ରାମାଭିଷେକ
୧୮୫୮–୧୯୧୭
- ପଢ଼ିବା ସମୟ
- ୧୭୯ ମିନିଟ୍
- ଶବ୍ଦ
- ୨୮୫୯୧
- ସ୍ଥିତି
- ସାର୍ବଜନୀନ (Public domain)
ନାଟ୍ୟୋଲ୍ଲିଖିତ ବ୍ୟକ୍ତିମାନଙ୍କର ନାମ ।ପୁରୁଷ ।ରାମ ଦଶରଥପୁତ୍ର ।ଲକ୍ଷ୍ମଣ ଦଶରଥପୁତ୍ର ।ଭରତ ଦଶରଥପୁତ୍ର ।ଶତ୍ରୁଘ୍ନ ଦଶରଥପୁତ୍ର ।ସୁଗ୍ରୀବ କିସ୍କିନ୍ଧ୍ୟାରାଜ ।ହନୁମାନ ସଚିବ ।ଅଙ୍ଗଦ ଯୁବରାଜ ।ସୁଷେଣ ଭିଷକ୍ ।ନଳ ସ୍ଥପତି ।ନୀଳ ସେନାପତି ।ଜାମ୍ବବାନ ଋକ୍ଷରାଜ ।ମୈନ୍ଦ ଅଶ୍ୱିପୁତ୍ରଦ୍ୱୟ ।ଦ୍ୱିବିଦ ଅଶ୍ୱିପୁତ୍ରଦ୍ୱୟ ।ରାବଣ ଲଙ୍କାଧିପତି ।ବିଭୀଷଣ ରାବଣ-ଭ୍ରାତାସୁପାର୍ଶ୍ୱ ରାବଣ-ମନ୍ତ୍ରୀ ।ମହାପାର୍ଣ୍ୱ ରାବଣ ସେନାପତି ।ମହୋଦର ରାବଣ ସେନାପତି ।ବିରୂପାକ୍ଷ ରାବଣ ସେନାପତି ।ମାଳତି ଇନ୍ଦ୍ର-ସାରଥି ।ଭରଦ୍ୱାଜ ଋଷି ।ସାନନ୍ଦ ଅଯୋଧ୍ୟାବାସୀ ।ଶୋଭନ ଅଯୋଧ୍ୟାବାସୀ ।ବଶିଷ୍ଠାଦି ମହର୍ଷିଗଣ ।ସ୍ତ୍ରୀରାବଣ-ସାରଥି, ଶିଷ୍ୟବର୍ଗ, ଡଗର, ଭାରୁଆ, ଦଣ୍ଡଚାମରଧାରୀ, ମନ୍ତ୍ରୀବର୍ଗ, ସଙ୍ଗୀତଦଳ, ସୈନିକଗଣ, ବନ୍ଦୀଚତୁଷ୍ଟୟ ଇତ୍ୟାଦି ।ସୀତା ରାମ-ପତ୍ନୀ ।ଊର୍ମିଲା ଲକ୍ଷ୍ମଣ-ପତ୍ନୀ ।ମାଣ୍ଡବୀ ଭରତ-ପତ୍ନୀ ।ଶ୍ରତୃକୀର୍ତ୍ତି ଶତ୍ରୁଘ୍ନ-ପତ୍ନୀ ।ପ୍ରମଦା ସହଚରୀ ।ସୁନନ୍ଦା ଗାୟିକା ।କୌଶଲ୍ୟା ରାମ-ମାତା ।କୈକେୟୀ ଭରତ-ମାତା ।ସୁମିତ୍ରା ଲକ୍ଷ୍ମଣଶତ୍ରୁଘ୍ନ-ମାତା ।ମନ୍ଦୋଦରୀ ରାବଣ-ପତ୍ନୀ ।ସରମା ବିଭୀଷଣ-ପତ୍ନୀ ।ଚଣ୍ଡୋଦରୀ ରାକ୍ଷସୀ ।ପ୍ରଷ୍ୱସା ରାକ୍ଷସୀ ।ଅଜାମୁଖୀ ରାକ୍ଷସୀ ।ତାରା କିସ୍କିନ୍ଧ୍ୟର ମହିଷୀ ।ରୁମା କିସ୍କିନ୍ଧ୍ୟର ମହିଷୀ ।ରାକ୍ଷସୀଗଣ, ପରିଚାରିକାବର୍ଗ, ଦାସୀ, ଯୋଗିନୀଗଣ, ବେହେରାଣୀ, ପୁରନାରୀ, ଅଦୃଷ୍ଟକୁମାରୀ ଇତ୍ୟାଦି ।* ସନ ୧୯୧୭ ଖ୍ରୀଷ୍ଟାବ୍ଦରେ ରଚିତ ଓ ଅଭିନୀତ ।ପ୍ରସ୍ତାବନା[ଗୀତ ଗାଉଁ ଗାଉଁ ଅଦୃଷ୍ଟ-କୁମାରୀମାନଙ୍କର ପ୍ରବେଶ ।]ଅ, କୁ ।- (ନୃତ୍ୟସହିତ ଗୀତ ।)ରାଗିଣୀ ସିନ୍ଧୁଖମ୍ବାଜ । ତାଳ ଯତ୍ ।ଯେ ପିଇଛି ରାମାମୃତ ଧରା ତାକୁ ମୋକ୍ଷପଥ ।ଧରା ଢାଳେ ସୁଧାଧାରା ଜନମ କରେ କୃତାର୍ଥ । ଘୋଷା ॥
