ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୮ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ଅଧ୍ୟାୟ
ନାରଦ ଉବାଚବିଷ୍ଣୁର ବର କଥା ଶୁଣି ।ମନେ ବିଚାରେ ବୀରମଣି ॥
ଭକ୍ତି ଯୋଗରୁ ବିଘ୍ନ ପ୍ରାୟ ।ମଣି ପ୍ରହ୍ଲାଦ କଲା ଭୟ ॥
ହସି ନୃସିଂହ ମୁଖ ଚାହିଁ ।ବୋଲଇ ଶିରେ କର ଦେଇ ॥
ପ୍ରହଲାଦ ଉବାଚଭୋ ନାଥ ଶୁଣ ଚକ୍ରଧର ।ତୋର ସେବକ ମୋତେ କର ॥
କାମେ ଆସକ୍ତି ପ୍ରାୟ ଜାଣି ।ବର ଯାଚିଲୁ ଚକ୍ରପାଣି ॥
ମୋହର ଇଚ୍ଛା ତୋର ପାଦେ ।ତୁ ମୋତେ ନ ଚିନ୍ତୁ ପ୍ରମାଦେ ॥
ଭୃତ୍ୟ ଲକ୍ଷଣ ଜାଣିବାରେ ।ସ୍ୱାମୀ ସ୍ୱଭାବ ଏ ସଂସାରେ ॥
କାମେ ଭ୍ରମଇ ଭୂତ୍ୟ ଚିତ୍ତ ।ମଣଇ ଭକତ ଅଭକ୍ତ ॥
ସଂସାରେ ଜୀବ ହୃଦେ ଗୁନ୍ଥି ।ଅଭେଦ ଜୀବ କର୍ମ କ୍ରାନ୍ତି ॥
ସେ କଥା ଭଲେ ଜାଣୁ ତୁହି ।ଏ ଅନୁମାନ ନ ଘଟଇ ॥
ତୋତେ ଆରାଧି ପ୍ରାଣୀ ଯେବେ ।ତୋର ଆଶିଷ ଚିତ୍ତେ ଭାବେ ॥
ଭକ୍ତ ଲକ୍ଷଣ ତା ନ ଗଣି ।ଯେ ଆତ୍ମା ଚିତ୍ତେ ନ ପ୍ରମାଣି ॥
ଯେ ପ୍ରାଣୀ ଇଷ୍ଟ ଆଶା କରେ ।ଭୃତ୍ୟ ନ ବୋଲି ତା ସଂସାରେ ॥
ଯେ ସ୍ୱାମୀ ଭୃତ୍ୟେ କଷ୍ଟ ଦେଇ ।ତା ସ୍ୱାମୀପଣ ରହେ ନାହିଁ ॥
ନିଷ୍କାମ ଭୃତ୍ୟ ମୁଁ ତୋହର ।ତୁ ସ୍ୱାମୀ ଜଗତ ଈଶ୍ୱର ॥
ରାଜାର ସେବକ ଯେସନେ ।ବଞ୍ଚଇ ଆଜ୍ଞା ଅଲଙ୍ଘନେ ॥
ତଥାପି ମୋର ଦୋଷ ଅର୍ଥେ ।ତୋ ବାକ୍ୟ ପାଳନ ଯୁକତେ ॥
ମାଗଇ ବର ତୋର ପାଦ ।ଯେମନ୍ତେ ନ ପଡ଼େ ପ୍ରମାଦ ॥
ଏମନ୍ତ ବର ଦିଅ ମୋତେ ।ତୋ ମାୟା ତରିବି ଯେମନ୍ତେ ॥
ଯେ ବର ହୃଦେ ମୋର ରହି ।ବୃକ୍ଷ ରୋପଣ ପ୍ରାୟେ ହୋଇ ॥
ପତ୍ର କୁସୁମ ଫଳ ନିତ୍ୟେ ।ମଙ୍ଗଳ କୁଶଳ ଜଗତେ ॥
ସେ ବର ହୃଦେ ମୋର ରହୁ ।ଭୋ ନାଥ ଏହି ବର ହେଉ ॥
ଇନ୍ଦ୍ରିୟ ମନପ୍ରାଣ ଗତି ।ଆତ୍ମା ସ୍ୱଭାବେ ପ୍ରୀତ ମତି ॥
ଲାଜ ସମ୍ପଦ ତେଜ ଜ୍ଞାନ ।ସତ୍ୟ ସନ୍ତୋଷ ବ୍ରତମାନ ॥
ଯେ ଜନ ଏ ସର୍ବ ନାଶନ୍ତି ।ସେ ଜନ୍ମ କର ଶିରୀପତି ॥
ମନ ସଂକଳ୍ପେ ଯେତେ ଥାଇ ।ଯେ ଜନ୍ମେ ପ୍ରାଣୀ ତା ସଞ୍ଚଇ ॥
ସେ ଜନ୍ମ ମିଳେ ତା ସମୀପେ ।ତୋଷ ମୋ ଅଇଶ୍ୱର୍ଯ୍ୟ କଳ୍ପେ ॥
ଏମନ୍ତ ପ୍ରହଲାଦ ବାଣୀ ।ଶୁଣି କହନ୍ତି ଚକ୍ରପାଣି ॥
ଶ୍ରୀଭଗବାନୁବାଚଏକାନ୍ତ ଭକ୍ତ ଯେ ମୋହର ।ଏ ନିଶ୍ଚେ ତାହାର ବେଭାର ॥
ଯେବେ ଆଶିଷ ମନେ କଳ୍ପେ ।ନ ଲାଗେ ଇହ ପରଲୋକେ ॥
ତୋର ସଦୃଶ ଭକ୍ତ ଯେତେ ।ନିଷ୍କାମେ ଅଛନ୍ତି ଜଗତେ ॥
ତୁ ଏବେ ମୋର ବୋଲ କର ।ଏ ଯେତେ କାଳ ମନ୍ୱନ୍ତର ॥
ଦୈତ୍ୟମାନଙ୍କ ମଧ୍ୟେ ରହି ।ଅତୁଲ୍ୟ ଭୋଗ ଭୁଞ୍ଜ ତୁହି ॥
