ସପ୍ତଦଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିତୁ ତ ସ୍ୱଭାବେ ଅରକ୍ଷିତ ।ପ୍ରାଣୀଙ୍କୁ କରୁ କିମ୍ପା ହତ ॥
ପ୍ରାଣ ସତ୍ୱରେ ଅବହେଳା ।ନିଶ୍ଚୟେ କାଳ ତୋ ପୂରିଲା ॥
ପୁଣି ବୃଷଭ ମୁଖ ଚାହିଁ ।ସଭ୍ରମ ଚିତ୍ତେ ପଚାରଇ ॥
ବୃଷ ତୁ ମୃଣାଳ କୋମଳ ।ଏକଇ ପାଦ ତୋ ଚଞ୍ଚଳ ॥
ତିନି ଚରଣ ତୋର ଥିଲା ।କହ କି ହେତୁ କେଣେ ଗଲା ॥
କେଉଁ ଦେବତା କହ ତୁହି ।ମାୟାରେ ବୃଷରୂପ ହୋଇ ॥
ଏ କଥା ମୋତେ ବଡ଼ ଗରୁ ।ମୋହର ମନ ଖେଦ କରୁ ॥
ଦେଖ କୌରବ ବଂଶଭୁଜେ ।ପରୀକ୍ଷିତ ମୋହର ରାଜ୍ୟେ ॥
ପ୍ରାଣୀ ଲୋଚନୁ ଅଶ୍ରୁଜଳ ।କେବେହେଁ ନ ପଡ଼ଇ ତଳ ॥
ପୁଣି ସୁରଭୀ ମୁଖ ଚାହିଁ ।ଆଶ୍ୱାସି ବାକ୍ୟ ପଚାରଇ ॥
ତୁ ଧେନୁ କାନ୍ଦୁ କାହିଁପାଇଁ ।ତୁ ତାହା ମୋତେ କହ ଫେଇ ॥
ତୁ ଏବେ ରୋଦନ ନ କର ।ମୁହିଁ ଖଳଙ୍କ ଦର୍ପହର ॥
ମୁହିଁ ପାଳକ ଅଛି ଯହିଁ ।ମୋର ପ୍ରଜାଙ୍କୁ ଦୁଃଖ ନାହିଁ ॥
ଯାହାର ରାଜ୍ୟେ ପ୍ରଜାବଳେ ।ହିଂସା କରନ୍ତି ଦୁଷ୍ଟ ଖଳେ ॥
ତା ଯେବେ ରାଜା ନ ମଣଇ ।ତାର ରାଜତ୍ୱେ ଯଶ କାହିଁ ॥
ରାଜାଙ୍କ କୁଳ ଧର୍ମ ଏହି ।ନିଶ୍ଚିନ୍ତେ ପ୍ରଜାଙ୍କୁ ଯେ ପାଳଇ ॥
ଏଣୁ ଏହାକୁ ବଧ କରି ।ଧର୍ମ ଅଧର୍ମ ନ ବିଚାରି ॥
ତୋର ରକ୍ଷଣେ ଏ କାରଣ ।ଭୋ ବୃଷ ସାବଧାନେ ଶୁଣ ॥
ତୋହର ଚାରିପାଦ ଥିଲା ।ତିନି ଚରଣ କେଣେ ଗଲା ॥
ସୁରଭୀ ମୁଖ ଚାହିଁ ପୁଣି ।କହଇ ନୃପ ଚୂଡ଼ାମଣି ॥
ଭୋ ବୃଷ ଶୁଣ ମୋର ବାଣୀ ।ତୋ ଦୁଃଖ କହ ମୋତେ ପୁଣି ॥
କୃଷ୍ଣ ସେବକ ବନ୍ଧୁ ଯେତେ ।ତାହାଙ୍କ ଚିତ୍ତ ଏ ଜଗତେ ॥
ଧର୍ମ ନ ସହେ ମହୀତଳେ ।ଯେ ସାଧୁ ଅଟେ ସର୍ବକାଳେ ॥
ତୋହର ବିରୂପ ଶରୀର ।ପାଣ୍ଡବ ବଂଶେ ଏ ଦୁଷ୍କର ॥
ନିର୍ଦ୍ଦୋଷ ପ୍ରାଣୀଙ୍କୁ ଯେ ହିଂସେ ।ସେ ଅପରାଧେ ଆତ୍ମା ନାଶେ ॥
ମୁହିଁ ତାହାର ଭୁଜ ଦୁଇ ।ଛେଦଇ ଯେବେ ଦେବ ହୋଇ ॥
ରାଜା ପ୍ରଜାର ଧର୍ମ ଏହି ।ନିଶ୍ଚିନ୍ତେ ପ୍ରଜାଙ୍କୁ ପାଳଇ ॥
ସ୍ୱଧର୍ମେ ପାଳେ ବସୁନ୍ଧରୀ ।ଖଳ ଚଉର୍ଯ୍ୟ ସେ ନିବାରି ॥
ଏ ଚାରିବର୍ଣ୍ଣେ ଏ ଜଗତେ ।ସ୍ୱଧର୍ମ ଛାଡ଼ି ଅନ୍ୟପଥେ ॥
ତାହାଙ୍କ ଗର୍ବ ଯେତେ ହରେ ।ସେ ରାଜା ସୁଖେ ରାଜ୍ୟ କରେ ॥
ରାଜାର ବାଣୀ ଶୁଣି ତୋଷେ ।ଧର୍ମ କହନ୍ତି ପ୍ରେମ ହାସ୍ୟେ ॥
ଧର୍ମ ଉବାଚପାଣ୍ଡବ ବଂଶେ ଏ ବେଭାର ।ଆରତ ପ୍ରାଣୀ ଭୟଙ୍କର ॥
ଯାହାର ଗୁଣେ ଗୁଣ ହରି ।ସାରଥି ଦୂଢ଼ପଣେ କରି ॥
ପ୍ରାଣୀଙ୍କ କ୍ଳେଶ ବୀଜ ଯେତେ ।ପ୍ରକାଶ ହୋଇ ଯାର ଚିତ୍ତେ ॥
ସେ ବାକ୍ୟଭେଦ ବିମୋଚନ ।ତାହାକୁ ବୋଲ ସାଧୁଜନ ॥
ସେ ଆତ୍ମା ଜ୍ଞାନ ମନ ଧରେ ।ଆତ୍ମାର ବିକଳ୍ପ ବିଚାରେ ॥
କେ ବୋଲେ ଦେବ ମାୟାବଳ ।କେ ବୋଲେ କର୍ମର ଏ ଫଳ ॥
କେ ବୋଲେ ସ୍ୱଭାବ ଏହାର ।ବ୍ରହ୍ମା ଶଙ୍କରେ ଅଗୋଚର ॥
କଳି ନ ପାରେ ଯାର ମନେ ।ଏହା କେ କହିବ ବଚନେ ॥
ଏ ଆଦି ଯେ ବୁଦ୍ଧି ବୃତ୍ତାନ୍ତ ।ତୁ ରାଜା ମନେ ଏହା ଚିନ୍ତ ॥
ଏମନ୍ତ ଧର୍ମ ମୁଖୁ ଶୁଣି ।ସେ ରାଜା ମନେ ମନେ ଗୁଣି ॥
ମନରୁ ଖେଦ ଦୂର କଲା ।ସ୍ୱରୂପ ଧର୍ମକୁ ଦେଖିଲା ॥
ଦେହେ ଉତ୍ତରୀ ଅକ୍ଷମାଳ ।କଟିରେ ଅଜିନ ଦୁକୂଳ ॥
ଲମ୍ବେ ସୁନ୍ଦର ଚାରି କର ।ଶିରେ ଶୋଭଇ ଜଟାଭାର ॥
ତନୁ ଶଶାଙ୍କ ବପୁ ଗଞ୍ଜେ ।ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ ॥
ଯେସନେ ତଡ଼ିତ ତରାସ ।ରାଜା ଦେଖିଲା ସୁପ୍ରକାଶ ॥
ରାଜାଙ୍କୁ ସ୍ୱରୂପ ଦେଖାଇ ।ସେ ବୃଷ ଭଗ୍ନପାଦେ ରହି ॥
ସେ ରାଜା ଦେଖି ନିଜ ରୂପ ।ଚିତ୍ତେ ପ୍ରକାଶେ ଜ୍ଞାନଦୀପ ॥
କପାଳେ ଦେଇ ବେନିକର ।ଧର୍ମକୁ କହେ ନୃପବର ॥
ରାଜୋଉବାଚଭୋ ଧର୍ମ ଧର୍ମକଥା କହୁ ।ଧର୍ମେ ବୃଷଭ ରୂପ ବହୁ ॥
ଧର୍ମ ଅଧର୍ମ ଯେ ବା କରେ ।ସେ ପ୍ରାଣୀ ଜୀବ ଥାଉଁ ମରେ ॥
ଦେଖ ମାୟାର ବ୍ୟଗ୍ର ଗତି ।କେ ଜାଣିପାରେ ଚିତ୍ତେ ଚିନ୍ତି ॥
ମନ ବଚନେ ଅଗୋଚର ।ନିଶ୍ଚୟ ବିଚାର ମନର ॥
ତୋହର ଚତୁର ଚରଣ ।ପ୍ରଥମ ଯୁଗ ଆଭରଣ ॥
ତପ ଶଉଚ ଦୟା ସତ୍ୟ ।ଯେ ଯୁଗ ଅନୁରୂପେ କୃତ ॥
