ଷୋଡ଼ଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସ୍ଥିତି ସଂଯମ ସଂହାରଣ ।ତୁ ନାଥ ପରମ କାରଣ ॥
ଆତ୍ମା ସମ୍ପଦ ବୁଦ୍ଧି ଜ୍ଞାନ ।ତୋର ପ୍ରସନ୍ନେ ପାନ୍ତି ଜନ ॥
କୈବଲ୍ୟ ଜ୍ଞାନର ସନ୍ତୋଷେ ।ଅନ୍ତେ ପରମ ପଦେ ମିଶେ ॥
ଭୋ ନାଥ ତୋହର ଚରଣ ।ନିର୍ଭୟେ ପଶିଲି ଶରଣ ॥
ସକଳ ଦୁର୍ଗ ମୁଁ ତରନ୍ତି ।ଜନ୍ମ ମରଣୁ ନିସ୍ତରନ୍ତି ॥
ଭୋ ନାଥ ପ୍ରଭୁ ଆଦିମୂଳ ।ଶୁଣିମା ମୋହର ବିକଳ ॥
ଦୁଃଖେ କମ୍ପିତ ମୋର ପ୍ରାଣ ।ତୋ ପାଦେ ପଶିଲି ଶରଣ ॥
ପୁତ୍ରେ ନ ରହନ୍ତି ସ୍ୱର୍ଗରେ ।ଭୋ ନାଥ ଶରଣ ତୋହରେ ॥
ସପତ୍ନୀ ଦୁଃଖ କି ନ ଜାଣୁ ।ତୁ ନାଥ ଅନ୍ତର୍ଯ୍ୟାମୀ ଯେଣୁ ॥
ଶୁଣି ଅଦିତିର ବଚନ ।ପ୍ରସନ୍ନ କମଳ ଲୋଚନ ॥
ଆଦିତି ବଦନ ଅନାଇ ।କହନ୍ତି ପ୍ରଭୁ ଭାବଗ୍ରାହୀ ॥
ଶ୍ରୀ ଭଗବାନୁବାଚଶୁଣ ଅଦିତି ବେଦମାତ ।ମୁଁ ଜାଣେ ତୋର ମନୋରଥ ॥
ବଳି ଯେ ସ୍ୱର୍ଗ ବଳେ ନେଲା ।ବିକଳେ ଇନ୍ଦ୍ର ପଳାଇଲା ॥
ଦେବେ ମାରିବେ ତାଙ୍କୁ ରଣେ ।କାନ୍ଦିବେ ଦୈତ୍ୟ ନାରୀଗଣେ ॥
ସ୍ୱାମୀ ମରଣେ ଅତି ଦୁଃଖୀ ।ତୁ ତାହା ଦେଖି ହେବୁ ସୁଖୀ ॥
ସ୍ୱର୍ଗେ ବସିବ ଇନ୍ଦ୍ର ତୋର ।ସଙ୍ଗତେ ଘେନି ସର୍ବସୁର ॥
ସକଳ ସମ୍ପଦ ମିଳିବ ।ତ୍ରିଲୋକ ନିଶ୍ଚଳେ ପାଳିବ ॥
ଏମନ୍ତ ଚିତ୍ତେ କଲୁ ତୁହି ।ଶୁଣ କହିଲି ଯାହା ମୁହିଁ ॥
ଅସୁରେ ଥାଇ ସ୍ୱର୍ଗପୁର ।ବଳେ ହେଇଲେ ବଳିୟାର ॥
ଏକଥା ଭଲେ ମୁଁ ଜାଣଇ ।ତୋର ପୁତ୍ରଙ୍କୁ ଭୟ ନାହିଁ ॥
କେମନ୍ତେ ତୋହର କୁମରେ ।ସୁଖେ ବସିବେ ସ୍ୱର୍ଗପୁରେ ॥
ତୁ ଯେ ମୋହର ପାଦଯୁଗେ ।ସେବିଲୁ ପୟୋବ୍ରତ ମାର୍ଗେ ॥
ସେ କଥା ଅନ୍ୟଥା ନୋହିବ ।ଏହା ଜାଣନ୍ତି ବ୍ରହ୍ମା ଶିବ ॥
ତପେ ତୁ ତୋଷିଅଛୁ ମୋତେ ।ଇନ୍ଦ୍ର ସମ୍ପଦ ରକ୍ଷା ଅର୍ଥେ ॥
ମୋହର ସେବା ବ୍ରତ ଫଳ ।କେବେହେଁ ନୁହଁଇ ବିଫଳ ॥
ମୁହିଁ ସେ ଅଂଶେ ତୋର ଗର୍ଭେ ।ଜନ୍ମିବି ପୟୋବ୍ରତ ଭାବେ ॥
ଏ ବ୍ରତ ମହିମା ଅନନ୍ତ ।ଅବଶ୍ୟ ତୋତେ ଲଭେ ସୁତ ॥
ତୋର ପୁତ୍ରଙ୍କୁ ମୁଁ ରଖିବି ।ଶତ୍ରୁଙ୍କ ଭୟ ନିବାରିବି ॥
ନିଶ୍ଚେ ରଖିବି ଦେବକୁଳ ।ତୁ ସ୍ୱାମୀ ସଙ୍ଗେ କର ମେଳ ॥
ଏ ବ୍ରତ ଫଳ ତେବେ ପାଇ ।ବିଶ୍ୱାସେ ପରକୁ ନ କହି ॥
ସର୍ବ ସମ୍ପଦ ଲଭ ତୁହି ।ଦେବତାମାନେ ଏତେ କହି ॥
ଶ୍ରୀ ଶୁକ ଉବାଚତକ୍ଷଣେ ହୋଇଲେ ଅନ୍ତର ।ଶୁଣ ପରୀକ୍ଷ ନୃପବର ॥
ଏମନ୍ତେ ବିଷ୍ଣୁର ବଚନେ ।ଅଦିତି ଯାନ୍ତେ ତୋଷମନେ ॥
ଆନନ୍ଦେ ପ୍ରଭୁ ହୃଷିକେଶ ।କଶ୍ୟପ ଶରୀରେ ପ୍ରବେଶ ॥
ବିଷ୍ଣୁର ତେଜ ବହୁ ଶଶୀ ।ରବି ଉଦିତ ପ୍ରାୟେ ଦିଶି ॥
ଅମର ଗୁରୁ ଲଗ୍ନବେଳେ ।ଉଚ୍ଚେ ଅଛନ୍ତି ଗ୍ରହ ବଳେ ॥