ଜନକ-ଜନନୀ-ବାଣୀ ଅକାତରେ କେହୁ ମାନିରାଜଶ୍ରୀ ସମ୍ପଦ ପୁଣି ଛାଡ଼ି ବନେ ବାସ ଘେନି,କେ କାମିନୀ-କାମବାଣୀ ହେଳେ ପକାଇଛି ହାଣି,ସାଧୁ ପରିତ୍ରାଣ ମଣି କରିଛି ଶ୍ରମ ଯଥାର୍ଥ । ୧ ।କେ ଲଙ୍ଘିଛି ପାରାବାର ବାନ୍ଧ ସେତୁ ସୁବିଶାଳ,ବଧି ରାକ୍ଷସ କରାଳ ହରିଲେ ପୃଥିବୀ-ଭାର,ସହି କ୍ଳେଶ ଅକୂପାର କେ କରେ ସତୀ ଉଦ୍ଧାର,-ଜୟ-ବୈଜୟନ୍ତି ତାର ଉଡ଼ୁଛିଆଜି କେମନ୍ତ । ୨ ।ପାଇ ଯାର ସଖାପଣ ଲଙ୍କେଶ୍ୱର ବିଭୀଷଣସୁଗ୍ରୀବ କିଷ୍କିନ୍ଧ୍ୟାରାଣ ସୁଖେ କଲେ ଅଧିଷ୍ଠାନ,ନଳ ନୀଳ ହନୁମାନ ସୁଷେଣାଦି ସର୍ବେ ଜାଣଗୁଣେ ବଶ ମାନି ପ୍ରାଣ ସମର୍ପି ସଂସାର-ମୁକ୍ତ । ୩ ।ଗାଅ ରାମ-ଗୁଣରାଶି ଅକଳଙ୍କ ଯଶ ଘୋଷିକରମେ ଅଳସ ନାଶି ଭୁଞ୍ଜ ସୁଖ ଦିବାନିଶି;ଧର୍ମେ ଲାଭ ଜୟଶଶୀ ଅଧର୍ମ-ଅନ୍ଧାର-ଗ୍ରାସୀ,-ସେ ଆଦର୍ଶ ପରକାଶି ଭୁଞ୍ଜ ସୁଖେ ପରମାର୍ଥ । ୪ ।ଯବନିକାପତନ ।ପ୍ରଥମ ଅଭିନୟ(ଲଙ୍କା)
ପ୍ରଥମ ଦୃଶ୍ୟ
ପ୍ରାନ୍ତର[ରାମଚନ୍ଦ୍ର ଓ ସୁଗ୍ରୀବ ଆସୀନ ।]
ରାମ ।- ସଖେ ! ଇନ୍ଦ୍ରଜିତ ଭାରୀ ପ୍ରତାପୀ । ଇନ୍ଦ୍ରକୁ ଜୟକରି ସହଜରେ ତାହାର ଗର୍ବ ବଢ଼ିଥିଲା, ତହିଁ ଉପରେ ମୋତେ ଆଉ ଲକ୍ଷ୍ମଣକୁ ସେଦିନ ନାଗପାଶରେ ବାନ୍ଧିଲା ବୋଲି ସେ ଗର୍ବ ଚତୁର୍ଗୁଣ ହୋଇଛି ! ମହାତେଜା ବନ୍ଧୁବର ଗରୁଡ଼ ହେତୁ ସେ ବାଣବନ୍ଧନରୁ ଉଦ୍ଧାର ପାଇଲୁଁ । ବାଳିପୁତ୍ର ଯୁବରାଜ ଅଙ୍ଗଦ ନିଶାଯୁଦ୍ଧରେ ସାରଥି ଓ ଘୋଡ଼ାମାନଙ୍କୁ ବଧକରି ଇନ୍ଦ୍ରଜିତକୁ ଅପମାନିତ କରିଥିଲେ-ଇନ୍ଦ୍ରଜିତ ମଧ୍ୟ ହାରି ପଳାଇ ଯାଇଥିଲା ତଥାପି ସେ ଜାଣି ଶୁଣି ପୁନର୍ବାର ଆପଣାକୁ ଯୁଦ୍ଧାନଳରେ ପକାଇଛି ।
ସୁଗ୍ରୀ ।- ତାର ପିତା ରାବଣର ବଳ ମୁଁ ଲଙ୍କାବେଷ୍ଟନ ପୂର୍ବରୁ ଦ୍ୱନ୍ଦଯୁଦ୍ଧରେ କଳି ନେଇଛି । ଯେଉଁ ରାବଣ ଯୁଦ୍ଧରେ ଥକାହୋଇ ମୁଁ ଉପରେ ଥିବାରୁ ଆଖି ତରାଟି ରହି ଯାଇଥିଲା ଇନ୍ଦ୍ରଜିତ ତାହାରି ପୁତ୍ର । ମହାବୀର ଲକ୍ଷ୍ମଣଙ୍କ ନିକଟରେ ସେ ଛାରପୋକ ପରି ।
ରାମ ।- ତା ସତ, ମାତ୍ର ବିଭୀଷଣ ଲକ୍ଷ୍ମଣଙ୍କୁ ସଙ୍ଗେଘେନି ଗଲା ଉତ୍ତାରୁ ତିନିଦିନ ତିନିରାତି ଚାଲିଗଲା, ଅଥଚ ଯୁଦ୍ଧର ବିରାମ ନାହିଁ । ବାଣର ଶବ୍ଦରେ ମେଦିନୀ କମ୍ପିତ ହେଉଛି । ସାଗରଗଜନରୂପ ଉଭୟକୁଳର ଅଗଣିତ ସେନାଙ୍କ ସମରନିନାଦ ସଙ୍ଗେ ମେଘ-ଘଡ଼ଘଡ଼ପରି ବାଣ-ନିର୍ଘୋଷ ଆକାଶ ପାତାଳ ଅବିରତ ଚହଳାଉଛି ବିଜୁଳିରୁ ବଳି ବାଣାଲୋକ ଦିଗ୍ବିଦିକ ଚମକାଇ ଆଖି ଝଲସାଉଛି । ଥରେ ଥରେ ତାହା ରହିଗଲାମାତ୍ରକେ ମୋର ମନରେ ଛନକା ପଶିଯାଏ ଆଉ ଲକ୍ଷ୍ମଣର ବିପଦ ହେଲାକି ବୋଲି ମନ ଘାଣ୍ଟି ହୁଏ ।
