ଦଶମ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିତେବେ ସେ ଜୀବନ ଆମ୍ଭର ।ସଂଗ୍ରାମ ହେବ ଶ୍ରେୟସ୍କର ॥
ଏମନ୍ତ ମନରେ ବିଚାରି ।ସର୍ବେ ଧାଇଁଲେ ଶସ୍ତ୍ର ଧରି ॥
ଅମୃତ ପାନେ ଦେବଗଣ ।ଇଚ୍ଛନ୍ତି ଅସୁରଙ୍କ ରଣ ॥
ସ୍ୱଭାବେ ବିଷ୍ଣୁପରାୟଣ ।ଭୟେ ସେ ନ କରନ୍ତି ରଣ ॥
ଏମନ୍ତେ ଦେବାସୁର ରଣ ।ନିର୍ଘୋଷ ପରମ ଦାରୁଣ ॥
ଶତେ ବରଷ ନିରନ୍ତରେ ।ସମର କଲେ ଦେବାସୁରେ ॥
ଶବଦ କରି ବାହୁନାଦେ ।ଯୁଝନ୍ତି ବିବିଧ ଆୟୁଧେ ॥
ବଜାନ୍ତି ଶଙ୍ଖ ରଣଭେରୀ ।ଟମକ ମଙ୍ଗଳ ମହୁରୀ ॥
ସକଳ ମଙ୍ଗଳ ସୁବାଦ୍ୟେ ।ଗଜ ତୁରଙ୍ଗ ଘୋରନାଦେ ॥
ଶୁଭିଲା ଶବଦ ଗହଳ ।ସିଦ୍ଧ ମନ୍ଥନେ ପ୍ରାୟେ ଗୋଳ ॥
ଲାଗିଲା ଯୁଦ୍ଧ ଏକେ ଏକେ ।ଦନୁଜଗଣ ବୃନ୍ଦାରକେ ॥
ନାନା ବାହନେ ବିଜେକରି ।ରଣେ ଧାଇଁଲେ ଶସ୍ତ୍ର ଧରି ॥
ଓଟର ପୃଷ୍ଠେ କେ ବସନ୍ତି ।କେ ଅବା ଅଶ୍ୱ ଆରୋହନ୍ତି ॥
କେ ବସେ ରଥେ କେବା ଖରେ ।କେ ମୃଗ ବାନର କନ୍ଧରେ ॥
କେ ବ୍ୟାଘ୍ର କେ ସିଂହ ଆରୋହେ ।କେ ଗୃଧ୍ରକଙ୍କ ବଳ ଦେହେ ॥
ଜଳ ଭାସକ ତିମିଙ୍ଗଳେ ।ଦୃଢ଼ ଆସନେ ବସି ବଳେ ॥
ଶରଭେ ମହିଷେ କେ ବସେ ।ଗବୟ ମକ୍ଷକ ଗୋ ବୃକ୍ଷେ ॥
କେ ଶିବା କେହୁ କୃକଲାଶେ ।ଶଶକେ କେ ଅବା ମାନୁଷେ ॥
ଅମୂଲ୍ୟ ରତ୍ନ ଦଣ୍ଡଛତ୍ର ।ନୀଳ ଲୋହିତ ଶୀତ ପୀତ ॥
ବିରାଜେ ବାରାହ ଚାମରେ ।ଚର୍ମ ଭୂଷଣ ପାଗ ଶିରେ ॥
ବିବିଧ ଶସ୍ତ୍ରେ କେ ଭୂଷଣେ ।ଶୋଭନ୍ତି ଦେବା ସୁରଗଣେ ॥
ବିବିଧ ତୀକ୍ଷ୍ଣ ଶସ୍ତ୍ର ମୁନେ ।ପ୍ରଖର ରବି ରଶ୍ମି ଯେହ୍ନେ ॥
ଏମନ୍ତେ ଦେବାସୁର ବାଳ ।ମୃତ ସ୍ୱଭାବ ମହାଗୋଳ ॥
ଅତି କୁପିତ ଦେବାସୁର ।କି ଅବା ଦେବା ପଟାନ୍ତର ॥
ଶୋଭନ୍ତି ମହାବୀର ରଣେ ।ସାଗର ଜଳଜନ୍ତୁ ଯେହ୍ନେ ॥
ମନ ବଚନେ ଅଗୋଚର ।ଭୀଷଣାକୃତି ଭୟଙ୍କର ॥
ଏମନ୍ତେ ରଥେ ବଳି ବସେ ।ବୀର ବେଷ୍ଟିତ ଚଉପାଶେ ॥
ନମୁଚି ବିପ୍ରଚିତ୍ତି ବାଣ ।ବଜ୍ରଦଂଷ୍ଟ୍ର ଯେ ବିଲୋଚନ ॥
ଶମ୍ବର ଆୟୋ ମୁଖ ହେତି ।ଶକୁନି ତାରକ ପ୍ରହେତି ॥
ଦ୍ୱିମୃର୍ଦ୍ଧା ଅଟେ କାଳନାଭ ।କୁମ୍ଭ ଇଲଳ ଯେ ନିଶୁମ୍ଭ ॥
ଅରିଷ୍ଟି ଶଙ୍କ ଶିରମୟ ।ତ୍ରିପୁରାଧିପତି କାଳୟ ॥
