ତୃତୀୟ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ
ସଭାଗୃହ
[ବିଚିତ୍ର ସଭା ଗୃହରେ ରତ୍ନଖଚିତ ସୁବର୍ଣ୍ଣମୟ ସିଂହାସନ ସୁଶୋଭିତ । ସମ୍ମୁଖେ ଛତ୍ର, ଚାମର, ତରାସ, ଆଲଟ, ଦଣ୍ଡାଦି ସଂସ୍ଥାପିତ । ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ, ଅଙ୍ଗଦ, ବିଭୀଷଣ, ଜାମ୍ୱବାନ, ନଳ, ନୀଳ, ସୁଷେଣ ଇତ୍ୟାଦି ଆସନ ସଜାଇବାରେ ନିଯୁକ୍ତ ।]
ଭର ।- ଏତେଦିନେ ଆମ୍ଭମାନଙ୍କର ଭାଗ୍ୟ ପୂର୍ଣ୍ଣ ହେଲା । ଆଜି ଭାଇ ରାମଚନ୍ଦ୍ର ରାଜା ଆଉ ସୀତାଦେବୀ ରାଣୀ ପଦରେ ସିଂହାସନ ଶୋଭା କଲେ ଆମ୍ଭମାନଙ୍କର ସକଳ ଦୁଃଖ ଦୂର ହେବ-ଯୁଗଳମୂର୍ତ୍ତି ସିଂହାସନରେ ଦେଖି ଜୀବନ ଓ ଚକ୍ଷୁ ସାର୍ଥକ ହେବ ।
ଲକ୍ଷ୍ମ ।- ଭାଇ ! ତାହା ଆଉ କହିବାକୁ ? ତୁମ୍ଭେ ଚଉଦବର୍ଷ କାଳ ଯୋଗ୍ୟତା ସହିତରେ ରାଜ୍ୟ ରକ୍ଷାକରି ନ ଥିଲେ ଏତେ ଶୀଘ୍ର ଆମ୍ଭେମାନେ ଏହା ଦେଖିପାରି ନ ଥାନ୍ତୁଁ ।
ଭର ।- ମୋର ଯୋଗ୍ୟତା କିସ-ତାଙ୍କ ମହିମାରେ ରାଜ୍ୟ ରକ୍ଷିତ ହୋଇଛି ! ମାତ୍ର ଭାଇ, ତୁମ୍ଭେ ଚଉଦବର୍ଷକାଳ ଭାଇଙ୍କି ରକ୍ଷା କରି ନ ଥିଲେ ପଞ୍ଚବାଟୀରେ ଯେଉଁ ବିପଦ ହେଲା-କଣ ଯେ ହୋଇଥାନ୍ତା ଭାବିଲେ ହୃଦୟ ଫାଟିଯାଏ !
ଶତ୍ରୁ ।- ସେ ସମୟରେ ଏକା ଭାଇ ଲକ୍ଷ୍ମଣ ବୁଝେଇଶୁଝେଇ ତାଙ୍କର ଜୀବନ ରକ୍ଷା କରିଛନ୍ତି । ଆମ୍ଭମାନଙ୍କର ଭାଗ୍ୟପ୍ରବଳ ଯେ ଏତେବେଳେ ଚଉଦବର୍ଷ କାଲିକା କାଲିପରି ଲାଗୁଛି ।
ଭର ।- ଏବେତ ଆସନଯାକ ସଜା ହୋଇଗଲା । ସିଂହାସନ ପଛରେ ଛତା ଧରିବ କିଏ ?ଶତ୍ରୁ ।- ଛତା ଧରିବାର ଭାର ଭାଇ ଉପରେ- ମୁଁ ସବୁଠାରୁ ସାନ, ମୋର ତହିଁରେ ଅଧିକାର ।ସୁଗ୍ରୀ ।- ଅନେକ ବିଚାରି କହିଛନ୍ତି । କି ଭାଇ ବିଭୀଷଣ ! ତୁମ ମନକୁ ଲାଗୁଛି ?ବିଭୀ ।- ଠିକ ! ଶତ୍ରୁଘ୍ନଙ୍କ ଅଧିକାର, ସେ ଛାଡ଼ିବେ କାହିଁକି ? ଭରତ ତରାସ ଆଉ ଲକ୍ଷ୍ମଣ ଆଲଟ ଧରିବେ ।
ଭର ।- (ସୁଗ୍ରୀବ ଓ ବିଭୀଷଣଙ୍କୁ ଅନାଇ) ଚାମର ପଡ଼ିଲା ଦୁଇ ସଖାଙ୍କ ଭାଗରେ । ଯାହାଙ୍କ ଯୋଗେ ଜୟଶ୍ରୀ ଲାଭ ହେବରୁ ଅଯୋଧ୍ୟା ସୁଖ-ଦୋଳନାରେ ଦୋହଲୁଛି ସେହି ଚାମର ପକାଇବେ ।
ବିଭୀ ।- ତା ହେଉ, ସେ ଆମର ଭାଗ୍ୟର କଥା ।ସୁଗ୍ରୀ ।- (ହସୁ ହସୁ) ତହିଁରେ ଆମ୍ଭମାନଙ୍କର ଦାବୀ ।ଲକ୍ଷ୍ମ ।- ଆଉ ଦଣ୍ଡ ?ସୁଗ୍ରୀ ।- ପ୍ରଧାନ ଦୁଇଦଣ୍ଡ ଅଙ୍ଗଦ ଓ ହନୁମାନ ଦୁଇ ପାଖରେ ଧରିବେ-ତହିଁ ଆଗକୁ ନଳ ନୀଳ ଆଦି ସାଧାରଣ ଦଣ୍ଡ ଘେନି ଠିଆ ହେବେ ।ଭର ।- (ସୁଗ୍ରୀବକୁ ଅନାଇ) ଆଉ ତୁମ ଶ୍ୱଶୁର କବିରାଜ ସୁଷେଣଙ୍କୁ ଭୁଲିଗଲ ?ସୁଷେ ।- ମୋର ଔଷଧରୁ ଐଶ୍ୱର୍ଯ୍ୟ ଲାଭ ହୋଇଛି- ମୁଁ ଐଶ୍ୱର୍ଯ୍ୟବାନା ଉଡ଼ାଇ ପଛରେ ଥିବି ।
ଲକ୍ଷ୍ମ ।- (ଆନନ୍ଦରେ ଗଦ୍ଗଦ୍ହୋଇ) ନୋହିଲେ କି କବିରାଜ - କଥାରେ ସୁଦ୍ଧା ଅମୃତ ଢାଳନ୍ତି ! ଏମନ୍ତ ଅମୃତହସ୍ତା ଧନ୍ୱନ୍ତରି ନ ଥିଲେ ଆମ୍ଭମାନଙ୍କୁ ରକ୍ଷା କରିଥାନ୍ତା କିଏ ?
