ଶ୍ରୀମଦ୍ ଭାଗବତ (ପଞ୍ଚମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିପ୍ରଥମ ଅଧ୍ୟାୟ
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂଦେବୀ ସରସ୍ୱତୀଂ ବ୍ୟାସଂ ତତୋଜୟମୁଦୀରୟେତ୍ ।ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।ନିଗମ କଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତଂ ।ପିବତ ଭାଗବତଂ ରସାମାଳୟଂ ମୁହୁରହୋ ରସିକାଭୁବିଭାବୁକାଃ װପରମ-ପୁରୁଷ ଗୋବିନ୍ଦ ।ତାହାଙ୍କ ଚରଣାରବିନ୍ଦ ॥
ତହୁଁ ଗଳଇ ମକରନ୍ଦ ।ତାହା ଯେ ପିବନ୍ତି ଆନନ୍ଦ ॥
ତାହାଙ୍କ ଚରଣେ ବନ୍ଦଇ ।ପଞ୍ଚମସ୍କନ୍ଧେ ଗୀତ ଗାଇ ॥
ପରୀକ୍ଷିତ ଉବାଚଭୋ ମୁନି କିମ୍ପା ପ୍ରିୟବ୍ରତ ।ସେ ଆତ୍ମାରାମ ଭାଗବତ ॥
ଗୃହେ ରମିଲା ତାଙ୍କ ମନ ।ପ୍ରାରବ୍ଧ କର୍ମରେ ବନ୍ଧନ ॥
ନିଶ୍ଚୟ ମୁକ୍ତ ସଙ୍ଗ ଯେହୁ ।ଏମନ୍ତ ପ୍ରାଣୀମାନେ କେହୁ ॥
କିମ୍ପା ଏ ଗୃହେ ମନ ରହେ ।ଭୋ ମୁନି ଫେଡିବା ସଂଶୟେ ॥
ନିଶ୍ଚୟ ତବ ଲୋକଙ୍କର ।ଉତ୍ତମ ଶ୍ଳୋକ ଯେବା ସାର ॥
ନିବୃତ୍ତ ଚିତ୍ତ ଯେ ହୁଅଇ ।ସେ କିମ୍ପା ବ୍ୟର୍ଥ ଆଚରଇ ॥
ଏ ମୋତେ ସଂଶୟ ବହୁତ ।ଯେ ପ୍ରାଣୀ ଗୃହ ମୋହେ ଚିତ୍ତ ॥
ତା ମତି ବିଷ୍ଣୁ ବିଷୟରେ ।ହୋଇଲା କେମନ୍ତେ ସଂସାରେ ॥
ଶ୍ରୀଶୁକ ଉବାଚନିଶ୍ଚୟ କହିବା ତା ଶୁଣ ।ଧନ୍ୟ ଜୀବନ ତୋ ରାଜନ ॥
ଉତ୍ତମ ଶ୍ଳୋକ ଯେ ଗୋବିନ୍ଦ ।ତାହାଙ୍କ ଚରଣାରବିନ୍ଦ ॥
ତହୁଁ ଅମୀୟ ରସ ବହେ ।ତାହା ଯେ ପ୍ରାଣୀ ନିତ୍ୟ ପିଏ ॥
ଭକତ ସାଧୁ ସେହୁ ଜନ ।ପରମହଂସ ଦିବ୍ୟଜ୍ଞାନ ॥
ତାହାର ବିଷ୍ଣୁ କଥା ବିନେ ।କେବେହେଁ ଆନ ନୁହେଁ ମନେ ॥
ଅନ୍ୟ ଯେ ଗୁଣ କଥାମାନ ।ଇଚ୍ଛା ନ କରନ୍ତି ସେ ଜନ ॥
ସମ୍ବନ୍ଧିତ ରଚନା
ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ
ଯେଣୁ ଏ ନୃପ ପ୍ରିୟବ୍ରତ ।
ଗୁଣରେ ହୋଇଲା ପୂଜିତ ॥
ମୁନି ପରମ ଭାଗବତ ।ନାରଦ ଲୋକରେ ବିଖ୍ୟାତ ॥
ସେ ମୁନି ଚରଣ ସେବାରେ ।ସର୍ବ କଳ୍ମଷ ଗଲା ଦୂରେ ॥
ତକ୍ଷଣେ ସତ୍ୟଗୁଣ ବହି ।ବ୍ରହ୍ମ ମନ୍ତ୍ରରେ ଦୀକ୍ଷା ପାଇ ॥
ପିତାର ଆଜ୍ଞା ପାଳିକରି ।ଅବନୀ ପାଳନେ ବିଚାରି ॥
ଉତ୍ତମ ସତ୍ତ୍ୱଗୁଣ ତାର ।ପ୍ରଜା ପାଳନେ ନୃପବର ॥
ଅଖିଳ ଲୋକଙ୍କ ଜୀବନ ।ଅନାଦି ନାଥ ନାରାୟଣ ॥
ତାହାଙ୍କ ଚରଣାରବିନ୍ଦେ ।ଚିତ୍ତ ନିବେଶି ଅପ୍ରମାଦେ ॥
ପ୍ରବର୍ତ୍ତି ସଂସାର ବେଭାର ।ମନକୁ ତହୁଁ କଲା ଦୂର ॥