ନିର୍ବାତ କବଚ କପିଳ ।ଜୀମୁତ ଦୁନ୍ଦୁଭି ଉତ୍କଳ ॥
ପୌଲମଭୂତ ସନ୍ତାପନ ।ଦୟଗ୍ରୀବ ଯେ ଚକ୍ରଷେଣ ॥
ଅରିଷ୍ଟନେମି ଆଦି ବୀରେ ।ମିଳିଲେ ସମର ଭୂମିରେ ॥
ନ ପାଇ ଅମୃତର ଭାଗ ।ମନେ ବହିଲେ ବଇରାଗ ॥
ସମର ମଧ୍ୟେ ବଳି ଶୋଭା ।କିବା ଉପମା ତାକୁ ଦେବା ॥
ନକ୍ଷତ୍ର ମଧ୍ୟେ ପୂର୍ଣ୍ଣଶଶୀ ।ଅସୁର ମଧ୍ୟେ ଯେହ୍ନେ ଦିଶି ॥
ବଳି ସଙ୍ଗତେ ପନ୍ତି ପନ୍ତି ।ବଳି ଦାନବ ଗୋତ୍ର ଜ୍ଞାତି ॥
ଦେବ ଅସୁର ଘୋର ରଣେ ।ବଳି ଆବୋରି ଜଣେ ଜଣେ ॥
କରନ୍ତି ସର୍ବେ ସିଂହନାଦ ।ଶଙ୍ଖ ଦୁନ୍ଦୁଭି ବହୁ ବାଦ୍ୟ ॥
ଦେବଙ୍କ ଯୁଦ୍ଧ କରି ବଳେ ।ବେଢ଼ିଲେ ଅଶେଷ ମଙ୍ଗଳେ ॥
ଏମନ୍ତ ବଳି ବଳ ଚାହିଁ ।ସକଳ ଦେବେ କୋପ ବହି ॥
ସାଜିଲେ ସୁରପତି ସଙ୍ଗେ ।ଅଶେଷ ଘୋର ରଣରଙ୍ଗେ ॥
ଅଇରାବତ କନ୍ଧେ ବସେ ।ସୂର୍ଯ୍ୟ କିରଣ ପ୍ରାୟ ଦିଶେ ॥
ସେ ସୁରପତିକି ଆବୋରି ।ଆନନ୍ଦେ ବାଦ୍ୟନାଦ କରି ॥
ନାନା ବାଦନ ଶସ୍ତ୍ରତୁଲେ ।ଅଶେଷ ଦେବ ବିଜେ କଲେ ॥
ରଣ ଶଙ୍କୁଳ ମହାଗୋଳ ।ସମୁଦ୍ର କୂଳେ ବେନି ବଳ ॥
ମିଳି ସକଳ ଦିଗପାଳ ।ଶବଦ ସିନ୍ଧୁର ଉଲୋଳ ॥
ଶସ୍ତ୍ର ଉଞ୍ଚାଇ କୋପମନେ ।ନାମ ଭାଷନ୍ତି ଅନ୍ୟେ ଅନ୍ୟେ ॥
ନିକଟେ ମିଳି ଘୋର ନାଦେ ।ଯୁଦ୍ଧ କରନ୍ତି ଅତି କ୍ରୋଧେ ॥
ଇନ୍ଦ୍ରର ତୁଲେ କଳି ଯୁଦ୍ଧେ ।ଦାରୁଣ ଦେବାସୁର ମଧ୍ୟେ ॥
ତାରକା ସଙ୍ଗେ କାର୍ତ୍ତିକେୟ ।ବିଶ୍ୱକର୍ମାର ସଙ୍ଗମୟ ॥
ବରୁଣ ହେତି ବେନି ବୀରେ ।ପ୍ରହତି ମିତ୍ରେ ଯୁଦ୍ଧ କରେ ॥
ଯମର ତୁଲେ କାଳନାଭ ।ଯୁଦ୍ଧ କରଇ ବହି ଗର୍ବ ॥
ଶମ୍ବର ତୁଷ୍ଟା ତୁଲେ ରଣ ।ସବିତା ତୁଲେ ବିରୋଚନ ॥
ଅପରାଜିତ ଯେ ନମୁଚି ।ରଣେ ବସିଲେ ବହି ରୁଚି ॥
ଅଶ୍ୱିନୀ ବୃଷପର୍ବା ଘେନି ।ସମର କରନ୍ତି ଏ ବେନି ॥
ସୂର୍ଯ୍ୟର ତୁଲେ ବାଣାସୁର ।ରାହୁର ତୁଲେ ନିଶାକର ॥
ପୁଲୋମା ସଙ୍ଗରେ ସମର ।କରଇ ଅନଳ ଯେ ବୀର ॥
ଶୁମ୍ଭ ନିଶୁମ୍ଭ ବୀର ବେନି ।ଭଦ୍ରକାଳୀଙ୍କୁ ସଙ୍ଗେ ଘେନି ॥
କରନ୍ତି ଯୁଦ୍ଧ ଭୟଙ୍କର ।ବୃଷାକପି ଯେ ଜୟବୀର ॥
ମହିମା ବିଭାବରୁ ସଙ୍ଗେ ।ଯୁଦ୍ଧ କରଇ ନାନା ରଙ୍ଗେ ॥
ଇଲ୍ୱଳ ବାତାପି ସହିତେ ।ରଣେ ପଶିଲେ ବ୍ରହ୍ମପୁତ୍ରେ ॥