ମୁହୂର୍ତ୍ତ ନାମ ଅଭିଜିତେ ।ପତି କାମିନୀ ଏକ ଯୁକ୍ତେ ॥
ରତି ଆନନ୍ଦେ ରତି ବୀର୍ଯ୍ୟେ ।ଗର୍ଭ ସଞ୍ଚାରେ ତେଜ ପୁଞ୍ଜେ ॥
ଦାରୁ ଘର୍ଷଣେ ଅଗ୍ନି ଯେହ୍ନେ ।ବାୟୁ ସଂଯୋଗେ ଲାଗେବନେ ॥
ଅଦିତ ବିଷ୍ଣୁରୂପ ଧରି ।ଶଶାଙ୍କ ପ୍ରାୟ ମନୋହାରୀ ॥
ଦିଶେ ଅଦିତି ରୂପକାନ୍ତି ।ଦିନକୁ ଦିନ ବଢ଼େ ଜ୍ୟୋତି ॥
ଅଦିତି ଗର୍ଭରେ ସଞ୍ଚାର ।ସେ କଥା ଜାଣି ବେଦବର ॥
ରଜନୀ କାଳେ ବ୍ରହ୍ମା ଆସି ।ଅଦିତି ନିଦ୍ରା ସ୍ଥାନେ ବସି ॥
ଗର୍ଭକୁ ଚାହିଁ ପ୍ରଜାପତି ।ଆନନ୍ଦେ କଲେ ଦିବ୍ୟସ୍ତୁତି ॥
ବ୍ରହ୍ମୋବାଚଜୟ ଅନନ୍ତ ତୋର ନାମ ।ନମୋ ନମସ୍ତେ ତ୍ରିବିକ୍ରମ ॥
ନମୋ ବ୍ରାହ୍ମଣ ଭାଗବତ ।ନମସ୍ତେ ତ୍ରିଗୁଣ ଅର୍ଜିତ ॥
ନମସ୍ତେ ପୃଶ୍ନି ଗର୍ଭରୂପୀ ।ନମସ୍ତେ ସର୍ବଲୋକ ବ୍ୟାପୀ ॥
ତ୍ରିନାଭ ବିଷ୍ଣୁ ବେଦ ଇଷ୍ଟ ।ହେ ବଦଗର୍ଭ ହେ ତ୍ରିପିଷ୍ଟ ॥
ଏ ସୃଷ୍ଟି ଆଦି ଅନ୍ତ ମଧ୍ୟେ ।ତୁ ନାଥ ବିହରୁ ଆନନ୍ଦେ ॥
ତୁମ୍ଭେ ଅନନ୍ତ ଶକ୍ତିଦର ।ମନ ବଚନେ ଅଗୋଚର ॥
ତୁ କାଳରୂପୀ ଏ ଜଗତ ।ସର୍ଜିପାଳନ କରୁ ଅନ୍ତ ॥
ନୀର ଯେସନେ ସୃଷ୍ଟି ଅନ୍ତେ ।ପଶେ ଜଳଧି ଗର୍ଭଗତେ ॥
ସ୍ଥାବର ଆଦି ଜନ୍ମହରି ।ତୁ ସବୁ ଆତ୍ମାରୂପ ଧରି ॥
ତୋର ମାୟାର ବଳେ ଜନେ ।ତୋ ରୂପ ଜାଣିବେ କେସନେ ॥
ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର ।ତୋ ତହୁଁ କେ ଅଛି ଅପାର ॥
ଜଳେ ପଡ଼ନ୍ତି ଯେଉଁ ପ୍ରାଣୀ ।ସେ କେବେ ନଲଭେ ତରଣୀ ॥
ସେ କାହିଁ ଜଳଧି ତରିବେ ।ଯେ ନ ପଶନ୍ତି ତୋର ଭାବେ ॥
ଏମନ୍ତ କରି ନାନା ସ୍ତୁତି ।ନିଜ ଭୁବନେ ପ୍ରଜାପତି ॥
ଆନନ୍ଦ ମନେ ବ୍ରହ୍ମା ଗଲା ।ଶୁଣ ରାଜନ ବିଷ୍ଣୁଲୀଳା ॥
ଭାଷା ପ୍ରବନ୍ଧେ ଭାଗବତ ।କହିଲା ବିପ୍ର ଜଗନ୍ନାଥ ॥
ବାମନ ରୂପ ଧରି ଏବେ ।ବିଷ୍ଣୁ ଯେ ବଳିକି ଛଳିବେ ॥
ଏକଥା ଏକମନେ ଶୁଣି ।ତରିବ ଭବ ତରଙ୍ଗିଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବିଷ୍ଣୁ ଅଦିତି ଗର୍ଭଗତେନାମ ଷୋଡ଼ଶୋଽଧ୍ୟାୟଃ ।
ସପ୍ତଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁଣ ଅଭିମନ୍ୟୁ ନନ୍ଦନ ।କେମନ୍ତେ ଜନ୍ମିଲେ ବାମନ ॥
ଯେ ହରି ପୟୋବ୍ରତ ଫଳେ ।ଜନ୍ମିଲେ ଅବନୀ ମଣ୍ଡଳେ ॥
ତାର ଚରିତ ଶୁଣ ଏବେ ।ଯେମନ୍ତେ ବଳିର ପ୍ରସ୍ତାବେ ॥
ବ୍ରହ୍ମାର ସ୍ତୁତି ଶୁଣ ଦୋଷେ ।ସେ ହରି ପରମ ପୁରୁଷେ ॥
ଅମୃତ ଭାବ ଯେ ଶରୀର ।ହେଲେ ବାମନ ଅବତାର ॥
ଗଗନେ ଉଦେ ଦିବାକର ।ବାମନ ଉଦରୁ ବାହାର ॥
ଅଦିତି ଗର୍ଭୁ ଭୂମିଗତେ ।ବାମନ ଦେଖିଲା ଅଗ୍ରତେ ॥
