ଉତ୍କଳ-ଗୌରବ
୧୮୯୨–୧୯୬୨
- ପଢ଼ିବା ସମୟ
- ୧୧୬ ମିନିଟ୍
- ଶବ୍ଦ
- ୧୮୬୨୦
- ସ୍ଥିତି
- ସାର୍ବଜନୀନ (Public domain)
-ଚରିତ୍ର ଲିପି-
ପ୍ରତାପରୁଦ୍ର ଦେବ
ଡ଼ିଶାର ରାଜା
ଗୋବିନ୍ଦବିଦ୍ୟାଧର
ଓଡ଼ିଶାର ମନ୍ତ୍ରୀ
(ପ୍ରଥମେ ସେନାପତି)
ଅନନ୍ତସିଂହ
ଓଡ଼ିଶାର ସେନାପତି
ମୁକୁନ୍ଦ
ଓଡ଼ିଶାର ସୈନିତ
ସମରେନ୍ଦ୍ର
ଓଡ଼ିଶାର ସହକାରୀ ସେନାପତି
ଜଗନ୍ନାଥଦାଶ
ଭାଗବତ ରଚୟିତା
କୃଷ୍ଣରାୟ
ଭିଜାନଗରର ରାଜା
ଖାଁ ସାହେବ, ମୋସାହେବ, ସେନାପତି ଇତ୍ୟାଦି,
କୃଷ୍ଣା
ଓଡ଼ିଶାର ରାଜଜେମା
ଚମ୍ପା
କୃଷ୍ଣାର ପ୍ରଧାନା ସହଚରୀ
ମୁକ୍ତା (ଉନ୍ମାଦିନୀ)
ମୁକୁନ୍ଦର ବାଲ୍ୟ ସହଚାରୀ
ସଖୀଗଣ, ନର୍ତ୍ତକୀ ଇତ୍ୟାଦି ।
ପ୍ରଥମ ଅଙ୍କ
ଦୃଶ୍ୟ – ବାରବାଟୀ ଦୁର୍ଗ ରାଜଭବନ ସଂଲଗ୍ନ ସଭାଗୃହ ।
[ଏକ ଦିଗରୁ ମୁକୁନ୍ଦ ଓ ଅନ୍ୟ ଦିଗରୁ ସମରେନ୍ଦ୍ର ପ୍ରବେଶ ପୂର୍ବକ ପରସ୍ପରକୁ ଅତିକ୍ରମ କରି ଯିବାବେଳେ ସମରେନ୍ଦ୍ର ମୁକୁନ୍ଦକୁ ଧକ୍କା ଦେଲେ]
ମୁକୁନ୍ଦ
(କ୍ରୁଦ୍ଧ ସିଂହବଲୋକନରେ ଫେରି ଚାହିଁ ପ୍ରସ୍ଥାନୋଦ୍ୟତ)
ସମରେନ୍ଦ୍ର – ଜଳକା ନା ଅନ୍ଧ ?
ମୁକୁନ୍ଦ – ଯା, ଯା- ମାନେ ମାନେ ଚାଲିଯା-
ସମରେନ୍ଦ୍ର – କ’ଣ ?- ଧକ୍କା ଦେଇ ମାନେ ମାନେ ଚାଲିଯା’-
ମୁକୁନ୍ଦ – ଭଲରେ କହୁଚି ଭାଇ, କଣ୍ଟା ବାଡ଼ରେ ଲୁଗା ପକାଇ କଜିଆ କର ନାହିଁ -
ସମରେନ୍ଦ୍ର – କି ? ମୁଁ ‘କଣ୍ଟାବାଡ଼ରେ ଲୁଗା ପକାଇ କଜିଆ’ କରୁଛି ? ଅଇଲୁ ମୋ’ ସା’ନ୍ତ ପାଖକୁ-
ମୁକୁନ୍ଦ – ତୋ’ ସା’ନ୍ତ ? ଅନନ୍ତ ସିଂହ ?- ସେହି ?- ଛାଡ଼- ନମସ୍କାର, ଭାଇ- ଯା, ତୋ’ କାମକୁ ତୁ ଯା- ଛାମୁଙ୍କ ବିଜେ କରିବା ବେଳ ହୋଇ ଗଲାଣି ।
ସମରେନ୍ଦ୍ର – କି ରେ, ତୁ ତ ଭାବି ବଢ଼ି ବଢ଼ି କହି ଚାଲି ଯାଉଛୁ- ମୋ’ ସା’ନ୍ତ ‘ଖଣ୍ଟ’ ? - ସେନାପତି ଅନନ୍ତ ସିଂହ ‘ଜୁଆଚୋର’ ?-
[ଅନନ୍ତ ସିଂହଙ୍କୁ ପ୍ରବେଶ]
ଅନନ୍ତ – କିଏ ‘ଜୁଆଚୋର’, ସମରେନ୍ଦ୍ର ?
ସମରେନ୍ଦ – ସେନାପତି ଅନନ୍ତ ସିଂହ- ନିଜ କାନରେ ଏଥର ଶୁଣନ୍ତୁ-
ମୁକୁନ୍ଦ – ମିଥ୍ୟା କଥା ।
ଅନନ୍ତ – ଚୁପ୍କର, ନରାଧମ- ମନେ କରିଚୁପରା ମୁଁ କିଛି ଶୁଣି ନାହିଁ- ମୁକୁନ୍ଦ । ସେଦିନ ଆଉ ନାହିଁ- ବର୍ତ୍ତମାନ ମୁଁ ଭାଗ୍ୟଚକ୍ରର ଶୀର୍ଷଦେଶରେ- ତୋ’ର ପ୍ରଭୁର ଆସନରେ ।- ଆବଶ୍ୟକ ହେଲେ-
ମୁକୁନ୍ଦ – ‘ପଦସେବା କରାଇ ପାରେ’ ଏହି କଥାତ ? କିନ୍ତୁ କର୍ତ୍ତବ୍ୟଚାଳିତ ଏ’ ଦାସ ହାସ୍ୟମୁଖରେ ତତୋଧିଽକ ନୀଚ କାର୍ଯ୍ୟ କରିବାକୁ ପ୍ରସ୍ତୁତ ।
ଅନନ୍ତ – ତେବେ କେଉଁ କର୍ତ୍ତବ୍ୟ ଚାଳନାରେ ପ୍ରଭୁର ଅବମାନନା-
ମୁକୁନ୍ଦ – କରିନାହିଁ ମୁକୁନ୍ଦ, ଅନ- (ଜିହ୍ୱାଦଂଶନ ପୂର୍ବକ) ନା, ସେନାପତେ- କରିଚି ତୁମ୍ଭରି- ନା, ନା, ଆପଣଙ୍କରି-
ଅନନ୍ତ – କି, ମୋ’ ସମ୍ମୁଖରେ ମୋ’ର ଅବମାନନା- ଊର୍ଦ୍ଧ୍ୱତନ କର୍ମଚାରୀ ମୁହିଁ, କାହିଁ ଆଦର ଅଭ୍ୟର୍ଥନାରେ ଆପ୍ୟାୟିତ ହେଉଥାନ୍ତି- ନା, ଇତର- ବ୍ୟବହାରରେ ଅପମାନିତ ହେଉଚି- ଜାଣୁ, କ’ଣ କରିପାରେ ସେନାପତି ମୁଁ ?-
ସମରେନ୍ଦ୍ର – ଥରେ କାମରେ ଦେଖାଇ ଦିଅନ୍ତୁ ନା, ସେନାପତେ ।
ମୁକୁନ୍ଦ – କୁକ୍କୁର-
ସମରେନ୍ଦ୍ର – (ଭୟରେ ଘୁଞ୍ଚି ଯାଇ) ଶୁଣନ୍ତୁ, ଶୁଣନ୍ତୁ, ସା’ନ୍ତେ-
ଅନନ୍ତ – ଏତେ ସ୍ପର୍ଦ୍ଧା ତୋ’ର ! -ମୋ ସମ୍ମୁଖରେ ମୋ’ର ରକ୍ଷିକୁ ପଦାଘାତ ।- ମୋତେ ପଦାଘାତ ।- ଆଦେଶ ମୋ’ର, ଏହିକ୍ଷଣି ଅସ୍ତ୍ର ତୋ’ର ପରିତ୍ୟାଗ କର- ।
ସମରେନ୍ଦ୍ର – ‘ଏହିକ୍ଷଣି’-
ମୁକୁନ୍ଦ – ଏ’ ଆଦେଶ ପାଳନ କରିବାକୁ ମୁଁ ଏକାନ୍ତ ଅକ୍ଷମ-
ଅନନ୍ତ – ‘ଅକ୍ଷମ’- ମୋ’ର ଆଦେଶ ପାଳନ କରିବାକୁ-
ମୁକୁନ୍ଦ – ଅନନ୍ତ ସିଂହଙ୍କ ଆଦେଶ ପାଳନ କରିବାକୁ-
ଅନନ୍ତ – ଏ’ ସେନାପତିର ଆଦେଶ-
ସମରେନ୍ଦ୍ର – ‘ସେନାପତିର’-
ମୁକୁନ୍ଦ – ଅଭିଯୋଗ ?
ଅନନ୍ତ – ସାମାନ୍ୟ ଜଣେ ସୈନିକକୁ କୈଫିୟତ୍ ଦେବାକୁ ସହସ୍ର ସହସ୍ର ସେନାର ଭାଗ୍ୟ- ବିଧାତା ସେନାପତି କେବେ ବାଧ୍ୟ ନୁହେଁ-
ସମରେନ୍ଦ୍ର – ‘ବାଧ୍ୟ ନୁହେଁ’-
ମୁକୁନ୍ଦ – ଦୋଷ ହୋଇଚି- (ଅସ୍ତ୍ର ତ୍ୟାଗ) କିନ୍ତୁ ଶୀଘ୍ର ଅନ- ନା, ସେନାପତେ, ମୋତେ ରାଜସମ୍ମୁଖରେ ଉପସ୍ଥାପିତ କରିବାକୁ ହେବ-
ଅନନ୍ତ – ବନ୍ଦୀର ସେ ପରାମର୍ଶ ଦେବାର ଅଧିକାର ନାହିଁ ।
ସମରେନ୍ଦ୍ର – ଆଦୌ ନାହିଁ-
ମୁକୁନ୍ଦ – ରାଜନୀତିର ବି ନାହିଁ ?
ଅନନ୍ତ – ହାଃ ହାଃ ହାଃ- ବନ୍ଦୀ ପକ୍ଷେ ବର୍ତ୍ତମାନ ଏହା ଅନଧିକାର ଚର୍ଚ୍ଚା ନୁହେଁ କି ?
