ଚତୁର୍ଥ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଅଧ୍ୟାୟ
ଶ୍ରୀ ଶୁକ ଉବାଚଗଜେନ୍ଦ୍ର ମୋକ୍ଷ ବାଣୀ ଶୁଣି ।ବରୁଣ ହ୍ରଦେ ଚକ୍ରପାଣି ॥
ଦେଖିବା ଅର୍ଥେ ଦେବଗଣେ ।ମଙ୍ଗଳ ସ୍ତୁତି ଉଚ୍ଚାରଣେ ॥
ବ୍ରହ୍ମା ଶଙ୍କର ଦେବ ଋଷି ।ଗନ୍ଧର୍ବେ କୁସୁମ ବରଷି ॥
ହରିର ଗୁଣ ପରସନ୍ନେ ।ମିଳିଲେ ହରି ସନ୍ନିଧାନେ ॥
ଦେବେ ଦୁନ୍ଦୁଭି ନାଦ କରି ।ନୃତ୍ୟ କରନ୍ତି ଅପସରୀ ॥
ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେ ।ମଙ୍ଗଳ ସ୍ତୁତି ଉପଚାରେ ॥
ଋଷି ଚାରଣ ସିଦ୍ଧଗଣେ ।ଆଗମ ନିଗମ ପ୍ରମାଣେ ॥
ପୁରୁଷୋତ୍ତମ ମୁଖ ଚାହିଁ ।ସ୍ତୁତି କରନ୍ତି ଭାବ ବହି ॥
ଭୂମି ଅନ୍ତରୀକ୍ଷ ଗହନ ।ମଙ୍ଗଳ ଶୁଣି ତୋଷ ମନ ॥
କରନ୍ତି ଜୟ ଜୟ ବାଣୀ ।କୁମ୍ଭୀର ଆତ୍ମା ଜଳେ ଶୁଣି ॥
ତକ୍ଷଣେ ହୋଇଲା ବାହାର ।କି ଅବା ଦେବା ପଟାନ୍ତର ॥
ରବି ଶଶାଙ୍କ ଅଗ୍ନି ଖଞ୍ଜେ ।ଅଦ୍ଭୁତ ରୂପ ତେଜ ଗଞ୍ଜେ ॥
କୃଷ୍ଣଙ୍କ ଚକ୍ରେ ପ୍ରାଣ ଦେଲା ।ତେଣୁ ତା ଶାପ ପାର ହେଲା ॥
ହୁ ହୁ ଗନ୍ଧର୍ବ ତାର ନାମ ।ସ୍ୱଭାବେ ରୂପ ତେଜୋ ଧାମ ॥
ଦେଖନ୍ତି ସର୍ବ ଦେବ ଜନେ ।ବିଷ୍ଣୁ ଚରଣେ ତୋଷ ମନେ ॥
ଶତ ପ୍ରଣାମ ଦଣ୍ଡବତ ।ନମିଲା ହରି ପାଦଗତ ॥
କର ଅଞ୍ଚଳି ଶିରେ ଦେଇ ।ଗନ୍ଧର୍ବ ସ୍ୱରେ ଗୀତ ଗାଇ ॥
ଆନନ୍ଦେ ନମିଲା ଚରଣେ ।ହରିଙ୍କ ଆଜ୍ଞା ପରମାଣେ ॥
ଦେଖନ୍ତି ସର୍ବ ଦେବତାଏ ।ପଶିଲା ଗୋବିନ୍ଦର ଦେହେ ॥
ଗଜ ଯେ ଥିଲା କୃଷ୍ଣ ପାଶେ ।ଗୋବିନ୍ଦ ଶରୀର ସ୍ପରଶେ ॥
ତକ୍ଷଣେ ହୋଇ କୃତ୍ୟ କୃତ୍ୟ ।ଅଜ୍ଞାନ ବନ୍ଧରୁ ବିମୁକ୍ତ ॥
ବିଷ୍ଣୁର ରୂପ ପରକାଶେ ।ରତ୍ନ କୁଣ୍ଡଳ ରବିତ୍ରାସେ ॥
କଟୀରେ ପୀତବସ୍ତ୍ର ଶୋହେ ।ହାର କେୟୁର ଜନ ମୋହେ ॥
ସୁନ୍ଦର ଶୋହେ ଚାରିଭୁଜ ।ବିଷ୍ଣୁ ଆୟୁଧ ମହାତେଜ ॥
ତକ୍ଷଣେ ନିଜ ରୂପ ହୋଇ ।ଗରୁଡ଼ ଉପରେ ଆରୋହି ॥
ଗରୁଡ଼ ଉଡ଼ି ମହାଶୂନ୍ୟେ ।ପଶିଲା ବିଷ୍ଣୁର ଭୁବନେ ॥
ଶ୍ରୀ ଶୁକ ଉବାଚସେ ଗଜ ପୂର୍ବ ଜନ୍ମ କଥା ।କହିବା ଶୁଣ ତା ବ୍ୟବସ୍ଥା ॥
ଦ୍ରାବିଡ଼େଶ୍ୱର ଗୁଣ ଧାମ ।ଇନ୍ଦ୍ରଦ୍ୟୁମନ ତାର ନାମ ॥
ବିଷ୍ଣୁର ବ୍ରତ ପରାୟଣ ।ନିବିଡ଼େ ଭଜନ କରିଣ ॥