ନୀଳ ନୀରଦ ତନୁ ବର୍ଣ୍ଣ ।ପ୍ରକାଶ କମଳ ଲୋଚନ ॥
ଆଜାନୁଲମ୍ବେ ଭୁଜ ଚାରି ।ଶଙ୍ଖ କମଳ ଗଦା ଧରି ॥
ପୀତ ବସନ କଟୀ ମାଝେ ।ତଡ଼ିତ ନୀଳ ମେଘ ସାଜେ ॥
ରତ୍ନ କୁଣ୍ଡଳେ ଶ୍ରୁତି ଯୁଗେ ।ଶ୍ରୀବତ୍ସ ଚିହ୍ନ ହୃଦଭାଗେ ॥
କଣ୍ଠେ ଲମ୍ବଇ ବନମାଳ ।ସୁନ୍ଦର ଅଳତା କପୋଳ ॥
ପ୍ରସନ୍ନ ମୁଖେ ହାସ ଦିଶେ ।ସଲିଳେ କମଳ ପ୍ରକାଶେ ॥
ଜଳଧି ଉଛୁଳେ ଉଲ୍ଲୋଳେ ।କାନନେ ନାନା ପୁଷ୍ପ ଲୋକେ ॥
ଋତୁ ବହଇ ଗୁଣବନ୍ତେ ।ପ୍ରସରେ ଶରଦ ବସନ୍ତେ ॥
ସୁଗନ୍ଧ ପବନ ଆମୋଦେ ।ଗଗନେ ମଙ୍ଗଳ ଶବଦେ ॥
ଭୂମିରେ ବିପ୍ର ବେଦ ନାଦେ ।ଅନଳ ପୂଜନ୍ତି ସନ୍ନିଧେ ॥
ଗ୍ରହ ନକ୍ଷତ୍ର ଶୁଭବେଳେ ।ପର୍ବତେ ରହିଲେ ନିଶ୍ଚଳେ ॥
ଭାଦ୍ରବ ମାସ ଶୁକ୍ଳପକ୍ଷ ।ଦ୍ୱାଦଶୀ ଶ୍ରବଣା ଯେ ରକ୍ଷ ॥
ମୁହୂର୍ତ୍ତ ନାମ ଅଭିଜିତ ।ଗ୍ରହ ନକ୍ଷତ୍ର ସୁପ୍ରଶସ୍ତ ॥
ସର୍ବ ନକ୍ଷତ୍ରେ ତାରାଗଣେ ।ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ॥
ବିଜୟା ନାମ ମଧ୍ୟାୟନେ ।ଶଙ୍ଖ ଦୁନ୍ଦୁଭି ବାଦ୍ୟସ୍ୱନେ ॥
ମୃଦଙ୍ଗପଟ୍ଟହ କଂସାଳ ।ଦୁନ୍ଦୁଭି ଭେରୀ ବାଦ୍ୟ ଗୋଳ ॥
ବଜାନ୍ତି ଗୋମୁଖା ଆନକ ।ପ୍ରଣବ ତୁରୀ ଯେ ଅନେକ ॥
ସୁଗୀତ ବାଦ୍ୟ ନୃତ୍ୟ ଗୋଳେ ।ଦିଗ ଉଛୁଳିଲା ତୁମୂଳେ ॥
ନାଚନ୍ତି ଅପସରା ବୃନ୍ଦେ ।ଗନ୍ଧର୍ବ ତାଳଯନ୍ତ୍ର ବାଦ୍ୟେ ॥
ଦେବତା ମୁନି ପିତୃଗଣେ ।ଅଗ୍ନି ସମେତ ଜଣେ ଜଣେ ॥
ସୁପର୍ଣ୍ଣ ସିଦ୍ଧି ବିଦ୍ୟାଧର ।ସହ କିଂପୁରୁଷ କିନ୍ନର ॥
ଚାରଣ ଯକ୍ଷ ରକ୍ଷ ମଦି ।ପିଶାଚ ଗୃହ୍ୟକ ପ୍ରସିଦ୍ଧି ॥
ସ୍ତୁତି ବଚନେ ଗୀତ ସ୍ୱରେ ।ପୁଷ୍ପ ବର୍ଷନ୍ତି ନିରନ୍ତରେ ॥
ଅଦିତି ପରେ ପୁଷ୍ପ ବୃଷ୍ଟି ।ଯେବେ ଖଣ୍ଡିବ ଜନ୍ମାରିଷ୍ଟି ॥
ଅଦିତି ନିଜ ପୁତ୍ର ଦେଖି ।ନିର୍ମଳ କଲା ବେନି ଆଖି ॥
ଯେ ହରି ନିଜ ଯୋଗ ତେଜେ ।ଜନ୍ମିଲେ କାଶ୍ୟପର ବୀର୍ଯ୍ୟେ ॥
କଶ୍ୟପ ଜୟ ଜୟ ବାଣୀ ।ମଙ୍ଗଳ ବେଦନାଦ ଭଣି ॥
ତକ୍ଷଣେ ପ୍ରଭୁ ଭଗବାନ ।ରୂପ ପ୍ରକାଶିଲେ ବାମନ ॥
ଦେଖନ୍ତି ସ୍ୱର୍ଗେ ଦିଗପାଳେ ।ଦେବୀ ଦେବତା ଅନ୍ତରାଳେ ॥
ବଟ ବାମନ ରୂପ ଦେଖି ।ମୁନିଏ ଆଶ୍ରମ ଉପେକ୍ଷି ॥
ପରମ ହରଷେ ମିଳିଲେ ।ଜୟ ମଙ୍ଗଳା ସ୍ତୁତି କଲେ ॥
ବିଧାତା ଆଦି ମୁନି ତୁଲେ ।ପୁତ୍ରର ଜାତକର୍ମ କଲେ ॥
ବାମନ ଉଗ୍ର କର୍ମ ଦେଖି ।ସବିତା ଗଗନେ ଉପେକ୍ଷି ॥
ସବିତା ମନ୍ତ୍ର କର୍ଣ୍ଣେ କହେ ।ଯେଣେ ସବିତା ତେଜ ବହେ ॥
ଗୁରୁ ପଇତା ଦେଲେ କନ୍ଦେ ।କଶ୍ୟପ ମେଖଳା ଆନନ୍ଦେ ॥
ଅବନୀ କୃଷ୍ଣାଜିନ ଦେଲେ ।ଶଶାଙ୍କ ଦଣ୍ଡ ସମର୍ପିଲେ ॥
ଅଦିତି ଦେଲା କଉପୀନ ।ଯେଣେ ତ୍ରିଦଣ୍ଡ ପରିଧାନ ॥
