ଦ୍ୱାଦଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଦେବ ଦାନବ ମାୟା ଯେତେ ।ତୋ ମାୟା ବଳେ ଏ ଜଗତେ ॥
ତୋ ରୂପ ନ ଜାଣନ୍ତି କେହି ।ଦୁଷ୍ଟେ ଜାଣିବେ ଅବା କାହିଁ ॥
ଜଗତ ସ୍ଥିତି ଜନ୍ମ ନାଶ ।ଭୂତଙ୍କ ଦେହେ ପରକାଶ ॥
ଜୀବର ବଧ ମୋକ୍ଷ ବେନି ।ତୁ ନାଥ କରୁ ମାୟାଘେନି ॥
ଆକାଶେ ଯେହ୍ନେ ବାୟୁ ବହେ ।ପାର୍ଥିବ ତନୁ ବହେ ଦେହେ ॥
ଅଦେହୀ କେହି ନ ଦେଖନ୍ତି ।ଏମନ୍ତ ଈଶ୍ୱରଙ୍କ ଗତି ॥
ସେ ବସେ ଚରାଚର ଦେହେ ।ଗଗନ ରସ ପ୍ରାୟ ରହେ ॥
ତୁ ସେ ସଂସାର ଉପକାରୀ ।ତ୍ରିଗୁଣେ ନାନା ରୂପ ଧରି ॥
ଯେତେ ସାଧିଲୁ କ୍ରିୟା ଅର୍ଥେ ।ସେ ରୂପେ ଦେଖିଲି ମୁଁ ତୋତେ ॥
ଏବେ ଏ ସମୁଦ୍ର ମନ୍ଥନେ ।ଦେବ ଦାନବେ ଏକମନେ ॥
ଅମୃତ ଅର୍ଥେ ଅନ୍ୟେ ଅନ୍ୟେ ।ତା ଦେଖି ଦେବେ ଦୁଃଖ ମନେ ॥
ତୋତେ ଚିନ୍ତିଲେ ଧ୍ୟାନ କରି ।ତୁ ନାଥ ମାୟା ରୂପ ଧରି ॥
ମୋହିନୀ ରୂପେ ଭଗବାନ ।ମୋହିଲେ ଅସୁରଙ୍କ ମନ ॥
ସେ ରୂପ ଦେଖାଅ ଗୋ ମୋତେ ।ଦେଖିବି ଗଉରୀ ସମେତେ ॥
ଯେ ରୂପେ ପରମ ମଙ୍ଗଳେ ।ମୁଁ ତା ଦେଖିବି କୁତୂହଳେ ॥
ଶ୍ରୀ ଶୁକ ଉବାଚଏମନ୍ତେ ରୁଦ୍ର ମୁଖୁଁ ଶୁଣି ।ହସି ବୋଲନ୍ତି ଚକ୍ରପାଣି ॥
ଶ୍ରୀ ଭଗବାନୁବାଅସୁର ସୁଧା ନେବାବେଳେ ।ମୁହିଁ ସେ ଦେବଙ୍କ ବିକଳେ ॥
ମାୟା ମୋହିନୀ ରୂପ ଧରି ।ଅସୁର ବଳେ ମାୟା କରି ॥
ଅମୃତ ଦେବଗଣେ ଦେଲି ।ପୁଣି ସେ ରୂପ ସଂହାରିଲି ॥
ଏବେ ତୁ ଦେବତାର ଆଶେ ।ଯେବେ ମିଳିଲୁ ମୋର ପାଶେ ॥
ଯେ ରୂପ ଦେଖାଇବି ମୁହିଁ ।ଯେବେ ସମ୍ଭାଳି ପାରୁ ତୁହି ॥
କାମିନୀ ମଧ୍ୟେ କରେ ମୋହ ।ପୁରୁଷ କେ ଧରିବ ଦେହ ॥
ଶ୍ରୀ ଶୁକ ଉବାଚଏମନ୍ତ କହି ଭଗବାନ ।ଶରୀର କରି ଅନ୍ତର୍ଦ୍ଧାନ ॥
ରୁଦ୍ର ଚାହାନ୍ତେ ଦଶ ଦିଶେ ।ଗଉରୀ ସଙ୍ଗେ ପ୍ରିୟ ବଶେ ॥