ସତ୍ୟର ସଙ୍ଗେ ତପ ଗଲା ।ଶଉଚ ତ୍ରେତାରେ ରହିଲା ॥
ଦ୍ୱାପର ଗଲା ଦୟା ସଙ୍ଗେ ।ମିଥ୍ୟା ରହିଲା କଳିଯୁଗେ ॥
ତପକୁ ସର୍ବନାଶ କଲା ।ଶଉଚ ସଙ୍ଗେ ସଂହାରିଲା ॥
ମନ ରହିଲା ଦୟାବଳେ ।ଚରଣ ରହିଲା ନିଶ୍ଚଳେ ॥
ଏବେ ଯେ ଅଛି ଏକପାଦ ।ଏ କଳି ଏହାକୁ ଆପଦ ॥
କଠୋର ତପ ଯେ ପାଳିବ ।ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ ॥
ସେ ସତ୍ୟଯୁଗ ସତ୍ୟଭାବ ।ଏ କଳି ଅନ୍ତେ ପ୍ରକାଶିବ ॥
ଏ ଭୂମି ଭାରାଭର ହରି ।ଶ୍ରୀକୃଷ୍ଣ ଗଲେ ଅପସରି ॥
କୃଷ୍ଣର ପାଦପଦ୍ମ ରେଖ ।ଯେତେ ଏ କୃତ୍ୟ କଉତୁକ ॥
ପବିତ୍ର ସୁନ୍ଦର ଶରୀର ।ଦେଖି ଆନନ୍ଦ ସୁର ନର ॥
ସେ ହରି ଛାଡ଼ିଗଲେ ଯେବେ ।ଦେଖ ଏହାର ଦୁଃଖ ଏବେ ॥
ଦୁର୍ଭାଗୀ ପ୍ରାୟ ଅଧୋମୁଖୀ ।କାନ୍ଦଇ ଅତି ଦୁଃଖେ ଦୁଃଖୀ ॥
ପାପିଷ୍ଠ କ୍ଷୁଦ୍ରଘାତି ଯେତେ ।ସର୍ବେ ଭୁଞ୍ଜିବେ ମିଳି ମୋତେ ॥
ଏ ରୂପେ ଧର୍ମ ବସୁନ୍ଧରୀ ।ବାକ୍ୟ ବୋଧନେ ବଶ କରି ॥
ତୀକ୍ଷ୍ଣ ଖଡ଼ଗ ଧରି ହସ୍ତେ ।ମିଳିଲା କଳିର ଅଗ୍ରତେ ॥
ଅଧର୍ମ ହେତୁ ବଳେ ମାରି ।ମୁହିଁ ପାଳିବି ବସୁନ୍ଧରୀ ॥
ଏମନ୍ତ ଶୁଣି ତା ବଚନ ।ପଡ଼ିଲା ନୃପତି ଚରଣ ॥
ପ୍ରାଣ କାତରେ ଉଦବେଗେ ।ପଡ଼ିଲା ରାଜା ପାଦଯୁଗେ ॥
ସେ କଳି ପ୍ରାଣର ବିକଳେ ।ପାଦେ ପଡ଼ିଲା ସେତେବେଳେ ॥
ଦେଖିଣ କଳିର ବିକଳ ।ସ୍ୱଭାବେ ମେଦିନୀ ବତ୍ସଳ ॥
ତାର ବିକଳ ମୁଖ ଦେଖି ।ଖଡ଼ଗ ଭୁଜେ ଉର୍ଦ୍ଧ୍ୱେ ରଖି ॥
ଦଶନ ଛନ୍ଦି ଓଷ୍ଠେ ଧରି ।କଳିକି କହେ ରୋଷ ଭରି ॥
ପରୀକ୍ଷିତ ଉବାଚତୁ ଯେ ଅଞ୍ଜଳି ଶିରେ ଧରି ।ପାଦେ ପଡ଼ିଲୁ ଭୟ କରି ॥
ଅର୍ଜ୍ଜୁନ ବଂଶେ ଜନ୍ମ ଯେତେ ।ତାହାଙ୍କୁ ଭଜୁନାହୁଁ ଚିତ୍ତେ ॥
ଅଧର୍ମ ବନ୍ଧୁ ତୁ ସ୍ୱଭାବେ ।ମୋର ବଚନ ଶୁଣ ଏବେ ॥
ମୋହର କ୍ଷେତ୍ରେ ନ ପଶିବୁ ।ଯେବେ ଜୀବନେ ତୁ ବର୍ତ୍ତିବୁ ॥
ତୁ ଯହିଁ ଥିବୁ ରାଜା ଘରେ ।ଅଧର୍ମ ଯୂଥ ତୋ ସଙ୍ଗରେ ॥
ଲୋଭ ଅନର୍ଥ ଚୌର୍ଯ୍ୟକର୍ମ ।ଏ ଆଦି ଶ୍ରେଷ୍ଠ ଯେ ଅଧର୍ମ ॥
ଦମ୍ଭ ଦୁର୍ଜ୍ଜନ ଆଚରିତେ ।ମାୟା କଳହ ମୋହ ଯେତେ ॥
ତୋହର ସଙ୍ଗେ ଥାନ୍ତି ଏତେ ।ମୋ ପୁରେ ଥିବୁ ତୁ କେମନ୍ତେ ॥
ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ ।ତହିଁ ନ ପଶିବୁ ସଂଭ୍ରମେ ॥
ଏ ବ୍ରହ୍ମାବର୍ତ୍ତେ ଯେତେ ଜନ ।ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥
ଆଗମ ନିଗମ ପ୍ରମାଣେ ।ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ ॥
ହରି ଚରଣେ ପୂଜା କରି ।ଯେଣେ ସନ୍ତୋଷ ନରହରି ॥
ସ୍ଥାବର ଆଦି ଚାରି ଦେହେ ।ବାହ୍ୟ ଅନ୍ତରେ ବ୍ୟାପି ରହେ ॥
ସେ ହରି ପୂଜା କରେ ଯେହି ।ତହିଁ ପ୍ରବେଶ ତୋର ନାହିଁ ॥
ଏ ଧର୍ମ ତୋହର ପ୍ରମାଣ ।ଏଥକୁ ସାକ୍ଷୀ ନାରାୟଣ ॥
ଶୁଣି ସେ ରାଜାର ଉତ୍ତର ।କଳି କମ୍ପଇ ଥରହର ॥
ଉଚ୍ଚେ କମ୍ପାଇ ଅସିବର ।ତେଜେ କମ୍ପିତ ଦଣ୍ଡଧର ॥
ଏମନ୍ତେ ରାଜା ମୁଖ ଚାହିଁ ।କହଇ ଶିରେ କରଦେଇ ॥
କଳିରୁବାଚଭୋ ରାଜା ତୋହର ଚରଣେ ।ଥିବୁ ମୁଁ ଆଜ୍ଞାର ପ୍ରମାଣେ ॥
ତୋତେ ଦେଖଇ ମୋର ପଛେ ।ଖଡ଼ଗ ହସ୍ତ ତୁ ପ୍ରତ୍ୟକ୍ଷେ ॥
ତୁ ଧର୍ମ ପ୍ରାଣୀଙ୍କ ଈଶ୍ୱର ।ବିଚାରି ମୋତେ ସ୍ଥାନ କର ॥
ଯହିଁ ନିଶ୍ଚିନ୍ତେ ଥିବି ମୁହିଁ ।ତୋହର ଆଜ୍ଞା ଶିରେ ବହି ॥
କହନ୍ତି ସୂତ ତୋଷମନେ ।ଶୁଣ ସକଳ ମୁନିଜନେ ॥
କଳି ବଚନ ଶୁଣି ହସି ।ସନ୍ତୋଷ ଚିତ୍ତେ ରାଜଋଷି ॥
ଚାରି ପ୍ରକାରେ ସ୍ଥାନ କଲା ।ନିତ୍ୟେ ଅଧର୍ମ ଯହିଁ ମେଳା ॥
ଦ୍ୟୂତ କାମିନୀ ମଦ୍ୟପାନେ ।ପ୍ରାଣୀ ମରଣ ଯେବା ସ୍ଥାନେ ॥
ଶୁଣି କହଇ କଳିଯୁଗ ।ମୋର ଏ ସ୍ଥାନ ଚାରିଭାଗ ॥
ପଞ୍ଚମ ଭାଗ ଦିଅ ମୋରେ ॥
କଳିର ବାକ୍ୟ ଶୁଣି ଚିତ୍ତେ ।ସୁବର୍ଣ୍ଣ ଦେଲା ତାର ହସ୍ତେ ॥
ଏ ପଞ୍ଚସ୍ଥାନ ପଞ୍ଚଗୁଣ ।ବ୍ରାହ୍ମଣେ ସାବଧାନେ ଶୁଣ ॥
ମିଥ୍ୟା ବସଇ ଦ୍ୟୂତ ମଧ୍ୟେ ।କାମ କାମିନୀ ମଦ ସାଧେ ॥
ପ୍ରାଣୀ ମାରଣେ ରାଜୋଗୁଣ ।ସୁବର୍ଣ୍ଣ ମଧ୍ୟେ ରିପୁଗଣ ॥