ସୁଗୀ ।- ଜୀବନସଖେ ! ପ୍ରିୟଜନର ବିପଦ ଆଗେ ମନରେ ଉଦୟ ହେବା ସ୍ୱାଭାବିକ । ମାତ୍ର ଆପଣ ବୀର ଲକ୍ଷ୍ମଣଙ୍କର ବିପଦାଶଙ୍କା ନ କରନ୍ତୁ । ତହିଁରେ ପୁଣି ରାକ୍ଷସବୀର ସ୍ୱୟଂ ବିଭୀଷଣ ତାଙ୍କର ସହାୟରୂପେ ପ୍ରାଣ ପରି ଜଗିଛନ୍ତି । ବିଭୀଷଣଙ୍କ ଭୀଷଣ ଗଦା ଆଗରେ ଇନ୍ଦ୍ରଜିତ ଛାର । ପୁତୁରା ବୋଲି ଇନ୍ଦ୍ରଜିତ ପ୍ରତି ସ୍ନେହ ଉଦାରଚରିତ ବିଭୀଷଣଙ୍କ ମନରେ ଜଗି ଥିଲେହେଁ ବେଳେ ବେଳେ ପୁତୁରାର ପୁରୁଷ କଥା ସହି ନପାରି ଯୁଦ୍ଧକରି ଅପମାନ ଦେବାକୁ ସେ ଛାଡ଼ନ୍ତି ନାହିଁ । ବିଭୀଷଣଙ୍କ ମନ୍ତ୍ରୀ ଚାରିଜଣ ମଧ୍ୟ କେହି କାହାରିକି ଊଣା ନୁହନ୍ତି ।
ରାମ ! - ତାହା ଯଥାର୍ଥ-ରାକ୍ଷାସକୁଳରେ ଜନ୍ମ ଗ୍ରହଣକରି ଏମନ୍ତ ସାଧୁଚରିତ୍ର ଆଉ ବିଶ୍ୱାସୀ ବନ୍ଧୁ ମିଳିବା ଦୁଷ୍କର । ସ୍ୱାମୀ ଭଲହେଲେ ଭୃତ୍ୟ ଯେ ଭଲ ହୁଅନ୍ତି ତାହା ତାଙ୍କର ଚାରି ମନ୍ତ୍ରିଙ୍କି ଦେଖିଲେ ଉତ୍ତମ ରୂପେ ଜଣାଯାଏ । ରାବଣ ହିତକଥା ମାନିଲା ନାହିଁ-ସୀତାଙ୍କୁ ସମର୍ପଣ କରି ମୋ ସଙ୍ଗେ ସନ୍ଧିତ କଲାନାହିଁ, ବରଂ ତହିଁ ଉପରେ ପେଟର ଭାଇକୁ ଯା’ଇଚ୍ଛା ଗାଳିଦେଇ ସଭାମଧ୍ୟରେ ଅପମାନ କରିବାରୁ ବିଭୀଷଣ ଆଉ କେତେ ସହିବେ ? ସେ ମୋର ଆଶ୍ରୟ ନେବାକୁ ଚାଲି ଆସିବା ସଙ୍ଗେ ସଙ୍ଗେ ବିଶ୍ୱାସୀ ସହଚରମାନେ ଚାଲି ଆସିଲେ । ସେ ଚାରି ଜଣ ଚାରିସହସ୍ର ଲୋକର କାର୍ଯ୍ୟ କରୁଛନ୍ତି ।
ସୁଗ୍ରୀ ।- ବିନାଶକାଳେ ବିପରୀତବୁଦ୍ଧି ! ରାବଣକୁ ସବଂଶେ ମରିବାର ଯୋଗ ଅଛି ଭାଇଙ୍କ ଭଲକଥା ତାଙ୍କୁ ରୁଚିବ କାହିଁକି ? ଏକା ବିଭୀଷଣ ଆସି ନ ଥିଲେ ଆମ୍ଭେମାନେ ରାକ୍ଷସଙ୍କ ଭେଦପାଇ ନ ଥାନ୍ତୁଁ,-କିଏ ଆମ୍ଭମାନଙ୍କୁ କହିଥାନ୍ତା ନିକୁମ୍ଭିଲା ଯଜ୍ଞ ସମାପନ କରି ଇନ୍ଦ୍ରଜିତ ଯୁଦ୍ଧକୁ ଆସିଲେ ଚରାଚରରେ ଏମନ୍ତ କେହିନାହିଁ ଯେ ଇନ୍ଦ୍ରଜିତକୁ ମାରିପାରେ । ନିକୁମ୍ଭିଲା ଯଜ୍ଞ ଯେତେବେଳେ ଭଙ୍ଗ ହୋଇଛି ତେତିକି ବେଳୁଁ ରାବଣର ଛତ୍ରଭଙ୍ଗସଙ୍ଗେ ଇନ୍ଦ୍ରଜିତର ଦର୍ପ ତୁଟିଛି ।
ରାମ ।- ସେ କଥା ସତ । ବିଭୀଷଣ ନ ଥିଲେ ଭେଦ ବାହାରି ନ ଥାନ୍ତା ।-ସଖେ, ମୋତେ ଧର୍ମ ସହାୟ । ମୁଁ ଧର୍ମକୁ ଜଗିଛି ବୋଲି ମୋତେ ସବୁ ଅନୁକୂଳ ହୋଇଛି । ବିଭୀଷଣ ଆସିବାତ କାଲିରକଥା- ମୁଁ ତୁମ୍ଭଙ୍କୁ ସଖାରୂପେ ପାଇ ନ ଥିଲେ ଏ ଯାକ ଆସିବା କାଠିକ ପାଠ ହୋଇଥାନ୍ତା ! ତୁମ୍ଭେ ସଖା ହୋଇଥିଲ ବୋଲି ତୁମ୍ଭସଙ୍ଗେ ବିଶ୍ୱକର୍ମାନନ୍ଦନ ସ୍ଥପତି ପ୍ରବର ନଳ ଆସି ଅଦ୍ଭୁତ କୌଶଳ ଓ କଳ ଲଗାଇ ପାଞ୍ଚଦିନରେ ସମୁଦ୍ର ଉପରେ ଶତ ଯୋଜନ ଦୀର୍ଘ ଦଶ ଯୋଜନ ବିସ୍ତୃତ ସୁବିଶାଳ ସେତୁ ନିର୍ମାଣ କଲେ । ସେତୁ ନୋହିଥିଲେ ଆକାଶବିମାନରେ ସୁଦ୍ଧା କେତେ ସେନା କେତେ ଦିନରେ ସମୁଦ୍ର ପାରିକରାଇ ଲଙ୍କାରେ ପଦାର୍ପଣ କରିଥାନ୍ତ ? ଆଉ ତହିଁରେ ବିପଦ କେତେ ? ଶତ୍ରୃପକ୍ଷରେ ଆକାଶବିମାନ ଊଣାନାହିଁ-ଯୁଦ୍ଧକରି ଆକାଶମାର୍ଗରେ ଅଗଣିତ ସେନା ସମୁଦ୍ର ପାର କରାଇ ଆଣିବା ଅସାଧ୍ୟ ।
