ ।ବୋଲନ୍ତି ନୃସିଂହ ଛାମୁରେ ॥
ଆମ୍ଭର ଅନ୍ତର୍ଦ୍ଧାନ ଗତି ।ବଳେ ହରିଲା ଦୈତ୍ୟପତି ॥
ତାହାକୁ ପଶୁ ବଧ ପ୍ରାୟେ ।ସଂସାର କଲୁ ଦେବରାୟେ ॥
ମାୟା ନୃସିଂହ ଅବତାର ।ଆମ୍ଭେ ଯେ ଶରଣ ତୋହର ॥
ନାଗା ଉଚୁଃଆମ୍ଭ ଫଣିରେ ଯେତେ ମଣି ।ଯେ ଗୃହେ ଉତ୍ତମ ରମଣୀ ॥
ସବୁ ହରିଲା ବାହୁ ବଳେ ।ଅଜୟ ଭୁବନ ମଣ୍ଡଳେ ॥
ସେ ଭୟ ନିବାରି ଗୋବିନ୍ଦ ।ଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ ॥
ତୁ ନାଥ ସଂସାର ଉଦ୍ଧାର ।ତୋର ଚରଣେ ନମସ୍କାର ॥
ମାନବା ଉଚୁଃବିଧାତା ବଂଶେ ଅବତରି ।ତୋର ଆଦେଶ ଶିରେ ଧରି ॥
ମନୁଷ୍ୟ ବୋଲାଇ ଜଗତେ ।ଥାଇ ଯେ ତୋହର ଆୟତ୍ତେ ॥
ଧର୍ମେ ସଂସାର ଜନ ପାଳୁ ।ତୁ ନାଥ ପରମ ଦୟାଳୁ ॥
ତୁମ୍ଭ କିଙ୍କର ଆମ୍ଭ ଦେହ ।କିବା କରିବୁ ଆଜ୍ଞା ଦିଅ ॥
ପ୍ରଜାପତୟେ ଉଚୁଃତୋ ପ୍ରଜା ସୃଷ୍ଟିର ପାଳନେ ।ଆମ୍ଭଙ୍କୁ ନାନା ଜୀବମାନେ ॥
ରଖିଲୁ ପ୍ରଜାପାଳ କରି ।ଆମ୍ଭେ ଯେ ତୋର ଆଜ୍ଞାଧାରୀ ॥
ସୃଷ୍ଟି ପାଳନ କରି ଭଲେ ।ମାନବ ପ୍ରଜାପତି ତୁଲେ ॥
ଅସୁର ଭୟେ ଚିନ୍ତା ବହି ।ସ୍ଥାନ ନ ପାଇ ଆମେ ରହି ॥
ସେ ଏବେ ତୋର ନଖାଘାତେ ।ମରି ପଡ଼ିଛି ଭୂମିଗତେ ॥
ତୁ ସତ୍ୟ ପ୍ରଭୁ ଚକ୍ରଧର ।ଏବେ ନୃସିଂହ ଅବତାର ॥
ଜଗତ ମଙ୍ଗଳ ବିଧାନ ।ସଂସାର ରଖ ଭଗବାନ ॥
ଗନ୍ଧର୍ବା ଉଚୁଃଭୋ ନାଥ ତୋହର ବଚନେ ।ନିତ୍ୟ ଦେବଙ୍କ ସନ୍ନିଧାନେ ॥
ନୃତ୍ୟ ଖଟଣୀ ପୀତାମ୍ବର ।ବିବିଧ ଅନେକ ପ୍ରକାର ॥
ଗୀତ ଖଟଣି ରତି ରସେ ।ନିରତେ ଖଟୁ ଅବକାଶେ ॥
ତୋହର ଚରଣ ପ୍ରସାଦେ ।ଆମ୍ଭେ ବର୍ତ୍ତିଲୁ ଅପ୍ରମାଦେ ॥
ଭୟେ ନ ପାରୁ ଆମେ ରହି ।ତୋର ବଚନେ ନିତ୍ୟେ ଥାଇ ॥
ଉତ୍ପଥଗାମୀ ଜନଙ୍କର ।କେବେହେଁ ନାହିଁ ସୁଖସାର ॥
ଚାରଣା ଉଚୁଃଭୋ ଦେବ ଚରଣେ ତୁମ୍ଭର ।ଭୋଗାପବର୍ଗ ସୁଖଘର ॥
ସଂସାର ନିବୃତ୍ତି କାରଣ ।ଭୋ ନାଥ ତୋହର ଚରଣ ॥
ସେ ପାଦ ସେବା ଆମ୍ଭେ ଛାଡ଼ି ।ଅସୁର ଘରେ ବନ୍ଦି ପଡ଼ି ॥