ମୁନିଏ ଦେଲେ କରେ ଦର୍ଭ ।ତେଜ ମଣ୍ଡଳ ଦେବଗର୍ଭ ॥
ଶାରଦା ଦେଲେ ଅକ୍ଷମାଳା ।ଯେସନେ ବୁଦ୍ଧି ଅନର୍ଗଳା ॥
ବରୁଣ ରାଜା ଶୁଦ୍ଧଚିତ୍ତେ ।ଭିକ୍ଷାପାତ୍ରକୁ ଦେଲେ ହସ୍ତେ ॥
ଅମ୍ବିକା ଦେଲେ ଭିକ୍ଷା ଆଣି ।ସଙ୍ଗତେ ଘେନି କମଳିନୀ ॥
ଋଷିଏ ବ୍ରହ୍ମତେଜ ଦେଲେ ।ସ୍ତୁତି ବଚନେ ସ୍ତୁତି କଲେ ॥
ନର୍ମଦା ନଦୀର ଉତ୍ତରେ ।ଭୃଗୁ କଚ୍ଛପେ ବିପ୍ରବରେ ॥
କଶ୍ୟପ ହୋମ କରାଇଲେ ।ବିଧାତା ପୁରୁଷର ବୋଲେ ॥
ଏମନ୍ତ ଧରି ଦିବ୍ୟ ମୂର୍ତ୍ତି ।ଦେଲେ ଅନଳେ ପୂର୍ଣ୍ଣାହୁତି ॥
ଋତ୍ୱିକେ କରି ନାନା ବିଧି ।ବଳିର ମତେ ଅଶ୍ୱମେଧି ॥
କରାଇ ନିଜ ମନ୍ତ୍ର ବଳେ ।ଅମରେ ସ୍ଥାପିବ ନିଶ୍ଚଳେ ॥
ସେ କଥା ଜାଣିଣ ବାମନ ।ପ୍ରତ୍ୟକ୍ଷେ କଲେକ ଗମନ ॥
ବଳି ଭୁବନେ ବିଷ୍ଣୁଯାନ୍ତେ ।ଭୂମି କମ୍ପଇ ପଦାଘାତେ ॥
ବଳିକୁ ଯଜମାନ କରି ।ମିଳି ଭୃଗୁଙ୍କୁ ଆଗକରି ॥
ଯଜ୍ଞ କରନ୍ତି ମନ୍ତ୍ର ବଳେ ।ଯେମନ୍ତେ ଅମର ମଣ୍ଡଳେ ॥
ବଳି ବସିଲା ଦୃଢ଼ ଚିତ୍ତେ ।ନିୟତ୍ତେ ଜନ୍ମ ପରିଯନ୍ତେ ॥
ଏମନ୍ତେ ବଳି ଯଜ୍ଞବାଟେ ।ବାମନ ମିଳିଲେ କପଟେ ॥
ତପନ ଦେଖି ତାରାପନ୍ତି ।ଯେସନେ ହ୍ୱନ୍ତି ହତଜ୍ୟୋତି ॥
ଭାର୍ଗବ ଆଦି ପୁରୋହିତେ ।ସଦସ୍ୟ ଯଜମାନ ଯେତେ ॥
ବାମନ ତେଜେ ଅସ୍ତଗଲେ ।ତମ ଯେସନେ ପ୍ରାତଃକାଳେ ॥
ନ କରିପାରି ଅନୁମାନ ।ସର୍ବେ ହୋଇଲେ ହତଜ୍ଞାନ ॥
ରବି ଶଶାଙ୍କ କବା ବହ୍ନି ।ମିଳିଲେ ନିଜ ତେଜ ଘେନି ॥
ଯେ ତହିଁ ଥିଲେ ବ୍ରହ୍ମାସୁତ ।ଯଜ୍ଞ ପ୍ରୋକ୍ଷଣେ ଉପଗତ ॥
ଏମନ୍ତେ ଜାଣି ନ ପାରିଲେ ।ବାମନ ତେଜେ ଅସ୍ତ ଗଲେ ॥
ଚାହାନ୍ତି କୁତ୍ସିତ ଲୋଚନେ ।କେହି ନ ଜାଣି ଅନୁମାନେ ॥
କାହାରି ଦେହେ ନାହିଁ ଜ୍ଞାନ ।କ୍ଷଣେ ରହିଲେ ଖେଦମନ ॥
ସେ ଜଳ କମଣ୍ଡଳୁ ଘେନି ।କରିଣ ସାମବେଦ ଧ୍ୱନି ॥
ମିଳିଲେ ଯଜ୍ଞରେ କପଟ ।ବାମନ ନୃପତି ନିକଟ ॥
କଟିରେ କୃଷ୍ଣାଜିନ ଶୋହେ ।ଖର୍ବ ଶରୀରେ ଜନ ମୋହେ ॥
ବେଷ୍ଟିତ କଟିଲେ ମେଖଳା ।ଯଜ୍ଞୋପବୀତ ଅକ୍ଷମାଳା ॥
ଅଦ୍ଭୁତ ବାମନ ଶରୀର ।ଶିରେ ବିରାଜେ ଜଟାଭାର ॥
ମାୟା ବାମନ ରୂପ ଦେଖି ।ତକ୍ଷଣେ ଆସନ ଉପେକ୍ଷି ॥
ଭୃଗୁ ସହିତେ ଶିଷ୍ୟ ଯେତେ ।ଆସନୁ ଉଠିଲେ ତ୍ୱରିତେ ॥
ଅଞ୍ଜଳି ହସ୍ତ କରି ବେଗେ ।ମିଳିଲେ ବାମନର ଆଗେ ॥
ବଳି ବାମନ ମୁଖ ଚାହିଁ ।ଆସନ ଦେଲେ ବେଗେ ନେଇ ॥
ଚରଣେ ନମସ୍କାର କରି ।କୁଶଳ ବାରତା ପଚାରି ॥
ଉତ୍ତମ ଜଳେ ଧୋଇ ପାଦ ।ଆନନ୍ଦେ କଣ୍ଠ ଗଦଗଦ ॥
ପାଦ ଉଦକ ଘେନି ଶିରେ ।ରୋମ ହରଷ କଳେବରେ ॥
ଯାର ଚରଣେ ଶେଷ ଜଳ ।ଖଣ୍ଡଇ ସର୍ବ ଅମଙ୍ଗଳ ॥
ଗିରୀଶ ପରମ ଭକ୍ତିରେ ।ଯେ ପାଦୋଦକ ଧରେ ଶିରେ ॥