ଆଗେ ଯେ ଥିଲା ଉପବନେ ।ନାନା କୁସୁମ ତରୁଗଣେ ॥
ତହିଁ ବିଜୟ ଦଇତାରୀ ।ଜଗନ୍ମୋହନ ରୂପ ଧରି ॥
ହସ୍ତେ କନ୍ଦୁକ ସାର ଶୋହେ ।ସେ ରୂପ ଜନ ମନ ମୋହେ ॥
ନିତମ୍ବେ ବେଷ୍ଟିତ ଅମ୍ବର ।କଟି ମେଖଳା ରତ୍ନ ଯାର ॥
ହୃଦ କମ୍ପଇ କୁଚଘଞ୍ଚ ।ହାରକୁ କରିଛି ସୁସଞ୍ଚ ॥
ଅତି ସୁସଞ୍ଚ ପଞ୍ଚମଝା ।ରୂପକୁ ପଟାନ୍ତର ଦୁଜା ॥
ସ୍ୱଭାବେ ବଡ଼ ଭୟଙ୍କର ।ଖଚିତ ନାନା ଅଳଙ୍କାର ॥
ଶିରେ ସୀମନ୍ତ ମଣିମୟ ।ଶ୍ରୁତିରେ ତାଟଙ୍କ ଉଦୟ ॥
ଭାଲେ ସିନ୍ଦୂର ବିନ୍ଦୁ ସାଜେ ।କମଳ ଲୋଚନ ବିରାଜେ ॥
ରତ୍ନ କୁଣ୍ଡଳ ଶୋହ କର୍ଣ୍ଣେ ।ଦଶନ ହସିତ ବଦନେ ॥
କବରୀ ମଧ୍ୟେ ଫୁଟି ଦିଶେ ।କି ସେ କନ୍ଦର୍ପ ମୋହ ପାଶେ ॥
ଅଳକାତଳେ ବାମ କର ।ସୁରଙ୍ଗ ଅଙ୍ଗୁଳି ଉପର ॥
କନ୍ଦୁକ ଦକ୍ଷ କରେ ଧରି ।ଲୀଳା ବିଭ୍ରମ ମୁଖ କରି ॥
ଏମନ୍ତ ରୂପ ରୁଦ୍ର ଦେଖି ।ପିଛାଡ଼ି ନ ପାରନ୍ତି ଆଖି ॥
ସଗଣ ଗଉରୀ ସମେତେ ।ସକଳେ ଚାହାଁନ୍ତି ଚକିତେ ॥
ଏମନ୍ତ ମୋହିନୀର କରେ ।ଥିଲା କନ୍ଦୁକ ଖସେ ଧୀରେ ॥
ତକ୍ଷଣେ ଭୂମିରେ ପଡ଼ିଲା ।ପଡ଼ି କେତେ ହେଁ ଦୂର ଗଲା ॥
କନ୍ଦୁକ ଆଣିବାର ଖରେ ।ବୃକ୍ଷ ଉହାଡ଼େ ରୋଷଭରେ ॥
ଧାମନ୍ତେ ଅଦ୍ଭୁତ ଅବଳା ।କୁଚ ଉପରୁ ବସ୍ତ୍ର ଗଲା ॥
ପବନେ ଉଡ଼େ ଜାନୁବସ୍ତ୍ର ।ବେଗେ ତୋଳିଲା ବାମହସ୍ତ ॥
ଶିବ ଯେ ଥିଲେ ଗୌରୀ ଆଗେ ।ମଦନ ବାଣ ପଡ଼େ ଅଙ୍ଗେ ॥
ରୂପ ଦେଖନ୍ତେ ଲଜ୍ଜା ଛାଡ଼ି ।ଧାମନ୍ତେ କାମେ ମନ ବୁଡ଼ି ॥
ରୁଦ୍ରଙ୍କୁ ଦେଖି ବେଗେ ଧାଇଁ ।ବୃକ୍ଷ ଗହଳେ ସେ ଲୁଚଇ ॥
ରୁଦ୍ର ଧାଇଁଲେ ଅତି ବେଗେ ।ମିଳିଲେ ବୃକ୍ଷଙ୍କର ଲାଗେ ॥
ବୃକ୍ଷର ମଧ୍ୟେ ଯାଇ ଚଳି ।ସ୍ତନ ଦେଖାଇ ବସ୍ତ୍ର ତୋଳି ॥
ଦେଖି ଧାଇଁଲେ ଅତି ବେଗେ ।ବସ୍ତ୍ର ଫିଟିଲା କଟି ଭାଗେ ॥
ଜଟା କଳାପ ଅସମ୍ଭାଳ ।କପାଳୁ ଗଳେ ଶ୍ରମଝାଳ ॥