ନୀଚ ଲୋକର ପରାଭବ ।ସହିଲା ଆପଣା ସ୍ୱଭାବ ॥
ଏଥୁ ଅନ୍ତରେ ଭଗବାନ ।ଦେବଙ୍କ ଆଦି ଯେ କାରଣ ॥
ରାଜାର ମନ ଗୁଣ ଘେନି ।ଜନ କୁଶଳେ ଆତ୍ମଯୋନି ॥
ନିଗମ ନିଜ ଗୁଣେ ଥୋଇ ।ଭୁବନୁ ଅଇଲେ ଗୋସାଇଁ ॥
ଗଗନ ତଳେ ଚନ୍ଦ୍ର ଯେହ୍ନେ ।ବିରାଜମାନ ତାରାଗଣେ ॥
ଅପୂର୍ବ ଶୋଭାକୁ ବିସ୍ତାରି ।ବିଜୟ ପ୍ରଭୁ ନରହରି ॥
ନିର୍ମଳ ପୂଜା ଉପହାରେ ।ପୂଜିଲେ ତାହାଙ୍କୁ ବେଦରେ ॥
ପଛରେ ଯୂଥ ଯୂଥହୋଇ ।ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ॥
ଚାରଣ ମୁନିଙ୍କ ସହିତେ ।ଗମନ କଲେ ଯେ ସମସ୍ତେ ॥
ଗନ୍ଧମାଦନ ଗିରି ତଳେ ।ସଭା କରାଇ ବିଜେକଲେ ॥
ବୃଷ ବାହନେ ପଞ୍ଚାନନ ।ହିରଣ୍ୟଗର୍ଭ ଜନାର୍ଦ୍ଦନ ॥
ସେଠାରେ ଥାଇଣ ନାରଦ ।ବନ୍ଦିଲେ ପିତାମହ ପାଦ ॥
ତକ୍ଷଣେ ଉଠି ମୁନିବର ।ସାନନ୍ଦେ ଯୋଡି ବେନିକର ॥
ପିତାମହକଙ୍କୁ ସେ ବନ୍ଦିଲା ।ଚରଣେ ଶିର ଲଗାଇଲା ॥
ପ୍ରିୟବ୍ରତର ପୂଜା ଘେନି ।କୋମଳ ବାକ୍ୟେ ପଦ୍ମଯୋନି ॥
ବିସ୍ମୟେ ଚାହିଁ ବେଦବର ।ରାଜାଙ୍କୁ କହନ୍ତି ଉତ୍ତର ॥
ବ୍ରହ୍ମୋବାଚହେ ପ୍ରିୟବ୍ରତ କହୁଁ ତୋତେ ।କ୍ରୋଧ ନ କର ତୋର ଚିତ୍ତେ ॥
ଆମ୍ଭେ ନାରଦ ଆଦି ଯେତେ ।ଯାହାର ଭାଗ୍ୟ ଚିନ୍ତେ ଚିତ୍ତେ ॥
ତପସ୍ୟା ବିଦ୍ୟା ଯୋଗ କରି ।ପଣ୍ଡିତପଣେ ଯେ ଆଚରି ॥
ନୁହଇ ଧର୍ମରେ ତତ୍ପର ।କର୍ମ ନାଶନେ ଅଧିକାର ॥
ଜନ୍ମ ମରଣେ କର୍ମ ବହି ।ଜୀବନ ଶରୀର ଯେ ଦେହୀ ॥
ଶୋକ ମୋହକୁ ନିତ୍ୟ ପାଇ ।ପୁଣି ଯେ ଦୁଃଖକୁ ଭୁଞ୍ଜଇ ॥
ଯାହାର ବାକ୍ୟ ଗୁଣମାନ ।ହେ ବତ୍ସ ଦୁସ୍ତର ଏ କର୍ମ ॥
ଦ୍ୱିପାଦ ଚତୁଷ୍ପଦ ଯେତେ ।ସର୍ବେ ବନ୍ଧନ ମୋହଗତେ ॥
ଦୁଃଖ ସୁଖ ଗୁଣ କର୍ମରେ ।ଏମାନ ଘେନି ସଙ୍ଗତରେ ॥
ଈଶ୍ୱର ସୃଷ୍ଟିର କରତା ।ସକଳେ ତାହାଙ୍କୁ ସେବନ୍ତା ॥
ସେ ଯେ ଈଶ୍ୱର ବଶ ଦେହୀ ।ଅନ୍ଧର ପ୍ରାୟ ଭ୍ରମୁଥାଇ ॥
ଦେଖୁ ଦେଖୁ ସେ ଭ୍ରମୁଥାଇ ।ଏକଥା ପ୍ରାଣୀ ନ ଜାଣଇ ॥
ନିଦ୍ରାକୁ ପାଇ ଯେହ୍ନେ ନରେ ।ଅନ୍ୟ ଦେହରେ ଭୋଗ କରେ ॥
ଗୃହସ୍ଥ ପ୍ରାଣୀମାନଙ୍କର ।କେବେହେଁ ଭୟ ନୁହେଁ ଦୂର ॥
ଲୋଭାଦିମାନଙ୍କରେ ଯୁକ୍ତ ।ତେଣୁ ହୁଅନ୍ତି ଅବିରତ ॥
ଯେ ବୁଦ୍ଧି ଜିଣେ ଇନ୍ଦ୍ରମାନ ।ତାହାକୁ ହିତ ଗୃହକର୍ମ ॥
ନାଶ ନ କରଇ ତାହାରେ ।ଯେଣୁ ଏ ରମେ ଗୃହାନ୍ତରେ ॥
ଏ ଆଦି ଜାଣେ ଯେବା ଜନ ।ଗୃହେ ନ ରହେ ତାର ମନ ॥
ଏହାକୁ ଜାଣି ବୁଦ୍ଧ ନରେ ।ଆନନ୍ଦେ ଭ୍ରମନ୍ତି ସଂସାରେ ॥
ଯେ ପଦ୍ମନାଭ ସଦାଶ୍ରିତ ।ସର୍ବ ସଂସାରୁ ସେହି ମୁକ୍ତ ॥