ବଳି ଯେ ବେନି କର ଯୋଡ଼ି ।କହେ ବାମନ ପାଦେ ପଡ଼ି ॥
ବଳି ଉବାଚଭୋ ବିପ୍ର ନମେ ତୋ ଚରଣେ ।ଅଶେଷ କୁଶଳ କାରଣେ ॥
ବ୍ରହ୍ମ ଋଷିଙ୍କ ତେଜ ପ୍ରାୟ ।ମୁହିଁ ଦେଖଇ ତୋର ଦେହ ॥
ତୁ ବ୍ରହ୍ମ ସ୍ୱରୂପ ସାକ୍ଷାତେ ।ତୋ ରୂପ ନାହିଁ ଏ ଜଗତେ ॥
କି ଅର୍ଥେ ତୋହର ଆଗମ ।କହ ତୋହର କିସ ନାମ ॥
ମୋ ପିତୃଗଣେ ଆଜି ତୋଷ ।ପବିତ୍ର ମୋର ଗୃହବାସ ॥
ଆଜି ମୋ ସଫଳ ଜୀବନ ।ଯେଣୁ ତୁମ୍ଭର ଆଗମନ ॥
ପବିତ୍ର ହୋଇଲା ମୋ କୁଳ ।ଲଭିଲ ଶତକ୍ରତୁ ଫଳ ॥
ଆଜ ଅନଳ ଘୃତ ଗ୍ରାସେ ।ତୋଷେ ଚଳିବେ ନିଜ ବାସେ ॥
ଏ ଗୃହ ପବିତ୍ର ମୋହର ।ନିର୍ମଳ ଆଜ ସର୍ବପୁର ॥
ଭୋ ବିପ୍ର ଦାନ ମାଗ ମୋତେ ।ଯେ ଅବା ଇଚ୍ଛା ତୋର ଚିତ୍ତେ ॥
ଗୋରୁ କାଞ୍ଚନ ଦିବ୍ୟପୁର ।କିବା ପ୍ରାସାଦ ମନୋହର ॥
ଗ୍ରାମ ପାଟଣା କନ୍ୟାଧନ ।ଅମୂଲ୍ୟ ରତ୍ନ ବା ସୁବର୍ଣ୍ଣ ॥
ଅନ୍ନ ବସନ ଆଦି ଯେତେ ।ଭୋ ବିପ୍ରବର ମାଗ ମୋତେ ॥
ଗଜ ତୁରଙ୍ଗ ଅଶ୍ୱ ତରୀ ।ରଥି ପଲ୍ୟଙ୍କ ଆଦିକରି ॥
କିବା ତୋହର ହିତେ ଯେତେ ।ଭୋ ବିପ୍ର ମାଗ ଅନୁମତେ ॥
ଦେବି ମୁଁ ଏ ସତ୍ୟ ବଚନ ।ଦାରା ତନୟ ବା ଜୀବନ ॥
ଏମନ୍ତ ବଳି ଶୁଦ୍ଧ ଚିତ୍ତେ ।କହିଲେ ବାମନ ଅଗ୍ରତେ ॥
ଏମନ୍ତେ ବଳି ବାକ୍ୟ ଶୁଣି ।ବିଷ୍ଣୁ ସ୍ୱଭାବେ କୁଶପାଣି ॥
ମଙ୍ଗଳ ସ୍ୱରେ ବେଦଧ୍ୱନି ।କରନ୍ତି ବଳି ମନ ଘେନି ॥
ତିନି ଭୁବନ କମ୍ପେ ନାଦେ ।ସୁଜନ ମନ ବିଷ୍ଣୁ ପାଦେ ॥
କହଇ ବିପ୍ର ଜଗନ୍ନାଥ ।ପ୍ରାକୃତ ବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ଭୁବନେ ବେଦଧ୍ୱନି କରଣେନାମ ସପ୍ତଦଶୋଽଧ୍ୟାୟଃ ।
ଅଷ୍ଟାଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚବଳିର ଏ ବଚନ ଶୁଣି ।ସନ୍ତୋଷେ ପ୍ରଭୁ ଚକ୍ରପାଣି ॥
ବଳି ବାକ୍ୟକୁ ସ୍ତୁତି କରି ।ବଟୁ ବାମନ ରୂପ ଧରି ॥
ବୋଲନ୍ତି ମଧୁର ବଚନ ।ସେବ ବାକ୍ୟେ ମୋହ ପ୍ରାଣୀମନ ॥
ଶ୍ରୀ ଭଗବାନୁବାଚହେ ବଳି ଧନ୍ୟ ତୋ ବଚନ ।କୁଳ ଉଚିତ ସୁଶାସନ ॥
ଧର୍ମ ସମ୍ଭୂତ ଯଶସ୍କର ।ଅର୍ଥୀଜନକୁ ସୁଧାକର ॥
ଯାହାର ବଂଶେ ପୁରୋହିତ ।ଭାର୍ଗବ ପଦ୍ମଯୋନି ସୁତ ॥
ପ୍ରହ୍ଲାଦ ଯାର ପିତାମହ ।ବିଷ୍ଣୁ ଭଜନେ ମହାଶୟ ॥
ବ୍ରାହ୍ମଣେ ଦାନ ତୁମ୍ଭ କୁଳେ ।ପ୍ରସିଦ୍ଧ ଭୁବନ ମଣ୍ଡଳେ ॥
ଯାହାର ବଂଶେ ରଣତୀର୍ଥ ।ସଂଗ୍ରାମେ ନୁହନ୍ତି ନିସତ ॥
ଅତିଥି ଆଗମନେ ସୁଖୀ ।ଦୁଃଖୀଜନଙ୍କ ଦୁଃଖ ଦୁଃଖୀ ॥
ନିର୍ମଳ ଯଶ ଯାର କୁଳେ ।ବିଖ୍ୟାତ ଏ ମହୀମଣ୍ଡଳେ ॥
ପ୍ରହ୍ଲାଦ ଜାତ ଯେଉଁ କୁଳେ ।ଯେହ୍ନେ ଶଶାଙ୍କ ତାରାମେଳେ ॥
ଯେବଂଶେ ହିରଣ୍ୟାକ୍ଷ ବୀର ।ଦେବ ମାନବେ ଅଗୋଚର ॥