କରିଣୀ ଦେଖି ଯେହ୍ନେ ଗଜ ।ଧାମଇ ଉଚ୍ଚେ ତୋଳି ଭୂଜ ॥
ରୁଦ୍ର ଧଇଲେ ଯାଇ କୋଳେ ।ଆବୋରି ବେନିଭୂଜ ତଳେ ॥
ପୁଣି ମୋହିନୀ ଗଲା ଚଳି ।ଧାମଇଁ ଜାନୁବସ୍ତ୍ର ତୋଳି ॥
କବରୀ ବନ୍ଧ ଫିଟିତଳେ ।ଖସି ପଡ଼ଇ ଫୁଲମାଳେ ॥
ପୁଣି ଧରନ୍ତେ ହର କୋଳେ ।ମୋହିନୀ ଗଲେ ଭୂଜତଳେ ॥
ମୁକୁଳ କେଶ ଅଧୋମୁଖେ ।ଧାମଇଁ ବଦନ ସୁରେଖେ ॥
ଏମନ୍ତେ ବିଷ୍ଣୁ ମାୟାବଳେ ।ଶଙ୍କର ମଦନ ବିକଳେ ॥
ପୁଣି ଧରନ୍ତେ ଭୁଜ ତୋଳି ।ରୁଦ୍ର ଶରୀରୁ ରେତ ଗଳି ॥
କରିଣୀ ଅର୍ଥେ ହସ୍ତୀ ଯେହ୍ନେ ।ଧାମଇଁ ଉଠିଣ ଅଜ୍ଞାନେ ॥
ରେତ ପଡ଼ିଲା ଯହିଁ ତହିଁ ।ମୋହିନୀ ବସେ ମୋହ ପାଇ ॥
ତକ୍ଷଣେ ହେଲା ରୌପ୍ୟବର୍ଣ୍ଣ ।ଗିରି ଗଗନ ଉପବନ ॥
ନଦୀ ସରିତ ସରୋବର ।ଧାମନ୍ତେ ପଡ଼େ ରେତ ଧାର ॥
ଏମନ୍ତେ ବିଷ୍ଣୁମାୟା ବସେ ।ଈଶ୍ୱର ଧାଇଁ ବନଦେଶେ ॥
ନିରାଶ ହୋଇ ନିବର୍ତ୍ତିଲେ ।ଗଉରୀ ନିକଟେ ମିଳିଲେ ॥
ବିଷ୍ଣୁ ମାୟାରେ ମୋହି ମନ ।ରୁଦ୍ର ହୋଇଲେ ଛନ୍ନ ଛନ୍ନ ॥
ନିଜ ମୂରତି ଧରି ହରି ।ହର ସନ୍ନିଧେ ବିଜେ କରି ॥
କହନ୍ତି ରୁଦ୍ର ମୁଖ ଚାହିଁ ।କୋମଳ ବାକ୍ୟେ ଭାବଗ୍ରାହୀ ॥
ଶ୍ରୀ ଭଗବାନୁବାଚହେ ଦେବ ଦେବ ଜଗନ୍ନାଥ ।ଇଚ୍ଛାରେ ହେଲୁ ତୁ ମୋହିତ ॥
ଜଗତ ଜନ ମାୟାବଳେ ।ଭ୍ରମନ୍ତି ଅବନୀ ମଣ୍ଡଳେ ॥
ନାନା ପ୍ରକାରେ ତନୁ ଧରି ।କେବା ପାରିବ ତହୁଁ ତରି ॥
ଭୋ ରୁଦ୍ର ମହିମା ତୋହର ।ଅଜ୍ଞାନୀ ଜନେ ଅଗୋଚର ॥
ତୁ ନାଥ ନିଜ ମାୟାବଳେ ।ତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ ॥
ଯେ ବିଷ୍ଣୁମାୟା ଗୁଣମୟୀ ।ସେ ତୋତେ ଆଉ ନ ଲାଗଇ ॥
ଶ୍ରୀ ଶୁକ ଉବାଚଶୁଣ ରାଜନ ଏକଚିତ୍ତେ ।ରୁଦ୍ରଙ୍କୁ ପ୍ରବୋଧି ଏମନ୍ତେ ॥
ଶିବଙ୍କୁ ପ୍ରଦକ୍ଷିଣ କରି ।ନିଜ ଭୁବନେ ଗଲେ ହରି ॥
ରୁଦ୍ର ଭବାନୀଗଣ ତୁଲେ ।ନିଜ ଭୁବନେ ବିଜେ କଲେ ॥