ସମରେନ୍ଦ୍ର – ‘ଅନଧିକାର ଚର୍ଚ୍ଚା’-
ମୁକୁନ୍ଦ – (କୌଣସିମତେ ଆତ୍ମସମ୍ବରଣ କରି) – ମା- ର୍ଜ- ନା-, ସେନାପତେ ।
ସମରେନ୍ଦ୍ର – ସା’ନ୍ତେ- ଏ’ ନରମା କଥାରେ କେବେ ନରମି ଯିବେ ନାହିଁଟି- ଜାଣନ୍ତି ତ କା’ର ଚେଲା ଏ’- ସେହି ମୈନୀମୁହାଁ, ବିଲେଇ ବୈଷ୍ଣବ ଗୋବିନ୍ଦା-
ମୁକୁନ୍ଦ – (ଅସ୍ତ୍ର ବାହାର କରି) ପାଷଣ୍ଡ । ବର୍ବର !- (ସମରେନ୍ଦ୍ର ପ୍ରତି ଉତ୍ତୋଳନ କଲେ)
ସମରେନ୍ଦ୍ର – (ଭୟରେ କମ୍ପିତ ହେଲା)
ଅନନ୍ତ – (ମୁକୁନ୍ଦର ଅସ୍ତ୍ରାଘାତକୁ ଅସ୍ତ୍ରଦ୍ୱାରା ବାଧାଦେଇ) ସାବଧାନ ।-
[ଏତିକିବେଳେ ଗୋବିନ୍ଦ ବେଗେ ଉପସ୍ଥିତ ହେଲେ]
ଗୋବିନ୍ଦ – କ୍ଷାନ୍ତହୁଅ ।- (ବିରତ କରାଇଲେ) କଥା କ’ଣ ଅନନ୍ତ ?
ସମରେନ୍ଦ୍ର – (ପଳାୟନପର ହୋଇ, ପଳାଇ ନ ପାରି, ହତାଶଭାବେ ଠିଆ ହେଲା ଯେମନ୍ତ)
ଅନନ୍ତ – (ବ୍ୟଙ୍ଗଭାବେ) ଆପଣଙ୍କର ବିଶ୍ୱସ୍ତ- କର୍ମଚାରୀ ମହାଶୟଙ୍କୁ ପଚାରି-
ଗୋବିନ୍ଦ – କ୍ରୋଧ ସଂବରଣ କର, ଅନନ୍ତ ।- ମୁକୁନ୍ଦ !
(କ୍ରୁଦ୍ଧଭାବେ ଚାହିଁଲେ ମୁକୁନ୍ଦ ଆଡ଼େ)
ମୁକୁନ୍ଦ – (ଏତେ କ୍ରୁଦ୍ଧ ହୋଇଥିଲେ ଯେ କଥା କହିବାକୁ ଅକ୍ଷମ ହେଲେ)
ଗୋବିନ୍ଦ – ଦେ ତୋ’ର ତରବାରୀ, ନରପିଶାଚ- (ତରବାରୀ କାଢ଼ିନେଲେ)
ମୁକୁନ୍ଦ – ପ୍ର- (ତଥାପି କହି ପାରିଲେ ନାହିଁ)
ଗୋବିନ୍ଦ – ଉଃ- କ୍ରୋଧାବେଶରେ ଏ’ ପର୍ଯ୍ୟନ୍ତ ରୁଦ୍ଧ କଣ୍ଠ ତୁହି ।- ବର୍ବର- (ଆହୁରି କ୍ରୁଦ୍ଧ ହେବାକୁ ଯାଇ ହଠାତ୍ ସ୍ନେହଜଡ଼ିତ କୋମଳସ୍ୱରେ ଡାକିଲେ) ମୁକୁନ୍ଦ-
ମୁକୁନ୍ଦ – ପ୍ରଭୁ- ଦେବତା ମୋ’ର- (ଗୋବିନ୍ଦଙ୍କ ଚରଣଧାରଣ କଲେ)
ଗୋବିନ୍ଦ – ଧୈର୍ଯ୍ୟ- ଧୈର୍ଯ୍ୟ ମୁକୁନ୍ଦ (ପିଠିରେ ହାତ ବୁଲାଇଲେ)
ମୁକୁନ୍ଦ – ଧୈର୍ଯ୍ୟ ! ଧୈର୍ଯ୍ୟ ।- ଅଗ୍ନି- ଗୋଲକର ପ୍ରାଣଘାତୀ ଯନ୍ତ୍ରଣାଠାରୁ ଯେ ଅଧିକତର ଯନ୍ତ୍ରଣା ଅନୁଭବ କରୁଚି, ପ୍ରଭୁ-
ଗୋବିନ୍ଦ – ମୁକୁନ୍ଦ ।-
ମୁକୁନ୍ଦ – ପ୍ରଭୁ ! ପ୍ରଭୁ ! ଏହି ବର୍ବର, ପାଷଣ୍ଡ (ସମରେନ୍ଦ୍ରକୁ ଦେଖାଇ) ଆପଣଙ୍କୁ, ଦେବତାକୁ ମୋ’ର- ଯା’ ବୋଲି-
ସମରେନ୍ଦ୍ର – (ସଭୟେ ଅନନ୍ତର ପୃଷ୍ଠଦେଶରେ ଆପଣାକୁ ଲୁଚାଇବାକୁ ଯତ୍ନକଲା)
ଗୋବିନ୍ଦ – ଚୁପ୍, ଚୁପ୍- ତୋତେ ତ ମୁଁ ପଚାରି ନାହିଁ କିଛି; ଆଚ୍ଛା, ଯାଅ, ବର୍ତ୍ତମାନ ଯେ ଯା’ର କାର୍ଯ୍ୟକୁ-
[ମୁକୁନ୍ଦ ଓ ସମରେନ୍ଦ୍ର ଧୀରେ ଧୀରେ ପ୍ରସ୍ଥାନ କରୁଥିଲେ ]
ଆସ, ଅନନ୍ତ- (ଅନ୍ୟଦିଗେ ପ୍ରସ୍ଥାନ କରୁଥିଲେ)
ଅନନ୍ତ – (ଯାଉ ଯାଉ) ଭାଇ ସା’ନ୍ତେ, କଥା କିଛି ନାହିଁ- ସମରେନ୍ଦ୍ର ଆଉ ମୁକୁନ୍ଦ ପରସ୍ପର ମଧ୍ୟରେ କ’ଣ କଥା କଟା କଟି ହେଉଥିଲେ- ଏହି ସମୟରେ ମୁଁ ଆସି ପହଁଚି ଯାଏ- ପହଁଚି ତ ଗଲି- ଯାଏଁ କେଉଁଆଡ଼େ- ବାପ୍ରେ ବାପ୍- ନଜରଟା ପଡ଼ିଚି ଯେମିତିକା ମୋ ଆଡ଼େ- ବାଘ ପରି ତ ସାଏଁ କରି ଛୁଟିଆସି, କୁଦା ମାରି ଉପରେ ଏକାବେଳକେ
ହାଜର – ଝଣାତ୍ କରି ଅସ୍ତ୍ରଟା ବାହାର କରି-
ମୁକୁନ୍ଦ – (ଦ୍ରୁତବେଗେ ଫେରିପଡ଼ି) ସତ୍ୟକଥା, ସେନାପତେ ?- ସତ୍ୟ ପାଳି ଦିବାକର ଅଦ୍ୟାପି ଉଦିତ- ଅଦ୍ୟାପି ପୃଥିବୀ ସତ୍ୟେ ପ୍ରତିଷ୍ଠିତ- ମନୁଷ୍ୟର ସତ୍ୟବ୍ରତ ହୋଇଛି କି ଲୁପ୍ତ ?
ଗୋବିନ୍ଦ – ମୁକୁନ୍ଦ ! (କ୍ରୁଦ୍ଧ ଦୃଷ୍ଟିରେ ଚାହିଁଲେ, ପ୍ରସ୍ଥାନେଙ୍ଗିତ କରି)
ମୁକୁନ୍ଦ – ପ୍ରଭୁ ! (ବହୁକଷ୍ଟେ ଆତ୍ମସଂଯମପୂର୍ବକ ସେହି ଆଦେଶ ପାଳନ କରି, ଅଗ୍ରସର ହେଲେ)
ଗୋବିନ୍ଦ – ତା’ପର, ଅନନ୍ତ-
ଅନନ୍ତ – ତତ୍କ୍ଷଣାତ୍ ମୁଁ ଅସ୍ତ୍ରତ୍ୟାଗ କରିବାକୁ ଆଦେଶ କଲି-
ମୁକୁନ୍ଦ – (ହଠାତ୍ ଫେରିଚାହିଁ) ମିଥ୍ୟା କଥା- ମିଥ୍ୟା- ଗୋବିନ୍ଦ- ପୁଣି-
ମୁକୁନ୍ଦ – (ଧୈର୍ଯ୍ୟ ଧରି ନ ପାରି) ପ୍ରଭୁ- ପ୍ରଭୁ- ମୋତେ ଅସ୍ତ୍ରାଘାତ କରନ୍ତୁ- ଖଣ୍ଡ ଖଣ୍ଡ କରି କାଟି କୁକ୍କର ଶୃଗାଳ ସମ୍ମୁଖରେ ନିକ୍ଷେପ କରନ୍ତୁ, ତଥାପି ମୋ’ର ଯନ୍ତ୍ରଣା ନାହିଁ- ଶୋଚନା ନାହିଁ- ସାନନ୍ଦେ ସମସ୍ତ ସହ୍ୟ କରିବାକୁ
ପ୍ରସ୍ତୁତ; – ମାତ୍ର ମିଥ୍ୟାବାଦିତା, କପଟତା, ତିଳେ ତିଳେ ସୁଦ୍ଧା ସହ୍ୟ କରି ପାରିବି ନାହିଁ, ପ୍ରଭୁ- ତିଳେ ସୁଦ୍ଧା-
ଗୋବିନ୍ଦ – ସେନାପତି ତୋତେ ଅସ୍ତ୍ରତ୍ୟାଗ କରିବାକୁ ଆଦେଶ କରିଥିଲେ ?-
ମୁକୁନ୍ଦ – କରିଥିଲେ- ସେ ଆଦେଶ ‘ସେନାପତି’ର ଆଦେଶ ବୋଲି ବିନା ବାକ୍ୟବ୍ୟୟରେ ମଧ୍ୟ ପ୍ରତିପାଳନ କରିଥିଲି ।
ଗୋବିନ୍ଦ – ତେବେ କା’ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳିତ ହେବାକୁ ଦେଖୁଥିଲି ?-
ମୁକୁନ୍ଦ – ଏହି ବର୍ବରଟାର ବିରୁଦ୍ଧରେ- (ସମରେନ୍ଦ୍ରକୁ ଦେଖାଇ ଦେଲେ)
ସମରେନ୍ଦ୍ର – ଏଁ- (ଭୟରେ ଚମକି ଉଠି ଗର୍ତ୍ତାନ୍ୱେଷଣ କଲା ପରା)
ଅନନ୍ତ – ପ୍ରକାରାନ୍ତରେ ମୋ’ରି ବିରୁଦ୍ଧରେ ନୁହେଁ କି, ଭାଇ ସା’ନ୍ତେ ?
ସମରେନ୍ଦ୍ର – (ଆଶ୍ରୟ ପାଇଲା ପରି, ଅନନ୍ତ ପ୍ରତି ଅନୁଚ୍ଚସ୍ୱରରେ) ସେହି କଥା- ସେହି କଥାଟି, ମୋ’ ସାନ୍ତେ-
ଗୋବିନ୍ଦ – (କ’ଣ ଗୋଟାଏ ଦୁରଭିସନ୍ଧିର ଗନ୍ଧ ଯେମନ୍ତ ଆଘ୍ରାଣ କରି, ମୁକୁନ୍ଦଆଡ଼େ ଚାହିଁ ପଚାରିଲେ) କାରଣ ?
