ଷଷ୍ଠ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସ୍ନେହେ ପୋଷଇ ନିତି ନିତି ।
ମୋ ତହୁଁ ନାହିଁ ଅନ୍ୟ ଗତି ॥
ସେବଇ ବିପ୍ରଘରେ ମୋତେ ।ନ ଚାହେଁ ଆତ୍ମାର ଆୟତ୍ତେ ॥
ମୋର ନିମିତ୍ତେ ଭିକ୍ଷା ଅନ୍ନ ।ବହୁତ କଳ୍ପେ ତାର ମନ ॥
ଅନ୍ନ ବା ସେ ପାଇବ କାହିଁ ।ବ୍ରାହ୍ମଣ ଘରେ ଯେ ମିଳଇ ॥
ମୋର ଭୁଞ୍ଜିଲା ଅବଶେଷ ।ମୋର ଜନନୀ କରେ ଗ୍ରାସ ॥
ସଂସାର ଈଶ୍ୱର ଆୟତ୍ତେ ।କାଷ୍ଠ ପିତୁଳୀ ଯେହ୍ନେ ହସ୍ତେ ॥
ମୁଁ ଯେ ବ୍ରାହ୍ମଣ ଘରେ ଥାଇ ।ଦିଗ୍ଦେଶ କାଳ ନ ଜାଣଇ ॥
ବାଳକ ପଞ୍ଚମ ବରଷ ।ବଞ୍ଚଇ ଜନନୀର ପାଶ ॥
ମୋର ଜନନୀ ଏକଦିନେ ।ବ୍ରାହ୍ମଣ ଘରେ ଗୋଦୋହନେ ॥
ଯାଆନ୍ତେ ପଥେ ଘରୁ ଆସି ।ସର୍ପେ ମିଳିଲା ଆଗେ ଆସି ॥
ବିଧାତା ବଳେ ସେ ଦଂଶିଲା ।ତକ୍ଷଣେ ଜନନୀ ମୋ ମଲା ॥
ମୁଁ ଯେ ମାତାଙ୍କୁ ଅଗ୍ନି ଦେଇ ।ଭାଳଇ ଚତୁର୍ଦ୍ଦିଗ ଚାହିଁ ॥
ତାର ମରଣ ମୋ କଲ୍ୟାଣ ।ମଣିଲି କଲେ ଭଗବାନ ॥
ବିପ୍ରଙ୍କ ତହିଁ ମୋର ମନ ।ଭାଳି ହୁଅଇ ଛନ୍ନ ଛନ୍ନ ॥
ତାହାଙ୍କୁ ଭେଟିବାର ଅର୍ଥେ ।ଗଲି ଉତ୍ତର ଦିଗ ପଥେ ॥
ଅନେକ ଦୂର ଗ୍ରାମେ ଗ୍ରାମେ ।ବିପ୍ରଙ୍କୁ ଖୋଜି ପଥଶ୍ରମେ ॥
ଖେଟ ଖର୍ବଟ ବାଟୀ ମନେ ।ଦୁର୍ଗମ ପର୍ବତ କାନନେ ॥
ହସ୍ତୀ ସେବିତ ବନ ଆଦି ।ଯେ ପର୍ଣ୍ଣଚିତ୍ର ପୁଣ୍ୟ ନଦୀ ॥
ପବିତ୍ର ଜଳାଶୟ ତୀର୍ଥେ ।ଦେବେ ସେବନ୍ତି ଯାହା ନିତ୍ୟେ ॥
ଉତ୍ତମ ସରୋବର ବନେ ।ହଂସ ସାରସ ଶୁକସ୍ୱନେ ॥
ପୁଣି ଗମିଲି ଘୋର ଦେଶେ ।ପୁରିତ ନଳ କାଶ କୁଶେ ॥
ବିଷମ ଲତା ଗୁଳ୍ମ ସାର ।ଦିଶଇ ଘୋର ଅନ୍ଧକାର ॥
ସର୍ପ ଉଲ୍ଳୁକ ସିଂହ ଚାହିଁ ।ବନେ ଗମଇ ଏକା ମୁହିଁ ॥
ଏମନ୍ତେ ଭ୍ରମୁ ଘୋର ପଥେ ।ଶ୍ରମେ ପିପାସା ବୁଭୁକ୍ଷିତେ ॥
ଏମନ୍ତେ ଯାଇ ପାଦେ ପାଦେ ।ଶ୍ରମେ ପଶିଲି ନଦୀ ହ୍ରଦେ ॥
ଶୀତଳ ଜଳେ ସ୍ନାନ ପାନ ।କରନ୍ତେ ଗଲା ମୋର ଶ୍ରମ ॥
ସେ ନଦୀତୀରେ ପ୍ରାଣ ପୋଷି ।ଅଶ୍ୱତ୍ଥ ତରୁମୂଳେ ବସି ॥
ବିପ୍ରଜନଙ୍କର ବଚନେ ।ଆତ୍ମାରେ ଆତ୍ମା ଅବଧାନେ ॥
କୃଷ୍ଣର ପାଦପଦ୍ମ ଯୁଗେ ।ଧ୍ୟାନ ମୁଁ କରି ଦୃଢ଼ଭାବେ ॥
ଉତ୍କଣ୍ଠେ ଗଦ୍ଗଦ୍ ବଚନ ।ଅଶ୍ରୁ ଉଦକେ ନେତ୍ର ପୂର୍ଣ୍ଣ ॥
ଅତ୍ୟନ୍ତ ପ୍ରେମଭର ଦେହ ।ଉଦ୍ଗମ ହେଲା ତନୁରୁହ ॥
ଆନନ୍ଦ ସାଗରେ ବୁଡ଼ିଲି ।ଉଭୟ ଲୋକ ନ ଜାଣିଲି ॥
ତକ୍ଷଣେ ପରମ ଆନନ୍ଦେ ।ହରି ବିଜୟ ମୋର ହୃଦେ ॥
ହୃଦେ କି ଦେବା ପଟ୍ଟାନ୍ତର ।ମନ ବଚନେ ଅଗୋଚର ॥
