ପଦ୍ମକଳ୍ପ
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୭୯ ମିନିଟ୍
- ଶବ୍ଦ
- ୧୨୬୫୨
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଅଧ୍ୟାୟ
କଳିକାଳ ରୀତି ଦେଖି ମାଡ଼େ ଭୀତି ହୃଦୟ ଛନ୍ନ କାତର,ଥୟ ହେଉନାହିଁ ପଞ୍ଚଭୂତ ଆତ୍ମା ଶ୍ରୀଗୁରୁ କରିବେ ପାର ।କରି ନିବେଦନ ଆହେ ଭକ୍ତଗଣ ପ୍ରଭୁଙ୍କର ପାଦତଳେ,ହେଳେ ତରିଯିବ କଳିକାଳ ଦର୍ପୁ ତରିଯିବି ଅବହେଳେ ।ଚାରିଲକ୍ଷ ବତିସ ସସ୍ର ଏ କଳି ଭୋଗ ହେବାର ବୃତ୍ତାନ୍ତ,ଅଧର୍ମରୁ କଳି ନାଶଯିବ ପୁଣି ପୃଥିବୀ ନିରସା ଯୁକ୍ତ ।ଦୁଷ୍ଟଲୋକ ଭାରା ନସହି ବସୁନ୍ଧରା ସ୍ତୁତି କଲା ବିନୀତରେ,ତାହାର ଆକୁଳ ଶୁଣି ମହାପ୍ରଭୁ ବିଜେ କରିଲେ ଧରାରେ ।ଦେଖିଣ ସୁମତି ପଦେହେଲା ଭକ୍ତି ନିବେଦନ କଲା ଯହୁଁ,ତାହାର କାକୁସ୍ଥ ଜାଣି ଦୟାବହି ସାହାହେଲେ ମହାବାହୁ ।ଚାରିଲକ୍ଷ ବତିଶ ସହସ୍ର ମଧ୍ୟରୁ ଶୁଣିଥାଅ ଶ୍ରୁତିପଥେ,ବାର ସହସ୍ର ବରଷ କଳିଯୁଗ ଆୟୁ ତୁଟିବ କିଞ୍ଚିତେ ।ଅଷ୍ଟ ବେନି ସହସ୍ର ବରଷେ ନୀଳାଚଳ ତେଜି ହରି,ରାଜା ବ୍ରାହ୍ମଣର ଅନ୍ୟାୟ ଦେଖିଣ ତହୁଁ ଯିବେ ଅପସରି ।ତେତିକି ବେଳକୁ କଳି ଆଦ୍ୟ ରାଜା ସୋମବଂଶ କରୁଥିବ,ଅଠର ପୁରୁଷ ଏଗାରଶ ବର୍ଷ କଳିଯୁଗର ପ୍ରସ୍ତାବ ।ଚନ୍ଦ୍ରବଂଶ ଭୋଗ ତହୁଁ ସେ କରିବ ଚଉଦ ପୁରୁଷ ଜାଣ,ଏଗାରଶ ପଞ୍ଚ ତିରିଶ ବରଷ କଳି ଭୋଗର ପ୍ରମାଣ ।ଚତୁର୍ଦ୍ଦଶ ପୁରେ ହୋଇବ ରାଜନ ଚନ୍ଦ୍ର ସୂର୍ଯ୍ୟ ବେନିବଂଶ,ମଗଧ ଦେଶରେ ହେବ ସେହୁ ଜାତ ପୁରଞ୍ଜନ ନାମ ଖ୍ୟାତ ।ଚନ୍ଦ୍ରଧ୍ୱଜ ବଂଶ ତହୁଁ ରାଜଭୋଗ ଦଶ ପୁରୁଷଟି ଜାଣ,ତିନିଶ ଷାଠିଏ ବରଷ ରାଜୁତି କରିବେ ସେହୁ ରାଜନ ।ତେତିକି ବେଳକୁ ନୀଳାଚଳ ତେଜି ତହୁଁ ଜଗନ୍ନାଥ ଯିବେ,ଅଲେଖ ମହିମା ଚରଣେ ସେବିଣ ଗୁପତେ ଖେଳ କରିବେ ।ବିଷ୍ଣୁନାମେ ରାଜା କରିବେଟି ଭୋଗ ତିରିଶ ପୁରୁଷ ମହୀ,ଆଠଶ ଛୟାଳେଇ ବରଷ ରାଜନ ଭୋଗ କରିବାକୁ ଥାଇ ।ତହୁଁ ଅନ୍ତେ ରାଜା ଗୋପାଳ ନାମେଣ କରିବେ ସେ ରାଜ ପଣ,ସତର ପୁରୁଷେ ଭୋଗ ତାର ଶେଷ ଶହେ ସତୁରି ବର୍ଷେଣ ।