ସେ ରାଜା ବସି ଏକ ଦିନେ ।ବିଷ୍ଣୁ ପୂଜିଲା ଦୃଢ଼ମନେ ॥
ମଉନ ବ୍ରତେ ତପ କରି ।ଧ୍ୟାନେ ଚିନ୍ତିଲା ନରହରି ॥
ନିଶ୍ଚଳେ ବସି କୃଷ୍ଣଛାଲେ ।ଅନେକ ବିଷ୍ଣୁଭକ୍ତ ମେଳେ ॥
ଜଟା କପାଳ ମୁଣ୍ଡେ ସାଜେ ।ନିବିଡ଼ ଧ୍ୱନି ବଳ ତେଜେ ॥
ଏମନ୍ତ ମୁନିଗଣ ମେଳେ ।ଅଗସ୍ତି ଋଷି ବିଜେ କଲେ ॥
ତାହାଙ୍କୁ ଦେଖି ନ ଉଠିଲା ।ମୁଖେ ସମ୍ଭାଷଣ ନ କଲା ॥
ଏମନ୍ତ ବସି ମୁନିଜନେ ।ବେଗେ ଉଠିଲେ କୋପମନେ ॥
ବୋଲନ୍ତି ଏକୁଆରେ ଚାହିଁ ।ଦେଖ ଏହାର ଜ୍ଞାନ ନାହିଁ ॥
ଅବଜ୍ଞା କଲା ବିପ୍ରଗଣେ ।ଗଜର ପ୍ରାୟ ମୂର୍ଖପଣେ ॥
ବିପ୍ରଙ୍କୁ ସମ୍ମାନ ନକରେ ।ରାଜ ସମ୍ପଦ ଗର୍ବଭରେ ॥
ଅନ୍ତେ ପଡ଼ିବ ତମ ଘୋରେ ।କେବେହେଁ ଦୁଃଖୁ ନ ନିସ୍ତରେ ॥
ଏ ଧର୍ମ ପ୍ରମାଣେ ପ୍ରସ୍ତାବେ ।ଗଜ ଏ ହେଉ ଏହି ଭାବେ ॥
ଗହନ ବନେ ଚିରକାଳେ ।ଗ୍ରାହ ଗ୍ରାସିବ ହ୍ରଦଜଳେ ॥
ଏମନ୍ତେ ତାକୁ ଶାପ ଦେଇ ।ମୁନିଏ ଗଲେ କୋପବହି ॥
ଏ ରାଜା ପ୍ରାଣ ତ୍ୟାଗକାଳେ ।ଗଜ ଦେଖିଲା ବେନି ଡୋଳେ ॥
ସେ ଗଜ ଯୋନି ଜ୍ଞାନ ହରେ ।ନିବାସ ଘନ ବନ ଘୋରେ ॥
ତେଣୁ ଗୋବିନ୍ଦ ଭଜୁଥିଲା ।ସେ ଭାବେ ହରି ସୁମରିଲା ॥
ଏମନ୍ତ ଗଜ ମୋକ୍ଷ କରି ।ନିଜ ଭୁବନେ ଗଲେ ହରି ॥
ଶ୍ରୀ ଶୁକ ଉବାଚଏବେ ହୋ ପରୀକ୍ଷିତ ଶୁଣ ।କହିଲି ଗଜେନ୍ଦ୍ର ମୋକ୍ଷଣ ॥
ଏ କଥା ଫଳ ଶୁଣ ଏବେ ।ଯେ ନର ଶୁଣେ ଭକ୍ତିଭାବେ ॥
ଯେ ଅବା ପଢ଼ନ୍ତି ବଦନେ ।ଯେବା ପୁଚ୍ଛନ୍ତି ଅନ୍ୟୋ ଅନ୍ୟେ ॥
ସର୍ବ ସମ୍ପଦ ଯଶ କରେ ।କଳି କଳୁଷ ଦୁଃଖ ହରେ ॥
ଦୁଷ୍ଟ ସ୍ୱପନ ଗ୍ରହ ପୀଡ଼ା ।ସ୍ମରଣ ନାଶେ ସର୍ବ ପୀଡ଼ା ॥
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ ।ଯେବେ ଚିନ୍ତନ୍ତି ଏହା ମନେ ॥
ରଜନୀ ଅନ୍ତେ ଉଷାକାଳେ ।କର ବଦନ ଧୋଇ ଜଳେ ॥
ଗଜେନ୍ଦ୍ର ମୋକ୍ଷ ସେ ଶୁଣନ୍ତି ।କି ଅବା ବଦନେ ଗୁଣନ୍ତି ॥
ଦୁଃସ୍ୱପ୍ନ ଗ୍ରହ ପୀଡ଼ା ନାଶେ ।ନିର୍ମଳ ସୁଯଶ ପ୍ରକାଶେ ॥
ସକଳ ଦେବ ଋଷି ମଧ୍ୟେ ।ଗୋବିନ୍ଦ କହିଲେ ଆନନ୍ଦେ ॥
ଗଜେନ୍ଦ୍ର ମୋକ୍ଷ କରି ହରି ।କହନ୍ତି ଜନେ ଦୟାକରି ॥
ଶ୍ରୀ ଶୁକ ଉବାଚଗଜେନ୍ଦ୍ର ଶୁଣ ମୋ ବଚନ ।ଅଶେଷ ଦୁରିତ ଦହନ ॥
