ଅଷ୍ଟମ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିପାଣ୍ଡୁ ପୁତ୍ରଙ୍କୁ କରି ଭାବ ।ସଙ୍ଗତେ ସାତ୍ୟକି ଉଦ୍ଧବ ॥
ବ୍ୟାସ ସଙ୍ଗତେ ଯେତେ ମୁନି ।କୃଷ୍ଣ ପୂଜିଲେ ଭାବ ଘେନି ॥
ସନ୍ତୋଷେ ସର୍ବ ମୁନିଗଣେ ।ପୂଜିଲେ ଶ୍ରୀକୃଷ୍ଣ ଚରଣେ ॥
ତାହାଙ୍କୁ ମାଗି ଅନ୍ୟ ଯାନ ।ରଥେ ସାଜିଲେ ଭଗବାନ ॥
ଦ୍ୱାରକା ଯିବେ ନରହରି ।ବାଜଇ ମଙ୍ଗଳ ମହୁରୀ ॥
ଏବେ ହୋ ଶୁଣ ସର୍ବ ମୁନି ।ଉତ୍ତରା ବିରାଟ ନନ୍ଦନୀ ॥
ଥିଲା ଯେ ଅଭିମନ୍ୟୁ ଅନ୍ତେ ।ପତି ମରଣେ ଶୋକ ଚିତ୍ତେ ॥
ବିଧିରେ ତାର ଗର୍ଭବାସ ।କୁନ୍ତୀ ଦ୍ରୌପଦୀ ମନତୋଷ ॥
ତାର ଗର୍ଭକୁ କୋପ କଲା ।କାନନେ ଦ୍ରୋଣଗୁରୁ ବଳା ॥
ଅର୍ଜ୍ଜୁନ ହସ୍ତେ ଦଣ୍ଡ ପାଇ ।ଲୁଚିଲା ଘୋରବନେ ଯାଇ ॥
ସହି ନ ପାରି ଅଭିମାନେ ।କୋପ ବସିଲା ତାର ମନ ॥
ସଙ୍କଳ୍ପ କରି ଗଙ୍ଗାଜଳେ ।ଧନୁକୁ ଧରି କୋପାନଳେ ॥
ମନ୍ତ୍ର ଉଚ୍ଚାରି ବ୍ରହ୍ମଶର ।କହଇ ଦ୍ରୋଣଙ୍କ କୁମର ॥
ତୁ ଯେ କଠୋର ଶସ୍ତ୍ରବର ।ଅବନୀ-ଅପାଣ୍ଡବା କର ॥
ଏମନ୍ତେ ପେଶିଲା ନାରାଚ ।ଗଗନ ଯେହ୍ନେ ରବି ତେଜ ॥
ବିଶ୍ୱ ଆକାଶ ଆବୋରିଲା ।ତା ତେଜେ ଭୁବନ କମ୍ପିଲା ॥
ଗଗନ ଘୋଟି ସେ ଆସଇ ।ଦେଖି ଉତ୍ତରା ଭୟ ପାଇ ॥
ଧାମଇ ପ୍ରାଣର ବିକଳେ ।କେଶ ବସନ ଅସମ୍ଭାଳେ ॥
ବିକଳେ ବେନି କର ତୋଳି ।ଡାକଇ ରଖ ବନମାଳୀ ॥
ହେ ଦେବ ଦେବ ଜଗନ୍ନାଥ ।ଭାରା ନିବାରେ ତୋର ଜାତ ॥
ଅନାଥ ନାଥ ଭାବଗ୍ରାହୀ ।ଘୋର ସଙ୍କଟୁ କର ତ୍ରାହି ॥
ତୋ ତହୁଁ ନ ଜାଣଇ ଆନ ।ନିର୍ଭୟ ସଙ୍କଟ ଭଞ୍ଜନ ॥
ଏ ଯେ ଗଗନ ମାର୍ଗେ ଶର ।ଆସଇ ଯେହ୍ନେ ଦିବାକର ॥
ପାଣ୍ଡବ କୁଳ ଏ ହରିବ ।ଏହାକୁ କେବା ନିବାରିବ ॥
ତୋର ଶରଣ ଗଲି ମୁହିଁ ।ହେ ପ୍ରଭୁ ରଖ ଭାବଗ୍ରାହୀ ॥
ଏ ଗର୍ଭ ରବିତଳେ ଥାଉ ।ମୋର ଜୀବନ ବାଣ ଦହୁ ॥
ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି ।ଜାଣିଲେ ପ୍ରଭୁ ଚକ୍ରପାଣି ॥
ଦ୍ରୋଣ କୁମର ଅପମାନେ ।ଲୁଚି ଯେ ଥିଲା ଘୋରବନେ ॥
ମନ୍ତ୍ରି ନାରାଚ ବ୍ରହ୍ମଶର ।ପ୍ରହାର କରି କୋପଭର ॥
ମେଦିନୀ ଅପାଣ୍ଡବ କର ।ମୁହିଁ କରିବି ପ୍ରତିକାର ॥
ଏମନ୍ତ କୃଷ୍ଣ ମୁଖୁ ଶୁଣି ।ଅର୍ଜ୍ଜୁନ ନିଜ ଧନୁ ଆଣି ॥
ସୂର୍ଯ୍ୟର ପ୍ରାୟ ଏକେ ଏକେ ।ପଞ୍ଚ ନାରାଚ ଶସ୍ତ୍ର ମୁଖେ ॥
ମାରି ଚାହିଁଲା କୃଷ୍ଣ ମୁଖ ।ଅନ୍ତେ କହଇ କୃଷ୍ଣ ରଖ ॥
ତାହା ଜାଣିଲେ ନରହରି ।ତକ୍ଷଣେ ଚକ୍ରକୁ ସୁମରି ॥
ବୋଇଲେ ଶୁଣ ସୁଦର୍ଶନ ।ରଖ ତୁ ପାଣ୍ଡବ ଜୀବନ ॥
ବେଗେ ସେ କୃଷ୍ଣ ଆଜ୍ଞା ପାଇ ।ଯହିଁ ପାଣ୍ଡବ ପାଞ୍ଚ ଭାଇ ॥
ତାହାଙ୍କୁ ବେଗେ ଆବୋରିଲା ।ଗୋବିନ୍ଦ କରେ ବିଜେ କଲା ॥
ତକ୍ଷଣେ ଚକ୍ର କୃଷ୍ଣ ଧରି ।ଉତ୍ତରା ଗର୍ଭକୁ ଆବୋରି ॥
ସେ ମାୟାଧର ଚକ୍ରପାଣି ।କେହୁ ପାରିବ ପରିମାଣି ॥
ସ୍ୱଭାବେ ସେହି ବ୍ରହ୍ମଶର ।ତାହାଙ୍କୁ ନାହିଁ ପ୍ରତିକାର ॥
