ପ୍ରଥମ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଦୃଶ୍ୟ
ରାଜମାର୍ଗ
[ସୁପରିଷ୍କୃତ ରାଜଦାଣ୍ଡ ଉଭୟପାର୍ଶ୍ୱ ପତାକାଦିରେ ଶୋଭିତ । ଏକ ପାର୍ଶରୁ ସାନନ୍ଦ ଓ ଅପର ପାର୍ଶ୍ୱରୁ ଶୋଭନର ବାଳୁଙ୍ଗା ଗୋଛା କାନ୍ଧରେ ଘେନି ପ୍ରବେଶ ।]
ସାନ ।- କି ରେ ଶୋଭନା ଭାଇ ! ତୋର ବି ବାଳୁଙ୍ଗା ବିଲରେ ପଡ଼ିଥିଲା କି ?
ଶୋଭ ।- ଆଉ କଣ ଦେଖୁଛୁ ସାନ୍ଦିଆ ଭାଇ । ବାଳୁଙ୍ଗା ବାଛୁ ବାଛୁ ସଞ୍ଜ ହୋଇଗଲା- ମାଧିଆ-ମା ଆଉ ରଖିଥୋଇ ଦେଲାନାହିଁ । ନନ୍ଦିଗାଁକୁ ଯିବାକୁ ହୁରିପକାଇଲା ଯେ-ମୁଁ ବାଳୁଙ୍ଗା ଗୋଛା ବିଲରେ ପକେଇ ଘରକୁ ଦଉଡ଼ି ନାକକାନରେ ଦିଗୁଣ୍ଡା ଗୁଞ୍ଜି ତା ସଙ୍ଗେ ପିଲାପିଲି ଘେନି ଦଉଡ଼ିଲି ।
ସାନ ।- ଆରେ ଶୋଭନା ଭାଇ, ମୋର ତ ସେହି ଦଶା-ବଛାବଛି ସାରି ଗୋଛା ବାନ୍ଧିବାକୁ ଯାଉଚି ଆଉ ସୁନା ମା କଲା ଯେ ପାଟି-କହିଲା ସମସ୍ତେ ବାହରି ବସିଲେଣି ଆଉ ତୁମେ କି ଅନ୍ଧାରରେ ଏକୁଟିଆ ଯିବ ? ମୁଁ ତ ମାଡ଼ି ଉଠି ଦଉଡ଼ିଲି । ଗୁଡ଼ାଏ ଏଣୁ ତେଣୁ ଖାଇ ସେ ଝୁଅ କାଖେଇଲା ମୁଁ ତ ବୁଜୁଳିଟା ମୁଣ୍ଡେଇ ଦଉଡ଼ିଲି । ଏକା ଯାହା ଦେଖାଗଲା ନା-ପେଟ ପୂରିଗଲା ! ଜନ୍ମ ସାର୍ଥକ ହେଲା !
ଶୋଭା ।- ରାମ, ସୀତା, ଲକ୍ଷ୍ମଣ ସମସ୍ତେ ଶୁଖିଯାଇଚନ୍ତି । ହେଲେ କଣ ହେଲା, ଦେହ ତେଜ ତେବେ ଏତେ ମଳିରେ ବି ଊଣା ନ ଥିଲା । ଆଜି ଛଅର ହୋଇ ଗୋଧୋଇ ପାଧୋଇ ଅଳଙ୍କାର ନାଇ ପାଟ ପିନ୍ଧି ଯେତେବେଳେ ରଥରେ ଉଠିଲେ-ଆଉ ଶୋଭା କଥା-ଛାଡ଼-ସାକ୍ଷାତ୍ଗୋଟିକି ଗୋଟି ଦେବତା ।
ସାନ ।- ସେ ଦେବତା ନୁହନ୍ତି ଆଉ କଣ ମଣିଷ ? ଆମେମାନେ ନାଁକୁ ମଣିଷ-ପାଇଟି କରୁଁ ପେଟ ପୂରାଉଁ । ଯେ ଟିକିଏ ପାଠଶାଠ ପଢ଼ି ମଣିଷପଣିଆ ଦେଖାଏ ସେ ହେଲା ମଣିଷ-ଆଉ ଯେ ତାଙ୍କୁ ଚଳାନ୍ତି ସେ ରାଜାରଜୋଡ଼ା ଦେବତା ଭିତରେ ଯାନ୍ତି ।
ଶୋଭ ।- ତୁ ତ ଗୋଟାଏ ପଣ୍ଡିତ ହେଲୁଣି !ସାନ ।- ଆରେ ବୁଝ ନା, ମୁଁ ଯା କହିଲି ମିଛ ?
ଶୋଭ ।- ତୁ ଯା କହିଲୁ ଠିକ୍ଖୁବ୍ଠିକ୍! ମୋ ମନକୁ ଲାଗିଗଲା ବୋଲି ମୁଁ ପଣ୍ଡିତ ପଦ ଦେଲି ପରା ! ଯେତେବେଳେ ଆକାଶବିମାନରୁ ଓହ୍ଲାଇଲେ ଦେଖିଛୁ ନା କେମନ୍ତ ଚନ୍ଦ୍ରମଣ୍ଡଳକୁ ରାହୁ ଗ୍ରାସିଲା ପରି ମୁହଁ ଦିଶିଲେ ବି ତେଜ ଊଣା ନ ଥିଲା । ମୁଣ୍ଡର ଜଟା ତ ଆମ ବାବାଜିଙ୍କଠାରୁ ବଡ଼ ଥିଲା । ଭରତ ରାଜାଙ୍କର ବି ଜଟା କମ୍ନ ଥିଲା । ଯାହାହେଉ ଛଅର ବାଆର ହୋଇ ଶ୍ରୀଅଙ୍ଗ-ଲାବଣ୍ୟ ଚହଟି ଉଠୁଚି ।
ସାନ ।- ଆଉ ପାଟ ଅଳଙ୍କାର ପିନ୍ଧି ଯେତେବେଳେ ସୀତାଠାକୁରାଣୀ ରଥରେ ବିଜେ ହେଲେ, ଦେଖୁଚୁ ନା, ମାଇକିନିଆମାନେ ହୁଳହୁଳି ପକାଇ ଧାଇଁଲେ-ତାଙ୍କୁ ଆଡ଼େଇବା ମୁସ୍କିଲ ହୋଇଗଲା ।
ଶୋଭ ।- ଆହା କେତେ ଦୁଃଖରେ ସେ ରାବଣ ଘରେ ରହି ଆପଣା ମହତ୍ତ୍ୱ ରଖିଲେ । ସେଭଳି ସତୀ ମିଳିବ ନାହିଁ-ତାଙ୍କ ଗୋଡ଼ଧୂଳି ନେବାପାଇଁ ରାମଚନ୍ଦ୍ର କେମନ୍ତ ବିଚାର କରି ସମସ୍ତଙ୍କୁ ଛାଡ଼ କରିଦେଲେ-ସେଇଥିରେ ତ ଦିଘଡ଼ି ବିତିଗଲା ।
ସାନ ।- ଆଉ ତାଙ୍ଗ ସଙ୍ଗରେ ଯେ ରାବଣର ଭାଇ ବିଭୀଷଣ ଲଙ୍କାର ରାଜା ଆସିଚନ୍ତି-ଦେଖିଚୁ ନା କେମନ୍ତେ ପ୍ରକାଣ୍ଡ ସାତହାତିଆ ମରଦ-ଛାତିଟା ବରଗଛ ଗଣ୍ଡିପରି-ସୁନା ତ ଦେଖି ଚମକିପଡ଼ି କାନ୍ଦି ପକାଇଲା । ବାସ୍ତବରେ ଯା କହନ୍ତି ରାକ୍ଷସ-ଅସୁର !
ଶୋଭା ।- ଏକା ରାକ୍ଷସ ହେଲେ କଣ ହେଲା-ତା ପରି ଭଲ ମଣିଷ ନାହିଁ । ସେ ପରା ସବୁ ସନ୍ଧାନ କହି ଭାଇକି ମରେଇଲା । ତାଠି ରାମଚନ୍ଦ୍ରଙ୍କର ଷୋଳଅଣା ବିଶ୍ୱାସ ।
ସାନ ।- ଆଉ ସେ ହନୁମାନ, ସୁଗ୍ରୀବ ହେରିଙ୍କାକୁ ଦେଖିଲୁ ନା-କଣ କହୁଥିଲେ ମାଙ୍କଡ଼ ଭାଲୁ ନେଇ ରାମଚନ୍ଦ୍ର ଲଙ୍କାଗଡ଼ ଫତେ କଲେ । ସେମାନେ ତ୍ୱଦିବ୍ୟ ସୁନ୍ଦର ବୀର ପୁରୁଷ ଦେଖାଯାଉଚନ୍ତି ।
ଶୋଭ ।- ସେ ଗୋଟାଏ ସେମତେ କଥା ଉଠେଇଲେ ନା-ମାଙ୍କଡ଼ ଭାଲୁଗୁଡ଼ାକ ସମୁଦ୍ର ଉପରେ ପୋଲ ବାନ୍ଧୁଥିଲେ ଆଉ ନାନା ଚକ୍ରରେ ଲଢ଼େଇ କରୁଥିଲେ । ମାଙ୍କଡ଼ ଭାଲୁ ସାଜିକରି ଯାଇଥିବେ ।
ସାନ ।- ତା ହବ । ମୁହଁରେ ମୁଖା ପିନ୍ଧି ଦେହରେ ବାଳୁଆ ଘଟାଟୋପ ପକାଇଥିଲେ ଗୁଳି କି ବାଣ ସହଜରେ ଭେଦିବ ନାହିଁ ।ଶୋଭା ।- ଖାଲି ବାଳୁଆ-ଲୁହାର ସାଞ୍ଜୁ ପିନ୍ଧି ତା ଉପରେ ନା ।
ସାନ ।- ହଁ ହଁ, ମୁ ଶୁଣିଚି-ତାକୁଇ କହନ୍ତି କବଚ ।- ଆଚ୍ଛା ସେ ଦୋହରି କବଚ ବଡ଼ ଭାରୀ ହେଉଥିବ-ତହିଁରେ ପୁଣି ସାଅନ୍ତମାନଙ୍କର ଲମ୍ବା କୁଞ୍ଚ ପରି ତାଙ୍କର ଲମ୍ବ ଲମ୍ବ ଲାଞ୍ଜ ।
ଶୋଭ ।- ଆରେ ସେ ଲାଞ୍ଜଟାମାନ ଯେ ଯେତେ ଲମ୍ବ କରିଥାନ୍ତି ଲଢ଼େଇ କରୁ କରୁ ପକେଇ ଦେଇ ଶତ୍ରୁପକ୍ଷକୁ ବାନ୍ଧି ଭିଡ଼ି ଆଣନ୍ତି ।ସାନ ।- ସେଥିରେ କଣ୍ଟା ଫଣ୍ଟା ଦେଇ ନ ଥାନ୍ତି କି ?ଶୋଭ ।- ତା ଆଉ ଛାଡ଼ିଥିବେ-ବରାବର ମାଛ ମାଇଲା ପରି ତ ବଢ଼େଇ ଦିଅନ୍ତି, ଶୁଣିଚି ମୁଁ ଦେଖି ନାହିଁ ।ସାନ ।- ଥରେ ଏକା ଯାଇ ଦେଖି ଆସିଥିଲେ ହୋଇଥାନ୍ତା ।
ଶୋଭ ।- ହଁ, ଯା କହିଲୁ, ଘରପାଖରେ ବିନା ! ନନ୍ଦିଗାଁ ହୋଇଛି କି ଦଉଡ଼ିଯାନ୍ତୁ ? - କାହିଁ ଅଯୋଧ୍ୟା କାହିଁ ସମୁଦ୍ର ସେପାରି ଲଙ୍କା ! ସୁଗ୍ରୀବ ହେରିକାଙ୍କ ରାଣୀ ଏମାନଙ୍କୁ ଦେଖିଲୁ ନା ?
ସାନ ।- ଦିବ୍ୟ ସୁନ୍ଦରୀ ।- ସୀତାଠାକୁରାଣୀଙ୍କ ସେବାରେ ତ ଲାଗିଚନ୍ତି । ଯା ହେଉ ଆମ କପାଳ ତେଜ ଦେଖି ଯେମନ୍ତ ପେଟ ପୂରିଯାଉଚି ରାମଚନ୍ଦ୍ରଙ୍କୁ ଦେଖି ତେମନ୍ତ ଭୋକ ଶୋଷ ସବୁ ଉଡ଼ି ଯାଇଚି । ସବୁ ସୁପାଳକ ।
ଶୋଭ ।- ରହ ରହ ! ଏଆଡ଼େ ତୂରୀ ବଜାଇ ଡଗରଟାଏ କାହିଁକି ଦଉଡ଼ୁଚି ।(ତୂରୀ ବଜାଉ ବଜାଉ ଡଗରର ପ୍ରବେଶ ।)ଡଗର ।- (ତୂରୀ ବଜାଇ)ଶୁଣ ଶୁଣ ନଗ୍ରଲୋକେ ଶୁଣ ସାବଧାନେ ।କାଲି ଅଭିଷେକ ହେବ ବିବିଧ ବିଧାନେ ।ରାଜା ହେବେ ରାମଚନ୍ଦ୍ର ଭାରତବର୍ଷରେ ।ସଂସାରଯାକର ଯେତେ ରାଜା ତହିଁ ତଳେ ।ସୀତାଠାକୁରାଣୀ ବସି ବାମେ ସିଂହାସନେ ।ପାଳିବେ ରମଣୀକୁଳ ଦିବ୍ୟ ବିଚାରଣେ ।ଯେଝାଘରେ ମାତ ଏବେ ଆନନ୍ଦ ଉତ୍ସବେ ।ଅଭିଷେକ-ଅଧିବାସ ଦେଖି ବୁଲ ସର୍ବେ ।ଛାଡ଼ ବର୍ଷକର କର ଶ୍ରୀଛାମୁ ଆଦେଶେ ।ଦୀନ ଦୁଃଖୀ ଋଣ ଛାଡ଼ ପାଇବେ ବିଶେଷେ ।ବନ୍ଦୀ ହେବେ କାରାମୃକ୍ତ ରାଜକୋଷ ଖାଲି ।ଯେତେ ନିଅ ଖାଅ ନାହିଁ ନିଷେଧ କାହାରି ।ଏ ଭଳି ଶ୍ରୀମନ୍ତ ରାଜା ନାହିଁଟି ମର୍ତ୍ତ୍ୟରେ ।ଆଶୀର୍ବାଦ ଘେନି ବଡ଼ ରାଜଭକ୍ତିଭରେ ।ଶୋଭ ।- କଣ ? କାଲି ଅଭିଷେକ ! ମୁଁ ଶୁଣୁଥିଲି ଆଜି ହବ,-ମିଛକଥା ।ଡଗ ।- ମିଛ କାହିଁକି ? ଆଜି ଲୋକଙ୍କୁ ଜଣାଇବ, ଆଉ ଆଜି ଅଭିଷେକ ହେଲେ ଅଧିବାସ ହେବ କେଉଁ ଦିନ ?ଶୋଭ ।- ସମସ୍ତେ ତ ବୋଲାବୋଲି ହେଉଚନ୍ତି ଆଜି । -ସଜମଙ୍ଗନ ସଜବାହା କଣ ହୁଏ ନାହିଁ ?
ସାନ ।- ଆରେ ତୋ ପାଠ ରଖିଦେ । ସେ ମିଛ କାହିଁକି କହିବେ । (ଡଗରକୁ ଅନାଇ)ତୁମକୁ ଏହିକ୍ଷଣି ଦେଖିଥିଲି ତୁମେ ରାମଚନ୍ଦ୍ରଙ୍କ ପୁରୁଣା ନଅରକୁ ଯାଉଥିଲ ।
ଡଗ ।- ସେଇଠି ତାଙ୍କ ମିତ୍ର ସୁଗ୍ରୀବଙ୍କୁ ବସା ଦିଆହୋଇଛି ।- ଭରତରାଜ, ସୁଗ୍ରୀବ ଆପଣେ, ଶତ୍ରୁଘ୍ନ ସାଆନ୍ତେ ପରାମର୍ଶ କରି ଏ ଆଦେଶ ଦେଲେ । ମୁଁ ମିଛ କହି ତୁମକୁ ଭୁଲାଇବି ଆଉ ଶୂଳିକି ଯିବି ?
ଶୋଭ ।- ନାହିଁ ନାହିଁ ସାନ୍ତେ ମୋର ଦୋଷ ହୋଇଚି - କ୍ଷମା କର !ଆ ଆମେ ଚଷାଭୂଷା ଲୋକ - କଣ ଜାଣୁଁ ! ଆର ଥର ସେମିତି କାଲି ଅଭିଷେକ ହବ ବୋଲି ବନବାସ ହେଲା - ଏଥର ଠୋପଟାକ ହୋଇଯାଇଥିଲେ ପାଇଟି ସରିଥାନ୍ତା । ଆମେ ତ ସବୁ ତିଆର ।
ଡଗ ।- ତୁମେ ସିନା ଦେଖିବାକୁ ତିଆର- ଆଉ ଯାର କାମ ତାର ଧନ୍ଦା କେତେ ?ସାନ ।- ଠିକ୍କହିଚ । ନାଟରଙ୍ଗ କେଉଁ କେଉଁ ଜାଗାରେ ହେବ ?ଡଗ ।- ଛକକୁ ଛକ ସବୁଠି ଆଉ ଯେଉଁଠି ଟିକିଏ ପଦା ଜାଗା ସେଇଠି ପଞ୍ଛାଏ ନାଟ । ଯାଏଁ ମୋତେ ଉଛୁର ହେଉଛି । (ତୁରୀ ବଜାଇ ପ୍ରସ୍ଥାନ ।)ସାନ ।- ସତେ ଏକା ଶୋଭନାଭାଇ, ଅଯୋଧ୍ୟାଟା ଖାଲି ପଡ଼ିଥିଲା ।
ଶୋଭ ।- ଆଉ କଣମ ! ରାଜା ନ ଥିଲେ କି ରାଜ୍ୟ ମାନେ ନା ଘରଣୀ ନ ଥିଲେ ଘର ମାନେ ! ଆଜି ରାଜ୍ୟ ପୂରିରହିତି - ଦୁଲୁକୁଚି ପଡ଼ି । ଆରେ ଭାରିଆଏ କଣ ଏତେବେଳୁଁ ଭାଆରି ପଡ଼ିଲେଣି ?
(ଚାରିଜଣ ଭାରୁଆଙ୍କ ପ୍ରବେଶ ।)ସାନ ।- କି ରେ ବେହେରାଭାଇ, କଅଣ ଯାଉଚି କି ?ଜନୈକ ଭା ।- (ଚାଲୁ ଚାଲୁ) ରାଜାଙ୍କ ଘରକୁ ଭାର ଯାଉଚି - ଦୁଧ, ଦହି, ଘିଅ ।ଶୋଭ ।- ଭେଟ ନା ଫରମାସୀ ?
ଜଃ ଭା ।- (ଚାଲୁ ଚାଲୁ) ସବୁ ଭେଟି ! ଫରମାସୀ ରଖୁଚି କିଏ ? ଆରେ ଆମର କଣ କାମ ନୁହେ କି ? ଆଜି ଚଉଦବର୍ଷରେ ରାଜା ହେବେ ରାମଚନ୍ଦ୍ର - ଆମେ ପଇସା ନେବା । ସୁଅପରୀ ଭାର ଚାଲିଚି । ଆଉ ବିଦାକୀର ବି ବାକୀ ନାହିଁ । ସମସ୍ତେ ପାଟଫେଟାଠାରୁ ପଖାଳକୋରା ପର୍ଯ୍ୟନ୍ତ ପାଇ ବୋଧ ।
ସାନ ।- ଖାଲିତ ନେ ପଦ ଲାଗିଥିବ । ଖାଇବ କେତେ, ବାନ୍ଧିବ କେତେ, ଖୋସିବ କେତେ ।ଶୋଭ ।- ରାମ ରାଜା ହେଲେ ଏହିପରି ! (ରଙ୍ଗଭଙ୍ଗେ) ଏମତେ ଆଉ ନ ମିଳେସାନ ।- ଛେନା ନାହିଁକି ?ଜ, ଭା ।- (ଚାଲୁ ଚାଲୁ) ଛେନା, ପଛରେ ବେହେରାଣୀ ଆଣୁଚନ୍ତି ।[ଭାରୁଆଙ୍କ ପ୍ରସ୍ଥାନ ଓ ପସରା ମସ୍ତକେ ଦୁଇଜଣ ବେହେରାଣୀଙ୍କ ପ୍ରବେଶ ।]ସାନ ।- କି ଲୋ ମାଉସି । ଛେନା ନଉଚ କି- କି ଛେନା ?ଜଃ ବେହେରାଣୀ ।- ଦହି ଛେନା ଲୋ ବାପ !ସାନ ।- ଦୁଧ ଛେନା ନେଲନାହିଁ - ରାଜାଘରେ ଦହି ଛେନା କଣ ହେବ ?ଜଃ ବେଃ ।- ରାଜାଘରେ ପିଠା ପଣା ହୁଏ ନାହିଁ କି ? -ଦୁଧ ଛେନା ଭାର ହୋଇ ପଛରେ ଆଉଚି ।[ ବେହେରାଣୀମାନଙ୍କ ପ୍ରସ୍ଥାନ ।ସାନ ।- ଚାଲ ଆମର ଯିବା- କଖାରୁ, ବାଇଗଣ, କଦଳୀ, ଶାରୁ ହେରିକା ଅଛି ନେଇଯିବା ।ଶୋଭା ।- ରହ ରହ, ଏ ସ୍ତିରିମାନେ ବୋଲି ବୋଲି ଆଉଚନ୍ତି ଶୁଣିଯିବା ।[ମସ୍ତକରେ ପୂର୍ଣ୍ଣ କଳଶ ଘେନି ନୂତନବସ୍ତ୍ରା ସଧବା ସ୍ତ୍ରୀଲୋକଙ୍କର ଗୀତ ଗାଉଁ ଗାଉଁ ପ୍ରବେଶ ।ସଃ ସ୍ତ୍ରୀ ।- (ଗୀତ)ରାଗିଣୀ ରାମକେଳି । ତାଳ ଖେମଟା ।ଚାଲ ଚାଲ ପୂରନାରି ଚଞ୍ଚଳ ।ଗାଇ ମଙ୍ଗଳ ହେଲା ଏ ଜନମ ସଫଳ । ଘୋଷା ।ସିଂହାସନେ ରାମେ ସୀତାରାଣୀ ବାମେ ।ନିରେଖି ପରାଣ ହୋଇବ ଶୀତଳ ।ଭୁଲିବ କଷଣ ସକଳ । ୧ ।ଆଝୁଁ ଶୁଭଯୋଗ ପୂର୍ଣ୍ଣ ରାଜଭୋଗ ।ନାଚୁଛି ଆନନ୍ଦେ ଅଯୋଧ୍ୟାନଗରଶୁଭ ଅଧିବାସେ ବିହଳ । ୨।ଘର ଦ୍ୱାର ସାଜି ଚାଲ ସର୍ବେ ଆଜିପୂର୍ଣ୍ଣକୁମ୍ଭ ସ୍ଥାପି ସୁବେଶ ସତ୍ୱର ।ଡ଼ାକି ସୁଖେ ଜଗଦୀଶ୍ୱର । ୩ ।[ ସଧବାଙ୍କ ପ୍ରସ୍ଥାନ ।]ସାନ ।- ଚାଲ ଚାଣ୍ଡେ, ଦିନ ଥାଉଁ ଆମ୍ଭମାନଙ୍କର ଭାର ପହୁଞ୍ଚାଇ ଦେଇ ଆସିବା ।[ ସାନନ୍ଦ ଓ ଶୋଭନ ଉଭୟଙ୍କର ପ୍ରସ୍ଥାନ ।]ପଟପରିବର୍ତ୍ତନ ।
ଦ୍ୱିତୀୟ ଦୃଶ୍ୟ
ରାଣୀହଂସପୁର[ ତାରା, ରୁମା, ସୀତା, ଊର୍ମିଳା ଉପବିଷ୍ଟା । ]ଊମା ।- ଆଜି ଦକ୍ଷିଣୀଜୁଡ଼ା ଏକା ଆପଣଙ୍କୁ ଭାରୀ ଘେନେଇଚି - ବର୍ତ୍ତମାନ ସୂର୍ଯ୍ୟଙ୍କ ଦକ୍ଷିଣାୟନ ।
ସୀତା ।- ଦକ୍ଷିଣରୁ ମୋର ପ୍ରାଣସଖୀ ସୁଗ୍ରୀବ - ମହିଷୀ ତାରା ଆଉ ରୁମା ଆସିଚନ୍ତି ଯେତେ ମନା କଲେ ସେ ତାଙ୍କରି ଦେଶର ଜୁଡ଼ା ପାରିଲେ ।
ଊର୍ମି ।- ହେଲେ ଏକା ଦକ୍ଷିଣୀଜୁଡା ଭାରତବର୍ଷ ଭିତରେ ସାର ।ସୀତା ।- ଆଉ ଦକ୍ଷିଣୀ ବନ୍ଧୁତା ବା ବିଶ୍ୱାସ ଊଣା ନୁହେ ।ତାରା ।- ନୋହିଲେ କି ଭାରତବର୍ଷର ସମ୍ରାଜ୍ଞୀ ।ସୀତା ।- ମିଛ ନୁହେ ସଖି ! ସୁଗ୍ରୀବଙ୍କ ଭଳି ବିଶ୍ୱାସୀ ବନ୍ଧୁ ଆର୍ଯ୍ୟପୁତ୍ର ପାଇ ନ ଥିଲେ ମୋତେ ଆଜି ଏଠାରେ ଦେଖି ନ ଥାନ୍ତ ।
ରୁମା ।- ଆଉ ଖୁସିଦିନରେ ସେ ଦୁଃଖ କଥାର ପାଖ ଯିବାର ନୁହେ । ସଖି ! ଅଯୋଧ୍ୟାନଗରୀ ଦେଖି ଆମର ଆଖି ଖୋଲିଗଲା । ସ୍ୱର୍ଗପୁରୀର ବର୍ଣ୍ଣନା ଯାହା ଶୁଣିଥିଲୁଁ ଏହା ତାକୁ ବଳିଯାଇଚି ।
ତାରା ।- ଅଯୋଧ୍ୟା ଦେଖି ଆମେମାନେ ଏକାଧନ୍ୟା ହେଲୁଁ । ବାକୀ ଅଭିଷେକ ଦେଖିଲେ ମନର ଆଶା ମେଣ୍ଟିଯିବ ।ରୁମା ।- ରାମଚନ୍ଦ୍ରଙ୍କ ବାମରେ ସୀତା ଦେବୀଙ୍କି ଦେଖି ଚକ୍ଷୁ ସାର୍ଥକ ହେବ ।ଊର୍ମି ।- ମୁଁ ତାହା ଦେଖିବାର ଆଶା କରି ଚଉଦବର୍ଷ ବିତିଗଲା ।[ ପୁଷ୍ପହାର ଘେନି ପ୍ରମଦାର ପ୍ରବେଶ । ]
ପ୍ରମ ।- (ପୁଷ୍ପମାଳ ଦେଖାଇ) ସଖି ! ଦେଖନି, ଏ ଫୁଲମାଳ କେମନ୍ତ ଶୋଭା ଘେନିଚି-କିସ୍କିନ୍ଧ୍ୟାର ପ୍ରୀତି ଝଡ଼ି ପଡ଼ୁ ନାହିଁ କି ? (ବଢାଇ ଦେବା ।)
ସୀତା ।- (ତାରା ଓ ରୁମାକୁ ପିନ୍ଧାଇ ଦେଇ) କହିଲା କଥା ପଦେ ସଖି ! ଆକାଶରୁ ଚନ୍ଦ୍ରମା ସଙ୍ଗେ ଆହ୍ଲାଦ ଝଡ଼ି ପଡ଼ିଥବା ସ୍ଥଳେ ଏ କିବା ଛାର ।
ତାରା ।- ସଖି ! ଏତେ ଉଠେଇଦେଲେ ଆମେ ଆଉ ଅଯୋଧ୍ୟାରେ ରହିବୁଁ କିପରି ?ସୀତା ।- ଉପରେ ତ ଥିଲ - କେଇ ଦିନପାଇଁ ଆହ୍ଲାଦ କରିବାପାଇଁ ଉତାରି ଆଣିଚୁଁ ପରା ।ପ୍ରମ ।- ଠିକ୍ କହିଚ ସଖି । ଗଛରେ ତାଙ୍କର ବାସ । କିସ୍କିନ୍ଧ୍ୟା ଘୋର ଅରଣ୍ୟ ।ଊର୍ମି ।- ସେହି ଗଛରେ ଫୁଲ ଫୁଟିଥଲା ?ପ୍ରମ ।- ଯୋଡ଼ିଫୁଲ - ଏକା ଗଛରେ ଯୋଡ଼ିପୁଲ ଦେଖି ସଖୀ ତୋଳି ଆଣିଥିଲେ, ମୁଁ ପ୍ରୀତି ଝଡ଼ି ପଡ଼ୁଥିବା ଦେଖି ଗୁନ୍ଥି ପକାଇଲି ପରା ।ରମା ।- ଏମାନଙ୍କୁ ପାରିବାର ନୁହେ- ଏହିମାନଙ୍କ ଯୋଗେ ଅଯୋଧ୍ୟ୍ୟାର ମର୍ଯ୍ୟାଦା ବଢିଚି ।ପ୍ରମ ।- ଆପଣମାନେ ଆସି ନ ଥିଲେ ବୁଝନ୍ତା କିଏ ?
ସୀତା ।- ଠିକ୍କହିଚ- ବୁଝିବାଲୋକେ ନ ଥିଲେ ଯେତେ କଲେ ମନ ପୁରେ ନାହିଁ । ମୋର ଭାଗ୍ୟ ପ୍ରବଳ ଯେ ଏମାନଙ୍କ ସଙ୍ଗେ ପ୍ରଣୟ ହେଲା । ତାଙ୍କୁ ସଙ୍ଖୁଳି ଜୀବନ ସାର୍ଥକ କଲି । -ଯାଅ ସଖି ! ଆଉ ଟାହୁଲି କରନାହଁ । ତାଙ୍କ ଜାତିରେ ଭାଉଜକୁ ଦ୍ୱିତୀୟ ହେବା ପ୍ରଥା ଅଛି-ବଡ଼ ଭାଇ ବାଳୀ ବଧହେଲା ଉତ୍ତାରୁ ଭାଉଜକୁ ବିଭା ହୋଇ ସାଇତି ନେଲେ ମନ୍ଦ କଣ ? ତାଙ୍କ ଅଭିଷେକ ଦେଖିଥାନ୍ତୁ ତ ମନ ମାନିଯାଇଥାନ୍ତା ।
ତାରା ।- ମରମ ପାଇଲ ଆଉ ଉତ୍ତର ନାହିଁ !ପ୍ରମ ।- ହଁ ମୁଁ ତ ମରମ ପାଇଲି । -ବାକୀ ମରମ କଥା ସାଆନ୍ତେ ଜାଣୁଥିବେ କି ମରମ ଜାଣୁଥିବ ।ଊର୍ମି ।- ପ୍ରମଦା ଛାଡ଼ିବା ପାତ୍ରୀ ନୁହେ । (କାନ ଡ଼େରି) ଏ କାହାର ଗୀତ ଶୁବୁଚି ପରା ?ନେପଥ୍ୟେ ।- (ତୁକସ୍ୱରେ)ଦେଖ ପୁରନାରି ଅଯୋଧ୍ୟାନଗରୀ ଅଛି ତାକୁ ସରି କି ।ସୀତା ।- (କାନ ଡ଼େରି) ଏତ ସୁନନ୍ଦାଗଳା ।ନେପଥ୍ୟେ ।- (ସେହି ସ୍ୱରେ)ଶୋଭା ତିନିପୁର ଜୂରି କରି ଠୁଳ ନିନ୍ଦେ ଅପସରୀକି ।ପ୍ରମ ।- (କାନ ଡ଼େରି) ସୁନନ୍ଦା ତ ଏହିଆଡ଼େ ଆସୁଛି ।[ ସୁନନ୍ଦାର ଗୀତ ଗାଉଁ ଗାଉଁ ପ୍ରବେଶ ।ସୁନ ।- (ଗୀତ ।) ତୁକ୍ଳ ସ୍ୱର । ତାଳ ଏକତାଳୀ ।ଦେଇ ପୁରନାରି ଅଯୋଧ୍ୟାନଗରୀ ଅଛି ତାକୁ ସରି କି ।ଶୋଭା ତିନିପୁର ଜୂରି କରି ଠୁଳ ନିନ୍ଦେ ଅପସରୀକି । ଘୋଷା ।ସଖି ! କ୍ଷମା କରିବ - ଏତେ ଲୋକ ବସିଛନ୍ତି ।ସୀତା ।- ବସିଲେ କି ହେଲା ? ସଖି, ତୁମେ କଣ ପର ନା ଏଠି ପର ବସିଛନ୍ତି । ଭଲ ଗୀତଟି ସଖି, -ସେତିକି ନା ଆଉ ଅଛି ?ସୁନ ।- ଶୁଣିବ ? ଆଉ ଅଛି, ଗାଉଚି ।- (ସେହି ସ୍ୱରରେ ।)ଅଭିଷେକୁଁ ବାସ ଛାଡ଼ି ବନବାସ ଚଉଦବରଷ କି ।ଚଉଦଯୁଗର ନୟନ ଯୁଗଳ ନ ପଡ଼ି ନିମିଷ କି । ୧ ।ଲୋତକପ୍ରବାହେ ଦିନୁଦିନ ଯାଏ ବାହୁଡ଼ିବେ କେବେ କି । ୨ ।ଆନନ୍ଦଲହରୀ ଦଶଦିଗ ଭରି କଉତୁକେ ନାଚେ କି ।ଧରାପରା ତହିଁ ଆତ୍ମପର ନାହିଁ ସୁଧା ବଳେ ଯାଚେ କି । ୩ ।ସୀତା ।- ସଖି ! ତୁମେ ନ ଥିଲେ ଏକା ଅଯୋଧ୍ୟା ମୋତେ ଖାଲି ଲାଗୁଥାନ୍ତା ।ସୁନ ।- (ସ୍ୱରଭଙ୍ଗର କ୍ରମେ)କିସ୍କିନ୍ଧ୍ୟା କଟକ ଅଯୋଧ୍ୟ୍ୟା ଅଟକ କରି ରଖିଅଛି ଦେଖ ।କାହି ଲଙ୍କାଗଡ଼ ସମୁଦ୍ର ପାରିର ତହୁଁ ଆସିଛନ୍ତି ଲୋକ ॥
ତହୁଁ ପୁଣି ସଖି ଆଣିଛ ପରଖି ପ୍ରଣୟରମଣୀମଣି ।ଆପଣା ଗୁଣରେ ଦେଖ ସବୁ ସ୍ଥଳେ ଶୋଭା ଦେଉଛନ୍ତି ବୁଣି ॥
କେତେ ନରନରୀ କେତେ ପରିଚାରୀ ଖଟୁଛନ୍ତି ଦିବାନିଶି ।ରାଜରାଜେଶ୍ୱରୀ ଐଶ୍ୱର୍ଯ୍ୟରେ ପୁରି ଭାଗ୍ୟ ଉଦେ ସବୁଦଶି ॥
ସୁନନ୍ଦା ତହିଁରେ ରଣା କେତେକରେ ତାକୁ ଦେବା ଏଡ଼େ ପଦ ।ଆପଣାର ପଦ ଗୌରବ ସମ୍ପଦ ନୁହେ କି ତାପରମାଦ ॥
(ଗୀତ) ରାଗ ତୋଡ଼ି ପରଜ । ତାଳ ପହପଟ ।ଆଗୋ ସହଚରି ! ତୁମ୍ଭ କଥାକୁ କେ କେବେ ହେବ ସରିଦିନ ରାତି ତୁମ୍ଭ କଥା ଘୋଷି । ଆସିବା ବାଟକୁ ଚାହିଁ ବସି ।କେତେ କେତେ ଦୁଃଖ ସହିଛି ଏ ଦେହ କହି ଦିନ ରାତି ନୁହେ ସରି ।୧।ପଞ୍ଚବଟୀ ମାୟାମୃଗ କଥା । ପଡ଼ିଲେ ମନରେ ଉଠେ ବ୍ୟଥା ।କିସ ଧରୁ ଧରୁ କାହିଁରେ ପଡ଼ିଲୁ ଭାଗ୍ୟକୁ ଆସିଲୁ ସିନା ତରି । ୧ ।ସତୀତେଜେ ଦଶାନନ ମଲା । ସବଂଶ ସୁବର୍ଣ୍ଣଲଙ୍କା ଗଲା ।ଅନଳକୁଣ୍ଡରୁ ସଖି ବାହାରିଲୁ କେ ହେବ ତ୍ରିପୁରେ ତୋର ପରି । ୩ ।ତୋର ଗୁଣ ବିକି ଯାଉ ଦିନ । ତୁ ଥିଲାକୁ ସବୁ ଅଛି ଜାଣ ।ଅନ୍ଧାର ଏ ପୁରେ ତୁ ଏକା ଆଲୋକ ମୁଁ କେଉଁ ଗୁଣର ପରିଚାରୀ ।ପ୍ରମ ।- ଠିକ୍ଗାଇଚ-କଥାଗୁଡ଼ିକ ସ୍ୱର୍ଗରୁ ବାଛି ଆଣିଚି ।ତାରା ।- ମୋତେ ଏହାଙ୍କ କଥାଗୁଡ଼ିକ ଅମୃତ ପରି ଜଣାଯାଉଚି ।ରୁମା ।- ଅଯୋଧ୍ୟା ଆସି ନ ଥିଲେ ଏହା ଶୁଣାଯାଇଥାନ୍ତା କି ? ଯେମନ୍ତ କଣ୍ଠ ତେମନ୍ତ ହୃଦୟ ।[ ମାଣ୍ଡବୀ ଓ ଶ୍ରୁତକୀର୍ତ୍ତିର ପ୍ରବେଶ ।]ତାରା ।- ଏଦୁହିଁଙ୍କି ଆଉ ଭୋକଶୋଷ ନାହିଁ ।- ଚକ୍ରପରି ବୁଲିଚନ୍ତି ।
ମାଣ୍ଡ ।- କେତେ ଦିନରେ ଆଜି ବଡ଼ ଭଉଣୀକି ଆକାଶର ଚାନ୍ଦପରି ଘରେ ପାଇଚୁଁ-ତହିଁ ସଙ୍ଗେ ପୁଣି ତୁମ୍ଭ ଭଳି ଯୋଡ଼ି ମହିଷୀ ଶୁକ୍ରବୃହସ୍ପତି ତାରା ଏକାଠି ହେଲାପରି ଶୋଭା ଧରିଚନ୍ତି । ଏଥିରେ ଭୋଳ ହୋଇ ବୁଲିବୁଁ ନାହିଁ ତ ବୁଲିବୁଁ କାହିଁରେ ?
ଶ୍ରୁତ ।- ତହିଁପରେ ମନ୍ତ୍ରିବର ହନୁମାନ୍ପତ୍ନୀ, ଯୁବରାଜ ଅଙ୍ଗଦ ପତ୍ନୀ ଓ ସେନାପତି ନୀଳ ପ୍ରଭୃତିଙ୍କ ରମଣୀମାନେ ଅଯୋଧ୍ୟାପୁରୀକି ଶରତ୍କାଳରେ ଶୁଭ୍ର ଜ୍ୟେସ୍ନାମୟ ଆକାଶ ପରି କରି ରଖିଚନ୍ତି । ଆଜି ସମସ୍ତେ ଏକାଠି ହୋଇ ଶାଶୁ କୌଶଲ୍ୟା ଦେବୀଙ୍କ ଘରେ ପ୍ରୀତିଭୋଜନ କରିବା । ଆମକୁ ସେଇଥିପାଇଁ ଶାଶୁ ଅଟକାଇଥିଲେ ।
ରୁମା ।- ମୋତେ ପରା ଦେଖି କାବା ଲାଗୁଚି ! ଏ ଚାରିଭାଇଙ୍କ ପରି ସଂସାରରେ ଭାଇମାନେ ହୋଇଥିଲେ ଏତେ ଅନର୍ଥ, ଏତେ କଳି ବଢ଼ୁ ନ ଥାନ୍ତା । ଆଉ ତୁମ ପରି ଯାମାନେ ଘର କରୁଥିଲେ ସ୍ୱର୍ଗ ଆଉ ପୃଥିବୀର ପ୍ରଭେଦ ନ ଥାନ୍ତା ।
ତାରା ।- ଆଶ୍ଚର୍ଯ୍ୟ କଥା-ଗୋଟିଏ ଭାଇ ବନକୁ ଗଲା ବୋଲି ଜଣେ ଘରେ ଥିଲେ ସଙ୍ଗରେ ଗଲେ । ଆଉ ଦୁଇଜଣ ମାମୁଘରୁ ଆସି ରାଜ୍ୟ ନେବେ କଣ ବଡ଼ ଭାଇଙ୍କ ପାଇଁ ରାଜ୍ୟ ସାଇତି ରଖିଲେ । ଜଣେ ଭାଇ ସନ୍ୟାସୀ ବେଶ ହେଲଉଁ ଆଉମାନେ ବି ସେହିପରି- କେହି ଘରେ ଶୋଇଲେ ନାହିଁ କି ଭୋଗବିଳାସରେ ମତି ଦେଲେ ନେହିଁ । ବଡ଼ଭାଇ ବ୍ରତ ଧରିବାରୁ ଆଉ ସବୁ ଭାଇ ସେହିପରି ରହିବା କି ସହଜ କଥା-ତା ପୁଣି ଚଉଦବର୍ଷ !
ରୁମା ।- ସୀତାଦେବୀ ଅପହୃତା ହୋଇ ପୁଷ୍ପକ ରଥରେ ଯାଉଥିବା ସମୟରେ ଋଷ୍ୟମୂକ ପର୍ବତରେ ଆର୍ଯ୍ୟପୁତ୍ର ଓ ହନୁମାନ ପ୍ରଭୃତି ପାଞ୍ଚଜଣଙ୍କୁ ଦେଖି ଓତା ଆଉ ଅଳଙ୍କାର ପକାଇ ଦେଇଥିଲେ । ରାମ, ଲକ୍ଷ୍ମଣ ସେଠାକୁ ଆସିଲାରୁ ତାଙ୍କୁ ଦେଖାନ୍ତେ ଲକ୍ଷ୍ମଣ ପରା କହିଲେ ଯେ ପ୍ରତିଦିନ ସେ ସୀତାଦେବୀଙ୍କ ଚରଣ ବନ୍ଦନା କରନ୍ତି-ନୂପୁର ଛଡ଼ା ଆଉ କିଛି ଚିହ୍ନିପାରିବେ ନାହିଁ । ଏମନ୍ତ ଦେବର ମିଳିବା ଦୁଷ୍କର-ଭାଉଜ ସୁନାମୁଣ୍ଡାକୁ ଦିଅର ହୀରା ପରି !
ତାରା ।- ଯଥାର୍ଥ ଏକ ! ଏମାନଙ୍କୁ ଦେଖି ଜନ୍ମ ସଫଳ ହେଲା । ସତ କଥା କହିବାକୁ କିସ୍କାନ୍ଧ୍ୟା ଆଉ ଲଙ୍କାରେ ଏମନ୍ତ ଭାଇ ଥିଲେ ଦୁଃଖ ନ ଥାନ୍ତା !
ମାଣ୍ଡ ।- ଆପଣମାନଙ୍କ ଆଶୀର୍ବାଦରୁଁ ଆମେମାନେ ବଢ଼ିଚୁଁ ।ଶ୍ରୁତ ।- ଆପେ ଭଲ ବୋଲି ଆମମାନଙ୍କୁ ଭଲ ଦେଖୁଚନ୍ତି ।ଉର୍ମି ।- ଆମର ଅବା କିବା ଗୁଣ, ଗୁଣୀ ଚିହ୍ନିଲେ ଏତିକି ଢେର !
ସୀତ ।- ମୋର ଦୁଃଖ ସବୁ ତୁମମାନଙ୍କୁ ପାଇ ପାସୋର ଯାଇଚି । ବାପଘରେ ନନ୍ଦନ କାନନରେ ଅଶେଷ ସାଧ ଶରଧାରେ ବଢ଼ୁ ଥିଲୁଁ-ଶାଶୁଘରେ ସ୍ୱର୍ଗପୁରୀରେ ତହୁଁ ଦ୍ୱିଗୁଣ ହୋଇଥିଲା, ବାକୀ ବନବାସରେ ପରଖା ପରଖି ହୋଇ ଯାଇଚି ।
ପ୍ରମ ।- ଆମେ ସଖିମାନେ ବଞ୍ଚିଥିଲାକୁ ତୁମସଙ୍ଗେ ତୁମର ନୂଆ ସହଚାରୀଙ୍କ ସେବା କରିପାରିଲୁଁ, ଏହି ଆମର ସ୍ବର୍ଗ !
ସୁନ ।- ଆଉ ତାହା ଦେଖି ସୁନନ୍ଦାର ଗୋଡ଼ ଭୂଇଁରେ ଲାଗୁନାହିଁ । ଅଯୋଧ୍ୟା ଆଜି ସ୍ୱର୍ଗରୁ ବଳି ଯାଇଚି, ଆଉ ରଣୀହଂସପୁରେ ଚନ୍ଦର ହାଟ ବସିଚି !
(ଗୀତ ।)ରାଗ ଶଙ୍କରାଭରଣ । ତାଳଝୁଲା ଓ ପହପଟ ।ସଜନୀ ! ଦେଖ ଫେଡ଼ି ନୟନ ।ଝଟକେ ଚନ୍ଦ୍ରମା-ହାଟ କେସନ । ଘୋଷା ।ଏ ନୁହେ ଅଶୋକ ଶୋକ-କାନନ । ଆହ୍ଲାଦ ଶୁଧାଂସୁ-ଶୋଭା ସଦନ । ୧ ।କିଂଶପା ବୃକ୍ଷ ଏ ନୁହେ ସଜନି । ଏ ଅଯୋଧ୍ୟାବଟେ କି ଦୁଃଖ-ରଜନୀ । ୨ ।ଏଠି ନ ଡରାଏ ବୁଢ଼ୀ ରାକ୍ଷସୀ । ବେଢ଼ିଛନ୍ତି ଯେତେ ପୂର୍ଣ୍ଣିମା-ଶଶୀ । ୩ ।ଅକଳଙ୍କ ଚାନ୍ଦ ଅଯୋଧ୍ୟାକାଶେ । ଭୋଳ ସୀତାରାଣୀ-ପଣୟପାଶେ । ୪ ।[କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ପ୍ରବେଶ ଓ ସୀତା ପ୍ରଭୃତି ସମସ୍ତେ ଠିଆହେବା ]
କୌଶ ।- (ସୀତାକୁ କ୍ରୋଡ଼ରେ ଧରି) ମା ! ବହୁକାଳ ପରେ ମୋ ଦେହରେ ଜୀବ ବସିଚି । ତୁମେ ମୋର ଜୀବନ-ସଙ୍ଖାଳି । ତୁମେ ଗଲାଦିନୁ ମୋର ଘରର ଶିରୀତୁଟି ଯାଇଥିଲା । ଦିନରାତି ତୁମକୁ ଆଉ ରାମ ଲକ୍ଷ୍ମଣଙ୍କୁ ଭାଳି ଭାଳି କେତେ ଲୁହ ଗଡ଼ାଇ ନାହିଁ । ରାତିରେ ଆଖି ପଲକ ପଡ଼େ ନାହିଁ-ଟିକିଏ ତନ୍ଦ୍ରା ଲାଗି ଆସିଲେ ତୁମ ତିନି ଜଣଙ୍କୁ ସ୍ୱପନରେ ଦେଖି ଚମକି ପଡ଼େଁ,-କାନ୍ଦେଁ-ଆଉ ମନେହୁଏ ସେହି ସ୍ୱପନ ଭଲା ଦେଖୁଥାନ୍ତି କି- ମାତ୍ର ପୋଡ଼ା ଆଖି ଆଉ ପଡ଼େ ନାହିଁ ! ଆସ ସମସ୍ତେ ମୋ ପୁରେ ଏକାଠି ଭୋଜନ କରିବ-ମୁଁ ଦେଖି ଚକ୍ଷୁ ସାର୍ଥକ କରିବି ।
କୈକେ ।-ମା ସୀତେ ! ମୁଁ ଜାଣେଁ ତୁମେ ମନରେ କିଛି ଧରିନାହ । ମୋର ଦୋଷ କିସ-ପରବୁଦ୍ଧିରେ ପଡ଼ି ହଟହଟା ହେଲି ! ସେ ଯାହା ହେଉ ସେଇଥିରୁ ଦୁଷ୍ଟ ନିଶାଚର ଦଶନନର ବଧ ଆଉ ତୁମର ଅଗ୍ନିରେ ସତୀତ୍ୱର ଅକାଟ୍ୟ ପରୀକ୍ଷା ହୋଇ ପୃଥିବୀର ଅଶେଷ ମଙ୍ଗଳ କରିବାର ଉପାୟ ହେଲା ।
ସୁମି ।- ଗତକଥାକୁ ଶୋଚନା କରିବା ନୁହେ । ମା ସୀତେ ! ତୁମ ଯୋଗେ ତିନି ପୁରର ଶାନ୍ତି ହେଲା-ଯୁଗେ ଯୁଗେ ଲୋକେ ଏହା ଲକ୍ଷ୍ୟ କରି ଚାଲିଲେ ଅଶେଷ କଲ୍ୟାଣ ପାଇବେ । ତୁମ ଭଳି ଭାଉଜ କାହିଁ ଏମନ୍ତ ସ୍ନେହରେ ଦିଅରକୁ ପାଳିବା ଦେଖାଯାଏନାହିଁ । ଆଉ ଯାଙ୍କ କଥା କଣ କହିବି-ଚାରି ଭଉଣୀ ଚାରିଯା-ଚାରୋଟି ଲକ୍ଷ୍ମୀପରି ଏକା ଚାଉଳରେ ଗଢ଼ା, ଘରଭଙ୍ଗା ଯାଯେଉଳା ଆଉ କଳିହୁଡ଼ୀ ଭଉଣୀ ଗୁଡ଼ିକ ତୁମଠୁ ଶିକ୍ଷାପାନ୍ତୁ ମୋର ଏହି କାମନା ।
କୌଶ ।- ଆସ, ତାରାମଣୀ ଆଉ ରୁମାମଣୀ-ତୁମେମାନେ ରମଣୀ ମଧ୍ୟରେ ହୀରାପରି ଆସ, ମୋ ଘରେ ସୀତାଙ୍କ ସହିତ ଏକତ୍ର ଭୋଜନାଦି କରିବ, ମୁଁ ତୁମର ଯୁବରାଜପତ୍ନୀ ଆଉ ହନୁମାନ ଇତ୍ୟାଦିଙ୍କ ଘରଣୀମାନଙ୍କୁ ଘରେ ବସାଇ ଆସିଚି । ତୁମମାନଙ୍କ ପାଦଧୂଳି ପଡ଼ି ମୋର ଘର ପବିତ୍ର, ଅଯୋଧ୍ୟା ପବିତ୍ର ଆଉ ଜୀବନ ସାର୍ଥକ ହେଲା ।
ତାରା ଓ ରମା ।- ଏ ଆପଣଙ୍କ ଅନୁଗ୍ରହ ଓ ଆଶୀର୍ବାଦରୁ ଏକା ।[ସୀତାଙ୍କୁ ଧରି କୌଶଲ୍ୟା ଓ ତତ୍ପଶ୍ଚାତ୍ଅନ୍ୟ ସମସ୍ତଙ୍କର ପ୍ରସ୍ଥାନ ।ପଟପରିବର୍ତ୍ତନ ।