ତୁ ମୋତେ ସର୍ବଭୂତେ ପୂଜ ।ଯଜ୍ଞ ଈଶ୍ୱର ରୂପ ଭଜ ॥
କର୍ମ ବିନାଶ ଯୋଗବଳେ ।ସାଧୁ ଏ ଅବନୀ ମଣ୍ଡଳେ ॥
ରଜନୀ ଅନ୍ତେ ପ୍ରାତଃକାଳେ ।ଆନନ୍ଦ ହୃଦୟ ନିଶ୍ଚଳେ ॥
ତୁ ଯେତେ ସ୍ତୁତି କଲୁ ମୋତେ ।ସଂସାର ତାରଣ ନିମନ୍ତେ ॥
ମୋତେ ସ୍ମରିବ ତୋର ସଙ୍ଗେ ।ପାପ ନ ଥାଉ ତାର ଅଙ୍ଗେ ॥
ଅଶେଷ କର୍ମ ବନ୍ଧ ପାଶ ।ତକ୍ଷଣ ହେବ ତାର ନାଶ ॥
ଏମନ୍ତ ନରହରି ବାକ୍ୟେ ।ଅସୁର ପୁତ୍ର ମନ ସୁଖେ ॥
ଆନନ୍ଦେ ଶିରେ କର ଦେଇ ।ବୋଲଇ ଶୁଣ ଭାବଗ୍ରାହୀ ॥
ପ୍ରହଲାଦ ଉବାଚତୋତେ ପ୍ରସନ୍ନେ ମାଗେ ବର ।ତୁ ବରଦାତାଙ୍କ ଈଶ୍ୱର ॥
ତୁ ବ୍ରହ୍ମ ପ୍ରଭୁ ଚକ୍ରପାଣି ।ତୋର ମହିମା କେବା ଜାଣି ॥
ପିତା ନିନ୍ଦଇ କୋପମାନେ ।ବୋଲେ ମୁଁ ଈଶ୍ୱର ଭୁବନେ ॥
ଭ୍ରାତୃ ମରଣେ କୋପ ବହି ।ତୋହର ମହିମା ନିନ୍ଦଇ ॥
ତୋ ଭକ୍ତ ତୁଲେ କରି ମୋତେ ।କ୍ରୋଧେ ହିଂସଇ ଅବିରତେ ॥
ସେ ପାପୁଁ ପିତାଙ୍କୁ ଉଦ୍ଧର ।ଭୋ ନାଥ ମାଗେ ଏହି ବର ॥
ଅମୃତ ପ୍ରାୟେ ଦୃଷ୍ଟି ତୋର ।ପଡ଼ଇ ଯାହାର ଉପର ॥
ପବିତ୍ର ଦୃଷ୍ଟି ମାତ୍ରେ ହୋଇ ।ଅଙ୍ଗେ ଦୁରିତ ନ ରହଇ ॥
ଶ୍ରୀଭଗବାନୁବାଚକଶ୍ୟପ ମରୀଚି ବିଧାତା ।ସହିତ ଉଦ୍ଧାରିଲୁ ପିତା ॥
ଅପରେ ସର୍ବ ଋଷି ଯେତେ ।ସର୍ବେ ପବିତ୍ର ତୋର କୃତ୍ୟେ ॥
ତାହାଙ୍କ କୁଳେ ତୋର ଜନ୍ମ ।ତୁ କଲୁ ସକଳ ପ୍ଳାବନ ॥
ମୋର ଭକତ ଯହିଁ ଥାଇ ।ସମଦରଶୀ ଶାନ୍ତ ହୋଇ ॥
ଜଗତେ ସାଧୁ ସେ ବୋଲାନ୍ତି ।ପତିତ ପବିତ୍ର କରାନ୍ତି ॥
ପ୍ରାଣୀ ହିଂସନ ତାଙ୍କ ନାହିଁ ।ଯେ ଉଚ୍ଚ ନୀଚେ ଦେହ ବହି ॥
ଯେ ମୋର ଭାବେ ନିତ୍ୟେଥାନ୍ତି ।କେବେହେଁ ପ୍ରାଣୀ ନ ହିଂସନ୍ତି ॥
ମୁଁ ଥାଏ ତାହାଙ୍କର ପଛେ ।ସେ ମୋତେ ଦେଖନ୍ତି ପ୍ରତ୍ୟକ୍ଷେ ॥
ତୁ ମୋର ଭକ୍ତ ମଧ୍ୟେ ସାର ।ମୋର ବଚନ ଏବେ କର ॥
ଭାବେ ଭକତ ଜନ ଯେତେ ।ଯଜ୍ଞ କରନ୍ତି ପିତୃ ଅର୍ଥେ ॥
ମୋ ଅଙ୍ଗ ସ୍ପର୍ଶନେ ତୋ ତାତ ।ସ୍ୱଭାବେ ହୋଇଲା ମୁକତ ॥
ପୁତ୍ର ସ୍ୱଧର୍ମ ଏବେ ତୋର ।ପିତାଙ୍କୁ ପ୍ରେତୁ ପାରି କର ॥
ବେଦବାଦୀଙ୍କ ବାକ୍ୟ ଅର୍ଥେ ।ପିତୃ ତର୍ପଣ କର ତୀର୍ଥେ ॥
ମୋ ପାଦେ ମନ କର ସ୍ଥିର ।ପିଣ୍ଡେ ତୁ ପିତାଙ୍କୁ ଉଦ୍ଧର ॥
ନାରଦ ଉବାଚବିଷ୍ଣୁ ବଚନ ଘେନି ଶିରେ ।ପିତାର କର୍ମ ଗଙ୍ଗା ତୀରେ ॥
ଆନନ୍ଦେ ଅସୁରର ବଳା ।ପିତୃ ତର୍ପଣେ ପିଣ୍ଡ ଦେଲା ॥
ବିପ୍ରେ ମିଳିଲେ ବିଷ୍ଣୁ ବାକ୍ୟେ ।ପ୍ରହ୍ଲାଦ ନୃପ ଅଭିଷେକେ ॥
କ୍ଷିତି ମଣ୍ଡଳେ କଲେ ରାଜା ।ନୃପେ କରନ୍ତି ପାଦ ପୂଜା ॥