ସନକ ତୁଲେ ଅରିନ୍ଦମ ।ନିର୍ଭୟେ କରନ୍ତି ସଂଗ୍ରାମ ॥
ଦୁର୍ମର୍ଷ ତୁଲେ ରତିପତି ।ଉତ୍କଳ ମାତାର ସଂଘତି ॥
ଇନ୍ଦ୍ର ଯେ ପଛକତି ଥିଲା ।ବଳି ତାହାଙ୍କୁ ଅନାଇଲା ॥
ଯୋଚି ଅଶ୍ୱକୁ ଚାରି ବାଣ ।ବେଗେ ବିନ୍ଧିଲା ଗରୁ ଟାଣ ॥
ସାରଥି ଏକ ବାଣ ଯୋଖି ।ଇନ୍ଦ୍ର ଧାଇଁଲା ତାହା ଦେଖି ॥
ବଳିର ଯେତେକ ନାରାଜ ।ବେଗେ ଛେଦିଲା ସୁରରାଜ ॥
ବଳିକି ଚାହିଁ ମନ୍ଦହାସେ ।ବେଗେ ମିଳିଲେ ତାର ପାଶେ ॥
ଇନ୍ଦ୍ର ଅଦ୍ଭୁତ କର୍ମ ଚାହିଁ ।ବଳି ଯେ ମନେ ରୋଷ ବହି ॥
ପୁଣି ଶକ୍ତି ଏ ଧରି କରେ ।ପେଶଇ ବାସବ ଉପରେ ॥
ଉଲ୍କା ଯେସନେ ଶୂନ୍ୟମାର୍ଗେ ।ପଡ଼ି ବିରାଜେ ଦଶଦିଗେ ॥
ସେ ଶକ୍ତି ବଳି ହସ୍ତେ ଥିଲା ।ଈଷିତେ ଇନ୍ଦ୍ର ତା ଛେଦିଲା ॥
ତୋମାର ଶୂଳ ପାଶ ରୁଷ୍ଟି ।ବଳି ହସ୍ତରୁ ବେଗେ କାଟି ॥
ନ ପାରି ମାୟା ପ୍ରକାଶିଲା ।ତକ୍ଷଣେ ଅନ୍ତର୍ଦ୍ଧାନ ହେଲା ॥
ମାୟାରେ ଶିଳା ବୃଷ୍ଟି ହେଲା ।ମେଘ ଗଗନେ ଆଚ୍ଛାଦିଲା ॥
ଦେବଙ୍କ ଉପରେ ବରଷେ ।ବିଦ୍ୟୁତ ଯେହ୍ନେ ଦଶଦିଶେ ॥
ପୁଣି କ୍ଷଣକେ ବହୁ ଦୃଷ୍ଟି ।ଶୁଷ୍କ ଇନ୍ଧନ କୋଟି କୋଟି ॥
ଦାବାଗ୍ନି ଦେବଙ୍କ ଉପରେ ।ପଡ଼ନ୍ତି ମଣ୍ଡଳ ସମରେ ॥
ଶିଳା ପଡ଼ନ୍ତି ତାଙ୍କ ଶିରେ ।ଗହନେ ଦେବଙ୍କ ଉପରେ ॥
ପଡ଼ନ୍ତି ମହାଘୋର ରଣେ ।ବୃଶ୍ଚିକ ମହାସର୍ପଗଣେ ॥
ବରାହ ବ୍ୟାଘ୍ର ସିଂହ ହସ୍ତୀ ।ସମ୍ମୁଖେ ଗର୍ଜ୍ଜନ କରନ୍ତି ॥
ଶତ ସହସ୍ର ଯାତୁଧାନ ।ଅନେକ ସଇନ୍ୟ ଅଚିହ୍ନ ॥
ବିବସ୍ତ୍ର ହୋଇ ଶୂଳହସ୍ତେ ।ପିଟନ୍ତି ଦେବଙ୍କର ମାଥେ ॥
ରାକ୍ଷସୀଗଣ ବହୁ ନାଦେ ।ସମରେ ମିଳିଲେ ଆନନଦେ ॥
ପ୍ରଳୟ ଯେହ୍ନେ ମେଘମାଳେ ।ମଳିଳିଲେ ଗଗନ ମଣ୍ଡଳେ ॥
ଗମ୍ଭୀରେ ଘୋରନାଦ କରି ।ସଘନେ ବରଷନ୍ତି ବାରି ॥
ପୁଷ୍ପ କ୍ଷଣକେ ଅଗ୍ନି ବୃଷ୍ଟି ।ପ୍ରକଳୟ ରାଶିରେ ପ୍ରକଟି ॥
ପ୍ରଳୟ ପ୍ରାୟେ ଅତି ବେଗେ ।ଅଗ୍ନି ବେଢ଼ିଲା ଚାରିଦିଗେ ॥
ସମୁଦ୍ର ଉଲ୍ଲୋଳ ଲହରୀ ।ଉଠିଲା ଘୋର ନାଦ କରି ॥
ପ୍ରଚଣ୍ଡ ବାତେ ଊର୍ମିଗଣ ।ଉଠିଲେ ଦିଶନ୍ତି ଭୀଷଣ ॥
ଏମନ୍ତେ ଅସୁରଙ୍କ ମାୟା ।ଦୃଶ୍ୟ ଅଦୃଶ୍ୟ ନାନା କାୟା ॥
