ଊନବିଂଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଊନବିଂଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚବଳି ଯେ ଅସୁରଙ୍କ ପତି ।ସ୍ୱଭାବେ ଧର୍ମେ ଥିଲା ମତି ॥
କୁଳ ଆଚାର୍ଯ୍ୟ ବାକ୍ୟ ଶୁଣି ।ଧର୍ମ ଅଧର୍ମ ମନେ ଗୁଣି ॥
ତୁନି ହୋଇଲା କ୍ଷଣେ ମାତ୍ର ।ଶିଥିଳ କମ୍ପମାନ ଗାତ୍ର ॥
ଦଣ୍ଡକେ ଗୁରୁ ମୁଖ ଚାହିଁ ।ମୁଖେ ହରଷ ଭାବ ବହି ॥
ବଳି ଉବାଚଭୋ ଗୁରୁ ସତ୍ୟ ତୋର କଥା ।ଗୃହସ୍ଥ ଜନର ବ୍ୟବସ୍ଥା ॥
ଯେ ଧର୍ମ କାମ ଅର୍ଥ ଯଶ ।ବୃତ୍ତି ସହିତେ ହୁଏ ନାଶ ॥
ଏମନ୍ତ ଧନ ଲୋଭେ ଭାବି ।ବିପ୍ରଙ୍କୁ କେମନ୍ତେ ଲଙ୍ଗିବି ॥
ସର୍ବ ଦେବତା ବିପ୍ର ଦେହେ ।ବ୍ରାହ୍ମଣ ଦେବେ ବିଷ୍ଣୁ ରହେ ॥
ଏକ ବିପ୍ରକୁ ବଞ୍ଚାଇଲେ ।ବ୍ରହ୍ମାଣ୍ଡେ ଯଶ କରି ଭଲେ ॥
ପ୍ରହ୍ଲାଦ ବଂଶେ ମୁହିଁ ଜାତ ।ଏ କଥା ଜଗତେ ବିଖ୍ୟାତ ॥
କପଟ ପ୍ରାୟେ ମାୟା କରି ।କେମନ୍ତେ ସଚ୍ୟ ବାକ୍ୟ ହରି ॥
ପଡ଼ି କପାଳ କର୍ମ ବଳେ ।ଅଯଶ ଲଭିବି ଶୟଳେ ॥
ସତ୍ୟ ଉପରେ ଧର୍ମ ନାହିଁ ।ଏ କଥା ପୃଥ୍ୱୀ ଅଛି କହି ॥
ଧର୍ମରେ ସମ୍ପଦ ପତନେ ।ନରକେ ନ ତରି ଯେସନେ ॥
ସ୍ୱସ୍ଥାନେ ଭୋଗ ନାହିଁ ତାପ ।ବିପ୍ର ଲଘଂନେ ଯେତେ ପାପ ॥
ସେ ଭୂମି ଛାଡ଼ି ଅନ୍ତକାଳେ ।ମୁଁ କି ପାଇବି ଅନ୍ତରାଳେ ॥
ଏ ଭୂମି ବିପ୍ରେ ବାକ୍ୟ ଦେଇ ।କେମନ୍ତେ ଲଘିଂବଇଁ ମୁହିଁ ॥
ପ୍ରାଣୀଙ୍କ ହିତ ସାଧୁଜନ ।ଯେ କରେ ଧନ୍ୟ ତା ଜୀବନ ॥
ମରୀଚି ଆଦି ଋଷି ଯେତେ ।ପୂର୍ବେ ଏ ସାଧନ ସମସ୍ତେ ॥
ପୃଥିବୀ ଆଶା ବଶ କଲେ ।ସଙ୍ଗତେ କିବା ଘେନିଗଲେ ॥
ମୋହର ବଂଶେ ଯେ ଦାନବେ ।
ଏ ଭୂମିଗତେ ଥିଲେ ସର୍ବେ ॥
ସେ ସର୍ବେ କାଳେ ଅସ୍ତ ହେଲେ ।ଯଶ ରହିଲା ମହୀତଳେ ॥
ସମରେ ଯେ ବୀର ପଶନ୍ତି ।ଆତ୍ମା ବିଚାର ନ କରନ୍ତି ॥
ଯେ ତୀର୍ଥେ ତ୍ୟଜନ୍ତି ଶରୀର ।ସ୍ୱଧର୍ମ କରନ୍ତି ବିଚାର ॥
ଯେ ସତପାତ୍ରେ ଦ୍ୟନ୍ତି ଦାନ ।ସେ ସର୍ବେ ସାତ୍ତ୍ୱିକ ଜୀବନ ॥
ଏ ସତ୍ୟ ଧର୍ମ ଦୁଇ କରି ।ତୁମ୍ଭ ବଚନ ମନେ ଧରି ॥
ଏ ମୋର ଶରୀର ନ ଥିବ ।ଏଥକୁ ସାକ୍ଷୀ ସଦାଶିବ ॥
ବ୍ରହ୍ମାର ବଂଶେ ଜାତ ହୋଇ ।ଏମନ୍ତ କହ କାହିଁ ପାଇଁ ॥
ମୁଁ ଯେ ଧରଣୀ ଦେବି ଦାନ ।ଏଥକୁ ସାକ୍ଷୀ ଭଗବାନ ॥
ବେଦ ବିଧାନ ଯେ ଜାଣନ୍ତି ।ଆତ୍ମାକୁ ସର୍ବଭୂତେ ଚିନ୍ତି ॥
ଅନେକ ଯଜ୍ଞ ମତେ ପୂଜି ।ଯାର ଚରଣେଭାବେ ମଜ୍ଜି ॥
ସେ ହରି ଦୟା ମୋତେ କରୁ ।ଅଥବା ଶରୀର ସଂହାରୁ ॥
ତହିଁକି ମୋର ଚିନ୍ତା ନାହିଁ ।ବିପ୍ରେ ଧରଣୀ ଦେବି ମୁହିଁ ॥
ଅଧର୍ମ ମାର୍ଗେ ଯେବେ ମୋତେ ।ବିପ୍ର ମାରିବେ କୋପ ଚିତ୍ତେ ॥
ଏ ବ୍ରହ୍ମା ତନୁ ନଷ୍ଟ ମୋର ।ମୁଁ ତ ଏହାର ନିର୍ବିକାର ॥
ଯେବେ ବ୍ରାହ୍ମଣ ରୂପ ଧରି ।ବିଷ୍ଣୁ ମୋ ସଙ୍ଗେ ବାଦ କରି ॥
ଯେବେ ମାରିବେ ଯୁଦ୍ଧେ ମୋତେ ।ମୋତହୁଁ ଧର୍ମ କେ ଜଗତେ ॥
ଶ୍ରୀ ଶୁକ ଉବାଚଏମନ୍ତ ଶୁଣି ବଳି ମୁଖେ ।ସେ ଭୃଗୁ ଅତି ମନଦୁଃଖେ ॥
ବଳିର ସତ୍ୟକଳ୍ପ ଦେଖି ।କ୍ରୋଧେ ଅରୁଣ କରି ଆଖି ॥
କଟାକ୍ଷ ନୟନେ ଅନାଇ ।ମୁଖେ କି ଅନଳ ଜଳଇ ॥
ନିର୍ଘାତେ କମ୍ପିତ ନିଃଶ୍ୱାସେ ।ବଳିକି ଶାପ ଦେଲେ ରୋଷେ ॥
ତୁ ସତ୍ୟ ସନ୍ଧ ନୃପମଣି ।ମୋହର ମହିମା ନ ଜାଣି ॥
ମୋ ବାକ୍ୟ ନକଲୁରେ ଦୁଷ୍ଟ ।ସର୍ବ ସମ୍ପଦ ହେଉ ନଷ୍ଟ ॥
ଏମନ୍ତ ଗୁରୁ ଶାପ ପାଇ ।ଧରଣୀ ଦାନେ ମନ ଦେଇ ॥
ବାମନ ବେନି ପାଦ ଧରି ।ଉଦକ ପୂର୍ବ ପୂଜାକରି ॥
ବଳିର ପତ୍ନୀ ବିନ୍ଧ୍ୟାବଳୀ ।କର୍ଣ୍ଣେ ଭୂଷଣ ରତ୍ନମାଳୀ ॥
ଉଦକ ପୂର୍ଣ୍ଣ ଘଟ ବେଗେ ।ଘେନି ମିଳିଲା ସ୍ୱାମୀ ଆଗେ ॥
ବଳି ବାମନ ପାଦ ଯୁଗେ ।ଜଳ ଢାଳିଲାନେଇ ବେଗେ ॥
ପାଦ ଉଦକ ଘେନି ଶିରେ ।ମନନ୍ଦେ ପୁଲକ ଶରୀରେ ॥
ଯେ ଜଳ ଭୁବନ ପାବିନୀ ।କାନ୍ତ କାମିନୀ ସଙ୍ଗେ ଘେନି ॥
କୃତାର୍ଥ ହୋଇ କରଯୋଡ଼ି ।ଚରଣେ ପୁନଃ ପୁନଃ ପଡ଼ି ॥
ଆନନ୍ଦ ସାଗରେ ବୁଡ଼ିଲେ ।ଶୂନ୍ୟେ ଯେ ଦେବେ ଶୁଣୁଥିଲେ ॥
ଗନ୍ଧର୍ବଗଣ ବିଦ୍ୟାଧର ।ସିଦ୍ଧ ଚାରଣ ଯେ କିନ୍ନର ॥
କରନ୍ତି ଜୟ ଜୟ ବାଣୀ ।କୁସୁମ କଳ୍ପବୃକ୍ଷ ଆଣି ॥
ସିଞ୍ଚିଣ ମନ୍ଦାକିନୀ ବାରି ।ପୁଷ୍ପ ବରଷି ସ୍ତୁତି କରି ॥
ସହସ୍ର ଦୁନ୍ଦୁଭି ଶବଦେ ।କମ୍ପଇ ଚତୁର୍ଦ୍ଦିଗବାଦ୍ୟେ ॥
ନୃତ୍ୟ କରନ୍ତି ଅପସରୀ ।ମଙ୍ଗଳ ଗୀତେ ନାଦ କରି ॥
ଆଗ ହୋଇଲା ତାର ରାଣୀ ।ବଳି ଯେ ଘେନି କୁଶପାଣି ॥
ବେଦ ବଚନେ ବାକ୍ୟ କରି ।ସ୍ୱାମୀ କାମିନୀ ମୋଦ ଭରି ॥
ବ୍ରାହ୍ମଣେ କର ସ୍ତୁତିନାଦ ।ଧରିଣ ଦେଲା ତିନିପାଦ ॥
ଆତ୍ମା ସନ୍ତୋଷେ ଯେତେ ଧନ ।ଦକ୍ଷିଣା ଦେଲା ଯଜମାନ ॥
ତାର ଦୁର୍ଲଭ କର୍ମ ଶୁଣି ।ଦେବେ କରନ୍ତି ଜୟବାଣୀ ॥
ବାମନ ହସ୍ତେ ଜଳ ଘେନି ।ପାଦକେ କମ୍ପିଲା ମେଦିନୀ ॥
ବାମନ ବଳି ମୁଖ ଚାହିଁ ।ବୋଇଲେ ଆଉ ମହୀ କାହିଁ ॥
ବଳି ବୋଇଲେ ଦେବି ସ୍ୱର୍ଗ ।ବାମନ ପାଦ ଦେଲେ ବେଗ ॥
ଦ୍ୱିତୀୟ ପାଦ ସ୍ୱର୍ଗେ ଢାଙ୍କେ ।ଘୋର ଶବଦ ଦିଗ କମ୍ପେ ॥
ଅଦ୍ଭୁତ ବାମନ ଶରୀର ।ପୂରିଲା ସ୍ୱର୍ଗ ଅଭ୍ୟନ୍ତର ॥
ବଳି ଯେ ଆଶ୍ଚର୍ଯ୍ୟ ଚକିତେ ।ପ୍ରବେଶ ବାମନ ଅଗ୍ରତେ ॥
ଦେଖଇ ବାମନ ଶରୀର ।ଦେବ ମାନବେ ଅଗୋଚର ॥
ନିର୍ଗୁଣ ଆତ୍ମା ସେ ସ୍ୱଭାବେ ।କିବା ଉପମା ଦେବା ଏବେ ॥
ବେନି ଚରଣେ ଭୂ-ଆକାଶେ ।ପର୍ବତ ଗଣେ ଜଙ୍ଘଦେଶେ ॥
ବିହଙ୍ଗ ଗଣ ଜାନୁ ମୂଳେ ।ଉଡ଼ନ୍ତି ଯେହ୍ନେ ଅନ୍ତରାଳେ ॥
ସନ୍ଧ୍ୟା ଦିଶଇ ବସ୍ତ୍ର ପ୍ରାୟେ ।ମରୁତଗଣ ଊରୁଦ୍ୱୟେ ॥
ଗୃହ୍ୟରେ ପ୍ରଜାପତି ଦିଶେ ।ଜଘନ ତଳର ରାକ୍ଷସେ ॥
ନାଭି ପ୍ରଦେଶେ ନଭ ଦିଶେ ।ସପତ ସିନ୍ଧୁ କୃକ୍ଷି ଦେଶେ ॥
ଉରେ ବିରାଜେ ତାରାଗଣ ।ଯେହ୍ନେ ଅଳଙ୍କାର ଭୂଷଣ ॥
ଧର୍ମ ବିଚାର ହୃଦ ମଧ୍ୟେ ।ନିଜ ଶରୀର ଅଧ ଊର୍ଦ୍ଧ୍ୱେ ॥
ସ୍ତନମଣ୍ଡଳେ ରୁତ ସତ୍ୟ ।ମନ ପ୍ରକାଶେ ନିଶାନାଥ ॥
କମଳ ହୃଦୟେ ବିରାଜେ ।କମଳ ବେନି ହସ୍ତେ ସାଜେ ॥
କଣ୍ଠେ ବିରାଜେ ସାମବେଦ ।ରସ ପ୍ରକାଶେ ଅନୁପଦ ॥
ଦେବତା ଆଦି ଦିଗପାଳେ ।ଦିଶନ୍ତି ଭୁଜ ଅନ୍ତରାଳେ ॥
ଗଗନ ଦିଶେ ଶିର ଦେଶେ ।ମେଘେ ବସନ୍ତି କେଶ ପାଶେ ॥
ନାସିକା ମଧ୍ୟେ ବହେ ଶ୍ୱାସ ।କର୍ଣ୍ଣେ ବିରାଜେ ସର୍ବଦିଶ ॥
ବେନି ଲୋଚନେ ରବି ଦିଶେ ।ବଦନେ ଅନଳ ପ୍ରକାଶେ ॥
ବାଣୀରେ ସପ୍ତଛନ୍ଦ ଦିଶେ ।ଜିହ୍ୱାରେ ବରୁଣ ପ୍ରକାଶେ ॥
ବିଧି ଯେ ନିଷେଧ ଭୂଦେଶେ ।ରାତ୍ର ଦିବସ ପକ୍ଷେ ଦିଶେ ॥
କ୍ରୋଧ ଲଲାଟେ ପ୍ରକାଶଇ ।ଅଧର ଦେଶେ ଲୋଭ ବହି ॥
ସ୍ପରଶେ କନ୍ଦର୍ପ ରହଇ ।ଯେତେ ସଲିଳ ବିରାଜଇ ॥
ଅଧର୍ମ ପୃଷ୍ଠଦେଶେ ରହେ ।କ୍ରମଶ ମାର୍ଗେ ଯୋଗଶୋହେ ॥
ଛାୟାରେ ମୃତ୍ୟୁ ବିରାଜଇ ।ହସିତ ମାୟାରେ ବସଇ ॥
ତନୁ ପାଦପେ ନାନା ଜାତି ।ଔଷଧ ବୃକ୍ଷ ବିରାଜନ୍ତି ॥
ନଦୀ ସମୁହ ନାଡ଼ୀ ଦେଶେ ।ଶିଳା ସମୂହ ନଖେ ବସେ ॥
ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେ ।ପ୍ରାଣେ ଦେବତା ଋଷି ସାଧ୍ୟେ ॥
ସ୍ଥାବର ଜଙ୍ଗମ ସହିତେ ।କୀଟ ପତଙ୍ଗ ଦିଶେ ଗାତ୍ରେ ॥
ସର୍ବାଙ୍ଗେ ଦିଶେ ତିନିପୁର ।ଦେବ ମାନବେ ଅଗୋଚର ॥
ନିଜ ଆୟୁଧ ଚତୁର୍ଭୁଜେ ।ଶଙ୍ଖ କମଳ ଚକ୍ର ସାଜେ ॥
ଗଦା ସାରଙ୍ଗ ଅଛି କର ।ତୃଣ ଅକ୍ଷୟ ବାଣଧର ॥
ସୁନନ୍ଦ ମୋକ୍ଷ ପାଇ ସାଧେ ।ସ୍ୱରୂପେ ସ୍ତବନ ଆନନ୍ଦେ ॥
ଦିଗ ଉଭାରି ଦିଗପାଳେ ।ମୁନି ବିବୁଧ ଅନ୍ତରାଳେ ॥
କିରୀଟ ଅଙ୍ଗଦ ଉଜ୍ଜ୍ୱଳ ।ଶ୍ରବଣେ ମକର କୁଣ୍ଡଳ ॥
ଶ୍ରୀବତ୍ସ ଚିହ୍ନ ବନମାଳା ।କଟିରେ ସୁବର୍ଣ୍ଣ ମେଖଳା ॥
ବନମାଳାର ଗନ୍ଧ ବାସେ ।ଭ୍ରମର ଉଡ଼ୁଛନ୍ତି ପାଶେ ॥
ପାଦକେ ଧରଣୀ ପୂରିା ।ଦ୍ୱିତୀୟେ ସ୍ୱର୍ଗ ଗ୍ରସ୍ତ ହେଲା ॥
ପୂରିଲା ଚତୁର୍ଭୁଜେ ଦିଗ ।ଶରୀରେ ପୁରେ ନଭୋମାର୍ଗ ॥
ଏମନ୍ତେ ବାମନର ଦେହୀ ।ତୃତୀୟ ପାଦ ଠାବ ନାହିଁ ॥
ମହତ ଜନ ତପଲୋକ ।ଲୁଚିଲା ବାମନ ମସ୍ତକ ॥
ବୋଇଲା ବିପ୍ର ଜଗନ୍ନାଥ ।ଅଦ୍ଭୁତ ବାମନ ଚରିତ ॥
ସୁଜନେ ଶୁଣ ଏକ ଚିତ୍ତେ ।ଭାଷା ପ୍ରବନ୍ଧେ ଭାଗବତେ ॥
ବଳି ବାମନ ଏ ପ୍ରସ୍ତାବ ।ଶୁଣି ତ୍ରିତାପୁଁ ନିସ୍ତରିବ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବାମନ ବିଶ୍ୱରୂପ ଦର୍ଶନେନାମ ଊନବିଂଶୋଽଧ୍ୟାୟଃ ।
ବିଂଶ ଅଧ୍ୟାୟ
ବାମନ ରୂପ ତେଜ ଦେଖି ।ବୁଜିଲେ ହର ବ୍ରହ୍ମା ଆଖି ॥
ବ୍ରହ୍ମା ମରୀଚି ମୁନିଗଣେ ।ମିଳିଲେ ବାମନ ଚରଣେ ॥
ସନକ ଆଦି ଋଷିଗଣେ ।ନମିଲେ ବାମନ ଚରଣେ ॥
ପୁରାଣ ଇତିହାସ ବେଦ ।ତର୍କ ସଂହିତା ଉପବେଦ ॥
ଯମ ନିୟମ ବେନିପାଶେ ।ସର୍ବେ ମିଳିଲେ ମହାତ୍ରାସେ ॥
ଅପରେ ଯୋଗୀ ସିଦ୍ଧ ଯେତେ ।ଜ୍ଞାନୀଏ ଅନଳ ସମେତେ ॥
ଅଶେଷ କର୍ମବଦ୍ଧ ପାଶି ।ଅଭ୍ୟାସ କରି ଭବରାଶି ॥
ବେଗେ ମିଳିଲେ ମୋଦଭରି ।ସ୍ତୁତି ବଚନେ ସ୍ତୁତି କରି ॥
ବିରଞ୍ଚି ଅତି ତୋଷମନେ ।କରେ ସଂପୁଟ ଉପାସନେ ॥
ବାମନ ପାଦ ତଳେ ଯାଇ ।ତକ୍ଷଣେ ବ୍ରହ୍ମଜ୍ଞାନ ପାଇ ॥
ଯେ ବିଷ୍ଣୁ ନାଭିପଦୁ ଜାତ ।ଯାହାରେ ସର୍ଜିଲା ଜଗତ ॥
ଆନନ୍ଦେ କମଣ୍ଡଳୁ ଭରି ।ଶୁଚି ପବିତ୍ର ଗଙ୍ଗାବାରି ॥
ମନ୍ତ୍ର ଉଚ୍ଚାରି ହସ୍ତେ ଘେନି ।ଯେ ନୀର ଭୁବନ ପାବନୀ ॥
ବାମନ ପାଦ ଶୂନ୍ୟେ ଗଲା ।ବାଜନ୍ତେ ବ୍ରହ୍ମାଣ୍ଡ ଫାଟିଲା ॥
ବ୍ରହ୍ମାଣ୍ଡ ରନ୍ଧ୍ରେ ଜଳରାଶି ।ବେଗେ ବ୍ରହ୍ମାଣ୍ଡ ମଧ୍ୟେ ପଶି ॥
ବିଷ୍ଣୁର ପାଦ ପଖାଳିଲା ।ବ୍ରହ୍ମାର ଭୁବନେ ମିଳିଲା ॥
ସେ ଜଳ କମଣ୍ଡଳୁ ଘେନି ।ବିଷ୍ଣୁ ସମୀପେ ପଦ୍ମଯୋନି ॥
ସଙ୍ଗରେ ଘେନି ଦେବଗଣ ।ଯେ ସିଦ୍ଧ କିନ୍ନର ଚାରଣ ॥
ନମି ବାମନ ପାଦତଳେ ।ନିଶ୍ଚଳେ ରହି ସ୍ତବ କଲେ ॥
ଗଙ୍ଗା ଯେ ଥିଲା କମଣ୍ଡଳେ ।ବ୍ରହ୍ମା ତା ବିଷ୍ଣୁପାଦେ ଢାଳେ ॥
ଶୁଦ୍ଧ ପବିତ୍ର ଜଳରାଶି ।ଗୋବିନ୍ଦ ନଖକୋଣେ ପଶି ॥
ତହୁଁ ଉଛୁଳି ଅନ୍ତରୀକ୍ଷେ ।ପଡ଼ିଲା ଋଷିଙ୍କ ସମୀକ୍ଷେ ॥
ସୋମ ଆଦିତ୍ୟ ଲୋକେ ଜିଣି ।ସ୍ୱର୍ଗେ ପଡ଼ିଲା ତରଙ୍ଗିଣୀ ॥