ବିଷ୍ଣୁ ତେଜରେ ତା ସଂହରି ।ଗର୍ଭକୁ ରଖିଲେ ମୁରାରି ॥
ଯାହାର ମାୟା ଏ ସଂସାରେ ।ଉତ୍ପତ୍ତି ପାଳନ ସଂହାର ॥
ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲା ।ପାଣ୍ଡବେ ଗୋବିନ୍ଦ ରଖିଲା ॥
ତକ୍ଷଣେ ପାଣ୍ଡବ ଜନନୀ ।କୃଷ୍ଣା ଉତ୍ତରା ସେଙ୍ଗ ଘେନି ॥
ପାଞ୍ଚ ପୁତ୍ରଙ୍କୁ ଘେନି ଆଗେ ।ପଡ଼ିଲା କୃଷ୍ଣ ପାଦ ଯୁଗେ ॥
କାତରେ ଯୋଡ଼ି ବେନି ପାଣି ।କଣ୍ଠ କୁଣ୍ଠିତେ କହେ ବାଣୀ ॥
କୁନ୍ତୀ ଉବାଚକହଇ କୃଷ୍ଣ ମୁଖ ଚାହିଁ ।ଭୋ ନାଥ କର ମୋତେ ତ୍ରାହି ॥
ଭୋ ନାଥ ନମୁଁ ତୋ ପୟର ।ଆଦି ପୁରୁଷ ବିଶ୍ୱେଶ୍ୱର ॥
ପ୍ରକୃତି ପରେ ତୋର ବାସ ।ତେଣୁ ପ୍ରାଣୀଙ୍କୁ ଅପ୍ରକାଶ ॥
ଜନ୍ତୁଙ୍କ ଅନ୍ତରେ ବାହାରେ ।ତୋ ବିନୁ ଅନ୍ୟ ନାହିଁ ପରେ ॥
ଆଚ୍ଛାଦି ମାୟା ଯବନିକା ।ଜୀବ ସ୍ୱରୂପେ ଥାଉ ଏକା ॥
ଇନ୍ଦ୍ରିୟ ତୁଲେ ଭୋଗକରି ।ଅବ୍ୟୟ ଆତ୍ମା ରୂପେ ପୂରି ॥
ତୋହର ମାୟା ଯାର ଚିତ୍ତେ ।ସେ ତୋତେ ଜାଣିବ କେମନ୍ତେ ॥
ନଟଙ୍କ ମଧ୍ୟେ ଯେ ନାୟକ ।ସେ ଯେହ୍ନେ ନାଟେ ମୋହେଲୋକ ॥
ନାନା କାଚ୍ଛେଣି ସେ ଭିଆଇ ।ନୃତ୍ୟକାରକୁ ଯେ ନଚାଇ ॥
ଦେଖନ୍ତା ପ୍ରାଣୀ ମନ ମୋହେ ।ସତ୍ୟ ବିଚାର କିଛି ନୁହେଁ ॥
ପରମହଂସ ଦୀକ୍ଷା ଗୁଣେ ।ନିର୍ମଳ ଚେତା ମୁନିଗଣେ ॥
ଦୃଢ଼ ଭକତି ଯୋଗମତେ ।ତୋ ପାଦେସେବା ଅବିରତେ ॥
ଭକ୍ତି ଯୋଗର ଏ ବିଧାନ ।କାହୁଁ ଦେଖିବ ଅନ୍ୟ ଜନ ॥
ତୁ ନାଥ କୃଷ୍ଣ ଅବତାରେ ।ପ୍ରକାଶି ବସୁଦେବ ଘରେ ॥
ଦେବକୀ ଗର୍ଭରେ ସମ୍ଭୂତ ।ତୋ ନାମ ବାସୁଦେବ ଖ୍ୟାତ ॥
ସକଳ ଜନ୍ତୁ ହୃଦଗତେ ।ତୋର ପ୍ରକାଶ ଆତ୍ମାମତ ॥
କୁମାର ରୂପେ ନନ୍ଦଘରେ ।ତୋର ବିଜୟ ଗୋପପୁରେ ॥
ଇନ୍ଦ୍ର ବିବାଦେ ବନମାଳୀ ।ପର୍ବତ ଗୋବର୍ଦ୍ଧନ ତୋଳି ॥
ରଖିଲୁ ଗୋପର ସମ୍ପଦ ।ଏଣୁ ଯେ ତୋ ନାମ ଗୋବିନ୍ଦ ॥
ପ୍ରଳୟ ଜଳେ ତୋର ବାସ ।ନାଭିରୁ ପଙ୍କଜ ପ୍ରକାଶ ॥
ପଙ୍କଜ ମାଳା ତୋର ଗଳେ ।ବିହରୁ ଭୁବନ ମଣ୍ଡଳେ ॥
ପଙ୍କଜ ଲୋଚନ ସୁନ୍ଦର ।ନମଇଁ ପଙ୍କଜ-ପୟର ॥
ଦେବକୀ ଦେବୀ କଂସ ଘରେ ।ବନ୍ଦୀରେ ଥିଲା ଶୋକଭରେ ॥
ମୁଁ ପଞ୍ଚପୁତ୍ର ଘେନି ଏବେ ।ବନେ ବଞ୍ଚଇ ଦୁଃଖ ଭାବେ ॥
ଦେବକୀ ପ୍ରାୟ ମୋତେ କରି ।ଅଶେଷ ସଙ୍କଟୁ ଉଦ୍ଧରି ॥
ଭୀମକୁ ବିଷ ଲଡ଼ୁ ଦେଲେ ।ସେ ବେଳେ ତୁ ରଖିଲୁ ଭଲେ ॥
ଜତୁର ଘରେ ଅଗ୍ନି ଜଳୁ ।ରଖିଲୁ ପରମ ଦୟାଳୁ ॥
ଜଳେ କୁମ୍ଭୀର ଆଦି ଯେତେ ।ରାକ୍ଷସ ମିଳିଲେ ବନସ୍ତେ ॥
ପଶାଖେଳରେ ରାଜ୍ୟ ହାରି ।ନେଲେ ଦ୍ରୌପଦୀ କେଶ ଧରି ॥
ବିବସ୍ତ୍ର କଲେ ସଭାତଳେ ।ତହୁଁ ରଖିଲୁ ତେତେବେଳେ ॥
ପୁଣି ଅଜ୍ଞାତ ବନବାସେ ।ବନେ ବଞ୍ଚିଲୁ ନାନା କ୍ଲେଶେ ॥
ଯୁଦ୍ଧେ ଦୁର୍ଜନ ବଳ ନାଶୁ ।ତୁ ନାଥ ଆମ୍ଭଙ୍କୁ ଆଶ୍ୱାସୁ ॥
ଦ୍ରୋଣ କୁମର ବ୍ରହ୍ମଶର ।ତହିଁ ରଖିଲୁ ବଂଶ ମୋର ॥
ଏଣୁ ବିପତ୍ତି ନ ରହଇ ।ଯେ ମୁଖେ ତୋ ନାମ ଧରଇ ॥