ନାନା ପ୍ରକାର ମାୟାବଳେ ।ପଶିଲା ଦେବଗଣ ମେଳେ ॥
ଅସୁର ମାୟାବଳ ଦେଖି ।ତ୍ରିଦଶେ ସମର ଉପେକ୍ଷିତ ॥
ବିକଳେ ଭ୍ରମନ୍ତି ଗଗନେ ।ଅସୁର ମହାବଳେ ଛନ୍ନେ ॥
ରହି ନ ପାରି ସ୍ୱର୍ଗପଥେ ।ବିଷ୍ଣୁଙ୍କୁ ଧ୍ୟାନ କଲେ ଚିତ୍ତେ ॥
ଦେବଙ୍କ ଭୟ ଦେଖି ହରି ।ଗରୁଡ଼ ପୃଷ୍ଠେ ବିଜେ କରି ॥
ପୀତ ବସନ ପରିଧାନ ।ସୁନ୍ଦର କମଳ ଲୋଚନ ॥
ଯୁଦ୍ଧେ ଅଇଲେ ଚତୁର୍ଭୁଜେ ।କର୍ଣ୍ଣେ କୁଣ୍ଡଳାରତ୍ନ ସାଜେ ॥
ଶ୍ରୀବତ୍ସ କଉସ୍ତୁଭ ମଣି ।ଅମୂଲ୍ୟ ରତ୍ନପୁଞ୍ଜ ଜିଣି ॥
ଏମନ୍ତ ରୂପେ ଦଇତ୍ୟାରୀ ।ଦେବଙ୍କ ମଧ୍ୟେ ବିଜେ କରି ॥
ମାୟା ଦେବଙ୍କୁ ବେଢ଼ିଥିଲା ।ବିଷ୍ଣୁଙ୍କୁ ଦେଖି ନାଶଗଲା ॥
ତେବେ ସେ ଦେଖନ୍ତି ଆକାଶେ ।ତମଃ ଯେସନେ ରବି ତ୍ରାସେ ॥
ଜାଗ୍ରତେ ସ୍ୱପ୍ନ ଯେହ୍ନେ ମିଛ ।ଗୋବିନ୍ଦ ଦେଖନ୍ତି ପ୍ରତ୍ୟକ୍ଷ ॥
ଅସୁର ମାୟା ନାଶଗଲା ।ଦେବଙ୍କୁ ନିର୍ଭୟ ହୋଇଲା ॥
ଦେବଙ୍କ ମଧ୍ୟେ କାଳନେମି ।ଲୁଚି ଯେ ଥିଲା ମାୟା ଘେନି ॥
ଶୂଳ ବୁଲାଇ ଅନ୍ତରୀକ୍ଷେ ।ମିଳିଲା ଗୋବିନ୍ଦ ସମ୍ମୁଖେ ॥
ପିଟିଲା ଗରୁଡ଼ ଉପରେ ।ହରି ଧରିଲେ ବାମ କରେ ॥
ସେ ଶୂଳ କାଳନେମି ମୁଣ୍ଡେ ।କରି ପ୍ରହାରିଲେ ପ୍ରଚଣ୍ଡେ ॥
ମାୟା ସହିତେ ମହାବୀର ।ତକ୍ଷଣେ ହେଲା ଶତେଚୁର ॥
ମାଳୀ ସୁମାଳୀ ବେନି ବୀରେ ।ଦେଖି ମିଳିଲେ ଅତି ଖରେ ॥
ତ୍ରିଶୂଳ ଗୋବିନ୍ଦ ଉପରେ ।ପ୍ରହାର କଲେ ମହାଘୋରେ ॥
ତାହାଙ୍କ ତେଜ ଦେଖି ହରି ।ସୁଦରଶନ କରେ ଧରି ॥
ସେ ବେନି ବୀରମୁଣ୍ଡ ହାଣି ।ଶଙ୍ଖ ଶବଦେ ଚକ୍ରପାଣି ॥
ମିଳିଲେ ଦେବଗଣ ମଧ୍ୟେ ।ତ୍ରିଦଶେ ଦେଖନ୍ତି ଆନନ୍ଦେ ॥
ସେ ହରି ଚରଣ କମଳେ ।ସୁଜନେ ଚିନ୍ତି ଧ୍ୟାନବଳେ ॥
ଅଷ୍ଟମ ସ୍କନ୍ଧେ ଭାଗବତ ।ଅଦ୍ଭୁତ ବିଷ୍ଣୁର ଚରିତ ॥
ଭାଷା ପ୍ରବନ୍ଧେ ନିରୂପିତ ।କହିଲା ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଦେବାସୁର ଯୁଦ୍ଧେନାମ ଦଶମୋଽଧ୍ୟାୟଃ ।
ଏକାଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚହରିଙ୍କୁ ଦେଖି ଦେବଗଣେ ।ପୁଣି ମିଳିଲେ ଘୋର ରଣେ ॥
ଗୋବିନ୍ଦ ଅନୁକମ୍ପା ବଳେ ।ସମରେ ରହିଲେ ନିଶ୍ଚଳେ ॥