ଏ ପଞ୍ଚସ୍ଥାନ ତାରେ ଦେଲା ।ଯହିଁ ଅଧର୍ମ ସଙ୍ଗମେଳା ॥
ତକ୍ଷଣେ ରାଜାର ବଚନେ ।କଳି ବସିଲା ପଞ୍ଚସ୍ଥାନେ ॥
ପ୍ରଣମି ଅଭିମନ୍ୟୁ ବଳା ।କଳିଯୁଗକୁ ସ୍ଥାନ ଦେଲା ॥
ସେ ଧର୍ମଶୀଳ ଯେହ୍ନେ ମେରୁ ।ସ୍ୱଭାବେ ଲୋକପତି ଗୁରୁ ॥
ତପ ଶଉଚ ଦୟା ତିନି ।ବୃଷଭ ପାଦେ ଏଣେ ମାନି ॥
ନିଜ ବିଷୟର ପାଳନେ ।ବର୍ତ୍ତିଲା ଏ ଚାରି ଚରଣେ ॥
ସ୍ୱଭାବେ ସ୍ୱଧର୍ମ ପାଳନେ ।ରାଜା ଉଚିତ ପ୍ରମାଣେ ॥
ଧର୍ମ ନନ୍ଦନ ଧରି କୋଳେ ।ତପେ ଅରଣ୍ୟେ ଯିବାକାଳେ ॥
ଏମନ୍ତ ଶିକ୍ଷା ତାକୁ ଦେଇ ।ସ୍ୱର୍ଗେ ଚଳିଲେ ପାଞ୍ଚଭାଇ ॥
ସେହି ପ୍ରକାରେ ମନେ ଗୁଣି ।ଧୀରେ କୌରବ ଶିଖାମଣି ॥
ହସ୍ତିନାପୁରେ ରାଜନୀତି ।ପ୍ରଜା ପାଳନେ ଚକ୍ରବର୍ତ୍ତୀ ॥
ଏମନ୍ତେ ଅଭିମନ୍ୟୁ ସୁତ ।ପ୍ରଜା ପାଳନେ ସୁବିଦିତ ॥
ଯାହାର ରାଜ୍ୟେ ତୁମ୍ଭେ ଥାଇ ।ହରି ଭଜନେ ପାପ ଦହି ॥
ସେ ହରି ଚରିତ ବିଶ୍ୱାସ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ କଳିନିଗ୍ରହୋନାମ ସପ୍ତଦଶୋଽଧ୍ୟାୟଃ ॥
ଅଷ୍ଟାଦଶ ଅଧ୍ୟାୟ
ଶ୍ରୀ ସୂତ ଉବାଚକହନ୍ତି ସୂତ ଶୁଦ୍ଧଚେତା ।ଶୁଣ ସକଳ ବ୍ରହ୍ମବେତ୍ତା ॥
ଦ୍ରୋଣ କୁମର ଶରାଘାତେ ।ପ୍ରାଣେ ବଞ୍ଚିଲା ଗର୍ଭଗତେ ॥
ଗୋବିନ୍ଦ ଅନୁଗ୍ରହ ଭାବେ ।ବଞ୍ଚିଲା ଜନନୀର ଗର୍ଭେ ॥
ବ୍ରାହ୍ମଣ କୋପେ ଶାପ ଦେଲା ।ତକ୍ଷକ ଦଂଶୁ ଯେ ବୋଇଲା ॥
ତେଣୁ ତକ୍ଷକ ତାକୁ ବଳେ ।ଦେହେ ଦଂଶିଲା ଗଙ୍ଗାଜଳେ ॥
ମରଣ ଜାଣି ମହୀପତି ।ହୃଦୟେ ଚିନ୍ତିଲା ଶ୍ରୀପତି ॥
କୃଷ୍ଣ ମହିମା ପରିମାଣି ।ବ୍ୟାସ ନନ୍ଦନ ମୁଖୁଁ ଶୁଣି ॥
ଗଙ୍ଗାରେ ଛାଡ଼ି ନିଜ ପ୍ରାଣ ।ଗୋବିନ୍ଦେ ପଶିଲା ତକ୍ଷଣ ॥
କୃଷ୍ଣର ଗୁଣଗାଥା ପନ୍ତି ।ଏ ଆଦି ହୃଦୟରେ ଚିନ୍ତି ॥
କୃଷ୍ଣର କଥାମୃତ ତୁଣ୍ଡେ ।କହି ରୋମାଞ୍ଚ ଯାର ପିଣ୍ଡେ ॥
ସଦାକାଳେ ଯେ ତାହା ଚିନ୍ତି ।ମରଣେ କିବା ତାଙ୍କ ଭ୍ରାନ୍ତି ॥
ସେ ରାଜା ଯେତେଦିନ ଥିଲା ।ସଂସାରେ କଳି ନପଶିଲା ॥
ନନ୍ଦନନ୍ଦନ ଯେତେବେଳେ ।ତନୁ ଛାଡ଼ିଲା ମହୀତଳେ ॥
ତକ୍ଷଣେ ଅଧର୍ମ ପୁରୁଷ ।ସଂସାରେ ହୋଇଲା ପ୍ରବେଶ ॥
ସେ ରାଜା ତାକୁ ସ୍ଥାନ ଦେଇ ।ସାରଙ୍ଗ ପ୍ରାୟେ ସରଦାୟୀ ॥
କୁଶଳ କର୍ମ ଯେ କରନ୍ତି ।ସେ ଫଳ ଏ ଦେହେ ଭୁଞ୍ଜନ୍ତି ॥
ଇତର କର୍ମ ନ ଲାଗଇ ।ଯେ ଶୁଭକର୍ମେ ନିତ୍ୟ ଥାଇ ॥
ଯେ କଳିଯୁଗ ଭୟଙ୍କର ।ସ୍ୱଭାବେ ସୁଧୀର ଗଭୀର ॥
ନିରତେ ଅପ୍ରମିତ ଦେହୀ ।ସିଂହର ପ୍ରାୟେକ ଭ୍ରମଇ ॥
ପ୍ରମତ୍ତ ପ୍ରାୟେ ବଳ ମଧ୍ୟେ ।ସେ କଳି ବିହରେ ଆନନ୍ଦେ ॥
ଏ ପରୀକ୍ଷିତ ଗୁଣଗାଥା ।କହେ ନିରତେ କୃଷ୍ଣକଥା ॥
ଭାବେ କହିଲି ତୁମ୍ଭ ଆଗେ ।ଯେଣୁ ପୁଚ୍ଛିଲ ଅନୁରାଗେ ॥
କୃଷ୍ଣର ଯେତେ ଗୁଣଗାଥା ।ଏ ସାଧୁଜନ ମଧ୍ୟେ କଥା ॥
ଯାର ମହିମା ଶୁଦ୍ଧଚିତ୍ତେ ।କହି ବଞ୍ଚନ୍ତି ସାଧୁ ଯୂଥେ ॥
ନିତ୍ୟେ ଯେ ତାର ପାଦ ଚିନ୍ତି ।ନିଶ୍ଚେ ଗୋବିନ୍ଦେ ସେ ପଶନ୍ତି ॥
ସୂତ ବଚନ କର୍ଣ୍ଣେ ଶୁଣି ।ଶୌନକ ଆଦି ବିପ୍ରମଣି ॥
ଆନନ୍ଦେ ଉଠି ସର୍ବଜନ ।କର ପ୍ରସାରି ଅନ୍ୟୋଅନ୍ୟ ॥
ସୂତଙ୍କୁ କରନ୍ତି କଲ୍ୟାଣ ।ଭୋ ସୂତ ସାବଧାନେ ଶୁଣ ॥
ଶୌନକ ଉବାଚନିର୍ମଳ ଯଶୋଗୁଣ ଦେହୀ ।ଚିରଜୀବିତ ହୁଅ ତୁହି ॥
ଆମ୍ଭେ ଯେ ନରଦେହ ବହି ।ତୋର ନିକଟେ ସୁଖେ ରହି ॥
କୃଷ୍ଣ ଅମୀୟ କଥାମାନ ।ତୋର ବଦନୁ କଲୁ ପାନ ॥
କରି ବଞ୍ଚିବୁ ଦିନାକେତେ ।ଶୁଦ୍ଧ ବିବେକ ଜ୍ଞାନମତେ ॥
ଏ ଯଜ୍ଞ କର୍ମ ଆମ୍ଭ ଚିତ୍ତ ।ବେଦ ବଚନେ ମୋହଗତ ॥
ଏଯଜ୍ଞ ଧୂମେ ଧୂମାମକୁଳ ।ଆମ୍ଭର ଆତ୍ମା ହୀନବଳ ॥
ଫୁଟିଲୁ ଯଜ୍ଞବାଟେ ରହି ।ପଥୁକୀ ଯେତେ ଶ୍ରମପାଇ ॥
ତୁ ଯେ ଆମ୍ଭର ଶ୍ରମ ଜାଣି ।କୃଷ୍ଣର କଥାମୃତ ବାଣୀ ॥
ପାନ କରାଇ ଶ୍ରୁତିମାର୍ଗେ ।ଆମ୍ଭ ଜୀବନ ରଖ ଏବେ ॥
ହରି ଭକତ ଜନ ସଙ୍ଗେ ।ଯେ ପ୍ରାଣୀ ବଞ୍ଚେ ନାନାରଙ୍ଗେ ॥
ସେ ସାଧୁ ସଙ୍ଗେ ସ୍ୱର୍ଗ ମୋକ୍ଷ ।କେ ତୁଲ୍ୟ କରିବ ପ୍ରତ୍ୟକ୍ଷ ॥
ଏଣୁ ଯେ କରେ ସାଧୁସଙ୍ଗ ।ସେ ତରେ ଏ ଭବତରଙ୍ଗ ॥