ମୁକୁନ୍ଦ – ସେ ଆପଣଙ୍କୁ କୁତ୍ସିତ ଭାଷାରେ-
ସମରେନ୍ଦ୍ର – (ସଭୟେ) ଏଁ, ଏଁ- କେତେବେଳେ- କେତେବେଳେ-
ମୁକୁନ୍ଦ – (ଆହୁରି କ’ଣ କହିବାକୁ ଯାଉଥିଲେ)
ଗୋବିନ୍ଦ – ଚୁପ୍- (ବୋଲି ବାଧାଦେଲେ) ।
ସମରେନ୍ଦ୍ର – (ଲମ୍ବ ହୋଇ ଗୋଡ଼ତଳେ ପଡ଼ି) ଦୋହାଇ- ଦୋହାଇ, ବଡ଼ ସେନାପତେ- ‘କୁତ୍ସିତ’ ଛାଡ଼ି- କୁ- କୁ- କୁଭାଷା ବି ଏ’ ପାଟିରୁ-
ଗୋବିନ୍ଦ – (ସସ୍ମିତେ) ଉଠ, ଉଠ, ସମରେନ୍ଦ୍ର- (ମୁକୁନ୍ଦ ପ୍ରତି) ମାତ୍ର ତୁ ଦଣ୍ଡ ଦେବାକୁ କିଏ ?
ସମରେନ୍ଦ୍ର
ପଚାରିବେଟି- ସେହି କଥା ପଚାରିବେଟି, ବଡ଼ ସା’ନ୍ତେ-
ଅନନ୍ତ – ତେତିକି ନୁହେଁ- ମୋ’ ସମ୍ମୁଖରେ, ସେନାପତି ସମ୍ମୁଖରେ, ଜଣେ ସାମାନ୍ୟ କର୍ମଚାରୀ ହୋଇ ଏପରି ଔଦ୍ଧତ୍ୟ ପ୍ରକାଶ-
ସମରେନ୍ଦ୍ର – ଅସହ୍ୟ, ନିତାନ୍ତ ଅସ-
ଗୋବିନ୍ଦ – ଚୁପ୍କର, ପାଜି ।
ସମରେନ୍ଦ୍ର – ଏଁ- ଏଁ- ଚୁପ୍, ଚୁପ୍- ଏକଦମ୍ ଚୁପ୍ (ଭୟରେ ଦୂରକୁ ଘୁଞ୍ଚିଗଲା)
ଗୋବିନ୍ଦ – ମୁକୁନ୍ଦ ! ଅନ୍ୟ ଦୋଷ ତୋ’ର ଥାଉ ବା ନ ଥାଉ, ଏହି ଔଦ୍ଧତ୍ୟହିଁ ତୋ’ର ଗୁରୁତର ଦୋଷ- ଏକାନ୍ତ ଅମାର୍ଜ୍ଜନୀୟ । କିଏ କ’ଣ କହିଲା, କଲା, ତୋ’ର ଊର୍ଦ୍ଧ୍ୱତନ କର୍ମ୍ମଚାରୀ ନିକଟରେ ଅଭିଯୋଗ କରିବା ଉଚିତ ଥିଲା- ସେ ବିଚାର କରି-
ସମରେନ୍ଦ୍ର – ଦଣ୍ଡ ଦେଇ ଥାନ୍ତେ-
ଗୋବିନ୍ଦ – (ସମରେନ୍ଦ୍ରକୁ କ୍ରୁଦ୍ଧନେତ୍ରରେ ଚାହିଁଲେ)
ସମରେନ୍ଦ୍ର
(କାନ ମୋଡ଼ି ଗାଲରେ ଚଟକଣି ଖାଇ ପାଟିବୁଜି ଠିଆହେଲା)
ମୁକୁନ୍ଦ – ଦୋଷ ହୋଇଚି- କ୍ଷମା କରନ୍ତୁ, ପ୍ରଭୁ- (କ୍ଷମାପ୍ରାର୍ଥନା କରିବାକୁ ଯାଉଥିଲେ)
ସମରେନ୍ଦ୍ର – (ସଗର୍ବେ ଏଥର ଠିଆ ହୋଇ ମୁକୁନ୍ଦ ଆଡ଼େ ଚାହିଁଲା)
ଗୋବିନ୍ଦ – (ବାଧାଦେଇ) ନା, ନା, ଯା ତୋ’ର ଊର୍ଦ୍ଧ୍ୱତନ କର୍ମଚାରୀ ସେନାପତିଙ୍କ ଚରଣ ଧରି, ଆଗେ କ୍ଷମା ମାଗି ନେ-
[ମୁକୁନ୍ଦ ଆହତଫଣୀ ପରି ଫଣା ବିସ୍ତାର କଲେ, ମାତ୍ର ମନ୍ତ୍ରମୁଗ୍ଧବତ୍ ତତ୍କ୍ଷଣାତ୍ ଅନନ୍ତଆଡ଼େ ନତମସ୍ତକରେ ଅଗ୍ରସର ହେଲେ ]
ସମରେନ୍ଦ୍ର – (ସ୍ୱଗତ) ୟାପରେ ମୋର ହାତଧରି କ୍ଷମା ମାଗିବାକୁ କହିବେ ନା କଣ-? (ଆନନ୍ଦିତ ହେବାକୁ ଯାଇ, ହଠାତ୍) ନାହିଁରେ ବାବା- ‘ଆଉ ଦରକାର ନାହିଁ ସରକାରକୁ’- ଏତିକିରେ କୌଣସିମତେ ଖସି ଗଲେଇ ମଙ୍ଗଳ-
ଅନନ୍ତ – (ମୁକୁନ୍ଦ ଚରଣ ଧରିବାକୁ ଯା’ନ୍ତେ, କେଉଁ ସୁହୃଦ୍ ଭାବରେ ଅନୁପ୍ରାଣିତ ହୋଇ ପରା, ଆଲିଙ୍ଗନ କରି, କ’ଣ ଯେ କହିବାକୁ ଯାଉଥିଲେ, ମାତ୍ର ନିରସ୍ତ ହୋଇ ଆପଣାକୁ ବିଚ୍ଛିନ୍ନ କରି ନେଇ, କହିଲେ) ଆଉ ଦିନେ ଏ’ପରି ଗର୍ହିତ ଆଚରଣ ଯେମନ୍ତ ଦୃଷ୍ଟ ନ ହୁଏ, ମୁକୁନ୍ଦ ।
ମୁକୁନ୍ଦ – ଓଃ- (କଟା ଘା’ରେ ଲୁଣଛିଟାର ଜ୍ୱାଳା ବୋଧ କରୁଁ କରୁଁ ସ୍ୱ-ସ୍ଥାନରେ ଆସି ଠିଆ ହେଲେ)
ଗୋବିନ୍ଦ – ସମରେନ୍ଦ୍ର !
ସମରେନ୍ଦ୍ର – (ସ୍ୱଗତ) ଯା’ ଭାବିଥିଲି- (ଭୟ ଓ ଗର୍ବରେ ଅଭିଭୂତ ହେଉଥିଲା)
ଗୋବିନ୍ଦ – ଅପରକୁ ସମ୍ମାନତାନରେ ନିଜର ସମ୍ମାନ ବୃଦ୍ଧିପାଏ ସିନା- ମେଘ ସୂର୍ଯ୍ୟକୁ ଆବୃତ କରେ ସତ୍ୟ, କିନ୍ତୁ ପରକ୍ଷଣରେ ଦୀପ୍ତି ଓ ତେଜ ତା’ର ଦ୍ୱିଗୁଣିତ କରିଦିଏ ନାହିଁ କି ? ଯାଅ, ଭାଇ ଭାଇରେ ମିଳି ଠିଆ ହୁଅ-
[ସମରେନ୍ଦ୍ର ସଭୟେ, କିନ୍ତୁ ବାହ୍ୟକ ଆଗ୍ରହରେ ଏବଂ ମୁକୁନ୍ଦ ଅତ୍ୟନ୍ତ ଅନିଚ୍ଛା ସତ୍ତ୍ୱେ, ପରସ୍ପରକୁ ଆଲିଙ୍ଗନ କଲେ ]
ଏହି ମିଳନହିଁ ପ୍ରଧାନ ଦୁର୍ଗ, ଭାଇମାନେ- ଜଗତରେ ଏପରି ଶକ୍ତି ନାହିଁ, ଏପରି ଅସ୍ତ୍ର ନାହିଁ, ଯାହା ଏ’ ଦୁର୍ଗର ଅଭେଦ୍ୟ ପ୍ରାଚୀରକୁ ସୂଚ୍ୟଗ୍ର ପରିମାଣ ସୁଦ୍ଧା ଭେଦ କରିବାକୁ କ୍ଷମ ହେବ । ଆସ, ଭାଇ- ଆମ୍ଭେମାନେ ସମସ୍ତେ ବାଦ ବିସମ୍ବାଦ ଭୁଲିଯାଇ- ବ୍ୟକ୍ତିଗତ ସମସ୍ତ ସ୍ୱାର୍ଥ, ପାର୍ଥକ୍ୟ ଆମ୍ଭର ଜନ୍ମଭୂମିର କଲ୍ୟାଣଯଜ୍ଞରେ ଆହୁତି ଦେଇ- ସମ- ବଳରେ, ସମ- ପ୍ରାଣରେ, ସ୍ୱ- ଜାତିର କୀର୍ତ୍ତିସ୍ତମ୍ଭ ଆହୁରି ସମୁତ୍ଥିତ ଓ ସୁଦୃଢ଼ କରିବାକୁ ଯତ୍ନଶୀଳ ହେବା- ନା, ନା- ଉତ୍ତରୋତ୍ତର ତା’ର ବୃଦ୍ଧି ଓ ପ୍ରସାରର ଚେଷ୍ଟା କରିବା । କ୍ଷଣପୂର୍ବେ, ବଙ୍ଗଳାର ଗର୍ବିତ ନବାବ ହୋସେନ୍ ଖାଁ ଏହି ସ୍ତମ୍ଭବିରୁଦ୍ଧରେ ପ୍ରତିହତ ହୋଇ ଅବନତ ମସ୍ତକରେ ଯେଉଁପରି ଫେରି ଯାଇଛି, ବିଦେଶୀ ସମସ୍ତ ଶତ୍ରୁ ସେହିପରି ପ୍ରତିହତ ହୋଇ- ନା, ନା ତା’ର ସୁଦୂର ପ୍ରସାରିତ ବିଜୟବୈଜୟନ୍ତୀ ଅବଲୋକନ ମାତ୍ରକେ ସଚକିତେ ଫେରି ଯା’ନ୍ତୁ- ଉତ୍କଳର ଇତିହାସ ଚିରକାଳ ଏହି ଗୌରବ ବକ୍ଷରେ ଧାରଣ କରି, ବିଶ୍ୱଜଗତରେ ଅକ୍ଷୟ ଖ୍ୟାତି ଅର୍ଜ୍ଜନ କରୁ ।-
ଜୟ ଗତପତି ପ୍ରତାପରୁଦ୍ର ଦେବଙ୍କର ଜୟ !