ଇନ୍ଦ୍ର ପବନ ଆଦି ବଳେ ।ବେଗେ ମିଳିଲେ ଦିଗପାଳେ ॥
ନିରତେ ଅସୁରଙ୍କ ଗାତ୍ରେ ।ପ୍ରହାର କଲେ ନାନା ଅସ୍ତ୍ରେ ॥
ଦେବଙ୍କ ଶସ୍ତ୍ରାଘାତେ ଫୁଟି ।ଅସୁର ମଲେ କୋଟି କୋଟି ॥
ଅସୁରବଳ ଭଗ୍ନ ଦେଖି ।ଇନ୍ଦ୍ର ଯେ ସମର ଉପେକ୍ଷି ॥
ବଳି ସମ୍ମୁଖେ ବେଗେ ମିଳି ।ବଜ୍ର ଉଞ୍ଚାଇ ହସ୍ତ ତୋଳି ॥
ବୋଲଇ ଅତି କୋପମନେ ।କର୍କଶ ଗମ୍ଭୀର ବଚନେ ॥
ତୁ ଯେ ବୋଲାଉ ମହାବୀର ।ସମ୍ଭାଳ ବଜ୍ରଘାତ ମୋର ॥
ଶୂନ୍ୟେ ବୁଲାନ୍ତେ ସାତବାର ।ଦେଖି କମ୍ପିଲେ ସୁରନର ॥
ବଳିକି ବଜ୍ର ପ୍ରହାରଣେ ।ପ୍ରଜାଏ ହାହାକାର ରଣେ ॥
ବଳି ବଦନ ଇନ୍ଦ୍ର ଚାହିଁ ।ନିନ୍ଦିତ ବଚନ ବୋଲଇ ॥
ରେ ମୁଢ଼ ମୋତେ ମାୟା କରୁ ।ଜିଣିବା ପ୍ରାୟେ ମନେ ଧରୁ ॥
ନଟର ପ୍ରାୟ ମାୟା କଲୁ ।ନିଜ ସ୍ୱଭାବ ଦେଖାଇଲୁ ॥
କୁହୁକେ ଯେହ୍ନେ ନଟ ଜନ ।ମାୟାରେ ହରେ ପ୍ରାଣୀ ମନ ॥
ମାୟାର ବଳେ ସ୍ୱର୍ଗ ଜିଣି ।ଇଚ୍ଛା କରନ୍ତି ଯେତେ ପ୍ରାଣୀ ॥
ତାହାଙ୍କୁ ସଦ୍ୟ ନାଶ ବେଗେ ।ମୁହିଁ କରଇ ଅଧୋମାର୍ଗେ ॥
ଏବେ ଏମନ୍ତ ଗର୍ବ ତୋର ।କୁଳିଶ ମହା ଭୟଙ୍କର ॥
ଏଣେ ତୋହର ଶିର ଛେଦି ।ରଖିବି ଅମର ସମ୍ପାଦି ॥
ଏବେ ତୁ ବଜ୍ରାଘାତ ସହ ।ଜ୍ଞାତିର ତୁଲେ ରୁଣ୍ଡ ହୁଅ ॥
ଏମନ୍ତ ଇନ୍ଦ୍ରର ବଚନ ।ବଳି ହୋଇଲା କୋପମନ ॥
ବଳିରୁବାଚକାଳର ବଳେ ଏ ସଂସାରେ ।ଯୁଦ୍ଧେ ମିଳନ୍ତି ଯେତେ ନରେ ॥
ଜୟ ଅଜୟ କୀର୍ତ୍ତି ନାଶ ।ଏ ଆଦି ଅଟଇ ଅବଶ୍ୟ ॥
ଯୁଦ୍ଧେ ମରିଣ ଅବଶେଷ ।ଯାଇ ଅକ୍ଷୟ ସ୍ୱର୍ଗେ ବସେ ॥
ଏଣୁ ସକଳ ଜନ୍ତୁଗଣ ।କାଳର ପାଶେ ନିବନ୍ଧନ ॥
ପଣ୍ଡିତ ଜନେ ଏହା ଜାଣି ।ଧର୍ମ ଅଧର୍ମ ପରିମାଣି ॥
ଶୋକ ହରଷ ପଥେ ମନ ।କେବେହେଁ ନ କରନ୍ତି ଜାଣ ॥
ଆମ୍ଭେ ସକଳେ ଏହା ଜାଣି ।ଆଗମ ନିଗମ ପ୍ରମାଣି ॥
ଏଣୁ ଏ ତୁମ୍ଭର ବଚନ ।ମର୍ମ ତାଡ଼ିତ ଅଭିମାନ ॥
ଆମ୍ଭେ ଯେ କେବେହେଁ ନଗଣି ।ତୁମ୍ଭର ବିବରଣ ଜାଣି ॥
ଶ୍ରୀ ଶୁକ ଉବାଚଏମନ୍ତ ଇନ୍ଦ୍ର ଆଗେ କହି ।ନିଜ ଧନୁରେ ଗୁଣ ଦେଇ ॥
ଆକର୍ଣ୍ଣ କରି ଦଶ ବାଣ ।ବଳି ବିନ୍ଧିଲା ଗରୁ ଟାଣ ॥
ଇନ୍ଦ୍ର ଉପରେ ବାଣ ବାଜି ।ତଳେ ପଡ଼ିଲା ବେଗେ ଭାଜି ॥
ଗଜ ଶରୀର ପୁଷ୍ପମାଳେ ।ବାଜି ପଡ଼ଇ ଯେହ୍ନେ ତଳେ ॥