ରୁଦ୍ରଙ୍କ ମଧ୍ୟ ହର ବସି ।ବିଷ୍ଣୁର ମାୟା ପରଶଂସି ॥
ଶୁଣ ଗୋ ପ୍ରିୟେ କହି ଯାହା ।ଦେଖିଲୁ ବିଷ୍ଣୁଙ୍କର ମାୟା ॥
ଅଶେଷ ଜନମନ ହରେ ।କେବା ସେ ମାୟାରୁ ନିସ୍ତରେ ॥
ମୁଁ ମାୟାଧରଙ୍କର ଈଶ ।ତା ମାୟା ଦେଖି କଲି ତ୍ରାସ ॥
ତା ମାୟାବଳେ ମୋହ ଶିବ ।ଅନ୍ୟ କେ ସେ ମାୟା ତରିବ ॥
ବିଷ୍ଣୁର ମାୟା ଅଗୋଚର ।ଯହିଁ ଭ୍ରମନ୍ତି ବ୍ରହ୍ମାସୁର ॥
ଏମନ୍ତେ ହରିର ମହିମା ।କେ କହିପାରେ ଗୁଣସୀମା ॥
ଯେ ହରି ଜଗତ ଉଦ୍ଧରେ ।ମାୟାରେ ନାନା ରୂପ ଧରେ ॥
ତାର ଚରିତ ଶୁଣି କର୍ଣ୍ଣେ ।ମୁଖେ ଗୁଣନ୍ତି ଯେବା ଜନେ ॥
ଯେ ଅବା ପ୍ରସ୍ତାବେ କହନ୍ତି ।ଘୋର ସଂସାରୁ ସେ ତରନ୍ତି ॥
ବୋଲଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଅଷ୍ଟମସ୍କନ୍ଧେ ହରିବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ ଶଙ୍କର ମୋହନ ସମ୍ବାଦେନାମ ଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁଣ ହେ ଅଭିମନ୍ୟୁ ସୁତ ।କହିବା ମନୁବଂଶ ଜାତ ॥
ସୂର୍ଯ୍ୟ ତନୟ ଅନୁପମ ।ତାହାର ଶ୍ରଦ୍ଧାଦେବ ନାମ ॥
ସପ୍ତମେ ବର୍ତ୍ତମାନ ଜାତ ।ଶୁଦ୍ଧ ସୁଗୁଣ ସୁବିଖ୍ୟାତ ॥
ତାର ସନ୍ତତି ହେଲେ ଯେତେ ।କହିବା ଶୁଣ ଏକ ଚିତ୍ତେ ॥
ଈକ୍ଷ୍ୱାକୁ ସର୍ଯାତି ନଭଗ ।ଧୃଷ୍ଟ ନରିଷ୍ୟନ୍ତି ନାଭାଗ ॥
ସପ୍ତମେ ଦିଷ୍ଟ ନାମ କହି ।କରୁଷ ପୃଷଧୁ ଏ ଦୁଇ ॥
ଦଶମ ପୁତ୍ର ବସୁମାନ ।ଏ ନାମେ ପୁତ୍ର ବିଦ୍ୟମାନ ॥
ସେ ମନୁକାଳେ ଦେବଗଣ ।ତାହାଙ୍କ ନାମ ଏବେ ଶୁଣ ॥
ଆଦିତ୍ୟ ବସୁ ରୁଦ୍ର ଗୁଣ ।ବିଶ୍ୱଦେବ ଯେ ମରୁଦ୍ଗଣ ॥
ଅଶ୍ୱିନୀ ରୁଦ୍ରଙ୍କ ସମେତ ।ଦେବତାଗଣ ଏ ବିଖ୍ୟାତ ॥
ତାହାଙ୍କ ମଧ୍ୟେ ବେଦବର ।ଇନ୍ଦ୍ରର ନାମ ପୁରନ୍ଦର ॥
ସେ ମନୁକାଳେ ସପ୍ତଋଷି ।ଭ୍ରମନ୍ତି ଧ୍ରୁବ ଚକ୍ରେ ବସି ॥