ସେ ମନ ଦୁଃଖ ଏବେ ଗଲା ।ଯେବେ ଅସୁର ବୀର ମଲା ॥
ଯକ୍ଷାଉଚୁଃସେବକ ମୁଖ୍ୟ ଆମେ ତୋର ।ନିରତେ ଚରଣେ କିଙ୍କର ॥
ମନୋଜ୍ଞ ସାଧୁଗଣ ପୁରେ ।ତୋର ଚରଣ ଏଡ଼ି ଦୂରେ ॥
ଆମ୍ଭଙ୍କୁ ନିତ୍ୟ ଦୁଃଖ ଦେଇ ।ବାହନ କରି ନିତ୍ୟେ ବାହି ॥
ସେ ପୁଣି ଜନ ପରିତାପେ ।ପ୍ରାଣ ହରିଲା ତୋ ସମୀପେ ॥
କିଂପୁରୁଷା ଉଚୁଃତୁ ମହାପୁରୁଷ ଈଶ୍ୱର ।ଆମେ କିଙ୍କର ନାଥ ତୋର ॥
କୁତ୍ସିତ ପୁରୁଷ ଏ ଦୁଷ୍ଟ ।ସାଧୁ ବର୍ଜିତ ମହାକଷ୍ଟ ॥
ଅନ୍ୟାୟ କର୍ମ ଆଚରିଲା ।ତାର ପ୍ରତାପେ ନାଶ ଗଲା ॥
ବୈତାଳିକା ଉଚୁଃଆମ୍ଭେ ସାଧୁଙ୍କ ସଙ୍ଗ ମଧ୍ୟେ ।ଯଜ୍ଞ ଆରମ୍ଭ ପରିବନ୍ଧ ॥
ତୋର ନିର୍ମଳ ଯଶ ଗାଇ ।ସତ୍ତ୍ୱରେ ପୂଜାବିଧି ପାଇ ॥
ଆନନ୍ଦେ ପୂଜୁଁ ସାଧୁ ମେଳେ ।ଅସୁର ଉପଦ୍ରବ ବଳେ ॥
ତୋହର ଶତ୍ରୁ ନାଶ ଗଲା ।ଆମ୍ଭଙ୍କୁ ମହାସୁଖ ହେଲା ॥
ଏ ଆମ୍ଭ ଦେହେ ବ୍ୟାଧ ଥିଲା ।ତୋର ପ୍ରତାପେ ନାଶ ଗଲା ॥
କିନ୍ନର ଉଚୁଃତୋର କିଙ୍କରଗଣ ଆମ୍ଭେ ।ତୋ ଅନୁଗ୍ରହେ ଥାଉ ଦମ୍ଭେ ॥
ଏ ଦିତିପୁତ୍ର ମହାଦୁଷ୍ଟ ।ଆମ୍ଭଙ୍କୁ ଦେଲା ମହା କଷ୍ଟ ॥
ତୁମ୍ଭେ ଏ ଅସୁର ମାରିଲ ।ଆମ୍ଭର ମାନ ଉଦ୍ଧରିଲ ॥
ତୁ ନାଥ ଦେବଙ୍କର ବର ।ଆମ୍ଭର ଭୟ ନାଶ କର ॥
ବିଷ୍ଣୁପାର୍ଷଦା ଉଚୁଃଭୋ ନାଥ ଏ ରୂପ ତୋହର ।ଦୈତ୍ୟ ମାୟାବୀ ଭୟଙ୍କର ॥
ଅଦ୍ଭୁତ ଦେଖି ସର୍ବଜନେ ।ଭୟେ କମ୍ପିଲେ ତ୍ରିଭୁବନେ ॥
ତାହାଙ୍କ କର୍ମଦାତା ତୁହି ।ଆମ୍ଭଙ୍କୁ ନାଥ କର ତ୍ରାହି ॥
ତେଣୁ ନାଶିଲୁ ମହାସୁର ।ଆମ୍ଭଙ୍କୁ ଅନୁଗ୍ରହ ତୋର ॥
ଏମନ୍ତ ନୃସିଂହ ସମୀପେ ।ସ୍ତୁତି ବଚନ ଏକେ ଏକେ ॥
କହି ରହିଲେ ତୋଷ ମନେ ।ଏବେ ହୋ ଶୁଣ ସାବଧାନେ ॥
ନାରଦ ଯୁଧିଷ୍ଠି ଅଗ୍ରତେ ।ଯାହା କହିଲେ ଭାଗବତେ ॥
ଅଦ୍ଭୁତ ନୃସିଂହ ଚରିତ ।କହିଲା ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନୃସିଂହ ଅବତାର ହିରଣ୍ୟକଶିପୁବଧୋ ନାମ ଅଷ୍ଟମୋଽଧ୍ୟାୟଃ ।