ଇନ୍ଦ୍ର ଅମୋଘ ଶକ୍ତି ଧରି ।ଘୋର ହୁଙ୍କାର ନାଦ କରି ॥
ପିଟିଲା ବଳି ବକ୍ଷସ୍ଥଳେ ।ଆପଣା ତେଜ ଭୁଜବଳେ ॥
ହୃଦରେ ବାଜି ଶର ଫୁଟେ ।ତକ୍ଷଣେ ବକ୍ଷସ୍ଥଳ ଫାଟେ ॥
ବଳି ପଡ଼ିଲା ମହୀତଳେ ।ଶୂନ୍ୟେ ଦେଖନ୍ତି ଦିଗପାଳେ ॥
ବଳିର ଭୂମିଗତ ଚାହିଁ ।ଜୟ ଅସୁର ବେଗେ ଯାଇ ॥
ସଖାର ଦେଖନ୍ତେ ମରଣ ।ଆବୋରି କଲା ଘୋର ରଣ ॥
ସିଂହ ବାହନେ ବେଗେ ମିଳି ।ହୁଙ୍କାର ନାଦେ ଗଦା ତୋଳି ॥
ଇନ୍ଦ୍ର ଉପରେ ପ୍ରହାରିଲା ।ସେ ଗଦା ହସ୍ତୀରେ ବାଜିଲା ॥
ଗଦା ପ୍ରହାରେ ଜ୍ଞାନ ହାରି ।ଗଜ ପଡ଼ିଲା ଇନ୍ଦ୍ର ଧରି ॥
ଅଗ୍ର ଚରଣ ତଳେ ପଡ଼ି ।ଶୁଭଇ ମେଘ ଘଡ଼ ଘଡ଼ି ॥
ପଡ଼ିଲା ଅଚେତନ ହୋଇ ।ଦେଖି ମାତଳି ବେଗେ ଯାଇ ॥
ରଥେ ସହସ ଅଶ୍ୱ ଯୋଖି ।ଇନ୍ଦ୍ର ନିକଟେ ଦେଲା ରଖି ॥
ବିମାନେ ବସି ସୁରପତି ।ତକ୍ଷଣେ ତେଜି ନିଜ ହସ୍ତୀ ॥
ଜୟ ମାତଳି ମୁଖ ଚାହିଁ ।ଧନ୍ୟ ଶବଦେ ପ୍ରଶଂସଇ ॥
ଜ୍ୱଳନ୍ତା ଶୂଳ ଘେନି ବେଗେ ।ପିଟିଲା ମାତଳିର ଅଙ୍ଗେ ॥
ସେ ଶୂଳ ପ୍ରହାରେ ମାତଳି ।ସହେ ସ୍ୱଭାବେ ମହାବଳି ॥
ଇନ୍ଦ୍ର ଧାଇଁଲା ଅତି ବେଗେ ।ବଜ୍ର ପ୍ରହାରେ ଜମ୍ଭ ଅଙ୍ଗେ ॥
ଜମ୍ଭ ମରଣ ବଜ୍ରାଘାତେ ।ପୁଣି ତାହାର ଜ୍ଞାତି ଯେତେ ॥
ନାରଦ ମୁଖୁ ବାକ୍ୟ ଶୁଣି ।ଜୟ ଅଜୟ ନ ପ୍ରମାଣି ॥
ନମୁଚି ବଳ ପାକ ସଙ୍ଗେ ।ବାହାର ହୁଏ ମହାରାଗେ ॥
ଇନ୍ଦ୍ର ନିକଟେ ବେଗେ ମିଳି ।ପୁରୁଷ ବାକ୍ୟେ ଦେଇ ଗାଳି ॥
ନାରାଚ ବରଷେ ଗହଳେ ।ଯେସନେ ଆକାଶ ମଣ୍ଡଳେ ॥
ପବନ ବଳେ ମେଘମାଳ ।ପର୍ବତେ ବରଷନ୍ତି ଜଳ ॥
ଗର୍ଜ୍ଜନ କରି ବାଣପନ୍ତି ।ରଥ ଉପରେ ବରଷନ୍ତି ॥
ଅଦ୍ଭୁତ ଦେଖି ଦେବରାଜ ।ବିନ୍ଧିଲେ ସହସ୍ର ନାରାଚ ॥
ଶର ସମୁଦ୍ର ବେଗେ ଗଲା ।ଦେଖିଣ ପାକ କୋପ କଲା ॥
ଧନୁ ଆର୍କଷି କର୍ଣ୍ଣ ବେନି ।ନାରାଚ କୋପାନଳେ ଘେନି ॥
ମାତଳି ଉପରେ ପ୍ରହାରେ ।ଅଦ୍ଭୁତ ଘୋର ନାଦ କରେ ॥
ନମୁଚି କରି ମହାରୋଷ ।ବାଣ ବିନ୍ଧିଲା ପଞ୍ଚଦଶ ॥
ସୁବର୍ଣ୍ଣ ପକ୍ଷ ହେଲା ମୁଖେ ।ଇନ୍ଦ୍ରତା ଦୂରେ ଥାଇ ଦେଖେ ॥
ପଡ଼ଇ ମାତଳି ଉପରେ ।କାତର ହୋଇଲେ ଅମରେ ॥
ଏମନ୍ତ ଅସୁରଙ୍କ ଶସ୍ତ୍ର ।ଭେଦିଲା ଦେବ ତାଙ୍କ ଗାତ୍ର ॥