ସୁମେରୁ ଶିଖେ ଅନ୍ତରୀକ୍ଷେ ।ସେ ଜଳେ ପଡ଼ି ପ୍ରତ୍ୟକ୍ଷେ ॥
ଚତୁରଦିଗେ ଚାରିଧାରେ ।ପଡ଼ିଲା ଧରଣୀ ଉପରେ ॥
ସମୁଦ୍ରେ ପଶି ଚାରିଦିଗେ ।ନଦୀ ସ୍ୱଭାବେ ଅତି ବେଗେ ॥
ଏବେ ହୋ ଶୁଣ ମହୀପତି ।ବରୁଣ ଧ୍ୟାୟି ପ୍ରଜାପତି ॥
ଘେନି ସୁଗନ୍ଧ ପୁଷ୍ପମାଳ ।ଚନ୍ଦନ କର୍ପୂର ସଲିଳ ॥
ସନ୍ନିଧେ ଧୂପ ଦୀପ ଥୋଇ ।ଫଳ ଅକ୍ଷତ ମନ୍ତ୍ରେ ଦେଇ ॥
ଜୟ ଶବଦେ ସ୍ତୁତି ଭଣି ।ନିର୍ମଳ ବାକ୍ୟ ବେଦବାଣୀ ॥
ବିଷ୍ଣୁର ମହିମା ଉକତେ ।ତାଣ୍ଡବ ବାଦ୍ୟ ନୃତ୍ୟଗୀତେ ॥
ଶଙ୍ଖ ଦୁନ୍ଦୁଭି ନାଦ ଘୋଷେ ।ବ୍ରହ୍ମା ଯେ ମିଳି ବିଷ୍ଣୁ ପାଶେ ॥
ଅତି ଉଲ୍ଲାସେ ସୁଖ ମନେ ।ଶଙ୍ଖ ଦୁନ୍ଦୁଭି ନାଦ ସ୍ୱନେ ॥
ବିଷ୍ଣୁର ଯଶ ଗାଇ ତୋଷେ ।ଯେ ଶଙ୍ଖପୂରେ ଦଶଦିଶେ ॥
ଏମନ୍ତେ ମହୋତ୍ସବ ଦେଖି ।ଅସୁରେ ଭୁବନ ଉପେକ୍ଷି ॥
ଦ୍ୱିପାଦ ଦାନେ ସ୍ୱର୍ଗ ମହୀ ।ପୂରିଲା ବାମନର ଦେହୀ ॥
ସ୍ୱସ୍ଥାନେ ରହି ନ ପାରିଲେ ।ବଳିର ସମୀପେ ମିଳିଲେ ॥
ରହି ବଚନ କୋପ ଚିତ୍ତେ ।ବୋଲନ୍ତି ବଳିର ଅଗ୍ରତେ ॥
ବ୍ରାହ୍ମଣ ନୁହଁଇ ବାମନ ।କପଟେ ମାଗି ଭୂମି ଦାନ ॥
ମାୟାବୀମାନଙ୍କର ବର ।ସମ୍ପଦ ହରିଲା ଆମ୍ଭର ॥
ବାମନ ରୂପ ଏ ଜଗତେ ।ଦେବଙ୍କ କାର୍ଯ୍ୟ ସିଦ୍ଧି ଅର୍ଥେ ॥
ଆମ୍ଭର ରିପୁ ଏ ବାମନ ।କପଟେ ମାଗି ଭୂମି ଦାନ ॥
ଏ ମାୟା ବ୍ରାହ୍ମଣ ଶରୀରେ ।ସମ୍ପଦ ହରିଲା ଆମ୍ଭରେ ॥
ଏ ବଳି ନିତ୍ୟ ସତ୍ୟବ୍ରତ ।ବିଶେଷ ବ୍ରାହ୍ମଣ ଭକତ ॥
କେବେ ହେଁ ମିଥ୍ୟା ଏ ନ କହେ ।ଦୁଃଖୀଜନଙ୍କୁ ଦୟାବହେ ॥
ଆମ୍ଭର ପ୍ରଭୁ ଏ ରାଜନ ।ନିଶ୍ଚେ ବଇରୀ ଏ ବାମନ ॥
ଆସ ଏହାକୁ ବଧକର ।ବଳିକୁ ସଙ୍କଟୁ ଉଦ୍ଧାର ॥
ଏ ମଲେ ଶତ୍ରୁ ନାହିଁ ଦୁଜା ।ବଳି ହୋଇବ ସ୍ୱର୍ଗେ ରାଜା ॥
ତେବେ ସେ ଆମର ଜୀବନ ।ସଫଳ କଲେ ଏହା ମନ ॥
ଏମନ୍ତେ ବୋଲି ଏକଚିତ୍ତେ ।ଅସୁର ଧାଇଁଲେ ତ୍ୱରିତେ ॥
ଶୂଳ ଖଡ଼ଗ ହସ୍ତେ ଧରି ।ଧାଇଁଲେ ଘୋର ନାଦ କରି ॥
ଶବଦେ ଭୁବନ କମ୍ପିଲା ।ସିନ୍ଧୁ କି ଉଛୁଳି ପଡ଼ିଲା ॥
ତାହାଙ୍କୁ ଦେଖି ବିଷ୍ଣୁଗଣେ ।ତକ୍ଷଣେ ବାହାରିଲେ ରଣେ ॥
ମିଳିଲେ କରେ ଶସ୍ତ୍ର ଧରି ।ଶଙ୍ଖ ଶବଦ ମୋଦ ଭରି ॥
ନନ୍ଦ ସୁନନ୍ଦ ଜୟ ଆଦି ।ବିଜୟ ସୁବଳ ସୁବୁଦ୍ଧି ॥
ବଳ କୁମୁଦ କୁମୁଦାକ୍ଷ ।ବିଶ୍ୱକେସନ ଆଦି ବତ୍ସ ॥
ବିନତା ସୁତ ଯେ ଜୟନ୍ତ ।ସୁବାହୁ ପିଙ୍ଗଳ ମୁଦ୍ରିତ ॥
ସାତ୍ତ୍ୱିକ ପୁଷ୍ପଦନ୍ତ ବୀର ।ଶ୍ରୀଦେବ ବସୁ ମନୋହର ॥
ଦଶ ସହସ୍ର ହସ୍ତୀବଳ ।ସ୍ୱଭାବେ ତେଜ ଅନର୍ଗଳ ॥
ବେଗେ ଧାଇଁଲେ ଘୋର ରଣେ ।କୁଞ୍ଜର ଯେହ୍ନେ ପଦ୍ମ ବନେ ॥
ଅସୁର ବଳ ନାଶ ଦେଖି ।ବଳି ହୋଇଲା ମନେ ଦୁଃଖୀ ॥
ଗୁରୁବଚନ ମନେ ସ୍ମରି ।ବୋଇଲା ଜଣ ଜଣ କରି ॥
ହେ ବିପ୍ରଚିତ୍ତ ହେ ପ୍ରହେତି ।ହେ ରାହୁ ତାରକ ସୁମତି ॥
ମୋର ବଚନ ଚିତ୍ତେ ଧର ।କେହେ ହେଁ ସମର ନକର ॥
ଆମ୍ଭର ନୁହେଁ ଯଶକାଳ ।ଈଶ୍ୱର କାୟା ଅନ୍ତରାଳ ॥
ଯେ ପ୍ରଭୁ ବଳେ ବଳବନ୍ତା ।ପ୍ରାଣୀଙ୍କ ଦୁଃଖ ସୁଖଦାତା ॥
ସେ ଯେ ଅଶେଷ ମାୟାଧର ।ସଂସାର ଯାର ଖେଳଘର ॥
ଯାହାକୁ କାଳ ବାମ ହୋଇ ।ତାହାର ଜୟ ଯଶ ନାହିଁ ॥
ଯେବେ ଦଇବ ଆମ୍ଭ ପକ୍ଷ ।ପ୍ରସନ୍ନ ହୋଇବା ପ୍ରତୃକ୍ଷ ॥
ତେବେ ଜିଣିବା ଆମ୍ଭେ ରଣେ ।ଏମନ୍ତେ ବୋଧି ଜଣେ ଜଣେ ॥
ଶ୍ରୀ ଶୁକ ଉବାଚବଳି ବଚନ ବୀରେ ଶୁଣି ।ଜୟ ବିଜୟ ପରିମାଣି ॥
ପୁଣି ମିଳିବା ଜୟକାଳେ ।ଏମନ୍ତ ବୋଲି ରସାତଳେ ॥
ପଶିଲେ ମନେ କ୍ରୋଧ କରି ।ଏବେ ହୋ ଶୁଣ ଦଣ୍ଡଧାରୀ ॥
ଗରୁଡ଼ ବିଷ୍ଣୁ ଆଜ୍ଞା ପାଇ ।ବଳି ସମୀପେ କ୍ରୋଧ ବହି ॥
ବରୁଣ ପାଶ ଘେନି କରେ ।ବଳିକୁ ଯଜ୍ଞର ଶାଳରେ ॥
ସୋମ ଅଭିଷେକ ଦିବସେ ।ବଳିକି ବାନ୍ଦେ ଅତି ରୋଷେ ॥
ଶୁଭିଲା ହାହାକାର ନାଦ ।ଅସୁରେ ହୋଇଲେ ବିଷାଦ ॥
ବଳିର ଦେଖିଣ ବନ୍ଧନ ।ବୋଲନ୍ତି ପ୍ରଭୁ ଭଗବାନ ॥
ତୃତୀୟ ପାଦ ମୋର କରେ ।ଦେଲୁ ଯେ ଓଁକାର ଉଚ୍ଚାରେ ॥
ଭୂମି ଗଗନ ଏକ ପାଦେ ।ଆବର ପାଦଶୂନ୍ୟ ଭେଦେ ॥
ତୃତୀୟ ପାଦ ଏବେ ଦିଅ ।ସକଳ ଦୁଃଖୁ ପାରି ହୁଅ ॥
ଯାବତ ଚନ୍ଦ୍ର ସୂର୍ଯ୍ୟ ଦିଶେ ।ତପନ ଅନଳ ପ୍ରକାଶେ ॥
ତାବତ ଭୂମି ଏ ତୋହର ।ମୁଁ ଯେ ଘେନିବି ତିନିପୁର ॥
ତୃତୀୟ ପାଦ ସ୍ଥାନ ଦେଇ ।ତୁ ଏବେ ଥାଅ ସୁଖୀ ହୋଇ ॥
ନ ଦେଲେ ପଡ଼ିବୁ ନରକେ ।ଅଯଶ ଥିବ ତିନିଲୋକେ ॥
ଏମନ୍ତ ବଳି ଆଗେ କହି ।ବିଷ୍ଣୁ ରହିଲେ ସ୍ଥିର ହୋଇ ॥
ବୋଲଇ ବିପ୍ର ଜଗନ୍ନାଥ ।ସୁଜନ ହିତେ ଭାଗବତ ॥
ସୁଜନ ଏଣେ ମନ ଦିଅ ।ଯେଣେ ଖଣ୍ଡିବ ମାୟାମୋହ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ବନ୍ଧନେନାମ ବିଂଶୋଽଧ୍ୟାୟଃ ।
ଏକବିଂଶ ଅଧ୍ୟାୟଶ୍ରୀ ଶୁକ ଉବାଚବଳିକୁ ହରି ଯେତେବେଳେ ।ବନ୍ଧନ କଲେ ଦାନ ଛଳେ ॥
ବନ୍ଧନ ଦୁଃଖ ବଳି ମନ ।କେହେ ହେଁ ନ ହୋଇଲା ଛନ୍ନ ॥
ନିର୍ବାଣ ପଣେ ଚିତ୍ତ ଦେଇ ।ବୋଲେ ବାମନ ମୁଖ ଚାହିଁ ॥