ଅଦ୍ଭୁତ ଦେଖି ତାର କଥା ।ଆନନ୍ଦମନେ ସେ ବିଧାତା ॥
ବ୍ରହ୍ମୋବାଚଭୋ ଦେବ ଦେବଙ୍କର ବର ।ଅଖିଳ ସୃଷ୍ଟି ସୃଷ୍ଟିକର ॥
ଭୂତଭାବନ ସର୍ବ ସିଦ୍ଧି ।ତୁ ନାଥ କରୁଣାବାରିଧି ॥
ଲୋକେ ସନ୍ତାପୀ ଏ ଅସୁର ।ଭୋ ନାଥ କଲୁ ତୁ ସଂହାର ॥
ମୋହର ତହୁଁ ବର ପାଇ ।ମୋ ସୃଷ୍ଟି ମଧ୍ୟେ ମୃତ୍ୟୁ ନାହିଁ ॥
ତପର ତେଜ ବଳେ ଦୁଷ୍ଟ ।ନିଗମ ମାର୍ଗ କଲା ନଷ୍ଟ ॥
ତୁ ନାଥ ତାହାକୁ ସଂହାରି ।ରଖିଲୁ ବେଦ ମାର୍ଗ ଶିରୀ ॥
ତାହାର ପୁତ୍ର ଭାଗ୍ୟବନ୍ତ ।ଦୁର୍ଲ୍ଲଭ ବିଷ୍ଣୁଙ୍କ ଭକତ ॥
ତାକୁ ରଖିଲୁ ପିତା ମାରି ।ମରଣ ସଙ୍କଟୁ ଉଦ୍ଧରି ॥
ଏ ନରସିଂହ ରୂପ ତୋର ।ଧ୍ୟାନେ ଚିନ୍ତିବେ ଯେତେ ନର ॥
ସର୍ବ ସଙ୍କଟୁ ହେବ ପାର ।ଶରଣେ ଫିଟିବ ଦୁସ୍ତର ॥
ଶ୍ରୀଭଗବାନୁବାଚଶୁଣ ବିଧାତା ମୋ ଉତ୍ତର ।ସନ୍ତୋଷ ହୋଇ ଯେବା ବର ॥
ତପ ସମାଧି ଯୋଗ ସାଧେ ।ନ ଦେବୁ ଅସୁରଙ୍କ ମଧ୍ୟେ ॥
ଦୁଷ୍ଟ ପ୍ରାଣୀଙ୍କୁ ବର ଦେଲେ ।ଉରଗେ କ୍ଷୀର ପାନ ତୁଲେ ॥
ନାରଦ ଉବାଚବ୍ରହ୍ମାଙ୍କୁ ବୋଲି ଏ ବଚନ ।ସେ ସ୍ଥାନୁ ହେଲେ ଅନ୍ତର୍ଦ୍ଧାନ ॥
ତକ୍ଷଣେ ଶୂନ୍ୟେ ବିଜେକରି ।ବ୍ରହ୍ମା ପୂଜିତ ନରହରି ॥
ଜୟ ଶବଦ ତ୍ରିଭୁବନେ ।ପ୍ରହ୍ଲାଦ ଦେଖି ତୋଷମନେ ॥
ଶିରେ ବନ୍ଦିଲା ବ୍ରହ୍ମାପାଦ ।ଭକ୍ତିରେ ହୋଇ ଗଦଗଦ ॥
ଶଙ୍କର ପ୍ରଜାପତି ଗଣେ ।ନମିଲା ଦେବଙ୍କ ଚରଣେ ॥
ସନ୍ତୋଷ ହୋଇ ପଦ୍ମ ଯୋନି ।ସଙ୍ଗେଣ ସପ୍ତଋଷି ଘେନି ॥
ପ୍ରହ୍ଲାଦ ସ୍ଥାପି ରାଜ ପଦେ ।ଦୈତ୍ୟ ଦାନବଙ୍କର ମଧ୍ୟେ ॥
ଆଶିଷ ଦେଲେ ଦେବଗଣେ ।ହସ୍ତ ପ୍ରସାରି ଜଣେ ଜଣେ ॥
ପୂଜିଲେ ବ୍ରହ୍ମା ଆଦିମୂଳେ ।ଇନ୍ଦ୍ରାଦି ଦଶଦିଗ ପାଳେ ॥
ଅସୁର ପୁତ୍ର ସୁପୂଜିତେ ।ସର୍ବେ ଆନନ୍ଦ ହୋଇ ଚିତ୍ତେ ॥
ସ୍ୱସ୍ଥାନେ ଗଲେ ଦେବଗଣ ।ଏବେ ହୋ ଧର୍ମସୁତ ଶୁଣ ॥
ଜୟ ବିଜୟ ବେନିଭାଇ ।ବିଷ୍ଣୁ ଭୁବନ ଦ୍ୱାରେ ଥାଇ ॥
ବ୍ରହ୍ମା କୁମର ଶାପବଳେ ।ଜନ୍ମ ଲଭିଲେ ଦିତି କୋଳେ ॥
ବଇରୀଭାବ ହୃଦେ ଭରି ।ବିଷ୍ଣୁ ଦ୍ରୋହରେ କାଳ ହରି ॥
ହରିର ହସ୍ତେ ପ୍ରାଣ ଦେଇ ।ପୁଣି ଜନ୍ମିଲେ ବେନିଭାଇ ॥
ନିକଷା ଗର୍ଭେ ଜନ୍ମ ହୋଇ ।ରାବଣ କୁମ୍ଭକର୍ଣ୍ଣ ଦୁଇ ॥
ସୀତା ହରଣେ ରାମ ବାଣେ ।ପ୍ରାଣ ଛାଡ଼ିଲେ ଘୋରରଣେ ॥
ରାମ ଶରୀରେ ଦୃଷ୍ଟି ଦେଇ ।ପ୍ରାଣ ଛାଡ଼ିଲେ ବେନିଭାଇ ॥
ପୁଣି ଏ ଧରଣୀ ମଣ୍ଡଳେ ।ଜନ୍ମ ଲଭିଲେ ରାଜ କୂଳେ ॥
ସେ ଦନ୍ତବକ୍ର ଶିଶୁପାଳ ।ତେଜ ସ୍ୱଭାବେ ଅନର୍ଗଳ ॥
ବୈରାନୁ ବୁଦ୍ଧି ଭରି ଦେହେ ।ସାଯୁଯ୍ୟ ଲଭିଲେ ସମୂହେ ॥
ଏମନ୍ତେ ଦୁଷ୍ଟ ରାଜଗଣେ ।କୃଷ୍ଣେ ନିନ୍ଦିତ ରିପୁ ପଣେ ॥