ସୁଗ୍ରୀ ।- ମୋତେ ଏକା ଧର୍ମ ସହାୟ !-ମୁଁ ଜଗି ଚାଲି ନ ଥିଲେ ମୋର ଅଧାର୍ମିକ ବଡ଼ଭାଇକି ବିଧକରି ମୁଁ ବାସ ଆଉ ଭାର୍ଯ୍ୟା ଫେରି ପାଇବା ସକାଶେ ଆପଣଙ୍କୁ ସଖାରୂପେ ପାଇ ଥାନ୍ତି କି ? ଈଶ୍ୱର ଧର୍ମ-ସେ ସଂସାରରେ ଧର୍ମ ସ୍ଥାପନ କରିବା କାରଣ ଦୁଷ୍କୃତ ପାପଚାରିମାନଙ୍କୁ ମାରିବାର ବାଟ କାଟୁଛନ୍ତି । ସେହିହେତୁ ଦୁର୍ମତିରାବଣ ବଳ ପୂର୍ବକ ସ୍ତ୍ରୀ ସମ୍ଭୋଗ କରି ନ ପାରିବା ଜାଣୁ ଜାଣୁ ଲକ୍ଷ୍ମୀସ୍ୱରୂପା ମହାସତୀ ସୀତାଦେବୀଙ୍କି ପଞ୍ଚବଟୀରୁ ହରଣ କରି ଘେନିଗଲା । ସେ କି ଜାଣେ ନା ଯେ ପୁଞ୍ଜିକାସ୍ଥଳୀ ଅପ୍ସରା ଆକାଶବାଟେ ବ୍ରହ୍ମାଙ୍କ ନିକଟକୁ ଗଲାବେଳେ ତାକୁ ବଳପୂର୍ବକ ଓଗାଳି ଉପଭୋଗ କରିବାରୁ ସେ ବ୍ରହ୍ମାଙ୍କ ଆଗରେ ଜଣାନ୍ତେ ବ୍ରହ୍ମା ଅଭିଶାପ ଦେଇଥିଲେ ଯେ ବଳପୂର୍ବକ କୌଣସି କାମିନୀ ସମ୍ଭୋଗ କଲେ ତାହାର ମୁଣ୍ଡ ଶଏଫାଙ୍କ ହୋଇ ଫାଟିଯିବ ? -ତା କାହିଁକି ରାବଣର ମୃତ୍ୟୁଯୋଗ ବିଧାତା ଶୂର୍ପଣଖାଠାରୁ ସୂତ୍ରପାତ କରିଛନ୍ତି । ପାପାତ୍ମା ରାବଣର ଦୁଶ୍ଚରିତ୍ରା ଭଉଣୀ ଶୂର୍ପଣଖା ଧର୍ମଛାଡ଼ି ଆପଣଙ୍କୁ ଆସକ୍ତ କରିବାକୁ ଆସିଥିଲା, ଆପଣ ଧର୍ମ ଜଗି ତାକୁ କୁରୂପା କରିବାର ଆଦେଶ ଦିଅନ୍ତେ ଧର୍ମର ଅନୁଚର ଯେଉଁ ବୀର ଲକ୍ଷ୍ମଣ ତୀକ୍ଷ୍ଣ ତରବାରିରେ ତାହାର ନାକକାନ କାଟିଥିଲେ ସେହି ଲକ୍ଷ୍ମଣ ଆଜି ଇନ୍ଦ୍ରଜିତକୁ ମାରି ରାବଣର ମାରିବାବାଟ ମୁକୁଳାଇବେ । ଆପଣ କିଛିମାତ୍ର ଚିନ୍ତା ନ କରନ୍ତୁ,-ବୀର ହନୁମାନ, ଜାମ୍ବବାନ, ଅଙ୍ଗଦ ଇତ୍ୟାଦି ସମସ୍ତେ ରଣକ୍ଷେତ୍ରରେ ଲକ୍ଷ୍ମଣଙ୍କର ସହାୟ ଅଛନ୍ତି ।
ନେପଥ୍ୟେ ।- (ଘୋର କୋଳାହଳ ।)ରାମ ।- (ଟିକିଏ କାନଡେରି) ସଖେ ! ଏ କି ? ଘୋର କୋଳାହଳ ଶୁବିଲା !
ସୃଗୀ ।- ମୋତେ ବୋଧହୁଏ ଆମ୍ଭମାନଙ୍କର ଜୟଲାଭ ହେଲା । ଲକ୍ଷ୍ମଣର ଜୟ ଶୁବୁ ନାହିଁକି ? ଆକାଶର ଦୁନ୍ଦୁଭିଧ୍ୱନି ଆଉ ପୁଷ୍କବୃଷ୍ଟିରୁ ସନ୍ଦେହ ରହୁନାହିଁ ।
ରାମ ।- ମୋତେ ସେହିପ୍ରାୟ ଜଣାପଡ଼େ । କୋଳାହଳ ଏହିଆଡ଼େ ଧାଇଁ ଆସୁଛି ।ନେପଥ୍ୟେ ।- (‘ଜୟ ଲକ୍ଷ୍ମଣର ଜୟ’ କୋଳାହଳ ଶବ୍ଦ ।)ସୁଗ୍ରୀ ।- ନିଶ୍ଚୟ ଆମ୍ଭମାନଙ୍କର ଜୟ ହେଲା !
