ଅଷ୍ଟମ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିରତ୍ନ ଭୂଷଣ ଶୋହେ ଗ୍ରୀବା ।ରୂପ କି ପଟାନ୍ତର ଦେବା ॥
ହାର କେୟୁର ଝଟକନ୍ତି ।ଗଗନେ ଯେହ୍ନେ ଗ୍ରହପନ୍ତି ॥
ଚାହାଁନ୍ତି କଟାକ୍ଷ ଲୋଚନ ।ଯେ ରୂପେ ଜଗତ ମୋହନ ॥
ଗଗନ ମାର୍ଗେ ସ୍ୱର୍ଗେ ଗଲେ ।ଇନ୍ଦ୍ରର ଭୁବନେ ମିଳିଲେ ॥
ଅସୁରେ ମନେ ଦୁଃଖ ଭରି ।ପୁଣି ମନ୍ଥିଲେ ମହାଗିରି ॥
ସୁନ୍ଦର ଦିଶେ ଦିଶଦିଗ ।ଧରଣୀ ହେଉଛି ଉଲ୍ଲାସ ॥
ଅମୃତ ଶୁଭଲଗ୍ନ ବେଳେ ।ଲକ୍ଷ୍ମୀ ଉଠିଲେ ମହାଜଳେ ॥
ଦିଗ ପ୍ରକାଶ ଦେହ ଝଳି ।ଜୀମୁତେ ଯେସନେ ବିଜୁଳି ॥
କମଳା ରୂପ ଦେଖି ଜନେ ।ଲୋଭ ବସିଲା ସର୍ବ ମନେ ॥
ଲକ୍ଷ୍ମୀ ବଦନ ଚାହିଁ ବେଗେ ।ଇନ୍ଦ୍ର ମିଳିଲେ ପଦଯୁଗେ ॥
ରତ୍ନ ଆସନ ବେଗେ ଆଣି ।ଯହିଁ ବିଜୟେ କମଳିନୀ ॥
ଜାହ୍ନବୀ ନଦୀ ଆଦି ଯେତେ ।ସର୍ବେ ମିଳିଲେ ପାଦଗତେ ॥
ସୁବର୍ଣ୍ଣ କୁମ୍ଭେ ନୀର ଭରି ।ମୁନିଏ ରହିଲେ ଆବୋରି ॥
ଧରଣୀ ଅଷ୍ଟରତ୍ନ ସିଦ୍ଧି ।ଅପରେ ଅଭିଷେକ ବିଧି ॥
ଅଇରାବତ ପୁଣ୍ଡରୀକ ।ଏ ବେନି ହସ୍ତୀଙ୍କ ନାୟକ ॥
ସୁବର୍ଣ୍ଣ କୁମ୍ଭେ ନୀର ଭରି ।ତୋଳିଲେ ଥୋରହସ୍ତେ ଧରି ॥
ସୁରଭି ପଞ୍ଚାମୃତ ଧାରେ ।ସିଞ୍ଚିଲା କମଳା ଉପରେ ॥
ମଧୁ ମାଧବ ବେନି ପାଶେ ।ମିଳି କୁସୁମ ଗନ୍ଧ ବାସେ ॥
ମିଳି ଅଶେଷ ମୁନିଗଣେ ।ଆଗମ ନିଗମ ପ୍ରମାଣେ ॥
କଲେ ସେ ଅଭିଷେକ ବିଧି ।ନିଗମ ମାର୍ଗେ ଯେ ପ୍ରସିଦ୍ଧି ॥
ଗନ୍ଧର୍ବେ କଲେ ଗୀତ ନାଦ ।ନାଚନ୍ତି ଅପସରା ବୃନ୍ଦ ॥
ପ୍ରଣବ ମୃଦଙ୍ଗ ଗୋମୁଖା ।ମୂରଜ ତନ୍ତ୍ର ସୂତ୍ରଲେଖା ॥
ଶଙ୍ଖ କାହାଳୀ ବେଣୁସ୍ୱନ ।ଗର୍ଜ୍ଜନ୍ତି ଶୂନ୍ୟ ପଥେ ଘନ ॥