ଯେ ନର ଅହୋରାତ୍ର ଅନ୍ତେ ।ଶୁଚି ନିର୍ମଳ ଶୁଦ୍ଧ ଚିତ୍ତେ ॥
ଯେ ମୋର ସଙ୍ଗେ ତୋତେ ସ୍ମରେ ।ଘୋର ଗହନ ଦୁଃଖେ ତରେ ॥
ପର୍ବତ କନ୍ଦର କାନନେ ।ବେତ କୀଚକ ବେଣୁ ବନେ ॥
ସୁର ପାଦପ ଗୁଳ୍ମ ଆଦି ।ପର୍ବତ ତ୍ରିଶୃଙ୍ଗ ସମ୍ପାଦି ॥
ବ୍ରହ୍ମ ଭବନ ମୋ ନିବାସ ।ଶଙ୍କର ସ୍ଥାନ କପିଳାସ ॥
ଅଗମ୍ୟ ବନଭୂମି ବାସ ।ତହିଁରେ କଲେ ସେ ବିଳାସ ॥
କ୍ଷୀର ଜଳଧି ପ୍ରାୟ ମୋର ।ଯେ ଶ୍ୱେତ ଦ୍ୱୀପ ମନୋହର ॥
ଶ୍ରୀବସ୍ତୁ କଉସ୍ତୁଭ ମଣି ।ଚତୁରଭୁଜ ପରିମାଣି ॥
ଶଙ୍ଖ କମଳ ଚକ୍ର ଗଦା ।ଚତୁର କରେ ଶୋହେ ସଦା ॥
ବିନତା ନନ୍ଦନ ଅନନ୍ତ ।କମଳ ମୋର ହୃଦଗତ ॥
ବ୍ରହ୍ମା ଶଙ୍କର ଯେ ନାରଦ ।ଭକତ ମଧ୍ୟେ ପ୍ରହଲ୍ଲାଦ ॥
ମତ୍ସ୍ୟ କଚ୍ଛପକୁଳ ଆଦି ।ଯେ ରୂପେ ଅଛି ମୋ ସମ୍ପାଦି ॥
ଅଶେଷ ଗୁଣ କର୍ମ ଯେତେ ।ମୋହର ରୂପ ଏ ଜଗତେ ॥
ସୂର୍ଯ୍ୟ ଶଶାଙ୍କ ହୁତାଶନ ।ପ୍ରଣବ ସତ୍ୟ ଯେ ବଚନ ॥
ଗୋ ବିପ୍ର ଆଦି ଧର୍ମ ଯେତେ ।ଋଷି ଦେବତା ଯଜ୍ଞମତେ ॥
ଦକ୍ଷ ଦୁହିତା ମନୁ ଯେତେ ।ପୂର୍ବେ ମୁଁ କହିଅଛି ତୋତେ ॥
ସୋମ କଶ୍ୟପ ବଂଶ ଆଦି ।ସୃଷ୍ଟି ସର୍ଜନେ ସେ ପ୍ରସିଦ୍ଧି ॥
ଗଙ୍ଗା କାଳିନ୍ଦୀ ସରସ୍ୱତୀ ।ସୀତା ବାରିଣୀ ନନ୍ଦାବତୀ ॥
ଧ୍ରୁବାଦି ସପ୍ତଋଷି ଯେତେ ।ଯେ ପୁଣ୍ୟଶ୍ଳୋକ ଏ ଜଗତେ ॥
ଶ୍ରବଣେ ସର୍ବ ପାପ ହରେ ।ଏ ଘୋର ସଙ୍କଟୁ ନିସ୍ତରେ ॥
ଶ୍ରୀ ଶୁକ ଉବାଚଏମନ୍ତ କହି ଦେବବୃନ୍ଦେ ।ସେ ହରି ପରମ ଆନନ୍ଦେ ॥
ଆରୋହି ଗରୁଡ଼ ଉପରେ ।ତକ୍ଷଣେ ଗଲେ ନିଜ ପୁରେ ॥
ସୁଜନ ହିତେ ଭାଗବତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ପରୀକ୍ଷିତ ଶୁକ ସମ୍ବାଦେଗଜେନ୍ଦ୍ର ମୋକ୍ଷଣେ ନାମ ଚତୁର୍ଥୋଽଧ୍ୟାୟଃ ।
ପଞ୍ଚମ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁକ କହନ୍ତି ଗଙ୍ଗା ଜଳେ ।ସକଳ ମହାଋଷି ମେଳେ ॥
ହରି ଚରିତ ସୁଧାଧୀର ।ଗଜ କୁମ୍ଭୀରର ନିସ୍ତାର ॥
ସେ ପ୍ରଶ୍ନ କହି ରାଜା ଆଗେ ।ପୁଣି କହନ୍ତି ଅନୁରାଗେ ॥
ଶୁଣ ହେ ଅଭିମନ୍ୟୁ ସୁତ ।ଅଦ୍ଭୁତ ଗୋବିନ୍ଦ ଚରିତ ॥
ତୋତେ କହିଲୁ ହରି ଗୁଣ ।ମନୁ ଚରିତ ଏବେ ଶୁଣ ॥
ପଞ୍ଚମେ ତାମସ ଯେ ହର ।ଗୌତ ନାମେ ମୁନିବର ॥