ସମସ୍ତେ – ଜୟ ଗଜପତି ପ୍ରତାପରୁଦ୍ର ଦେବଙ୍କର ଜୟ ।(ନେପଥ୍ୟେ ବାଦ୍ୟଧ୍ୱନି)
ଗୋବିନ୍ଦ – ଏହି ଯେ ମହାରାଜ ବିଜେ କଲେଣି ।
ଯାଅ, ଯେ ଯା’ର କାର୍ଯ୍ୟକୁ ସମରେନ୍ଦ୍ର, ମୁକୁନ୍ଦ ।
(ସମସ୍ତଙ୍କର ପ୍ରସ୍ଥାନ)
[ବାଦ୍ୟଧ୍ୱନି କ୍ରମେ ପ୍ରତାପରୁଦ୍ର ଦେବ ମହା ସମାରୋହରେ ସଭାସଦ୍ବର୍ଗ, ଗୋବିନ୍ଦ, ଅନନ୍ତ, ମୁକୁନ୍ଦ, ସମରେନ୍ଦ୍ର ଓ ଅନ୍ୟାନ୍ୟ ରକ୍ଷିଗଣ ସହ ପ୍ରବେଶ କଲେ ଓ ଯଥାସ୍ଥାନ ଅଧିକାର କଲେ । ସମରେନ୍ଦ୍ର ଓ ମୁକୁନ୍ଦ ଯଥାକ୍ରମେ ଅନନ୍ତ ଓ ଗୋବିନ୍ଦ ପାର୍ଶ୍ୱରେ ଠିଆ ହେଲେ । ବନ୍ଦିନୀଗଣ ପ୍ରବେଶ କଲେ ବନ୍ଦନା- ଗୀତି ଗାଇ ]
ବନ୍ଦିନୀଗଣ-
ଗୀତ
ଜୟ ଶ୍ରୀ ପ୍ରତାପ । ଜୟ ରୁଦ୍ର(ପ୍ର)ତାପ ।
ଜୟ, ଜୟ, ଉତ୍କଳ- ଭୂପ ।
ଉତ୍କଳ- ଗଗନ ଛୁରିତ କୀରଣ-
ଜ୍ୟୋତିର୍ମ୍ମୟ ଭାସ୍କର- ରୂପ ।
ଅରାତି ତିମିର ଆସି ଝଲକରେ-
ପଳାଇଛି ଦୂରେ ସଭୟ ଅନ୍ତରେ;
ପୁଲକେ ପୁଲକେ ଭରିଚି ମେଦିନୀ
ମଙ୍ଗଳର ଉଠଇ ଧୂପ ।
ନବ ନବ ସ୍ୱରେ, ରାଗିଣୀ, ଝଙ୍କାରେ-
ଖେଳେ ବୀଣା- ତାର ତବ ପ୍ରସାଦରେ;
ଭକ୍ତି- ଭାଗୀରଥି ବୁହାଇ ଅନ୍ତରେ
ଧରିଅଛି ଅମର- ରୂପ ।
(ପ୍ରସ୍ଥାନ କଲେ)
ପ୍ରତାପରୁଦ୍ର – ସଭାସଦ୍ବର୍ଗ ! ଆଜି ଭାରି ଆନନ୍ଦର ଦିନ- ଶ୍ରୀ ଜଗନ୍ନାଥ ଦେବଙ୍କ କୃପାରୁ ଆମ୍ଭେମାନେ ଗୋଟାଏ ପ୍ରବଳ- ପରାକ୍ରାନ୍ତ ଶତ୍ରୁକୁ ଦମନ କରିବାକୁ କ୍ଷମ ହୋଇଛୁଁ- ହୋସେନ୍ ଖାଁ ଚିରକାଳ ସକାଶେ ଜାଣି ଯାଇଛି, ଓଡ଼ିଆ ଜାତି ଯେ- ସେ ଜାତି ନୁହେଁ, ଗୋଟାଏ ଦୁର୍ଲଙ୍ଘ୍ୟ ହିମାଚଳ- ଓଡ଼ିଆର ରକ୍ତ ତପ୍ତ- ବୈତରଣୀ- ।
ସମସ୍ତେ- ଜୟ ରୁଦ୍ର- ପ୍ରତାପ ପ୍ରତାପରୁଦ୍ର ଦେବଙ୍କର ଜୟ ।
ପ୍ରତାପ – ଆଜି ବିଜୟୋତ୍ସବ ଲାଗି ଏ’ ଯେଉଁ ସଭା ଆହୂତ ହୋଇଛି, ଏହାର ଉଦ୍ଦେଶ୍ୟ ଯେ କେବଳ ଜୟୋଲ୍ଲାସ ପ୍ରକାଶପୂର୍ବକ ତୁଚ୍ଛ ଆମୋଦ- ପ୍ରମୋଦରେ ରତହେବା, ତାହା ନୁହେଁ- ସେଥି ସଙ୍ଗେ ସଙ୍ଗେ ଯେଉଁ ବୀରମାନଙ୍କର ପ୍ରାଣପାତରେ ବା ପ୍ରାଣପଣ ଉଦ୍ୟମ ଓ ବିବିଧ ସମର କୌଶଳରେ, ଉତ୍କଳରେ ବିଜୟଲକ୍ଷ୍ମୀ ଆଜି ବରିତା ହୋଇଚନ୍ତି, ସେମାନଙ୍କୁହିଁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ ଓ ପୁରସ୍କାର ପ୍ରଦାନ ପୂର୍ବକ ଆପଣା ଆପଣାକୁ ଧନ୍ୟ ମଣିବା- ଦେଶ ଓ ଜାତିକୁ ଗୌରବରେ ମଣ୍ଡିତ କରିବା ।
[ସମସ୍ତେ ପରସ୍ପର ମଧ୍ୟରେ ମହାରାଜଙ୍କର ପ୍ରଶଂସା ଇଙ୍ଗିତରେ ପ୍ରକାଶେ କରୁଥିଲେ]
ସମସ୍ତେ – ଜୟ ଗଜପତି ପ୍ରତାପରୁଦ୍ର ଦେବଙ୍କର ଜୟ !
ପ୍ରତାପ – ଗୋବିନ୍ଦ । ସର୍ବାଗ୍ରେ ମୁଁ ତୁମ୍ଭର ପ୍ରଶଂସା ନ କରି ରହିପାରୁ ନାହିଁ- ତୁମ୍ଭର ଅଦ୍ଭୁତ, କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ ନିରଭିମାନତ୍ୱରେ ମୁଁ ମୁଗ୍ଧ ହୋଇଚି- ଆଜିଠାରୁ ତୁମ୍ଭେ ଶାରଙ୍ଗଗଡ଼ର ଅଧିନାୟକ ପଦରେ ବରିତ ହେଲ- ସେଠାକାର ସମସ୍ତେ ରାଜକାର୍ଯ୍ୟ ସ୍ୱାଧୀନଭାବେ ପରିଚାଳନାର ଭାର ତୁମ୍ଭ କରେ ଅର୍ପିତ ହେଲା- ଏହି ନିଅ ରାଜ- ନିଦର୍ଶନ (ଗୋଟିଏ ଶିରସ୍ତ୍ରାଣ ପ୍ରଦାନ କଲେ)
ଗୋବିନ୍ଦ – (ଅବନତ ହୋଇ) ଜାଣେ ସଦା ଏ’ ଦାସ- ରାଜାର କାର୍ଯ୍ୟ, ନିଜର କାର୍ଯ୍ୟ- ଦେଶର କଲ୍ୟାଣ, ନିଜର କଲ୍ୟାଣ ।- ଏ’ ଦାସ ମଧ୍ୟରେ- ନା- ସମସ୍ତ ଦେଶବାସୀ ମଧ୍ୟରେ ଏହି ଭାବହିଁ ଯେମନ୍ତ ଦିନୁଦିନ ଉଜ୍ଜ୍ୱଳୁ ଉଜ୍ଜ୍ୱଳତର ହୋଇ ଉଠୁ, ଏହି ପୁରସ୍କାର ମାତ୍ର ମାଗୁଛି ଶ୍ରୀଚରଣେ- ଏହି ଆଶୀର୍ବାଦ ମାତ୍ର କରନ୍ତୁ ଏ’ ଅଧୀନେ ।
ପ୍ରତାପ – ଧନ୍ୟ, ଧନ୍ୟ, ଗୋବିନ୍ଦ ! ଧନ୍ୟ ତୁମ୍ଭର ମହତ୍ ହୃଦୟକୁ- ଧନ୍ୟ ତୁମ୍ଭର ରାଜ- ଭକ୍ତି ଓ ଦେଶ- ଭକ୍ତିକୁ ।
ସମସ୍ତେ – ଜୟ ଶାରଙ୍ଗଗଡ଼ାଧିନାୟକ ଗୋବିନ୍ଦ ବିଦ୍ୟାଧରଙ୍କ ଜୟ ।
ସମରେନ୍ଦ୍ର – (ଅତି ବିଷର୍ଣ୍ଣଭାବେ ଅନନ୍ତକୁ ଅବଲୋକନ କରୁଥିଲେ)
ପ୍ରତାପ – ଅନନ୍ତ ସିଂହ । ତୁମ୍ଭେ ଅତି ଅଳ୍ପ ବୟସରେ ଯେଉଁ ବୀରତ୍ୱ ଓ ଅଦମ୍ୟ ସାହସ ଦେଖାଇଚ, ସେଥିର ପୁରସ୍କର ସ୍ୱରୂପ ତୁମ୍ଭଙ୍କୁ ସେହି ଯୁଦ୍ଧସ୍ଥଳରେହିଁ ଅନ୍ୟତମ ସେନାପତି ପଦରେ ଉନ୍ନୀତ କରିଥିଲି- ବର୍ତ୍ତମାନ ଗୁପ୍ତଚରମାନଙ୍କଠାରୁ ଶୁଣି ଆନନ୍ଦିତ ହେଲି, ତୁମ୍ଭରି କୌଶଳରେ ହିଁ ମୋ’ର ଜୀବନରକ୍ଷା ହୋଇଛି । ସୁତରାଂ- (ହଠାତ୍ ରହିଗଲେ, ଗମ୍ଭୀରଭାବେ ମୁକୁନ୍ଦର ବିବଳିତ ଭାବ ସମସ୍ତଙ୍କ ଅଲକ୍ଷ୍ୟେ ପର୍ଯ୍ୟବେକ୍ଷଣ କରିବାରୁ ପରା)
ସଭାସଦ୍ଗଣ – (ପ୍ରତାପଙ୍କ ଆଡ଼େ ଉଦ୍ଗ୍ରୀବ ନେତ୍ରରେ ଚାହିଁ ରହିଥିଲେ)
ମୁକୁନ୍ଦ – (ଅନୁଚ୍ଚସ୍ୱରେ ଗୋବିନ୍ଦପ୍ରତି) ‘ଜୀବନରକ୍ଷା’- କା’ର କୌଶଳରେ, ପ୍ରଭୁ ?