ଦେଖି ଉଠିଲି ତତକ୍ଷଣେ ।ବିକଳ ଚିତ୍ତ କରଷଣେ ॥
ପୁଣି ରହିଲି ଦୃଢ଼ ଚିତ୍ତେ ।ସେ ରୂପ ଦେଖିବା ନିମନ୍ତେ ॥
ସେ ହରି ହରିଲେ ମୋ ମନ ।ଘୋର ଅନ୍ଧାରେ ଦିବ୍ୟ ଜ୍ଞାନ ॥
ବାହୁଡ଼ି ଚାହିଁଲି ଭିତରେ ।ଦିଶେ ଆକାଶ ଅଭ୍ୟନ୍ତରେ ॥
ଭିତରେ ବାହାରେ ନ ପାଇ ।ଆକୁଳେ କମ୍ପଇ ମୋ ଦେହୀ ॥
ଏମନ୍ତେ ଅନ୍ତରୀକ୍ଷ ବାଣୀ ।କର୍ଣ୍ଣ ଯୁଗଳେ ମୁହିଁ ଶୁଣି ॥
ମନ ବଚନ ଅଗୋଚର ।ସ୍ୱଭାବେ ଗମ୍ଭୀର ସୁସ୍ୱର ॥
ପ୍ରସନ୍ନ ହେଲା ମୋର ମନ ।ଶୁଣିଲି ଆକାଶ ବଚନ ॥
ଏ ଜନ୍ମେ ତୁ ଦେଖିବୁ କାହିଁ ।ମୋହର ଆଦିଅନ୍ତ ନାହିଁ ॥
ଯେ ଯୋଗୀ ଜନଙ୍କର ଚିତ୍ତ ।କର୍ମ-ବାସନାରେ ଜଡ଼ିତ ॥
ଯାବତ ଶୁଭାଶୁଭ-କର୍ମେ ।ଚିତ୍ତ ଆକୃଷ୍ଟ ମତି ଭ୍ରମେ ॥
ଭେଟ ସେ ପାଇବେ କେମନ୍ତେ ।କର୍ମ ଆବୋରି ନାନାମତେ ॥
ମୋର ସେବକ ସେବାକାଳେ ।ତୁହି ବଞ୍ଚିଲୁ ସାଧୁମେଳେ ॥
ତେଣୁ ଦେଖିଲୁ ମୋତେ ବଳେ ।ପ୍ରକାଶ ହୃଦୟ କମଳେ ॥
ମୁଁ ତୋର ଚିତ୍ତେ ନିତ୍ୟେ ଥାଇ ।ତୋ ଦେହେ ଅମଙ୍ଗଳ ନାହିଁ ॥
ତୁ ଯେ ସାଧୁଙ୍କ ସେବା କରି ।ଏବେ ତରିବୁ ଭବବାରି ॥
ଦୃଢ଼ ଭକତି ମୋର ପାଦେ ।ନିତ୍ୟେ ପ୍ରକାଶ ଅପ୍ରମାଦେ ॥
ଅନ୍ତେ ପଶିବୁ ମୋ ଭୁବନେ ।ଏ ଦେହ ଛାଡ଼ି ମୋର ଧ୍ୟାନେ ॥
ମୋର ବିଷୟ ତୋର ଗତି ।କେବେହେଁ ନ ଭଜୁ ଦୁର୍ଗତି ॥
ସୃଷ୍ଟି ପ୍ରଳୟ ବାଧା ଯେତେ ।କେବେହେଁ ନ ଲାଗଇ ତୋତେ ॥
ମୋ ଅନୁଗ୍ରହେ ହେଉ ଜ୍ଞାନ ।ଏମନ୍ତ ଆକାଶ-ବଚନ ॥
ସ୍ୱଭାବେ ବାଣୀ ଅନ୍ତରୀକ୍ଷେ ।କେ ତାହା ଦେଖିବ ପ୍ରତ୍ୟକ୍ଷେ ॥
ସ୍ୱଭାବେ ରୂପ ନାହିଁ ଯାର ।ମହାମହିମ ନିର୍ବିକାର ॥
ସେ ବାକ୍ୟ ଶୁଣି ଚିତ୍ତ ସ୍ଥିରେ ।ପ୍ରଣାମ କଲି ତା ପୟରେ ॥
ଭାବେ ହୋଇଲି କୃତକୃତ୍ୟ ।ଶୁଣ ହେ ସତ୍ୟବତୀ-ସୁତ ॥
ସେ ବିନୁ ନ ଜାଣଇ ଅନ୍ୟ ।ମୋ ସର୍ବ ଗତି ଭଗବାନ ॥
ଏ ଲାଜ ସର୍ବ ପରିହରି ।ଉଚ୍ଚେ ଗୋବିନ୍ଦ ନାମ ଧରି ॥
ଅନନ୍ତ ଗୁଣ ତାର ଯେତେ ।ଚିତ୍ତେ ସୁମରି ଅବିରତେ ॥
ପୃଥିବୀ କରି ପର୍ଯ୍ୟଟନ ।ବିଗତ ରାଗ ତୁଷ୍ଟ ମନ ॥
ଏମନ୍ତେ ଭ୍ରମି ଅନୁଦିନ ।ନିର୍ମଳ ହୋଇଲା ମୋ ମନ ॥
ମରଣ ସମୟ ନିୟତ ।କାଳ ହୋଇଲା ଉପଗତ ॥
ସଂଶୟ ସ୍ଥିର ମୋର ମନେ ।ବିଜୁଳି ଯେହ୍ନେ ନୀଳ ଘନେ ॥
ଦିବ୍ୟ ଶରୀର ମୁହିଁ ଦେଖି ।ତକ୍ଷଣେ ଶରୀର ଉପେକ୍ଷି ॥
ଆନନ୍ଦେ କୃଷ୍ଣ ଅନୁଗ୍ରହେ ।ଶୂନ୍ୟେ ଗମିଲି ଦିବ୍ୟଦେହେ ॥
କଳ୍ପାନ୍ତେ ଦିନ ପ୍ରଳୟରେ ।ଏ ସୃଷ୍ଟି ଦେଖିଣ ଉଦରେ ॥
