ପଞ୍ଚଦଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଯେତେ ମିଳିଲେ ରାଜପୁତ୍ରେ ।କନ୍ୟା ଲଭନ୍ତେ ଲୋଭ ଚିତ୍ତେ ॥
କନ୍ୟା ଲଭିବା କାଳେ ଗୋଳ ।ଯେସନେ ଜଳଧି ଉଲ୍ଲୋଳ ॥
ହେଳେ ତାହାଙ୍କ ତେଜ ହରି ।ଲାଖ ବିନ୍ଧି ମୁଁ ନେଲି ନାରୀ ॥
ପଶୁ ମାରଣ ଯାର ସଙ୍ଗେ ।ଖାଣ୍ଡବ ବନେ କ୍ରୀଡ଼ାରଙ୍ଗେ ॥
ସେ ବନ ଅଗ୍ନିମୁଖେ ଦେଇ ।ଲଭିଲି ମାୟାସଭା ମୁହିଁ ॥
ଅମରଗଣ ତୁଲେ ପୁଣି ।କିଞ୍ଚିତେ ଇନ୍ଦ୍ର ତେଜ ଜିଣି ॥
ଏମନ୍ତେ ମିତ୍ର ହରି ଭଣି ।ଯହିଁ ଅଶେଷ ନୃପମଣି ॥
ତୋହର ଯଜ୍ଞକାଳେ ମିଳି ।ତୋ ପାଦେ କଲେ ନିଉଛାଳି ॥
ଯାହାର ତୁଲେ ବେନି ଭାଇ ।ଛଦ୍ରମେ ବିପ୍ରରୂପ ହୋଇ ॥
ଜରାକୁ ବାହୁବଳେ ଜିଣି ।ରାଜାଙ୍କୁ ବନ୍ଦୀଘରୁ ଆଣି ॥
ତୋହର ଯଜ୍ଞ ସ୍ନାନକାଳେ ।ଦ୍ରୌପଦୀ ଦେଖିତୋର କୋଳେ ॥
ସ୍ୱଭାବେ ନାରୀ ଶିରୋମଣି ।କବରୀ ବେଶେ ଜନ ଜିଣି ॥
କପଟପଶା କରି ବାଦେ ।କୌରବେ ତୋତେ ସଭାମଧ୍ୟେ ॥
ଜିଣି ପାଞ୍ଚାଳୀ କେଶ ଧରି ।ବିବସ୍ତ୍ର ସଭା ମଧ୍ୟେ କରି ॥
ଭୟେ ପାଞ୍ଚାଳୀ ସୁମରିଲା ।ସେ ବେଳେ ଶ୍ରୀକୃଷ୍ଣ ରଖିଲା ॥
ପୁଣି ଅଜ୍ଞାତ ବନବାସେ ।ଦୁର୍ବାସା ଋଷିଙ୍କୁ ବିଶ୍ୱାସେ ॥
ଭୋଜନ ଅନ୍ତେ ରକ୍ଷା ଅର୍ଥେ ।ଅୟୁତେ ବିପ୍ର ଘେନି ସାଥେ ॥
ଭୁଞ୍ଜିବା ପାଇଁ ସ୍ନାନ କରି ।ତା ଜାଣି ପ୍ରଭୁ ନରହରି ॥
ଅତିଥି ରୂପେ ବିଜେ କଲା ।ଶେଷେ ଯେ ଶାକଅନ୍ନ ଥିଲା ॥
କର ପ୍ରସାରି ତାହା ଖାଇ ।ମୁନିଙ୍କ ମନ ମଧ୍ୟେ ଥାଇ ॥
ସନ୍ତୋଷ କଲା ମନ ମଧ୍ୟେ ।ତକ୍ଷଣେ ବ୍ରାହ୍ମଣ ଆନନ୍ଦେ ॥
ସନ୍ତୋଷେ ନିଜ ପୁରେ ଗଲେ ।ସେ ଦୁଃଖୁଁ ସେ ରଖିଲେ ଭଲେ ॥
ଭୀଷ୍ମାଦି ଥିଲେ ଯେତେ ବୀର ।ଶୁଣ ରାଜନ ମନ ସ୍ଥିର ॥
ଯାହାର ତେଜେ ଧନୁ ଧରି ।ବଳେ ଜିଣିଲି ଶୂଳଧାରୀ ॥
ସନ୍ତୋଷେ ମୋତେ ଉମାକାନ୍ତ ।ବୋଇଲେ ବର ମାଗ ପାର୍ଥ ॥
ପାର୍ବତୀ ବିଶ୍ୱାସେ ମୋହିତ ।ବରେ ପାଇଲି ପାଶୁପତ ॥
ହର ବିଶ୍ୱାସେ ମୋତେ ପୁଣ ।ପାର୍ବତୀ ଦେଲେ ଅକ୍ଷ ତୂଣୀ ॥
ସେ ବେନି ଶସ୍ତ୍ର ପାଇ ବନେ ।ମିଳିଲି ଇନ୍ଦ୍ରର ଭୁବନେ ॥
ନର ଶରୀରେ ସୁର ବେଶେ ।ମିଳିଲେ ଯେ ହରି ବିଶ୍ୱାସେ ॥
ବିଷ୍ଣୁର ତେଜ ଦେଖି ମୋତେ ।ସର୍ବ ଦେବତା ପୁରୋହିତେ ॥
ବିଚାରି ସର୍ବେ ଅନୁମାନେ ।ବସାଇ ଇନ୍ଦ୍ରର ଆସନେ ॥
ମୋତେ ପୂଜିଲେ ପୁରସ୍କାରେ ।ମୁଁ ପୁଣି ରହି ସ୍ୱର୍ଗପୁରେ ॥
ସର୍ବ ଦେବତାଙ୍କ ବିଶ୍ୱାସ ।ଅସୁର ବଳ କଲି ନାଶ ॥
ଇନ୍ଦ୍ର ସହିତେ ଶୁଦ୍ଧଭାବେ ।ମୋତେଯେ ପୂଜିଲେ ଗୌରବେ ॥