ପ୍ରାଣୀ ଜୀବନେ ଆଶା ଯେତେ ।ଅଧିକ କିବା ଏ ଜଗତେ ॥
କୃଷ୍ଣର ରସ କଥା ଯେତେ ।ତାହା ବିଶ୍ୱାସି ହୃଦଚିତ୍ତେ ॥
କେ ଅନ୍ତ ଜାଣିବ ତାହାର ।ଯେ କର୍ଣ୍ଣେ ଜିହ୍ୱା ସୁଖକର ॥
ଯାହା ଗୁଣରେ ଅନ୍ତ ନାହିଁ ।ସ୍ୱଭାବେ ନିର୍ଗୁଣ ବୋଲାଇ ॥
ଭବ ବିରଞ୍ଚି ଯାର ଅନ୍ତେ ।ପ୍ରମାଣି ନ ପାରେ ଜଗତେ ॥
ଏଣୁ ଭକତ ପ୍ରାଣୀଙ୍କର ।ଭାବୁକ ମଧ୍ୟେ ତୁମ୍ଭେ ବର ॥
ମହତ ପ୍ରାଣୀଙ୍କ ଶରଣ ।ଯାହାର ଅଭୟ ଚରଣ ॥
ସେ କୃଷ୍ଣ ଉଦାର ଚରିତ ।ବିଶୁଦ୍ଧ ରସେ ଆମ୍ଭ ଚିତ୍ତ ॥
ଲଭିଲା ମଧୁକର ପ୍ରାୟେ ।ଭୋ ମୁନି କହ ତୁ ସଦୟେ ॥
କହ ଗୋବିନ୍ଦ ଗୁଣଗାଥା ।ଯେଣେ ଛାଡ଼ିବ ଭବଚିନ୍ତା ॥
ସେ ମହାଭାଗ ପରୀକ୍ଷିତ ।ଭକ୍ତଙ୍କ ମଧ୍ୟେ ବୁଦ୍ଧିମନ୍ତ ॥
ବ୍ୟାସ ନନ୍ଦନ ସାଧୁବାଣୀ ।ଆନନ୍ଦେ ଗଙ୍ଗାତୀରେ ଶୁଣି ॥
ଗରୁଡ଼ଧ୍ୱଜ ପାଦତଳେ ।ପ୍ରାଣ ନିବେଶି ଗଙ୍ଗାଜଳେ ॥
ପଶିଲା ସର୍ବ ଦୁଃଖ ତେଜି ।ହରି ଚରଣେ ଭାବ ବୁଝି ॥
ତାର ଚରିତ ଯୋଗ ସାର ।ଯେଣୁ ସେ ଭକ୍ତ ମଧ୍ୟେ ବର ॥
ଅନନ୍ତ ଚରିତ ସଂଯୁକ୍ତ ।ଯେ କର୍ମକୃତ ପରୀକ୍ଷିତ ॥
ସେ ଯେଉଁ ଭାଗବତ ପୁଣ୍ୟ ।କହି ତୋଷିବ ଆମ୍ଭ ମନ ॥
ଶୁଣି କହନ୍ତି ସୂତ ମୁନି ।ବିପ୍ରଙ୍କ ଭାବ ହୃଦେ ଘେନି ॥
ଶ୍ରୀ ସୂତ ଉବାଚକହନ୍ତି ଭାଗ୍ୟ ଏ ମୋହର ।ବୃଦ୍ଧଙ୍କ ମଧ୍ୟେ ପୁରସ୍କାର ॥
ଏ ଭବେ ଜନ୍ମ ମୋର ଦେହୀ ।ଦୁଷ୍କୃତ କୁଳ ମଧ୍ୟେ ରହି ॥
ମହତ ଜନକୁ ଯେ ପାଇ ।ତାର ଦୁଷ୍କୃତ ଦୋଷ କାହିଁ ॥
କୃଷ୍ଣର ନାମ ଯେ ଗୁଣନ୍ତି ।ଯେ ଅବା ଶ୍ରବଣେ ଶୁଣନ୍ତି ॥
ସେ ହରି ସର୍ବ ଭୂତେ ଥାଇ ।ଶରଣ ରକ୍ଷଣ ବୋଲାଇ ॥
ଯାର ନିରୋଧେ ବେଦପଥ ।ଅନନ୍ତ ଶକ୍ତି ଯେ ଅନନ୍ତ ॥
ଯୋଗ ସମାଧି ପଥେ ଚିନ୍ତି ।ଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି ॥
ସେ ଲକ୍ଷ୍ମୀ ସର୍ବଗୁଣ ଛାଡ଼ି ।ଯାର ଚରଣେ ଚିତ୍ତ ବଢ଼ି ॥
ନିତ୍ୟେ ବସଇ ବକ୍ଷସ୍ଥଳେ ।ଧ୍ୟାନ ନିରୋପି ପାଦମୂଳେ ॥
କୃଷ୍ଣର ପାଦପଦ୍ମ ଗନ୍ଧେ ।ଭୃଙ୍ଗ ଯେସନେ ମକରନ୍ଦେ ॥
ଯାହାର ପାଦପଦ୍ମ ଲାଗି ।ସ୍ୱଭାବେ ଗଙ୍ଗା ସଉଭାଗୀ ॥
ଯେ ଜଳେ ବିରଞ୍ଚି ଆନନ୍ଦେ ।ପୂଜିଲେ ଯାର ପଦ୍ମପାଦେ ॥
ସେ ଗଙ୍ଗାଜଳ ଏ ଜଗତେ ।ପୂଜନ୍ତି ବିରଞ୍ଚି ସହିତେ ॥
ଯେ ଗଙ୍ଗାନାମ ଉଚ୍ଚାରଣେ ।ପ୍ରାଣୀ ତରନ୍ତି ଭବ ବନେ ॥
ସେ ଜଳ ପବିତ୍ର ଜଗତେ ।ଚିନ୍ତି ନ ପାରେ ମୁନି ସନ୍ଥେ ॥
ଏମନ୍ତ ଯାହାର ମହିମା ।ତୋ ବିନୁ କେବା ପୁଣ୍ୟତମା ॥
ଯାର ଚରଣ ସିଦ୍ଧଗଣେ ।ସମାଧି ଯୋଗ ଆଚରଣେ ॥
ତାର ବିଷୟ ମୁନିଗଣ ।ନିତ୍ୟେ କରନ୍ତି ସୁମରଣ ॥
ଭକ୍ତି ସମାଧି ଦୃଢ଼ ମନେ ।ତରନ୍ତି ସଂସାର ବନ୍ଧନେ ॥
ଅର୍ଜ୍ଜୁନ ଆଦି ମୁନି ଯେତେ ।ପୂର୍ବେ ପଚାରିଛନ୍ତି ମୋତେ ॥
କହ ଶ୍ରୀକୃଷ୍ଣଙ୍କ ମହିମା ।କି ଅବା ତାର ଗୁଣସୀମା ॥
କହିଲି ତାଙ୍କ ମୁଖ ଚାହିଁ ।ଯେହ୍ନେ ଆକାଶ ଅନ୍ତ ନାହିଁ ॥
କୃଷ୍ଣର ମହିମା ତେମନ୍ତ ।ଯେ ପକ୍ଷୀ ଉଡ଼େ ଯେତେ ପଥ ॥
ତାର ବାରତା ସେ ଜାଣନ୍ତି ।ଅଧିକେ ନ ପାରନ୍ତି ଚିନ୍ତି ॥
ଏଣୁ ପଣ୍ଡିତ ଜନ ଯେତେ ।ଜ୍ଞାନ ବିଚାରି ଏ ଜଗତେ ॥
କୃଷ୍ଣର ମହିମା ବିଚାରି ।ସହସ୍ର ଜନ୍ମେ କେବା ପାରି ॥
ଏବେ ହୋ ଶୁଣ ବିପ୍ରଜନେ ।ହରି ଚରିତ ସାବଧାନେ ॥
ସେ ପରୀକ୍ଷିତ ଏକଦିନେ ।ମୃଗୟା ଅର୍ଥେ ଗଲା ବନେ ॥
ମୃଗ ନ ପାଇ ଘୋର ବନେ ।କ୍ଷୁଧିତ ତୃଷିତ ବଦନେ ॥
ଜଳ ନ ପାଇ ପଥଶ୍ରମେ ।ମିଳିଲା ମୁନିଙ୍କ ଆଶ୍ରମେ ॥
ଦେଖଇ ଏକ ବୃକ୍ଷମୂଳେ ।ବ୍ରାହ୍ମଣ ଆସନ ନିଶ୍ଚଳେ ॥
ଆନନ୍ଦେ ମୁଦ୍ରିତ ଲୋଚନେ ।ଆତ୍ମା ନିବେଶି ଯୋଗଧ୍ୟାନେ ॥
ଅନ୍ତେ ନିଶ୍ଚଳ ମନ ବୁଦ୍ଧି ।ପବନ ନବଦ୍ୱାରେ ରୁନ୍ଧି ॥
ଇନ୍ଦ୍ରିୟଗଣ ପରିହାରେ ।ଧ୍ୟାନେ ପ୍ରବେଶ ନିତ୍ୟପୁରେ ॥
ଆଧାର ନାଭି ହୃଦେ ଉର୍ଦ୍ଧ୍ୱେ ।ମନ ପବନ ବ୍ରହ୍ମରନ୍ଧ୍ରେ ॥
ସର୍ବ ବିକାରୁ ସେ ଅତୀତ ।ସ୍ଥାନ ନିବେଶି ବ୍ରହ୍ମସୁତ ॥
କପିଳ ଜଟାଭାର ଶିରେ ।ହରିଣ ଚର୍ମର ଉପରେ ॥
ଏମନ୍ତେ ବିପ୍ରଙ୍କୁ ଅନାଇ ।ତୃଷିତ ତାଳୁ କଣ୍ଠ ହୋଇ ॥