[ବିଭୀଷଣ ଓ ହନୁମାନ ଉପରେ ଭର ଦେଇ ଲକ୍ଷ୍ମଣର ଓ ‘ଜୟ ଲକ୍ଷ୍ମଣର ଜୟ’ ଶବ୍ଦକରି ଅଙ୍ଗଦ, ଜାମ୍ବବାନ, ସୁଷେଣ ଓ ଅନ୍ୟ ସେନାଗଣର ପ୍ରବେଶ ।]
ବିଭୀ ।- (ଆନନ୍ଦରେ) ମହାତେଜା ଲକ୍ଷ୍ମଣ ରାବଣିର ମୁଣ୍ଡ କାଟିପକାଇଲେ ।ଲକ୍ଷ୍ମ ।- (ରାମଚନ୍ଦ୍ରଙ୍କୁ ପ୍ରଦକ୍ଷିଣ କରଣ ।)
ରାମ ।- ବିଭୀଷଣ ! ତୁମ୍ଭର ପ୍ରସନ୍ନ ମୁଖ ଓ ସନ୍ତୋଷ ଭାବ ଦେଖି ମୁଁ ମନେ କରିଥିଲି ଇନ୍ଦ୍ରଜିତ ନିହତ ହୋଇଛି । (ଉଠି ଲକ୍ଷ୍ମଣକୁ ଧରି) ସାଧୁ ଲକ୍ଷ୍ମଣ ! ତୁମ୍ଭର ଦୁଷ୍କର କାର୍ଯ୍ୟରେ ମୁଁ ସନ୍ତୁଷ୍ଟ ହେଲି । ଇନ୍ଦ୍ରଜିତର ବିନାଶରେ ଏବେ ଜୟ ହେଲା ବୁଝିରଖ । (ଲକ୍ଷ୍ମଣର ମସ୍ତକ ଆଘ୍ରାଣ କରି ଧରିବସି ଦେହରେ ବାହୁ ବେଷ୍ଟନ ପୂର୍ବକ କୋଳରେ ବସାଇ ବାରମ୍ବାର ସସ୍ନେହ ଦୃଷ୍ଟିପାତ କରି) ଭାଇ ଲକ୍ଷ୍ମଣ ! ତୁମ୍ଭେ ଦୁଷ୍କର କାର୍ଯ୍ୟଦ୍ୱାରା ପରମ କଲ୍ୟାଣକର କାର୍ଯ୍ୟ କରିଛ ।-ପୁତ୍ର ହତ ହେବାରୁ ଯୁଦ୍ଧରେ ରାବଣ ନିହତ ହେଲା ବୋଲି ମୋତେ ଲାଗୁଛି । ବୀର ! ସେହି ଦୂରାତ୍ମା ନିହତ ହେବାରୁ ଆଜି ମୁଁ ଆପଣାକୁ ବିଜୟୀ ବୋଲି ମଣୁଛି । ଲକ୍ଷ୍ମଣ ! ଇନ୍ଦ୍ରଜିତ ରାବଣର ଏକମାତ୍ର ଭରସା ଥିଲା । ଆଜି ତୁମ୍ଭେ ତାହାକୁ ମାରି ନିଷ୍ଠୁର ରାବଣର ଡାହାଣ ହାତ ଛିଣ୍ଡାଇ ଦେଇଛ । ବିଭୀଷଣ ଓ ହନୁମାନ ଯୁଦ୍ଧକୁ ଯାଇ ଅତି ମହତ୍କାର୍ଯ୍ୟ କରିଛନ୍ତି । ତିନିଦିନ ତିନିରାତି ଅବିରାମ ଲଢ଼ି ତାହାକୁ ନିପାତ କରିଛ । ମୁଁ ଆଜି ନିଃଶତ୍ରୁ ହେଲି । ଆଜି ରାବଣ ବାହାରିବ-ଢେର ବଳବ୍ୟୁହ ଘେନି ରାବଣ ବାହାରିବ-ପୁଅ ହାଣ ଖାଇବା କଥା ଶୁଣି ବିସ୍ତର ଅସୁରସେନା ସଜାଇ ଆସିବ । ପୁତ୍ରଶୋକାତୁର ହୋଇ ସେ ବାହାରିଲେ ମୁଁ ଅସୀମ ସେନାବଳରେ ମାଡ଼ିଯାଇ ଦୁର୍ଜୟ ରାକ୍ଷସରାଜକୁ ହାଣି ପକାଇବି । ଇନ୍ଦ୍ରଜିତବିଜୟୀ ତୁମ୍ଭେ ମୋର ସହାୟ ଥିଲେ ପୃଥିବୀ କିମ୍ବା ସୀତା କିଛିହିଁ ମୋତେ ଦୁର୍ଲଭ ହେବ ନାହିଁ । ଭାଇ ଲକ୍ଷ୍ମଣ । ମୋର ଯେଉଁ ଆନନ୍ଦ ହୋଇଛି ତାହା କଥାରେ କହି ନୁହେ ମାତ୍ର ତୁମ୍ଭେ ଗୋଟାପଣେ ରକ୍ତରେ ଗାଧୋଇଛ-ଦେହରେ ବାଣପଶି ଠାକୁ ଠା ଘା ହୋଇ ଯାଇଛି । ଏକେ ତୁମ୍ଭେ ନୁହ-ବିଭୀଷଣ, ହନୁମାନ, ଜାମ୍ବବାନ, ଅଙ୍ଗଦ ଓ ସବୁସେନାଦଳ ଊଣାଅଧିକ ରକ୍ତରେ ବୁଡ଼ି ରହିଛନ୍ତି । ଯାଅ, ସମସ୍ତେ ବିଶ୍ରାମକର-ବୈଦ୍ୟରାଜ ବୀର ସୁଷେଣ ଚିକିତ୍ସା କରିବେ ।
ଲକ୍ଷ୍ମ ।- (ରାମଚନ୍ଦ୍ରଙ୍କର କୋଳରୁ ଉଠି ପାର୍ଶ୍ୱେ ବସି) ଆପଣଙ୍କ ଭଳି ବଡ଼ଭାଇଙ୍କ କାର୍ଯ୍ୟ କରିବାରେ ମୁ ଦେହକୁ ତୁଚ୍ଛ ଜ୍ଞାନ କରେଁ ।
ରାମ ।- ସୁଷେଣ ! ମହାପ୍ରାଜ୍ଞ ମିତ୍ରବତ୍ସଳ ସୁମିତ୍ରାନନ୍ଦନ ଯହିଁରେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତି ଏଭଳି ଔଷଧ ଦିଅ ଆଉ ସଙ୍ଗେ ସଙ୍ଗେ ସହୃଦ୍ ବିଭୀଷଣ ଓ ତାଙ୍କର ସହଚର ଓ ଅପର ସୈନିକମାନଙ୍କର ପୀଡ଼ା ନିବାରଣ କର । ତୁମ୍ଭେ ଚିକିତ୍ସାଶାସ୍ତ୍ରରେ ସୁଦକ୍ଷ । ତୁମ୍ଭର ଚମତ୍କାର ଔଷଧଦ୍ୱାରା କ୍ଷଣମାତ୍ରକେ ଆରୋଗ୍ୟ ଲାଭହେବା ହେତୁ ଯୁଦ୍ଧରେ ବିଶେଷ ସାହାଯ୍ୟ ହୋଇଛି ।
ସୁଷେ ।- ଯୁଦ୍ଧବେଳେ ସେଭଳି ଔଷଧ ନ ହେଲେ ଚାଲେ କି ? (ବଟୁଆରୁ ଔଷଧ ବାହାର କରି ଲକ୍ଷ୍ମଣ, ବିଭୀଷଣ, ହନୁମାନ ପ୍ରଭୃତି ସମସ୍ତଙ୍କର ନାକରେ ପରମୌଷଧ ପ୍ରଦାନ ।)
ସୁଗ୍ରୀ ।- ସୁଷେଣଙ୍କୁ ସ୍ୱୟଂ ଧନ୍ୱନ୍ତରି କହିଲେ ଚଳେ । ତାଙ୍କର ଚିକିତ୍ସା ଯେମନ୍ତ ଆଶ୍ଚର୍ଯ୍ୟ ଔଷଧର ଗୁଣ ମଧ୍ୟ ତେମନ୍ତ ଅଦ୍ଭୁତ । ଦେଖନ୍ତୁ କ୍ଷଣମାତ୍ରକେ ସମସ୍ତଙ୍କର କ୍ଷତ ଆରୋଗ୍ୟ ହୋଇ ଦେହର ବର୍ଣ୍ଣ ଉଜ୍ଜ୍ୱଳ ହୋଇଗଲା । ଲକ୍ଷ୍ମଣ, ବିଭୀଷଣ ଓ ସକଳ ବୀରପୁରୁଷମାନଙ୍କର ଶରୀରରେ ଅସଂଖ୍ୟ ଶର ବିଦ୍ଧହୋଇଥିବାରୁ କେମନ୍ତ ଘୋର ଯୁଦ୍ଧ ହୋଇଥିଲା ସହଜରେ ଅନୁମାନ ହୋଇପାରେ । ଯାହାର ମୃତ୍ୟୁ ନିଶ୍ଚିତ ସେ ପୁଣି ମାୟାସୀତା ବଧକରି ଆମ୍ଭମାନଙ୍କୁ ରଣକ୍ଷେତ୍ରରୁ ନିରସ୍ତ କରିବାକୁ ବସିଥିଲା !