ବଳି ଉବାଚଭୋ ନାଥ ମୋର ବାକ୍ୟ ଯେବେ ।ମୁଁ ନ ଲଙ୍ଗିବି ଦୁଷ୍ଟଭାବେ ॥
ଏକଥା କେବେ ହେଁ ନ ଘଟେ ।ଯେବେ ଜୀବନ ମୋର ତୁଟେ ॥
ତ୍ରିପାଦ ଭୂମି ମୋର ହସ୍ତେ ।ଦେଇ ମୁଁ ଲଘିଂବି କେମନ୍ତେ ॥
ଚରଣ ଅଛି ଯେବେ ତୋର ।ଭୋ ନାଥ ଦିଅ ମୁଣ୍ଡେ ମୋର ॥
ନରକେ ମୋର ଭୟ ନାହିଁ ।ପାଶ ବନ୍ଧନେ ନ ଡରଇ ॥
ମୋର ନିଗ୍ରହେ ନାହିଁ ଭୟ ।ଅସାଧୁ ବାଦେ ମୋର ଭୟ ॥
ଆମ୍ଭର ଚକ୍ଷୁ ମଦେ ଅନ୍ଧ ।ସତ୍ୟ ଯେ ମଣୁ ଏ ସମ୍ପଦ ॥
ସର୍ବ ଅର୍ଜ୍ଜନ ଆୟୁ ଯଶ ।ବାହାରେ କରୁ ତୁ ପ୍ରକାଶ ॥
ବଇରୀ କରି ତୋ ବିଷୟେ ।ପୂର୍ବେ ଯେ ଥିଲେ ମହାଶୟେ ॥
ଅନ୍ତେ ଲଭିଲେ ତୋ ଚରଣ ।ଅନେକ ସିଦ୍ଧ ମୁନିଗଣ ॥
ତୁ ନାଥ ମୋତେ ଦୟାକରି ।ବରୁଣ ପାଶେ ବନ୍ଦୀ କରି ॥
ନିଗ୍ରହ କରୁ ଯେତେ ମୋତେ ।ସେ ଭୟ ନାହିଁ ମୋର ଚିତ୍ତେ ॥
ତୋ ଭକ୍ତ ମୋର ପିତାମୟ ।ସୁସାଧୁ ଗଣେ ମହାଶୟ ॥
ତୋର ଚରଣେ ଆଶ୍ରେ କଲା ।ପିତାର ଦଣ୍ଡୁ ନିସ୍ତରିଲା ॥
ଜାଣଇ ମିଥ୍ୟା ଏ ସଂସାର ।କେ ବନ୍ଧୁ ଅବା ଅଛି ପର ॥
କେବା ଜନନୀ ଭ୍ରାତା ସୁତ ।କିବା ସମ୍ପଦ ଏ ଜଗତ ॥
ଅନ୍ତେ ପଶିଲେ ତୋରପାଦେ ।ମାୟା ଜିଣିଲେ ଅପ୍ରମାଦେ ॥
ରହିଲେ ପାରିଷଦ ହୋଇ ।ଜନ୍ମ ମରଣ ଆଉ କାହିଁ ॥
ତୋର ମହିମା ଭାବଗ୍ରାହୀ ।ମୂଢ଼େ ଜାଣିବେ ଅବା କାହିଁ ॥
ଶ୍ରୀ ଶୁକ ଉବାଚଏମନ୍ତ କହୁ କହୁ ବଳି ।ଗଗନେ ଗର୍ଜନ ଉଛୁଳି ॥
ଆକାଶ ପୁରେ ଶଙ୍ଖନାଦ ।ତକ୍ଷଣେ ମିଳିଲା ପ୍ରହ୍ଲାଦ ॥
ବଳି ମିଳିଲା ତାକୁ ଦେଖି ।ବାମନ ସମୀପେ ଉପେକ୍ଷି ॥
ବିଷ୍ଣୁର ପ୍ରାୟ ତାର ତେଜ ।ତୁଲ୍ୟ ନୁହଇ ଗ୍ରହରାଜ ॥
ପୀତ ବସନ ପରିଧାନ ।ସୁନ୍ଦର ନଳୀନ ନୟନ ॥
ଆଜାନୁ ବେନି ବାହୁ ଶୋହେ ।ରୂପେ ଅନଙ୍ଗ ସରି ନୋହେ ॥
ଏମନ୍ତ ପ୍ରହ୍ଲାଦର ପାଦେ ।ଆନନ୍ଦ ଶୋକ ଗଦଗଦେ ॥
ଚରଣେ ଦଣ୍ଡବତ ହୋଇ ।ମନ କଳ୍ପିତେ ଅର୍ଘ୍ୟ ଦେଇ ॥
କହିଲା ପିତାମହ ପାଶେ ।ବାମନ ଅନୁଗ୍ରହ ଆଶେ ॥
ସେ ପ୍ରହଲ୍ଲାଦ ଅତି ବେଗେ ।ମିଳିଲା ବିଷ୍ଣୁପାଦ ଯୁଗେ ॥
ଆନନ୍ଦେ ଅଶ୍ରୁଜଳେ ଭରି ।କର ଅଞ୍ଜଳି ଶିରେ ଧରି ॥
ପୁଲକ ଅଶ୍ରୁ ଗଦ ଗଦ ।ସ୍ତୁତି କରଇ ପ୍ରହଲାଦ ॥
ତୁ ନାଥ ଅନୁଗ୍ରହ ମନେ ।ଏହାକୁ ସ୍ଥାପି ଇନ୍ଦ୍ରାସନେ ॥
ପୁଣି ନାଶିଲୁ ସୁଖସ୍ଥାନୁ ।ଯେଣୁ ହୋଇଲା ତୋତେ ମନ୍ୟୁ ॥
ନିଶ୍ଚୟ କଲୁ ଅନୁଗ୍ରହ ।ତୋତେ ନାଶିଲୁ ମାୟାମୋହ ॥
ନମସ୍ତେ ଜଗତ ଈଶ୍ୱର ।ନମସ୍ତେ ଶଙ୍ଖଚକ୍ରଧର ॥
ତୁ ନାରାୟଣ ବିଶ୍ୱଗୁରୁ ।ମହା ମହିମା ମହାମେରୁ ॥
ଆତ୍ମା ପ୍ରକାଶ ସର୍ବଭୂତେ ।ଭୋନାଥ ନମସ୍ତେ ନମସ୍ତେ ॥
ଶ୍ରୀ ଶୁକ ଉବାଚପ୍ରହଲାଦର ଭକ୍ତି ଦେଖି ।ହିରଣ୍ୟଗର୍ଭ ମନେ ସୁଖୀ ॥
ବେଗେ ନମିଲେ ବିଷ୍ଣୁପାଦେ ।ଚତୁର ମୁଖେ ବେଦନାଦେ ॥
ବଳିର ପତ୍ନୀ ଆସି ବେଗେ ।ବିଷ୍ଣୁ ଚରଣେ ଅନୁରାଗେ ॥
ସ୍ୱାମୀ ବଚନେ ଅତି ଦୁଃଖୀ ।ସ୍ତୁତି କରଇ ଅଶ୍ରୁମୁଖୀ ॥
ବିନ୍ଧ୍ୟାବଳୀ ଉବାଚଭୋନାଥ ନିଜ କ୍ରୀଡ଼ା ଅର୍ଥେ ।ତୋର ପ୍ରକାଶ ଏ ଜଗତେ ॥
ତୋହର ମହିମା ନ ଜାଣି ।ଗର୍ବ ବହନ୍ତି ଯେତେ ପ୍ରାଣୀ ॥
ଜ୍ଞାନ ହରାନ୍ତି ସୁଖ ଭୋଳେ ।ସେ କାହିଁ ଥିବେ ଏ ଶୟଳେ ॥
ବ୍ରହ୍ମୋବାଚଭୂତ ଭାବନ ଭୂତଈଶ ।ହେ ଦେବ ଦେବ ଜଗଦୀଶ ॥
ଏହାକୁ ନିଗ୍ରହ ତୁ କଲୁ ।ବରୁଣ ପାଶରେ ବାନ୍ଧିଲୁ ॥
ସର୍ବ ସମ୍ପଦ ଦେଇ ତୋତେ ।ଭ୍ରାନ୍ତି ନ କଲା କିଛି ଚିତ୍ତେ ॥
ତ୍ରିଲୋକ ତୋତେ ଦାନ ଦେଲା ।ଚିତ୍ତେ ବିଷାଦ ନ ଚିନ୍ତିଲା ॥
ତୁ ନାଥ ବସୁ ସର୍ବଭୂତେ ।ଏହାକୁ ବାନ୍ଧିଲୁ କେମନ୍ତେ ॥
ତୁ ନାଥ ସର୍ବ ଚିତ୍ତ ଜାଣୁ ।କେ ତୋର ମହିମା ବଖାଣୁ ॥
ବ୍ରହ୍ମାର ବାକ୍ୟ ଶୁଣି ହରି ।ବଳିକି ଚିତ୍ତେ ଦୟାକରି ॥
ବୋଲନ୍ତି ପ୍ରଭୁ ଭଗବାନ ।ବିଧାତା ଶୁଣ ମୋ ବଚନ ॥
ଶ୍ରୀ ଭଗବାନୁବାଚମୁଁ ଯାକୁ ଅନୁଗ୍ରହ କରେ ।ସର୍ବ ସମ୍ପଦ ବେଗେ ହରେ ॥
ଯେ ଅର୍ଥ କାମେ ମତ୍ତ ହୋଇ ।ପର ଅପର ନ ଜାଣଇ ॥
ମୁଁ ଯେ ବସଇ ସର୍ବଭୂତେ ।ମୋତେ ନ ମାନେ ଗର୍ବଚିତ୍ତେ ॥
ଏ ଜୀବ ଆତ୍ମା ନିଜ କର୍ମେ ।ମାୟାରେ ସର୍ବଭୂତେ ଭ୍ରମେ ॥
ନାନା ଯୋନିରେ ଜାତ ହୋଇ ।ଜ୍ଞାନ ନ ଲଭେ ମାୟାମୋହି ॥
ଜନ୍ମ ମରଣ ମାୟାରୂପ ।ବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ ॥
ଏ ଭାବେ ଗର୍ବ ଯାର ନାହିଁ ।ମୋହର ଅନୁଗ୍ରହ ତହିଁ ॥
ଯେ ଜନ ଦମ୍ଭମାନ ବହେ ।ଧନ ସମ୍ପଦ ମୋହ ହୁଏ ॥
ସେ ମୋତେ ଜାଣିବ କେମନ୍ତେ ।ମାୟା ମୋହିତ ଅବିରତେ ॥
ଏ ଯେ ଦାନବ ଦୈତ୍ୟରାଜା ।ନିଜ ସ୍ୱଭାବେ ମହାତେଜା ॥
ଅସୁର ବୁଦ୍ଧି ନ ଘେନିଲା ।ଗୁରୁ ବଚନ ନ ମାନିଲା ॥
ବନ୍ଧୁବାନ୍ଧବ ଜ୍ଞାତି ଯେତେ ।ଏହାକୁ ଛାଡ଼ିଲେ ସମସ୍ତେ ॥
କେବେ ହେଁ ସତ୍ୟ ନ ଛାଡ଼ିଲା ।ମୋର ବଚନେ ମନ ଦେଲା ॥
ଏ ଭୂମି ଦାନ ଦେଲା ମୋତେ ।ତ୍ରୈଲୋକ୍ୟେ ଥିବ ଏ କେମନ୍ତେ ॥
ଏହାକୁ ଦେବି ଦିବ୍ୟସ୍ଥାନ ।ସୁରଙ୍କୁ ଦୁର୍ଲ୍ଲଭ ଭୁବନ ॥