ଗୋବିନ୍ଦ – (ଭ୍ରୂକୁଞ୍ଚନଦ୍ୱାରା ତାଙ୍କୁ ନିରସ୍ତ କରିବାକୁ ଲାଗିଲେ)
ମୁକୁନ୍ଦ – (କିନ୍ତୁ ନିରସ୍ତ ନ ହୋଇ ଏକାନ୍ତେ) ଆପଣଙ୍କରି କୌଶଳରେ ନୁହେଁକି ?- ଆପଣଙ୍କର ଶିକ୍ଷାମତେ ମୁଁ ଶତ୍ରୁ ସଙ୍ଗେ ନାନା ଚାତୁରୀ ଖେଳି ଗୋଟାଏ ପର୍ବତ ପୃଷ୍ଠରେ ଅଟକାଇ ରଖିବାରୁ ସିନା-
ଗୋବିନ୍ଦ – (ଏକାନ୍ତେ) ଏଣେ କିପରି କଣ ଯେ ଘଟିଥିଲା, ତା’ କ’ଣ ଗୁପ୍ତଚରଙ୍କଠାରୁ ତୋତେ ବେଶୀ ଜଣା ?-
ମୁକୁନ୍ଦ – କିନ୍ତୁ-
ଗୋବିନ୍ଦ – (ଭ୍ରୂକୁଞ୍ଚନ କଲେ)
ମୁକୁନ୍ଦ – (ବାଧ୍ୟ ହୋଇ ନିରସ୍ତ ହେଲେ)
ପ୍ରତାପ – (ମନେ ମନେ ହସିଲେ) ହିଁ, ସୂତରାଂ ସେତିକି ପୁରସ୍କାର ଯଥେଷ୍ଟ ଜ୍ଞାନ ନ କରି, ଅଧିକତର କିଛି ଦେବାକୁ ମନସଥ କରିଛି- ଏଥିରେ ଯଦି କାହାରି କୌଣସି ଆପତ୍ତି ଥାଏ-
ମୁକୁନ୍ଦ – (ଉତ୍ତେଜିତ ହୋଇ ଉଠିଲେ)
ପ୍ରତାପ – (ଲକ୍ଷ୍ୟ କରି ମୃଦୁ ମୃଦୁ ହସିଲେ)
ଗୋବିନ୍ଦ – (ମୁକୁନ୍ଦକୁ ନିରସ୍ତ କରି) ଗୁଣିର ଗୁଣର ପୁରସ୍କାର, ଆମ୍ଭ ସମସ୍ତଙ୍କର ପୁରସ୍କାର, ମହାରାଜ ।
ପ୍ରତାପ – ସମସ୍ତଙ୍କର କ’ଣ ଏହି ଅଭିମତ ?
ମୁକୁନ୍ଦ – ମୁଁ କିନ୍ତୁ- (କହିବା ସମୟରେହିଁ ସମସ୍ତେ ପାଟିକରି ଉଠିଲେ)
ସମସ୍ତେ – ଜୟ ଗଜପତି ପ୍ରତାପରୁଦ୍ର ଦେବଙ୍କ ଜୟ ।
ପ୍ରତାପ – ତେବେ ଆସ, ଅନନ୍ତସିଂହ, (ନିଜର କଟିଦେଶସ୍ଥ ତରବାରୀ ଦାନ କରି) ଆଜିଠାରୁ ମୁଁ ତୁମ୍ଭଙ୍କୁ ସାମନ୍ତ ଉପାଧିରେ ଭୂଷିତ କଲି- ଆଉ ସେହି ସମ୍ମାନସୂଚକ ଉପାଧିର ଯୋଗ୍ୟପଦ, ବିଶାଳ ଉତ୍କଳର ରାଜଧାନୀ କଟକର ଅଧିନାୟକତ୍ୱ ଅର୍ପଣ କଲି । (ମୁକୁନ୍ଦ ଆଡ଼େ ବକ୍ରଦୃଷ୍ଟିରେ ଚାହିଁଲେ)
ମୁକୁନ୍ଦ – ଓଃ- (ଆହତ ଫଣି ପରି ଫଣା ବିସ୍ତାର କରି ଅବନତ ହେଲେ)
ସମସ୍ତେ – (କେବଳ ମୁକୁନ୍ଦକୁ ଛାଡ଼ି) ଜୟ କଟକର ଅଧିନାୟକ ସାମନ୍ତ ଅନନ୍ତ ସିଂହଙ୍କର ଜୟ ।
ସମରେନ୍ଦ୍ର – (ଶ୍ଲେଷ ପୂର୍ଣ୍ଣ ନେତ୍ରରେ ମୁକୁନ୍ଦ ଆଡ଼େ ଚାହିଁଲା)
ମୁକୁନ୍ଦ – (ଦୃଷ୍ଟିବିନିମୟ ହୁଅନ୍ତେ ତଅ୍ୟଧିକ ଅପମାନବୋଧରେ ଦନ୍ତେ ଦନ୍ତ ଘର୍ଷଣ କଲେ ଯେମନ୍ତ)
ପ୍ରତାପ – (ସ୍ମିତମୁଖେ) ମୁକୁନ୍ଦ ! ତୁମ୍ଭେ ଏହି ରଣରେ ତୁମ୍ଭର ପ୍ରଭୁଙ୍କୁ ଅନୁକରଣ କରି ଯେଉଁ କର୍ତ୍ତବ୍ୟନିଷ୍ଠା ଓ ନିଃସ୍ୱାର୍ଥ- ପରତା ଦେଖାଇଥିଲ, ସେଥିରେ ମୁଁ ପରମ ତୃପ୍ତି ଲାଭ କରିଛି- ତା’ର ପୁରସ୍କାର ସ୍ୱରୂପ ତୁମ୍ଭଙ୍କୁ ମୁଁ ମୋ’ର ପ୍ରଧାନ ଦେହରକ୍ଷୀ ପଦ ପ୍ରଦାନ କଲି- ଏହି ନିଅ, ତା’ର ଯୋଗ୍ୟ ନିଦର୍ଶନ- (ମୁକୁନ୍ଦକୁ ଗୋଟିଏ କୋଷବଦ୍ଧ ଆସି ପ୍ରଦାନ କଲେ) ବର୍ତ୍ତମାନ ଠାରୁ ଏହାର ସଦ୍ବ୍ୟବହାର କରିପାର ।
ମୁକୁନ୍ଦ – (ଅତି ସାବଧାନରେ ଦୀର୍ଘ ନିଶ୍ୱାସ ଛାଡ଼ି) ଯଥା ଆଜ୍ଞା, ମହାରାଜ !
[ପ୍ରତାପରୁଦ୍ର ତାହା ଲକ୍ଷ୍ୟକରି ସାମାନ୍ୟ ହସିଲେପରା]
(ମୁକୁନ୍ଦ ପଶ୍ଚାଦ୍ଦେଶକୁ ଯାଉ ଯାଉ ହଠାତ୍ ନେପଥ୍ୟେ ଆପଣା ପ୍ରତିକାର ବଦ୍ଧ ଦୃଷ୍ଟି ଦେଖି, ଚମକି ଉଠିଲେ ଓ ଆତ୍ମସଂଯମ କରୁ କରୁ ପୁରାତନ ତରବାରୀ ତ୍ୟାଗ ପୂର୍ବକ ନୂତନ ତରବାରୀ ଧାରଣ କରି ବୀରୋଲ୍ଲାସରେ ଦଣ୍ଡାୟମାନ ହେଲେ)
ପ୍ରତାପ – ସମରେନ୍ଦ୍ର ! ତୁମ୍ଭେ ସାମାନ୍ୟ ଜଣେ ସୈନିକ ହୋଇ ଆଜି ଯେଉଁ ଉପକାର କରିଚ, ତା’ର ତୁଲ୍ୟ ପୁରସ୍କାର ଏ ଜଗତରେ ନାହିଁ- ତୁମ୍ଭରି ହେତୁ ମୋ’ର ପ୍ରାଣାଧିକା କନ୍ୟା ଜୀବିତା ସିନା ।
ମୁକୁନ୍ଦ – (ସାଶ୍ଚର୍ଯ୍ୟେ ଚାହିଁଲେ)
ପ୍ରତାପ – ସଭାସଦ୍ଗଣ ! ଆପଣମାନେ ଜାଣନ୍ତି ନାହିଁ ବୋଧହୁଏ, କିପରି ଗୋଟାଏ ଦୁର୍ଘଟଣାରୁ ଏହି ବୀର ସମରସିଂହ ଅତ୍ୟାଶ୍ଚର୍ଯ୍ୟ ବୁଦ୍ଧି କୌଶଳରେ, ଆପଣମାନଙ୍କର ଏକମାତ୍ର ଜେମାଦେଈଙ୍କର ପ୍ରାଣରକ୍ଷା କରିଅଛି ।
ମୁକୁନ୍ଦ – (ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ)
ସମସ୍ତେ – ଧନ୍ୟ, ଧନ୍ୟ, ସମରସିଂହ । ଆମ୍ଭମାନଙ୍କର ଜେମାଦେଈ ଦୀର୍ଘାୟୁ ଲାଭ କରନ୍ତୁ ।
ପ୍ରତାପ – ଆମ୍ଭେମାନେ ଯୁଦ୍ଧାନ୍ତେ ପୁରୀଧାମରେ ଅବସ୍ଥାନ କରୁଥିବା ବେଳେ, ଦିନେ ଗୋଧୂଳି ସମୟରେ ସଖୀମାନଙ୍କୁ ଘେନି ଜେମାଦେଈ ମହାନଦୀରେ ଜଳକେଳି କରୁଥିଲେ, ସେହି ସମୟରେ ଗୋଟାଏ କୁମ୍ଭୀର-
ମୁକୁନ୍ଦ – (ହଡାତ୍ ଉଚ୍ଚୈଃସ୍ୱରେ) ‘କୁମ୍ଭୀର ।’ ତେବେ କ’ଣ ସେହି ଘଟଣା- (ସମ୍ମୁଖକୁ ଅଗମନ କଲେ)
ପ୍ରତାପ – ପ୍ରକାଣ୍ଡ କୁମ୍ଭୀର, ଯା’ର ଛାଲ ଦେଖି, ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଚି, ଅଦୂରେ ବଣବୁଦା ମଧ୍ୟରେ ଲୁଚି ରହିଥିଲା- ଜେମାଦେଈ ମେଳ ଛାଡ଼ି ଟିକିଏ ଅନ୍ତର ହେବା ମାତ୍ରେ, ସେହି ଭୀଷଣ ଜନ୍ତୁଟା ତତ୍କ୍ଷଣାତ୍ ପାଣିରେ ପାଣିରେ ଛୁଟି ଆସିଲା, ସଙ୍ଗେ ସଙ୍ଗେ ସମରସିଂହର ଗୁଳି ମଧ୍ୟ-
ମୁକୁନ୍ଦ – ମିଥ୍ୟା କଥା, ମହାରାଜ ।- ମିଥ୍ୟା-
ପ୍ରତାପ – ମିଥ୍ୟା କଥା ।