ରାମ ।- ବିଭୀଷଣ ନ ଥିଲେ ଆମ୍ଭେମାନେ ପ୍ରକୃତ ବିଷୟ ଜାଣି ପାରି ନ ଥାନ୍ତୁଁ । ସେ ତ ଆକାଶରେ ଥାଇ ଅଦୃଶ୍ୟଭାବରେ ଯୁଦ୍ଧ କରୁଥିଲା, ହଠାତ୍ ସେପରି ଛଳନା କରିବ ବୋଲି କିଏ ଜାଣିଥିଲା !
ବିଭୀ ।- ସେ ଛଳନାକେବଳ ସମୟ ନେବା ଲାଗି । ସୀତା ବଧହେଲେ ଯୁଦ୍ଧ ନିଷ୍ଫଳ ଜାଣି ଆପଣ ସେନା ସହ ଫେରି ଯିବେ ଅଥବା ଶୋକାକୁଳିତ ହୋଇ କର୍ତ୍ତବ୍ୟ ନିର୍ଦ୍ଧାରଣ କରୁ କରୁ ସେ ନିକୁମ୍ଭିଳାଯଜ୍ଞ ଶେଷ କରି ପୁଣି ରଣକ୍ଷେତ୍ରକୁ ଆସି ଗୋଟିକଠୁଁ ସମସ୍ତଙ୍କୁ ମାରି ପକାଇବାର ବାସନା ରଖିଥିଲା । ମୁଁ ଲକ୍ଷ୍ମଣଙ୍କୁ ଘେନି ସେନାସହ ଗଲା ବେଳକୁ ସେ ବଟମୂଳକୁ ଆସି ନ ଥିଲା । ସେହି ସମୟରୁ ଯୁଦ୍ଧାରମ୍ଭ ହୁଅନ୍ତେ ରାବଣିର ଯଜ୍ଞସମାଧ ହୋଇ ପାରିଲା ନାହିଁ । ତାର ମାୟା ମୋତେ ଅଗୋଚର ନୁହେ । ସେ ବୀର ଲକ୍ଷ୍ମଣଙ୍କୁ ପାରିବ ନାହିଁ ବୋଲି ମୁଁ ଆଗରୁ ଚେତାଇ ଦେଇଥିଲି । ମୋ ସଙ୍ଗେ ସୁଦ୍ଧା ତାର ଘୋରଯୁଦ୍ଧ ହେଲା । ମୋର ନିକଟରୁ ପଳାଇ ଯାଇ ଲକ୍ଷ୍ମଣଙ୍କୁ ଆଡ଼କୁ ଧାଇଁବାରୁ ଆହୁରି ଭୟଙ୍କର ଯୁଦ୍ଧହେଲା । ବାଣ ବାଣରେ ଆକାଶ ଛାଇ ହୋଇ ଅନ୍ଧାର ଦିଶିଲା । ଲକ୍ଷ୍ମଣ ଇନ୍ଦ୍ରଜିତ ରଥର କନକମଣ୍ଡିତ କଳାଘୋଡ଼ା ଚାରୋଟି ମାରି ସାରଥିର ମୁଣ୍ଡ କାଟି ପକାଇଲେ । ସେହି ସମୟରେ ଆମ୍ଭମାନଙ୍କର ପ୍ରମାଥୀ, ରଭସ, ଶରଭ ଓ ଗନ୍ଧମାଦନ ବୀରମାନେ ଇନ୍ଦ୍ରଜିତର ଅନ୍ୟଚାରି ଘୋଡ଼ା ଉପରେ ପଡ଼ି ତାକୁ ଦଳି ମାରି ପକାଇ ରଥକୁ ଭାଙ୍ଗି ଦେଲେ । ବାଣମାରୁ ମାରୁ ଇନ୍ଦ୍ରଜିତ ରଥରୁ ଓହ୍ଲାଇ ତଳେ ଲକ୍ଷ୍ମଣଙ୍କ ଆଡ଼କୁ ଧାଇଁ ଆସିଲା ମାତ୍ର ସର୍ବାଙ୍ଗ ବାଣବିଦ୍ଧ ହେଲାରୁ ପଳାଇ ଯାଇ ପୁଣି ଗୋଟାଏ ଅସିପ୍ରାସଶରସଂଯୁକ୍ତ କାଞ୍ଚନଭୂଷିତ ମନୋହର ରଥରେ ଆସି ଭାରୀ ବଳପ୍ରକାଶ କରି ଲଢ଼ିଲା । ଲକ୍ଷ୍ମଣଙ୍କ ଦେହ ସର୍ବାଙ୍ଗ ବାଣବିଦ୍ଧ ହୋଇ ଗଲେ ସୁଦ୍ଧା ସେ ଅକାତରରେ ଲଢ଼ିଲେ । ଉଭୟ ସେନାବଳରେ ସୁଦ୍ଧା ଲଢ଼ାଇ ଊଣା ହୋଇ ନାହିଁ । କେତେ ବାଣ କଟିଗଲା, କେତେ ଦେହରେ ଲାଗିଲା, କିଏ ତାହାର ଇୟତ୍ତା କରିବ ? ଯେତେବାଣ ଲାଗୁଥାଏ ଆମ୍ଭମାନଙ୍କ ସେନାଏ ତେତେ ଉତ୍ସାହରେ ବାଣ ପେଷୁଥାନ୍ତି । ଲକ୍ଷ୍ମଣ ଇନ୍ଦ୍ରଜିତର ଧନୁ କାଟି ପକାଇବାରୁ ସେ ଆଉ ଗୋଟିଏ ଧନୁନେଇ ଗୁଣ ଲଗାଉ ଲଗାଉ ଲକ୍ଷ୍ମଣ ତାହାକୁ ସୁଦ୍ଧା କାଟି ପକାଇ ପାଞ୍ଚ ଗୋଟି ବାଣରେ ତାହାର ବକ୍ଷ ଭେଦ କରିବାରୁ ସେ ରକ୍ତବାନ୍ତି କଲା । ତଥାପି ହଟି ନ ଯାଇ ଅନ୍ୟ ଧନୁ ଘେନି ଲଢ଼ିଲା । ପୁଣି ତାହାର ସାରଥି ଓ ଘୋଡ଼ାମାନ କଟା ହେଲା । କୂଟ, ମୃଦ୍ଗର, ଶୂଳ, ଭୁଶୁଣ୍ଡି, ଗଦା, ଖଡ଼୍ଗ, ପ୍ରଭୃତି ଅସ୍ତ୍ର ପରିଚାଳନର ମଧ୍ୟ ସୀମା ରହିଲାନାହିଁ । ଇନ୍ଦ୍ରଜିତର ଆଗ୍ନେୟ ଅସ୍ତ୍ର ଲକ୍ଷଣ ସୌର୍ଯ୍ୟ ଅସ୍ତ୍ରରେ କାଟିଲେ । ଅବଶେଷରେ ଐନ୍ଦ୍ର ଅସ୍ତ୍ର ଦ୍ୱାରା ଇନ୍ଦ୍ରଜିତର ବିରାଟକୁଣ୍ଡଳା ବୃତ ମୁଣ୍ଡ କଟାଯାଇ ଭୂଇଁରେ ଗଢ଼ିବାରୁ ଯେଉଁ ରାକ୍ଷସ ସେନା ବଞ୍ଚିଥିଲେ ସେମାନେ ପଟ୍ଟିଶ, ପରଶୁ ପ୍ରଭୃତି ଅସ୍ତ୍ରମାନ ଛାଡ଼ି ଡରେ ପଳାଇ ଗଲେ ।
ରାମ ।- ସାଧୁ ! ସାଧୁ ! ଆଜି ଆମ୍ଭମାନଙ୍କର ସୁପ୍ରଭାତ । ଆମ୍ଭେମାନେ ମହାସାଗର ପାର ହୋଇ ଆସିଛୁଁ ସତ ମାତ୍ର ରାକ୍ଷସ ଯୁଦ୍ଧରୂପ ସାଗର ପାର ହୋଇନାହୁଁ । ଏତେଦିନେ ପାର ଦିଶିଲା । ଇନ୍ଦ୍ରଜିତ ରାବଣର ପ୍ରଧାନ ବଳ ଥିଲା । ତାର ମୃତ୍ୟୁ ସମ୍ବାଦ ଶୁଣି ରାବଣର ଅଣ୍ଟା ଭାଙ୍ଗିଯିବ । ପ୍ରଧାନପରାକ୍ରମୀ ରାକ୍ଷସମାନଙ୍କୁ ବଧ କରିବାସକାଶେ ସମରବିଦ୍ୟାବିଶାରଦ ସେନାପତି ନୀଳ ଯେପରି ବ୍ୟୂହ ରଚନା କରୁଛନ୍ତି ତାହା ଅଦ୍ଭୁଦ ଏବଂ ସେ ନିଜେ ଯେମନ୍ତ ବୀରଯୋଦ୍ଧା ତେମନ୍ତ ରଣ-ପଣ୍ଡିତ । ମୁଁ ତାଙ୍କଠାରେ ବିଶେଷ ଋଣୀ । ଯୁବରାଜ ଅଙ୍ଗଦ ଯେମନ୍ତ ପରାକ୍ରମୀ ତେମନ୍ତ ରାଜନୀତିଜ୍ଞ । ତାଙ୍କର ରଣକୌଶଳ ଓ ଉପସ୍ଥିତ-ବୁଦ୍ଧି ପ୍ରଶଂସନୀୟ । ବାୟୁବିଦ୍ୟା-ବିଶାରଦ ବେଦଜ୍ୟ ବୀରଶ୍ରେଷ୍ଠ ହନୁମାନ ଅଦ୍ଭୁତ ପରାକ୍ରମୀ । ଆକାଶମାର୍ଗ ତାଙ୍କର ଆୟତ୍ତ । ମୁଁ ତାଙ୍କଠାରେ ନାନାପ୍ରକାରରେ କୃତଜ୍ଞ । ସେ ନ ଥିଲେ କିଏ କଷ୍ଟ ସହି ସୀତାଙ୍କ ସନ୍ଧାନ ଅଣିଥାନ୍ତା ? ସର୍ବୋପରି ଲଙ୍କରାଜ ବିଭୀଷଣ ମହାପରାକ୍ରମଶାଳୀ ଓ ପରମବିଶ୍ୱାସୀ । ମୁଁ ତାଙ୍କୁ ଲଙ୍କାରାଜ୍ୟରେ ଅଭିଷେକ କରିବା ବୃଥା ହେବନାହିଁ । -ସେଥିର ଲକ୍ଷଣ ଦିଶିଲାଣି । ଏସମସ୍ତ ପ୍ରାପ୍ତିର ସ୍ଥଳ ସଖା ସୁଗ୍ରୀବ । ସେ ପ୍ରଜ୍ଞାବାନ୍, ଧୀର ଓ ମହାବୀର । (ସୂଗ୍ରୀବକୁ ଅନାଇ) । ସଖେ ! ଆଜି ଇନ୍ଦ୍ରଜିତନିଧନରେ ତୁମ୍ଭର ଯେଉଁ ମୁଖମଣ୍ଡଳରୁ ଆହ୍ଲାଦରାଶି ଉଛୁଳି ଉଠୁଛି ଚନ୍ଦ୍ର ସୁଦ୍ଧା ତହିଁକି ସରି ହେବ ନାହିଁ ।
ସୁଗ୍ରୀ ।- ଯଥାର୍ଥ କହିଲେ-ମୁଁ ଏତେଦିନେ ରାକ୍ଷସରାଜକୁ ପରାଭବ କରିବା ନିକଟ ଜାଣି ଅତୁଳ ଆନନ୍ଦ ଲଭିଛି । ଭଗବାନଙ୍କ ଇଚ୍ଛାରେ ଅଚିରେ ଆମ୍ଭମାନଙ୍କର କଷ୍ଟ ଦୂର ହେବ ।