ଏଥୁ ଅନନ୍ତରେ ରାଜ ନନ୍ଦନର ନୃପତି ଦଶ ପୁରୁଷ,ଚାରିଶ ଛୟାଣୋଇ ବରଷ ନୃପତି ତାରଯୋଗ ହେବ ଶେଷ ।ଶୁଣ ଆଦିମାତା କଳିର ବୃତ୍ତାନ୍ତ ସେହି ସମୟରେ ଜାଣ,କାଳାନଳ ଗିରି ବିମ୍ବର ମଧ୍ୟରେ ଜଗିଥିବ ହନୁମାନ ।ସ୍ୱାମୀଙ୍କ ଦର୍ଶନେ ପାପୁଁ ହେବ ମୋକ୍ଷ ଗୁରୁ ସେବାକରି ସେହି,ବୀରବଧୂ ବାନା ମିଳିବ ବାସନା କରୁଣା ସାଗର ଧ୍ୟାଇ ।ମାରକଣ୍ଡ ଯତି ସ୍ୱର୍ଗ ପୁର ତେଜି ବ୍ୟାସସରୋବର କୂଳେ,ତପସ୍ୟା କରିବେ ବ୍ରହ୍ମାଣ୍ଡ ନିମନ୍ତେ ପ୍ରଳୟ କଟାଇ ହେଳେ ।ତେତିକି ବେଳକୁ ଟାକି ରହିଥିବୁ ବୁଦ୍ଧ ବଇଷ୍ଣବ ରୂପ,ଫେଡ଼ିଣ କଷଣ ଗୁରୁ ଶୂନ୍ୟବ୍ରହ୍ମ ଘଟିଯିବ କଳି ଦର୍ପ ।ତଦନ୍ତେ କଣ୍ୱୟ ବଂଶରେ ନୃପତି ପନ୍ଦରପୁରୁଷ ଜାଣ,ପାଞ୍ଚଶ ପଞ୍ଚତିରିଶ ବର୍ଷରେ ସରିଯିବ ରାଜ ପଣ ।ଅନନ୍ତ ନାମେଣ ରାଜା ସେହୁ ହେବେ ଅବନ୍ତୀ ନବରେ ଜାଣ,ଅତ୍ୟାଚାର କରି ପରଜା ପାଳିବେ ଅଟେ ଦୁଷ୍ଟ ଆଚରଣ ।ଶୋହଳ ପୁରୁଷ ଭୋଗ ହେବ ମହୀ ଛଅଶ ବରଷ ଠିକ,ତହିଁର ଉତ୍ତାରୁ ହିନ୍ଦୁ ରାଜା ହେବ ଧର୍ମ ପଣରେ ବିବେକ ।ବେଦବାକ୍ୟ କର୍ମ କରିବ ରାଜନ ଦଶପୁରୁଷ ଯେ ତହିଁ,ସପତ ବରଷ ରାଜୁତି କରିବ ସସ୍ଥରେ ପାଳିବ ମହୀ ।ଗୁରୁଖାଣ ଜାତି କରିବେ ରାଜୁତି ଥୋକାଏ ଆଚାର ତହିଁ,ଆଠ ପୁରୁଷ ଯେ କରି ମହୀ ଭୋଗ ତିନିଶ ତିରିଶ ତହିଁ ।ତହିଁ କ୍ଷିତିପରେ ହୋଇବ ତୁରୁକି ମ୍ଳେଚ୍ଛ ଆଚାରଣ ତାର,ବହୁତ ଅନ୍ୟାୟ ଘୋଟିବ ସଂସାରେ ହିନସ୍ତା ହୋଇବ ନର ।ସାନ ନ ମାନିବେ ବଡ଼ର ବଚନ ନ ମାନିବେ ପିତା ମାତା,କୁଳ ବଧୂମାନେ ଲଜ୍ଜା ଛାଡ଼ି କରି ହୋଇବେ ହୀନ ଅବସ୍ଥା ।ଚଉଦ ପୁରୁଷ କରିବେ ରାଜୁତି ପାଞ୍ଚଶ ପୁରୁଷ ମହୀ,ଶିରି ତୁଟିଯିବ ହତଶିରି ହେବ ପୃଥ୍ୱୀ ଛିନ୍ନ ଛତ୍ର ହୋଇ ।ଅଖିଳ ନିମନ୍ତେ ବିଜୟେ ଶ୍ରୀଗୁରୁ ଭାଷି ଯାଉଥିଲା ମହୀ,ବ୍ରହ୍ମଅଙ୍ଗ ରୂପ ନିତ୍ୟେ କରି ଜପ ଭାଷେ ହୀନ ଭୀମ ଭୋଇ ।
ଦ୍ୱିତୀୟ ଅଧ୍ୟାୟ