ଜଳ ମାଗିଲା ମହାରାଜା ।ଇଚ୍ଛଇ ଆପଣାର ପୂଜା ॥
ଉଦକ ଆସନ ଏ ଆଦି ।ଅତିଥି ପୂଜାର ପ୍ରସିଦ୍ଧି ॥
ଅର୍ଘ୍ୟ ସୁକୃତ ସାଧୁବାଣୀ ।ନ ଲଭି କୋପେ ନୃପମଣି ॥
ମନେ ବିଚାରି ନୃପରାଜ ।ଅବଜ୍ଞା କଲା ମୋତେ ଦ୍ୱିଜ ॥
କ୍ଷୁଧା ତୃଷାରେ ଜଳେ ମନ ।କ୍ଷଣ କ୍ଷଣକେ ଅଚେତନ ॥
ପ୍ରଚଣ୍ଡ କ୍ରୋଧେ କୋପାନଳେ ।ମୃତ ଉରଷ ଧନୁହୁଳେ ॥
ବ୍ରାହ୍ମଣ ଗଳେ ସର୍ପ ଦେଲା ।ତକ୍ଷଣେ ନିଜପୁରେ ଗଲା ॥
ପଥେ ଚଳଇ ନୃପମଣି ।ବ୍ରାହ୍ମଣ କଥା ମନେ ଗୁଣି ॥
ବୋଲଇ କପଟ ଏହାର ।ନିଶ୍ଚଳ ସମାଧି ଗୋଚର ॥
ଏଡ଼େ ଅବଜ୍ଞା ନର ଦେହେ ।କ୍ଷତ୍ରିୟ ଜନ୍ମେ କେବା ସହେ ॥
ଏମନ୍ତେ ଗଲା ନରନାଥ ।ତକ୍ଷଣେ ବ୍ରାହ୍ମଣର ସୁତ ॥
ବାଳକ ସଙ୍ଗେ କ୍ରୀଡ଼ା କରେ ।ତେଜେ ଅନଳ ରୂପ ଧରେ ॥
ରାଜାର ଆଗମନ କଥା ।ପିତାର ଯେମନ୍ତ ବ୍ୟବସ୍ଥା ॥
ବାଳକ ମୁଖୁ ଶୁଣି କୋପେ ।ମିଳିଲା ପିତାର ସମୀପେ ॥
ପିତାର କନ୍ଧେ ସର୍ପ ଦେଖି ।କୋପେ ଚଞ୍ଚଳ କଲା ଆଖି ॥
ସଂସାର ଧର୍ମ ଯେ ପାଳକ ।ଦେଖବ ତାହାର ଅବିବେକ ॥
ଶ୍ୱାନର ପ୍ରାୟେ ଚେଷ୍ଟା କଲା ।ହେଳେ ଏ ବିପ୍ରଙ୍କୁ ଲଘିଂଲା ॥
ବ୍ରାହ୍ମଣେ ଛନ୍ତି ଯାକୁ ବରି ।ସକଳ ଯାଗ ଆଦିକରି ॥
ଶ୍ୱାନର ପ୍ରାୟେ ଦୂରେ ଥାନ୍ତି ।ସେ ଭାଣ୍ଡ ଭୋଜନ କରନ୍ତି ॥
ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରି ।ଯଜ୍ଞରେ ଦ୍ୱାରପାଳ କରି ॥
ଉତ୍ପଥଗାମୀ ଦଣ୍ଡ ଅର୍ଥେ ।ଯେ ବିଷ୍ଣୁ ଜାତ ଏ ଜଗତେ ॥
ସେ ଯେଣୁ ନିଜପୁରେ ଗଲା ।ତେଣୁ ଏ ଅବଜ୍ଞା ହୋଇଲା ॥
ଏ ପ୍ରାଣୀ ସଂସାରେ ରହିଲେ ।ଧର୍ମ ନ ଥିବ ଏଥି ଭଲେ ॥
ଦେଖ ମୋହର ବିପ୍ରପଣ ।କରିବି ଏଥିର କାରଣ ॥
ଏମନ୍ତେ ବାଳକ ଯେ କହି ।ରଙ୍ଗ ନୟନେ ରୋଷବହି ॥
କୌଶିକୀ ଜଳେ ହସ୍ତଭରି ।ମାର୍ଜ୍ଜନା ଆଚମନ ସାରି ॥
ରାଜା ଉଦ୍ଦେଶ୍ୟ କରି ମନ ।ବଜ୍ର ପ୍ରହାରଣ ବଚନେ ॥
ଅଧର୍ମ ସମ୍ପଦ ବିଚାର ।ଅନ୍ୟାୟ କଲା ଯେ ପାମର ॥
ଆଜୁ୍ଁ ସପତ ଦିନ ଶେଷେ ।ତକ୍ଷକ ଆସି ମହାରୋଷେ ॥
ତାର ଶରୀର ବେଗେ ଖାଉ ।ଏ ପାପୀ ଜଗତେ ନ ଥାଉ ॥
ମୋର ପିତାର ଦ୍ରୋହ କାରି ।ଏ କିମ୍ପା ଥିବ ଦେହ ଧରି ॥
ଏମନ୍ତ ଶାପ ତାକୁ ଦେଇ ।ମିଳିଲା ପିତା ପାଶେ ଯାଇ ॥
ପିତାର ଗଳେ ସର୍ପ ଦେଖି ।କାନ୍ଦଇ ଅତି ଦୁଃଖେ ଦୁଃଖୀ ॥
ସୁତ ରୋଦନ କର୍ଣ୍ଣେ ଶୁଣି ।ଧ୍ୟାନ ତେଜିଲା ବିପ୍ରମଣି ॥
ସେ ଅଙ୍ଗୀରସ ନିଜାସନେ ।ଚାହିଁଲା ଉନ୍ମୀଳ ଲୋଚନେ ॥
ଆପଣା ଗଳେ ସର୍ପ ଦେଖି ।ଉଠିଲା ଆସନ ଉପେକ୍ଷି ॥
ଗଳାରୁ ସର୍ପକୁ ପକାଇ ।ପୁଚ୍ଛଇ ପୁତ୍ର ମୁଖ ଚାହିଁ ॥
ହେ ପୁତ୍ର କାନ୍ଦୁ କିସ ଅର୍ଥେ ।କେ ପ୍ରାଣୀ ଶୋକଦେଲାତୋତେ ॥
ପିତା ବଚନ ଶୁଣି ବଳା ।ସଂକ୍ଷେପି ସମସ୍ତ କହିଲା ॥
ସୁତ ବଚନ ଶୁଣି କର୍ଣ୍ଣେ ।କୋପ ବସିଲା ପିତା ମନେ ॥
ପୁତ୍ରକୁ ଚାହିଁ କୋପଭରେ ।କହଇ ନିଷ୍ଠୁର ଉତ୍ତରେ ॥
ଅଳପ ଅପରାଧେ ତୁହି ।ଦୁର୍ବୁଦ୍ଧି ହୋଇଲୁ କିପାଇଁ ॥
ଯାହାର ଭୁଜ ଆଶ୍ରେ କରି ।ଧନ ସମ୍ପଦ ସୁଖ ଶିରୀ ॥
ପ୍ରଜାଏ ସୁଖ ଯେ ଭୁଞ୍ଜନ୍ତି ।କେ ଅଛି ତାର ଦ୍ରୋହ ଚିନ୍ତି ॥
ବିଷ୍ଣୁର ଅଂଶେ ନରପତି ।ଜନମି ମେଦିନୀ ପାଳନ୍ତି ॥
ଏବେ ରାଜାର ଅନ୍ତେ ମହୀ ।ଚଉର୍ଯ୍ୟ ବଳେ ଦର୍ପବହି ॥
ଧନ ହରିବେ ଅନ୍ୟୋଅନ୍ୟେ ।ପ୍ରଜା ପଶିବେ ଘୋରବନେ ॥
ଧର୍ମ ଛାଡ଼ିବ ଚାରିପାଦେ ।ଯେବେ ଲିହିଲା ଅଛି ବେଦେ ॥
ସେ ଧର୍ମ ତେଜି ଦୂରାନ୍ତରେ ।ପଶିବେ ଅଧର୍ମ ଭାବରେ ॥
କେହୁ ବର୍ତ୍ତିବେ ଅର୍ଥ କାମେ ।ବର୍ତ୍ତିବେ ଶ୍ୱାନ କପି ଧର୍ମେ ॥
ଯେ ଧର୍ମ ପାଳେ କରି ସ୍ଥିତି ।ସୁକୃତବନ୍ତ ଚକ୍ରବର୍ତ୍ତୀ ॥
କଲା ଯେ ତିନି ଅଶ୍ୱମେଧି ।ଆଗମ ନିଗମ ପ୍ରସିଦ୍ଧି ॥
କ୍ଷୁଧା ତୃଷାରେ ବୁଲି ବନେ ।ମିଳିଲା ମୋହର ଆଶ୍ରମେ ॥
ତାହାକୁ ଆସ୍ଥା ତୁ ନ କଲୁ ।ବିଶେଷେ ଘୋର ଶାପ ଦେଲୁ ॥
ସେ ଆମ୍ଭ ଶାପ ଯୋଗ୍ୟ ନୁହେଁ ।ଅଶେଷ ଧର୍ମେ ଦେହ ବହେ ॥
ନିଷ୍ପାପ ଭୃତ୍ୟଙ୍କୁ ଯେ ବଳେ ।ଦ୍ରୋହ ଚିନ୍ତନ୍ତି ଅବହେଳେ ॥