ସକଳେ ମିଳି ଚାରିପଶେ ।ସୁବାକ୍ୟେ ବେଦମନ୍ତ୍ର ଘୋଷେ ॥
କରୀନ୍ଦ୍ରେ ରତ୍ନ କୁମ୍ଭେ ନୀର ।ଢାଳିଲେ କମଳାର ଶିର ॥
କ୍ଷୀର ଜଳଧି ଉଠି ତୋଷେ ।ମିଳିଲା କମଳାର ପାଶେ ॥
ପୀତ ପତନୀ ବେନି ଦେଲା ।ଅମ୍ଳାନ ପଙ୍କଜର ମାଳା ॥
ବରୁଣ ଦେଲା ଦେବୀ ଗଳେ ।ମତ୍ତ ମଧୁପଙ୍କର ରୋଳେ ॥
ରତ୍ନ ଭୂଷଣ ନାନା ମତ ।ଯେ ବିଶ୍ୱକର୍ମାର ନିୟତ ॥
ହାର କଙ୍କଣ ଅବତଂଶ ।ସର୍ବେ ଦିଶନ୍ତି ରବିତ୍ରାସ ॥
ସେ ଦେବୀ ଅଭିଷେକ ଅନ୍ତେ ।ପଙ୍କଜମାଳା ଘେନି ହସ୍ତେ ॥
ପାଦ ଚଳନ୍ତେ ମହୀତଳେ ।ରତ୍ନ କୁଣ୍ଡଳ କର୍ଣ୍ଣେ ଲୁଳେ ॥
ଶୁଭ୍ର ସୁବାସ ଶୁଭ୍ର ହ୍ୱନ୍ତି ।ହୃଦେ ପୟୋଧର ଚଳନ୍ତି ॥
ମୁକୁତା ହାର କୁଚ ଶିଖେ ।କୁଙ୍କୁମ ଲେପନ ସୁରେଖେ ॥
ଚରଣେ ଲୁଳିତ ନୂପୁର ।ସୁସ୍ୱରେ ଦିଶଇ ସୁନ୍ଦର ॥
ପଥେ ଚଳନ୍ତେ ଜଗନ୍ନାତା ।ରୂପେ କି ଦିଶେ ହେମଲତା ॥
ହରି ଚରଣେ ମନ ଦେଇ ।ଅନଙ୍ଗ ଲୋଚନେ ଅନାଇ ॥
ଅଶେଷ ବ୍ରହ୍ମାଣ୍ଡ କାରଣ ।ବ୍ରହ୍ମ କଳ୍ପଇ ଯା ଚରଣ ॥
ଯଦ୍ୟପି କନ୍ୟା ରୂପ ଧରେ ।ମନ ନ ରହେ ଅନ୍ୟବରେ ॥
ଚଞ୍ଚଳ ଗୁଣ ଏହିମତେ ।ବିଷ୍ଣୁ ଚରଣେ ଅବିରତେ ॥
ଗୋବିନ୍ଦ ଗଳେ ମାଳା ଦେଇ ।ସଲଜ୍ଜେ ଚଉଦିଗେ ଚାହିଁ ॥
କୋଳେ ବସିଲେ ଜଗନ୍ମାତା ।ଯେ ଜୀବ ଜୀବନର ଦାତା ॥
ଗୋବିନ୍ଦ କୋଳେ ଲକ୍ଷ୍ମୀ ଦେଖି ।ଅସୁରେ ମନ୍ଥନ ଉପେକ୍ଷି ॥
ତୁରୀ ମର୍ଦ୍ଦଳ ଶଙ୍ଖ ସ୍ୱନ ।ନୃତ୍ୟ ଉତ୍ସବ ଘନ ଘନ ॥
ବ୍ରହ୍ମା ଶଙ୍କର ଆଦି ଯେତେ ।ତକ୍ଷଣେ ମିଳିଲେ ସମସ୍ତେ ॥
ସକଳ ଦେବ ମୋଦ ଭରି ।ଆନନ୍ଦେ ପୁଷ୍ପ ବୃଷ୍ଟି କରି ॥
ଲକ୍ଷ୍ମୀ କଟାକ୍ଷ ଦେହେ ଲାଗି ।ସର୍ବେ ହୋଇଲେ ମୋକ୍ଷଭାଗୀ ॥
ସୁପୁଣ୍ୟ ଆଦି ସୁରଗଣେ ।ଯୁକ୍ତ ହୋଇଲେ ତତକ୍ଷଣେ ॥