କାହିଁ ମୁଁ ରହିବି କି ବୁଦ୍ଧି କରିବି ପଥ ଦିଶୁନାହିଁ ମୋତେ,ଲୋକ ଅତ୍ୟାଚାର କରିବେ ଅପାର ଭୟ ମାଡ଼ୁଅଛି ମୋତେ ।ବ୍ରାହ୍ମଣ ଅନ୍ୟାୟ କରିବେ ପ୍ରଥମେ ବେଦବିଦ୍ୟା ତେଜି ଦେବେ,ଖାଇବେ ମଦିରା କରି ପରଦାରା ବିପ୍ରମାନେ ବଣା ହେବେ ।ଗାୟତ୍ରୀ ଛାଡ଼ିଣ ଗାରେଡ଼ି ପଢ଼ିବେ ତ୍ରିସନ୍ଧ୍ୟା କରିବେ ଦୂର,ହାଟ ଶୁଷ୍କମତ୍ସ୍ୟ କରିବେ ଆପ୍ୟାନ କନ୍ଧରେ ବହିବେ ଭାର ।ଶୁଣିଲ ସୁରଭୀ ରାଜବିଧି ନ୍ୟାୟ କ୍ଷିତି ପତି ଅଧିକାର,କରିବ ଫିରିଙ୍ଗି ରାଜପଣ ଭୋଗ ତେର ପୁରୁଷଟି ସାର ।ଚାରିଶ ପଞ୍ଚାନବେ ବରଷ ରାଜୁତି କରିବେ ସେ ଅଧିକାର,ସତ୍ୟ କହି ତୁଣ୍ଡେ ଦଣ୍ଡିବ କୁକାଣ୍ଡେ ଯେହ୍ନେ ନାରିକେଳ ନୀର ।ଢାଳି ବୃକ୍ଷ ମୂଳ କରିବେ କବଳ ପ୍ରାଣକୁ କରଇ ନାଶ,ସେହି ପରକାରେ ବ୍ରିଟିଶ ରାଜୁତି ପାଳିବ ଏ ମହାଦେଶ ।ଉଇକୀଟ ଯେହ୍ନେ ମୁଖେ ଜଳ ଥାଇ କାଷ୍ଠକୁ କରଇ ଲୀନ,ତେମନ୍ତ ପ୍ରକାରେ ପରଜା କୁଳକୁ କରିବ ସେ ଛିନ୍ନଭିନ୍ନ ।ପ୍ରକୃତି କରିଣ ନ ଘେନିବ ନୀର ମ୍ଳେଚ୍ଛ ଆଚରଣ କରି,ଗୋରୁ ଛାଗଳ ଯେ ମହିଷ ମଦିରା ଆହାର ସେ ନିତ୍ୟେକରି ।ଦେଖି ଦେବାଦେବୀ ହେବ ଅସକତ ଅନ୍ୟାୟ ଆଚାରମାନ,ପୃଥ୍ୱୀ ଦେବୀଙ୍କର ଶିରି ତୁଟିଯିବ କାନ୍ଦୁ ଥିବେ ରାତ୍ର ଦିନ ।କମ୍ପିବ ଧରଣୀ ଅଦଭୁତେ ପୁଣି ଫନ୍ଦାବୃତ୍ତି ଯିବ ନାଶ,ଫାଟିବ ଧରଣୀ ଦକ୍ଷିଣର ଦେଶ ହରଗିରି କଇଳାସ ।ବାସୁକୀର ଶିର ହେବ ଥର ହର ନେତ୍ରରୁ ପଡ଼ିବ ବାରି,ଅନାବୃଷ୍ଟି ହେବ ଦୁର୍ଭିକ୍ଷ ପଡ଼ିବ ଲକ୍ଷ୍ମୀ ପଳାଇବେ ଡ଼ରି ।ନପାଇଣ ଅନ୍ନ କରି କୁଳହୀନ କାନ୍ଦୁଥିବେ ଅବିରତ,ତେତିକି ବେଳକୁ ବୁଝିଥିବୁ ଦେବୀ ରାଜକୁଳ ହେବ ହତ ।ଦେଇଣ ଛତର ପକାଇ ପତର ବୁଡ଼ାଇବେ ଜାତିକୁଳ,ଦିବ୍ୟସିଂହ ଦେବ ନବ ଅଙ୍କଠାରେ ଲକ୍ଷ୍ମୀ ପଶିବେ ପାତାଳ ।ଦେବା ଦେବୀ ଗଣ ହୋଇ ରଣ ଭଣ ପ୍ରଭୁଙ୍କର ପାଦେ ସ୍ତୁତି,ଦନ୍ତରେ ତିରଣ ପଶିବେ ଶରଣ ରକ୍ଷା କର ପ୍ରାଣପତି ।ଶୁଣିଣ ଅନାଦି ଯୋଗଘର ବିଧି ଗୁପତରେ ବିଜେ ହେବେ,ବାରସ୍ୱତୀ ପୁରୁ ଆଣିଣ ଭକତ ମର୍ତ୍ତ୍ୟପୁରେ ଛାଡ଼ି ଦେବେ ।