ସଂସାର ସାରକୁ ଭଜଇ ।ଅନ୍ତେ ପରମ ଗତି ପାଇ ॥
ଏମନ୍ତେ ତ୍ରିଭୁବନ ଗୁରୁ ।ଭକ୍ତଙ୍କ ପ୍ରଭୁ ମହାମେରୁ ॥
ନାମ ତା ଭଗବାନ ଦାସ ।ସ୍ୱକାର୍ଯ୍ୟେ କରେ ସେ ଯେତେ ॥
ନାରଦ ରାଇ ପ୍ରିୟବ୍ରତେ ।ପୁଚ୍ଛିଲେ ଧର୍ମକଥା ଯେତେ ॥
ନାରଦ ବାକ୍ୟେ ମନଦେଇ ।ମନୁ ଆତ୍ମଜ ବିଚାରଇ ॥
ବିଷୟା ରସକୁ ସେ ତେଜି ।ରହେ ସାତ୍ତ୍ୱିକ ମତେ ଭଜି ॥
ଏଥୁ ଅନ୍ତରେ ପୃଥିବୀରେ ।ନିଯୁକ୍ତ ହୋଇଲା କୁମରେ ॥
ଅଖିଳ ଜଗତ ବନ୍ଦନ ।ନିବେଶି ଭଗବାନ ମନ ॥
ଆଦି ପୁରୁଷ ପଦେ ଧ୍ୟାୟି ।ମନ ନିବେଶି ନିତ୍ୟେ ତହିଁ ॥
ପୃଥିବୀ ପରିପାଳନରେ ।ଚିତ୍ତ ନିବେଶି ନିରନ୍ତରେ ॥
ସେ ବିଶ୍ୱକର୍ମା ପ୍ରଜାପତି ।ତାର ଦୁହିତା ବହିଷ୍ମତି ॥
ଏଥି ଉତ୍ତାରେ ମହୀପତେ ।ବିଭା ହୋଇଲା ଯଥୋଚିତେ ॥
ଦଶ ଆତ୍ମଜ ତାର ତହିଁ ।ଜନ୍ମିଲେ ଯଥା ଗୁଣ ବହି ॥
ଜନ୍ମ ହୋଇଲେ କନ୍ୟା ଦୁଇ ।ପୁତ୍ରଙ୍କ ନାମ ଶୁଣ ତୁହି ॥
ଆଗ୍ନିଧ୍ର ଇନ୍ଦ୍ର ଜିହ୍ୱାବଳି ।ହିରଣ୍ୟରେତା ମହାବଳୀ ॥
ଯଜ୍ଞବାହୁ ଯେ ମହାବୀର ।ମେଧାତିଥି ଯେ ସବନର ॥
ଘୃତପୁଷ୍ଟ ଯେ ବୀତିହୋତ୍ର ।କବି ସହିତେ ଦଶ ପୁତ୍ର ॥
ଏ ଦଶ ନାମ ପୁତ୍ରଙ୍କର ।ଏଥିର ମଧ୍ୟେ ଯେବା ସାର ॥
ବନ କବି ଯେ ମହାବୀର ।ଉର୍ଦ୍ଧ୍ୱରେତା ଯେ ଏ ମଧ୍ୟର ॥
ବାଲ୍ୟକାଳରୁ ଏହିମାନେ ।ଶ୍ରେଷ୍ଠ ଅଧ୍ୟାତ୍ମ୍ୟ ବିଦ୍ୟାଜ୍ଞାନେ ॥
ପରମହଂସ ଦୀକ୍ଷା ଧରି ।ସକଳ ଚେଷ୍ଟା ପରିହରି ॥
ସର୍ବ ଜୀବରେ କୃପା ବହେ ।ଭଗବାନରେ ଚିତ୍ତ ଥାଏ ॥
ଭୃତ୍ୟ ଆରତ ପ୍ରାଣୀଙ୍କର ।ଶରଣ ରକ୍ଷଣ ଶ୍ରୀଧର ॥
ସେ ପାଦପଦ୍ମ ଆଶ୍ରୟରୁ ।ନିରତେ ନାମ କୀର୍ତ୍ତନରୁ ॥
ପରମ ଭକ୍ତି ପ୍ରଭାବରେ ।ଦୟା ବହିଲେ ପ୍ରାଣୀଠାରେ ॥
ଭାବେ ନିର୍ମଳ ଚିତ୍ତ ହୋଇ ।ସର୍ବ ଭୂତେରେ ଆତ୍ମା ସେହି ॥
ସେ ପ୍ରଭୁ ପଙ୍କଜ ଚରଣେ ।ରତ ଭକତ ଦାସପଣେ ॥
ଦ୍ୱିତୀୟ ପତ୍ନୀ ଗର୍ଭେ ତାର ।ହେଲେ ସେ ତିନୋଟି କୁମର ॥
ଉତ୍ତମ ତାମସ ରୈବତ ।ମନୁରେ ହୋଇଲେ ଅଧୀତ ॥
ଏମନ୍ତେ ପୁତ୍ରମାନ ଘେନି ।ଚିରକାଳେ ସେ ରାଜା ପୁଣି ॥
ପୁରୁଷାର୍ଥର ଆଶ୍ରାନେଲେ ।ପୃଥିବୀ ନିଷ୍କଣ୍ଟକ କଲେ ॥
ଧର୍ମ ପଣକୁ ନ ଆଚରେ ।ରାଜାର ପତ୍ନୀ ବିଷୟରେ ॥
ପ୍ରତି ଦିନରେ ସ୍ନେହଭରେ ।ବିହରେ ସେ ଯେ ନୃପବରେ ॥
ଯାହାର ନବୀନ ଯୌବନେ ।ମନ୍ଦହାସ ଅବଲୋକନେ ॥
ଆବେଶ ହୋଇ ଦଣ୍ଡଧାରୀ ।ନାରୀ ସ୍ୱଭାବେ ବଶକାରୀ ॥
ମେରୁକୁ ସୂର୍ଯ୍ୟାଲୋକ ପ୍ରାୟେ ।ରାଜାର ତେଜ ବୀର୍ଯ୍ୟ ଦେହେ ॥
ତେଜେ ସୂର୍ଯ୍ୟ ତେଜ ରହିତ ।ତପସ୍ୟାବଳୁ ପ୍ରିୟବ୍ରତ ॥