ଅର୍ଜ୍ଜୁନ ବନ୍ଦି ବିଦ୍ୟା ନାମ ।ତାର ତନୟ ଅନୁପମ ॥
ଇନ୍ଦ୍ର ବସଇ ସ୍ୱର୍ଗ ଗ୍ରାମେ ।ଘେନି ସପତ ଋଷି ଜନେ ॥
ଦେବ ଦାନବ ଭୂତ ଆଦି ।ଯେ ଭାବେ ଅମର ପ୍ରସିଦ୍ଧି ॥
ବିକୁଣ୍ଠା ନାମେ ସୁତନାରୀ ।ରୂପେ କମଳା ନୋହେ ସରି ॥
ବୈକୁଣ୍ଠ ସୁରଲୋକ ସଙ୍ଗେ ।ବିଷ୍ଣୁ ତାହାର ନିଜ ଅଙ୍ଗେ ॥
ଜନ୍ମ ହୋଇଲେ ନିଜ ଧାମ ।ତେଣୁ ବୈକୁଣ୍ଠ ତାର ନାମ ॥
ବୈକୁଣ୍ଠ ପରି ମନେ କଳ୍ପି ।ଯହିଁ ବିଜୟ ବିଶ୍ୱରୂପୀ ॥
ସେ ସର୍ବଲୋକ ନମସ୍କୃତ୍ୟ ।ଶୁଣ ନୃପତି ପରୀକ୍ଷିତ ॥
ଲକ୍ଷ୍ମୀର ପ୍ରସନ୍ନେ ମୁରାରି ।କମଳା ତୁଲେ ପ୍ରୀତି କରି ॥
ନିବାସ କଲେ ପ୍ରିୟ ଭାବେ ।ବିଷ୍ଣୁ ଭକତଙ୍କର ଲାଭେ ॥
ବୈକୁଣ୍ଠ ଗୁଣ ଭାବ ଯେତେ ।ଭାବେ କହିଲି ତୋ ଅଗ୍ରତେ ॥
କେ ବିଷ୍ଣୁଭାବ ପରିମାଣୁ ।କେ ଗଣିପାରେ ଭୂମି ରେଣୁ ॥
ଶୁଣ ରାଜନ ମନତୋଷେ ।ଏବେ କହିବା ମନୁବଂଶେ ॥
ଷଷ୍ଠରେ ଯକ୍ଷଙ୍କର ସୁତ ।ଚିବୁକ ନାମେ ସେ ବିଦିତ ॥
ଶୂଦ୍ର ମୁଖରୁ ଗୁରୁ ତେଜ୍ୟା ।ପ୍ରମୁଖେ ଚିବୁକ ତନୁଜା ॥
ଇନ୍ଦ୍ରର ନାମ ସୁରୋତ୍ତମ ।ଛାୟାଦି ଦେବଗଣ ନାମ ॥
ସେ ମୁନି ନାମେ ଚକ୍ରଧର ।ବେରଛ ନାମେ ଅବତାର ॥
ଅଗ୍ନିତ ନାମେ ଭଗବାନ ।ବେରାଜ ଋଷିର ନନ୍ଦନ ॥
ଯେ ରୂପେ ସମୁଦ୍ର ମନ୍ଥିଲେ ।ସୁରଗଣଙ୍କୁ ସୁଧା ଦେଲେ ॥
ଜଳେ ବୁଡ଼ନ୍ତେ ଗିରିବର ।କୂର୍ମରୂପେ ଧରି ମନ୍ଦର ॥
ଅମୃତ ଦେଲେ ଦେବାସୁରେ ।ଆନନ୍ଦ କରି ତିନି ପୁରେ ॥
ରାଜୋବାଚଶୁକ ବଦନ ଚାହିଁ ହସି ।ବୋଲେ ପରୀକ୍ଷ କୁରୁବଂଶୀ ॥
ଭୋ ମୁନି ଅସମ୍ଭବ କଥା ।ସମୁଦ୍ର ମନ୍ଥନ ବ୍ୟବସ୍ଥା ॥
କି ରୂପେ ପ୍ରଭୁ ଜନାର୍ଦ୍ଦନ ।ଜନ୍ମିଲେ ଜଳଧି ମନ୍ଥନ ॥
କେମନ୍ତେ କୂର୍ମ ରୂପ ଧରି ।ପୃଷ୍ଠେ ରଖିଲେ ମହାଗିରି ॥
କେମନ୍ତେ ସର୍ବ ଦେବଗଣେ ।ସନ୍ତୋଷ ହେଲେ ସୁଧାପାନେ ॥
ଅନ୍ୟ ବା କି କି ଉପୁଜିଲା ।କେତେ ବା ସମ୍ଭୂତ ହୋଇଲା ॥
ବିଷ୍ଣୁ ଚରିତ ଅଗୋଚର ।ଭ୍ରମନ୍ତି ବ୍ରହ୍ମା ଶିବ ସୁର ॥
ହରି ମହିମା ତୋର ମୁଖେ ।ଶ୍ରବଣେ ପାନ କରି ସୁଖେ ॥
ତୃପତ ନୋହିଲା ମୋ ମନ ।ଭୋ ମୁନି କର ପରିତ୍ରାଣ ॥
ସୁତ ଉବାଚସୁତ କହନ୍ତି ବ୍ରହ୍ମମତେ ।ସକଳ ଋଷିଙ୍କ ଅଗ୍ରତେ ॥
ଏମନ୍ତେ ପରୀକ୍ଷିତ ବାଣୀ ।ଶୁକ ଆନନ୍ଦ ମନେ ଗୁଣି ॥