ଅନ୍ତେ ପାଇଲେ ବିଷ୍ଣୁ ଗତି ।ଯେସନେ କୀଟ ପେଶଷ୍କୃ ॥
ଯେ ପ୍ରାଣୀ ଯେମନ୍ତ ଭଜଇ ।ହୃଦେ ଭକତି ଭାବ ବହି ॥
ସେହି ପ୍ରକାରେ ଲଭେ ଗତି ।ଯେ ପ୍ରାଣୀ ଯେମନ୍ତ ଚିନ୍ତନ୍ତି ॥
ଏବେ ହୋ ଶୁଣ ନୃପବର ।ହରି ମହିମା ଅଗୋଚର ॥
ଯେବେ ପୁଚ୍ଛିଲୁ ଯେଉଁ ଭାବେ ।ସେ ହରି ଚରିତ ପ୍ରସ୍ତାବେ ॥
ସେ ପୂର୍ବ ପ୍ରଶ୍ନ ତୋ ଅଗ୍ରତେ ।କହିବା ଯଥାଶକ୍ତି ମତେ ॥
ଶ୍ରୀ ବିଷ୍ଣୁ କଥାକୁ ଯେ ରସେ ।ଆତ୍ମା ଅଶୁଭକୁ ବିନାଶେ ॥
ଏ ପ୍ରହଲାଦଙ୍କ ଚରିତ ।ସ୍ୱଭାବେ ମହା ଭାଗ୍ୟବନ୍ତ ॥
ଜ୍ଞାନ ବୈରାଗ୍ୟ ଭକ୍ତି ବଳେ ।ରହିଲା ବିଷ୍ଣୁ ପାଦ ତଳେ ॥
ବିଷ୍ଣୁର ସ୍ୱର୍ଗ ସ୍ଥିତି ଅନ୍ତ ।ଯେ ଗୁଣ କର୍ମାନୁ ବର୍ଣ୍ଣିତ ॥
ଦେବ ଦାନବଙ୍କର ସ୍ଥାନ ।କେବେହେଁ ନୁହଇ ତା ଆନ ॥
ହରି ଭଜନ ବିପରୀତ ।ଏ ବିଷ୍ଣୁ ଜନଙ୍କର ମତ ॥
ଅଜ୍ଞାନେ ବଇଷ୍ଣବ ଧର୍ମ ।ଅଶେଷ ଆଦି ଆତ୍ମା କର୍ମ ॥
ବିଷ୍ଣୁ ମହିମା ପୁଣ୍ୟ ଜାଣି ।ଯେ ନରଶ୍ରୁତି ମାର୍ଗେ ଶୁଣି ॥
ଲୋକେ କହନ୍ତି ସୁଧାରସେ ।ସର୍ବ ଦୁରିତ ସେ ବିନାଶେ ॥
ଏ ଆଦି ପୁରୁଷଙ୍କ କଳା ।ଶ୍ରୀନୃସିଂହଙ୍କ ରୂପଲୀଳା ॥
ଅସୁରପତି ବଧ ବାଣୀ ।ଯେ ମୁଖେ କହେ ନିତ୍ୟେ ଶୁଣି ॥
ସନ୍ତୋଷେ ସର୍ବ ଗୁଣ କଥା ।ଅଶେଷ ମୁନି ମଧ୍ୟେ ଜ୍ଞାତା ॥
ପ୍ରସ୍ତାବେ ଶୁଣି ଜନ ମଧ୍ୟେ ।ନିର୍ଭୟେ ଯାନ୍ତି ବିଷ୍ଣୁପାଦେ ॥
ତୁ ଯେ ପାଣ୍ଡବ କୁଳେ ଜାତ ।ତ୍ରୈଲୋକ୍ୟେ ମହାଭାଗ୍ୟବନ୍ତ ॥
ଲୋକେ ପବିତ୍ର ମୁନିଗଣେ ।ତୋର ଭୁବନେ ଅନୁକ୍ଷଣେ ॥
ମିଳନ୍ତି ଘେନି ତୋର ଭାବ ।ତୋ ଗୃହେ ବସେ ପଦ୍ମନାଭ ॥
ଯାର ମହିମା ଦେବଗଣେ ।ଲୋଡ଼ି ନ ପାନ୍ତି ଭବବଣେ ॥
ଯେ ବ୍ରହ୍ମା ନିର୍ବାଣ ଦୁର୍ଲ୍ଲଭ ।କୈବଲ୍ୟ ମୁକ୍ତି ଅନୁଭବ ॥
ସେ ପ୍ରାୟ ସୁହୃଦ ତୋହର ।ଅଶେଷ ମଙ୍ଗଳ ଆକାର ॥
ସକଳ ଆତ୍ମା ସେ ପୂରିତ ।ଅଶେଷ ଗୁରୁ ଦଇବତ ॥
ଯାହାର ମହିମା ବର୍ଣ୍ଣନେ ।ଭବ ବିରଞ୍ଚି ଆଦି ଜନେ ॥
ବିଷ୍ଣୁ ବୁଦ୍ଧିରେ ଭାବ ଚିନ୍ତି ।କେବେହେଁ ଚିହ୍ନି ନ ପାରନ୍ତି ॥
ମଉନେ ଭକ୍ତିଯୋଗେ ପୂଜି ।କେବେହେଁ ନ ପାରନ୍ତି ଖୋଜି ॥
ସେ ବଇଷ୍ଣବ ଜନ ଗତି ।ତା ପାଦେ ରହୁ ମୋର ମତି ॥
ସେ ହରି ତୋତେ ଦୟା କରି ।ତୋ ନାମ ଜଗତେ ବିସ୍ତାରି ॥
ପୂର୍ବେ ଯେ ଦେବାସୁର ଯୁଦ୍ଧେ ।ରୂଦ୍ରଙ୍କୁ ରଖିଲେ ପ୍ରମାଦେ ॥
ଏ ବାକ୍ୟ ମୁନି ମୁଖୁ ଶୁଣି ।କପାଳେ ଦେଇ ବେନିପାଣି ॥
ଯୁଧିଷ୍ଠିର ଉବାଚବୋଲେ ନାରଦ ମୁଖ ଚାହିଁ ।ଭୋ ନାଥ ମୋତେ କର ତ୍ରାହି ॥