ପ୍ରତାପ ଦେଖାଇବା ଅର୍ଥେ ।ଆରୋହୀ ଜ୍ୟୋତିର୍ମୟ ରଥେ ॥
ରଜନୀ ଦିବସେ ଭ୍ରମଇ ।ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ ॥
ଏମନ୍ତ ଦେଖି ରାଜା ବ୍ରତ ।ମନୁ ମିଳିଲେ ରାଜାଗ୍ରତ ॥
ଏ ତୁମ୍ଭ ଅଧିକାର ନାହିଁ ।ନିଷେଧ କଲେ ରାଜା ତହିଁ ॥
ସେ ରାଜା ରଥର ଚକ୍ରର ।ହୋଇଲା ଯେତେକ ବିସ୍ତାର ॥
ତେଣୁ ସାତସିନ୍ଧୁ ହୋଇଲା ।ପୃଥିବୀ ସପ୍ତଭାଗ କଲା ॥
ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ ।କୁଶ ପୁଷ୍କର ଆଉ କ୍ରୌଞ୍ଚ ॥
ଏପରି ସାତ ଭାଗ ହେଲା ।ସେ ରାଜା ଆନନ୍ଦେ ବୁଡିଲା ॥
ଆନନ୍ଦମନ ଦଣ୍ଡଧାରୀ ।ଏହା ସେ କର୍ମରେ ବିଚାରି ॥
ପୁତ୍ରଙ୍କୁ ଅନୁଗ୍ରହ କଲେ ।ଯଥା ବିଭାଗ କରିଦେଲେ ॥
ଦୁହିତା ଉର୍ଜ୍ଜସ୍ୱତୀ ନାମ ।ତାହାକୁ କଲେ ଶୁକ୍ର ଦାନ ॥
ତାହାର ଗର୍ଭେ ଦେବଯାନୀ ।ଜନ୍ମ ହୋଇଲା ଏ ଧରଣୀ ॥
ଏଥୁ ଅନ୍ତରେ ରାଜା ଚିତ୍ତେ ।ସୁନିନ୍ଦା କଲା ସେ ବହୁତେ ॥
କୁସଙ୍ଗେ ଆସକ୍ତ ସେ ହେଲା ।ବଡ଼ ଅସାଧୁପଣ କଲା ॥
ଏଣୁ ଇନ୍ଦ୍ରିୟ ବଶ ହୋଇ ।ଅବିଦ୍ୟା ବିଷୟରେ ମୋହି ॥
ଏଣୁ ଏ ଧିକ ମୋ ଜୀବନ ।ବିଶ୍ୱାସ ମନରେ ପ୍ରସନ୍ନ ॥
ଈଷ୍ଟ ଦେବତା ପ୍ରସନ୍ନରେ ।କ୍ରୋଧ ଜନ୍ମିଲା ରାଜାଠାରେ ॥
ବିଷୟ ଚେଷ୍ଟା ସେ ଛାଡ଼ିଲା ।ଇନ୍ଦ୍ରିୟ ମାନ ନିରୋଧିଲା ॥
ରାଜା ସମ୍ପଦ ନ ଇଚ୍ଛିଲା ।ଯଥା ବିଭାଗେ ପୁତ୍ରେ ଦେଲେ ॥
ସପତ୍ନୀ ତେଜେ ମୃତପ୍ରାୟେ ।ମୃତ ହେଲା ଶରୀର ମୟେ ॥
ମହାନ୍ତ ଭାଗ ଭଗବାନ ।ନାରଦ ବ୍ରହ୍ମାର ନନ୍ଦନ ॥
ତାହାଙ୍କ ପଥ ଆଶ୍ରେ କଲା ।ନିଶ୍ଚୟେ ନିବୃତ୍ତ ହୋଇଲା ॥
ଯେଉଁ ରାଜାର ଏତେ କୃତ୍ୟ ।ଗାୟନ କରନ୍ତି ଜଗତ ॥
ପ୍ରିୟବ୍ରତର କଲା କର୍ମ ।ଏହା କେ କରିବାକୁ କ୍ଷମ ॥
ଏହାର ରଥ ଚକ୍ର ମାର୍ଗେ ।ସାତ ସମୁଦ୍ର ମହୀଭାଗେ ॥
ଭାଗ ବିଭାଗ ମହୀ କରି ।ଦିଗ ଉପଦିଗ ବିଚାରି ॥
ଯେ କଲା ମନୁର କୁମର ।ପୃଥିବୀ ମଧ୍ୟେ ଅଗୋଚର ॥
ସେ ପ୍ରିୟବ୍ରତର ମହିମା ।ତ୍ରୈଲୋକ୍ୟେ କେ ଦେବ ଉପମା ॥
ପ୍ରିୟ ଅଖିଳ ଲୋକଙ୍କର ।ମହୀ ମହିମା ନୃପବର ॥
ପ୍ରିୟବ୍ରତ ରାଜା ଚରିତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ରାଜା ଚରିତେନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଶ୍ରୀଶୁକ ଉବାଚଏମନ୍ତେ ପିତାର ଅନ୍ତରେ ।ପିତାର ଆଜ୍ଞା ଘେନି ଶିରେ ॥
ଜମ୍ବୁଦ୍ୱୀପର ପ୍ରଜାଜନ ।ଅଗ୍ନିଧ୍ର କରଇ ପାଳନ ॥
ଏମନ୍ତେ କେତେ ଦିନ ଗଲା ।ଅଗ୍ନିଧ୍ର ମନେ ବିଚାରିଲା ॥