ହିରଣ୍ୟ ଦୈତ୍ୟ ଗଦାପାଣି ।ଏକାକୀ ଭ୍ରମଇଁ ଧରଣୀ ॥
ତାହାର ସଙ୍ଗେ ଗଦାଯୁଦ୍ଧେ ।କେହି ନ ଗଲେ ରଣ ମଧ୍ୟେ ॥
ଶୁକର ରୂପେ ପୂର୍ବେ ହରି ।ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥
ତାହାର ଆଗମନ କାଳେ ।ସେ ହରି ଥିଲେ ମହାଜଳେ ॥
ବରୁଣ ପୁରେ ଦଇତ୍ୟାରି ।ସଙ୍ଗେ ହିରଣ୍ୟ ଯୁଦ୍ଧ କରି ॥
ଅନେକ ମାୟା ଯୁଦ୍ଧ କଲା ।ବିଷ୍ଣୁର ପଦାଘାତେ ମଲା ॥
ସେ ହରି ହିରଣ୍ୟାକ୍ଷ ମାରି ।ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥
ଆତ୍ମାକୁ ଜୟୀ ପ୍ରାୟେ ମଣି ।ସକଳ ସଭା ମଧ୍ୟେ ଭଣି ॥
ଅନୁଜ ବଧ ଶୁଣି ରଣେ ।ହିରଣ୍ୟକଶିପୁ ତକ୍ଷଣେ ॥
ଭ୍ରାତୃ ମରଣେ କ୍ରୋଧ କରି ।ପ୍ରଚଣ୍ଡ ଶୂଳ କରେ ଧରି ॥
ସମନ ତୁଲ୍ୟ କୋପମନେ ।ମିଳିଲା ବିଷ୍ଣୁର ଭୁବନେ ॥
ଗୋବିନ୍ଦ ତାର ଆଗମନେ ।ଦେଖି ଭାବିଲେ ମନେ ମନେ ॥
କୃତାନ୍ତ ପ୍ରାୟେ ଶୂଳ ତୋଳି ।ଦେଖି ଧାଇଁଲେ ମହାବଳୀ ॥
ସେ ହରିମାୟା ଯୋଗବଳେ ।ଅଦ୍ଭୁତ ଦେଖି ପଳାଇଲେ ॥
ଅସୁର ମନେ ବିଚାରଇ ।ଏ ମୋର ମାରିଅଛି ଭାଇ ॥
ଏହାକୁ ପ୍ରାଣେ ନାଶ କଲେ ।ତେବେ ଜୀବନ ଥିବ ଭଲେ ॥
ଏମନ୍ତେ ଚିନ୍ତି ଶୂଳଧରି ।ପଛେ ଧାଇଁଲେ ରୋଷ ଭରି ॥
ଭୟେ ପଳାନ୍ତି ତାକୁ ଦେଖି ।ସଭ୍ରମେ ଭୁବନ ଉପେକ୍ଷି ॥
ତେଣେ ପଳାନ୍ତି ନରହରି ।ପଛେ ଅସୁର ଗଦାଧରି ॥
ସେ ବିଷ୍ଣୁ କରନ୍ତି ବିଚାର ।ସ୍ୱଭାବେ ଅଜୟ ଅସୁର ॥
ଏହାକୁ ମାୟା ମୁଁ ନ କଲେ ।ନୋହିଲେ ନ ରହିବ ଭଲେ ॥
ଏହା ହୃଦରେ ମୁହିଁ ପଶି ।ମାୟାରେ ମନକୁ ଆର୍କଷି ॥
ଯେମନ୍ତେ ଏ ମୋତେ ନ ପାଇ ।ନିର୍ଭୟେ ନିଜ ପୁରେ ଯାଇ ॥
ମୋର ବିଷୟେ ବହିକ୍ରୋଧ ।କରଇ ଭଇରବ ନାଦ ॥
ଶବଦେ ଭୁବନ କମ୍ପିଲା ।ସମୁଦ୍ର କୂଳକୁ ଲଘିଂଲା ॥
ସେ ବୀର ବିଚାରଇ ମନେ ।ଏ ତ ଲୁଚିଲା ମନଚ୍ଛନ୍ନେ ॥
ନିଶ୍ଚେ ସେ ବଇକୁଣ୍ଠ ଗଲା ।ଏମନ୍ତ ବୋଲି ବାହୁଡ଼ିଲା ॥
ପଥେ ଚଳନ୍ତି ମନେ ଭାବି ।ବୋଲଇ ଅବଶ୍ୟ ମାରିବି ॥
ଏ ମୋର ଭ୍ରାତା ହତକାରୀ ।ଏମନ୍ତ କ୍ରୋଧ ମନେ ଧରି ॥
ଜୀବନେ ଥିବା ପରିଯନ୍ତେ ।ବିଷ୍ଣୁ ନ ଭଜି କଦାଚିତ୍ତେ ॥
ହରିର ତୁଲେ ବାଦ କଲା ।ଅନ୍ତେ ସେ ବିଷ୍ଣୁଙ୍କୁ ପାଇଲା ॥
ତାହାର ତନୟ ପ୍ରହ୍ଲାଦ ।ନିତ୍ୟ ସେବିଲା ବିଷ୍ଣୁ ପାଦ ॥
ବିଷ୍ଣୁ ଭକତ ମହାଶୟ ।ଦେବେ ଦାନବ ସେ ଅଜୟ ॥
ତାହାର ବଂଶେ ତୋର ଜାତ ।ସ୍ୱଭାବେ ଅଟୁ ଭାଗ୍ୟବନ୍ତ ॥
ବ୍ରହ୍ମଜ୍ଞ ମହିମା ତୋହର ।ଏ କୁଳେ ଅତି ଯଶସ୍କର ॥
ତିନି ଭୁବନେ ତୁ ଯେ ରାଜା ।ସର୍ବେ କରନ୍ତି ତୋର ପୂଜା ॥
ଏଣୁ ତୋହର ହସ୍ତେ ତୁହି ।ନିବାସ ଅର୍ଥେ କଳ୍ପେ ଭୂଇଁ ॥
