ପ୍ରଥମ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଦୃଶ୍ୟ
ସଭାଗୃହ[ସିଂହାସନୋପରି ରାବଣ ଉପବିଷ୍ଟ । ମହାପାର୍ଶ୍ୱ, ମହୋଦର, ରୂପାକ୍ଷ ଦଣ୍ଡାୟମାନ ।]
ରାବ ।- (ସଦର୍ପେ) ଆମ୍ଭେ ରାକ୍ଷସସେନାଙ୍କ ଉତ୍ସାହ ଦେଖି ବିଶେଷ ସନ୍ତୁଷ୍ଟ ଅଛୁଁ । ତୁମ୍ଭେମାନେ ଯଥାର୍ଥରୂପେ ଆମ୍ଭର ବୀର-ଯୁଦ୍ଧସଚିବର କାର୍ଯ୍ୟ କରୁଛ । କାଲି ଯୁଦ୍ଧକୁ ବାହାର ବୋଲି ଆଜ୍ଞା ଦେଲା ମାତ୍ରକେ ଯେତେବେଳେ ରାକ୍ଷସସୈନିକମାନେ ସିଂହନାଦ କରି ଯୁଦ୍ଧକୁ ବାହାରିପଡ଼ିଲେ ତେତେବେଳେ କୁମ୍ଭକର୍ଣ୍ଣ ଇନ୍ଦ୍ରଜିତଆଦିଙ୍କ ମୃତ୍ୟୁରେ ସେମାନେ ହତେତ୍ସାହ ହୋଇଛନ୍ତି ବୋଲି କିଏ କହିବ ?
ମହା ।- (ସଦମ୍ଭେ) ହତୋତ୍ସହ ଛାତିରେ ହାତ ମାରି) ଏମନ୍ତ ରାକ୍ଷସ ତ୍ରିଭୁବନ ବିଜୟୀ ଲଙ୍କେଶ୍ୱରଙ୍କର କିଏ ଅଛି ଯେ ଜୀବନ ଯିବାଯାଏ ଯୁଦ୍ଧରେ ନିରୁତ୍ସାହ ହେବ ?
ମହୋ ।- (ତଦ୍ବତ୍) ଯେତେବେଳେ ତ୍ରିଭୁବନର ସମସ୍ତେ ଲଙ୍କେଶ୍ୱର ରାକ୍ଷସରାଜଙ୍କ ପ୍ରଭାବ ସ୍ୱୀକାର କରିଛନ୍ତି ତେତେବେଳେ ମନୁଷ୍ୟ ହୋଇ ରାମ ଯେବେ ଜୀବନ ଘେନି ଲଙ୍କାପୁରୀରୁ ଫେରିଗଲା ତେବେ ଏ ଜୀବନ ରଖି କି ଲାଭ ? ଛାମୁଙ୍କ କଥା ତେଣିକି ଥାଉ ମୋର ପରାକ୍ରମ ତ ସେ ଆଗେ ଦେଖୁ ।
ବିରୂ ।- (ମୁଠା ଦେଖାଇ ଦମ୍ବଭରେ) ଏହି ମୁଠାରେ ଯେବେ ମୁଁ ରାମର ମୁଣ୍ଡ ଚୂନା କରିଦେଇନାହିଁ ତେବେ ମୋର ନାମ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତ୍ରିପୁରବିଜୟୀ ଲଙ୍କେଶ୍ୱରଙ୍କ ସଚିବପଣରୁ କାଟି ଦିଅନ୍ତୁ । ଏ ଜୀବନ ଥାଉଁଥାଉଁ ମୁଁ ଳଙ୍କାପୁରୀରେ ରାମନାମ ହେବାକୁ ଦେବି ନାହିଁ ।
ରାବ ।- (ଆନନ୍ଦରେ କୁଦିଉଠି) ତୁମ୍ଭେମାନେ ଆମ୍ଭର ଯଥାର୍ଥ ସଚିବ । (ଦନ୍ତ କିଡ଼ିମିଡ଼ିକରି) ରାମ, ଲକ୍ଷ୍ମଣ, ସୁଗ୍ରୀବ, ହନୁମାନ, ଅଙ୍ଗଦ, ଜାମ୍ବୂବାନ ଆମ୍ଭର ଖାଦ୍ୟ ପଦାର୍ଥ, ପାଇଲେ ରଡ଼ମଡ଼ କରି ତାଙ୍କର ହାଡ଼ସହିତେ ଚୋବାଇ ଯିବି-ମାଙ୍କଡ଼ ମନୁଷ୍ୟ ଭାଲୁ ଯେବେ ରାକ୍ଷସ ମୁହଁରୁ ବର୍ତ୍ତିଯିବେ ତେବେ ଏ ଜୀବନକୁ ଧିକ । (ଅତି କ୍ରୋଧେ) ନରାଧମ ରାମ ! ମୋର ସୁନ୍ଦରୀ ବୟସା ଭଗିନୀ ସୂର୍ପଣଖାକୁ ତୁ ନାକ କାନ କଟାଇ ବିରୂପା କରିଛୁ ! ତୋରିଯୋଗେ ମୋର ପ୍ରିୟପୁତ୍ର ଅକ୍ଷୟକୁମାର, ଇନ୍ଦ୍ରଜିତ, ପ୍ରାଣର ଭାଇ କୁମ୍ଭକର୍ଣ୍ଣଆଦି କେତେ କେତେ ରାକ୍ଷସବୀର ପ୍ରାଣ ହରାଇଲେ । ସେମାନେ ବଡ଼ ବଡ଼ ମାୟାବୀ, ଅଦ୍ଭୁତକର୍ମା ବୀର ବୋଲି ଆମ୍ଭେ ଜାଣୁଥିଲୁଁ ଆଉ ସେହିମାନଙ୍କୁ ତୁ ଆଉ ତୋର ଛାର ସେନାବଳ ନିଅଣ୍ଟ ବୋଲି ଜାଣି ଆମ୍ଭେ ଆଗେ ତାଙ୍କୁ ଯୁଦ୍ଧ କରିବାକୁ ପଠାଇଥିଲୁଁ । ସେମାନେ ହାଣ ଖାଇଲେ ବୋଲି ତୋର ଗର୍ବ ବଢ଼ିଛି ! ଦୈବଦୁର୍ବିପାକରେ ସେମାନଙ୍କର ଜୀବନ ଘେନି ତୁ ଆଉ ତୋର ଲେଙ୍ଗୁଟିଆ ଭାଇ ଲକ୍ଷ୍ମଣ, ଆଉ ମାଙ୍କଡ଼ ସୁଗ୍ରୀବ, ହନୁମାନ, ଅଙ୍ଗଦ ପୁଣି ସେ ଭାଲୁଟାର ଦର୍ପ ବଢ଼ିଛି । (ମୁଥ ଦେଖାଇ) ଆମ୍ଭେ ଆଜି ଯୁଦ୍ଧକୁ ଯାଇ ଗୋଟାଏ ଗୋଟାଏ ମୁଥରେ ସମସ୍ତଙ୍କର ଜୀବନ ଘେନି ଉଦର ଶାନ୍ତ କରିବୁଁ !-ସୁପାର୍ଶ୍ୱ ମନ୍ତ୍ରୀ ଏତେବେଳଯାଏ ନଇଲେ କାହିଁକି ? ସମସ୍ତ ସମ୍ବାଦ ଠୁଳ ନ କରି ସେ ଫେରିବାର ପାତ୍ର ନୁହନ୍ତି । -ଉପଯୁକ୍ତ ମନ୍ତ୍ରୀ ।
[ସୁପାର୍ଶ୍ୱର ପ୍ରବେଶ ।]
ସୁପା ।- (କରଯୋଡ଼ି) ଭୋ ଦେବ ! ଦେବ, ଦାନବ, ଯକ୍ଷରକ୍ଷ, କିନ୍ନର, ଗନ୍ଧର୍ବ ତ୍ରିଭୁବନବାସୀ ସମସ୍ତଙ୍କର ବିଜୟୀ ମହାରାଜ ! ଶୁଣିବାକୁ ସାବଧାନ ହେଉ ! କାଲି ସୈନିକମାନଙ୍କୁ ଯୁଦ୍ଧକୁ ସଜ ହେବା କାରଣ ଆଦେଶ ଦେଲାମାତ୍ରକେ ସେମାନେ ଯୁଦ୍ଧଭୂମିକି ଧାଇଁଯାଇ ବ୍ୟୁଦ ରଚନା କରୁ କରୁ ମାଙ୍କଡ଼ଗୁଡ଼ାକୁ ଦେଖିବାରୁ ଖାଇବା ଲୋଭରେ ପରିଘ, ପଟ୍ଟିଶ, ପରଶ, ବାଣ ଆଉ ଖଡ଼୍ଗ ସବୁ ମାଇଲେ । ମାଙ୍କଡ଼ଗୁଡ଼ାକ ବି ଗଛପଥର ଉଠାଇ ଫୋପାଡ଼ିଲେ ଘୋରଯୁଦ୍ଧ ଲାଗିଲା । ଉଭୟପକ୍ଷ ବିଚିତ୍ର ବାଣ, ପ୍ରାସ, ପରଶୁଆଉ ଖଡ଼ୁ ଆଦିରେ ଆହତ ହେବାରୁ ରଣଭୁମିର ଧୂଳି ରକ୍ତାକ୍ତ ହୋଇଯାଇ ନଦୀପରି ରକ୍ତର ସୁଅ ଚାଲିଲା । ବଡ଼ ବଡ଼ ମାଙ୍କଡ଼ଗୁଡ଼ାକ ରକ୍ତରେ ଗାଧୋଇପଡ଼ିବି ଡେଇଁ ଡେଇଁ ରାକ୍ଷସମାନଙ୍କର ଧୂଜ, ଚର୍ମ, ରଥ, ଅଶ୍ୱ ଆଉ ବହୁବିଧ ଅସ୍ତ୍ରସବୁ ଭାଙ୍ଗି ନଖ ଆଉ ଦାନ୍ତରେ ରାକ୍ଷସମାନଙ୍କର ନାକ, କାନ, ଆଖି, କେଶ, କପାଳ ସବୁ ଛିଣ୍ଡାଇ ପକାଇଲେ ।
ବିରୂ ।- ତାଙ୍କୁ ଭଣ୍ଡାରୀ ଖଟନ୍ତି ନାହିଁ ।
ସୁପା ।- ପକ୍ଷିକୁଳ ଫଳନ୍ତା ଗଛ ଆଡ଼କୁ ଧାଇଁଲା ପରି ଗୋଟାଏ ଗୋଟାଏ ରାକ୍ଷସ ଆଡ଼କୁ ଶଏ ଶଏ ମାଙ୍କଡ଼ ଦଉଡ଼ିଲେ । ପର୍ବତପ୍ରମାଣ ଦେହଧାରୀ ରାକ୍ଷସମାନେ ବି ତାହା ଦେଖି ପ୍ରାସ, ଖଡ଼୍ଗ, ପରଶୁ ଆଉ ବଡ଼ ବଡ଼ ଗଦାମାନଙ୍କରେ ଭୀମମୂର୍ତ୍ତି ବାନରମାନଙ୍କୁ ବଧ କରିବାରେ ଲାଗିଲେ । ତେତେବେଳେ ମାଙ୍କଡ଼ଗୁଡ଼ାକ ହୁରୁଡ଼ି ପଳାଇଯାଇ ରାମର ଶରଣ ପଶିଲେ । ସେଇଠୁ ରାମ ଧନୁଶର ଧରି ରାକ୍ଷସସେନା ଭିତରକୁ ପଶି ଆସି ବାଣ ପରେ ବାଣ ପେଷି ଚାରିଆଡ଼େ ଅନ୍ଧାର କରିଦେଲେ । ମେଘ ଉଢ଼ାଳରେ ଥାଇ ସୂର୍ଯ୍ୟ ନ ଦିଶିଲା ପରି ବାଣଜାଲ ଉଢ଼ାଳରେ ରାମକୁ ରାକ୍ଷସମାନେ ଦେଖିପାରିଲେ ନାହିଁ । ପବନ ଛୁଇଁଲେ ଜଣାଗଲା ପରି ରାମ ସେନା ଚଳାଉଛି, ମହାରଥିମାନଙ୍କୁ ଦଳି ପକାଉଛି ଏହା ରାକ୍ଷସମାନେ କେବଳ ଅନୁମାନରେ ଜାଣିଲେ । ହାତୀ, ଘୋଡ଼ା, ମହାରଥ ନଷ୍ଟ ହେବାର ଦେଖି ରାକ୍ଷସମାନେ ଘୋର ଚିତ୍କାର କଲେ ମାତ୍ର କିଏ ମାରୁଛି ଦେଖିପାରିଲେ ନାହିଁ । ରାମ ଗନ୍ଧର୍ବ ଅସ୍ତ୍ର ମାରି ରାକ୍ଷସମାନଙ୍କୁ ମୋହିତ କରିବାରୁ ରାକ୍ଷସମାନେ ରାମପୂରରେ ଦେଖାଯିବାରୁ ଏକ ରାକ୍ଷସ ଅପରକୁ ବିନାଶ କଲେ । ସହସ୍ର ସହସ୍ର ରାମରୂପ ରାକ୍ଷସ ଏହିରୂପେ ନଷ୍ଟ ହେଲେ । କେତେବେଳେ ଅଲାତଚକ୍ର ପରି ରାମର ଧନୁ ଆଗରେ ସେମାନେ ଲକ୍ଷ୍ୟ କଲେ ସୁଦ୍ଧା ରାମକୁ ଦେଖିପାରିଲେ ନାହିଁ- ଚତ୍ରିବନୋଟି ପରି ରାମ ଘୁରି ଘୁରି ସମସ୍ତ ପୋଡ଼ି ମାରିଲା ପ୍ରାୟ ଜଣାଗଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାମ ଏକାକେ ରାକ୍ଷସମାନଙ୍କର ପବନ ପରି ବେଗଶାଳୀ ଦଶହଜାର ରଥୀ, ଆରୋହୀ ସହିତ ଆଠହଜାର ହାତୀ, ଚଉଦହଜାର ଘୋଡ଼ସବାର ଆଉ ଦୁଇହଜାର ପାଇକ ସେନାଙ୍କୁ ମାରିପକାଇଲେ । ତେଣିକି ଘୋଡ଼ା, ରଥ, ପତାକା ଇତ୍ୟାଦି ହରାଇ ବାକୀ ରାକ୍ଷସମାନେ ନିରୁତ୍ସାହରେ ଲଙ୍କାପୁର ମଧ୍ୟକୁ ପଳାଇ ଆସିଲେ । ମଲାହାତୀ ଘୋଡ଼ା ପାଇକରେ ଯୁଦ୍ଧଭୂମି ଶ୍ମଶାନ ପରି ଦିଶୁଥିବା ଦେଖି ଆସିଲି । ରାମ-ଛାଉଣିରେ ସୁଗ୍ରୀବ, ବିଭୀଷଣ, ଜାମ୍ବବାନ, ହନୁମାନ, ମୈନ୍ଦ, ଦ୍ୱିବିଦ ଜୟୋଲ୍ଲାସରେ ହୁଙ୍କାର ଛାଡ଼ିଛନ୍ତି, ଆଉ ରମାଲକ୍ଷ୍ମଣ ଦୁହିଁଙ୍କର ଆନନ୍ଦର ସୀମା ନାହିଁ ।
ରାବ ।- (ଦାନ୍ତ କିଡ଼ିମିଡ଼ି କରି ରାଗରେ) ମୁଁ ନ ଥିଲାକୁ ଲେଙ୍ଗୁଟିଆ ରାମଟା ଏଡ଼େ ସାହସିକ କାଣ୍ଡଟା କଲା ! ତୁମ୍ଭେ ଫିସାଦ କରି ମୋତେ ଚତୁର୍ଦ୍ଦଶୀରେ ଯୁଦ୍ଧକୁ ଯିବାକୁ ନ ଦେଇ ଦିନକରେ ହଟହଟା କରିଦେଲ । (ଦେହ କମ୍ପିତ କରି) ଆଜି ଦେଖିବ କିଏ ମୋ ଦାଉ ସମ୍ଭାଳିବ ? ଯେ ମୋର ଖାଇବା ପଦାର୍ଥ ସେ ମୋର ସେନାଙ୍କୁ ଲଣ୍ଡଭଣ୍ଡ କରିବ !
ସୁପା ।- (କରଯୋଡ଼େ) ଶାନ୍ତ ହେଉନ୍ତୁ ପ୍ରଭୋ ! ଆମ୍ଭେମାନେ ଜଣକୁ ଗଣେ ବୀର ରାକ୍ଷସମାନଙ୍କରେ ଯୋଦ୍ଧା ବୋଲି ପରିଚିତ । ଆଗେ ଆମ୍ଭେମାନେ ଯାଉଁ । ଆମ୍ଭମାନଙ୍କୁ ରମାଲକ୍ଷ୍ମଣ ବଳିଗଲେ - ଆପଣ ସମରାଙ୍ଗଣରେ ଅବତୀର୍ଣ୍ଣ ହେବେ ।
ମହୋ ।- (କରଯୋଡ଼େ) ମୋର ସେହି ମତ । ଯେ ଅଜାତିଆ ଲେଙ୍ଗୁଟିଆଙ୍କୁ ଚଉଦବର୍ଷ ଧୋବାଭଣ୍ଡାରୀ ଖଟିନାହାନ୍ତି ସେ ରାକ୍ଷସଜାତିର ଅସଂଖ୍ୟ ବୀରଙ୍କୁ ଜିଣିଯିବେ ?
ମହା ।- (ତଦ୍ବତ୍) ମୋର ସେହି ପ୍ରାର୍ଥନା । କିଛି ଯୋଗ୍ୟ ନୋହିବାରୁ ଯାକୁ ମାବାପ ବଣକୁ ଦୂର କରିଦେଲେ ସେ ପୁଣି ଆମଠି ବାଲିଙ୍ଗି ଦେଖାଉଛନ୍ତି !
ବିରୂ ।- (ତଦ୍ବତ୍) ମୋର ସେହି ମାଗୁଣି । ଯେ ଭାଇକି ନ ପାରି ରାଜ୍ୟ ଛାଡ଼ିଦେଇ ବଣକୁ ଆସି ଭିକ ମାଗି ବୁଲୁଛନ୍ତି ଆଜି ତାଙ୍କର ବାଲୁପଣ ଭାଙ୍ଗି ଦେବୁଁ !
ରାବ ।- (ସଦମ୍ଭେ ମୁଛ ମୋଡ଼ି) ସାଧୁ, ସାଧୁ ! ଏହି ଏକା ବୀରର ବାକ୍ୟ । ଆମ୍ଭେ ଜାଣୁଁ ତୁମ୍ଭେମାନେ ଜଣକୁ ଜଣେ ପର୍ବତ ପରି ଅଟଳ । ଯାଅ- ସେ ରାମଲକ୍ଷଣିଆ ଦୁଇଟା ଭିକାରିଟୋକାଙ୍କୁ ମାରି ତାଙ୍କର ରକ୍ତ ପିଇ ମୁଣ୍ଡ ଦୁଇଟା ଆମ୍ଭ ନିକଟକୁ ଘେନି ଆସ । (ଦାନ୍ତ କିଡ଼ିକିଡ଼ କରି) ଆମ୍ଭେ ସେ ମୁଣ୍ଡ ଦୁଇଟା ଚୋବାଇ ରସନାର ଆଶା ପରିତୃପ୍ତ କରିବୁଁ । ଆଉ ସେ ମାଙ୍କଡ଼ ଭାଲୁରୁ ଯେତେ ପାଇବ ଚୋବାଇବ । ତୁମ୍ଭେମାନେ ଆଗଭର ହୁଅ - ଆମ୍ଭେ ପଛେ ପଛେ ଯାଉଛୁଁ ।
ମହୋ, ମହା ଓ ବିରୂ ।- (ଉଚ୍ଚୈଃସ୍ୱରେ) ଜୟ ଲଙ୍କେଶ୍ୱରଙ୍କର ଜୟ ! (ରାବଣକୁ ଅଭିବାଦନାପୁର୍ବକ ପ୍ରସ୍ଥାନ ।)ସୁପା ।- ଆଜି ରମାଲକ୍ଷ୍ମଣଙ୍କର ଆଉ ପରିତ୍ରାଣ ନାହି । ଏକାଠି ତିନିବୀର ବାହାରିଲେଣି- ମହାରାଜ ମଧ୍ୟ ବିଜେ ହେଊଛନ୍ତି ।
ରାବ ।- (ସଦର୍ପେ) ମନ୍ତ୍ରିବର ସୂପାର୍ଶ୍ୱ ! ଆଜି ଆମ୍ଭେ ରାମଲକ୍ଷଣଙ୍କୁ ନ ମାରି ଯୁଦ୍ଧଭୂମିରୁ ନ ଫେରୁଁ । ଲଙ୍କାପୁରୀ ତୁମ୍ଭେ ସାବଧାନ ହୋଇ ରକ୍ଷାକରିବ ! (ବୀରଦର୍ପରେ ପ୍ରସ୍ଥାନ ।)
ସୁପା ।- ରାଜ୍ୟର ଚତୁର୍ଦ୍ଦିକରେ ଯେପରି ଦୁର୍ଲକ୍ଷଣମାନ ଦେଖାଯାଉଛି ତହିଁରେ ଲଙ୍କେଶ୍ୱରଙ୍କର ପରିତ୍ରାଣ ପାଇଲା ପରି ଜଣାଯାଉ ନାହିଁ । ସୂର୍ଯ୍ୟଙ୍କ ତେଜ ମଇଳା ଦିଶୁଛି, ଚାରିଦିଗ ଅନ୍ଧାର ଜଣାଯାଉଛି, ବିଲୁଆ ଓ ପକ୍ଷିମାନେ ଅମଙ୍ଗଳ ଧ୍ୱନି କରୁଛନ୍ତି; ଭୂଇଁ କାହିଁକି କମ୍ପୁଛି ? ଘୋଡ଼ାଙ୍କ ଗୋଡ଼ ଖସିଯାଉଛି, କାଉଶାାଗୁଣା ଚାରିଆଡ଼େ ଅମଙ୍ଗଳ ଶବ୍ଦ କରି ଉଡ଼ୁଛନ୍ତି । ମୋତେ ଲଙ୍କାପୁରୀ ଜଗିବାର ଭାର ଦେଇଗଲେ ମାତ୍ର ତାଙ୍କର କିଛି ଭଲ ମନ୍ଦ ହେଲେ ମୁଁ କେଉଁଠି, ଲଙ୍କାପୁରୀ କେଉଁଠି, ଆଉ ରାକ୍ଷସମାନେ ବି କେଉଁଠି !- ଯାଏଁ, ସେ ବଞ୍ଚିଥିବା ଯାଏ କାମ ବଜାଇବି । (ଗମନୋଦତ୍ୟ ।)
ଦ୍ୱିତୀୟ ଦୃଶ୍ୟ
ଯୁଦ୍ଧଭୂମି[ ରାମ, ଲକ୍ଷ୍ମଣ, ସୁଗ୍ରୀବ, ଅଙ୍ଗଦ, ଜାମ୍ବୁବାନ, ନଳ. ନୀଳ. ସୁଷେଣ, ମୈନ୍ଦ, ଦ୍ୱିବିଦ ଓ ବିଭୀଷଣ ଉପସ୍ଥିତ । ]
ରାମ ।- ସେନାପତେ ନୀଳ ! ତୁମ୍ଭର ବ୍ୟୁହରଚନା ମୁଁ ଶତମୁଖରେ ସୁଦ୍ଧା ପ୍ରଂଶସା କରି ପାରିବି ନାହିଁ । ଅଦ୍ଭୁତ କୌଶଳରେ ସେନା ସଜାଇ ରଖୁଥିଲେ ବୋଲି କାଲି ରକ୍ଷସସେନା ଯେତେ ଉଦ୍ୟମ କଲେ ସୁଦ୍ଧା କିଛି କରିପାରିଲେ ନାହିଁ ।
ନୀଳ ।- ମୁଁ ସିନା ସେନା ସଜାଇ ରଖିଥିଲି ମାତ୍ର ଆପଣ ଆଗଭର ହୋଇ ନ ଥିଲେ କିଏ ଏତେ ସେନାକ୍ଷୟ କରିପାରିଥାନ୍ତା ?
ବିଭି ।- କୌତୁକ ଦେଖାଗଲା ଗନ୍ଧର୍ବବାଣର - ରାକ୍ଷସମାନେ ଯେତେବେଳେ ଆପଣା ଭିତରେ ଏକ ଅପରକୁ ରାମଚନ୍ଦ୍ର ରୂପରେ ଦେଖି ହଣାକଟାରେ ଲାଗିଗଲେ ମୁଁ ହସ ସମ୍ଭାଳି ରହିପାରିଲି ନାହିଁ ।
ସୁଗ୍ରୀ ।- ରାକ୍ଷସଗୁଡ଼ାଙ୍କ ଯୁଦ୍ଧଶିକ୍ଷା ଊଣା ନୁହେ- ନୋହିଲେ କି ରାବଣ ଦଶଶୀର୍ଷ ବୋଲି ଖ୍ୟାତି ଲଭିଥାନ୍ତା ? ମାତ୍ର ହେଲେ କି ହେବ ଆପଣଙ୍କର ସମରଶିକ୍ଷା ଆଗରେ ସେ ମଶା ପରି ।
ଅଙ୍ଗ ।- ରାକ୍ଷସଙ୍କ ହାତରେ ଆମ୍ଭମାନଙ୍କ ବ୍ୟୁହ ଦୋହଲିଯିବା ଜଣାଗଲା ମାତ୍ରକେ ଆପଣ ଯେତେବେଳେ ଧାଇଁଆସି ରାକ୍ଷସମାନଙ୍କ ଭିତରକୁ ପଶିଗଲେ ମୁଁ ଚମକି ପଡ଼ି କି ଗୋଟାଏ କାଣ୍ଡ ହେବ ବୋଲି ଅନାଉ ଅନାଉ ରାକ୍ଷସମାନେ ଆପଣଙ୍କୁ ଛାଡ଼ି ଆପଣା ଭିତରେ ହଣାକଟା ଲଗାଇଲେ ।
ନୀଳ !- ସେ ଯେଉଁ ରକ୍ତନଦୀ ବୋହିଲା ମୁଁ ମନେ କଲି ଆପଣ ଫେରିଲାବେଳକୁ ମୋତେ ପୁଣି ପୋଲ ବାନ୍ଧିବାକୁ ହେବ ପରା !ମୈନ୍ଦ ।- ମୁଁ ମନେ କଲି ଦ୍ୱିବିଦକୁ ଘେନି ଯନ୍ତ୍ର ଲଗାଇ ପର୍ବତ ଶିଖରୁ ପଥର ଓଟାରି ଆଣିବି ।
ଦ୍ୱିବ ।- ମୁଁ ଅଣ୍ଟାଭିଡ଼ି ନ ଥିଲି କି, ମାତ୍ର ରାମଚନ୍ଦ୍ରଙ୍କ ଗତି ବିଚିତ୍ର-ସେ ଗଲେ କିପରି ଆସିଲେ କିପରି ଜାଣି ହେଲା ନାହିଁ ।- ସନ୍ଧ୍ୟାସମୟକୁ ଗଦାଗଦା ରାକ୍ଷସଙ୍କ ମୁଣ୍ଡ ଦେଖି ସମସ୍ତେ କାବା ।
ବିଭୀ ।- (କାନ ଡେରି) ଏ ଗୋଟାଏ କି ସିଂହନାଦ ଶୁଭିଲା ? - (ଉଚ୍ଚୈଃସ୍ୱରେ) ସମସ୍ତେ ପ୍ରସ୍ତୁତ ତ ? ଖିଆପିଆ ତ କାହାରି ବାକୀ ନାହିଁ ?
ସୁଷେ ।- ଆଜି ନିଜେ ରାବଣ ବାହାରିବ ବୋଲି ତୁମ୍ଭେ କହିଥିଲ- ଘୋରଯୁଦ୍ଧ ହେବା ଜାଣି ମୁଁ ଏମନ୍ତ ଖାଦ୍ୟ ସଙ୍ଗେ ମହୌଷଧି ଦେଇଛି ଯେ ସାତଦିନ ସାତରାତି କାହାରିକି ଭୋକ କି ଶୋଷ କରିବ ନାହିଁକି କେହି ଯୁଦ୍ଧରେ ଥକି ଯିବେ ନାହିଁ ।
ଲକ୍ଷ୍ମ ।- ଧନ୍ୟ କରିରାଜ ସୁଷେଣ ! ତୁମ୍ଭେ ସ୍ୱୟଂ ଧନ୍ୱନ୍ତରିରୂପେ ଏଠାରେ ଆବିର୍ଭାବ ହୋଇଛ ।
ରାମ ।- ସେନାଦଳରେ ଏଭଳି ଦିଗ୍ବିଜୟୀ ପଣ୍ଡିତମାନଙ୍କର ସମାଗମ ହୋଇ ନ ଥିଲେ ଲଙ୍କାପୁରୀକୁ ଆସି ଅସୁରମାନଙ୍କ ସଙ୍ଗେ ଲଢ଼ିବା ଅସମ୍ଭବ ବ୍ୟାପାର ହୋଇଥାନ୍ତା । ସମସ୍ତଙ୍କୁ ବିଶେଷତଃ ମିତ୍ରବର ସୁଗ୍ରୀବଙ୍କୁ ଅଶେଷ ଧନ୍ୟବାଦ ! ତଦୁପରି ସଖା ବିଭୀଷଣଙ୍କୁ ସତ୍ପରାମର୍ଶ ହେତୁ ଆହୁରି ଧନ୍ୟବାଦ !- (କାନଡେରି) ଏତ ରାକ୍ଷସମାନଙ୍କର ଢୋଲନାଗରା ବାଦ୍ୟ ବାଜିବାର ଶବ୍ଦ- ସକାଳୁ ଉଦ୍ୟମ ଲଗାଇଲେଣି ।
[ ହନୁମାନର ଦ୍ରୁତବେଗେ ପ୍ରବେଶ ।
ହନୁ ।- (ଜାନୁ ପାତି ଅଭିବାଦନ ପୂର୍ବକ) ମହାରାଜ ! ମୁଁ ଆକାଶ ବିମାନରେ ଯାଇଁ ଦେଖି ବୁଝି ଆସିଲି ଆଗ ବିରୁପାକ୍ଷ, ପରେ ମହୋଦର, ତହିଁ ଉତ୍ତାରୁ ମହାପାର୍ଶ୍ୱ, ଶେଷରେ ରାବଣ ଯୁଦ୍ଧ କରିବ ।- ତାଙ୍କ ସେନାତକ ସଜ ହୋଇ ସିଂହନାଦ କରି ବାହାରିଲେଣି । ଆଉ ବିଳମ୍ବ କରିବାର ନୁହେ ।
ନୀଳ ।- ସୈନିକ ! ରାମଚନ୍ଦ୍ରଙ୍କର ଜୟଧ୍ୱନି କର ।ନେପଥ୍ୟେ ।- (ସିଂହନାଦ) ମହାରାଜ ରାମଚନ୍ଦ୍ରଙ୍କର ଜୟ ।
ସୁଗ୍ରୀ ।- ସମସ୍ତେ ପ୍ରସ୍ତୁତ । ଆଜିର ଆୟୋଜନମତେ ଆଗେ ମୁଁ ବିରୂପାକ୍ଷ ଓ ମହୋଦର ଉଭୟଙ୍କ ସଙ୍ଗେ ଲଢ଼ିବି । ଯୁବରାଜ ଅଙ୍ଗଦ ପାଖରେ ଥିବେ । ଆବଶ୍ୟକ ମତେ ମହାପାର୍ଶ୍ୱ ତାଙ୍କ ଭାଗରେ । ପଛକୁ ମିନ୍ତ୍ରବରଙ୍କ ସକାଶେ ରାବଣ, ତେଣୁ ମୋତେ ଆଉ ଅଙ୍ଗଦକୁ ଛାଡ଼ି ସମସ୍ତେ ପଛପଟକୁ ଯାଅ- ହେଇଟି ରାକ୍ଷସ ସେନା ମାଡ଼ିଆସିଲା ପରି । ମିତ ଆଉ ଲକ୍ଷ୍ମଣଙ୍କୁ ଛାଡ଼ି ସମସ୍ତେ ରାକ୍ଷସ ସେନାଙ୍କ ସଙ୍ଗେ ଲଢ଼ । ସୁଷେଣ ପାଖରେ ଥାଆନ୍ତୁ ।
[ ସୁଗ୍ରୀବ, ସୁଷଣ, ଓ ଅଙ୍ଗଦ ଛଡ଼ା ଅନ୍ୟ ସମସ୍ତଙ୍କର ପ୍ରସ୍ଥାନ ।ନେପଥ୍ୟେ ।- (ଘୋର ରଣବାଦ୍ୟ ଓ କୋଳାହଳ ।)
ସୁଗ୍ରୀ ।- ହେଇଟି ବିରୂପାକ୍ଷଟା ରଥରେ ଚଢ଼ି ଆଗ ଆସିଛି । (ଗୋଟାଏ ଗଛ ଉପାଡ଼ି ଧରି) ତୁମ୍ଭେମାନେ ଖାଲି ମୋ ହାତକୁ ଗଛ ଆଉ ପଥର ଦିଅ । - ସେହିଥିରେ ଏ ରାକ୍ଷସଗୁଡ଼ାଙ୍କୁ ସିଧାକରି ଦେବି । (ଗଛଟା ବୁଲାଇ ଦୂରକୁ ଫୋପାଡ଼ିବା ।)
ସୁଷେ ଓ ଅଙ୍ଗ ।- ଆଗେ ତାକୁ ସମ୍ଭାଳନ୍ତୁ । (ପଥର ଓ ଗଛ ଉପାଡ଼ି ସୁଗ୍ରୀବକୁ ବଢ଼ାଇ ଦେବା ।)
ସୁଗ୍ରୀ ।- (ଗଛ ଓ ପଥର ଫୋପାଡ଼ି) ମଲେ- ମଲେ, ମୂଷାପଲଙ୍କପରି ଏ ରାକ୍ଷସ ଗୁଡ଼ାକ ମରୁଛନ୍ତି ହୋ- ଦେଖିବାକୁ ପାହାଡ଼ ପରି, କଡ଼ାକର ବଳ ଦେହରେ ନାହିଁ ! ଅଇଲା ଏଥର ବରୂପାକ୍ଷ - ଆଉ ରଥରେ ସମ୍ଭାଳି ହୋଇ ରହିପାରିଲା ନାହିଁ- ଓହ୍ଲାଇ ହାତୀରେ ଚଢ଼ିଲା । (ଗୋଟାଏ ଗଛ ନେଇ) ଏହି ଗଛରେ ହାତୀକି ବସାଇ ଦେବି । (ପାଟିକରି) ରେ ରେ ଦୁଷ୍ଟ ବିରୂପାକ୍ଷ !
ନେପଥ୍ୟେ ।- ରେ ରେ ଅଇଣ୍ଠା ଖିଆ ମାଙ୍କଡ଼ଛୁଆ- ସମ୍ଭାଳ, ସମ୍ଭାଳ !
ସୁଗ୍ରୀ ।- (ଘୋର ରାବରେ) ରେ ରେ ରାକ୍ଷସାଧମ ବିରାଡ଼ିଛୁଆ- ସମ୍ଭାଳ ତୋ ହାତୀକି । (ବେଗେ ଧାଇଁ ଯାଇ ରଙ୍ଗମଞ୍ଚ ପାର୍ଶ୍ୱଦେଶରେ ଗଛ ଉଞ୍ଚାଇ ପିଟିବା) ମଲା ତୋ ହାତୀ - ମୁଣ୍ଡ ଫାଟିଗଲା !
ନେପଥ୍ୟେ ।- ସମ୍ଭାଳ ତୋ ପ୍ରାଣ, ମୁଁ ବିରାଡ଼ି ନୁହେଁ ବୀରଶ୍ରେଷ୍ଠ ରାକ୍ଷସ ବିରୂପାକ୍ଷ । (ଉପରୁ କୁଦିପଡ଼ି ଖଡ଼୍ଗ ଓ ଢାଲ ହସ୍ତେ ବିରୂପାକ୍ଷର ପ୍ରବେଶ ।)
ବିରୂ ।- ରଖ ତୋ ଜୀବନ - ରାମର ଅଇଣ୍ଠା ଖାଇ ବଳ ଦେଖାଉଛୁ । (ସୁଗ୍ରୀବକୁ ଖଡ଼୍ଗ ପ୍ରହାର ।)ସୁଗ୍ରୀ ।- (ପଡ଼ିଯାଇ ଉଠି ହାତ ମୁଠା ଦେଖାଇ) ଏକା ମୁଥେ ହାଣି ତୋ ପ୍ରାଣ ନେବି । (ବିରୂପାକ୍ଷର ବକ୍ଷରେ ମୁଷ୍ଟିପ୍ରହାର ।)ବିରୂ ।- ମରୁ ମରୁ ମାଙ୍କଡ଼ଛୁଆ ଉଠିଲା !- ସମ୍ଭାଳ ଏଥର - ତୋର କବଚ ଗଲା- (କବଚରେ ଖଡ଼୍ଗ ପ୍ରହାର), - ଏବେ କବଚ କରୁ କରୁ ମରିବୁ ।
ସୁଗ୍ରୀ ।- (ପୁନର୍ବାର ପଡ଼ିଯାଇ ଉଠି) ରେ ରେ ବିରାଡ଼ିଛୁଆ ବିରୂପାକ୍ଷ - ସମ୍ଭାଳ ଏ ବଜ୍ରଚଟକଣା (ବିରୂପାକ୍ଷର ଗାଲରେ ଘୋର ଚପେଟାଘାତର ଉଦ୍ୟୋଗ ।)
ବିରୂ ।- ମାରିଥିଲୁ ନା ଚଟକଣା ମାରବୁ, ମାଙ୍କଡ଼ଛୁଆ ! (ଚପେଟାଘାତରୁ ମୁହଁ ଖସାଇ ନେଇ ଖଡ଼୍ଗ ପକାଇଦେଇ ମୁଥ ଦେଖାଇ) ସମ୍ଭାଳ ଏ ମୁଥକୁ (ସୁଗ୍ରୀବର ବକ୍ଷରେ ମୁଷ୍ଟି ପ୍ରହାର ।)
ସୁଗ୍ରୀ ।- ରହ ରହ ବିରାଡ଼ିଛୁଆ- ରଖ ତୋ ପ୍ରାଣ (କୁଦିପଡ଼ି ହାତ କହୁଣିତଳ ହାତରେ ବିରୂପାକ୍ଷର ଲଲାଟଦେଶରେ ବଜ୍ରପ୍ରହାର ।)ବିରୂ ।-(ଦୁଇ ହାତ ମୁଣ୍ଡରେ ଦେଇ) ମରିଗଲି ଲୋ ମା- (ପତନ ଓ ଗଁ ଗଁ ଶବ୍ଦ କରଣ ।)ସୁଗ୍ରୀ ।- (ନିକଟକୁ ଯାଇ) ରକ୍ତ ବାନ୍ତି କରି ଦେହଟାଯାକ ରକ୍ତରେ ବୋଳି ହୋଇଗଲାଣି । ଦେଖତ କବିରାଜେ ।
ସୁଷେ ।- (ନିକଟକୁ ଯାଇ ନିରୀକ୍ଷଣ କରି) ଆଉ ତାର ଜୀବନ ନାହିଁ ପରା - (ହାତ ଉଠାଇ ନାଡ଼ୀ ଦେଖି) ନିକାସ ହେଲାଣି ।- ଯୁବରାଜେ, ଆସନ୍ତୁ ଏହାକୁ ଉଠାଇ ପକାଇ ଦେବା ।
[ ଅଙ୍ଗଦ ଓ ସୁଷେଣ ବିରୂପାକ୍ଷକୁ ଧରି ଉଠାଇନେଇ ନିଷ୍କ୍ରାନ୍ତ ।ସୁଗ୍ରୀ ।- ଏହି ମୂଷାବିରାଡ଼ିଙ୍କ ପରି ରାକ୍ଷସଗୁଡ଼ାଙ୍କୁ ନେଇ ରାବଣର ଏଡ଼େ ଆଣ୍ଟ ।[ ଅଙ୍ଗଦ ଓ ସୁଷେଣର ପ୍ରବେଶ ।ଆସ ଆସ ମୋ କତିକି ଆସ- ରାକ୍ଷସଗୁଡ଼ାକ ବିରୂପାକ୍ଷ ମଲାରୁ ଛିନିଛିତର ହୋଇ ପଳାଇଯାଇ - ପୁଣି ଆସୁଛନ୍ତି ଦେଖ ।ସୁଷେ ।- (ସୁଗ୍ରୀବ ନିକଟକୁ ଆସି ଦୂରକୁ ଅନାଇ) ହଁ ସତେତ ! ପୁଣି ମରିବେ ।ଅଙ୍ଗ ।- (ଦୁରକୁ ଅନାଇ) ସେହି ରଥଟାରେ ମହୋଦର ଆସୁଛି- ତା ପଛକୁ ମହାପାର୍ଶ୍ୱ ।ସୁଗ୍ରୀ ।- ଦିଅ ମୋତେ ପଥର ଆଉ ଗଛ - ଆଗେ ତାର ଘୋଡ଼ାଙ୍କୁ ମାରେଁ ।ସୁଷେ ।- (ଗୋଟାଏ ପଥର ଦେଇ) ନିଅ ପଥର ।ସୁଗ୍ରୀ ।- (ପଥର ନେଇ ଦୂରକୁ ପକାଇ) ହେଲା ନାହିଁ - କାଟି ପକାଇଲା ଗଛଟାଏ ଦିଅ ।ଅଙ୍ଗ ।- ହେଇ ନିଅ ଗଛ । (ଗଛ ଉପାଡ଼ି ଦେବା ।)ସୁଗ୍ରୀ ।- (ଗଛ ବୁଲାଇ ପକାଇ) ଉଁ ହୁଁ ହେଲାନାହିଁ - ତାକୁବି କାଟିଲା । ଦିଅତ ପରିଘଟାଏ ।ଅଙ୍ଗ ।- ଆଉ ଟିକିଏ ଯାଇଥିଲେ ଘୋଡ଼ା ଚାରିଟା ମରିଥାନ୍ତେ । (ଲୌହ ମୁଦ୍ଗର ବଢ଼ାଇ ଦେଇ) ନିଅ ପରିଘ ।
ସୁଗ୍ରୀ ।- (ପରିଘ ନେଇ ବୁଲାଇ ବୁଲାଇ ଦୂରକୁ ନିକ୍ଷେପ) ଏଥର ଘୋଡ଼ାଏ ଗଲେ- ଆଉ ଧନ ଆସିବେ କାହିଁରେ । (ପାଟିକରି) ସମ୍ଭାଳରେ ପେଟୁଆ ମହୋଦର ! ରାବଣ ଘରେ ଓଦା ଖାଇ ନୋଧି ବଢ଼ିଛି ।
[ କୁଦିପଡ଼ି ଗଦାହସ୍ତେ ମହୋଦରର ପ୍ରବେଶ ।ମହୋ ।- ରହରେ ମାଙ୍କଡ଼ ଟୋକା ସୁଗିରି, - ସମ୍ଭାଳ ଏ ଗଦାକୁ (ଗଦାନିକ୍ଷେପ) ।ସୁଗ୍ରୀ ।- ଦେଖିଛି ତୋ ବୀରପଣ ।- ଦେଖ (ପରିଘ ଉଠାଇ ନିକ୍ଷେପ) ଖାଇମାଲୁଟିଏ, ଦେଖ ।[ ପରିଘ ଓ ଗଦା ଉଭୟେ ବାଜି ମଧ୍ୟଭାଗେ ଭାଙ୍ଗିପଡ଼ିବା ।]ଆଚ୍ଛା (ଶୀଘ୍ର ଗୋଟିଏ ମୂଷଳ ନେଇ) ସମ୍ଭାଳରେ ପେଟୁ - ଏ ମୂଷଳ ତୋ ପେଟ ଫୋଡ଼ିବ ।ମହୋ ।- ହଁ ରେ ମାଙ୍କଡ଼ଟୋକା ଦେଖିଛି ତୋ ବଳ । (ଗୋଟିଏ ଗଦା ବୁଲାଇ ନିକ୍ଷେପ ।)[ ମୂଷଳ ଓ ଗଦା ଉଭୟେ ମଧ୍ୟଭାଗରେ ପଡ଼ିଯିବା । ]ସୁଗ୍ରୀ ।- (ମୁଥ ଉଠାଇ ଧାଇଁ ଧାଇଁ) ଆରେ ଏଥର ଏକା ମୁଥକେ ତୋ ମୁଣ୍ଡ ଫଟାଇଦେବି ।ମହୋ ।- (ମୁଥ ଦେଖାଇ) ମାଙ୍କଡ଼ଟୋକାର ଗର୍ବ କେଡ଼େ - ଏହି ମୁଥରେ ଦେହ ଚୁନା କରିଦେବି ।
[ ସୁଗ୍ରୀବ ଓ ମହୋଦରର ମୁଷ୍ଟିଯୁଦ୍ଧ ଓ ଲମ୍ପ ପ୍ରଦାନ ପୂର୍ବକ ତଳାଯୁଦ୍ଧ ଓ ପଡ଼ି ଉଠି ପରସ୍ପରକୁ ବାରମ୍ବାର ଫିଙ୍ଗିଦେଇ ଡ଼େଇଁପଡ଼ି ଉଭୟର ଖଡ଼ଗ୍ଧାରଣ । ]
ସୁଗ୍ରୀ ।- ଆରେ ପେଟୁ ଏହି ଖଡ଼ଗ୍ରେ ତୋର ମୁଣ୍ଡ କାଟିବି । (ଖଡ଼୍ଗ ବୁଲାଇବା ।)ମହୋ ।- (ଖଡ଼ଗ୍ଉଞ୍ଚଇ) ଆରେରେ ମାଙ୍କଡ଼ଟୋକା ତୋ ମୁଣ୍ଡ ସମ୍ଭାଳ । (ଖଡ଼ଗ୍ଧରି ସୁଗ୍ରୀବ ଆଡ଼କୁ ଧାବିତ । ][ ଉଭୟର ଆସି ଯୁଦ୍ଧ ଓ ସୁଗ୍ରୀବର ଖଡ଼୍ଗାଘାତରେ ମହୋଦରର ମସ୍ତକ ଛିନ୍ନ ହୋଇ ଭୂତଳେ ପତିତ ]ମୁଷେ ।- (ଆନନ୍ଦରେ ଲମ୍ପପ୍ରଦାନ ପୂର୍ବକ) ଜୟ ସୁଗ୍ରୀବ ରାଜାଙ୍କ ଜୟ !ଅଙ୍ଗ ।- (ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ପାଟିକରି) ପଳାଇଲେ- ପଳାଇଲେ ରାକ୍ଷସ ଗୁଡ଼ାକ !ସୁଗ୍ରୀ ।- ଦେଖ ବର୍ତ୍ତମାନ ସୁଦ୍ଧା ଆନନ୍ଦର ସମୟ ନୁହେ । ଦେଖ ଦେଖ, ମହାପାର୍ଶ୍ୱ ଅଙ୍ଗଦ ଆଡ଼କୁ ଧାଇଁଚି ।
ଅଙ୍ଗ ।- (ବୁଲିପଡ଼ି) କିଏ ? ( ଘୋର ସିଂହନାଦ କରି) ରହ ରହ ରେ ରାବଣର ପାଖପଶା । (ଗୋଟିଏ ପରଘ ଉଠାଇ ସବେଗେ ନିକ୍ଷେପ କରି) ସମ୍ଭାଳ, ସମ୍ଭାଳି- ବାହାବାହା ବୀର ଜାମ୍ବୂବାନ୍! - ପ୍ରକାଣ୍ଡ ପଥରରେ ମହାପାର୍ଶ୍ୱର ଘୋଡ଼ା ଆଉ ରଥ ଚୁନା କରିଦେଲି !
[ କୁଦିପଡ଼ି ମହାପାର୍ଶ୍ୱର ପ୍ରବେଶ ।ମହା ।- ରହରହ ରେ ପାତ - ତୋର ବଳକଳ ମୋତେ ଜଣା ଅଛି । (ଧନୁଷ୍ଟଙ୍କାର କରି ବାଣ ନିକ୍ଷେପ ।)ଅଙ୍ଗ ।- (ଆଉ ଗୋଟାଏ ପରିଘ ନେଇ) ସମ୍ଭାଳ - ତୋ ବାଣକାଟି ତୋର ଧନୁଶର ଆଉ ପାଗ ଖସାଇଦେବ ।[ ମହାପାର୍ଶ୍ୱର ହାତରୁ ଧନୁଶର ଓ ମୁଣ୍ଡପାଗ ପରିଘ ବାଜି ଖସି ପଡ଼ିବା ।ମହା ।- (ମହାକ୍ରୋଧରେ କୁଠାର ଘେନି) ସମ୍ଭାଳ ପାତ, ଏଥର ଆପଣା ପ୍ରାଣ ସମ୍ଭାଳ ।ଅଙ୍ଗ ।- (ଦଉଡ଼ିଯାଇ ମହାପାର୍ଶ୍ୱର କାନମୂଳରେ ତଳା ପ୍ରହାର) ସମ୍ଭାଳ, ସମ୍ଭାଳ ।
ମହା ।- ସମ୍ଭାଳ ଏ କୁଠାରକୁ । (ଜୋରେ କୁଠାର ଉଠାଇ ମାରିବାବେଳେ କାନମୂଳର ତଳାପ୍ରହାର ହେତୁ କୁଠାର ଅଙ୍ଗଦର ବାମଭାଗରେ ପଡ଼ି ବ୍ୟର୍ଥ ହେବା) ।
ଅଙ୍ଗ ।- ତୁଟା ରାବଣର ତୁଚ୍ଛା ଅଇଣ୍ଠାଖିଆ କାନକୁହା ମହାପାଶୁଆ, - ସମ୍ଭାଳ ଏ ମୁଥକୁ (ହାତ ମୁଠା କରି ବୁଲାଇ ବୁଲାଇ ମହାପାର୍ଶ୍ୱ ବକ୍ଷରେ ବଜ୍ର ପ୍ରହାର ।)
ମହା ।- (ଚିତ୍କାର କରି) ମଲି ରେ- (ଗଁ ଗଁ ଶବ୍ଦ କରି ଭୂତଳେ ପତିତ ଓ ମୃତ୍ୟୁ ।)ସୁଷେ ।- ଜୟ ଯୁବରାଜ ଅଙ୍ଗଦଙ୍କର ଜୟ !ନେପଥ୍ୟେ ।- (ଘୋର ଜୟଧ୍ୱନି) ଜୟ ରାମଚନ୍ଦ୍ରଙ୍କର ଜୟ !
ସୁଗ୍ରୀ - ଦେଖ, ଦେଖ, ରାବଣ କେମନ୍ତ ରାଗରେ ଦାନ୍ତ କିଡ଼ିମିଡ଼ି କରି ମିତ୍ରଙ୍କ ଆଡ଼କୁ ଧାଇଁଛି । ଆଜି ଦୁଇଭାଇଙ୍କର ତେଜ ଭାରୀ ! ଧନୁରେ ଗୁଣ ଚଢ଼ାଇ ଦୁଇଭାଇ କେମନ୍ତ ସୁନ୍ଦର ଛବି ଅଙ୍କା ହୋଇ ଠିଆ ହେଲାପରି ଦିଶୁଛନ୍ତି !
ସୁଷେ ।- ଦେଖନ୍ତୁ ରାବଣ ବାଣ ମାରିଲା ମାତ୍ରକେ କେମନ୍ତ ସଜରେ ରାମଚନ୍ଦ୍ର କାଟି ଦେଉଛନ୍ତିଅଙ୍ଗ ।- ଲକ୍ଷଣ ଆଉ ସମ୍ଭାଳି ନ ପାରି ଭାଇଙ୍କ ଆଗକୁ ବାହାରି ଆସି ଯୁଦ୍ଧ କରୁଛନ୍ତି ।
ସୁଗ୍ରୀ ।- ମିତ୍ର ଅଟଳ ହୋଇ ଠିଆ ହୋଇଥିଲେ । ଲକ୍ଷ୍ମଣଙ୍କୁ ପାରିହୋଇ ତାଙ୍କ ଆଡ଼କୁ ରାବଣ ଧାଇଁ ଆସିଲା ।- ଦେଖ, ଏତେବେଳେ ଆମ୍ଭେମାନେ ଖାଲି ଠିଆ ହେଲେ ହେବ ନାହିଁ । ଯେ ଯେତେ ପାର ପଥର ଓ ଗଛ ପକାଇ ଗୋଟାକେତେ ରାକ୍ଷସଙ୍କୁ ପଠାଇ ଦିଅ ।- (ଦୁରକୁ ଗୋଟାଏ ପଥର ପକାଇ) ମଲାରେ ରାକ୍ଷସଟା ।
ସୁଷେ ।- (ଦୁରକୁ ଗଛଟାଏ ପକାଇ) ମଲା ରେ ପଲେ ଅସୁରେ ! - ଦେଖ ଦେଖ, ରାମଚନ୍ଦ୍ର ବର୍ଚ୍ଛା ଧରି କେମନ୍ତ ବାଣ କାଟୁଛନ୍ତି । ବାଃ ବାଃ- ରାମଚନ୍ଦ୍ରଙ୍କ ପରି କେହି ବାଣ ମାରିପାରିବ ନାହିଁ ।- ବାଣ କାଟି ବାଣ ବାହାରି ଯାଉଛି ।
ଅଙ୍ଗ ।- (ପଥରଟାଏ ପକାଇ) ମଲା ଅସୁରଟା ।- ରାବଣ କି କମ ନୁହେ ।- ଭାରୀ ଲଢ଼ୁଛି । ଦୁହିଁଙ୍କି ଦୁହେଁ ରଣପଣ୍ଡିତ - କେତେ ପ୍ରକାର ଗତିରେ ଯୁଦ୍ଧ କରଛନ୍ତି ।
ସୁଗ୍ରୀ ।- ଦେଖ ରାବଣର ଦେହରେ ବା ଗୋଟାଏ ଗୋଟିଏ ବାଣ ପଡ଼ୁଛି ମାତ୍ର ରାବଣର ଗୋଟିଏ ସୁଦ୍ଧା ବାଣ ମିତ୍ରଙ୍କୁ ଲାଗୁ ନାହିଁ । - ଚାଲ, ମିତ୍ରଙ୍କୁ ସହାୟ ହୋଇ ରାବଣକୁ ମାରିବାର ଏହି ଭଲ ସମୟ । ତାଙ୍କ ପାଖରେ ରହି ରାବଣ ଓ ତାର ସେନାବଳ କ୍ଷୟ କରିବା ।
[ ଆଗେ ଆଗେ ସୁଗ୍ରୀବ ଓ ତତ୍ପଶ୍ଚାତ୍ସୁଷେଣ ଓ ଅଙ୍ଗଦର ପ୍ରସ୍ଥାନ ।ପଟପରିବର୍ତ୍ତନ ।