ତୋହର ଦରଶନ ଫଳେ ।ଏ ଜୀବ ରହଇ ନିଶ୍ଚଳେ ॥
ପରମ ମୋକ୍ଷ ଲଭେ ଦାସ ।ତୁ ନାଥ ଭକ୍ତଙ୍କ ବିଶ୍ୱାସ ॥
ଉତ୍ତମ କୁଳେ ଜନ୍ମ ହୋଇ ।ବିଦ୍ୟା ସମ୍ପଦ ଯେବେ ଥାଇ ॥
ବୁଡ଼ଇ ମତ୍ତଗର୍ବ-ଚିତ୍ତେ ।ସେ ତୋତେ ଜାଣିବ କେମନ୍ତେ ॥
ତୁ ନାଥ ଜଗତ ଜୀବନ ।ଆଦି ପୁରୁଷ ନିରଞ୍ଜନ ॥
ଭକ୍ତଜନଙ୍କ ଅର୍ଥେ ତୁହି ।ପ୍ରକୃତି ତୋତେ ନ ଜାଣଇ ॥
ତୁ ନାଥ ଆତ୍ମାରାମ ମତ ।ନମଇଁ କୈବଲ୍ୟର ନାଥ ॥
ତୁ ନାଥ କାଳରୂପ ହେଉ ।ଅନାଦି ନିଧନ ବୋଲାଉ ॥
ସମେ ତୁ ବସୁ ସର୍ବ ଦେହେ ।ପ୍ରାଣୀଏ ତୋର ମାୟାମୋହେ ॥
ଭଜନ୍ତି ଅନ୍ୟୋଅନ୍ୟ ଭାବେ ।ବଳି ଯେସନେ କଳିଯୁଗେ ॥
ତୋର ମହିମା କେ ଜାଣିବ ।ଶରୀର ବହି ବ୍ରହ୍ମା ଶିବ ॥
ତୋର ଚରିତ ଭଗବାନ ।ଏ ନର ଲୋକେ ବିଡ଼ମ୍ବନ ॥
ତେଣୁ ତୋ ରିପୁ ମିତ୍ର ନାହିଁ ।ପ୍ରାଣୀ ଜାଣିବେ ତୋତେ କାହିଁ ॥
ତୁ ବିଶ୍ୱମାୟା ନରହରି ।ନିଜ ମାୟାରେ ଦେହ ଧରି ॥
ପଶୁଙ୍କ ଘରେ ହେଉ ଜାତ ।ଋଷିଙ୍କ ଘରେ ଋଷିସୁତ ॥
ଜଳଜନ୍ତୁଙ୍କ ମଧ୍ୟେ ତୁହି ।ବିହରୁ ମୀନରୂପ ବହି ॥
ଏ କଥା ଲୋକେ ବିଡ଼ମ୍ବନ ।ତୁ ଆତ୍ମା ଆଦି ନିରଞ୍ଜନ ॥
ଦଧି ମନ୍ଥନ ବେଳେ ଧରି ।ରୋଳେ ବାନ୍ଧିଲା ନନ୍ଦନାରୀ ॥
ପଛେ ଲୁଚାଇ ଛୋଟ ଗୋଟି ।ତା ଦେଖି ଭୂମିରେ ତୁ ଲୋଟି ॥
ଚକ୍ଷୁ ରଞ୍ଜନ ଘଷି କରେ ।କାନ୍ଦି ପଡ଼ିଲୁ ତା ପୟରେ ॥
ତୋ ନାମ ଚିତ୍ତ ଭୟହର ।କିମ୍ପା ତୋ ଯଶୋଦାକୁ ଡର ॥
ତୁ ଦେବ ଯୋଗମାୟା ଅଂଶେ ।ଜନ୍ମିଲୁ ଯଦୁରାଜ ବଂଶେ ॥
ସ୍ୱଭାବେ ଜନ୍ମ ନାହିଁ ତୋର ।ଯେଣୁ ଖଣ୍ଡିବୁ ଭୂମି ଭାର ॥
ଏଣୁ କଳ୍ପନ୍ତି ସାଧୁଜନ ।ମଳୟେ ଯେସନେ ଚନ୍ଦନ ॥
ତୋ ଜନ୍ମ କରି ଅନୁମାନ ।ଅପରେ ଯେତେ ସାଧୁଜନ ॥
ବୋଲନ୍ତି ବସୁଦେବ ଘରେ ।ଜନ୍ମିଲୁ ଭାରା ହରଣରେ ॥
ପୂର୍ବେ କଠୋର ତପ କରି ।ବର ମାଗିଲା ପୁତ୍ର ହରି ॥
ତେଣୁ ଦେବକୀ ଗର୍ଭେ ଜାତ ।ତୁ ଅଟୁ ଅନାଥର ନାଥ ॥
ଅସୁରଙ୍କର ଡ଼ରେ ମହୀ ।ବ୍ରହ୍ମା ସମୀପେ ଦୁଃଖ କହି ॥
ତାହାର ଅର୍ଥେ ପଦ୍ମାସନ ।ଗଲେ ତୋହର ସନ୍ନିଧାନ ॥
ସର୍ବ ଦେବଙ୍କୁ ଘେନି ଗଲେ ।ତୋର ଚରଣେ ସ୍ତୁତି କଲେ ॥
କହିଲେ ତୋ ଚରଣ ତଳେ ।ନାବ ବୁଡ଼ଇ ଯେହ୍ନେ ଜଳେ ॥
ତେମନ୍ତ ବୁଡ଼ିଲା ଧରଣୀ ।ଏହାକୁ ରଖ ଚକ୍ରପାଣି ॥
ତେଣୁ ତୁ ନର ରୂପ ଧରି ।ଭୂମି ମଣ୍ଡଳେ ଅବତରି ॥
ଅବିଦ୍ୟା କାର୍ମାକର୍ମ ବଳେ ।ପ୍ରାଣୀ ଏ ଜାତ ଭବ ଜଳେ ॥
ଅତି ହିଁ କ୍ଳେଶ ତାଙ୍କ ଦେହୀ ।ତାହାଙ୍କୁ ଉଦ୍ଧରିବା ପାଇଁ ॥
ଧ୍ୟାନ ପ୍ରବଣ ମନ୍ତ୍ର ଗୁରୁ ।ତେଣୁ ମହିମା କଳ୍ପତରୁ ॥
ତୋର ଚରିତ କର୍ଣ୍ଣେ ଶୁଣି ।ତୋହର ନାମ ମୁଖେ ଭଣି ॥
ମନ ବଚନ ତୋତେ ଦ୍ୟନ୍ତି ।ହର୍ଷେ ପୁଲକ ଲୋମପନ୍ତି ॥
ଏଣୁ ପଶନ୍ତି ତୋ ଚରଣେ ।ନିଶ୍ଚିନ୍ତେ ଧ୍ୟାନ ସୁମରଣେ ॥
ତୋର ଚରଣ ତାଙ୍କୁ ରଖେ ।ଭବ ପ୍ରମାଦୁ ତରେ ସୁଖେ ॥
ସେ ପଦେ ପଶିଲି ଶରଣ ।ମୋତେ ନ ଛାଡ଼ ନାରାୟଣ ॥
ତୋର ସହାୟ ଏହି ମତେ ।ପାଇବି ମୁଁ ଜନ୍ମ ଜନ୍ମାନ୍ତେ ॥