ଅଳପ ଦୋଷେ ତୁ ବାଳକ ।ମୋହର ମନେ ଦେଲୁ ଶୋକ ॥
ଏମନ୍ତେ ମନେ କୃଷ୍ଣ ଧ୍ୟାୟି ।ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି ॥
ଭୋ ନାଥ କରୁଣା ସାଗର ।ବାଳକ ଦୋଷ କ୍ଷମାକର ॥
ତୋହର ଭକ୍ତ ଜନ ଯେତେ ।କୋପ ନ ଥାଇ ତାଙ୍କ ଚିତ୍ତେ ॥
ପ୍ରାଣୀଙ୍କ ଅପରାଧ ସହୁ ।ତୋହର ଭାବ ନିତ୍ୟେ ବହୁ ॥
ଅତି ଅନ୍ୟାୟ କର୍ମ ମୋର ।ସୁକର୍ମ ହୀନ ଦୁରାଚାର ॥
ନିରପରାଧେ ଦ୍ରୋହ ଚିନ୍ତି ।ଏ ମୋର ଚିତ୍ତେ ଗୁରୁଭ୍ରାନ୍ତି ॥
ଏଡ଼େ ଅଧର୍ମ କର୍ମ ମୋର ।ଦେହେ ଲଭିଲି ଦାମୋଦର ॥
ଦୁଃଖ ଲଭିବି ମୁଁ ନିକଟେ ।ଏ ଘୋର ସଂସାର ସଙ୍କଟେ ॥
ଏମନ୍ତେ ପୁତ୍ର ଅପରାଧେ ।ମହତ ଶାସ୍ତ୍ର ଅପବାଦେ ॥
ଅନୁତାପିତ ବିପ୍ରବର ।କହେ ଗୋବିନ୍ଦ ରକ୍ଷାକର ॥
ରାଜା ଯେ ଅପରାଧ କଲା ।ସେ କଥା ମନେ ନ ଘେନିଲା ॥
ଏ ନରଲୋକେ ସାଧୁ ଯେତେ ।କୋପ ନ ବସେ ତାଙ୍କ ଚିତ୍ତେ ॥
ପ୍ରାଣୀଙ୍କ ଦୋଷ ନ ଧରନ୍ତି ।ସମତା ଦୃଷ୍ଟି ଆଚରନ୍ତି ॥
ସୁସାଧୁଜନଙ୍କର କଥା ।କେବେହେଁ ନୁହଇ ଅନ୍ୟଥା ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ସୁଜନ ଜନଙ୍କର ହିତେ ।ଯେବା ପ୍ରକାଶେ ମୋର ଚିତ୍ତେ ॥
ସୁଜନେ ନ ଘେନିବ ଦୋଷ ।ମୁଁ ତୁମ୍ଭ ଦାସଙ୍କର ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ପରୀକ୍ଷିତ ବ୍ରହ୍ମଶାପ ଲଭନେ ନାମଅଷ୍ଟାଦଶୋଽଧ୍ୟାୟଃ ॥
ଉନବିଂଶ ଅଧ୍ୟାୟଶ୍ରୀ ସୂତ ଉବାଚସୂତ କହନ୍ତି ଅନୁରାଗେ ।ଶୌନକ ଆଦି ଋଷି ଆଗେ ॥
ସେ ମହୀପତି ପରୀକ୍ଷିତ ।ଚିନ୍ତି ନିଗମ ଦୃଢ଼ ଚିତ୍ତ ॥
ଏକାନ୍ତେ ବସି ବିଚାରଇ ।ନିନ୍ଦିତ କର୍ମ କଲି ମୁହିଁ ॥
ଅର୍ଜିତ କର୍ମବଶ ହୋଇ ।ଗୁରୁ ଯେସନ ଶିକ୍ଷା ଦେଇ ॥
ଅନ୍ୟାୟ ପ୍ରାଣୀଙ୍କ ବେଭାରେ ।କୁକର୍ମ କଲି ଏ ସଂସାରେ ॥
ନିର୍ଦ୍ଦୋଶ ବ୍ରାହ୍ମଣର ଗଳେ ।ସର୍ପ ଆରୋପି ଧନୁହୁଳେ ॥
ନିଶ୍ଚଳ ଯୋଗେ ତାର ଧ୍ୟାନ ।ନ ଜାଣି ହେଇଲି ଅଜ୍ଞାନ ॥
ଦ୍ୱିଜେ ଅବଜ୍ଞା ମନେ କଲି ।ନିକଟେ ମରଣ ଲୋଡ଼ିଲିଏ ପାପ ବିନାଶନ ହେତୁ ।ବେଗେ ବିଧାତା ମୋତେ ଚିନ୍ତୁ ॥
ଏ ପାପ କଲି ମୂଢ଼ ଚିତ୍ତେ ।ଏ ଦେହ ଧରିବି କେମନ୍ତେ ॥
ଏ କଥା ଶୁଣି ମୁଁ ଯେମନ୍ତେ ।କେବେହେଁ ନ କଳ୍ପଇ ଚିତ୍ତେ ॥
ବ୍ରାହ୍ମଣ କୁଳ କୋପନଳ ।ଏ ମୋର ରାଜ୍ୟ ଧନବଳ ॥
ଆତ୍ମାର ସଙ୍ଗେ ଦହୁ ମୋତେ ।ଏ କର୍ମ ନ କରି ଯେମନ୍ତେ ॥
ଗୋରୁ ବ୍ରାହ୍ମଣଙ୍କୁ ହିଂସନେ ।ଦୁର୍ବୁଦ୍ଧି ନ ସ୍ଫୁରୁ ମୋ ମନେ ॥
ଏମନ୍ତେ ବିଚାରି ବିଷାଦେ ।ବୃତ୍ତାନ୍ତ ଶୁଭେ ଜନପଦେ ॥
ଉରଗ ବ୍ରାହ୍ମଣର ଗଳେ ।ରାଜା ଯେ ଦେଲେ ଧନୁହୁଳେ ॥
ତାର ବାଳକ ଶାପ ଦେଲା ।ତକ୍ଷକ ଦଂଶିବ ବୋଇଲା ॥
ସପତ ଦିନ କୋପାନଳେ ।ରାଜାଙ୍କୁ ଦଂଶିବ ଏ ବଳେ ॥
ଏମନ୍ତେ ଜନ ମୁଖୁଁ ଶୁଣି ।ମନ ଆନନ୍ଦେ ନୃପମଣି ॥
କହଇ ମୋତେ ସର୍ପ ଖାଉ ।ଏ ମୋର କୁଳେ ପାପ ନୋହୁ ॥
ଯେମନ୍ତେ ଇହ ପରଲୋକେ ।ମରଣେ ନ ପଡ଼ଇ ଦୁଃଖେ ॥
ଏମନ୍ତେ ନିଶ୍ଚୟ ବିଚାରି ।ମନେ ଚିନ୍ତିଲା ନରହରି ॥
ଗୋବିନ୍ଦ ପାଦପଦ୍ମ ତଳେ ।ଚିତ୍ତ ନିବେଶି ଗଙ୍ଗାଜଳେ ॥
ଶ୍ରୀକୃଷ୍ଣ ଚରଣ ତୁଳସୀ ।ପାଦ ଉଦକରେ ଯେ ମିଶି ॥
ଅତି ପବିତ୍ର ବହେ ବାରି ।ଉଭୟ ଲୋକ ପାପ ହରି ॥
ପ୍ରାଣୀଙ୍କ ପ୍ରାଣତ୍ୟାଗ କାଳେ ।କେବା ନ ବସେ ତାଙ୍କ ତୁଲେ ॥
ସେ ପାଣ୍ଡୁବଂଶେ କୀର୍ତ୍ତିକର ।ସକଳ ରାଜା ମଧ୍ୟେ ବର ॥
ସେ ବର ନଦୀ ତୀରେ ଯାଇ ।ଚିତ୍ତେ ଗୋବିନ୍ଦ ପାଦ ଧ୍ୟାୟି ॥
ବିଷୟ ସଙ୍ଗ ଦୂର କରି ।ଅନ୍ନ ଉଦକ ପରିହରି ॥
ମଉନେ ବ୍ରତେ ସେ ନିଶ୍ଚଳେ ।ଶିରେ ନିବେଶି ଗଙ୍ଗାଜଳେ ॥
ସେ କଥା ଶୁଣି ମୁନିଜନେ ।ଯେ ଅବା ଥିଲେ ଗିରିବନେ ॥
ନିଜ ନିବାସ ଉପେକ୍ଷିଲେ ।ହସ୍ତିନା ନବରେ ମିଳିଲେ ॥
ଯେ ଅବା ଥିଲେ ଯେଉଁ ଦେଶେ ।ରାଜାଙ୍କୁ ଦେଖିବାର ଆଶେ ॥
ସଙ୍ଗତେ ଘେନି ଶିଷ୍ୟଗଣ ।ଅପରେ ଅନେକ ବ୍ରାହ୍ମଣ ॥
ତାଙ୍କ ମହିମା କେବା କହେ ।ତୀର୍ଥେ ପବିତ୍ର ତାଙ୍କ ଦେହେ ॥
ଅତ୍ରି ବଶିଷ୍ଠ ରିଷ୍ଠନେମି ।ଚ୍ୟବନ ଭରଦ୍ୱାଜ ଘେନି ॥