ନାନାଜାତି କୁଳେ ଜନ୍ମିଣ ଭଗତ ନିତ୍ୟକର୍ମ କରି ଠଣା,ଦେଖିକରି କଳି ଲଗାଇବ ବାଦ ବୁଦ୍ଧି ତାର ହେବ ବଣା ।ଦେବଋଷି ରାଜଋଷି ବ୍ରହ୍ମଋଷି ପ୍ରଭୁଙ୍କ ସ୍ୱେଚ୍ଛା ସେବକ,ଆଣିବେ ଅନାଦି ତପସ୍ୟା ନିମନ୍ତେ ବୁଝିଥାଅ ତାର ଠିକ ।ତେତିକି ବେଳର କଥା ଅସମ୍ଭବ ଗୋଚର କରିବ କେହୁ,ନୋହିଲେତ ମହୀ ଭାସିଯିବ ଅବା ଯେବେ ସାହା ମହାବାହୁ ।ଯେବେ ବ୍ରହ୍ମଧୂନି ଜାଳିବେ ମେଦିନୀ ଶୁଣିଥାଅ ଆଦିନାରୀ,ରକ୍ଷାହେଲା ମହୀ ବୋଲି ତୁ ବୁଝିବୁ ମର୍ତ୍ତ୍ୟରେ ବିଜୟ ହରି ।ନାହିଁ ଆରଭୟ ମିଳିବ ଅମିୟ ଆଶା କରିଥିବୁ ଜାଣ,ଶ୍ରୀଗୁରୁ ଚରଣେ ସେବା ଅନୁକ୍ଷଣେ ଭଣେ ଭୀମ ଭୋଇ ହୀନ ।
ତୃତୀୟ ଅଧ୍ୟାୟ
କରୁଣା ସାଗର ଆଜ୍ଞା ଅନୁସରି ରହିଲାକ ଅନୁସରି,କିରୂପେ କଷଣ ଫେଡ଼ିବି ଆପଣ ମର୍ତ୍ତ୍ୟରେ ବିଜୟ ହରି ।ପଦ୍ମପାଦେ ସ୍ୱାମୀ କରୁଛି ଦଇନୀ କହିବା ନିର୍ଣ୍ଣୟ ବାଣୀ,ଆଣିଲ ଭକତ ଜାତକଲ ମର୍ତ୍ତ୍ୟ କିକରିବେ ସେହୁ ପ୍ରାଣୀ ।ଅଟେ ଆଗୋଚର ବଡ଼ାଇ ଦୁସ୍ତର ସାହାଆହା କେହି ନାହିଁ,ଆପଣତ ଯୋଗୀ ଅଟମାୟା ତ୍ୟାଗୀ କିଏ ସାହା ଭାବଗ୍ରାହୀ ।ଦୁସହ ସଂକଟ ଦେବ କଳି ଦୁଷ୍ଟ ନ ରହିବ କାର ଚେତା,ଅନ୍ୟାୟ ହୋଇବ ଆହେ ମହାବାହୁ ଜନ୍ମକରି ହେବ ବୃଥା ।ଶ୍ରୀ ଅଲେଖବ୍ରହ୍ମ ଉବାଚଗୁରୁସ୍ୱାମୀ ଦେବ କଲେ ଅନୁଗ୍ରହ ଭକ୍ତଙ୍କ ହିତାର୍ଥ ପାଇଁ,ବୁଝାଇ କହିଲେ ମନ ତୋଷକଲେ ଶୁଣ ମନ କର୍ଣ୍ଣ ଦେଇ ।ବ୍ରହ୍ମବୀର୍ଯ୍ୟ ବାଣୀ ଅନମିତ ଭଣି କହିଲେ ଯେତେ ବୁଝାଇ,ବୀରକେଶରୀ ଦେବଙ୍କ ଏକାଦଶେ ନିତ୍ୟ ସ୍ଥଳୀ ଥୟ ହୋଇ ।ଥୟ ନିତ୍ୟ ସ୍ଥଳୀ ରାହାସ ମଣ୍ଡଳୀ କରିବେ ଭକ୍ତଙ୍କୁ ଘେନି,ଷୋଡ଼ଶ କଳାରେ ଅନ୍ତର କରାଇ ପକାଇ ଅଖଣ୍ଡ ଧୂନି ।ସେହି ଧୂନୀ ତେଜେ ଭୋଳା ସଦାଶିବ ପ୍ରବେଶ ହୋଇବେ ତହିଁ,ଦେଖି ବ୍ରହ୍ମରୂପ କଲେ ବହୁତପ ଅଷ୍ଟାଙ୍ଗ ଯୋଗରେ ଧ୍ୟାୟୀ ।ରୁଦ୍ରକୁଳ ଯେତେ ଆସିବେ ସମସ୍ତେ ଡମ୍ବରୁ ତ୍ରୀଶୂଳ ଘେନି,ପୂର୍ଣ୍ଣ ବ୍ରହ୍ମରୂପ ସାକ୍ଷାତେ ଦେଖିବେ ନିତ୍ୟରାସ ରଙ୍ଗେ ବାଣୀ ।