ହରି ମହିମା ସୁଖେ ମଜ୍ଜି ।ଦଣ୍ଡେ ରହିଲା ଚକ୍ଷୁ ବୁଜି ॥
ଅନନ୍ତ ଚିତ୍ତେ ହରି ଧ୍ୟାୟି ।କହଇ ରାଜା ମୁଖ ଚାହିଁ ॥
ଶ୍ରୀ ଶୁକ ଉବାଚପୂର୍ବେ ଯେ ଦେବାସୁର ରଣେ ।ଯୁଦ୍ଧେ ହାରିଲେ ଦେବଗଣେ ॥
ପଡ଼ିଲେ ଗତପ୍ରାଣ ପ୍ରାୟେ ।ଜ୍ଞାନ ନ ଲଭନ୍ତି କେବେହେଁ ॥
ଯେବେ ଦୁର୍ବାସା ମୁନି କ୍ରୋଧ ।ଧ୍ୱଂସିଲା ଇନ୍ଦ୍ରର ସମ୍ପଦ ॥
ଯଜ୍ଞାଦି କର୍ମ ନାଶ କଲା ।ଏ ତିନି ଭୁବନ କମ୍ପିଲା ॥
ଇନ୍ଦ୍ର ନ ପାରେ ସ୍ୱର୍ଗେ ରହି ।କମ୍ପଇ ଅଷ୍ଟଦିଗ ଚାହିଁ ॥
ଭୟେ ନ ରହେ ସ୍ୱର୍ଗଲୋକେ ।ବନେ ବୁଲନ୍ତି ଏକେ ଏକେ ॥
ତ୍ରୈଲୋକ୍ୟ ଦିଶେ ଅନ୍ଧକାର ।ଭୂମି କମ୍ପଇ ଥରହର ॥
ଲକ୍ଷ୍ମୀ ବିହୀନେ ତିନିଲୋକେ ।ଦୁଃଖେ ମଜ୍ଜିଲେ ଅତିରେକେ ॥
ଏମନ୍ତେ ଦେବଲୋକେ ଚାହିଁ ।ବାସବ ସଙ୍ଗେ ସଙ୍ଗ ହୋଇ ॥
ଦିଗପାଳଙ୍କୁ ସଙ୍ଗ କରି ।ଅନେକ ପ୍ରକାରେ ବିଚାରି ॥
ନିସ୍ତାର ନ ପାଇଲେ ଚିନ୍ତି ।ଚିତ୍ତେ ଜନ୍ମିଲା ବହୁ ଭ୍ରାନ୍ତି ॥
ଏମନ୍ତେ କେତେଦିନ ରହି ।ପୁଣି ସକଳେ ରୁଣ୍ଡ ହୋଇ ॥
ବିଚାର କଲେ ଏକ ଚିତ୍ତେ ।କହିବା ବ୍ରହ୍ମାଙ୍କ ଅଗ୍ରତେ ॥
ଇନ୍ଦ୍ର ନ ଥିଲେ ସୃଷ୍ଟି ନାହିଁ ।ଆମ୍ଭେ ନ ପାରୁ ସ୍ଥାନେ ରହି ॥
ଲକ୍ଷ୍ମୀ ବିହିନେ ସୃଷ୍ଟି ନାଶ ।ସଂସାରେ ତମ ଘୋର ଗ୍ରାସ ॥
ବ୍ରହ୍ମାର ସୃଷ୍ଟି ଯାର ବଳେ ।ଶେଷ ନ ରହେ ଆଖଣ୍ଡଳେ ॥
ଏମନ୍ତ ବିଚାରି ସକଳେ ।ଶଙ୍କର ସଙ୍ଗେ ଦେବବଳେ ॥
ସୁମେରୁ ମଧ୍ୟେ ବ୍ରହ୍ମା ସଭା ।ଯହିଁ ସକଳ ଋଷି ଦେବା ॥
ସେ ସଭା ମଧ୍ୟେ ଦେବଗଣ ।ପଡ଼ିଲେ ବ୍ରହ୍ମାଙ୍କ ଚରଣ ॥
ରୁଦ୍ରଙ୍କୁ କରି ଆଗୁଁସାର ।ବୋଇଲେ ଶୁଣ ବେଦବର ॥
ଦୁର୍ବାସା କୋପେ ଇନ୍ଦ୍ର ଦୁଃଖୀ ।ଆମ୍ଭେ ସକଳେ ତାହା ଦେଖି ॥
ତ୍ରୈଲୋକ୍ୟ ଲକ୍ଷ୍ମୀ କେଣେ ଗଲା ।ଦୁଃଖ ତିମିର ପ୍ରକାଶିଲା ॥
ରବି ଶଶାଙ୍କ ହୁତାଶନେ ।ତେଜ ନ ଦିଶେ ଲକ୍ଷ୍ମୀହୀନେ ॥
ସ୍ୱର୍ଗରେ ରହିଲେ ନିଶ୍ଚଳେ ।ତ୍ରୈଲୋକ୍ୟ ଲକ୍ଷ୍ମୀ ଇନ୍ଦ୍ରମେଳେ ॥
ଆମ୍ଭେ ତ ହୋଇଲୁ ଅନାଥ ।ଋଷି ସକଳ ହେବେ ସନ୍ଥ ॥
ଏମନ୍ତେ ଋଷିଙ୍କ ବଚନେ ।ଶୁଣିଣ ପଦ୍ମଯୋନି ମନେ ॥
ଦଣ୍ଡେ ରହିଲା ସ୍ଥିର ହୋଇ ।ଦେବଙ୍କୁ ଚାହିଁ ବିରାଜଇ ॥