ଶରତ କାଳେ ରବି ଯେହ୍ନେ ।ଜୀମୁତ ଆଚ୍ଛାଦେ ଗଗନେ ॥
ଅସୁରଗଣ ରଥ ଦେଖି ।ଦେବେ ହୋଇଲେ ମନେ ଦୁଃଖୀ ॥
ଅନାଥ ହୋଇ ସୁରବଳେ ।ପଶିଲେ ଯାଇ ସିନ୍ଧୁଜଳେ ॥
ଅସୁର ବଳ ମଧ୍ୟଗତେ ।ଦେବେ ସେ ପଡ଼ିଲେ ଆୟତ୍ତେ ॥
ଗର୍ଜିଲେ ଯେହ୍ନେ ପକ୍ଷୀଗଣେ ।ଦେବେ ପଶନ୍ତି ଘୋର ରଣେ ॥
ଏମନ୍ତ ସମୟେ ବାସବେ ।ଆବୋରିଥିଲେ ଯେ ଦାନବେ ॥
ବାହାର ହୋଇ ଦିବ୍ୟ ରଥେ ।ରବି ଯେସନେ ରାତ୍ର ଅନ୍ତେ ॥
ଅସୁରଙ୍କର ଶସ୍ତ୍ର ଦେଖି ।ଇନ୍ଦ୍ର ସଂଭ୍ରମ ମନେ ଦୁଃଖୀ ॥
ପୁଣି ଧାଇଁଲା ମନ ଖେଦେ ।ବଜ୍ର ଉଞ୍ଚାଇ ଘୋର ନାଦେ ॥
ସେ ଅଷ୍ଟଧାରା ବଜ୍ରାଘାତେ ।ଜୀମୁତେ ଯେହ୍ନେ ବଜ୍ରବାତେ ॥
ଦୈତ୍ୟର ପାଦ ଶିରହାଣି ।ଘୋର ଶବଦେ ବଜ୍ରପାଣି ॥
ଦେଖି ତା ବନ୍ଧୁ ବର୍ଗବଳ ।ବିକଳେ କରନ୍ତି ଗହଳ ॥
ନମୁଚି ତାର ବଧ ଦେଖି ।ଅଶ୍ରୁ ନୟନେ ହୋଇ ଦୁଃଖୀ ॥
ଶୋକ ସାଗରେ ସେ ବୁଡ଼ିଲା ।ପୁଣି କ୍ଷଣକେ କୋପ କଲା ॥
ଲୌହ ନିର୍ମିତ ଶୂଳ କରେ ।ଘେନି ଧାଇଁଲା ଅତି ଖରେ ॥
ସେ ଶୂଳ ସୁବର୍ଣ୍ଣ ବିରାଜେ ।ଚଳନ୍ତେ ଘଣ୍ଟି ରାବ ବାଜେ ॥
ସେ ଶୂଳ ଘେନି ଅତି ବେଗେ ।ମିଳିଲା ସୁରନାଥ ଆଗେ ॥
ଇନ୍ଦ୍ର ଉପରେ ପ୍ରହାରିଲା ।ନିର୍ଭୟେ ସିଂହନାଦ କଲା ॥
ଶୂଳ ଆସନ୍ତେ ଶୂନ୍ୟ ପଥେ ।ବାସବ ଧନୁ ଧରି ହସ୍ତେ ॥
ବାଣେ ଛେଦିଲେ ଶତଖଣ୍ଡେ ।ପାଷାଣେ ଯେହ୍ନେ ଛତୁପିଣ୍ଡେ ॥
ପୁଣି କୁଳିଶ ପୁରନ୍ଦର ।ପେଶିଲା ନମୁଚି ଉପର ॥
ବଜ୍ର ପ୍ରହାର ନ କାଟିଲା ।କନ୍ଧରୁ ଚର୍ମ ନ ଛିଡ଼ିଲା ॥
ତା ଦେଖି ଇନ୍ଦ୍ର ବିଚାରଇ ।ଅଦ୍ଭୁତ ଦେଖିଲାତ ନାହିଁ ॥
ଆଉ ବଞ୍ଚିଲା ଏ କେମନ୍ତେ ।ଏଣୁ ସଂଶୟ ମୋର ଚିତ୍ତେ ॥
ଏ ଶସ୍ତ୍ର ଅସୁରଙ୍କ ରଣେ ।ପ୍ରହାରେ ଗଲା ଅକାରଣେ ॥
ଏମନ୍ତେ ରଣମଧ୍ୟେ ରତେ ।ଶବଦ ଶୁଭେ ଶୂନ୍ୟପଥେ ॥
ଶୁଣ ହେ ଶୁକ୍ର ଏକ ଚିତ୍ତେ ।ନ ଭେଦେ ଶୁଷ୍କ ଆର୍ଦ୍ର ଅସ୍ତ୍ରେ ॥
ପୂର୍ବେ ଏ କଲା ତପ ଘୋର ।ଏହାକୁ ଦେଇଅଛୁଁ କର ॥
ଅଜୟ ହୋଇଲା ସ୍ୱଭାବେ ।କେହି ନ ଯିବେ ଏହା ଆଗେ ॥
ଶୁଷ୍କ ଆର୍ଦ୍ରରେ ଭେଦ ମୋହେ ।ଏଣୁ ତା ଦେହ ଚିର ରହେ ॥
ଏବେ ତୁ ଶୁଣ ମେଘବାନ ।ଏହା ମରଣେ କର ଧ୍ୟାନ ॥