ମୋ ସହୋଦର ପଣେ ହରି ।ଜନ୍ମ ଜନ୍ମାନ୍ତେ ଅବତରି ॥
ତୋତେ କରନ୍ତି ସୁତେ ଧ୍ୟାନ ।ତୋ ତହୁଁ ନ ଜାଣନ୍ତି ଆନ ॥
ଦ୍ରୋହ ଯେ କରି ରାଜ କୁଳେ ।ପଶିଲେ ତୋର ବାହୁବଳେ ॥
କେବଳ ନାମ ରୂପ ତୋର ।ମୋର ପୁତ୍ରଙ୍କୁ ସୁଖ ଘର ॥
ଯେ ତୋର ରୂପ ଚିତ୍ତେ ଚିନ୍ତି ।ଏ ଭବ ଜଳେ ନ ବୁଡ଼ନ୍ତି ॥
ତୋ ରୂପ ନ ଦେଖି ନୟନେ ।ଇନ୍ଦ୍ରିୟଗଣେ ଆତ୍ମା ଯେହ୍ନେ ॥
ଏ ମହୀ ତୋର ପାଦ ଲାଗି ।କେମନ୍ତେ ଦିଶଇ ସୌଭାଗୀ ॥
ତୋ ଅବତାର ଯେବେ ଯିବ ।ବିଧବା ପ୍ରାୟେକ ଦିଶିବ ॥
ଏହାର ଗର୍ଭେ ଯେତେ ଜନ ।ଗ୍ରାମ ଔଷଧ ଗିରିଗଣ ॥
ସମୁଦ୍ର ଆଦି ଜଳସ୍ଥାନେ ।ବଞ୍ଚନ୍ତି ତୋ ଚରଣ ଧ୍ୟାନେ ॥
ହେ ବିଶ୍ୱେଶ୍ୱର ତୁ ଈଶ୍ୱର ।ମୁଁ ତୋର ଚରଣେ କିଙ୍କର ॥
ପାଣ୍ଡବ କୁଳେ ବୃଷ୍ଣି ବଂଶେ ।ମୁଁ ଯେ ବନ୍ଧନ ଦୃଢ଼ ପାଶେ ॥
ତୁ ଯେବେ ଶରଣ ସୋଦର ।ଏ ସ୍ନେହ ପାଶ ଦୂର କର ॥
ଭୋ ନାଥ ଶ୍ରୀମଧୁସୂଦନ ।ତୋର ଚରଣେ ମୋର ଧ୍ୟାନ ॥
ସର୍ବ ବିଷୟ ଦୂରେ ଚିନ୍ତି ।ତୋର ଚରଣେ ରହୁ ମତି ॥
ଗଙ୍ଗାର ସ୍ରୋତେ ସର୍ବ ବଂଶେ ।ଯେସନେ ସିନ୍ଧୁଜଳେ ମିଶେ ॥
ଶ୍ରୀକୃଷ୍ଣ କୃଷ୍ଣସଖା ତୁହି ।ଦୁଷ୍ଟ ନାଶନେ ତୋର ଦେହୀ ॥
ଅବନୀ ରଖି ଆଦିମୂଳ ।ନାଶିଲୁ ଦୁଷ୍ଟ କ୍ଷତ୍ରୀକୁଳ ॥
ତୋତେ ଚିନ୍ତିଣ ସେ ତରନ୍ତି ।ନିଶ୍ଚିନ୍ତେ ତୋ ଦେହେ ପଶନ୍ତି ॥
ଗୋବିନ୍ଦ ଶରଣ ସୋଦର ।ଭକ୍ତ ଜନଙ୍କ ସୁଖ ଘର ॥
ତୋ ଅବତାର ଏ ଜଗତେ ।ଗୋରୁ ବ୍ରାହ୍ମଣ ଦେବ ହିତେ ॥
ଅଖିଳ ଗୁରୁ ଯୋଗେଶ୍ୱର ।ଭୋ ନାଥ ଶରଣ ତୋହର ॥
ସୁତ କହନ୍ତି ମଞ୍ଜୁବାଣୀ ।କୁନ୍ତୀ ବଚନ କର୍ଣ୍ଣେ ଶୁଣି ॥
ଶ୍ରୀ ସୂତ ଉବାଚଅଳପ ହସି ଦାମୋଦର ।କୋମଳ ବଚନ ଗଭୀର ॥
କହିବି ସତ୍ୟ ଏ ବଚନ ।କହି ଉଠିଲେ ଭଗବାନ ॥
ହସ୍ତିନାପୁରେ ଯାଇ ପଶି ।ଅନ୍ଧ ଗାନ୍ଧାରୀଙ୍କୁ ଆଶ୍ୱାସି ॥
ବ୍ୟାସ ସହିତେ ମୁନିଗଣ ।ସଙ୍ଗତେ ଘେନି ନାରାୟଣ ॥
ନିକଟେ ବସି ଏକେ ଏକେ ।ବୋଧିଲେ ଇତିହାସେ ବାକ୍ୟେ ॥
ବିଷ୍ଣୁ ମାୟାରେ ମନ ଚ୍ଛନ୍ନ ।ନ ବୁଝେ କୃଷ୍ଣର ବଚନ ॥
ପୁଣି କ୍ଷଣକେ ଜ୍ଞାନ ପାଇ ।କୃଷ୍ଣର ମୁଖକୁ ଅନାଇଁ ॥
କପାଳେ ଦେଇ ବେନିକର ।କହଇ ରାଜା ଯୁଧିଷ୍ଠିର ॥
ଯୁଧିଷ୍ଠିର ଉବାଚଶୁଣ ହେ ପ୍ରଭୁ ଦାମୋଦର ।ମୁଁ ରାଜା ଧର୍ମର କୁମର ॥
ମୋହର ପୂର୍ବ କର୍ମ ଦୋଷେ ।ପଡ଼ିଲି ସ୍ନେହ ମୋହ ପାଶେ ॥
ଦେଖ ଅଜ୍ଞାନ ବୁଦ୍ଧି ମୋର ।ମୁଁ ମୂଢ଼ ଦୁଷ୍ଟ ଦୁରାଚାର ॥
ଏ ମିଛ ଦେହ ସତ୍ୟକରି ।ଅନେକ ଅକ୍ଷୌହିଣୀ ମାରି ॥
ବାଳକ ମିତ୍ର ବନ୍ଧୁ ପୁତ୍ର ।ପିତୃ ଭ୍ରାତୃ ଯେ ଗୁରୁ ସୁତ ॥
ଏମାନ ନାଶି ଅବିବେକେ ।ନିଶ୍ଚୟ ପଡ଼ିବି ନରକେ ॥
ପଡ଼ିଲି କର୍ମର ଆୟତ୍ତେ ।କେବେହେଁ ମୋକ୍ଷନାହିଁ ମୋତେ ॥
ଏମନ୍ତେ ଶାସ୍ତ୍ରର ବଚନ ।ଯେ ଧର୍ମ କହେ ମୁନିଜନ ॥
ରାଜା ବିଷୟେ ଶତ୍ରୁ ବଧେ ।ଦୋଷ କି ନ ଲାଗେ ପ୍ରସିଦ୍ଧେ ॥