ବିଭୀ ।- ମହାତ୍ମନ୍ ! ଏ ଶୁଭଦିନରେ ଆମ୍ଭମାନଙ୍କର ଆନନ୍ଦୋତ୍ସବ କରିବାର ଥିଲା, ମାତ୍ର ତହିଁକି ବେଳ ନାହିଁ । କର୍ତ୍ତବ୍ୟକାର୍ଯ୍ୟରେ ବିଳମ୍ବ ବିନାଶର କାରଣ । ମୁଁ ରାବଣର ସ୍ୱଭାବ ଯେପରି ଜାଣେଁ ସେ ଇନ୍ଦ୍ରଜିତର ନିଧନବାର୍ତ୍ତା ଶୁଣିବାମାତ୍ରକେ ନିଶ୍ଚୟ ପୁତ୍ରଶୋକରେ ଆତୁର ହୋଇ ଯୁଦ୍ଧକୁ ବାହାରିବ । ତେଣୁ କାଳବିଳମ୍ବ ନ କରି ସେନା ସଜାଇ ରଖିବା ଉଚିତ । ଯେ ଆନନ୍ଦ ଉତ୍ସବ ହେବା ସମସ୍ତଙ୍କର ଇଚ୍ଛା ତାହା ରାବଣକୁ ହାଣି ସାରିଲାରୁ କରାଯିବ । ବେଳ ଗଲେ ଆଉ ଆସିବ ନାହିଁ । ହୁଡ଼ିଲେ ସର୍ବନାଶ ଘଟିବ । ଲକ୍ଷ୍ମଣଙ୍କର ଭାଗଗଲା-ବର୍ତ୍ତମାନ ଆପଣ ରାବଣକୁ ମାରିବେ, ଉଠନ୍ତୁ ।
ରାମ ।- ଠିକ କହିଛ ! (ଉଠି ଉତ୍ସାହପୂର୍ଣ୍ଣ ଧୀର ଗମ୍ଭୀର ସ୍ୱରେ) ହନୁମାନ, ଜମ୍ଭୁବାନ, ଅଙ୍ଗଦ ନଳ, ନୀଳଆଦି ବୀରମାନେ, ସମସ୍ତେ ଅଣ୍ଟା ଭିଡ଼ । ଆମ୍ଭେମାନେ କଷ୍ଟସାଗର ପାର ହୋଇ କୂଳରେ ପହୁଞ୍ଚିଲାପ୍ରାୟ । ବେଳା ନିକଟରେ ବଡ଼ ବଡ଼ ଢେଉ ଭାଙ୍ଗିଯିବାକୁ ପଡ଼ିଲା ପରି ବର୍ତ୍ତମାନ ସ୍ୱୟଂ ରାବଣ ସଙ୍ଗେ ଲଢ଼ିବାକୁ ହେବ । ଏତେବେଳେ ଖୁବ୍ ସାବଧାନ ହୋଇ ରହିବା ଉଚିତ । ଜାଣତ ରାବଣର ଗୋଟାଏ ମୁଣ୍ଡ ନୁହେ-ତାହାର ଦଶମୁଣ୍ଡ । ଦାନ, ଶୀଳ, କ୍ଷମା, ବୀର୍ଯ୍ୟ, ଧ୍ୟାନ, ବୁଦ୍ଧି, ସେନା, ଉପାୟ, ଗୁପ୍ତଦୂତ ଓ ଜ୍ଞାନ କାହିଁରେ ସେ ଊଣା ନୂହେ । ପାପଚାରରେ କଳୁଷିତ ନୋହିଥିଲେ ତାହାର ମୁଣ୍ଡପାତ ଅସମ୍ଭବ । ଆଜି ଶତ୍ରୁକୁ ପ୍ରବଳ ଜ୍ଞାନ କରି ନ ଲଢ଼ିଲେ ଦେହରେ ବଳ ହେବ ନାହିଁ । ଏଣୁ ଏହି ମୁହୂର୍ତ୍ତରୁ ସମସ୍ତେ ରଣଡାକ ଉଠାଇଦିଅ-ପୁତ୍ରର ମରଣବାର୍ତ୍ତା ସଙ୍ଗେ ସେ ଶତ୍ରୁପକ୍ଷର ଜୟକୋଳାହଳ ଶୁଣି ଘା ଉପରେ ଲୁଣ ଛିଟା ପାଇ ଛାଟିପିଟି ହୋଇ ଆସିବ । ମୁଁ ରାବଣକୁ ନ ମାରି ରଣକ୍ଷେତ୍ରରୁ ବାହୁଡ଼ିବି ନାହିଁ ।
ସୁଗ୍ରୀ ।- (ଉଠି) ତଥାସ୍ତୁ ! (ପାଟିକରି) ସୈନିକ ବୀରପୁରୁଷମାନେ ! ତିନିଥର ଶ୍ରୀରାମଚନ୍ଦ୍ରଙ୍କର ଜୟ ବୋଲି ଯୁଦ୍ଧକ୍ଷେତ୍ରକୁ ଚାଲ ।ରାମଛଡ଼ା ସମସ୍ତେ ।- (ଉଚ୍ଚୈଃସ୍ୱରେ) ଶ୍ରୀରାମଚନ୍ଦ୍ରଙ୍କର ଜୟ ! ଶ୍ରୀରାମଚନ୍ଦ୍ରଙ୍କର ଜୟ ! ଶ୍ରୀରାମଚନ୍ଦ୍ରଙ୍କର ଜୟ !ସୁଗ୍ରୀ ।- ଯୁଦ୍ଧରେ ଜିଣି ପୁନର୍ବାର ଏହିରୂପ ଜୟନିନାଦ କରିବ । ରଣବାଦ୍ୟ ବଜାଅ,-ଚାଲ ।ନେପଥ୍ୟେ ।- (ରଣବାଦ୍ୟ)[ରଣଦର୍ପରେ ସମସ୍ତଙ୍କର ଆଗେ ଆଗେ ଓ ରାମଚନ୍ଦ୍ରର ତତ୍ପଶ୍ଚାତ୍ ପ୍ରସ୍ଥାନ ](ପଟପରିବର୍ତ୍ତନ ।)
ସମ୍ବନ୍ଧିତ ରଚନା
କଳିକାଳ
ରାମଶଙ୍କର ରାୟ
କର୍ଣ୍ଣ-ଦାନ ପରୀକ୍ଷା
ବୈଷ୍ଣବ ପାଣି
ଉତ୍କଳ-ଗୌରବ
ଅଶ୍ୱିନୀକୁମାର ଘୋଷ
ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ
ବୈଷ୍ଣବ ପାଣି