ନେପଥ୍ୟେ ।- (ହୁଳହୁଳି ଓ ଶଙ୍ଖ ଧ୍ୱନି ।)ଭର ।- ହେଇ ହୁଳହୁଳି ଓ ଶଙ୍ଖ ଧ୍ୱନି ଶୁବୁଛି - ରାଜାରାଣୀ ଆସିଲାପରି । ଛାତ୍ରାଦି ଘେନି ଯେ ଯାହା ସ୍ଥାନକୁ ଯାଅ ।
[ଶତ୍ରୁଘ୍ନ ପ୍ରଭୃତି ଛାତ୍ରାଦି ଘେନି ଯଥାସ୍ଥାନରେ ଦଣ୍ଡାୟମାନ ହେଲା ପରେ ଏକପାର୍ଶ୍ୱରୁ ବଶିଷ୍ଠ, ବିଜୟ, ଜାବାଳି, କାଶ୍ୟପ, କାତ୍ୟାୟନ, ଗୌତମ ଓ ବାମଦେବ ପ୍ରଭୃତି ମହର୍ଷିମାନେ କିରୀଟଭୂଷିତ ରାମକୁ ଆଣି ସିଂହାସନରେ ବସାଇ ସମ୍ମୁଖସ୍ଥ ଆସନେ ଉପବିଷ୍ଟ ଏବଂ ଅନ୍ୟପାର୍ଶ୍ୱରୁ ତାରା, ରୂପା, ଉର୍ମିଲା, ମାଣ୍ଡବୀ ଓ ଶ୍ରୁତିକୀର୍ତ୍ତ ସୀତାଙ୍କୁ ଆଣି ରାମର ବାମପାର୍ଶ୍ୱେ ବସାଇ ହୁଳହୁଳି ପକାଇବା ଓ ପ୍ରମିଳା ଓ ସୁନନ୍ଦାର ଶଙ୍ଖଧ୍ୱନି]
ବଶି ।- (ଉଠି) ଆଜି ଆମ୍ଭମାନଙ୍କର ଯେମନ୍ତ ଶୁଭ ତେମନ୍ତପରମ ସୌଭାଗ୍ୟର ଦିନ । କାଲି ଶ୍ରୀରାମଚନ୍ଦ୍ରଙ୍କୁ ଯୌବରାଜ୍ୟରେ ଅଭିଷେକ କରିବୁଁ ବୋଲି ଆଶା ନିରାଶାରେ, ହର୍ଷ ବିଷାଦରେ ପରିଣତ ହୋଇ ଚଉଦବର୍ଷ ଅତୀତ ହୋଇଗଲା । ଏହି ଚଉଦବର୍ଷ ଭଗବାନଙ୍କ ସଂସାର-ଇତିହାସରେ ଅକାରଣ ଯାଇନାହିଁ । ଦୁର୍ଜୟ ପ୍ରତାପଶାଳୀ ଲଙ୍କେଶ୍ୱର ରାବଣ ଦୁଷ୍ଟବୁଦ୍ଧିବଶରୁ ସଂସାରର ଶାନ୍ତିଭଙ୍ଗ କରୁଥିଲା । ତାକୁ ଜୟକରି ସଂସାରରେ ଶାନ୍ତି ପୁନଃ ସ୍ଥାପିତ କରିବାର ଲୋକ ଜନ୍ମ ହୋଇ ନ ଥିଲେ । ଏକା ରାମଚନ୍ଦ୍ରଙ୍କଠାରେ ତାହା ପୂର୍ଣ୍ଣମାତ୍ରାରେ ବିଦ୍ୟମାନ । ସେ ବନବାସ ଯାଇ ନ ଥିଲେ ଦୁଷ୍ଟବୁଦ୍ଧି ନିଶାଚର ସତୀଶିରୋମଣୀ ସୀତାଦେବୀଙ୍କି ଚୋରାଇ ନେବାକୁ କଦାପି ସାହାସୀ ହୋଇ ନ ଥାନ୍ତା ଏବଂ ତଦ୍ଦ୍ୱାରା ପାପର ମାତ୍ରା ପୂର୍ଣ୍ଣହେଲା ଆଉ ରାମ-ବାଣରେ ନିହତ ହୋଇ ଆପଣା ପାପର ପ୍ରାୟଶ୍ଚିତ୍ତ କଲା । ପାପର ପରାଜୟ ଓ ଧର୍ମର ଜୟ ଚିରକାଳ ସଂସାରରେ ଦେଖାଯାଉଛି । ପାପ ଓ କପଟତାର ପରିଣାମ ଦୁଃଖ ଆଉ ମୃତ୍ୟୁ, ଏହା ରାବଣ-ଜୀବନରେ ଦେଖାଗଲା । ଧର୍ମ ଓ ଚରିତ୍ରବତ୍ତାର ପରିଣାମ ସୁଖ ଓ ସଂସାରର ଶାନ୍ତି, ଏହା ଶ୍ରୀରାମଚନ୍ଦ୍ର ଓ ସୀତାଦେବୀଙ୍କ ଜୀବନରେ ଦେଖାଗଲା । ଏକା ଅଯୋଧ୍ୟା କାହିଁକି-ହିମାଳୟଠାରୁ କୁମାରିକା ଓ ଲଙ୍କା ପର୍ଯ୍ୟନ୍ତ ଆଜି ଲୋକେ ଆନନ୍ଦରେ ବିହ୍ୱଳ । ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟ-ଶାସନନରେ ଯୋଗ୍ୟତା ଦେଖି ତାଙ୍କ ପିତା ତାଙ୍କୁ ଯୌବରାଜ୍ୟରେ ଅଭିଷେକ କରୁଥିଲେ । ବନବାସକାଳରେ ସେ ଯୋଗ୍ୟତାର ଯଥାର୍ଥ ପ୍ରତିପାଦିତ ହୋଇ ତାଙ୍କୁ ବିଜୟଲକ୍ଷ୍ମୀ ଆଶ୍ରୟ କରିଛନ୍ତି । ଏଣୁ ଶୁଭଯୋଗରେ ସେ ସହଧର୍ମିଣୀଙ୍କ ସହିତ ସିଂହାସନାରୂଢ଼ ହେବାରୁ ସସାଗରା ଧରିତ୍ରୀ ସୁଯୋଗ୍ୟ ରାଜା ପାଇ ଭାଗ୍ୟବତୀ ହୋଇଛି ! ଏ ଶୁବାସରେ ସେ ବ୍ରାହ୍ମଣମାନଙ୍କୁ ଏକଲକ୍ଷ ଦୁଧିଆଳୀଗାଈ ଆଉ ଘୋଡ଼ା, ଏକଶତ ଷଣ୍ଢ, ତିରିଶକୋଟି ମୋହର ଓ ନାନାପ୍ରକାର ଲୁଗା ଓ ଅଳଙ୍କାରାଦି ଦାନ କରିଛନ୍ତି-ସେ ସମସ୍ତ ସକାଶେ ସର୍ବନିୟନ୍ତା ଜଗଦୀଶ୍ୱରଙ୍କ କରୁଣାପୂର୍ଣ୍ଣ ସୃଷ୍ଟି-ଶାସନ-ନିୟମରେ ଆଜି ଅଯୋଧ୍ୟାର ସିଂହସନ ସହଧର୍ମିଣୀ ସତୀଶିରୋମଣି ସୀତା ଦେବୀଙ୍କ ସହିତ ରାଜରାଜେଶ୍ୱର ରାମଚନ୍ଦ୍ର ମହାଭାଗ ଅଳଙ୍କୃତ କଲେ । ଭଗବାନ କରନ୍ତୁ ତାଙ୍କ ରାଜତ୍ୱ କାଳର ତାଙ୍କ ଦୃଷ୍ଟାନ୍ତ ଘେନି ସମସ୍ତେ ଧର୍ମପରାୟଣ ହୋଇ ମହାନନ୍ଦରେ କାଳାତିପାତ କରନ୍ତୁ, ସମସ୍ତେ ରୋଗଶୋକବିହୀନ ହୋଇ ଶତବର୍ଷ ପରମାୟୁ ଭୋଗ କରନ୍ତୁ, ପୃଥିବୀ ଶସ୍ୟଶ୍ୟାମଳା ଓ ସୁଖବୃଷ୍ଟିଶାଳିନୀ ହେଉ, ପ୍ରଜାପୁଞ୍ଜ ଆନନ୍ଦରେ ଐଶ୍ୱର୍ଯ୍ୟ ଭୋଗ କରନ୍ତୁ ଆଉ ପାପ ଖଣ୍ଡିତ ହୋଇ ଧର୍ମଧ୍ୱଜା ଅଖଣ୍ଡିତ ଭାବେ ଉଠି ରାଜରାଜେଶ୍ୱରଙ୍କଯଶଃ ଘୋଷଣା କରୁ ! ଓଁ ଶାନ୍ତିଃ ! ଶାନ୍ତିଃ ! ଶାନ୍ତିଃ !