ଯେତେ ଅଛନ୍ତି ପ୍ରଜାମାନେ ।ତେଜ ନ ଦେଖି ପ୍ରଜାଜନେ ॥
ଅଶୁଭ ପ୍ରାୟେ ତା ଦିଶଇ ।ଏମନ୍ତ ଦୁଃଖ ମନେ ବହି ॥
ପୁରୁଷୋତ୍ତମ ପାଦ ମୂଳେ ।ଚିନ୍ତିଲେ ସମାଧି ନିଶ୍ଚଳେ ॥
ପ୍ରସନ୍ନ ବଦନ ସେ ହୋଇ ।ବୋଲନ୍ତି ଦେବଙ୍କୁ ଅନାଇ ॥
ବ୍ରହ୍ମୋବାଚଉଜ୍ଜ୍ୱଳ ବେଶେ ବେଦବର ।ଦେବଙ୍କୁ କହନ୍ତି ମଧୁର ॥
ଶୁଣ ସକଳ ଦେବଗଣ ।କହିବି ଏହାର କାରଣ ॥
ବ୍ରହ୍ମା ଶଙ୍କର ଦେବଗଣ ।ଚାରଣ ସିଦ୍ଧି ବିଚାରଣ ॥
ବ୍ରହ୍ମାଦି ଦେବ ସୁରଗଣେ ।ମନୁଷ୍ୟ ପଶୁ ଗୁଳ୍ମ ବନେ ॥
ତାହାର ଅଂଶ କଳା ରହି ।ତୁମ୍ଭେ ସକଳେ ଦେବତ୍ରୋହି ॥
ସେ ହର ଅବ୍ୟକ୍ତ ଈଶ୍ୱର ।ଆମ୍ଭେ ଯେ ଶରଣ ତାହାର ॥
ଯାହାର ରିପୁ ମିତ୍ର ନାହିଁ ।କ୍ଷର ଅକ୍ଷର ଯେ ବୋଲାଇ ॥
ତଥାପି ସୃଷ୍ଟି ସେ କରଇ ।ସ୍ୱଭାବେ ତିନିଗୁଣ ବହି ॥
ସୃଷ୍ଟି କରଇ ରଜୋଗୁଣେ ।ସତ୍ୟେ ପାଳଇ ଇନ୍ଦ୍ରପଣେ ॥
ତାମସ ଗୁଣେ ସଂହାରଇ ।ଅନ୍ତରେ ସର୍ବ ରୂପ ହୋଇ ॥
ତୁମ୍ଭେ ସକଳ ଦେହ ବହି ।ବିରାଜ ରୂପେ ଯେ ଗୋସାଇଁ ॥
ଏଣୁ ଜଗତ ଗୁରୁପାଦେ ।ଶରଣ ପଶ ଅପ୍ରମାଦେ ॥
ତାର ମହିମା ଶୁଣ ପ୍ରିୟ ।ସୁର ରକ୍ଷଣେ ବହେ ଦେହ ॥
ଆମ୍ଭ କୁଶଳ ସେ କରିବ ।ଅନାଦି ପ୍ରଭୁ ପଦ୍ମନାଭ ॥
ଶ୍ରୀ ଶୁକ ଉବାଚଏମନ୍ତ କହି ପଦ୍ମଯୋନି ।ସଙ୍ଗେ ସକଳ ଦେବ ଘେନି ॥
ଆନନ୍ଦେ କରି ଜୟନାଦ ।ସର୍ବେ ମିଳିଲେ ବିଷ୍ଣୁପାଦ ॥
ଯେ ବଇକୁଣ୍ଠ ଯୋଗ ଗମ୍ୟ ।ପରମପୁର ଆତ୍ମା ଧାମ ॥
ପ୍ରକୃତି ନ ଜାଣଇ ଯାହା ।ଯହିଁ ନ ପଶେ ବିଷ୍ଣୁ ମାୟା ॥
ଅଦୃଷ୍ଟ ଅଶ୍ରିତ ଭୁବନେ ।ଦେବେ ମିଳିଲେ ମହାଶୂନ୍ୟେ ॥
ଯହିଁକି ଜୀବ ଆତ୍ମ ଗଲେ ।ପୁଣି ନ ପଶଇ ଶୟଳେ ॥
ଏମନ୍ତ ପୁରକୁ ଅନାଇଁ ।ବୈକୁଣ୍ଠ ପୁର ମଧ୍ୟେ ଯାଇ ॥
ବ୍ରହ୍ମୋବାଚସତ୍ୟ ଅନନ୍ତ ଅବିକ୍ରିୟ ।ଆଦ୍ୟନ୍ତବନ୍ତ ଗୁଣମୟ ॥
ଜନ୍ତୁଙ୍କ ହୃଦେ ଯାର ଘର ।ଉପାଧିହୀନ ନିର୍ବିକାର ॥
ମନରୁ ବେଗବାନ ଯେହି ।ମନ ବଚନେ ଭେଦ ନାହିଁ ॥
ଶରଣ ବେଦବର ପାଦେ ।ଆମ୍ଭେ ପଶିଲୁ ଅପ୍ରମାଦେ ॥
ସ୍ୱଭାବେ ମନ ପ୍ରାଣ ବୁଦ୍ଧି ।ଏ ଯହିଁ ନ ପାରନ୍ତି ଭେଦି ॥
ଇନ୍ଦ୍ରିୟଗଣେ ଯେ ଅଦୃଶ୍ୟେ ।ଉନ୍ନିଦ୍ର ଭାବେ ଅବକାଶେ ॥
ଛାୟା ଆତପେ ଯେ ନ ମିଶେ ।ଅକ୍ଷୟ ଶୂନ୍ୟ ପରକାଶେ ॥