ବ୍ରହ୍ମା ଶଙ୍କର ଆଦି ଦେବେ ।ଲକ୍ଷ୍ମୀ ଗୋବିନ୍ଦ ତୋଷ ସର୍ବେ ॥
ଲକ୍ଷ୍ମୀ ଗୋବିନ୍ଦ ସଉଭାଗ୍ୟେ ।ଗୀତ ମଙ୍ଗଳ ସ୍ତୁତି ମାର୍ଗେ ॥
ମିଳି ସକଳ ଦିଗପାଳେ ।ପୁଷ୍ପ ବରଷିଲେ ଗହଳେ ॥
ଲକ୍ଷ୍ମୀ ଗୋବିନ୍ଦ ମୁଖ ଦେଖି ।ଦେବେ ସକଳ ହେଲେ ସୁଖୀ ॥
ଶୀଳାଦି ଅଷ୍ଟଗୁଣେ ଯୁକ୍ତ ।ସର୍ବେ ହୋଇଲେ କୃତ୍ୟକୃତ୍ୟ ॥
ଲକ୍ଷ୍ମୀଙ୍କୁ ନ ଚାହିଁ ଅସୁରେ ।ବିଗୁଣ ବହିଲେ ଅନ୍ତରେ ॥
ବିମନ ହୋଇଲେ ଅସୁରେ ।ଲୋଭ ଜନ୍ମିଲା ହୃଦୟରେ ॥
ସର୍ବେ ଯେ ହୋଇଲେ କାତର ।ଲାଜ ପ୍ରଭାବ ଗଲା ଦୂର ॥
ପୁଣି ମନ୍ଥିଲେ ମନଦୁଃଖେ ।ଚାହାଁନ୍ତି ଅନ୍ୟାନ୍ୟ ସମ୍ମୁଖେ ॥
ମନ୍ଥନେ ହୋଇଲା ବାରୁଣୀ ।ରୂପେ ଶୋଭିତ କମଳିନୀ ॥
ଅସୁରେ ହରି ଅନୁମତେ ।ସେ କନ୍ୟା ଲଭିଲେ ସମସ୍ତେ ॥
ପୁଣି ମନ୍ଥିଲେ ତୋଷମନେ ।ପୌରୁଷ ହରଷ ବଦନେ ॥
ଅଦ୍ଭୁତ ପୁରୁଷ ଉପୁଜେ ।ତେଜ ସକଳ ରୂପ ଗଞ୍ଜେ ॥
ହସ୍ତୀର ଶୁଣ୍ଢ ପ୍ରାୟେ ହୋଇ ।ଲମ୍ବେ ଉଦଣ୍ଡ ଭୂଜ ଦୁଇ ॥
ସୁନ୍ଦର କମ୍ବୁଗ୍ରୀବ ସାଜେ ।ଅରୁଣ ଲୋଚନ ବିରାଜେ ॥
ଶାମ ତରୁଣ ବର୍ଣ୍ଣ ଶୋହେ ।ରତ୍ନ ମୂଷଣ ଜନ ମୋହେ ॥
ହୃଦେ ଲମ୍ବଇ ବନମାଳ ।ସୁନ୍ଦର ଅଳକା କପୋଳ ॥
ପୀତ ବସନ କଟୀ ପରେ ।କୁଞ୍ଚିତ କେଶ ବହେ ଶିରେ ॥
ସିଂହ ବିକ୍ରମ ଶୁଭ୍ର ଅଙ୍ଗ ।ଦିଶଇ ନିଶାପତି ଭଙ୍ଗ ॥
ରତ୍ନ ବଳୟ ମଣିବନ୍ଧେ ।ଅମୃତ କୁମ୍ଭ ଘେନି କନ୍ଧେ ॥
ସେ ରୂପେ ନାରାୟଣ ଅଂଶେ ।ଧନ୍ୱନ୍ତୀ ରୂପ ପରକାଶେ ॥
ସ୍ୱଭାବେ ଆୟୁର୍ବେଦ ଗୁରୁ ।ଧୀର ସ୍ୱଭାବେ ମହାମେରୁ ॥
ଅସୁରଗଣ ତାହା ଦେଖି ।ଧାଇଁଲେ ମନ୍ଥନ ଉପେକ୍ଷି ॥
ଲୁଟିଲେ ସର୍ବ ବସ୍ତୁ ବଳେ ।ଦେବଙ୍କୁ କରି ଅବହେଳେ ॥
ଅମୃତ କୁମ୍ଭ ଅତି ଖରେ ।ଥିଲା ଯେ ଧନ୍ୱନ୍ତରୀ କରେ ॥