ବିଜୟ ପ୍ରଭୃତି ମହର୍ଷିଗଣ ।- (ହସ୍ତୋତ୍ତୋଳନ ପୂର୍ବକ) ତଥାସ୍ତୁ ! ତଥାସ୍ତୁ !ବଶି ।- (ଉଠି ସମସ୍ତେ ବୋଲ - (ପାଟିକରି) ରାଜରାଜେଶ୍ୱର ଶ୍ରୀରାମଚନ୍ଦ୍ରଙ୍କର ଜୟ ।ସଭାସ୍ଥ ସମସ୍ତେ ।- (ଉଚ୍ଚୈଃସ୍ୱରେ) ରାଜରାଜେଶ୍ୱର ଶ୍ରୀରାମଚନ୍ଦ୍ରଙ୍କର ଜୟ !ସ୍ତ୍ରୀଲୋକମାନେ ।- (ହୁଳହୁଳି ଦେବା ଓ ଶଙ୍ଖଧ୍ୱନି କରିବା ।)ବଶିଷ୍ଠ ।- (ପାଟିକରି) ସମସ୍ତେ ବୋଲ ରାଜ୍ୟଲକ୍ଷ୍ମୀ ମହାସତୀ ସୀତା ଦେବୀଙ୍କର ଜୟ !ସଭାସ୍ଥ ସମସ୍ତେ ।- (ଉଚ୍ଚୈଃସ୍ୱରେ) ରାଜ୍ୟଲକ୍ଷ୍ମୀ ମହାସତୀ ସୀତା ଦେବୀଙ୍କର ଜୟ !ସ୍ତ୍ରୀଲୋକମାନେ ।- (ହୁଳହୁଳି ଦେବା ଓ ଖଙ୍ଖଧ୍ୱନି କରିବା ।)
ରାମ ।- ପୁରୋହିତଶ୍ରେଷ୍ଠ ଓ ମହର୍ଷିବୃନ୍ଦ ! ଆପଣମାନଙ୍କ ଆଶୀର୍ବାଦ ମୁଁ କୃତଜ୍ଞତା ସହିତ ଶିରୋଧାର୍ଯ୍ୟ କଲି । ମୋର ଶାସନକାଳ ସମସ୍ତଙ୍କର ସୁଖକର ହେବା ପକ୍ଷେ ମୁଁ ସାଧ୍ୟମତ ଯତ୍ନ କରିବି ଏବଂ ଆପଣମାନଙ୍କ ଆଶୀର୍ବାଦ ଥିଲେ ତାହା ସଫଳ ହେବାପ୍ରତି ସନ୍ଦେହ ନାହିଁ । ଆପଣମାନଙ୍କ ଆଶୀର୍ବାଦରୁ ବିପଦସଙ୍କୁଳ ଦୀର୍ଘ ବନବାସରୂପ ବିସ୍ତୀର୍ଣ୍ଣସାଗର ମୁଁ ଉତ୍ତୀର୍ଣ୍ଣ ହୋଇଛି ଏବଂ ସେହି ଆଶୀର୍ବାଦ ଉପରେ ନିର୍ଭର କରି ମୁଁ ଏଡ଼େ ରାଜ୍ୟ ଚାଳନରେ ନିଯୁକ୍ତ ହେବି । ସିଂହାସନସୀନ ରାଜା ଦେଖିବାକୁ ସର୍ବପ୍ରଧାନ ପଦାରୁଢ଼ ହେଲେହେଁ ସେ ସ୍ୱଧୀନ ନ ଥାଇ ପ୍ରଜାପୁଞ୍ଜଙ୍କ ମଙ୍ଗଳାଧୀନ ଅଟନ୍ତି ଏବଂ ସେହି ବିବେଚନାରେ ସେ ପ୍ରଜାପୁଞ୍ଜଙ୍କ ଭୃତ୍ୟ । ଆପଣମାନେ ଆଶୀର୍ବାଦ କରନ୍ତୁ ମୁଁ ପ୍ରଜାପୁଞ୍ଜଙ୍କ ମଙ୍ଗଳସାଧନରେ ବ୍ରତୀଥାଇଁ ଜଗଦୀଶ୍ୱରଙ୍କର ଇଚ୍ଛା ପୂର୍ଣ୍ଣକରେଁ ।
ବଶିଷ୍ଠ ପ୍ରଭୃତି ମହର୍ଷିମାନେ ।- (ହସ୍ତୋତ୍ତୋଳନପୂର୍ବକ) ତଥାସ୍ତୁ ! ତଥାସ୍ତୁ !ସଭାସ୍ଥ ସମସ୍ତେ ।- (ଉଚ୍ଚୈଃସ୍ୱରେ) ଜୟ ରାଜରାଜେଶ୍ୱର ରାମଚନ୍ଦ୍ରଙ୍କର ଜୟ !ସ୍ତ୍ରୀଲୋକମାନେ ।- (ହୁଳହୁଳି ଦେବା ଓ ଶଙ୍ଖଧ୍ୱନି କରିବା ।)
ରାମ ।- ମୋର ବନବାସ ସମୟରେ କିସ୍କିନ୍ଧ୍ୟାରାଜ ପରମ ସଖାରୂପେ ସହାୟ ହେବାରୁ ମୁଁ ତାଙ୍କଠାରେ ସୀତା-ଉଦ୍ଧାର ଓ ଲଙ୍କା- ବିଜୟ ନିମିତ୍ତ ଚିରକୃତଜ୍ଞ ଅଛି । (ସୁବର୍ଣ୍ଣ ଥାଳିରୁ ମଣିମୟ କାଞ୍ଚନମାଳା ଉଠାଇ ସୁଗ୍ରୀବଙ୍କୁ ଇଙ୍ଗିତରେ ଡାକି) ତାଙ୍କୁ ଏହି ହାର ସଭାସ୍ଥଳରେ ସ୍ମାରକ ଚିହ୍ନସ୍ୱରୂପେ ପ୍ରଦାନ କଲି । (ହାର ପିନ୍ଧାଇଦେବା ।)
ସୁଗ୍ରୀ ।- (ନତମସ୍ତକରେ ଅଭିବାଦନପୂର୍ବକ) ସବୁ ରାଜରାଜେଶ୍ୱରଙ୍କ ଅନୁଗ୍ରହ ! ମୁଁ ସଖା ଅଥବା ଅଯୋଧ୍ୟା ସର୍ବୋପରି ତାଙ୍କର ଅନୁଗ୍ରହକୁ ଭୁଲିପାରିବି ନାହିଁ ।