ଯାହାର ଏତେ ପୁରସ୍କାର ।ସେ ହରି ମୋତେ କଲା ଦୂର ॥
ଯେତେ ଗୋବିନ୍ଦ ବନ୍ଧୁଗଣେ ।କୁରୁ ସାଗରେ ଘୋର ରଣେ ॥
ତରିଲେ ଦୁସ୍ତର ସାଗର ।ଦେବ ଦାନବେ ଅଗୋଚର ॥
ସମରେ ରିପୁବଳ ଜିଣି ।ଅନେକ ଧନରତ୍ନ ଆଣି ॥
ରତ୍ନ ମୁକୁଟ ମଣିପରେ ।ଥିଲା ଯେ ରାଜାଙ୍କର ଶିରେ ॥
ତାହା ହରିଲି ବାହୁବଳେ ।ନିର୍ଭୟେ ଅବନୀ ମଣ୍ଡଳେ ॥
ଯେ ହରି ମୋର ରଥେ ବସି ।ଅଗାଧ କୁରୁବଳ ନାଶି ॥
ଭୀଷ୍ମ ସବିତାସୁତ କୃପ ।ଶଲ୍ୟ ସହିତେ ଯେତେ ନୃପ ॥
ତାହାଙ୍କ ମଧ୍ୟେ ରଥ କରି ।ଅରିର ସୌନ୍ୟ କରେ ମାରି ॥
ରିପୁ ଆୟୁଷ ସଙ୍ଗେ ମନ ।ହରିଲେ ଶ୍ରୀନନ୍ଦନନ୍ଦନ ॥
ବିରାଟ ଗୋଧନ ହରଣେ ।ମହାଦୁସ୍ତର ଘୋର ରଣେ ॥
ସେ କୁରୁ ଦୁସ୍ତର ସାଗରେ ।ଭୀଷ୍ମ ସହିତେ ଯେତେ ବୀରେ ॥
ଅମୋଘ ଶର ବରଷନ୍ତି ।ଦେବ ଦାନବେ ନାହିଁ ଭ୍ରାନ୍ତି ॥
ଯାର ଚରଣ ଆଶ୍ରେ କରି ।ତାହାଙ୍କ ବଳ ଦର୍ପ ହରି ॥
ଗୋଧନ ନେଲି ନିଜ ପୁର ।ସେ ହରି ମୋତେ କଲେ ଦୂର ॥
ଯାର ମହିମା ଏ ସଂସାରେ ।ଭଜିଣ ନିସ୍ତରନ୍ତି ନରେ ॥
ସ୍ୱଭାବେ ସେ ଯେ ସତ୍ୟବ୍ରତ ।ସଂଗ୍ରାମେ ଥିଲା ଭୂମିଗତ ॥
ଯାହାର ପାଦପଦ୍ମ ଚିତ୍ତେ ।ଜ୍ଞାନୀ ଯେ ଭଜୁଥାନ୍ତି ନିତ୍ୟେ ॥
ମହାରଥୀଙ୍କ ଚିତ୍ତେ ଯାଇ ।ପ୍ରବେଶ କଲେ ଭାବଗ୍ରାହୀ ॥
ନୟନେ ମୋ ରୂପ ଦେଖନ୍ତି ।ଦେଖନ୍ତେ କେହି ନ ମାରନ୍ତି ॥
ସେ କୃଷ୍ଣ ବସି ମୋର ପାଶେ ।ଶୋଭିତ ଶୁକ୍ଳ ମନ୍ଦହାସେ ॥
ଆନନ୍ଦେ କରେ କର ଧରି ।ବିବିଧ ହାସ୍ୟେ ହାସ୍ୟ ହରି ॥
ହେ ପାର୍ଥ ଅର୍ଜ୍ଜୁନ ସଖେ ।କୁରୁ ନନ୍ଦନ ମନ ଦୁଃଖେ ॥
ତାହାର ଗୁଣ କର୍ମ ଯେତେ ।କହନ୍ତି ମୋହର ଅଗ୍ରତେ ॥
ଶୟନ ଆସନ ଭୋଜନେ ।ମୁହିଁ ଯେ ତାଙ୍କ ସନ୍ନିଧାନେ ॥
ସଙ୍ଗେ ବିହରି ଦାସ ପଣେ ।ରାତ୍ରରେ କରେ ପ୍ରହାରଣେ ॥
ସେ ଅପରାଧ ମୋର ହରି ।ନ ଘେନି ସ୍ନେହଚିତ୍ତେ ଭରି ॥
ସଖୀର ସଖୀ ଯେହ୍ନେ ସହେ ।ପିତାମାତାଙ୍କୁ ଯେହ୍ନେ ପୋଏ ॥
ନୃପେନ୍ଦ୍ର ଶୁଣ ମୋର ବାଣୀ ।ମୋତେ ଠକିଲେ ଚକ୍ରପାଣି ॥
ମୋହର ପ୍ରିୟ ସଖା ହରି ।ନ ଘେନି ସ୍ନେହଚିତ୍ତେ ଭରି ॥
ଦେଖ ମୋହର ବୀରପଣ ।ମାର୍ଗେ ଗୋବିନ୍ଦ-ପତ୍ନୀଗଣ ॥
ଆବୋରି ନ ପାରିଲି ବଳେ ।ତକ୍ଷଣେ ଉଠିଲେ ଗୋପାଳେ ॥
ସେହି ଗାଣ୍ଡୀବ ଧନୁ ମୋର ।ସେହି ଅକ୍ଷୟ ତୂଣ ଭାର ॥
ସେହି ବିମାନ ଅଶ୍ୱ ଦେଖ ।କ୍ଷଣକେ ହୋଇଲି ନିରେଖ ॥
ଯାହାର ତେଜେ ନୃପଗଣେ ।ନମନ୍ତି ମୋହର ଚରଣେ ॥
ତାର ବିଯୋଗେ ତନୁ କ୍ଷୀଣ ।ଦିଗ ଦିଶନ୍ତି ମୋତେ ଶୂନ୍ୟ ॥
ସେ ପ୍ରାଣନାଥର ବିଯୋଗେ ।ଭସ୍ମ ଯେସନେ ହବିର୍ଭାଗେ ॥