ସନ୍ତୋଷେ ପିତୃ ଲୋକଙ୍କର ।ଏମନ୍ତେ ହୋଇଲା ବାହାର ॥
ଏମନ୍ତ ମନେ ବିଚାରିଲା ।ମନ୍ଦର ଗିରିରେ ମିଳିଲା ॥
ସୁର ବନିତା କ୍ରୀଡାସ୍ଥାନେ ।ତହିଁର ନିଗମ ଯେ ବନେ ॥
ସଂସାର କର୍ମକୁ ଯେ ଧ୍ୟାୟି ।ବସିଲା ସ୍ଥିରମନ ହୋଇ ॥
ତାହା ଜାଣିଲେ ଭଗବାନ ।ଯେ ପ୍ରଭୁ ସୃଷ୍ଟିର କାରଣ ॥
ଅତି ସୁନ୍ଦରୀ ଅପସରୀ ।ପୂର୍ବଚିତ୍ତି ନାମ ତାହାରି ॥
ତାହାର ଉପବନ ଲାଗେ ।ମିଳିଲା ଅପସରୀ ବେଗେ ॥
ଅତି ମଞ୍ଜୁଳ ମନୋହାରୀ ।ବିବିଧ ବିଟପୀ ଆଚରି ॥
ଘନ କାନନ ଲତାମାନ ।ଅଛନ୍ତି ନାନା ପକ୍ଷୀଗଣ ॥
କର୍ଣ୍ଣାଭିରାମ ଧ୍ୱନିମାନେ ।କରନ୍ତି ହରଷିତ ମନେ ॥
ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି ।ବିବିଧ ଜଳାଶୟ ପୂରି ॥
କୁକ୍କୁଟ କାରଣ୍ଡବ ହଂସ ।କରନ୍ତି ଋତୁରେ ବିଳାସ ॥
କାନନେ ନାନା ପୁଷ୍ପସାର ।ପଦ୍ମ ପୂରିତ ସରୋବର ॥
ମଧୁପବନ ବହେ ନିତ୍ୟେ ।ତା ଦେଖି କନ୍ୟା ତୋଷଚିତ୍ତେ ॥
କରଇ ଲଳିତେ ଗାୟନ ।ବିନ୍ୟାସେ ପାଦଗତିମାନ ॥
ଚରଣେ ନୂପୁର ତାହାର ।ଧ୍ୱନି ଉଠଇ ନିରନ୍ତର ॥
ଅତି ମଞ୍ଜୁଳ ତାହା ଶୁଣି ।ନୃପକୁମର ଶିରୋମଣି ॥
ସମାଧି ଯୋଗରୁ ତାହାର ।ନୟନ କମଳ ଯୁଗଳ ॥
ଈଷିତେ ବିକଶିତ ହେଲା ।ମଧୁ ମଧୁରେ ସେ ହସିଲା ॥
ନିକଟେ ତାର ମୁଖ ଦେଖି ।ପିଛାଡି ନ ପାରଇ ଆଖି ॥
ଭ୍ରମର ପତ୍ନୀ ସେ ଯେସନ ।ପୁଷ୍ପ ଲୋଡଇ ବନେ ବନ ॥
ଦେବତା ଆଦିକରି ଯେତେ ।ଉଲ୍ଲାସ ହୁଅନ୍ତି ଜଗତେ ॥
ବିହାର ଅବଲୋକନରେ ।ଶରୀର ବଚନ ମଧୁରେ ॥
ପ୍ରାଣୀର ମନକୁ ସେ ନେଇ ।ଅନଙ୍ଗେ ଅସ୍ଥିର କରାଇ ॥
ସେ ଯେତେବେଳେ ବାକ୍ୟକହି ।ବଦନୁ ସୁଗନ୍ଧ ବାସଇ ॥
ତେଣୁ ଲୁବ୍ଧକ ଭୃଙ୍ଗଗଣ ।ଭ୍ରମନ୍ତି ତାର ସନ୍ନିଧେଣ ॥
ଯେଣୁ ନପାରେ ବେଗେ ଯାଇ ।ପବନେ ବସନ ଚଳଇ ॥
ତା ଦେଖି ନୃପତି ନନ୍ଦନ ।ହୋଇଲା ଅନଙ୍ଗେ ବନ୍ଧନ ॥
ଜଡର ପ୍ରାୟ ସେ ହୋଇଲା ।କାହୁଁ ତୁ ଅଇଲୁ ବୋଇଲା ॥
ବନ ଦେବତା ମାୟାକରି ।ବନେ ଖେଳିବ ବନ ହେରି ॥
କାମର ଅସ୍ତ୍ରମାନ ଯୋଖି ।କି ଅର୍ଥେ ବୁଲୁ ତୁ ମୃଗାକ୍ଷୀ ॥
ମୋ ଆଗେ କହ ତୁ ବଚନ ।ମୃଗକୁ ଲୋଡୁ କି କାରଣ ॥
ତୋ ବେନି କମଳଲୋଚନ ।ନିଶ୍ଚୟ ଅନଙ୍ଗର ବାଣ ॥
କାହାକୁ ବିନ୍ଧିବୁ ସୁନ୍ଦରୀ ।କହ ତୁ ମାୟା ଦୂରକରି ॥
ଯେଉଁ ଲୋକରେ ଦୟା କରି ।ଅନଙ୍ଗ ଅନଳେ ନ ମାରି ॥
ଚରଣ ପଙ୍କଜେ ତୋହର ।ମଧୁର ବାଜଇ ନୂପୁର ॥
ଶରୀର ପୁଲକ ତୋହର ।ଉତ୍ପଳ ଘନ କୁଚଭାର ॥
କି ଅବା ଚକ୍ରବାକ ବେନି ।ଶରୀରେ ବହିଛୁ କାମିନୀ ॥