ରାମ ।- ଯୁବରାଜ ଅଙ୍ଗଦ ବାହୁ ଓ ବାକ୍ୟବଳରେ ମୋର ଅଶେଷ ଉପକାର କରିଛନ୍ତି । ତାଙ୍କ (ସୁବର୍ଣ୍ଣଥାଳିରୁ ଯୋଡ଼ିଏ କେୟୁର ଉଠାଇ) ଏହି ବୈଦୁର୍ଯ୍ୟଜଡ଼ିତ ଚନ୍ଦ୍ରକରବିଭୂଷିତ କେୟୂର ପିନ୍ଧାଇଦେବି । (ଅଙ୍ଗଦକୁ ଇଙ୍ଗିତରେ ଡ଼ାକି ଦୁଇ ବାହୁରେ କେୟୁର ପିନ୍ଧାଇଦେବା ।)
ଅଙ୍ଗ ।- (ନତମସ୍ତକରେ ଅଭିବାଦନପୂର୍ବକ) ଏ ମହଦନୁଗ୍ରହ ସକାଶେ ମୁଁ ଚିରଋଣୀ ରହିଲି ।
ରାମ ।- ପତିବ୍ରତାଧର୍ମାଚରଣ ଅକ୍ଲିଷ୍ଟହୃଦୟରେ ସାଧନ କରି ଭୟଙ୍କର ଅଗ୍ନିପରୀକ୍ଷାରେ ଯେ ମହାସତୀର ପରିଚୟ ଦେଇଛନ୍ତି ସେହି ସୀତାଦେବୀଙ୍କି (ସୁବର୍ଣ୍ଣଥାଳିରୁ ମୁକ୍ତା ହାର ଉଠାଇ) ଜ୍ୟୋତ୍ସା ପ୍ରଭାବିଶିଷ୍ଟ ମଣି ବିଜଡ଼ିତ ଅନୁତ୍ତମ ମୁକ୍ତାହାର ପ୍ରଦାନ କଲି - ସେ ଚିରକାଳ ରମଣୀମାନଙ୍କର ଆଦର୍ଶରୂପେ ପୂଜନୀୟା ହେଉନ୍ତୁ ! (ସୀତାଙ୍କ ଗଳାରେ ହାର ପିନ୍ଧାଇଦେବା) ।
ସଭାସ୍ଥ ସମସ୍ତେ ।- ରାଜ୍ୟଲକ୍ଷ୍ମୀ ମହାସତୀ ସୀତା ଦେବୀଙ୍କର ଜୟ !ସ୍ତ୍ରୀଲୋକମାନେ ।- (ହୁଳହୁଳି ଦେବା ଓ ଶଙ୍ଖଧ୍ୱନି କରିବା ।)
ସୀତା ।- (ଅବନତମସ୍ତକରେ ଅଭିବାଦନକପୂର୍ବକ) ଆର୍ଯ୍ୟପୁତ୍ରଙ୍କ ଅର୍ଦ୍ଧାଙ୍ଗୀ ହୋଇ ମୋର ସବୁ ହେଲେ ହେଁ ବିଧିରକ୍ଷା ହେତୁ ମୋତେ ଯେଉଁ ହାର ମିଳିଲା ତଦ୍ଦ୍ୱାରା ମୁଁ ଆପଣାକୁ ସମ୍ମାନିତା ମଣୁଚି । ମୋ ବିବେଚନାରେ ଚତୁର୍ଦ୍ଦିକରେ ଦୃଢ଼ଭାବେ ପ୍ରହରୀ ନିଯୁକ୍ତ ଥିବା ଲଙ୍କାରେ ମୋର ଠାବ କରିବାହେତୁ ବୀରଶ୍ରେଷ୍ଠ ହନୁମାନ ଅଶେଷରୂପେ ପ୍ରଶଂସାର୍ହ । ତାଙ୍କୁ ମୁଁ ଆର୍ଯ୍ୟପୁତ୍ରଙ୍କ ଅନୁମତିକ୍ରମେ (ପାଟଯଥା ଓ ଅଳଙ୍କାରମାନ ସୁବର୍ଣ୍ଣଥାଳିରୁ ଉଠାଇ) ପଟ୍ଟବସ୍ତ୍ର ଓ ଅଳଙ୍କାରମାନ ଦେଲି । (ହନୁମାନକୁ ଇଙ୍ଗିତରେ ଡାକି ପାଟଯଥା ଓ ଅଳଙ୍କାର ପ୍ରଦାନାନ୍ତର ଆପଣା କଣ୍ଠରୁ ରାମପ୍ରଦତ୍ତ ହାର ବାହାରକରି ରାମକୁ ଅନାଇବା ।)
ରାମ ।- (ମୃଦୁହସି) ମୁଁ ବୁଝିପାରିଛି-ମୋର ତହିଁରେ ଆନନ୍ଦ-ତୁମର ଯାହାକୁ ଇଚ୍ଛା ସେ ହାର ଦିଅ ।
ସୀତା ।- ତୁମ୍ଭେ ଅସାଧ୍ୟସାଧନ କରିଥିବା ଆଉ ତୁମ୍ଭଠାରେ ତେଜ, ଧ୍ୱନି, ଯଶ, ନିପୁଣତା, ସାମର୍ଥ୍ୟ, ବିନୟ, ଦମ୍ଭ, ପୌରୁଷ, ବିକ୍ରମ ଓ ବୁଦ୍ଧି ଅକ୍ଷୁଣ୍ଣ ରହିବା କାମନାରେ ଏ ହାର ପ୍ରଦାନ କଲି । (ହନୁମାନର ଗଳଦେଶରେ ହାର ପିନ୍ଧାଇଦେବା ।)
ହନୁ ।- (ନତମସ୍ତକରେ ଅଭିବାଦନପୂର୍ବକ) ଚିରକାଳ ମୁଁ ରାମସୀତାଙ୍କ ଚରଣ ଭକ୍ତିଭାବରେ ପୂଜାକରିବି । ମୋର ଏହାଠାରୁ ଅଧିକ କିଛିନାହିଁ । ଏ ଉପହାର ଯୁଗେ ଯୁଗେ ମୋତେ ଚେତାଉଥିବ !