ମୁକୁନ୍ଦ – ଏ’ ଅଧୀନ ଦିନେ ସନ୍ଧ୍ୟା ସମୟରେ କର୍ତ୍ତବ୍ୟ ନିର୍ଦ୍ଧାରଣ ମତେ ଦୁର୍ଗର ଚତୁର୍ଦିଗ ପର୍ଯ୍ୟବେକ୍ଷଣ କରି ବୁଲି ବୁଲୁ ହଠାତ୍ ଉତ୍ତର ଦିଗରେ କେତେଗୁଡ଼ିଏ ସ୍ତ୍ରୀଲୋକଙ୍କ ଆର୍ତ୍ତନାଦ ଶୁଣି ଧାଇଁ ଯାଏ- ସେମାନଙ୍କ ମଧ୍ୟରୁ ଜଣେ (କି ପୂର୍ବସ୍ମୃତି ଉଦିତ ହେବାରୁ ଦୀର୍ଘ ନିଃଶ୍ୱାସ ତ୍ୟାଗ କଲେ) ମୋତେ ଦେଖି, ମୋ’ ନିକଟକୁ ଧାଇଁଆସି, କହିଲେ ‘‘ସିପାହୀ ସାହେବ । ଗୋଟାଏ ଭାରି ମସ୍ତ କୁମ୍ଭୀର- ଅଭିକା କାମୁଡ଼ି ଥା’ନ୍ତା’’ ମୁଁ ସେମାନଙ୍କୁ ‘‘ପଳାନ୍ତୁ, ପଳାନ୍ତୁ’’ ବୋଲି କହି ସେହି ସ୍ଥାନରେ ପ୍ରକୃତ ଘଟନା କ’ଣ ଦେଖିବାକୁ ଠିଆ ହେଲି, ଦେଖିଲି, ପ୍ରକୃତରେ ଗୋଟାଏ ଭୀଷଣ କୁମ୍ଭୀର ସେହି ସ୍ତ୍ରୀଲୋକମାନଙ୍କର ଗାଧୋଇଲା ତୁଠରେ ଭାସି ଉଠିଲା- ମୁଁ ତତ୍କ୍ଷଣାତ୍ ଗୁଳିକଲି- ଜନ୍ତୁଟା ଅଦୃଶ୍ୟ ହୋଇଗଲା, ଆହତ ହୋଇଥିଲା କି ନା-
ଅନନ୍ତ – ନା, ହୋଇ ନ ଥିଲା- ଏ ଘଟନାଟି ଆମ୍ଭର ବର୍ଣ୍ଣିତ ଘଟନାର ପୂର୍ବ ଘଟନା ନିଶ୍ଚୟ- କାରଣ ଶିକାରୀ ଥରେ ଯେଉଁଠାରେ ଶିକାର ଦେଖିଥାଏ, ଠିକ୍ ସେହି ସ୍ଥାନକୁ ସେ ସର୍ବଦା ଲକ୍ଷ୍ୟ ରଖିଥାଏ-
ପ୍ରତାପ – କାହିଁ, ଏ’ କଥାତ ଶୁଣି ନ ଥିଲି । ଯାହା ହେଉ, ଶୁଣି ସୁଖୀହେଲି ମୁକୁନ୍ଦ, ତୁମ୍ଭର କର୍ତ୍ତବ୍ୟ ପାଳନରେ ସେ ଦିନ ଖୁବ୍ ଜାଗରୁକ ଥିଲ; କିନ୍ତୁ ସଙ୍ଗେ ସଙ୍ଗେ ଗୋଟିଏ ବିଷୟରେ ଭାରି ଦୁଃଖିତ, ଯୁବକ, କଥାଟା ଆନୁପୂର୍ବକ ନ ଶୁଣି ବିଷୟଟି ନ ଭାବି, ନ ଚିନ୍ତି ରାଜା ସମ୍ମୁଖରେ, ଏତେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ, କଥାଟା ମୋର ନ ସରୁଣୁ, ନିର୍ଭୟର ହଠାତ୍ ‘‘ମିଥ୍ୟା କଥା’’ ବୋଲି ଯେ ପାଟି କରି ଉଠିଲ, ଏଇଟା ଉଚିତ ହୋଇଚିକି ? କ୍ଷଣପୂର୍ବେ ତୁମ୍ଭର ଏପରି କେତେକ ଅସଂଯତ ଭାବ ଯେ ଲକ୍ଷ୍ୟ ନ କରିଚି, ତା’ ନୁହେଁ, ମାତ୍ର ତାହା ଯୌବନସୁଲଭ ବୋଲି ଉପେକ୍ଷା କରୁଥିଲି, କିନ୍ତୁ ବର୍ତ୍ତମାନ ଭୟ ହେଉଚି, ପ୍ରଶ୍ରୟ ଦାନରେ ଅନତି ବିଳମ୍ବେ ଔଦ୍ଧତ୍ୟରେ ପରିଣତ ହେବା ଅସମ୍ଭବ ନୁହେଁ; ଅତଏବ ମୋର ଉପଦେଶ, ଯୁବକ, ସଂଯମୀ ହେବାକୁ ଚେଷ୍ଟାକର- ସର୍ବାଗ୍ରେ ରାଜ- ମର୍ଯ୍ୟାଦା ଶିକ୍ଷାକର ।
ମୁକୁନ୍ଦ – ଧୃଷ୍ଟତା କ୍ଷମା କରନ୍ତୁ, ମହାରାଜ ।
ପ୍ରତାପ – ତୁମ୍ଭର ବୟସ ଦୃଷ୍ଟିରେ ଏ’ ଚପଳତା ମାର୍ଜନା କଲି- ଆଉ ଦିନେ ଏ’ପରି ଆଚରଣ ଯେମନ୍ତ ଦେଖିବାକୁ ନ ହୁଏ- ରାଜ- ମର୍ଯ୍ୟାଦା ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଅଭ୍ୟାସ କର ।
ମୁକୁନ୍ଦ – (ସ୍ୱସ୍ଥାନକୁ ଆସୁ ଆସୁ ନିଜ ମନେମନେ) ମାତ୍ର ପ୍ରବଞ୍ଚନା କି ତା’ର ମୂଳଭିତ୍ତି ?
ପ୍ରତାପ – ଆସ, ସମରେନ୍ଦ୍ର- ଆଗେ ମୋତେ ତୁମକୁ ଆଲିଙ୍ଗନ କରିବାକୁ ଦି- ହେ- ପୁତ୍ରପ୍ରତିମ । ଆଜିଠାରୁ ତୁମେ ସହକାରୀ ସେନାପତିପଦ ପ୍ରାପ୍ତ ହେଲ ।
ସଭାସଦ୍ – (ସବିଷ୍ମୟେ ମନେ ମନେ ଚିତ୍କାର କରି ଉଠିଲେ ପରା)- ମହାରାଜ ।- ମହାରାଜ !
ପ୍ରତାପ – (ମୃଦୁ ମୃଦୁ ହସି) ଏହି ନିଅ ତା’ର ଯୋଗ୍ୟ ନିଦର୍ଶନ- ମୋ’ର ବିଶ୍ୱାସ, ସେନାପତି ଅନନ୍ତସିଂହଙ୍କ ଅଭିଭାବକତ୍ୱରେ, ତୁମ୍ଭେ ଶୀଘ୍ର ଯୋଗ୍ୟତର ହୋଇ ଅଚିରେ ତା’ର ଯୋଗ୍ୟ ବ୍ୟବହାର କରି ପାରିବ ।
(ସମରେନ୍ଦ୍ରକୁ ତରବାରୀ ଦାନ କଲେ)
ସମସ୍ତେ – (ମୁକୁନ୍ଦକୁ ଛାଡ଼ି) ଧୃଷ୍ଟତା କ୍ଷମା କରନ୍ତୁ, ମହାରାଜ ।- ଜୟ ମହାରାଜାଙ୍କ ଜୟ !- ଜୟ ସହକାରୀ ସେନାପତି ସମରେନ୍ଦ୍ରଙ୍କ ଜୟ ।
ମୁକୁନ୍ଦ – (ମନେ ମନେ) ଏ’ ଯେ ପ୍ରବଞ୍ଚନା, ମିଥ୍ୟାବାଦିତାର ଜୟ ।
ସମରେନ୍ଦ୍ର – (ନିଜସ୍ଥାନକୁ ଆସି ମୁକୁନ୍ଦକୁ ସଗର୍ବେ ଚାହିଁଲା)
ମୁକୁନ୍ଦ – (ଅନ୍ୟଆଡ଼େ ମୁଖ ଫେରାଇ ନେଲେ) ଓଃ- ଅନ୍ୟାୟର ଉନ୍ନତି କେତେ ଦ୍ରୂତଗତିରେ ।
ପ୍ରତାପ – ବର୍ତ୍ତମାନ ସଭା ତେବେ- ସହସା ଜଗନ୍ନାଥ ଦାସଙ୍କର ମୁକୁନ୍ଦର ପଶ୍ଚାଦ୍ଦେଶ ଦେଇ, ପ୍ରବେଶ)
ଜଗନ୍ନାଥ ‘ଅଧର୍ମର ବିତ୍ତ ବଢ଼େ ବହୁତ
ଯିବାବେଳେ ଯାଏ ମୂଳ ସହିତ ।’
ମୁକୁନ୍ଦ- ମିଥ୍ୟା କଥା-
ଜଗନ୍ନାଥ – ‘ମିଥ୍ୟା କେବେ ନୁହେଁ ବଚନ
ଜ୍ଞାନ ଅଟଇ ପ୍ରମାଣ ।’
ମୁକୁନ୍ଦ – (ସଲଜ୍ଜେ ଓ ସବିସ୍ମୟେ ଚାହିଁଲେ)
ପ୍ରତାପ – (ମୁକୁନ୍ଦ ଆଡ଼େ ତିରସ୍କାର ପୂର୍ଣ୍ଣ ନେତ୍ରରେ ଚାହିଁଲେ) ଆସନ୍ତୁ, ଆସନ୍ତୁ, ଦେବ- ବହୁ ସୌଭାଗ୍ୟ ଏ’ ପାପୀର, ସାକ୍ଷାତ୍ ଭଗବଦ୍ ଦର୍ଶନ ଲାଭ କଲି- ହଠାତ୍ ଏ’ ପାପୀ ପ୍ରତି ସୁଦୟା-
ଜଗନ୍ନାଥ – ‘ଭକ୍ତହୃଦୟେ ଭଗବାନ ।
କରନ୍ତି ସଦା ବିଚରଣ ।
ତେଣୁ ପ୍ରଣାମ ଭକ୍ତେ କଲେ ।
ପ୍ରଣାମ ବଇକୁଣ୍ଠେ ମିଳେ ।’
(ପ୍ରତାପରୁଦ୍ର ଦେବଙ୍କ ଚରଣତଳେ ପ୍ରଣାମ କଲେ)
ପ୍ରତାପ – ପ୍ରଭୁ ! ପ୍ରଭୁ ! ଏ କି ଆଚରଣ ତବ ?
ଜଗନ୍ନାଥ – ‘ଘେନ ଏ’ ପ୍ରଣତି ଦାସର ।
ସଭାର ସର୍ବ ନାରୀନର ।’
(ଲମ୍ବ ହୋଇ ସମସ୍ତଙ୍କୁ ପ୍ରଣାମ କଲେ)
ପ୍ରତାପ – ଆସନ୍ତୁ, ଆସନ୍ତୁ, ଦେବ । ଏହି ସ୍ଥାନ ମଣ୍ଡନ କରନ୍ତୁ ।
ଜଗନ୍ନାଥ – ‘ଦାସର ଦାସ ମୁଁ ଅଟଇ ।
ପଦ ସେବାରେ ନିତ୍ୟଥାଇ ।’
[ଭୂମିରେ ଉପବେଶନ କରନ୍ତେ, ସମସ୍ତେ ସେହିପରି କଲେ ]
ପ୍ରତାପ – ଭଗବନ୍ ! ବାସ୍ତବିକ ଆପଣଙ୍କ ମହତ୍ୱରେ ଏ’ ଦାସ ମୁଗ୍ଧ ।
ଜଗନ୍ନାଥ – ଏସନ ନ କହ ନରେଶ ।
ଉପୁଜେ ମନେ ବହୁକ୍ଲେଶ ।’
ପ୍ରତାପ – (ଜଗନ୍ନାଥଙ୍କ ଚରଣଧୂଳି ନେଇ, ଗଦ୍ଗଦ କଣ୍ଠେ) ଭଗବନ୍ ! ଭଗବନ୍ ! ଏ’ ଦୀନ ଶିଶୁକୁ ପ୍ରକୃତରେ କି କ୍ଷମା କରିଚନ୍ତି ?