ବୁଝିଥାଅ ଚିତ୍ତେ ଏ ଖେଳ ଗୁପତେ କେହି ନ ପାଇବେ ଅନ୍ତ,ବେଦପତି ଧ୍ୟାନ ମାର୍ଗରେ ଜାଣିବେ ଜାଣିବେ ଲକ୍ଷ୍ମୀଙ୍କ କାନ୍ତ ।ପାତାଳେ ବାସୁକୀ ପଡ଼ିବ ଚମକି ଅଖଣ୍ଡ ଧୂନୀର ତେଜେ,ଶିରହିଁ ତାଡ଼ିଲା ପାପହିଁ କଟିଲା କଳି ଅତ୍ୟାଚାର ହେଜେ ।ସ୍ୱର୍ଗେ ଶଚିପତି ଆସନେ ତପତି ପଡ଼ିବଟି ଯେତେବେଳେ,ସ୍ୱର୍ଗ ଅପସରୀ ଫୁଲମାଳ ଧରି ଦୁନ୍ଦୁଭି ବଜାଇ ଭୋଳେ ।ସୁରପରି ରାଜଇନ୍ଦ୍ର ଯେ ଆସିବେ ସଙ୍ଗେ ଘେନି ଦେବଗଣ,ଆଣି ପାରିଜାତ କରିବେଟି ନୃତ୍ୟ ଜୟ ସ୍ତୁତି ଉଚ୍ଚାରଣ ।ତେତିଶ କୋଟି ଦେବଗଣ ଜାଣିବେ ଜୟ ଶଙ୍ଖଧୂନି ଗୋଳେ,ଚଉଷଠି ଯୋଗ୍ନୀ ନବକୋଟି କାନ୍ତାନୀ ଜାଣିବେ ଦେବ ଗହଳେ ।ନିରାକାରବ୍ରହ୍ମ ଜ୍ୟୋତି ହେ ଆସିବେ ସଙ୍ଗେ ଘେନି ବିଷ୍ଣୁ ବୃନ୍ଦ,ଅଭୟ ଚରଣେ ମନକୁ ନିବେଶି ଜଣାଇବେ ଭଲ ମନ୍ଦ ।ଶେଷେ ଦଶଦିଶ ପାଳେ ଯେ ଆସିବେ ପ୍ରଭୁଙ୍କ ଦର୍ଶନ ପାଇଁ,ବ୍ରହ୍ମରୂପ ଦେଖି ଚରଣ ସେବିବେ ଆଜ୍ଞା ଥିବେ ଶିରେ ବହି ।ସେହି ଦିଗପାଳେ ମିଳିବେ ସକଳେ ବାନପ୍ରସ୍ଥ ସଂଖ୍ୟା ସେହି,ଶୁଣଗୁପ୍ତ ଭାବେ ବୁଝାଇ କହୁଛି ଯାହା ପଚାରିଲୁ ତୁହି ।ଅନନ୍ତ କୋଟି ସାଧୁ ଜଗତେ ବ୍ୟାପିବେ କଶା କଉପୁନୀ ମାରି,ପଦ୍ମିନୀ କନ୍ୟା ସଂସାରେ ଫେରିବେ ପ୍ରଭୁଙ୍କର ସେବା କରି ।ଅଖିଳ ଜୀବନ ଗୃହରେ ବ୍ୟାପିବେ ଚଉଦିଗ ଚାରିଖାନି,ମହିମା ସେବିଣ ରହିଥିବେ ଜାଣ ଗୁରୁଙ୍କର ଆଜ୍ଞାମାନି ।ତେତେବେଳେ କଳି ଲଗାଇବ ବାଦ ଶୁଣ ହେତୁ ଚେତା ଦେଇ,ବହୁତ କଷଣ ପାଇବେ ଭକତ ଗୁରୁଆଜ୍ଞା ଛାଡ଼ିଦେଇ ।ଦିବ୍ୟସିଂହଦେବ ଯେତେବେଳେ ବନ୍ଦି ହୋଇବ ରାଜକୁଳରେ,ତେଣୁ କରି କଳି ବଳିଆର ହେବ ନାଶିବ ଭକ୍ତ କୁଳରେ ।ପୂର୍ବର ବିଶ୍ୱାସ ନ ଛାଡ଼ିବେ ଭକ୍ତ ପ୍ରଭୁଙ୍କର ଯଶ କୀର୍ତ୍ତି,ଗୁପତେ ଖେଳିବୁ ଭକ୍ତଙ୍କର ସଙ୍ଗେ ବୁଝି ଥାଅ ଏ ଭାରତୀ ।ଖଣ୍ଡଗିରି ଗୁମ୍ଫା ଭିତରେ ଭକତ ରହିଥିବେ ବାର ଲକ୍ଷ,ଉଦୟ ବଟର ପାରୁଶରେ ସଭା ହୋଇବାକୁ ଶୁଣ ଠିକ ।ମୁକୁନ୍ଦ ଦେବଙ୍କ ବତିଶ ଅଙ୍କରେ ଚୌତ୍ରିଂଶ ପରିଯନ୍ତେ,ହେବ ମୀନଶନି ଶୁଣ ସ୍ଥିରବାଣୀ ଚେତିବେକଳ୍ଙ୍କୀ ଭକ୍ତେ ।ଷୋଳ କଳାରୁ ଯେ ଦ୍ୱାଦଶ କଳାରେ ପରିପୂର୍ଣ୍ଣ ହୋଇଥିବ,ଭାଷେ ଭୀମ ଭୋଇ ପଚିଶ ପଦରେ ରକ୍ଷା କର ଗୁରୁଦେବ ।