କହ କେବଣ କାଳେ ହରି ।ଦେବଙ୍କ ଶଙ୍କା ଦୂର କରି ॥
ଅସୁର ବଳ କଲେ ନାଶ ।ଯେ ହରି ଜଗତେ ବିଶ୍ୱାସ ॥
ଏମନ୍ତ ଧର୍ମସୁତ ବାଣୀ ।ଶୁଣି କହନ୍ତି ବ୍ରହ୍ମମୁନି ॥
ପୂର୍ବେ ଯେ ଦେବାସୁର ରଣେ ।ଯୁଦ୍ଧେ ଜିଣିଲେ ଦେବଗଣେ ॥
ଅସୁର ପଳାଇ ବିଷାଦେ ।ମୟ ଦଇତ୍ୟ ବେନିପାଦେ ॥
କାତରେ ପଶିଲେ ଶରଣ ।ଭୟେ ସକଳ ଦୈତ୍ୟଗଣ ॥
ମୟ ଦଇତ୍ୟ ତାହା ଚାହିଁ ।ଅସୁର ଗଣେ ଦୟା ବହି ॥
ବିମାନ କଲା ତିନିପୁର ।ଭିତରେ ଘୋର ଅନ୍ଧକାର ॥
କାଞ୍ଚନ ରୌପ୍ୟ ଲୌହମୟେ ।ଦେଖି ତ୍ରିଦଶ କଲେ ଭୟେ ॥
ରଖି ନ ପାରି ତାକୁ ଭଲେ ।ପଡ଼ିଲା ଅପମୃତ୍ୟୁ ତୁଲେ ॥
ବିତର୍କ ଲୌହ ପରିଚ୍ଛଦ ।ପୂରିତ ଅଶେଷ ଆୟୁଧ ॥
ସେ ରଥେ ବସି ଦୈତଗଣେ ।ଦେବଙ୍କୁ ଆବୋରିଲେ ରଣେ ॥
ତିନି ଭୁବନେ ଲୋକଶିରୀ ।ନାଶନ୍ତି ବଇରୀ ସୁମରି ॥
ଆକୁଳେ ତ୍ରିଭୁବନ ଲୋକେ ।ଶିବ ଭଜିଲେ ଅତିରେକେ ॥
ଡାକନ୍ତି ରଖ ଆମ୍ଭ ପ୍ରାଣ ।ତୋ ପାଦେ ପଶିଲୁ ଶରଣ ॥
ଭୁବନେ ରହି ନ ପାରିଲୁ ।ଅସୁର ଭୟେ ପଳାଇଲୁ ॥
ତ୍ରିପୁରେ ଥାଇ ଦୃଷ୍ଟିମାତ୍ରେ ।ଲୋକେ ନାଶିଲେ ଶସ୍ତ୍ରାଘାତେ ॥
ଶୁଣି ଈଶ୍ୱର ତୋଷମନେ ।ବୋଲନ୍ତି ମଧୁର ବଚନେ ॥
ଭୟ ନ କର ତୁମ୍ଭେ କେହି ।ଅସୁର ସଂହାରିବି ମୁହିଁ ॥
ଏମନ୍ତ କହି ତ୍ରିଲୋଚନ ।ହସ୍ତେ ଘେନିଲେ ଶରାସନ ॥
ଶରସମୂହ ରବି ଯେହ୍ନେ ।ଧରି ବିନ୍ଧିଲେ କୋପମନେ ॥
ରୁଦ୍ର ନାରାଚ ତେଜୋମୟେ ।ପଡ଼ିଲା ଅସୁରଙ୍କ ଦେହେ ॥
କର ହୃଦୟ ଶିର ଛିଡ଼ି ।ପଡ଼ିଲେ ଭୂମି ପଥ ମାଡ଼ି ॥
ଜୀବନ୍ତେ ପଡ଼ିଲେ ଥୋକାଏ ।ଘୋର ପ୍ରଚଣ୍ଡ ମହାଭୟେ ॥
ମୟ ଦଇତ୍ୟ ଦେଖି ତାହା ।ଅସୁର ବଳେ କରି ମାୟା ॥
ମିଳିଲା ସୁରଙ୍କ ସମୀପେ ।ପ୍ରହାର କଲା ଶର କୋପେ ॥
ଅମୃତ ରସ ଜଳ ସଙ୍ଗେ ।ଲାଗିଲା ଅସୁରଙ୍କ ଅଙ୍ଗେ ॥
ବଜ୍ରର ପ୍ରାୟେ ଦେହ ଧରି ।ଉଠିଲେ ଘୋର ନାଦ କରି ॥
ଅସୁରେ ଉଠି ଧାତିକାରେ ।ଯୁଝିଲେ ଦେବଙ୍କ ସଙ୍ଗରେ ॥
ଯୁଝନ୍ତି ନାନା ଶସ୍ତ୍ର ଧରି ।ଶବଦେ କମ୍ପେ ବସୁନ୍ଧରୀ ॥
ଭୟେ ପଳାନ୍ତି ଦେବଗଣ ।ଡାକନ୍ତି ରଖ ନାରାୟଣ ॥
ଦେଖି ଶଙ୍କର ମନ ଦୁଃଖେ ।ଭଗ୍ନ ସଂକଳ୍ପ ଅତିରେକେ ॥
ବିମୁଖ ଦେଖିଣ ଶଙ୍କର ।ଉପାୟ କଲେ ଚକ୍ରଧର ॥
ବ୍ରହ୍ମାଙ୍କୁ ବତ୍ସାରୂପ କରି ।କୃଷ୍ଣ ସୁରଭୀ ରୂପ ଧରି ॥
ବଦନ ରସକୂପେ ଭରି ।ନିଃଶେଷ ପାନ କଲେ ହରି ॥
ଯେତେ ଅସୁର ବଳ ଥିଲେ ।କେହି ନିରୋଧି ନ ପାରିଲେ ॥
ଚାହିଁ ଅସୁରଙ୍କ ବଦନ ।ବୋଲନ୍ତି ପ୍ରଭୁ ତ୍ରିଲୋଚନ ॥
ଦେବ ଅସୁର କିବା ନର ।କର୍ମକୁ ନୁହନ୍ତି ଈଶ୍ୱର ॥