ମୋହର ପାଦେ ପାଦ ତିନି ।ମାପିଣ ଦିଅ ହେ ମେଦିନୀ ॥
ଦାରା ତନୟ ମୋର ନାହିଁ ।କେବଣ ବସ୍ତୁ ମୁଁ ଇଚ୍ଛଇ ॥
ଏ ଭୂମି ଦାନ ଦିଅ ମୋତେ ।ଯେମନ୍ତେ ରହିବି ନିଶ୍ଚିନ୍ତେ ॥
ତୁ ଅଟୁ ଭକତ ଈଶ୍ୱର ।ଆନେ କି ପ୍ରୟୋଜନ ମୋର ॥
ଏମନ୍ତ ବିପ୍ର ମୁଖୁଁ ଶୁଣି ।ବୋଲେ ଦନୁଜ ବୀରମଣି ॥
ବଳି ଉବାଚଭୋ ବିପ୍ର ଶୁଣ ମୋ ଉତ୍ତର ।ତୁ ଅତି ବାଳକ ଶରୀର ॥
ବୃଦ୍ଧର ପ୍ରାୟେ କଥା କହୁ ।ବିଚାରେ ବାଳକ ତୁ ନୋହୁ ॥
ସ୍ୱଭାବେ ବାଳବୁଦ୍ଧି ଘେନି ।ନ ଜାଣୁ ଆତ୍ମାଲାଭ ହାନି ॥
ଅଜ୍ଞାନୀ ପ୍ରାୟେ ତୋର ମତି ।ଏଣୁ ତୋ ବିପରୀତ ରୀତି ॥
ମୁହିଁ ତ୍ରିଲୋକ ଏକ ରାଜା ।ସର୍ବେ କରନ୍ତି ମୋତେ ପୂଜା ॥
ତ୍ରିପାଦ ଭୂମି ମାଗୁ ମୋତେ ।ଏ ଦାନ ଦେବି ମୁଁ କେମନ୍ତେ ॥
ଲୋକେ କରିବେ ଉପହାସ ।ଏ କଥା ନୁହଇ ବିଶ୍ୱାସ ॥
ଯେ ବିପ୍ର ମୋ ଦାନ ଘେନି ।ସେ କାହିଁ ଆନକୁ ମାଗିବ ॥
ଏଣୁ ଜୀବିକା ନିର୍ବାହାର୍ଥେ ।ପୃଥିବୀ ମାଗ ଇଚ୍ଛା ମତେ ॥
ଏମନ୍ତ ବଳି ମୁଖୁଁ ଶୁଣି ।ବାମନ ବିପ୍ର କହେ ପୁଣି ॥
ଶ୍ରୀ ଭଗବାନୁବାଚଶୁଣ ହେ ବଳି ନୃପନାଥ ।ଅଜ୍ଞାନୀ ଜନଙ୍କର ମତ ॥
ସମୁଦ୍ର ଆବରଣ ମହୀ ।ଏତେ ସମ୍ପଦ ଯେତେ ପାଇ ॥
ତେବେ ହେଁ ଆତ୍ମା ନ ପୂରଇ ।ଶୁଣ ନୃପତି ମନ ଦେଇ ॥
ସପତ ଦ୍ୱୀପେ ଅଧିପତି ।ଥିଲେ ଯେ ଅନେକ ନୃପତି ॥
ବୈଶ୍ୟ ଯେ ମାନଧାତା ପଦ ।ଲଭିଣ ଅତୁଲ୍ୟ ସମ୍ପଦ ॥
ସେ ଅର୍ଥ କାମ ଯେତେ କଲେ ।ବିଷ୍ଣୁର ଅନ୍ତ ନ ପାଇଲେ ॥
ପୂର୍ବର କର୍ମଫଳ ବଳେ ।ଯେ ଦିନେ ଯାହା ଅବା ମିଳେ ॥
ତେଣେ ସନ୍ତୋଷ ଯାର ଚିତ୍ତ ।ଯେ ପ୍ରାଣୀ ତ୍ରିଭୁବନେ ସତ୍ୟ ॥
ଯେ ଅର୍ଥ କାମେ ଅସନ୍ତୋଷ ।ହୋଏ ସେ ବିଧାତାର ବଶ ॥
ଉଭୟ ଲୋକେ ସୁଖ ନାହିଁ ।ଅତୃପ୍ତି ଥିବ ତାର କାହିଁ ॥
ସେ ଅସନ୍ତୋଷ ତେଜେ ଜଳେ ।ଅନଳ ଯେହ୍ନେ ଘୃତବଳେ ॥
ସନ୍ତୋଷ ଜଳବିନ୍ଦୁ ପାଇ ।ସେ ଅଗ୍ନି ତେଜ ଯେ ଲିଭଇ ॥
ଏଣୁ ସମ୍ପଦେ କାର୍ଯ୍ୟ ନାହିଁ ।ତ୍ରିପାଦେ ଦିଅ ମୋତେ ମହୀ ॥
ତେକେ କୃତାର୍ଥ ମୋ ଜୀବନ ।ଅଧିକେ କିବା ପ୍ରୟୋଜନ ॥
ଏମନ୍ତ ବାକ୍ୟ ବିପ୍ର ଘୋଷେ ।ସେ ବାକ୍ୟ ଶୁଣି ବଳି ହସେ ॥
ବୋଲଇ ଧର କୁଶପାଣି ।ତୋ ପାଦ ପ୍ରମାଣେ ଧରଣୀ ॥
ଦେବଇଁ ସତ୍ୟ ମୋ ବଚନ ।ଭୋ ବିପ୍ର ତୋଷଚିତ୍ତେ ଘେନ ॥
ଏମନ୍ତ ସତ୍ୟ ବଳି ବାଣୀ ।ବାମନ ତୋଷମନ ଶୁଣି ॥
ଶୁକ୍ର ଯେ ରାଜା ପଛେ ଥିଲା ।ଦାନର ନିଶ୍ଚୟେ ଦେଖିଲା ॥
ଶୁକ୍ରାଚାର୍ଯ୍ୟ ଉବାଚକର ଅଞ୍ଜଳି ଅଗ୍ର କରି ।ବଳିକୁ କହେ ଆଗ ସରି ॥
ଶୁଣ ହୋ ବୈଲୋଚନ ସୁତ ।ତୋତେ ଦେଖିଲି ବିପରୀତ ॥
ପାତ୍ର ଅପାତ୍ର ତୁ ନ ଜାଣୁ ।ବିପ୍ରକୁ ଦାନ ପରିମାଣୁ ॥