କଶ୍ୟପ ଅତ୍ରି ଋଷି ଶ୍ରେଷ୍ଠ ।ତୃତୀୟ ମୁନି ଯେ ବଶିଷ୍ଠ ॥
ବିଶ୍ୱାମିତ୍ର ଯେ ଗଉତମ ।ଷଷ୍ଠରେ ଯମଦଗ୍ନି ନାମ ॥
ଭରଦ୍ୱାଜ ଏ ସପ୍ତମୁନି ।ଜ୍ଞାନେ ଭ୍ରମନ୍ତି କର୍ମ ଘେନି ॥
ଯେ ବୈ ବସ୍ୱତ ମନୁକଳ୍ପେ ।ଗୋବିନ୍ଦ ବାମନ ସ୍ୱରୂପେ ॥
ଜନ୍ମିଲେ ଅଦିତି ଉଦରେ ।କଶ୍ୟପ ଋଷିଙ୍କର ଘରେ ॥
ଏ ସପ୍ତ ମନ୍ୱନ୍ତରେ ଯେତେ ।ଭାବି କହିଲି ତୋ ଅଗ୍ରତେ ॥
ଏବେ ଭବିଷ୍ୟ ମନୁ ସାତ ।ଶୁଣ ସୁମନେ ପରୀକ୍ଷିତ ॥
ବିଶ୍ୱକର୍ମାର କନ୍ୟା ବେନି ।ସୂର୍ଯ୍ୟେ ବରିଲେ ଭାବ ଘେନି ॥
ରୂପେ ଦିଶଇ ଅନୁପମ ।ତାଙ୍କର ସଂଜ୍ଞା ଛାୟା ନାମ ॥
ସୂର୍ଯ୍ୟର ତେଜ ଅସହନେ ।ସଂଜ୍ଞା ଯେ ଅଶ୍ୱରୂପେ ବନେ ॥
ପ୍ରଥମେ ସୂର୍ଯ୍ୟତୁଲେ ରମି ।ସଂଜ୍ଞା ପ୍ରସବେ ପୁତ୍ର ତିନି ॥
ଯମ ଯମୁନା ଭାଇ ଭଗ୍ନି ।ଜନ୍ମିଲେ ଶ୍ରଦ୍ଧା ଦେବ ତିନି ॥
କହୁ ଅଛଇ ତୋତେ ଭାବେ ।ଛାୟାର ଜନ୍ମ ଶୁଣ ଏବେ ॥
ସାବର୍ଣ୍ଣି ନାମେ ଏକ ସୁତ ।କନ୍ୟା ତପତି ନାମେ ଜାତ ॥
ତୃତୀୟ ପୁତ୍ର ଶନୈଶ୍ଚର ।ଏବେ ହୋ ଶୁଣ ନୃପବର ॥
ସାବର୍ଣ୍ଣି ଅଷ୍ଟ ମନ୍ୱନ୍ତରେ ।ଭଜିଲା ସଂସାର ବେଭାରେ ॥
ନିର୍ମୋକ ବିରଜସ୍ୱ ଆଦି ।ସାବର୍ଣ୍ଣି ତନୟା ସମ୍ପାଦି ॥
ବିରଜା ଆଦି ଦେବଗଣେ ।ଜନ୍ମିଲେ ସଂସାର କାରଣେ ॥
ତାଙ୍କ ପାଳନେ ପ୍ରତିବନ୍ଧେ ।ବଳି ବସଇ ଇନ୍ଦ୍ରପଦେ ॥
ତାହାଙ୍କୁ ଛଳିବେ ବାମନ ।ଯଜ୍ଞେ ସେ ପୃଥ୍ୱୀ ଦେବେ ଦାନ ॥
ତିନି ଚରଣ ଦାନ ଦେଇ ।ବାମନ ପାଦ ମୁଣ୍ଡ ବହି ॥
କେତେ ହେଁ ଦିନ ଦାନ ଫଳେ ।ସେ ଭୋଗେ ଭୁଞ୍ଜିବ ସୁତଳେ ॥
ସ୍ୱର୍ଗେ ବସିଣ ଇନ୍ଦ୍ରପଣେ ।ଅନ୍ତେ ପଶିବ ନାରାୟଣେ ॥
ସେ କଳିକାଳେ ସପ୍ତମୁନି ।ଉଦୟ ନିଜ ତେଜ ଘେନି ॥
ଯେଣେ ଏ ସଂସାର ଧାରଣ ।ତାହାଙ୍କ ନାମ ଏବେ ଶୁଣ ॥
ଗାଲବ ଦୀପ୍ତିମାନ ରାମ ।କୃପାଚାର୍ଯ୍ୟେ ସେ ଅଶ୍ୱତ୍ଥାମ ॥
ଆବର ଋଷ୍ୟଶୃଙ୍ଗ ପୁଣି ।ମୋହର ପିତା ବ୍ୟାସମୁନି ॥
ଏ ଆଦି ସପ୍ତଋଷି ଗଣେ ।ବ୍ରହ୍ମାର ଆଜ୍ଞା ପରମାଣେ ॥
ହୋଇବେ ଭବିଷ୍ୟତ କାଳେ ।ଅଛନ୍ତି ଆଶ୍ରମ ମଣ୍ଡଳେ ॥
ଏହି ସାବର୍ଣ୍ଣି ମନ୍ୱନ୍ତରେ ।ବିଷ୍ଣୁ ଯେ ଦେବ ଗୁହ୍ୟ ଘରେ ॥
ସରସ୍ୱତୀ ଯେ ଗର୍ଭୁଜାତ ।ନାମରେ ସାର୍ବଭୌମ ଖ୍ୟାତ ॥
ସେ କାଳ ବିଷ୍ଣୁ ନିଜ ଭାବେ ।ବଳିକି ଇନ୍ଦ୍ରପଦ ଦେବେ ॥
ବରୁଣ ଭବନେ ନବମେ ।ଦକ୍ଷ ସାବର୍ଣ୍ଣି ତନୁ ଜନ୍ମେ ॥
ପୁତ୍ର ଜନ୍ମିବେ ତୋର ରେତୁଁ ।ଯେ ଭୁତକେତୁ ଦିପ୍ତୀକେତୁ ॥
ପାର ମରୀଚି ଗର୍ଭୁ ଆଦି ।ଏ ନାମେ ଦେବତା ପ୍ରସିଦ୍ଧି ॥
ଦେବ ଅଦ୍ଭୁତ ନାମେ ଇନ୍ଦ୍ର ।ଭୋଗ କରିବ ସ୍ୱର୍ଗପଦ ॥
ଋଷିଏ ଦ୍ୟୁତିମାନ ଆଦି ।ସେ ମନୁ ସମୟେ ସମ୍ପାଦି ॥
ବିକ୍ଷ ଯେ ଆୟୁଷ୍ମାନ ଘରେ ।ସେ ଆୟୁଧାରାର ଗର୍ଭରେ ॥
ଋଷଭ ନାମେ ଜାତ ହେବେ ।ଇନ୍ଦ୍ରକୁ ସ୍ୱର୍ଗପଦ ଦେବେ ॥
ଦଶମେ ଉପଶୋକ ସୁତ ।ବ୍ରହ୍ମା ସାବର୍ଣ୍ଣି ସେ ବିଖ୍ୟାତ ॥
ତାର କୁମରେ ବ୍ରହ୍ମବାଦୀ ।ଜନ୍ମିବେ ଭୂରିଷେଣ ଆଦି ॥
ସୁକୃତି ସତ୍ୟ ହରିଷ୍ମାନ ।ଜୟ ଆବର ମୂର୍ତ୍ତି ପୁଣ ॥
ଏ ଆଦି ଋଷିଏ ବ୍ରାହ୍ମଣ ।ଏବେ ଦେବତା ନାମ ପୁଣ ॥
ଅବିରୁଦ୍ଧ ଯେ ସୁବାସନ ।ଇନ୍ଦ୍ରର ନାମ ଶମ୍ଭୁ ଜାଣ ॥
ବିଷ୍ଣୁ ଯେ ବିଶ୍ୱସ୍ରଷ୍ଟା ଘରେ ।ଜନମି ବିସୁଚି ଉଦରେ ॥
ବିଶ୍ୱକସେନ ନାମ ବହି ।ପାଳିଲେ ନିଜ ଧର୍ମେ ମହୀ ॥
ବିଶ୍ୱକସେନ ଶମ୍ଭୁ ସଙ୍ଗେ ।ମିତ୍ର ହୋଇବେ ସତ୍ୟଯୁଗେ ॥
ଧର୍ମ ସାବର୍ଣ୍ଣି ନାମେ ଖ୍ୟାତ ।ଯେ ଏକାଦଶେ ମନୁଜାତ ॥
ସତ୍ୟ ଧର୍ମାଦି ଦଶସୁତ ।ତା ଗର୍ଭୁ ହୋଇବେ ସମ୍ଭୁତ ॥
ନିର୍ବାଣ ରୁଚି ବିହଙ୍ଗମ ।ଦେବଙ୍କ ନାମ କାଳରାମ ॥
ଇନ୍ଦ୍ର ହୋଇବ ବଇଧୃତ ।ଋଷି ଯେ ବରୁଣ ସମ୍ଭୁତ ॥
ବୈଧୃତା ଗର୍ଭେ ବିଶ୍ୱକେତୁ ।ଜନମି ସେ ଆର୍ଯ୍ୟକ ରେତୁ ॥