ନିର୍ମଳ ବିଶ୍ୱକର୍ମାପୁର ।ଦେବ ଦାନବେ ଅଗୋଚର ॥
ଯେ ପୁରେ ଯୁଗ ସଂଖ୍ୟା ନାହିଁ ।କାଳର ତେଜ ନ ଲାଗଇ ॥
ସେ ପୁରେ ଥିବ ଦିନା କେତେ ।ସାବର୍ଣ୍ଣି ମନୁ ପରିଯନ୍ତେ ॥
ସେ ମନୁକାଳ ସ୍ୱର୍ଗପୁରେ ।ବସିବ ଅମର ଶରୀରେ ॥
ଇନ୍ଦ୍ର ହୋଇବ ସ୍ୱର୍ଗଦେଶେ ।ମୁଁ ପୁଣି ଥିବି ଏହା ପାଶେ ॥
ନିଶ୍ଚିନ୍ତେ ଥାଉ ଏ ସୁତଳେ ।ଦାରା ତନୟ ବନ୍ଧୁମେଳେ ॥
ଧନ ହିଁ ଥିବ ଅପ୍ରମିତ ।ଶତ୍ରୁ ନୋହିବ ଉପଗତ ॥
ସୁଦରଶନ ତା ପ୍ରତ୍ୟକ୍ଷେ ।ଆବୋରି ଥିବ ଅନ୍ତରୀକ୍ଷେ ॥
ଦୈତ୍ୟଦାନବ ତାର ସଙ୍ଗେ ।ନିଶ୍ଚିନ୍ତେ ଥିବେ ମନରଙ୍ଗେ ॥
ମୁହିଁ ଯେ କରେ ଗଦା ଧରି ।ଥିବଇଁ ତୋ ପୁର ଆବୋରି ॥
ନିରତେ ଦେଖୁଥିବ ଚିତ୍ତେ ।ଥିବି ମୁଁ ତାହାର ଅଗ୍ରତେ ॥
ଏମନ୍ତ କହି ଭଗବାନ ।ଫେଡ଼ିଲେ ବଳିର ବନ୍ଧନ ॥
ସେ ହରି ଚରଣ ପଙ୍କତେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳିବନ୍ଧନ ମୋକ୍ଷଣେବାମନ ପ୍ରସନ୍ନେ ନାମ ଏକବିଂଶୋଽଧ୍ୟାୟଃ ।
ଦ୍ୱାବିଂଶ ଅଧ୍ୟାୟଶ୍ରୀ ଶୁକ ଉବାଚଏମନ୍ତ ବିଷ୍ଣୁ ମୁଖୁ ଶୁଣି ।ବଳି କୃତାର୍ଥ ପ୍ରାୟ ମଣି ॥
ସାଧୁ ମହତ ସେ ସ୍ୱଭାବେ ।ପ୍ରସନ୍ନ ମନ ପ୍ରିୟଭାବେ ॥
କର ଅଞ୍ଜଳି ଶିରେ କରି ।ରୋମ ପୁଲକ ଅଶ୍ରୁଭରି ॥
ପ୍ରଣାମ କରି ବିଷ୍ଣୁପାଦେ ।ବୋଲେ ମନନ୍ଦ ଗଦଗଦେ ॥
ବଳିରୁବାଚମୋହର ଭାଗ୍ୟ ଏ ଜଗତେ ।ଦାନ ମୁଁ ଦେଲି ତୋର ହସ୍ତେ ॥
ବ୍ରହ୍ମା ସୃଷ୍ଟିରେ ହୋଇ ଜନ୍ମ ।କିବା କରିବ ଏଡ଼େ କର୍ମ ॥
ଭୋନାଥ ଅନୁଗ୍ରହ କର ।ଦିଗପାଳଙ୍କୁ ଅଗୋଚର ॥
ଯେ ଅବା ଧରି ନିଜ ପଦ ।ଦୁର୍ଲ୍ଲଭ ଲଭେ ତୋର ପାଦ ॥
ଶ୍ରୀ ଶୁକ ଉବାଚଏମନ୍ତ ବିଷ୍ଣୁ ଆଗେ କହି ।ପୁତ୍ର କଳତ୍ର ସଙ୍ଗେ ନେଇ ॥
ବଳି ଯେ ବସିଲା ନିଶ୍ଚଳେ ।ଗୋବିନ୍ଦ ଚାପିଲେ ପାତାଳେ ॥
ତକ୍ଷଣେ ପାତାଳେ ପ୍ରବେଶ ।ଶୁଭିଲା ଜୟ ଜୟ ଘୋଷ ॥
ଇନ୍ଦ୍ରକୁ ଆଣି ତୋଷ ମନେ ।ସ୍ଥାପିଲେ ଅମର ଭୁବନେ ॥
ଅଦିତି କଲା ପୟୋବ୍ରତ ।ସୁଫଳ କଲେ ଜଗନ୍ନାଥ ॥
ଦେଖିଣ ବାମନର ଗତି ।ରହିଲା ତାଙ୍କର ସନ୍ତତି ॥
ଖଣ୍ଡିଲେ ଜଗତ ବିଷାଦ ।ବଳିକୁ ଦେଖିଲେ ପ୍ରହ୍ମାଦ ॥
ଏମନ୍ତେ ନମି ବିଷ୍ଣୁ ପାଦେ ।ଆନନ୍ଦେ ଅଶ୍ରୁ ଗଦଗଦେ ॥
ପ୍ରହ୍ମାଦ ଉବାଚହିରଣ୍ୟକଶିପୁ କୁମର ।ବୋଇଲେ ଦେଖ ଭାଗ୍ୟ ମୋର ॥
ଏ ଜଗନ୍ନାଥଙ୍କ ପ୍ରସାଦେ ।ବ୍ରହ୍ମାଦି ଲଭନ୍ତି ସମ୍ପଦେ ॥
କମଳା ବକ୍ଷସ୍ଥଳେ ବସେ ।କଟାକ୍ଷେ ଜନ ଦୁଃଖ ନାଶେ ॥
ସର୍ବଦା ସମୀପେ ବସଇ ।ପ୍ରସାଦ ଲଭି ନ ପାରଇ ॥
ଯାହା ନ ଲଭେ ବାମଦେବ ।ଆନ ବା କେ ତାହା ପାଇବ ॥
ସେ ପାଦପଦ୍ମ ରେଣୁ ଆଶେ ।ଯୋଗୀଏ ଯୋଗ ସାଧିପ୍ରାଶେ ॥
ଅଷ୍ଟାଙ୍ଗ ଯୋଗରେ ଅଭ୍ୟାସ ।ଚରଣେ କରିଥାନ୍ତି ଆଶ ॥
ସେ କାହିଁ ଲଭିବେ ସେ ଭାବ ।ଯାହା ନ ପାରି ବ୍ରହ୍ମା ଶିବ ॥
ଏମନ୍ତ ପ୍ରହଲ୍ଲାଦ କହି ।ବାମନ ପାଦେ ଶିର ଦେଇ ॥
ଦେଖି ସନ୍ତୋଷ ଭଗବାନ ।କହନ୍ତି କୋମଳ ବଚନ ॥
ଶ୍ରୀ ଭଗବାନୁବାଚପ୍ରହ୍ଲାଦ ଶୁଣ ମୋ ଉତ୍ତର ।ଯାଅ ତୁ ସୁଢ଼ଳ ମନ୍ଦିର ॥
ଆନନ୍ଦେ ନିଜ ପୌତ୍ର ତୁଲେ ।ସୁଖେ ବିହର ଜ୍ଞାତି ମେଳେ ॥
ମୁଁ ଥିବି ଦିଗପାଳ ହୋଇ ।ନିତ୍ୟେ ଦେଖିବୁ ମୋତେ ତୁହି ॥
ମୋ ଆହାଲାଦ ମୋ ଦର୍ଶନ ।ନାଶିବ କର୍ମର ବନ୍ଧନ ॥
ଶ୍ରୀ ଶୁକ ଉବାଚବିଷ୍ଣୁର ବଚନ ଶୁଣିଲା ।ଅନେକମତେ ସ୍ତୁତି କଲା ॥
ତକ୍ଷଣେ ମିଳିଲା ସୁତଳେ ।ବନ୍ଧୁ କୁଟୁମ୍ବ ସଙ୍ଗ ମେଳେ ॥
ଏବେ ତୁ ଶୁଣ ପରୀକ୍ଷିତ ।ବିଷ୍ଣୁର ଅଦ୍ଭୁତ ଚରିତ ॥
ଯଜ୍ଞ ପୁରୁଷ ରୂପ ଧରି ।ଅନଳ କୁଣ୍ଡୁ ଅବତରି ॥
ଭୃଗୁ ବଦନ ଚାହିଁ ରୋଷେ ।ବୋଲନ୍ତି ସ୍ୱଧର୍ମ ବିଶ୍ୱାସେ ॥
ଅନାଇ ବାମନ ଚରଣ ।ଯଜ୍ଞ ସ୍ୱରୂପ ନାରାୟଣ ॥
ଯଜ୍ଞ ସ୍ୱରୂପୀ ବ୍ରହ୍ମା ଆଦି ।ବିପ୍ରେ ଅଛନ୍ତି ବେଦବାଦୀ ॥
ତାହାଙ୍କ ମଧ୍ୟେ ସେ ଶଉରୀ ।କହନ୍ତି ଯଜ୍ଞରୁ ବାହାରି ॥
ଶ୍ରୀ ଶୁକ ଉବାଚତୁ ବ୍ରହ୍ମା ଶାନ୍ତନୁର ଶିଷ୍ୟ ।ଜାଣୁ ତୁ ଭୂତ ଯେ ଭବିଷ୍ୟ ॥
ଆଗମ ନିଗମ ବିଖ୍ୟାତ ।ମୁହିଁ ଦେଖିଲି ବିପରୀତ ॥
ଯଜ୍ଞ ସଙ୍କଳ୍ପ କରି ବଳେ ।ବଳିକୁ ସ୍ଥାପିଲେ ନିଶ୍ଚଳେ ॥
ଏବେ ତା କର୍ମଛିଦ୍ର ଦେଖି ।ରହିଲୁ ଯଜ୍ଞ ତା ଉପେକ୍ଷି ॥
ଯଜ୍ଞ ନ ଘେନି କର୍ମକଲେ ।କେମନ୍ତେ ବର୍ତ୍ତିକୁ ତୁ ଭଲେ ॥
ଏ ଯଜ୍ଞ ତୋହର ଗୋଚର ।ତୁ ଏବେ ପୂର୍ଣ୍ଣାହୁତି କର ॥
ଯଜ୍ଞପୁରୁଷ ମୁଖୁ ଶୁଣି ।ଭୃଗୁ ଅନେକ ସ୍ତୁତି ଭଣି ॥
ବୋଲଇ ଯୋଡ଼ି ବେନିକର ।ପୁଲକ ଆନନ୍ଦେ ଶରୀର ॥
ଶ୍ରୀ ଶୁକ ଉବାଚଭୋ ନାଥ ଏ ଯଜ୍ଞ ଶରୀର ।ଅଶେଷ ଜନ୍ମ ଉପକାର ॥
ଏମନ୍ତ ଆଜ୍ଞା ଘେନି ମାଥେ ।ଶ୍ରୁବ ଧଇଲା ଦକ୍ଷ ହସ୍ତେ ॥
ଋତ୍ୱିକ ଋଷି ଗଣ ସଙ୍ଗେ ।ଆହୁତି ଦେଲା ନାନାରଙ୍ଗେ ॥
ଆନନ୍ଦେ ଭରି ଅଦଭୂତ ।ଭୃଗୁ ହୋଇଲା କୃତକୃତ୍ୟ ॥
ଶ୍ରୀ ଭଗବାନୁବାଚଏବେ ତୁ ଶୁଣ ହେ ରାଜନ ।ବାମନ ରୂପେ ଭଗବାନ ॥
ବଳିର ହସ୍ତୁ ଘେନି ଦାନ ।କପଟେ ଏ ତିନି ଭୁବନ ॥