ଦେଖ ଏ ପ୍ରଭୁ ଭଗବାନ ।କପଟ ଶରୀର ବାମନ ॥
ବିବୁଧଗଣ ରକ୍ଷା କାର୍ଯ୍ୟେ ।ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ॥
ଅଦିତି ଗର୍ଭେ ଜାତ ହୋଇ ।ଅଇଲା ତୋର ଜ୍ଞାନ କାହିଁ ॥
ଅନର୍ଥ ଅର୍ଥ ତୁ ନ ଜାଣି ।ହସ୍ତେ ଧଇଲୁ କୁଶପାଣି ॥
ଅଦିତି ଗର୍ଭେ ଜାତ ହୋଇ ।ଏମନ୍ତ ଦେଖିଲାତ ନାହିଁ ॥
ତୋହର ଯଶ ସୁଖ ଶିରୀ ।ହରି ବାମନ ରୂପ ଧରି ॥
ଇନ୍ଦ୍ରକୁ ଦେବ ମାୟାବଳେ ।ତୁ ମୂଢ଼ ପଶିବୁ ପାତାଳେ ॥
ତିନି ଚରଣେ ତିନିପୁର ।ସମ୍ପଦ ହରିବ ତୋହର ॥
ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ ।ତୁ ପୁଣି ବିଶ୍ରମିବୁ କାହିଁ ॥
ପାଦକେ ଅବନୀ ପୂରିବ ।ଶରୀର ବ୍ରହ୍ମାଣ୍ଡ ଘୋଟିବ ॥
ଦ୍ୱିତୀୟ ପାଦ ଅଷ୍ଟ ଦିଶ ।ବିକ୍ରମି ଭୁବନ ଆକାଶ ॥
ସଂକଳ୍ପ ଯେବେ ତୁ ନ ଦେବୁ ।ନିଶ୍ଚେ ତୁ ନରକେ ପଡ଼ିବୁ ॥
ସଂକଳ୍ପ କରି ନାନା ଅର୍ଥେ ।ଯେବା ନଦିଏ ଲୋଭ ଚିତ୍ତେ ॥
ସେ କାହିଁ ଥିବ ଏ ସଂସାରେ ।ପଡ଼େ ନରକ ଅନ୍ଧକାରେ ॥
ଯେ ଦାନେ ବୃତ୍ତି ଯାଇ ନାଶ ।କୁଳ ସମୂଳେ ଧର୍ମନାଶ ॥
ଯେ ଦାନ କେବେହେଁ ନ କରେ ।ଯଶ ସମ୍ପଦ ଯେଣେ ହରେ ॥
ପୂର୍ବେ ଯେ ସିଦ୍ଧି ମୁନିମାନେ ।ଯେ ଧର୍ମ କହିଛନ୍ତି ଜନେ ॥
ତାହା କହିବି ତୋ ଅଗ୍ରତେ ।ରାଜନ ଶୁଣ ଏକ ଚିତ୍ତେ ॥
ମନ ବଚନ ସତ୍ୟକରି ।ଓଁ କାର ନାଦ ସେ ଉଚ୍ଚାରି ॥
ଦେବି ମୁଁ ବୋଲି ଯାହା କରେ ।କେ ଜ୍ଞାନ ଥାଉ ତାହା ହରେ ॥
ଏ ଦେହ ବୃକ୍ଷର ସ୍ୱରୂପ ।ସତ୍ୟ ତାହାର ଫଳ ପୁଷ୍ପ ॥
ବୃକ୍ଷରନାଶେ ନାଶ ଯାନ୍ତି ।ବୃକ୍ଷର ମୂଳେ ଥିଲେ ଶାନ୍ତି ॥
ସଂକଳ୍ପ ସତ୍ୟ ନାଶ ଯାନ୍ତେ ।କେବେହେଁ ନମିଳେ ଜଗତେ ॥
ଆକାର ଉକାର ମକାରେ ।ଶବଦ ଉଚ୍ଚାରଣ କରେ ॥
ଯେ ତାହା ଅଜ୍ଞାନେ ହରନ୍ତି ।ନିଜ ଶରୀର ନ ଧରନ୍ତି ॥
ହାସ୍ୟ ସଂଯୋଗ ନାରୀ ସଙ୍ଗେ ।ବିହାର କନ୍ୟାବର ଯୋଗେ ॥
ବୃତ୍ତ୍ୟର୍ଥେ ପ୍ରାଣୀର ସଙ୍କଟେ ।ଗୋରୁ ବ୍ରାହ୍ମଣଙ୍କର କଷ୍ଟେ ॥
ମିଥ୍ୟା କହିଲେ ଯେବେ ତରେ ।ଏକଥା କେବେହେଁ ନ କରେ ॥
ଏମନ୍ତ ଭୃଗୁ ବାକ୍ୟ କହି ।ବଳି ତା ବାକ୍ୟେ ମନ ଦେଇ ॥
ସଂଶୟ ରହିଲାକ ଚିତ୍ତେ ।ଗୁରୁ ବଚନେ ଧର୍ମ ମତେ ॥
ବୋଲଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ବଳି ବାମନ ବାକ୍ୟ ବନ୍ଧେ ।କହିଲେ ଏ ଅଷ୍ଟମ ସ୍କନ୍ଧେ ॥
ସୁଜନେ ଶୁଣ ଏକଚିତ୍ତେ ।ହରି ଚରିତ ଭାଗବତେ ॥
ସୁଜନେ ଶୁଣି ଏବେ ଭାବ ।ଏ ଭାବେ ସଂସାରୁ ତରିବ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ବାମନ ସମ୍ବାଦେନାମ ଅଷ୍ଟାଦଶୋଽଧ୍ୟାୟଃ ।