ସେ କୁମ୍ଭ ବଳେ ଅପହରି ।ଧଇଲେ ଘୋର ନାଦ କରି ॥
ପଳାନ୍ତେ ପ୍ରଜାଙ୍କୁ ଲୁଟିଲେ ।ପର୍ବତ ଉପରେ ଉଠିଲେ ॥
ଦେବେ ଦୁଃଖିତ ମନ ହୋଇ ।ଗୋବିନ୍ଦ ପାଦ ତଳେ ଯାଇ ॥
ବୋଲନ୍ତି ରଖ ନାରାୟଣ ।ଘୋର ସଙ୍କଟୁ ଆମ୍ଭ ପ୍ରାଣ ॥
ଅମୃତ ଭକ୍ଷିଲେ ଅସୁରେ ।ଆମ୍ଭେ କି ଥିବୁ ସ୍ୱର୍ଗପୁରେ ॥
ନିଶ୍ଚୟେ ହୋଇଲୁ ଅନାଥ ।ଶରଣ ରଖ ଜଗନ୍ନାଥ ॥
ଏମନ୍ତେ ଦେବଙ୍କ ବିକଳ ।ଦେଖି କହନ୍ତି ଆଦିମୂଳ ॥
ଏ ଭାବେ ପରମ ଆନନ୍ଦ ।ଭକ୍ତ ବତ୍ସଳ ଆଦିକନ୍ଦ ॥
ବୋଲନ୍ତି ଶୁଣ ଦେବତାଏ ।ଚିତ୍ତେ ନ କର ତୁମ୍ଭେ ଭୟେ ॥
ମୁଁ ଆଜ ଯୋଗ ମାୟା ବଳେ ।ଅମୃତ ଆଣି ଦେବି ହେଳେ ॥
ତତ୍କ୍ଷଣେ ଅସୁରଙ୍କ ଦେହେ ।କିବା ପଶିଲେ ମାୟା ମୋହେ ॥
ତତ୍କ୍ଷଣେ ଚିତ୍ତେ କ୍ରୋଧ ହୋଇ ।ଏକ ଆରକେ ଗର୍ବ ବହି ॥
କେହି କାହାକୁ ନ ଗଣନ୍ତି ।ମୁଁ ଆଗେ ଭକ୍ଷିବି ବୋଲନ୍ତି ॥
ଦେବଙ୍କ ଭାଗ ଆଗ ଦେବା ।କେ ବୋଲେ ଆମ୍ଭେ ଯେ ଭକ୍ଷିବା ॥
ଆମ୍ଭର ତୁଲେ ଦେବେ ଦୁଃଖୀ ।କେମନ୍ତେ ଭକ୍ଷିବା ଉପେକ୍ଷି ॥
ବଳେ ଆଣିଲେ ସୁଧାକୁମ୍ଭ ।ଏମନ୍ତ କହି ମହାଦମ୍ଭ ॥
କେହି କାହାକୁ ନ ଗଣନ୍ତି ।ସମର୍ଥ ପଣେ ପଚାରନ୍ତି ॥
ମଧ୍ୟେ ଅମୃତ କୁମ୍ଭ ଥୋଇ ।ବିଷ୍ଣୁ ମାୟାରେ ମନମୋହି ॥
ଏମନ୍ତ ସମୟେ ମୁରାରୀ ।ତକ୍ଷଣେ ମାୟାରୂପ ଧରି ॥
ସ୍ୱରୂପ ହୋଇଲେ କାମିନୀ ।ଅଶେଷ ଜଗତ ମୋହିନୀ ॥
ଶ୍ୟାମ ଉତ୍ପଳ ସ୍ୱରୂପିଣୀ ।କାମିନିଗଣ ଶିରୋମଣି ॥
ସର୍ବ ଅବୟବ ସୁନ୍ଦର ।ବିରାଜେ କଙ୍କଣ କେୟୁର ॥
ସୁନ୍ଦର ନାମ ଊରୁ ଶୋହେ ।କଟୀ ଯେ ଜଗଜ୍ଜନ ମୋହେ ॥
ଉନ୍ନତ ନବ ଯଉବନୀ ।ଯୌବନ ଭାରି ମଝାକ୍ଷିଣୀ ॥
ରଙ୍ଗ ଅଧର ଦନ୍ତପନ୍ତି ।ହାସ୍ୟ ବଦନ ଝଟକନ୍ତି ॥