କ୍ଷୀଣ ଜଳଧି ମଧ୍ୟେ ସ୍ଥିତ ।ଅନନ୍ତ ଶୟନେ ଅନନ୍ତ ॥
ପଶିଲି ତାର ଅଭ୍ୟନ୍ତରେ ।ନିର୍ଲେପ ନିର୍ମଳ ଶରୀରେ ॥
ତହୁଁ ସହସ୍ର ଯୁଗ ଗଲା ।ଶୟନୁ ଅନନ୍ତ ଉଠିଲା ॥
ତକ୍ଷଣେ ବ୍ରହ୍ମରୂପ ଧରି ।ଭୂମି ଭିଆଇ ସୃଷ୍ଟି କରି ॥
ମରୀଚି ଆଦି ସପ୍ତ ପୁତ୍ର ।ବ୍ରହ୍ମା ମନରୁ ହୁଏ ଜାତ ॥
ମୁହିଁ ହୋଇଲି ତାଙ୍କ ମେଳେ ।ସମ୍ଭୁତ ବିଗତର କୋଳେ ॥
ନିଶ୍ଚଳ ଚିତ୍ତେ ଦୃଢ଼ବ୍ରତେ ।ଏ ତିନିଲୋକେ ଭ୍ରମେ ନିତ୍ୟେ ॥
କୃଷ୍ଣର ଭାବେ ଭ୍ରମେ ନିତି ।ମୋହର ଅଭ୍ୟାଗତ ରୀତି ॥
କୃଷ୍ଣର ଭକ୍ତିଭାବ ଭୋଳେ ।ମୁହିଁ ଗମଇ ଅନ୍ତରାଳେ ॥
ଦେବଙ୍କ ମଧ୍ୟେ ମୁହିଁ ଥାଇ ।ନୃତ୍ୟ କରଇ କୃଷ୍ଣ ଗାଇ ॥
ଗାନ୍ଧାର ରାଗେ ବିଭୂଷଣା ।ସାମରୁ ନାଦ ତିନିଗୁଣା ॥
ଶୁଭେ ମୂର୍ଚ୍ଛିତ ନାଦ ବାଣୀ ।ଆନନ୍ଦେ କୃଷ୍ଣ ନାମ ଗୁଣି ॥
ନିରତେ ଭ୍ରମଇ ଜଗତେ ।ଶୁଣ କହିବା ଆଉ ଯେତେ ॥
ହରିର ଅଭୟ ଚରଣ ।ଅଶେଷ ତୀର୍ଥର କାରଣ ॥
ସେ ପଦ କଲି ସୁମରଣ ।ଶୀଘ୍ରେ ମୋ ଚିତ୍ତେ ନାରାୟଣ ॥
ଆଦିତ୍ୟ ତେଜ ପ୍ରାୟ ଦିଶେ ।ଅଜ୍ଞାନତମ ବେଗେ ନାଶେ ॥
ଏ ହରି ଚରିତର ଗୁଣ ।ଭୋ ମୁନି ସାବଧାନେ ଶୁଣ ॥
ଭବ ସାଗରେ ଯେତେ ନରେ ।ଆରତ ଚିତ୍ତେ ଅଭ୍ୟନ୍ତରେ ॥
ବିଷୟ ରସେ ସୁଯନ୍ତ୍ରିତ ।କେବେହେଁ ନୁହେଁ ଶୁଦ୍ଧ ଚିତ୍ତ ॥
ଇଛନ୍ତି ଭବସିନ୍ଧୁ ଗର୍ଭେ ।ସେ ନରେ କେମନ୍ତେ ତରିବେ ॥
କୃଷ୍ଣର ଗୁଣଗାଥା ଘୋଷି ।ଆନନ୍ଦ ଭାବେ ଯେହୁ ରସି ॥
ହେଳେ ତରନ୍ତି ଗୁଣ ଗାଇ ।ଅନ୍ୟଥା ସୁଖ ଲେଶ ନାହିଁ ॥
ଯମ ନିୟମ ଯୋଗ ପଥେ ।ଯେ ନର ସାଧେ ଅବିରତେ ॥
ଏମାନ ପାଇବ ସେ କାହିଁ ।ଯେବେ ଗୋବିନ୍ଦେ ଭାବ ନାହିଁ ॥
ଶୁଣ ହେ ସତ୍ୟବତୀ ସୁତ ।ଯେ ପୂର୍ବେ ମୋହର ଚରିତ ॥
ମୋ ଜନ୍ମକର୍ମ ସଙ୍ଗେ ଯେତେ ।କହିଲି ତୁମ୍ଭର ଅଗ୍ରତେ ॥
କହଇ ଦାସ ଜଗନ୍ନାଥ ।ପ୍ରଥମ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ବ୍ୟାସ-ନାରଦ-ସମ୍ୱାଦେ ନାମଷଷ୍ଠୋଽଧ୍ୟାୟଃ ॥
ସପ୍ତମ ଅଧ୍ୟାୟ
ଶୌନକ ଉବାଚବ୍ୟାସଙ୍କୁ ଛାଡ଼ି ଗଙ୍ଗାକୂଳେ ।ନାରଦ ଗଲେ ଯେତେବେଳେ ॥
ଚିତ୍ତେ ସଂଶୟ ଯେତେ ଥିଲା ।ନାରଦ ବାକ୍ୟେ ଦୂର ଗଲା ॥
ସେ ସର୍ବ ଗୁଣେ ଅଧିକାରୀ ।ନାରଦ ବାକ୍ୟ ଚିତ୍ତେ ଧରି ॥
ପୁଣି କି କଲେ ପୁଣ୍ୟଦେହା ।କହ ଆମ୍ଭଙ୍କୁ ଯେବେ ଦୟା ॥
ଏମନ୍ତ ମୁନିଙ୍କ ପ୍ରସନ୍ନେ ।କୃଷ୍ଣ ମହିମା ଗୁଣି ମନେ ॥
ଶ୍ରୀ ସୂତ ଉବାଚସୂତ କହନ୍ତି ତୋଷ ଚିତ୍ତେ ।ମୁନି ଜନଙ୍କର ଅଗ୍ରତେ ॥