ଇନ୍ଦ୍ରକୁ ଇନ୍ଦ୍ର ପଣେ ସ୍ଥାପି ।ତିନି ଭୁବନେ ଦେହ ବ୍ୟାପୀ ॥
ବିଷ୍ଣୁର ଦେଖି ଦିବ୍ୟ ଗତି ।କୃତାର୍ଥ ଚିତ୍ତେ ପ୍ରଜାପତି ॥
ଭୃଗୁ ଅଙ୍ଗିରା ଘେନି ତୁଲେ ।ପିତୃ ସମେତ ମୁନି ମେଳେ ॥
ଶୌନକ ତୁଲେ ଭୃଗୁପତି ।ମିଳିଲେ କଶ୍ୟପ ଅଦିତି ॥
ଦିଗପାଳଙ୍କ ମଧ୍ୟେ ଆଣି ।କଳ୍ପ କୁସୁମ ଗଙ୍ଗାପାଣି ॥
ବାମନ ପାଦେ ଅଭିଷେକେ ।ସର୍ବ ସମ୍ପଦ ମନ ସୁଖେ ॥
ଅଶେଷ ଗୀତ ନୃତ୍ୟବାଦ୍ୟେ ।ଇନ୍ଦ୍ରକୁ ସ୍ଥାପି ଇନ୍ଦ୍ରପଦେ ॥
ସର୍ବ ସମ୍ପଦ ସଙ୍ଗେ ଘେନି ।ମଙ୍ଗଳ ନାଦେ ବେଦଧ୍ୱନି ॥
ବ୍ରାହ୍ମଣମାନେ ତୋଷମନେ ।ବାମନେ ବସାଇ ବିମାନେ ॥
ଆନନ୍ଦେ ପ୍ରଜାପତି ବୋଲେ ।ସକଳ ଦିଗପାଳ ତୁଲେ ॥
ଇନ୍ଦ୍ର ବାମନ ଭୁଜବଳେ ।ସମସ୍ତ ଦିଗପାଳ ମେଳେ ॥
ନିଶ୍ଚିନ୍ତେ ସ୍ୱର୍ଗେ ସେ ବସିଲା ।ଯେଣୁ ଅଦିତି ବ୍ରତ କଲା ॥
ଏବେ ହୋ ପରୀକ୍ଷିତ ଶୁଣ ।ସଙ୍ଗତେ ଘେନି ଦେବଗଣ ॥
ବାମନ ପାଦେ ସ୍ତୁତି କଲେ ।ଆନନ୍ଦେ ନିଜ ପୁରେ ଗଲେ ॥
ବଳି ବାମନର ପ୍ରସ୍ତାବେ ।ପ୍ରଶଂସା କରି ଶୁଦ୍ଧଭାବେ ॥
ତୁ ଯେଣୁ ପଚାରିଲୁ ମୋତେ ।ବାମନ ରୂପ ତୋ ଅଗ୍ରତେ ॥
କହିଲି ଆଦି ଅନ୍ତ କରି ।ଯେ କଥା ଶ୍ରବଣେ ବିସ୍ତାରି ॥
ବିଷ୍ଣୁ ମହିମା କେ କହିବ ।ଯାହା ନ ଜାଣେ ବ୍ରହ୍ମା ଶିବ ॥
ଭୂମିରେ ରେଣୁ ଅଛି ଯେତେ ।ଆକାଶେ ନକ୍ଷତ୍ର ସହିତେ ॥
ମେଘ ବରଷା ଯେତେ ଧାର ।ଯେ ବିନ୍ଦୁ ପ୍ରକାଶେ ବିହାର ॥
ଏହା ଗଣି ତ ଅତିରେକେ ।ଜଗତେ ଅଛନ୍ତି ବା ଥୋକେ ॥
ହରି ମହିମା ସଂଖ୍ୟାକାରୀ ।ନାହିଁ ସଂସାରେ ଦେହଧାରୀ ॥
ସେ ହରି ଚରଣ ସରୋଜେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ବଳି ପାତାଳ ଗମନେନାମ ଦ୍ୱାବିଂଶୋଽଧ୍ୟାୟଃ ।
ତ୍ରୟୋବିଂଶ ଅଧ୍ୟାୟଶ୍ରୀ ଶୁକ ଉବାଚଶୁକ କହନ୍ତି ଅନୁରାଗେ ।ଆନନ୍ଦେ ପରୀକ୍ଷିତ ଆଗେ ॥
ଶୁଣ ହେ ଅଭିମନ୍ୟୁ ବଳା ।ଏମନ୍ତ ଈଶ୍ୱରର ଲୀଳା ॥
ମାୟା କଳ୍ପିତ ଏ ସଂସାର ।ମତ୍ସ୍ୟାଦି ନାନା ଅବତାର ॥
ଧର୍ମକୁ ପାଳି ଯୁଗେ ଯୁଗେ ।ସାଧୁଙ୍କୁ ରଖି ଅନୁରାଗେ ॥
ଦୁଷ୍ଟ ବିନାଶି ଧର୍ମ ପାଳେ ।ରୂପ ପ୍ରକାଶେ ଯଥାକାଳେ ॥
ତା ରୂପ କେ କରିବ ଅନ୍ତ ।ସ୍ୱଭାବେ ମହିମା ଅନନ୍ତ ॥
ଏମନ୍ତ ଶୁକ ମୁଖୁଁ ଶୁଣି ।ଆନନ୍ଦ ମନେ ନୃପମଣି ॥
ବୋଲେ ଚରଣେ ହସ୍ତ ଦେଇ ।ଭୋ ମୁନି ନିସ୍ତରିଲି ମୁହିଁ ॥
ରାଜୋବାଚକି ରୂପେ ମୀନ ଅବତାର ।ହୋଇଲେ ଜଗତ ଈଶ୍ୱର ॥
ନିନ୍ଦିତ ଜଳଚର ରୂପେ ।ଦେହ ବହିଲେ କେଉଁ କଳ୍ପେ ॥
କେବଣ କାର୍ଯ୍ୟ କିବା ଅର୍ଥେ ।ପ୍ରସନ୍ନେ କହ ମୋ ଅଗ୍ରତେ ॥
ତାର ଚରିତ୍ର ପାପ ହର ।ଅଶେଷ ପ୍ରାଣୀ ସୁଖଘର ॥
ଅନାଦି ପ୍ରଭୁ ନାରାୟଣ ।ମାୟାରେ ପରମ କାରଣ ॥
ତାର ବଚନେ ଶୁକ ମୁନି ।କହନ୍ତି ତାର ଭାବ ଘେନି ॥
ଶ୍ରୀ ଶୁକ ଉବାଚଶୁଣ ହେ ଅଭିମନ୍ୟୁ ସୁତ ।କହିବି ଏଥିର ବୃତ୍ତାନ୍ତ ॥
ଭୋ ପ୍ରଭୁ ଜଗତ ଈଶ୍ୱର ।ବ୍ରହ୍ମାଣ୍ଡ ଯାର ଖେଳଘର ॥
ସୁଜନ ପାଳନ ସଂହରେ ।ସଂସାର ମଧ୍ୟେ ରୂପ ଧରେ ॥
ଧର୍ମ ରକ୍ଷଣ ଦେହ ଧରି ।ଅଧର୍ମ ସମୁଦ୍ର ନିବାରି ॥
ଦୁଷ୍ଟଙ୍କୁ କରେ ସଂହାରଣ ।ସାଧୁଙ୍କୁ ରଖେ ନାରାୟଣ ॥
ଶୁଣ ତୁ ଯେଉଁ ଅର୍ଥେ ହରି ।କୁତ୍ସିତ ମୀନ ରୂପ ଧରି ॥
ବ୍ରହ୍ମା ସେ ସୃଷ୍ଟି ଆଦ୍ୟକାଳେ ।ବେଦ ପୁସ୍ତକ ଥୋଇ କୂଳେ ॥
ଜଳ ପଶିଣ ସନ୍ଧ୍ୟା କରେ ।ସେ ବେଦ ହୟଗ୍ରୀବ ହରେ ॥
ଅଗାଧ ଜଳେ ପଶିଗଲା ।ବିଧାତା ବିଷ୍ଣୁଙ୍କୁ ଚିନ୍ତିଲା ॥
ଦାନବ ଦୁଷ୍ଟମତି ଜାଣି ।ତକ୍ଷଣେ ପ୍ରଭୁ ଚକ୍ରପାଣି ॥
ଶଫରୀ ରୂପକୁ ଧଇଲେ ।ସେ ମହାଜଳରେ ପଶିଲେ ॥
ଯେମନ୍ତେ ମାଇଲେ ଅସୁର ।ବେଦ ଉଦ୍ଧରି ଚକ୍ରଧର ॥
ସେ କଥା ଶୁଣ ଏକ ଚିତ୍ତେ ।ଭାବେ କହିବା ତୋ ଅଗ୍ରତେ ॥
ପ୍ରକାଶ ବ୍ରହ୍ମାର ରଜନୀ ।ଯେ କଳ୍ପ ନାମ ସେ ଦଇନୀ ॥
ଏମନ୍ତ ପ୍ରଳୟ ନିକଟେ ।ରାଜା ସେ ଥିଲା ସିନ୍ଧୁ ତଟେ ॥
ତାହାର ନାମ ସତ୍ୟବ୍ରତ ।ଅଶେଷ ଗୁଣରେ ଭୂଷିତ ॥
ସ୍ୱଭାବେ ବିଷ୍ଣୁ ପରାୟଣ ।ତପ ସାଧନେ ସେ ନିର୍ଗୁଣ ॥
ତପ ସାଧନ୍ତି ସିନ୍ଧୁ ତୀରେ ।ଜଳ ଭକ୍ଷଣେ ଦିନ ହରେ ॥
ସେ ତପ ଫଳ ସାଧ୍ୟ ଅନ୍ତେ ।ମନୁ ହୋଇବ ଭବିଷ୍ୟତେ ॥
ଅଦିତି ଗର୍ଭେ ଜାତ ହୋଇ ।ସେ ଶ୍ରଦ୍ଧାଦେବ ନାମ ବହି ॥
ମନୁ ହୋଇବ ଏ ଜଗତେ ।ହରି ସ୍ଥାପିବ ତୋଷ ଚିତ୍ତେ ॥
ଏବେ ହୋ ଶୁଣ ନରପତି ।ସେ ସତ୍ୟବ୍ରତ ରାଜା ଗତି ॥
ସେ ସତ୍ୟବ୍ରତ ଏକ କାଳେ ।ମିଳିଲା କୃତମାଳ କୂଳେ ॥
ସେ ନଦୀଜଳେ ସ୍ନାନକରି ।ଗୋବିନ୍ଦ ନାମ ଚିତ୍ତେ ସ୍ମରି ॥
ସୂର୍ଯ୍ୟଙ୍କୁ ଜଳ ଦେବା ଅର୍ଥେ ।ଜଳ ଅଞ୍ଜଳି ଘେନି ହସ୍ତେ ॥
ସେ ଜଳେ ଶଫରୀ ଶରୀର ।ଦିଶଇ ଉତ୍ତମ ସୁନ୍ଦର ॥
ସେ ସତ୍ୟବ୍ରତ ତା ଦେଖିଲା ।ଜଳ ଅଞ୍ଜଳି ପକାଇଲା ॥
ରାଜାର ହସ୍ତୁ ପଡ଼ି ଜଳେ ।ସେ ମୀନ ଡାକିଲା ବିକଳେ ॥
ମହାକାରୁଣ୍ୟ ହେ ରାଜନ ।ମୁଁ ଦୁଃଖୀ ତୁ ଦୀନ ପାଳନ ॥
ଜଳେ ଯେ ନ ପକାଅ ମୋତେ ।ମୋ ଜ୍ଞାତି ଅଛନ୍ତି ସମସ୍ତେ ॥