ଉତ୍ପଳ ମଲ୍ଲୀମାଳ ଶିରେ ।ଶୋହେ ସୁନୀଳ କଳେବରେ ॥
ସୁଗ୍ରୀବ କଣ୍ଠ ଆଭରଣ ।ଶୁଭେ ଯେ କଙ୍କଣ ଭୂଷଣ ॥
ବିରାଜେ ଅଙ୍ଗର ଭୂଷିତ ।ଉଦର ନିତମ୍ବ ଶୋଭିତ ॥
କଟୀ ମେଖଳା ମନ ରଞ୍ଜି ।ଉତ୍ପଳେ ମଣିରତ୍ନ ଖଞ୍ଜି ॥
ଚରଣେ ନୂପୁର ବାଜେଣି ।ସୀମନ୍ତ ମଧ୍ୟେ ଶୋହେ ବେଣୀ ॥
ସର୍ବାଙ୍ଗେ ଭୂଷିତ ଭୂଷଣ ।ଭୂମି ବିଳାପ ବିମୋଚନ ॥
ଅସୁରଙ୍କର ଚିତ୍ତ ହରି ।ମୋହିନୀ ରୂପେ ବନ୍ଦୀ କରି ॥
ଚିତ୍ତେ ଅନଙ୍ଗ ଉଦ୍ଦୀପନ ।ହରି ପଶିଲେ ତାଙ୍କ ମନ ॥
ବ୍ରାହ୍ମଣ ଜଗନ୍ନାଥ କହେ ।ଅସୁରେ ହରି ମାୟା ମୋହେ ॥
ଅମୃତ ଭକ୍ଷଣ ପାଶୋରି ।ବିଷ୍ଣୁଙ୍କୁ ରହିଲେ ଆବୋରି ॥
ବିଷ୍ଣୁ ମୋହିନୀ ରୂପ ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବିଷ୍ଣୁ ମୋହିନୀ ରୂପ ଧାରଣ ବର୍ଣ୍ଣନେନାମ ଅଷ୍ଟମୋଽଧ୍ୟାୟଃ ।
ନବମ ଅଧ୍ୟାୟ
ଅସୁରେ ବସି ଏକ ମନେ ।ଶୁଦ୍ଧ ସୁବର୍ଣ୍ଣ ଯଜ୍ଞ ସ୍ଥାନେ ॥
ବିବିଧ ପାନପତ୍ର ଆଣି ।ଏକ ଆରକେ ବାକ୍ୟ ଭଣି ॥
ସୁହୃଦପଣ ଦୂର କଲେ ।ଦୁଷ୍ଟ ଆଚାର ଆଚରିଲେ ॥
ଏମନ୍ତେ ଶୁଣ ପରୀକ୍ଷିତ ।ମୋହିନୀ ରୂପେ ଜଗନ୍ନାଥ ॥
ମିଳିଲେ ଅସୁରଙ୍କ ପାଶେ ।ଅମୃତ ହରଇ ବିଶ୍ୱାସେ ॥
ବିଷ୍ଣୁ ମୋହିନୀ ରୂପ ଦେଖି ।ସର୍ବେ ନିଶ୍ଚଳ କଲେ ଆଖି ॥
ଚକିତେ ଅନ୍ୟୋଅନ୍ୟେ ଚାହିଁ ।ବୋଲନ୍ତି ବିଷ୍ଣୁ ମାୟା ମୋହି ॥
ଦେଖି ଏରୂପ କାନ୍ତି ଧାମ ।ନବ ଯୁବତୀ ଅନୁପମ ॥
କାହୁଁ ଅଇଲା କିବା ଅର୍ଥେ ।ପାଦେ କରଇ ମନ୍ଦଗତେ ॥
ଏମନ୍ତ କହୁଁ କନ୍ୟା ଆଗେ ।ପଥେ ମିଳିଲେ ଯାଇଁ ବେଗେ ॥
ନିଶ୍ଚଳେ ନ ପାରନ୍ତି ଚାହିଁ ।ବୋଲନ୍ତି କନ୍ୟା ପାଶେ ରହି ॥