ଯେ ତୋତେ ଦିଶେ ଧ୍ୟାନ ମାର୍ଗେ ।ତେଣେ ଜୀବନ ହର ବେଗେ ॥
ଏମନ୍ତ ଶୂନ୍ୟବାଣୀ ଶୁଣି ।ବାସନ ଧ୍ୟାନ ମନେ ଗୁଣି ॥
ଧ୍ୟାନେ ଦେଖଇ ଜଳଫେନ ।ତା ଦେଖି ବିଚାରଇ ମନ ॥
ଏ ଆର୍ଦ୍ର ଶୁଷ୍କ ନ ବୋଲାଇ ।ଏଣେ ନାଶିବି ତାର ଦେହୀ ॥
ଏମନ୍ତେ ମନେ ବିଚାରନ୍ତେ ।ଫେନ ମିଳିଲା ଆସି ହସ୍ତେ ॥
ନମୁଚି ଅଙ୍ଗେ ପ୍ରହାରିଲା ।ତକ୍ଷଣେ ଶିର ଛିଡ଼ିଗଲା ॥
ସମରେ ନମୁଚି ମରଣେ ।ମିଳିଲେ ଦେବ ଋଷିଗଣେ ॥
ଇନ୍ଦ୍ର ଉପରେ ପୁଷ୍ପ ବୃଷ୍ଟି ।କରନ୍ତି ଦେବେ ନାନା ସ୍ତୁତି ॥
ଗନ୍ଧର୍ବ ଅପସରା ବୃନ୍ଦ ।କରନ୍ତି ନୃତ୍ୟ ଗୀତ ନାଦ ॥
ଜୟ ଦୁନ୍ଦୁଭି ରଣେ ବାଜେ ।ଦେବ ଦାନବ ରଣମାଝେ ॥
ଏହି ପ୍ରକାରେ ଦିଗପାଳେ ।ବରୁଣ ପବନ ଅନଳେ ॥
ଅସୁର ବଳ ସର୍ବମାରି ।ପଶୁଙ୍କୁ ଯେସନେ କେଶରୀ ॥
ଅସୁର ବଳ ଭଗ୍ନ ଶୁଣି ।ନାରଦ ବାକ୍ୟେ ଶୂଳପାଣି ॥
ଦେବଗଣଙ୍କୁ ବୋଧ କଲେ ।ଯୁଦ୍ଧ ନ କର ଆଜ୍ଞା ଦେଲେ ॥
ନାରଦ ସର୍ବ ଦେବଗଣେ ।ପ୍ରବୋଧ କଲେ ଜଣେ ଜଣେ ॥
ନାରଦ ଉବାଚବୋଲନ୍ତି ଦେବଗଣେ ଚାହିଁ ।ସମର କର କିସ ପାଇଁ ॥
ସିନ୍ଧୁ ମନ୍ଥନେ ପାଇ ପ୍ରାସ ।ଅସୁରେ ହୋଇଲେ ବିନାଶ ॥
ତୁମ୍ଭେ ଅମୃତ ପାନ କରି ।ହେଳେ ଲଭିବ ସ୍ୱର୍ଗଶିରୀ ॥
ଶ୍ରୀ ଶୁକ ଉବାଚନାରଦ ବାକ୍ୟ ଶୁଣି ଭଲେ ।ତ୍ରିଦଶ ସମର ନ କଲେ ॥
ଆନନ୍ଦେ ନୃତ୍ୟ ଗୀତ କରି ।ତ୍ରିଦଶ ଗଲେ ନିଜ ପୁରୀ ॥
ଯୁଦ୍ଧେ ଅସୁରେ ଯେତେ ଥିଲେ ।ନାରଦ ବାକ୍ୟେ ବାହୁଡ଼ିଲେ ॥
ବ୍ରହ୍ମା ନନ୍ଦନ ବାକ୍ୟ ମାନି ।ବଳିର ମୁଣ୍ଡ ପିଣ୍ଡ ଘେନି ॥
ସକଳେ ମିଳି ଏକତୁଲେ ।ପଶ୍ଚିମେ ଅସ୍ତଗିରି ଗଲେ ॥
ଯେ ଅବା ଶିର ଉର ଛାଡ଼ି ।ସଂଗ୍ରାମ ମଧ୍ୟେ ଥିଲେ ପଡ଼ି ॥
ଶୁକ୍ରର ମୃତ୍ୟୁ ସଂଜୀବନେ ।ସକଳେ ବର୍ତ୍ତିଲେ ଜୀବନେ ॥
ବଳିକୁ ଶୁକ୍ର ଘେନି କୋଳେ ।ଆସନେ ବସାଇ ନିଶ୍ଚଳେ ॥
ଯୁଦ୍ଧେ ହାରିଲା ମାନଭଙ୍ଗେ ।ସମରେ ରହେ କୋପାରମ୍ଭେ ॥
ବୋଇଲେ ବିପ୍ର ଜଗନ୍ନାଥ ।ସମୁଦ୍ର ମନ୍ଥନ ଚରିତ ॥
ସୁଜନେ କର ଏବେ ଭାବ ।ଏ ଭାବେ ସଂସାର ତରିବ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଦେବାସୁର ଯୁଦ୍ଧେନାମ ଏକାଦଶୋଽଧ୍ୟାୟଃ ।