ଚତୁର୍ଥ ଅଧ୍ୟାୟ
ଶିରେ କର ଯୋଡ଼ି ପଦ୍ମପାଦେ ପଡ଼ି ବିନୟ ଭାବେ ପୁଚ୍ଛିଲା,ଗୁପତ ରାହାସ ଶୁଣି ହେଲି ତୋଷ କଥାଏ ମନେ ପଡ଼ିଲା ।ଶୁଣିଥିଲି ଦିନେ ଶ୍ରୀମୁଖ ବଚନେ ରାସରଙ୍ଗ କ୍ରୀଡ଼ାରସ,ସତ୍ୟ ତ୍ରେତୟା ଦ୍ୱାପର ଯେ କଳି ଚାରିଯୁଗର ରାହାସ ।ଏକାଣୋଇ ମୂର୍ତ୍ତି ଆଣିକଲ ସ୍ଥିତି ଚଉବର୍ଗ ଚାରି ଖାନୀ,ଚଉଷଠି ସିଦ୍ଧଙ୍କୁ ବାରି ଦେଲ ପ୍ରଭୁ ସନ୍ଦେହ ଲାଗିଲା ପୁଣି ।କେତେ ତପ କଲେ ସିଦ୍ଧ ବୋଲାଇଲେ ଆଉ ସପ୍ତବିଂଶ କଥା,କେଉଁ ନାମ ଦେଲ କିପରି ରଖିଲ ଆହେଚଉବର୍ଗ ଦାତା ।ଶ୍ରୀଗୁରୁ ଦେବ ଉବାଚଶୁଣ ଯୋଗ ମାୟା ପଚାରିଲ ଯାହା ସିଦ୍ଧମାନଙ୍କ ବୃତ୍ତାନ୍ତ,ଚଉଷଠି ସିଦ୍ଧଙ୍କୁ ଅତିଥି କରାଇ ଦେଲୁ ବ୍ରହ୍ମଚର୍ଯ୍ୟ ବ୍ରତ ।ବ୍ରହ୍ମଚର୍ଯ୍ୟ ବ୍ରତ ପାଳିଣ ଭକତ ଛଡ଼ଭାଗେ ପରିପୂର୍ଣ୍ଣ,ହେତୁ କରିଥାଅ ଯୋଗ ମାୟା ତୁହି ତିନିପୁରୁ ତିନିଜଣ ।ବାରି ଚେତିଥିବୁ ସାକ୍ଷାତେ ଦେଖିବୁ ତେତେବେଳକୁ ତୁ ଜାଣ,ତେତିକି ବେଳକୁ ଆଉ ସତାଇଶ ଥିବେ ଖଣ୍ଡଗିରି ସ୍ଥାନ ।ଚାରିଦିଗେ ଧ୍ୱନି ଦେବେ ମାରକଣ୍ଡ ଲକ୍ଷ୍ମୀ ତାଙ୍କ କରେ ଥିବେ,ସରସ୍ୱତୀ ପାଦ ମଞ୍ଚାଳି ଗୁପତେ ସେବା କରୁଥିବେ ଭାବେ ।ତପ ପରିପୂର୍ଣ୍ଣ ହୋଇବଟି ଜାଣ ରାମଚନ୍ଦ୍ର ରାଜତ୍ୱରେ,ମଧୁବନେ ଧୂନି ପକାଇବେ ପୁଣି କୁଞ୍ଜବନ ଦକ୍ଷିଣରେ ।ସେହିଠାରେ ସୈନ୍ୟ ଅଛନ୍ତି ଅପାର ଚେତିଥିବୁ ମହାମାୟୀ ।ବିମଳା ଦୁଆରୀ ତହିଁରେ ଅଛନ୍ତି ଏହା ନ କହିବୁ କାହିଁ ।ବାହାରିବେ ସୈନ୍ୟ ବିରାଟ କଟକେ ଜଗି ଚାହିଁଥିବୁ ବାଟ,ଉଠିବ ଧବଳ ଲାଗିବ କନ୍ଦଳ ବେନିକୁଳ ସୈନ୍ୟ ଭେଟ ।ବେନିକୁଳ କଥା ସନ୍ଦେହ ଲାଗିଲା ପଚାରୁଛି ମୁଢ଼ମତି,କ୍ଷମାକର ଦୋଷ ମୋର ପ୍ରାଣଈଶ ଆଜ୍ଞାକର ପ୍ରାଣପତି ।ତ୍ରେତୟା ଯୁଗରେ ସୀତାଙ୍କୁ ଯେ ବନ୍ଦି କରିଥିଲା ଲଙ୍କେଶ୍ୱର,ତାଙ୍କରି ଚରଣେ ସେବା କରୁଥିଲା ତ୍ରିଜଟା ନାମ ଯାହାର ।