ମଧ୍ୟଭାଗ ଯେ ଜାଣ ତୋର ।ଅଟଇ ଅତି ମନୋହର ॥
ତହିଁ ମୋ ନୟନ ଯୁଗଳ ।ଆଶ୍ରୟ କଲାକ ନିଶ୍ଚଳ ॥
ଏ ମୋର ତପୋବନ ଭୂମି ।ଅତି ସୁନ୍ଦର କଲୁ ପୁଣି ॥
ଯାହାର ନୟନ ଗୋଚର ।ହୋଇବ ରୂପଗୁଣ ତୋର ॥
ଅନଙ୍ଗ ବଶ ହୋଇ ସେ କି ।ରହିବ ଏମନ୍ତ ହୋଇ କି ॥
ଅଭୁତ ସୁଧାରସ ସାର ।ଆନନ୍ଦ କରଇ ଅଧର ॥
ସୁରଙ୍ଗ ଦିଶଇ ତାହାର ।କି ଅବା ଦେବା ପଟ୍ଟାନ୍ତର ॥
ବିଷ୍ଣୁ କଳାକୁ ତୁ କି ଧରି ।ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ ॥
ମକର କୁଣ୍ଡଳ ତୋ କର୍ଣ୍ଣେ ।ଚଞ୍ଚଳ ମୀନ କି ନୟନେ ॥
ଏ ତୋର ଦନ୍ତପନ୍ତୀ ଦୁଇ ।ଡାଳିମ୍ୱ ମଞ୍ଜିକୁ ଗଞ୍ଜଇ ॥
ଏ ବନ ସରୋବରେ ମୁହିଁ ।କଷ୍ଟେ ତପସ୍ୟା ଆଚରଇ ॥
ତପସ୍ୟା ପୂର୍ଣ୍ଣ ହେଲା ମୋର ।ଯେଣୁ ତୁ ନୟନ ଗୋଚର ॥
କିବା ପ୍ରଭୁଙ୍କ ପ୍ରସନ୍ନରେ ।ସୁନ୍ଦରୀ ମିଳିଲୁ ମୋହରେ ॥
ପ୍ରସନ୍ନ ହୁଅ ମୋତେ ତୁହି ।ମିତ୍ର ଭାବରେ ମୁଁ ଭଜଇ ॥
ତୋତେ ତ ନ ଜାଣଇ ମୁହିଁ ।ବ୍ରହ୍ମା କି ଦେଲେ ପଠିଆଇ ॥
ତୋ ରୂପ ଦେଖି ମୋର ମନ ।ରହିଲା ନିଶ୍ଚଳ ନୟନ ॥
ହେ ପୀନସ୍ତନା ଶୁଭ୍ରକେଶୀ ।ତୁ ମୋତେ ଭଜ ଗୋ ବିଶେଷି ॥
ବ୍ରତ ମୋହର ତୋର ପାଇଁ ।ସୁଫଳ ହୋଇଲାକ ସହି ॥
ସୁଫଳ କର ସଖି ଏହା ।ସ୍ୱଭାବେ ତୁହି ପୁଣ୍ୟଦେହା ॥
ଏମନ୍ତେ ସେହି ନୃପମଣି ।କହି ବିବିଧ ଚାଟୁବାଣୀ ॥
ମଧୁର କୋମଳ ବଚନ ।କହି ହରିଲା କନ୍ୟାମନ ॥
ନୃପକୁମର ରୂପ ଗୁଣ ।ବିଦ୍ୟା ଯୌବନ ଶୂରପଣ ॥
ଏମନ୍ତ ଗୁଣେ କନ୍ୟା ମନ ।ତକ୍ଷଣେ ହୋଇଲା ବନ୍ଧନ ॥
ଅଗ୍ନିଧ୍ର ସହିତେ ସୁନ୍ଦରୀ ।ଲକ୍ଷେ ବରଷ ଭୋଗକରି ॥
ଜମ୍ୱୁଦ୍ୱୀପରେ ରାଜା ହୋଇ ।ବିବିଧ ଭୋଗ ସେ ଭୁଞ୍ଜଇ ॥
ପୂର୍ବଚିତ୍ତି ଗର୍ଭୁ ସମ୍ଭୁତ ।ହୋଇଲେ ଅଗ୍ନିଧ୍ରର ସୁତ ॥
ଇଳାବୃତ୍ତ ଯେ ହରି ବର୍ଷ ।ନାଭି ରମ୍ୟକ କିଂପୁରୁଷ ॥
ଭଦ୍ରାଶ୍ୱ କୁରୁ ହିରଣ୍ମୟ ।କେତୁମାଳ ଯେ ନ’ ଜନୟ ॥
ବରଷ ବରଷକେ ତାର ।ହୋଇଲା ଏ ନବକୁମର ॥
ଗୃହକୁ ତେଜି ପୂର୍ବଚିତ୍ତି ।ବ୍ରହ୍ମାର ଚରଣେ ସେବନ୍ତି ॥
ମାତାର ପୁଣ୍ୟବଳୁ କରି ।କୁମରେ ଧର୍ମକୁ ଆଚରି ॥
ପିତା ବିଭାଗ ଅନୁମତେ ।ଜମ୍ୱୁଦ୍ୱୀପକୁ ଯଥୋଚିତ୍ତେ ॥
ଭୋଗ ଯେ କଲେ ଏ କୁମରେ ।ପିତାର ଆଜ୍ଞାଘେନି ଶିରେ ॥
ଏଥୁ ଅନ୍ତରେ ପୁଣ ପୁଣ ।ହୋଇଲା ଅଗ୍ନିଧ୍ର ରାଜନ ॥
କିଛି ଦିନର ସେ ଅନ୍ତରେ ।ରାଜାଧିକାର ପାଇ ତାରେ ॥
ପିତା ପିତୃଲୋକ ଅନ୍ତରେ ।ପୁତ୍ର ତା ବିଭା ଏ ସଂସାରେ ॥
ମେରୁର କନ୍ୟାମାନେ ଯେତେ ।ବିଭାହୋଇଲେ ବେଦମତେ ॥