ଏକଥା ମୋତେ ବୋଧ ନୁହେ ।ସକଳ ଘଟେ ହରି ରହେ ॥
ଆତ୍ମା ସମ୍ୱନ୍ଧେ ନାହିଁ ଧର୍ମ ।ଏଟି ଅବିଦ୍ୟା ମୋର କର୍ମ ॥
ବାନ୍ଧୁ ବାନ୍ଧବ ନ ପ୍ରମାଣି ।ସଂଗ୍ରାମେ ମଲେ ଯେତେ ପ୍ରାଣୀ ॥
ତାଙ୍କ ରମଣେ ଜନ ଗୃହେ ।ଦିନ ବଞ୍ଚନ୍ତି ଶୋକ ମୋହେ ॥
ତହୁଁ ଯେ ତାପ ଉପୁଜିବ ।କାହାକୁ ଅବା ଭୋଗ ହେବ ॥
ଦେହେ ଲାଗିଲା ପଙ୍କ ଯେହ୍ନେ ।ନ ଛାଡ଼େ ପଙ୍କ ପ୍ରକ୍ଷାଳନେ ॥
ମଦ୍ୟକୁ ଦେହେ ଆଣି ବୋଳି ।ମଦ୍ୟେ ଯେସନେ ତା ପଖାଳି ॥
ପ୍ରାଣୀର ବଧ ପ୍ରାଣୀ ହିତେ ।କାହୁଁ ତାରିବ ଯଜ୍ଞମତେ ॥
ଏମନ୍ତେ କୃଷ୍ଣର ଅଗ୍ରତେ ।ରାଜା କହିଲେ ନାନାମତେ ॥
ତକ୍ଷଣେ ପ୍ରଭୁ ନରହରି ।ମାୟାରେ ତାର ମନ ହରି ॥
ପଞ୍ଚ ପାଣ୍ଡବ ସଙ୍ଗେ ଘେନି ।କିଛି ନ କହି ହେଲେ ତୁନି ॥
ସେ ମାୟାଧର ପାଦଗତେ ।ନମଇଁ ଦାସ ଜଗନ୍ନାଥେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ପରୀକ୍ଷିତ ରକ୍ଷଣେ କୁନ୍ତୀସ୍ତବୋ ନାମଅଷ୍ଟମୋଽଧ୍ୟାୟଃ ॥
ନବମ ଅଧ୍ୟାୟ
ଶ୍ରୀ ସୂତ ଉବାଚସୂତ କହନ୍ତି ସାବଧାନେ ।ଏବେ ହୋ ଶୁଣ ମୁନିଜନେ ॥
ଏମନ୍ତେ ପ୍ରାଣୀ ବଧେ ଖୀନ୍ନ ।ହୋଇଣ ଧର୍ମର ନନ୍ଦନ ॥
ସକଳ ଧର୍ମ ଜ୍ଞାନ ଅର୍ଥେ ।ବିଜୟ କଲେ ଏକ ରଥେ ॥
ଯୁଦ୍ଧ ଭୂମିକି ସାଜି ସାଜ ।ସଙ୍ଗତେ ଘେନି ଦେବରାଜ ॥
ରାଜା ସଙ୍ଗତେ ଚାରିଭ୍ରାତେ ।ସଜ ହୋଇଲେ ଯେଝା ରଥେ ॥
ଉତ୍ତମ ଅଶ୍ୱ ନିଯୋଜିତ ।ସ୍ୱଭାବେ ରତ୍ନ ବିଭୂଷିତ ॥
ତାହାଙ୍କ ରଥେ ବିପ୍ରଗଣେ ।ବିଜୟ କଲେ ତତକ୍ଷଣେ ॥
ଗୋବିନ୍ଦ ଅର୍ଜ୍ଜୁନ ସଙ୍ଗତେ ।ବସିଲେ ନନ୍ଦିଘୋଷ ରଥେ ॥
ପାଣ୍ଡବ ମଧ୍ୟେ ଚକ୍ରଧର ।କି ଅବା ଦେବା ପଟ୍ଟାନ୍ତର ॥
ଗୁହ୍ୟକଗଣ ମଧ୍ୟଗତେ ।କୁବେର ପ୍ରକାଶ ଯେମନ୍ତେ ॥
ଏମନ୍ତେ କୁରୁକ୍ଷେତ୍ର ଗଲେ ।ପାଣ୍ଡବେ ଗୋବିନ୍ଦଙ୍କ ତୁଲେ ॥
ଶର ଶୟନେ ଗଙ୍ଗା ସୁତ ।ଦେଖିବା ଅର୍ଥେ ଉପଗତ ॥
ଅବନୀ ପରେ ମୋହଗତ ।ମହାକ୍ଷତ୍ରିୟ ତପୋବନ୍ତ ॥
ପାଣ୍ଡବେ ଗୋବିନ୍ଦର ତୁଲେ ।ଭୀଷ୍ମ ଚରଣେ ପ୍ରଣମିଲେ ॥
ବ୍ରାହ୍ମଣେ ମିଳିଲେ ତକ୍ଷଣେ ।ବ୍ୟାସ ସମେତ ମୁନିଗଣେ ॥
ଅପରେ ଯେତେ ରାଜଋଷି ।ମିଳିଲେ କୁରୁକ୍ଷେତ୍ରେ ଆସି ॥
ପର୍ବତ ନାମେ ମହାଋଷି ।ଧୌମ୍ୟ ନାରଦ ତୁଲେ ମିଶି ॥
ବାଦରାୟଣି ବୃଦ୍ଧ ଦଶ ।ଭରଦ୍ୱାଜର ସଙ୍ଗେ ଶିଷ୍ୟ ॥
ପରମ ଜ୍ୟୋତି ପର୍ଶୁରାମ ।ବଶିଷ୍ଠ ଇନ୍ଦ୍ର ପ୍ରଶଦମ ॥
ଜାବାଳି ଯମଦଗ୍ନି ମଧ୍ୟ ।କପିଳ ଗୌତମ ପ୍ରସିଦ୍ଧ ॥
ଅତ୍ରି କୌଶିକ ଭଦ୍ରସେନ ।କୌଚ୍ଛପ ଅଗ୍ନିର ନନ୍ଦନ ॥
ନିର୍ମଳ ଚେତା ବ୍ରହ୍ମଚାରୀ ।ମିଳିଲେ ଶୁକ ଆଦିକରି ॥
ଏମନ୍ତେ ସର୍ବ ମୁନିଜନେ ।ମିଳିଲେ ଭୀଷ୍ମ ସନ୍ନିଧାନେ ॥
ମୁନିଙ୍କୁ ଦେଖିଣ ପଚାରି ।ଶୟନେ ପ୍ରଣମିତ କରି ॥
ଧର୍ମଜ୍ଞ ଗଙ୍ଗାର କୁମର ।ଯେ ଦେଶ କାଳ ରିପୁହର ॥
ତେଣୁ ପୂଜିଲେ ଏକେ ଏକେ ।ମୁନିଙ୍କ ଦୃଢ଼ ମାନସିକେ ॥
କୃଷ୍ଣଙ୍କୁ ହୃଦରେ ବସାଇ ।ପୂଜିଲେ ଦୃଢ଼ଚିତ୍ତ ହୋଇ ॥