ରାମ ।- ବିଭୀଷଣ, ଜାମ୍ୱବାନ, ନଳ, ନୀଳ, ମୈନ୍ଦ, ଦ୍ୱିବିଦ, ସୁଷେଣ ପ୍ରଭୃତି ସମସ୍ତେ ଯଥାସାଧ୍ୟ ଆପଣାଆପଣା କାର୍ଯ୍ୟ ଅକପଟଭାବେ କରିଥିବାହେତୁ ମହାମୂଲ୍ୟ ରତ୍ନବଳୟ ପ୍ରଦାନ କଲି । (ସୁବର୍ଣ୍ଣଥାଳିରୁ ଯୋଡ଼ି ଯୋଡ଼ି ରତ୍ନବଳୟ ଉଠାଇ ବିଭୀଷଣ ପ୍ରଭୃତିଙ୍କି ଇଙ୍ଗିତରେ ରାଇ ପିନ୍ଧାଇଦେବା ।)
ବିଭୀଷଣ ପ୍ରଭୃତି ।- (ନତମସ୍ତକରେ ଅଭିବାଦନ କରି) ରାଜରାଜେଶ୍ୱରଙ୍କ ଅନୁଗ୍ରହ ଚିରକାଳ ଆମ୍ଭମାନଙ୍କ ଉପରେ ଥାଉ । (ଯଥାସ୍ଥାନେ ଗମନ ।)
ବିଦୂ ।- ସଇଲା । ମୁଁ ମନେ କରିଥିଲି ରାଜେରାଜେଶ୍ୱରଙ୍କ ଅଭିଷେକ, ସଭାଗୃହରେ ନାଟରଙ୍ଗର ଧୂମ ଲାଗିବ । ଆଉ ତଦ୍ବାଦ ବ୍ରାହ୍ମଣଭୋଜନ !ବଶି ।- ତାତ ହେବ - ତହିଁରେ ତୁମ୍ଭର କିସ ?
ବିଦୂ ।- ମୋର କିସ ? (ସଜାଡ଼ି ହୋଇ ବସି) ମହର୍ଷିମାନେ ଖାଲିହାତଉଠାଇ ପଣେ ପଣେ ମାରିବେ ଆଉ ଆମ୍ଭେ ସଭା ଉଜ୍ଜ୍ୱଳ କରି ନାଟରଙ୍ଗ ଦେଖି ଗ୍ରାସେ ଭୋଜନ କରିବୁଁ ନାହିଁ !- କହିଲେ ଆମ୍ଭର କିସ ? ଆମ୍ଭରତ ସବୁ-ଆମ୍ଭର ରାଜା, ଆମ୍ଭର ରାଣୀ, ଆମ୍ଭର ରାଜ୍ୟ, ଆମ୍ଭର ଦରବାର, ଆମ୍ଭର ସରକାର, ଆମ୍ଭର ଆନନ୍ଦ ଆଉ (ଉଦାରରେ ହାତବୁଲାଇ) ଆମ୍ଭର ପେଟ ! ବ୍ରାହ୍ମଣଭୋଜନରେ ସର୍ବଶ୍ରେଷ୍ଠ ଆସନ ନାହିଁକି ?
ରାମ ।- ତହିଁରେ ସନ୍ଦେହ ନାହିଁ ।ବିଦୂ ।- ପାଇଲେ ? ଏବେ ମୋର ଜିତାପଟ-ସୁତରାଂ ମୁଁ ଧନ୍ୟ ! ଛାମୁରୁ ଆଦେଶ ହେଲେ ନୃତ୍ୟଗୀତ ହେବ- ସଭାଟା ଅଲଣା ଲାଗୁଛି ।
ରାମ ।- ସେତ ଗୋଟାଏ ପ୍ରଧାନ ଅଙ୍ଗ-ମୋର ମନେ ଅଛି । ମାତ୍ର ଆଉ ଗୋଟିଏ ପ୍ରଧାନ କାର୍ଯ୍ୟ ବାକୀ ରହିଗଲା । (ଲକ୍ଷ୍ମଣଙ୍କୁ ଅନାଇ) ମୁଁ ପ୍ରସ୍ତାବ କରୁଛି ଭାଇ ଲକ୍ଷ୍ମଣ ଯୌବରାଜ୍ୟରେ ଅଭିଷିକ୍ତ ହେଉନ୍ତୁ ।
ବିଶି ।- ଅତି ସୁନ୍ଦର ପ୍ରସ୍ତାବ ।
ଭର ।- ମୁଁ ସେହିତା ଭାବିଥିଲି । ଶୌର୍ଯ୍ୟ, ବୀର୍ଯ୍ୟ ଏବଂ ଦମ୍ଭରେ ଲକ୍ଷ୍ନଣ ଊଣା ନୁହନ୍ତି । ତେଣୁ ଯୁବରାଜପଦର ସମ୍ପୂର୍ଣ୍ଣ ଉପଯୋଗୀ ।
ଲକ୍ଷ୍ମ ।- (ହାତଯୋଡ଼ି) ଭାଇ, ପିଲାଟିଦିନରୁ ଯେତେବେଳେ ଯେଉଁ କଥା ଆପଣଙ୍କ ମୁହଁରୁ ବାହାରିଛି ମୁଁ ତ ତଦ୍ଦଣ୍ଡେ ତାହା ପାଳିଛି, ମାତ୍ର ଆଜି ଏ ଆଦେଶ ମୋତେ ଅଡ଼ୁଆ ଜଣାଯାଏ । ଭାଇ ଭରତ ମୋଠାରୁ ବଡ଼ ଆଉ ସିଂହାସନ ତାଙ୍କରି ପ୍ରାପ୍ୟ । ସେ ଥାଉଁ ମୁଁ ଯୌବରାଜ୍ୟରେ ଅଭିଷିକ୍ତ ହେବାର ପାତ୍ର ନୁହେ ।
ଭର ।- ମୁଁ ଚଉଦବର୍ଷକାଳ ରାଜ୍ୟଭାର ଘେନିଥିଲି, ଆଉ ଏଥିରେ ଦାବୀର କଥା କିସ ? ଭାଇଙ୍କ ସଙ୍ଗେ ବନବାସରେ ଅନୁଗାମୀ ହୋଇ ତୁମ୍ଭେ ଯଥାର୍ଥରୂପେ ଯୌବରାଜ୍ୟର ଉପଯୁକ୍ତ ।
ଲକ୍ଷ୍ମ ।- ମୁଁ ଚଉଦବର୍ଷ ଖିଆପିଆ ଛାଡ଼ି ଯେମନ୍ତ ସେବା କରିଥିଲି ତେମନ୍ତ ବର୍ତ୍ତମାନ ବିଶ୍ରାମ କରିବାର ଅଧିକାରୀ । ବିଶେଷତଃ ତୁମ୍ଭେ ମୋର ବଡ଼ଭାଇ ତୁମ୍ଭେ ଯୌବରାଜ୍ୟରେ ଅଭିଷିକ୍ତ ନ ହୋଇ ମୁଁ ହେବି ଏହା ସଂସାରବାହାରର କଥା । ଚଉଦବର୍ଷ ରାଜ୍ୟ ଚଳାଇ ଯେଉଁ ଅଭିଜ୍ଞତା ଲାଭ ହୋଇଛି ତହିଁରୁ ଯୌବରାଜ୍ୟରେ ଅଧିକାର ବଢ଼ିଲା ନା ଆହୁରି ଊଣା ହେବ ?