ତେରମାସ ସେବା କରିବା ନିଜର ସତୀ ପାଦେ ଭକ୍ତି କଲା,ସେହି କାରଣରେ ଏକଳି ଯୁଗରେ ପୃଥ୍ୱୀଭୋଗ ତାରେ ହେଲା ।ତେର ପୁରୁଷ ସେ କଲା ରାଜ ଭୋଗ ତେରମାସ ସେବା କରି ।ତୁଟିଲା ଆୟଷ କଳି ହେଲା ଶେଷଶୁଣ ଶୁଣ ଶାକାମ୍ବରୀ ।ତାଙ୍କ ସୈନ୍ୟବଳ ହୋଇବେ ପ୍ରବଳ ଅନ୍ୟାୟ କରିବେ ଜାଣ,ସହି ନ ପାରିଣ ଦେବଙ୍କର ସୈନ୍ୟ ହେବ ମହା ଘୋର ରଣ ।ସେ ପଞ୍ଚପାଣ୍ଡବେ ଗୁପତରେ ଥିବେ ଶୁଣିଥା ଅହେତୁ ମନେ,ବେନି କୁଳଙ୍କର ସମର ହୋଇବ ବିରାଟ ରାଜ ଭୁବନେ ।ତହିଁ ବେନିଲକ୍ଷ ହୋଇବେଟିହତ ବେନି କୁଳଙ୍କର ଦୂତ,ଜିହ୍ୱା ଲହ ଲହ କରିଣ ଧାଇଁବେ ଦୁର୍ଗା ଦେବୀଙ୍କର ଶିଷ୍ୟ ।ଏକଥା ନିଶ୍ଚୟ ହୋଇବଟି ଜାଣ ମାରକଣ୍ଡ ଚତୁର୍ଦ୍ଦଶେ,ଥୟ କରିଥିବୁ ଗୁପତେ ବୁଝିବୁ ତତେ ନହିଲୁଁ ବିଶ୍ୱାସେ ।ଲିଙ୍ଗରାଜଙ୍କର କ୍ଷେତ୍ରର ମଧ୍ୟରେ ଘୋର ସମର ହୋଇବ,ଏ ଖେଳ ହୋଇବ ବୁଝ ସ୍ଥିତି ଠାବ ନାଗରାୟେ ବେନିଯୁଗ ।କଳଙ୍କି ଖେଳକୁ ବାହାରିବେ ସୈନ୍ୟ ଦିଲ୍ଲୀ ଅଣ ଚାଳିଶରେ,ଉତ୍ତର ଦୁଆର ଜଗିଥିବେ ସୈନ୍ୟ ଚନ୍ଦ୍ର ଭାଗା ତୀର୍ଥଠାରେ ।ଶୂନ୍ୟ ଗୁରୁଙ୍କର କରୁଣା ସାଗରେ ଅଖିଳ ରହିବେ ଜାଣ,ଭଣେ ଭୀମ ଭୋଇ ବାଇଶ ପଦରେ କୀଟହୁଁ ମୁଁ କୀଟହୀନ ।
ପଞ୍ଚମ ଅଧ୍ୟାୟ
ଚନ୍ଦ୍ର ଭାଗା ତୀର୍ଥ କାହିଁକି ଜଗିଲେ ଆଜ୍ଞାକର ମହାବାହୁ,ଲଭିବି ମୁକତି ଶୁଣି କର୍ଣ୍ଣପଥ ପଦ୍ମକଳ୍ପ ବାଣୀ ଯହୁଁ ।ନିସ୍ତରିବି ସ୍ୱାମୀ ତୁମ୍ଭ ଗୁଣ ଶୁଣି ଭବିଷ୍ୟତ ବାଣୀ ଯେତେ,କେତେଦିନେ ଥୟ ହୋଇବ ମେଦିନୀ ଆଶାକରି ଅନୁବ୍ରତେ ।କରିଅଛି ଆଗ ଅଟଳ ବାକ୍ୟକୁ ପାଷାଣ ଗିରା ପରାଏ,କେମନ୍ତ ପ୍ରକାରେ ଚନ୍ଦ୍ରଭାଗା ସୈନ୍ୟ କିକାର୍ଯ୍ୟ କରିବେ ଗାଏ ।ମୁକୁନ୍ଦ ଦେବଙ୍କ ଏକଚାଳିଶରେ ବେଦପତି ଶୁଭ ଦେବେ,ସେହି କାରଣରୁ ସେଠାବରୁ ସୈନ୍ୟ ଅନୁକୂଳ ଆରମ୍ଭିବେ ।ସେଠାରେ ଆସିଣ ବେଦପତି ଜାଣ ସୈନ୍ୟ କଳିବ ଗୁପତେ,ବୁଝିଥିବୁ ସତ୍ୟ ରାମଚନ୍ଦ୍ର ଦେବ ନବଅଙ୍କେ ଅନୁମିତେ ।