ଭୃଗୁ ଅଙ୍ଗିରା ପରାଶର ।ଉତଥ୍ୟ ଗାଧିର କୁମର ॥
ଇନ୍ଦ୍ର ପ୍ରମଦ ମେଧାତିଥି ।ଦେବଳ ଅଷ୍ଟଷେଣ ଯତି ॥
ସୁବାହୁ ଭରଦ୍ୱାଜ ଶିଷ୍ୟ ।ଗୌତମ ମୈତ୍ରେୟ କବଶ ॥
ପିପ୍ପଳାୟନ ସର୍ବମୁନି ।ବ୍ୟାସ ନାରଦ କୁମ୍ଭଯୋନି ॥
ସକଳ ଋଷି ଏକମେଳେ ।ମିଳିଲେ ଜାହ୍ନବୀର କୂଳେ ॥
ତାହାଙ୍କୁ ଦେଖି ପରୀକ୍ଷିତ ।କପାଳେ ଦେଇ ବେନିହସ୍ତ ॥
ବନ୍ଦିଲେ ମୁନିଗଣ-ପାଦେ ।ଆନନ୍ଦେ ଅଶ୍ରୁ-ଗଦଗଦେ ॥
କର ଅଞ୍ଜଳି ଶିରେ ଦେଇ ।କହଇ କୃତକୃତ୍ୟ ହୋଇ ॥
ରାଜୋବାଚରାଜାଙ୍କ ମଧ୍ୟେ ମୋ ଜୀବନ ।ନିଶ୍ଚେ ଜାଣିଲି ଧନ୍ୟ ଧନ୍ୟ ॥
ମୋହର ପ୍ରାଣତ୍ୟାଗ କାଳେ ।ମହତଜନ ବିଜେ କଲେ ॥
ବ୍ରାହ୍ମଣ ପାଦ ଯହିଁ ଥୋଇ ।ସେ ସ୍ଥାନୁ ପାପ ଦୂରେ ଯାଇ ॥
କ୍ଷତ୍ରିୟ ସ୍ୱଭାବ ଏମନ୍ତ ।ଆଗମ ନିଗମ ଉକତ ॥
ଯେ ଏହା ଲଙ୍ଘେ ଦୁଷ୍ଟପଣେ ।ଦୂଷିତ ହୋଇ ତତକ୍ଷଣେ ॥
ସେ ବିପ୍ର ଆସି ଯାର ପାଶେ ।ବସନ୍ତି ମନର ସନ୍ତୋଷେ ॥
ତାହାର ଭାଗ୍ୟ କି କହିବା ।ଯାହା ନ ପାନ୍ତି ସୁରଦେବା ॥
ସର୍ବ ବିଷୟ ଦୂରେ ତେଜି ।କୃଷ୍ଣ ଚରଣ ଚିତ୍ତେ ଭଜି ॥
ତୁମ୍ଭେ ଅଶେଷ ବ୍ରହ୍ମଋଷି ।ମିଳିଲେ ମୋର ପାଶେ ଆସି ॥
ବ୍ରାହ୍ମଣ ଶାପ କୋପାନଳେ ।ଏ ମୋର ନିଜ କର୍ମଫଳେ ॥
ଯେ କୃଷ୍ଣ କଲେ ଏ ସଂସାରେ ।ତରଇ ତମ ମାୟାଘୋରେ ॥
ତୁମ୍ଭର ଅନୁଗ୍ରହ ସେବି ।ପ୍ରସନ୍ନ ହେଉ ଗଙ୍ଗାଦେବୀ ॥
କୃଷ୍ଣ ଚରଣେ ମତି ହେଉ ।କାଳ ତକ୍ଷକ ବା ଖାଉ ॥
ତେଣେ ସଂଶୟ ନାହିଁ ମୋର ।ସକଳେ କୃଷ୍ଣ କଥା କର ॥
କୃଷ୍ଣ ବିଷୟେ ହେଉ ମତି ।ତାର ସେବକ ସଙ୍ଗ ଗତି ॥
ମୋହର କର୍ମଫଳ ନେଇ ।ଜନ୍ମ ହୋଇବି ଯହିଁ ତହିଁ ॥
ରହି କୃଷ୍ଣର ଦାସ ପଣେ ।ସେବିବି ଅଭୟ ଚରଣେ ॥
ଏମନ୍ତେ ଦିଅ ମୋତେ ବର ।ତୁମ୍ଭ ଚରଣେ ନମସ୍କାର ॥
ଏମନ୍ତେ ମୁନିଙ୍କୁ ଜଣାଇ ।କୃଷ୍ଣ ଚରଣେ ମନ ଦେଇ ॥
ଜାହ୍ନବୀ ତୀରେ କୁଶଶଯ୍ୟା ।ଶୟନ ଅର୍ଥେ କଲା ରାଜା ॥
ପୂର୍ବ ଦିଗକୁ ଶିର କରି ।ଉତ୍ତର ମୁଖେ ଦଣ୍ଡଧାରୀ ॥
ଗଙ୍ଗା ଦକ୍ଷିଣ କୂଳେ ଶୋଇ ।କାରୁଣ୍ୟ ଜଳେ ଦୃଷ୍ଟି ଦେଇ ॥
ଅଶେଷ ଋଷିଗଣ ମଧ୍ୟେ ।ଆନନ୍ଦେ ପୁଷ୍ପ ବରଷେ ॥
ସାଧୁ ଶବଦେ ସ୍ତୁତିକଲେ ।ଦୁନ୍ଦୁଭି ନାଦ ବାଦ୍ୟମେଳେ ॥
ସେ ମୁନିଗଣେ ଗଙ୍ଗାକୂଳେ ।ଥିଲେ ଯେ ପରୀକ୍ଷିତ ମେଳେ ॥
ଗଗନେ ଶୁଣି ସାଧୁବାଣୀ ।ଆନନ୍ଦେ ସର୍ବ ବିପ୍ରମଣି ॥
ସାଧୁ ଶବଦ ଉଚ୍ଚ ସ୍ୱରେ ।ଦିଗ ପୂରିଲା ଗଙ୍ଗାତୀରେ ॥
ପ୍ରଜାଏ ଅଶ୍ରୁଗତ ମୁଖେ ।କହନ୍ତି ଏକକୁ ଆରକେ ॥
ଏ ସାଧୁ ରାଜା ବିଚକ୍ଷଣ ।ଏକାଳେ ଲଭିବ ମରଣ ॥
ଦେଖ ଏହାର ଭାଗ୍ୟବଳ ।ମୁନିଙ୍କ ମଧ୍ୟେ ଅନ୍ତଃକାଳ ॥
ଅନେକ ପ୍ରକାର ସେ ଭଣି ।ମୁନି ସମେତ ସାଧୁବାଣୀ ॥
ମୁନି କହନ୍ତି ନୃପବର ।କୃଷ୍ଣ ବିଷୟେ ଚିତ୍ତ ତୋର ॥
ପ୍ରବେଶିବା ନୁହେଁ ବିଚିତ୍ର ।ଯେଣୁ ତୁ ପାଣ୍ଡବଙ୍କ ଗୋତ୍ର ॥
ଯାର ଆସନେ ସବ ରାଜା ।ଶିରେ ନମନ୍ତି କରି ପୂଜା ॥
ସକଳ ଛାଡ଼ଇ ହରିଭାବେ ।ପଶିଲା ଜନର ସ୍ୱଭାବେ ॥
ଆମ୍ଭ ସକଳ ଏହି ସ୍ଥାନେ ।ବଞ୍ଚିବା ଗଙ୍ଗାଜଳ ପାନେ ॥
ଏ ନରପତି ଯେତେ ଦିନ ।ପ୍ରାଣ ଛାଡ଼ିବ କୃଷ୍ଣଧ୍ୟାନେ ॥
ସୁଖେ ଲଭିବ ହରିଲୋକ ।ଯେ ସ୍ଥାନ ବିମୋହ ବିଶୋକ ॥
ଏ ଭାଗବତ ଯେ ଉତ୍ତମ ।ନିଶ୍ଚେ ଲଭିବ ପରଂଧାମ ॥
ଏମନ୍ତେ ପ୍ରଜା ମୁଖୁ ଶୁଣି ।ମୁନି ସମେତ ସାଧୁବାଣୀ ॥
ରାଜା ମଣିଲା ସତ୍ୟ ପ୍ରାୟେ ।ଚିତ୍ତେ ନ ରହିଲା ସଂଶୟେ ॥
କୃଷ୍ଣ ଚରଣ ସେବା କଲେ ।ଅଶେଷ ପ୍ରାଣୀ ମହୀତଳେ ॥
ପୂର୍ବେ ଲଭିଲେ ହରିଭାବ ।ଯେ ବ୍ରହ୍ମା ବିଷ୍ଣୁଙ୍କୁ ଦୁର୍ଲ୍ଲଭ ॥
ଦେଖ ମୋହର ଭାଗ୍ୟବଶୁଁ ।ସର୍ବେ ମିଳିଲେ ସର୍ବଦେଶୁଁ ॥
ପ୍ରାଣୀ ଯେମନ୍ତ ଦେହ ଅନ୍ତେ ।ସ୍ୱର୍ଗେ ବିବୁଧଙ୍କ ସଙ୍ଗତେ ॥
ବସି କହନ୍ତି ନାନା ଧର୍ମ ।ଯେ ବର୍ଣ୍ଣେ ଯେବା ନିଜକର୍ମ ॥
ଯେ ଫଳ ଇହ ପରଲୋକେ ।ପ୍ରାଣୀ ଲଭନ୍ତି ଦୁଃଖ ସୁଖେ ॥
ଏମନ୍ତ ଅନୁଗ୍ରହ ଚିତ୍ତେ ।ସର୍ବେ ମିଳିଲେ ଆସି ମୋତେ ॥
ଏହାକୁ ପଚାରିବି ମୁହିଁ ।ମରଣ ଅନ୍ତର୍ଜଳେ ଥାଇ ॥