ହେ ପଦ୍ମଲୋଚନ ସୁନ୍ଦରୀ ।ଯୁବତୀ ମୁନି ମନୋହାରୀ ॥
କି ତୋର ନାମ କିବା ଅର୍ଥେ ।ଅଇଲ କହ ଶୁଦ୍ଧଚିତ୍ତେ ॥
କାହାର ପତ୍ନୀ ତୁ ବୋଲାଉ ।ଜ୍ଞାନ ହରିଲୁ ଆମ୍ଭ ଦେହୁଁ ॥
ଆମ୍ଭେ ଯେ ଦେବତା ଅସୁରେ ।ସିଦ୍ଧ ଗନ୍ଧର୍ବ ଯେ କିନ୍ନରେ ॥
ମୁନି ଚାରଣ ବିଦ୍ୟାଧର ।ଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର ॥
ଅଦୃଷ୍ଟପୂର୍ବ ରୂପ ତୁହି ।ତୋତେ ତ କେହି ନ ଜାଣଇ ॥
ନିଶ୍ଚେ ଜାଣିଲୁ ତୋ ବାରତା ।ତୋତେ ବା ସର୍ଜିଲା ବିଧାତା ॥
ପ୍ରାଣୀଙ୍କ ଇନ୍ଦ୍ରିୟ ହରଣେ ।ମୋହିନୀ ରୂପ କି କାରଣେ ॥
ତା ରୂପ ଅଛି ମନୋହର ।ତୁ ଏବେ ଆମ୍ଭ ବୋଲ କର ॥
ଆମ୍ଭେ ଯେ ଦେବତା ଦାନବେ ।ବଇରି ଅଟୁ ଜ୍ଞାତି ଭାବେ ॥
ଏ ବସ୍ତୁ ବେନି ଭାଗ କରି ।ଦିଅ ଗୋ ପରମା ସୁନ୍ଦରୀ ॥
କଶ୍ୟପ ପୁତ୍ର ଆମ୍ଭେ ଦୁଇ ।କେବେ ଆମ୍ଭର ନ ପଡ଼ଇ ॥
ତୁମ୍ଭେ ଅମୃତ ଆମ୍ଭ ପାତ୍ରେ ।ଦ୍ୱିଭାଗ କରି ଯଥା ଅର୍ଥେ ॥
ପରଷି ଦିଅ ଶୁଦ୍ଧ ଚିତ୍ତେ ।ସମାନ ଭାଗ ଦିଅ ପାତ୍ରେ ॥
କେବେହେଁ ନ କରିବ ଭେଦ ।ଯେମନ୍ତେ ଉଭୟ ଆନନ୍ଦ ॥
ଅସୁରଙ୍କର ବୋଲ ଶୁଣି ।ମାୟା ମୋହିନୀ ଚକ୍ରପାଣି ॥
ମୋହିନୀ ମନ୍ଦହାସ ମୁଖେ ।ଅପାଙ୍ଗ କଟାକ୍ଷ ସ୍ମରେଖେ ॥
ଅମୃତ ସମାନ ବଚନ ।କହନ୍ତି ଜଗତ ଜୀବନ ॥
ଶ୍ରୀ ଭଗତ ଉବାଚତୁମ୍ଭେ ଯେ କଶ୍ୟପ ନନ୍ଦନ ।ଶୁଣ ହୋ ମୋହର ବଚନ ॥
ସ୍ୱଭାବେ ସ୍ୱାମୀ ମୋର ନାହିଁ ।କୁଳଟା ବାଦ ମୋର ତହିଁ ॥
ଅସତୀ ନାରୀଙ୍କ ସ୍ୱଭାବ ।କେ ଅବା ବିଶ୍ୱାସେ ଭଜିବ ॥
କହିଲି ତୁମ୍ଭ ଆଗେ ସତ ।ଏମନ୍ତ ପଣ୍ଡିତଙ୍କ ମତ ॥
ଏମନ୍ତ କନ୍ୟାର ବଚନ ।ଶୁଣି ହୋଇଲେ ତୋଷମନ ॥
ଭାବ ସୁଗଭୀର ବଚନ ।ମନୁଷ୍ୟ ତେହ୍ନେ ସୁଧାପାନ ॥