ସେ ବ୍ରହ୍ମ ନଦୀର ପଶ୍ଚିମେ ।ଆଶ୍ରମ ଶମ୍ୟାପ୍ରାସ ନାମେ ॥
ଯହିଁ ଅଶେଷ ମୁନିଜନ ।ଏଣୁ ଅନେକ ଯଜ୍ଞସ୍ଥାନ ॥
ମଧ୍ୟେ ବଦରି ବନ ନାମ ।ବ୍ୟାସଙ୍କ ନିୟତ ଆଶ୍ରମ ॥
ସେ ବନେ ସରସ୍ୱତୀ ଜଳେ ।ସ୍ନାହାନ ସାରି ପ୍ରାତଃ କାଳେ ॥
କୃଷ୍ଣ ମହିମା ଚିନ୍ତି ମନେ ।ମୁନି ବସିଲେ ଯୋଗଧ୍ୟାନେ ॥
ନିର୍ମଳ ମନେ ଧ୍ୟାନକରି ।ତକ୍ଷଣେ ପ୍ରଭୁ ନରହରି ॥
ମାୟା ସଂଯୋଗେ ହେଲେ ଦୃଶ୍ୟ ।ଯେ ପୂର୍ବେ ପୁରାଣ ପୁରୁଷ ॥
ଯେ ମାୟା ତ୍ରିଗୁଣେ ଜଡ଼ିତ ।ଅଜ୍ଞାନେ ଜୀବ ମୋହଗ୍ରସ୍ତ ॥
ଅସତ୍ୟ ସତ୍ୟ ପ୍ରାୟେ ମଣେ ।ଆତ୍ମାର ଗତି ନ ପ୍ରମାଣେ ॥
ତାହାକୁ ଉଦ୍ଧରିବା ଅର୍ଥେ ।ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ ॥
ରଚିଲେ ଭାଗବତ ବାଣୀ ।ଏ ଜୀବ ତରେ ଯାହା ଶୁଣି ॥
ଭକତି କଲେ କୃଷ୍ଣପାଦେ ।ନ ପଡ଼େ ଲୋକ ମୋହ ବାଦେ ॥
ସଂହିତା କରି ହରିବାଣୀ ।ଶୋଧନ କରି ତାକୁ ପୁଣି ॥
ସ୍ୱଭାବେ ତାକୁ ନିଜ ସୁତେ ।ହରଷେ ଦେଲେ ଭାଗବତେ ॥
ବଶେଷ ଗୋବିନ୍ଦ ପ୍ରସନ୍ନେ ।ମାୟା ନ ଲାଗେ ଯାର ମନେ ॥
ଏମନ୍ତ ସତ୍ୟ ବାକ୍ୟ ଶୁଣି ।ମୁନି ସକଳେ ମନେ ଗୁଣି ॥
ମନ ସଂଶୟେ ଖେଦ ବହି ।କହନ୍ତି ସୂତ ମୁଖ ଚାହିଁ ॥
ଶୌନକ ଉବାଚମାୟା ନ ଲାଗେ ଯାର ଚିତ୍ତେ ।କି ପ୍ରୟୋଜନ ତାର ଗ୍ରନ୍ଥେ ॥
ଶୁକ ସ୍ୱଭାବେ ଆତ୍ମାରାମ ।ତାହାର ଗ୍ରନ୍ଥେ କିମ୍ପା ଶ୍ରମ ॥
ତାହାର ଅର୍ଥେ ବ୍ୟାସସୁତ ।ଅଭ୍ୟାସ କଲେ ଭାଗବତ ॥
ନିର୍ଲେପ ଯୋଗୀ ସେ ଜଗତେ ।ସଂଶୟ ଲାଗେ ଆମ୍ଭ ଚିତ୍ତେ ॥
ଶୁଣି ସଂଶୟ ମୁନି କଥା ।କହନ୍ତି ସୂତ ବ୍ରହ୍ମବେତ୍ତା ॥
ଶ୍ରୀ ସୂତ ଉବାଚସ୍ୱଭାବେ ମୁନିଙ୍କର ଚିତ୍ତ ।ଗ୍ରନ୍ଥରେ ନୁହଇ ଗ୍ରନ୍ଥିତ ॥
ତଥାପି ଅକିଞ୍ଚନ ପଣେ ।ଭଜନ୍ତି ଗୋବିନ୍ଦ ଚରଣେ ॥
ଯେଣୁ ସକଳ ଭୂତେ ହରି ।ପରମାନନ୍ଦ ରୂପେ ପୂରି ॥
ତେଣୁ ଭକ୍ତି ଯେ ଅତିରେକ ।କହନ୍ତି ଏକକୁ ଆରେକ ॥
ସେ ଶୁକମୁନି ଶୁଦ୍ଧ ଚେତା ।ନିତ୍ୟେ ଅଭ୍ୟାସ କୃଷ୍ଣ କଥା ॥
ଭକତ ଜନ ପୁଣ୍ୟ ଅର୍ଥେ ।ତାହାଙ୍କ ଜନ୍ମ ଏ ଜଗତେ ॥
ଏବେ ହୋ ଶୁଣ ବିପ୍ରଜନେ ।ହରି ଚରିତ ସାବଧାନେ ॥
ଭକତ ପରୀକ୍ଷିତ କଥା ।ପଣ୍ଡୁ ତନୟଙ୍କ ବ୍ୟବସ୍ଥା ॥
କୁରୁପାଣ୍ଡବ ଯୁଦ୍ଧ ଅର୍ଥେ ।ବୀରେ ମିଳିଲେ ବୀର ପଥେ ॥
ଭୀମର ଗଦାଘାତ ବାଜି ।ଦୁର୍ଯ୍ୟୋଧନର ଜାନୁ ଭାଜି ॥
ପଳାଇଗଲା ପ୍ରାଣ ଡରେ ।ପଶିଲା ବ୍ୟାସ ସରୋବରେ ॥
ଏମନ୍ତେ ହୋଇଲା ରଜନୀ ।ଭୟେ ମିଳଇ କୁରୁମଣି ॥