ରାମ ।- (ଲକ୍ଷ୍ମଣକୁ ଅନାଇ) ଭରତ ଯେତେବେଳେ ସ୍ୱୀକୃତ ଅଛନ୍ତି ସେତେବେଳେ ଚଉଦବର୍ଷ ଆହାର ନିଦ୍ରା ଛାଡ଼ି ସେବା କରିବାର ପୁରସ୍କାର ସ୍ୱରୂପ ତୁମ୍ଭେ ଯୌବରାଜ୍ୟରେ ଅଭିଷିକ୍ତ ହୁଅ ।
ଲକ୍ଷ୍ମ ।- (ହାତଯୋଡ଼ି) କ୍ଷମା କରିବେ -ମୁଁ ପୁରସ୍କାର ପାଇବା ସକାଶେ ସେବା କରି ନାହିଁ । ମୁଁ ମୋର କର୍ତ୍ତବ୍ୟ କାର୍ଯ୍ୟ କରିଛି ଆଉ ତାହା ଆପଣଙ୍କ କଥାରୁ ଘେନା ହୋଇଥିବା ଜାଣି ମୋର ଆନନ୍ଦର ସୀମା ନାହିଁ ! ମୁଁ ସବାସାନରାଣୀର ପୁଅ-ଏପରି ସ୍ଥଳରେ ଭରତଭାଇଙ୍କ ଛଡ଼ା ଅନ୍ୟ କାହାରି ଯୌବରାଜ୍ୟ ପ୍ରାପ୍ୟ ନୁହେ-ଆଉ ସେ ତାହା ନ ପାଇଲେ ମୋ ମନରେ କ୍ଷୋଭ ହେବ । ମୁଁ ଯେମନ୍ତ ବନବାସ ଯାଇ ସେବା କରିଛି ଭରତ ଭାଇ ସେହିପରି ରାଜ୍ୟ ଚଳାଇ ସେବା କରିଛନ୍ତି ।
ବଶି ।- ସାଧୁ ! ସାଧୁ ! ଲକ୍ଷ୍ମଣଙ୍କ ବଚନରେ ଲେଶମାତ୍ର ଆଡ଼ବାଙ୍କ ନାହିଁ ।
ରାମ ।- ତା ସତ । ମୁଁ କାହାରି ଅଧିକାର ଛଡ଼ାଇନେବାକୁ ପ୍ରୟାସୀ ହୋଇ ନ ଥିଲି । ମୁଁ ଭାଇମାନଙ୍କୁ ଅପର ବୋଲି ନ ଭାବେଁ । ଭରତ ମୋର ଯେପରି ଲକ୍ଷ୍ମଣ ଆଉ ଶତ୍ରୁଘ୍ନ ମଧ୍ୟ ସେହିପରି, ତେବେ ଅନେକ ବିପଦ ସହ୍ୟ କରି ଲକ୍ଷ୍ମଣ ମରୁମରୁ ବଞ୍ଚି ମୋ’ ସଙ୍ଗେ ଦୁର୍ଗମ ବନବାସରୁ ଜୟପତାକା ଉଡ଼ାଇ ଫେରିଆସିଛି, ମୁଁ ସେଥି ସକାଶେ କହୁଥିଲି ଯେ ଯୌବରାଜ୍ୟରେ ଅଭିଷିକ୍ତ ହେଲେ ଦେଖିବାକୁ ସୁନ୍ଦର ହୁଅନ୍ତା । ଯେତେବେଳେ ସେ ଅନୁନୟ ରକ୍ଷା କରିବାକୁ ଅସ୍ୱୀକୃତ ସେତେବେଳେ ଭରତ ଯୌବରାଜ୍ୟରେ ଅଭିଷିକ୍ତ ହେଉ ।
ସମସ୍ତ ମହର୍ଷିମାନେ ।- (ହାତ ଉଠାଇ) ତଥାସ୍ତୁ !ରାମ ।- ଏଥିର ଆୟୋଜନ ପାଶ୍ଚାତ୍ହେବ- ବର୍ତ୍ତମାନ ନୃତ୍ୟଗୀତ ହୋଇ କାର୍ଯ୍ୟ ଶେଷ କରାଯାଉ ।[ସଙ୍ଗୀତଦଳର ପ୍ରବେଶ ଓ ନୃତ୍ୟ ସହିତ ଗୀତ ।]ସଃ ଦଃ ।-(ଗୀତ ।)ରାଗିଣୀ ସାହାନା । ତାଳ ଯତ୍।ସାର୍ଥକ ଜୀବନ ଆଜି ଦେଖି ସୀତାରାମ ।ସୁଶୋଭିତ ଅଯୋଧ୍ୟାରେ ରତ୍ନସିଂହାସନ । ଘୋଷା ।ବାଜେ ଶଙ୍ଖ ଭେରୀ ତୁରୀ ପୁରନାରୀ-ହୁଳହୁଳିମାତାଏ ମାନବେ ପୂର୍ଣ୍ଣ ଯେତେ ମନସ୍କାମ ।୧।ପିତସତ୍ୟ ପାଳି ଆସି ପୁଣି ପ୍ରଜାପୁଞ୍ଜେ ପଶିପାଳିବେ ସୁଖରେ ଧନ୍ୟ ହେବ ଧରାଧାମ ।୨।ଜନକନନ୍ଦିନୀ ସତୀ ଛାୟାପରି ଅନୁବର୍ତ୍ତିସ୍ୱାମୀ ଅନୁରୂପ ଯଶଲାଭ ଅନୁପମ ।୩।ଧନ୍ୟ ସଖା ଧନ୍ୟ ଚର, ଧନ୍ୟ ଧନ୍ୟ ଭାଇମେଳ,ଧନ୍ୟ ଧର୍ମ ତୋର ବଳ ଧନ୍ୟ ଜୀବରାଣ ।୪।ବିଦୂ ।- ଅତି ଉତ୍ତମ ହେଲା !- ଅଙ୍ଗହାନି ହେବାଟା ଭଲ ନୁହେ;- ଅତଃପର ବ୍ରାହ୍ମଣଭୋଜନ !ବଶି ।- (ସହାସ୍ୟ) ଏତେବେଳେ ତାହା ସ୍ଥିର ଜଣାଯିବାର ଦମ୍ଭ ହେଲାଣି ପରା !ବିଦୂ ।- ତ୍ରିକାଳଜ୍ଞ ମହର୍ଷିଙ୍କି ଏତକ ଜଣା ନ ପଡ଼ିନ୍ତା କାହିଁକି-ତହିଁରେ ପୁଣି ସେଥିରେ ସୁଦ୍ଧା ମହାଭାଗ !
ରାମ ।- ଶବ୍ଦ ପ୍ରୟୋଗରେ ତୁମ୍ଭଙ୍କୁ କେହି ଜିଣିବ ନାହିଁ ।- (ସୁଗ୍ରୀବ ଓ ବିଭୀଷଣଙ୍କୁ ଅନାଇ) ରାଜା ବିନା ରାଜ୍ୟର ସମୂହ ଅନିଷ୍ଟ । ସଖା ସୁଗ୍ରୀବ ଯେପରି କିସ୍କିନ୍ଧ୍ୟାରେ ନୂତନ, ସଖା ବିଭୀଷଣ ମଧ୍ୟ ଲଙ୍କାରେ ନୂତନ ରାଜା । ତେଣୁ ତୁମ୍ଭେମାନେ ସଦଳବଳେ କାଲି ପ୍ରାତଃକାଳରୁ ସ୍ୱଦେଶକୁ ଯାଇ ରାଜ୍ୟପାଳନରେ ନିଯୁକ୍ତ ହୁଅ । ମୁଁ ଚିରକାଳ ତୁମ୍ଭର ଗୁଣଗ୍ରାମ ସ୍ମରଣ ରଖିଥିବି । ବର୍ତ୍ତମାନ ସଭା ଭଙ୍ଗ ହେଉ ।
ସ୍ତ୍ରୀମାନେ ।- (ହୁଳହୁଳି ଦେବା ଓ ଶଙ୍ଖଧ୍ୱନି କରିବା ।)
[ପୂର୍ବପ୍ରାୟ ମହର୍ଷିମାନଙ୍କ ସହିତ ରାମ ଓ ତାରା ପ୍ରଭୃତିଙ୍କ ସହିତ ସୀତାର ପ୍ରସ୍ଥାନ ଓ ଛତ୍ରଦଣ୍ଡାଦି ନେଇ ଶତ୍ରୁଘ୍ନ ଆଦି ତତ୍ପଶ୍ଚାତ୍ପ୍ରସ୍ଥିତ । ଭୃତ୍ୟମାନଙ୍କର ଚୌକି ଇତ୍ୟାଦି ଅପସାରଣ ଓ ଅଦୃଷ୍ଯ-କୁମାରୀମାନଙ୍କର ପ୍ରବେଶ । ]
ଅଃ କୁଃ ।- (ନୃତ୍ୟସହିତ ଗୀତ)[ଗୀତ ।]ରାଗିଣୀ ଭୈରବୀ । ତାଳ ପୋସ୍ତା ।ଯଦି ଭବାର୍ଣ୍ଣବ ପାର ପାଇଁ ଲୋଡ଼ ତରଣୀ ।ଧରା ଅଛି ଧର୍ମନାବ ସୁଖସରଣୀ । ଘୋଷା ।ଦେଖ ରାମ ଲଛମନ ଭରତ କି ଶତ୍ରୁଘନଧର୍ମରେ ରଖିଲେ ପଣ ଘୋଷେ ଧରଣୀ ।୧।ଭୟ ବିପଦ ନ ଗଣି ଧର୍ମେ ସତୀଶିରୋମଣୀଘୋଷୁଛି ଯଶ ଅବନି ରାମ-ଘରଣୀ ।୨।ଅତଏବ ନରନାରୀ ସେହି ନାବେ ଯାଅ ଚାଲିଅଧର୍ମ ରାକ୍ଷସ ମାରି କାଟ କରଣୀ ।୩।ଯବନିକାପତନ ।ସମ୍ପୁର୍ଣ୍ଣ ।