ଏବେ କି କୃତ୍ୟ ଅଛି ମୋତେ ।କହ ସକଳ ଶୁଦ୍ଧ ଚିତ୍ତେ ॥
ଏ ଘୋର ସଂସାର ସାଗରେ ।ମରଣୁ କିବା କରି ତରେ ॥
ଏମନ୍ତେ ଚିନ୍ତି ରାଜଋଷି ।ଶୁକ ମିଳିଲେ ବେଗେ ଆସି ॥
ମହୀ ଭ୍ରମଇଁ ଇଚ୍ଛା ସୁଖେ ।କୃଷ୍ଣର ନାମ ଗାଇ ମୁଖେ ॥
ଲକ୍ଷ୍ୟି ନପାରି ଯାର ଅଙ୍ଗ ।କ୍ଷଣ କ୍ଷଣକେ ନାନାରଙ୍ଗ ॥
ନିରତେ ନିଜ ଲୋଭେ ତୋଷ ।ସ୍ୱଭାବେ ଅବଧୂତ ବେଶ ॥
ନିଗୂଢ଼ ଜ୍ୟୋତି ଶୁଭ୍ରମର୍ଣ୍ଣ ।କାମିନୀ ବାଳକ ବେଢିଣ ॥
ଷୋଡ଼ଶ ବତ୍ସର ସୁନ୍ଦର ।ରୂପେ କି ଦେବା ପଟ୍ଟାନ୍ତର ॥
ନିବିଡ଼ ବେନି ଭୁଜ ସାଜେ ।ସୁନ୍ଦର କପୋଳ ବିରାଜେ ॥
ଅରୁଣାମ୍ଭୁଜ ଚକ୍ଷୁ ବର୍ଣ୍ଣ ।ସୁଗ୍ରୀବ କମ୍ୱୁ ସୁଶୋଭନ ॥
ସୁନ୍ଦର ନବଗୁଣ ସାଜେ ।ତୁଙ୍ଗ ବକ୍ଷସ୍ଥଳ ବିରାଜେ ॥
ତ୍ରିବଳୀ କୁକ୍ଷି ମନୋହର ।ଆବୃତ ନାଭି ସୁଗଭୀର ॥
ବିବର୍ଣ୍ଣ କେଶ ଦିଗମ୍ବର ।ବିଭୂତି ଲେପନ ଶରୀର ॥
ପ୍ରଲମ୍ଭ ବାହୁ ଜାନୁ ଯାଏ ।ଦିଶେ ଅମର ବର ପ୍ରାୟେ ॥
ଶରୀର ସୁଚାରୁ କୁସୁମ ।ରୂପେ ତୁଳିତ ନୋହେ କାମ ॥
କି ଅବା ଦେବା ପଟ୍ଟାନ୍ତର ।କାମିନୀକୁଳ ମନୋହର ॥
ଏମନ୍ତ ରୂପ ତାର ଦେଖି ।ମୁନିଏ ଆସନ ଉପେକ୍ଷି ॥
ଜାଣନ୍ତି ତାହାର ଲକ୍ଷଣ ।ପରମ ଯୋଗୀ କୃଷ୍ଣ ପୁଣ ॥
ବେଷ୍ଟିତ ଋଷିଗଣ ମଧ୍ୟେ ।ସକଳ ପରମ ଆନନ୍ଦେ ॥
ଶୁକ ଆଗମ ଶୁଣି ରାଜା ।ତକ୍ଷଣେ ଆଣି ଅର୍ଘ୍ୟପୂଜା ॥
ବିନୟ ଭାବେ ଦଣ୍ଡଧାରୀ ।ଚରଣେ ନମସ୍କାର କରି ॥
ସ୍ତିରୀ ବାଳକ ଯେତେ ଥିଲେ ।ତା ଦେଖି ଭୟେ ବାହୁଡ଼ିଲେ ॥
ରାଜା ପୂଜିଲା ମନ ତୋଷେ ।ଶୁକ ବସିଲେ ରାଜା ପାଶେ ॥
ଶଶାଙ୍କ ଯେହ୍ନେ ତାରା ମେଳେ ।ବିରାଜେ ଗଗନ ମଣ୍ଡଳେ ॥
ପ୍ରସନ୍ନ ଚିତ୍ତେ ମୁନିବର ।ଆକୁଣ୍ଠ ଧୀଷଣା ଯାହାର ॥
ସେ ମୁନି ପାଦେ ନମସ୍କାର ।କରି ଯୋଡ଼ିଲା ବେନିକର ॥
ନମ୍ରତା ବାକ୍ୟ ସୁଧାଧାର ।ମୁନିଙ୍କୁ ଚାହିଁ ନୃପବର ॥
ପୁଚ୍ଛଇ ବେନିକର ଯୋଡ଼ି ।ଚରଣେ ପୁନଃ ପୁନଃ ପଡ଼ି ॥
ରାଜୋବାଚଆଜ ମୋହର ଜନ୍ମ ଧନ୍ୟ ।କ୍ଷତ୍ରିୟ ଅଂଶେ ବିଦ୍ୟମାନ ॥
ତୁମ୍ଭେ ନିର୍ମଳ ବ୍ରହ୍ମଋଷି ।ଅତିଥି ରୂପେ ଅଛ ବସି ॥
ଦେଖି ମୋ ଆତ୍ମା କୃତକୃତ୍ୟ ।ଦେହକୁ କଲି ତୀର୍ଥଭୂତ ॥
ତୁମ୍ଭର ଚରଣେ ବିଶ୍ୱାସ ।ପବିତ୍ର କଲି ଗୃହବାସ ॥
ଯାହାର ଦରଶନ ମାତ୍ରେ ।ଦୁରିତ ନ ରହଇ ଗାତ୍ରେ ॥
ସ୍କରଶ ପାଦ ଜଳ ଯହିଁ ।ସକଳ ତୀର୍ଥ ଫଳ ତହିଁ ॥
ଆଜ ଜୀବନ ମୋର ଧନ୍ୟ ।ଦେଖିଲି ତୁମ୍ଭର ବଦନ ॥
ଯେତେ ଦୁରିତ ଦେହେ ଥିଲା ।ତୁମ୍ଭ ଦର୍ଶନେ ଦୂର ଗଲା ॥
ବିଷ୍ଣୁର ମାୟା ମୋହ ଘୋର ।ଯେମନ୍ତେ ନାଶନ୍ତି ଅସୁର ॥
ଆଜ ଜାଣିଲି ମୋତେ ହରି ।ପାଣ୍ଡବ ବଂଶେ ପ୍ରୀତିକରି ॥
ପିତୃ ସ୍ୱଶ୍ରେୟ ସ୍ନେହ ବନ୍ଧେ ।ଘେନିଲେ ବନ୍ଧୁପଣ ହୃଦେ ॥
ବାନ୍ଧବ ପ୍ରାୟ ବ୍ରହ୍ମରାଶି ।ଯେହ୍ନେ ପାଣ୍ଡବ ପୁରେ ଆସି ॥
ତେଣୁ ତୁମ୍ଭର ଦରଶନ ।ଦେଲେ ଯେ ପ୍ରଭୁ ଭଗବାନ ॥
ଅବ୍ୟକ୍ତ ଗତି ଯେ ତୁମ୍ଭର ।କେ ତାହା କରିବ ଗୋଚର ॥
ମରଣ ଯାର ସାଧୁ ସଙ୍ଗେ ।ସେ ତରେ ଏ ଭବ ତରଙ୍ଗେ ॥
ଯୋଗୀଙ୍କ ମଧ୍ୟେ ତୁମ୍ଭେ ଗୁରୁ ।ଯେହ୍ନେ ଅଚଳ ମହାମେରୁ ॥
କହ ଜୀବନ ଯିବାକାଳେ ।କିବା ସାଧିବି ମହୀତଳେ ॥
କିବା ଶୁଣିବି କର୍ଣ୍ଣପଥେ ।ସ୍ମରଣ କି କରିବି ଚିତ୍ତେ ॥
କିବା ବଚନ ଉଚ୍ଚାରଣ ।ଭଜିବି କାହାର ଚରଣ ॥
ତୁମ୍ଭେ ହେ ପ୍ରାଣୀଙ୍କର ଘରେ ।ଦଣ୍ଡେହେଁ ନ ବିଶ୍ରାମିସ୍ଥିରେ ॥
ଗୋଦୋହ ମାତ୍ର ତୁମ୍ଭ ଗତି ।ଏଣୁ ମୋହର ମନେ ଭ୍ରାନ୍ତି ॥
ଶ୍ରୀ ସୂତ ଉବାଚସୂତ କହନ୍ତି ତୋଷମନେ ।ଶୁଣ ସକଳ ମୁନିଜନେ ॥
ଏମନ୍ତ ପରୀକ୍ଷିତ ବାଣୀ ।ଆନନ୍ଦ ମନେ ଶୁକ ଶୁଣି ॥
ହରଷେ ମୁଦ୍ରିତ ଲୋଚନ ।ଚିତ୍ତେ ଚିନ୍ତଇ ଭଗବାନ ॥
ସେ ହରି ଚରଣ କମଳେ ।ସୁଜନେ ଚିନ୍ତ ଧ୍ୟାନବଳେ ॥
ପ୍ରଥମ ସ୍କନ୍ଧେ ଭାଗବତ ।କହଇ ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଶୁକ ଗମନୋ ନାମ ଊନବିଂଶୋଽଧ୍ୟାୟଃ ॥
ଭୀମସ୍ୟାପି ରଣେଭଙ୍ଗୋ ମୁନେରପି ମତିଭ୍ରମଃ ।ଯଦି ଶୁଦ୍ଧଂ ମଶୁଦ୍ଧଂ ବା ମମଦୋଷୋ ନ ବିଦ୍ୟତେ ॥