କ୍ରୟ ପରମ ଯେ ବୋଲାଇ ।ଆମ୍ଭେ ଶରଣ ଗଲୁ ତହିଁ ॥
ଯେ କାଳ ରୂପେ ଚକ୍ର ଧରେ ।ସର୍ବଦା ମଣ୍ଡଳେ ସଞ୍ଚରେ ॥
ଯେ ଚକ୍ର ପଞ୍ଚଦଶ ଭାର ।ତ୍ରିନାଭି ସ୍ୱରୂପେ ଓଁ କାର ॥
ଅକ୍ଷୟ ଆତ୍ମା ଯା ସ୍ୱରୂପୀ ।ଏ ଆଦି ଅନ୍ତ ମଧ୍ୟେ ବ୍ୟାପୀ ॥
ସେ ଶେଷକାଳର ଚରଣେ ।ଆମ୍ଭେ ହେ ପଶିଲୁ ଶରଣେ ॥
ଯାହାର ଜ୍ୟୋତି ପରକାଶ ।ନିର୍ମଳ କରେ ଦଶଦିଶ ॥
ଯେ ଯୋଗୀ ଯୋଗପଥେ ଥାଇ ।କାଳ ହରନ୍ତି ଯୋଗ ଧ୍ୟାୟି ॥
ଯହିଁ ନ ଲାଗେ ମାୟା ଭ୍ରମ ।ରୂପେ ସ୍ୱଭାବେ ଶୁଭକର୍ମ ॥
ଏ ମାୟା ଜଗତେ ସଞ୍ଚରେ ।ଅନନ୍ତ ନାନା ରୂପ ଧରେ ॥
ନିର୍ମଳ ଆତ୍ମା ତତ୍ତ୍ୱଜ୍ଞାନ ।ପରମ ପୁରୁଷ ପୁରାଣ ॥
ଜନ୍ତୁଙ୍କ ଦେହେ ସମରୂପୀ ।ଯେ ଆଦି ଅନ୍ତ ମଧ୍ୟେ ବ୍ୟାପି ॥
ତାର ଚରଣେ ନମସ୍କାର ।ଯେ ବ୍ରହ୍ମ ପରମ ଈଶ୍ୱର ॥
ଯେ ଦେବ ବ୍ରହ୍ମଗଣ ଆଦି ।ଯା କ୍ରୀଡ଼ା ଅର୍ଥେ ଏ ସମ୍ପାଦ ॥
ସତ୍ୱ ବିଯୋଗେ ସୃଷ୍ଟି କରି ।ତହୁଁ ଯୁଗଳ ରୂପ ଧରି ॥
ଦିଶଇ ଅନ୍ତର ବାହାରେ ।ପ୍ରଦୀପ ଯେହ୍ନେ ଗୃହାନ୍ତରେ ॥
ଯାହାର ସୂକ୍ଷ୍ମଗତି ଆମ୍ଭେ ।ଜାଣି ନ ପାରୁ ଜ୍ଞାନ ଦମ୍ଭେ ॥
ସଂସାର ମଧ୍ୟେ ଛନ୍ତି ଯେତେ ।ସେ ଅବା ଜାଣିବେ କେମନ୍ତେ ॥
ଏ ମହୀ ଯାର ବେନି ପାଦ ।ସ୍ୱକୃତେ ଦେବ ଚାରି ପାଦ ॥
ଏ କର୍ମ ଗହନେ ସଞ୍ଚରି ।ଶରୀର ବହେ ନରହରି ॥
ମହାପୁରୁଷ ଆତ୍ମତତ୍ତ୍ୱ ।ମହାବିଭୂତି ବ୍ରହ୍ମମତ ॥
ପ୍ରସନ୍ନ ହେଉ ଯେ ଆମ୍ଭଙ୍କୁ ।ଶରଣ ପଶିଲୁ ତାହାଙ୍କୁ ॥
ଜଳ ଯାହାର ବୀର୍ଯ୍ୟ ହୋଇ ।ସ୍ୱଭାବେ ନିଜ ତେଜ ବହି ॥
ଭୂତ ସଞ୍ଚରେ ଜୀବ ରୂପେ ।ହରଷ ବୁଦ୍ଧି ଅନୁତାପେ ॥
ମଧ୍ୟ ତ୍ରିଭୁବନେ ଅଖିଳ ।ଜୀବନେ ବ୍ୟାପି ରହେ ଜଳ ॥
ଅନାଦି ଭ୍ରମି ବ୍ରହ୍ମ ଯେହୁ ।ଆତ୍ମାଦି ସର୍ବେ ଦୟା ବହୁ ॥
ସମ ଯାହାର ମନୁ ହୋଏ ।ଦେବଙ୍କ ଆତ୍ମା ଯେବା ବହେ ॥
ସ୍ଥାବରଙ୍କର ହେ ଈଶ୍ୱର ।ପ୍ରଜାଙ୍କ ପ୍ରଭା ବୃଦ୍ଧି କର ॥
ମହା ବିଭୂତି ବ୍ରହ୍ମରୂପ ।ସେ ହରି କଳ୍ପ ଆମ୍ଭ ତପ ॥
ଯାହାର ମୁଖୁ ଅଗ୍ନି ଜାତ ।ତେଜେ ତାପଇ ଏ ଜଗତ ॥
କର୍ମକାଣ୍ଡ ସମୀର ଜନ୍ମ ।ସେ ସର୍ବ ସାଧେ ସର୍ବ କର୍ମ ॥
ଅନ୍ତଃ ସମୁଦ୍ରେ ବହ୍ନି ଦହି ।ଆହାର ରୂପେ ଯେ ଭୁଞ୍ଜଇ ॥