କାନ୍ଦଇ ଜୀବନ ବିକଳେ ।ଦ୍ରୋଣ ନନ୍ଦନ ଦେଖି ଡୋଳେ ॥
କହଇ ରାଜା ମୁଖ ଚାହିଁ ।ମୋତେ ଯେ ନ ବରିଲୁ ତୁହି ॥
ଯୁଦ୍ଧେ ସକଳ ବୀର ମାରି ।ଏ ଭୂମି ଅପାଣ୍ଡବା କରି ॥
ତୋତେ ବସାନ୍ତି ରାଜକୁଳେ ।ଅଖଣ୍ଡ ଅବନୀ ମଣ୍ଡଳେ ॥
ଶୁଣି କହଇ ନୃପବର ।ଏବେ ତୁ ଅପାଣ୍ଡବା କର ॥
ଏବେ ବରିଲି ସେନାପତି ।ଫେଡ଼ ତୁ ମୋହର ଦୁର୍ଗତି ॥
ଏମନ୍ତ କହି ଅନ୍ଧବଳା ।ତାହାର ହସ୍ତେ ଜଳ ଦେଲା ॥
ଦ୍ରୋଣ କୁମର ବେଗେ ଉଠି ।ଧନୁକୁ ଧରି ଦୃଢ଼ ମୁଷ୍ଟି ॥
ମନ୍ତ୍ରିଣ ନାରାଚ ପେଷିଲା ।ପାଣ୍ଡବ ଗୃହେ ସେ ପଡ଼ିଲା ॥
ଦ୍ରୌପଦୀ ପଞ୍ଚ ସୁକୁମରେ ।ଶୋଇ ଯେ ଥିଲେ ଅନ୍ତଃପୁରେ ॥
ପଡ଼ି କାଟିଲା ତାଙ୍କ ଶିର ।ଶବଦ କଲା ମହାଘୋର ॥
ଶୁଣି କମ୍ପିଲେ ଦିଗପାଳ ।ପୂରିଲା ଭୂମି ଅନ୍ତରାଳ ॥
ଅତି ଅନୀତି କର୍ମ କଲା ।ବିଧାତା ବଳେ ଦ୍ରୋଣବଳା ॥
ଦ୍ରୌପଦୀ ଶୟନ ଉପେକ୍ଷି ।ପୁତ୍ର ମରଣ ଦେଖି ଦୁଃଖୀ ॥
ବିକଳେ କରଇ ରୋଦନ ।ତା ପାଶେ ଥିଲା ଯେ ଅର୍ଜ୍ଜୁନ ॥
ଅନେକ ଶାନ୍ତ ବାକ୍ୟ କହି ।କହେ ଦ୍ରୌପଦୀ ମୁଖ ଚାହିଁ ॥
ଦ୍ରୋଣ କୁମର ଶିର ବାଣେ ।କାଟି ସ୍ଥାପିବି ତୋ ଚରଣେ ॥
ତେବେ ହରିବି ତୋର ଶୋକ ।ତୁ ଏବେ ସ୍ଥିର ଚିତ୍ତେ ଦେଖ ॥
ଏମନ୍ତେ ମଧୁର ବଚନେ ।ଶାନ୍ତି କରାଇ ତାର ମନେ ॥
ଯାର ସାରଥି ଭଗବାନ ।କେ ତାରେ କରେ ଅପମାନ ॥
ଗାଣ୍ଡୀବ ଧନୁ ଧରି ହସ୍ତେ ।ବସିଲା କପିଧ୍ୱଜ ରଥେ ॥
ବେଗେ ଧାଇଁଲା ସଜ ହୋଇ ।ଦେବେ ଗଗନେ ଛନ୍ତି ଚାହିଁ ॥
ଅର୍ଜ୍ଜୁନ ଦେଖି ଦ୍ରୋଣ ବଳା ।କାତରେ ହୃଦୟ କମ୍ପିଲା ॥
ବେଗେ ପଳାଇ ଭୂମିଗତେ ।ପଶିଲା ଗହନ ବନସ୍ତେ ॥
ପଶି ପଳାଏ ଘୋର ବନେ ।ଅନ୍ଧକ ରୁଦ୍ର ଡରେ ଯେହ୍ନେ ॥
କାତରେ ଚାରିଦିକ ଚାହିଁ ।ତାର ରକ୍ଷକ ଅଛି କାହିଁ ॥
ତକ୍ଷଣେ ଜଳେ ସ୍ନାନକରି ।ବ୍ରହ୍ମ ଅସ୍ତ୍ରକୁ ଯେ ସୁମରି ॥
ସଂହାର ନ ଜାଣି ତାହାରେ ।ପେଶିଲା ଅର୍ଜ୍ଜୁନ ଉପରେ ॥
ସ୍ୱଭାବେ ବ୍ରହ୍ମରାଶି ନାମ ।ବିରାଜେ ତେଜେ ରବି ସମ ॥
ତାର ପ୍ରଚଣ୍ଡ ରୂପ ଚାହିଁ ।କମ୍ପଇ ଅର୍ଜ୍ଜୁନର ଦେହୀ ॥
ଶସ୍ତ୍ରର ତେଜେ ଭୟ କଲା ।ଗୋବିନ୍ଦ ମୁଖକୁ ଚାହିଁଲା ॥
ପଡ଼ି ଅଭୟ ପାଦ ତଳେ ।କହଇ ଜୀବନ ବିକଳେ ॥
ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ।ଶରଣ ଜନଙ୍କ ସୋଦର ॥
ସଂସାର ଦୁର୍ଜ୍ଜୁନ ଦହନ ।ଭୟ କରନ୍ତି ତୋତେ ଜନ ॥
ଯାହାକୁ ଦେଇ ମୋକ୍ଷ ଗତି ।ଅଭୟ ବ୍ରହ୍ମେ ସେ ପଶନ୍ତି ॥