କୁହୁକ ସୁଦୃଷ୍ଟିରୁ ପାତ୍ରେ ।ପ୍ରତ୍ୟକ୍ଷ ନୋହି ନିଜ ନେତ୍ରେ ॥
ଶୁଣ ହେ ନୃପ ଶୁଦ୍ଧ ଚେତା ।ବନ୍ଧୁବାନ୍ଧବଙ୍କର ବାର୍ତ୍ତା ॥
ଅପରେ ଯେତେ ଯଦୁକୁଳେ ।ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ ॥
ବ୍ରାହ୍ମଣ ଶାପେ ଅବଧାନେ ।ମିଳିଲେ ଏରକାର ବନେ ॥
ବାରୁଣୀ ମଦ୍ୟ କଲେ ପାନ ।ଭୋଳେ ହୋଇଲେ ହତଜ୍ଞାନ ॥
ଏରକା ମୁଷ୍ଟିକରେ ଧରି ।ଏକୁ ଆରେକ ମରାମରି ॥
ଆତ୍ମାକୁ ନ ଜାଣନ୍ତି ଭୋଳେ ।ମିଳିଲେ ବ୍ରହ୍ମଶାପ ଫଳେ ॥
ଏଣେ ଯାଦବ ବଳ ନାଶ ।ରହିଲେ ସାତ ପାଞ୍ଚ ଶେଷ ॥
ଈଶ୍ୱର କ୍ରୀଡ଼ା ଏ ଜଗତେ ।ପ୍ରାଣୀ ଯେ ଈଶ୍ୱର ଆୟତ୍ତେ ॥
ମାରନ୍ତି ଏକୁ ଆର ବଳେ ।ଜଳ ଜନ୍ତୁଙ୍କୁ ଯେହ୍ନେ ଜଳେ ॥
ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି ।ନିଜ ମରଣ ନ ଜାଣନ୍ତି ॥
ଦୁର୍ଜ୍ଜନ ପ୍ରାଣୀ ଏ ସକଳେ ।ଦର୍ପ ହରନ୍ତି ତାର ହେଳେ ॥
ଏହି ପ୍ରକାରେ ଯଦୁବଳେ ।କଳି ଭିଆଇଥିଲେ ହେଳେ ॥
ଯଦୁଙ୍କୁ ଯଦୁବଳେ ମାରି ।ଭୂମିରୁ ଭାରା ଅପସରି ॥
ଗୋବିନ୍ଦ କଲେ କର୍ମ ଯେତେ ।ଲୀଳା ବିହରି ଏ ଜଗତେ ॥
ସେ ଦେଶକାଳ ଅର୍ଥଯୁକ୍ତେ ।ଅପହରନ୍ତି ଜନହିତେ ॥
ସେ କାଳ ପଶି ମୋର ଚିତ୍ତେ ।ପ୍ରାଣ ଦହଇ ଅବିରତେ ॥
ଶ୍ରୀ ସୂତ ଉବାଚଏମନ୍ତେ ପାଣ୍ଡବ ଅର୍ଜ୍ଜୁନ ।କୃଷ୍ଣ ଚରଣେ ଦେଇ ମନ ॥
ସୁହୃଦ ଭାବେ ଗାଢ଼େ ଚିନ୍ତି ।ଲଭିଲା ସୁନିର୍ମଳ ଭକ୍ତି ॥
କୃଷ୍ଣ ଚରଣେ ଅନୁଧ୍ୟାନେ ।ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ ॥
ଥିଲା ଯେ ଅଶେଷ କଳ୍ମଷ ।ଭକ୍ତି ଭାବରେ ଗଲା ନାଶ ॥
ନିର୍ମଳ ବୁଦ୍ଧି ପ୍ରକାଶିଲା ।ଗୋବିନ୍ଦ ବାକ୍ୟ ସୁମରିଲା ॥
ସଂଗ୍ରାମ ମଧ୍ୟେ ରଥେ ଥାଇ ।ସେ ଗୀତା କୃଷ୍ଣ ଗୁଣ ଗାଇ ॥
ତାହା ସୁମରି ଶୁଦ୍ଧମନେ ।ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ॥
ପ୍ରାକୃତ ଗୁଣେ ଗୁଣଲିଙ୍ଗ ।ଅସଙ୍ଗ ସଙ୍ଗ ହେତୁ ଭଙ୍ଗ ॥
ଆତ୍ମା ରମଣ ଅଂଶେ ହରି ।ସେ କୃଷ୍ଣ ଗଲେ ନିଜପୁରୀ ॥
ଅର୍ଜ୍ଜୁନ ମୁଖୁଁ ବାକ୍ୟ ଶୁଣି ।ନିର୍ବେଦ ନୃପ ଚୂଡ଼ାମଣି ॥
କୁନ୍ତୀ ଯେ ନିଜପୁରେ ଥିଲେ ।ଗୋବିନ୍ଦ ବିୟୋଗ ଶୁଣିଲେ ॥
ତକ୍ଷଣେ ପାଇ ଦିବ୍ୟ ଜ୍ଞାନ ।ଗୋବିନ୍ଦ ପାଦେ ହେଲେ ଲୀନ ॥
ଆତ୍ମା ନିବୃତ୍ତ ଜ୍ଞାନଯୋଗେ ।ନିଶ୍ଚୟ କରି ସ୍ୱର୍ଗ ମାର୍ଗେ ॥
ଯାଗେ ଗୋବିନ୍ଦ ମହୀତେଜି ।ସ୍ୱଭାବେ ନିତ୍ୟ ଧର୍ମେ ମଜ୍ଜି ॥
ତାର ମହିମା ନରଲୋକେ ।ସାଧିବେ ଏକକୁ ଆରକେ ॥
କହି ଚଳନ୍ତି ଭଗବାନ ।କଳି ଆଗମ ସେହିଦିନ ॥
ମିଳିଲା ନରଲୋକେ ଆସି ।ତକ୍ଷଣେ ଗ୍ରାମେ ଗ୍ରାମେ ପଶି ॥
ସକଳ ପୁରେ ପ୍ରାଣୀ ଚିତ୍ତେ ।ଲୋଭ ବଢ଼ଇ ଦମ୍ଭମତେ ॥
ପ୍ରାଣୀ ନାଶନେ ଧର୍ମ ନାଶେ ।ପ୍ରାଣୀଏ କଳିର ବିଶ୍ୱାସେ ॥
ନିଷ୍ଠୁର ଚିତ୍ତ ସର୍ବଜନ ।ତା ଦେଖି ଧର୍ମର ନନ୍ଦନ ॥
ସ୍ୱର୍ଗ ଗମନ ମନେ ଗୁଣି ।ତକ୍ଷଣେ ପରୀକ୍ଷିତେ ଆଣି ॥
ଉତ୍ତମ ରାଜ ଚିହ୍ନ ଦେଖି ।ସକଳ ଗୁଣେ ଉପଲକ୍ଷ୍ୟି ॥
ଆତ୍ମାରେ ତୁଲ୍ୟ କରି ମଣି ।ଅନେକ ତୀର୍ଥଜଳ ଆଣି ॥
ହସ୍ତିନାପୁର ଅଭିଷେକେ ।ସ୍ଥାପିଲେ ନୃପ ନରଲୋକେ ॥
ଯାଦବ ବଂଶେ ଶେଷେ ଥିଲା ।ଦୁର୍ଜ୍ଜୟ ଅନିରୁଦ୍ଧ ବଳା ॥
ମଥୁରାପୁର ଧର୍ମ ବାଟେ ।ସ୍ଥାପିଲେ ସୁରସେନ ପାଟେ ॥
ସକଳ ଭୋଗ ଦୂର କରି ।ଶରୀର ବଧ ଅପହରି ॥
ଆତ୍ମାରେ ଆତ୍ମା ଅଗ୍ନିଜାଳି ।ସର୍ବ ବିଷୟେ ଘୃତ ଢାଳି ॥
ଜ୍ଞାନ ଗୋଚରେ ଅଗ୍ନିପାନ ।ତକ୍ଷଣେ ଧର୍ମର ନନ୍ଦନ ॥
ସର୍ବ ସମ୍ପଦ ଦୂର କରି ।ନିର୍ମଳ ଚିତ୍ତ ଧ୍ୟାନେ ଧରି ॥
ଅଶେଷ କର୍ମପାଶ ଛେଦି ।ତୋଷେ ଶରୀର ରନ୍ଧ୍ର ରୁଧି ॥
ମନ ବଚନ ଲୀନ କରି ।ବାୟୁ ଧାରଣେ ପୁଣି ଧରି ॥
ଅଜ୍ଞାନ ଉତ୍ସର୍ଗ ସହିତେ ।କୁଣ୍ଠିତ ମାର୍ଗେ ଅନ୍ତର୍ଗତେ ॥
ପୁଣି ଅଦେହ ପଞ୍ଚପ୍ରାଣ ।ଜୀବର ଯେତେ ପରିତ୍ରାଣ ॥
ସକଳ ଗୁଣେ ଗୁଣ ଧରି ।ଆତ୍ମାରେ ଆତ୍ମା ହୋମ କରି ॥
ବ୍ରହ୍ମ ନିର୍ବାଣେ ଥୋଇ ଚିତ୍ତ ।ଉତ୍ତର ପଥେ ଉପଗତ ॥
ସୁସ୍ଥିର ମନ ନିରାହାରି ।ମଉନ ମୁକ୍ତ କେଶଧରି ॥
ଜଡ଼ ଉନ୍ମତ ମତ୍ତ ପ୍ରାୟେ ।କେହି ଦେଖଇ ନିଜ କାୟେ ॥
ଜନ ବଦନକୁ ନ ଚାହିଁ ।ଅନ୍ଧ ବଧିର ପ୍ରାୟ ହୋଇ ॥
ହୃଦେ ନିବେଶି ବେନି ପାଣି ।ଉତ୍ତର ଦିଗେ ନୃପମଣି ॥
ପୂର୍ବେ ଅଶେଷ ମୁନି ଯାନ୍ତେ ।ମୋକ୍ଷ ହୋଇଲେ ଯେଉଁ ପଥେ ॥
ପରମ ବ୍ରହ୍ମ ଚିନ୍ତାକରି ।ପ୍ରସ୍ଥାନ ସ୍ୱର୍ଗପଥ ହେରି ॥
ପଥେ ଚଳନ୍ତି ଚାରିଭାଇ ।ରାଜାର ଅନୁରୂପ ହୋଇ ॥
ପ୍ରଜାଙ୍କୁ କରି ଆଲିଙ୍ଗନ ।ହରଷ କରି ସର୍ବଜନ ॥
ସେ ସାଧୁ ଶାନ୍ତ ସତ୍ୟ ଗୁଣୀ ।ଆତ୍ମାର ଅନ୍ତର୍ଗତେ ଜାଣି ॥
ମନ ନିବେଶି କୃଷ୍ଣପାଦେ ।କୃଷ୍ଣର ଭକ୍ତି ଅପ୍ରମାଦେ ॥
ନିର୍ମଳ ଚିତ୍ତ ତାହାଙ୍କର ।ଗୋବିନ୍ଦ ପାଦେ କରି ସାର ॥
କୃଷ୍ଣ ଚରଣେ ଚିତ୍ତ ଦେଲେ ।ପରମ ଗତି ସେ ଲଭିଲେ ॥
ବିଦୁର ଥିଲେ ବନବାସେ ।ପ୍ରଭାସ ତୀର୍ଥେ ମୋକ୍ଷ ଆଶେ ॥
ଗୋବିନ୍ଦ ଚରଣେ ନିଶ୍ଚଳେ ।ପ୍ରାଣ ଛାଡ଼ିଲେ ଯୋଗବଳେ ॥
ପିତୃଗଣଙ୍କ ମଧ୍ୟେ ମିଶି ।ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ ॥
ନିଜ ଭୁବନେ ବିଜେ କଲେ ।ବ୍ରାହ୍ମଣ ଶାପୁଁ ନିସ୍ତରିଲେ ॥
ତକ୍ଷଣେ ଦ୍ରୁପଦ କୁମାରୀ ।ଭର୍ତ୍ତାର ପଥ ଅନୁସରି ॥
କହନ୍ତି ସୂତ ଶୁଦ୍ଧ ଚିତ୍ତେ ।ସର୍ବ ମୁନିଙ୍କ ମଧ୍ୟଗତେ ॥
ଶ୍ରୀ ସୂତ ଉବାଚଏବେ ହୋ ଶୁଣ ବିପ୍ରଜନେ ।କୃଷ୍ଣ ମହିମା ଶୁଦ୍ଧ ମନେ ॥
ଗୋବିନ୍ଦ ଚରଣ କମଳେ ।ପଣ୍ଡୁ କୁମର ଭାବ ଭୋଳେ ॥
ସଂସାର ମାୟା ଦୂର କଲେ ।ଜଗତ ଜନ ନିସ୍ତାରିଲେ ॥
ପରମ ମଙ୍ଗଳ ଏ ବାଣୀ ।ଯେ ପ୍ରାଣୀ ଶୁଦ୍ଧ ଚିତ୍ତେ ଶୁଣି ॥
ସେ ଭକ୍ତି ଲଭେ ଅପ୍ରମାଦେ ।ଅନ୍ତେ ପଶଇ କୃଷ୍ଣପାଦେ ॥
କୃଷ୍ଣ ମହିମା ସୁଧାରସ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ପାଣ୍ଡବ ହିମାଚଳ ଗମନେ ନାମପଞ୍ଚଦଶୋଽଧ୍ୟାୟଃ ॥
ଷୋଡ଼ଶ ଅଧ୍ୟାୟ
ଶ୍ରୀ ସୂତ ଉବାଚସୂତ କହନ୍ତି ଅନୁରାଗେ ।ଆନନ୍ଦେ ମୁନିଙ୍କର ଆଗେ ॥
ସ୍ୱଭାବେ ଅଭିମନ୍ୟୁ ସୁତ ।ତେଜ ବିକାଶେ ପରୀକ୍ଷିତ ॥
ବ୍ରାହ୍ମଣ ବାକ୍ୟେ ଜନ୍ମକାଳେ ।ସୁମରି ହସ୍ତିନା ମଣ୍ଡଳେ ॥
ରାଜ୍ୟ ଆବୋରି ରାଜା ଯେତେ ।ସର୍ବେ ଖଟିଲେ ପାଦଗତେ ॥
ଶତ୍ରୁଙ୍କୁ ଜିଣି ମହାତେଜ ।ଭୋଗ କରଇ ନିଜ ରାଜ୍ୟ ॥
ବିରାଟ ସୁତ ସୁତା ଥିଲା ।ସ୍ନେହେ ସେ ପରୀକ୍ଷିତେ ଦେଲା ॥
ଅତି ସୁନ୍ଦର ରୂପ କାନ୍ତି ।ନାମ ତାହାର କଳାବତୀ ॥
ତାହାର ଗର୍ଭୁ ଚାରି ପୁତ୍ର ।ଧର୍ମେ ସମ୍ପାଦି ପରୀକ୍ଷିତ ॥
କୁମାର ଜନ୍ମେଜୟ ଆଦି ।ସକଳ ଗୁଣେ ସେ ପ୍ରସିଦ୍ଧି ॥
ଆନନ୍ଦେ ରାଜା ପରୀକ୍ଷିତ ।ଯଜ୍ଞେ ବରିଲା ପୁରୋହିତ ॥
ଗଙ୍ଗାର ତୀରେ ବେଦବାଦୀ ।ସାଧିଲା ତିନି ଅଶ୍ୱମେଧି ॥
ଦକ୍ଷିଣା ଦେଲେ ମନପୁରି ।ଦିଗ ବିଜୟେ ବିଜେକରି ॥
କଳିଯୁଗକୁ ଏକଦିନେ ।ଦେଖିଲା ବେଳ ଅବସାନେ ॥
ସେ ଶୂଦ୍ରଜାତି ନୃପ ସାଜେ ।ଲୌହ ମୂଷଳ ଘେନି ବିଜେ ॥
ଅଗ୍ରେ ଗୋ ମିଥୁନକୁ ଥୋଇ ।ହୁଙ୍କାର ନାଦେ ପ୍ରହାରଇ ॥
ତାହାକୁ ଦେଖି ନୃପମଣି ।ତକ୍ଷଣେ ଭୁଜ ଧରିଆଣି ॥
ବନ୍ଧନ କଲା ବାହୁବଳେ ।ସେ ବୀର ଅବନୀ ମଣ୍ଡଳେ ॥
ଏମନ୍ତେ ସୂତ ମୁଖୁ ଶୁଣି ।ଶୌନକ ଆଦି ଯେତେ ମୁନି ॥
ଆନନ୍ଦେ ହୋଇ କୃତକୃତ୍ୟ ।କହନ୍ତି ଶୁଣ ମୁନି ସୂତ ॥
ଶୌନକ ଉବାଚକେବଣ ହେତୁ ପରୀକ୍ଷିତ ।ବିଗ ବିଜୟେ ଉପଗତ ॥
କଳିକୁ ଧରି ବାହୁବଳେ ।ବନ୍ଧନ କଲା କିବା ଛଳେ ॥
ସ୍ୱଭାବେ ଶୂଦ୍ରରୂପ ଧରି ।କପଟେ ନୃପ ଲିଙ୍ଗକାରୀ ॥
ପାଦ ପ୍ରହାରିଲା ତାହାକୁ ।ଭୋ ସୁତ କହିବା ଆମ୍ଭଙ୍କୁ ॥
ଏ କୃଷ୍ଣକଥା ରସବାଣୀ ।ଏ ଜୀବ ତରେ ଯାହା ଶୁଣି ॥