ସେ ଇନ୍ଦ୍ର ବିଶ୍ୱକେତୁ ବଳେ ।ତ୍ରୈଲୋକ୍ୟ ପାଳିବ ନିଶ୍ଚଳେ ॥
ରୁଦ୍ର ସାବର୍ଣ୍ଣି ଯେ ଦ୍ୱାଦଶେ ।ଜନ୍ମିବେ ନାରାୟଣ ଆଶେ ॥
ଉପଦେଶ ଯେ ଦେବବାନ ।ଦେବ ଶ୍ରେଷ୍ଠ ଯେ ତା ନନ୍ଦନ ॥
ଇନ୍ଦ୍ର ହୋଇବେ ଋତୁ ଧାମ ।ଦେବତା ହରିତାଦି ନାମ ॥
ତପସ୍ୱୀ ପୁଣି ତପୋମୂର୍ତ୍ତି ।ଅଗ୍ନିଧ୍ରକାଦି ଋଷି ସ୍ଥିତି ॥
ମୁଧାମା ନାମ ଦେବ ହରି ।ସୁନୃତା ଗର୍ଭେ ଅବତରି ॥
ଦୈତ୍ୟ ସଂହାରି ବିପ୍ରଘରେ ।ସାଧିବେ ଏହି ମନ୍ୱନ୍ତରେ ॥
ଦେବ ସାବର୍ଣ୍ଣି ତ୍ରୟୋଦଶ ।ଜନ୍ମିବେ ନାରାୟଣ ଅଂଶ ॥
ବିଚିତ୍ର ଚିତ୍ରସେନ ଆଦି ।ଦେବସାବର୍ଣ୍ଣି ପୁତ୍ର ସାଧି ॥
ସୁକର୍ମା ସୁକ୍ରମା ଏ ଆଦି ।ଦେବତା ରୂପେଣ ପ୍ରସିଦ୍ଧି ॥
ଇନ୍ଦ୍ର ହୋଇବେ ଦିବ୍ୟସ୍ପତି ।ଏବେ ହୋ ଶୁଣ ନରପତି ॥
ନିର୍ମୋକ ତତ୍ତ୍ୱ ଦରଶନ ।ହୋଇବେ ସପ୍ତଋଷି ଗଣ ॥
ହରିର ଅଂଶେ ଯୋଗେଶ୍ୱର ।ଔରସେ ଦେବହୋତ୍ରଙ୍କର ॥
ବୃହତୀ ଗର୍ଭୁଜାତ ହେବେ ।ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ ॥
ଇନ୍ଦ୍ର ସାବର୍ଣ୍ଣି ଚତୁର୍ଦ୍ଦଶେ ।ହୋଇବେ ନାରାୟଣ ଅଂଶେ ॥
ଉରୁ ଗମ୍ଭୀର ବ୍ରଧ୍ନ ତୁଲେ ।ତାହାର ସନ୍ତାନ ଜନ୍ମିଲେ ॥
ପବିତ୍ର ରାକ୍ଷସ ନାମରେ ।ଦେବତା ସେହି ମନ୍ୱନ୍ତରେ ॥
ହୋଇବ ଶୁଚି ନାମେ ଇନ୍ଦ୍ର ।ସୁଖେ ପାଳିବ ଦେବବୃନ୍ଦ ॥
ଅଗ୍ନି ବାହୁ ଯେ ଶୁଚି ଶୁଦ୍ଧି ।ମଗଧ ଆଦି ଋଷି ସିଦ୍ଧି ॥
ବୃହଦଭାନୁ ଅବତାରେ ।ବିଷ୍ଣୁ ଯେ ସକାତ୍ରୟ ଘରେ ॥
ଜନ୍ମିବେ ବିନତା ଉଦରେ ।ଏବେ ହୋ ଶୁଣ ନୃପବରେ ॥
ଚତୁରଦଶ ମନୁଯେତେ ।ଭାବେ କହିଲି ତୋ ଅଗ୍ରତେ ॥
କଳ୍ପ ଯେ ମନୁ ଚତୁର୍ଦ୍ଦଶ ।ଏ ଭାବେ ବ୍ରହ୍ମାର ଦିବସ ॥
ସହସ୍ର ଯୁଗ ବେଦମତେ ।କଳ୍ପେ ହୋଇଲା ଏ ଜଗତେ ॥
ଏମନ୍ତେ ବେନି କଳ୍ପ ଗଲେ ।ବ୍ରହ୍ମାଙ୍କୁ ଅହୋରାତ୍ର ଭଲେ ॥