ଯେ ହରି ଜଗତ ଈଶ୍ୱର ।ଅନାଦି ଧର୍ମ ନିରାକାର ॥
ପାଣ୍ଡୁ ପୁତ୍ରଙ୍କୁ ଦୟା ଚିତ୍ତେ ।ଭାବେ କହନ୍ତି ଜନହିତେ ॥
ଭୀଷ୍ମ କହନ୍ତି ଦୟା ଚିତ୍ତେ ।ସକଳ ମୁନିଙ୍କ ଅଗ୍ରତେ ॥
ବଡ଼ ଧାର୍ମିକ କୁନ୍ତୀ ସୁତେ ।ଏମନ୍ତ ଭାଳି ହୃଦଗତେ ॥
ବନେ ବୁଲିଲେ କଷ୍ଟ କର୍ମେ ।ଜୀବ ପୋଷି ବିପ୍ର ଧର୍ମେ ॥
ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ ।ଅନେକ ସଙ୍କଟୁ ତରିଲେ ॥
ସ୍ୱାମୀ ମରଣେ କୁନ୍ତୀ ଦେବୀ ।ସରଳ ଚିତ୍ତେ କୃଷ୍ଣ ସେବି ॥
ପୁତ୍ରଙ୍କ ଅର୍ଥେ ବହୁ କ୍ଳେଶେ ।ଦୁଃଖେ ବଞ୍ଚିଲା ବନବାସେ ॥
କାଳର ବଶ ଏ ଜଗତ ।ପ୍ରାଣୀଏ କାର୍ମର ଆୟତ୍ତ ॥
ଜଳେ ଯେସନେ ପଦ୍ମଦଳ ।ପବନେ ଯେହ୍ନେ ମେଘମାଳ ॥
ଯେ କୁଳେ ରାଜା ଧର୍ମସୁତ ।ରକ୍ଷକ ଭୀମ ଗଦା ହସ୍ତ ॥
ଅର୍ଜ୍ଜୁନ ଯହିଁ ଧନୁ ଧରେ ।ଯହିଁ ଗୋବିନ୍ଦ ରକ୍ଷାକରେ ॥
ସେ କୁଳେ ପଡ଼ଇ ବିପତ୍ତି ।ଏମନ୍ତ ଈଶ୍ୱରର ଗତି ॥
କେ ଜାଣିପାରେ ତାର ଗତି ।ଯହିଁ ପଣ୍ଡିତେ ଭ୍ରମି ହୋନ୍ତି ॥
ସଂସାର କର୍ମର ଆୟତ୍ତ ।ଏମନ୍ତ ଜାଣ କୁନ୍ତୀ ସୁତ ॥
ମନେ ଚିନ୍ତିଣ ସବୁ ଭଲ ।ଅନାଥ ପ୍ରଜା ଏବେ ପାଳ ॥
ଦେଖ ଅନାଦି ନାରାୟଣ ।ଯେ ଜ୍ଞାନ ପରମ କାରଣ ॥
ମାୟାରେ ଲୋକ ମନ ହରି ।ଯାଦବ ବଂଶେ ଅବତରି ॥
ଏହାର ଅନୁଭବ ଗତି ।ଅଥବା ଜାଣେ ପଶୁପତି ॥
ନାରଦ ଜାଣେ କିଛି ଚିନ୍ତି ।କିବା କପିଳ ମହାଯତି ॥
ତୁ କୃଷ୍ଣ ମହିମା ନ ଜାଣୁ ।ମାତୁଳ ସୁତ ପ୍ରାୟ ମଣୁ ॥
ପ୍ରିୟ ସୁହୃଦ ମିତ୍ର ପରି ।ସଚିବ ବୁଦ୍ଧି କି ଆଚରି ॥
ଏହାଙ୍କୁ ଦୂତରେ ନିଯୋଗି ।ପେଶିଳୁ ପଞ୍ଚଗ୍ରାମ ମାଗି ॥
ବାନ୍ଧବ ପ୍ରାୟ ସ୍ନେହ କରି ।ରଥେ ସାରଥି ପଣେ ବରି ॥
ଯହୁଁ ସେ ପ୍ରଭୁ ଭାବଗ୍ରାହୀ ।ସ୍ୱଭାବେ ପରାପର ନାହିଁ ॥
ଏଥକୁ ଭକ୍ତଙ୍କର ହିତେ ।ଦେଖ ଈଶ୍ୱର ଦୟା କେତେ ॥
ଜୀବନ ଛାଡ଼ିବାର ବେଳେ ।ମିଳିଲେ ଶରଶଯ୍ୟାଠାରେ ॥
ଯାର ଚରଣ ଭକ୍ତି ଭରେ ।ନିଶ୍ଚିନ୍ତ ଚିତ୍ତ ଅନ୍ତଃକାଳେ ॥
ତୁଣ୍ଡେ ଯେ ନାମ ଉଚ୍ଚାରନ୍ତି ।ପରମ ପଦେ ସେ ବସନ୍ତି ॥
କର୍ମ ବାସନା ଯାଏ ଦୂର ।ଏମନ୍ତ ମହିମା ଯାହାର ॥
ସେ ଦେବ ଦେବ ଭଗବାନ ।ଭାବେ ଜାଣିଲେ ମୋର ମନ ॥
ଚିତ୍ତେ ପ୍ରକାଶ ହେଉ ମୋର ।ମୁହିଁ ଛାଡ଼ିବି କଳେବର ॥
ପ୍ରଫୁଲ୍ଲ କମଳ ଲୋଚନ ।ସୁନ୍ଦର ପ୍ରସନ୍ନ ବଦନ ॥
ଚକ୍ର ସହିତେ ଚାରିବାହୁ ।ତା ପାଦେ ମୋର ଧ୍ୟାନ ରହୁ ॥
ଭୀଷ୍ମ ବଚନ କର୍ଣ୍ଣେ ଶୁଣି ।ଧର୍ମନନ୍ଦନ ମନେ ଗୁଣି ॥
ଶରଶଯ୍ୟାରେ ଭୀଷ୍ମେ ଚାହିଁ ।କର ଅଞ୍ଜଳି ଶିରେ ଦେଇ ॥
ବିବିଧ ଧର୍ମ ପଚାରିଲେ ।ଅନେକ ମୁନିଗଣ ତୁଲେ ॥
ସ୍ୱଭାବେ ଯେତେ ଯେତେ ମତ ।ସଂସାର ଜନଙ୍କର ହିତ ॥
ରାଗ ବୈରାଗ୍ୟ ଯାହା କରି ।ଯେ ମାର୍ଗେ ସଂସାରୁ ନିସ୍ତରି ॥
ଯେ ରାଜବିଧି ରାଜଧର୍ମ ।ମୋକ୍ଷ ସାଧନେ ଯେତେ କର୍ମ ॥
ଯେତେ ବିଭାଗେ ଯେତେ କରି ।ଗୃହୀ ବନସ୍ତ ବ୍ରହ୍ମଚାରୀ ॥