ଅସୁରଙ୍କୁ ଏ ବାକ୍ୟ ଭଣି ।ଆନ୍ଦେ ପ୍ରଭୁ ଚକ୍ରପାଣି ॥
ଅମୃତ ଭାଣ୍ଡ କରେ ଧରି ।ଅଳପ ହାସ୍ୟ ମୁଖେ କରି ॥
ମୋହିନ୍ୟୁବାଚମୋହିନୀ ବୋଇଲେ ବଚନ ।ଶୁଣ ସକଳେ ଏକମନ ॥
ସୁର ଅସୁର ନ ଜାଣଇ ।ସିଦ୍ଧି ଅସିଦ୍ଧି ସମ ଦୁଇ ॥
ଦ୍ୱିଭାଗେ ଦେବି ସୁଧାରସ ।ସଂସ୍କାର ଦେହେ ତୁମ୍ଭେ ବସ ॥
ଏମନ୍ତେ ମୋହିନୀ ବଚନେ ।ଶୁଣି ଦାନବେ ତୋଷମନେ ॥
ପ୍ରଥମେ ଉପବାସ କରି ।ପ୍ରାତଃ ସ୍ନାନାଦି ସନ୍ଧ୍ୟା ସାରି ॥
ଆନନ୍ଦେ ଘୃତେ ହୋମ କଲେ ।ଗୋ ବିପ୍ର ଚରଣେ ପୂଜିଲେ ॥
ଭୂତଙ୍କୁ ଦେଲେ ଭୂତବଳି ।ସ୍ତୁତି ଯେ କଲେ ବିପ୍ରେ ମିଳି ॥
ଅଛିଦ୍ର ବସ୍ତ୍ରଯୁଗ୍ମ ପିନ୍ଧି ।ଶୋଭା ସୁଗନ୍ଧ ନାନାବିଧି ॥
କୁଶ ଆସନେ ସର୍ବେ ବସି ।ବଦନ କଲେ ପୂର୍ବ ଦିଶି ॥
ଧୂପ ଆମୋଦେ ଯଜ୍ଞଶାଳେ ।ଆନନ୍ଦେ ବସିଲେ ସକଳେ ॥
ସୁଗନ୍ଧ ମାଲ୍ୟ ଦୀପପନ୍ତି ।ଆବୋରି ପାନପତ୍ର ଛନ୍ତି ॥
ଯେ ଯଜ୍ଞଶାଳେ ନରହରି ।ଅତି ମୋହିନୀ ରୂପ ଧରି ॥
ଅସୁରଙ୍କର ମନ ମୋହି ।ଅମୃତ କୁମ୍ଭ ତଳେ ଥୋଇ ॥
ଅତି ମୋହିନୀ ରୂପ ଦେଖି ।ଦେବତା ଅସୁରଙ୍କୁ ରଖି ॥
ରହିଲା ହରି ବକ୍ଷସ୍ଥଳେ ।ସୁସଞ୍ଚ କୁଚଯୁଗ ମୂଳେ ॥
ହରି ବିଚାର କଲେ ମନେ ।ଅସୁରଙ୍କର ସୁଧାପାନେ ॥
ଦେବେ ହୋଇବେ ଅରକ୍ଷିତ ।ଏ କଥା ନୁହଇ ଉଚିତ ॥
ସର୍ପକୁ କ୍ଷୀର ଯେ ପିଆନ୍ତି ।ସର୍ପର ଘାତେ ସେ ମରନ୍ତି ॥
ଜାତି ସ୍ୱଭାବେ ନୃଶଂସକ ।ଅସୁର ନୁହନ୍ତି ବିବେକ ॥
ଏମନ୍ତେ କୃଷ୍ଣ ମନେ ଚିନ୍ତି ।ବୋଇଲେ ହୁଅ ବେନିପନ୍ତି ॥
ବାମେ ଦକ୍ଷିଣେ ମୋର ବସ ।କହି ହୁଅନ୍ତି ହସ ହସ ॥
ସଲଜ୍ଜେ ଅସୁରଙ୍କ ମନ ।ବଳେ ହରିଲେ ଭଗବାନ ॥
ରୂପ ଦେଖନ୍ତେ ହୋଇ ଛିନ୍ନ ।ବଦନୁ ନ ସ୍ଫୁରେ ବଚନ ॥