ଆଦି ପୁରୁଷ ନିରଞ୍ଜନ ।ପ୍ରକୃତି ପରେ ତୁ କାରଣ ॥
ଏ ଜୀବ ଲୋକେ ତୋର ମାୟା ।ତୁଟଇ ଯାରେ କରୁ ଦୟା ॥
ଏ ଯେ ତୋହର ଅବତାର ।ଖଣ୍ଡିବ ଅବନୀର ଭାର ॥
ତୋରେ ଶରଣ ଯେ ପଶଇ ।ସଂସାର ତାକୁ ନ ଲାଗଇ ॥
ଏଣୁ ତୋହର ଗତି ମୁହିଁ ।ତୋ ମାୟାବଳେ ନ ଜାଣଇ ॥
ଏ ଯେ ଧାମଇଁ ବ୍ରହ୍ମଶର ।ତେଜେ ଆଚ୍ଛାଦି ତିନିପୁର ॥
ସ୍ୱଭାବେ ପ୍ରଚଣ୍ଡ ଦାରୁଣ ।ଦେଖି କମ୍ପଇ ମୋର ପ୍ରାଣ ॥
କହ କି କରିବି ଗୋସାଇଁ ।ତୋ ବିନୁ ଅନ୍ୟ ଗତି ନାହିଁ ॥
ଅର୍ଜୁନ ବାକ୍ୟ ଶୁଣି ହସି ।କହନ୍ତି ପ୍ରଭୁ ବ୍ରହ୍ମରାଶି ॥
ଶ୍ରୀ ଭଗବାନୁବାଚଜୀବନ ଡରେ ଦ୍ରୋଣ ବଳା ।ଅତି ମାନୁଷ କର୍ମ କଲା ॥
ମନ୍ତ୍ର ନ ଜାଣଇ ସଂହାରେ ।ବେଗେ ପଶିଲା ପ୍ରାଣ ଡରେ ॥
ଏହା ନିବାରେ ଶସ୍ତ୍ର ନାହିଁ ।କେହି ନ ଜାଣେ ଦେହ ବହି ॥
ତୁ ଯେ ସକଳ ମନ୍ତ୍ର ଜାଣୁ ।ଚଞ୍ଚଳ ଚିତ୍ତେ ନ ପ୍ରମାଣୁ ॥
ଶ୍ରୀ ସୂତ ଉବାଚଶୁଣି ଗୋବିନ୍ଦ ମୁଖୁଁ ବାଣୀ ।ଅର୍ଜ୍ଜୁନ ମନେ ମନେ ଗୁଣି ॥
ତକ୍ଷଣେ ଆଚମନ ସାରି ।ମନେ ସୁମରି ନରହରି ॥
ଦ୍ରୋଣଙ୍କ ତହୁଁ ଅଛି ଜାଣି ।ଭାବେ କହିଲେ ଚକ୍ରପାଣି ॥
ବ୍ରହ୍ମଶରକୁ ବ୍ରହ୍ମଶର ।ଶୂନ୍ୟେ ପେଶିଲା ବୀରବର ॥
ଗଗନ ମାର୍ଗେ ବେନି ଶରେ ।ଭୂମି ଆକାଶ ଅଭ୍ୟନ୍ତରେ ॥
ଅର୍କ ଅନଳ ପ୍ରାୟେ ଦିଶି ।ବଢ଼ିଲା ଦଶଦିଶ ଗ୍ରାସି ॥
ସେ ବେନି ଶସ୍ତ୍ର ତେଜୋରାଶି ।ପ୍ରଳୟାନଳ ପ୍ରାୟେ ଦିଶି ॥
ଦହିଲା ପ୍ରାୟେ ତ୍ରିଭୁବନ ।ତା ଦେଖି ଚକିତ ଅର୍ଜ୍ଜୁନ ॥
କୃଷ୍ଣ କହିଲେ ଶୁଣ ବୀର ।ଶସ୍ତ୍ରେ ଏ ଶସ୍ତ୍ରକୁ ସଂହର ॥
ଯହୁଁ କହିଲେ ଚକ୍ରପାଣି ।ତକ୍ଷଣେ ସଂହାରିଲେ ଆଣି ॥
ରଥୁଁ ଓହ୍ଲାଇ ମହାରୋଷେ ।ଧଇଲେ ଅଶ୍ୱତ୍ଥାମା କେଶେ ॥
ପ୍ରଚଣ୍ଡ ରୂପେ ଶିର ଝୁଣି ।ଆକର୍ଷି ପାତିଲା ଧରଣୀ ॥
କର ଚରଣ ତନୁ ଛନ୍ଦେ ।ବେଗେ ବାନ୍ଧିଲା ମାଲ ବନ୍ଧେ ॥
ଚରଣ ପାଶକୁ ସୁମରି ।ପଶୁଙ୍କ ପ୍ରାୟେ ବନ୍ଦୀ କରି ॥
ରଥ ଦଣ୍ଡରେ ବାନ୍ଧି ଆଣି ।ଦେଖି କହନ୍ତି ଚକ୍ରପାଣି ॥
ଏ ବ୍ରହ୍ମବନ୍ଧୁ ବହ୍ମଦ୍ରୋହୀ ।ଏହାକୁ ଦଣ୍ଡେ ହେଁ ନ ଥୋଇ ॥
ମନେ ତୁ ଅନ୍ୟ ନ ବିଚାର ।ବେଗେ ଏହାର ପ୍ରାଣ ହର ॥
ନିର୍ଦ୍ଦୋଷ ବାଳକ ଶୟନେ ।ଥିଲେ ଯେ ମୁଦ୍ରିତ ଲୋଚନେ ॥
ଏ ନାଶ କଲା ତାଙ୍କ ପ୍ରାଣ ।ଏବେ କହିବା ପାର୍ଥ ଶୁଣ ॥
ମତ୍ତ ପ୍ରମତ୍ତ ଉନମତ୍ତ ।ବାଳ ବନିତା ନିଦ୍ରାଗତ ॥
ଶରଣାଗତ ରଥ ହୀନ ।ସଂଗ୍ରାମେ ଦେଖି ରିପୁଜନ ॥