ବେନିଲକ୍ଷ ସୈନ୍ୟ ଗୁପତରେ ଗୁଣ ସପନାବତୀର ସ୍ଥାନେ,ହେତୁ କରିଥିବୁ ସାକ୍ଷାତେ ଦେଖିବୁ ଆଠଅଙ୍କେ ଅନୁଷଣେ ।ହେବ କଳି ରାଜା ଗୁପତେ ବିଡ଼ୋଯା ଭୋଗକରି ନରକୁଳ,ତେଣୁକରି ତୋତେ କହିଲୁ ଗୁପତେ ମତୁଆମାନଙ୍କ ଫଳ ।ଅମରାବତୀ କଟକେ ଦେବଗଣ ଗୁପତେ ଖେଳ କରିବେ,କ୍ଷୀରପାନ କରି ପ୍ରଭୁଙ୍କୁ ଦେଖିବା ଆଶା ପରିପୂର୍ଣ୍ଣ ଭବେ ।ଆଠଅଙ୍କ ଶେଷ ବୃଷମାସେ ଶୁଣ ଶୁକଳ ଦ୍ୱାଦଶୀ ଦିନମହନାଙ୍କ ଶୁଭ ଅନୁକୂଳ ଯୋଗ ଶୁଣିଥା ନିର୍ଣ୍ଣୟ ଜାଣ ।ଅର୍ଜ୍ଜୁନ ଆସିବେ ତାଙ୍କ ଦରଶନେ ପାଞ୍ଚଲକ୍ଷ ସୈନ୍ୟ ଘେନି,ଗୁପତେ ରହିବେ କେହି ନ ଜାଣିବେ ଶୁଣିଥା ନିର୍ଣ୍ଣୟ ବାଣୀ ।ଭୀମସେନ ବୀର ହୋଇ କୋପଭର ଗଙ୍ଗାନଦୀ ତୀରେ ପୁଣ,ଦର୍ଶନ ନିମନ୍ତେ ଆସିବ ଗୁପତେ ଘେନି ଗଦା ଭାରମାନ ।ନକୁଳ ଆସିବେ ଦର୍ଶନ ନିମନ୍ତେ ସୁରଭୀ ସୈନକୁ ଘେନି,ପଦାଘାତେ ମହୀ ଧୁଳି ପରିପୂର୍ଣ୍ଣ କରି ହମାରାବ ଧ୍ୱନି ।ସହଦେବ ଜାଣ ଘେନି ଋଷିଗଣ ପଶ୍ଚିମ ଦିଗରୁ ଆସି,କରିବେ ଦର୍ଶନ ଦେବଙ୍କ ଚରଣେ ବ୍ରହ୍ମଚର୍ଯ୍ୟ ବାଣୀଭାଷି ।ନେମାଳ ମଠରୁ ବାରହାତ ଖଣ୍ଡା ଘେନି ରାମଚନ୍ଦ୍ର ବୀର,ଖଣ୍ଡଗିରି ଠାରେ ପ୍ରବେଶ ହୋଇବେ ଉଦୟ ବଟ ପାଶର ।ଆଠଅଙ୍କ ଶେଷ ସୁନିଆ କାଟରେ ଚାହିଁ ଜଗିଥିବୁ ଘାଟ,ଫିରିଙ୍ଗି ଶିରରୁ ଖସି ପଡ଼ିବଟି ନିଶ୍ଚୟ ରାଜ ମୁକୁଟ ।କଳିଙ୍ଗା ଅସୁର ହୋଇ କୋପଭର କଳାପାହାଡ଼ରୁ ଜାଣ,ବିକଳାଙ୍ଗ ମୂର୍ତ୍ତି ଉଲୁସାଇ ଛାତି ରଡ଼ିଏ ଛାଡ଼ିବ ଶୁଣ ।ସ୍ୱର୍ଗେ ସୁରପତି ଆସନ କମ୍ପିବ ପାତାଳେ ବାସୁକି ଫଣା,ମଞ୍ଚେ ବେଦପତି ହେବ ଅଧାଧୂନ୍ଧ ନରକୁଳ ହେବ ବଣ ।ସେଦିନ ବ୍ରହ୍ମାଣ୍ଡ କମ୍ପି ନବଖଣ୍ଡ କାତର ହୋଇବ ଜାଣ,ବ୍ରହ୍ମବେତା ଯୋଗୀ ଋଷି ମାରକଣ୍ଡ ଫେଡ଼ିବେ ଏ କଷ୍ଟମାନ ।ଗୁପତ ସନ୍ଦେଶ ଫେଡ଼ି ଦେଲି ତୋତେ କାହିଁ ନ କହିବୁ ଏହା,ଭଣେ ଭୀମ ଭୋଇ ଉଣେଇଶପଦେ ସାହା ମୋର ଚଉବାହା ।
ସମ୍ବନ୍ଧିତ ରଚନା
ସ୍ତୁତି ଚିନ୍ତାମଣି
ଭୀମ ଭୋଇ
ବ୍ରହ୍ମନିରୂପଣ ଗୀତା
ଭୀମ ଭୋଇ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି