ପ୍ରଥମ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଦୃଶ୍ୟ
ଆଶ୍ରମ[ ଭରଦ୍ୱାଜ ମୁନି ହୋମକରଣେ ନିଯୁକ୍ତ । ସମ୍ମୁଖେ ସମାସୀନଶିଷ୍ୟବର୍ଗଙ୍କ ପ୍ରତିଆହୁତିରେ ନମସ୍କାର କରଣ । ]
ଭର ।- ଓଁ ଦେବାନା ମୁଦଗାଦନୀକଂ ଚକ୍ଷୁର୍ମିତ୍ରସ୍ୟ ବରୁଣସ୍ୟାଗ୍ନେଃ । ଆପ୍ରାଦ୍ୟାବା ପୃଥିବୀ ଅନ୍ତରୀକ୍ଷଂ ସୂର୍ଯ୍ୟ ଆତ୍ମା ଜଗତସ୍ତସ୍ଥୂଷଶ୍ଚ । ସ୍ୱାହା ॥ (ଆହୁତି ପ୍ରଦାନ ।)
ଓଁ ସୂର୍ଯ୍ୟା ଦେବୀମୁଷସଂ ରୋଚମାନଂ ମର୍ୟୋ ନ ୟୋଷାମଭ୍ୟେତି ପଶ୍ଚାତ୍ । ୟତ୍ରନରୋ ଦେବୟନ୍ତୋ ୟୁଗାନି ବିତନ୍ୱତେ ପ୍ରତି ଭଦ୍ରାୟ ଭଦ୍ରମ୍॥ ସ୍ୱାହା । (ଆହୁତି ପ୍ରଦାନ)
ଓଁ ଭଦ୍ରା ଅଶ୍ୱାହରିତଃ ସୂର୍ଯ୍ସ୍ୟ ଚିତା ଏତଗ୍ବା ଅନ୍ରମାଦ୍ୟସଃ । ନମସ୍ୟନ୍ତୋ ଦିବା ଆ ପୃଷ୍ଠମସ୍ଥୁଃ ପରି ଦ୍ୟାବପୃଥିବୀ ୟନ୍ତି ସଦ୍ୟଃ ॥ ସ୍ୱାହା । (ଆହୁରି ପ୍ରଦାନ)
ଓଁ ତତ୍ସୃର୍ୟସ୍ୟ ଦେବତ୍ୱଂ ତନ୍ମହିତ୍ୱଂ ମଧ୍ୟା କର୍ତ୍ତୋବିର୍ତତଂ ସଂଜଭାର । ୟଦେବୟୁକ୍ତ ହରିତଃ ସମସ୍ଥାଦାଦ୍ରାତ୍ରୀ ବାସସ୍ତନୂତେ ସିମସ୍ମେ ॥ ସ୍ୱାହା । (ଆହୁତି ପ୍ରଦାନ ।)
ଓଁ ତନ୍ମିତ୍ରସ୍ୟ ବରୁଣସ୍ୟାଭିଚକ୍ଷେ ସୂର୍ଯ୍ୟୋ ରୂପଂ କୃଣତେ ଦ୍ୟୋରୁପସ୍ଥେ । ଅନନ୍ତମନ୍ୟଦ୍ରୁ ପାଜଃ କୃଷ୍ଣମନ୍ୟନ୍ଧରିତଃ ସଂଭରନ୍ତି ॥ ସ୍ୱାହା (ଆହୁତି ପ୍ରଦାନ ।)
ଓଁ ଅଦ୍ୟା ଦେବା ଉଦିତା ସୂର୍ଯ୍ୟସ୍ୟ ନିରଂହସଃ ପୃଥିବୀ ଉତ ଦ୍ୟୌଃ ॥ ସ୍ୱାହା । (ଆହୁତି ପ୍ରଦାନ ଓ ପରେ ଧ୍ୟାନ ନିମଗ୍ନ ।)ଶିଃ ବଃ ।- (ଗୀତ)ରାଗିଣୀ ଝିଝିଟ । ତାଳ କବାଲୀ ।ଲୟ କର ମନେ ବ୍ରହ୍ମ ସନାତନେ । -ସଂସାର-କରତା ତାପ ବିମୋଚନେ ॥ ଘୋଷା ।ବିରଚି ବ୍ରହ୍ମାଣ୍ଡ ଅସୀମ ସ୍ଥାନେ ।ଧରି ରଖିଛନ୍ତି ନାନା ବିଧାନେ ।ସୂର୍ଯ୍ୟ ଚନ୍ଦ୍ର ଯାର ମହିମା ଅପାରଅନନ୍ତ କୌଶଳ ସୃଷ୍ଟ ବଖାଣେ । ୧ ।ଅଗଣିତ ତାରା ଆକାଶ ଭରା ।ରଖିଚି କେ ତାକୁ କାହିଁରେ ଧରା ।ଯେଝାପଥେ ଚଳି ନିମଷେ ନ ଟଳି -କେ ପାଇଛି ଅନ୍ତ ଆସେ କି ଧ୍ୟାନେ । ୨ ।ବୃକ୍ଷ ଲତା ପ୍ରାଣୀ କେ ପାରେ ଗଣି ।କେତେରୂପେ ଦ୍ରବ୍ୟ ପଡ଼ିଛି ଖଣି ॥
ପର୍ବତ ସାଗର ନଦୀ ସରୋବରଆସିଲା ସକଳ କାହା ଭିଆଣେ । ୩ ।ନାନା ରୂପରଶସ୍ବର୍ଶଶବଦ ।ନାନା ବର୍ଣ୍ଣଗନ୍ଧେ ବୁଦ୍ଧି ସ୍ତବଧ ।ନାନା ପୁଷ୍ପ ଫଳ ପତ୍ର ମନୋହରଶୋଭଇ ଧରଣୀ ନାନା କାରଣେ । ୪ ।ଆକର୍ଷଣବଳେ କେ ବିଶ୍ୱ ଚାଲେ ।କେ ଆକର୍ଷୁଥାଏ ଆପଣା ଆଡ଼େ ॥
ମଙ୍ଗଳାମଙ୍ଗଳ ଦିଏ କର୍ମଫଳକେ ବ୍ୟାପ୍ତ ଆନନ୍ଦେ ଅସୀମ ଜ୍ଞାନେ । ୫ ।
ଭର ।- (ଧ୍ୟାନ ଭାଙ୍ଗି) ଦେଖ, ଯେଉଁ ପରମେଶ୍ୱରଙ୍କ ଅସୀମ କ୍ଷମତାରୁ ଏହି ସଂସାର ସୃଷ୍ଟି ହୋଇ ଦିନ ରାତି ବର୍ଷା ଋତୁ ପକ୍ଷ ଆଦି ଅପୂର୍ବ ଘଟନାମାନ ଘଟି ସଂସାର ପ୍ରତିପାଳିତ ହେଉଛି ସେହି ଈଶ୍ୱରଙ୍କ ଅପାର ମହିମାରେ ଧର୍ମର ଜୟ ଓ ଅଧର୍ମର କ୍ଷୟ ନିତ୍ୟ ଘଟୁଛି । ଏବେ ରାମଚନ୍ଦ୍ରଙ୍କ କର୍ତ୍ତୃକ ଅତଜ୍ଜ୍ୱଳ ରୂପେ ତାହା ସାଧିତ ହୋଇ ଲଙ୍କାର ଦୁର୍ଜୟ ପରାକ୍ରମୀ ରାବଣର ବିନାଶ ଘଟିଲା । ସତୀଶିରୋମଣୀ ସୀତା ଦେବୀ ଭୟଙ୍କର ଅଗ୍ନି-ପରୀକ୍ଷାରେ ଚରିତ୍ରବତୀର ପରିଚୟ ଦେଇ ସେହି ରାମଚନ୍ଦ୍ରଙ୍କ ସଙ୍ଗେ ଆସୁଛନ୍ତି, ତୁମ୍ଭେମାନେ ଗୁରୁତୁଲ୍ୟ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହେବ ।
[ ଏକେ ଏକେ ରାମ, ଲକ୍ଷ୍ମଣ, ସୀତା, ବିଭୀଷଣ, ସୁଗ୍ରୀବ, ଅଙ୍ଗଦ, ହନୁମାନ ଜାମବନ, ନଳ, ନୀଳାଦିର ପ୍ରବେଶ ଓ ଯଥାବିଧି ଅଭିବାଦନପୂର୍ବକ କରଯୋଡ଼େ ଦଣ୍ଡାୟମାନ । ]
ଶିଃ ବଃ ।- (ରାମଚନ୍ଦ୍ର ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଉଠି ଦଣ୍ଡାୟମାନ ।)
ଭର ।- (ହସ୍ତୋତ୍ତାଳନ ପୂର୍ବକ) ମଙ୍ଗଳ ହେଉ ! ମଙ୍ଗଳ ହେଉ ! ସମସ୍ତେ ଧାଡ଼ିହୋଇ ମୋ ଆଗରେ ବସ । ମୁଁ ଆଜି ତୁମ୍ଭମାନଙ୍କୁ ଦେଖି ଚରିତାର୍ଥ ହେଲି ! ବତ୍ସ ରାମଚନ୍ଦ୍ର ! ଦେଖୁଁ ଦେଖୁଁ ଚଉଦବର୍ଷ ଅତୀତ ହେଲା ସତ ମାତ୍ର ପିତୃସତ୍ୟ ପାଳନ କରି ତୁମ୍ଭର ବନବାସ ଅକାରଣ ହୋଇନାହିଁ ।- ତଦ୍ଦ୍ୱାରା ପାପିଷ୍ଠ ରାବଣ ନିହତ ହୋଇ ପୃଥିବୀର ଭାର ଊଣା ହେଲା, ନିଷ୍କଣ୍ଟକରେ ସମସ୍ତେ ଯଜ୍ଞସାଧନ କରିପାରିବାର ବାଟ ପରିଷ୍କାର ହେଲା ଆଉ ଧର୍ମର ଜୟପତାକା ଜଗତରେ ଚରକାଳପାଇଁ ଉଡ୍ଡୀନ ହେଲା । ତୁମ୍ଭେମାନେ ସମସ୍ତେ କର୍ମବୀର । ଜଗଦୀଶ୍ୱର କର୍ମମୟ ଏବଂ ଧର୍ମପଥରେ ଥାଇ ଯେ ବୀପ୍ରୋୟ କର୍ମସାଧନ କରେ ସଂସାରରେ ମୁକ୍ତିରୂପ ସୁଧାପାନ ଏକା ତାହାରିସକାଶେ ସଞ୍ଚିତ ଅଛି ।
ରାମ ।- ଭଗବାନ୍ ! ଆପଣଙ୍କୁ କି ଅଜଣା ଅଛି ? କିନ୍ତୁ ମୁଁ ଯେ ଦୁଃସାଧ୍ୟ ପିତୃସତ୍ୟ ପାଳନ କରି ପୁନର୍ବାର ପ୍ରଭୁଙ୍କ ଚରଣ ଦର୍ଶନ କରିପାରିବି ଏମନ୍ତ ଆଶା ନ ଥିଲା, ଦଣ୍ଡକାରଣ୍ୟ ଯେମନ୍ତ ଭୟାନକ ପାପର ପଥ ମଧ୍ୟ ତେମନ୍ତ ଭୟଙ୍କର, ଆଉ ପାପିଷ୍ଠମାନେ ତହୁଁ ବଳି ଭୀଷଣକାୟ - ତଦୁପରି ରାବଣ ଘୋର ଭୟାବହ । ମୁଁ ଆପଣଙ୍କ କୃପାରୁ ଜଗଦୀଶ୍ୱରଙ୍କ ଆଶୀର୍ବ୍ବାଦରୁ ସେ ପାପସାଗର ଉର୍ତ୍ତୀର୍ଣ୍ଣ ହୋଇ ଫେରିଆସିଛି । ବର୍ତ୍ତମାନ ଜାଣିବାକୁ ଚାହେଁ ଅଯୋଧ୍ୟା ନଗରର ସମସ୍ତେ ଭଲ ଅଛନ୍ତି ତ ? କାହାରିତ ଦୁର୍ଭିକ୍ଷ କ୍ଳେଶ ପହୁଞ୍ଚି ନାହିଁ ? ଭରତ ଧର୍ମନୀତି ଅନୁସାରେ ପ୍ରଜାପାଳନ କରୁଛନ୍ତି ତ ? ମୋର ମାତାମାନେ ବଞ୍ଚିଛନ୍ତି ତ ? ପୁଷ୍ପକରଥରେ ଆକାଶମାର୍ଗରେ ଆସିବାଠାରୁ ଆଉ ଶୀଘ୍ରଗାମୀ ଯାନ ନାହିଁ । ବାଟରେ କେବଳ ଜାନକୀଦେବୀଙ୍କ ଇଚ୍ଛାମତେ କିଷ୍କିନ୍ଧ୍ୟାନଗରୀର ଓହ୍ଲାଇ ପ୍ରିୟ ସଖା ସୁଗ୍ରୀବଙ୍କ ମହିଷୀ ତାରା ପ୍ରଭୃତିଙ୍କି ସଙ୍ଗେ ଆଣିବାସକାଶେ ରହିଯିବାରୁ ଆଜି ପଞ୍ଚମୀ ହୋଇଗଲା ।
ଭର ।- ସତୀଶିରୋମଣୀ ପତିପ୍ରାଣା ସୀତା ଦେବୀ ବହୁକାଳ ଏକାକିନୀ ବିଶେଷତଃ ବର୍ଷେକାଳ ଲଙ୍କାରେ ବିକଟରୂପା ରାକ୍ଷସୀମାନଙ୍କ ସଙ୍ଗେ ଥିବାହେତୁ ସଙ୍ଗ ଲୋଡ଼ିବା ସ୍ୱାଭାବିକ । ପରନ୍ତୁ ଯେଉଁ ସଖାଙ୍କ ସାହାଯ୍ୟରେ ଦୁର୍ଜୟ ରାବଣ ବଧ ହେଲା ତାଙ୍କ ମହିଷୀ ଓ ସହଚରୀଆଦିଙ୍କି ଆଣି ସମ୍ବର୍ନ୍ଧନା କରିବା ବଡ଼ ସୁଖର କଥା । ବୀରଶ୍ରେଷ୍ଠ ରାମଚନ୍ଦ୍ର ! ତୁମ୍ଭ ଘରେ ସମସ୍ତେ ଭଲ ଅଛନ୍ତି ।ଭରତ ଜଟ୍ଟାବକ୍କଳ ପରିଧାନପୂର୍ବକ ତୁମ୍ଭର ଆଜ୍ଞାମତେ ପାଦୁକାଯୁଗଳ ପୂଜା କରି ନନ୍ଦିଗ୍ରାମରେ ଅବସ୍ଥାନ କରୁଛନ୍ତି । ତୁମ୍ଭେ ଲକ୍ଷ୍ମଣ ଓ ସୀତାସହିତ ବନବାସ କରିବାପାଇଁ ଏହି ଆଶ୍ରମକୁ ଚାଲିଗଲାବେଳେ ମୋ ମନରେ ଯେଉଁ ଦୁଃଖ ଜାତ ହୋଇଥିଲା ଆଜି ତୁମ୍ଭଙ୍କୁ ଶତ୍ରୁବିଜୟୀ ହୋଇ ସୁଖେ ବନ୍ଧୁଜନାଙ୍କ ସଙ୍ଗେ ଏଠାରେ ଉପସ୍ଥିତ ହେବା ଦେଖି ମନ ତତୋଽଧିକ ଆନନ୍ଦ ଲାଭ କଲା । ପିତୃସତ୍ୟ ପାଳିବାସକାଶେ ରାଜସୁଖଯୋଗ୍ୟ ଲୋକର ଐଶ୍ୱର୍ଯ୍ୟ ଛାଡ଼ି ବନ୍ୟଫଳମୂଳାଶୀ ହେବା ଅଳ୍ପହୃଦୟର କାର୍ଯ୍ୟ ନୁହେ । ତୁମ୍ଭର ସୁଖଦୁଃଖ କଥା ମୋତେ ସବୁ ଜଣାଅଛି ; ବ୍ରାହ୍ମଣ ଓ ତେଜସ୍ୱିମାନଙ୍କ ରକ୍ଷାସକାଶେ ଖରଦୂଷଣର ବଧ, ମାୟାମୃଗଧାରୀ ମାରୀଚକୁ ଦେଖି ସୀତାଙ୍କ କଥାରେ ତୁମ୍ଭେ ଓ ଲକ୍ଷ୍ମଣ ଅନୁପସ୍ଥିତ ଥିବାକାଳରେ ରାବଣ ସୀତାଙ୍କୁ ହରିନେଇ ଅଶୋକବନରେ ରଖି ଯେରୂପ କଷ୍ଟ ଦେଇଥିଲା ତାହା ଓ କବନ୍ଧଦର୍ଶନ, ଫମ୍ପାଭିମୁଖେ ଗମନ, ସୁଗ୍ରୀବସହିତ ମିତ୍ରତା, ବାଳିବଧ, ସୀତାଠାବ ହନୁମାନଙ୍କ ଅଦ୍ଭୁତକାର୍ଯ୍ୟ, ନଳଙ୍କର ସମୁଦ୍ରୋପରି ସେତୁନିର୍ମାଣ, ଆଉ ଲଙ୍କାଦାହ ଓ ଶେଷରେ ପୁତ୍ର ବାନ୍ଧବ ଅମାତ୍ୟ ବାହନାଦି ସହିତ ବଳଦର୍ପିତ ଦଶାନନର ଯୁଦ୍ଧରେ ବିନାଶ ସବୁ ମୋତେ ଜଣାଅଛି । ମୋର ଶିଷ୍ୟମାନେ ନିୟତ ଅଯୋଧ୍ୟାନଗରୀ ଯାଇଁ ସମ୍ବାଦ ଘେନିଆସନ୍ତି । ପ୍ରିୟଜନଙ୍କ ସହିତ ତୁମ୍ଭେ ମୋର ଅତିଥ୍ୟ ଗ୍ରହଣ କଲେ ମୁଁ ଚରିତାର୍ଥ ହେବି - ଜଗଦୀଶ୍ୱର ତୁମ୍ଭର ଅଶେଷ ମଙ୍ଗଳ ସାଧନ କରନ୍ତୁ !
ରାମ ।- (କରଯୋଡ଼େ) ଭଗବାନ୍ ! ଆପଣଙ୍କ ଭଳି ସତ୍ୟସନ୍ଧ ଯୋଗୀ ପୁରୁଷଙ୍କୁ କାହିଁକି କିଛି ଅଜଣା ଥିବ ! ମୁନିଶ୍ରେଷ୍ଠ ! ଆଶୀର୍ବ୍ବାଦ କରନ୍ତୁ ମୋର ପ୍ରିୟଲୋକମାନେ ଅଯୋଧ୍ୟାଦର୍ଶନ କରି ଘରକୁ ବାହୁଡ଼ିଯିବା ପର୍ଯ୍ୟନ୍ତ ବାଟଘାଟ ସମସ୍ତସ୍ଥାନରେ ସେମାନଙ୍କ ଉପରେ ନାନା ସୁଖାମୃତ ବୃଷ୍ଟି ହେଉ ।
ଭର ।- ତଥାସ୍ତୁ ! ରଘୁକୁଳଶ୍ରେଷ୍ଠ ବୀର ରାମଚନ୍ଦ୍ର ! ତୁମ୍ଭଦ୍ୱାରାହିଁ ଇକ୍ଷ୍ୱାକୁବଂଶ ଉଜ୍ଜ୍ୱଳ ହୋଇଛି । ପ୍ରିୟଲୋକ କାହିଁକି ସକଳଲୋକଙ୍କ ମଙ୍ଗଳ କାମନାହିଁ ତୁମ୍ଭ ମନରେ ଜଗି ରହେ । ଆପଣା ସକାଶେ କିଛି ନ ମାଗିବା ମହତ୍ତ୍ୱର ପରିଚାୟକ, - ଜଗଦୀଶ୍ୱରଙ୍କ କୃପାରୁ ତୁମ୍ଭ ରାଜତ୍ୱକାଳରେ ବସୁଧାରେ ସୁଧାବୃଷ୍ଟ ହେଉଥିବ !
ରାମ ।- (କରଯୋଡ଼େ) ଆପଣଙ୍କ ଆଶୀର୍ବାଦ ଥିଲେ ମୋର ସବୁଅଛି ! ମୋର ଇଚ୍ଛା ମୁ ଭରତକୁ ଆଗେ ସମ୍ବାଦ ଦେଇ କାଲି ଏଠାରୁ ନନ୍ଦିଗ୍ରାମଆଡ଼େ ଯାତ୍ରା କରିବି । ଭାଇ ଓ ମାଙ୍କୁ ଦେଖିବା ସକାଶେ ମୋର ମନ ବ୍ୟଗ୍ର ଅଛି, ତଥା ଅଯୋଧ୍ୟାବାସୀଏ ଯେଉଁ ସସ୍ନେହଦୃଷ୍ଟିରେ ବନବାସକଲାବେଳେ ମତେ ଅନାଇଁ ରହିଥିଲେ ତାହା ଜୀବନ ଥାଉଁ ମୁଁ ଭୁଲିପାରିବି ନାହିଁ - ସେମାନଙ୍କୁ ଦେଖିବାପାଇଁ ସୁଦ୍ଧା ମନ ଉତ୍କଣ୍ଠିତ । ନୋହିଲେ ଏ ଗଙ୍ଗାଯମୁନାର ସଙ୍ଗମସ୍ଥାବ ପୁଣ୍ୟ ପ୍ରୟାଗ ତୀର୍ଥରେ କିଛିକାଳ ଅମୃତସ୍ତବୀ ଜଳବାୟୁ ସେବନପୁର୍ବକ ଦେହ ମନକୁ ହୃଷ୍ଟପୁଷ୍ଟ କରିବାକୁ ଛାଡ଼େ କିଏ ?
ସୁଗ୍ରୀ ।- ଯଥାର୍ଥ କଥା - ଏମନ୍ତ ରମଣୀୟ ସ୍ଥାନ ମିଳିବା କଠିନ !ବିଭୀ ।- ଲଙ୍କାର ଚିରବସନ୍ତସମାଗମ ସମୁଦତିରେ ସୁଦ୍ଧା ଏଥିକି ସରିନୁହେ ।
ଭର ।- ବୀରଶ୍ରେଷ୍ଠ ରାମଚନ୍ଦ୍ର ! ତାହାହେଉ - ମୁଁ ଅଧିକଦିନ ତୁମ୍ଭଙ୍କୁ ଏତେବେଳେ ଅଟକାଇବାର ବାସନା ନ ରଖେଁ ।- ଶିଷ୍ୟବର୍ଗ ! ଯାଅ ସମସ୍ତଙ୍କର ଯଥାବିଧି ଖାଦ୍ୟପାନର ଆୟୋଜନ କରି ସନ୍ତୋଷ ବିଧାନ କର ।
ଶିଃ ବଃ ।- (ଉଠି କରଯୋଡ଼େ) ଯେ ଆଜ୍ଞା !
ରାମ ।- (ହନୁମାନକୁ ଅନାଇ) ବୀରବର ହନୁମାନ ! ଭୋଜନାନ୍ତେ ତୁମ୍ଭେ ଆଜି ନନ୍ଦିଗ୍ରାମକୁ ଯାଇ ଭରତକୁ ମୋର ଆଗମନ ବାର୍ତ୍ତାଦେଇ ଅଯୋଧ୍ୟାର ସମସ୍ତଙ୍କର କୁଶଳବାର୍ତ୍ତା ବୁଝ । ଶୃଙ୍ଗବପୁରରେ ପହୁଞ୍ଚି ନିଷାଦରାଜ ଗୁହକଙ୍କୁ ମୋର କୁଶଳ ସମ୍ବାଦ ଦେବ । ଗୁହ ମୋର ପ୍ରାଣସମ ବନ୍ଧୁ - ସେ ଆନନ୍ଦିତ ହୋଇ ତୁମ୍ଭଙ୍କୁ ଅଯୋଧ୍ୟାର ବାଟ ଦେଖାଇଦେବେ । ଭରତଙ୍କୁ ଆମ୍ଭମାନଙ୍କର କୁଶଳ ସମ୍ବାଦ ଦେଇ ବନବାସର ସମସ୍ତ କଥା ଜଣାଇ ଆକାର ଇଙ୍ଗିତରେ ତାଙ୍କର ମନୋଭାବ ବୁଝିବ । ଚଉଦବର୍ଷକାଳ ରାଜ୍ୟ ପାଇ ତାଙ୍କର ଲୋଭ ହୋଇଛି କି ନାହିଁ ଜାଣିବା ଉଚିତ ।- ଚାଲ, ସମସ୍ତେ ସ୍ନାନଭୋଜନ ସମାପନ କରିବା । ପ୍ରୟାଗସଙ୍ଗମରେ ସ୍ନାନ କରିବା ଏକା ଭାଗ୍ୟର କଥା ।
ଭର ।- (ଶିକ୍ଷାବର୍ଗଙ୍କୁ ଅନାଇ) ପ୍ରିୟ ବତ୍ସମାନେ ! ଏ ହୋମପକରଣମାନ ଉଠାଇ ରଖ । ମୁଁ ରାମଚନ୍ଦ୍ରଙ୍କ ସ୍ନାନତୀର୍ଥକୁ ଯାଉଛି । ସେଠାରୁ ସମସ୍ତେ ଫେରିଲାବେଳେ ଯେମନ୍ତେ ସମସ୍ତ ଆୟୋଜନ ଠିକ ହୋଇଥାଏ ।
ଶିଃ ବଃ ।- [ କରଯୋଡ଼େ ] ଯେ ଆଜ୍ଞା ! (ହୋମସାମଗ୍ରୀ ଉଠାଇ ନେଇଯିବା ।)[ ଆଗେ ଭରଦ୍ୱାଜ, ତତ୍ପଶ୍ଚାତ୍ ସୀତା, ପରେ ରାମ ଓ ଅନ୍ୟାନ୍ୟ ସମସ୍ତଙ୍କର ପ୍ରସ୍ଥାନ । ]ପଟପରିବର୍ତ୍ତନ ।
ଦ୍ୱିତୀୟ ଦୃଶ୍ୟ
ଉପବନସ୍ଥ କୁଟୀର ସମ୍ମୁଖ ଭାଗ(ନନ୍ଦିଗ୍ରାମ)(ଚୀରକୃଷ୍ଣାଜିନ ପରିହିତ କଟାଧାରୀ ଭରତ ପୁଷ୍ପଚନ୍ଦନଶୋଭିତ ସୁବର୍ଣ୍ଣପାଦୁକା ଘେନି ଦଣ୍ଡାୟମାନ । ପାର୍ଶ୍ୱେ ହନୁମାନ ସମୁପସ୍ଥିତ ।)
ଭର ।- ବୀରବର ! କାଲି ତୁମ୍ଭଠାରୁ ଭାଇଙ୍କ ଆଗମନ ବାର୍ତ୍ତା ପାଇବା ସମୟରୁ ମୋ ମନ ଆନନ୍ଦରେ ନାଚୁଛି ।- ବିଶେଷତଃ ଯାହାଙ୍କ ପ୍ରଭାବରୁ ପାଦୁକାଯୁଗଳ ରଖି ମୁ ଏତାବତ୍କାଳ ରାଜ୍ୟଭାର ଚଳାଇବାକୁ ସମର୍ଥ ହେଲି ଆଜି ତାଙ୍କୁ ସେହି ପାଦୁକାଯୁଗଳ ପିନ୍ଧାଇ ସେ ଭାର ପ୍ରତ୍ୟର୍ପଣ କଲେ ମୋର ଜନ୍ମ ସଫଳ ଜ୍ଞାନ କରିବି । ପୁଷ୍ୟାଯୋଗରେ ରାମଚନ୍ଦ୍ରଙ୍କର ଅଭିଷେକ ହେଉଁ ହେଉଁ ବନବାସ ହୋଇଗଲା, ଆଜି ପୁଷ୍ୟାନକ୍ଷତ୍ର ଯୋଗେ ଭାଇଙ୍କ ସାକ୍ଷାତ୍ ମିଳିବ ବୋଲି କାଲି ତୁମ୍ଭେ କହିଲା ସମୟରୁ ମନଟା ଉଦ୍ବିଗ୍ନ ହୋଇଛି ।
ହନୁ ।- ସେଥିରେ ଆଶଙ୍କା ଆଉ କି ଅଛି ? - ପିତାଙ୍କର ଆଉ ବର ନାହିଁ କି ମନ୍ତ୍ରଣା-କାରିଣୀ କୁଜୀବୁଢ଼ୀ ମନ୍ଥରା ନାହିଁ । ଗତସ୍ୟ ଶୋଚନା ନାସ୍ତି !
ଭର ।- (ମୃଦୁହସି) ତା ଯଥାର୍ଥ - ଯାହା ହେବାର ଥିଲା ହୋଇଗଲା । ମୁଁ ଜାଣେଁ ସବୁ ଦେବକୂଟ । ବିଶ୍ୱନିୟନ୍ତା ଜଗଦୀଶ୍ୱର ଯାହା ବିଧାନ କରିଛନ୍ତି ସେଥିରୁ ତିଳେ କେହି ଟଳିବେ ନାହିଁ । ମୋର ଭାଗ୍ୟ ପ୍ରବଳ ଯେ ମୁଁ ଏପରି ଭାଇର ଏରୂପରେ ସେବା କରି ପାରିଲି ।
ହନୁ ।- ଭାଇପଣକୁ ଆପଣଙ୍କର ପଟାନ୍ତର ନାହିଁ । ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବାପାଇଁ ଯେରୂପ ଦୃଢ଼ ପୁଅପଣିଆ ଦେଖାଇଥିଲେ ଆପଣ ସେହିପରି ସ୍ୱାର୍ଥତ୍ୟାଗ ଦେଖାଇ ବିଶାଳ ରାଜ୍ୟଭୋଗ ଛାଡ଼ି ପାଦୁକାଯୁଗଳ ରଖି ଚୀରକୃଷ୍ଣାଜିନ ପିନ୍ଧି ଜଟାଧାରୀ ହୋଇ ଚଉଦବର୍ଷ ମୁନିବ୍ରତ ଧରି ଅଦ୍ଭୁତ ଭାଇପଣିଆ ଦେଖାଇଛନ୍ତି । ଭାଇଶୋକରେ ଆପଣଙ୍କ ଶ୍ରୀଅଙ୍ଗ କୃଶ ହୋଇଗଲାଣି - ଦେହ ମଳିରେ ଭରି ରହିଛି । ଭାଇଙ୍କି ଫେରି ଦେଖିବାଲାଗି ଆପଣଙ୍କର ପରମଚିନ୍ତା ଆଜି ଫଳବତୀ ହେବ ।
ଶତ୍ରୁ ।- (ଯଥାବିଧି ଅଭିବାଦନ ପୂର୍ବକ) ସମସ୍ତେ ଆସି ପହୁଞ୍ଚିଗଲେ । ମୁଁ ଯାଇ ପହୁଞ୍ଚିଲାମାତ୍ରକେ ବିଦ୍ୟୁତ୍ପ୍ରାୟ ଭାଇଙ୍କ ଶୁଭାଗମନ ବାର୍ତ୍ତା ଚାରିଆଡ଼େ ବ୍ୟାପିଗଲା ଆଉ ଲୋକମାନେ ଆନନ୍ଦରେ ଉତ୍ଫୁଲ୍ଲ ହୋଇ ଚାରିଆଡ଼େ ଧାଇଁଲେ । ମୁଁ ନବରରେ ପହୁଞ୍ଚି ସମ୍ବାଦ ଦେଲା ମାତ୍ରକେ ମା ମାନେ ଆନନ୍ଦରେ ଜଗଦୀଶ୍ୱରଙ୍କ ଧନ୍ୟବାଦ ଦେଇ ଏଠାକୁ ଆସିବାପାଇଁ ବ୍ୟଗ୍ରହେଲେ । ଧୃଷ୍ଟି, ଜୟନ୍ତ, ବିଜୟ, ସିଦ୍ଧାର୍ଥ ଅର୍ଥାସାଧକ, ଅଶୋକ, ମନ୍ତ୍ରପାଳ, ସୁମନ୍ତ ପ୍ରଭୃତି ମନ୍ତ୍ରିମାନେ ସୂର୍ଯ୍ୟାଦୟ ପୂର୍ବରୁ ରାଜଦାଣ୍ଡ ସୁଶୋଭିତ କରି ଧ୍ୱଜଶୋଭିତ ଅଳଙ୍କୃତ ଅସଂଖ୍ୟ ମତ୍ତହସ୍ତୀ ଘେନି ବାହାରି ଆସିଲେ । କେହି କେହି ସୁବର୍ଣ୍ଣକକ୍ଷ୍ୟା ଆଉ ଘଣ୍ଟା ଶୋଭିତ କରେଣୁରେ ଚଢ଼ି ବାହାରିଲେ । ଅଶ୍ୱାରୋହିମାନେ ଅଶ୍ୱରେ ରଥାରୋହିମାନେ ରଥରେ ଚଢ଼ି ଆସିଲେ । ଅନ୍ୟ ବୀରମାନେ ଧ୍ୱଜପତାକାଶୋଭିତ ଶକ୍ତଯଷ୍ଟି ପାଶହସ୍ତ ଅସଂଖ୍ୟ ପଦାତି ଆଉ ଭଲ ଭଲ ବଡ଼ ବଡ଼ ହଜାର ହଜାର ଘୋଡ଼ା ଘେନି ତରବର ହୋଇ ବାହାରିଲେ ।ରମଣୀମାନେ ଯଥୋପଯୁକ୍ତ ଯାନରେ ଚଢ଼ି ମା ମାନଙ୍କୁ ଆଗେ ଆଗେ ଧରି ଆସିଲେ ।
ଭର ।- ଭଲ, ତୁମ୍ଭ ପରି ସୁଯୋଗ୍ୟ ଭାଇ ଥାଉଁ ମୋର ଭାବନା କିସ ? ପୁରବାସିମାନେ ଆପଣା ଆପଣା ଘର ପୁଷ୍ପପତାକାଦିରେ ସୁସଜ୍ଜିତ କରି ବାଦ୍ୟାଦିର ଆୟୋଜନ କରିଛନ୍ତି ତ ?
ଶତ୍ରୁ ।- ସେ ଆଦେଶ ମୋତେ ଶୁଣାଇବାକୁ ହୋଇନାହିଁ । ସେମାନେ ଦୌଡ଼ାଦୌଡ଼ି କରି ତଦ୍ଦଣ୍ଡେ ଘର ସଜାଇବାରେ ଲାଗିଲେ ଆଉ ଘରଣୀମାନେ ହୁଳହୁଳି ପକାଇ ଶଙ୍ଖ ବଜାଇ ଘରଦୁଆର ଲିପାପୋଛାରେ ଲାଗିଗଲେ । ସଜାଇବା ବଢ଼ିଗଲା । ସନ୍ଧ୍ୟାବେଳେ ସକଳ ସ୍ଥାନରେ ଦେବାର୍ଚ୍ଚନାର ଧୁମ୍ ଲାଗିଲା । ମହୋତ୍ସବର ଭିଡ଼ ଦେଖି ମହାମାହେନ୍ଦ୍ର ଯୋଗ ଉପସ୍ଥିତ ହେବା ଜଣାଗଲା । ଖିଆପିଆ ଆନନ୍ଦୋତ୍ସବରେ ସମସ୍ତେ ରାତ୍ରିଟା ଅତିବାହିତ କରି ଆଜି ପ୍ରଭୃଷରୁ ଏଠାକୁ ଧାଇଁଲେ ।
ଭର ।- ଆଜି ପୁଣି ଏଠାକୁ ଅଯୋଧ୍ୟାନଗରୀକି ଯିବା ପୂର୍ଣ୍ଣ ଏକକୋଶବାଟ ଉତ୍ତମରୂପେ ଜଳରେ ବୁଡ଼ାଇଦେବାକୁ ଆଦେଶ ଦେଇଛ ତ ? ଅସଂଖ୍ୟ ଘୋଡ଼ା ହାତୀ ଲୋକବାକ ରଥ ଇତ୍ୟାଦି ଯିବାରେ ଯେତେ ପାଣିପକାଅ ଧୂଳି ଉଠିଯିବ ।
ଶତ୍ରୁ ।- ସୂର୍ଯ୍ୟୋଦୟ ସମୟରୁ ଅଯୋଧ୍ୟା ନଗରୀ ଖାଲି ହୋଇଯିବା ମାତ୍ରକେ ସେଠାରେ ଆଉ ତହିଁ ପଛେ ପଛେ ସେଠାରୁ ଏ ପର୍ଯ୍ୟନ୍ତ ସମସ୍ତ ରାଜଦାଣ୍ଡମାନ ଉତ୍ତମରୂପେ ପାଣି ଛିଞ୍ଚା ହୋଇ ରହିଛି ।
ଭର ।- ତୁମ୍ଭଙ୍କୁ ମୋର ଆଉ କହିବାର କିଛି ନାହିଁ । କେବଳ ଲୋକମାନଙ୍କୁ ବୁଝାଇଦିଅ ରାମଚନ୍ଦ୍ରଙ୍କୁ ଦେଖିବାଲାଗି ଏତେଲୋକ ଉବୁରା ଉବୁରି ହେଲେ ଅଶାନ୍ତି ଜାତ ହୋଇପାରେ । ସେମାନ ଆର ପାଖ ପଡ଼ିଆରେ ରହନ୍ତୁ - ଲକ୍ଷ୍ମଣ ଓ ସୀତାଙ୍କ ସହିତ ଭାଇ ତାଙ୍କୁ ଦେଖାଦେବେ ।
ଶତ୍ରୁ ।- ମୁଁ ସେ କଥା କହିଲା ମାତ୍ରକେ ସେମାନେ ତାହା ବୁଝିଯାଇ ଆପେ ଆପେ ଶନ୍ତିରକ୍ଷାର କଟକଣା କରି ଯେଝା ସ୍ଥାନ ଧରି ଠିଆହୋଇଛନ୍ତି ।ଆମ୍ଭର ଜୈନିକ ପ୍ରହରୀ ନାମମାତ୍ର ହେଲେହେଁ ଏଠାରୁ ଅଯୋଧ୍ୟାଯାଏ ଆଉ ଅଯୋଧ୍ୟାର ସର୍ବତ୍ର ପ୍ରହରୀ ସୁସଜ୍ଜିତ ରହିଛନ୍ତି ।
ଭର ।- ତେବେ ବର୍ତ୍ତମାନ ଛତ୍ର-ଚାମର-ଦଣ୍ଡଧାରୀମାନଙ୍କୁ ଆସି ଠିଆ ହେବାକୁ କହ ।ଶତ୍ରୁ ।- ଯଥାରୁଚି ![ ଶତ୍ରୁଘ୍ନର ପ୍ରସ୍ଥାନ । ]
ଭର ।- (ହନୁମାନକୁ ଅନାଇ) କହିଁ, ଏତେବେଳ ଯାକତ ପରନ୍ତପ ଅର୍ଯ୍ୟକାକୁତ୍ସ୍ଥ ଭାଇଙ୍କ ଆସିବାର କିଛି ଲକ୍ଷଣ ଜଣାଗଲା ନାହିଁ ? - ତୁମ୍ଭେ ମିଛ କହୁନାହ ତ ?
ହନୁ ।- ଅରିନ୍ଦମ ! ପ୍ରତାରଣା କରି ମୋର ଲାଭ କିସ ? (ଟିକିଏ ଦୂରକୁ ଅନାଇଁ କାନ ଡେରି) ଏହି ଶୁଣନ୍ତୁ ଘୋର ସେନାକୋଳାହଳ । ବୋଧ ହୁଏ ଏତେବେଳେ ସେମାନେ ଗୋମତୀ ନଦୀ ପାରି ହେଉଛନ୍ତି । ହେଇ ଦେଖନ୍ତୁ ଶାଳବନରୁ ଉଠି ଧୂଳିପଟଳ ଦେଖାଦେଉଛି । ସବାପଛରେ ଦେଖନ୍ତୁ ଆକାଶମାର୍ଗରେ ବିମାନପୋତ ଯେମନ୍ତ ଲଞ୍ଜାତାରା ପରି ଗତି କରି ଆସୁଛି । ସେହି ବିମାନରେ ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ସୁଗ୍ରୀବ ଓ ବିଭୀଷଣଙ୍କ ସହିତ ଅଛନ୍ତି ।
[ ଶ୍ୱେତ ଛତ୍ର ଚାମର ଦଣ୍ଡଧାରୀ ଅନୁଚରଣ ଓ ମାଲ୍ୟ ମୋଦକହସ୍ତମନ୍ତ୍ରିବର୍ଗ ଓ ବନ୍ଦିମାନଙ୍କ ସହିତ ଶତ୍ରୁଘ୍ନର ପ୍ରବେଶ]ଭର ।- ଉଭୟ ପାର୍ଶରେ ଯଥାରୀତି ସେମାନଙ୍କୁ ଠିଆକର ।ଶତ୍ରୁ ।- (ମନ୍ତ୍ରୀ ଓ ଅନୁଚରମାନଙ୍କୁ ଦୁଇ ପାଖରେ ଠିଆକରାଇ) ଶଙ୍ଖ ଓ ତୂରୀଭେରୀ ବାଦିତ୍ରମାନ ବାହାରେ ରଖାଯାଇଛି ।ନେପଥ୍ୟ ।- (ଘୋର ଚିତ୍କାରସହ) ହେଇ ରାମଚନ୍ଦ୍ର ! ହେଇ ବିମାନ ଓହ୍ଲାଇଲା ![ ସ୍ତ୍ରୀଲୋକମାନଙ୍କ ହୁଳହୁଳି ଓ ଶଙ୍ଖବାଦିତଧ୍ୱନି ]
ଜୟ ରାମଚନ୍ଦ୍ରଙ୍କର ଜୟ ! [ ଆଗେ ରାମ ପରେ ସୀତା ତତ୍ପଶ୍ଚାତ୍ ଲକ୍ଷ୍ମଣ ଓ ତହିଁ ପଛରେ ସୁଗ୍ରୀବ ଓ ବିଭୀଷଣର ପ୍ରବେଶ । ଅନୁଚରମାନଙ୍କର ଚାମର ବ୍ୟଜନ ଓ ଛତ୍ରାଦି ଯଥାବିଧି ଚାଳନ, ବନ୍ଦିମାନଙ୍କର ସ୍ତୁତି ପାଠ, ମନ୍ତ୍ରିମାନଙ୍କର ମାଲ୍ୟମୋଦକ ଅର୍ପଣ ଓ ସମସ୍ତଙ୍କର ମସ୍ତକାବନତପୂର୍ବକ ଅଭିବାଦନ ]
ଭର ।- (ରାମ ସମ୍ମୁଖରେ ପାଦୁକାଯୁଗଳ ରଖିଦେଇ ଲମ୍ବଭାବେ ପ୍ରଣତ ।)
ରାମ ।- ମୋର ପ୍ରାଣଠାରୁ ପ୍ରିୟ ଭାଇ ଭରତ ! ଉଠ ଉଠ । (ହାତ ଧରି ଭରତକୁ ଉଠାଇ) ସବୁ କୁଶଳ ତ ?- ଏହି ଚଉଦବର୍ଷ ମଧ୍ୟରେ କିଛି ବିଘ୍ନ ଘଟିନାହିଁତ ?
ଭର ।- ଭାଇ ! ଆପଣଙ୍କ ମହିମା ଓ ପାଦୁକାଯୁଗଳ ପ୍ରଭାବରୁ ଅଧୀନ ଚଉଦ ବର୍ଷ ନିରାପଦରେ ଆପଣଙ୍କ ରାଜ୍ୟ ରକ୍ଷା କରିଛି । ମୋତେ କିଛି ଅଧିକ କରିବାକୁ ପଡ଼ିନାହିଁ - ଆପଣଙ୍କ ନାମହିଁ ସବୁ କରିଛି । (କରଯୋଡ଼େ) ଅନୁମତି ହେଲେ ମୁଁ ପାଦୁକା ପିନ୍ଧାଇ ଦେଇ ରାଜ୍ୟଭାର ପ୍ରତ୍ୟର୍ପଣ କରିବି ।
ରାମ ।- ଆଗେ ଲକ୍ଷ୍ମଣ ଓ ଜାନକୀଙ୍କି ଅଭିବାଦନ କର - ପଛେ ପିନ୍ଧାଇଦେବ ।
ଭର ।- (କରଯୋଡ଼େ) ମୁଁ ଆପଣଙ୍କ ସକାଶେ ଯେଉଁ ବ୍ରତ ଧାରଣ କରିଛି ତାହା ଉଦ୍ଯାପନ ନ ହେବାଯାଏ ମୁଁ ଅନ୍ୟ କାହାରିକି ଅଭିବାଦନ କରିପାରିବି ନାହିଁ ।- ମୋର ଜଟାଭାରରୁ ଆପଣଙ୍କ ଜଟାଭାର ଅଧିକ । ଶୋକନିଶାର ଅବସାନ ହେଲା - ଏବେ ପାଦପଦ୍ମରେ ସୁବର୍ଣ୍ଣପାଦୁକାଯୁଗଳ ସୁଶୋଭିତ ହେଲେ ମୁଁ ଚରିତାର୍ଥ ହେବି - ମୋର ଜନ୍ମ ସଫଳ ଓ ତପସ୍ୟା ସଦ୍ଧି ହେବ ! ଆପଣ କଠିନ ବନବାସରୂପ ପ୍ରତିଜ୍ଞା ପାଳନ କରି ପିତାଙ୍କୁ ଋଣରୁ ମୁକ୍ତ କରିଛନ୍ତି । - ପାଦୁକା - ଯୁଗଳ ପିନ୍ଧି ରାଜ୍ୟଭାର ନେଲେ ମୁଁ ଓ ମାତା କୈକେୟୀଙ୍କର ଯେ ପାପ ଅଛି ତହିଁରେ ସମସ୍ତେ ମୁକ୍ତ ହେବୁଁ ।
ରାମ ।- ସାଧୁ ସାଧୁ ! (ଭରତର ମସ୍ତକରେ ହାତ ବୁଲାଇ) ତୁମ୍ଭ ବିନା ଆଉ କିଏ ଏ ଭଳି ବଚନାମୃତରେ ଚିତ୍ତ ଚରିତାର୍ଥ କରିବ ? - ତୁମ୍ଭର କଥା ହେଉ ।
ଭର ।- (ପାଦୁକାଯୁଗଳ ରାମଚନ୍ଦ୍ରଙ୍କୁ ପିନ୍ଧାଇ ମସ୍ତକ ଲଗାଇ ଉଠି ସୀତା, ଲକ୍ଷ୍ମଣ, ସୁଗ୍ରୀବ ଓ ବିଭୀଷଣଙ୍କୁ ଯଥାବିଧି ଅଭିବାଦନପୂର୍ବକ) ଆଜି ଲଙ୍କାବିଜୟ ପରେ ବୀଜୟୀ ବନ୍ଧୁଙ୍କ ସଙ୍ଗେ ଯେଉଁ ପ୍ରେମ ଆଲିଙ୍ଗନ ହେଲା, ତାହା ଚିରକାଳ ବିଜୟୋତ୍ସବ ସଙ୍ଗେ ମିଶି ରହୁ । ଭାଇ ସୁଗ୍ରୀବ ! ଭାଇ ବିଭୀଷଣ ! ଆପଣମାନେ ମୋର ବଡ଼ ଭାଇଙ୍କ ଅକୃତ୍ରିମ ସଖା ହୋଇ ଯେଉଁ କାଯ୍ୟୋନ୍ଧାର କରିଛନ୍ତି ସେଥିସକାଶେ ସମୁଦାୟ ପୃଥିବୀ ଦେଇ ଆପଣମାନଙ୍କର ପୂଜା କଲେ ବି ଉପଯୁକ୍ତ ହେଲାପରି ଲାଗୁନାହିଁ । ଭାଇ ଲକ୍ଷ୍ମଣ, ତୁମ୍ଭେ ଧନ୍ୟ ! ତୁମ୍ଭେ ସାଧୁ ! କେଉଁ ଭାଇ ଭାଇ ପାଇଁ ଚଉଦ ବର୍ଷ ଆହାର ବିହାର ବିସର୍ଜନ କରିପାରେ ? ଭାଇ ଭାଇ ଠାଇଁ ଠାଇଁ ତୁମ୍ଭଠାରେ ଏକାନ୍ତ ବ୍ୟର୍ଥ ହୋଇଛି । ଆଉ ପତିପ୍ରାଣା ପୂଜ୍ୟା ଜନକନନ୍ଦିନ ! ତୁମ୍ଭ ଭଳି ସତୀ ଧରାଧାମରେ ନାହିଁ, ନ ଥିଲା କି ନୋହିବ । ଏଡ଼େବଡ଼ ପ୍ରତାପୀ ଦଶାନନ ରାବଣର ସମସ୍ତ କଳକୌଶଳ ଓ ବୀରତ୍ୱ ତୁମ୍ଭଠାରେ କଡ଼ାକରେ ସୁଦ୍ଧା କାମ ଦେଖାଇ ପାରିନାହିଁ । ତୁମ୍ଭ ଯୋଗେ ଇଷ୍ୱାକୁବଂଶ ଉଜ୍ଜ୍ୱଳ ଓ ଅଯୋଧ୍ୟାନଗର ଆଉ ସାମ୍ରାଜ୍ୟ ଶ୍ରୀମନ୍ତ ହୋଇଛି ।
ଶତ୍ରୁ ।- (ରାମ, ଲକ୍ଷ୍ମଣ ଓ ସୀତାର ପାଦସ୍ପର୍ଶପୂର୍ବକ ଅଭିବାଦନ କରି) ଭାଇ ! ପିତୃସତ୍ୟ ପାଳନ କରିବାପାଇଁ ରାଜ୍ୟ ଛାଡ଼ି ଆନନ୍ଦରେ ବନବାସ ଯିବା ଆପଣ ଏକା ସଂସାରରେ ଦେଖାଇଲେ । ମୁଁ ଭାଗ୍ୟହୀନ - ଘରେ ଥିଲେ ଅବଶ୍ୟ ଯାଇଥାନ୍ତି, ଆଉ ମୁଁ ଥିଲେ ରାବଣ ପଞ୍ଚବଟୀରୁ ସୀତାଦେବୀଙ୍କୁ ନେଇ ଯାଇପାରି ନ ଥାନ୍ତା । ସେ ଯାହାହେଉ ଭାଇ ଲକ୍ଷ୍ମଣଙ୍କର ଭାଗ୍ୟ ପ୍ରବଳ ଯେ ସେ ଅକାତରରେ ଚଉଦ ବର୍ଷ ଆପଣଙ୍କର ସେବା କରିପାରିଲେ ଆଉ ଭୀଷଣ ଲଙ୍କାଯୁଦ୍ଧରେ ସୁଖଦୁଃଖରେ ଭାଗୀ ହେଲେ । ରାବଣ ଆମ୍ଭମାନଙ୍କ କୁଳରେ ଯେଉଁ କଳଙ୍କ ଲଗାଇବାକୁ ବସିଥିଲା ବିଚିତ୍ରଗୁଣରେ ସୀତାଦେବୀଙ୍କ ଦ୍ୱାରା ତାହା କିଛି ମାତ୍ର ନ ଲାଗି ବରଂ କୁଳ ଉଜ୍ଜ୍ୱଳ ହେଲା - ପତିବ୍ରତା ସତୀସାଧ୍ୱୀଙ୍କ ଏହାହିଁ ଧର୍ମ ।
ଭର ।- ହଁ - ଆପଦ ବିପଦ ସବୁଠି ଅଛି-ମାତ୍ର ଏମନ୍ତ ବିପଦରେ ଅବଳା ହୋଇ ଧୈର୍ଯ୍ୟ ଓ ସାହସ ଧାରଣ କରିବା ଏକା ନିରୋଳସତୀଙ୍କ କାର୍ଯ୍ୟ ! ସେହି ଘଟନାଯୋଗେ ଆମ୍ଭମାନଙ୍କୁ ସୁଗ୍ରୀବଙ୍କ ପ୍ରାୟ ଆଉ ଗୋଟିଏ ଭାଇ ମିଳିଗଲା - ଆମ୍ଭେମାନେ ଚାରିଭାଇ ଥିଲୁଁ ଏବେ ପାଞ୍ଚ ହେଲୁଁ । ଲୋକ ଉପକାର କଲେ ମିତ୍ର, ଅପକାର କଲେ ଶତ୍ରୁ - କାର୍ଯ୍ୟହିଁ ନିଦାନ । ବିଭୀଷଣଙ୍କ ପରି ବନ୍ଧୁ ପାଇବା ପୁଣି ଭାଗ୍ୟର କଥା, କାରଣ ସେ ଶତ୍ରୁ ପକ୍ଷୀୟ । (ରାମକୁ ଅନାଇ ଭାଇ !) ଆଜ୍ଞା ହେଲେ ମା ମାନଙ୍କୁ ଅଣାଇ ସାକ୍ଷାତ୍ କରାଇବି - ସେମାନେ ଉତ୍କଣ୍ଠିତା ହୋଇ ଅନାଇ ଅଛନ୍ତି ।
ରାମ ।- ହଁ- ଏହିଠାକୁ ଆସନ୍ତୁ-ଆମ୍ଭେମାନେ ସମସ୍ତେ ତାଙ୍କର ସନ୍ତାନ - ବନ୍ଧୁବାନ୍ଧବାଦି ସମସ୍ତେ ତାଙ୍କୁ ଦେଖି ଚରଣ ବନ୍ଦନା କରିବା ସକାଶେ ବ୍ୟଗ୍ର ହୋଇଛନ୍ତି ।
[ କୌଶଲ୍ୟାର ପ୍ରବେଶ ଓ ସମସ୍ତେ ପ୍ରଣତ ହୋଇ ଚରଣ ସ୍ପର୍ଶ କରିବା ]
କୌଶ ।- (ରାମର ମସ୍ତକ ଆଘ୍ରାଣକରି) ରାମ ! ମୋ ଦୁଃଖୀ-ଧନ ! ନୟନ-ସଙ୍ଖାଳି ! ତୋତେ ଚଉଦବର୍ଷ କାଳ ନ ଦେଖି ଅନ୍ଧ ହେବାକୁ ବସିଥିଲି । ମୋର ଭାଗ୍ୟ ଏତିକି ତୋର ଭାଇ ଭରତ ସେବାରେ ତିଳେ ତ୍ରୁଟି କରିାନାହିଁ ଆଉ ମୁଁ ମଧ୍ୟ ଦିନକ ସକାଶେ ଦୁଃସ୍ୱପ୍ନ ଦେଖିନାହିଁ । କେବଳ ସୀତାଚୋରି ହେଲାଦିନ ସୁନାଚୋରି ହେବାରୁ ମୁଁ କାନ୍ଦୁଥିବା ସମୟରେ ଅଗସ୍ତ୍ୟଋଷି ଆସି ମୋତେ ସୁନା ନିଆଁରେ ପୋଡ଼ା ହୋଇ ଅଧିକ ଉଜ୍ଜ୍ୱଳ ହେଲେ ମିଳିବ ବୋଲି ବୋଧ ଦେବାର ସ୍ୱପ୍ନ ଦେଖିଥିଲି । ମନଟା ସେହିଦିନୁ ଘାଣ୍ଟି ହେଉଥାଏ । ହନୁମାନଙ୍କଠାରୁ ସୀତାହରଣାଦି ଶୁଣି ସେ ସ୍ୱପ୍ନ ମୋତେ ଈଶ୍ୱରଙ୍କ ଅପାର ଦୟା ବୋଲି ବୁଝି ପାରିଲି । (ଲକ୍ଷ୍ମଣର ମସ୍ତକ ଆଘ୍ରାଣ କରି) ଲକ୍ଷ୍ମଣ । ତୋପରି ପୁଅ ମିଳିବ ନାହିଁ ।- କେଉଁ ଲୋକ ଆପଣାରୁ ଭୋଗସୁଖ ଛାଡ଼ି ଭାଇର ସେବା କରିବାପାଇଁ ବନକୁ ଯିବାକୁ ରାଜୀ ହୁଏ ? ତୁ ଯାହା କଲୁ ସଂସାରର ଲୋକେ ଏଭଳି ହେଲେ ସଂସାରରେ ଦୁଃଖ ହୋଇ ରହିବ ନାହିଁ । (ସୀତାକୁ ଟାଣିନେଇ ଗାଢ଼ ଆଲିଙ୍ଗନ କରି)ସ୍ୱାମିସଙ୍ଗେ ରହି କଷ୍ଟକୁ ସୁଖ ବୋଲି ମଣିବା କେତେଜଣ ରମଣୀ ଦେଖାଇପାରନ୍ତି ? ରାବଣପରି ଦୁର୍ଦ୍ଦାନ୍ତ ପରାକ୍ରମୀ ରାକ୍ଷସ ବର୍ଷେକାଳ ମଧ୍ୟରେ ଛୁଇଁ ନ ପାରିବାଠାରୁ ସତୀତ୍ୱର ଆଉ କି ନିଦର୍ଶନ ମିଳିବ ? ତୁମେ ମୋର ଯଥାର୍ଥ ପୁତ୍ରବଧୂ-ତୁମ ପାଇଁ ପିତୃବଂଶ ଆଉ ଶ୍ୱଶୁରବଂଶ ଉଭୟ କୁଳର ମର୍ଯ୍ୟାଦା ବଢ଼ିଲା - ଏହାହିଁ ନାରୀମାନଙ୍କର ଏକାନ୍ତ କର୍ତ୍ତବ୍ୟ । (ସୁଗ୍ରୀବାଦିଙ୍କି ଅନାଇ) ସୁଗ୍ରୀବାଦି ସମସ୍ତେ, ବଞ୍ଚିଥାଅ ବାପ ! ରାମକୁ ସହାୟ ହୋଇ ତୁମେମାନେ ଯେଉଁ ଅକ୍ଷୟ ପୁଣ୍ୟ ସଞ୍ଚୟ କଲ ତହିଁକି ମୁକ୍ତି ସୁଦ୍ଧା ଧରାଅଛି ।
[କୈକେୟୀର ପ୍ରବେଶ ଓ ପୂର୍ବବତ୍ସମସ୍ତଙ୍କର ଅଭିବାଦନ ।
କୈକେ ।- (ରାମର ମସ୍ତକ ଆଘ୍ରାଣ ପୂର୍ବକ) ରାମ । ତୋଭଳି ପୁଅକୁ ବନବାସ ଦେଇ ଯଥାର୍ଥରେ ମୋର ଅପରାଧ ହୋଇଚି ।- ବିଧିବଶରୁ ମୁଁ କୁଜୀର ଚାତୁରୀ ବୁଝିପାରିଲି ନାହିଁ । ଭରତର ଭକ୍ତିରୁ-ସେ ରାଜ୍ୟ ନ ନେଇ ପାଦୁକା ପ୍ରତିନିଧି ବସାଇବାରୁ ମୋର ଜ୍ଞାନ ହେଲା । ତୁ ସେ ସବୁ କ୍ଷମା କରିବୁ ।
ରାମ - (କରଯୋଡ଼ି) ମା ! ସେପରି କହିଲେ ମୁଁ ଆଉ ଅଯୋଧ୍ୟାକୁ ନ ଯାଇ ଏହିଠାରେ ରହିବି । ଆପଣଙ୍କର କିଛି ଅପରାଧ ନାହିଁ-ଆପଣ ଭରତଠାରୁ ମୋତେ ଅଧିକ ଦେଖିପାରନ୍ତି । ମୋର ଭାଗ୍ୟବଳରୁ ମନ୍ଥରା ସେପରି ପରାମର୍ଶ ଦେଇ ପିତାଙ୍କୁ ଋଣମୁକ୍ତ ଓ ପୃଥିବୀକୁ ପାପମୁକ୍ତ କରାଇଛି । ବନବାସ ଯାଇ ନ ଥିଲେ ରାବଣ କି ମରିଥାନ୍ତା ନା ପୃଥିବୀରେ ଶାନ୍ତି ବିରାଜିଥାନ୍ତା !
କୈକେ ।- ଯାହା ହେବାର ହୋଇଯାଇଚି-ଏବେ ତୋତେ ଦେଖି ମୋର ମନ ପୂରିଗଲା । ଶୀଘ୍ର ଅଯୋଧ୍ୟା ଯାଇ ସୀତାଙ୍କୁ ଘେନି ସିଂହାସନରେ ବସିଲେ ମୋର ଦୁଃଖ ଯିବ ! (ଲକ୍ଷ୍ମଣର ମସ୍ତକ ଆଘ୍ରାଣ କରି) ଲକ୍ଷ୍ମଣ ! ତୋପରି ପୁଅକୁ ଭଉଣୀ ସୁମିତ୍ରା ଗର୍ଭରେ ଧରି ଧନ୍ୟା ହୋଇଚି !-କିଏ-ଆଉ ନ ଖାଇ ନ ଶୋଇ ଭାଇ ଭାଉଜର ଏଭଳି ସେବା କରିଥାନ୍ତା । ! ଆହା ! ତୋର ଶକ୍ତିଶେଳ କଥା ଶୁଣି ଏବେ ବି ମୋର ହୃଦୟ ବିକଳ ହେଉଚି ! (ସୀତାଙ୍କୁ ଗାଢ଼ ଆଲିଙ୍ଗନ କରି) ମୋର ରାମରୂପ କାଞ୍ଚନରେ ତୁମେ ମଣୀବସିଲାପରି ମୋ ଗଣ୍ଠିଧନ-ଏମନ୍ତ ପିତବ୍ରତା ସତୀ ସଂସାରରେ ନାହିଁ ! ତୁମେ ଅନାଇଥିଲେ ରାବଣ ପୋଡ଼ିହୋଇ ମରିଥାନ୍ତା ! ରାମକୁ ଜୟଯୁକ୍ତ କରାଇବାପାଇଁ କେତେ କଷଣ ସହିନାହ ! ତୁମଯୋଗେ ସମସ୍ତଙ୍କର କୁଳ ଉଜ୍ଜ୍ୱଳ ହେଲା । ଦୀର୍ଘଜୀବିନୀ ହୋଇ ସୁଖେ ପ୍ରଜା ପାଳି ଘର କର ! (ସୁଗ୍ରୀବାଦିଙ୍କି ଅନାଇ) ସୁଗ୍ରୀବାଦି ସମସ୍ତେ । ତୁମେମାନେ ବିଶ୍ୱାସରେ ବନ୍ଧୁର କାର୍ଯ୍ୟ କରି ପୁଅ ହୋଇଚ-ସମସ୍ତଙ୍କର ମା ହୋଇ ମୋର ଛାତି କୁଣ୍ଢେ ମୋଟ ହୋଇଯାଇଚି !
[ସୁମିତ୍ରାର ପ୍ରବେଶ ଓ ଯଥାବିଧି ପୂର୍ବବତ୍ସମସ୍ତଙ୍କର ଅଭିବାଦନ ।
ସୁମି ।- (ରାମର ମସ୍ତକ ଆଘ୍ରାଣ କରି) ରାମ ! ତୋଭଳି ପୁଅ ପାଇ ଏକା ଆମମାନଙ୍କର ଜୀବନ ସାର୍ଥକ ହୋଇଚି । ମୁଁ ଚଉଦବର୍ଷ ମାଳିପରି ଗଣୁଥିଲି । ଈଶ୍ୱର ସୁଖରେ ବିଜୟୀ କରି ଫେରାଇ ଆଣିଲେ-ଏହାଠାରୁ ଆନନ୍ଦର କଥା ନାହିଁ ! (ଲକ୍ଷ୍ମଣର ମସ୍ତକ ଆଘ୍ରାଣ କରି) ମୋର ଭାଗ୍ୟ ଯେ ତୁ ମୋ ଗର୍ଭରେ ଜନ୍ମି ଯଥାର୍ଥ ଭାଇପଣିଆ ଦେଖାଇ ସମସ୍ତଙ୍କର ମୁଖୋଜ୍ଜ୍ୱଳ କଲୁ ! ରାମ ତୋର ପିତା ଆଉ ସୀତା ତୋର ମା ପରି-ତାଙ୍କ କତିରେ ଥିବାରୁ ମୋର କିଛି ଭୟ ନ ଥିଲା ଆଉ ତାଙ୍କର ସେବା କରି ତୁ ଜୟଯୁକ୍ତ ହୋଇ ଫେରି ଆସିଲୁ ମୋର ଏହା ଢ଼େର ! (ସୀତାଙ୍କୁ ଗାଢ଼ ଆଲିଙ୍ଗନ କରି) ତୁମ ପରି ବୋହୁ ପାଇବା ବହୁ ଭାଗ୍ୟର କଥା । ସତୀତ୍ୱ ଥିଲେ ଯେ ସବୁ ଅଛି ଆଉ ସତୀର ଅସାଧ୍ୟ କିଛି ନାହିଁ ଏହା ତୁମେ ଏକା ଦେଖାଇଲ । ଯୁଗେ ଯୁଗେ ପତିସେବା ଆଉ ଦେବରମାନଙ୍କର ଚର୍ଚ୍ଚା କରି ଘର ଉଜ୍ଜ୍ୱଳ କର ! (ସୁଗ୍ରୀବାଦିଙ୍କି ଅନାଇ) ସୁଗ୍ରୀବାଦି ସମସ୍ତେ ! ମୋର ପୁଅ ଲକ୍ଷ୍ମଣ ପରି ତୁମେମାନେ ମୋତେ ରାମ ଆଗରେ ଜଣା ଯାଉଚ-ସମସ୍ତେ ଆନନ୍ଦରେ ଘର କର ।
ଭର ।- (କରଯୋଡ଼େ) ଭାଇ, ଅନୁମତି କଲେ ମୁଁ ଆଜି ଅଯୋଧ୍ୟାରେ ଆପଣଙ୍କର ଅଭିଷେକର ଆୟୋଜନ କରିବି । ମୋର ମାତାଙ୍କ ଗର୍ହିତ ଆଦେଶ ପାଳନ କରି ଆପଣ ଯଥେଷ୍ଟ ସମ୍ମାନ ଦେଖାଇ ମୋତେ ରାଜ୍ୟଭାର ଦେଇଥିଲେ-ମୁଁ ରାଜ୍ୟଟି ସେହିପରି ଆପଣଙ୍କୁ ଫେରାଇଦେଇଛି । ଯୋଡ଼ିଏ ବଡ଼ ବଡ଼ ବଳଦରେ ଯେଉଁ କାମ ହୋଇପାରେ ସେ ଭାର କି ଗୋଟାଏ ଦାମୁଡ଼ି ଓଟାରିବ ? ମୁଁ ରାଜ୍ୟଭାର ବହିବାକୁ ନିତାନ୍ତ ଅକ୍ଷମ । ରାଜ୍ୟର ଛିଦ୍ର ଅନେକ-ପ୍ରବଳ ଜଳସ୍ରୋତ ଛିଦ୍ରରେ ପଶି ସେତୁ ଭାଙ୍ଗିଲା ପରି ରାଜ୍ୟରକ୍ଷା ଦୁଃସାଧ୍ୟ । ଗଧ ଘୋଡ଼ାର କାମ କରି ନ ପାରେ କିମ୍ବା କାଉ ହଂସର ସରି ନୁହେ-ମୁଁ ବି ସେହିପରି ଆପଣଙ୍କର ପଦବୀ ଅବଲମ୍ବନରେ ଅସମର୍ଥ । ଆପଣ ମୋପରି ଭୃତ୍ୟଙ୍କୁ ଶାସନ କରନ୍ତୁ । ବଗିଚାର ଗଛଟିଏ ବଢ଼ି ଡ଼ାଳପତ୍ର ମେଲାଇ ଫୁଲଫଳ ନ ପକାଇ ମରିଗଲେ ଯେମନ୍ତ ଗଛ ଲଗାଇବା ନିଷ୍ଫଳ ଆପଣ ଆମ୍ଭମାନଙ୍କୁ ଶାସନ ନ କଲେ ଆମ୍ଭମାନଙ୍କର ଜନ୍ମ ନିଷ୍ଫଳ ହେବ । ପ୍ରଜାପୁଞ୍ଜ ଆଜି ଆପଣଙ୍କୁ ଦୁଇପ୍ରହରର ପ୍ରତାପଶାଳୀ ଜ୍ଜ୍ୱଳନ୍ତ ସୂର୍ଯ୍ୟ ପରି ରାଜପଦରେ ଅଭିଷିକ୍ତ ହେବା ଦେଖିବାକୁ ଅନାଇ ରହିଛନ୍ତି । ବନବାସଯୋଗୁଁ ଯେଉଁ ଆଶା ସ୍ୱପ୍ନ ପରି ଉଭେଇ ଯାଇଥିଲା ଆଜି ତାହା ଦ୍ୱିଗୁଣ ସଫଳ ହେବା ଦେଖି ମୋର ମନ ଆଶ୍ୱସ୍ତ ହେଉ ଆଉ ଚିରକାଳ ଆପଣ ସମଗ୍ର ଧରଣୀର ଅଧୀଶ୍ୱର ହୋଇ ଲୋକ ପାଳନ କରନ୍ତୁ । ଆପଣ ଅନୁମତି କଲେ ପ୍ରଜାପୁଞ୍ଜଙ୍କୁ ଦେଖା ଦେଇ ପୁରୋହିତଙ୍କ ଘରଠାକୁ ଯାଇ ତାଙ୍କର ପଦବନ୍ଦନ କରି ଧନାଗାର, କୋଷ୍ଠାଗାର, ଘର ଆଉ ବଳ ମୁଁ ଦଶଗୁଣ କରିଥିବା ପର୍ଯ୍ୟବେକ୍ଷଣ କରି ସିଂହାସନରେ ବସିବେ ।
ରାମ ।- (ଭରତର ମସ୍ତକ ପୁନର୍ବାର ଆଘ୍ରାଣ କରି) ତଥାସ୍ତୁ !ଅନ୍ୟ ସମସ୍ତେ ।- (ଉଚ୍ଚସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ !ନେପଥ୍ୟେ ।- (ଜୟଧ୍ୱନି ସହି ହୁଳହୁଳି ପଡ଼ିବା ।)ରାମ ।- ସାରଥି ପୁଷ୍ପକ ରଥ ନେଇ କୁବେରାଳୟକୁ ଯାଉ । ସଖେ ବିଭୀଷଣ ! ଯାହାର ମାଲ ତାକୁ ଫେରାଇଦେବା ଉଚିତ ନୁହେ କି ?
ବିଭୀ ।- ଏ ଯଥାର୍ଥ ରାଜନୀତି । ମୁଁ କହି ଦେଉଛି-ଏହକ୍ଷଣି ସେ କୁବେରାଳୟକୁ ଯାଉ । ଆମ୍ଭମାନଙ୍କର ସେ ରଥରେ ଆଉ ପ୍ରୟୋଜନ ନାହିଁ-ଫେରିଯିବାକୁ ଯାନର ଅଭାବ ନାହିଁ ।
[ଆଗେ ରାମ, ଲକ୍ଷ୍ମଣ, ସୁଗ୍ରୀବ, ହନୁମାନ, ବିଭୀଷଣାଦି ଓ ପଶ୍ଚାତ୍ସୀତାଙ୍କୁ ଧରି କୌଶଲ୍ୟା ପ୍ରଭୃତିଙ୍କ ପ୍ରସ୍ଥାନ ଓ ଅଦୃଷ୍ଟ-କୁମାରୀମାନଙ୍କର ପ୍ରବେଶ ।
ଅଃ କୁଃ ।- (ନୃତ୍ୟ ସହିତ ଗୀତ)ରାଗିଣୀ ବେହାଗ । ତାଳ ଆଡ଼ଖେମଟା ।କାହିଁ ଭାଇ ଭାଇପାଇଁ ଛାଡ଼ିଛି ଐଶ୍ୱର୍ଯ୍ୟ ଧନ ।ଧରେ ମୁନିବେଶ କାହିଁ ଛାଡ଼ି ସୁଖ ସିଂହାସନ । ଘୋଷା ।ଯେ ଗୁଣେ ଅଟେ ଉଦାର ଧର୍ମପଥ ତାକୁ ସାର,ସମ୍ପଦ ତାହାକୁ ଛାଇ ଅଧର୍ମେ ମିଳେ ଯେବଣ । ୧।ସଂସାରେ ଲାଗିଛି ଲୀଳା ଭାଇ କାଟେ ଭାଇ ଗଳା,ହେଳାରେ ବୁଡ଼ାଇ ଭେଳା ଭାଳୁଥାଇ ଆଜୀବନ ॥ ୨।ଧରମେ ସୁମତି ଥିଲେ କରମରେ ସୁଖ ମିଳେ,ଶାନ୍ତିସୁଧା ପୃଥିବୀରେ ଥାଇ ଯେବେ ଭାଇପଣ ।୩।ଯବନିକା ପତନ ।ଷଷ୍ଠ ଅଭିନୟ(ଅଯୋଧ୍ୟା)