ନାରୀର କର୍ମ ଯେତେ ଧର୍ମ ।ଯେ ବିଷ୍ଣୁ ଭକ୍ତଙ୍କର କର୍ମ ॥
ଯଥାର୍ଥ କାମ ମୋକ୍ଷ ଆଦି ।ଯେତେ ପ୍ରକାରେ ସାଧ୍ୟ ବିଧି ॥
ସକଳ କହିଲେ ହରଷେ ।ସେ ପୁଣ୍ୟଗ୍ରନ୍ଥ ଇତିହାସେ ॥
ଏମନ୍ତ କହି ନାନା ଧର୍ମ ।ଭୀଷ୍ମର ଚିତ୍ତ ଚିନ୍ତି କର୍ମ ॥
ତକ୍ଷଣେ କୃଷ୍ଣ ଭାବ ଘେନି ।ଗଙ୍ଗାନନ୍ଦନ ହୋଏ ତୁନି ॥
ସିଦ୍ଧ ପୁରୁଷ ଯୋଗବଳେ ।ଯାହା ଚିନ୍ତନ୍ତି ଅନ୍ତଃକାଳେ ॥
ସେ କାଳ ଅତି ପୁଣ୍ୟଧାମ ।ଉତ୍ତରାୟଣ ତାର ନାମ ॥
ସକଳ ଆଗମନ ଦେଖି ।ସେଙ୍କାଚ କଲେ ବେନି ଆଖି ॥
ସହସ୍ର ସହସ୍ର ବଚନ ।ଶୁଣାଇ ହୋଇଲେ ମଉନ ॥
କୁସଙ୍ଗ ହରି ଦୃଢ଼ ମନେ ।କୃଷ୍ଣ ଚରଣେ ଅବଧାନେ ॥
ସେ ହରି ଅଛି ଆଗେ ବସି ।ଚତୁର ଭୁଜକୁ ପ୍ରକାଶି ॥
ପୀତବସନ କଟିଭାଗେ ।ବିଜୁଳି ଯେହ୍ନେ ନୀଳମେଘେ ॥
ଏମନ୍ତ କୃଷ୍ଣ ରୂପ ହେଜି ।ଭାବ ଗଦ୍ଗଦେ ଚକ୍ଷୁବୁଜି ॥
ଧାରଣ ଯୋଗ ଧ୍ୟାନ କରି ।ସଂଶୟ ଦୂରେ ପରିହରି ॥
ଯୁଦ୍ଧର ଯେତେ ଶ୍ରମ ଥିଲା ।ତକ୍ଷଣେ ଶରୀରୁ ଛାଡ଼ିଲା ॥
ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ ।ଚିତ୍ତୁ ଛାଡ଼ିଲା ମତିଭ୍ରମ ॥
ଅନ୍ତରେ ବେନି କରଯୋଡ଼ି ।ବୋଲେ ଗୋବିନ୍ଦ ପାଦେ ପଡ଼ି ॥
ଭୀଷ୍ମ ଉବାଚଏହି ପକ୍ରାରେ ମୋର ମନ ।କୃଷ୍ଣ ଅର୍ଜ୍ଜୁନ କୃଷ୍ଣ ନାମ ॥
ସର୍ବ ବିଷୟ ତେଜି ଦୂରେ ।ଦିବ୍ୟ ଚେତନା ନିର୍ବିକାରେ ॥
କୃଷ୍ଣ ଶରୀରେ ହେଉ ଲୀନ ।ଯେ ହରି ଜଗତେ ପ୍ରଧାନ ॥
ଯାର ମହିମା ଯୋଗୀଜନେ ।ଚିନ୍ତି ନ ପାରେ ଯୋଗଧ୍ୟାନେ ॥
ସେ ସୁଖ ପାଇ ଏ ଜଗତେ ।ପ୍ରକୃତି ନାଶେ ଅବିରତେ ॥
ପ୍ରକୃତି ତହୁଁ ଏ ଜଗତ ।ପ୍ରବାହ ରୂପେ ଆତଯାତ ॥
ତମାଳ ପତ୍ର ପ୍ରାୟ ବର୍ଣ୍ଣ ।ଯେ ରୂପେ ମୋହେ ତ୍ରିଭୁବନ ॥
ପୀତବସନ କଟି ଶୋହେ ।ପ୍ରକାଶେ ରବି ରଶ୍ମି ପ୍ରାୟେ ॥
ଅଳକା ଆବୃତ କପାଳ ।ବିରାଜେ ବଦନ କମଳ ॥
ଅର୍ଜ୍ଜୁନ ସଖା ପାଦତଳେ ।ମୋ ଚିତ୍ତ ରହୁ ଯେ ନିଶ୍ଚଳେ ॥
ସଂଗ୍ରାମେ ଅଶ୍ୱଧୂଳି କାୟେ ।ଶିର ବଦନ ଧୂମ ପ୍ରାୟେ ॥
ବିରାଜେ ସ୍ୱେଦକଣା ରଙ୍ଗେ ।ବିବିଧ ଅଳଙ୍କାର ଅଙ୍ଗେ ॥
ମୋହର ତୀକ୍ଷ୍ଣ ବାଣପନ୍ତି ।ଯାର କବଚେ ଝଟକନ୍ତି ॥
ସେ ପୁରେ ପଶୁ ମାର ପ୍ରାଣ ।ସ୍ୱଭାବେ ଯେହୁ ପରିତ୍ରାଣ ॥
ସେ ହରି ଅର୍ଜ୍ଜୁନ ବଚନେ ।ରଥ ନିବେଶି ମଧ୍ୟ ସୈନ୍ୟେ ॥
ଅନାଇ କଟାକ୍ଷ ଲୋଚନେ ।ଆୟୁଷ ହରେ ପରସନ୍ନେ ॥
ତାର ଚରଣ ମନେ ଚିନ୍ତି ।ନିରତେ ହେଉ ମୋର ପ୍ରୀତି ॥
ଯୁଦ୍ଧର ଅର୍ଥେ କୋପ କରି ।ସକଳ ଶସ୍ତ୍ର କରେ ଧରି ॥
ସମରେ ଦେଖି ବନ୍ଧୁଜନ ।ଦୟାରେ ନ ଯୁଝେ ଅର୍ଜ୍ଜୁନ ॥
ମାୟାରେ ତାର ମନ ମୋହି ।ଅନେକ ଆତ୍ମଜ୍ଞାନ କହି ॥
ଅର୍ଜ୍ଜୁନ କୁମତି ହରିଲା ।ଛଳେ ସମସ୍ତ ସଂହାରିଲା ॥
ତାର ଚରଣେ ମୋହ ମତି ।ନିଶ୍ଚଳ କରି ଆତ୍ମ ଗତି ॥
ମୋହର ତୁଲେ ସତ୍ୟ କଲା ।ଶସ୍ତ୍ର ନ ଧରିବି ବୋଇଲା ॥
ମୋହର ତୀକ୍ଷ୍ଣ ବାଣେ କୋପୀ ।ମୋର ବଚନେ ମୋତେ ସ୍ଥାପି ॥