ଯେ ଜନ ନିତ୍ୟ କର୍ମ କରେ ।ସେ କର୍ମ ଅତି ବଳୀୟାରେ ॥
ସେ ନିଶ୍ଚେ ଲୋଭକୁ ନକରେ ।କେବା ନିବରି ତାକୁ ପାରେ ॥
ତକ୍ଷଣେ ପ୍ରଭୁ ନରହରି ।ରୁଦ୍ର ଶରୀରେ ତେଜ ଭରି ॥
ସେ ବିଷ୍ଣୁ ଶକ୍ତି ବଳେ ବଳ ।ତେଜ ବିରାଜେ ଅନର୍ଗଳ ॥
ବୈରାଗ୍ୟ ଜ୍ଞାନ ଧର୍ମରୁଦ୍ଧି ।ତପ ପ୍ରକ୍ରିୟା ବିଦ୍ୟା ସିଦ୍ଧି ॥
ଏ ସପ୍ତ ଗୁଣ ସପ୍ତ ତେଜ ।ରଥି ସାରଥି ମହାଧ୍ୱଜ ॥
କୋଦଣ୍ଡ ଧନୁ ତୂଣ ଶର ।ରୁଦ୍ରଙ୍କୁ ଦେଲେ ଦାମୋଦର ॥
ଏ ଆଦି ନାନା ଶସ୍ତ୍ର ଯେତେ ।ରୁଦ୍ରଙ୍କୁ ଦେଲେ ଦେବନାଥେ ॥
ମର୍ମ ବିଘାତୀ ବ୍ରହ୍ମଶର ।କରେ ଧଇଲେ ଧନୁଶର ॥
ମଧ୍ୟାହ୍ନ ସମୟେ ଶଙ୍କର ।ରଥେ ଉଠିଲେ କୋପଭର ॥
ଅନଳ ବାଣ ସର୍ବ ବିନ୍ଧି ।ସର୍ବ ଅସୁର ବଳ ରୁନ୍ଧି ॥
ତ୍ରିପୁରେ କଲେ ସେ ଦହନ ।ହରଷ ଦେବଙ୍କର ମନ ॥
ବିମାନ ଶତ ଶତ ଶୂନ୍ୟେ ।ଦୁନ୍ଦଭି ବାଦ୍ୟନାଦ ଘନେ ॥
ପିତୃ ଦେବତା ସିଦ୍ଧ ଗଣେ ।ପୁଷ୍ପ ବରଷେ ତତକ୍ଷଣେ ॥
କୁସୁମ ବୃଷ୍ଟି ରୁଦ୍ର ଶିରେ ।ଜୟ ଶବଦ ନିରନ୍ତରେ ॥
ଆନନ୍ଦ ମନେ ଶୁଭକ୍ଷଣେ ।ନୃତ୍ୟନ୍ତି ଅପସରା ଗଣେ ॥
ଏହି ପ୍ରକାର ତିନିପୁର ।ଦହନ କଲେ ଦେବ ହର ॥
ବ୍ରହ୍ମାଦି ଦେବେ କଲେ ସ୍ତୁତି ।ସ୍ୱଗୃହେ ଗଲେ ଉମାପତି ॥
ଏହ ପ୍ରକାରେ ନରହରି ।ମାୟା ମନୁଷ୍ୟ ରୂପ ଧରି ॥
ମୁନି ବର୍ଣ୍ଣନ୍ତି ତାହା ଗୀତେ ।ଯେ କର୍ମ କଲେ ଏ ଜଗତେ ॥
ଲୋକ ପବିତ୍ର ତୋ ମହିମା ।ଏଣୁ କେ କହେ ଗୁଣସୀମା ॥
ବୋଲନ୍ତି ବିପ୍ର ଜଗନ୍ନାଥ ।ଗୀତ ପ୍ରବନ୍ଧେ ଭାଗବତ ॥
ସପ୍ତମସ୍କନ୍ଧେ ଏହା ଶୁଣି ।ମାୟା ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନୃସିଂହ ପ୍ରସନ୍ନେ ପ୍ରହ୍ଲାଦ ବରଲାଭେନା ଦଶମୋଽଧ୍ୟାୟଃ ।
ଏକାଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁଣି ନାରଦ ମୁଖୁଁ କଥା ।ଯେ ଧର୍ମମତି ଶୁଦ୍ଧଚେତା ॥
ସେ ପ୍ରହଲାଦର ଚରିତ ।ସୁସାଧୁ ସଭା ମଧ୍ୟେ ଖ୍ୟାତ ॥
ଉତ୍ତମ ମଧ୍ୟେ ଅଗ୍ରେ ଗଣି ।ଯାହାର ଆତ୍ମା ଚକ୍ରପାଣି ॥
ତାର ଚରିତ ଧର୍ମସୁତ ।ଶୁଣି ଆନନ୍ଦେ ହରଷିତ ॥
ବ୍ରହ୍ମା ନନ୍ଦନଙ୍କର ମୁଖେ ।ପୁଣି ପୁଚ୍ଛିଲେ ଆତ୍ମା ସୁଖେ ॥
ଯୁଧିଷ୍ଠିର ଉବାଚମନୁଷ୍ୟ ଜନ୍ମର ସ୍ୱଧର୍ମ ।ଯେ ଅବା ଜାଣେ ସାଧୁକର୍ମ ॥
ଈଶ୍ୱର ବାକ୍ୟେ ଧର୍ମ ସାଧି ।ଯେବା ଆଶ୍ରମେ ଯେବେ ବିଧି ॥
ଧର୍ମ ସମ୍ପାଦି ଜନମଧ୍ୟେ ।ଅନ୍ତେ ପଶନ୍ତି ବିଷ୍ଣୁପାଦେ ॥
ତୁମ୍ଭେ ଯେ ପଦ୍ମଯୋନି ସୁତ ।ଜାଣ ସକଳ ପରମାର୍ଥ ॥
ଯେ ବିପ୍ର ନାରାୟଣ ପର ।ତାହାର ନାହିଁ ଆତ୍ମପର ॥