ଜଗନ୍ନାଥ – ‘ଶିଶୁର ସମାନ ଯେ ଜନ ।
ଅଟଇ ସେହି ଭଗବାନ ।’ (ଆଲିଙ୍ଗନ କଲେ)
ପ୍ରତାପ
ଭଗବନ୍ ! ଭଗବନ୍ ! ଏତେ ଦୟା ଏ’ ନିଷ୍ଠୁର ପ୍ରତି । କୁଟମତି ମୁହିଁ, କୂଟାଭ୍ୟାସ ଦୋଷରୁ ସିନା, ସରଳ ନିଷ୍କଳଙ୍କ ଆପଣଙ୍କୁ ସେହି ଅମାନୁଷିକ ନିର୍ଯ୍ୟାତନା- ସେହି ଦୁଃସହ ଯନ୍ତ୍ରଣା-
ଜଗନ୍ନାଥ – ‘ଭକତ ଲୋଡ଼ଇ କଷଣ ।
ଲଭିବାକୁଟି ଭଗବାନ ।’
ପ୍ରତାପ – ପ୍ରଭୋ ! ପ୍ରଭୋ ! ଶୁଣ, ଶୁଣ, ସଭାସଦ୍ଗଣ । ଆମ୍ଭେମାନେ ନିର୍ଯ୍ୟାତନା କରି ଆନନ୍ଦ ଉପଭୋଗ କରିଥାଉଁ- କିନ୍ତୁ ଭଗବନ୍ ଆମ୍ଭମାନଙ୍କର ନିର୍ଯ୍ୟାତନାରେ ଆନନ୍ଦ ଉପଭୋଗ କରିଥାନ୍ତି ।
ଜଗନ୍ନାଥ – (ପୋଥି ଫିଟାଉ ଫିଟାଉ)
‘ଶୁଣ ଏବେ ଭୋ ନରନାଥ ।
କରିଚି ପୂର୍ଣ୍ଣ ଭାଗବତ ।’
ପ୍ରତାପ – ଓଃ- କି ମୂଢ଼ ମୁହିଁ- ଭଗବାନଙ୍କ ଆଗମନ କାରଣ ଏପର୍ଯ୍ୟନ୍ତ ପଚାରିବାକୁ ଭୁଲି ଯାଇଚି ।
ଜଗନ୍ନାଥ – ‘ଶୁଣ ପରୀକ୍ଷା ନରନାଥ ।
ଦ୍ୱାଦଶ ସ୍କନ୍ଧ ଭାଗବତ ।’
ପ୍ରତାପ – ଭଗବନ୍ ! ଏ’ ଅମୂଲ୍ୟ ପବିତ୍ର ଗ୍ରନ୍ଥ ଏଠାରେ ପାଠ ଯୋଗ୍ୟ ନୁହେଁ ।
ଜଗନ୍ନାଥ – ‘ପବିତ୍ର ଅପବିତ୍ର ଜ୍ଞାନ ।
ଜୀବର ଅଟେ ଭ୍ରମ ଜ୍ଞାନ ।
ଯେଠାବେ ଯେଭାବେ ଭଜିବ ।
ହରି ଦୟାଳୁ ଦେଖାଦେବ ।’
(ପୋଥି ବାନ୍ଧି ଗମନୋଦ୍ୟତ)
‘କାଳାକାଳ ନାହିଁ ଆବର ।
କାଳର କର୍ତ୍ତା ଦାମୋଦର ।
ଚାଲନ୍ତୁ ଯଥା ଇଚ୍ଛା ନାଥ ।
ଅଟଇ ସଦା ସନମତ ॥’
ପ୍ରତାପ – ଆସ, ଆସ, ଭକ୍ତଗଣ ! ପ୍ରକୃତରେ ଆଜି ଆମ୍ଭମାନଙ୍କର ବିଜୟୋତ୍ସବ- ପାଶବିକ ଶତ୍ରୁତା ଦଳନରେ ତା’ର ଆରମ୍ଭ, ମାତ୍ର ଅଜ୍ଞାନଶତ୍ରୁତା ଦମନରେ ତା’ର ପରିସମାପ୍ତି- ତା’ର ସାର୍ଥକତା ।
(ସମସ୍ତଙ୍କ ପ୍ରସ୍ଥାନ)
[କୃଷ୍ଣା କ’ଣ ଗୋଟାଏ ଲକ୍ଷ୍ୟ କରି ଏଣେ ତେଣେ ଚାହୁଁ ଚାହୁଁ ପ୍ରବେଶ କଲେ, ପଛେ ପଛେ ଚମ୍ପାର ମଧ୍ୟ ପ୍ରବେଶ]
ଚମ୍ପା – ଜେମାଦେଈ ! ଜେମାଦେଈ ! ତେଣେ- କେଉଁଆଡ଼େ-
କୃଷ୍ଣା – ହଁ- ନା- (ଇତଃସ୍ତତ ହେବା) ତୁ ନିଶ୍ଚେ ଭୁଲ କରିଥିଲୁ- ସେ ଦିନ ଏହି ‘ମୁ-’
(ଲଜ୍ଜାରେ ନାମୋଚ୍ଚାରଣ କରି ପାରିଲେ ନାହିଁ ପରା)
ଚମ୍ପା – ନା, ଜେମାଦେଈ, ସେଦିନ ସମରେନ୍ଦ୍ର-
କୃଷ୍ଣା – ନା- ନା (ମାତ୍ର ସମାଳି ନେଇ) ଆଚ୍ଛା, ଆଉ କେଉଁଦିନ ତ କୁମ୍ଭୀର ଗୋଳ ହୋଇ ନ ଥିଲା- ସେଇ ଥରକ ଯା- ସେହି କୁମ୍ଭୀରଟା ପରା ଗୁଲି ଖାଇ ଦୁଇଦିନ ପରେ ମରି ଭାସି ଉଠିଥିଲା ।
ଚମ୍ପା – ଜେମାଦେଈ ! ଆଗ ଘଟଣା ତମେ ଜାଣି ନାହିଁ- ମୁଁ ବି କହି ନ ଥିଲି, କାଳେ ଡରରେ ଆଉ ଗାଧୋଇ ନ ଯାଅ ଆହୁରି ଶୁଣିଲ ତ, ସେନାପତି ଅନନ୍ତସିଂହ ସଭାରେ କ’ଣ କହିଲେ ?
କୃଷ୍ଣା – କିନ୍ତୁ- (କ’ଣ କହିବାକୁ ଯାଉଥିଲେ)
ଚମ୍ପା – କଥାଟା ଆଉ କିଛି ନୁହେଁ, ଏହି ଘଟଣା ଘଟିବାର ଦୁଇ କି ତିନି ଦିନ ଆଗେ, ମୁଁ, ମଲ୍ଳି, ଶୋଭି-
କୃଷ୍ଣା – ମଲ୍ଲି, ଶୋଭି ଥିଲେ ?
ଚମ୍ପା – (ସଭୟେ ସ୍ୱଗତ) ପଚାରି ବୁଝିବ ନା କ’ଣ ? (ସମ୍ଭାଳି ନେଇ) ହଁ, ହଁ, ମଲ୍ଲି, ଶୋଭି- ନା, ନା- କିଏ ତ, ସେ ଦିନ ଯା’ ମ- ପୋଡ଼ା ମନେ କି ଥାଏ- ତେବେ, ଜେମାଦେଈ ମୁଁ ଏକା ନିଶ୍ଚେ ନୁହେଁ- ଛାଡ଼, କିଏ ଦୁଇ ଜଣ, ଆଉ ମୁଁ- ଠିକ୍ ସେହିପରି ମୁହଁ ସଞ୍ଜବେଳେ, ସେହି ତୁଠକୁ ଲୁଗା କାଚିବାକୁ ଆସିଥିଲୁ- କୁହନା, ଜେମାଦେଈ ସେହି ପୋଡ଼ାଟା-
କୃଷ୍ଣା – ଆଚ୍ଛା ମୁଁ କ’ଣ ସେଦିନ ?-
ଚମ୍ପା – (ନିଜର ତ୍ରୁଟି ହେତୁ ନିଜକୁ ତରସ୍କାର କରି) ସେଦିନ ତୁମେ ଯେ କାହିଁକି ଆସି ନ ଥିଲ- ହଁ- ହଁ- ତୁମର ଦିହ କ’ଣ-
କୃଷ୍ଣା – ‘ଦିହ’ । ଏ’ ବର୍ଷକ ମଦ୍ୟରେ ଦିନେ ହେଲେ ତ କେବେ-
ଚମ୍ପା – (ଭୀତା ହୋଇ କିନ୍ତୁ ସମ୍ଭାଳି ନେଇ) ତେବେ ଅନ୍ୟ କେଉଁ କଥା- କଣ- ହୋଇ- ?
କୃଷ୍ଣା – ହଁ, ଅନେକ ଦିନ ତଳର କଥା କି ନା ?-
ଚମ୍ପା – କହିଲ ଭଲା- ଠିକ୍ କି ସବୁ ମନେ ଥାଏ ?
କୃଷ୍ଣା – ତା’ ନୁହେଁ କ’ଣ ? କାଠର ମଞ୍ଜ ସିନା ରହେ- ପଳଖା ଗୁଡ଼ାକ-
ଚମ୍ପା – (ଚମକି ଉଠିଲା) ଜେମାଦେଈ । ଜେମାଦେଈ । ମୋତେ କ’ଣ ଅବିଶ୍ୱାସ-
କୃଷ୍ଣା – (ନିଜର ଅସାବଧନତା ବୁଝି ପାରି) ଛି, ଚମ୍ପା, ଛଳରେ ମୁଁ ସେମିତିକା-
ଚମ୍ପା – (ଦୀର୍ଘ ନିଶ୍ୱାସ ଛାଡ଼ି, ପ୍ରକାଶ୍ୟେ ଗଦ୍ଗଦସ୍ୱରେ) କିନ୍ତୁ, ଛଳରେ ବି ଏମିତିକା କଳଙ୍କ ଯେ ଚମ୍ପା ତମର-
କୃଷ୍ଣା – (ହାତ ଧରି) ଚମ୍ପା ! ମୋ’ର ଦୋଷ-
ଚମ୍ପା – ଛି ଜେମାଦେଈ । ମୁଁ ଯେ ତମର ପୋଇଲୀ- ଟାଏ-
କୃଷ୍ଣା – ହଁ, ସେଦ ଦିନତ ତମମାନଙ୍କ ସାଙ୍ଗରେ ମୁଁ ନ ଥିଲି- ତା’ ପରେ କ’ଣ ହେଲାଟି ?
ଚମ୍ପା – କୁହନା, ଜେମାଦେଈ- ପୋଡ଼ା କୁମ୍ଭୀରଟା ଯେମିତିକା ଗୋଡ଼ ଜଗି, କାହିଁ ଛକି ରହିଥିଲା, ତୁଠରେ ଗୋଡ଼ ଦେଇଚୁ କି ନାହିଁ, ପରା ଗୋଡ଼େଇ ଆସିଲା- ଭାଗ୍ୟେ ମୁକୁନ୍ଦ ଥିଲା ବୋଲି-
କୃଷ୍ଣା – ସେ ଦିନ ବି ସେହି ‘ମୁକୁନ୍ଦ’- (କହି ପକାଇ ଜିହ୍ୱାଦଂଶନ କଲେ)
ଚମ୍ପା – (ହଠାତ୍ ଚମକି ଉଠି କୃଷ୍ଣା ଆଡ଼େ ମ୍ଲାନ ମୁଖେ ଚାହିଁଲା) ଜେମାଦେଈ-
କୃଷ୍ଣା – ନା ଲୋ ନା, ତୋତେ ମୁଁ ମିଛୋଇ କହୁ ନାହିଁ ଯେ-
ଚମ୍ପା – (ଆହୁରି ମ୍ଳାନମୁଖେ ସାଗ୍ରହେ ଚାହିଁଲା)
କୃଷ୍ଣା – (ସଲଜ୍ଜେ ଅନ୍ୟ ଆଡ଼େ ଚାହିଁ) ଭୁଲ କ’ଣ ମଣିଷର ହୁଏ-
(ହଠାତ୍ ଲକ୍ଷ୍ୟବସ୍ତୁ ପ୍ରତି ଦୃଷ୍ଟି ପଡ଼ିବାରୁ କ୍ଷାନ୍ତ ହେଲେ)
ଚମ୍ପା – (ଭୀତା ହୋଇ) ନାହିଁ, ନାହିଁ, ଜେମାଦେଈ ମୁଁ କେବେ ଭୁଲ କରି ନାହିଁ- ମୁଁ ନିୟାମ କରି କହୁଚି- ଦିହ ଛୋଇଁ-
କୃଷ୍ଣା – (ସେହି ଲକ୍ଷ୍ୟବସ୍ତୁ ପ୍ରତି ମନପ୍ରାଣ ଢାଳିଦେଇ ଥିଲେ, ଚମ୍ପା ଛୋଇଁବାମାତ୍ରେ କହି ଉଠିଲେ)- ଛାଡ଼ିଦେ- ତୁ ଏ’ଠୁ- (ଜିହ୍ୱାଦଂଶନ କଲେ)
ଚମ୍ପା – (ଅତ୍ୟନ୍ତ ଭୀତା ହେବାକୁ ଲାଗିଲା)
କୃଷ୍ଣା – ନା’ ମ, ଚାଲ ଯିବେ- (ଯିବାକୁ ଉଦ୍ୟତ ହୋଇ ହଠାତ୍ ଗୋଟିଏ ଛବି ନିକଟକୁ ଦୌଡ଼ି ଯାଇ) ବେଶ୍ ଛବିଟିଏ, ନା, ଚମ୍ପା-
ଚମ୍ପା – (ସ୍ୱଗତ) ଏଁ-ଏଁ କଣ ? କଥା ନେବାର ଫିକର ନା କ’ଣ ? ଅବିଳମ୍ବେ - ଏହିକ୍ଷଣି - ସାବଧାନ କରିଦେବା ଉଚିତ ନୁହେଁକି ?-କ’ଣ କରେଁ- (ପ୍ରକାଶ୍ୟେ) ଜେମାଦେଈ । ୟାଠୁ କେତେ ଭଲ ଭଲ ଛବି ଅଛି- ଦେଖୁଥାଅ କି-
କୃଷ୍ଣା – (ଚମ୍ପାର ଯିବାର ଅଭିପ୍ରାୟ ବୁଝିପାରି ସାନନ୍ଦେ) ସତେ ? ସତେ ?-
ଚମ୍ପା – ଦେଖିନିଅ- ପରଖ କରିନିଅ- ମୋ’ କଥା ସତ କି ମିଛ- ମୁଁ ସତୋଈ କିୁ ମିଛୋଈ ଏହିଥିରୁ -
କୃଷ୍ଣା – ପୁଣି ସେହିକଥା, ଚମ୍ପା- ମୁଁ କି କେବେ ହେଲେ ତୋତେ ଅପତିଆରା କରିଛି- କହିଲୁ, କେଉଁଦିନ ଭଲା-
ଚମ୍ପା – ସତ, ସତ କହୁଛତ, ଜୋମ- (ମାତ୍ର କୃଷ୍ଣାର ନିମ୍ପୋକ୍ତ ଭାବରେ ଶଙ୍କାନ୍ୱିତା ହେବାକୁ ଲାଗିଲା)
କୃଷ୍ଣା – (ଛବି ଦେଖୁଥିଲାବେଳେ ଚମ୍ପା ଗଲା କି ନାହିଁ, ଚୋରେଇ ଚୋରେଇ ଚାହୁଁଥିଲେ- ହଠାତ୍ କେତୋଟି ଚିତ୍ରପଟ ଦେଖି) ଏ’ ସୁବର୍ଣ୍ଣକେଶରୀଙ୍କ- ଏ’ ଚୋରଗଙ୍ଗଙ୍କ- ଏ’ ନନ୍ଦିକାର - (ସେହି ଭାବରେ ମୁକୁନ୍ଦ ସହିତ ବୋଧହୁଏ ନିଜକୁ ଚିନ୍ତାକରି ନେଇ) ଓଃ, ଅଭାଗିନୀ ପ୍ରତ୍ୟାଖ୍ୟାତା- (ଦୀର୍ଘନିଃଶ୍ୱାସ ଛାଡ଼ି, ପୁଣି ଅନ୍ୟାନ୍ୟ ଚିତ୍ର ଦେଖିବାକୁ ଲାଗିଲେ, କିନ୍ତୁ ମନଟା ଅସ୍ଥିର ହୋଇ ଉଠିଥିଲା)
ଚମ୍ପା – (ସ୍ୱଗତ) ନା, ନା- ମୁଁ ଏ’ପରିଭାବେ ଛାଡ଼ିଗଲେ ଆହୁରି ସନ୍ଦେହ ହୋଇପାରେ- ମୋ’ ଉପରେ- (ପ୍ରକାଶ୍ୟେ) କିଛି ଡର ନାହିଁ, ଜେମାଦେଈ- କେହି ଭିତରକୁ ଆସିବେ ନାହିଁ -ମୁଁ ବି ଯାଉ ନାହିଁ ।
କୃଷ୍ଣା – (ଏହି ‘ନାହିଁ’ ଶବ୍ଦ ଶୁଣିଚନ୍ତିକି ନାହିଁ) ଯା, ଯା -ସେନାପତିଙ୍କୁ କହି ଏକାବେଳକେ ସାବଧାନ କରି ଦେଇ ଆ-ଭିତରକୁ ଯେପରି କେହି- (କହୁ କହୁ ସଂକୁଚିତା ହେଉଥିଲେ ପରା)
ଚମ୍ପା – (ଏହିପରି ଉକ୍ତିରେ ବିସ୍ମୟାଭିଭୂତା ହେଉଥିଲା)
କୃଷ୍ଣା – ଆଉ କିଛି ନୁହେଁ ମ- ବୁଝିଲୁ ନା- ‘ସାବଧାନର ବିନାଶ ନାହିଁ-’ (ବେଗେ ପ୍ରସ୍ଥାନ)
କୃଷ୍ଣା – (ଲକ୍ଷ୍ୟବସ୍ତୁ ନିକଟକୁ ଦୌଡ଼ି ଯାଇ) ଏହି ତରବାରୀ ।-ସେହି ବୀରଙ୍କର । -ନାମ ଯେ ଖୋଳା ଅଛି । -ଭୁଲରେ ଛାଡ଼ି ଯାଇଚନ୍ତି, ନା ପ୍ରେମର ନିଦର୍ଶନ ରଖିଯାଇଚନ୍ତି ?
(ବକ୍ଷରେ ଧାରଣ କରି ଚୁମ୍ବନ କଲାବେଳେ ମୁକୁନ୍ଦର ବେଗେ ପ୍ରବେଶ ଓ ଜେମାଦେଈଙ୍କୁ ଦେଖି ପ୍ରସ୍ଥାନ କରୁ କରୁ ପୁଣି ଫେରି ଚାହିଁଲେ; କୃଷ୍ଣା ମୁଗ୍ଧନୟନରେ ଚାହିଁଥିଲେ ଯନ୍ତ୍ରଚାଳିତା ପରି ତରବାରୀଟି ମୁକୁନ୍ଦଆଡ଼େ ଉତ୍ତୋଳିତ କରି ଦେଲେ । ମୁକୁନ୍ଦ ଧୀରେ ଧୀରେ ଆସନ୍ତେ, କୃଷ୍ଣା ଲଜ୍ଜାରେ ଅନ୍ୟ ଆଡ଼େ ଚାହିଁଲେ । ମୁକୁନ୍ଦ କମ୍ପିତ କଲେବରରେ ଜାନୁପାତପୂର୍ବକ ତରବାରୀର ମୁଠା ଧାରଣ କଲେ, ହଠାତ୍କି ଗୋଟାଏ ଧକ୍କାରେ ତରବାରୀଟି କେବଳ ଘେନି ଚାଲିଗଲେ; ଖୋଳଟି ଜେମାଦେଈଙ୍କ ହାତରେ ରହିଗଲା ପରେ କୃଷ୍ଣା ଚମକି ଉଠିଲେ ।)
କୃଷ୍ଣା – ଏଁ, ଏଁ- କ’ଣ କଲି- ଛାଡ଼ି ଦେଇ ପାରିଲି ନାହିଁ ଯେ- କରୁଛି କ’ଣ ?- କରୁଛି କ’ଣ ?
(ହଠାତ୍ ଚମ୍ପାର ପ୍ରବେଶ)
ଚମ୍ପା – ରକ୍ଷୀ ଚାରିଜଣ -
କୃଷ୍ଣା – ରକ୍ଷୀ । (ରକ୍ଷୀ ଭୟରେ ଭୀତ ତ୍ରସ୍ତ ଚୋରପରି ଖୋଳଟା ନିକ୍ଷେପ କରି ବେଗେ ପ୍ରସ୍ଥାନ କଲେ ପରା)
ଚମ୍ପା – ଝଣ୍କରି କ’ଣଟାଏ ପକାଇ ଦେଇ ଗଲେ, ଜେମାଦେଈ ? ଏ’ ଯ, ତରବାରୀର ଖୋଳଟାଏ ! କା’ର କା’ର ନାମ ? (ପଢ଼ି) ମୁକୁନ୍ଦ-
(କହୁ କହୁ ବିସ୍ପାରିତ ନେତ୍ରରେ କିଛିକ୍ଷଣ ଚାହିଁ) ହାଃ -ହାଃ- ହାଃ(ଭୀଷଣ ଭାବରେ ହସି ଉଠିଲା)
-ଯବନିକା-
ସମ୍ବନ୍ଧିତ ରଚନା
କର୍ଣ୍ଣ-ଦାନ ପରୀକ୍ଷା
ବୈଷ୍ଣବ ପାଣି
ରାମାଭିଷେକ
ରାମଶଙ୍କର ରାୟ
ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ
ବୈଷ୍ଣବ ପାଣି
ଗୀତିନାଟ୍ୟ କର୍ଣ୍ଣବଧ
ବୈଷ୍ଣବ ପାଣି