ତକ୍ଷଣେ ଅସ୍ତ୍ରଧରି ହସ୍ତେ ।ରଥୁଁ ଧାଇଁଲା ଭୂମିଗତେ ॥
ଧାମନ୍ତେ ଅବନୀ କମ୍ପିଲା ।ଉତ୍ତରୀ କନ୍ଧୁ ଉଡ଼ିଗଲା ॥
ଚକ୍ର ଉଞ୍ଚାଇ ମହାକୋପେ ।ମିଳିଲା ମୋହର ସୀମପେ ॥
ଧର୍ମେଣ ସମର ଉପେକ୍ଷି ।ସିଂହ ଯେସନେ ଗଜ ଦେଖି ॥
ମୁଁ ଆତତାୟୀ ପଣେ ରୁନ୍ଧି ।ଅନେକ ବାଣ ତାରେ ବିନ୍ଧି ॥
ବିଛିନ୍ନ କଲି ସେନା ସଙ୍ଗେ ।ଦେଖି ଧାଇଁଲା ଅତି ବେଗେ ॥
ରୁଧିର ଭୂଷଣ ଶରୀରେ ।ଭୂମି କମ୍ପଇ ପାଦ ତଳେ ॥
ସେ ହରି ଧ୍ୟାୟୀ ମୋର ପ୍ରାଣ ।ମୁଁ ଏବେ ପଶିଲି ଶରଣ ॥
ବିଜୟ ରଥେ ଯେ ସାରଥି ।ରଥ ଆରୋହି ଶୁଭଚିନ୍ତି ॥
ସଂଗ୍ରାମ କରି ଯେତେ ମଲେ ।ସାତ୍ତ୍ୱିକ ମୁକ୍ତି ସେ ଲଭିଲେ ॥
ଏବେ ସଂଗ୍ରାମ ଅନ୍ତଃକାଳେ ।ମୋ ଚିତ୍ତ ରହୁ ପାଦତଳେ ॥
ଗୋପ ନଗରେ ବୃନ୍ଦାବନେ ।ରାସଉତ୍ସବ ଗୋପୀଜନେ ॥
ଲଳିତ ଗତି ସୁବିଳାସ ।ମନୋଜ୍ଞ ହୃଷ୍ଣ ମନ୍ଦହାସ ॥
ଯାହାର ସଙ୍ଗେ ଭାବ କରି ।ଭବ ସାଗରୁ ଗଲେ ତରି ॥
ଧର୍ମ ନନ୍ଦନ ଯଜ୍ଞଶାଳେ ।ଋଷି ବ୍ରାହ୍ମଣ ଦେବମେଳେ ॥
ଯାହାର ପାଦେ ଅର୍ଘ୍ୟ ଦେଇ ।ସୁଖେ ସୁନ୍ଦର ମୁଖ ଚାହିଁ ॥
ସକଳ ଗଲେ ମୋକ୍ଷ ମାର୍ଗେ ।ସେ ଏବେ ଦିଶୁ ମୋର ଅଗ୍ରେ ॥
ନିର୍ମଳ ଆତ୍ମାରୂପ ହୋଇ ।ଜ୍ଞାନୀଙ୍କ ହୃଦେ ସେ ପଶଇ ॥
ସକଳ ଚକ୍ଷୁ ଦ୍ୱାରେ ଭାବି ।ଯେହ୍ନେ ପ୍ରକାଶ ହୁଏ ରବି ॥
ଯେ ହରି ପଦେ ସୁଖେ ଭଜି ।ପଶନ୍ତି ଭାବ ମୋହ ତେଜି ॥
ଶ୍ରୀ ସୂତ ଉବାଚଏମନ୍ତେ ଗୋବିନ୍ଦ ବିଷୟେ ।ଯାହାର ତତ୍ତ୍ୱଜ୍ଞାନ ହୋଏ ॥
ଆତ୍ମାରେ ଆତ୍ମା ସ୍ଥିର କରି ।ପବନେ ପବନ ସଂହାରି ॥
ଦେଖନ୍ତି ସୁର ନର ମୁନି ।ଗଙ୍ଗା ନନ୍ଦନ ହେଲେ ତୁନି ॥
ଜୀବ ତେଜିଲା ଭାବ ମୋହେ ।ପଶିଲା ଗୋବିନ୍ଦର ଦେହେ ॥
ଭୀଷ୍ମ ମରଣ ଦେଖି ଭଲେ ।ଯେ ଅବା ଥିଲେ କୃଷ୍ଣ ତୁଲେ ॥
ସଭୟେ ବସିଲେ ସମସ୍ତେ ।ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ॥
ତକ୍ଷଣେ ଦୁନ୍ଦୁଭି ଶବଦ ।ଦେବ ଦାନବେ କଲେ ବାଦ୍ୟ ॥
ସାଧୁ ଶବଦ ଶୂନ୍ୟପୁରେ ।ପୁଷ୍ପ ବରଷେ ନିରନ୍ତରେ ॥
ତକ୍ଷଣେ ଯୁଧିଷ୍ଠିର ଯାଇ ।ଅନଳେ ଭୀଷ୍ମ ଦେହ ଦହି ॥
ମୁହୂର୍ତ୍ତେ ବସି ଦୁଃଖ ମନେ ।ଉଠି ସକଳ ମହାଜନେ ॥
ଯେ ଯାହାମତେ ସ୍ତୁତି କଲେ ।ନମିଲେ କୃଷ୍ଣ ପାଦତଳେ ॥
ଉଠି ସକଳେ ଦୁଃଖ ଚିତ୍ତେ ।ଗୃହେ ଚଳିଲେ ନିଜ ପଥେ ॥
ପାଣ୍ଡବେ ଗୋବିନ୍ଦ ସଙ୍ଗତେ ।ହସ୍ତିନା ମିଳିଲେ ତୁରିତେ ॥
ତକ୍ଷଣେ ଅନ୍ତଃପୁରେ ଯାଇ ।ଅନ୍ଧ ଗାନ୍ଧାରୀଙ୍କି ବସାଇ ॥
ଗୋବିନ୍ଦ ଧୃତରାଷ୍ଟ୍ର ବୋଲେ ।ଯୁଧିଷ୍ଠିରଙ୍କୁ ରାଜା କଲେ ॥
ଯାହାଙ୍କ ପିତା ରାଜା ଥିଲେ ।ସେ ରାଜା ସୁଖେ ରାଜ୍ୟ କଲେ ॥
ଏମନ୍ତ କରି ରାଜପଣ ।ସଙ୍ଗତେ ଘେନି ନାରାୟଣ ॥
ସେ ନାରାୟଣ ପାଦଗତ ।ଶରଣ ଦାସ ଜଗନ୍ନାଥେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଯୁଧିଷ୍ଠିର ରାଜ୍ୟପ୍ରଲମ୍ୱୋ ନାମନବମୋଽଧ୍ୟାୟଃ ।