ମୋତେ ଗିଳିବ ବୋଲି ଡରେ ।ଯାଇ ପଶିଲି ତୋର କରେ ॥
ମୋତେ ଗିଳିବେ ଏହିକ୍ଷଣି ।ମୋ ପ୍ରାଣ ରଖ ନୃପମଣି ॥
ପ୍ରାଣୀ ଜୀବନ ରକ୍ଷା କଲେ ।ଆପଣେ ରକ୍ଷା ହୋଇ ଭଲେ ॥
ଏବେ ମୁଁ ତୋହର ଶରଣ ।ପଶିଲି ରଖ ମୋର ପ୍ରାଣ ॥
ଏମନ୍ତେ ଶଫରୀ ବଚନ ।ସେ ରାଜା ଶୁଣି ସାବଧାନ ॥
ଜଳ ଅଞ୍ଜଳି କରେ ଧରି ।ମୀନକୁ ଜଳରୁ ଉଦ୍ଧରି ॥
ସେ ମୀନ କମଣ୍ଡଳେ ଭରି ।ଜନ୍ତୁ ଜୀବନ ରକ୍ଷା କରି ॥
ଗୃହେ ମିଳିଲେ ଦଣ୍ଡଧାରୀ ।ଜଳେ ତର୍ପଣ କରି ସାରି ॥
ସେ ମୀନ କମଣ୍ଡଳୁ ଜଳେ ।ରହି ନ ପାରି ରାତ୍ରକାଳେ ॥
ବିକଳେ କରଇ ରୋଦନ ।ମୋ ପ୍ରାଣ ରଖ ହେ ରାଜନ ॥
ଚଳି ନପାରି କମଣ୍ଡଳେ ।ବେଗେ ତୁ ଥୁଅ ଅନ୍ୟ ଜଳେ ॥
ଏମନ୍ତ ଶଫରୀ ବଚନ ।ଶୁଣି ସମ୍ଭ୍ରମେ ସେ ରାଜନ ॥
ସେ ମୀନ କମଣ୍ଡଳୁ ନେଇ ।କଳସ ଜଳ ମଧ୍ୟେ ଥୋଇ ॥
ଏମନ୍ତେ ରଜନୀ ପାହିଲା ।ପୁଣି ସେ ମୀନ ଡାକ ଦେଲା ॥
ହେ କାରୁଣିକ ଦଣ୍ଡଧର ।କଳସୁଁ ମୋ ପ୍ରାଣ ଉଦ୍ଧର ॥
ମୋ ଦେହ କଳସେ ନ ଚଳେ ।ବେଗେ ତୁ ଥୁଅ ଅନ୍ୟଜଳେ ॥
ଯେମନ୍ତେ ଆନନ୍ଦେ ବିହରି ।ଅଳପ ଜଳେ ପ୍ରାଣୀ ମରି ॥
ତକ୍ଷଣେ କଳସୁଁ ଉଦ୍ଧରି ।କୂପେ କ୍ଷେପିଲା ଦଣ୍ଡଧାରୀ ॥
ମୁହୂର୍ତ୍ତେ ଜଳ ମଧ୍ୟେ ଥାଇ ।ତୃତୀୟ ହସ୍ତ ଦେଲା ସେହି ॥
କୂପେ ସେ ଡାକଇ ବିକଳେ ।ଭୋ ରାଜା ଥୁଅ ଅନ୍ୟ ଜଳେ ॥
କୂପେ ମୁଁ ନ ପାରଇ ରହି ।ମୋର ଜୀବନ ରଖ ତୁହି ॥
ଶଫରୀ ବାକ୍ୟେ ନୃପମଣି ।କୂପୁଁ ଉଦ୍ଧରି ତାକୁ ଆଣି ॥
ତକ୍ଷଣେ ଖାତଜଳେ ଥୋଇ ।ଖାତେ ବଢ଼ିଲା ତାର ଦେହୀ ॥
ଡାକଇ ଜୀବନ ବିକଳେ ।ଭୋ ପ୍ରଭୁ ଥୁଅ ଅନ୍ୟଜଳେ ॥
ତକ୍ଷଣେ ଖାତୁଁ ସେ ଉଦ୍ଧରେ ।ନେଇ ଥୋଇଲେ ସରୋବରେ ॥
ସେ ଦିବ୍ୟ ସରୋବରେ ରହି ।ଜଳେ ନ ଚଳେ ତାର ଦେହୀ ॥
ତକ୍ଷଣେ ତହିଁରୁ ଉଦ୍ଧରି ।ହ୍ରଦେ କ୍ଷେପିଲା ଦଣ୍ଡଧାରୀ ॥
ସେ ମୀନ ଦିନେ ତହିଁ ରହେ ।ତହିଁ ବଢ଼ିଲା ମହାକାୟେ ॥
ପୁଣି ଡାକଇ ମହାନାଦେ ।ରାଜନ ରହି ନୁହେଁ ହ୍ରଦେ ॥
ତା ଶୁଣି ତୋଳି ହ୍ରଦୁଁ ବଳେ ।କ୍ଷେପିଲା ସମୁଦ୍ରର ଜଳେ ॥
ସେ ମୀନ ପଡ଼ି ସିନ୍ଧୁ ଜଳେ ।ଡାକଇ ଜୀବନ ବିକଳେ ॥
ଭୋ ନୃପ ରଖ ମୋ ଜୀବନ ।ତୋଠାରେ ପଶିଲି ଶରଣ ॥
ଶରଣ ଜନ ଉପେକ୍ଷିଲେ ।କେ ତାକୁ ପ୍ରଶଂସଇ ଭଲେ ॥
ଏ ଜଳେ ଜୀବଛନ୍ତି ଯେତେ ।ବଳେ ଗିଳିବେ ଆସି ମୋତେ ॥
ଏମନ୍ତ ମୀନ ମୁଖୁଁ ଶୁଣି ।ଚିତ୍ତେ ବିଚାରି ନୃପମଣି ॥
ଏକି ଅଦ୍ଭୁତ କର୍ମ ମୁହିଁ ।ଜଗତେ ଦେଖିଲି ତ ନାହିଁ ॥
କେଉଁ ଦେବତା ଅବା ବଳେ ।ମୋତେ ଛଳଇ ମୀନ ଛଳେ ॥
କି ବୁଦ୍ଧି କରିବଇଁ ମୁହିଁ ।ଭାଳଇ ମୀନ ମୁଖ ଚାହିଁ ॥
ବିଷ୍ଣୁର ମାୟାରେ ମୋହିତ ।ତକ୍ଷଣେ ହୋଇ ସ୍ତମ୍ଭୀଭୂତ ॥
ପୁଣି କ୍ଷଣକେ ନୃପବର ।କପାଳେ ଦେଇ ବେନିକର ॥
ବୋଲଇ ମୀନ ମୁଖ ଚାହିଁ ।ମୋହର ଧର୍ମ ରଖ ତୁହି ॥
କେଉଁ ଦେବତା ମାୟାଛଳେ ।ମୋ ଚିତ୍ତ ମୋହିଲୁ ତୁ ବଳେ ॥
ଏ ତୋର ବିଶ୍ୱରୂପ ଦେହ ।ମାୟା ନ କରି ସତ କହ ॥
ଏମନ୍ତ ଜଳଚର ଦେହୀ ।ଜଗତେ ଦେଖିଲା ତ ନାହିଁ ॥
ରେ ମୀନ ତୋହର ଶରୀରେ ।ଶତ ଯୋଜନ ସରଯୁରେ ॥
ନିଶ୍ଚେ ଜାଣିଲି ତୋତେ ଆଜ ।ତୁ ନାରାୟଣ ଦେବରାଜ ॥
ଅନାଦି ପ୍ରଭୁ ଭଗବାନ ।ଅବ୍ୟକ୍ତ ପ୍ରଭୁ ନିରଞ୍ଜନ ॥
ପ୍ରାଣୀଙ୍କ ନିସ୍ତାରଣ ଅର୍ଥେ ।ମୀନ ଶରୀର ଏ ଜଗତେ ॥
ସ୍ଥିତି ପାଳନ ସଂହାରଣ ।ତୁ ନାଥ ପରମ କାରଣ ॥
ନମସ୍ତେ ଜଳଚର ଦେହୀ ।ଭୋନାଥ ମୋତେ କର ତ୍ରାହି ॥
ତୋର ମାୟାରେ ଭ୍ରମ ହ୍ୱନ୍ତି ।ହର ବିରଞ୍ଚି ସୁରପତି ॥
ତୁ ନାଥ ଜନ ଉପକାରେ ।ନାନା ଶରୀର ଏ ସଂସାରେ ॥
ଯେ ରୂପ ଧରୁ ଏ ଜଗତେ ।ସାଧୁଜନଙ୍କ ସିଦ୍ଧି ଅର୍ଥେ ॥
କି କାର୍ଯ୍ୟେ ମୀନ ରୂପ ତୋର ।କୁହ ହେ କମଳାର ବର ॥
ଏମନ୍ତେ ରାଜା ବାକ୍ୟ ଶୁଣି ।କହନ୍ତି ପ୍ରଭୁ ଚକ୍ରପାଣି ॥
ଶ୍ରୀ ଭଗବାନୁବାଚଶୁଣ ରାଜନ ସତ୍ୟବ୍ରତ ।ତୁ ଯେଣୁ ମୋହର ଭକତ ॥
ତେଣୁ ଅଇଲି ତୋତେ କହି ।ଅଦ୍ଭୁତ ମୀନ ରୂପ ହୋଇ ॥
ମାୟାବୀ ପ୍ରଚଣ୍ଡ ଦାନବ ।ନାମ ଯାହାର ହୟଗ୍ରୀବ ॥
ବ୍ରହ୍ମାର ବେଦ ହରି ବଳେ ।ବେଗେ ପଶିଲା ମହାଜଳେ ॥
ପ୍ରଳୟ ଜଳେ ମୁଁ ବିହରି ।ସେ ବେଦ ଉଦ୍ଧାରଣ କରି ॥
ରଖିବି ସଂସାରର ବୀଜ ।ହରିବି ହୟଗ୍ରୀବ ତେଜ ॥
ତୁ ଏବେ ରହ ମୋ ବଚନେ ।ଆଜ ହୁଁ ଗଣ ସାତଦିନେ ॥
ପ୍ରଳୟ ଜଳେ ତିନିପୁର ।ନାଶ ହୋଇବ ମହାବୀର ॥
ବହିଣ ଅଣଚାଶ ବାତ ।ଆକାଶେ ବିଜୁଳି ପୂରିତ ॥
ଗଭୀର ନାଦ ମେଘମାଳ ।ପ୍ରଚଣ୍ଡ ବରଷିବ ଜଳ ॥
କ୍ଷଣକେ ସିନ୍ଧୁ ଉଛୁଳିବ ।ଉଲ୍ଲୋଳ ଗଗନେ ମିଳିବ ॥
ସପତ ଋଷିଙ୍କ ମଣ୍ଡଳେ ।ଜଳଧି ଲାଗିବ କଲ୍ଲୋଳେ ॥
ବ୍ରହ୍ମାର ରଜନୀ ହୋଇବ ।ଏ ତିନିପୁର ନାଶ ଯିବ ॥
ତୁ ଏବେ ମୋର ପୂଜା କରି ।ଔଷଧି ବୀଜକୁ ସୁମରି ॥
ତୋର କୁଟୁମ୍ବଛନ୍ତି ଯେତେ ।ତାହାଙ୍କୁ ଘେନିଣ ସଙ୍ଗତେ ॥
ଆଜହୁଁ ସପତ ଦିବସେ ।ନାବ ମିଳିବ ଆସି ପାଶେ ॥
ସେ ନାବ ସମୁଦ୍ରର କୂଳେ ।ତୋତେ ମିଳିବ ସନ୍ଧ୍ୟାକାଳେ ॥