ଏମନ୍ତେ ଶୁକ ମୁଖୁ ଶୁଣି ।ରାଜା ହୋଇଲେ ମନେ ଗୁଣି ॥
ରାଜୋବାଚଏ ଭାବେ ବ୍ରହ୍ମାର ଦିବସ ।ଭାଷନ୍ତି ମନୁ ଚତୁର୍ଦ୍ଦଶ ॥
ଯେ ମନୁକାଳେ ସେବା ଧର୍ମ ।ଯଜ୍ଞ ସ୍ୱଭାବେ ଯଥା କର୍ମ ॥
ବିଷ୍ଣୁର ଆଜ୍ଞା ପରମାଣେ ।ଯେବା ସାଧିଲେ ଜଣେ ଜଣେ ॥
ସେ କଥା କହ ମୁନି ମୋତେ ।କେ ଅବା କର୍ମ କଲେ କେତେ ॥
ଏମନ୍ତେ ରାଜା ମୁଖୁଶୁଣି ।ପୁଣି କହନ୍ତି ଶୁକ ମୁନି ॥
ଶ୍ରୀ ଶୁକ ଉବାଚଯେ ମୁନି ମନୁଙ୍କ ତନୁଜେ ।ସେ ସପ୍ତଋଷି ସୃଷ୍ଟିମାଝେ ॥
ଏ ଯେତେ ଦେବ ଇନ୍ଦ୍ରଗଣ ।ଏ ସର୍ବ ରୂପ ନାରାୟଣ ॥
ଯଜ୍ଞାଦି କ୍ରିୟା ତା ଶରୀର ।ସେ ହରି ଧର୍ମ ନିରାକାର ॥
କଳ୍ପ ଅନ୍ତରେ କାଳବଳେ ।ତ୍ରୈଲୋକ୍ୟ ନାଶନ୍ତି ସଲିଳେ ॥
କାଳ ଗ୍ରାସଇ ଶ୍ରୁତିପଥ ।ତ୍ରୈଲୋକ୍ୟ ଦିଶଇ ଅନାଥ ॥
ଋଷିଏ ମିଳି ତପବଳେ ।ଧର୍ମକୁ ଚିନ୍ତନ୍ତି ସକଳେ ॥
ଧର୍ମ ପାଳନ୍ତି ମୁନିଗଣେ ।ସ୍ମୃତି ସଂଯୋଗେ ବିଚାରଣେ ॥
ଇନ୍ଦ୍ର ପାଳଇ ତ୍ରିଭୁବନ ।ଆଦ୍ୟରୁ ବିଷ୍ଣୁର ବଚନ ॥
ସେ ହରି ଧରି ସିଦ୍ଧରୂପ ।ଯେଣେ ତା ଧର୍ମ ଆଦି କଳ୍ପ ॥
ଆତ୍ମାର ମାୟା ଯୋଗବଳେ ।ନାମ ଶରୀର ଏ ଶୟଳେ ॥
ବିହାର କଲ ପଦ୍ମନାଭ ।ଚାଲିଲା ଭବଜଳେ ନାବ ॥
ଦୃଶ୍ୟେ ଅଦୃଶ୍ୟେ ସେ ନ ମିଶେ ।ସେ ବେଳେ ଭକ୍ତ ଜନ ଦିଶେ ॥
କହିଲୁ କଳ୍ପ ସଂଖ୍ୟା ତୋତେ ।କଳ୍ପ ଭୁଞ୍ଜନ୍ତି ମନୁ ଯେତେ ॥
ଯେ ଏହା ଶୁଣେ କର୍ଣ୍ଣପଥେ ।ନିଶ୍ଚଳ ମନେ ଶୁଦ୍ଧ ଚିତ୍ତେ ॥
ତିଳେ ନ ରହେ ଭବକ୍ରାନ୍ତି ।ଘୋର ସଂସାରୁ ତରିଯାନ୍ତି ॥
ବୋଲଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଅଷ୍ଟମସ୍କନ୍ଧେ ହରିବାଣୀ ।ଭବ ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଅଷ୍ଟମସ୍କନ୍ଧେ କଳ୍ପସଂଖ୍ୟା ବର୍ଣ୍ଣନେନାମ ତ୍ରୟୋଦଶୋଽଧ୍ୟାୟଃ ।