କରୁଣାବନ୍ତ ଶାନ୍ତ ଦେହେ ।ଯେବା ଅଟନ୍ତି ତୁମ୍ଭ ପ୍ରାୟେ ॥
କେବଳ ଦୟାସିନ୍ଧୁ ଧୀର ।ଅଶେଷ ଜ୍ଞାନର ଈଶ୍ୱର ॥
ନାରଦ ଉବାଚନମଇଁ ପ୍ରଭୁ ନରହରି ।ଅଜନ୍ମ ଜନ୍ମ ରୂପ ଧରି ॥
ଅଶେଷ ପ୍ରାଣୀ ଧର୍ମ ସେତୁ ।ଅଖିଳ ସୃଷ୍ଟି ଧର୍ମ ହେତୁ ॥
ଯେ ସନାତନ ମୁନି ବାଣୀ ।ସେ ନାରାୟଣ ମୁଖୁ ଶୁଣି ॥
ସେ ଅବତାର ଆତ୍ମା ଅଂଶେ ।ଜନ୍ମ ଲଭିଲେ ଦେବ ବଂଶେ ॥
ଦକ୍ଷ କନ୍ୟାର ଗର୍ଭେ ହରି ।ନର ରୂପରେ ଅବତରି ॥
ସଂସାର ଲୋକ ସିଦ୍ଧି କର୍ମେ ।ସେ ବସେ ବଦରିକାଶ୍ରମେ ॥
ଯୋଗ ସାଧିଲେ ଦୃଢ଼ ତପେ ।ଯେ ନର ନାରାୟଣ ରୂପେ ॥
ସେ ହରି ସର୍ବଦେବ ଆତ୍ମା ।ଧର୍ମର ମୂଳ ଶୁଦ୍ଧ କର୍ମା ॥
ତାର ବଚନ ଶ୍ରୁତି ପଥେ ।ଯେ ପ୍ରାଣୀ ଶୁଣେ ଅବିରତେ ॥
ଭକ୍ତି ସମ୍ପାଦି ତା ଚରଣେ ।ପ୍ରବେଶ ହୋନ୍ତି ତତକ୍ଷଣେ ॥
ସତ୍ୟ ଶଉଚ ଦୟା ତପ ।ତିତିକ୍ଷା ଶମ ଦମ କଳ୍ପ ॥
ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ ।ସହାୟ ଗୁଣ ରିପୁଭାବ ॥
ସନ୍ତୋଷ ସମଦୃଷ୍ଟି ସେବା ।ଯେଣେ ସନ୍ତୋଷ ଋଷି ଦେବା ॥
କର୍ମ ନିବୃତ୍ତି ଜ୍ଞାନ ଧର୍ମ ।ମଉନ ଆତ୍ମା ନିତ୍ୟକର୍ମ ॥
ହୃଦେ ନିରୋଧି ଦୁଷ୍ଟମନ ।ସ୍ୱଧର୍ମ ମାର୍ଗେ କର ଧ୍ୟାନ ॥
ତତ୍ତ୍ୱ ଧାରଣା ତତ୍ତ୍ୱ ଜ୍ଞାନ ।ଯା ଦେଖି ରହିବ ଚେତନା ॥
ନଦେଖି ଅନୁଭବ ଭାବେ ।ଭୂତ ଅତିଥି ପୂଜା ଅଙ୍ଗେ ॥
ଆତ୍ମା ଦେବତା ବୋଧକରି ।ଏ ଭାବେ ଗୃହେ ଥିଲେ ତରି ॥
କୃଷ୍ଣର ନାମ ଅନୁକ୍ଷଣ ।କରିବ କୀର୍ତ୍ତନ ଶ୍ରବଣ ॥
ସେବା ପୂଜନ ଦାସପଣେ ।ସୁବାକ୍ୟ ଆତ୍ମା ସମର୍ପଣେ ॥
ପରମ ରୂପେ ଧର୍ମ ସାଧି ।ମନୁଷ୍ୟ ନାହିଁ ରିପୁ ବୁଦ୍ଧି ॥
ଦଶ ଲକ୍ଷଣ ଧର୍ମ ଏହି ।ଏଣେ ସନ୍ତୋଷ ଭାବଗ୍ରାହୀ ॥
ଅଖିଳ ସଂସ୍କାର କାରଣେ ।ବେଦ ଅଭ୍ୟାସି ସେ ବ୍ରାହ୍ମଣେ ॥
ବ୍ରାହ୍ମଣେ ଆଦି ତିନି ବର୍ଣ୍ଣ ।ଯଜନ ଦାନ ଅଧ୍ୟାପନ ॥
ଯଜ୍ଞାଦି କ୍ରିୟା କର୍ମ ଯେତେ ।ଚତୁର୍ଥ ଆଶ୍ରମ ସମେତେ ॥
ଅଧ୍ୟୟନାଦି ଷଟକର୍ମ ।ବ୍ରାହ୍ମଣ ଜନର ଏ ଧର୍ମ ॥
ରାଜାର ଧର୍ମ ପ୍ରଜା ରକ୍ଷା ।ଜ୍ଞାନ ବିହୀନେ ପଞ୍ଚଦୀକ୍ଷା ॥
ବାଣିଜ୍ୟ କୃଷି ଗୋ ରକ୍ଷଣ ।ବୈଶ୍ୟ ଜନର ଏ ଲକ୍ଷଣ ॥
ଶୂଦ୍ର ଜନର ବିପ୍ରସେବା ।ଯେହ୍ନେ ସନ୍ତୋଷ ସର୍ବଦେବା ॥
ଯେ ଧର୍ମ ଶୁତି ସ୍ମୃତି ଭେଦେ ।ତାହା ସାଧିବ ନିରାପଦେ ॥
ଆପଦେ ବୃତ୍ତି ନିତ୍ୟକର୍ମ ।ସାଧି ବଞ୍ଚିବ ତିନି ବର୍ଣ୍ଣ ॥
ଏତେ ଲକ୍ଷଣ ତୋତେ କହି ।ରାଜନ ଶୁଣ ମନ ଦେଇ ॥
ଶୌଚ ସନ୍ତୋଷ ଶମ ଦମ ।ସହିଷ୍ଣୁ ଭିକ୍ଷା ତିଳକ୍ଷମ ॥