ଶରୀର ବହି ମୋହକଳ୍ପେ ।ଜନ୍ମ ମରଣର ବିଳାପେ ॥
ଆୟୁଷ ଦିନୁଦିନ ତୁଟେ ।ଜଳ ଯେସନେ ଛିଦ୍ରଘଟେ ॥
କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର ।ଅମୃତ ବାକ୍ୟ ଚକ୍ରଧର ॥
ଏଥୁ ପ୍ରାଣୀଙ୍କ ନାଶ ଅର୍ଥେ ।ମୃତ୍ୟୁ ପୁରୁଷ ଏ ଜଗତେ ॥
ସେ ନୁହେଁ କାହାରି ଆୟତ୍ତ ।କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥
ସେ ମୃତ୍ୟୁ ମୁଖୁଁ ନିସ୍ତାରଣେ ।ହରି ଭକତି ମନେ ଗୁଣେ ॥
ହରି ଭକତି ସୁଧାପାନେ ।ଅମୃତ ବିନୟ ବଚନେ ॥
ଦିନ ହରନ୍ତି ଦୁଃଖ ସୁଖେ ।ତାହାକୁ ନାରାୟଣ ରଖେ ॥
ସ୍ୱଭାବେ ମନ୍ଦବୁଦ୍ଧି ପ୍ରାଣୀ ।ନିଜ ଆୟୁଷ ନ ପ୍ରମାଣି ॥
ନିରତେ ମନ୍ଦ କର୍ମ କରେ ।ତାର ଆୟୁଷ ଏ ସଂସାରେ ॥
ଅଧେ ହରଇ ନିଦ୍ରା ନାଶି ।ଦିବସେ ବ୍ୟର୍ଥ କର୍ମେ ଗ୍ରାସି ॥
ଏମନ୍ତେ ମୁନିଙ୍କ ପ୍ରସନ୍ନେ ।ସୂତ କହନ୍ତି ଅବଧାନେ ॥
ଶ୍ରୀ ସୂତ ଉବାଚସେ ରାଜ ଋଷି ଯେତେବେଳେ ।ବସିଲା ହସ୍ତିନା ମଣ୍ଡଳେ ॥
ବିଶେଷେ ଅର୍ଜ୍ଜୁନର ନାତି ।ରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ ॥
କଳି ପ୍ରବେଶ କଥା ଶୁଣି ।ଦିଗ ବିଜୟେ ନୃପମଣି ॥
ତାର ସମାନ ନୃପବରେ ।ସମର୍ଥ ନାହାନ୍ତି ସମରେ ॥
ଉତ୍ତମ ରଥ ସଜ କରି ।ରଥେ ଯୋଚିଲା ଅଶ୍ୱ ଚାରି ॥
ସମ ତୁରଙ୍ଗ ଘନ ଜବ ।କେ କହୁଁ ଅଶ୍ୱଙ୍କର ଭାବ ॥
ଅଶ୍ୱ ଭୂଷିତ ଅଳଙ୍କାରେ ।ରବି ଉଦୟ କି ଅମ୍ୱରେ ॥
ରଥ ଉପରେ ହୀରା ଧ୍ୱଜ ।ପୁରୁଁ ବାହାର ମହାରାଜ ॥
ଆବୃତ୍ତ ଚତୁରଙ୍ଗ ବଳେ ।କେ ତାକୁ ସମ ମହୀତଳେ ॥
ଦିଗ ବିଜୟେ ବାହାରିଲା ।ଶବଦେ ଭୁବନ କମ୍ପିଲା ॥
ସର୍ବ ନୃପତି ନେଇ ପାଶେ ।ମିଳେ ଉତ୍ତର କୁରୁଦେଶେ ॥
ଭଦ୍ରାଶ୍ୱ କେତୁମାଳ ଜିଣି ।ଆଗେ ରାଉତ ମଧ୍ୟେ ଜିଣି ॥
ସର୍ବ ନୃପ ପୁରୁଷ ଆଦି ।ଜିଣିଲା ସକଳ ସମ୍ପାଦି ॥
ସର୍ବ ନୃପାଦି ଯା ଚରଣେ ।ଧନେ ଖଟିଲେ ଦାସପଣେ ॥
କେତେ ହେଁ ନୃପତି ତା ସଙ୍ଗେ ।କୃଷ୍ଣ ଚରିତ ବୀଣା ରଙ୍ଗେ ॥
ପୂର୍ବୁ ପୁରୁଷଙ୍କର ବାଣୀ ।ତୋଷେ ତାହାର ମୁଖୁଁ ଶୁଣି ॥
ଆତ୍ମାକୁ ରଖିଲେ ଯେମନ୍ତେ ।ଦ୍ରୋଣ କୁମର ଶସ୍ତ୍ରାଘାତେ ॥
କୃଷ୍ଣ ପାଣ୍ଡବ ବନ୍ଧୁଗଣେ ।ଭକ୍ତି କୃଷ୍ଣର ଯେ ଚରଣେ ॥
ଦୁସ୍ତର ବ୍ରହ୍ମଶର ବାଣ ।ଉଦର ଚକ୍ର ସଂହାରଣ ॥
ଶୁଣି ସନ୍ତୋଷ ନୃପମଣି ।ଉତ୍ତମ ନବରତ୍ନ ଆଣି ॥
ତାହାକୁ ଦେଲେ ପୁରସ୍କାର ।ରତ୍ନ କଙ୍କଣ ମଣିହାର ॥
ଅଶ୍ରୁ ଲୋଚନ ଚକ୍ଷୁ ବୁଜି ।ପୁଲକେ ପୂରେ ରୋମରାଜି ॥
ପାଣ୍ଡବ ସଙ୍ଗେ ଯେତେ ଭାବ ।ସଂସାରେ ସାଧିଲେ ମାଧବ ॥
ରଣେ ସାରଥି ପଣେ ରତେ ।ଯେ ବନବାସ ଘୋର ପଥେ ॥
ରଣୁ ଉଦ୍ଧରେ ସଖା ଗଣେ ।ହସ୍ତିନା ରାଜଦୂତ ପଣେ ॥
ଆସନ ଶୟନ ଭୋଜନେ ।ସ୍ନେହେ ବାନ୍ଧବ ବନ୍ଧୁଜନେ ॥
ଏ ଆଦି ଯେତେ କର୍ମ କରି ।ପାଣ୍ଡବ ସଙ୍ଗତେ ବିହରି ॥
ସେ ଭାବ ଘେନି ଦୃଢ଼ ଚିତ୍ତେ ।ଲଭିଲା କୃଷ୍ଣ-ପାଦଗତେ ॥
ପୂର୍ବୁ ପୁରୁଷଙ୍କର ଧର୍ମ ।ସାଧିଲା ଅନୁଦିନେ କର୍ମ ॥
ସେ ପୁଣି ନିଜ କର୍ମ ବଶେ ।ଲଭିଲା ଅଳପ ବୟସେ ॥
ତାର ଆଶ୍ଚର୍ଯ୍ୟ କଥା ଶୁଣି ।ଶୌନକ କହେ ମଞ୍ଜୁବାଣୀ ॥
ଧର୍ମ ଯେ ଏକପାଦ ବହି ।ତକ୍ଷଣେ ବୃଷରୂପ ହୋଇ ॥
ଭୂମିକି ଦେଖି ଅନୁରୂପେ ।ବିଶ୍ୱାସେ ମିଳିଲା ସମୀପେ ॥
ସେ ଧେନୁ ଅତି ଦୁଃଖେ ଦୁଃଖୀ ।ଅଧୋବଦନେ ଅଶ୍ରୁମୁଖୀ ॥
ତାର ବଦନ ଚାହିଁ ଧୀରେ ।ଧର୍ମ ବୋଲଇ ପ୍ରିୟଭରେ ॥
ଧର୍ମ ଉବାଚହେ ବସୁନ୍ଧରୀ ସତ୍ୟ କହ ।ତୋର ବିସ୍ମୟେ ମୋର ଦେହ ॥
କିବା ତନୟ ତୋର ମଲା ।ସ୍ୱାମୀ ବା ଦୂରେ ପ୍ରବେଶିଲା ॥
ତୋର ଶରୀରେ କିବା ବ୍ୟାଧି ।ସ୍ରବଇ ଅନ୍ତରେ ଆଚ୍ଛାଦି ॥
ବିଶେଷ ବଚନ ତୋହର ।ଏଣୁ ଏ ସ୍ୱଭାବ ଯେ ତୋର ॥
କିବା ତୋହର ମନ ବ୍ୟଥା ।କି ନଷ୍ଟ ଅର୍ଥେ ତୋର ଚିନ୍ତା ॥
ଏ ବଡ଼ ଦୁଃଖୀ ଦେଖି ତୋତେ ।ଦୟା ବସିଲା ମୋର ଚିତ୍ତେ ॥
କେବା ତୋହର ପ୍ରାଣ ନାଶେ ।ସୁଖେ ବଞ୍ଚିବ ମାଂସ ଗ୍ରାସେ ॥
କିବା ଦେବଙ୍କ ପ୍ରୀତି ଛଳେ ।ଯଜ୍ଞ ନୋହିବ ଭୂମି ତଳେ ॥
ଯେବେ ନ ବରଷିବେ ଦେବେ ।ଏଣୁ ଏ ପ୍ରଜାନାଶଯିବେ ॥
କିବା ପୁରୁଷ ନିଜ ନାରୀ ।ଉପେକ୍ଷି ପରଦାରା କରି ॥
କିବା ବାଳକ ପିତାମାତା ।ଛାଡ଼ିଲେ ତୋର ମନେ ଚିନ୍ତା ॥
କିବା ବ୍ରାହ୍ମଣେ ବେଦବାଣୀ ।ସାଧିବେ ଦୀନ କୁଳେ ଆଣି ॥
ଗ୍ରହ ନକ୍ଷତ୍ର ବନ୍ଧୁ ରାଜା ।କଳି ବିହିତ ଜନ ପ୍ରଜା ॥
ନିଜ ଭବନ ଛାଡ଼ି ଅନ୍ୟେ ।ଛାଡ଼ିବେ ଦୁର୍ଗମ କାନନେ ॥
ପ୍ରାଣୀଏ ଆନ ଆନ ସ୍ଥାନେ ।ଆସନ ଭୋଜନ ଶୟନେ ॥
କରିବେ ପରପାକେ ମତି ।ପର ଯୁବତୀ ଘେନି ରତି ॥
କିବା ତୋହର ଗୁରୁତର ।ଖଣ୍ଡିଲା ଅବନୀର ଭାର ॥
ତାର ଚରଣ ତୋର ଉପର ।ଯେହ୍ନେ ଭୂଷିତ ଅଳଙ୍କାରେ ॥
ତାର ଚରିତ ଗୁଣ ଲୀଳା ।କିବା ତୋ ମନ ସୁମରିଲା ॥
ତାର ବିଯୋଗେ ତୋର ଚିତ୍ତେ ।ଚିନ୍ତା ସାଗରେ ମୋହଗ୍ରସ୍ତେ ॥
ଏ ଆଦି ଯେତେ ଚିନ୍ତା ଭାର ।କହ ଅଭିମାନ ବେଭାର ॥
କାଳ ବା ତୋର ଶୁଭହାରି ।ଯେଣୁ ଦିଶିଲୁ ହତଶିରୀ ॥
କାଳ ବା ତୋର ଶୁଭହାରି ।ଯେଣୁ ଦିଶିଲୁ ହତଶିରୀ ॥
ଧର୍ମ ବୃଷଭ ବାକ୍ୟ ଶୁଣି ।ଧରଣୀ କହେ ମନେ ଗୁଣି ॥
ଧରଣୀ ଉବାଚଭୋ ବୃଷ ଯେତେ ପ୍ରଶ୍ନ ତୋର ।କହିବି ଶୁଣ ମନ ସ୍ଥିର ॥
ତୋହର ଚତୁର ଚରଣ ।ପ୍ରାଣୀଙ୍କ ସୁଖର କାରଣ ॥
ସତ୍ୟ ଶଉଚ ଦମ୍ଭ ଶାନ୍ତି ।ତ୍ୟାଗ ସନ୍ତୋଷ ମହାମତି ॥
ତପ ସମାଧି ଶମ ଦମ ।ତିତିକ୍ଷା ଇନ୍ଦ୍ରିୟ ସଂଯମ ॥
ବିରକ୍ତି ଫଳ ଯେ ଐଶ୍ୱର୍ଯ୍ୟ ।ସତତ ସୁଖ ଜ୍ଞାନ ଦ୍ୱିଜ ॥
କୁଶଳ କାନ୍ତି ସମଭାଗ ।ଅଶୁଭ କର୍ମର ଯେ ଭୋଗ ॥
ପ୍ରଶସ୍ତ ଶୀଳ ମହାବଳ ।ସ୍ତିରୀ ଗଭୀର ଧର୍ମକୁଳ ॥
ସୁକୃତ ମାନ ଅହଙ୍କାର ।ଏ ସର୍ବ ତୋହର ଶରୀର ॥
ଏ ଆଦି ଅନ୍ୟ ଧର୍ମ ଯେତେ ।କର୍ମ ସାଧନ ଏ ଜଗତେ ॥
ମହତ ଜନ ଆଚରଣ ।ଆତ୍ମାର ପରମ କାରଣ ॥
ସେ ସର୍ବଗୁଣ ଷଡ଼ଭାଗେ ।ଗମିଲେ ଗୋବିନ୍ଦର ସଙ୍ଗେ ॥
ଏ ସର୍ବଗୁଣ ଲୋକ ଯେତେ ।ସର୍ବେ ପଡ଼ିଲେ ମୋହଗତେ ॥
ଏବେ ମୁଁ ଆତ୍ମାକୁ ସୁମରି ।ଏ ସର୍ବଗୁଣ ମନେ ଧରି ॥
ତୋର ଚରଣ ଭଗ୍ନ ଦେଖି ।କାନ୍ଦଇ ହୋଇ ଅତି ଦୁଃଖୀ ॥
ଦେବତା ଋଷି ପିତୃଗଣେ ।ଯେ ବର୍ଣ୍ଣାଶ୍ରମ ଆଚରଣେ ॥
ଏ ସର୍ବଧର୍ମ ଗଲା ଦୂର ।ମୋତେ ଛାଡ଼ିଲେ ଚକ୍ରଧର ॥
ବ୍ରହ୍ମାଦି ଦେବଦେବୀ ଯେତେ ।ନିଶ୍ଚଳ ମୋହର ଅଗ୍ରତେ ॥
ଯାର ଅପାଙ୍ଗ ମୋକ୍ଷ ଶିରୀ ।ଲଭିବି ବୋଲି ଆଶ୍ରା କରି ॥
କଠୋର ତପ ସାଧି ବନେ ।ପ୍ରସନ୍ନ ଯାହାର ଚରଣେ ॥
ସେ ଲକ୍ଷ୍ମୀ ତେଜି ପଦ୍ମବନ ।ଯାର ହୃଦୟେ ଲଭି ସ୍ଥାନ ॥
ସେ ସ୍ଥାନେ ନ ରହେ ତା ମନ ।ତାର ଚରଣେ କରେ ଧ୍ୟାନ ॥
କଳି ବଞ୍ଚଇ ସର୍ବବେଳେ ।ସେ ହରି ନିଜ ପୁରେ ଗଲେ ॥
ତାର ଚରଣେ ଚିହ୍ନ ଯେତେ ।ଧ୍ୱଜ ଅଙ୍କୁଶ ନିଜ ଗାତ୍ରେ ॥
ସେ ବେଳେ ଅଳଂକୃତ ଦେହୀ ।ଶୁଦ୍ଧ ସୁନ୍ଦର ବିରାଜଇ ॥
ଯେଣୁ ଛାଡ଼ିଲେ ମୋତେ ହରି ।ତେଣୁ ଦିଶଇ ହତଶିରୀ ॥
ଅସୁର ଅକ୍ଷୌହିଣୀ ଭାର ।ଉଶ୍ୱାସ କଲା ଯେ ମୋହର ॥
ତାର ବିଯୋଗ ଯେବା କହି ।ଏ ନରଲୋକେ ଦେହ ବହି ॥
ପ୍ରେମେ ବାଳକ କର୍ମ ମାତ୍ରେ ।ମନକୁ ମୋହନ୍ତି ଜଗତେ ॥
ମଥୁରାପୁର ନାରୀଙ୍କର ।ଭାଗ୍ୟ କେ କରିବ ଗୋଚର ॥
ତାର ଚରଣ ସୁଖ ଲାଗି ।ପୁଲକ ଭାବେ ସଉଭାଗୀ ॥
ସୂତ କହନ୍ତି ଅବଧାନେ ।ଏବେ ହୋ ଶୁଣ ମୁନିଜନେ ॥
ଏମନ୍ତେ କହୁଁ କହୁଁ ବାଣୀ ।ଧର୍ମର ସଙ୍ଗତେ ଧରଣୀ ॥
ସେ ପରୀକ୍ଷିତ ଦଣ୍ଡଧାରୀ ।ଦିଗବିଜୟ କର୍ମ ସାରି ॥
ଧର୍ମ ଧରଣୀ ସଙ୍ଗ ବଳେ ।ମିଳିଲା ସରସ୍ୱତୀ କୂଳେ ॥
କହଇ ବିପ୍ର ଜଗନ୍ନାଥ ।ପ୍ରାକୃତ ବନ୍ଧେ ଭାଗବତ ॥
ପ୍ରଥମ ସ୍କନ୍ଧେ ଅର୍ଥ ଯେତେ ।ଅମୃତ କୃଷ୍ଣର ଚରିତେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଧର୍ମ ପୃଥ୍ୱୀ ସମ୍ୱାଦେ ନାମଷୋଡ଼ଶୋଽଧ୍ୟାୟଃ ॥