ମେରୁ ଦେବୀ ଯେ ପ୍ରତି ରୂପା ।ଲତା ରମ୍ୟା ଯେ ଉଗ୍ରଦଂଷ୍ଟ୍ରା ॥
ବେଦାଧିପତି ନାରୀ ଶ୍ୟାମା ।ଭଦ୍ରା ସହିତେ ନବକନ୍ୟା ॥
ଏ ନବକନ୍ୟା ବିଭାହେଲେ ।ବେଦୋକ୍ତମତେ ସେ ରହିଲେ ॥
କହଇ ବିପ୍ର ଜଗନ୍ନାଥ ।ଅଗ୍ନିଧ୍ର ସୁତଙ୍କ ଚରିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧ ଆଗ୍ନୀଧ୍ର ସୁତ ଚରିତେନାମ ଦ୍ୱିତୀୟୋଽୟଃ ।
ତୃତୀୟ ଅଧ୍ୟାୟ
ଶ୍ରୀଶୁକ ଉବାଚଅଗ୍ନିଧ୍ରସୁତଙ୍କ ମଧ୍ୟରେ ।ନାଭିର ପୁତ୍ର ନୋହିବାରେ ॥
ଇଚ୍ଛା ହୁଅଇ ପୁତ୍ରଠାରେ ।ପତ୍ନୀ ମେରୁ ଦେବୀରଠାରେ ॥
ଭଗବାନ ଯଜ୍ଞ ପୁରୁଷେ ।ତାହାଙ୍କୁ ଭଜିଲା ବିଶ୍ୱାସେ ॥
ନାଭି ଯେ ଶୁଦ୍ଧଭାବ ଧରି ।ମନ୍ତ୍ରେ ଆହୁତି ହବି ଭରି ॥
ତାହାର ଶ୍ରଦ୍ଧାଭାବୁଁ କରି ।ଯଜ୍ଞେ ପ୍ରସନ୍ନ ନରହରି ॥
ଭଗବାନ ଭକ୍ତ ଲକ୍ଷଣ ।ଯେ ଧର୍ମ ଆତ୍ମାର କାରଣ ॥
ରାଜାର ସନ୍ତୋଷ ନିମନ୍ତେ ।ସ୍ୱଇଚ୍ଛା ଅତି ସୁଖ ଚିତ୍ତେ ॥
ମନ ନୟନ ହୃଦ ଦେଶେ ।ଆନନ୍ଦକଲେ ଯେ ପ୍ରକାଶେ ॥
ତେଜେ ବିରାଜମାନ ହୋଇ ।କୌସ୍ତୁଭମଣି ବିରାଜଇ ॥
ବିରାଜେ ମର୍କତ କୁଣ୍ଡଳ ।ନିର୍ମିତ ମୁକୁଟ ଶିରର ॥
ଯେ ଯଜ୍ଞବ୍ରତ ବିପ୍ରଙ୍କର ।ଉତ୍ସବ ହୋଇଛି ହୃଦର ॥
ନିର୍ଦ୍ଧନ ଗୃହେ ପାଇ ଧନ ।କୋଟିନିଧି ପ୍ରାପ୍ତ ଯେସନ ॥
ତେମନ୍ତ ହୋଇ ଦ୍ୱିଜଗଣେ ।ଯଜ୍ଞରେ ଥିଲେ ଯଜମାନେ ॥
ପରମ ବ୍ରହ୍ମକୁ ସେ ପାଇ ।ନମିଲେ ଶିରେ କର ଦେଇ ॥
ଭୋ ନାଥ ପରମ କାରଣ ।ତୁମ୍ଭର ଆମ୍ଭେ ଭୃତ୍ୟଗଣ ॥
ସର୍ବ ପୂଜିତ ତୁ ଠାକୁର ।ସେବା ଯେ ଘେନ ତୁ ଆମ୍ଭର ॥
ଏ ତୋର ଚରଣାରବିନ୍ଦେ ।ନମିବୁ ମନର ଆନନ୍ଦେ ॥
ତୋର ଭିଆଣ ଏ ଜଗତ ।ପ୍ରକୃତି ପୁରୁଷ ସଂଜାତ ॥
ତ୍ରିଗୁଣେ ଜୀବ ବନ୍ଦୀ ହୋଇ ।ଏ ଜୀବ ସଂସାରେ ଭ୍ରମଇ ॥
ସୃଷ୍ଟିର କର୍ତ୍ତା ଯେତେ ଜନ ।ସେ ସର୍ବ ତୋହର ଅଧୀନ ॥
ଭୋ ନାଥ ତୋହର ମହିମା ।ସଂସାରେ କେ କରିବ ସୀମା ॥
ସାକ୍ଷାତେ ନୁହଇ ଗୋଚର ।ଭୋ ପ୍ରଭୁ ରୂପ ଗୁଣ ତୋର ॥
ତୋହର ନାମ ଉଚ୍ଚାରଣ ।ସକଳ ପାପ ବିଧ୍ୱଂସନ ॥
ଅଖିଳ ବ୍ରହ୍ମାଣ୍ଡ ଠାକୁର ।ତୁ ନାଥ କରୁଣା ସାଗର ॥
ମଲ୍ଲିକା ଦୁର୍ବାଦଳ ସାର ।ପୂଜନ୍ତି ତୋହର ପୟର ॥
ତେଣେ ତୁ ପରମ ସନ୍ତୋଷ ।ପ୍ରସନ୍ନ ହୁଅ ହୃଷୀକେଶ ॥
ଶିଶୁଙ୍କ ବୁଦ୍ଧି ଯେ ଯେସନେ ।ତେମନ୍ତ ପ୍ରାୟ ଆମ୍ଭେମାନେ ॥
ପରମ ଦୟାଳୁ ସାଗର ।ରାଜାଙ୍କୁ ପ୍ରଭୁ ଦୟାକର ॥
ଏମନ୍ତ ସ୍ତୁତି ଶୁଣି ତୋଷ ।ଜଗତ ପ୍ରଭୁ ଯେ ଅଶେଷ ॥
ରାଜାର ଚକ୍ଷୁ ଯେ ଗୋଚରେ ।ହୋଇଲେ ଅତି ମନୋହରେ ॥