ଦୟାତ୍ମା ଅବିରକ୍ତ ଶାନ୍ତି ।ବିପ୍ର ଲକ୍ଷଣ ଏ କହନ୍ତି ॥
ତେଜ ଶଉର୍ଯ୍ୟ କ୍ଷମା ଧୃତି ।ତ୍ରାଗ ଅର୍ଚ୍ଚନା ଦୟା ଶାନ୍ତି ॥
ନିତ୍ୟ ପ୍ରସନ୍ନ ବିପ୍ରରକ୍ଷା ।କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା ॥
ବିପ୍ର ଦେବତା ଗୁରୁ ଭଳି ।ତ୍ରିଯୋଗ ପୋଷଣେ ନିମଜ୍ଜି ॥
ଆସ୍ତିକ ନିତ୍ୟ ନମ୍ରଗୁଣ ।ବୈଶ୍ୟଜନର ଏ ଲକ୍ଷଣ ॥
ଶଉଚ ପ୍ରଭୁ ସେବା କର୍ମ ।ଶୂଦ୍ର ଜନର ଏ ଲକ୍ଷଣ ॥
ଏବେ ହୋ ଯୁଧିଷ୍ଠିର ଶୁଣ ।ସ୍ତିରୀ ଜନର ଏ ଲକ୍ଷଣ ॥
ସ୍ୱାମୀର ଚରଣ କମଳେ ।ସେବିବ ହୃଦୟ ନିଶ୍ଚଳେ ॥
ସ୍ୱାମୀର ବନ୍ଧୁଥିବେ ଯେତେ ।ତାଙ୍କ ପୋଷଣେ ଥିବ ନିତ୍ୟେ ॥
ପତିବ୍ରତାଙ୍କ ଏ ଳକ୍ଷଣ ।ନିଗମ ବଚନ ପ୍ରମାଣ ॥
ଗୃହ ମାର୍ଜନା ଉପଲେପ ।ମଣ୍ଡଳ ସାୟଂକାଳେ ଦୀପ ॥
ଆତ୍ମା ମଣ୍ଡିତ ନିରନ୍ତରେ ।ଭୂଷଣ ଅଞ୍ଜନ ସିନ୍ଦୂରେ ॥
ସନ୍ତୋଷ ଅଲୋଭ ସୁଦକ୍ଷ ।ଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ ॥
ଶୁଚି ସୁସ୍ନିଗ୍ଧେ ସେ ଆନନ୍ଦେ ।ନିରତେ ସେବେ ସ୍ୱାମୀ ପଦେ ॥
ଯେ ନାରୀ ହରି ପ୍ରାୟେ ନିତି ।ସେବା କରନ୍ତି ନିଜ ପତି ॥
ସେ ନାରୀ ଲକ୍ଷ୍ମୀପ୍ରାୟ ହୋଇ ।ପତିର ହସ୍ତେ ହସ୍ତେ ଦେଇ ॥
ପତି ସଙ୍ଗତେ ବିଷ୍ଣୁ ଲୋକେ ।ବସଇ ଆନନ୍ଦେ ଅଶୋକେ ॥
ଅନ୍ୟ ଜାତିଙ୍କ ନିଜ ଧର୍ମ ।ନିୟତି ଯେବା କୁଳଧର୍ମ ॥
ଏମନ୍ତ ଧର୍ମ ଯୁଗେ ଯୁଗେ ।ପ୍ରାଣୀ ସେବିବେ ଅନୁରାଗେ ॥
ବେଦ ସୃଷ୍ଟିରେ ବିପ୍ରଜନେ ।କହନ୍ତି ଧର୍ମ ଅବଧାନେ ॥
ଯେ ଧର୍ମ ଇହ ପରଲୋକେ ।ପ୍ରାଣୀ ତରନ୍ତି ଆତ୍ମାସୁଖେ ॥
ବୃତ୍ତି ସ୍ୱଭାବେ କ୍ରିୟା ଘେନି ।ଯେ ଧର୍ମ ଇହ ପର ମାନି ॥
ବର୍ତ୍ତନ୍ତି ସୁକର୍ମ କରଣେ ।ସେ ନର ପଶନ୍ତି ନିର୍ଗୁଣେ ॥
ନିରତେ ଜପ ତପ କରି ।ବିଷ୍ଣୁ ମାୟାରୁ ଯାନ୍ତି ତରି ॥
ନିଷ୍କାମେ ଯେବା ଧର୍ମେ ଭଜେ ।ଅଙ୍କୁରେ ଥାନ୍ତି ଯେହ୍ନେ ବୀଜେ ॥
କେବେହେଁ ବୃକ୍ଷ ସେ ନୁହନ୍ତି ।ଯତ୍ନ ନ କଲେ ନାଶ ଯାନ୍ତି ॥
ଏମନ୍ତ କାମ ଜଡ଼େ ଚିତ୍ତେ ।ଯେବେ ସେବଇ ଅବିରତେ ॥
ତେବେ ବିରକ୍ତ ଚିତ୍ତ ନୁହେ ।ନିଷ୍କାମ ଅଗ୍ନି କାମ ଦହେ ॥
ଯେ ବର୍ଣ୍ଣେ ଯେମନ୍ତ ଲକ୍ଷଣ ।ବେଦେ ବର୍ଣ୍ଣନ୍ତି ମୁନିଗଣ ॥
ତା ଅଧ ଉର୍ଦ୍ଧ୍ୱେ ଯେବେ ଦେଖି ।ସେ ଧର୍ମ ପଥ ଉପଲକ୍ଷି ॥
ଏମନ୍ତ ଧର୍ମ ଅନୁବାଦେ ।ମୁନି କହନ୍ତି ସଭା ମଧ୍ୟେ ॥
ଶୁଣି ଆନନ୍ଦ ଧର୍ମସୁତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ବର୍ଣ୍ଣଧର୍ମ ବର୍ଣ୍ଣନେନାମ ଏକାଦଶୋଽଧ୍ୟାୟଃ ।