ଏହାଙ୍କୁ ବଧ ଯେ କରନ୍ତି ।ଜୀବନ ଥାଉ ସେ ମରନ୍ତି ॥
ପର ଜୀବନ ମାରି ଆଣି ।ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ ॥
ତାର ମରଣେ ହୁଏ ପୁଣ୍ୟ ।ବେଦେ କହନ୍ତି ବିପ୍ରଜନ ॥
ତୁ ଯେ ଦ୍ରୌପଦୀ ଆଗେ ରହି ।ପ୍ରତିଜ୍ଞା କଲୁ ଦେହ ବହି ॥
କହିଲୁ ନ କାନ୍ଦ ସୁନ୍ଦରୀ ।ତୋର ରିପୁକୁ ମୁହିଁ ଧରି ॥
ତାହାର ଶିର କାଟି ବେଗେ ।ସ୍ଥାପିବି ତୋର ପାଦ ଯୁଗେ ॥
ମୁହିଁ ଯେ ଶୁଣିଅଛି ଏହା ।ଏବେ ରଖିଲୁ କରି ଦୟା ॥
ବେଗେ ଏହାର ପ୍ରାଣ ହର ।ନିମିଷେ ବିଳମ୍ବ ନ କର ॥
ଏ ପାପୀ ଆତତାୟୀ ନର ।ବାଳକ ହନ୍ତା ଏ ତୁମ୍ଭର ॥
ଯାହା ଆଶ୍ରୟେ ଭୋଗ କଲା ।ତାର ବିପଦ ଏ ଚିନ୍ତିଲା ॥
ଏଣୁ ଯେ ଗଣା ପଶୁଗଣେ ।ନିତ୍ୟ ବଞ୍ଚଇ ଘୋର ବଣେ ॥
ଏମନ୍ତ ଧର୍ମ ପରିଚ୍ଛନ୍ନେ ।କୃଷ୍ଣ କହିଲେ ନାନା ଜ୍ଞାନେ ॥
ଅର୍ଜ୍ଜୁନ ନ ଶୁଣଇ ତାହା ।ଗୁରୁ ପୁତ୍ରଙ୍କୁ କରି ଦୟା ॥
ତକ୍ଷଣେ ଉଠି ବୀର ପାର୍ଥ ।ବନ୍ଧନ କରି ଗୁରୁ ପୁତ୍ର ॥
ଦ୍ରୌପଦୀ ଆଗେ ନେଇ ଦେଲା ।ତୋ ରିପୁ ସମ୍ଭାଳ ବୋଇଲା ॥
ଦ୍ରୌପଦୀ ତାର ମୁଖ ଚାହିଁ ।ତକ୍ଷଣେ ଚିତ୍ତେ ଦୟା ବହି ॥
ପୁତ୍ରଙ୍କ ମୃତ୍ୟୁ ହେତୁ ଏ ତ ।ସ୍ୱଭାବେ ଦ୍ରୋଣ ଗୁରୁ ସୁତ ॥
ଅନ୍ତରେ ନମସ୍କାର କଲା ।ଅର୍ଜ୍ଜୁନ ମୁଖକୁ ଚାହିଁଲା ॥
ବୋଇଲା ବେନି କର ଯୋଡ଼ି ।ବନ୍ଧନ ଦିଅ ବେଗେ ଫେଡ଼ି ॥
ସ୍ୱଭାବେ ବିପ୍ର ଗୁରୁଜନ ।ବିଶେଷେ ଗୁରୁଙ୍କ ନନ୍ଦନ ॥
ରହସ୍ୟ ଧନୁର୍ବେଦ ଗ୍ରାମ ।ବିସର୍ଗ ସଂହର ସଙ୍ଗମ ॥
ସକଳ ଅସ୍ତ୍ରଶାସ୍ତ୍ର କଳା ।ଯେ ଗୁରୁରୂପେ ଶିକ୍ଷା ଦେଲା ॥
ସେହି ଯେ ପୁତ୍ରରୂପେ ଜାତ ।ଆତ୍ମାରୁ ଆପଣେ ସମ୍ଭୂତ ॥
ସ୍ୱାମୀର ତହୁଁ ଅଧେ ଘେନି ।ଜଗତେ ଏହାର ଜନନୀ ॥
ଏ ତୋର ଧର୍ମ ଗୁରୁକୁଳ ।ଏହାକୁ ଭଲେ ପ୍ରତିପାଳ ॥
ଏହାର ଗୌତମୀ ଯେ ମାତା ।ସେ ପୁଣ୍ୟବତୀ ପତିବ୍ରତା ॥
ରୋଦନ ନ କରୁ ଯେ ଦୁଃଖେ ।ମୋହରି ପରି ପୁତ୍ର ଶୋକେ ॥
କ୍ଷତ୍ରିୟ ଯେବେ ମୂଢ଼ପଣେ ।କୋପ କରଇ ବିପ୍ରଗଣେ ॥
ସେ କୋପେ ନିଜ କୁଳ ଦହେ ।ଏଣୁ କେ ବିପ୍ରେ ହିଂସା ବହେ ॥
ଶ୍ରୀ ସୂତ ଉବାଚଦ୍ରୌପଦୀ ଧର୍ମନିଷ୍ଣା ବାଣୀ ।ହରଷେ ଯୁଧିଷ୍ଠିର ଶୁଣି ॥
ମଉନେ କିଛି ନ କହିଲେ ।ସେ ଧର୍ମ ଅନ୍ତରେ ଜାଣିଲେ ॥
ଶୁଣି ସକଳ ସହଦେବ ।ସାତ୍ୟକି ଅର୍ଜ୍ଜୁନ ପାଣ୍ଡବ ॥
ଦେବକୀ ପୁତ୍ର ଆଦିକରି ।କୁନ୍ତୀ ସମେତ ଯେତେ ନାରୀ ॥
ସେଠାରେ ଯେତେ ଜନ ଥିଲେ ।ଏ କଥା ସମର୍ଥନ କଲେ ॥