ତୁ ତହିଁ ବସି ସର୍ବଘେନି ।ତରିବୁ ବ୍ରହ୍ମାର ରଜନୀ ॥
ଆଗତ କଳ୍ପ ପରିଯନ୍ତେ ।ତୁ ଥିବୁ ଋଷିଙ୍କ ସଙ୍ଗତେ ॥
ସେ ନାବ ମୋର ଶୃଙ୍ଗେ ବାନ୍ଧି ।ମନ ପବନ ହୃଦେ ଛନ୍ଦି ॥
ବ୍ରହ୍ମା ରଜନୀ କାଳେ ଯେତେ ।ସେ ନାବେ ବସିବୁ ନିଶ୍ଚିନ୍ତେ ॥
ସପତ ଋଷି ସଙ୍ଗେ ଘେନି ।ବଞ୍ଚିବୁ ବ୍ରହ୍ମାର ରଜନୀ ॥
ସେ ମହାଜଳେ ଯେବେ ନାବ ।ପ୍ରଳୟ ପବନେ କମ୍ପିବ ॥
ମୋହର ସଙ୍ଗେ ସେ ନିଶ୍ଚଳେ ।ବନ୍ଧନେ ଥିବ ନାବ ଜଳେ ॥
ପରମ ବ୍ରହ୍ମ ମୋ ମହିମା ।ଜାଣି ନପାରେ ହରବ୍ରହ୍ମା ॥
ମୋ ଅନୁଗ୍ରହେ ମୋତେ ଜାଣି ।ସଙ୍କଟୁ ତର ନୃପମଣି ॥
ଏମନ୍ତ କହି ଚକ୍ରଧର ।ତକ୍ଷଣେ ହୋଇଲେ ଅନ୍ତର ॥
ଗୋବିନ୍ଦ ଆଜ୍ଞା ଘେନି ଶିରେ ।ରାଜା ମିଳିଲେ ସିନ୍ଧୁ ତୀରେ ॥
ଘେନଇ ସର୍ବ ମହୌଷଧ ।ରାଜାର ଯେତେକ ସମ୍ପଦ ॥
ସମୁଦ୍ର ତୀରେ କୁଶପାଡ଼ି ।କପାଳେ ବେନି କର ଯୋଡ଼ି ॥
ମୀନ ରୂପକୁ ଧ୍ୟାନ କରି ।କୃଷ୍ଣ ଚରଣ ମନେ ଧରି ॥
ସମୁଦ୍ର ତୀରେ ସେ ରହିଲା ।ଏମନ୍ତ ସାତଦିନ ଗଲା ॥
ସର୍ବ ସମ୍ପଦ ଶିରେ ଘେନି ।ସକଳ ଔଷଧ କାମିନୀ ॥
ରାତ୍ର ହୁଁ ଶୂନ୍ୟେ ମେଘ ମିଳି ।ପ୍ରଚଣ୍ଡ ଆକାଶେ ବିଜୁଳି ॥
ନାବ ମିଳିଲା ତତକ୍ଷଣେ ।ବିଷ୍ଣୁର ଆଜ୍ଞା ପରମାଣେ ॥
ଋଷିଏ ଶୂନ୍ୟମାର୍ଗେ ଆସି ।ରାଜା ସମୀପେ ନାବେ ବସି ॥
ଦେଖିଲେ ସର୍ବ ମହୋଷଧ ।ରାଜାର ଯେତେକ ସମ୍ପଦ ॥
ସେ ନାବେ ରାଜା ସଙ୍ଗେ ବସି ।ମୁନିଏ ରାଜାଙ୍କୁ ପ୍ରଶଂସି ॥
ବୋଲନ୍ତି ତୁ ଯେ ଭାଗ୍ୟବନ୍ତ ।ସଙ୍କଟୁ ରଖିଲେ ଅନନ୍ତ ॥
ଏବେ ଆମ୍ଭର ବୋଲକର ।ଏ ନାବେ ବିଷ୍ଣୁଙ୍କୁ ସୁମର ॥
ତୋହର ଭାବେ ସେ ମାଧବ ।ଆମ୍ଭଙ୍କୁ ସଙ୍କଟୁ ତାରିବ ॥
ଏମନ୍ତ ଋଷିଙ୍କ ବଚନେ ।ରାଜା ବସିଲେ ବିଷ୍ଣୁଧ୍ୟାନେ ॥
ତକ୍ଷଣେ ପ୍ରଭୁ ନରହରି ।ଅଦ୍ଭୁତ ମୀନ ରୂପଧରି ॥
ଏକଇ ଶୃଙ୍ଗ ଶିରେ ସାଜେ ।ସ୍ୱଭାବେ ଶୂନ୍ୟତେଜ ରାଜେ ॥
ମେରୁର ପ୍ରାୟ ଅତି ଦମ୍ଭ ।ଶତେ ଯୋଜନ ତାର ଲମ୍ବ ॥
ସେ ଶୃଙ୍ଗେ ନାବ ବାନ୍ଧି ବଳେ ।ସେ ରାଜା ବସିଲା ନିଶ୍ଚଳେ ॥
ସେ ନାବେ ମୁନିଙ୍କ ସଙ୍ଗତେ ।ବିଷ୍ଣୁଙ୍କୁ ଧ୍ୟାନ କଲା ଚିତ୍ତେ ॥
ମହାପ୍ରଳୟ କାଳେ ବସି ।ଗୋବିନ୍ଦ ବଚନେ ସାହସୀ ॥
ଆକୁଳେ ଶିରେ କର ଦେଇ ।ବୋଲଇ ରଖ ଭାବଗ୍ରାହୀ ॥
ଏ ଘୋର ସଙ୍କଟୁ ତାରଣେ ।ଶରଣ ଗଲି ତୋ ଚରଣେ ॥
ଏମନ୍ତେ ଯୋଡ଼ି ବେନିକର ।ଗୋବିନ୍ଦ ଚିନ୍ତେ ନୃପବର ॥
ସପତ ଋଷିଙ୍କ ବଚନେ ।ନିଶ୍ଚଳେ ବସି ଯୋଗଧ୍ୟାନେ ॥
ମନବଚନ ହୃଦେ ଛନ୍ଦି ।ନିଶ୍ଚଳେ ଇନ୍ଦ୍ରିୟ ନିରୋଧି ॥
ଅନ୍ତରେ ମନ ସ୍ଥିର କରି ।ଗୋବିନ୍ଦ ପଦକୁ ସୁମରି ॥
ରାଜୋବାଚଭୋ ନାଥ ସଙ୍କଟ ତାରଣ ।ପଶିଲି ତୋ ପାଦେ ଶରଣ ॥
ଅଶେଷ ବ୍ରହ୍ମାଣ୍ଡ ଠାକୁର ।ଏ ଘୋର ସଙ୍କଟୁ ଉଦ୍ଧର ॥
ଅନାଦି ଅବିଦ୍ୟାର ବଳେ ।ପ୍ରାଣୀ ଚଳନ୍ତି ଏ ଶୟଳେ ॥
ଯାବତ ଏ ପାଦ ନ ଚିନ୍ତେ ।ତାବତ ସୁଖୀ କେ ଜଗତେ ॥
ଭୋନାଥ ତାପତ୍ରୟ ତାରୁ ।ଅଶେଷ ଦେବଙ୍କର ଗୁରୁ ॥
ଅଜ୍ଞାନ ଜନ ଏ ଜଗତେ ।ବନ୍ଧନ କର୍ମର ଆୟତେ ॥
ସୁଖର ଲୋଭେ ଦୁଃଖ ପଡ଼େ ।ଯାବତ ଭକ୍ତି ମାର୍ଗ ହୁଡ଼େ ॥
ତାବତ ସୁଖ କାହିଁ ତାର ।ଲଭଇ ଦୁଃଖ ମହାଘୋର ॥
ଯାବତ ନ ଜାଣଇ ତୋତେ ।ତାବତ ଭ୍ରମଇ ଜଗତେ ॥
ତୋହର ମାୟା ଏ ସଂସାର ।ଦୁର୍ଗମ ଘୋର ଅନ୍ଧକାର ॥
ତୋର ଭଜନ ରବିତ୍ରାସ ।ଆତ୍ମାର ତମ କରେ ନାଶ ॥
ଏମନ୍ତ ଧ୍ୟାନେ ଦଣ୍ଡଧାରୀ ।ଚିତ୍ତେ ଅନେକ ସ୍ତୁତିକରି ॥
ରଖିଲେ ସମାଧି ନିଶ୍ଚଳେ ।ନାବ ଗୋବିନ୍ଦ ପାଦମଳେ ॥
ଏମନ୍ତ ଶୁଣି ନୃପମଣି ।ତକ୍ଷଣେ ପ୍ରଭୁ ଚକ୍ରପାଣି ॥
ପ୍ରଳୟ ଜଳେ ମୀନ ରୂପ ।ହୟଗ୍ରୀବର ହରି ଦର୍ପ ॥
ବ୍ରହ୍ମାର ବେଦକୁ ଉଦ୍ଧରି ।ଜଳେ ଅସୁର ପ୍ରାଣ ହରି ॥
ମିଳିଲେ ନୃପତିର ଆଗେ ।ସଦୟ ଚିତ୍ତେ ଅନୁରାଗେ ॥
ବୋଲନ୍ତି ରାଜା ମୁଖ ଚାହିଁ ।ସଂସାରେ ଭାଗ୍ୟବନ୍ତ ତୁହି ॥
ଏମନ୍ତ କହି ଭଗବାନ ।ଆନନ୍ଦେ ଦେଲେ ତତ୍ତ୍ୱଜ୍ଞାନ ॥
ବୋଇଲେ ଦିବାକର ବଂଶେ ।ଜନ୍ମ ହୋଇବୁ ମୋର ଅଂଶେ ॥
ବଇବସ୍ୱତ ମନୁ ହୋଇ ।ପ୍ରଜା ପାଳିବୁ ଧର୍ମେ ମହୀ ॥
ଏ ଜ୍ଞାନେ ଘେନି ତୁ ଜୀବନ ।ମନୁଷ୍ୟ ମଧ୍ୟେ ତୁହି ଧନ୍ୟ ॥
ଏ ମୋର ମୀନ ଅବତାରେ ।ଧ୍ୟାନ ତୋ ରହୁ ନିରନ୍ତରେ ॥
ତୋହର ତୁଲେ ମୋ ସମ୍ବାଦ ।ଶୁଣନ୍ତେ ତୁଟଇ ପ୍ରମାଦ ॥
ଏମନ୍ତ କହି ଭଗବାନ ।ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥
ବୋଲଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ସୁଜନେ ଶୁଣ ଏକଚିତ୍ତେ ।ସଂସାରୁ ତରିବ ଯେମନ୍ତେ ॥
ଅଷ୍ଟମ ସ୍କନ୍ଧେ ଏ ଚରିତ ।ଅମୃତ ରସମୟ ଗୀତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ମୀନ ଅବତାର ବର୍ଣ୍ଣନେ ନାମ ତ୍ରୟୋବିଂଶୋଽଧ୍ୟାୟଃ ।ଭୀମସ୍ୟାପି ରଣେ ଭଙ୍ଗୋ ମୁନେରପି ମତିଭ୍ରମଃଯଦି ଶୁଦ୍ଧମଶୁଦ୍ଧଂ ବା ମମଦୋଷା ନ ବିଦ୍ୟତେ ।