ପୁଣି କହନ୍ତି ଋଷିଗଣ ।ଭୋ ନାଥ ସାବଧାନେ ଶୁଣ ॥
ଜ୍ଞାନ ଆନନ୍ଦେ ପାପ ବହି ।ତୋ ପାଦ ପଦ୍ମ ଯୁଗ ଧ୍ୟାୟି ॥
ଯେ ଆତ୍ମାରାମ ମୁନିଗଣେ ।ସେବନ୍ତି ତୋହର ଚରଣେ ॥
ଏ ତୋର ଗୁଣ ଜ୍ଞାନମାନ ।କରନ୍ତି ଅବିରତେ ଧ୍ୟାନ ॥
ତୁ ନାଥ ଅଖିଳ ଠାକୁର ।ପରମ ମଙ୍ଗଳର ଘର ॥
ଆମ୍ଭେ କିଙ୍କର ହୀନଜନ ।କରିବୁ କାହିଁ ତୋ ସ୍ମରଣ ॥
ସକଳ କଳୁଷ ନାଶନ ।ନିର୍ମଳ ତୋ ଗୁଣ ଗାୟନ ॥
ଆମ୍ଭର ମରଣ ଦଶାରେ ।ତୋ ନାମ ହେବ କି ମନରେ ॥
ଏମନ୍ତ କୃପା ପ୍ରଭୁକର ।ଅଖିଳ ବହ୍ମାଣ୍ଡ ଠାକୁର ॥
ଏବେ ତୁ ଶୁଣି ଭାବଗ୍ରାହୀ ।ଏ ରାଜା ପୁତ୍ରକାମୀ ହୋଇ ॥
ତୋର ପ୍ରସାଦେ ଏ କୁମରେ ।ମାଗଇ ତୋର ସଦୃଶରେ ॥
ଏ ସର୍ବ ଭୋଗ ଯେ ମୋକ୍ଷପଦ ।ସକଳ ଦେଉ ତୁ ଗୋବିନ୍ଦ ॥
ନିର୍ଦ୍ଧନ ପ୍ରାଣୀ ଯେ ଯେସନେ ।ମାଗନ୍ତି ଧନବନ୍ତ ଜନେ ॥
ଏଥୁ ଅନ୍ତରେ ସେ ରାଜନ ।ନିଶ୍ଚଳ ଚିତ୍ତେ କରି ଧ୍ୟାନ ॥
ଈଶ୍ୱର ମୁଖକୁ ସେ ଚାହିଁ ।ହରଷେ ବଚନ ବୋଲଇ ॥
ଭୋ ନାଥ ପରମ ମଙ୍ଗଳ ।ପ୍ରସନ୍ନ ହୁଅ ଆଦିମୂଳ ॥
ଏ ତୋର ଚରଣାରବିନ୍ଦ ।ଆଶ୍ରୟ ନ କରି ଗୋବିନ୍ଦ ॥
ଏ ଭବ ସାଗରୁ ଯେସନ ।ଯାହାରେ ନୁହନ୍ତି ଅଭିନ୍ନ ॥
ତୋର ଚରଣେ ନ ଭଜନ୍ତି ।ଅଜ୍ଞାନେ ସଂସାରେ ପଡନ୍ତି ॥
ସକଳ ଭର୍ତ୍ତା ତୁ ଈଶ୍ୱର ।ତୋର ଭିଆଣ ଏ ସଂସାର ॥
ଅଖିଳ ବୃନ୍ଦାରକଗଣ ।ସେବନ୍ତି ସେ ପ୍ରଭୁ ଚରଣ ॥
ଏମନ୍ତ ନାଭିସ୍ତୁତି ଭଣି ।ଦେବାଧିଦେବ ଶିରୋମଣି ॥
ସଦୟେ ଚାହିଁ ଭଗବାନ ।କହନ୍ତି କୋମଳ ବଚନ ॥
ଶ୍ରୀ ଭଗବାନୋବାଚହେ ସର୍ବମୁନିଜନ ଯେତେ ।ସ୍ତୁତିରେ ବଶ କଲ ମୋତେ ॥
ମୋହର ରୂପ ତ ଅପାର ।କି ରୂପେ ହୋଇବି କୁମର ॥
ତପସ୍ୟା-ବ୍ରହ୍ମ ବାକ୍ୟମାନ ।ବିଅର୍ଥ ହୋଇବ କେସନ ॥
ବ୍ରହ୍ମାର କୁଳ ଏ ହୁଅଇ ।ମୋହର ପାଳିବା ଯୋଗାଇ ॥
ଏବେ ମୁଁ ପୁତ୍ର ରୂପ ହୋଇ ।ଅଂଶରେ ଅବତରିବଇଁ ॥
ରାଜାର ହିତେ ମୁନିଗଣ ।ଶୁଣିଲେ ଏମନ୍ତ ବଚନ ॥
ଏତେ କହିଣ ନାରାୟଣ ।ଅଗ୍ନିରେ ହେଲେ ଅନ୍ତର୍ଦ୍ଧାନ ॥
ଏମନ୍ତେ ମୁନିଗଣ ହେରି ।ପ୍ରସନ୍ନ କରାଇଲେ ହରି ॥
ରାଜାର ପ୍ରିୟଭାବ ହୋଇ ।ସେ ପ୍ରଭୁ ମେରୁ ଦେବୀଠାଇଁ ॥
ସଂସାରେ ଧର୍ମ ଆଚରଣ ।ଅବତରିଲେ ନାରାୟଣ ॥
କହଇ ବିପ୍ର ଜଗନ୍ନାଥ ।ରାଜା ଯଜ୍ଞ ସ୍ତୁତି ଚରିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରାଜା ଯଜ୍ଞ ସ୍ତୁତି ଚରିତେନାମ ତୃତୀୟୋଽଧ୍ୟାୟଃ ।
ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ)ଜଗନ୍ନାଥ ଦାସ ଜଗନ୍ନାଥ ଦାସ