ବଞ୍ଚନା କରି ନାରାୟଣ ।ଅମୃତ କଳସ ଘେନିଣ ॥
ଦୂରେ ଯେ ଦେବଗଣ ଥିଲେ ।ତାହାଙ୍କ ପାତ୍ରେ ସୁଧା ଦେଲେ ॥
ଅସୁର ସୁକୃତ ପାଳନେ ।ନିଶ୍ଚଳେ ବସିଲେ ମଉନେ ॥
ମାୟାରେ ମୋହିଲେ ଶ୍ରୀଧର ।ବଦନୁ ନ ସ୍ଫୁରେ ଉତ୍ତର ॥
ଦେବଙ୍କୁ ପରଶିବା ବେଳେ ।ରାହୁ ଯେ ଥିଲା ତାଙ୍କ ମେଳେ ॥
ଗୁପତେ ବସି ଦେବବୃନ୍ଦେ ।ଅମୃତ ଭକ୍ଷିଲେ ଆନନ୍ଦେ ॥
ରବି ଶଶାଙ୍କ ତାହା ଦେଖି ।ଉଠିଲେ ଆସନ ଉପେକ୍ଷି ॥
ଚାହିଁଣ ଗୋବିନ୍ଦ ବଦନେ ।ନୟନ ଠାରିଲେ ମଉନେ ॥
ସୁଦରଶନେ ତାହା ଶିର ।ବେଗେ ଛେଦିଲେ ଚକ୍ରଧର ॥
ଅମୃତ ପାନେ ପଡ଼େ ମୁଣ୍ଡ ।ତକ୍ଷଣେ ହୋଇ ବେନି ଖଣ୍ଡ ॥
ଅମର ହୋଇଲା ତକ୍ଷଣ ।ଦେଖି ସନ୍ତୋଷ ନାରାୟଣ ॥
ବୋଲଇ ବର ମାଗ ତୁହି ।ରାହୁ ବୋଲଇ ବିଷ୍ଣୁ ଚାହିଁ ॥
ଭୋ ନାଥ ତୋର ଅବଶେଷ ।ଅବଶ୍ୟ କରିବି ମୁଁ ଗ୍ରାସ ॥
ଶୁଣି ସନ୍ତୋଷ ମହାବାହୁ ।ବୋଇଲେ ଏହି ବର ହେଉ ॥
ଏମନ୍ତ କହି ଭଗବାନ ।ଗ୍ରହ ମଣ୍ଡଳେ ଦେଇ ସ୍ଥାନ ॥
ଏଣୁ ସେ ରାହୁ ସର୍ବକାଳେ ।ଗିଳଇ ରବି ଚନ୍ଦ୍ରବଳେ ॥
ବଇରି ଭାବ ନ ଛାଡ଼ଇ ।ଅୟନେ ଅୟନେ ଭ୍ରମଇ ॥
ଦେବଙ୍କୁ ଦେଇ ସୁଧାପାନ ।ତକ୍ଷଣେ ପ୍ରଭୁ ଭଗବାନ ॥
ଦେଖନ୍ତି ଦେବତା ଅସୁର ।ମାୟା ଛାଡ଼ିଲେ ଚକ୍ରଧର ॥
ମୋହିନୀ ରୂପ ଗଲା କେଣେ ।ଯେ ରୂପ ଅମୃତ କାରଣେ ॥
କଠୋର ସାଧ୍ୟେ ଭଗବାନ ।ଦେବଙ୍କୁ ଦେଲେ ସୁଧାପାନ ॥
ଦେଖନ୍ତି ସ୍ୱର୍ଗ ଲୋକେ ମିଳି ।ଗରୁଡ଼େ ବସି ବନମାଳୀ ॥
ଚଳିଲେ ଆପଣା ଭୁବନ ।ତାହାଙ୍କୁ ଚିନ୍ତି ସୁଜ୍ଞଜନ ॥
ବୋଲଇ ବିପ୍ର ଜଗନ୍ନାଥ ।ଅଷ୍ଟମ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଅମୃତ ଭକ୍ଷଣେନାମ ନବମୋଽଧ୍ୟାୟଃ ।