ଯାହାର ଚକ୍ଷୁ ପରଚଣ୍ଡ ।ତେଜେ ପ୍ରକାଶଇ ବ୍ରହ୍ମାଣ୍ଡ ॥
ସେ ଦେବଜନ ମାୟାମୟ ।ବ୍ରହ୍ମାର ଶୁଦ୍ଧ ଶୂନ୍ୟ ଦେହ ॥
ମୁନିର ନାମ ଯେ ବୋଲାଇ ।ଅମୃତ ମୃତ ରପ ବହି ॥
ଚରାଚରଙ୍କ ଦେହ ପ୍ରାଣ ।ସେ କରେ ଜୀବ ପରିତ୍ରାଣ ॥
ପ୍ରକାଶେ ସେହୁ ରଜୋବଳେ ।ଯାର ବିହାର ଏ ଶୟଳେ ॥
ଯାର ଶ୍ରବଣ ଦଶଦିଶ ।ହୃଦରେ ପ୍ରକାଶେ ଆକାଶ ॥
ଯାହାର ନାଭି ଅନ୍ତରୀକ୍ଷ ।ମସ୍ତକ ସ୍ୱର୍ଗ ଯା ପ୍ରତ୍ୟକ୍ଷ ॥
ପ୍ରାଣ ଇନ୍ଦ୍ରିୟ ଆତ୍ମା ହେତୁ ।ଯାର ପ୍ରସନ୍ନେ ଜ୍ଞାନ ହେତୁ ॥
ଯାହାର ବଳୁ ଇନ୍ଦ୍ର ଜାତ ।ତ୍ରିଦଶ ଯାହାର ରକ୍ଷିତ ॥
ଯାହର ପାଶେ ଜନ ପ୍ରାଣ ।ଏଣୁ ଏ ସର୍ବଭୂତ ପ୍ରାଣ ॥
ଯାର ପ୍ରସାଦେ ଦେବେ ହୋନ୍ତି ।କ୍ରୋଧୁ ସମ୍ଭବ ପଶୁପତି ॥
ହରଷୁଁ ବ୍ରହ୍ମା ଜାତ ହୁଏ ।ଲୋକ ପ୍ରକାଶ ଯାର ଦେହେ ॥
ଯାହା ଇନ୍ଦ୍ରିୟ ସପ୍ତଛନ୍ଦ ।ମେଢ଼ ପ୍ରଜାପତି ଆନନ୍ଦ ॥
କମଳ ଯାର ପାଦତଳେ ।ଛାୟା ସମ୍ଭବ ସୀତା କୁଳେ ॥
ଧର୍ମ ଉଦିତ ସ୍ଥାନ ଯୁଗେ ।ଗଗନ ଯାର ଶିରଭାଗେ ॥
ହାସରୁ ଅପସରାଗଣ ।ଆମ୍ଭଙ୍କୁ କରୁ ପରିତ୍ରାଣ ॥
ବିପ୍ର ଯାହାର ମୁଖୁ ଜାତ ।ବ୍ରହ୍ମା ନିର୍ମାଣ ଗୁହ୍ୟତତ୍ତ୍ୱ ॥
କ୍ଷତ୍ରିୟ ଯାର ଭୁଜବଳ ।ଉରୁ ସମ୍ଭବ ବୈଶ୍ୟକୁଳ ॥
ଶୁଦ୍ର ଚରଣୁ ଉତପତ୍ତି ।ଯେ ବ୍ରହ୍ମା ପରମ ବିଭୂତି ॥
ଉପର ଓଷ୍ଠୁ ପ୍ରୀତି ଜାତ ।ଅଧରୁ ଲୋଭ ଯେ ସମ୍ଭୂତ ॥
କାନ୍ତି ଯାହାର ନାସିକାରୁ ।ସମ୍ଭବ ହୁଅଇ ସ୍ପର୍ଶରୁ ॥
ପାଶବ୍ୟ କାମରୁ ସମ୍ଭବ ।ଯମ ଜାତ ଯାହାର ଭ୍ରୁବ ॥
ଅଧର୍ମ ବଶେ ପୃଷ୍ଠଦେଶେ ।ବେନି ପକ୍ଷରେ କାଳ ବସେ ॥
ଦ୍ରବ୍ୟ ବୟସ କର୍ମ ପୁଣ ।ଯେ ମାୟା ପ୍ରକାଶ ଲକ୍ଷଣ ॥
ଯେହୁ ପ୍ରଶାନ୍ତ ଶକ୍ତି ବହେ ।ଆମ୍ଭେ ମିଳିଲୁ ତାର ପ୍ରାୟେ ॥
ସତ୍ୟରେ ଯେ ପ୍ରତିପୂଜିତ ।ମାୟା ରଚିତ ଗୁଣେ ସ୍ଥିତ ॥
ସେ ହରି ଦେଖାଉ ଶରୀର ।ଯେ ନୋହେ କରଣେ ଗୋଚର ॥
ତା ଦେହ ରଖିବାର ଅର୍ଥେ ।ଶରଣ ଗଲୁ ପାଦଗତେ ॥
ବୋଲଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ସୁଜନେ ଏଣେ କର ଭାବ ।ଯେ ଭାବେ ସଂସାରୁ ତରିବ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ସମୁଦ୍ର ମନ୍ଥନ ସମ୍ବାଦେନାମ ପଞ୍ଚମୋଽଧ୍ୟାୟଃ ।