ଏହାଙ୍କ ମଧ୍ୟେ ଭୀମସେନ ।କ୍ରୋଧରେ ବୋଲଇ ବଚନ ॥
କୋପେ ଅନାଇ କୃଷ୍ଣ ମୁଖେ ।କହଇ ଅତି ମନ ଦୁଃଖେ ॥
ତୀକ୍ଷ୍ଣ ଖଡ଼ଗେ କାଟି ଶିର ।ଏହାକୁ ନରକୁଁ ଉଦ୍ଧର ॥
କି ପ୍ରୟୋଜନ କିସ ଅର୍ଥେ ।ଏ ପାପୁଁ ତରିବ କେମନ୍ତେ ॥
ଶୟନେ ଶିଶୁ ବଧ କଲା ।ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା ॥
ଦ୍ରୌପଦୀ ତୁଲେ ଚକ୍ରପାଣି ।ଏ ଧର୍ମ ଭୀମ ମୁଖୁଁ ଶୁଣି ॥
ଅଳପ ହସି ଭାବଗ୍ରାହୀ ।କହନ୍ତି ଅର୍ଜ୍ଜୁନଙ୍କୁ ଚାହିଁ ॥
ଶ୍ରୀ ଭଗବାନୁବାଚମରଣ ଉଚିତ ଏହାର ।ୟାକୁ ନ ରଖ ବୀରବର ॥
ଯେ ଆତତାୟୀ କର୍ମ କରେ ।ଅଧର୍ମ ଯୁଦ୍ଧେ ଶସ୍ତ୍ର ଧରେ ॥
ଜୀବନ ଥାଉଁ ସେ ମରନ୍ତି ।ଅନ୍ତେ ନରକେ ପଡ଼ନ୍ତି ॥
ଏବେ ମୋହର ବୋଲ କର ।ଯେ ଧର୍ମ ଉଚିତ ଏହାର ॥
ଦ୍ରୌପଦୀ ପୁତ୍ର ଶୋକ ବେଳେ ।ତୁ ଯେ କହିଲୁ ଅବହେଳେ ॥
ତୋହର ପୁତ୍ର ଶତ୍ରୁ ମାରି ।ଶିରେ ଚରଣ ପୂଜା କରି ॥
ଖଣ୍ଡିବ ପୁତ୍ର ଶୋକ ତେବେ ।ମୋର ବଚନ କର ଏବେ ॥
ଶସ୍ତ୍ର ଏହାର ତେଜ ହର ।ଜୀବନ ମୃତ ପ୍ରାୟେ କର ॥
ଶାସ୍ତି ଲାଞ୍ଛନେ ଏ ବିହରୁ ।ଏ ବିପ୍ର କେବେହେଁ ନ ମରୁ ॥
ଶୋକ ନ ଥାଉ କୃଷ୍ଣା ଚିତ୍ତେ ।ଏ କଥା କର ଭୀମ ମତେ ॥
ଏକଥା ମୋହର ସମ୍ମତ ।ଶୁଣି ଅର୍ଜ୍ଜୁନ କୃତକୃତ୍ୟ ॥
ତକ୍ଷଣେ ଉଠି କୋପଭରେ ।ତୀଦ୍ଣ ଖଡ୍ଗ ଘେନି କରେ ॥
କେଶ ଧଇଲା ବାମହସ୍ତେ ।ମଣି ଏ ଥିଲା ତାମ ମାଥେ ॥
ଖଡ଼୍ଗ ଯେ ଘେନି ଦୃଢ଼ମୁଷ୍ଟି ।ମଣି ସହିତେ ଶିଖା କାଟି ॥
ଆଣି ସ୍ଥାପିଲା ବାହୁବଳେ ।ଦ୍ରୌପଦୀ ଦେବୀ ପାଦତଳେ ॥
ତକ୍ଷଣେ ବନ୍ଧନ ଫେଡ଼ିଲା ।ଦ୍ରୌପଦୀ ତା ମୁଖ ଚାହିଁଲା ॥
ବାଳକ ହତ୍ୟା ଦୋଷେ ଛନ୍ନ ।ମଳିନ ଦିଶେ ତା ବଦନ ॥
ମଣି ହରଣେ ତେଜ ଗଲା ।ନଗରୁ ବେଗେ ପଳାଇଲା ॥
ବେଶ ବିବେଶ କରି ହରି ।ତାକୁ ବାହାର ଦେଶୁଁ କରି ॥
ବ୍ରାହ୍ମଣ ପ୍ରାଣେ ଏହିମତେ ।ମରଣ ଲଭନ୍ତି ଜୀବନ୍ତେ ॥
ଦ୍ରୋଣ କୁମରେ ଶାସ୍ତି ଦେଇ ।ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ ॥
ସର୍ବେ ଆକୁଳ ପୁତ୍ର ଶୋକେ ।ବାଳକେ ଘେନି ଏକେ ଏକେ ॥
ଦହନ କଲେ ଦୁଃଖ ମନେ ।ଏବେ ହୋ ଶୁଣ ମୁନିଜନେ ॥
ସୁଜନ ହିତେ ଭାଗବତ ।ଭିଆଇ ରସମୟ ଗୀତ ॥
ପ୍ରଥମସ୍କନ୍ଧ ଭାଗବତେ ।ସୁଜନ ଜନଙ୍କର ହିତେ ॥
ଅମୃତ କୃଷ୍ଣର ଚରିତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଦ୍ରୌଣିଦଣ୍ଡେ ନାମସପ୍ତମୋଽଧ୍ୟାୟଃ ।